Unknown

 

 

 

 

 

 

 

 

 

୧୬୨ତମ ସଂଖ୍ୟା କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

 

ଉପଦେଷ୍ଟା :

ଡକ୍ଟର ରାମଚନ୍ଦ୍ର ବେହେରା

 

ସମ୍ପାଦକ ମଣ୍ଡଳୀ :

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

ସୌଜନ୍ୟ ସମ୍ପାଦକ :

ଡକ୍ଟର ମଣୀନ୍ଦ୍ର କୁମାର ମେହେର

 

ସୂଚୀ

୧.

ଗଙ୍ଗାଧରଙ୍କ କାବ୍ୟପୃଥିବୀର କିଞ୍ଚିତ ଦୃଶ୍ୟ

 

ରମାକାନ୍ତ ରଥ

୨.

ଗଙ୍ଗାଧରଙ୍କ ମହତ୍ତ୍ଵ

 

କାହ୍ନୁ ଚରଣ ପାଢ଼ୀ

୩.

ଗଙ୍ଗାଧର ପ୍ରସଙ୍ଗ

 

ମିହିର କୁମାର ମେହେର

୪.

ଗଙ୍ଗାଧାର ଗଙ୍ଗାଧର !

 

ଅଧ୍ୟାପକ ପାର୍ଥସାରଥି ଅଜୟ ବାରିକ୍‌

୫.

ଗଙ୍ଗାଧର ମେହେରଙ୍କ କାବ୍ୟ ଚେତନାରେ

ଅନ୍ତଃ ଓ ବହିଃ ପ୍ରକୃତିର ଚମତ୍କାରିତା ଓ

ଚାରିତ୍ରିକ ଉତ୍କର୍ଷ

 

ରମାକାନ୍ତ ରାଉତ

୬.

ମେହେର ସାହିତ୍ୟରେ ପ୍ରେମ

 

ମନମୋହନ ଆଚାର୍ଯ୍ୟ

୭.

ଗଙ୍ଗାଧରଙ୍କ ଗଦ୍ୟରଚନା :

ଏକ ଅନୁଶୀଳନ

 

କୃଷ୍ଣଚନ୍ଦ୍ର ପ୍ରଧାନ

୮.

ଆର୍ତ୍ତମାନବାତ୍ମାର କବି ଗଂଗାଧର

 

ଭଗବାନ ପଟେଲ

୯.

ଉତ୍କଳର ଗର୍ବ ଓ ଗୌରବ ଗଙ୍ଗାଧର ମେହେର

 

ସିଦ୍ଧାର୍ଥ କାନୁନ୍‌ଗୋ

୧୦.

ଗଙ୍ଗାଧରଙ୍କ କାବ୍ୟ ସମ୍ଭାରରେ ଉତ୍କଳୀୟ ଭାବନା

 

ରାମଚନ୍ଦ୍ର ଦାଶ

୧୧.

ସୂକ୍ତିର କବି ଗଙ୍ଗୀଧର : ଏକ ସଂବୀକ୍ଷଣ

 

ରବୀନ୍ଦ୍ର କୁମାର ପ୍ରହରାଜ

୧୨.

ଉତ୍କଳ ଲକ୍ଷ୍ମୀ କାବ୍ୟରେ ଗଙ୍ଗାଧରଙ୍କ

ଜାତୀୟ ମାନସ

 

ଗଣେଶରାମ ନାହାକ

୧୩.

ତପସ୍ଵିନୀ ଓ ପ୍ରକୃତି : ସହୃଦୟତା ଓ

ଅନୁକମ୍ପାର ଏକୀଭୂତ ବ୍ୟକ୍ତିତ୍ଵ

 

ସ୍ମିତା ମହାନ୍ତି

୧୪.

ତପସ୍ଵିନୀରେ ଆଦର୍ଶବାଦର

ସ୍ଵର ଓ ସ୍ୱାକ୍ଷର

 

ବିରଞ୍ଚି ସାହୁ

୧୫.

ଗଙ୍ଗାଧର ମେହେରଙ୍କ ଉତ୍କଳ ଲକ୍ଷ୍ମୀ

ଏକ ଅଧ୍ୟୟନ

 

ଘନଶ୍ୟାମ ପାଣିଗ୍ରାହୀ

୧୬.

ଗଙ୍ଗାଧର ମେହେରଙ୍କ କାବ୍ୟପ୍ରତିଭା

 

ଶରତ ଚନ୍ଦ୍ର ପରିଡ଼ା

୧୭.

ରସରତ୍ନାକର ଓ ଗଙ୍ଗାଧର

 

ଶେଷ ମେହେର

୧୮.

ପଦ୍ମିନୀ : ଏକ ଅସମାପ୍ତ କାବ୍ୟ

 

ଶକୁନ୍ତଳା ବଳିଆରସିଂହ

୧୯.

ଗଙ୍ଗାଧରଙ୍କ ଗୀତିକବିତା

 

ସୁରେନ୍ଦ୍ର କୁମାର ମହାରଣା

୨୦.

କୀଚକ ବଧ କାବ୍ୟର ସ୍ଵାତନ୍ତ୍ର୍ୟ ଓ

କବି ଗଙ୍ଗାଧର

 

ସଂଘମିତ୍ରା ମିଶ୍ର

୨୧.

ତୁଳନାର ଭାବସାମ୍ୟରେ

କବୀର ଓ ଗଙ୍ଗାଧର

 

ସୁଶୀଳ କୁମାର ବାଗ୍‌

୨୨.

କାଳିଦାସଙ୍କ ରଘୁବଂଶମ୍‌ ଓ

ଗଙ୍ଗାଧରଙ୍କ ଇନ୍ଦୁମତୀ :

ଏକ ତୁଳନାତ୍ମକ ଅଧ୍ୟୟନ

 

ରଘୁନାଥ ମେହେର

୨୩.

ଭବଭୂତିଙ୍କ କାବ୍ୟରୁଚି ଆଲୋକରେ

 

କବି ଗଙ୍ଗାଧର ମେହେର

୨୪.

ଗଙ୍ଗାଧରଙ୍କ ସାରସ୍ଵତ ସମ୍ପର୍କ

 

ମଣୀନ୍ଦ୍ର କୁମାର ମେହେର

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ

ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ-। ଆଧୁନିକ ଶିକ୍ଷାର ବିସ୍ତାର, ଛାପାଖାନା ପ୍ରତିଷ୍ଠା, ପତ୍ରପତ୍ରିକାର ପ୍ରକାଶନ, ନଅଙ୍କ ଦୁର୍ଭିକ୍ଷ ଓ ଭାଷା ଆନ୍ଦୋଳନ ତଥା ବିଭିନ୍ନ ସାରସ୍ୱତ ଓ ସାଂସ୍କୃତିକ ଅନୁଷ୍ଠାନ ଗଠନ ଆଦି ଯୋଗୁ ଓଡ଼ିଶାରେ ନବଜାଗରଣର ସୂତ୍ରପାତ ଘଟିଥିଲା । ଇଂରାଜୀ ଶିକ୍ଷା ପ୍ରଭାବରେ, ପାଶ୍ଚାତ୍ୟ ସାହିତ୍ୟ, ସଂସ୍କୃତି ଓ ଇତିହାସ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା ସତ କିନ୍ତୁ ନିଜ ଭାଷା, ଭୂମି, ସାହିତ୍ୟ ଓ ସଂସ୍କୃତି ପ୍ରତି ଅନୁରାଗ ଊଣା ହୋଇନଥିଲା । ବରଂ ବିଶ୍ୱ ଇତିହାସ ଅନୁଶୀଳନ ମାଧ୍ୟମରେ ନିଜକୁ ଚିହ୍ନିବାର ପ୍ରବଣତା ହୋଇଥିଲା ବହୁଗୁଣିତ ।

 

ଏହି ସମୟ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରାଚୀନ କାବ୍ୟ ପରମ୍ପରାରୁ ମୁହଁ ଫେରାଇ ଆଧୁନିକ କାବ୍ୟଶୈଳୀ ଆଡ଼କୁ ଉନ୍ମୁଖ ହେଲା ଏବଂ ଗଳ୍ପ ଓ ଉପନ୍ୟାସ ଆଦି ଗଦ୍ୟ ରଚନା ଦିଗରେ ଅଗ୍ରସର ହେଲା । ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଭକ୍ତ କବି ମଧୁସୂଦନ ରାଓ, ସ୍ୱଭାବକବି ଗଙ୍ଗାଧର ମେହେର ଓ ପଲ୍ଲୀକବି ନନ୍ଦକିଶୋର ବଳ ଏହି ଯୁଗର ପ୍ରଭାବଶାଳୀ କବିଭାବରେ ସୁପରିଚିତ । ଏହି ସ୍ରଷ୍ଟାମାନଙ୍କ ମଧ୍ୟରେ ବନ୍ଧୁତ୍ୱର ବନ୍ଧନ ଥିଲା ନିବିଡ଼ ।

 

ସ୍ୱଭାବକବି ଗଙ୍ଗାଧର ମେହେର ସମକାଳର ସମାଜକୁ ନିଜର ଅନ୍ତର୍ଦୃଷ୍ଟି ମାଧ୍ୟମରେ ଠିକ୍‌ଭାବରେ ହୃଦୟଙ୍ଗମ କରିଥିଲେ । ତେଣୁ ତାଙ୍କ କାବ୍ୟ କବିତାରେ ପ୍ରାଚ୍ୟଚେତନା ସହିତ ଉତ୍କଳୀୟ ଜାତୀୟତା, ସ୍ୱଦେଶ ପ୍ରୀତି ଓ ବିଶ୍ୱଜନୀନତାର ଉଚ୍ଛ୍ୱସିତ ପ୍ରତିଧ୍ୱନି ଧ୍ୱନିତ ହୋଇଅଛି ।

 

ପ୍ରକୃତିର ଚିତ୍ର ଆଙ୍କିବାରେ ଗଙ୍ଗାଧରଙ୍କର ପଟ୍ଟାନ୍ତର ନାହିଁ ଓଡ଼ିଆ ସାହିତ୍ୟରେ । ଅବଶ୍ୟ କବିବର ରାଧାନାଥ ପ୍ରଥମେ ଆଧୁନିକ ଦୃଷ୍ଟିଭଙ୍ଗୀ ଓ ନୂତନ ଶୈଳୀରେ ପ୍ରକୃତିର ଚିତ୍ର ଆଙ୍କିଲେ । ସେହିପରି ଭକ୍ତ ମଧୁ ପ୍ରକୃତି ମଧ୍ୟରେ ଐଶ୍ୱରିକ ସତ୍ତାର ସନ୍ଧାନ ଦେଇଥିବା ବେଳେ ପଲ୍ଲୀକବି ନନ୍ଦକିଶୋରଙ୍କ କାବ୍ୟକବିତାରେ ପଲ୍ଲୀ ପ୍ରକୃତି ନିଖୁଣ ଭାବରେ ପରିସ୍ଫୁଟ । କିନ୍ତୁ ସ୍ୱଭାବ କବି ଗଙ୍ଗାଧର ପ୍ରକୃତିକୁ ମାନବୀୟ ଚରିତ୍ରରେ ରୂପାନ୍ତରିତ କରିବାରେ ଅନନ୍ୟ ।

 

ସକାଳର ବର୍ଣ୍ଣନା କିଛି ନୂଆ କଥା ନୁହେଁ ଓଡ଼ିଆ ସାହିତ୍ୟରେ ବା ଅନ୍ୟ ଯେକୌଣସି ସାହିତ୍ୟରେ । କିନ୍ତୁ ସକାଳକୁ ନାରୀ ବେଶରେ ଭୂଷିତା କରି ଉଭା କରାଇବା ଯେ ନିଶ୍ଚିନ୍ତ ଭାବରେ ନୂଆ କଥା, ଏଥିରେ ବୋଧହୁଏ ଦ୍ୱିରୁକ୍ତି ନାହିଁ । ସତୀ ସୀତାଙ୍କର ଦର୍ଶନ ପାଇଁ କର ପଲ୍ଲବରେ ନିହାର-ମୁକ୍ତା ଉପହାର ଧରି ଦର ମୁକୁଳିତ ପଦ୍ମସଦୃଶା ଉଷା ପ୍ରାଙ୍ଗଣରେ ପ୍ରତୀକ୍ଷମାଣା । ଗଙ୍ଗାଧରଙ୍କ ନିରୁତ୍ତା ବର୍ଣ୍ଣନାରେ ଉଷା ଆଗମନ ଏହିପରି-

 

‘ମଙ୍ଗଳେ ଅଇଲା ଉଷା, ବିକଚ-ରାଜୀବ ଦୃଶା

ଜାନକୀ-ଦର୍ଶନ-ତୃଷା ହୃଦୟେ ବହି

କରପଲ୍ଲବେ ନିହାର-ମୁକ୍ତା ଧରି ଉପହାର

ସତୀଙ୍କ ବାସ-ବାହାର-ପ୍ରାଙ୍ଗଣେ ରହି...’।

 

ବସନ୍ତକୁ ସେହିପରି ରକ୍ତ ମାଂସଧାରୀ ସମ୍ରାଟ ରୂପରେ ଛିଡ଼ା କରାଇଛନ୍ତି ଗଙ୍ଗାଧର । ପାତ୍ର, ମନ୍ତ୍ରୀ, ଦୂତ, ଡଗରଙ୍କ ପଟୁଆରରେ ବିଜେ କରନ୍ତି ଆଟୋପିତ ସମ୍ରାଟ । ଗଙ୍ଗାଧରଙ୍କ ଭାଷାରେ, ‘ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ, ପାଦପ ଆନୀତ ପତର ପରଭୃତ ପଠନେ’ ଇତ୍ୟାଦି ।

 

ଭରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଗଙ୍ଗାଧରଙ୍କର ଥିଲା ପ୍ରଗାଢ଼ ଅନୁରାଗ । ସେଥିପାଇଁ ସେ ରାମାୟଣ, ମହାଭାରତ ତଥା ମହାକବି କାଳିଦାସଙ୍କ କାବ୍ୟକୃତିରୁ ନିଜ କାବ୍ୟ କବିତା ପାଇଁ କଥାବସ୍ତୁ ସଂଗ୍ରହ କରିଥିଲେ ଯଦିଓ ତାଙ୍କ କାବ୍ୟଗୁରୁ ରାଧାନାଥ ପାଶ୍ଚାତ୍ୟ ସାହିତ୍ୟ, ଦର୍ଶନ ଓ କିମ୍ବଦନ୍ତୀରୁ କାହାଣୀ ଚୟନକରି କାବ୍ୟ ରଚନାରେ ମନୋନିବେଶ କରିଥିଲେ ।

 

ରାମାୟଣକୁ ଭାରତୀୟ ସାଂସ୍କୃତିକ ଜୀବନର ଆଧାରଶିଳା ବୋଲି କହିଲେ ଭୁଲ ହେବ ନାହିଁ । ସ୍ୱଭାବ କବିଙ୍କ ସର୍ବୋତ୍କୃଷ୍ଟ କାବ୍ୟ ‘ତପସ୍ୱିନୀ’ ରାମାୟଣର କଥାବସ୍ତୁ ଉପରେ ପର୍ଯ୍ୟବେସିତ । ରାଜବଧୂ ସୀତାଙ୍କୁ ’ତପସ୍ୱିନୀ’ର ମର୍ଯ୍ୟାଦା ପ୍ରଦାନ କରିବା, ପତି ପତ୍ନୀଙ୍କ ମଧ୍ୟରେ ଥିବା ଜନ୍ମ ଜନ୍ମାନ୍ତରର ସମ୍ପର୍କକୁ ତଲ୍ଲୀନ ଭାବରେ ବର୍ଣ୍ଣନା କରିବା ଗଙ୍ଗାଧରଙ୍କ ଭାରତପ୍ରାଣତାର ନିଦର୍ଶନ । ତପସ୍ୱିନୀର ଏକ ପଦ୍ୟାଂଶ ଏଠାରେ ଉଲ୍ଲେଖନୀୟ,

 

‘‘ମୋ ତନୁ ଦଗ୍ଧ ହେଲେ ହେବ ତ ଖାର

      ତାହାକୁ କରାଇବ ପାଦପେ ସାର;

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ

      କରାଇଦେବ ପ୍ରଭୁ ପାଦୁକା ମତେ ହେ ।’’

 

କେବଳ ଭାରତୀୟ ପରମ୍ପରାର ନୁହେଁ, ଉତ୍କଳୀୟ ଜାତୀୟତାର ସେ ଥିଲେ ନିଷ୍ଠାପର ଉପାସକ । ତାଙ୍କ ସମୟ ଥିଲା ଓଡ଼ିଆ ଅସ୍ମିତାର ଉନ୍ମେଷର ଉଷାକାଳ । ବ୍ୟାସକବି ‘ଉତ୍କଳ ଭ୍ରମଣଂ’ ମାଧ୍ୟମରେ ବିଖଣ୍ଡିତ ଉତ୍କଳର ସାମଗ୍ରିକ ଚିତ୍ର ପ୍ରଦାନ କରିଥିବା ବେଳେ କବିବର ଚିଲିକା କାବ୍ୟରେ କାଞ୍ଚି ଅଭିଯାନ କଥନିକା ସଂଯୋଗ କରି ଓଡ଼ିଆ ଅସ୍ମିତାକୁ ଉଖ୍ରାଇଥିଲେ । ସ୍ୱଭାବକବି ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ ମାଧ୍ୟମରେ ଉତ୍କଳର ପ୍ରକୃତି ଓ କୀର୍ତ୍ତି ବର୍ଣ୍ଣନା କରି ଉତ୍କଳୀୟ ଜାତୀୟତାକୁ ସୁଦୂରପ୍ରସାରୀ କରାଇଥିଲେ । ବିଭିନ୍ନ କବିତା ମାଧ୍ୟମରେ ସାଂସ୍କୃତିକ ଉତ୍କଳକୁ ଏକୀଭୂତ କରିବାର ପ୍ରୟାସ କରି ସେ ସ୍ୱଜାତିପ୍ରୀତିର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଛାଡ଼ି ଯାଇଛନ୍ତି । ‘ମଳୟ ଆବାହନ’ କବିତାରେ ସମଗ୍ର ଓଡ଼ିଶାକୁ ଏକ ଭାବବନ୍ଧନରେ ବାନ୍ଧି ରଖିବାର ଆତ୍ମିୟତା ସ୍ପଷ୍ଟ :

 

‘‘ଋଷିକୂଲ୍ୟା ଜଳେ ପୟର ପଖାଳି

      ମହେନ୍ଦ୍ର ଆସନେ ବସ,

ଚିତ୍ରୋତ୍ପଳା ଜଳେ ସ୍ନାନକରି ପାନ-

      କର ସ୍ୱର୍ଣ୍ଣରେଖା ରସ ।

 

ମହୋଦଧି ଜଳେ ତର୍ପଣ କରିବ

      ବିହରିବ ବନେ ବନେ

ନୃସିଂହ ନାଥର ପ୍ରପାତ ଲଂଫନ

      ଚାହିଁ ମୁଗ୍ଧ ହେବ କ୍ଷଣେ ।’’

 

ସେମିତି ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା’ ଉଚ୍ଚାରଣ ମାଧ୍ୟମରେ ଗଙ୍ଗାଧର ମାତୃମାଷା ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇବା ସଙ୍ଗେ ସଙ୍ଗେ ଏ ଜାତିକୁ ଶତତ ଉଦ୍‌ବୁଦ୍ଧ କରିଛନ୍ତି ।

 

ଗଙ୍ଗାଧରଙ୍କ କବିତ୍ୱରେ ମୁଗ୍ଧ ହୋଇ ତେଣୁ ବ୍ୟାସକବି ଫକୀରମୋହନ ଲେଖିଥିଲେ,

 

‘‘ବରପାଲୀ ଦେଶେ ଅଛି ଗଙ୍ଗାଧର ମେହେର

ତାହାର କବିତା ପଢ଼ିଅଛି ଢେର ଢେର;

କବିତା ଗୁଡ଼ିକ ପଢ଼ି ମନ ମାନିଯାଏ

ଆଉ ସେ ଲେଖିବ ବୋଲି ବାଟ ଚାହିଁଥାଏ ।’

 

ସେହି ବରେଣ୍ୟ କବିଙ୍କ ସାର୍ଦ୍ଧ ଶତବାର୍ଷିକୀ ପାଳନ ଅବସରରେ ତାଙ୍କ ପ୍ରତି ଭକ୍ତି ପୁଷ୍ପ ଅର୍ପଣ ପୂର୍ବକ ଓଡ଼ିଶା ସାହିତ୍ୟ ଏକାଡେମୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିବା ସହିତ ‘କୋଣାର୍କ’ର ଏକ ବିଶେଷ ସଂଖ୍ୟା ପ୍ରକାଶ କରି ନିଜକୁ ଗୌରବାନ୍ୱିତ ମନେକରୁଛି । ଏହି ସଂଖ୍ୟା ଯେଉଁ ବିଶିଷ୍ଟ ଲେଖକମାନଙ୍କ ମୂଲ୍ୟବାନ ଆଲେଖ୍ୟରେ ସମୃଦ୍ଧ ହୋଇଛି, ସେମାନଙ୍କ ନିକଟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପରିବାର କୃତଜ୍ଞ ।

 

 

ସମ୍ପାଦନାମଣ୍ଡଳୀ ତରଫରୁ

(ବିଜୟ କୁମାର ନାୟକ)

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ଗଙ୍ଗାଧର ବଂଶାବଳୀ (୨୦୧୨ ପର୍ଯ୍ୟନ୍ତ)

Image

 

ଗଙ୍ଗାଧରଙ୍କ କାବ୍ୟ ପୃଥିବୀର କିଞ୍ଚିତ୍‌ ଦୃଶ୍ୟ

ରମାକାନ୍ତ ରଥ

 

ଗଙ୍ଗାଧର ଗୋଟିଏ ଦୃଷ୍ଟାନ୍ତ- ଜଣେ ପ୍ରକୃତ କବିର ଦୃଷ୍ଟାନ୍ତ । ପ୍ରକୃତ କବି କିଏ ? ସେ କବିତା ଲେଖେ ଅବଶ୍ୟ, କିନ୍ତୁ କବିତାରେ ନିଜକୁ ଜାହିର୍‌ କରେ ନାହିଁ । ତା ପାଇଁ କବିତା ନିଜଠାରୁ ମୁକୁଳିବାର ବାଟ, ମୁକୁଳିଯାଇ କେଉଁଠି ନା କେଉଁଠି ଥିବା ଅନ୍ୟ ଜାଗାଟିଏକୁ ବାଟ । ନିଜକୁ ଜାବୁଡ଼ି ଧରିଥିବା, ନିଜକୁ ଭଲ ପାଉଥିବା କବିରୁ କବିତା ସେ ନିଜ ପାଇଁ ଲେଖିଥିବା କବିତା; ସେ କବିତା ଖୁବ୍‌ ଭଲ କବିତା ହୋଇପାରେ, କିନ୍ତୁ ସେ କବିତାକୁ ଆମେ ଆପଣେଇ ନେବା ସହଜ ନୁହେଁ, ଗଙ୍ଗାଧରଙ୍କ କବିତାରେ ତାଙ୍କର ଜାଗତିକ ଜୀବନର ଚିହ୍ନବର୍ଣ୍ଣ ନାହିଁ, ସେଥିରେ ନିଜର ବୋଲି ଯାହା ଅଛି ତାହା ତାଙ୍କର ସୁକୁମାର, ଅତିକ୍ରମଶୀଳ ଚେତନା । ପାଠକ ସେ ଚେତନାକୁ ଆପଣେଇ ନେବାକୁ ଚାହେଁ ।

 

ଏହା କହୁଛି କାହିଁକି ନା ଗଙ୍ଗାଧରଙ୍କ କବିତାରେ ତାଙ୍କର ବ୍ୟକ୍ତିଗତ ଜୀବନର ଦୁଃଖର ଅଭାବର, ନିର୍ଯ୍ୟାତନାର ଉଲ୍ଲେଖ ନାହିଁ । ପ୍ରକୃତ କବିର ଦୃଷ୍ଟିରେ ତାର ବ୍ୟକ୍ତିଗତ ଜୀବନର କିଛି ବୈଶିଷ୍ଟ୍ୟ ନାହିଁ, ସେଥିରେ ଛନ୍ଦି ହୋଇପଡ଼ିଲେ ତା ବାହାରେ ଥିବା କାହିଁ କେତେଗୁଣା ସୁନ୍ଦର, ଅର୍ଥପୂର୍ଣ୍ଣ ଜୀବନର ପାଖାପାଖି ହୋଇପାରିବ ନାହିଁ । ୧୯୦୨ ମସିହାରେ ତାଙ୍କର ଜ୍ୟେଷ୍ଠପୁତ୍ରର ଅକାଳ ବିୟୋଗ ହେଲା । ପୁତ୍ରହରା ପିତାର ଦୁଃଖ ସେ ମର୍ମେମର୍ମେ ଅନୁଭବ କରିଥିବେ, କିନ୍ତୁ ସେ ସମୟରେ ସେ ଲେଖିଲେ ‘କୀଚକ ବଧ’ ଯେଉଁଥିରେ ସେ ଗୋଟିଏ ପୌରାଣିକ କଥାବସ୍ତୁ ଉପରେ ଆଉଜିପଡ଼ି ଭଲଗୁଣ ଓ ମନ୍ଦଗୁଣ ଭିତରେ ପାର୍ଥକ୍ୟ ଦର୍ଶାଇଛନ୍ତି ଓ ଭଲଗୁଣର ଉତ୍କର୍ଷ ପ୍ରତିପାଦନ କରିଛନ୍ତି । କବି ପାଇଁ ଭଲ ମଣିଷ ହେବା କଣ ଜରୁରୀ ? ଗୋଟିଏ ବକ୍ତୃତାରେ ରସ୍କିନ୍‌ କହିଥିଲେ, ‘‘ତମେ ଛବିଟିଏ ଆଙ୍କି, ଗୀତଟିଏ ଗାଇ ଭଲମଣିଷ ହୋଇପାରିବ ନାହିଁ; ତୁମେ ଭଲ ମଣିଷ ହେବା ପରେ ହିଁ ଯେଉଁ ଛବି ଆଙ୍କିବ ତା’ର ରଙ୍ଗ, ଯେଉଁ ଗୀତ ବୋଲିବ ତାର ଧ୍ୱନି ତମକୁ ଉତ୍ତୀର୍ଣ୍ଣ କରିବ ।’’ ଏ ଉକ୍ତି ପ୍ରତ୍ୟେକ କଳାକାର ପ୍ରତି ପ୍ରଯୁଜ୍ୟ । ଗଙ୍ଗାଧର ନିଜର ଜାଗତିକ ପରିଚୟ ଓ ପ୍ରତିଷ୍ଠାକୁ ନାକଚ୍‌ କରି ଦେଇ କହିଛନ୍ତି:

 

ମୁଁ ତ ଅମୃତସାଗର ବିନ୍ଦୁ

ନଭେ ଉଠିଥିଲି ତେଜି ସିନ୍ଧୁ

 

ଏବଂ ଶେଷରେ ଅମୃତମୟ ସାଗରରେ ମିଶିଯିବି, ନିଜର ଅବିନାଶୀ, ଅମୃତମୟ ସତ୍ତାରେ ଆସ୍ଥାବାନ ଜଣେ ଜାଗତିକ ସୁଖଦୁଃଖକୁ ପ୍ରାଧାନ୍ୟ ଦେବ କାହିଁକି ? ଏ ସବୁକୁ ତାତ୍ପର୍ଯ୍ୟ ଦେଲେ, ପାସୋରି ନ ଗଲେ ଯେଉଁ ଅଲଗାଏ ଖୁବ୍‌ ସୁନ୍ଦର ସଂସାର ଆଖିକୁ ନ ଦିଶିଲେ ମଧ୍ୟ ଥାଏ ସେଠାରେ ପହଞ୍ଚି ହେବ ନାହିଁ, ଭଲ ମଣିଷଟିଏ ହେବା ସମ୍ଭବପର ହେବ ନାହିଁ । ଗଙ୍ଗାଧର ନିଜେ କହିଛନ୍ତି, ‘‘ମୁଁ ଉଚ୍ଚପଦରେ ବା ଉନ୍ନତ ବେଶଭୂଷାରେ ଲାଲସୀ ନୁହେଁ, ଦରିଦ୍ର ଭାବରେ ଜୀବନ କଟାଇବାକୁ ଲଜ୍ଜିତ ନୁହେଁ । ସାଧୁତା ରକ୍ଷା ମୋର ଜୀବନର ଏକମାତ୍ର ଲକ୍ଷ୍ୟ ।

 

ଗଙ୍ଗାଧରଙ୍କ କବିତାରେ ଏକ ଉଲ୍ଲେଖନୀୟ ଦିଗ ହେଉଛି ପ୍ରକୃତିକୁ ମାନବିକ ଗୁଣ ସମ୍ପନ୍ନ କରିବା । ଅନେକ କବି ପ୍ରକୃତିର ଶୋଭାରେ ବିଭୋର ହୋଇପଡ଼ିଛନ୍ତି, ସେ ଶୋଭାର ବିଶଦ ଓ ଆବେଗପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି । ଗଙ୍ଗାଧରଙ୍କ ପାଇଁ ପ୍ରକୃତି କେବଳ ସୁନ୍ଦର ନୁହେଁ, ଜୀବନ୍ତ ମଧ୍ୟ । ତାର ଅନୁଭବ ଅଛି, ମନୁଷ୍ୟ ସୁଲଭ ଆଚରଣ ଅଛି । ଚନ୍ଦ୍ର ଅସ୍ତହେବା ପରେ

 

ଛିଣ୍ଡାଇ କୁସୁମ-ହାର ବିଭାବରୀ ବଲ୍ଲଭବିରହ ଦୁଃଖେ

କେତେ ବିଳପିଲା ବିକଳ ବାକ୍ୟରେ କଜ୍ଜଳପତ୍ରୀର ମୁଖେ ।

 

ରାତ୍ରି ଏଠାରେ ପତିପ୍ରାଣା ବିରହିଣୀ । ନିର୍ବାସିତା ସୀତା ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ସମୁଦାୟ ପରିବେଶ ଓ ପଶୁପକ୍ଷୀ ତାଙ୍କର ଦୁଃଖରେ ସମଦୁଃଖୀ ।

 

ତା ଚାହିଁ ବିହଙ୍ଗମୁଖେ କାନ୍ଦିଲା ସେ ବନ,

ବହିଲା ନିଃଶ୍ୱାସରୂପେ ପ୍ରଖର ପବନ ।

ଏ ଦିଗେ ସେ ଦିଗେ ଚାହିଁ ଚକିତ ଲୋଚନେ

ମୃଗମାନେ ରହିଗଲେ ବିଚଳିତ ମନେ ।

x            x            x

ବ୍ୟାହତ ହୃଦୟ ଶୀର୍ଣ୍ଣଶରୀର ବାଦଲ

ଦଉଡ଼ି ଆସିଲା ବେଗେ ଧରି ଦଳବଳ ।

x            x            x

ସତୀମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି

ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି ।

x            x            x

 

ବାଲ୍ମିକୀଙ୍କ ଆଶ୍ରମରେ ‘‘ଜାନକୀ-ଦର୍ଶନ-ତୃଷା ହୃଦରେ ବହି’’ ଭାଷା ପହଞ୍ଚିଛି । ତାର କରପଲ୍ଲବରେ ଅଛି ନିହାର ମୁକ୍ତାର ଉପହାର । ସେ ଆଶ୍ରମର ବହାର ପ୍ରାଙ୍ଗଣରେ ଠିଆ ହୋଇ ସୀତାଙ୍କୁ କହୁଛି ‘‘ଦରଶନ ଦିଅ ସତୀ ରାତି ପାହିଲା ’’ । ସେତେବେଳେ ‘‘ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ’’, କୁମ୍ଭାଟୁଆ ସ୍ତବପାଠ କରେ । ସ୍ନାନ ପାଇଁ ସୀତା ତମସା ନଦୀକୁ ଗଲାବେଳେ ନଦୀ କହେ ଯେ ସୀତା ତା ଜଳରେ ସ୍ନାନ କରିବେ ବୋଲି ତାର ଆଶା ନ ଥିଲା, ସେ ସ୍ନାନ କରିଥିବାରୁ ତମସା ଭାଗ୍ୟବତୀ ହେଲା । ଏପରି ଅନେକ ଦୃଷ୍ଟାନ୍ତରୁ କହିହେବ ଯେ ଗଙ୍ଗାଧରଙ୍କ ପ୍ରକୃତି ମାନବିକ ସହୃଦୟତା ସମ୍ପନ୍ନ ।

 

ଗଙ୍ଗାଧରଙ୍କ କବିତାର ପ୍ରଧାନ ପ୍ରେରଣା କ’ଣ ? ଭଲ ମଣିଷ ହେବାର ପ୍ରେରଣା । ହୁଏତ ସେଥିପାଇଁ ତାଙ୍କ କବିତାର ମୁଖ୍ୟ ଚରିତ୍ରମାନେ ପୁରାଣର, ଆମ କାବ୍ୟ ସାହିତ୍ୟର ମହନୀୟ ଚରିତ୍ରମାନେ । ଏ ମନୋବୃତ୍ତି ଯୋଗୁଁ ଯାହା ଗର୍ହିତ, ଯାହା ମଣିଷ ପଣିଆର ବିରୁଦ୍ଧାଚରଣ କରେ ତା ବିରୁଦ୍ଧରେ ସେ ପ୍ରତିବାଦ କରିଛନ୍ତି । ‘‘କୀଚକବଧ’’ରେ ସୈରିନ୍ଧ୍ରୀ କହିଛନ୍ତି-

 

ଅପବ୍ୟବହାର କରଇ ଯେ ନୃପ

ମୋହେ ରାଜ କ୍ଷମତାର

ଦାବାନଳଦଗ୍ଧ ଇନ୍ଧନ ପରାଏ

ଅଚିରେ ବିନାଶ ତାର ।

 

ଆଉ ଗୋଟିଏ କବିତାରେ ଗଙ୍ଗାଧର କହନ୍ତି ;

 

ଜୀବନ ଯା ଲକ୍ଷଲକ୍ଷ ଲୋକଙ୍କର ଭାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

x            x            x

ଧନ କ୍ରୀତ ହେଉଥାଏ ଯାହାର ବିଚାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

x            x            x

କରୁଥାଏ କ୍ଷମତାର ଅପବ୍ୟବହାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

 

କୁହାଯାଇପାରେ, ଗଙ୍ଗାଧରଙ୍କ କବିତାର ବିଷୟବସ୍ତୁରେ ମୌଳିକତା ନାହିଁ, ତାଙ୍କର ଚରିତ୍ରମାନଙ୍କ ପରିଚୟ ପୂର୍ବର କାବ୍ୟ ସାହିତ୍ୟରେ ମିଳିବ । ଗୋଟିଏ ପୂର୍ବଲିଖିତ କଥାବସ୍ତୁକୁ ନୂଆଭାବରେ କହିବାର ଦୃଷ୍ଟାନ୍ତ ଅନେକ । ସେକ୍‌ସ୍‌ପିୟରଙ୍କ ଅନେକ ନାଟକର ବିଷୟବସ୍ତୁ ମୌଳିକ ନୁହେଁ, କିନ୍ତୁ ଉପସ୍ଥାପନା ଏପରି ସେ ନାଟକର ଚରିତ୍ରମାନଙ୍କୁ ଆମେ ପ୍ରଥମଥର ଭେଟୁଥିଲା ପରି ଲାଗେ । ‘‘ରଘୁବଂଶ’’ର ସୀତା ଲୋକାପବାଦଭୟରେ ରାମ ତାଙ୍କୁ ପରିତ୍ୟାଗ କରି ଅନୁଚିତ କାର୍ଯ୍ୟଟିଏ କରିଛନ୍ତି ବୋଲି କହିଛନ୍ତି, କିନ୍ତୁ ‘‘ତପସ୍ୱିନୀ’’ର ସୀତା ରାମଙ୍କୁ ଦୋଷାରୋପ କରିନାହାନ୍ତି, କହିଛନ୍ତି, ‘‘ମୁଁ ମରେଁ, ତୁମର ହେଉ କଳଙ୍କ ଭଞ୍ଜନ ।’’ ‘‘ଅଭିଜ୍ଞାନ ଶାକୁନ୍ତଳମ୍‌’’ରେ ଦୁଷ୍ମନ୍ତଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେବା ପରେ ଶକୁନ୍ତଳା କ୍ରୋଧ ଜର୍ଜ୍ଜରିତ ହୋଇପଡ଼ିଛନ୍ତି, କିନ୍ତୁ ‘‘ପ୍ରଣୟବଲ୍ଲରୀ’’ରେ ଶକୁନ୍ତଳା ‘‘ଜାଣି ନ ପାରିଲେ ଅପଘନେ ତାଙ୍କ ଅଛି କି ନ ଅଛି ପ୍ରାଣ’’, ସଖୀ ଗୌତମୀ ଧରି ନ ପକାଇଥିଲେ ତଳେ ପଡ଼ିଯାଇଥାନ୍ତେ, ଦେଖାଗଲା, ‘‘ନାସିକା ବାୟୁ ଅଛି କିନ୍ତୁ ନୟନ-ତାର ନିଶ୍ଚଳ’’ । ଗଙ୍ଗାଧରଙ୍କ ଚରିତ୍ରମାନ ତାଙ୍କଦ୍ୱାରା ଗଢ଼ା ହୋଇଛନ୍ତି, ତାଙ୍କ ଦୃଷ୍ଟିରେ ଯେଉଁ ଗୁଣଦ୍ୱାରା ମଣିଷ ମହାନ୍‌ ହୁଏ ସେହି ଗୁଣଗୁଡ଼ିକର ଉପାଦାନରେ । ପ୍ରାଚୀନ ରୋମ୍‌ର ଦାର୍ଶନିକ ସିସେରୋ କହିଥିଲେ ଯେ ଶିଳ୍ପୀ ଜଣେ ଦେବତା ବା ଦେବୀଙ୍କର ମୂର୍ତ୍ତି ଗଢ଼ିଲାବେଳେ ବା ଛବି ଆଙ୍କିଲାବେଳେ କାହାକୁ ଆଖିରେ ରଖି ତାହା କରେ ନାହିଁ, ତାର ଅନ୍ତଃକରଣରେ ଥିବା ସୌନ୍ଦର୍ଯ୍ୟର ଓ ଉତ୍କର୍ଷର ଧାରଣା ତାର କଳାର ପ୍ରେରଣା, ଉପାଦାନ । ଗଙ୍ଗାଧରଙ୍କ ମୌଳିକତା ଆଉ କଣ ଯୁକ୍ତିସାପେକ୍ଷ ?

 

କେତେ ନା କେତେ ଦୃଶ୍ୟ ଗଙ୍ଗାଧରଙ୍କ କାବ୍ୟ ପୃଥିବୀରେ ! ଗୋଟିଏ ଦୁଇଟି ଦେଖି କଣ ଦେଖିଲି କହିବାକୁ ବାହାରିଲାବେଳେ ବୁଝିଗଲି ଯେ ମୋ ଦ୍ୱାରା ସେ କାମ ହେବ ନାହିଁ । ତେଣୁ ଅନ୍ୟ ଦୃଶ୍ୟ ଦେଖାଇବାର ଆସ୍ପର୍ଦ୍ଧା ନ କରି ଯେଉଁ ବାଟରେ ଆସିଥିଲି ସେଇବାଟରେ ଫେରିଯାଉଛି ।

 

ଖାରବେଳ ନଗର, ଭୁବନେଶ୍ୱର

***

 

ଗଙ୍ଗାଧରଙ୍କ ମହତ୍ତ୍ୱ

କାହ୍ନୁଚରଣ ପାଢ଼ୀ

 

ରାଧାନାଥ ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଗଂଗାଧର ସର୍ବାଧିକ ପ୍ରତିଭାଶାଳୀ କବି ଏକାଧିକ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟ ରାଜ୍ୟରେ ତାଙ୍କ ସ୍ଥାନ ଅନନ୍ୟ ।

 

ପ୍ରଥମତଃ, ଯେତେବେଳେ ଏ ଦେଶରେ ଆଧୁନିକ ଶିକ୍ଷାର ଏକ ମୂଳ ପତ୍ତନ ଦିଆଯାଇ ଲୋକଂକୁ ନୂତନ ଶିକ୍ଷା ପ୍ରତି ଆକୃଷ୍ଟ କରାଯାଉଥିଲା, ଆଧୁନିକ ସାହିତ୍ୟର ପ୍ରସୂତୀଭୂମି ଆଧୁନିକ ଶିକ୍ଷା ଯେଉଁ ସମୟରେ ଓଡ଼ିଶାର ଲୋକଙ୍କ ମନୋବୃତ୍ତିରେ ପରିବର୍ତ୍ତନ ଆଣିବାରେ ଲାଗିଥିଲା ଚିତ୍ତ ପରିବର୍ତ୍ତନର ସେହି ସମୟଖଣ୍ଡର ଏକ ବିଂଦୁ ଖ୍ରୀ. ୦୯.୦୮.୧୮୬୨ରେ ଗଂଗାଧରଙ୍କ ଆବିର୍ଭାବ ତତ୍‌କାଳୀନ ସଂବଲପୁର ଅଂତର୍ଗତ ବରପାଲିରେ । ତାଙ୍କ ଜନ୍ମ ଅଂଚଳଟି ସେତେବେଳେ ଓଡ଼ିଶା ଭିତରେ ନ ଥିଲା । କେବଳ ଉପକୂଳାଂଚରେ ସୀମାବଦ୍ଧ ସେ କାଳର କଳିକତୀ ଆଧୁନିକ ସଂକ୍ରମଣ ଗଡ଼ଜାତୀ ଅଂଧକାରର ଅଭୟାରଣ୍ୟ ଭେଦ କରି ସଂବଲପୁର ଯାଏ ପହଞ୍ଚି ପାରୁ ନ ଥିଲା । ସେଇଥିପାଇଁ ସଂବଲପୁର ସମେତ ସମଗ୍ର ପଶ୍ଚିମାଂଚଳ ପାଶ୍ଚାତ୍ୟ ଶିକ୍ଷାରେ ବହୁ ପଛରେ ପଡ଼ିଥିଲା । ଏପରିକି ତତ୍‌କାଳୀନ ମଧ୍ୟପ୍ରଦେଶ ଅନ୍ତର୍ଗତ ସମ୍ବଲପୁରରେ ପ୍ରଚଳିତ ପାଠ୍ୟପୁସ୍ତକ ମଧ୍ୟରେ କୌଣସି ମୌଳିକ ରଚନା ବା ଉଚ୍ଚକୋଟୀର ଗଦ୍ୟ ପୁସ୍ତକ ସ୍ଥାନିତ ହୋଇ ନ ଥିଲା ।୧ ଅର୍ଥାତ୍‌ ନୂତନ ଆଦର୍ଶାଶ୍ରୟୀ ଯୁଗୋପଯୋଗୀ ଆଧୁନିକ ସାହିତ୍ୟ ଯେଉଁ ପାଠ୍ୟପୁସ୍ତକକୁ ଆଶ୍ରୟ କରି ପରବର୍ତ୍ତୀ ସମୟରେ ଗଢ଼ି ଉଠିଥିଲା ତା ସହିତ ଆଲୋଚ୍ୟ କବିଙ୍କର କୌଣସି ପରିଚୟ ନ ଥିଲା । ଏ ପରିପ୍ରେକ୍ଷୀରେ ଏକ ନିମ୍ନବିତ୍ତ ପରିବାରରେ ଜନ୍ମିତ ଗଂଗାଧର ବହୁ ବାଧାବିଘ୍ନ ମଧ୍ୟରେ ଯେଉଁ ବିଦ୍ୟା ଅର୍ଜନ କରିଥିଲେ ତାର ପରିସର ଥିଲା ଅତିଶୟ ସୀମିତ । ବିଦ୍ୟାଳୟ ଛାଡ଼ିବା ପରେ କବି ପାଠ ପଢ଼ା ଛାଡ଼ି ନଥିଲେ ହେଁ ତାଂକ ଅଧ୍ୟୟନର କ୍ଷେତ୍ର ଥିଲା ଏକାନ୍ତ ସୀମାବଦ୍ଧ । ସାହିତ୍ୟ ଦୃଷ୍ଟିରୁ ତାହା ନାମରତ୍ନ ଗୀତା, ଭାଗବତ, ଲାବଣ୍ୟବତୀ, ରସିକହାରାବଳୀ, ବୈଦେହୀଶବିଳାସର କେତେକାଂଶ ଓ ମଥୁରାମଂଗଳକୁ ଅତିକ୍ରମ କରି ପାରି ନ ଥିଲା । ଗଂଗାଧରଙ୍କ ନୈସର୍ଗିକ ପିପାସା ପ୍ରାଥମିକ ସ୍ତରରେ ତେଣୁ ମଧ୍ୟକାଳୀନ ଓଡ଼ିଆ କାବ୍ୟର ପରିସୀମା ମଧ୍ୟରେ ଚରିତାର୍ଥ ହେବା ଥିଲା ପୂର୍ବ ନିର୍ଧାରିତ, ସମୟର ଅଲଂଘନୀୟ ନିର୍ଦେଶ । ଓଡ଼ିଆ ଭାଷାରେ ଯାହା କିଛି ପ୍ରାଚୀନ ବା ନବୀନ କାବ୍ୟ କବିତା ତାହା ହିଁ ଥିଲା ଗଂଗାଧରଙ୍କ ମାନସିକ କ୍ଷୁଧାର ପ୍ରଧାନ ଖାଦ୍ୟ । ଦୀନକୃଷ୍ଣ, ଉପେନ୍ଦ୍ର, ଅଭିମନ୍ୟୁ, ରାଧାନାଥ ଓ ମଧୁସୂଦନଙ୍କଠାରୁ ରସ ସଂଗ୍ରହ କରି ତାଙ୍କର ମାନସିକ ଅଭିବୃଦ୍ଧି ଘଟିଥିଲା । ପରିଣାମ ସ୍ୱରୂପ ଏ ପ୍ରତିଭା ବାଂଲାରେ ଅନୁଦିତ ସଂସ୍କୃତ କାବ୍ୟକୁ ମୂଳପୁଂଜି କରି ମଧ୍ୟକାଳୀନ ଓଡ଼ିଆ କାବ୍ୟ ପରମ୍ପରାକୁ ଆଧୁନିକ ରୁଚିସମ୍ମତ କାବ୍ୟିକ ବାତାବରଣ ମଧ୍ୟରେ ଫୁଟାଇବାକୁ ବାଧ୍ୟ ହୋଇଥିଲା । ବସ୍ତୁତଃ ମଧ୍ୟକାଳୀନ ଓଡ଼ିଆ ସାହିତ୍ୟ ସଂଗକୁ ଖ୍ରୀ. ୧୮୯୨ ପୂର୍ବବର୍ତ୍ତୀ ଆଧୁନିକ ଓଡ଼ିଆ ଓ ବାଂଲା ସାହିତ୍ୟ ତଥା ବାଂଲାରେ ଅନୁଦିତ ସଂସ୍କୃତ ସାହିତ୍ୟ ହିଁ ଥିଲା ଗଂଗାଧରଙ୍କ ପ୍ରତିଭା ଉନ୍ମୀଳନର ପଧାନ ପୃଷ୍ଠଭୂମି । ସ୍ଥୂଳତଃ ଗଂଗାଧରଙ୍କ ସାହିତ୍ୟ ଏ ତିନି ସାହିତ୍ୟର ସମନ୍ୱୟ । ତଥାପି ଉଦର ପରିପୂରଣ ପାଇଁ ଚିର ସଂଗ୍ରାମଶୀଳ ଜଣେ ଗ୍ରାମୀଣ ନିଜ ହାତରେ ନିଜକୁ ଗଢ଼ି, ନିଜ ଉଦ୍ୟମରେ ନିଜ ସାହିତ୍ୟ ଭିତରେ ପଶି ନିଜ ଆଖିରେ ଜୀବନ ଓ ସଂସାରକୁ ଏତେ ଗଭୀର, ରସାଳ ଓ ଅନୁରାଗବଳିଷ୍ଠ ଭାବେ ଦେଖି ପାରିବା ହିଁ ଗଂଗାଧରଙ୍କ ଜୀବନର ସର୍ବୋତ୍କୃଷ୍ଟ ସଂଦେଶ, ତାଙ୍କ ଚରିତ୍ରର ସବୁଠାରୁ ମହନୀୟ ଦିଗ, ସବୁଠାରୁ ବଡ଼ ବୈଶିଷ୍ଟ୍ୟ । ସ୍ୱୀୟ ଦାରିଦ୍ର୍ୟ, ଦୈନନ୍ଦିନ ଜୀବନର ବ୍ୟସ୍ତତା ଓ ବ୍ୟର୍ଥତାର ଗୁରୁଭାର ସତ୍ତ୍ୱେ ନିଜ ଅଂତଃଚେତନାର ସୃଷ୍ଟିର ଏକ ଜୀବଂତ ଆବେଗ ଯେ କବି ଅନୁଭବ କରି ପାରୁଥିଲେ, ସେ ଅନୁଭବକୁ ବିନା କୌଣସି ସଂକୋଚ, କୁଂଠା, ଆକ୍ଷେପ ଓ ଆକ୍ରୋଶରେ ସରଳ ଓ ସୁନ୍ଦର ଭାବରେ ପ୍ରକାଶ କରି ପାରୁଥିଲେ, ଏହା ତାଙ୍କ ବ୍ୟକ୍ତିତ୍ୱର ମହାନ୍‌ ପରିଚୟ । ଏ ଦୃଷ୍ଟିରୁ ତାଙ୍କ ଜୀବନ ଯଥାର୍ଥରେ ଏକ ତପସ୍ୱୀର ଜୀବନ । ରାଧାନାଥ ଥିଲେ ଉଦାସୀ, କାବ୍ୟକାର ଫକୀରମୋହନ ବୈରାଗୀ, ମାତ୍ର କବି ଗଂଗାଧର ତପସ୍ୱୀ ।

 

ଗଂଗାଧରଙ୍କ ସାହିତ୍ୟ ଏଇ ତପସ୍ୱୀ ଜୀବନର ହିଁ ପ୍ରତିଲିପି । ଏହା ତାଙ୍କର ଦ୍ୱିତୀୟ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ । ତାଙ୍କ ସାହିତ୍ୟ ଆତ୍ମଜୀବନୀମୂଳକ । ମନୁଷ୍ୟ ଜୀବନ କହିଲେ ଆଲୋଚ୍ୟ କବି ଯାହା ବୁଝିଚନ୍ତି, ମନୁଷ୍ୟ ସଂସାର ଓ ସମାଜ ସଂବନ୍ଧରେ ତାଙ୍କ କଳ୍ପନା ମଧ୍ୟରେ ଯେଉଁ ଚିତ୍ରଟି ରହିଚି ତାର ଆଭାସମାନ ହିଁ ତାଙ୍କ ସାହିତ୍ୟରେ ଦେଖିବାକୁ ମିଳେ । ତାଙ୍କ କବିତା ହେଉଛି ଆତ୍ମସତ୍ତା ସହ ନିରଂତର ଆତ୍ମିକ ଯୋଗସୂତ୍ର ଥାପି ଅନୁଭୂତିର ଅଡ଼ୁଆ ଖିଅମାନଙ୍କୁ ଧରି ସେମାନଙ୍କ ଅର୍ଥ ଓ ପ୍ରାସଙ୍ଗିକତା ଖୋଜିବା ଏବଂ ନିଜର ମନୋଭାବକୁ ଧୀରେ ଅଥଚ ଭାରି ନିବିଡ଼ ଭାବେ ପ୍ରକାଶ କରିବା, ଶରୀରକୁ ଭୋଗିବାକୁ ପଡ଼ୁଥିବା ଅକଳନ ଅନିଭୋଗ ଓ ଅଶେଷ ବଂଚନାକୁ ଆତ୍ମାର ବ୍ୟାକୁଳ ଅନ୍ୱେଷା ସହ ସଂପର୍କଶାଳୀ କରିବା, ତତ୍‌କାଳୀନ ରୁକ୍ଷ ବାସ୍ତବତା ଓ ବିଗତ ଦିନମାନଙ୍କର ଗତାୟୁ ସରଳ ସବୁଜ ସ୍ୱପ୍ନ ମଧ୍ୟରେ ସଂଚରିତ ଶୂନ୍ୟତାକୁ ଲାଘବ କରିବା । ଆପଣାର ତପସ୍ୟା ବଳରେ ଗଂଗାଧର ଅଂତଃପ୍ରକୃତି ଓ ବାହ୍ୟପ୍ରକୃତିକୁ ଗୋଟିଏ କରି ଗଢ଼ି ପାରିଥିଲେ, ଆପଣାର କର୍ମଜୀବନକୁ ଧ୍ୟାନ ଓ ଅଂତଃସ୍ପର୍ଶର ଜୀବନଟି ସହ ଏକତ୍ର ଯୋଡ଼ି ପାରିଥିଲେ । ତାଙ୍କ ସାହିତ୍ୟ ତେଣୁ ମୁକ୍ତ, ଶୁଦ୍ଧ ଓ ଦୀପ୍ତ । ନିଜର ସାହିତ୍ୟିକ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ଏଭଳି ଗଭୀର ସାମଂଜସ୍ୟ ଖୁବ୍‌ ଅଳ୍ପ ଲେଖକଙ୍କଠାରେ ଦେଖାଯାଏ । ଗଂଗାଧରଙ୍କ ଭଳି ଏକୋଦ୍ଦିଷ୍ଟ ଜୀବନର ଅପର ଉଦାହରଣ ସମଗ୍ର ଓଡ଼ିଶାରେ ଓ ଓଡ଼ିଆ ସାହିତ୍ୟରେ କେବଳ ଗୋପବନ୍ଧୁ, ତୃତୀୟ ଖୋଜିଲେ ବି ମିଳେ ନାହିଁ ।

 

ସାହିତ୍ୟ ଥିଲା ଗଂଗାଧରଙ୍କ ନୀରବ ଧ୍ୟାନର ସହଚର । ସେ ଅନୁଭବ କରୁଥିଲେ ସାହିତ୍ୟାନୁରାଗ ଈଶ୍ୱର ଦତ୍ତ ପଦାର୍ଥ ଓ ଛାୟା ତୁଲ୍ୟ ଜୀବନର ସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଂଛନୀୟ କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନ କରି ବ୍ୟକ୍ତି ବିଶେଷଙ୍କୁ ତାହା ପ୍ରଦାନ କରିଥାନ୍ତି ।୨ ସ୍ୱୀୟ କୃତିର ପ୍ରକାଶନ ଦ୍ୱାରା ସହଜରେ ଯଶ ଅର୍ଜନ କରିବା ଅଥବା ସାହିତ୍ୟିକ ପୃଷ୍ଠପୋଷକତା ବଳରେ ଅର୍ଥ ଉପାର୍ଜନ କରିବା ତେଣୁ ତାଙ୍କ ଜୀବନର ଲକ୍ଷ୍ୟ ନଥିଲା । ତପସ୍ୱିନୀ କାବ୍ୟ ମୁକୁର ପତ୍ରିକାରେ ଧାରାବାହିକ ପ୍ରକାଶ ନ ପାଇବା ପ୍ରସଙ୍ଗରେ ଲିଖିତ କବିଙ୍କ ଚିଠି ତାଙ୍କ ମନୋବୃତ୍ତିର ସୁନ୍ଦର ପରିଚୟ, ପ୍ରାଚୀନ ବିଷୟମାନଙ୍କରେ କବିତା ଆଜିକାଲି ମାସିକ ପତ୍ରମାନଙ୍କରେ ସ୍ଥାନ ପାଇବାର ଅନୁପଯୁକ୍ତ ବିବେଚିତ ହେଉଥିବା ପରି ବୋଧହୁଏ । ଦୀର୍ଘ କବିତା ଯାହା ପୁସ୍ତକାକାରରେ ବାହାରିବାର ଉପଯୁକ୍ତ ତାକୁ ମାସିକ ପତ୍ରରେ ସ୍ଥାନ ଦେବାକୁ ମଧ୍ୟ ସଂପାଦକ କୁଣ୍ଠିତ ହୋଇପାରନ୍ତି ।୩ ଏ ଅବବୋଧ ସତ୍ତ୍ୱେ କବି ଯେ ନିଜର କାବ୍ୟସାଧନାରେ ଅବିଚଳ ରହିଥିଲେ ତାହା ତାଙ୍କର ସାଧୁତା ଓ ତପସ୍ୱୀ ସୁଲଭ ଜୀବନ ଶ୍ରେଷ୍ଠ ଓ ବଳିଷ୍ଠ ପ୍ରମାଣ । ନିର୍ଲୋଭ ଓ ନିରହଂକାର ଗଂଗାଧରଙ୍କ ନିଜ କଥାରେ କହିଲେ ତାଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ ଥିଲା ସାହିତ୍ୟ ସେବା ଓ ପରତ୍ମାମା ସେବା ।୪ ସମସ୍ତଙ୍କୁ ଇଚ୍ଛାମତେ ସେବା କରି ପାରିଲେ ସେ ଜୀବନର ସାର୍ଥକତା ଅନୁଭବ କରୁଥିଲେ । ପୁସ୍ତକ ବିକ୍ରୟରୁ ଲବ୍‌ଧ ଅର୍ଥରେ ସ୍ୱଚ୍ଛନ୍ଦ ଜୀବନଯାପନ କରିବା କୁ କେହି ତାଙ୍କୁ ଉପଦେଶ ଦେଲେ ସେ କହୁଥିଲେ, ସାହିତ୍ୟ ନିମନ୍ତେ ପରଦତ୍ତ ଅର୍ଥ ମୋର ବିଳାସିତାରେ ବ୍ୟୟ କରିବାର ଅଭିପ୍ରାୟ ନାହଁ । ତାହା କେବଳ ସାହିତ୍ୟର ଉନ୍ନତିରେ ଲଗାଇ ପାରିଲେ ସାହିତ୍ୟ ଚର୍ଚ୍ଚା ରୂପ ମହାପାପର ପ୍ରାୟଶ୍ଚିତ ହୋଇ ପାରନ୍ତା । ୫ ଏଭଳି ମନୋବୃତ୍ତି ସଂପନ୍ନ ଗଂଗାଧର ବରପାଲିର ରାଜା ତାଙ୍କୁ ବାଧ୍ୟ କରିଥିଲେ ବୋଲି ଯେ ତାଙ୍କ ନାମରେ ଦୁଇଟି କବିତା ଭଣିଥିଲେ ସେ କଥା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ । ବାମଂଡ଼ା, କଳାହାଣ୍ଡି, ସୋନପୁର, ଟିକିଲି ପ୍ରଭୃତି ରାଜ୍ୟର ରାଜା ଓ ଜମିଦାରମାନେ ସକଳ ସମ୍ମାନ ଦେଇ ତାଙ୍କୁ ନିଜ ନିକଟରେ ରଖିବାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଇଚ୍ଛା ପୋଷଣ କରିଥିଲେ ମଧ୍ୟ ସ୍ୱୀୟ ଆନ୍ତରିକ ରୁଚିର ପ୍ରତିକୂଳ ଜାଣି ଗଂଗାଧର ସେଥିରେ ସମ୍ମତ ହୋଇ ନଥିଲେ । ଓଡ଼ିଶାର ରାଜାମାନେ କବି ଅନୁରାଗୀ ହୋଇ ପାରିଲେନି ବୋଲି ଖେଦ କରି ରାଧାନାଥ ଗଂଗାଧରଂଙ୍କ ପାଖକୁ କେତେ ଚିଠି ଲେଖିଥିଲେ । ମାତ୍ର ତପସ୍ୱୀ ଗଂଗାଧରଙ୍କର କୌଣସି ପୃଷ୍ଠପୋଷକ ଅଥବା ସ୍ତାବକଂକ ତଥାକଥିତ ରୁଚି ବିକାରରେ ଅନୁଭାବିତ ହୋଇ ନିଜ ରଚନାକୁ ବିକଳାଂଗ ହେବାକୁ ଦେଇ ନ ଥିଲେ । ନିଜ ରଚନାର ସଫଳତା ଓ ଉତ୍କର୍ଷ ସମ୍ବନ୍ଧରେ ଆତ୍ମସଂତୋଷ ନ ଆସିଲେ କବି ତାହା ପ୍ରକାଶ କରୁ ନ ଥିଲେ ।୬ ଧନରେ ଦରିଦ୍ର ଥିଲେ ମଧ୍ୟ ମନ ଜଗତରେ ଗଂଗାଧର ଥିଲେ ଅତୀବ ସମୃଦ୍ଧ । ତାଙ୍କଠାରେ ସ୍ୱାଧୀନତାର ଚେତନା ଥିଲା ଖୁବ୍‌ ଦୃଢ଼, ମୁଁ ରାଜସେବାରେ ଲାଳସୀ ନୁହେଁ । ଇଂରେଜଠାରୁ ବଡ଼ ରାଜା କିଏ ଅଛି ? ଯେତେବେଳେ ସେ ରାଜାଂକ ସେବାରେ ବୈରାଗ୍ୟ ଜନ୍ମିଲାଣି ଅନ୍ୟ କେଉଁ ରାଜାଙ୍କ ସେବାକୁ ଇଚ୍ଛା କରିବି ?୭ ଏହା ସାଧାରଣ ଉକ୍ତି ମାତ୍ର ନୁହେଁ, କବିଙ୍କ ପ୍ରାଣର ବାସନା । ତପସ୍ୱୀ ତପସ୍ୟାରେ ରତ ଥାଆନ୍ତି, ତପସ୍ୟା ଉପରେ ହିଁ ମୂଳ ବିଶ୍ୱାସଟିକୁ ଦୃଢ଼ ରଖିଥାଆନ୍ତି । ସେହି ତପସ୍ୟା ହିଁ ତାଂକୁ ସୋପାନରୁ ସୋପାନ କରି ଉଠାଇ ନେଇ ଯାଉଥାଏ । ଗଂଗାଧରଙ୍କ ଜୀବନ ଏପରି ଏକ ସୋପାନ ଆରୋହଣର ଇତିହାସ ।

 

ତାଙ୍କ ସାହିତ୍ୟରେ ଥିବା ଭାଷାର ସରଳତା, ଭାବର ସ୍ୱଚ୍ଛତା ଓ ପ୍ରକାଶଭଂଗୀର କମନୀୟ ଆଡ଼ମ୍ବରଶୂନ୍ୟତା କବିଙ୍କ ତପସ୍ୱୀ ଚିତ୍ତର ଅପରୂପ ଚିତ୍ରପଟ ମାତ୍ର । ଶାରୀରିକ ସ୍ଥିତି ପ୍ରତିଷ୍ଠା ଦିଗରୁ ଗଂଗାଧର ଥିଲେ ସଂପୂର୍ଣ୍ଣ ହତଭାଗ୍ୟ । ବଂଚିବା ପାଇଁ ସେ ତେଣୁ ଲୋଡ଼ିଥିଲେ ଏକ ମାନସ ସାମ୍ରାଜ୍ୟ । ରୁକ୍ଷ ସଂସାରର ସାଧାରଣ ବଂଚନା ଓ ବଂଚିବା ଭିତରେ ସ୍ୱୀୟ ମାନସିକ ସ୍ଥିତି ସଂରକ୍ଷଣ ପାଇଁ ଅନୁକୂଳ ବାୟୁମଣ୍ଡଳ କବି ନିର୍ବାଚନ କରି ପାରିଥିଲେ । ଯେଉଁମାନଙ୍କ ଜୀବନ ଅଧ୍ୟାୟ ଭିତରେ ଅଥବା ଯେଉଁ ବିଷୟବସ୍ତୁ ଭିତରେ ସେ ନିଜକୁ ବହୁ ମାତ୍ରାରେ ପ୍ରତିବିମ୍ବିତ ହେବା ଦେଖୁଥିଲେ ସେମାନଙ୍କୁ ନେଇ ସେ କାବ୍ୟ କବିତା ରଚନାରେ ବ୍ୟାପୃତ ରହୁଥିଲେ । ଏହି କାରଣରୁ ପ୍ରସ୍ତରୀଭୂତା ଅହଲ୍ୟା ପତ୍ନୀବିଧୂର ଅଜ, ଅତ୍ୟାଚାର ଜର୍ଜରା ଦ୍ରୌପଦୀ, ଶାପଗ୍ରସ୍ତା ଶକୁନ୍ତଳା, ନିୟତି ନିୟନ୍ତ୍ରିତା ସୀତା ଅଥବା ଦେଶପ୍ରୀତି, ବିଶ୍ୱପ୍ରେମ ଓ ଭଗବଦ୍‌ଭକ୍ତି ତାଙ୍କ କାବ୍ୟ କବିତାର ଉପଜୀବ୍ୟ ହୋଇ ପଡ଼ିଚି । ଯେଉଁଠି ବାସ୍ତବ ଜୀବନ ଖଂଡ଼ ବିଖଂଡ଼ିତ, ପ୍ରାଣଧାରା ଶତଧା ବିଭକ୍ତ ଓ ବିଡ଼ଂବିତ ହୋଇଛି ଗଂଗାଧରଙ୍କ ସୃଷ୍ଟି ସେଇଠି ସାର୍ଥକ ରୂପେ ପରିଗ୍ରହ କରିଚି । କରୁଣରସର ଏ ସାହିତ୍ୟ ଖାଦ୍ୟରସ ଅପେକ୍ଷା କାବିଂକ ତପସ୍ୱୀ ଜୀବନର ଅଧିକ ନିର୍ଭରଯୋଗ୍ୟ ଅବଲଂବନ ହୋଇ ପଡ଼ିଚି । କବି ପ୍ରତିଭା ବାସ୍ତବକୁ ଆଦର୍ଶ ସୃଷ୍ଟିରେ ପରିଣତ କରିଚି ଏବଂ ଆଦର୍ଶକୁ କରିଚି ବାସ୍ତବମୁଖୀ । ତେଣୁ ବାସ୍ତବ ଜୀବନର ଦୁଃଖ ପାଶୋରିବାକୁ ଯାଇ କବି ଯାହା ସୃଷ୍ଟି କରିଚନ୍ତି ତାହା ବାସ୍ତବ ଜଗତକୁ ନରନାରୀଙ୍କ ପାଇଁ ଅକ୍ଷୟ ସଂପଦରେ ପରିଣତ ହୋଇଯାଇଚି । ଏହା ହିଁ ତ ଯେ କୌଣସି ତପସ୍ୱୀଂକ ଜୀବନର ଇତିବୃତ୍ତ ! ଏକ ତପସ୍ୱୀ ହିଁ ଦେଇପାରନ୍ତି ତାଙ୍କୁ ବଂଚିବାର ସର୍ବନିମ୍ନ ଉପାଦାନ ବାସ, ଗ୍ରାସ ସୁଲଭ କରାଇ ପାରୁ ନ ଥିବା ଗୋଟିଏ ଅସମ ସମାଜ ବ୍ୟବସ୍ଥାକୁ ଜୀବନର ଉର୍ଧ୍ୱାୟନ ପାଇଁ ଉଦ୍ଦିଷ୍ଟ ଅମୃତ ତତ୍ତ୍ୱ !!

 

ଏଇ କାରଣରୁ ହିଁ ରାଧାନାଥ ଓ ତାଂକୁ ବେଢ଼ି ରହିଥିବା ଗ୍ରହପୁଂଜ ଯେତିକି କୃତିମ ଗଂଗାଧର ସେତିକି ସରଳ, ସ୍ୱଭାବିକ ଓ ସମଗ୍ର । ସର୍ବକ୍ଷେତ୍ରରେ ତାଂକ ଲେଖନୀ ଶାଂତ, ସଂଯତ, ସ୍ଥିତପ୍ରଜ୍ଞ । ତାହା ଯେତିକି ଦରକାର ସେତିକି କହେ, ସତ୍ୟ କଥାଟିକୁ ସରସ ଓ ସୁଂଦର କରି କହେ-। ଯାହା ଚିରଂତନ ଓ କଲ୍ୟାଣକର ତାହା ହିଁ ପରଷି ଦିଏ । ସେ ଲେଖନୀ ଦେଶକୁ ଭଲ ପାଏ । କିଂତୁ କେଉଁଠି କହେନି ଏ ଦେଶ ହିଁ ଶ୍ରେଷ୍ଠ, କାହାରିଠୁ ଆମର କିଛି ଶିଖିବାର ନାହିଁ । ଅଧିକଂନ୍ତୁ ଦେଶର ଅଭାବ ଓ ଦୁର୍ବଳତା ପ୍ରତି ସେ ଲେଖନୀ ଅଂଗୁଳି ନିର୍ଦେଶ କରେ, ସକଳ ବିନୟ ସତ୍ତ୍ୱେ ଅକୁତୋଭୟ ଚିତ୍ତରେ ଦେଶବାସୀଂକୁ ଓ ଦେଶର ଶାସକଂକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନରେ ବ୍ରତୀ ହୁଏ । ୮ ଏ ସବୁର ଅଂତରାଳରେ ଏକ ଶୁଦ୍ଧ ସଚେତନ, କୁଚ୍ଛ୍ର ସାଧନାରତ ତପସ୍ୱୀଟିଏ ହିଁ ସଦା ସଜାଗ ହୋଇ ରହିଥାଏ ।

 

ତୃତୀୟତଃ, ସ୍ଥାନୀୟ ପରିବେଶ ଦ୍ୱାରା ଗଂଗାଧରଙ୍କ ଜୀବନଧାରା କିଭଳି ସୀମିତ ହୋଇ ପଡ଼ିଚି, ତାଂକ କାବ୍ୟସ୍ରୋତ କିପରି ନିରବିଚ୍ଛିନ୍ନ ଗତି କରି ପାରି ନାହିଁ, ସ୍ୱଳ୍ପ ଶିକ୍ଷା, ଆଧୁନିକ ପାଠ୍ୟ ପୁସ୍ତକର ଅଭାବ ଏବଂ ଦାରିଦ୍ର୍ୟ କିପରି କବିଂକ ସ୍ୱାଭାବିକ ବିକାଶପଥରେ ବହୁ ପରିମାଣରେ ବାଧକ ସାଜିଚି ତାର ସୁସ୍ପଷ୍ଟ ସଂକେତ ତାଙ୍କ ପତ୍ରାବଳୀ ଓ ରଚନାବଳୀରୁ ମିଳିଥାଏ ।୯ ଏହା କବିଂକ ବାସ୍ତବ ଜୀବନ ଓ ସାହିତ୍ୟାଦର୍ଶ ମଧ୍ୟରେ ଉପୁଜିଥିବା ସଂସର୍ଗ ଓ ସଂଘର୍ଷର ଅମୃତମୟ ଫଳ । ନିଜ ବ୍ୟକ୍ତିତ୍ୱ ଓ ବିଚାରରେ ଗଂଗାଧର ଥିଲେ ଏକ ନବ ଜାଗୃତ ଚେତନାର ମୂର୍ତିମଂତ ବିଗ୍ରହ । ପରଂପରାରେ ପ୍ରାଣର ପ୍ରବାହ ଅନୁଭବ କରୁଥିଲେ ମଧ୍ୟ ସେ ପ୍ରାଚୀନ ପଂଥୀ ନ ଥିଲେ । ସମାଜ ଓ ଜୀବନରେ ନବ ନବ ସଂସ୍ଥାର ପ୍ରବର୍ତନ ଓ ପରିବର୍ତନ ଆନୟନ ସଂକଳ୍ପରେ ସେ ଥିଲେ ଅଟଳ । ତାଙ୍କ ମନର କୌତୂହଳ ଥିଲା ଅସୀମ । ଜୀବନ ଓ ଜଗତର ସକଳ ରହସ୍ୟ ଯେ କିଭଳି ଆଲୋକିତ ଦୃଷ୍ଟି ଘେନି ଭେଦ କରିବାକୁ ଚାହୁଁଥିଲେ ତାର ସୁଂଦର ଆଲେଖ୍ୟରେ ତାଙ୍କ କୃତିସମୂହ ପ୍ରୋଜ୍ଜ୍ୱଳ ।୧୦ ଏ ଦୃଷ୍ଟିରୁ ଗଂଗାଧର ଯେତିକି ପ୍ରାଚୀନ ସେତିକି ନବୀନ । ତାଂକ ଚେତନାରେ ପ୍ରାଚୀନ ଓ ନବୀନ ସ୍ୱତଂତ୍ର ସତ୍ତା ହରାଇ ଏକ ବିଂଦୁରେ ଅଧିବାସ ରଚନା କରିଥିଲେ । ପାତ୍ରଟି ଯଥାର୍ଥରେ ଗ୍ରହଣଶୀଳ ହୋଇ ପାରିଥିଲେ ପ୍ରାଚୀନ ଓ ନବୀନ ମଧ୍ୟରେ ଯେ ପ୍ରକୃତରେ କୌଣସି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଏବଂ ପ୍ରାଚୀନ ଅଥବା ନବୀନ କୌଣସିଟି ଯେ ମୋଟେ ଅଂତରାୟ ହୋଇ ଛିଡ଼ା ହୋଇ ପାରନ୍ତି ନାହିଁ ଗଂଗାଧର ତାର ବଳିଷ୍ଠ ପ୍ରମାଣ । ପରିସର ସଂକୀର୍ଣ୍ଣ ହେଲେ ସୁଦ୍ଧା ପ୍ରତିଭାର ମୌଳିକତା ଫଳରେ ଗଂଗାଧରଂକ ସାହିତ୍ୟରେ ଦେଖିବାକୁ ମିଳେ ପ୍ରାଚୀନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଅପୂର୍ବ ସମନ୍ୱୟ ।

 

ଶୈଶବରେ କବି ପ୍ରାଚୀନ ଓଡ଼ିଆ ପୁରାଣ ସାହିତ୍ୟ ଦ୍ୱାରା ପ୍ରଭାବିତ ହୋଇଥିଲେ । ତାଂକ କାବ୍ୟର ବିଷୟବସ୍ତୁ ଯେ ଏହି ପ୍ରାଚୀନ ପୁରାଣମାନଙ୍କରୁ ହିଁ ପ୍ରଥମେ ଆହରଣ କରିଥିଲେ । ଦ୍ୱିତୀୟ ସ୍ତରରେ ଭଂଜ ସାହିତ୍ୟର ଛଂଦ ଅଳଂକାର ଆଦିରେ ପ୍ରଭାବିତ ହୋଇ ପ୍ରାଚୀନ ରୀତିରେ କବିତା ରଚନା କରିଥିଲେ । ତାଙ୍କର ପ୍ରଥମ ରଚନା ‘ରସ ରତ୍ନାକର’ର ପ୍ରେରଣା ଭୂମି ଭଂଜ ସାହିତ୍ୟ ଥିବା ସୁବିଦିତ । ନୂତନ ଆଦର୍ଶ ସମ୍ମୁଖରେ ନ ପାଇ ଗତାନୁଗତିକ ଧାରାରେ ସ୍ୱୀୟ ବ୍ୟକ୍ତିଗତ ସାଧନା ଉପରେ ସେ ଏହାକୁ ଛିଡ଼ା କରାଇଥିଲେ । ଅଥଚ ସତ୍ୟୋପଲବ୍‌ଧି ପରେ ତାକୁ ସେଇପରି ଅସଂପୂର୍ଣ୍ଣ ଛାଡ଼ିଦେଲେ । ପରେ ସେଇଟିକୁ ସଂପୂର୍ଣ୍ଣ କରିଦେବା ଲାଗି ଏକ ପ୍ରସ୍ତାବ ଆସିବାରୁ ସେ କହିଥିଲେ, ବର୍ତ୍ତମାନ ଯୁଗରୁଚି ଅନେକ ପରିମାଣରେ ମାର୍ଜିତ ହୋଇ ଯାଇଥିବାରୁ ଏହା ତହିଁର ବିରୋଧୀ, ତେଣୁ ପ୍ରକାଶଯୋଗ୍ୟ ନୁହେଁ ।

 

ପରବର୍ତ୍ତୀ ରଚନା ‘ଅହଲ୍ୟାସ୍ତବ’ ସେଇଥି ପାଇଁ ନୂତନ ପଦକ୍ଷେପର ପ୍ରତୀକ । ଏତିକିବେଳକୁ ଆଧୁନିକ ଶିକ୍ଷା ଓ ଆଧୁନିକ ପାଠ୍ୟପୁସ୍ତକ ପ୍ରସୂତ ଏକ ଆଧୁନିକ ସାହିତ୍ୟ ଗଢ଼ି ଉଠିଥିବା ସ୍ୱଳ୍ପ ଶିକ୍ଷାପ୍ରାପ୍ତ ଗଂଗାଧରଙ୍କ ଉତ୍ତମ ଅବବୋଧ ଭିତରକୁ ଆସି ସାରିଥିଲା । ଏଇ ନୂତନ ସାହିତ୍ୟର ପଟ୍ଟପୁରୋଧା ରାଧାନାଥ ପାଶ୍ଚାତ୍ୟ ସାହିତ୍ୟର ବିଷୟବସ୍ତୁ, ଭାବଧାରା ଓ ସୃଷ୍ଟି ଆଦର୍ଶ ଆହରଣ କରି ସେମାନଙ୍କୁ ଏ ଦେଶର ମାଟିରେ ଅତି ଦକ୍ଷତାର ସହ ଉତ୍ତାରି ଥିଲେ । କିନ୍ତୁ ସକଳ ଶିଳ୍ପ ଗୌରବ ସତ୍ତ୍ୱେ ସେଥିରେ ଥିବା ବିଜାତୀୟ ପ୍ରେମ, ଜାତୀୟତା ବିରୋଧୀ ଚରିତ୍ର ଓ ନରନାରୀଂକ ଅସଂପୂର୍ଣ୍ଣ ଚିତ୍ର ଯୋଗୁଁ ଏ ସାହିତ୍ୟର ସାମାଜିକ ଓ ନୈତିକ ମୂଲ୍ୟ ଉପରେ ସାଧାରଣ ପାଠକ ସମାଜ ସଂଦୀହାନ ହୋଇ ଉଠିଥିଲେ । ଏହାର ପ୍ରତିକ୍ରିୟା ସ୍ୱରୂପ ଲେଖକମାନେ ଅନ୍ୟ ଏକ ସରଣୀରେ ଗତି କରୁଥିବା ଗଂଗାଧର ସ୍ପଷ୍ଟ ଭାବେ ଲକ୍ଷ୍ୟ କରିପାରିଥିଲେ । ତାଙ୍କ ସାହିତ୍ୟ ତେଣୁ ଏକ ସ୍ୱତନ୍ତ୍ର ସାହିତ୍ୟାଦର୍ଶରେ ପ୍ରତୀକ କେବଳ ନୁହେଁ ରାଧାନାଥ ସାହିତ୍ୟର ମୌନ ପ୍ରତିବାଦ ଓ ନୀରବ ପ୍ରତିକ୍ରିୟା ମଧ୍ୟ । ନିଜ ଆଖି ଆଗରେ ଇଂଦ୍ରଧନୁ ଓ ବିଜୁଳି ମାଧ୍ୟମରେ ତଥାକଥିତ ଆଦିରସିଆ ଓ ଅନାଦିରସିଆ ଭିତରେ ଯେଉଁ ବାକ୍ୟଯୁଦ୍ଧ ଓ ବିବାଦ ଚାଲିଥିଲା ଆପଣାର ସହଜ ଓ ଗ୍ରହଣଶୀଳ ଅନୁରାଗରେ ପ୍ରାଚୀନ ଓ ନବୀନ ଉଭୟକୁ ସ୍ୱୀୟ ଜୀବନଦୃଷ୍ଟି ମଧ୍ୟରେ ସ୍ଥାନ ଦେଇ ପାରୁଥିବାର ସାମର୍ଥ୍ୟ ଯୋଗୁଁ ଗଂଗାଧର ସେଥିରୁ ଅନେକ ଦୂରରେ ରହିଥିଲେ ମଧ୍ୟ ସାହିତ୍ୟର ଗତି ଓ ପ୍ରକୃତି ପର୍ଯ୍ୟବେକ୍ଷଣରୁ ବିରତ ନ ଥିଲେ । ସାହିତ୍ୟର ଯଥାର୍ଥ ଦିଗ ବାରିବାର ସାମର୍ଥ୍ୟ ତାଙ୍କର ଅବଶ୍ୟ ରହିଥିଲା । ‘ଅହଲ୍ୟାସ୍ତବ’ରେ ତେଣୁ ପ୍ରାଚୀନ ଓ ନୂତନର ସମୀକରଣ ସ୍ପଷ୍ଟ ହେଲା, ସଂସ୍କୃତ ଶାର୍ଦୂଳବିକ୍ରୀଡ଼ିତ ଛଂଦ ଭିତରେ ଓଡ଼ିଆ କବିତାର ପ୍ରାଣ ଫୁଟି ଉଠିଛି । ଅଥଚ ରାଧାନାଥଙ୍କ ପରାମର୍ଶରେ କବିତାଟିକୁ ବଂଗଳାଶ୍ରୀ ରାଗରେ ପ୍ରକାଶ କରିବାରେ କବିଂକର କୌଣସି କୁଂଠା ନ ଥିଲା ।

 

ପରବର୍ତ୍ତୀ ରଚନାବଳୀ ’ଇନ୍ଦୁମତୀ’, ‘ଉତ୍କଳଲକ୍ଷ୍ମୀ’ ଓ ‘କୀଚକବଧ’ର ଉତ୍ସଭୂମି ସ୍ୱୟଂ ରାଧାନାଥ । କିନ୍ତୁ ସାଧାରଣରେ ଯେଉଁ ଗଂଗାଧର ଜନପ୍ରିୟ ସେ ହେଉଛନ୍ତି ‘ପ୍ରଣୟବଲ୍ଲରୀ’ ଓ ’ତପସ୍ୱିନୀ’ର କାଳଜୟୀ କାବ୍ୟକାର । ଅଥଚ ସୃଷ୍ଟିର ଲଳିତ ସୌନ୍ଦର୍ଯ୍ୟ ଅନୁଶୀଳନ କଲେ ସେମାନେ ଆଦୌ ପରସ୍ପର ଅସଂଲଗ୍ନ ବା ଅସଂପୃକ୍ତ ଅନୁଭୂତ ହୁଅନ୍ତି ନାହିଁ । ଶିଳ୍ପ ସୃଷ୍ଟିର ଆଦର୍ଶ ଓ ରସ ରୂପାୟନର ମନୋବୃତ୍ତି ଏ ସମସ୍ତରେ କ୍ରମ ଉନ୍ନତ ରୂପେ ଦେଖାଯାଏ ମାତ୍ର । ‘ରସ ରତ୍ନାକର’ ଓ ‘ଅହଲ୍ୟାସ୍ତବ’ ଯେଉଁ ଗଂଗାଧରଙ୍କୁ ନୂତନ ରସବୋଧ ଦେଲେ ସେଇ ନବଜନ୍ମାଂତର ପ୍ରାପ୍ତ ଗଂଗାଧର ସୃଷ୍ଟି କଲେ ‘ଇନ୍ଦୁମତୀ’, ‘ଉତ୍କଳଲକ୍ଷ୍ମୀ’ ଓ ‘କୀଚକବଧ’ । ‘ଇଂଦୁମତୀ’ ଓ ‘କୀଚକବଧ’ରେ ରାଧାନାଥଙ୍କ କାବ୍ୟଚେତନା, ରୂପସୃଷ୍ଟି, ସୌନ୍ଦର୍ଯ୍ୟବୋଧ, ଉପମା ରୂପକ ଆଦି ପ୍ରୟୋଗ ଓ ବର୍ଣ୍ଣନାଧାରାର ପ୍ରତିଫଳନ ସ୍ପଷ୍ଟ । ‘ଉତ୍କଳଲକ୍ଷ୍ମୀ’ ବସ୍ତୁତଃ ରାଧାନାଥ ସାହିତ୍ୟର ଏକ ଅମଳିନ କାବ୍ୟଧର୍ମୀ ସମାଲୋଚନା । ଏଥିରେ ସନ୍ନିବିଷ୍ଟ ଉତ୍କଳଲକ୍ଷ୍ମୀଙ୍କର ବଂଦନା ରାଧାନାଥଙ୍କର ହିଁ ପ୍ରତିଭା ବଂଦନା । ଗଂଗାଧର କିପରି ରାଧାନାଥଙ୍କ ଶିଳ୍ପଦୃଷ୍ଟି ଓ କବି ପ୍ରତିଭାକୁ ପରମ ସମ୍ମାନ ପ୍ରଦର୍ଶନ କରୁଥିଲେ ତାହା ଏହି ବଂଦନାରୁ ଖୁବ୍‌ ସ୍ପଷ୍ଟ । ଅଥଚ ସର୍ବାଧିକ ପ୍ରଚାରିତ ‘ତପସ୍ୱନୀ’ କବିଂକ ଆତ୍ମନିର୍ଭରଶୀଳତାର ପ୍ରକୃଷ୍ଟ ନିଦର୍ଶନ । ଏହା ପ୍ରାଚୀନ ଓ ନବୀନର ଏକ ମଧୁର ମିଳନ କ୍ଷେତ୍ର । ଏହାର ଲଳିତ ମଧୁର ଭାଷା, ଭାବପ୍ରକାଶର ଦୃଷ୍ଟିଭଂଗୀ ଓ ସୃଷ୍ଟି ଆଭିମୁଖ୍ୟ ନୂତନ ଯୁଗର ହେଲେ ହେଁ କାବ୍ୟରୂପଟି ମଧ୍ୟଯୁଗୀୟ ସାହିତ୍ୟାଦର୍ଶ ଦ୍ୱାରା ପ୍ରଭାବିତ । ଏଥିରେ ରାଧାନାଥୀ ଅର୍ଥ ପ୍ରାଂଜଳତା ସଂଗକୁ ଭଂଜୀୟ ଛାଂଦ ମାଧୁର୍ଯ୍ୟର ମଧୁର ମିଳନ ଘଟିଚି, ଶବ୍ଦଚାତୁର୍ଯ୍ୟ ଅଛି, ଅଥଚ ଅକାରଣ ଶବ୍ଦାଡଂବର କାହିଁ କେଉଁଠି ନାହିଁ, ଉପମା ଉପମାନର ପ୍ରାଚୀନ ବାହୁଲ୍ୟ ଅଛି, କିନ୍ତୁ ସେ ସବୁ କବିଂଙ୍କ ସ୍ୱକୀୟ ରୀତିରେ ଗୁଂଥା ଯାଇଚି ।

 

ମୋଟ ଉପରେ ପ୍ରାଚୀନ ଲିଖନ ରୀତିରେ ନବୀନ ଆଦର୍ଶର ମନୋଜ୍ଞ ଚିତ୍ରଣ ତଥା ନବୀନ ରୁଚି ଅନୁକୂଳ କରି ପ୍ରାଚୀନ ଆଦର୍ଶର ପ୍ରସ୍ଫୁଟନ ଗଂଗାଧରଙ୍କ ମୌଳିକତାର ସଂକେତ । କବି ପୁରାତନର ଆଲୋକରେ ନବ ନବ କ୍ଷିତିଜର ସଂଧାନ କରିଛଂତି । ପରଂପରାର ପରିଚିତ ପଥରେ ଗତି କରି ମଧ୍ୟ ଗତାନୁଗତିକତାର ମରୁଭୂମିରେ ବାଟବଣା ହୋଇ ନାହାନ୍ତି । ତାଙ୍କ ପୁରୋଦୃଷ୍ଟି ଅତୁଟ ଓ ଉଜ୍ଜ୍ୱଳ ରହିଚି । ଏହା ସ୍ୱକୀୟ ଅନୁରାଗରେ ଆପଣାର ସକଳ ସଂଚୟ ଓ ସର୍ଜନକୁ ଏକାଧାରରେ ମଧୁର, ଲଳିତ ଅଥଚ ନବୀନ କରି ଦେଇ ଉପସ୍ଥାପନ କରିଚି । ସମକାଳୀନ ବୃଦ୍ଧିଜୀବୀମାନଙ୍କର କୌଣସି ପ୍ରକାର ରୁଚି ବିକାର ବା ପରଂପରାହୀନ ଆଦର୍ଶ କବିଙ୍କ ଉପରେ ପ୍ରଭାବପାତ କରିବାକୁ ସମର୍ଥ ହୋଇ ନାହିଁ । ତତ୍କାଳୀନ ରୋମାଣ୍ଟିକ୍‌ ଭାବଚେତନା, ସୁଦୂର ମୋହ, ସହଜଲଭ୍ୟର ଆକର୍ଷଣ ତାଙ୍କୁ କୌଣସି ପ୍ରକାରେ ଶ୍ରେୟ ଭାବନାରୁ ବଂଚିତ କରି ପାରି ନାହିଁ । ସ୍ୱତଃସ୍ଫୁର୍ତ୍ତ ପ୍ରତିଭା ଓ ବିଚାରବୋଧ ବଳରେ ନବୀନ ଗତିଧାରକୁ ବିସ୍ତୃତ ଓ ବେଗବାନ କରିବା ପ୍ରୟାସରେ ସେ ପୁରୋଦୃଷ୍ଟି ପ୍ରଦର୍ଶନ କରି ପାରିଚଂତି । ତାଙ୍କ ମାନସ ମଂଦାକିନୀରେ ପୌରାଣିକ, ଗ୍ରାମୀଣ ଓ ଆଧୁନିକ ପରଂପରାର ଆଧୁନିକ ସୃଷ୍ଟି ଆଦର୍ଶରେ ରସାଣିତ ହୋଇଚି । ଯାହା ଥିଲା ପ୍ରାଚୀନ ତାହା ଆଧୁନିକତାର ରୂପ ପାଇଚି । ଯୁଗ ଯୁଗର ପରିଚିତ ବସ୍ତୁ ନୂତନ ରୂପରେ ଦେଖବାକୁ ମିଳିଚି । କବିତାକୁ ବୃହତ୍ତର ଜନଜୀବନ ସହ ଏକାତ୍ମ କରିବାରେ କବିଂକ ସାଧନା ପ୍ରଭୂତ ସିଦ୍ଧିରେ ମଂଡ଼ିତ ହୋଇଚି । ସେଇଥିପାଇଁ ଗଂଗାଧର ଏବେ ମଧ୍ୟ ପାଠକ ସମାଜର ଏତେ ପ୍ରିୟ, ଏତେ ଆପଣାର ।

 

ଉପଯୁକ୍ତ ଆଲୋଚନାରୁ ଏହା ସ୍ପଷ୍ଟ, ଗଂଗାଧରଙ୍କ ଜୀବନ ଓ କାବ୍ୟ ଏକ ଅପୂର୍ବ ମହାସ୍ରୋତ ଯାହା ପରଂପରା ଓ ପ୍ରଗତିର, ଗତାନୁଗତିକ ଅନୁକୃତି ଓ ମୌଳିକ ସୃଷ୍ଟି ଚେତନାର, ପରିଶୁଦ୍ଧ କାବ୍ୟିକ ଆଦର୍ଶ ଓ ଗ୍ରାମୀଣ ବାସ୍ତବତାର, ସଚେତନ ଶିଳ୍ପୀତ୍ୱ ଓ ଭାବପ୍ରବଣ କବିତ୍ୱର, ବିନୟୀ ମାନବ ଓ ଅକୁତୋଭୟ ତପସ୍ୱୀଂକର ସଂହତ ସମାବେଶରେ ସୁଗଠିତ । ସେ ଯଥାର୍ଥ କବିର ଜୀବନ ବଂଚିଛଂତି, ଆଜୀବନ ନକ୍ଷତ୍ରର ଅହଂକାର ନୁହେଁ ଖଦ୍ୟୋତର ଖେଦ ଘେନି ହିଁ ସକଳ ଦୁଃଖକୁ ଆତ୍ମସାତ୍‌କରି ଆନନ୍ଦ, ଆଦର୍ଶ ଓ ସୌନ୍ଦର୍ଯ୍ୟର ସହଜାତ ଉପାଦାନ ବଳରେ ସାମ୍ରାଜ୍ୟରେ ବିଶେଷର, କ୍ଷୁଦ୍ରରେ ବିରାଟ, କୁତ୍ସିତରେ ସୁନ୍ଦରର ଆରାଧନା ଓ ସଂଧାନ କରିଛଂତି । ତାଙ୍କ ଯାତ୍ରାରୀତି ଓ ଗତିପଥ ଅନ୍ୟମାନଙ୍କଠୁ ଭିନ୍ନ । ସେ ସମଗ୍ର ସଂସାରକୁ ନିଜ ଭିତରକୁ ଟାଣି ଆଣି ତାହାକୁ ଆପଣା ସୁଖସାର ଓ ସୀମାସିଦ୍ଧ କରି ରଖାଇବାକୁ କଦାପି ଇଚ୍ଛା କରି ନାହାନ୍ତି । କବି ଗଂଗାଧର ନିଜକୁ ପ୍ରଶସ୍ତରୁ ଅଧିକ ପ୍ରଶସ୍ତ ମଧ୍ୟକୁ ମୁକୁଳା କରିଦେଇ ସୋପାନ ପରେ ସୋପାନ ଅତିକ୍ରମ କରି ଚାଲିଚଂତି ଅଥଚ ଆଦୌ ଭୂଇଁ ଛାଡ଼ି ନାହାଂତି । ହାତ ପାଖର ଦୃଶ୍ୟ, ପାହାଡ଼ ପର୍ବତ ଘେରା ଜନ୍ମଭୂମିର ବଂଧୁର କୋଳ, ଦୁଃଖ ଦାରିଦ୍ର୍ୟ ଭରା ଜୀବନର ଉପକୂଳରେ ସେ ଶାନ୍ତି ଓ ସନ୍ତୋଷ ଖୋଜିଛଂତି । ତାଙ୍କ ସମକାଳୀନ କୌଣସି ସାହିତ୍ୟକାରଂକ ଚେର ଏତେ ସ୍ୱାଭାବିକ ରୀତିରେ ଗଭୀର ଭୂଇଁରେ ପ୍ରବେଶ କରି ନାହିଁ କି ଅଂତରର ସହଜ ଅଭିଳାଷ ଆକାଶକୁ ହାତ ବଢ଼ାଇ ପାରି ନାହିଁ । ସକଳ ସୋପାନରେ ଏକ ତପୋନିଷ୍ଠ ସୁସ୍ଥ ଦୃଷ୍ଟି ଓ ଆତ୍ମିକ ଉପଲବ୍‌ଧି ହିଁ ତେଣୁ ଗଂଗାଧରଂକୁ ଚିହ୍ନିବାର ପ୍ରଧାନ ସଂତକ ହୋଇ ରହିଚି । ଏଇ କାରଣରୁ ହିଁ ଅନଂତ ଭବିଷ୍ୟତର ଯେ କୌଣସି କାଳରେ ମଧ୍ୟ ଯଥାର୍ଥ ସାହିତ୍ୟ ସାଧକଂକର ଯାବତୀୟ ତାପଶ୍ଚର୍ଯାରେ ଅତି ଆପଣାର ଅଗ୍ରବର୍ତ୍ତୀ ସହୋଦର ରୂପେ କବି ଗଂଗାଧର ପ୍ରତିଭାତ ହେବେ ଏବଂ ଏହା ହିଁ ଗଂଗାଧରଙ୍କର ସର୍ବୋତ୍କୃଷ୍ଠ କୀର୍ତୀ ଓ ସିଦ୍ଧି ରୂପେ ବିବେଚିତ ହେବ ।

 

ପୃଷ୍ଠ ଟୀକା :

୧.

ସାମନ୍ତରାୟ, ନଟବର-ଗଂଗାଧର ସାହିତ୍ୟ ସମୀକ୍ଷା, ଭୁବନେଶ୍ୱର, ୧୯୭୫, ପୃ ୩୬ ।

୨.

ମିଶ୍ର, ନରେନ୍ଦ୍ରନାଥ, ଆଧୁନିକ ଓଡ଼ିଆ କାବ୍ୟଧାରା (ନବଜାଗରଣ ଯୁଗ), ଶାଂତିନିକେତନ ୧୯୭୮, ପୃ. ୫୯ ।

୩ .

ଦାଶ, ଶିବପ୍ରସାଦ (ସଂ), ଗଂଗାଧର ପ୍ରତାବଳୀ, ପୃ. ୯୭ ।

୪ .

ଏଜନ-ତତ୍ରୈବ, ପୃ. ୩୪ ।

୫.

ଏଜନ-ତତ୍ରୈବ, ପୃ. ୨୦୯ ।

୬.

ଏଜନ-ତତ୍ରୈବ, ପୃ. ୯୩, ୧୩୪ ।

୭.

ଏଜନ-ତତ୍ରୈବ, ପୃ. ୨୦୯ ।

୮.

ଅର୍ଘ୍ୟଥାଳୀ ସଂକଳନ ଅଂତର୍ଗତ ଉଦ୍‌ବୋଧନ, ମାତୃଭୂମି, ଭାରତୀ ଭାବନା, ତାରାସୂର୍ଯ୍ୟ, ମହାଂଧକାର ଏବଂ କୃଷକ-ସଂଗୀତ ସଂକଳନସ୍ଥ ବିଭିନ୍ନ କବିତା ଦ୍ରଷ୍ଟବ୍ୟ ।

୯.

ଦାଶ, ଶିବପ୍ରସାଦ ( ସଂ ) ଗଂଗାଧର ପତ୍ରାବଳୀ, ପୃ. ୧ ।

୧୦.

ଅର୍ଘଥାଳୀର ମୁଖବନ୍ଧ ସମେତ ମହିମା ଓ ବସଂତବାସର ଆଦି କବିତା ଦ୍ରଷ୍ଟବ୍ୟ ।

 

ସହାୟକ ଗ୍ରନ୍ଥସୂଚୀ :

ଦାଶ, ଶିବପ୍ରସାଦ (ସଂ.)-ଗଂଗାଧର ପତ୍ରାବଳୀ ।

ଦାସ, ଚିତ୍ତରଂଜନ-ଓଡ଼ିଆ ସାହିତ୍ୟର ସାଂସ୍କୃତିକ ବିକାଶଧାରା, ଭୁବନେଶ୍ୱର, ୧୯୮୧ ।

ମାନସିଂହ, ମାୟାଧର, କବି ଓ କବିତା, କଟକ, ୧୯୪୮ ।

ମିଶ୍ର, ନରେନ୍ଦ୍ରନାଥ, ଆଧୁନିକ ଓଡ଼ିଆ କାବ୍ୟଧାରା (ନବଜାଗରଣ ଯୁଗ), ଶାନ୍ତିନିକେତନ, ୧୯୭୮ ।

ସାମନ୍ତରାୟ, ନଟବର, ଗଙ୍ଗାଧର ସାହିତ୍ୟ ସମୀକ୍ଷା, ଭୁବନେଶ୍ୱର, ୧୯୭୫ ।

 

 

ଶିକ୍ଷାକର୍ମୀ

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ

ପାରଳାଖେମୁଣ୍ଡି, ଓଡ଼ିଶା-୭୬୧୨୦୦

 

***

 

ଗଙ୍ଗାଧର ପ୍ରସଙ୍ଗ

ମିହିର କୁମାର ମେହେର

 

ଆଜି ସେ ମରିଯାଇ ମଧ୍ୟ ଜୀଇଁ ରହିଛନ୍ତି ଓଡ଼ିଆର ହୃଦୟରେ । ୧୫୦ବର୍ଷ ତଳେ ଯେଉଁ ମହାନ୍‌ଆତ୍ମାଙ୍କର ଆବିର୍ଭାବ ହୋଇଥିଲା ଅବିଭକ୍ତ ସମ୍ବଲପୁର ଜିଲ୍ଲା ବର୍ତ୍ତମାନର ବରଗଡ଼ ଜିଲ୍ଲା ବରପାଲି ଗ୍ରାମରେ ପିତା ଚୈତନ୍ୟଙ୍କ ଔରସରୁ ଏବଂ ମାତା ସେବତୀଙ୍କ ଗର୍ଭରୁ ସେ ହେଉଛନ୍ତି ଅମର କବି ଗଙ୍ଗାଧର ମେହେର । ଶ୍ରାବଣ ପୂର୍ଣ୍ଣିମାର ଶ୍ରାବଣ ଧାରାକୁ ନେଇ ଜନ୍ମ ହୋଇଥିଲେ ବୋଲି ପିତା ନାଁ ଦେଇଥିଲେ ଗଙ୍ଗାଧର । ତାଙ୍କର ତିରୋଧାନ ହୋଇଥିଲା ଚୈତ୍ର ଅମାବାସ୍ୟାର ଅମା ଅନ୍ଧକାରରେ । ଏହା ହିଁ ତାଙ୍କ ଜୀବନର ବୈଶିଷ୍ଟ୍ୟ । ସେ ଥିଲେ ସ୍ୱଭାବତଃ କବି । ସ୍ୱଭାବ କବି । ପ୍ରକୃତି ଚିତ୍ରଣରେ ସେ ସିଦ୍ଧହସ୍ତ । ସେ ଥିଲେ ପ୍ରକୃତି କବି ।

 

ଏଭଳି ମହାନ୍‌ ସାହିତ୍ୟ ସ୍ରଷ୍ଟାଙ୍କ ଜୀବନ ସମ୍ପର୍କରେ ଅନେକ ଲେଖକ ଅନେକ ପୁସ୍ତକ ଓ ପ୍ରବନ୍ଧମାନ ରଚନା କରିଛନ୍ତି । ତାଙ୍କ ଜୀବନାଦର୍ଶ, କବିତ୍ୱ ଓ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଉପରେ ଆଲୋଚନା କରନ୍ତି । ସଭାସମିତିରେ ଅନେକ ତଥ୍ୟ ଉପସ୍ଥାପନା କରି ଶୁଆଘୋଷାର ପୁନାରାବୃତ୍ତି ହିଁ କରିଥାନ୍ତି । ତେବେ କବିଙ୍କୁ ଅତି ନିକଟରୁ ଦେଖିଥିବା ଜାଣିଥିବା ତାଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ହେଉଛନ୍ତି କବିପୁତ୍ର ଭଗବାନ ମେହେର । ଯିଏ କି ମୋର ପୂଜ୍ୟାସ୍ପଦ ପିତାମହ ଯାହାଙ୍କର ଅନବଦ୍ୟ ସୃଷ୍ଟିହେଉଛି ପିତୃପ୍ରସଙ୍ଗ । ଯାହା ୧୯୭୭ ମସିହାରେ ତାଙ୍କର ଦେହାବସାନ ପରେ ପ୍ରକାଶିତ ହୋଇଥିଲା । ପାଣ୍ଡୁଲିପି ପ୍ରସ୍ତୁତି ସମୟରେ ପିତା ବିନୋଦ ଚନ୍ଦ୍ର ମେହେରଙ୍କ ଉତ୍ସାହ ଦେଖିଛି । ତା’ର ପ୍ରକାଶନ ପାଇଁ ବାରମ୍ବାର କଟକ ଯାଇ ଓଡ଼ିଶା ବୁକ୍‌ଷ୍ଟୋରର ତତ୍ତ୍ୱାବଧାରକ ଗୋବିନ୍ଦ ପାତ୍ରଙ୍କୁ ଭେଟିବା ଛପା ସମୟରେ ପ୍ରୁଫ୍‌ଦେଖା ଆଦି ଅବିସ୍ମରଣୀୟ । ବୋଧେ ସେହି ସମୟରୁ ହିଁ ମୁଁ କବିଙ୍କର ବଂଶ ତଥା ଜାତି ଇତିହାସ ତଥା ତାଙ୍କର କାବ୍ୟ-ଜୀବନୀ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲି ।

 

ଅନେକେ କବିଙ୍କୁ ଦରିଦ୍ର ତଥା ତନ୍ତୀ ପରିବାରରେ ଜନ୍ମଲାଭ କରିଥିବା କଥା କହିଥିବା ଦେଖାଯାଇଛି । ସେଭଳି ତାଙ୍କ ଜୀବନର ଅନେକ ଭୁଲ ତଥ୍ୟ ପରିବେଷଣ କରାଯାଇଛି । ଏଭଳି ଅନେକ କଥା ପାଠକଙ୍କ ଗୋଚରାର୍ଥେ ତଥ୍ୟ ପ୍ରଦାନ କରାଯାଉଛି ଯାହା କବିପୁତ୍ରଙ୍କର ପିତୃପ୍ରସଙ୍ଗକୁ ଭିତ୍ତିକରି ।

 

      କିମ୍ବଦନ୍ତୀ ଅଛି, ‘ଦେବାଙ୍ଗ’ ନାମଧାରୀ ଜାତିଙ୍କ ଆଦିମ ନିବାସ ଦିଲ୍ଲୀ ଅଟେ । ସମ୍ରାଟ୍‌ ପୃଥ୍ୱୀରାଜଙ୍କ ରାଜତ୍ୱ ସମୟରେ ମୋଗଲ ଆକ୍ରମଣ କରିବାରୁ ଏମାନେ ଦିଲ୍ଲୀରୁ ପଳାଇ ଆସି ରାଜସ୍ଥାନ ଅନ୍ତର୍ଗତ ଐତିହାସିକ ଗଡ଼ସମ୍ବର ରାଜ୍ୟରେ ବସବାସ କଲେ । ପୁନଶ୍ଚ ମୋଗଲ ଆକ୍ରମଣ ପାଇଁ କେତେକ ଦେବାଙ୍ଗ ( ବସ୍ତ୍ରବୟନକାରୀ ) ପରିବାର ରାୟପୁର ଅନ୍ତର୍ଗତ ଧମତରୀ ଧମସାକୁ ପଳାଇ ଆସି ଶାନ୍ତିପୂର୍ଣ୍ଣ ଭାବେ ଅଦ୍ୟାବଧି ବାସ କରୁଥିବା ଜଣାଯାଏ ।

 

କଥିତ ଅଛି ପାଟଣା ରାଜସିଂହାସନର ପ୍ରଥମ ଚୌହାଣ୍‌ ରାଜା ରମାଇଦେବଙ୍କ ଦ୍ୱାରା କେତେକ ପରିବାର ଆନୀତ ହୋଇ ପ୍ରଥମେ ପାଟଣା ଗଡ଼ରେ ବସବାସ କଲେ । ବଂଶବୃଦ୍ଧି ହେବାରୁ ସମ୍ବଲପୁର, ସୋନପୁର, ବଉଦ ଆଦି ଅଞ୍ଚଳକୁ ବିସ୍ତାରିତ ହେଲେ ।

 

ଆଉ ମଧ୍ୟ କଥିତ ଅଛି ଗଡ଼ସମ୍ବର ରାଜ୍ୟ ଅଧିପତି ହୁମେରୁ ବା ହମିର ଦେଓ ମଧ୍ୟ ମୋଗଲ ଆକ୍ରମଣର ସମ୍ମୁଖୀନ ହୋଇ ସ୍ୱକୀୟ ପରିବାରବର୍ଗଙ୍କ ପ୍ରାଣରକ୍ଷା ପାଇଁ ଉକ୍ତ ଧମସା ଧମତରୀକୁ ଆସିଥିଲେ । ହମିର ଦେଓଙ୍କ କନିଷ୍ଠ ରାଣୀ ଆଶାବତୀ ଗର୍ଭବତୀ ଅବସ୍ଥାରେ ଭାବୀବଂଶଧର ରକ୍ଷା ଆଶାରେ ବୋଡ଼ାସମ୍ବରର ଘନ ବନାନୀ ମଧ୍ୟରେ ତାଙ୍କର ଅନୁଚର ବର୍ଗଙ୍କ ସହ ପ୍ରବେଶ କରିବା ବେଳେ ରାଜବୋଡ଼ାସମ୍ବର ଅଧିପତି ରାଣୀ ଆଶାବତୀଙ୍କୁ ପାରିଧି କରୁଥିବାବେଳେ ଭେଟି ତାଙ୍କୁ ନିଜର କନ୍ୟା ରୂପେ ଗ୍ରହଣ କରି ସ୍ୱଗୃହକୁ ନେଇଯାଇଥିଲେ । ରାଣୀ ଆଶାବତୀଙ୍କ ଗର୍ଭରୁ ଯେଉଁ ପୁତ୍ରସନ୍ତାନ ଜାତ ହେଲା, ପରବର୍ତ୍ତୀକାଳରେ ସେ ‘ରମାଇଦେବ’ ନାମ ଧାରଣ କରି ପାଟଣା ରାଜ୍ୟର ପ୍ରଥମ ଅଧିଶ୍ୱର ହୋଇ ରହିଲେ । ରାଣୀ ଆଶାବତୀଙ୍କ ସହିତ ଆସିଥିବା ଅନୁଚରବର୍ଗଙ୍କ ମଧ୍ୟରୁ ‘ହୁଲ୍‌’ ବଂଶୀୟ କେତେକ ବ୍ୟକ୍ତିଥିବାରୁ ବର୍ତ୍ତମାନ ଏମାନେ ‘ହୋଲିଆ’ ବା ‘ହଲିଆ’ ଏବଂ ସେଥିରୁ କାଳକ୍ରମେ ‘ଭୁଲିଆ’ ହୋଇଛନ୍ତି । ଏହି ‘ହୋଲିଆ’ମାନଙ୍କ ବସ୍ତ୍ରବୟନର ଉନ୍ନତ କୌଶଳ ଦେଖି ତତ୍କାଳୀନ ମୁସଲମାନମାନଙ୍କ ଅଧିପତି ସେମାନଙ୍କୁ ‘ମେହେର’ ଉପାଧି ଦେଇଥିଲେ । ଭୁଲିଆମାନଙ୍କର କୌଳିକ ବୃତ୍ତି ହେଉଛି ବସ୍ତ୍ରବୟନ-। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେଉଁ ତନ୍ତୀ ଜାତିର ଲୋକ ଅଛନ୍ତି, ଭୁଲିଆମାନେ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥକ । ସମ୍ବଲପୁର ଅଞ୍ଚଳରେ ବସ୍ତ୍ରବୟନକାରୀ ମଧ୍ୟରେ ଭୁଲିଆ, କୋଷ୍ଟା, କୁଲି, ଗଣ୍ଡା (ହରିଜନ) ଆଦି ଅନ୍ତର୍ଭୁକ୍ତ । ଏହି ଚାରୋଟି ଗୋଷ୍ଠୀ ମଧ୍ୟରୁ ପ୍ରଥମୋକ୍ତ ଦୁଇଟି ଗୋଷ୍ଠୀ ସରକାରଙ୍କ ଦ୍ୱାରା ଅନୁନ୍ନତ ଶ୍ରେଣୀ (Backward class) ତୃତୀୟ ଗୋଷ୍ଠୀ ବର୍ତ୍ତମାନ ଆଦିବାସୀ ସମ୍ପ୍ରଦାୟ (Schedule Tribe) ଏବଂ ଶେଷୋକ୍ତ ଗୋଷ୍ଠୀ ତଫସିଲଭୁକ୍ତ ଜାତି (Schedule caste) କବିଙ୍କ ବଂଶଧର ଭୁଲିଆମାନେ ଆଜକୁ ଚାରିଶତ ବର୍ଷ ହେଲା ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ବସବାସ କରି ଆସୁଛନ୍ତି ।

 

ଦ୍ୱିତୀୟତଃ କବିଙ୍କ ଦରିଦ୍ରତା ସମ୍ପର୍କରେ ତର୍ଜମା କଲେ ଯାହା ଜଣାପଡ଼େ । ସେ ଧନୀକ ଶ୍ରେଣୀର ନ ହେଲେ ହେଁ ଗରିବ ମଧ୍ୟ ନଥିଲେ । ଅନେକ ତପସ୍ୱିନୀର କାବ୍ୟାଂଶ ଉଦ୍ଧାର କରିଛନ୍ତି,

 

‘ଦରିଦ୍ର ପଙ୍କ-ପୂର୍ଣ୍ଣ-ମୋ ଜୀବନସର,

ଜଂଜାଳ-ଜଳଦ-ଜଳେ-ଆବିଳ ଉଦର ।’

 

ଯାହା ଅନୁମାନ କରାଯାଏ, କବି ନିଜର ଦାରିଦ୍ରତାକୁ ଏଭଳି ଭାବେ ଚିତ୍ରଣ କରି ନାହାନ୍ତି ବରଂ ଜ୍ଞାନ ଦେବୀଙ୍କ ଉପାସକ ହିସାବରେ ସେ ଜ୍ଞାନରୂପକ ସାଗରରେ ନିଜକୁ ସାମାନ୍ୟ ଅତି ସାଧାରଣ ଭାବୁଥିବା ଅସ୍ୱାଭାବିକ ନୁହେଁ । ତତ୍‌କାଳୀନ ବିଶିଷ୍ଟ ସାହିତ୍ୟିକମାନଙ୍କ ଭଳି ତାଙ୍କର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନଥିଲା । କିନ୍ତୁ ଏହା ସତ୍ୟ ସେ ଥିଲେ ମିତବ୍ୟୟୀ । ଯାହା ଅର୍ଜନ କରୁଥିଲେ ସେତିକିରେ ସେ ସନ୍ତୁଷ୍ଟ ରହୁଥିଲେ । ପରିବାର ପୋଷଣ ପାଇଁ ଜୀବନଦଶାରେ କାହାରି ଦ୍ୱାରସ୍ଥ ହୋଇ ନାହାନ୍ତି । ଦୀନତାକୁ ଶ୍ରେୟ ମଣୁଥିଲେ । ମନରେ ହୀନମନ୍ୟତା ତାଙ୍କର ନଥିଲା । ପକ୍ଷାନ୍ତରେ ପଡ଼ୋଶୀଙ୍କ ପ୍ରତି ସର୍ବଦା ସହାନୁଭୂତିଶୀଳ ହେବା ସଙ୍ଗେ ସଙ୍ଗେ ତାଙ୍କର ହିତ ସାଧନାରେ ସେ ବ୍ରତୀ ଥିଲେ । ୧୮୯୩ ଓ ୧୮୯୯ ସାଲରେ ଦୁର୍ଭିକ୍ଷ ପଡ଼ିଥିବା ସମୟରେ ଗୋଟିଏ ଦୁଇଟି ପରିବାରକୁ ନିଜ ପାଖରେ ଆଶ୍ରୟ ଦେଇ ତାଙ୍କର ଖାଦ୍ୟପେୟାଦିର ବ୍ୟବସ୍ଥା କରିଥିଲେ । ଆର୍ଥିକ ଉନ୍ନତି ଅପେକ୍ଷା ଜ୍ଞାନର ଉନ୍ନତିକୁ ସେ ସର୍ବଦା ଶ୍ରେୟସ୍କର ମଣୁଥିଲେ । ଧନ ଅପେକ୍ଷା ସୌଜନ୍ୟ ଓ ସାଧୁତାକୁ ଉଚ୍ଚ ଦୃଷ୍ଟିରେ ଦେଖୁଥିଲେ । ସେଥିଲେ ଅତି ନମ୍ର ଓ ବିନୟୀ । ସାଂସାରିକ ଆଚରଣ ବ୍ୟବହାରରେ ସଂଯତ ରହୁଥିଲେ । ବହୁ ଗଣ୍ୟମାନ୍ୟ ପଦସ୍ଥ ଗୁଣଗ୍ରାହୀ ବ୍ୟକ୍ତି ତାଙ୍କ ପ୍ରତି ଆକୃଷ୍ଟ ହେଉଥିଲେ । ତାଙ୍କର କବି ପ୍ରତିଭା ସେମାନଙ୍କୁ ମୁଗ୍‌ଧ କରୁଥିଲା । ତାଙ୍କର ନମ୍ର ଓ ମଧୁର ବ୍ୟବହାର ତାଙ୍କୁ ବେଶ୍‌ ଲୋକପ୍ରିୟ କରିଥିଲା ।

 

କବିଙ୍କ ପ୍ରତିଭା ତଥା ବିନୟ ସାଧୁତା ଗୁଣ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଦୂରବସ୍ଥା ପ୍ରତି ସହାନୁଭୂତିଶୀଳ ହୋଇ ଓଡ଼ିଶାର ଅନେକ ଗଣ୍ୟମାନ୍ୟ ରାଜା ମହାରାଜା ତଥା ବାମଣ୍ଡା-ଧିପତି ସଚ୍ଚିଦାନନ୍ଦ, ତ୍ରିଭୁବନଦେବ, କଳାହାଣ୍ଡି ମହାରାଜା ବ୍ରଜମୋହନଦେବ, ସୋନପୁର ମହାରାଜା ମିତ୍ରୋଦୟ ସିଂଦେବ, ଟିକିଲି ଯୁବରାଜ ଲକ୍ଷ୍ମୀନାରାୟଣ ଦେବ, ଲରମ୍ଭାର ବ୍ରଜମୋହନ ପଣ୍ଡା ଆଦି ସାହିତ୍ୟପ୍ରେମୀ ତାଙ୍କୁ ନିକଟରେ ସସମ୍ମାନେ ରଖିବାପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଇଚ୍ଛାପ୍ରକଟ କରିବା ସତ୍ତ୍ୱେ ତାଙ୍କର ଆନ୍ତରିକ ଅଭିରୁଚିର ଅନୁକୂଳ ହୋଇପାରି ନଥିଲା । ରାଜାଶ୍ରୟରେ ବୃତ୍ତିଭୋଗୀ ରହି ଆଶ୍ରୟଦାତାର ଆନୁଗତ୍ୟ ସ୍ୱୀକାର କରିବା ଅବଶ୍ୟମ୍ଭାବି ଭାବି ସେଥିରୁ ନିବୃତ୍ତ ହୋଇଥିଲେ । ଶାନ୍ତିରେ ନିଜ ଜନ୍ମସ୍ଥାନରେ ଜୀବନଯାପନ ଅତିବାହିତ କରିବା ଥିଲା ତାଙ୍କ ଜୀବନର ଲକ୍ଷ୍ୟ । କିନ୍ତୁ ହାୟ, ଶେଷ ଜୀବନ ତାଙ୍କର ନୈରାଶ୍ୟମୟ ।

 

ତାଙ୍କର ଦ୍ୱିତୀୟା ପତ୍ନୀ ଥରେ ତାଙ୍କ ଘରର ଅସୁବିଧା କଥା ଦର୍ଶାଇ ମନଦୁଃଖରେ ଆଉ କେତେଦିନ ଏଭଳି ଟଙ୍କା ପଇସା ଅଭାବରେ ଦିନ କାଟିବ, ହାତରେ ପଇସାଟିଏ ରହିପାରୁ ନଥିବା କଥା କହିବାରେ ସେ ହସି ହସି କହିଥିଲେ, ସାଧାରଣ ଭାବରେ ଖାଇବାପିଇବା ଆଉ ପିନ୍ଧିବାତ ଆମ୍ଭର ଚଳିଯାଇଛି । ଅଧିକ ଧନର ଆବଶ୍ୟକ କ’ଣ ? ଅଧିକ ଧନ ଆସିଲେ ଅଧିକ ଚିନ୍ତା ବଢ଼ିବ-। ଜମା ରଖିବାକୁ ଟଙ୍କା ନାହିଁ ବୋଲି ଦୁଃଖ କରୁଛ କାହିଁକି ? ଭାବିନେଉ ନାହଁ କାହିଁକି ବରଗଡ଼ ଟ୍ରେଜେରୀଟା ଆମର ବୋଲି । କବିଥିଲେ ଗଭୀର ପ୍ରକୃତିର । ସେ ଯେ କୌତୁକିଆ କଥା କହିପାରନ୍ତି, ତାହା ଜଣେ ଶୁଣିଲାପରେ ଯାଇ ଅନୁଭବ କରିବ । ଜଣେ କେହି ପଚାରିଥିଲେ ‘ଆମ୍ବଭଲ କି ଆମ୍ବୁଲ ଭଲ ? ଉତ୍ତର ନ ଦେଇ ପାଲଟା ପ୍ରଶ୍ନ କରିଥିଲେ- ମାଛ ଭଲ କି ଶୁଖୁଆ ଭଲ ?

 

କବି ଗଙ୍ଗାଧର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ସମୟରେ ବରଗଡ଼ କଚେରୀରେ ଅନେକ ପରିଚିତ ବ୍ୟକ୍ତି କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ ବାଲୁକେଶ୍ୱର ମିଶ୍ର ଓ ବାଞ୍ଛାବଟ ମିଶ୍ର ଆଦି ଅନ୍ୟତମ । ବରଗଡ଼ ହାଇସ୍କୁଲର ଶିକ୍ଷକମାନଙ୍କ ସହିତ ତାଙ୍କର ବେଶ୍‌ ପରିଚୟ ମଧ୍ୟ ଥିଲା । ଦୀର୍ଘ ବର୍ଷର ଚାକିରୀ କାଳ ମଧ୍ୟରେ କୋର୍ଟ କଚେରୀ ସମ୍ପର୍କରେ ସେ ଅନଭିଜ୍ଞ ନଥିଲେ । ଏହା ସତ୍ତ୍ୱେ ତାଙ୍କୁ ଅତି ନିରୀହ ଓ ଅସହାୟ ଭାବରେ ଖଜଣା ଖାନାର ଜନୈକ ଚପରାଶୀ ବୁଟ୍‌ଦ୍ୱାରା ଠେଲି ଉଠାଇବାର ଚିତ୍ର ଯାହା ଅତୀତରେ ପ୍ରଦାନ କରାଯାଇଛି । ତାହା ନିତାନ୍ତ ଅମୂଳକ ଓ ଏହା ଆତ୍ମଶ୍ଳାଘା ପ୍ରଦର୍ଶନର ନିଦର୍ଶନ ବୋଲି କହିବାକୁ ହେବ ।

 

ତାଙ୍କର ବିଭିନ୍ନ କାବ୍ୟକବିତାରେ ସଂସ୍କାର ଧର୍ମୀ ମନୋଭାବ ପ୍ରତିଫଳିତ ହୋଇଛି । ଚାକିରୀ ଅବସର ପରେ ନିଜ ଗାଁ ବରପାଲିରେ ଅବସ୍ଥାନ କରୁଥିବା ସମୟରେ ଅନୀତି ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ନ୍ୟାୟନୀତିର ପ୍ରତିଷ୍ଠା ପାଇଁ ସାଧୁ ସମିତି ଗଠନ କରିଥିଲେ । ଫଳତଃ ତାଙ୍କର ନିରୀହତା ଓ ସରଳତା ପାଇଁ ସେ ଅପମାନିତ ଲଞ୍ଛିତ ହେବା ସତ୍ତ୍ୱେ ନିଜ ନୀତିରେ ଥିଲେ ଅଟଳ ଅବିଚଳିତ ।

 

କବି କାହାରିକୁ ବିପଦଗ୍ରସ୍ତ ଥିବା ଦେଖିଲେ ଯଥାସାଧ୍ୟ ସାହାଯ୍ୟ କରୁଥିଲେ । ରେମଣ୍ଡା ନିବାସୀ ଜନୈକ ବନ୍ଧୁ ସମ୍ବଲପୁର ଖଜଣାଖାନାରୁ କିଛି ଟଙ୍କା ପାଇବା ପାଇଁ ଜାମିନ ଆବଶ୍ୟକ ହେବାରୁ ଏବଂ ସମ୍ବଲପୁରରେ କୌଣସି ଚିହ୍ନା ବ୍ୟକ୍ତି ନ ଥିବାରୁ ନାଜିରଙ୍କ ଆପତ୍ତି କ୍ରମେ କବି ବରପାଲିସ୍ଥିତ ନିଜର ଜମିବାଡ଼ି ଉଲ୍ଲେଖ କରି ଜାମିନ୍‌ ହୋଇଥିଲେ ।

 

ସେ ଶାନ୍ତ ଓ ନୀରଭିମାନ ଥିଲେ । ଦୟା, କ୍ଷମା ଓ ଉଦାରତା ତାଙ୍କ ହୃଦୟରେ ଭରି ରହିଥିଲା । କେହି ଅସମ୍ମାନଜନକ ବ୍ୟବହାର କଲେ ସେ କ୍ଷୁବ୍‌ଧ ହେଲେ ମଧ୍ୟ ନିରବ ରହିବା ଉଚିତ ମନେ କରୁଥିଲେ ସେ ଥିଲେ ମିଷ୍ଟଭାଷୀ । ଉଚ୍ଚସ୍ୱରରେ କଥାବାର୍ତ୍ତା କରିବାକୁ ପସନ୍ଦ କରୁ ନଥିଲେ । ସଭାସମିତିରେ ଆବଶ୍ୟକ ହେଲେ ସାରକଥା ଅତି ସଂକ୍ଷେପରେ କହି ଭାଷଣ ସମାପ୍ତ କରୁଥିଲେ । ସେ ନିର୍ଭୀକତା ସାହାସୀ ଥାଇଁ ଘୋର ବିପଦବେଳେ ମଧ୍ୟ ଅଧୀର ହେଉ ନଥିଲେ । ଜୀବନର ଘାତ ପ୍ରତିଘାତ ମଧ୍ୟରେ ଦୁଃଖ ଓ ପୀଡ଼ାରେ ମର୍ମାହତ ହେଲେ ହେଁ ଅଧୈର୍ଯ୍ୟ ହେଉ ନଥିଲେ ।

 

୧୯୧୮ ସାଇ ଡିସେମ୍ବର ମାସରେ କଟକ ଉତ୍କଳ ସମ୍ମିଳନୀରେ ଅଧିବେଶନରେ ଯୋଗଦେବା ପାଇଁ କବି ନିମନ୍ତ୍ରିତ ହୋଇଥିଲେ । କଟକଠାରେ ଉତ୍କଳ ସାହିତ୍ୟ ପ୍ରେସରେ ବାବୁ ବିଶ୍ୱନାଥ କର ତାଙ୍କର ରହିବାର ସୁବନ୍ଦୋବସ୍ତ କରି ଦେଇଥିଲେ । ତାଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ଓ ଘନିଷ୍ଠତା ଏଥିରୁ ଅନୁମେୟ । ତାଙ୍କରି ପ୍ରେସ୍‌ରେ କବିଙ୍କ ପ୍ରଣୀତ କିଛି ପୁସ୍ତକ ମୁଦ୍ରିତ ହୋଇ ବିକ୍ରିପାଇଁ ଗଚ୍ଛିତ ଥିଲା ।

 

ସମ୍ମିଳନୀ ଶେଷରେ କବିଙ୍କ ଆଗମନବାର୍ତ୍ତା ପାଇଁ କଟକ ରେଭେନ୍‌ସା କଲେଜର ଛାତ୍ରମାନେ ଅତି ଆଗ୍ରହ ସହକାରେ କବିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ଏକ ସଭାର ଆୟୋଜନ କରିଥିଲେ । କୁଳବୃଦ୍ଧ ମଧୁସୂଦନ ଦାସ ଏହି ସଭାରେ ସଭାପତିତ୍ୱ କରି କବିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ତାଙ୍କର ପରିଚୟ ପୂର୍ବରୁ ପାଇସାରିଥିଲେ ଏବଂ କବିଙ୍କ ରଚିତ ‘କୀଚକବଧ’ କାବ୍ୟର ପ୍ରକାଶନ ଭାର ବହନ କରିଥିଲେ । କବି ସମ୍ବର୍ଦ୍ଧନାର ଉତ୍ତର ଅତି ବିନୀତଭାବେ ପ୍ରକାଶ କରି କହିଥିଲେ ଏହା ମୋ ପକ୍ଷରେ ଏକ ଗୁଣାତୀତ ସମ୍ମାନ ବୋଇଲେ ଅତ୍ୟୁକ୍ତି ହେବନାହିଁ । ଈଶ୍ୱର ମତେ ଯେଉଁ ସାମାନ୍ୟ ଶକ୍ତି ପ୍ରଦାନ କରିଛନ୍ତି ତାହା ମୋ ଜୀବନରେ ଏକମାତ୍ର ସମ୍ବଳ । ତାହା ଯଦି ଦେଶବାସୀଙ୍କ ଉପକାର ସାଧନ କରିଥିବ ତାହା ମୋର ପରମ ସୌଭାଗ୍ୟ ବୋଲିବାକୁ ହେବ-। ଏହି ମର୍ମରେ ସଂକ୍ଷିପ୍ତ ଭାଷଣ ଦେଇ ତାଙ୍କୁ ଦିଆଯାଇଥିବା ପୁଷ୍ପମାଲ୍ୟ ହସ୍ତରେ ଧରି କହିଥିଲେ-। ଏହା ମୋର ଅନ୍ତିମ ଜୀବନର ସହଯାତ୍ରୀ ରୂପେ ରହିଲା । ବାସ୍ତବରେ ସେଇ ‘ଫୁଲହାର’ଟି ଏବେ ବି ଆମ ବାସଗୃହରେ ସଯତ୍ନେ ସାଇତା ହୋଇ ରଖାଯାଇଛି ।

 

ଆଜି ଏହା ହିଁ ତାଙ୍କ ପ୍ରତି ଆମର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ତାଙ୍କରି ଭାଷାରେ :-

 

କି ଦେଇ ପୂଜିବି ଯାହା ମୁଁ ଦେଖୁଛି

ସବୁ ତୁମରି ପ୍ରସାଦ

ଯାହା ପରସାଦ ତାଙ୍କୁ ଅରପିଲେ

ହେବ ସିନା ଅପରାଧ !

 

 

ଜିଏ, ୧୦୧ ନିଳାଦ୍ରୀବିହାର

ଭୁବନେଶ୍ୱର - ୨୧

 

***

 

ଗଙ୍ଗାଧାର ଗଙ୍ଗାଧର !

ଅଧ୍ୟାପକ ପାର୍ଥସାରଥି ଅଜୟ ବାରିକ୍‌

 

ସ୍ୱର୍ଗପୁରରେ ଥରେ ଏକ ସଙ୍ଗୀତ ଆସର ଚାଲିଥାଏ । ରମ୍ଭା, ମେନକା, ଉର୍ବଶୀ ପ୍ରଭୃତି ଅପସରାମାନଙ୍କର ନୃତ୍ୟ ଓ ସଙ୍ଗୀତରେ ଗଗନ ପବନ ହେଉଥାଏ ପ୍ରକମ୍ପିତ । ବୀଣା ବାଦନ କରୁଥାନ୍ତି ସ୍ୱଂୟ ଦେବର୍ଷୀ ନାରଦ । ତାଙ୍କର ଏ ଅପୂର୍ବ ବୀଣା ବାଦନରେ ସମଗ୍ର ବିଶ୍ୱ ହେଉଥାଏ ଚକିତ । ଦେବରାଜ ଇନ୍ଦ୍ର ତ ସ୍ତମ୍ଭୀଭୂତ । ଏହା କ’ଣ ସମ୍ଭବ ! ସମସ୍ତେ ନାରଦଙ୍କ ପ୍ରଶଂସାରେ ମୁଖରିତ । ଅଜ୍ଞାତସାରରେ ନାରଦଙ୍କ ମନରେ ଆସି ଆସ୍ଥାନ ଜମାଇଲା ଅହଙ୍କାର ଓ ଗର୍ବ । ସେ ଆଜି ନୃତ୍ୟ ଓ ଗୀତରେ ତ୍ରିପୁର ବିଜୟୀ । ଯେ ପ୍ରତି ମୁହୂର୍ତ୍ତରେ ନାରାୟଣଙ୍କ ନାମ ଜପରେ ପାଆନ୍ତି ଅମୃତ ଆନନ୍ଦ, ସେ ଭୁଲି ଯାଇଛନ୍ତି ସବୁ କିଛି ।

 

ହଠାତ୍‌ ନାରଦଙ୍କର ଗର୍ବର ହେଲା ଅବସାନ । ଦେହ ହେଲା ଅବଶ ଓ ଅଚଳ । ଖସି ପଡ଼ିଲା ହାତରୁ ବୀଣା । ଯିବାକୁ ଉଦ୍ୟତ ହୁଅନ୍ତେ, ପାର୍ଶ୍ୱରେ ଦେଖିଲେ ଭଙ୍ଗା ଗୋଡ଼ ଓ ହାତରେ ପଡ଼ି ରହିଛନ୍ତି ରାଗରାଗିଣୀମାନେ । କାରଣ ଖୋଜିବାକୁ ଯାଇ ନାରଦ ଜାଣି ପାରିଲେ, ଏସବୁ ପାଇଁ ଦାୟୀ ସେ ନିଜେ । ହଠାତ୍‌ କାହିଁକି ସେ ହେଲେ ସଙ୍ଗୀତ ବିଦ୍ୟାରେ ଅନଭିଜ୍ଞ ଓ ଅପାରଗ ? ପ୍ରଶ୍ନ ପରେ ପ୍ରଶ୍ନ ନିଜକୁ । ସେ ଯଦି ହେଲେ ଅନଭିଜ୍ଞ ତେବେ ଅଭିଜ୍ଞ କିଏ ? କାହାଠାରୁ ବା ଉତ୍ତର ପାଆନ୍ତେ ? ଚାଲିଲେ ତାଙ୍କ ଆରାଧ୍ୟ ଦେବତା ନାରାୟଣଙ୍କ ନିକଟକୁ ।

 

ସ୍ମିତ ହସି ବିଷ୍ଣୁ କହିଲେ, ‘ବତ୍ସ ନାରଦ ! ମୁଁ ଏହାର ଉତ୍ତର ଜାଣେ ନାହିଁ । ଚାଲ ଯିବା ମହାଦେବ ଶିବଙ୍କ ନିକଟକୁ ।’’ ସମସ୍ତେ ଯାଇ ପହଞ୍ଚିଲେ ଶିବଙ୍କ ପାଖରେ । ତାଙ୍କୁ ପ୍ରଶ୍ନ ପଚାରିବା ଆବଶ୍ୟକ ପଡ଼ିଲା ନାହିଁ । ଧ୍ୟାନ ମଗ୍ନ ଶିବ ଆଖି ଖୋଲିବା ମାତ୍ରେ ଦେଖିଲେ ପ୍ରଭୁ ବିଷ୍ଣୁଙ୍କୁ । ହଠାତ୍‌ ହେଲେ ଅବାକ୍‌ । ହାତରେ ଡମ୍ବରୁ ବାଜି ଉଠିଲା ଘନ ଘନ । ମହାଦେବ ଶିବ ଆରମ୍ଭ କଲେ ବିଷ୍ଣୁଙ୍କ ବନ୍ଦନା ପାଦ ଦେଶରୁ । ପ୍ରଥମ ବନ୍ଦନାରେ ବିଷ୍ଣୁଙ୍କର ପାଦ ଦି’ଟା ତରଳିଗଲା । ଦ୍ୱିତୀୟରେ କଟିଦେଶ । ତୃତୀୟରେ ଗ୍ରୀବା ଏବଂ ଶେଷରେ ମସ୍ତକ ସହ ସବୁ ତରଳି ଯାଇ ଜଳ ଆକାରରେ ବୋହିବାକୁ ଆରମ୍ଭ କଲେ ସ୍ୱୟଂ ବିଷ୍ଣୁ । ଭୋଳାନାଥ ଶିବ ଆଉ ନିଜକୁ ସ୍ଥିର କରି ପାରିଲେ ନାହିଁ । ସଙ୍ଗେ ସଙ୍ଗେ ଉକ୍ତ ଜଳରାଶିକୁ ତୋଳି ଆଣି ନିଜ ମସ୍ତକରେ ଧାରଣ କଲେ । ଶିବଙ୍କ ନାମ ହେଲା ଗଙ୍ଗାଧର । ନାରଦ ବୁଝି ପାରିଲେ ନାରାୟଣଙ୍କ ମନୋଭାବ ।

 

ଶିବ ଅର୍ଥ ମଙ୍ଗଳ । ସ୍ୱଭାବକବି ଗଙ୍ଗାଧରଙ୍କ ନାମରେ ଶିବ ଶବ୍ଦର ସାର୍ଥକତା ପ୍ରକାଶିତ ହୁଏ । ଏ ସଂସାରର ଅଶିବ ମଧ୍ୟରେ ଶିବ ହିଁ ତାଙ୍କର ସୃଷ୍ଟିର ପରିକଳ୍ପନା । ତାଙ୍କର ପ୍ରତ୍ୟେକଟି କାବ୍ୟରେ ରହିଛି ଆଦର୍ଶ ଭାବ । ଦୁଷ୍ଟକୁ ଶିଷ୍ଟ ଓ ଅଶିବକୁ ଶିବ କରିବାରେ ତାଙ୍କର ଥିଲା ଆପ୍ରାଣ ଉଦ୍ୟମ । ‘ଇନ୍ଦୁମତୀ’, ‘କୀଚକବଧ’, ‘ପଦ୍ମିନୀ’, ‘ତପସ୍ୱିନୀ’, ଓ ‘ପ୍ରଣୟ ବଲ୍ଲରୀ’ ଇତ୍ୟାଦି ଏକୁ ଆରେକ ବଳୀୟାର, ଯଦିଓ ତପସ୍ୱିନୀ ଦେଇଛି ତାଙ୍କୁ ଶ୍ରେଷ୍ଠ ଆସନ । ଯେମିତି ମହାଦେବ ଶିବ ଗୋଟିଏ ଅଙ୍ଗକୁ ତରଳାଇ ସମଗ୍ର ଶରୀରକୁ ତରଳାଇ ଦେଲେ, ଠିକ୍‌ ସେହିପରି ଗଙ୍ଗାଧରଙ୍କ କାବ୍ୟରାଜିର ଗୋଟିଏ ଗୋଟିଏ ପଦ କେବଳ କୋଟି କୋଟି ଜନତାଙ୍କୁ ନୁହେଁ ପାଷାଣକୁ ବି ତରଳାଇ ଦେବ-ଏ କଥା କହିବା ବାହୁଲ୍ୟ ମାତ୍ର । ପ୍ରକୃତରେ ଗଙ୍ଗାଧର ଥିଲେ ଗଙ୍ଗାଧାରାର ବାହକ । କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କ ଭାଷାରେ-

 

‘‘ଜନମ କୋଠାରେ ଷଠି ଦୁଉଛେଇ

କାଠି ଧରି ଦେଲେ ଗାର

ତେଣୁ ସିନା ତୁମେ ସ୍ୱଭାବ ସୁନ୍ଦର

କବି ହେଲେ ଗଙ୍ଗାଧର ।’’

 

ଉନବିଂଶ ଶତାବ୍ଦୀରେ ଯେଉଁ ଦୁଇଜଣ ବିଖ୍ୟାତ କବି ଓଡ଼ିଆ କାବ୍ୟ ସାହିତ୍ୟରେ ଆଧୁନିକ ଯୁଗର ପ୍ରବର୍ତ୍ତନ କରିଥିଲେ, ସେମାନେ ହେଲେ, ରାଧାନାଥ ରାୟ ଓ ସ୍ୱଭାବ କବି ଗଙ୍ଗାଧର ମେହେର ।

 

ରାଧାନଥ ରାୟ ବଙ୍ଗଳା ଭାଷାରେ କବିତା ଲେଖା ଆରମ୍ଭ କରିଥିଲେ, ମାତ୍ର ବଙ୍ଗ, ବିହାର ଓ ଓଡ଼ିଶାର ଶିକ୍ଷା ବିଭାଗର ତତ୍କାଳୀନ ଅଧିକାରୀ ଭୂଦେବ ମୂଖାର୍ଜୀଙ୍କ ଉପଦେଶ ଅନୁସାରେ କେବଳ ଓଡ଼ିଆ ଭାଷାରେ କବିତା ରଚନା କରିବାରେ ବ୍ରତୀ ହେଲେ । ରାଧାନାଥ ତାଙ୍କ ଅଧିକାଂଶ କବିତାର ବିଷୟବସ୍ତୁ ଓ ରୀତି ପାଶ୍ଚାତ୍ୟ ସାହିତ୍ୟ, ବଙ୍ଗଳା ସାହିତ୍ୟ ଓ ସଂସ୍କୃତ ସାହିତ୍ୟରୁ ଆହରଣ କରିଥିଲେ ହେଁ, ସେ ସବୁକୁ ଉତ୍କଳର ବାରି, ପବନ, ପରିସ୍ଥିତି ଓ ପ୍ରାକୃତିକ ବିଭବ ସହିତ ଏପରି ଭାବରେ ମିଶାଇ ଦେଇ କାବ୍ୟ ରଚନା କରିଛନ୍ତି ଯେ, ଅନେକ ସମୟରେ ସେଗୁଡ଼ିକ ତାଙ୍କର ନିଜର ପ୍ରତିଭାସୂତ ବୋଲି ମନେହୁଏ । ସାହିତ୍ୟ ଜଗତରେ ଆହରଣ ଓ ଗ୍ରହଣ ଦୋଷାବହ ନୁହେଁ । ସମସ୍ତ କବି ଅଳ୍ପେ ବହୁତେ ଏହିପରି ଆହରଣ ଓ ଗ୍ରହଣ କରିଥାଆନ୍ତି । ମାତ୍ର ଏହି ଆହରଣ ଓ ଗ୍ରହଣ ସହିତ ରାଧାନାଥ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ବିରୋଧି ଓ ଅଶାଳୀନ କେତେକ ବିଷୟବସ୍ତୁ ତାଙ୍କ କାବ୍ୟମାନଙ୍କରେ ସଂଯୋଜନ କରିଥିବାରୁ ସେ ଅନେକ ସମୟରେ ସମାଲୋଚିତ ହୋଇଥା’ନ୍ତି । ଏ ସମ୍ପର୍କରେ ପ୍ରଚଣ୍ଡ ପ୍ରତିଭାଧର ପଣ୍ଡିତ ନୀଳକଣ୍ଠ ଦାସଙ୍କ ମନ୍ତବ୍ୟ ଉଲ୍ଲେଖଯୋଗ୍ୟ । ସେ ତାଙ୍କ ‘‘କୋଣାର୍କେ’’ କାବ୍ୟରେ ଲେଖିଛନ୍ତି :

 

‘‘କବି ରାଧାନାଥ ଆସିବେ କିସେ

ଯଯାତି ବେଶେ ।

ରାଣୀ ସନେ ସେ କି ହସିବେ ବିଦ୍ୟା

ସୁନ୍ଦର ହାସେ ।।’’

 

ପୁନଶ୍ଚ :

 

‘‘କବିଙ୍କ କେଦାର ଗଉରୀ ଆସି

ଯବନ ଦେଶୁ ।

ନାଚି ଯିବେ ତପ ସ୍ୱପନେ ତିଳେ

ଅଭ୍ୟାସ ବଶୁ ।।’’

 

କିମ୍ବା :

 

‘‘ଘର ଛାଡ଼ି କିମ୍ପା ଯିବ ସେ

ବୀରବାଳା ନନ୍ଦିକା ।

ସହକାର ଦ୍ରୁମ ଗହଳେ ଭେଦି

କ୍ଷୀଣ ଚନ୍ଦ୍ରିକା ।’’

 

ଏବଂ ପରିଶେଷରେ :

 

‘‘କଉଶଲ୍ୟା ଗଙ୍ଗ ଧଉଳୀ ଏହି

ନୟନେ ନାଚେ ।

କବିଙ୍କି ସୁମରି ବିରାଗେ ମୁଖ

ଫେରାଅ ପଛେ ।’’

 

ଗଙ୍ଗାଧର ମେହେରଙ୍କ କବିତା ଏ ପ୍ରକାର ସମାଲୋଚନାର ବହୁ ଊର୍ଦ୍ଧ୍ୱରେ: କାରଣ ତାଙ୍କ କବିତାରେ ସଂସ୍କୃତି ଓ ପରମ୍ପରାର ବିରୋଧ କିମ୍ବା ଅଶାଳୀନ ବସ୍ତୁର ସଂଯୋଜନା ହୋଇନାହିଁ । ତାଙ୍କର ଅଭିନବ କଳ୍ପନା ଚାତୁରୀ ଓ ରଚନାର ମାଧୁରୀ କବିତ୍ୱର ସ୍ୱଚ୍ଛନ୍ଦ ଲୀଳା ବିଳାସ, ଚରିତ୍ର ଚିତ୍ରଣର ଗୌରବ ଓ ପ୍ରକୃତିର ରୂପ ବୈଭବ ପ୍ରଭୃତିର ଅଙ୍କନ-ନୈପୁଣ୍ୟ ଏବଂ ପ୍ରାଚୀନ ସାହିତ୍ୟର ଭାଷା, ଛନ୍ଦ, ଅଳଙ୍କାର ଆଦିର ଭିତ୍ତି ଉପରେ ନୂତନ ଯୁଗର ସରଳତା, ସରସତା, ପ୍ରାଞ୍ଜଳତା ଓ ଶୁଦ୍ଧତା ସମନ୍ୱିତ ସୁକୁମାର ରଚନାବଳୀ ସର୍ବାଙ୍ଗ ସୁନ୍ଦର ଓ ସର୍ବଜନାବୃତ । ଏହିସବୁ ବୈଶିଷ୍ଟ୍ୟ ଦୃଷ୍ଟିରୁ ଆମ୍ଭମାନଙ୍କ ମତରେ ଏହି ଦୁଇ କବିଙ୍କ ମଧ୍ୟରେ ଗଙ୍ଗାଧରଙ୍କ ସ୍ଥାନ ରାଧାନାଥଙ୍କ ଠାରୁ ବହୁ ଉଚ୍ଚରେ ।

 

ଗଙ୍ଗାଧରଙ୍କ ପ୍ରତ୍ୟେକଟି ଲେଖା ‘ତପସ୍ୱିନୀ’ ‘ପ୍ରଣବଲ୍ଲରୀ’ ‘କୀଚକବଧ’ ‘ଇନ୍ଦୁମତୀ’ ଏବଂ ଅନ୍ୟ ସମସ୍ତ କାବ୍ୟ ତାଙ୍କର ପ୍ରତିଭାର ସମୁଜ୍ଜ୍ୱଳ ସ୍ୱାକ୍ଷର ବହନ କରିଛି । ସେ ସବୁ ଉତ୍କଳୀୟ ସୁଧୀ ସମାଜରେ ଚିର ଆଦୃତ ହୋଇ ରହିବ ।

 

ତାଙ୍କର ପ୍ରତିଭାର ଅନ୍ୟ ଏକ ବୈଶିଷ୍ଟ୍ୟ ତାଙ୍କ ରଚିତ ‘ଅର୍ଘ୍ୟଥାଳୀ’ରେ ବିଶେଷ ଭାବରେ ପରିସ୍ଫୁଟ । ଉକ୍ତ ‘ଅର୍ଘ୍ୟଥାଳୀ’ ପୁସ୍ତକଟି କେତୋଟି କ୍ଷୁଦ୍ର କବିତାର ସମାବେଶ । ଅଧିକାଂଶ ଲେଖାର ଉଦ୍ଦେଶ୍ୟ ବୈପ୍ଳବିକ, ଗତାନୁଗତିକ ପନ୍ଥାରେ ଅନୁସୃତ । କୁସଂସ୍କାର ଓ ଅଯୁକ୍ତିକ ପଦ୍ଧତି ଓ ରୀତିନୀତି ପରିତ୍ୟାଗ କରି ଯୁକ୍ତିଯୁକ୍ତ ଓ ନୂତନ ପନ୍ଥା ଅବଲମ୍ବନ କରିବା ବାଞ୍ଛନୀୟ । ଏହି ଉପଦେଶ ସେ ‘ଅର୍ଘ୍ୟଥାଳୀ’ର ଅନେକ କବିତାରେ ଅତି ସରଳ, ସାବଲୀଳ ଓ ହୃଦୟଗ୍ରାହୀ ଭାବ ଓ ଭାଷାରେ ପ୍ରକଟିତ କରିଛନ୍ତି । ପ୍ରକୃତିର ସୁନ୍ଦର ଓ ସହଜ ଉଦାହରଣ ଦେଇ ସେ ଅନେକ ସତ୍ୟ ପ୍ରତିପାଦନ କରିଅଛନ୍ତି ଏବଂ କୁସଂସ୍କାର ପରିତ୍ୟାଗ କରିବାକୁ ଉଦ୍‌ବୋଧନ ଦେଇଛନ୍ତି । ଏଠାରେ ଅଳ୍ପ କେତୋଟି ଦୃଷ୍ଟାନ୍ତ ଦିଆଯାଇପାରେ ।

 

‘‘ନର ଓ ମୟୂର’’ ପଦ୍ୟରେ ସେ ମନୁଷ୍ୟ ହୃଦୟର କୃତ୍ରିମତା ପ୍ରତି ଆକ୍ଷେପ କରିଛନ୍ତି । ସେହି କୃତ୍ରିମତା ଓ ବୃଥାଗର୍ବ ମନୁଷ୍ୟକୁ ଯେ କେତେ ଅସତ୍‌ ପଥରେ ନିଏ ଏବଂ ଶେଷରେ ନାନା ଅସଦ୍‌ଗୁଣ ପ୍ରକଟିତ କରାଏ ତାହା କବିତାର ଶେଷ ଭାଗରେ ବର୍ଣ୍ଣିତ ହୋଇଛି । ନରପତିଙ୍କୁ ଲକ୍ଷ୍ୟ କରି ମୟୂରର ଉକ୍ତି-

 

‘‘ଭେକଟ ବିକଟ ରବେ, ନଥାଏ ମୋ କର୍ଣ୍ଣ

ନାଚୁଥାଏ ଉର୍ଦ୍ଧ୍ୱେ ଶୁଣି, ଜଳଦ ଗର୍ଜନ ।

ନୀଚର କୁବାଣୀ ସହି, ଉଚ୍ଚର ଭର୍ତ୍ସନା

ହିମେଣି କର କି ହେ, ଉଚ୍ଚର ଅର୍ଚ୍ଚନା ।

ଭୟଙ୍କର ବିଷଧର, କରେ ଗର୍ଭସାତ

ନାଶ କି ଜିଙ୍ଗାସା ହେଲେ, ତୁମ୍ଭ ହୃଦେ ଜାତ ।

ଇନ୍ଦ୍ରଧନୁ ଦରଶନେ, ବଢ଼େ ମୋ ଆନନ୍ଦ

ପର ଶିରୀ ହୁଅଇ କି, ତୁମ୍ଭ ପ୍ରୀତି ପଦ ।।

ପର୍ବତେ ମୋ ଯେଉଁ ସୁଖ, ସେ ସୁଖ ଭୂମିରେ

ସମସୁଖରେ ଥାଅ କିହେ, ପ୍ରାସାଦେ କୁଟୀରେ ।’’

 

ନିଜର ସ୍ୱାଭାବିକ ଧର୍ମ ଓ ସରଳତା ପରତ୍ୟାଗ ନକରି ହୃଦୟରେ ଗର୍ବଭାବ ନ ଧରି ଚଳିଲେ ସଂସାରେ ଅନେକ ଉପକାର କରିପାରିବେ । ମାତ୍ର ଅଯଥା ଗର୍ବ ଓ କୃତ୍ରିମତା ପ୍ରକାଶ କଲେ, ସଂସାରର ଉପକାର କରିବା ଦୂରେଥାଉ, ନିଜର ଆଚରଣ କଳୁଷିତ କରିବା ଏକମାତ୍ର ଫଳ ହେବ । ଏହି ସତ୍ୟ ଏଠାରେ ସୁନ୍ଦର ଭାବରେ ପ୍ରତିପାଦିତ ।

 

‘‘ବର୍ଷାୠତୁ ପ୍ରତି’’ରେ କବି ଉଚ୍ଚ ଓ ନୀଚ ହୃଦୟ ମଧ୍ୟରେ ପାର୍ଥକ୍ୟ ଦେଖାଇ କୃପଣଠାରୁ ଖଣ୍ଟର ସ୍ଥାନ ଉଚ୍ଚରେ ବୋଲି କହିଛନ୍ତି :

 

‘‘ନିଜେ ବିତରି, ନ ଜାଣେ କୃପଣ ।

ଖଣ୍ଟେ ନିଅନ୍ତି ବଳେ, ତା’ର ଧାନ ।।

ଖଣ୍ଟ ହେଲେ ହେଁ, ପରକୁ ପ୍ରଦାନ ।।

କରିଜାଣେ ଯେ ସେ, ଲୋକ ପ୍ରଧାନ ।।’’

 

କବିଙ୍କର ଚମତ୍କାର ଯୁକ୍ତି ଯୋଗୁଁ ପାଠକ ଅଜ୍ଞାତ ଭାବରେ ତାଙ୍କ ସହିତ ଏକମତ ହୋଇଯାଏ । ତାଙ୍କ ମତରେ ଯେଉଁ ଲୋକ ଉଦାର ଦୃଷ୍ଟିରେ ସଂସାରର ମଙ୍ଗଳ ନ କରେ ସେ, ଯେଉଁ ଲୋକ ଅନ୍ୟାୟ ଉପାର୍ଜିତ ଧନରେ ଜଗତର ମଙ୍ଗଳ କରେ, ତା’ ଅପେକ୍ଷା ନୀଚରେ :

 

‘‘ନୀଚ ହୃଦୟେ ସଞ୍ଚି, ରଖେ ଧନ

ସାଧୁ ସାଧଇ, ଲୋକ ପ୍ରୟୋଜନ ।’’

 

ସାହିତ୍ୟରେ ଦର୍ଶନ ତତ୍ତ୍ୱର ପ୍ରୟୋଗ ଅନେକ ସମୟରେ ରସଭଙ୍ଗ କରାଏ ଓ ପାଠକ ମନରେ ବିରକ୍ତି ଜନ୍ମାଏ । ମାତ୍ର ତାଙ୍କର ଏହି କବିତାମାନଙ୍କରେ ଦର୍ଶନ ତତ୍ତ୍ୱ ଏପରି ଭାବରେ ସନ୍ନିବେଶିତ ଯେ ସେହି ତତ୍ତ୍ୱହିଁ କବିତାର ମାହାତ୍ମ୍ୟ ଓ ରସାଳତା ବୃଦ୍ଧି କରିଛି । ସଂସ୍କୃତ ତଥା ଭାରତୀୟ ପ୍ରାଦେଶିକ ସାହିତ୍ୟମାନଙ୍କରେ କଳ୍ପନାର ବିଳାସ ଅତିମାତ୍ରାରେ ଦେଖାଯାଏ । ଏହି କାରଣରୁ ପାଶ୍ଚାତ୍ୟ ସାହିତ୍ୟରେ ଯେତେ ବାସ୍ତବବାଦ ଦେଖାଯାଏ, ଭାରତୀୟ ସାହିତ୍ୟରେ ତାହା ଦେଖାଯାଏ ନାହିଁ ବୋଲି ଅନେକ ସମାଲୋଚକ ଅନୁଯୋଗ କରିଥାଆନ୍ତି । ପାଶ୍ଚାତ୍ୟ ସାହିତ୍ୟରେ ଭାବଧାରା ଏ ଦେଶରେ ପ୍ରଚଳିତ ହେଲାପରେ, ସାହିତ୍ୟରେ କଳ୍ପନା ବିଳାସ ଓ ଅନେକ ସ୍ଥାନରେ ଆଦର୍ଶବାଦ ଛାଡ଼ି ବାସ୍ତବବାଦୀ ସାହିତ୍ୟ ସୃଷ୍ଟି କରାଯାଇଛି । ଓଡ଼ିଆ ସାହିତ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରଚନାବଳୀ ସେହି ଶ୍ରେଣୀର । ମାତ୍ର ଗଙ୍ଗାଧରଙ୍କ ରୀତି ସ୍ୱତନ୍ତ୍ର । ସେ ଆଦର୍ଶବାଦ ଓ କଳ୍ପନା ବିଳାସ ନଛାଡ଼ି ମଧ୍ୟ ବାସ୍ତବ ବାଦର ସମାବେଶ ସ୍ୱକୀୟ ରଚନାରେ କରିଛନ୍ତି । ତଦ୍ୱାରା ସେ ପରମ୍ପରାକୁ ନ ଛାଡ଼ି ମଧ୍ୟ ନୂତନ ଭାବଧାରାକୁ ଗ୍ରହଣ କରିଛନ୍ତି । ତାଙ୍କର ନୈସର୍ଗିକ ପ୍ରତିଭା ହିଁ କଳ୍ପନା ବାସ୍ତବାତାର ସୁନ୍ଦର ସମନ୍ୱୟ କରି ତାଙ୍କର ରଚନାବଳୀକୁ ପ୍ରାଣସ୍ପର୍ଶୀ ଓ ମଧୁର କରିପାରିଛି ।

 

‘‘କରି ନ ଜାଣଇ, ପରଧନେ ଅଭିମାନ

କେମନ୍ତେ ପାରିବି ହୋଇ, ଚନ୍ଦ୍ରମା ସମାନ ।’’

 

ତା’ପରେ ତାଙ୍କର ସ୍ୱଭାବ ସୁଲଭ ରୀତିରେ ଦାର୍ଶନିକ ତତ୍ତ୍ୱ ପ୍ରତିପାଦନ କରି କହୁଛନ୍ତି :-

 

‘‘ନକର ମାନେବ କ୍ଷୁଦ୍ର, ଜୀବେ ଉପହାସ ।

ନିଜର ଜୀବନ ଜ୍ୟୋତି, କର ପରକାଶ ।’’

 

‘‘ଅନ୍ଧକାରର ଆତ୍ମ ପ୍ରସାଦ’’ରେ କବି କେତେକ ଲୋକ ବ୍ୟବହାରକୁ ବିଚିତ୍ର ବୋଲି ଅଭିହିତ କରିଛନ୍ତି । ସଂସାରରେ ବଳବାନ୍‌ ଓ ତେଜସ୍ୱୀର ଦୋଷ କେହି ଧରନ୍ତି ନାହିଁ । ଦୁର୍ବଳ ଉପରେ ସବୁଦିନ ଅତ୍ୟାଚାର ଚାଲିଥାଏ । ଏହି ମହାସତ୍ୟର ଉଦାହରଣ ଉପସ୍ଥାପନ କରିବା ପାଇଁ ଅନ୍ଧକାର ମୁଖରେ କବି କହିଛନ୍ତି :-

 

‘‘କେହି ମୋତେ ବୋଲିଥାନ୍ତି, ଚୋରର ସହାୟ

ମାନବର କି ଅଦ୍‌ଭୁତ, ବିବେଚନା ହାୟ ।।

ଆଲୋକରେ ଦେଖେ ଚୋର, ଧନୀକର ଧନ

ଆଲୋକରେ ତଡ଼ି ମୋତେ, କରେ ତା ହରଣ ।।

କେହିଅବା ବୋଲେ ମୋତେ, ଲମ୍ପଟର ବଂଧୁ

ମୋ ଯୋଗେ କୁ ପଥେ ପରା, ଯାଏ କୁଳବଧୂ ।।

କୁଳବଧୂ ମୁଖ କିଏ, କରେ ପ୍ରଦର୍ଶନ

କିଏ ବା କରାଏ, ତା’ର ଚିତ୍ତ ଆକର୍ଷଣ ।।

ନ ଧରନ୍ତି କେହି କେବେ, ତେଜସ୍ୱୀର ଦୋଷ

ସ୍ୱଭାବେ ଶୀତଳ ମୁହିଁ, ସ୍ୱଭାବେ ମୋ ତୋଷ ।’’

 

‘‘ସୂର୍ଯ୍ୟ ପ୍ରତି ଦୀପ’’ ବଳବାନ ଓ ଦୁର୍ବଳ ପ୍ରତି ଲୋକବ୍ୟବହାର କିପରି ଭିନ୍ନ ଭିନ୍ନ ତାହା ଚିହ୍ନାଇ ଦିଏ । ଉଭୟଙ୍କର ଗୁଣ ତମୋ ନାଶକ ହେଲେ ମଧ୍ୟ ଦୀପର ଲୋକ ବ୍ୟବହାରରେ ପ୍ରଶଂସା କରାଯାଏ ନାହିଁ ।

 

‘‘ତାରା ସୂର୍ଯ୍ୟ’’ ପଦ୍ୟରେ ଉପକାରୀ ପ୍ରତି କୃତଜ୍ଞ ରହିବା ଓ ଉପକାରୀର ମହତ୍ତ୍ୱ ସ୍ୱୀକାର କରିବା ସର୍ବଥା ଉଚିତ୍‌ ବୋଲି କବିଙ୍କର ମତ । ତାଙ୍କ ମତରେ ଉପକାରକ୍ଷମ ବ୍ୟକ୍ତି ଉପକାରୀ ନ ହେଲେ ତା’ର ବିଶେଷତ୍ୱ ରହେନାହିଁ । କବିଙ୍କ ଭାଷାରେ :-

 

‘‘ତୁମ୍ଭ ରାଜ୍ୟ ଦିଅ ତୁମ୍ଭେ ପ୍ରଚୁର କିରଣ ।

ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।

ଆମ୍ଭ ରାଜ୍ୟେ ଆମ୍ଭ, ରବି କରେ ତମକ୍ଷୟ ।

ଏଣୁ ଆମ୍ଭେ ଚାହୁଁଥାଉ, ତାଙ୍କର ଉଦୟ ।।

ତୁମ୍ଭେ ଯେତେ ବଡ଼ହେଲେ, ଆମ୍ଭରି କି ଲାଭ ।

ଆମ୍ଭ ତମ ନାଶିବାକୁ, ନାହିଁ ତ ପ୍ରଭାବ ।।’’

 

‘‘ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ’’ରେ ଜ୍ୟେଷ୍ଠର ଗୌରବ ଯେ ବଳିଷ୍ଠ ପ୍ରତି ସ୍ନେହ ଓ ଶ୍ରଦ୍ଧାରେ ଓ ବିଶ୍ୱର ହିତ ସାଧନାରେ ପ୍ରତିଷ୍ଠିତ, ଏ କଥା କବି ଦର୍ଶାଇ ଦେଇଛନ୍ତି । ଅନ୍ୟ ସ୍ଥଳ ପ୍ରତି ଏ ସ୍ଥଳରେ ମଧ୍ୟ ତାଙ୍କର ମଧୁର ପଦାବଳୀ ଯୋଜନା, ଏହି ଚିନ୍ତାଦ୍ୟୋତକ କବିତାଟିକୁ ସୁନ୍ଦର ଓ ସୁଖପାଠ୍ୟ କରିଅଛି ।

 

ଆଳାସ୍ୟ ପରାୟଣ ହୋଇ, ପରକୁ ଦୋଷ ଦେଇ, କେବଳ ଅନ୍ୟର ଆଶ୍ରାରେ ବା ସାହାଯ୍ୟରେ ସିଦ୍ଧିଲାଭ କରିବା ଅସମ୍ଭବ । ଏହି ସତ୍ୟକୁ ‘ଗଣେଶଙ୍କର ଆତ୍ମ କଥା’ରେ ସେ ପ୍ରତିପାଦନ କରିଅଛନ୍ତି । ଅଳସୁଆମାନଙ୍କୁ ଲକ୍ଷ୍ୟ କରି କବି ମଧୁର ଭର୍ତ୍ସନା ଦେବା ସଙ୍ଗେ ସଙ୍ଗେ, ଏ ଜୀବନ କର୍ମମୟ ଓ କର୍ମ ନକରି ସଂସାରରେ ବଞ୍ଚି ରହିବା ଅଧିକାର କାହାର ନାହିଁ ବୋଲି କହିଛନ୍ତି । ଏହି କବିତାରେ, ଅନ୍ୟ କବିତାମାନଙ୍କ ପରି ନୈୟାୟିକାର ଯୁକ୍ତି ସାହିତ୍ୟକର ସରସତା ଏକାଧାରରେ ବିଦ୍ୟମାନ । ଉଦାହରଣ ସ୍ୱରପ ନିମ୍ନୋକ୍ତ ପଦ ଦୁଇଟି ନିଆଯାଇପାରେ :-

 

‘‘ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁ, ସେତ ହେଲେ ମୋର ପ୍ରଜା

ପ୍ରଜାନାଶ କରି କାହିଁ ଉଡ଼ାଇବି ଅପୀରତିର ଧ୍ୱଜା ।।

ମୃଗରାଜ ସିନାମୃଗ ନାଶକରେ ପାଶବ ସ୍ୱଭାବ ଧରି

ଦେବତା ହୋଇ ମୁଁ ସେ କ୍ରୁର, ଅଧର୍ମ କର୍ମ କରିବି କିପରି ।।

 

ମନୁଷ୍ୟର ଜୀବନ କର୍ମମୟ । ଏହା ଭାରତୀୟ ଦର୍ଶନର ବାଣୀ । ଭାଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭାଗବତ୍‌ ଗୀତାରେ ଉକ୍ତ ତତ୍ତ୍ୱର ସୁନ୍ଦର ବ୍ୟାଖ୍ୟାନ କରିଛନ୍ତି । ଅଳସୁଆ ଲୋକ ସଂସାରରେ ନାନା ଦୁଃଖ ଭୋଗକରେ । ଏହି ସତ୍ୟର ପ୍ରତିପାଦକ କବି ନିଜର ‘ପରିଶ୍ରମ’, ‘କର୍ମଗୁଣ’ ଆଦି କବିତାରେ କରିଅଛନ୍ତି । ଦାର୍ଶନିକ ଚିନ୍ତା ଏହି କବିତାମାନଙ୍କ ମୂଳବସ୍ତୁ ହେଲେ ମଧ୍ୟ ତହିଁରେ ଏକାଧାରାରେ ସାହିତ୍ୟିକ ସରସତା, ମଧୁର ଭର୍ତ୍ସନା ଉପଦେଶ ବିଦ୍ୟମାନ ।

 

‘‘ଦେଶ ଦେଶାନ୍ତରେ ବିଚରି, ପକ୍ଷୀ ପୋଷେ ଉଦର

କ୍ଷୁଧାରେ ମରଇ ଅଳସ, ତେଜି ନ ପାରି ଘର ।।

ଘାସଖାଇ ପଶୁ ସତତ, ନରେ ସାହାଯ୍ୟ କରେ

ଓହୋ କି ବିଚିତ୍ର ତଥାପି, ନର ଓପାସେ ମରେ ।।

ନରକୁ ଦଇବ ଜଗତେ, କିସ ନ ଅଛି ଦେଇ

ଦ୍ୱାରେ ଦ୍ୱାରେ ବୁଲି ତଥାପି, ବୋଲେ ସେ ଦେହି ଦେହି ।।

ନିଜ ନିଜ ପେଟ ପୋଷନ୍ତି, କୀଟ ପତଙ୍ଗ ଗଣ

ପେଟ ପାଇଁ ନର ଭିକାରୀ, ଧରେ ପର ଚରଣ ।।’’

 

‘‘ଅର୍ଘ୍ୟଥାଳୀ’’ର କବିତାମାନେ ସମାଜକୁ ପ୍ରକୃତି ଦିଗ୍‌ଦର୍ଶନ ଦିଏ । ଓଡ଼ିଆ ସାହିତ୍ୟରେ ଏ ପ୍ରକାର ରଚନା ବିରଳ । ବସ୍ତୁତଃ ‘ଅର୍ଘ୍ୟଥାଳୀ’ର ପ୍ରତ୍ୟେକ କବିତା ଓଡ଼ିଆ ସାହିତ୍ୟରେ ଗୋଟିଏ ଗୋଟିଏ ରତ୍ନ ଓ ଗଙ୍ଗାଧରଙ୍କ ବୈଶିଷ୍ଟ୍ୟର ନିଦର୍ଶନ ।

 

ଗଙ୍ଗାଧରଙ୍କ ଆଉ ଗୋଟିଏ ବୈଶିଷ୍ଟ୍ୟ ହେଉଛି ତାଙ୍କର ‘କୃଷକ ସଙ୍ଗୀତ’ ମାଳା । ଉତ୍କଳୀୟ କବିମାନଙ୍କ ମଧ୍ୟରେ କେବଳ ଗଙ୍ଗାଧର ହିଁ ଅହି ଅନନ୍ୟ ସାଧାରଣ ମୂଲ୍ୟବୋଧର ଅଧିକାରୀ । ଉକ୍ତ କବିତାମାଳା ମଧ୍ୟରେ ‘ଅନ୍ନର ମହିମା’ ‘କୃଷିର ଗୌରବ’ ଓ ‘କୃଷକର ଆତ୍ମକଥା’ ଅତ୍ୟନ୍ତ ଚିନ୍ତାଦ୍ୟୋତକ ରଚନା । ଏହି କବିମାନଙ୍କର ପ୍ରତ୍ୟେକ ପଦ ଭାବଗର୍ଭକ ଓ ଦାର୍ଶନିକ ତତ୍ତ୍ୱରେ ଭରପୁର । ପ୍ରତ୍ୟେକରୁ ଗୋଟିଏ ଗୋଟିଏ ଉଦାହାରଣ ଦିଆଯାଇପାରେ । ଭାଗବତାକାର କହନ୍ତି :

 

‘‘ଅନ୍ନ ବହୁନେ ହଂସ ହାନି, ଯୋଗ ସାଧିବ କାହା ଘେନି ।’’

 

ମେହେରଙ୍କ ଭାଷାରେ-

 

‘‘ଅନ୍ନ ଘେନି ମହତ୍‌, ଅନ୍ନ ଘେନି ମାନ ।।

ବିଦ୍ୟା ବୁଦ୍ଧି ଅନ୍ନରେ, ଅନ୍ନରେ ବିଜ୍ଞାନ

ଅନ୍ନ ନାହିଁ ଯହିଁରେ, ମହୀରେ ସେ ଏକା ମରୁସ୍ଥାନ ।’’

 

ଅନୁରୂପ ଭାବରେ ଧନର ମହତ୍ତ୍ୱ ଉପରେ ‘କୀଚକ ବଧ’ କାବ୍ୟରେ ଗଙ୍ଗାଧର ମେହେର ଲେଖିଛନ୍ତି :-

 

‘‘ଧନ ଦେଖି ଜନ ମନ ଭୁଲିଯାଏ

ଜଗତେ ଅଛି ଏ ଖ୍ୟାତି

ଧନ ପାଇଁ ଲୋକେ ଜୀବନ ଦିଅନ୍ତି

ଘୋର ଆହବରେ ମାତି ।।

ଧନ କରେ ଦାନୀ, ଧନ କରେ ମାନୀ

ଜ୍ଞାନୀ କରିପାରେ ଧନ,

ଧନ ବଳେ ଠାଣି, ଧନ ବଳେ ଆଣି

ଧନର ସେବକ ଜନ ।।’’

 

‘‘କୃଷିର ଗୌରବ’’ ସଙ୍ଗୀତରେ ଗଙ୍ଗାଧର କହନ୍ତି-

 

‘‘କୃଷି ତୋର ବେଦରେ, କୃଷି ତୋ ପୁରାଣ

କୃଷି ବିନା ରହି ନ ପାରଇ ପରାଣ ।

କୃଷି ଘେନି ନୃପତି, କୃଷି ଘେନି ସଭ୍ୟ

କୃଷି ବଳେ ଆୟ ଶ୍ରୀ ସମ୍ପଦ ସକଳ ହୁଏ ଲଭ୍ୟ ।’’

 

‘‘କୃଷକର ଆତ୍ମକଥା’’ରେ କବି କହନ୍ତି :-

 

‘‘ଭୂମି ଚଷିବାରେ ମୋ ନାହିଁ ଅବହେଳା ।

ନ ଜାଣଇ ନକ୍ଷତ୍ର ତିଥିବାର ବେଳା ।।

ଯେବେ ଯେବେ ବର୍ଷଣ ତେବେ ମୋ କର୍ଷଣ ।

ତେବେ ଏକା କରୁଛି ମୁହିଁ ଭୂମିରୁ ସୁଫଳ ଆକର୍ଷଣ ।।’’

 

ପ୍ରୋକ୍ତ କବିତା ବ୍ୟତୀତ ବିଭିନ୍ନ ସମୟରେ ବିଭିନ୍ନ ଶସ୍ୟର ଚାଷ ପ୍ରଣାଳୀ ସମ୍ବନ୍ଧରେ କବି ସଙ୍ଗୀତ ରଚନା କରିଅଛନ୍ତି । ତାହା ଯେପରି ଚାଷ ପ୍ରଣାଳୀ ବିଷୟରେ ସମ୍ୟକ୍‌ ଜ୍ଞାନ ଆଧାର, ସେହିପରି ସାହିତ୍ୟିକ ମୂଲ୍ୟବୋଧରେ ୠଦ୍ଧିମନ୍ତ । ଗୋଟିଏ ଉଦାହରଣ ଦିଆଯାଇପାରେ । ଲଙ୍କାମରିଚ ଚାଷ ବିଷୟରେ ଲେଖିଲାବେଳେ କବି କହିଛନ୍ତି :

 

‘‘ପାଚି ଫଳ ସୁରଙ୍ଗ ହୁଏ ଅତି କଟୁ ।

କଟୁ ହୋଇ ରସନା, ରଞ୍ଜକରେ ପଟୁ ।।

ଶାଳୀ ଗାଳି ପରାଏ, ଆଦର ତାହାର ।

ଘରେ ଘରେ ବ୍ୟଞ୍ଜନେ ଅଞ୍ଜନେ, ସର୍ବଦା ବ୍ୟବହାର ।।’’

 

ତାଙ୍କ କୃଷି ସଙ୍ଗୀତମାନଙ୍କରେ କୃଷି ବିଷୟରେ ଅନେକ ଅଜ୍ଞାତ ବା ଅଳ୍ପଜ୍ଞାତ ତଥ୍ୟର ସନ୍ଧାନ ମିଳିଥାଏ । ମରୁଡ଼ି ସହ୍ୟ ପାରିବା ଭଳି ଧାନ ବିହନ ଉତ୍ପାଦନ କରିବାର ପ୍ରଣାଳୀ ହେଲା, କବିଙ୍କ ଭାଷାରେ-

 

‘‘ଧାନ ଜାଇ ସାରିଲେ ରହେ ଯେଉଁ ମୂଳ ।

ଉଚ୍ଚଥିବ ଦଶକି, ଦ୍ୱାଦଶ ଆଙ୍ଗୁଳ ।।

ଯତନରେ ରଖିଲେ, ସେହି ମୂଳ ମାନ ।

ପୁଣ ଫୁଟି ପତର, ପକାଇ ଆହୁରି ଧାନ ।।

 

ଆମ୍ଭମାନଙ୍କ ମତରେ ତାଙ୍କର କୃଷି ସଙ୍ଗୀତମାନଙ୍କରେ ପ୍ରଦତ୍ତ ତଥ୍ୟାବଳୀ ପର୍ଯ୍ୟାଲୋଚନା କରିବା ଓ ସେହି ତଥ୍ୟମାନଙ୍କର ସମୀଚୀନତା ହୃଦୟଙ୍ଗମ କରି ଜନସାଧାରଣଙ୍କୁ ଅବଗାହିତ କରିବା ଏକାନ୍ତ ଅପରିହାର୍ଯ୍ୟ ।

 

ସ୍ୱଭାବ କବି ଗଙ୍ଗାଧର ତା ୯.୮.୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ଶନିବାର ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମହାପ୍ରୟାଣ ତା ୪.୪.୧୯୨୪ ମସିହା ଚୈତ୍ର ଅମାବାସ୍ୟା ଶୁକ୍ରବାର ଦିନ ହୋଇଥିଲା । ଏହି ଦୁଇଟି ତିଥି ପୂର୍ଣ୍ଣମା ଓ ଅମାବାସ୍ୟା ବଡ଼ ବହତ୍ତ୍ୱପୂର୍ଣ୍ଣ । ଯେପରି ପୂର୍ଣ୍ଣିମାର ପୂର୍ଣ୍ଣଚନ୍ଦ୍ର ସମସ୍ତଙ୍କୁ ଆହ୍ଲାଦ ଦିଏ, ସେହିପରି ପୂର୍ଣ୍ଣିମାରେ ଜନ୍ମହୋଇ ଗଙ୍ଗାଧର ତାଙ୍କ ନିଜ ରଚନାବଳୀରେ ସମସ୍ତଙ୍କୁ ଆହ୍ଲାଦ ଦେଇ ଅମାବାସ୍ୟାରେ ଅନ୍ଧକାର ପରି ସମଗ୍ର ଓଡ଼ିଶାକୁ ଓ ଓଡ଼ିଆ ସାହିତ୍ୟକୁ ବିଷାଦ ଅନ୍ଧକାରରେ ନିମଗ୍ନ କରି ଚାଲିଗଲେ । ଦୁଃଖର ବିଷୟ ଯେ, ତାଙ୍କ ରଚନାବଳୀରେ ପ୍ରକଟିତ ତାଙ୍କ ବହୁମୁଖୀ ପ୍ରତିଭାର ସମ୍ୟକ୍‌ ଆଲୋଚନା ଓ ଗବେଷଣା ଏ ପର୍ଯ୍ୟନ୍ତ ହୋଇନାହିଁ ।

 

 

ସମ୍ପାଦକ, ‘‘ଚିରସନ୍ଧାନ’’

ଏମ୍‌.ଆଇ.ଜି.-୭୮, ଅନନ୍ତ ବିହାର,

ପୋଖରୀପୁଟ୍‌, ଭୁବନେଶ୍ୱର-୨୦

 

***

 

Unknown

ଗଙ୍ଗାଧର ମେହେରଙ୍କ କାବ୍ୟ ଚେତନାରେ ଅନ୍ତଃ ଓ ବହିଃ

ପ୍ରକୃତିର ଚମତ୍କାରିତା ଓ ଚାରିତ୍ରିକ ଉତ୍କର୍ଷ

ରମାକାନ୍ତ ରାଉତ

କବି ଗଙ୍ଗାଧର ମେହେର କାବ୍ୟଯୁଗ ଓ ଆଧୁନିକ ଯୁଗର ଏକ ସନ୍ଧିକ୍ଷଣରେ ହିଁ ଆବିର୍ଭୂତ ହୋଇଥିଲେ । ସେତେବେଳେ କଥା ସମ୍ରାଟ୍‌ ଫକୀର ମୋହନ ସେନାପତିଙ୍କଠୁଁ ଆରମ୍ଭ କରି ଆଧୁନିକ ଯୁଗନିର୍ମାତା ରାଧାନାଥ ରାୟ ଓ ଭକ୍ତକବି ମଧୁସୂଦନ ରାଓ ପ୍ରତିଷ୍ଠା ଲାଭକରି ସାରିଥିଲେ । ଗଙ୍ଗାଧରଙ୍କୁ ଏମାନଙ୍କ ସଙ୍ଗେ ପ୍ରତିଦ୍ୱନ୍ଦିତା କରିବାକୁ ହିଁ ପଡ଼ିଥିଲା । ରାଧାନାଥ ଓ ଗଙ୍ଗାଧର ଉଭୟ କାବ୍ୟ ଜଗତରୁ ବିଚ୍ଛିନ୍ନ ହୋଇନାହାନ୍ତି, ଅଥଚ ଆଧୁନିକତାକୁ ହିଁ ଆପଣେଇ ନେଇଛନ୍ତି । ଗଙ୍ଗାଧର ‘ତପସ୍ୱିନୀ’, ‘ପ୍ରଣୟ ବଲ୍ଲରୀ’, ‘କୀଚକ ବଧ’, ’ଇନ୍ଦୁମତୀ’, ‘ପଦ୍ମିନୀ’, ‘ଉତ୍କଳ ଲକ୍ଷ୍ମୀ’, ‘ଅଯୋଧ୍ୟା ଦୃଶ୍ୟ’, ‘ଅର୍ଘ୍ୟଥାଳୀ’ ଓ କବିତାମାଳା ଆଦି କାବ୍ୟ ଓ କବିତା ସଂକଳନର ସ୍ରଷ୍ଟା । ଗଙ୍ଗାଧର ତାଙ୍କ କାବ୍ୟ, ବିଶେଷତଃ ତପସ୍ୱିନୀ ‘ପ୍ରଣୟ ବଲ୍ଲରୀ’, ‘କୀଚକ ବଧ’, ଆଦିରେ ମଧ୍ୟଯୁଗୀୟ କାବ୍ୟ ପ୍ରବିଧିର ସମସ୍ତ ଗୁଣ ନିହିତଥିବା ସତ୍ତ୍ୱେ ଗଙ୍ଗାଧର ତାହାର ଶୈଳୀ, ଶବ୍ଦ ସଂଯୋଜନା, ଛାନ୍ଦ ଓ ଅଳଙ୍କରଣରେ ଅନେକ ପରିବର୍ତ୍ତନ ଆଣିଛନ୍ତି, ଯାହା ଏସବୁକୁ ଏକ ନୂତନତ୍ୱରେ ବିଭୂଷିତ କରିଛି । ତାଙ୍କ କାବ୍ୟ ସବୁ ଯେପରି ଶାସ୍ତ୍ରୀୟ ଗୁଣ ସଂପନ୍ନ, ତାଙ୍କ କ୍ଷୁଦ୍ରକବିତାଗୁଡ଼ିକ, ବିଶେଷତଃ ‘ଅର୍ଘ୍ୟଥାଳୀ’, ‘କବିତା କଲ୍ଲୋଳ’ରେ ସନ୍ନିବିଷ୍ଟ କବିତା ସେହିପରି ଗୁରୁତ୍ୱପୂର୍ଣ୍ଣ ଓ ଉଚ୍ଚକୋଟୀର । ରାଧାନାଥଙ୍କ ପରି ଗଙ୍ଗାଧର ମଧ୍ୟଯୁଗୀୟ ଓ ଆଧୁନିକ ସାହିତ୍ୟର ଏକ ସମନ୍ୱୟ ସେତୁ ।

 

କହିବା ବାହୁଲ୍ୟ ଯେ ଗଙ୍ଗାଧର ଏପରି ଏକ ଘଟଣା ବହୁଳ ଯୁଗରେ ଜନ୍ମଗ୍ରହଣ କରିଥିଲେ ଯେ ଯେତେବେଳେ କେବଳ ଓଡ଼ିଆ କବିତା କାହିଁକି ସମଗ୍ର ବିଶ୍ୱସାହିତ୍ୟ ଏକ ଆଘୂର୍ଣ୍ଣନ ବା ଟର୍ଣ୍ଣିପଏଣ୍ଟରେ ଅବସ୍ଥାନ କରିଥିଲା । ଗଙ୍ଗାଧରଙ୍କ ପାଇଁ ଦୁର୍ଭାଗ୍ୟର କଥା ଏହି ଯେ ରାଧାନାଥ ଓ ମଧୁସୂଦନଙ୍କ ପରି ସେ ଉଚ୍ଚଶିକ୍ଷିତ ନ ଥିଲେ । ତେଣୁ ସାହିତ୍ୟର ଏ ପରିବର୍ତ୍ତନ ସଂପର୍କରେ ସେ ଅବହିତ ନ ଥିଲେ । ତେଣୁ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବ ପ୍ରତ୍ୟକ୍ଷଭାବେ ତାଙ୍କ ଉପରେ ପଡ଼ିନାହିଁ, ଯାହା ରାଧାନାଥଙ୍କ କ୍ଷେତ୍ରରେ ହୋଇଛି । ପକ୍ଷାନ୍ତରେ ସେ ବ୍ୟାସ, ବାଲ୍ମୀକ, କାଳିଦାସ ଓ ଭବଭୂତି ପ୍ରମୁଖ କବିମାନଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ତାଙ୍କ ସାହିତ୍ୟର ଭିତ୍ତିଭୂମି ହେଉଛି ମହାଭାରତୀୟ ଚେତନା ଏବଂ ସନାତନ ସଂସ୍କୃତି ଓ ସଂସ୍କୃତ ସାହିତ୍ୟର ଅପ୍ରତିହତ ପ୍ରଭାବ । ଏ ଦେଶ ଓ ମାଟିର ଅମର କବିକୁ ସେ ନିଜର ଗୁରୁଭାବେ ଗ୍ରହଣ କରିଛନ୍ତି । ‘ପ୍ରଣୟ ବଲ୍ଲରୀ’ କାବ୍ୟର ପ୍ରାରମ୍ଭ ଦ୍ରଷ୍ଟବ୍ୟ :

 

‘‘ଜୟ ବେଦବ୍ୟାସ ଜୟକାଳିଦାସ ଭାରତୀ ପ୍ରିୟ ନନ୍ଦନ,

ତୁମ୍ଭେ ଜ୍ଞାନଗୁରୁ କବି ମଣ୍ଡଳୀର ଲଲାଟ ଶୋଭି ଚନ୍ଦନ ।

ତୁମ୍ଭ ଚରଣରେ ଲଗାଇଛି ବିଧି ମୋ ହୃଦ ଦୃଢ଼ ବନ୍ଧନ,

ତୁମ୍ଭ ପଛେ ଥାଇ ଭାରତୀ ଚରଣେ ବିନୟେ କରେଁ ବନ୍ଦନ’’ ।

 

ନମସ୍କ୍ରିୟାପରେ କାବ୍ୟ ବିଧି ଅନୁସାରେ ବସ୍ତୁନିର୍ଦ୍ଦେଶ କରାଯାଇଛି ସେହି କାବ୍ୟ ପରିଧିରେ :

 

‘‘ମୃଗୟା ବିନୋଦେ ଦୁଷ୍କନ୍ତ ନରେଶ ବିହାର କରନ୍ତି ବନେ

ପ୍ରଫୁଲ୍ଲ ହୃଦୟେ ଧନୁଶର କରେ ଶୋଭିତ ହୋଇ ସ୍ୟନ୍ଦନେ ।’’

 

ଏହିଠାରେ ହିଁ କାବ୍ୟର ଗଳ୍ପାଂଶ ବା ପ୍ଲଟର ବିକାଶ ଘଟିଛି । ଠିକ୍‌ ସେଇ ମର୍ମରେ ରାଧାନାଥ ‘ମହାଯାତ୍ରା’ ମହାକାବ୍ୟର ପ୍ରାରମ୍ଭିକ ଅଧିବାସ କରନ୍ତି :

 

‘‘ପଙ୍କଜ ବାସିନୀ ଦେବୀ ଉତ୍କଳ ଭାରତୀ

ସାରଳେ କିକଲେ କହ କୁରୁ ଚୂଡ଼ାମଣି ।’’

 

ଏଠାରେ ନମସ୍କ୍ରିୟା ଓ ବସ୍ତୁନିର୍ଦ୍ଦେଶର ଯୁଗପତ୍‌ବିକାଶ ଘଟିଛି । ଏହିକାବ୍ୟ ପରମ୍ପରା କେବଳ ଭାରତୀୟ କି ଉତ୍କଳୀୟ ସାହିତ୍ୟରେ ନୁହେଁ, ବିଶ୍ୱ ସାହିତ୍ୟରେ ବି ବିଦ୍ୟମାନ । ମହାକବି ହୋମର ତାଙ୍କ ଏପିକ୍‌ରେ ଜ୍ଞାନ ଓ କଳାର ଦେବୀ 'Muse'ଙ୍କ ବନ୍ଦନା ପୂର୍ବକ କାବ୍ୟର ଆଭିମୁଖ୍ୟ ତଥା ଦାର୍ଶନିକ ଅଭିପ୍ରେରଣା ସଂପର୍କରେ ବର୍ଣ୍ଣନା କରିଛନ୍ତି ଏବଂ କାବ୍ୟତତ୍ତ୍ୱ ସଂପର୍କରେ ବିଶଦ ଆଲୋଚନା ମଧ୍ୟ କରିଛନ୍ତି । କବି ମିଲଟନ ମଧ୍ୟ ‘ପାରାଡାଇଜ ଲଷ୍ଟ’ ମହାକାବ୍ୟରେ ସେହି ପନ୍ଥା ଅନୁସରଣ କରିଛନ୍ତି । ମହାକବି କାଳିଦାସ ରଘୁବଂଶ ମହାକାବ୍ୟରେ ନମସ୍କ୍ରିୟାରେ ଆରମ୍ଭ କରନ୍ତି : ‘‘ବାଗାର୍ଥବିବ ସଂପୃକ୍ତୌ ବାଗାର୍ଥ ପ୍ରତିପତୟେ । ଜଗତଃ ପିତରୌବନ୍ଦେ ପାର୍ବତୀ ପରମେଶ୍ୱରୌ ।’’ ଭାଷା ଓ ଭାବ ପରି ନିରନ୍ତର ଜଡ଼ିତ ଜଗତ୍‌ମାତା ଓ ପିତା ପାର୍ବତୀ ପରମେଶ୍ୱରଙ୍କୁ ମୁଁ ନମସ୍କାର କରୁଛି । ଶବ୍ଦ ଓ ଅର୍ଥର ଏକ ପ୍ରତୀକାତ୍ମକ ଚିତ୍ର ଶିବ ଓ ଶିବାଙ୍କ ମଧ୍ୟରେ କବି ଆରୋପଣ କରିଛନ୍ତି । ଏହି ଧାରାରେ ଗଙ୍ଗାଧର ‘ତପସ୍ୱିନୀ’ କାବ୍ୟରେ ଲେଖନ୍ତି : ‘‘କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧଶୁଭ୍ରବେଶା, ଇନ୍ଦ୍ରନୀଳ ଦ୍ୟୁତିଜିତ ମନୋହର କେଶା ?’’ ଏହା ନିଃସନ୍ଦେହ ଯେ ଏ ଜ୍ୟୋତିର୍ମୟୀ, ଇନ୍ଦ୍ରନୀଳଦ୍ୟୁତି ସଂପନ୍ନା, ଶୁଦ୍ଧ ଶୁଭ୍ରବେଶା ଦେବୀ ବାକ୍‌ଦେବୀଙ୍କ ଭିନ୍ନ ଅନ୍ୟ କିଏ ହୋଇପାରନ୍ତି ? ସମୀକ୍ଷକ ଗୌରୀ କୁମାର ବ୍ରହ୍ମା ତାଙ୍କୁ ‘ଯା କୁନ୍ଦେନ୍ଦୁ ତୁଷାରହାର ଧବଳା, ପାରମ୍ପରିକ, ସରସ୍ୱତୀଙ୍କ ସଙ୍ଗେ ଚିହ୍ନଟ କରନ୍ତି । ପ୍ରଫେସର ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କର ଏ ସଂପର୍କିତ ଅଭିମତ ହେଲା, ‘‘ଏ ଜ୍ୟୋତିର୍ମୟୀ ବସ୍ତୁତଃ ବୈଷ୍ଣବୀସୀତାର ପ୍ରେମପ୍ରକଟକାରିଣୀ ବିଷ୍ଣୁମାୟା, ଯାହାର ବିସ୍ତାର ମଧ୍ୟରେ ତପସ୍ୱିନୀ କାବ୍ୟର ଅବଧାରଣ ପରିବେଷଣ ଓ ପରିଣତି ଗୋଟିଏ ସୂତ୍ରରେ ଗ୍ରଥିତ ହୋଇ ଏହାର କଳାଗତ ଉତ୍କର୍ଷକୁ ପ୍ରତିପାଦିତ କରିଛି ।’’ ( କାବ୍ୟ ଶିଳ୍ପୀ ଗଙ୍ଗାଧର-ପୃଷ୍ଠା-୭, ସମ୍ବଲପୁର, ୧୯୯୨ ) ‘ଜ୍ୟୋତିର୍ମୟୀ-ଏଇ ମଂଜ ଶବ୍ଦଟି ହିଁ ସମଗ୍ର କାବ୍ୟ ସତ୍ତାର ସଂଯୋଗ ରଜ୍ଜୁରୂପେ କାର୍ଯ୍ୟ କରୁଛି । କିନ୍ତୁ ତାଙ୍କୁ ସୀତାଙ୍କ ସଙ୍ଗେ ଯୋଡ଼ିବା ଅପ୍ରାସଙ୍ଗିକ ହେବା ନମସ୍କାରାନ୍ତେ କବି ବସ୍ତୁ ନିର୍ଦ୍ଦେଶକରି କହିଛନ୍ତି :

 

‘‘ବାଲମୀକି ଆଶ୍ରମକୁ ଧାଇଁଅଛି ମନ,

କରିବାକୁ ନିର୍ବାସିତା ସୀତାଙ୍କୁ ଦର୍ଶନ ।’’

 

ଏହା କାବ୍ୟର ଆଭିମୁଖ୍ୟ, ଯେଉଁଠି ସୀତାଙ୍କ ଜୀବନର ଚତୁର୍ଥପର୍ବ ତପଶ୍ଚର୍ଯ୍ୟାର ଆରମ୍ଭ । ଇତିପୂର୍ବେ ସେ ରାଜକନ୍ୟା, ବନବାସିନୀ ଓ ରାଜଲକ୍ଷ୍ମୀ ପର୍ଯ୍ୟାୟ ଅତିକ୍ରାନ୍ତ କରି ସାରିଛନ୍ତି । ଏ ସଂପର୍କରେ କବିଙ୍କ ଅଭିବ୍ୟକ୍ତି ପ୍ରଣିଧାନଯୋଗ୍ୟ : ‘‘ନିର୍ବାସନ କଷ୍ଟ ସହିବା ଦ୍ୱାରା ସୀତାଙ୍କର ପତିଭକ୍ତି ଯେପରି ତେଜୋମୟୀ ହୋଇଗଲା, ତାଙ୍କର ହିରଣ୍ମୟୀ ପ୍ରତିକୃତି ରଖି ଅଶ୍ୱମେଧ ଯଜ୍ଞ ନିର୍ବାହ କରିବା ଦ୍ୱାରା ରାମଙ୍କ ପତ୍ନୀ ପ୍ରେମ ସେହିପରି ପ୍ରଦୀପ୍ତ ହୋଇ ଉଠିଲା ।’’ ଉଭୟ ରାମ ଏବଂ ସୀତା ତପସ୍ୟା, ତ୍ୟାଗ ଓ ସଂଯମଦ୍ୱାରା ସ୍ୱୀୟପ୍ରେମକୁ ଅମରତ୍ୱ ପ୍ରଦାନ କରିଛନ୍ତି ।

 

ପ୍ରକୃତି ବର୍ଣ୍ଣନା କାବ୍ୟ ପ୍ରବିଧିରେ ଏକ ପାରମ୍ପରିକ ତଥା ଗୁରୁତ୍ୱପୂର୍ଣ୍ଣ ଉପଚାର । ପ୍ରକୃତି ସଙ୍ଗେ ମାନବର ଏକ ନିରବଚ୍ଛିନ୍ନ ସଂପର୍କ ରହିଆସିଛି । ପ୍ରକୃତିକୁ ବାଦଦେଇ ମଣିଷ କଥା ଚିନ୍ତା କରାଯାଇପାରେନା । ପ୍ରକୃତି କୋଳରେ ସେ ବଢ଼ିଛି, ଖେଳିଛି, ହସିଛି, କାନ୍ଦିଛି ଏବଂ ତା ସଙ୍ଗେ ଏକାତ୍ମ ହୋଇଯାଇଛି । ଆଦିମ କାଳରେ ମଣିଷ ଓ ପ୍ରକୃତି ଏକ ଓ ଅଭିନ୍ନ ଥିଲା । ବୈଦିକ ଆର୍ଯ୍ୟ ଋଷିଗଣ ପ୍ରକୃତି କୋଳରେ ତପସ୍ୟାରତ ଥାଇ ଏବଂ ପବିତ୍ର ଯାଗଯଜ୍ଞରେ ଏ ଦେଶର ପରିବେଶ ଓ ପରମ୍ପରାକୁ ଶୁଦ୍ଧପୂତ ଓ ସାତ୍ତ୍ୱିକ ରୂପ ପ୍ରଦାନ କରିଛି । ସେହି ତପସ୍ୱୀଙ୍କ ସାତ୍ତ୍ୱିକ ମସ୍ତିଷ୍କରୁ ଜନ୍ମ ନେଇଥିଲା ବେଦ, ଉପନିଷଦ, ଗୀତା, ଭାଗବତ, ପୁରାଣ ଆଦି । ତେଣୁ ପ୍ରକୃତି ହେଉଛି ସାରସ୍ୱତ, ଦାର୍ଶନିକ, ମାନବିକ ଅଭିପ୍ରେରଣାର ଉତ୍ସ ଏବଂ ମାନବ ପ୍ରତି ସମ୍ବେଦନଶୀଳତା । ତେଣୁ ବେଦଠାରୁ ଆରମ୍ଭ କରି କାବ୍ୟ ପୁରାଣାଦିରେ ପ୍ରକୃତି ବର୍ଣ୍ଣନା ଏକ ଅପରିହାର୍ଯ୍ୟ ଅଙ୍ଗ । ସେହି ପାରମ୍ପରିକ ଧାରାନୁଯାୟୀ ଗଙ୍ଗାଧରଙ୍କ କାବ୍ୟରେ ପ୍ରକୃତିର ଚମତ୍କାର ବର୍ଣ୍ଣନା ଦେଖାଯାଏ । ଗଙ୍ଗାଧରଙ୍କ ପ୍ରକୃତି ସଂପର୍କରେ ରାଧାନାଥଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ ।

 

‘‘ଗଙ୍ଗାଧର ଉଚ୍ଚଶ୍ରେଣୀର କବି, କି ବହିଃ ପ୍ରକୃତି, କି ଅନ୍ତଃପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । x x x ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି ପ୍ରକୃତିକୁ ସ୍ୱଚକ୍ଷୁରେ ଦେଖି ଲେଖନ୍ତି । ଏହି ହେତୁରୁ ତାହାଙ୍କର ଉକ୍ତିଗୁଡ଼ିକ ଭାବପ୍ରଧାନ ନ ହୋଇ ରସପ୍ରଧାନ ହୁଏ । ଏହାର ଭୂରିଭୂରି ପ୍ରମାଣ ତାହାଙ୍କ ରଚନାରେ ସୁଲଭ ।’’ (କୀଚକବଧ-ମନ୍ତବ୍ୟ-ରାଧାନାଥ ରାୟ, ହୁଗୁଳି, ତା ୧୨.୦୮.୧୯୦୩ ।)

 

ରାଧାନାଥ, ଗଙ୍ଗାଧରଙ୍କୁ ଜଣେ ଉଚ୍ଚଶ୍ରେଣୀୟ କବିଭାବେ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ତାଙ୍କ ପ୍ରକୃତି ଚିତ୍ରଣର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଆଲୋକପାତ କରିଛନ୍ତି । ଗଙ୍ଗାଧରଙ୍କ ଅନ୍ତଃ ଓ ବହିଃ ପ୍ରକୃତି ଯଥାର୍ଥଭାବେ ଉତ୍ତୀର୍ଣ୍ଣ ହୋଇଛି ଏବଂ ପ୍ରକୃତିର ପ୍ରତ୍ୟକ୍ଷ ସଂଶ୍ରବରେ ଆସି ଲେଖୁଥିବା ହେତୁ ତାଙ୍କ ଲେଖା ଭାବ ଦ୍ୟୋତକ ହେବା ସଙ୍ଗେ ରସପ୍ରଧାନ ବି ହୋଇଥାଏ । ରାଧାନାଥଙ୍କ ପ୍ରକୃତି ଚିତ୍ରଣ ଏକ ସାତନ୍ତ୍ର୍ୟ ଦାବି କରିଥାଏ । ରାଧାନାଥ ସ୍ୱୟଂ ଜଣେ ସଫଳ ପ୍ରକୃତି ଚିତ୍ରକର ଏବଂ ତାଙ୍କ କାବ୍ୟ ‘ଚିଲିକା’ ସହ ଅନ୍ୟାନ୍ୟ ଲେଖାରେ ପ୍ରକୃତିର କମ୍ରରୂପ ପ୍ରକଟିତ । ସମଗ୍ର ଓଡ଼ିଶାର ପ୍ରାକୃତିକ ଶୋଭା ସଂପଦର ଏକ ସାମଗ୍ରିକ, ସୂକ୍ଷ୍ମ ତଥା ଚମତ୍କାର ଚିତ୍ର ଅଙ୍କନରେ ରାଧାନାଥଙ୍କ ଭଳି କୌଣସି କବି ସମର୍ଥ ହୋଇ ନାହାନ୍ତି । ରାଧାନାଥ ଯୁଗୀୟ ପ୍ରକୃତି ଚିତ୍ରଣର ଏକ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଥାଏ । ରୀତିକବିମାନଙ୍କ ପ୍ରକୃତି ଚିତ୍ରଣ ଥିଲା ଗତାନୁଗତିକ ଯଥା ନାୟକ ନାୟିକାଙ୍କ ରୂପ ବର୍ଣ୍ଣନା, ଋତୁଚକ୍ର, ଉପବନ, ବନ, ପର୍ବତ, ନଦୀ, ହ୍ରଦ, ଝରଣା, ସରୋବର ଆଦିର ପାରମ୍ପରିକ ବର୍ଣ୍ଣନାରେ ସୀମାବଦ୍ଧ ଥିଲା । କିନ୍ତୁ ରାଧାନାଥ ଯୁଗର, ପ୍ରକୃତି ଚିତ୍ରଣର ଏକ ଭିନ୍ନ ପରିଚୟ ରହିଛି । ଏଥିରେ ପ୍ରକୃତି, ମଣିଷ ସଙ୍ଗେ ଅଭିନ୍ନ ଓ ଏକାତ୍ମ ହୋଇଯାଇଛି । ସେ ମଣିଷର ସୁଖରେ ଆତ୍ମହରା ଓ ଦୁଃଖରେ ସହାନୁଭୂତିଶୀଳ ହୋଇଛି । ପ୍ରକୃତି କୋପକଲେ, ରୋଷରୁଷ୍ଟ ହେଲେ ଅଶାନ୍ତ ଓ ଉଗ୍ରରୂପ ଧାରଣ କରିଥାଏ । କିନ୍ତୁ ଶାନ୍ତ ହେଲେ ସୌମ୍ୟ ଓ କରୁଣା ପ୍ରବଣ ହୋଇଥାଏ । ଏସବୁ ଉଭୟ ରାଧାନାଥ ଓ ଗଙ୍ଗାଧରଙ୍କ କାବ୍ୟରେ ପ୍ରକଟିତ ହୋଇଛି । ମଧୁସୂଦନ ପ୍ରକୃତିରେ ଏକ ବ୍ରହ୍ମସତ୍ତାର ସଂଦର୍ଶନ କରିଛନ୍ତି । ରାଧାନାଥ ପ୍ରକୃତିକୁ ସଖୀ, ମାନସୀ, ଗୁରୁ ଓ ପଥପ୍ରଦର୍ଶକ ଭାବେ ଚିତ୍ରଣ କରିଛନ୍ତି ।

 

‘‘ଗୁରୁ ପ୍ରାୟ ତୋତେ ଦୂରୁକଲି ଭୀତି,

ସଖୀ ପ୍ରାୟ ସଦା ସ୍ମରୁଥିଲି ନିତି ।’’ ( ଚିଲିକା )

 

ଏତଦ୍‌ଭିନ୍ନ ପ୍ରକୃତି ମଧ୍ୟ ମଣିଷକୁ ମହାକାଳର ଭ୍ରୂକୁଟୀ ସଂପର୍କରେ ସତର୍କ କରେଇ ଦେଇଥାଏ ।

 

‘‘ମୂଳେକାଳରୂପୀ ଭୀଷଣ ଭୂଜଙ୍ଗ/ଭ୍ରୂକୁଟି ନ ଗଣି କରୁଥାନ୍ତି ରଙ୍ଗ’’ । ମହାକାଳକୁ ମଣିଷ ଅଣଦେଖା କରେ ।

 

ଗଙ୍ଗାଧର ମେହେର ଜଣେ ସଚ୍ଚା ପ୍ରକୃତି ଚିତ୍ରକର । ତାଙ୍କ ପ୍ରକୃତି ବହୁବର୍ଣ୍ଣା, ବହୁମୁଖୀ ଓ ବିବିଧତା ପୂର୍ଣ୍ଣ । ଗଙ୍ଗାଧର ପ୍ରକୃତିର ପ୍ରତ୍ୟକ୍ଷ ସଂପର୍କରେ ଆସି, ପ୍ରକୃତି ସଙ୍ଗେ ଏକାତ୍ମ ହୋଇ ତାର ପ୍ରତ୍ୟେକ ପ୍ରକ୍ରିୟା ସଙ୍ଗେ ନିଜକୁ ମିଶାଇ ପ୍ରକୃତିର ଜୀବନ୍ତ ଚିତ୍ର ଆଙ୍କିଛନ୍ତି । ତେଣୁ ରାଧାନାଥଙ୍କ ଭାଷାରେ ଗଙ୍ଗାଧରଙ୍କ ପ୍ରକୃତି ବର୍ଣ୍ଣନା କେବଳ ଭାବପ୍ରଧାନ ନ ହୋଇ ରସ ପ୍ରଧାନ ହୋଇଛି । ମେହେରଙ୍କ ପ୍ରକୃତି ବର୍ଣ୍ଣନାରେ ବିବିଧ ରସର ପରିପ୍ରକାଶ ଘଟିଛି ଯଦିଓ କରୁଣ ରସ ସେଠି ପ୍ରାଧାନ୍ୟ ବିସ୍ତାର କରିଛି । ରାମଚନ୍ଦ୍ରଙ୍କ ଆଦେଶ ପାଳନ କରି ଲକ୍ଷ୍ମଣ ଯେତେବେଳେ ଭାଗୀରଥୀ ତୀରରେ ସତୀ ସୀତାଙ୍କୁ ବିସର୍ଜନ କରିଗଲେ ପ୍ରକୃତିର ପ୍ରତିକ୍ରିୟା ଦ୍ରଷ୍ଟବ୍ୟ :

 

‘‘ଭରିକି ସୀସକ ଗୁଳି ତରଙ୍ଗର ତୋପେ

ନିୟତିକି ଭାଗୀରଥି ପ୍ରହାରିଲା କୋପେ ?

କମଳ ସକଳେ ହୋଇ ବିଚଳିତ ସରେ

ପଦ୍ମବ୍ୟୁହ ରଚି ଯୁଦ୍ଧକଲେ ଅଳିସରେ ।

ବନଫୁଲେ ବୃନ୍ତ ତେଜି ଭୂମି ପରେ ପଡ଼ି

ଧୂଳିମାଖି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି ।’’

 

ବାୟାବସାତୂଣୀରକୁ ଝାଡ଼ି ବାରମ୍ବାର/ପତ୍ରକଙ୍କ ପତ୍ର କଲା କି ଅବା ବାହାର ? (ପ୍ରଥମ ଅଧ୍ୟାୟ, ପୃଷ୍ଠା-୨, ଗଙ୍ଗାଧର ଗ୍ରନ୍ଥାବଳୀ, ଦାସ ବ୍ରଦର୍ସ, ୧୯୭୨) ଇଏ ଥିଲା ଅନ୍ୟାୟ ବିରୁଦ୍ଧରେ ପ୍ରକୃତିର ସଂଗ୍ରାମ । ଅଯୋଧ୍ୟା ନରପତି ରାମଚନ୍ଦ୍ରଙ୍କ ବିରୋଧରେ ଏ ସଂଗ୍ରାମ । ଜଣେ ନିରୀହା ଅବଳାକୁ ଏପରି ହୃଦୟୀନ ଭାବେ ଜଙ୍ଗଲରେ ନିର୍ବାସନ ଦଣ୍ଡଦେବା କେଉଁ ଆଦର୍ଶ ପ୍ରଜାରଂଜନର ନମୂନା ଏଥିରେ ପ୍ରକୃତି ଚିତ୍ରଣରେ ବୀରରସ ପ୍ରକଟିତ ହୋଇଛି ।

 

ସୀତାଙ୍କର ଦୁର୍ଦ୍ଦିନରେ ସହାୟତ କରିଛି । ମୂର୍ଚ୍ଛିତା ସୀତାଙ୍କ ଶୁଶ୍ରୂଷା କରିଛି ପ୍ରକୃତି :

 

‘‘ସତୀମୁଖେ ସୁଶୀତଳ ବିନ୍ଦୁବିନ୍ଦୁ ପାଣି

ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି ।’’

 

ଠିକ୍‌ ସେହି ମର୍ମରେ ଭକ୍ତକବି ମଧୁସୂଦନ ରାଓ ପ୍ରକୃତିର କରୁଣାମୟୀ ମୂର୍ତ୍ତି ଆଙ୍କିଛନ୍ତି :-

 

‘‘ମିହିରକୁଳ ଲକ୍ଷ୍ମୀ ମୈଥିଳୀ ଦଶା

ଦେଖିଣ ଭାଗୀରଥି ଦୁଃଖେ ବିବଶା,

ତ୍ୱରିତ ବଧୂ ମୋହ ବିନାଶ ଆଶେ,

ଶୀକର ଶୀତବାୟୁ ପେଶିଲେ ପାଶେ ।’’

 

(ସୀତା ବନବାସ-ମଧୁସୂଦନ ଗ୍ରନ୍ଥାବଳୀ, ପୃଷ୍ଠା-୩୨୭, କେ.କେ.ମିଶ୍ର ଆଣ୍ଡ କୋ, କଟକ, ୧୯୮୯)

 

ଉଭୟ କବିଙ୍କ ପ୍ରକୃତି ମଣିଷ ପ୍ରତି ସମ୍ବେଦଶୀଳ ହୋଇଛି । ମୂର୍ଚ୍ଛିତା ସୀତାଙ୍କୁ ପ୍ରକୃତିସ୍ଥ କରିବା ନିମନ୍ତେ ଉଭୟ କବିଙ୍କ ପ୍ରକୃତି ତତ୍ପର ହୋଇପଡ଼ିଛି । ଗଙ୍ଗାଧରଙ୍କ ପ୍ରକୃତି ସୀତାଙ୍କ ମୁଖରେ ବିନ୍ଦୁବିନ୍ଦୁ ଶୀତଳ ଜଳ ସିଞ୍ଚି ସଂଜ୍ଞା ଆଣିବାର ଉପକ୍ରମ କରୁଥିବାବେଳେ ମଧୁସୂଦନଙ୍କ ପ୍ରକୃତି (ଗଙ୍ଗା) ଶୋକରେ ମ୍ରିୟମାଣ ହୋଇ ଶୀକର ଶୀତଳ ବାୟୁ ପ୍ରେରଣ କରିଛନ୍ତି । ସୂର୍ଯ୍ୟବଂଶବଧୂ ସୀତାଙ୍କ ଦୁର୍ବିପାକରେ ଗଙ୍ଗାଦେବୀ ଶୋକରେ ବିବଶ ହୋଇଥିବାବେଳେ ମେହେରଙ୍କ ଲେଖନୀରେ ପ୍ରକୃତି ଲଜ୍ଜିତ ହୋଇଛି : ‘‘ସାଧ୍ୱୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ/ଲଜ୍ଜାଭରେ ଭାନୁ ଦେଲେ ବଦନ ଲୁଚାଇ ।’’ ନିଜ ବଂଶର କୁଳବଧୂ ସତୀ ସ୍ୱାଧୀ ସୀତାଙ୍କର ଏ ଦୁଃଖ ଦୁର୍ବିପାକ ତଥା ସୂର୍ଯ୍ୟବଂଶୀ ରାଜା ରାମଚନ୍ଦ୍ରଙ୍କର ଏ ଅମାନବୀୟ କାର୍ଯ୍ୟରେ ଲଜ୍ଜିତ ସୂର୍ଯ୍ୟଦେବ ମୁହଁ ଲୁଚାଇ ଦେଲେ । ପରବର୍ତ୍ତୀ ସମୟରେ କବି ଏହାକୁ ଆହୁରି ଅଧିକ ଶାଣିତ ଓ ଅଧିକ ପ୍ରାଞ୍ଜଳ କରିଛନ୍ତି । ସୂର୍ଯ୍ୟଦେବଙ୍କ ଏ ମୁହଁ ଲୁଚାକୁ ପ୍ରଦୋଷ ଲୋକଲୋଚନକୁ ଆଣିଛନ୍ତି । କବି ଏଥିପାଇଁ ପ୍ରକୃତିକୁ ଆୟୁଧ କରିଛନ୍ତି, ପ୍ରକୃତିରେ ବ୍ୟକ୍ତିତ୍ୱ ଆରୋପ କରିଛନ୍ତି । ଭାସ୍କର ବଂଶର ଏ କଳଙ୍କକୁ ଲୁକ୍କାୟିତ ରଖିବା ନିମନ୍ତେ ସୂର୍ଯ୍ୟଦେବ ଯେଉଁ ଯବନିକା ଟାଣିଥିଲେ ସେ ରହସ୍ୟ ପ୍ରଦୋଷ ଜାଣିଥିଲେ ଏବଂ-

 

‘‘ଜାଣି ସେ ରହସ୍ୟ କରିବାକୁ ଦୃଶ୍ୟ ଭାସ୍କର ବଂଶର ଦୋଷ

ଅଚିରେ ଅବନୀ ପୃଷ୍ଠୁ ସେ ଯବନୀ ଉଠାଇ ଦେଲା ପ୍ରଦୋଷ ।’’

 

କେବଳ ସେତିକି ନୁହେଁ ସେ ମଧ୍ୟ ବିହଙ୍ଗ କଣ୍ଠରେ ଚିତ୍କାର କରି ସ୍ୱର୍ଗବାସୀଙ୍କୁ ଜଣେଇ ଦେଲା ଏବଂ ତାର ଫଳ ସ୍ୱରୂପ ‘‘ଏକପଛେ ଏକତା, ପଛେ ଅନେକ ଆସି ହୋଇଗଲେ ଠୁଳ ।’’ ଅତି ଚମତ୍କାର ଏ ପ୍ରକୃତି ଚିତ୍ର । ସନ୍ଧ୍ୟାହେଲେ ବାରିଦ ନଇଁଯାଏ ଏବଂ ପକ୍ଷୀମାନେ କିଚିରି ମିଚିରି କରି ଯେପରି ସୀତାଙ୍କ ନିର୍ବାସନ କଥା ପ୍ରଚାର କରି ହୋ-ହଲ୍ଲା କଲେ ଏବଂ ଗୋଟିକ ପରେ ଗୋଟିଏ ତାରା ଆକାଶରେ ଉଙ୍କିମାରି ସନ୍ଦେହୀ ଚକ୍ଷୁରେ ସୀତାଙ୍କୁ ନିରୀକ୍ଷଣ କଲେ । ଚମତ୍କାର ଆଇରନି ବା ବିଦ୍ରୂପ ମେହେରଙ୍କର ପ୍ରକୃତି ଚିତ୍ରଣର ବୈଶିଷ୍ଟ୍ୟ ।

 

ପ୍ରକୃତିଠାରେ ବ୍ୟକ୍ତିତ୍ୱ ଆରୋପର ଆଉ ଏକ ଅଭିନବ ଉପାୟ ହେଲା ‘କୀଚକ ବଧ’ର ବସନ୍ତ ବର୍ଣ୍ଣନା ପ୍ରସଙ୍ଗରେ । ସେଠାରେ ସେହିପରି ଋତୁରାଜ ବସନ୍ତ, ସୂର୍ଯ୍ୟ ଓ ନବପତ୍ର ଇତ୍ୟାଦିର ମେଟାଫର ନେଇ ଏବଂ ସେମାନଙ୍କଠାରେ ବ୍ୟକ୍ତିତ୍ୱ ଆରୋପ କରି ଏକ ଜୀବନ୍ତ ପରିବେଶ ସୃଷ୍ଟି କରିଛନ୍ତି କବି :

 

‘‘ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ, ପାଦପ ଆନୀତ ପତର ପରଭୃତ ପଠନେ ।

ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ ସମ୍ରାଟ ଭାଷା, ଗମିଲେ ସରଳ ପଥରେ ତେଜି ଦକ୍ଷିଣ ଆଶା ।’’

 

ନବ କିଶଳୟରେ ଉତ୍କୀର୍ଣ୍ଣ ‘‘ଋତୁରାଜ ବସନ୍ତଙ୍କ ଆଗମନ ବାର୍ତ୍ତା କୋକିଳ ମୁଖରେ ଉଦ୍‌ଘୋଷିତ ହେବାପରେ, ଗ୍ରହରାଜ ତାଙ୍କ ଗତି ବଦଳେଇ ସରଳ ଗତିରେ ଯାତ୍ରା କଲେ । ଅନ୍ୟ କଥାରେ ସୂର୍ଯ୍ୟଙ୍କର ଉତ୍ତରାୟଣ ହେଲା ବସନ୍ତ ଋତୁରେ । ଚମତ୍କାର ବିଦ୍ରୂପ ହେଲା କବି ଗଙ୍ଗାଧରଙ୍କ କବିପ୍ରତିଭା :

 

‘‘ଶିଶିର ନାଶଇ ପଦ୍ମିନୀ ଘନରବିଙ୍କି ନାଶେ,

ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ ।’’

 

(ଦ୍ୱିତୀୟ ସର୍ଗ-କୀଚକ ବଧ, ଗଙ୍ଗାଧର ଗ୍ରନ୍ଥାବଳୀ, ଦାସବ୍ରଦର୍ସ, କଟକ, ବ୍ରହ୍ମପୁର, ୧୯୭୨, ପୃଷ୍ଠା-୧୩୧)

 

ଗ୍ରହରାଜ ସୂର୍ଯ୍ୟଙ୍କର ଅବସାଦ ଯେ ତାଙ୍କ ପ୍ରାଣପ୍ରିୟା ପଦ୍ମିନୀଙ୍କୁ ଶିଶିର ଅର୍ଥାତ୍‌ ଶୀତଋତୁ ବିନାଶ କରିଥାଏ, ବର୍ଷା ଋତୁ ମଧ୍ୟ ସୂର୍ଯ୍ୟଙ୍କୁ ବହୁବାର କବିଳିତ କରିଥାଏ, ତାଙ୍କୁ ଆଚ୍ଛାଦିତ କରେ । ସାଧାରଣ ଋତୁମାନଙ୍କର ପରାକ୍ରମ ଯଦି ଏପରି ହୁଏ, ଋତୁପତି କେତେ ଭୟଙ୍କର ନ ହୋଇଥିବେ-। ଏଣୁ ସେ ସଂତାପିତ ହେଲେ, ସଂତ୍ରସ୍ତ ହୋଇ ରହିଲେ । ମେହେରଙ୍କ ପ୍ରକୃତି ଚିତ୍ର ଅତି ନିବିଡ଼, ଅତି ଜୀବନ୍ତ ଓ ଅତି ବାସ୍ତବ ଧର୍ମୀ । ପ୍ରକୃତିର ଛତ୍ରେ ଛତ୍ରେ ଗୋଟିଏ ଗୋଟିଏ ଜୀବନ୍ତ ଚରିତ୍ର ଠିଆହୋଇଛନ୍ତି ଏବଂ ସେସବୁର ସମାହାରରେ ଏକ ମହାନାଟକ ଯେପରି ସଂଘଟିତ ହୋଇଛି । ଚତୁର୍ଥ ସର୍ଗରେ ଆଶ୍ରମରେ ସୀତାଙ୍କ ପ୍ରଥମ ପ୍ରଭାତରେ ପ୍ରକୃତିର ମହାବେଦୀପୁରେ ଏକ ଉତ୍ସବ ସଂଗଠିତ ହୋଇଛି । କେଉଁ ଯୋଗେଶ୍ୱରୀ ମଧୁରକଣ୍ଠରେ ଆହ୍ୱାନ କରନ୍ତି, ନବଜୀବନ ଦାନ କରୁଛନ୍ତି, ସମୀର ସଙ୍ଗୀତଗାନ କରୁଛି, ଭ୍ରମରବୀଣାବାଦନ କରୁଛି, ସୁରଭି ନର୍ତ୍ତନ କରୁଛି, କୁମ୍ଭାଟୁଆ ଭାଟ ଭଳି ସ୍ତବ ପଢ଼ୁଛି ଏବଂ ସତୀଙ୍କି ଶଯ୍ୟାତ୍ୟାଗ ନିମନ୍ତେ ପ୍ରବର୍ତ୍ତାଉଛି, ଦେବୀ ସୀତା ନିଜର ଶୋକ ସନ୍ତପ୍ତ ଅନ୍ତରରେ ରାମଚନ୍ଦ୍ରଙ୍କ ମୂର୍ତ୍ତି ପ୍ରତିଫଳନ କରି ଶଯ୍ୟାରୁ ଉଠିଲେ ଏବଂ ଅନୁକମ୍ପାଙ୍କ ପୟରେ ନମସ୍କାର କରି ଉଷାଙ୍କୁ ବନ୍ଦନା କଲେ । କବି ପ୍ରକୃତିର ବିବିଧ ଉପାଦାନକୁ ବ୍ୟକ୍ତିତ୍ୱ ଆରୋପ କରିଛନ୍ତି । କବିବର ରାଧାନାଥ ଏପରି ପ୍ରକୃତି ଚିତ୍ରଣରେ ଚମତ୍କାର ଓ ଜୀବନ୍ତ ଆଲେଖ୍ୟ ଆଙ୍କିଛନ୍ତି । ଚିଲିକାରେ ପଦ୍ମାବତୀଙ୍କ ନୌଯାତ୍ରା ସଂପର୍କିତ ଉପମା ଅତି ଚମତ୍କାର :

 

‘‘ନୀଳିମାରେ ବାମା ଚାରୁକେଶ ବାସ, ତୋ ନୀଳବିଚିକି କଲା ଉପହାସ

ତେଣୁ କି ତରଙ୍ଗ ଅପମାନଭରେ, ଶିର ପିଟୁଥିଲେ ତରଣୀ ପଞ୍ଜରେ ।’’

 

ଏଠାରେ ନୀଳଜଳକୁ ଜୀବନ୍ତ ଚରିତ୍ର ରୂପେ କବି ଚିତ୍ରଣ କରିଛନ୍ତି । ସେହିପରି ବର୍ଣ୍ଣନା ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳରେ ଦେଖାଯାଏ (ଗ୍ରୀଷ୍ମଋତୁ ବର୍ଣ୍ଣନା ପ୍ରସଙ୍ଗରେ କବି କହନ୍ତି :)

 

‘‘କୁଶଳୀ ଭ୍ରମରି ନର୍ତ୍ତକୀ ପରାୟ ଭ୍ରମିଲେ ବାତଚକ୍ରମାନେ’’ ବା ଉତ୍ତପ୍ତ ବାଲିରେ ପଥିକର ଅବସ୍ଥାକୁ ଦେଖି’’ କରାଇଲା ନୃତ୍ୟ ପଥିକ ପଦକୁ ସଂଗ୍ରାମ ଭୂମି ଅଶ୍ୱବତ ଇତ୍ୟାଦି ବାସ୍ତବ ଓ ଜୀବନ୍ତ ବର୍ଣ୍ଣନାରେ ପୂର୍ଣ୍ଣ । ଅବଶ୍ୟ ବିଦଗ୍ଧ ଚିନ୍ତାମଣିରେ କବି ଅଭିମନ୍ୟୁ ସାମନ୍ତସିଂହାର ଖୁବ୍‌ ଚମତ୍କାର ଭାବେ ପ୍ରକୃତିର ଜୀବନ୍ତ ଚିତ୍ର ଆଙ୍କିଛନ୍ତି:

 

‘‘ବିଚାରି କି ପଦ୍ମଯୋନି ସୁଧା ଅନୁରାଗ ଘେନି

ବିଶ୍ୱ ତୁଳନାରେ ତୂଳୀ କଳନା କରେ

ଗରୁଆ ତଳକୁ ଗଲା ଉଶ୍ୱାସଭାର ଉଠିଲା

ଉଚ୍ଚନୀଚ ନୀଚଉଚ୍ଚ ଜଣା ବିଧିରେ ।

ସୁଧା ଅନୁରାଗ ସଙ୍ଗତେ

ସରି କରି ପାରି ବୋଲିବକେ କେମନ୍ତେ ।’’

 

କବି କୁମାର ପୂର୍ଣ୍ଣିମା ଅବସରରେ ଚମତ୍କାର ସନ୍ଧ୍ୟା ବର୍ଣ୍ଣନା କରିଛନ୍ତି । ଗୋଟିଏ ପାଖେ ଅସ୍ତ୍ରାୟମାନ ସୂର୍ଯ୍ୟ ଓ ଅନ୍ୟ ପଟେ ଉଦିତ ଚନ୍ଦ୍ର । କବି ଏ ଦୁଇଟିର କଳନା ନିମନ୍ତେ ଦୁଇଟି ତରାଜୁରେ ଓଜନ କରୁଛନ୍ତି । ଫଳତଃ ଗୁରୁପାର୍ଶ୍ୱ ତଳକୁ ଗଲା ଓ ହାଲ୍‌କା ପାଖ ଉପରକୁ ଉଠିଲା । ଅନ୍ୟ କଥାରେ କହିଲେ ସୂର୍ଯ୍ୟ ଓଜନିଆ ଥିବାରୁ ତଳକୁ ଗଲେ ଓ ଚନ୍ଦ୍ର ହାଲ୍‌କା ହେତୁ ଉପରକୁ ଉଠିଲେ । ଚନ୍ଦ୍ର ଓ ସୂର୍ଯ୍ୟ ଯଥାକ୍ରମେ ଅମୃତ ଓ ଅନୁରାଗର ପ୍ରତୀକ । ଅନୁରାଗ ବା ରାଧାକୃଷ୍ଣଙ୍କ ପ୍ରେମକୁ କବି ଏକ ଚମତ୍କାର ପ୍ରତୀକ ଦ୍ୱାରା ପ୍ରକାଶ କରିଛନ୍ତି । ଅନୁରାଗର ଉତ୍କର୍ଷ (ସୁଧା (ଅମୃତ) ଉପରେ ହିଁ ପ୍ରତିପାଦିତ ହୋଇଛି, କିନ୍ତୁ ପ୍ରେମଗୁରୁ ହେତୁ ତଳକୁ ଦବିଛି ।

 

କବି ଗଙ୍ଗାଧର ତପସ୍ୱିନୀର ତୃତୀୟ ଓ ଚତୁର୍ଥ ସର୍ଗରେ ପ୍ରକୃତିର ବିବିଧ ଉପାଦାନକୁ ଗ୍ରହଣ କରି ଚମତ୍କାର ନାଟକ ବା ରୂପକ ସଂରଚନା କରିଛନ୍ତି । ସୀତାଙ୍କର ବାଲ୍ମୀକ ଆଶ୍ରମସ୍ଥ ପ୍ରଥମ ପ୍ରଭାତରେ ଏହି ରୂପକର ଆୟୋଜନ କରାଯାଇଛି ଉଷାଙ୍କର ଦେବୀଙ୍କି ଦର୍ଶନ ଓ ସ୍ୱାଗତ କରିବା ପ୍ରସଙ୍ଗରେ । ଉଷାଙ୍କଠାରେ ବ୍ୟକ୍ତିତ୍ୱ ଆରୋପ କରାଯାଇଛି । ସେ ପଲ୍ଲବ-କରରେ ନୀହାରଯୁକ୍ତ ଉପହାର ଆଣିଛନ୍ତି, ସମୀର ସଙ୍ଗୀତ ଗାନ କରୁଛି । ସୁରଭି ନୃତ୍ୟ କରୁଛି, କୁମ୍ଭାଟୁଆ ରୂପୀ ଭାଟ ସ୍ତବ ପାଠ କରୁଛି, କଜଳ ପାତି ମଧ୍ୟ ସୀତାଙ୍ଗ ପ୍ରଶସ୍ତି ଗାନ କରୁଛି ଏବଂ ସତୀ ସୀତାଙ୍କୁ ଲଳିତ କଣ୍ଠରେ ନିଦ୍ରାଭଙ୍ଗ ନିମନ୍ତେ ଆହ୍ୱାନ କରୁଛି । ତପସ୍ୱିନୀ ଅନୁକମ୍ପା ମଧ୍ୟ ସୀତାଙ୍କୁ ଉଷା ଆଗମନୀ ବାର୍ତ୍ତା ଜଣେଇଛନ୍ତି । ଏଇଭାବେ ଆଶ୍ରମେ ପ୍ରଭାତ ନାଟକ ସମାହିତ ହୋଇଛି କବିଲେଖନୀରେ । ଏସବୁ ବାହ୍ୟ ପ୍ରକୃତିର ଅତି ଚମତ୍କାର ଓ ବାସ୍ତବ ବର୍ଣ୍ଣନାରେ ଗଙ୍ଗାଧରଙ୍କ କାବ୍ୟ ସମୃଦ୍ଧ ହୋଇଛି । ଏତଦ୍‌ଭିନ୍ନ ଋତୁବର୍ଣ୍ଣନା, ସନ୍ଧ୍ୟାବର୍ଣ୍ଣନା, ନଦୀ, ପର୍ବତ, ଉଦ୍ୟାନ ଇତ୍ୟାଦି ବର୍ଣ୍ଣନାରେ ତାଙ୍କ ପ୍ରକୃତି ବର୍ଣ୍ଣନାର ପରିସରଭୁକ୍ତ । ତାରା, ଜହ୍ନ, ବର୍ଷା, ପକ୍ଷୀ ତାଙ୍କ କାବ୍ୟରେ ଚମତ୍କାରଭାବେ ବର୍ଣ୍ଣିତ ହୋଇଛି । ତାହା ପୁଣି ମିଥ୍‌ ଓ ଆର୍କିଟାଇପ ସଂଗେ ସଂଯୋଗ କରାଯାଇଛି-। ଉଦାହରଣସ୍ୱରୂପ ‘ମଙ୍ଗଳ ପ୍ରଦୀପ ରତି ପ୍ରଭାତୀ ତାରା ।’ ସତୀଙ୍କ ସ୍ନାନ ଯାତ୍ରା ସଂପର୍କରେ କୁହାଯାଇଥିବାବେଳେ ସନ୍ଧ୍ୟା ବେଳେ ଉଇଁ ଆସୁଥିବା ତାରାଙ୍କ ସଂପର୍କରେ କବି କହନ୍ତି-

 

‘ବିହଙ୍ଗମଗଣ ଡାକନ୍ତେ ଗଗନ ପ୍ରାଙ୍ଗଣେ ତାରକାକୁଳ

ଏକ ପଛେ ଏକ ତା ପଛେ ଅନେକ ଆସି ହୋଇଗଲେ ଠୁଳ ।’’

 

ଏଠାରେ ତାରକାମାନେ ଦେବୀ ଯେଉଁମାନେ ବନରେ ନିର୍ବାସିତ ସୀତାଙ୍କ କକର୍ଥନାକୁ କରୁଣା ନୟନରେ ନିରୀକ୍ଷଣ କରିଛନ୍ତି । ଅନ୍ୟତ୍ର କବି ତର୍କଣା କରନ୍ତି: ‘‘ଅଗସ୍ତ୍ୟ ଗରିମା ଶୋଷନ୍ତି ପ୍ରତି ଶିଶିର ବିନ୍ଦୁ ।’’ କ୍ଷୁଦ୍ର ଶିଶିର କଣିକା ସପ୍ତସିନ୍ଧୁ ଚଳୁ କରିଥିବା ଅଗସ୍ତି ଋଷିଙ୍କ ଅହଂକାରକୁ ଯେପରି ଖର୍ବ କରିଦେଉଛି । ପ୍ରକୃତି ବର୍ଣ୍ଣନା ପ୍ରସଙ୍ଗରେ କବି ମିଥ୍‌ର ପ୍ରୟୋଗ କରି ଏହାର ଉତକ୍‌ର୍ଷ ଆଣିଛନ୍ତି । ସେହିପରି ରୋରୁଦ୍ୟମାନା ସୀତାଙ୍କ ପ୍ରସଙ୍ଗରେ ମୁନିକୁମାରୀମାନେ ବାଲ୍ମୀକ ମହର୍ଷିଙ୍କ ସମକ୍ଷରେ କହନ୍ତି-‘‘ତିନ୍ତାଇ ଦେଉଛି ବାସକୁ ତାର ନୟନ ବାରି/ଦେବୀକି ମାନବୀ ସହଜେ ହେଉନାହିଁତ ବାରି ।’’ ସେମାନେ ସୀତାଙ୍କୁ ଦେବୀ ଭାବେ ତର୍କଣା କଲାବେଳେ ତାଙ୍କ ଅଶ୍ରୁ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଉଛି, କାରଣ ଦେବୀମାନେ କାନ୍ଦିଲେ ଅଶ୍ରୁନିର୍ଗତ ହୁଏନା । ଏଥିରେ ମଧ୍ୟ ସେଇ ମିଥ୍‌ର ସଂଯୋଗ । ଏପରି ବହୁ ସ୍ଥଳରେ ମିଥ୍‌ର ପ୍ରୟୋଗ ଦେଖାଯାଏ । ଗଙ୍ଗାଧରଙ୍କ ପ୍ରକୃତି ବର୍ଣ୍ଣନାର ତୁଳନା ନାହିଁ । କୀଚକ ବଧ ମୁଖବନ୍ଧରେ କବିବର ରାଧାନାଥ ରାୟଙ୍କ ମନ୍ତବ୍ୟ ଯଥାର୍ଥରେ ଉପଯୋଗୀ-‘‘ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି, ପ୍ରକୃତିକୁ ସ୍ୱଚକ୍ଷୁରେ ଦେଖି ଲେଖନ୍ତି । ଏହି ହେତୁରୁ ତାହାଙ୍କର ଉକ୍ତି, ଗୁଡ଼ିକ ଭାବପ୍ରଧାନ ନ ହୋଇ ରସ ପ୍ରଧାନ ହୁଏ ।’’

 

କେବଳ ଏତିକି ନୁହେଁ ଉକ୍ତ କବି ମଧୁସୂଦନ ଯେପରି ପ୍ରକୃତି ମଧ୍ୟରେ ଏକ ବ୍ରହ୍ମମୟଙ୍କ ସତ୍ତା ଉପଲବ୍ଧି କରିଛନ୍ତି, ଗଙ୍ଗାଧରଙ୍କ ପ୍ରକୃତିରେ ସେହିପରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି-। କବି ନିଜକୁ ଅମୃତ ସିନ୍ଧୁର ବିନ୍ଦୁସଙ୍ଗେ ତୁଳନା କରିଛନ୍ତି । ଚମତ୍କାର ଭାବେ ଫୁଟିଉଠିଛି କବିତାଟି ଏକ ଆଧ୍ୟାତ୍ମିକ ପ୍ରତୀକ ମାଧ୍ୟମରେ-

 

‘‘ମୁଁ ତ ଅମୃତସାଗର ବିନ୍ଦୁ, ନଭେ ଉଠିଥିଲି ତେଜି ସିନ୍ଧୁ

ଖସିମିଶିଛି ଅମୃତ ଧୀରେ, ଗତି କରୁଛି ସେ ଅକୂପାରେ,

ପଥେ ଶୁଖିଗଲେ ପାପ ତାପରେ, ହୋଇ ଶିଶିର ଖସିବି ତାପରେ

ଅମୃତ ମୟ ଅମୃତରୟ ଜୀବନ କରୁଛି ଜର୍ଜ୍ଜର ।’’

 

(ଅମୃତମୟ-ଅର୍ଘ୍ୟଥାଳୀ, ଗଙ୍ଗାଧର ଗ୍ରନ୍ଥାବଳୀ ପୃଷ୍ଠା ୨୬୦, ୧୯୭୨)

 

ସେହିପରି ମଧୁମୟ କବିତାରେ କବି ଜୀବନକୁ ସମ୍ବୋଧି କହନ୍ତି :

 

‘‘ବିଶ୍ୱଦେଖ ମଧୁମୟରେ ଜୀବନ ବିଶ୍ୱଦେଖ ମଧୁମୟ

ମଧୁର ଝରଣ କରିବ ହରଣ ତୋ ପାପ ମରଣ ଭୟରେ ଜୀବନ ।’’

 

ଏ ବିଶ୍ୱ, ନଦୀ, ଝରଣା, ସମୁଦ୍ର ସବୁ ଅମୃତମୟ, ଏକ ଅମୃତମୟ ଜ୍ୟୋତି ବିଛୁରି ହୋଇ ପଡ଼ିଛି ବିଶ୍ୱବକ୍ଷରେ । କବି ଦୃଷ୍ଟିରେ ପ୍ରକୃତି ଅମୃତ ରସରେ ରସାଣିତ, ବିଶ୍ୱ ନିୟନ୍ତାଙ୍କର ଅମର ସୃଷ୍ଟି । ସେହିପରି ‘ଅର୍ଘ୍ୟଥାଳୀ’ର ଭକ୍ତିକବିତାରେ କବି ଭଗବାନଙ୍କୁ ସିନ୍ଧୁ ସଙ୍ଗେ ତୁଳନା କରିବାରେ ଦ୍ୱିଧାବୋଧ କରି କହନ୍ତି : ‘‘ବିଶ୍ୱଜୀବନ ହେ, ତୁମ୍ଭଙ୍କୁ କରୁଣା ସିନ୍ଧୁ/ବୋଲିବାକୁ ମନ ବଳୁ ନାହିଁ ଯେଣୁ/ସିନ୍ଧୁ ତବ କୃପା ବିନ୍ଦୁ ।’’ ସିନ୍ଧୁ ଯାହାର କରୁଣାର ଅଣୁମାତ୍ର ଛାର ସିନ୍ଧୁକୁ କିପରି ତାଙ୍କ ସଙ୍ଗେ ତୁଳନା କରାଯିବ ? ଏ ସାରା ବିଶ୍ୱତ ତାଙ୍କ ସର୍ଜନା, କଣ ବା ଦେଇ ତାଙ୍କୁ ପୂଜା କରାଯିବ । କାରଣ, ‘‘ଯାଙ୍କ ପରସାଦ ତାଙ୍କୁ ଅରପିଲେ ହେବ ସନା ଅପରାଧ ।’’ ଅନ୍ୟତ୍ର ସୀତାଙ୍କ ସିନ୍ଦୂର ବିନ୍ଦୁ ସଂପର୍କରେ କବି କହନ୍ତି, ‘‘ଲଳିତ ଦିଶୁଛି ଲଲାଟେ ତାର ସିନ୍ଦୁର ବିନ୍ଦୁ/ମୁଖକମଳକୁ ହୋଇଛି ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ ।’’ ମେହେର ସାହିତ୍ୟରେ ନଦୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତମସା ବାଲ୍ମୀକ ଆଶ୍ରମ ସମୀପରେ ପ୍ରବାହିତ । ସେଇ ପ୍ରସଙ୍ଗରେ ତମସା କହିଛି : ‘‘ଗଙ୍ଗା ସିନ୍ଧୁ ଗୋଦାବରୀ ସେ ସବୁ ଗୁଣେ ତୋ ସରି/ତଥାପି ବର୍ଦ୍ଧନ କରିଛନ୍ତି ଗୌରବ ।’’ ଏତଦ୍‌ଭିନ୍ନ ଆଞ୍ଚଳିକ ନଦୀ ମହାନଦୀ, ଇବ, ଅଙ୍ଗ, ସୁକ୍‌ତେଲ ତାଙ୍କ କାବ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଗୋରୁଦ୍ୟମାନା, ଦୁଃଖରେ ଅଧୀରା ସୀତା ତାଙ୍କ ଚଉପାଶେ ଘେରି ରହିଥିବା ମୁନି କୁମାରୀଙ୍କି କବି ତୁଳନା କରନ୍ତି :

 

‘‘ବରଷାର ମହାନଦୀର ଘୋର ଆବିଳ ଜଳ/ପୂର୍ଣ୍ଣ କରିବାକୁ କି ରୂପେ ହେବ ନିର୍ମଳାବଳ-।’’ ଏଠାରେ ଶୋକ ସନ୍ତପ୍ତା ସୀତାଙ୍କୁ ଗାଢ଼ ଆବିଳ ବନ୍ୟା ଜଳ ଏବଂ ତେଲ, ଇବ, ଅଙ୍ଗ ଉପନଦୀମାନେ ହେଲେ ସ୍ୱଚ୍ଛ ସଲୀଳା, ଯାହାକି ନିର୍ମଳ ଧାର ମହାନଦୀର ଗୋଳିଆ ପାଣିର ସାମାନ୍ୟ ପରିବର୍ତ୍ତନ ବି କରିପାରୁ ନାହିଁ । କବିଙ୍କ ମତରେ ଏମାନେ କିପରି ନିର୍ମଳା ବଳ ବା ଫିଟ୍‌କିରି ହୋଇ ପାରିବେ ? ଅର୍ଥାତ୍‌ ସୀତାଙ୍କର ଗଭୀର ଶୋକକୁ ଶାନ୍ତ କରିବାରେ ଏ ମୁନିକୁମାରୀମାନେ ସହାୟତା କରିପାରିବେ ? ଚମତ୍କାର ଏ ଉପମାନୈପୂଣ୍ୟ କବିଙ୍କର ତାଙ୍କର ପ୍ରିୟନଦୀମାନଙ୍କୁ କାବ୍ୟରେ କଳାତ୍ମକ ଭାବେ ଉପସ୍ଥାପନ କରିବାରେ ।

 

ରାଧାନାଥ ଗଙ୍ଗାଧରଙ୍କ କାବ୍ୟର ଅନ୍ତଃ ଓ ବହିଃ ପ୍ରକୃତିର ସମାବେଶ ହେବା କଥା ଉଲ୍ଲେଖ କରିଛନ୍ତି । ସେ ନିଜେ ମଧ୍ୟ ନିଜ କାବ୍ୟରେ ତାର ସାର୍ଥକ ପ୍ରୟୋଗ କରିଛନ୍ତି । ରାଧାନାଥ ବା ଗଙ୍ଗାଧରଙ୍କ ବାହ୍ୟ ପ୍ରକୃତି ଖାଲି ଶୁଷ୍କ ବର୍ଣ୍ଣନାରେ ସୀମିତ ନୁହେଁ । ଏହା ପ୍ରାଣବନ୍ତ, ରସାଳ, ରମଣୀୟ ଓ ନୈସର୍ଗିକ । ରାଧାନାଥଙ୍କ ‘ତୁଳସୀ ସ୍ତବକ’ରୁ ଏକ ଉଦାହରଣ ଏ ସଂପର୍କରେ ଆଲୋପପାତ କରିଥାଏ ।

 

‘‘ନିରତେ ନୀରପାତେ ପୂରିଲା ସର

ସାତ୍ତ୍ୱିକ ଗୁଣ ଅନ୍ତେ ସାଧିଲା ଅନ୍ତର ।’’

 

ଏଠାରେ ପୁଷ୍କରିଣୀର ନିର୍ମଳଜଳ ବହିଃ ପ୍ରକୃତି ଓ ସାଧୁର ସାତ୍ତ୍ୱିକ ଗୁଣ ଅନ୍ତଃ ପ୍ରକୃତି । ସେହିପରି ‘‘ନିମ୍ନଗାନୀର ବେଗେ ସାଗର ଧାଏଁ/ଶାଶ୍ୱତେ ଭକ୍ତ ଜନମନ ପରାୟେ ।’’ ନିମ୍ନଗାମୀ ଜଳର ସିନ୍ଧୁସଙ୍ଗମ ବହିଃ ପ୍ରକୃତି, କିନ୍ତୁ ପରମବ୍ରହ୍ମଙ୍କଠାରେ ଭକ୍ତର ମନୋନିବେଶ ଅନ୍ତଃ ପ୍ରକୃତି । ଏହିପରି ଅନେକତ୍ର ରାଧାନାଥ ଅନ୍ତଃ ଓ ବହିଃ ପ୍ରକୃତିର ଯୁଗପତ୍‌ ବର୍ଣ୍ଣନା କରିଛନ୍ତି ।

 

କବି ୱାର୍ଡ଼ସୱାର୍ଥ ବହିଃ ପ୍ରକୃତି ମଧ୍ୟରେ, ଅନ୍ତଃ ଚେତନାର ସନ୍ଧାନ ପାଇଛନ୍ତି, ଯେଉଁ ଚମତ୍କାର ତଥା ରମଣୀୟ ସତ୍ତା ବାୟୁର ମର୍ମର ଧ୍ୱନି ଓ ଜଳଧାରାର କଳ ନିନାଦରେ ସେ ଅନ୍ୱେଷଣ କରିଥିଲେ ପ୍ରକୃତିର ଆତ୍ମା, ଯାହା ତାଙ୍କ ସରଳ ତଥା ଅନାବିଳ କୈଶୋର ପ୍ରାଣକୁ ଆବିଷ୍ଟ କରିଥିଲା :

 

‘‘To me the meanest flower that blows can give

Thoughts that do aften lie too deeps for tears.’’ (W. Wordsworth Ode on Intimation of Immortality From Recollections of Early Childhood-Golden Treasury. P.P.309, 1965)

 

ପ୍ରକୃତିର ଆତ୍ମା ଓ ମାନବାତ୍ମା ମଧ୍ୟରେ କବି ତଫାତ୍‌ ଦେଖନ୍ତି ନାହିଁ । ପ୍ରକୃତିର ସତ୍ତ୍ୱା ବିଦ୍ୟମାନ ଠିକ୍‌ ମାନବର ସତ୍ତା ପରି :

 

‘‘In Nature’s presence stood as now I stand

A sensitive being, a creative soul.’’ (W. Wordsworth: The Prelude-Book-XII, London, Macmillan and company, P.P. 181, 1962)

 

ପ୍ରକୃତି ସଂଶ୍ରବରେ ଆସି ମଣିଷ ଏକ ସଂବେଦନଶୀଳ ବ୍ୟକ୍ତିତ୍ୱ ଓ ସର୍ଜନଶୀଳ ଆତ୍ମା (Creature Soul) ରେ ରୂପାନ୍ତରିତ ହୋଇଥାଏ । ଅନ୍ତଃ ପ୍ରକୃତି ଓ ବହିଃ ପ୍ରକୃତିର ଏକ ତୁଳନାତ୍ମକ ତଥା ପାରସ୍ପରିକ ସଂହତି ସଂପର୍କରେ ୱାର୍ଡ଼ସୱାର୍ଥ ତର୍ଜମା କରିଛନ୍ତି । ପ୍ରକୃତିର ମଧ୍ୟ ଅମର ଅବଦାନ ହେଲା ଭାବପ୍ରବଣତା (emotion) ଓ ନିବିଷ୍ଟ ଓ ନିମଗ୍ନତା, ଯାହା ସର୍ଜନା ନିମନ୍ତେ ଦୁଇଟି ଭଉଣୀ ପରି କାର୍ଯ୍ୟ କରିଥାଏ ।

 

ବ୍ୟାସ ବା ହୋମରଙ୍କ ପରି ଅମର ସ୍ରଷ୍ଟାମାନେ ପ୍ରମାଣ କରିଛନ୍ତି ଯେ ଜୀବନର ମହନୀୟ ତଥା ବିରାଟ ଆବେଦନର ପ୍ରୟୋଗ କାବ୍ୟ କବିତାକୁ ଉତ୍ତରିତ ସୋପାନରେ ଅଧିଷ୍ଠିତ କରିଥାଏ । କବି ଜୀବନର ଏହି ବିଶିଷ୍ଟ ଗୁଣ ଓ ଚାରିତ୍ରିକ ଉତ୍ତୁଙ୍ଗତା କାବ୍ୟିକ ସୌନ୍ଦର୍ଯ୍ୟ ଓ କାବ୍ୟକୁ ସତ୍ୟର ନିୟମର ପ୍ରୟୋଗ ଉପରେ ପର୍ଯ୍ୟବସିତ । ଏହି କାବ୍ୟିକ ପ୍ରୟୋଗରେ ୱାର୍ଡ଼ସୱାର୍ଥ କାହିଁକି ସବୁ ସମଶ୍ରେଣୀୟ କବିଙ୍କ ବିଷୟବସ୍ତୁର ଅବବୋଧ, ଅନ୍ତତଃ ମାଥ୍ୟୁଆର୍ନଲଡ଼ଙ୍କ ଭାଷାରେ କହିଲେ : ‘‘On man, on nature and on human life.’’ ଏହାର ସାର୍ଥକ ପ୍ରୟୋଗ ବାଲ୍ମୀକ ଓ ବ୍ୟାସ କରିଥିବା କାରଣରୁ ସେମାନଙ୍କ କାବ୍ୟ କାଳଜୟୀ ହେବା ସଙ୍ଗେ ସଙ୍ଗେ ତନ୍ନିହିତ ଚରିତ୍ରମାନେ ସାର୍ବକାଳୀନ ହୋଇଯାଇଛନ୍ତି । ଆଉ ରାଧାନାଥଙ୍କ ଗଙ୍ଗାଧର ଅନେକାଂଶରେ ସେ ସୋପାନ ସ୍ପର୍ଶ କରି ୱାର୍ଡ଼ସୱାର୍ଥଙ୍କ କାବ୍ୟର ପ୍ରେରଣାର ଉତ୍ସ ପ୍ରକୃତି ଏବଂ ସେହି ପ୍ରକୃତି ହିଁ ଆବେଗ ଓ ଭାବାତୀତ ଆବେଗର ପ୍ରାୟତଃ ସ୍ରଷ୍ଟା-। ତେଣୁ ସେ ‘ପ୍ରିଲ୍ୟୁଡ଼’ର ତ୍ରୟୋଦଶ ଭାଗରେ ଲେଖିଛନ୍ତି-

 

‘‘Form nature doth emotion come and moods

of calmness equally are Nature's gift.’’

 

ମହାକବି କାଳିଦାସ ଉପମା ନୈପୂଣ୍ୟ, ଅର୍ଥ ଗୌରବ ଓ ଲଳିତ ମଧୁର ପଦ ସଂଯୋଜନାରେ ପ୍ରକୃତିକୁ ରମଣୀୟ ରୂପ ପ୍ରଦାନ କରିଛନ୍ତି । ‘କୁମାର ସମ୍ଭବ’ରେ ତାର ଉଦାହରଣ ଦ୍ରଷ୍ଟବ୍ୟ :

 

‘‘ବାଳେନ୍ଧୁବକ୍ରାଣ୍ୟ ବିକାସଂଭାବାଦ୍‌ ବଭୁଃ ପଳାଶନ୍ୟତି ଲୋହିତାନି ।

ସଦ୍ୟୋବସନ୍ତେନ ସମାଗତାନାଂ ନଖକ୍ଷତାନୀବ ବନସ୍ଥଳୀନାମ୍‌।।

ଲଗ୍ନଦ୍ୱିରେଫାଞ୍ଜନ ଭକ୍ତିଚିତ୍ରଂ ମୁଖେ ମଧୁଶ୍ରୀସ୍ତିଳକଂ ପ୍ରକାଶ୍ୟ ।

ରାଗେଣ ବାଳାରୁଣ କୋମଳେନ ଚୂତ ପ୍ରବାଳୋଷ୍ଠମକଂ କୋର ।’’

 

ଅର୍ଥାତ୍‌ ଦର ବିକଶିତ, ନୂଆଜହ୍ନ ପରି ଲୋହିତ ବର୍ଣ୍ଣର ପଳାଶଫୁଲ ଶୋଭା ପାଇଲା ବସନ୍ତ ସଙ୍ଗେ ବିହାର ଜନିତ କ୍ଷତଚିହ୍ନ ରମଣୀମାନଙ୍କ ଦେହରେ ଦେଖାଦେଲା । ବସନ୍ତଲକ୍ଷ୍ମୀ ମଥାରେ ତିଳଫୁଲର ତିଳକ ପିନ୍ଧିଲା । ତା ଉପରେ ଭ୍ରମରବସି କଜ୍ୱଳର ଭ୍ରମ ସୃଷ୍ଟି କଲା । ବସନ୍ତ ଲକ୍ଷ୍ମୀବାଳସୂର୍ଯ୍ୟଙ୍କ କିରଣର ଅଙ୍ଗରାଗରେ ନିଜର ଦେହ ଏବଂ ବ୍ୟକ୍ତିତ୍ୱ ଆରୋପ ସଙ୍ଗେ ଅନ୍ତଃ ପ୍ରକୃତିର ବର୍ଣ୍ଣନା ରହିଛି ।

 

ଉଲ୍ଲେଖଯୋଗ୍ୟ ଯେ ଗଙ୍ଗାଧରଙ୍କ ବହିଃ ପ୍ରକୃତି ପରି ତାଙ୍କ ଅନ୍ତଃପ୍ରକୃତି ବାସ୍ତବଧର୍ମୀ, କଳାତ୍ମକ, ରସୋଚ୍ଛଳ, ସାର୍ବଜନୀନ ଓ ସାର୍ବକାଳୀକ । ଏସବୁ ମୁଖ୍ୟତଃ କାବ୍ୟବର୍ଣ୍ଣିତ ନାୟକ, ନାୟିକା ଓ ଅନ୍ୟ ଚରିତ୍ରମାନଙ୍କର ସ୍ୱାଭାବିକ ଗୁଣ । ରାଧାନାଥ ରାୟ ‘କୀଚକ ବଧ’ରେ ବିବିଧ ଚରିତ୍ର ସଂପର୍କରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ : ‘‘କୀଚକର ବର୍ଯ୍ୟୋନ୍ମାଦ ଦାମ୍ଭୀକତା ଓ ଲମ୍ଫଟତା, ବିରାଟର ଅରାଜୋଚିତ ସାର୍ଥକେ ଦର୍ଶିତା ।’’ ରାଣୀ ସୁଦେଷ୍ଣାଙ୍କର ନାରୀ ସୁଲଭ ସୌକୁମାର୍ଯ୍ୟ, ଧର୍ମଭୀରୁତା ସଙ୍ଗେ ଅବାଞ୍ଛିତ ଭ୍ରାତୃ ଦୁର୍ବଳତା ଏବଂ ଦ୍ରୌପଦୀଙ୍କ ସେବାଧର୍ମ କର୍ତ୍ତବ୍ୟ ଜ୍ଞାନ, ନିଜ ସତୀତ୍ୱ ବଜାୟ ରଖିବାର ଐକାନ୍ତିକ ଉଦ୍ୟମ ଇତ୍ୟାଦି, ଛଦ୍ମବେଶୀ ସୂପକାର ଓରଫ୍‌ ଭୀମସେନଙ୍କ ନିକଟରେ ବୟାନ୍‌:

 

‘‘ଦ୍ରୌପଦୀ ବୋଇଲେ ନାଥ କୀଚକ ଦୁର୍ଜନ, ମୋର ପାପପ୍ରଣୟରେ ବଳାଇଛି ମନ ।

ଆଜି ତାର ଦୂତୀ ଯାହା ଯାଇଅଛି କହି, କୀଚକର ଉପଦ୍ରବେ ହେବନାହିଁ ରହି ।

x                  x                        x

ରକ୍ଷକ ବିହୀନ ମଣି ଏକା ମୋର ପ୍ରତି, ହୋଇଛି ଲୋଳିତ ଜିହ୍ୱ କୀଚକ ଦୁର୍ମତି ।’’ ଏଠାରେ କୀଚକର ଲମ୍ଫଟତା ଏବଂ ଦ୍ରୌପଦୀଙ୍କ ପ୍ରତି ଅନୁରକ୍ତି ଓ ଅବିଶ୍ୱାସଭାଜନ ଭାବ ସତୀତ୍ୱରକ୍ଷା ଉଦ୍ୟମ ଆଦି ପ୍ରତିଫଳିତ ହୋଇଛି । ମେହେରଙ୍କ କାବ୍ୟରେ ନାରୀ ଚରିତ୍ରର ବିବିଧତା ପ୍ରତିଫଳିତ ହୋଇଛି, ହୁଏତ ସେ ସୀତା ବା ଶକୁନ୍ତଳା ହୁଅନ୍ତୁ, ସୈରିନ୍ଧ୍ରୀଙ୍କ ସୁଦେଷ୍ଣା ହୁଅନ୍ତୁ ଅଥବା ଇନ୍ଦୁମତୀ, ନତୁବା ଅନସୂୟା କି ପ୍ରିୟମ୍ବଦା ହୁଅନ୍ତୁ ସମସ୍ତଙ୍କଠାରେ ନାରୀ ସୁଲଭ ଲକ୍ଷଣ ନିହିତ, ତାହା ନକାରାତ୍ମକ ବା ସକାରାତ୍ମକ ହୋଇପାରେ ।

 

କହିବା ବାହୁଲ୍ୟ ଯେ ଗଙ୍ଗାଧରଙ୍କ କାବ୍ୟର ଭିତ୍ତିଭୂମି ବ୍ୟାସ, ବାଲ୍ମୀକି, କାଳିଦାସ, ଭବଭୂତି ଓ ଭାରତୀୟ ସାହିତ୍ୟ ସଂସ୍କୃତିର ଅନ୍ୟମାନେ । ରାମଚନ୍ଦ୍ରଙ୍କ ଚରିତ୍ର ଚିତ୍ରଣରେ ଗଙ୍ଗାଧର ବରଂ ଭବଭୂତିଙ୍କ ଦ୍ୱାରା ଅଧିକ ଅନୁପ୍ରାଣିତ ହେବା ପ୍ରତୀତ ହୁଅନ୍ତି । ଭବଭୂତିଙ୍କ ଶ୍ଳୋକ :

 

‘‘ତ୍ୱଂ ଜୀବିତଂ ତ୍ୱମସି ମେ ହୃଦୟମ

ତ୍ୱଂ କୌମୁଦ୍ୟଂ ନୟନୋଭିମୃତଂ ତ୍ୱମଙ୍ଗେ

ଇତ୍ୟାଦିଭିଃ ପ୍ରିୟଶତୈଂରନୁଦ୍ଧ ମୁଗ୍ଧାମ୍‌

ତାମେବ ଶାନ୍ତ ମଥବାକିମତଃ ପରେଣ ।’’

 

ତପସ୍ୱିନୀର ଅଷ୍ଟମସର୍ଗର ନିମ୍ନୋକ୍ତ ପଙ୍‌ତିର ତୁଳନା କରାଯାଉ :

 

‘‘ସଖି, ମୁଁ ନିଶାତୁହିଁ ଥିଲୁ କୌମୁଦୀ

 

କଲୁ ମୋ ନେତ୍ର-ଫୁଲ କୁମୁଦ ମୁଦି,

ତୋ ବିନା ନାହିଁ ଆଉ ମୋ ସୁଖ ଲେଶ,

 

ଧରିଛି ଉଷାହୀନ ଯୋଗୀର ବେଶ ।

ରାଜଭବନ ଆଜି ହୋଇଛି ବନ,

 

ତୋହେ ବିରହେ ତହିଁ ଦାବ ଦହବ ।

ପ୍ରବେଶି ସବୁ କରିଦେଇଛି ତୁଚ୍ଛ,

 

ଅଛିକ ଆଉ ଶୋଭା ବିଳାସ ?’’

 

ପ୍ରଥମ ଚାରିଧାଡ଼ିର କିଛିଟା ପ୍ରଭାବ ପରିଲକ୍ଷିତ ହେଲେହେଁ ଅନ୍ୟତ୍ର ମେହେରଙ୍କ ସ୍ୱକୀୟ ମୁଦ୍ରାଙ୍କ ସ୍ପଷ୍ଟ । ଗଙ୍ଗାଧର ଭବଭୂତିଙ୍କ ପରି ରାମ ଓ ସୀତାଙ୍କ ଚରିତ୍ରରେ ଯେପରି ସନ୍ତୁଳନ ଆଣିଛନ୍ତି ବାଲ୍ମୀକ ତାହା କରି ପାରି ନାହାନ୍ତି । ରାବଣ ବଧ ପରେ ସର୍ବ ସମକ୍ଷରେ ରାମଚନ୍ଦ୍ର ସୀତାଙ୍କୁ ଯେପରି ବ୍ୟବହାର ଏବଂ ତାଙ୍କ ଚରିତ୍ରକୁ ଯେପରି ସନ୍ଦେହ କରିଛନ୍ତି ତାହା ଅତି ଦୁର୍ଭାଗ୍ୟ ଜନକ : ‘‘ପ୍ରାପ୍ତ ଚରିତ୍ର ସନ୍ଦେହ ମମ ପ୍ରତି ମୁଖେ ସ୍ଥିତା ।’’ ଚରିତ୍ର ପ୍ରତି ଏ ଆକ୍ଷେପ ପରେପରେ ରାମଚନ୍ଦ୍ରଙ୍କର ଦେବୀଙ୍କୁ ନିର୍ଦ୍ଦେଶ ତମର ଯାହା ଇଛା, ଯେଉଁଠିକି ଇଚ୍ଛା, ତମେ ଯାଇପାରେ । କାରଣ ‘‘ଭଦ୍ରେ କାର୍ଯ୍ୟମସ୍ତି ନମେତ୍ୱୟା ।’’ ତମସଙ୍ଗେ ମୋର କିଛି କାମ ନାହିଁ, ତମ ଇଚ୍ଛା ଯୁଆଡ଼େ ଯାଇପାର । ଖାଲି ଏତିକି ନୁହେଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଏତିକିରେ ସନ୍ତୁଷ୍ଟ ହୋଇନାହାନ୍ତି ଏବଂ ଅତି ନିଷ୍ଠୁର ବାକ୍ୟ ପ୍ରୟୋଗ କରି ନିଜପତ୍ନୀଙ୍କି ଶୁଣେଇଛନ୍ତି । ଅତି ତଳକୁ ଖସିଯାଇ ତାଙ୍କୁ ଅନ୍ୟ, ପତିଗ୍ରହଣ ନିମନ୍ତେ ଆଦେଶ ଦେଇଛନ୍ତି । ରୋକଠୋକ୍‌ ଭାବେ ସେ କହିଛନ୍ତି-‘‘ବିଭୀଷଣ, ସୁଗ୍ରୀବ, ହନୁମାନ ଏପରିକି ଲକ୍ଷ୍ମଣଙ୍କ ମଧ୍ୟରୁ ଯାହାକୁ ପତି ରୂପେ ବରଣ କରିବାର ସ୍ୱାଧୀନତା ତାଙ୍କର ଅଛି ।’’

 

ଏଥିରେ ସୀତା ଚୁପ୍‌ ରହି ନ ଥିଲେ, ବରଂ ଖୁବ୍‌ ଧୈର୍ଯ୍ୟ ସହକାରେ ଅତି ସଂଯତ, ଶାଳୀନ ତଥା ନମ୍ର ଭାବରେ ଉତ୍ତର ଦେଇଛନ୍ତି-

 

‘‘କିଂ ମାମ ସଦୃଶଂ ବାକ୍ୟ ମିଦୃଶଂ ଶ୍ରୋତ୍ରଂ ଦାରୁଣମ୍‌।

ୠକ୍ଷଂ ଶ୍ରାବ୍ୟ ମେ ବୀର ପ୍ରାକୃତଃ ପ୍ରାକୃତାମିଚ ।।

ନତଥାସ୍ମି ମହାବାହୋ ଯଥା ମାମବଗଚ୍ଛାମି ।

ପ୍ରତ୍ୟୟଂ ଗଛମେ ସ୍ୱେନ ଚରିତ୍ରେଣୈବ ଶପେ ।।’’

 

(ବାଲ୍ମୀକି ରାମାୟଣ, ଯୁଦ୍ଧକାଣ୍ଡ, ୧୧୬ ସର୍ଗ, ପୃଷ୍ଠା ୧୮୫୦, ୩ୟ ସଂସ୍କରଣ-ଗୀତା ପ୍ରେସ୍‌, ଗୋରଖପୁର, ୧୯୯୨)

 

ଏହାର ଅର୍ଥ ହେଉଛି, ‘‘ହେ ବୀର ! ଆପଣ କାହିଁକି ଜଣେ ସାଧାରଣ ପୁରୁଷ ଜଣେ ଇତରନାରୀକୁ ପ୍ରୟୋଗ କରୁଥିବା କର୍କଶ, ଅଶ୍ରାବ୍ୟ ଓ ନିଷ୍ଠୁର ଶବ୍ଦ ପ୍ରୟୋଗ କରି ସାରା ନାରୀ ଜାତିକୁ ଏପରିଭାବେ କଳଙ୍କି କରୁଛନ୍ତି ? ଆପଣ ମୋ ଚରିତ୍ର ସଂପର୍କରେ ଯାହା ଧାରଣ କରିଛନ୍ତି, ମୁଁ ତାହା ନୁହେଁ ବୋଲି ଜୋରଦେଇ କହିପାରେ ଏବଂ ଯେକୌଣସି ପରୀକ୍ଷାରେ ସମ୍ମୁଖୀନ ହୋଇ ମୁଁ ମୋ ସତୀତ୍ୱର ପରୀକ୍ଷା ଦେବାକୁ ପ୍ରସ୍ତୁତ ।

 

‘ପ୍ରଣୟ ବଲ୍ଲରୀ’ରେ ଶକୁନ୍ତଳା ଏକ ଘୋର ଟ୍ରାଜେଡ଼ି ତଥା ଅପମାନ ଜନକ ପରିସ୍ଥିତିରେ ସମ୍ମୁଖୀନ ହୋଇଥିଲେ, ଯେତେବେଳେ ସେ ‘‘ଏକାନି ସେକାନି ଦେଖିଲେ ବ୍ୟାକୁଳେ ସତ୍ତା ନାହିଁ ମୁଦ୍ରିକାର’’ । କିନ୍ତୁ ଦୁଷ୍ମନ୍ତ ସେତେବେଳେ କୌଣସି ଅଶାଳୀନ ଶବ୍ଦ ପ୍ରୟୋଗ କରି ନଥିଲେ । କେବଳ ମୁନିକୁମାରଙ୍କ ଉକ୍ତିକି ଉତ୍‌ପ୍ରେକ୍ଷା କରି କହିଥିଲେ ।’’ ପୁରୁବଂଶହେବ ବିସ୍ତୃତ ବିସ୍ମୃତ କୀରତି ଜାର ( ଯା’ର ) ସନ୍ତାନେ ।’’ ଶକୁନ୍ତଳା ରାଜାଙ୍କ ମୁଖରୁ ଅର୍ଦ୍ଧଚେତନ ଅବସ୍ଥାରେ ଏହା ଶୁଣିଥିଲା । କିନ୍ତୁ ଯାର (ଯାହାର) ଭାବି ଚୁପ୍‌ ରହିଥିଲେ । କବିଙ୍କ ଭାଷାରେ ‘‘ଜାର ଶବ୍ଦ ଯା’ର ବୁଝିଲା ସରିଲା ଅକ୍ଷରଭେଦ ନ ବାରି ।’’ କବି ଅତି ସତର୍କତାର ସହ ଦୁଷ୍ମନ୍ତଙ୍କ ଚରିତ୍ର ଚିତ୍ରଣ କରିଛନ୍ତି, ଯାହା ଶ୍ରୀରାମ ଚରିତ୍ର ଚିତ୍ରଣରେ ବାଲ୍ମୀକି କରି ପାରିନାହାନ୍ତି । ସୀତା ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ବହୁଭାବେ ରାମଙ୍କୁ ବୁଝାଇଛନ୍ତି । ହୁଏତ ବଳପୂର୍ବକ ଦୁଷ୍ଟ ଦଶାନନ ମୋ ବାହ୍ୟ ଶରୀର ସ୍ପର୍ଶ କରିଛି, କିନ୍ତୁ ମୋ ମନ ପ୍ରାଣ, ହୃଦୟ ସବୁ ମୁଁ ଆପଣଙ୍କ ଶ୍ରୀଚରଣରେ ହିଁ ଅର୍ପଣ କରିଛି । ଆପଣଙ୍କ ସଙ୍ଗେ ସାରାଜୀବନ ପ୍ରେମ ଓ ସହାବସ୍ଥାନ ସତ୍ତ୍ୱେ ଆପଣ ଯଦି ଏକଥା ଅବଗତ ହୋଇ ପାରିଲେ ନାହିଁ ତେବେ ମୁଁ ବିବଶ ପ୍ରଭୋ । ମୋତେ ଜଣେ ଇତର ନାରୀ ଭଳି ଦୋଷାରୋପକରି ସାରା ନାରୀ ଜାତିକୁ କଳଙ୍କିତ କରନ୍ତୁ ନାହିଁ ପ୍ରଭୋ ! ବାଲ୍ମୀକିଙ୍କ ଭାଷାରେ, ‘‘ମମ ଭକ୍ତିଂ ଚ ଶୀଳଂ ଚ ସର୍ବତେ ପୃଷ୍ଠତଃ କୃତମ୍‌ ।’’ ସାରାଜୀବନ ଆପଣଙ୍କ ଭକ୍ତି ମୋର ଭକ୍ତି, ସମ୍ମାନ, ଐକାନ୍ତିକତା, ନିଷ୍ଠା ଓ ଅନୁରକ୍ତିକି ଆପଣ ଅତି ସହଜ ଭାବରେ ଏଡ଼େଇ ଦେଉଛନ୍ତି ପ୍ରଭୋ !’’ ସୀତାଙ୍କର ଏ ଶାନ୍ତ ଶାଳୀନ ଓ ସଂଯତ ପ୍ରତିବାଦ ଭିତରେ କମ୍‌ ଦୃଢ଼ତା ଓ ବିପ୍ଳବର ଆଭାସ ନାହିଁ । ବାଲ୍ମୀକିଙ୍କ ସୀତା ଚରିତ୍ର ରାମଚନ୍ଦ୍ରଙ୍କଠାରୁ ବହୁ ଉର୍ଦ୍ଧ୍ୱକୁ ଉତ୍ତୀର୍ଣ୍ଣ ହୋଇ ଯାଇଥିବା ସ୍ଥଳେ ରାମଚନ୍ଦ୍ରଙ୍କ ଚରିତ୍ର ଅତି ନିମ୍ନଗାମୀ ହୋଇଛି । ରାମଚନ୍ଦ୍ରଙ୍କ ଚରିତ୍ରରେ ଏ ଦ୍ରୁତ ପରିବର୍ତ୍ତନ ଓ ଅବକ୍ଷୟକୁ ସମାଲୋଚକମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ରାଜଗୋପାଳଚାରୀ କହନ୍ତି ‘ରାବଣ ବିନାଶ ପରେ ରାମ ଅବତାରର ଶେଷ ହୋଇଯାଇଛି । ତେଣୁ ତାଙ୍କ ଚରିତ୍ରର ଭାରସାମ୍ୟ ରହିପାରି ନାହିଁ । ସେ ସୀତାଙ୍କ ଅଗ୍ନିପରୀକ୍ଷାକୁ ସହ୍ୟ କରିପାରିନାହାନ୍ତି । ‘‘I must say my heart rebels against it Valmeeki had disposed of this old legend through the fire Ordeal in the battle field. Even that ordeal does not seem to me as consistence with Ram's character. It is painful to read.’’

 

ଅନୁରୂପ ପ୍ରତିକ୍ରିୟା ଜଣେ ବିଦେଶୀ ଗବେଷିକା ଓ୍ୱେଣ୍ଡି ଡୋନିଗର ତାଙ୍କର ‘‘The Hindu: Am Alternative History’’ ଗ୍ରନ୍ଥରେ ପ୍ରକାଶ କରି କହନ୍ତି : ‘ରାମଚନ୍ଦ୍ର ଜଣେ ନିଷ୍ଠୁର ସ୍ୱାମୀ ।’ (a cruel husband ) । ସେ ତର୍ଜମା କରି କହିଛନ୍ତି ଯେ ‘‘ରାମଚନ୍ଦ୍ର ତାଙ୍କ ପିତା ଦଶରଥଙ୍କର ରାଣୀ କୈକେୟୀଙ୍କ ପ୍ରତି ଚରମ ଦୁର୍ବଳତା ହେତୁ ରାମଚନ୍ଦ୍ରଙ୍କୁ ଚଉଦବର୍ଷ ବନବାସ ଭୋଗିବାକୁ ହେଲା ଏବଂ ସେ ପ୍ରଜାମାନଙ୍କ ନିକଟରେ ଶୋଚନୀୟ ଭାବେ ନିନ୍ଦିତ ହେଲେ । ସେହି କାରଣରୁ ସୀତାଙ୍କ ପ୍ରତି ସେ ଆସକ୍ତ ହୋଇ ପ୍ରଜାଙ୍କ ଦ୍ୱାରା ନିନ୍ଦିତ ନ ହୁଅନ୍ତୁ ରାମଚନ୍ଦ୍ର ସଚେତନ ଥିଲେ ।’’ ପ୍ରଜାରଂଜନର ଆଳରେ ହିଁ ଲୋକପବାଦ ଭୟରେ ସେ ସୀତାଙ୍କୁ ନିର୍ବାସନ ଦଣ୍ଡ ଦେଇଥିଲେ । ଏ ସବୁ ସତ୍ତ୍ୱେ ସୀତାଙ୍କ ପ୍ରତି ରାମଚନ୍ଦ୍ରଙ୍କ ଆଚରଣ ଯେ ଅତି ଅମାନବୀୟ, ନିର୍ମମ ଓ ନିଷ୍ଠୁର-ଏଥିରେ ସନ୍ଦେହ ନାହିଁ । ବରଂ ତୁଳନାତ୍ମକ ଭାବେ ବିଚାର କଲେ ଭିଲେନ ବା ଖଳନାୟକ ରାବଣର ଚାରିତ୍ରିକ ତୁଙ୍ଗିମା ଢେର ଊର୍ଦ୍ଧ୍ୱକୁ ଉଠିଯାଇଛି । ଏତେଦିନ ଧରି ଅଶୋକ ବାଟିକାରେ ରଖିଥିବା ସେ ସୀତାଙ୍କ ପ୍ରତି ଅସଦାଚରଣ କରି ନାହିଁ, କି ବଳ ପ୍ରୟୋଗ କରି ନାହିଁ । ଏହା ତାର ମହାନତା । ତେଣୁ ସମାଲୋଚକମାନେ, ବିଶେଷତଃ ପାଶ୍ଚାତ୍ୟ ସମୀକ୍ଷକମାନେ ମଧ୍ୟ ରାମଚନ୍ଦ୍ରଙ୍କ ଅପେକ୍ଷା ରାବଣ ଚରିତ୍ରକୁ ଗୁରୁତ୍ୱ ଦେଇଥାନ୍ତି । ହୋମର, ଦାନ୍ତେ, ଟାସୋ ଓ ମଲିଟନ୍‌ଙ୍କ ଖଳଚରିତ୍ରମାନେ ସାଟାନାଠାରୁ ବହୁ ଉର୍ଦ୍ଧ୍ୱତର ସୋପାନକୁ ବାଲ୍ମୀକି ରାବଣ ଚରିତ୍ରକୁ ଉତ୍ତୀର୍ଣ୍ଣ କରିପାରିଛନ୍ତି । ମିଲ୍‌ନ୍‌ଙ୍କ ‘ପାରା ଡାଇଜଲେଷ୍ଟ’ ଉପକ୍ରମଣିକାରେ ଏମ୍‌,ମାକ୍‌ମିଲାନଙ୍କ ମନ୍ତବ୍ୟ ଯଥାର୍ଥରେ ପ୍ରଣିଧାନଯୋଗ୍ୟ ‘‘The greatest poets often humanize their worst villains by allowing them to show distinct traces of a better nature.’’ ସେହି ମର୍ମରେ ବାଲ୍ମୀକି ମାନବ ଓ ଦେବତ୍ୱର ସମନ୍ୱୟ ଅବତାରୀ ଭଗବାନ ଶ୍ରୀରାମଙ୍କଠାରୁ ବରଂ ରାବଣକୁ ଅଧିକ ଉତ୍ତୁଙ୍ଗ ଓ ମହିମାନ୍ୱିତ ତଥା ମାନବୀୟ ସମ୍ବେଦସିକ୍ତ କରିଛନ୍ତି । ଯେଉଁ ରାମଚନ୍ଦ୍ର ଅଗ୍ନି ପରୀକ୍ଷା ପରେ ବି ପ୍ରଜାଙ୍କ ସନ୍ତୁଷ୍ଟି ପାଇଁ ପ୍ରାଣପ୍ରିୟା ପତ୍ନୀ ସୀତାଙ୍କୁ ଅନ୍ତଃସତ୍ତ୍ୱା ସତ୍ତ୍ୱେ ବି ନିର୍ମମଭାବେ ନିର୍ବାସନ ଦଣ୍ଡ ଦେଇଛନ୍ତି ସେହି ସୀତାଙ୍କୁ ଦୀର୍ଘଦିନ ଧରି ନିଜ ଆୟତ୍ତରେ ରଖିଥିଲେ ବି ରାବଣ ବଳାତ୍କାର ପାଇଁ ସାମାନ୍ୟ ଉପକ୍ରମ କରିନାହିଁ । ପ୍ରକାରାନ୍ତରେ ରାବଣର ବିନାଶ ନିମନ୍ତେ କରାଯାଇଥିବା ସେତୁ ପ୍ରତିଷ୍ଠା ଉତ୍ସବରେ ରାବଣ ପୌରୋହିତ୍ୟ କରିବାରେ କୁଣ୍ଠା ପ୍ରକାଶ କରି ନାହିଁ । ଉତ୍ସବର ପରିପୂର୍ତ୍ତି ନିମନ୍ତେ ବନ୍ଦିନୀ ସୀତାଙ୍କୁ ନେଇ ନିର୍ବିଘ୍ନ କାର୍ଯ୍ୟ ସମାପନର ମହାନତା ବରଂ ସେ ପ୍ରକାଶ କରିଛି । ସମ୍ଭବତଃ ମହାକବି ବାଲ୍ମୀକିଙ୍କ ଅନ୍ତଃଚେତନାରେ ରାବଣକୁ କାବ୍ୟନାୟକ କରିବାର ଅଭିପ୍ରାୟ ଉଦ୍ରେକ ହୋଇ ଥାଇପାରେ । ସେଥିପାଇଁ ମାକ୍‌ମିଲାନ ଗୁରୁତ୍ୱ ଦେଇ କହନ୍ତି, ‘‘The only other great epic poem in which any demon plays as prominent a part as Satan in 'Paradise Lost' is the Ramayana of Valmiki.’’ ସେ ଦିଗରୁ ରାବଣ ବିଶ୍ୱକ୍ଳାସିକ୍‌ କାବ୍ୟର ଯେ କୌଣସି ଖଳନାୟକଠାରୁ ଊର୍ଦ୍ଧ୍ୱରେ ଏବଂ କହିବାରେ ଅତିରଂଜନ ହେବନାହିଁ ଯେ ରାବଣର ଚାରିତ୍ରିକ ତୁଙ୍ଗିମା ନିକଟରେ ରାମଚନ୍ଦ୍ର ନିଷ୍ପ୍ରଭ ଦିଶନ୍ତି । ଏହା ବାଲ୍ମୀକିଙ୍କ କଳାଚାତୁରୀ ଏବଂ ଚରିତ୍ର ସୃଷ୍ଟି ନିପୁଣତା ।

 

କେବଳ ଖଳନାୟକ ରାବଣ ନିମନ୍ତେ ନୁହେ ନାୟିକା ସୀତାଙ୍କ ଚରିତ୍ରର ମହାନତା, ସଂଯମ ଆଚରଣ, ପାତିବ୍ରତ୍ୟ, ପତି ଚରଣରେ ଏକାନ୍ତ ନିଷ୍ଠା ଓ ଆତ୍ମଦହନ ଆଦି ସ୍ୱର୍ଗୀୟଗୁଣ ତାଙ୍କୁ ବହୁ ଊର୍ଦ୍ଧ୍ୱ ସୋପାନରେ ଅଧିରୂଢ଼ କରାଏ । ବାଲ୍ମୀକି ସୀତାଙ୍କ ଚରିତ୍ର ଚିତ୍ରଣରେ ଏହି ଚେତନାକୁ ଖୁବ୍‌ ଶାଳୀନତା, ସଂଯମତା ଓ ସନ୍ତୁଳନତା ମଧ୍ୟରେ ଉତ୍ତରଣ ଘଟାଇ ଥିବା ସତ୍ତ୍ୱେ ଅନ୍ୟ କବିମାନେ ବେଳେବେଳେ ସୀତାଙ୍କୁ ପ୍ରତିକ୍ରିୟାଶୀଳ କରାଇଛନ୍ତି ବା ରାମଚନ୍ଦ୍ରଙ୍କର ତାଙ୍କ ପ୍ରତି ଅନ୍ୟାୟ, ଅବିଚାର ତଥା ଅମାନବୀୟତାକୁ ଖୋଲାଖୋଲି ଆକ୍ଷେପ କରିଛନ୍ତି । ଦିଙ୍‌ନାଗଙ୍କ ‘କୁନ୍ଦମାଳା’ରେ ରାମଙ୍କ ଉଦ୍ଦେଶ୍ୟରେ ସୀତା ବାରମ୍ବାର ‘ନିରନୁକ୍ରୋଶ’ ( ନିର୍ମମ ବା ନିଷ୍ଠୁର ) ଶବ୍ଦ ପ୍ରୟୋଗ କରିଛନ୍ତି । ଏହି ଶବ୍ଦ ବାରମ୍ବାର ଶୁଣି ସରଳ ନିଷ୍ପାପ ଲବକୁଶଙ୍କର ଧାରଣା ହୋଇଛି ଯେ ସେମାନଙ୍କ ପିତାଙ୍କ ନାମ ‘ନିରନୁକ୍ରୋଶ’ । ବିଦୂଷକର ତାଙ୍କ ପିତାଙ୍କ ନାମ ପ୍ରସଙ୍ଗରେ କୁଶର ଉକ୍ତି, ‘ନିରନୁକ୍ରୋଶେ ନାମ’ ବା ଅନ୍ୟତ୍ର, ‘ନିରନୁକ୍ରୋଶସ୍ୟ ପୁତ୍ରୌ ମା ଚାପଳମ୍‌ ଇତି ।’ ଇତ୍ୟାଦି । ସେହିପରି ସୀତାଙ୍କ ସ୍ପଷ୍ଟୋକ୍ତି : ‘‘ତଥା ନିଷ୍ଠୁରୋ ନାମ ସନ୍ଦିଶ୍ୟତିଇତି ପ୍ରତିହତ ବନେ’ । (ଏପରି ନିର୍ଦ୍ଦୟ ଲୋକ ନିକଟକୁ ମୁଁ ପୁଣି ସନ୍ଦେଶ ଦେବି ?) ସୀତା ଆହୁରି ଉଗ୍ରଭାବ ପ୍ରଦର୍ଶନ କରି କହନ୍ତି: ‘‘ନ ଯୁକ୍ତଂ ତବ ନିରପରାଧିନଂ ଜନଂ ସପଦି ହୃଦୟଣେ ନିର୍ବାସିତୁଂ କିଂ ପୁନର୍ବିଷୟତ ଏବ ।’’ ନିରପରାଧିନୀକୁ ନିଜ ମନରୁ ଓ ଏପରିକି ରାଜ୍ୟରୁ ବହିଷ୍କାର କରିଥିବା ଲୋକ ସଙ୍ଗେ କି ସଂପର୍କ ! ହୁଏତ ଏଠାରେ ସୀତାଙ୍କୁ ଜଣେ ପ୍ରତିକ୍ରିୟାଶୀଳା ବିପ୍ଳବିନୀ ଭାବେ କବି ଠିଆ କରେଇଛନ୍ତି । କିନ୍ତୁ ବାଲ୍ମୀକିଙ୍କ ସୀତାଙ୍କ ଚାରିତ୍ରିକ ମହାନତା ଏଠାରେ ବ୍ୟାହତ ହୋଇଛି ।

 

ଓଡ଼ିଆ ରାମାୟଣକାର ବଳରାମଙ୍କ ଲେଖାରେ ମଧ୍ୟ ସୀତାଙ୍କ ପ୍ରତି ସମ୍ବେଦନା ଓ ଶ୍ରୀରାମଙ୍କ ପ୍ରତି ରୁଷ୍ଟଭାବ ନିହିତ । ସୀତାଙ୍କର କ୍ଷୋଭ: ‘‘ମୋତେ ଅଦୋଷରେ ଯେତେଜିଲେ ରଘୁସାଇଁ ।’’ ତା’ପରେ ମନକୁ ବୁଝାଇ ଏହା ତାଙ୍କ କର୍ତ୍ତବ୍ୟ ଭାବି ସାନ୍ତ୍ୱନା ଦେଇ କହନ୍ତି : ‘‘କ୍ଷେମେ ରାଜ୍ୟ କରୁଥାନ୍ତୁ ମୋହର ଗୋସାଇଁ ।’’ କିନ୍ତୁ ଲକ୍ଷ୍ମଣଙ୍କ ପ୍ରତିକ୍ରିୟା ଅତି ତୀବ୍ର : ‘‘ଏମନ୍ତ ଯୁବତୀ ରାମ କେମନ୍ତେ ତେଜିଲା/ଏତେବଡ଼ ପ୍ରଭୁ ଶଠ-ଠକରେ ପଡ଼ିଲା/ ନିଚ ଲୋକେ ମିଳି ଅବା କି ବୋଇଲେ କାହିଁ/ସେକଥାକୁ ଶୋଚନା କଲେକ ରଘୁସାଇଁ ।’’ ଏଥିରେ ଯେପରି ସ୍ୱାଭାବିକ ଭାବ ଓ ଭାଷାରେ ଜଣେ ଗାଉଁଲୀ ଓଡ଼ିଆ ପାଠକର ପ୍ରତିକ୍ରିୟା ଲୁକାୟିତ ! ସେହିପରି ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣରେ ମଧ୍ୟ ସେହି ରୋଷରୁଷ୍ଟ ଭାବ :

 

‘‘ବିକଳେ ସକଳେ ଭାଳେ କି କରୁଣା ନ ଜାଣେ ଏ ବଡ଼ ଦାରୁଣ ।’’ ଏହି ଭାବେ ସଂସ୍କୃତ, ପ୍ରାକୃତ ଓ ଆଞ୍ଚଳିକ କବିଙ୍କ ଲେଖାରେ ସୀତା ନିର୍ବାସନକୁ କେନ୍ଦ୍ର କରି ରାମଚନ୍ଦ୍ରଙ୍କୁ ଆକ୍ଷେପ କରାଯାଇଛି ।

 

‘ତପସ୍ୱିନୀ’ କାବ୍ୟରେ ସୀତାଙ୍କର ଏକ ନିଆରା ଚରିତ୍ର ଚିତ୍ରଣ କରାଯାଇଛି । ରାମ-ସୀତା ଚରିତ୍ରର ସନ୍ତୁଳନ ରକ୍ଷା କରାଯାଇଛି । ଏ ନିର୍ବାସନକୁ ସୀତା ପ୍ରଜାରଂଜନ ବା ରଘୁବଂଶର କୀର୍ତ୍ତିସୁରକ୍ଷା ବ୍ରତ ବୋଲି କହିଥିଲେ ହେଁ ବାଲ୍ମୀକିଙ୍କ ମୁଖରେ ତା’ର ଭିନ୍ନରୂପ ପ୍ରକାଶ ପାଇଛି,

 

‘‘କିନ୍ତୁ ସେ ତ ଏକମାତ୍ର ଅପବାଦଭୟେ

 

ପତିବ୍ରତା ଜାଣିଜାଣି ନିଷ୍ଠୁର ହୃଦୟେ,

ଦୋହଦିନୀ ଦୟିତାକୁ ନିଷ୍ଠୁର ହୃଦୟେ

 

କରିଛନ୍ତି ଛଳକରି ବିପିନେ ପ୍ରେରଣ ।’’

 

ଏଠାରେ ମେହେର ‘ଛଳ’ ‘ନିଷ୍ଠୁର’ ଆଦି କଠୋର ଶବ୍ଦ ପ୍ରୟୋଗ କରି ‘ଅବିଶ୍ୱାସୀ’ ଓ ‘ଆସ୍ଥାହୀନ’ ବୋଲି କହିଛନ୍ତି, ଯେପରି ‘ଉତ୍ତର ରାମଚରିତ’ରେ ବାସନ୍ତୀଙ୍କ ସଂଳାପରେ କୁହାଯାଇଛି ତାଙ୍କ ଦ୍ୱାରା କି ଅକାର୍ଯ୍ୟ କରା ନ ଗଲା । ‘‘ଅୟି କଠୋର ଯଶଃ କିଳ ତେ ପ୍ରିୟଂ/କିମଯଶୋ ନନୁ ଘୋରତମ ପରମ୍‌ ।’’ ହେ କଠୋର କୀର୍ତ୍ତିପ୍ରିୟ ! ଏପରି ଯଶପଛରେ ଧାଇଁବାଠାରୁ ଅପଯଶ ଆଉ କ’ଣ ଥାଇପାରେ ?

 

ଏ ପରିପ୍ରେକ୍ଷୀରେ ମହର୍ଷି ବାଲ୍ମୀକିଙ୍କ ଭକ୍ତି ବେଶ୍‌ ପ୍ରଣିଧାନଯୋଗ୍ୟ : ‘‘ଲୋକପବାଦ କଳୁଷିକୃତ ଚେତସା ଯା । ତ୍ୟକ୍ତ ପ୍ରିୟତମା ବିଦିତାପି ଶ୍ରଦ୍ଧା ।’’ ଅର୍ଥାତ୍‌ ତମର ପ୍ରିୟତମା ପତ୍ନୀ ନିଷ୍କଳଙ୍କ ବୋଲି ଜାଣିବା ସତ୍ତ୍ୱେ ବି ଲୋକପବାଦତୁମ ଚିତ୍ତକୁ କଳୁଷିତ କରିଥିବା ହେତୁ ତାଙ୍କୁ ବିନାକାରଣରେ ନିର୍ବାସନ ଦଣ୍ଡ ଦେଲ । ଏହା ରାମଚନ୍ଦ୍ରଙ୍କ ଚରିତ୍ର ପ୍ରତି ଏକ ଆକ୍ଷେପ । କବି ଭବଭୂତି ‘ଉତ୍ତରରାମଚରିତ’ ଦ୍ୱିତୀୟ ଅଙ୍କରେ ତମସାଙ୍କ ପ୍ରତି ସୀତାଙ୍କ ଭକ୍ତି-‘ଭାଗବତି ତମସେ ତଥାନିଷ୍କାରଣ ପରିତ୍ୟାଗିନୋଦ୍ଧପି ଐତସୈବଂବିଧେନ ଦର୍ଶନେନ କିଦୃଶଭବମେ ହୃଦୟାନୁବନ୍ଧ ଇତିନଜାନାମି ।’’ ଏଠାରେ ସୀତାଙ୍କର ରାମଙ୍କ ବିରୁଦ୍ଧରେ ଅଭିଯୋଗ ଯେ ରାମଙ୍କ ପରି ନିଷ୍ଠୁର ନିର୍ମମ, ବିଚାର ବିରହିତ ବ୍ୟକ୍ତି, ଯେକି ବିନାକରଣରେ ନିଜର ନିର୍ଦ୍ଦୋଷ ପତ୍ନୀକି ନିର୍ବାସିତା କରି ପାରନ୍ତି ତାଙ୍କଠାରେ ଏହି ସମ୍ବେଦନା ପ୍ରକୃତରେ ବିସ୍ମୟକର । ଏହି ଅଭିଯୋଗର ଅନ୍ତରାଳରେ କିଛି ଅନୁକମ୍ପା ଲୁକ୍କାୟିତ ।

 

ଗଙ୍ଗାଧରଙ୍କ ସୀତା ଆପାତତଃ ସ୍ୱଭାବ ସୁଲଭ ବିନୟୀ, ସଂଭ୍ରମ ଓ ସହନଶୀଳତା ପ୍ରତୀତ ହୁଅନ୍ତି । ତାଙ୍କ ପତିଭକ୍ତିର ପଟାନ୍ତର ନାହିଁ । ତାଙ୍କ ପ୍ରେମ ଅମର ଓ ଅପାର୍ଥିବ । ଶ୍ରୀରାମଙ୍କ ଚରଣରେ ସେ ଚିରସମର୍ପିତା । ଦିଙ୍‌ନାଗ, ଭବଭୂତି, ଏପରିକି କାଳିଦାସ ଓ ବାଲ୍ମୀକିଙ୍କ ସୀତାଙ୍କଠାରୁ ମେହେରଙ୍କ ସୀତା ସ୍ୱତନ୍ତ୍ର ଓ ସ୍ୱୟଂ ସଂପନ୍ନା । ଲକ୍ଷ୍ମଣ ସୀତାଙ୍କୁ ଗଙ୍ଗାକୂଳରେ ଛାଡ଼ି ପ୍ରତ୍ୟାବର୍ତ୍ତନ କରିବା ପରେ ସୀତା ମୂର୍ଚ୍ଛିତା ହୋଇପଡ଼ିଲେ ଏବଂ ସଂଜ୍ଞାଲାଭ ପରେ ପରେ :

 

‘‘ଦେଖିଲେ ସକଳଦିଗ ରାମଚନ୍ଦ୍ରମୟ,

 

ବସିଛନ୍ତି ପ୍ରଭୁ ହୋଇ ବିଷର୍ଣ୍ଣ ହୃଦୟ ।

ଯୁଗ୍ମକରେ ଉଭା ତାଙ୍କ ସୁଧୀର ଲକ୍ଷଣ,

 

ହୋଇଛି ଦୁହିଁଙ୍କ ନେତ୍ରୁ ଲୋତକ ଝରଣ ।’’

 

ଏତେ ନିର୍ଯ୍ୟାତନା ସତ୍ତ୍ୱେ ସୀତା ପତିଗତ ପ୍ରାଣା, ଚତୁର୍ଦ୍ଦିଗରେ ଖାଲି ରାମଚନ୍ଦ୍ରଙ୍କ ମୂର୍ତ୍ତି ହିଁ ତାଙ୍କ ମାନସ ପଟରେ ପ୍ରତିଫଳିତ । ସେହିପରି ଆଶ୍ରମର ପ୍ରଥମ ପ୍ରଭାତରେ ସୀତା ଶଯ୍ୟାତ୍ୟାଗର ଅବ୍ୟବହିତ ପୂର୍ବେ ଅବଲୋକନ କରନ୍ତି :

 

‘‘ପଦ୍ମିନୀ ହୃଦ ଶିଶିର-ବିନ୍ଦୁରେ ଖରରଶ୍ମିର

 

ପ୍ରତିବିମ୍ବପରି ବୀରରାମ ମୂରତି

ଶୋକଜର୍ଜ୍ଜରିତ ଚିତ୍ତ-ଫଳକେକରି ଚିତ୍ରିତ

 

ହେଲେ ଆସନୁ ଉତ୍‌ଥିତ ଜାନକୀ ସତୀ ।’’

 

ଏବଂ ଉଷାଙ୍କୁ ନମସ୍କାର କରି ପ୍ରାର୍ଥନା କଲେ : ‘‘ଶୁଭ ସଂପାଦିନୀ ହୁଅ ରଘୁବଂଶୀକେ ।’’ ଗଙ୍ଗାଧରଙ୍କ ସୀତା ଦେହ, ମନ, ପ୍ରାଣ ଓ ଆତ୍ମା ସବୁଥିରେ ରାମଗତପ୍ରାଣା ଏବଂ ରଘୁବଂଶର ସଦା ମଙ୍ଗଳା କାଙ୍‌କ୍ଷିନୀ । ଆଶ୍ରମର ଜଣେ ସଖୀ ଜିଜ୍ଞାସା କରନ୍ତେ, ସୀତା ନିଜ ଦୁଃଖଦ କାହାଣୀ ବୟାନ କରନ୍ତି :

 

‘‘ବୋଇଲେ ସତୀ, ସଖି ମୋ ଦୁର୍ବିପାକ,

 

ଘଟାଇଅଛି ଏକା ମୋ ଦୁଃଖଯାକ ।

ମୋ କର୍ମ ପାଇଁ ଦାୟୀ ନୁହନ୍ତି ବିଧି,

 

କାନ୍ତତ ସ୍ୱଭାବେ ମୋ କରୁଣାନିଧି ।’’

 

ଏତେ ସରିପରେ ବି ସୀତା ରାମଚନ୍ଦ୍ରଙ୍କୁ ‘କରୁଣା ନିଧି’ ବୋଲି କହନ୍ତି । ସମାନ୍ୟ ଅନୁଯୋଗ କି ଅଭିଯୋଗ ତାଙ୍କଠାରେ ନାହିଁ ଏବଂ ଈଶ୍ୱରଙ୍କ ପ୍ରତି ବି ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି ବରଂ ସମସ୍ତ ଦୁଃଖ ଦୁର୍ବିପାକକୁ ନିଜର ପ୍ରାରବ୍ଧ ବୋଲି ଗ୍ରହଣ କରି ନେଇଛନ୍ତି ।

 

ଭକ୍ତକବି ମଧୁସୂଦନ ବ୍ରାହ୍ମଧର୍ମୀ ଓ ତାଙ୍କ ଚେତନାରେ ଶ୍ରୀରାମ ବ୍ରହ୍ମ ସ୍ୱରୂପ । ତେଣୁ ‘ସୀତା ବନବାସ’ କବିତାରେ ତାଙ୍କ ଚେତନାରେ ରାମ ହେଉଛନ୍ତି ଦୟାର ମୂର୍ତ୍ତିମନ୍ତ ପ୍ରତୀକ । ସୀତାଙ୍କ ଉକ୍ତି:

 

‘‘ଚରଣ ପଦ୍ମତଳୁ ଦୟା ସାଗର,

 

ସତେକି ଏ ଦାସୀକି କଲ ଅନ୍ତର ।

ଭୟେ ଅଥୟ ଯେବେ ହୃଦୟ,

 

କିଏ ଅଭୟ ଦେବ ହେ ଦୟାମୟ ।’’

 

ଭକ୍ତକବିଙ୍କ ସୀତା ଓ ଗଙ୍ଗାଧରଙ୍କ ସୀତା ପ୍ରାୟତଃ ଚେତନା ଓ ଚିନ୍ତନରେ ଏକା ପ୍ରକାରର-। ସୀତାଙ୍କ ଆଦର୍ଶବୋଧ, ନୈତିକତା, ଦର୍ଶନ, ପତିଭକ୍ତି ଓ ଏକାଗ୍ରତା ନୈସର୍ଗିକ ଗୁଣରେ ଭକ୍ତକବି ଓ ସ୍ୱଭାବକବିଙ୍କ ମାନସିକତାରେ ଆଦୌ ତଫାତ୍‌ ନାହିଁ । ରାମଚନ୍ଦ୍ରଙ୍କର କୌଣସି କାର୍ଯ୍ୟକୁ ସେ ସମାଲୋଚନା କରିନାହନ୍ତି, କାୟମନୋବାକ୍ୟରେ ସମସ୍ତ ଗ୍ରହଣ କରିଛନ୍ତି । ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟକଳାପରେ ନିଜକୁ ସେ ପ୍ରକଟିତ କରିଛନ୍ତି :

 

‘‘ପରଜା ରଂଜନ ବ୍ରତେ ଅଟ ତୁମ୍ଭେ ବ୍ରତୀ,

 

ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି

ପିତୃବାକ୍ୟ ପାଳନରେ ତୁମେ ଅବିମୁଖ,

 

ପତି ବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ ।

ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ,

 

ମୁଁ ହେବି ଏକଥା ନିଶ୍ଚେ ବୁଝିବ ମୋ ମନ ।’’

 

ଏହା ଗଙ୍ଗାଧରଙ୍କ ଆଦର୍ଶ ପତିପତ୍ନୀର ସ୍ୱରୂପ । ‘ଉତ୍ତର ରାମଚରିତ’ରେ ମଧ୍ୟ ସୀତାଙ୍କର ସେଇ ଏକା ପ୍ରତିକ୍ରିୟା : ‘‘ଧନ୍ୟ ଖଳୁ ଯୈବମାର୍ଯ୍ୟପୁତ୍ରେଣ ବହୁମନ୍ୟ ତୋ ଯୈବମାର୍ଯ୍ୟପୁତ୍ରଂ ବିନୋଦୟନ ପ୍ୟାଶାବନ୍ଧନଂ ଖଳୁ ଜାତା ଜୀବଲୋକସ୍ୟ ।’’ ଆର୍ଯ୍ୟପୁତ୍ରଙ୍କ ଆଦରସମ୍ମାନ ଲାଭ କରି ମୁଁ ଧନ୍ୟ । ତାଙ୍କୁ ଖୁସି କରି ଜଗତବାସୀଙ୍କ ଆଶା ଓ ପ୍ରତ୍ୟୟ ସଞ୍ଚାର କରି ମୁଁ କୃତାର୍ଥ । ଉଭୟ ଗଙ୍ଗାଧର ଓ ଭବଭୂତି ସୀତାଙ୍କୁ ଜଣେ ସରଳ, ନିଷ୍ପାପ, ନିର୍ଲିପ୍ତ ଓ ସହନଶୀଳ ଚରିତ୍ର ଭାବେ ଠିଆ କରେଇଛନ୍ତି । ଏସବୁ ଦୃଷ୍ଟିରୁ କେହି କେହି ସମାଲୋଚକ ସୀତାଙ୍କୁ ଏକ ନିଷ୍କ୍ରିୟ (passive) ଚରିତ୍ର ବୋଲି କହନ୍ତି । ଏ ଦୃଷ୍ଟିରୁ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ । :

 

‘‘ଗଙ୍ଗାଧରଙ୍କ ତପସ୍ୱିନୀ କାବ୍ୟ ପଢ଼ିଲେ ଆପାତ ଦୃଷ୍ଟିରେ ମନେହୁଏ ସୀତା ଏକ ଦୁର୍ବଳ ଚରିତ୍ର ।’’ (କାବ୍ୟଶିଳ୍ପୀ ଗଙ୍ଗାଧର, ପୃଷ୍ଠା-୨୨, ୧୯୯୨, ସମ୍ବଲପୁର)

 

କେବଳ ସେତିକି ନୁହେଁ, ସେ ସୀତାଙ୍କୁ ମଧ୍ୟ ଅବାସ୍ତବ ଓ ନିଷ୍କ୍ରିୟ ଚରିତ୍ର ବୋଲି ଅଭିହିତ କରିଛନ୍ତି । ତାର ମୁଖ୍ୟ କାରଣ ହୋଇପାରେ ସୀତା ସର୍ବଂସହା, ସବୁ ଦୁର୍ଭାଗ୍ୟକୁ ସେ ନିଜ ଉପରକୁ ନେଇଯାନ୍ତି । କିଛି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ । ଏଇ ସହଣୀଗୁଣ, ଏଇ ନିର୍ଲିପ୍ତଭାବକୁ ନିଷ୍କ୍ରିୟତା ବୋଲି ସେମାନେ କହିପାରନ୍ତି । ଚମନ ନାହାଲଙ୍କ ପରି ଗବେଷକ ଅର୍ନନେଷ୍ଟ ହେମିଙ୍ଗୱେଙ୍କ ଚରିତ୍ରମାନଙ୍କୁ ପାସଭି ବୋଲି କହନ୍ତି । ନାଟ୍ୟକାର ହେନେରିକ ଇବସେନଙ୍କ ‘କଣ୍ଢେଇଘର’ ( A Doll's House ) ନାଟକର ନାୟିକା ନୋରା ଜୀବନସାରା ପତି ହେଲମରଙ୍କ ଡ୍ରଇଁରୁମ୍‌ର ଏକ ସୌଖିନ ଖେଳନା ଥିଲା, ତାଙ୍କ କଥାରେ ହସୁଥିଲା, ନାଚୁଥିଲା, ଉଠବସ ହେଉଥିଲା-ଏକାନ୍ତ ବିଶ୍ୱସ୍ତ ଆଜ୍ଞାବହ ସ୍ତ୍ରୀ, ଗୃହିଣୀ ଆଉ ମାଆ । କିନ୍ତୁ ଗୋଟିଏ ଘଟଣା ସବୁକିଛି ବଦଳେଇ ଦେଲା । କଣ୍ଢେଇ ଘର ଭାଙ୍ଗିଗଲା । କଣ୍ଢେଇ ଚାଲିଗଲା । ଇଜି ଚେୟାରରେ ବସି ହେଲମର ଦେଖୁଥିଲେ ଶୂନ୍ୟ କଣ୍ଢେଇଘର । ତଳୁ ଶୁଣାଯାଉଥିଲା, କବାଟ୍‌ର ଝଣଝଣ ଶବ୍ଦ-ସାରା ନାରୀ ଜାତି ପାଇଁ ମୁକ୍ତିର ମାର୍ଗ । ଇଏ ଏକ ମୁହୂର୍ତ୍ତର ବିସ୍ଫୋରଣ, ଚାରିତ୍ରିକ ବିଘଟଣ ଏବଂ ବିପ୍ଳବ ବା ଝଡ଼ର ଧୂର୍ଜଟୀ । ସୀତାଙ୍କ ପରି ଚରିତ୍ରମାନେ ସହଜେ ନିଜକୁ ପରିପ୍ରକାଶ କରନ୍ତି ନାହିଁ-। ସେମାନେ ଫ୍ଳାଟ୍‌ ଚରିତ୍ର ନୁହନ୍ତି, ରାଉଣ୍ଡ ବା ରହସ୍ୟମୟୀ । ସୂର୍ଯ୍ୟବଂଶୀମାନେ ବଚନବଦ୍ଧତାକୁ ହିଁ ଯେନତେନ ଉପାୟରେ ରକ୍ଷା କରନ୍ତି । ସନ୍ଥ ତୁଳସୀ ଦାସଙ୍କ ଭାଷାରେ ‘‘ପ୍ରାନ୍‌ଯାଇ ପର ବଚନ ନ ଯାଇ’’ । ରାଜା ହରିଶ୍ଚନ୍ଦ୍ର ମଧ୍ୟ ଏପରି ସତ୍ୟବଦ୍ଧ ହୋଇ ସ୍ତ୍ରୀ ଶୈବ୍ୟାଙ୍କୁ ପଣ୍ୟ ଭଳି କାଟି ହାଟରେ ବିକ୍ରି କରିଥିଲେ ଏବଂ ନିଜେ ବିକ୍ରି ହୋଇ ବିଶ୍ୱାମିତ୍ରଙ୍କୁ ଦକ୍ଷିଣା ପରିଶୋଧ କରିଥିଲେ । ଠିକ୍‌ ସେହିପରି ରାମ ସୀତାଙ୍କୁ ନିର୍ବାସନ ଦଣ୍ଡଦେଲେ ଏକ ହୋକ୍ସ ବା ପ୍ରଜାରଂଜନର ଦ୍ୱାହିରେ । ଏସବୁ ଦୁଃଖ ଗରଳକୁ ସୀତା ନିର୍ବିକାର ଚିତ୍ତରେ ପାନ କରିଥିଲେ । ହୁଏତ ଏହା ଥିଲା ଦେବୀ ସୀତାଙ୍କ ଚରିତ୍ର ।

 

କିନ୍ତୁ ମେହେରଙ୍କ ସାହିତ୍ୟରେ ବି ମାନବୀ ସୀତାର ଅନ୍ତଃସ୍ୱର ପ୍ରତିଫଳିତ ହୋଇଛି ସପତ୍ନୀ ଅସୂୟାରେ ଜର୍ଜ୍ଜରିତା ହୋଇ । ରାମଚନ୍ଦ୍ରଙ୍କ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ ସମ୍ବାଦ ବାର୍ତ୍ତା ଶ୍ରବଣ ଉପରାନ୍ତେ ରାମଙ୍କ ଦ୍ୱିତୀୟ ଦାର ଗ୍ରହଣର ଯନ୍ତ୍ରଣା ସମ୍ଭାବ୍ୟରେ ସୀତାଙ୍କ ଅନୁଶୋଚନାର ଅନ୍ତ ନାହିଁ । ଗଙ୍ଗାଧରଙ୍କ ଭାଷାରେ ସୀତାଙ୍କ ପ୍ରତିକ୍ରିୟା ଧନ୍ୟ ସେ ଭାଗ୍ୟବତୀ ନାରୀ ଯିଏ ତପସ୍ୟାର ଫଳ ସ୍ୱରୂପ ରାମଙ୍କ ପରି ପତିପ୍ରାପ୍ତ ହୋଇଛନ୍ତି । ସେ ମଧ୍ୟ ଈର୍ଷା କରିଛନ୍ତି ।

 

‘‘କାହିଁ କେଉଁ ରୂପେ କଲାକି ଘୋର ତପସ୍ୟା, ତପସ୍ୟାକୁ ତାର ମୋର ବଳୁଛି ଲାଳସା ।

କିଏ କହିଦେବ ସେହି ତପର ନିୟମ, ନିଶ୍ଚୟ କରିବି ତହୁଁ ତପ ଗୁରୁତମ ।’’

 

ସୀତାଙ୍କର ଏ ସପତ୍ନୀ ଅନୁଚିନ୍ତାର ଆଶଙ୍କା ଏକ ମାନବୀ ସୁଲଭ ଦୁର୍ବଳତା । ଏହା ତାଙ୍କପାଇଁ ସଂପୂର୍ଣ୍ଣ ଅଣାୟତ ଥିଲା । ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ‘‘ସୀତାର ବନବାସ’’ରେ ଏହା ଅତି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କିନ୍ତୁ ‘‘ଯଜ୍ଞାନୁଷ୍ଠାନ ବାର୍ତ୍ତା ଶ୍ରବଣେ, ରାମ ଅବଶ୍ୟଇ ଭାର୍ଯ୍ୟାନ୍ତର ପରିଗ୍ରହପରିୟାଛେନ, ଏଇ ଭାବିୟା ତିନି ଏକେବାର ମ୍ରିୟମାନ ହଇଲେନ ଯେ ସୀତା ଅକାତରେ ପରିତ୍ୟାଗ ଦୁଃଖ ସହ୍ୟ କରିୟାଛିଲେନ, ରାମ ପୁନରାୟ ଦାରା ପରିଗ୍ରହପରିୟାଛେନ, ଏଇ କ୍ଷୋଭ ସୀତାର ପକ୍ଷେ ଏକାନ୍ତ ଅସହ୍ୟ ହଇୟା ଉଠଲ । ପୂର୍ବେ ତିନି ଭାବିତେନ ଯଦିଓ ନିତାନ୍ତ ନିରପରାଧେ ନିର୍ବାସିତ ହଇୟାଛି, କିନ୍ତୁ ଆମାର ପ୍ରତି ତାହାଁର ଯେରୂପ ଅବିଚଲିତ ସ୍ନେହ ଓ ଐକାନ୍ତିକ ଅନୁରାଗ ଛିଲ, ତାହାର କିଛୁ ମାତ୍ର ବ୍ୟତିକ୍ରମ ଘଟେ ନାଇଁ । ଏକ୍ଷନେ ସ୍ଥିର କରିଲେନ, ଯଖନ ପୁନରାୟ ଦାର ପରିଗ୍ରହ କରିୟାଛେନ, ତଖନ ଅବଶ୍ୟଇ ସେଇ ସ୍ନେହର ଓ ଅନୁରାଗେର ଅନ୍ୟ ଭାବ ଘଟିୟାଛେ ।’’

 

ବିଦ୍ୟାସାଗରଙ୍କର ସୀତା ଚରିତ୍ରର ଏ ପରିବର୍ତ୍ତନରେ ତାଙ୍କ ଚାରିତ୍ରିକ ଗରିମା କିଛି ମାତ୍ରାରେ ବ୍ୟାହତ ହୋଇଛି । ଗଙ୍ଗାଧରଙ୍କ ସୀତା, ଯଦିଓ, ଆଶଙ୍କାଗ୍ରସ୍ଥ ଓ ଦ୍ୱିଧାଗ୍ରସ୍ଥ ହୋଇ ରାମଚନ୍ଦ୍ରଙ୍କ ନିକଟକୁ ପତ୍ର ମଧ୍ୟ ଲେଖିବାର ଉପକ୍ରମ କରିଛନ୍ତି, ସେ ଏତେ ଖୋଲାଖୋଲି ଭାବେ ସ୍ୱାମୀ ସ୍ନେହ ପ୍ରେମରୁ ବଞ୍ଚିତ ହୋଇଥିବା କଥା ମନକୁ ଆଣି ନାହାନ୍ତି । ତାସତ୍ତ୍ୱେ ତାଙ୍କ ଦୁଃଖ ସନ୍ତାପର ସୀମା ନ ଥିଲା :

 

‘‘ଲେଖୁଥାନ୍ତି ପତ୍ରସତୀ ହୃଦୟ ବିକଳେ

ପତ୍ରଧୌତ୍‌ ହେଉଥାଏ ନୟନର ଜଳେ ।’’

 

ଏ ଧାରଣା ତାଙ୍କର ଦୂର ହୋଇଛି, ଯେତେବେଳେ ଅଶ୍ୱମେଧ ଯଜ୍ଞରୁ ଫେରି କ୍ରୁଶ ଲବ ଉଚ୍ଛ୍ୱସିତ କଣ୍ଠରେ କହିଛନ୍ତି:

 

‘‘ଅଶ୍ୱମେଧ ଯଜ୍ଞେ ସହଧର୍ମିଣୀ ସକାଶେ

କାନକୀ ଜାନକୀ ରାମ ରଖିଛନ୍ତି ପାଶେ ।’’

 

ଏଥିରେ ରାମଚନ୍ଦ୍ରଙ୍କ ଚାରିତ୍ରିକ ଉତ୍କର୍ଷ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ସୀତାଙ୍କ ପ୍ରତି ତାଙ୍କର ସ୍ନେହ, ପ୍ରେମ ଓ ଐକାନ୍ତିକ ଅନୁରାଗ ଅତୁଟ ଥିବା କଥା ସୂଚିତ ହୋଇଥାଏ । ସୀତା ନିର୍ବାସନ ପରେ ପରେ ରାମଚନ୍ଦ୍ରଙ୍କ ଅନୁଶୋଚନା, ଅନୁତାପ ଓ ମାନସିକ ଅସ୍ଥିରତା ଅତି ଶୋଚନୀୟ ଥିଲା । ସେ ଭାବିଛନ୍ତି ସୀତା ବ୍ୟତିରିକ୍ତ ରାମଜୀବନ ଅପୂର୍ଣ୍ଣ ଓ ଅସମ୍ଭବ । ତେଣୁ ତାଙ୍କ ମନକୁ ପ୍ରଥମେ ଆସିଛି ରାଜପଦତ୍ୟାଗ କରି ବରଂ ବାନପ୍ରସ୍ଥାଶ୍ରମ ଗ୍ରହଣ ଉଚିତ ହେବ । କିନ୍ତୁ :

 

‘‘ବାନପ୍ରସ୍ଥାଶ୍ରମ ହେଲେହେଁ ଉତ୍ତମ ବୟସ ମୋ ହୋଇନାହିଁ

ମୋକାର୍ଯ୍ୟେ ନିରତ ହେବାକୁ ଭରତ ସମ୍ମତି ବା ଦେବ କାହିଁ ।’’

 

ଏଥିପାଇଁ ଦୁଇଟି ମୁଖ୍ୟ ପ୍ରତିବନ୍ଧକ ହେଲା ଉତ୍ତରାଧିକାରୀ ଓ ତାଙ୍କର ବୟସ ସୀମା । ପୁନଶ୍ଚ ଏ ପ୍ରସଙ୍ଗରେ ତାଙ୍କ ମନକୁ ଆସିଛି ସେଇ ଜନମତର କ୍ରୁର ପ୍ରଭାବ, ତାଙ୍କ ପଳାୟନପନ୍ଥୀ ଆଚରଣକୁ ଅଙ୍ଗୁଳି ନିର୍ଦ୍ଦେଶ :

 

‘‘ବୋଲିବ ସଂସାର ରାମ କୁଳାଙ୍ଗାର ଜନ୍ମ ହୋଇ ରଘୁବଂଶେ

ବିଚାରେ କୃପଣ ହୋଇ ରାଜପଣ ତ୍ୟାଗକଲା ବଧୂବଶେ ।’’

 

ଏତଦ୍ଦ୍ୱାରା ତାଙ୍କ ଅବିମୃଶ୍ୟ ବିଚାରବୋଧ ରଘୁବଂଶ ପରମ୍ପରାରେ କଳଙ୍କ ରଟିବ ଓ ସେ ଜଣେ ସ୍ତ୍ରୈଣଭାବେ ଦୁନିଆ ଆଗରେ ବିବେଚିତ ହେବେ । ପରବର୍ତ୍ତୀ ଚିନ୍ତନରେ ସେ ମଧ୍ୟ ଲୋକାପବାଦର ମନ୍ଦ ଦିଗ ବିଷୟ ଅବଗତ ହୋଇଛନ୍ତି :

 

‘‘ମିଥ୍ୟାକଥା ଯେବେ ପ୍ରଜାଏ ବୋଲିବେ ମେଳହୋଇ ଶତଶତ

ମିଥ୍ୟାଜାଣିଜାଣି ତାଙ୍କୁ ମାନିମାନି ବୋଲାଯାଏ ସତସତ ।’’

 

ରାଜାର ଗତ୍ୟନ୍ତର ନାହିଁ, ପ୍ରଜାର ଅଭିଯୋଗ ମିଥ୍ୟା ହେଲେ ବି ତାକୁ ଗ୍ରହଣ କରିବାକୁ ସେ ବିବଶ ହୁଏ । କାରଣ ରାଜା ପ୍ରଜାଙ୍କର ସେବକ ବା ଦାସ :

 

‘‘ଭାବୁଥିଲେ ରାଜ ଅଧିକାର ବ୍ୟାଜ ଅଟେ ମହା ଦାସତ୍ୱର

ଏହି ଉଚ୍ଚପଦେ ପ୍ରକୃତିର ପଦେ ଖଟିବା ହୁଏ ମାତର ।’’

 

ରାଜ ମସ୍ତକରେ ଏକ ତୀକ୍ଷ୍ଣ ଅସି ଝୁଲୁଅଛି, କେଉଁ ମୁହୂର୍ତ୍ତରେ ତାହା ଖସିବ ତାର ଠିକଣା ନାହିଁ । ଅଭିଷେକ ବେଳେ ପବିତ୍ର ମନ୍ତ୍ରପାଠ ସଙ୍ଗେ ସମସ୍ତ ବିପତ୍ତିର ଜଳ ଢଳାଯାଇଥାଏ । ଏହା ରାଜାର ଭାଗ୍ୟ । ସେ ପ୍ରଜାଙ୍କ ନିର୍ଦ୍ଦେଶରେ ହିଁ ପରିଚାଳିତ ହେବଇ ହେବ । ତେଣୁ ସୀତା ବିସର୍ଜନ ମୂଳରେ ଥିଲା ସେଇ ପ୍ରଜାଙ୍କ ପରିତୁଷ୍ଟି, ଯାଠୁଁ ତାଙ୍କର ଗତ୍ୟନ୍ତର ନ ଥିଲା । ମହାକବି କାଳିଦାସ ଯାହା କହନ୍ତି ରାଜ୍ୟରୂପକ ଛତ୍ରକୁ ରାଜା ହିଁ ଧାରଣ କରିଥାନ୍ତି । ଏଥିରୁ ତାଙ୍କର ନିବୃତ୍ତି ନାହିଁ, ବରଂ ଏହାର ଗୁରୁଦାୟିତ୍ୱ ବହନ କରିବା ହେତୁ ତାଙ୍କର ଦୁର୍ଗତି ବଢ଼ିଯାଏ ।

 

ଏହି କଠୋର ରାଜକର୍ତ୍ତବ୍ୟରେ କୁଚ୍ଛ୍ର ସାଧନ ମଧ୍ୟରେ ରାମଚନ୍ଦ୍ର ଭଗ୍ନହୃଦୟ ଓ ଆସୀମଗ୍ଳାନି ମଧ୍ୟରେ ପ୍ରାଣପ୍ରିୟା ସୀତାଙ୍କୁ ହିଁ ବାରମ୍ବାର ସ୍ମରଣ କରିଛନ୍ତି । ଗଭୀର ବ୍ୟଥା ଓ ଅନ୍ତର୍ଦହନରେ ତାଙ୍କ ହୃଦୟ ଫାଟିଯାଇଛି । ତପସ୍ୱିନୀର ତୃତୀୟ ସର୍ଗର ବହୁଭାଗ ଏହି ଶୋକବିଳାପରେ ଆପ୍ଳୁତ ହୋଇଛି ।

 

‘‘ନୟନ ଯୁଗଳ କାହିଁକି ବକଳ ହୋଇ ଛାଡ଼ୁଅଛୁ ଜଳ,

ଶୁଖି ଗଲେ ସର କମଳିନୀ ମୋର ହୋଇଯିବ ଟଳଟଳ ।

ବକ୍ଷତୁ ପଥର ବନ୍ଧ ହୋଇ କର ରୁଦ୍ଧନେତ୍ର ଜଳ ନାଳୀ,

ନାସିକା ପବନ ନ ବହିବୁ ଘନ କଂପିବ ପ୍ରାଣସଙ୍ଗିନୀ ।’’

(ତପସ୍ୱିନୀ-୩ୟ ସର୍ଗ )

 

ଆତ୍ୟନ୍ତିକ ଶୋକ, ଅଶ୍ରୁମୋଚନ ଓ ଦୀର୍ଘଶ୍ୱାସାଦି ସୀତାଙ୍କ ପାଇଁ ହାନିକାରକ ହେବ ଭାବି ରାମଚନ୍ଦ୍ର ସ୍ୱୟଂ ସେଥିରୁ ନିବୃତ୍ତ ହେବାର ଉପକ୍ରମ କରିଛନ୍ତି । କବି ଭବଭୂତିଙ୍କ ‘ଉତ୍ତରାମଚରିତ’ରେ ତାହା ଚତ୍ମକାରଭାବେ କରୁଣରସର ପ୍ଳାବନ ଛୁଟାଇଛି ଶ୍ରୀରାମଙ୍କ ପତ୍ନୀ ବିଚ୍ଛେଦ’ ଅନୁଚିନ୍ତାରେ :

 

‘‘ହା ହା ଦେବୀ ସ୍ଫୁଟିତ ହୃଦୟଂ ଧ୍ୱଂସତେ ଦେହବନ୍ଧଃ

ଶୂନ୍ୟଂମନ୍ୟେ ଜଗଦବିରଳଂ ଜ୍ୱାଳମର୍ଜ୍ୱାଳାମି ।

ସ୍ୱୀଦନ୍ନନ୍ଧେ ତମସି ବିଧୁରେ ମଜ୍ଜତୀବାନ୍ତରାତ୍ମା

ବିଷ୍ୱକ୍‌ ମୋହଃ ସ୍ଥଗୟତି କଥଂ ମନ୍ଦ ଭାଗ୍ୟଃ କରୋମି ?’’

 

ସୀତାଙ୍କ ଉଦ୍ଦେଶ୍ୟରେ ସେ କହନ୍ତି ମୋ ଅନ୍ତର ବିଦୀର୍ଣ୍ଣ ହୋଇଯାଉଛି, ଗ୍ରନ୍ଥିସବୁ ଶିଥିଳ ଓ ଅବଶ ହୋଇଯାଉଛି ଏବଂ ଆତ୍ମା ଅବିସନ୍ନ ଓ ହୃଦୟ ଜ୍ୱାଳାରେ ଭରିଯାଉଛି । ଦଶଦିଗ ଘୋର ନୈରାଶ୍ୟରେ ଅନ୍ଧକାର ଦିଶୁଛି । ମୋ ପରି ହତଭାଗ୍ୟ କିପରି ବଞ୍ଚିଛି ? ଭିନ୍ନ ଢଙ୍ଗରେ ହେଲେ ବି ପରେ ରାମଚନ୍ଦ୍ରଙ୍କ ଦୁଃଖ ଅନୁଶୋଚନାର ଅନ୍ତ ନଥିଲା । ‘ତପସ୍ୱିନୀ’ କାବ୍ୟରେ ଗଙ୍ଗାଧର ଅତି ତୀବ୍ର ଭାବରେ କରୁଣରସ ବର୍ଣ୍ଣନା ସଙ୍ଗେ ରାମଚନ୍ଦ୍ରଙ୍କ ଚରିତ୍ରକୁ ଅତି ଚମତ୍କାର ଭାବେ ଚିତ୍ରଣ କରିଛନ୍ତି । ଯାହା ବାଲ୍ମୀକି ବା ଭବଭୂତିଙ୍କ ପରି କବିମାନେ କରିପାରି ନାହାନ୍ତି । ଲଙ୍କା ଅଭିଯାନ ଓ ରାବଣ ବଧପରେ ବାଲ୍ମୀକି ରାମାୟଣରେ ରାମଚନ୍ଦ୍ର ସୀତାଙ୍କପ୍ରତି ଯେଉଁ ମାତ୍ରାରେ ନିଷ୍ଠୁର ହୋଇ ତାଙ୍କୁ ଅବିଶ୍ୱାସ କରି ବ୍ୟବହାରରେ ଯେଉଁ ଇତର ସ୍ତରକୁ ଖସିଯାଇଛନ୍ତି ତାହା ଅତି ଦୁର୍ଭାଗ୍ୟ ଜନକ । ଏଥିପାଇଁ ରାଜଗୋପାଳଚାରୀ କହିଛନ୍ତି, ‘ରାବଣ ନିଧନ ପରେ ପରେ ହିଁ ରାମ ଅବତାର ହିଁ ଶେଷ ହୋଇଯାଇଛି ।’

 

ହୋମରଙ୍କ ମହାକାବ୍ୟ ‘ଓଡ଼େଶି’ର କଙ୍କାଳ ଉପରେ ଭର୍ଜିଲ ଲାଟିନ୍‌ରେ ‘ଏନିଡ଼’ ପରି ଏକ ମୌଳିକ ମହାକାବ୍ୟ ଓ ମିଲ୍‌ଟନ ଇଂରାଜୀରେ ‘ପାରାଡାଇଜଲଷ୍ଟ’ ପରି ଏକ ବିରାଟ ମୌଳିକ କାବ୍ୟ ରଚନା କଲେ । ଉପେନ୍ଦ୍ର ଭଞ୍ଜ ରାମାୟଣର କଥାବସ୍ତୁ ଗ୍ରହଣ କରି ଓଡ଼ିଆରେ ‘ବୈଦେହୀଶ ବିଳାସ’ କାଳିଦାସଙ୍କ ରଘୁବଂଶ ପରି କ୍ଳାସିକ୍‌କାବ୍ୟ ରଚନା କରଛନ୍ତି । ଠିକ୍‌ ସେହିପରି ଗଙ୍ଗାଧରଙ୍କ ‘ପ୍ରଣୟ ବଲ୍ଲରୀ’ ତାର ମୌଳିକତା ପ୍ରତିପାଦନ କରେ । ଏହା କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ର ଅନୁବାଦ ବା ପ୍ରତିଫଳିତ ନୁହେଁ-ଏକ ସ୍ୱତନ୍ତ୍ର କାବ୍ୟ । ତେବେ ତପସ୍ୱିନୀର ସୀତା ଓ ପ୍ରଣୟବଲ୍ଲରୀର ଶକୁନ୍ତଳା ମଧ୍ୟରେ ତଫାତ୍‌ ଅନେକ । ସୀତାଙ୍କ ପରି ଶକୁନ୍ତଳା ଏତେଟା ଦୃଢ଼ମନା ବା ସଂଯତ ହୋଇ ପାରିନାହାନ୍ତି । ଅଳ୍ପ କେହି ଘଡ଼ିର ସଂପର୍କ ମଧ୍ୟରେ ତାଙ୍କ ପ୍ରଣୟାଙ୍କୁର ପଲ୍ଲବିତ, ପ୍ରସ୍ଫୁଟିତ ଓ ସୁରଭିତ ହୋଇଛି ଏବଂ କେବଳ ଦୁଇଜଣ ସଙ୍ଗିନୀଙ୍କ ସମକ୍ଷରେ ହିଁ ଦୁଷ୍ମନ୍ତଙ୍କୁ ବିବାହ କରି ନେଲେ । ପାଳିତ ପିତା କଣ୍ୱଙ୍କ ସମ୍ମତି କି ଅପେକ୍ଷା କଲେ ନାହିଁ । ଦେହ ବି ସମର୍ପଣ କରିଦେଲେ । ତାଙ୍କୁ ତା’ର ପରିଣତି ଭୋଗିବାକୁ ହେଲା । ଗଙ୍ଗାଧରଙ୍କ ଭାଷାରେ-‘‘ଯେମନ୍ତ ମଧୁର ତିକ୍ତ ହିଁ ତେମନ୍ତ ପ୍ରକୃତ ପ୍ରଣୟ ଫଳ ।’’ ଅବଶ୍ୟ କାବ୍ୟର ସମାପ୍ତି ମିଳନାନ୍ତକ :

 

‘‘ଏକ ପ୍ରାଣ ହେଲେ ନୃପତି ଦଂପତି ଭିନ୍ନ ମାତ୍ର ଥିଲା କାୟା

ସ୍ନିଗ୍ଧ କରୁଥିଲା ଜୀବନକୁ ସଦା ପବିତ୍ର ପ୍ରଣୟ ଛାୟା ।’’

(ସପ୍ତମ ସର୍ଗ-ପ୍ରଣୟ ବଲ୍ଲରୀ)

 

ସେ ଦିଗରୁ ‘କୀଚକ ବଧ’ର ସୈରିନ୍ଧ୍ରୀ ଓରଫ୍‌ ଦ୍ରୌପଦୀ ଖୁବ୍‌ ସଂଯତ, ସ୍ଥିତପ୍ରଜ୍ଞ । ଅବଶ୍ୟ ସେ ସେତେବେଳକୁ ବିବାହିତା, ପାଞ୍ଚପତିର ପତ୍ନୀ-ଛଦ୍ମବେଶରେ ଅଜ୍ଞାତ ବାସ କାଟୁଛନ୍ତି । ତା ସତ୍ତ୍ୱେ କୀଚକ ପରି ପ୍ରବଳ ପରାକ୍ରମୀ, ଲଂପଟ ହାତରୁ ନିଜ ସତୀତ୍ୱ ବଞ୍ଚାଇବାର ବ୍ୟବସ୍ଥା ସେ କରିପାରିଛନ୍ତି ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ।

 

ଶକୁନ୍ତଳାଙ୍କ ଜନ୍ମଜାତକ ରହସ୍ୟାଚ୍ଛନ୍ନ । ଇନ୍ଦ୍ରଙ୍କ ଦ୍ୱାରା ପ୍ରେରିତ ଅପ୍‌ସରା ମେନକା ଉଦ୍ଦିଷ୍ଟ ଥିଲା ବିଶ୍ୱାମିତ୍ରଙ୍କ ତପସ୍ୟାଭଗ୍ନ କରିବାକୁ । ତାହା ହିଁ ହେଲା ଏବଂ ସେଇ ପାପ ପ୍ରଣୟନ ବିଷକୁମ୍ଭରୁ ଜନ୍ମହେଲା ଅମୃତଶିଶୁ ଶକୁନ୍ତଳା-ମେହେରଙ୍କ କାବ୍ୟ ନାୟିକା, ଠିକ୍‌ ଲେଡ଼ା ଏବଂ ଶ୍ୱାନ (ପଶୁ ଓ ମାନବୀ)ଙ୍କ ସଂଭୋଗରୁ ବିଶ୍ୱସୁନ୍ଦରୀ ହେଲେ ନ ଜନ୍ମନେବା ପରି । ମାନସିକ ଆବେଗରେ ଅଥୟ ଶକୁନ୍ତଳା ଦୁଷ୍ମନ୍ତଙ୍କଠାରେ ନିଜର ଦେହ ଓ ଆତ୍ମାକୁ ସମର୍ପଣ କରିବା ହେତୁ ତାଙ୍କ ଜୀବନରେ ଏକ ଟ୍ରାଜେଡ଼ି ବା ବିୟୋଗାନ୍ତକ ସ୍ରୋତ ପ୍ରବାହିତ ହେଲା, ଯେଉଁଥିପାଇଁ ତାଙ୍କୁ ବିଚ୍ଛେଦର ଯୂପତଳେ ବଳି ପଡ଼ିବାକୁ ହେଲା । ଦୁର୍ବାସାଙ୍କ ଅଭିଶାପ, ମେହରଙ୍କ ଭାଷାରେ :

 

‘‘ଘେନ ପୂଜ୍ୟପୂଜା ବ୍ୟତିକ୍ରମ ଫଳ ଯାଠାରେ ରଖିଛୁ ଲୟ

ସେ ଚିହ୍ନି ପାରିବ ନାହିଁ ତୁ ଦେଲେହେଁ ଆପଣାର ପରିଚୟ ।’’

 

ରାଜପ୍ରଦତ୍ତ ମୁଦ୍ରିକା ସଙ୍କେତ ନିରୁଦ୍ଦିଷ୍ଟ ହୋଇଯିବା ନିୟତିର ଖେଳ ଥିଲା । ଶକୁନ୍ତଳା ତାର ଶୀକାର ହେଲେ । ତାଙ୍କର ଗତ୍ୟନ୍ତର ନ ଥିଲାକି କର୍ତ୍ତୃତ୍ୱ ବି ନଥିଲା । ରାମାୟଣର ସ୍ୱର୍ଣ୍ଣ ମୃଗ ପରି ପ୍ରଣୟ ବଲ୍ଲରୀର ଅଙ୍ଗୁରୀୟ ନିୟତିର ଏକ ପ୍ରତୀକ, ଯାହା ବିୟୋଗାନ୍ତକ ମହାସ୍ରୋତକୁ ତ୍ୱରାନ୍ୱିତ କରିଛି ଏବଂ ପରିଣତି କି ନିର୍ବାପିତ ବି କରିଛି ।

 

‘ପ୍ରଣୟ ବଲ୍ଲରୀ’ ଏକ ମିଳନାନ୍ତକ କାବ୍ୟ ଏବଂ ଶକୁନ୍ତଳାଙ୍କ ଶେଷ ଜୀବନ ସ୍ୱାମୀ ପୁତ୍ର ଓ ରାଜରାଣୀର ସୌଭାଗ୍ୟରେ ମଧୁମୟ ହୋଇଛି । କିନ୍ତୁ ଗଙ୍ଗାଧର ‘ତପସ୍ୱିନୀ’ର ଉପସଂହାରକୁ ମିଳନାନ୍ତକର ପୁଟ ଦେଇଛନ୍ତି ସ୍ୱପ୍ନର କଳ୍ପନା ମଧ୍ୟରେ । ଯୋଗମାୟାଙ୍କ କୃପାରୁ ସୀତା ପୁତ୍ରମାନଙ୍କ ସଙ୍ଗେ ସ୍ୱାମୀଙ୍କୁ ସଙ୍ଗେ ରାଜସିଂହାସନ ମଣ୍ଡନର ସ୍ୱପ୍ନ ହିଁ ଦେଖି ବିଭୋର ହୋଇଛନ୍ତି । କିନ୍ତୁ ବାସ୍ତବତା ଥିଲା ଭିନ୍ନ ଧରଣର-ତୀବ୍ର ବିୟୋଗାନ୍ତକ ସ୍ରୋତରେ ଉବୁଟୁବୁ । ଲବକୁଶଙ୍କ ମୁଖରୁ ଦୂତର ଆଗମନ ଓ ବାଲ୍ମୀକିଙ୍କୁ ନିମନ୍ତ୍ରଣ ତଥା ଲବକୁଶଙ୍କ ସହଋଷିଙ୍କ ଗମନ ବାର୍ତ୍ତା ସୀତା ଶୁଣିବା ପରେ ପୁତ୍ରମାନଙ୍କର ପିତା ସଙ୍ଗେ ଆସନ୍ନ ମିଳନ କଥା ଚିନ୍ତା କରି ଯେତିକି ଆଶ୍ୱସ୍ତ, ତାଠୁଁ ଅଧିକ ଅଧୀରା ହୋଇଛନ୍ତି ତାଙ୍କର ପୁତ୍ର ବିଚ୍ଛେଦ ବିଷୟ ଚିନ୍ତାକରି । ରାମଙ୍କ ସଂପର୍କିତ ଲବକୁଶଙ୍କ ମୁଖରୁ : ‘‘ଅଶ୍ୱମେଧ ଯଜ୍ଞେ ସହଧର୍ମିଣୀ ସକାଶେ, କାନକୀ ଜାନକୀ ରାମ ଛନ୍ତି ପାଶେ ।’’ ଶୁଣିବା ପରେ ସୀତା ଚରମ ଆଶ୍ୱସ୍ତିରେ ସୁଖ ନିଦ୍ରା ଯାଇଛନ୍ତି ଓ ତାହା ସୁଖ ସ୍ୱପ୍ନରେ ପ୍ରତିଫଳିତ ହୋଇଛି ଏକ ମିଳନାନ୍ତକ ଦୃଶ୍ୟ ପଟରେ । ବାଲ୍ମୀକି, ଭବଭୂତି ଓ କାଳିଦାସ ସମସ୍ତଙ୍କ ଲେଖନୀରେ ସୀତା ଜଣେ ତ୍ୟାଗଦୀପ୍ତ କରୁଣ ଓ ବିୟୋଗନ୍ତକ ନାୟିକା, ଯାହାକୁ ଗଙ୍ଗାଧର ମଧ୍ୟ ତପସ୍ୱିନୀରେ ଅବ୍ୟାହତ ରଖିଛନ୍ତି । ଏତେ ନିର୍ଯ୍ୟାତନା, ନିର୍ବାସନ ଓ ନିଷ୍କରୁଣା ସତ୍ତ୍ୱେ ସୀତାଙ୍କ ଦୃଷ୍ଟିରେ ରାମ, ‘କାନ୍ତ ତ ସ୍ୱଭାବେ ମୋ କରୁଣାନିଧି’ ଓ ‘ଅନନ୍ତଅଗାଧ ମୋର ପ୍ରଭୁଙ୍କର ଦୟା’ କହିବାରୁ ସେ ବିରତ ହୋଇ ନାହାନ୍ତି । ସୀତା ପତିଗତ ପ୍ରାଣା । କାୟ ମନୋବାକ୍ୟରେ ପତିସେବା ତାଙ୍କର କାମ୍ୟ ଜନ୍ମଜନ୍ମାନ୍ତରେ । ତେଣୁ ସେ ବାଞ୍ଛା କରନ୍ତି : ‘‘ଜୀବନେ ନ ପାରିଲେ ହେବି ମରଣେ/ପାଦୁକା କରିଦେବ ପ୍ରଭୁ ଚରଣେ ।’’ ନିଜ ଶଣୀରର ଭସ୍ମରେ ପୁଷ୍ଟ ଗଛର କାଠରେ କଠଉ ରାମଙ୍କ ପାଦ ଲାଗି ହେବାର ସୌଭାଗ୍ୟ ସୀତାଙ୍କର ଅନ୍ତିମଇଚ୍ଛା । ‘ତପସ୍ୱିନୀ’ରେ ଗଙ୍ଗାଧର ସୀତା ଚରିତ୍ରକୁ ଢେର ମହିମାନ୍ୱିତ କରିଛନ୍ତି । ସେ ତାଙ୍କ ନାରୀ ଚରିତ୍ରର ଶିରୋମଣି ।

 

ସୀତାଙ୍କ ପରି ଆଉ ଏକ ଆଦର୍ଶ ତଥା ବିଶିଷ୍ଟ ନାରୀ ଚରିତ୍ର ହେଲେ ଶକୁନ୍ତଳା, ଯାହାଙ୍କୁ ମହାକବି କାଳିଦାସ ତାଙ୍କ କାବ୍ୟନାୟିକା ରୂପେ ଗ୍ରହଣ କରି ପ୍ରେମ, ସୌନ୍ଦର୍ଯ୍ୟ ଓ କରୁଣତାର ଏକ ଚମତ୍କାର ପ୍ରତିମାକୁ ରୂପାନ୍ତରିତ କରିଛନ୍ତି । ମହାକବି ଗେଟେ ତାଙ୍କୁ ନବଯୌବନର ପ୍ରସ୍ଫୁଟିତ କୁସୁମ ଓ ପରିଣତବୟସର ସୁପକ୍ୱ ଫଳ ବୋଲି କହନ୍ତି, ଯେଉଁଥିରେ ଆତ୍ମା ଅସୀମ ଆନନ୍ଦ, ତୃପ୍ତି ଓ ଶାନ୍ତି ସନ୍ତୋଷ ଲାଭ କରିବ । ସବୁଠୁଁ ଚମତ୍କାର କଥା ହେଲା ସେ ତାଙ୍କୁ ଉଭୟ ସ୍ୱର୍ଗ ଓ ମର୍ତ୍ତ୍ୟର ସମନ୍ୱୟ : Wouldst thou the earth and heaven itself." ଏବଂ ସେଇ ଚମତ୍କାର ନାମ ‘ଶକୁନ୍ତଳା’ ହିଁ ଏହାକୁ ପ୍ରକଟ କରୁଛି । ପରବର୍ତ୍ତୀ ସମୟରେ ବିଶ୍ୱକବି ରବୀନ୍ଦ୍ରନାଥ ସେହି ମର୍ମରେ ଲେଖିଛନ୍ତି :

 

‘‘ଯୁଗଯୁଗା୍‌ନ୍ତରହତେ ସୁଧୁତୁମି, ବିଶ୍ୱର ପ୍ରେୟସୀ

ହେ ଅପୂର୍ବ ଶୋଭନା ଉର୍ବଶୀ ।’’

 

କବିଙ୍କ ମତରେ ପ୍ରିୟା ଜଗତବ୍ୟାପିନୀ, ଅନ୍ତରବ୍ୟାପିନୀ ଆଉ ଅନାଦି କାଳବକ୍ଷରେ ଚିର ଜାଜୁଲ୍ୟମାନ । ମହାକବି ସେକ୍ସପିୟରଙ୍କ ମତରେ ସମୟ ଅସ୍ତ୍ର ପ୍ରେମ ବନ୍ଧନକୁ-କାଟିପାରିବ ନାହିଁ-। କବି ଅଭିମନ୍ୟୁ ସାମନ୍ତସିଂହାର ଶାଶ୍ୱତ ପ୍ରେମୀଙ୍କୁ ‘ଅପ୍ରାକୃତ ପ୍ରେମ ମୂର୍ତ୍ତି’ ବୋଲି କହନ୍ତି ଏବଂ ସେ ପ୍ରେମଲୀଳା ଅବ୍ୟକ୍ତ ଅପୂର୍ବ । ପ୍ରେମ ଏବଂ ଅମୃତ ମଧ୍ୟରେ ତୁଳନା କରି ସେ କହନ୍ତି : ‘‘ସୁଧା ଅନୁରାଗ ସଙ୍ଗତେ ସହିକରି ପାରିବ କେ କେମନ୍ତେ ?’’ ଗଙ୍ଗାଧର ସେହିପରି ଶକୁନ୍ତଳାଙ୍କ ବହିଃ ପ୍ରକୃତିକି ଯେପରି ଅମୃତ ସ୍ପର୍ଶ ଦେଇଛନ୍ତି ତାଙ୍କ ଅନ୍ତଃ ପ୍ରକୃତିକି ଶାଶ୍ୱତ କରି ଗଢ଼ି ତୋଳିଛନ୍ତି । ରାଜା ଦୁଷ୍ମନ୍ତଙ୍କର ପ୍ରଥମ ଦର୍ଶନରେ ମନେ ହୋଇଛି :

 

‘‘ପାଣି ପଦ୍ମରାଗ ପଲ୍ଲବ ଯହିଁରେ      ନଖ ହୀରା ପୁଷ୍ପ କଢ଼ି

ତାହା ଗଢ଼ା ସ୍ୱର୍ଣ୍ଣ ଶିଳ୍ପୀ ହସ୍ତେ      ବିଶ୍ୱଶିଳ୍ପୀଛନ୍ତି ଗଢ଼ି ।’’

(ପ୍ରଥମ ସର୍ଗ)

 

ଏ ପ୍ରସଙ୍ଗରେ ଦମୟନ୍ତୀଙ୍କ ରୂପବର୍ଣ୍ଣନା ପ୍ରସଙ୍ଗରେ ନୈଷଧ କାବ୍ୟକାରଙ୍କ ଉପମା ମନକୁ ଆସେ :

‘‘ହୃତ ସାର ମିଦେନ୍ଦୁ ମଣ୍ଡଳଂ            ଦମୟନ୍ତୀ ବଦନାୟ ବେଧସା ।

କୃତ ମଧ୍ୟବିଳଂ ବିଲୋକ୍ୟତେ            ଧୃତ ଗଭୀର ଖନୀ ଖନୀଳମ ।’’

 

ଅର୍ଥାତ୍‌ ଦମୟନ୍ତୀଙ୍କ ମୁଖଶ୍ରୀ ଗଢ଼ଣ ନିମନ୍ତେ ବ୍ରହ୍ମା ଚନ୍ଦ୍ର ମଣ୍ଡଳରୁ ସାରସୁଷମା ଆହରଣ ବେଳେ ଏପରି ଭାବେ ଖଣତିଚୋଟ ମାରିଛନ୍ତି ଯେ ସେଇ ଗର୍ତ୍ତସବୁ ଚନ୍ଦ୍ରକଳଙ୍କ ରୂପେ ରହିଯାଇଛି-। ଗଙ୍ଗାଧର ଶକୁନ୍ତଳାଙ୍କୁ ଚନ୍ଦ୍ରସଙ୍ଗେ ତୁଳନା କରି ଚନ୍ଦ୍ରକୁ ନ୍ୟୁନ କରିଦେଇଛନ୍ତି । ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ଭକ୍ତି-ପ୍ରତ୍ୟୁକ୍ତିରେ ତାହା ପ୍ରକଟିତ ହୋଇଛି :

 

‘‘ସୁଧାକଣା କାହୁଁ ପାଇବି ସେ ପରା ଥାଏ ପୂର୍ଣ୍ଣ ଶଶଧରେ

ସେତ ସକଳଙ୍କ ପୂର୍ଣ୍ଣଅଛି ସୁଧା ଅକଳଂକ ତୋ ଅଧରେ ।’’

 

      ଏହା ସ୍ୱୀକାର୍ଯ୍ୟ ଯେ ଗଙ୍ଗାଧର କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ଦ୍ୱାରା ଅନେକାଂଶରେ ପ୍ରଭାବିତ ହୋଇଛନ୍ତି । ପ୍ରଫେସର ଗୋବିନ୍ଦଚନ୍ଦ୍ର ଉଦଗାତା ପ୍ରଣୟ ବଲ୍ଲରୀ ଉପରେ କାଳିଦାସଙ୍କ ପ୍ରଭାବ ବ୍ୟତୀତ ଅଭିମନ୍ୟୁଙ୍କ ‘ବିଦଗ୍ଧ ଚିନ୍ତାମଣି’ର ପ୍ରଭାବ କଥା କହନ୍ତି । ଏତଦ୍‌ବ୍ୟତୀତ ଶକୁନ୍ତଳା, ପ୍ରିୟମ୍ବଦା ଓ ଅନସୂୟାଙ୍କ କଥୋପକଥନରେ ଲାବଣ୍ୟବତୀର ଷଷ୍ଠସର୍ଗ, ବଳଦେବ ରଥଙ୍କ ଚମ୍ପୁର ଶ୍ରୀରାଧା ଓ ଲଳିତା, ବିଶାଖାଦିଙ୍କ କଥୋପକଥନର ପ୍ରଭାବ ପରିଲକ୍ଷିତ । ଡଃ କୁଂଜ ବିହାରୀ ତ୍ରିପାଠୀଙ୍କ ମତରେ କାଳିଦାସଙ୍କ ମାଳବାଗ୍ନିମିତ୍ରର ପ୍ରଭାବ ମଧ୍ୟ ପ୍ରଣୟବଲ୍ଲୀରରେ ରହିଛି-। ନିଜେ ମେହେର ମଧ୍ୟ ଏହା ସ୍ୱୀକାର କରନ୍ତି ଯେ ‘‘ଅଭିଜ୍ଞନା ଶାକୁନ୍ତଳମ୍‌’’ ତାଙ୍କ କାବ୍ୟର ଉତ୍ସ । ସମାଲୋଚକମାନେ ଅନେକ ଶ୍ଳୋକ ଉଦ୍ଧାରକରି ତାହା ପ୍ରତିପାଦନ କରିଥାନ୍ତି । ଏ ପ୍ରସଙ୍ଗରେ ଚତୁର୍ଥ ଅଙ୍କର ୮ମ ଶ୍ଳୋକ ଦ୍ରଷ୍ଟବ୍ୟ :

 

‘‘ଯାସ୍ୟ ତ୍ୟଦ୍ୟ ଶକୁନ୍ତଳେତି ହଦୟ ସଂସ୍ଫୁଷ୍ଟମୁତ୍‌ କଣ୍ଠୟା

କଣ୍ଠଃ ସ୍ତମ୍ଭିତବାଷ୍ପ ବୃତ୍ତି କଳୁଷ ଶ୍ଚିନ୍ତାଜଡ଼ ଦର୍ଶନମ୍‌ ।

ବୈକ୍ଳବ୍ୟଂ ମମ ତାବଦୀ ଦୃଶମହୋ ସ୍ନୋହାଦର ଶୌକସଃ

ପୀଡ଼୍ୟନ୍ତେ ଗୃହିଣଃ କଥଂ ନ ତନୟା ବିଶ୍ଲେଷ ଦୁଃଖୈ ର୍ନବୈଃ ।।’’

 

ଗଙ୍ଗାଧରଙ୍କ ପଂକ୍ତି :

‘‘ଏକାଳେ ମୁନୀନ୍ଦ୍ର ଆସି ସ୍ନେହଦୃଷ୍ଠି ଦେଇ ଶକୁନ୍ତଳା ପ୍ରତି

ବିଚାରିଲେ ମନେ ଶକୁନ୍ତଳା ହୀନ ହେବ ମୋ ବନ ସଂପ୍ରତି ।

ସେ ବିଚାରେ ହୃଦ ବିକ୍ଷୋଭିତ ହୋଇ ଗଲା ମୁନିବରଙ୍କର

ମୃଣାଳ-ଲାଳସୀ ଗଜପ୍ରବେଶିଲେ ଯେସନେ କମଳାକର ।’’

(ପ୍ରଣୟବଲ୍ଲରୀ)

 

ଏହିପରି ଅନେକ ନଜିର, ଗ୍ରହଣ କରାଯାଇପାରେ । ଏସବୁ ସତ୍ତ୍ୱେ ଗଙ୍ଗାଧର ନିଜର ମୌଳିକତା ସାବ୍ୟସ୍ତ କରିଛନ୍ତି । ତପସ୍ୱିନୀ ‘ମହାକାବ୍ୟର ପରିସମାପ୍ତି ଏକାଦଶ ଅଧ୍ୟାୟରେ ଏବଂ ପରିଣତି ଏକ ଆପାତଃ ମିଳନାନ୍ତକ ଯୋଗମାୟାଙ୍କ ମାୟା-ସ୍ୱପ୍ନଇନ୍ଦ୍ରଜାଲରେ ସତୀଙ୍କି ମୋହବିଷ୍ଟକରି

 

‘‘ଉଚ୍ଚାରିତ ହେଉଅଛି ଜୟ ସୀତାରାମ

ଚାହିଁ ମୁଗ୍ଧ ହେଲେ ସତୀ-ଲଳନା-ଲଲାମ ।’’

 

ଏହିଭାବେ ଗଙ୍ଗାଧର ତାଙ୍କ କାବ୍ୟକବିତାରେ ପ୍ରକୃତିର ବର୍ଣ୍ଣାଢ଼୍ୟ ବର୍ଣ୍ଣନା ସଙ୍ଗେ ଚାରିତ୍ରିକ ଉତ୍କର୍ଷ ପ୍ରତିପାଦିତ କରି କାମ୍ୟକଳା କାରିଗରୀ ପ୍ରଦର୍ଶନ କରିଛନ୍ତି ।

 

 

ପ୍ଲଟ୍‌ ନଂ ୧୧୭୫/୩୨୦୩,

ଲକ୍ଷ୍ମୀସାଗର ଉପର ସାହି,

ଭୁବନେଶ୍ୱର -୭୫୧୦୦୬

 

 

***

 

Unknown

ମେହେର ସାହିତ୍ୟରେ ପ୍ରେମ

ମନମୋହନ ଆଚାର୍ଯ୍ୟ

 

ଅମର ସ୍ରଷ୍ଟା, ଚିରସ୍ମରଣୀୟ କବି ଗଙ୍ଗାଧର ମେହେରଙ୍କ ଶାଶ୍ୱତ ସୃଷ୍ଟି ଓଡ଼ିଆ ସାହିତ୍ୟରେ ଅତୁଳନୀୟ । ଆଜନ୍ମରୁ ଦାରିଦ୍ର୍ୟର କଷାଘାତରେ ନିଷ୍ପେଷିତ ହୋଇ ମଧ୍ୟ ସେ ଶେଷ ଜୀବନ ପର୍ଯ୍ୟନ୍ତ ସାହିତ୍ୟରୁ ବିରତ ହୋଇ ନଥିଲେ । ଚୈତନ୍ୟ ମେହେରଙ୍କ ପୁତ୍ର ଗଙ୍ଗାଧର ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲେ ସତ୍ୟ, କିନ୍ତୁ ଭଗବାନ ମେହେରଙ୍କ ପିତା ଗଙ୍ଗାଧର ଦରିଦ୍ର ନଥିଲେ । ପରନ୍ତୁ ତାଙ୍କର ଆର୍ଥିକ ସ୍ୱଚ୍ଛଳତା ଥିଲା । କିନ୍ତୁ ସର୍ବଦା ସରଳତା, ନମ୍ରତାରେ ବିଶ୍ୱାସ ରଖୁଥିବା କବି ତପସ୍ୱିନୀ କାବ୍ୟରେ ବାଣୀ ବନ୍ଦନା କରି ଲେଖିଥିଲେ-

 

ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର

ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର

ଶରଦ ସଦୃଶ ତୋତେ କରି ଦରଶନ

ହୋଇଯାଉଅଛି ସେତ ସ୍ୱତଃ ପରସନ୍ନ ।

 

ଅମୃତସ୍ରାବୀ ଲେଖନୀରେ ପ୍ରକୃତିରେ ପ୍ରାଣ ସଞ୍ଚାର କରିଥିବା କବି ଗଙ୍ଗାଧର ‘ତପସ୍ୱିନୀ’ କାବ୍ୟରେ ଶ୍ରୀରାମଚନ୍ଦ୍ର ଓ ମାତା ସୀତାଙ୍କର ସ୍ୱର୍ଗୀୟ ପ୍ରେମକୁ ଯେପରି ଚିତ୍ତାକର୍ଷକ କରି ପରିବେଷଣ କରିଛନ୍ତି ସେହିପରି ‘ପ୍ରଣୟବଳ୍ଲରୀ’ କାବ୍ୟରେ ମଧ୍ୟ ହସ୍ତୀନାର ରାଜା ଦୁଷ୍ମନ୍ତଙ୍କ ସହ କଣ୍ୱମହର୍ଷିଙ୍କର କନ୍ୟା ଶକୁନ୍ତଳାଙ୍କର ପବିତ୍ର ପ୍ରେମକୁ ଅତ୍ୟନ୍ତ ମନୋମୁଗ୍‌ଧକର କରିଛନ୍ତି । ‘ତପସ୍ୱିନୀ’ରେ ସୀତାଙ୍କ ବିଚ୍ଛେଦ ଜନିତ ଦୁଃଖରେ ମ୍ରିୟମାଣ ଶ୍ରୀରାମ କ୍ରନ୍ଦନାବସ୍ଥାରେ ପ୍ରକୃତିକୁ ସମ୍ଭୋଧନ କରି ସୀତାଙ୍କ ସ୍ଥିତ ବିଷୟରେ ପଚାରିଛନ୍ତି । ବିଚ୍ଛେଦ ଜନିତ ଦୁଃଖରେ ନିଜକୁ ପ୍ରବୋଧନା ଦେଇଛନ୍ତି :-

 

ପିଞ୍ଜରୁ ବାହାରିଯିବେ ଶୁକଶାରୀ ଛାଡ଼ିଦେବି ରାତିପାହୁ

ତୋତେ ଉତ୍ତେଜିତ କରିବା ନିମିତ୍ତ ନ ବୋଲିବେ ସୀତା ଆଉ ।

 

ମହାନାଟକର ଚତୁର୍ଥଅଙ୍କ ଚତୁର୍ଦ୍ଦଶ ଶ୍ଳୋକରେ ଶ୍ରୀରାମଙ୍କ ଦୁଃଖ ଅତ୍ୟନ୍ତ କଷ୍ଟପ୍ରଦ ଭାବରେ ବର୍ଣ୍ଣିତ । ପ୍ରକୃତିକୁ ସମ୍ବୋଧନ କରି ଶ୍ରୀରାମ କହିଛନ୍ତି :-

 

ଭୋ ବୃକ୍ଷଃ ପର୍ବତସ୍ଥା ବହୁ କୁସୁମୟତା ବାୟୁନ ଘୂର୍ଣ୍ଣ୍ୟମାନା

ରାମୋଦ୍ଧହଂ ବ୍ୟାକୁଳାତ୍ମା ଦଶରଥତନୟଃ ଶୋକ ଶୁକ୍ରେଣଦଗ୍‌ଧଃ

ବିମ୍ବୋଷ୍ଠୀ ଚାରୁନେତ୍ରା ସୁବିପୁଳ ଜିଘନା ଦୀର୍ଘକେଶୀ ସୁମଧ୍ୟା

ହା ସୀତା କେନ ନୀତା ମମହୃଦୟଗତା କେଉବାନ୍‌କେନ ଦୃଷ୍ଟା ।

 

ଶ୍ରୀରାମଙ୍କର ସୀତାଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ପ୍ରେମ ଯେପରି ସ୍ୱର୍ଗୀୟ ସେହିପରି ସୀତାଙ୍କର ପତିଭକ୍ତି ତାଠାରୁ ଉର୍ଦ୍ଧ୍ୱରେ । ପ୍ରେମର ସଂଜ୍ଞା ନିରୂପଣ କରିବାକୁ ଯାଇ କୁହାଯାଇଛି:

 

ଦର୍ଶନେ ସ୍ପର୍ଶନେ ବାଦ୍ଧପି ଶ୍ରବଣେ ଭାଷଣେଦ୍ଧପିତା

ହୃଦୟସ୍ୟ ଦ୍ରବତ୍ୱଂ ଯତ୍‌ ତତ୍‌ ପ୍ରେମ ଇତି କଥ୍ୟତେ ।

 

ବାସ୍ତବରେ ସେହିପରି ପରିସ୍ଫୁଟ ହୋଇଛି ସୀତାଙ୍କ ଆଦର୍ଶ ପତ୍ନୀତ୍ୱରେ । ବାସ୍ତବରେ ସମର୍ପିତା ସୀତାଙ୍କର ଅନ୍ତରରୁ ପତିଭକ୍ତିର ସୁଧାଧାରା ଝରି ପଡ଼ିଛି :

 

ହେଉ ଏ ଯମାଳୟ ଅଥବା ସ୍ୱର୍ଗ

ବିହରୁ ଆୟୁ ଏଥି ଦେବତାବର୍ଗ

ଏକ କରି ପାରିବ ମୋ ଚିତ୍ତ ହରଣ

କୌଶଲ୍ୟା ସୁତ ଏକା ମୋର ଶରଣ ମୋ ।

 

ଲୋକାପବାଦ ଆଶଙ୍କାରେ ପ୍ରାଣପ୍ରିୟ ପତ୍ନୀଙ୍କୁ ନିର୍ବାସନ ଦେଇ ରାଜଧର୍ମ ନିର୍ବାହ କରି ଶ୍ରୀରାମ କହିଛନ୍ତି:

 

ନ ପାରେ କରି ଆଉ ତୋତେ ଗ୍ରହଣ

ଗ୍ରହଣ କଲେ ହେବ ଲୋକ ଗର୍ହଣଗୋ ।

 

କିନ୍ତୁ ସୀତାଙ୍କର ଭକ୍ତିର ନିର୍ବାସନ ପାଇଁ ମୋର ପ୍ରଭୁ ଶ୍ରୀରାମ ଦାୟୀ ନୁହନ୍ତି । ଏହା ମୋର ଭାଗ୍ୟଦୋଷ, ଅଥବା ବିଧିନିର୍ଦ୍ଦେଶ ବୋଲି କହିଛନ୍ତି ସୀତା :

 

ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି

କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ।

 

କେବଳ ସେତିକି ନୁହେଁ, ସୀତା ପ୍ରଶଂସା କରିଛନ୍ତି ପତି ଶ୍ରୀରାମଙ୍କୁ । ନିର୍ବାସନ ଦଣ୍ତ ପାଇ ମଧ୍ୟ ଶ୍ରୀରାମଙ୍କ ଆଦର୍ଶ ଚରିତ୍ରକୁ ନିଷ୍କଳଙ୍କ ଭାବରେ ବର୍ଣ୍ଣନା କରି କହିଛନ୍ତି-

 

କୀର୍ତ୍ତି ଅନୁରୋଧେ ସିନା କଲ ମୋତେ ତ୍ୟାଗ

ଏ ତୁମ୍ଭର ଉପଯୁକ୍ତ କର୍ମ ମହାଭାଗ ।

X      X      X      X      X

ହେଉ ମୋର ନିର୍ବାସନ ପ୍ରକୃତିର ତୋଷ

ପ୍ରଭୁଙ୍କର ବ୍ରତ ହେଉ ସଂପୂର୍ଣ୍ଣ ନିର୍ଦ୍ଦୋଷ ।

 

ସମର୍ପଣ ମନୋଭାବର ପ୍ରତୀକ, ଆଦର୍ଶ ପତ୍ନୀର କର୍ତ୍ତବ୍ୟରେ ମହିମାମଣ୍ତିତ ହୋଇଛନ୍ତି ଶ୍ରୀରାମ ।

 

ରୀତିଯୁଗର ଶେଷ ପର୍ଯ୍ୟାୟର ବିଦଗ୍‌ଧ କବି ଅଭିମନ୍ୟୁ ରାଧାକୃଷ୍ଣଙ୍କର ଶାଶ୍ୱତ ପ୍ରେମର ବର୍ଣ୍ଣନା କରିବାକୁ ଯାଇ ସୀତାଙ୍କର ସମର୍ପିତା ପ୍ରାଣକୁ ରୂପ ଦେଇଛନ୍ତି :-

 

ଜୀବନ ଗଲେ ଏତିକି କରିବ

ଶ୍ୟାମ ନାମ ମୋର ହୃଦେ ଲିହିବ

ଶ୍ୟାମ ରୂପ ମୂର୍ତ୍ତି ହୃଦେ ଲଗାଇ

ଶ୍ୟାମ ବସନ ଅଙ୍ଗରେ ଘୋଡ଼ାଇ

ଶ୍ୟାମ ଗତି ପଥେ ଗୋ

ମୋ ଶବ ପୋତିବ ଆପଣା ହାତେ ।

 

ସ୍ୱଭାବକବି ଗଙ୍ଗାଧର ସୀତାଙ୍କର ଭାବକୁ ଯେପରି ରୂପାୟିତ କରିଛନ୍ତି ତାହା ବାସ୍ତବରେ ଅନନ୍ୟ । ଇହଜନ୍ମରେ ପୁନଃ ସାକ୍ଷାତ ନ ହୋଇ ପାରିଲେ ପରଜନ୍ମରେ ପତିଙ୍କ ସହିତ ସାକ୍ଷାତ ହେବାର ଆଶା ରଖି ସୀତା କହିଛନ୍ତି ତପସ୍ୱିନୀ କାବ୍ୟରେ :-

 

ଜୀବନେ ନ ହୋଇଲେ ମୋତେ ମରଣେ

ସେବିକା କରିଦେବ ପ୍ରଭୁ ଚରଣେ

ମୋ ତନୁ ଦଗ୍‌ଧ ହେଲେ ହେବ ତ ଖାର

ତାହାକୁ କରାଇବ ପାଦପେ ସାର

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ

ଗଢ଼ାଇଦେବ ପ୍ରଭୁ ପାଦୁକା ମୋତେ ।

 

ଶ୍ରୀରାମଙ୍କର ପତ୍ନୀ ସୀତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ତପସ୍ୱିନୀରେ ସର୍ବତ୍ର ପ୍ରତିଫଳିତ । ଗଙ୍ଗାଧର ଉଭୟଙ୍କ ଆଦର୍ଶକୁ ସମଭାବାପନ୍ମ କରି, ସମାଜକୁ ପତିପତ୍ନୀଙ୍କର ପବିତ୍ର ବନ୍ଧନକୁ ବର୍ଦ୍ଧନ କରି ବାର୍ତ୍ତା ଦେଇଛନ୍ତି । ମହାନାଟକରେ ଶ୍ରୀରାମ ସୀତାଙ୍କ ମହାନତାକୁ ବର୍ଣ୍ଣନା କରି କହିଛନ୍ତି :-

 

କାର୍ଯ୍ୟେଷୁମନ୍ତ୍ରୀ କରଣେ ଚ ଦାସୀ

ଧର୍ମେ ଚ ପତ୍ନୀ ସହନେ ଧରିତ୍ରୀ

ସ୍ନେହେଷୁ ମାତା ଶୟନେ ଚ ରମ୍ଭା

ରଙ୍ଗେ ସଖା ସା ଲକ୍ଷ୍ମଣ ପ୍ରିୟା ମେ ।।

 

ସୀତା ଥିଲେ ଶ୍ରୀରାମଙ୍କ ପାଶରେ ମନ୍ତ୍ରୀ, ଦାସୀ, ପତ୍ନୀ, ସଖା ମାତା ପରି । ମହାନାଟକୀୟ ଚିନ୍ତାଧାରାରେ ପରିପୂର୍ଣ୍ଣ ‘ତପସ୍ୱିନୀ’ କାବ୍ୟ । ‘ପ୍ରଣୟବଲ୍ଲରୀ’ କାବ୍ୟରେ କବି ଗଙ୍ଗାଧର ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କର ପ୍ରେମକୁ ଜୀବନ୍ତ କରିଛନ୍ତି ।

 

କଣ୍ୱ ମହର୍ଷିଙ୍କ କଣ୍ଠରେ ପତି ପତ୍ନୀଙ୍କର ପ୍ରେମର ଦିଗ୍‌ଦର୍ଶନ ବର୍ଣ୍ଣନା କରିଛନ୍ତି ଗଙ୍ଗାଧର:-

 

ପତିହିଁ ଅଟନ୍ତି ପରମଦେବତା ପତିର ଚରଣ ସ୍ୱର୍ଗ

ଲକ୍ଷ୍ମୀ ସଦା ପତିଦ୍ରତାର ସଙ୍ଗିନୀ ସ୍ୱାମୀ ପ୍ରତି ଅପବର୍ଗ

X      X      X      X      X      X

ପତି ଯେବେ ରୋଷ କରିବେ ଅଥବା କରିବେ ଯେବେ ଭର୍ତ୍ସନା

ସେ ଦୋଷ ନ ଘେନି ନତଶିରେ ସହି କରିବୁ ତାଙ୍କୁ ଅର୍ଚ୍ଚନା ।

 

ନଗ୍ନ ବିବର୍ଜିତ, ପାଶ୍ଚାତ୍ୟ ନଗ୍ନ ସଂସ୍କୃତିର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ତଥା ଉତ୍କଳୀୟ ଚିନ୍ତାଧାରାର ପବିତ୍ର ପ୍ରେମ ପରିଦୃଷ୍ଟି ହୁଏ ମେହେର ସାହିତ୍ୟରେ । ଏହାର ଭାଷା ଓ ଭାବର ସମନ୍ୱୟ, ଶବ୍ଦର ମାଧୁର୍ଯ୍ୟ ପାଠକ ପ୍ରାଣରେ ଆନନ୍ଦ ସଞ୍ଚାର କରିବା ସହ ନୀତି ଓ ଆଦର୍ଶର ବାର୍ତ୍ତାଦିଏ । ଆଶ୍ରମ ପାଳିତା କନ୍ୟା ଶକୁନ୍ତଳାଙ୍କୁ ଦେଖି ଦୁଷ୍ମନ୍ତଙ୍କର ମନରେ ଅମୃତମୟ ପ୍ରେମର ଉଚ୍ଛାସ ଆସିଛି । ଶକୁନ୍ତଳାଙ୍କ ସୌନ୍ଦର୍ଯ୍ୟକୁ ଦେଖି ପ୍ରେମ ମୁଗ୍‌ଧ ଦୁଷ୍ମନ୍ତ ଚିନ୍ତା କରିଛନ୍ତି :-

 

ବିସ୍ପାରିତ ହୋଇ ପଡ଼ୁଛି ତଥାପି ଲଳନା ଲାବଣ୍ୟପ୍ରଭା

ଯଥାଶିବ ଜଟ ଚନ୍ଦ୍ରିକା ଶୈବାଳ ବେଷ୍ଟିତ ପଦ୍ମିନୀଅବା

ଦେଖୁଅଛି ଯାହା ସତ୍ୟ ନା ସ୍ୱପନ ଯିବ କି ସହସା ଭାଙ୍ଗି

ସୁଖତୃପ୍ତି ଆଉ ଦେଖି ନ ପାରିବ ଦେବଦୁର୍ଲଭ ଶୁଭାଙ୍ଗୀ ।

 

ରାଜା ଦୁଷ୍ମନ୍ତ ଏହିପରି ଅନୁପମ ସୌନ୍ଦର୍ଯ୍ୟଯୁକ୍ତା ଶକୁନ୍ତଳାଙ୍କୁ ପ୍ରଣୟିନୀ ଭାବରେ ପ୍ରାପ୍ତି ହେବାପାଇଁ ବ୍ୟାକୁଳ ହୋଇପଡ଼ିଛନ୍ତି । ସେ ଭୁଲି ଯାଇଛନ୍ତି ତାଙ୍କ ରାଜତ୍ୱର ପରିଚୟ । ପ୍ରଣୟର ନିଦର୍ଶନ ସ୍ୱରୂପ ବାର୍ତ୍ତାଳାପ ଛଳରେ ସ୍ୱ ଅଙ୍ଗୁରୀୟ ଶକୁନ୍ତଳାଙ୍କ ଅଙ୍ଗୁଷ୍ଠିରେ ମଣ୍ତିତ କରି ପ୍ରେମର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି :

 

ଏହାକହି ହେବ ଅଙ୍ଗୁରୀୟ କାଢ଼ି ଅଙ୍ଗୁରୀୟ କାଢ଼ି ଅଙ୍ଗୁଳିରୁ ତରତରେ

ଶକୁନ୍ତଳା କର ଧରି ଅଙ୍ଗୁଳିରେ ମଣ୍ତିଦେଲେ ପ୍ରେମଭରେ ।

 

ଶକୁନ୍ତଳାଙ୍କୁ ପବିତ୍ର ବନ୍ଧନଯୁକ୍ତ କରି ରାଜା ସ୍ୱନଗରକୁ ପ୍ରତ୍ୟାବର୍ତ୍ତନ କଲାବେଳେ ଶକୁନ୍ତଳାଙ୍କର ହୃଦୟର ଭାଷାକୁ ବ୍ୟକ୍ତି କରି, ପ୍ରେମର ଉତ୍କର୍ଷ ପ୍ରତିପାଦନ କରିଛନ୍ତି :-

 

ବିଦାୟକାଳୀନ ସତୃଷ୍ଣ ଦର୍ଶନ ନୃପତିଙ୍କ ସ୍ମରିସ୍ମରି

ପ୍ରଣୟ ପ୍ରମୋଦ ବିମୁଗ୍‌ଧା ସୁନ୍ଦରୀ ଯାପନ କଲାଶର୍ବରୀ ।

 

ନବବିବାହିତା ଶକୁନ୍ତଳାଙ୍କର ବିରହ, ବିଚ୍ଛେଦ ଅବସ୍ଥାକୁ ହୃଦୟଙ୍ଗମ କରିବାରେ କବିପ୍ରାଣ ବ୍ୟାକୁଳ ହୋଇଛି । ପ୍ରୀତିମୟ ଭାବୋଚ୍ଛାସ ପରିସ୍ଫୁଟ ହୋଇଛି :-

 

ନରପତିଗଲେ ନିଜ ନବରକୁ ସୁନ୍ଦରୀ ରହିଲା ବନେ

ନରପତିଙ୍କର ବିଳାସ ସକଳ ଲୀଳାକଲା ବାମାମନେ

ରାଜପୁର ରାଜବିଭବ ନଗର ଅଶ୍ୱଗଜ ଦାସଦାସୀ

ବିଚରଣ କଲେ ବନବାସିନୀର କଳ୍ପନାକ୍ଷେତ୍ରରେ ଆସି ।

 

କାଳକ୍ରମେ ମହର୍ଷି ଦୁର୍ବାସାଙ୍କ ଅଭିଶାପ ପାଇଛନ୍ତି ଶକୁନ୍ତଳା । ଅଭିଶାପର ଫଳସ୍ୱରୂପ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ବିସ୍ମୃତ ହୋଇଛନ୍ତି । କଣ୍ୱମହର୍ଷିଙ୍କ ଠାରୁ ବିଦାୟ ନେଇ ହସ୍ତୀନାଯାତ୍ରା କରିଛନ୍ତି ଶକୁନ୍ତଳା । ଦୁଷ୍ମନ୍ତଙ୍କୁ ନିଜର ପତ୍ନୀତ୍ୱର ପରିଚୟ ଦେବା ସତ୍ତ୍ୱେ ଦୁଷ୍ମନ୍ତ ତାଙ୍କୁ ଅଗ୍ରାହ୍ୟ କରିଛନ୍ତି ।

 

ଧର୍ମାର୍ଥ କାମ ସମ୍ବନ୍ଧଂ ନ ସ୍ମରାମିତ୍ୱୟା ସହ

ଗଚ୍ଛ ବା ତିଷ୍ଠ ବା କାମ ଯଦ୍‌ବାପିଚ୍ଛସି ତତ୍‌କୁରୁ ।

 

ଦୁଃଖାବହ ପରିସ୍ଥିତିରେ ଶକୁନ୍ତଳାଙ୍କର ପ୍ରେମାତୁରା ମାନସିକ ଅବସ୍ଥା ଭଗ୍ନପ୍ରାୟ ହୋଇଛି-। ପବିତ୍ର ପ୍ରେମ.....ପ୍ରଣୟକୁ ବିସ୍ମୃତି ହୋଇଛନ୍ତି ଦୁଷ୍ମନ୍ତ ।

 

ପ୍ରଶ୍ନ କରିଛନ୍ତି ଶକୁନ୍ତଳାଙ୍କୁ :

 

ସତେକି ସୁନ୍ଦରୀ ଚିହ୍ନି ଅଛ ମୋତେ ମୁଁ ଧରିଛି ତୁମକର

ସତେକି ବଲ୍ଲଭ ରୂପେ ଦେଖିଅଛ ବଦନକୁ ଦୁଷ୍ମନ୍ତର ।

 

ଶକୁନ୍ତଳା ବିସ୍ମିତ ହୋଇ ଉତ୍ତର ଦେଇଛନ୍ତି :-

 

ଯେଉଁ ବଚନ ମୋ ଜୀବନ କିଣିଲା ଶୁଣୁଅଛି ସେହିସ୍ୱର

କମଳିନୀ କେବେ ବିକଶି ଅଛିକି ନ ଚାହିଁ, ନିଜେ ଭାସ୍କର ।

 

ପରସ୍ପର କଥୋପକଥନ ଛଳରେ ଚେତାଶୂନ୍ୟା ହୋଇଛନ୍ତି ଶକୁନ୍ତଳା । ଅଭୀଷ୍ଟ ପ୍ରତି ଗଭୀର ଆକାଂକ୍ଷାଜନିତ ପ୍ରେମର ଜୁଆରରେ ଭଟ୍ଟା ପଡ଼ିଛି । ଶାଶ୍ୱତ ପ୍ରେମରେ ଲାଗିଛି କଳଙ୍କ । ସେହି ଦୁଃଖାବହ ଅବସ୍ଥାକୁ କବି ରୂପ ଦେଇଛନ୍ତି :-

 

ଅନ୍ଧାକାରମୟ ଦିଶିଲା ଜଗତ ସ୍ପୁରି ନ ପାରିଲା ଭାଷା

ରେଣୁ ପରବତ ହୋଇ ଉଡ଼ିଗଲା ହିମାଳୟ ତୁଲ୍ୟ ଆଶା

ଜାଣି ନ ପାରିଲେ ଅପଘନେ ତାଙ୍କ ଅଛି କି ନା ଆଉପ୍ରାଣ

କାହି ଯିବେ ଅବା କେମନ୍ତେ ରହିବେ ତହିଁକି ନ ହେଲା ଜ୍ଞାନ

 

ଗଭୀର ପ୍ରେମର କଳଙ୍କିତ ପରିଣତିକୁ ବର୍ଣ୍ଣନା କରିବାରେ ଜଣେ ସଫଳସ୍ରଷ୍ଟା ଦରଦୀହୃଦୟ ଗଙ୍ଗାଧର ନିଜର କବିତ୍ୱର ପରିଚୟ ଦେଇଛନ୍ତି । ପ୍ରେମର ମହନୀୟତାକୁ ବର୍ଣ୍ଣନା କରିବାରେ କବିଙ୍କର ତୁଳନା ନାହିଁ । ସମୟାନୁକ୍ରମେ ଧୀବରଠାରୁ ରାଜମୁଦ୍ରିକା ପ୍ରାପ୍ତହୋଇ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ସ୍ମରଣ କରିଛନ୍ତି । ବିବାହିତା ପତ୍ନୀଙ୍କୁ ଆଗ୍ରାହ୍ୟ କରିଥିବା ହେତୁ ଅନୁତାପ ଅନଳରେ ରାଜା ଦଗ୍‌ଧ ହୋଇଛନ୍ତି । ସତ୍ୟବାନ, ନ୍ୟାୟର ଅବତାର ରାଜା ଦୁଷ୍ମନ୍ତ ତାଙ୍କର ଅତୀତ ପ୍ରେମକୁ ସ୍ମରଣ କରି ନିଜକୁ ଧିକ୍କାର କରିଛନ୍ତି । ପତ୍ନୀପ୍ରତି କଠୋର ବ୍ୟବହାର କରିଥିବାରୁ ଅନୁତପ୍ତ ରାଜା କହିଛନ୍ତି

 

କେଉଁ ଭୂତ ଏଡ଼େ ଭାବ ଜନ୍ମାଇଲା ମସ୍ତକରେ ମୋର ବସି

ଭୁଜ ବଳୟକୁ ଭୁଜଙ୍ଗ ମଣିଲି ଲକ୍ଷ୍ମୀଙ୍କୁ କଲି ରାକ୍ଷସୀ

ଆଉ ଲଭିବିକି ପ୍ରିୟ ବଲ୍ଲଭୀକି ଦୁଃଖୀ ହେଲି ଦେଇ ଦୁଃଖ,

ବନେ ତପୋବନେ ଲୋଡ଼ିବା ଲଭନ୍ତି କେହ୍ନେ ଦେଖାଇବି ମୁଖ ।

 

ପ୍ରେମ ଭାବର ଉତ୍କର୍ଷକୁ ପ୍ରକଟିତ କରି କବି ଗଙ୍ଗାଧର ପ୍ରୟାସ କରିଛନ୍ତି ଦୁଷ୍ମନ୍ତ ଶକୁନ୍ତଳାଙ୍କର ପୁନର୍ମିଳନ ପାଇଁ । ବାସ୍ତବରେ ପ୍ରେମର ମହାନତା ପ୍ରଦର୍ଶିତ ହୋଇଛି ପତିପତ୍ନୀଙ୍କର ପୁନଃ ମିଳନରେ । ପବିତ୍ର ଶାଶ୍ୱତ ପ୍ରେମକୁ ଏକାତ୍ମତା ମନ୍ତ୍ରରେ କବି ଶେଷ କରିଛନ୍ତି :-

 

ଏକ ପ୍ରାଣ ହେଲେ ନୃପତି ଦମ୍ପତି ଭିନ୍ନ ମାତ୍ର ଥିଲା କାୟା

ସ୍ନିଗ୍‌ଧ କରୁ‌ଥିଲା ଜୀବନକୁ ସଦା ପବିତ୍ର ପ୍ରଣୟ ଛାୟା ।

 

ମିଳନ, ବିଚ୍ଛେଦ ଓ ପୁନର୍ମିଳନରେ ନିବିଡ଼, ସ୍ୱର୍ଗୀୟ ପ୍ରେମର ପରିଚୟ ମିଳେ ଗଙ୍ଗାଧରଙ୍କ ସୃଷ୍ଟି ସମୂହରେ । ଏହା ହିଁ ପ୍ରକଟିତ ହୋଇଛି ‘ପ୍ରଣୟବଲ୍ଲରୀ’ରେ ।

 

କବି ଗଙ୍ଗାଧର ମେହେରଙ୍କ ପ୍ରଥମ ସାଫଲ୍ୟ ସୃଷ୍ଟି ‘ଇନ୍ଦୁମତୀ’ । ଉକ୍ତ କାବ୍ୟର ରଘୁଙ୍କର ପୁତ୍ର ଅଜଙ୍କ ସହିତ ଇନ୍ଦୁମତୀଙ୍କର ପ୍ରେମ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ । ସ୍ୱୟମ୍ବର ସଭାରେ ଅଜଙ୍କୁ ବରମାଲ୍ୟ ଦେଇ ପତିରୂପେ ବରଣ କରିଥିଲେ ଇନ୍ଦୁମତୀ । ସେହି ଇନ୍ଦୁମତୀଙ୍କର ବିୟୋଗରେ ବିଳାପ କରିଛନ୍ତି ଅଜ । କାଳିଦାସ ରଘୁବଂଶରେ ଲେଖୁଛନ୍ତି -

 

କୃତ ବତ୍ୟା ସିନାବଧିରଣାମ୍‌ ପରାର୍ଦ୍ଧେଦ୍ଧପି ଯଦାଚିରଂମୟ

କଥମେକ ପଦେ ନରାଗମଂ ଜନମାଭାଷ୍ୟମିମଂ ନମନ୍ୟସୋ ।

 

ଗଙ୍ଗାଧରଙ୍କର ‘ଇନ୍ଦୁମତୀ’ କାବ୍ୟରେ ଅଜଙ୍କର ଇନ୍ଦୁମତୀ ବିୟୋଗରେ ଦୁଃଖ ଅତୀବ ଦୁଃଖପ୍ରଦ । ଗଙ୍ଗାଧରଙ୍କ ଅଜ କହିଛନ୍ତି :-

 

କେତେ ଅପରାଧ କଲି ସଖିଦିନେ ଦେଖିନାହିଁ ତୋର ମାନ

ଦିନେ ମୋ ମୁଖରୁ କର୍କଶ ବଚନ ପାଇନାହିଁ ମୋର କାନ

କଳନାଦି ବୀଣା ଗର୍ବଖର୍ବକର ବଚନ ନ କହି ପଦେ

ଗଲୁ ନିମଜ୍ଜାଇ ଦେଇ ଶୋକମୟ ଦୁସ୍ତରଘୋର ବିପଦେ ।

 

ତେବେ ‘ତପସ୍ୱିନୀ’ ହେଉ ବା ‘ପ୍ରଣୟବଲ୍ଲରୀ’ କି ‘ଇନ୍ଦୁମତୀ’ ସମସ୍ତ ସୃଷ୍ଟିରେ ମିଳନ ପରେ ବିଚ୍ଛେଦ ଓ ପୁନର୍ମିଳନରେ ସୃଷ୍ଟି ଗୁଡ଼ିକ ଶ୍ରୀମଣ୍ତିତ । ଦାମ୍ପତ୍ୟ ପ୍ରେମ ବର୍ଣ୍ଣନା କରିବାରେ କବିଙ୍କର ରଚନା ସ୍ୱତନ୍ତ୍ର । ବିଶେଷତଃ ଉତ୍କଳୀୟ ବା ଭାରତୀୟ ସଂସ୍କୃତିର ପରିପନ୍ଥୀ ରଚନା ଗଙ୍ଗାଧରଙ୍କର କୃତିରେ ନାହିଁ । ଦାମ୍ପତ୍ୟ ପ୍ରେମ ବ୍ୟତୀତ କଣ୍ୱ ଓ ଅନୁକମ୍ପାଙ୍କର ଶକୁନ୍ତଳାଙ୍କ ପ୍ରତି ବାତ୍ସଲ୍ୟ ପ୍ରେମ ଖୁବ୍‌ ସୁନ୍ଦର ଭାବରେ ବର୍ଣ୍ଣିତ । ପ୍ରାଣାଧିକ କନ୍ୟା ଶକୁନ୍ତଳାକୁ ସ୍ୱାମୀ ଗୃହକୁ ବିଦାୟ ଦେଇ କଣ୍ୱ କହିଛନ୍ତି :-

 

ଯାସ୍ୟତ୍ୟଦ୍ୟ ଶକୁନ୍ତଳେତି ହୃଦୟଂ ସଂ ସ୍ପଷ୍ଟ ଉତ୍କଣ୍ଠୟା

କଣ୍ଠ ସ୍ତମ୍ଭିତ ବାଷ୍ପବୃତ୍ତି କଳୁଷଚିନ୍ତା ଜଡଂ ଦର୍ଶନମ୍‌

କ୍ଳୈବ୍ୟଂ ମମ ତାବଦୀଦୃଶ୍ୟମହୋ ସ୍ନେହାଦରଣ୍ୟୈକସଃ

ପୀଡ଼୍ୟନ୍ତେ ଗୃହିଣଃ କଥଂ ନୁ ତନୟା ବିଶ୍ମେଷ ଦୁଃଖୈନବୈଃ

            (ଅଭିଜ୍ଞାନଶାକୁନ୍ତଳମ୍‌- କାଳିଦାସ)

 

ଠିକ୍‌ ସେହିପରି ଗଙ୍ଗାଧରଙ୍କ କଣ୍ୱ ‘ପ୍ରଣୟବଲ୍ଲରୀ’ରେ ଶକୁନ୍ତଳାଙ୍କ ପତିଗୃହ ଯାତ୍ରାକାଳୀର ବିଦାୟ ଦେଇ ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି:-

 

ବସି ମୁନିପାଶେ ସୁତାଙ୍କୁ ବସାଇ କ୍ଷଣେ ସ୍ଥିର କରିମନ

ସସ୍ନେହେଁ ବୋଇଲେ ମାଆଗୋ ତୁ ଆଜି ଗମିବୁ ପତି ସଦନ

ଥିଲୁ ତପୋବନେ ଶାନ୍ତିର ସଦନେ ସଖୀ ସଙ୍ଗେ ଖେଳିରଙ୍ଗେ

ପଶିବୁ ଏଥର ସମ୍ପତ୍ତି ସଲିଳ ସଂସାର ସିନ୍ଧୁ ତରଙ୍ଗେ ।

 

‘ତପସ୍ୱିନୀ’ରେ ମଧ୍ୟ ମହର୍ଷି ବାଲ୍ମୀକିଙ୍କର ସୀତାଙ୍କ ପ୍ରତି ବାତ୍ସଲ୍ୟ ପ୍ରେମ ଅତୀବ ମନୋରମ । ସ୍ନେହର ଝରଣାକୁ ସେ ସୀତାଙ୍କ ଉପରେ ଢାଳି ଦେଇଛନ୍ତି । ଗଙ୍ଗାଧରଙ୍କ ଉକ୍ତିରେ :-

 

ବୋଇଲେ ମହର୍ଷି ସୀତାଙ୍କୁ ବତ୍ସ୍ୟେ ପାରିଛି ଜାଣି

ବିରହ ବିପଦ ତୋହର ବହୁଅଛି ଉଜାଣି ।

X      X      X      X      X

ଶ୍ୱଶୁର ତୋ ମୋର ସୁହୃଦ ସେହିପରି ତୋ ପିତା

ଅସଙ୍କୋଚେ ରହ ଆଶ୍ରମେ ମଣି ସଂସାର ପିତା ।

ମୋ ଆଶ୍ରମେ ତୋର ନଥିବ କଉଣସି ଭାବନା ।

ଜନମିବ ଯେଉଁ ସନ୍ତାନ ତା’ର ପାଇଁ ଭାବନା ।

 

ବାଲ୍ମୀକିଙ୍କର ଅପତ୍ୟ ସ୍ନେହ ପରି ଆଶ୍ରମର ମାତା ଅନୁକମ୍ପା ସୀତାଙ୍କ ପ୍ରତି ତତୋଦ୍ଧଧିକ ଶ୍ରଦ୍ଧା ଢାଳିଦେଇଛନ୍ତି । ମେହେର ଅନୁକମ୍ପାଙ୍କ ମୁଖରେ କହିଛନ୍ତି :-

 

ମୁଖ ଚାହିଁ ଚାହିଁ ବୋଇଲେ ଧିରେ କୋମଳଭାଷେ

ମୋ ଭାଗ୍ୟକୁ ସିନା ଆସିଛୁ ଆଜି ତୁ ମୋର ପାଶେ ।

X      X      X      X      X

ଖାଆମା ଖାଆମା ମା ଘରେ ତୋର ଅଛିକି ଲାଜ

ଚାହିଁ ରହିଛନ୍ତି ତୋତେ ତୋ ଏହି ସଖୀସମାଜ ।

ଅବଶେଷେ ଆଉ ଦିଓଟି ଆଉ ଦିଓଟି ବୋଲି

ଭୁଞ୍ଜାଇଲେ ସେହି ସତୀଙ୍କି ଆଠ ଦଶଟି କୋଳି ।

 

ମାତୃତ୍ୱର ପରାକାଷ୍ଠାରେ ଅନୁକମ୍ପାଙ୍କ ସହ ସୀତାଙ୍କ ସାନ୍ନିଧ୍ୟ ଅତି ରମଣୀୟ । ତେଣୁ କବି କହିଛନ୍ତି :-

 

ମାତୃସ୍ନେହ ସୁଖ ନ ଲଭିଥିଲେ ବାଲ୍ୟ ଜୀବନେ

ସେହି ସୁଖ ସତୀ ଲଭିଲେ ଆଜି ବାଲ୍ମୀକି ବନେ ।

 

ବାଲ୍ମୀକି ହୁଅନ୍ତୁ ବା କଣ୍ୱ ମହର୍ଷି, ଅନୁକମ୍ପା ହୁଅନ୍ତୁ ବା ଗୌତମୀ ବାତ୍ସଲ୍ୟ ପ୍ରେମ ବର୍ଣ୍ଣନାରେ ଗଙ୍ଗାଧର ଏମାନଙ୍କୁ ଶୀର୍ଷରେ ଅଧିଷ୍ଠିତ କରିଥିବା ବେଳେ ଦାମ୍ପତ୍ୟ ପ୍ରେମରେ ଶ୍ରୀରାମଙ୍କ ସହ ସୀତା, ଦୁଷ୍ମନ୍ତଙ୍କ ସହ ଶକୁନ୍ତଳା, ଅଜଙ୍କ ସହ ଇନ୍ଦୁମତୀଙ୍କର ପ୍ରେମକୁ କବି ଚିତ୍ତାକର୍ଷଣ କରିଛନ୍ତି । ଚିରବନ୍ଦନୀୟ କବି ଗଙ୍ଗାଧର ଓଡ଼ିଆ ସାହିତ୍ୟକୁ ଯାହା ଦେଇଛନ୍ତି ତାହା ଚିର ଅମଳିନ । ସେ ସାହିତ୍ୟ ସେ ବ୍ୟକ୍ତିତ୍ୱ ଓ କୃତିତ୍ୱ ବାସ୍ତବରେ ଶାଶ୍ୱତ, ଯୁଗଜୟୀ ।

 

ଜୟପୁର, କୋରାପୁଟ

***

 

ଗଙ୍ଗାଧରଙ୍କ ଗଦ୍ୟରଚନା: ଏକ ଅନୁଶୀଳନ

କୃଷ୍ଣଚନ୍ଦ୍ର ପ୍ରଧାନ

 

ଗଙ୍ଗାଧରଙ୍କ ସାରସ୍ୱତ ପରିଚୟ ମୁଖ୍ୟତଃ ଜଣେ କବି ଭାବରେ । ଫକୀରମୋହନ-ରାଧାନାଥ-ମଧୁସୂଦନଙ୍କ ସାରସ୍ୱତ ସାଧନା ନିରବଚ୍ଛିନ୍ନ ରୂପେ ଅବ୍ୟାହତ ରହିଥିବା ସମୟରେ ଗଙ୍ଗାଧରଙ୍କ ସେହି ସାରସ୍ୱତ ଜଗତର ଆବିର୍ଭାବ । ଅଥଚ ଏହି ତିନି ସମୁଜ୍ଜ୍ୱଳ ପ୍ରତିଭାଙ୍କ ନିକଟରେ ସେ ଆଦୌ ନିଷ୍ପ୍ରଭ ନୁହନ୍ତି, ବରଂ ନିଜସ୍ୱ ଦ୍ୟୁତିରେ ଦ୍ୟୁତିମୟ । ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ରାଧାନାଥ ଓ ମଧୁସୂଦନ ଥିଲେ ସେ ସମୟର ଉଚ୍ଚ ଶିକ୍ଷିତ । ଇଂରାଜୀ ଭାଷା ଓ ସାହିତ୍ୟରେ ତାଙ୍କର ଥିଲା ଉତ୍ତମ ପ୍ରବେଶ । ଫକୀରମୋହନ ଆପଣା ଚେଷ୍ଟାରେ ଇଂରାଜୀ ଭାଷା ଆୟତ୍ତ କରିଥିଲେ । ପୁନରାୟ ତତ୍‌କାଳୀନ ଇଂରେଜ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହିତ ସମ୍ପର୍କ ଦୃଷ୍ଟିରୁ ତାଙ୍କର ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି ପାଇଥିଲା । ମାତ୍ର ଗଙ୍ଗାଧରଙ୍କ କ୍ଷେତ୍ରରେ ଏପରି ସୁଯୋଗ ମିଳିବାର ସମ୍ଭାବନା ନଥିଲା । ସୀମିତ ଶିକ୍ଷାଗତ ଯୋଗ୍ୟତା ସହିତ କୌଳିକ ବୃତ୍ତିକୁ ନେଇ ସେ ସାରସ୍ୱତ ଜଗତରେ ପ୍ରବେଶ କରିଥିଲେ । ନିଜ ଚେଷ୍ଟାରେ ଅଳ୍ପକିଛି ଇଂରାଜୀ ଭାଷା ଶିକ୍ଷା କରିଥିଲେ । ଇଂରାଜୀ ସାହିତ୍ୟରେ ତାଙ୍କର ଗଭୀର ପ୍ରବେଶ ନ ଥିଲେହେଁ, ସେ ଥିଲେ ଏକ ଶକ୍ତିଶାଳୀ ପ୍ରତିଭାର ଅଧିକାରୀ । ସେହି ପ୍ରତିଭା ଯୋଗୁଁ ଫକୀର ମୋହନ-ରାଧାନାଥ ମଧୁସୂଦନଙ୍କ ପରି ଉଚ୍ଚକୋଟୀର ସ୍ରଷ୍ଟାଙ୍କ ସାରସ୍ୱତ ସୃଷ୍ଟି ସମୟରେ ବି ସେ ନିଜର ଏକ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିବାକୁ ସମର୍ଥ ହୋଇଥିଲେ । ଗଙ୍ଗାଧରଙ୍କ ପ୍ରତିଭା ଥିଲା ଜନ୍ମଗତ । ତେଣୁ ତାଙ୍କର ସ୍ୱଳ୍ପଶିକ୍ଷା ଏହି ପ୍ରତିଭାର ବିକାଶ ପଥରେ କୌଣସି ଅନ୍ତରାୟ ସୃଷ୍ଟି କରିପାରି ନଥିଲା । ଏହି ପ୍ରତିଭାହିଁ ତାଙ୍କୁ ଭିନ୍ନ ମାଧ୍ୟମରେ ପାଶ୍ଚାତ୍ୟ ଚିନ୍ତା ଚେତନା ସହିତ ପରିଚିତ କରିବାକୁ ସୁଯୋଗ ଦେଇଥିଲା । ପ୍ରାଚ୍ୟ ସାହିତ୍ୟର କଥାବସ୍ତୁ ଓ ଚରିତ୍ର ଗ୍ରହଣ କରି ପାଶ୍ଚାତ୍ୟ ସାହିତ୍ୟର ଶୈଳୀ ଏବଂ ଉପସ୍ଥାପନ ଭଙ୍ଗୀ ମାଧ୍ୟମରେ ପ୍ରାଚ୍ୟ-ପାଶ୍ଚାତ୍ୟ ଚିନ୍ତାଧାରା ମଧ୍ୟରେ ସେ ସମନ୍ୱୟ ପ୍ରତିଷ୍ଠା କରିପାରିଥିଲେ ।

 

ଗଙ୍ଗାଧରଙ୍କ କବି ପ୍ରତିଭା ତୁଳନାରେ ତାଙ୍କର ଗଦ୍ୟ ସାହିତ୍ୟ ପରିମାଣ ଦୃଷ୍ଟିରୁ କେବଳ ସ୍ୱଳ୍ପ ନୁହେଁ, ଗୁଣାତ୍ମକ ମାନଦୃଷ୍ଟିରୁ ମଧ୍ୟ ନିଷ୍ପ୍ରଭ । ଏହା ସତ୍ତ୍ୱେ ତାଙ୍କର ସ୍ୱଚ୍ଛଗଦ୍ୟ ସୃଷ୍ଟି ମଧ୍ୟରେ ଗଙ୍ଗାଧରଙ୍କ କିଛି ମୌଳିକ ଚିନ୍ତନ ଯେ ପରିସ୍ଫୁଟ ନ ହୋଇଛି, ତାହା ନୁହେଁ । ତାଙ୍କର ଗଦ୍ୟ ସୃଷ୍ଟିଜଗତ ବିବିଧ ଓ ବୈଚିତ୍ର୍ୟମୟ । ସେହି ଗଦ୍ୟ ସୃଷ୍ଟି ଗୁଡ଼ିକୁ ଆମେ ମୁଖ୍ୟତଃ ପ୍ରବନ୍ଧ-ଆଲୋଚନା, ଜୀବନୀ, ସ୍ମୃତିଚିତ୍ର, ଆତ୍ମଜୀବନୀ ଆଦି ଭେଦରେ ବିଭକ୍ତ କରି ଆଲୋଚନା କରିପାରିବା । ଏତଦ୍‌ବ୍ୟତୀତ ବିଭିନ୍ନ ସ୍ରଷ୍ଟାଙ୍କ ସୃଷ୍ଟି ସମ୍ପର୍କରେ ମନ୍ତବ୍ୟ, ଭୂମିକା ରଚନା, ସାରସ୍ୱତ ସ୍ରଷ୍ଟାଙ୍କ ସହିତ ବିନିମୟ ସମୟରେ ତାଙ୍କର ମତାମତ ଆଦିରୁ ମଧ୍ୟ ଗଙ୍ଗାଧରଙ୍କ ଗଦ୍ୟସୃଷ୍ଟିର ବୈଶିଷ୍ଟ୍ୟ ସମ୍ପର୍କରେ କେତେକ ସୂଚନା ମିଳିଥାଏ । ଆଲୋଚନାର ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଏହି ବିବିଧ ବିଭାଗକୁ ସ୍ୱତନ୍ତ୍ର ଭାବରେ ଆଲୋଚନା କରାଯାଉଛି ।

 

ପ୍ରବନ୍ଧ ଆଲୋଚନା-

ଦାକ୍ଷିଣାତ୍ୟ- ଭ୍ରମଣର ସମାଲୋଚନା, ‘ବ’ ଭେଦ ‘ଋ’ ‘ଓ’ ରୁ ଭେଦ ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ, ‘ଏହାଙ୍କ ପୃଥିବୀର ଶବ୍ଦ’ ଏବଂ ଗଙ୍ଗାଧର ଗ୍ରନ୍ଥାବଳୀରେ ସନ୍ନିବେଶିତ ହୋଇନଥିବା ତଥା ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ଦ୍ୱାରା ସଂଗୃହୀତ ହୋଇ କବି ଗଙ୍ଗାଧରଙ୍କ ଦୁର୍ଲଭ ଗଦ୍ୟ ରଚନା’ ଶିରୋନାମାରେ ଏଷଣା ୫୬ମ ଖଣ୍ତ, ଜୁନ୍‌ ୨୦୦୮ରେ ପ୍ରକାଶିତ ‘ସଂକ୍ଷିପ୍ତ ସମାଲୋଚନା’, ‘ନାରୀଶିକ୍ଷା ସମ୍ବନ୍ଧରେ ମତ’, ‘ଅବକାଶ ମଞ୍ଜରୀ’ ସମ୍ବନ୍ଧରେ ମତ ନୀଳମଣି ବିଦ୍ୟାରତ୍ନଙ୍କ ପୁସ୍ତକ ସମ୍ବନ୍ଧରେ ଟିପ୍ପଣୀ, ‘କଲ୍ୟାଣ କଳାନିଧି (କାବ୍ୟ ଉପରେ ମନ୍ତବ୍ୟ’ ଏବଂ କବି ଚିନ୍ତାମଣି ମହାନ୍ତିଙ୍କୁ ପ୍ରେରିତ ଦୁଇଟି ପତ୍ରରେ ଗଙ୍ଗାଧରଙ୍କ ମନ୍ତବ୍ୟ ତଥା ଗ୍ରନ୍ଥାବଳୀରେ ସଂଗ୍ରଥିତ ‘ଚୁଗୁଲିଆ’ (ଗୋବିନ୍ଦ ଓ ହରିଙ୍କ ସଂଳାପ ମାଧ୍ୟ୍ୟମରେ ଚୁଗୁଲିଆର ସ୍ୱରୂପ ସମ୍ପର୍କରେ ଆଲୋଚନ ପ୍ରଦତ୍ତ । ଏହାକୁ ଏକ ସଂଳାପଧର୍ମୀ ଆଲୋଚନା ଭାବରେ ଗ୍ରହଣ କରାଯାଇପାରେ) ରଚନାକୁ । ପ୍ରବନ୍ଧ-ଆଲୋଚନା’ ଶୀର୍ଷକରେ ଅନ୍ତର୍ଭୁକ୍ତ କରାଯାଇପାରେ । ଗଙ୍ଗାଧରଙ୍କ ଅନ୍ୟାନ୍ୟ ପତ୍ରାବଳୀରେ ମଧ୍ୟ ତାଙ୍କ ଗଦ୍ୟ ସାହିତ୍ୟର ସ୍ୱରୂପ ସ୍ପଷ୍ଟ । ଉପରୋକ୍ତ ଆଲୋଚନା ଓ ପ୍ରବନ୍ଧଗୁଡ଼ିକ ସଂକ୍ଷିପ୍ତ ହୋଇଥିଲେ ହେଁ, ଏଥିରେ ରଙ୍ଗାଜୀବ ଗଙ୍ଗାଧରଙ୍କ ମୌଳିକ ଚିନ୍ତନ ଓ ବିଷୟ ନିର୍ବାଚନରେ ସ୍ୱକୀୟ ବିଚାରଧାରା ସୁସ୍ପଷ୍ଟ ।

 

କବିବର ରାଧାନାଥ ରାୟଙ୍କ ସୁପୁତ୍ର ଶଶିଭୂଷଣ ରାୟଙ୍କ ଦାକ୍ଷିଣାତ୍ୟ ଅନୁଭୂତି ଉପରେ ପର୍ଯ୍ୟବସିତ । ‘ଦାକ୍ଷିଣାତ୍ୟଭ୍ରମଣ’ ଗ୍ରନ୍ଥ ଉପରେ ଆଧାରିତ ଗଙ୍ଗାଧରଙ୍କ ‘ଦାକ୍ଷିଣାତ୍ୟ-ଭ୍ରମଣର ସମାଲୋଚନା’ । ଆଲୋଚନାଟି ସଂକ୍ଷିପ୍ତ, ମାତ୍ର ପୁସ୍ତକଟିର ଅନ୍ତରାତ୍ମା ଚିହ୍ନାଇବାରେ ବେଶ୍‌ ସମର୍ଥ-। ସଂକ୍ଷିପ୍ତ ଆଲୋଚନାର ପରିସର ମଧ୍ୟରେ ସମୀକ୍ଷକ ଯଥାସମ୍ଭବ ପୁସ୍ତକଟିର ଆତ୍ମିକ ଓ ଆଙ୍ଗିକ ବୈଚିତ୍ର୍ୟ ସମ୍ପର୍କରେ ସୂଚନା ଦେବାକୁ ଚେଷ୍ଟା କରିଥିଲେ ହେଁ ଆଲୋଚନା ସ୍ୱୟଂ ସମ୍ପୂର୍ଣ୍ଣ ହୋଇପାରିନାହିଁ । ପୁସ୍ତକଟିକୁ ସେ ଉପହାର ସ୍ୱରୂପ ପାଇଥିବାରୁ ଲେଖକଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ରାଧାନାଥ ଅତୀତରେ ଗଙ୍ଗାଧରଙ୍କ ବିଭିନ୍ନ କାବ୍ୟ ଅଧ୍ୟୟନ ପୂର୍ବକ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । କେତେକ କ୍ଷେତ୍ରରେ ଗଙ୍ଗାଧରଙ୍କ କାବ୍ୟର କିଛି ଅଂଶ ସଂଶୋଧନ ମଧ୍ୟ କରିଛନ୍ତି । ରାଧାନାଥଙ୍କ ପୁତ୍ର ଶିଶୁଭୂଷଣ ରାୟଙ୍କ ଏହି ଗ୍ରନ୍ଥ ସମ୍ପର୍କରେ ତାଙ୍କର କୌଣସି ପ୍ରତିକୂଳ ମନ୍ତବ୍ୟ ଆଶାକରାଯାଇ ନ ପାରେ । ଶ୍ରୀଯୁକ୍ତ ରାୟଙ୍କ ଭ୍ରମଣ ପଥ କଟକରୁ ଭାରତର ଦକ୍ଷିଣ ପ୍ରାନ୍ତ କୁମାରୀକା ପର୍ଯ୍ୟନ୍ତ । ଏହି ଗସ୍ତ ଏ ସମୟରେ ସେ ଯେଉଁ ସ୍ଥାନମାନ ଦେଖୁଛନ୍ତି, ସେହି ସ୍ଥାନର ବୈଶିଷ୍ଟ୍ୟ ଓ ମନୋରମଦୃଶାବଳୀକୁ ଉଭୟ ତଥ୍ୟାତ୍ମକ ଏବଂ କଳାତ୍ମକ ଦୃଷ୍ଟିରୁ ପରିବେଷଣ କରିଛନ୍ତି । ଗ୍ରନ୍ଥଟି ବିବରଣାତ୍ମକ ଓ ବିଶ୍ଳେଷଣାତ୍ମକ । ଗ୍ରନ୍ଥ ସମ୍ପର୍କରେ ଗଙ୍ଗାଧରଙ୍କ ବକ୍ତବ୍ୟ ହେଉଛି- ‘‘ଲେଖାରୁ କବିତାଟା ସ୍ପଷ୍ଟ ରୂପେ ପ୍ରକାଶ ପାଉଅଛି । ପୃଥିବୀରେ ସମସ୍ତେ ଦେଖି ଜାଣନ୍ତି ନାହିଁ, ଚର୍ମ ଚକ୍ଷୁର ଦର୍ଶନ ଅପେକ୍ଷା ଜ୍ଞାନ ଚକ୍ଷୁର ଦର୍ଶନ ଭିନ୍ନ ଧରଣର । ଚର୍ମଚକ୍ଷୁ ଓ ଜ୍ଞାନ ଚକ୍ଷୁର ଏକତାରେ ଯେଉଁମାନେ ଦେଖିପାରନ୍ତି ସେମାନଙ୍କ ମଧ୍ୟରୁ ଅନେକେ ତାହା ଦେଖେଇ ପାରନ୍ତି ନାହିଁ । ଶଶିଭୂଷଣ ବାବୁ ଆପେ ଯାହା ଦେଖିଛନ୍ତି ତାହା ଅନ୍ୟକୁ ଦେଖାଇବା ନିମନ୍ତେ ଅସାଧାରଣ ନୈପୁଣ୍ୟ ପ୍ରକାଶ କରିଅଛନ୍ତି । ପ୍ରୁସ୍ତକ ପାଠକଲେ କବିଙ୍କ ଦର୍ଶିତ ସ୍ଥାନସବୁ ଦେଖିଲା ପରି ବୋଧହୁଏ, ଆଉ ଏକପ୍ରକାର ଆନନ୍ଦ ଅନୁଭବ ହୁଏ ।’ (ଦାକ୍ଷିଣାତ୍ୟ ଭ୍ରମଣରେ ସମାଲୋଚନା- ପୃ, ୫୦୪ ଗଙ୍ଗାଧର ଗ୍ରନ୍ଥାବଳୀ, ସଂ-ଡ. ରଘୁନାଥ ମେହେର, ୨ୟପ୍ରକାଶ ୨୦୧୦, ଫ୍ରେଣ୍ଡସ୍‌ ପବ୍ଲିଶର୍ସ, ବିନୋଦବିହାରୀ, କଟକ) ରାଧାନାଥଙ୍କ ଶବ୍ଦ ସଂଯୋଜନା, କାବ୍ୟ ଗଠନରୀତି ଓ ବର୍ଣ୍ଣନାଶୈଳୀ ଏ ସମ୍ପର୍କରେ ଗଙ୍ଗାଧର ବେଶ୍‌ ଅବହିତ ଥିଲେ । ଶଶିଭୂଷଣଙ୍କ ଭ୍ରମଣଗ୍ରନ୍ଥରେ ରାଧାନାଥଙ୍କ ଛାପକୁ ଲକ୍ଷ୍ୟ କରିପାରିଥିଲେ ଗଙ୍ଗାଧର । ମାତ୍ର ତାକୁ ଭିନ୍ନ ଢଙ୍ଗରେ ପ୍ରକାଶ କରି ନିଜର ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତିର ଯଥାର୍ଥ ପରିଚୟ ଦେଇପାରିଛନ୍ତି । ଯେପରି ‘‘ଆଉ ଗୋଟିଏ କଥା ଅଛି ଯେ ସମସ୍ତଙ୍କ ଲେଖାରେ ସମାନ ମାଧୁର୍ଯ୍ୟ ଥାଏ ନାହିଁ । ଏହି ପୁସ୍ତକରେ ଲେଖା କବିବର ରାଧାନାଥ ରାୟଙ୍କର ସଂଶୋଧନ ବଳରୁ ହେଉ ଅବା ଶଶିଭୂଷଣ ବାମୁଙ୍କର ସ୍ୱକୀୟ ଲେଖିବା ଚାତୁରୀରୁ ହେଉ ଶ୍ରୁତିମଧୁର ଓ ମନୋମୁଗ୍ଧକର ହୋଇଅଛି । ଦେଶାଟନରୁ ଯାହା ଯାହା ଜାଣିବାର ଆବଶ୍ୟକ, ପ୍ରାୟ ତାହା ସବୁ ପୁସ୍ତକ ପାଠରୁ ଜଣାଉଅଛି । ଯେଉଁ ପୁସ୍ତକ ଉତ୍କଳ ଗୌରବ ଶ୍ରୀଯୁକ୍ତ ବାବୁ ରାଧାନାଥ ରାୟ ମହୋଦୟଙ୍କ ଦ୍ୱାରା ସଂଶୋଧିତ ହୋଇଅଛି, ତହିଁରେ ମୋର ଏପରି କହିବାର ନିଜର ନିର୍ବୋଧତାର ପରିଚାୟକ ହୋଇପାରେ ।’’ (ପୃ-୫୦୪-୫୦୫) ଗ୍ରନ୍ଥଟିର କେତୋଟି ଇଂରାଜୀ ଶବ୍ଦ ଓଡ଼ିଆରେ ଲେଖା ହୋଇନଥିବାରୁ ଇଂରାଜୀ ବର୍ଣ୍ଣାନଭିଜ୍ଞ ପାଠକଙ୍କ ପକ୍ଷରେ ଅର୍ଥବୋଧରେ ଅସୁବିଧା ହେବ ବୋଲି ଗଙ୍ଗାଧର ଆଶଙ୍କା ପ୍ରକାଶ କରିଛନ୍ତି । କେତେକ କଳ୍ପନାଗତ ଅଶୁଦ୍ଧ ସମ୍ପର୍କରେ ମଧ୍ୟ ସୂଚେଇ ଦେଇଛନ୍ତି । ଆଲୋଚନାଟିରେ ପୁସ୍ତକ ସମ୍ବନ୍ଧରେ କୌଣସି ପରାମର୍ଶ ବା ପ୍ରସ୍ତାବ ନଥିଲେ ହେଁ, ଗଙ୍ଗାଧରଙ୍କ ଗଠନାତ୍ମକ ଦୃଷ୍ଟିକୋଣରେ ପରିଚୟର ଅଭାବ ନାହିଁ ।

 

ଓଡ଼ିଆ ବର୍ଣ୍ଣମାଳାର ‘ବ’, ‘ଋ’ ଓ ‘ରୁ’ କୁ ଆଧାରକରି ଗଙ୍ଗାଧର କେତେକ ମୌଳିକ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି ଓ ତା’ର ସମାଧାନର ସୂତ୍ର ମଧ୍ୟ ଦେଇଛନ୍ତି ‘ବ’ ଭେଦ ଏବଂ ‘ଋ’ ଓ ‘ରୁ’ ଭେଦ ପ୍ରବନ୍ଧ ଦ୍ୱୟରେ । ଓଡ଼ିଆ ବର୍ଣ୍ଣମାଳାରେ କ ଚ ଟ ତ ପ- ଏହିପରି ପାଞ୍ଚୋଟି ବର୍ଗ ରହିଛି । ଏହି ପାଞ୍ଚୋଟି ବର୍ଗ ଅନ୍ତର୍ଗତ ୨୫ଟି ବର୍ଣ୍ଣକୁ ବର୍ଗ୍ୟବର୍ଣ୍ଣ କୁହାଯାଇଥାଏ । ଗଙ୍ଗାଧର ‘କ’ ଭେଦ ପ୍ରବନ୍ଧରେ ବର୍ଗ୍ୟ ‘ବ’ ଓ ଅବର୍ଗ୍ୟ ବା ଅନ୍ତଃସ୍ଥ ‘ବ’ ମଧ୍ୟରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ସୂଚନା ଦେବା ସମୟରେ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟର ଅବତାରଣା କରିଛନ୍ତି । ସଂସ୍କୃତ ଭାଷା ଓଡ଼ିଆ ଭାଷାର ଜନନୀ । ଓଡ଼ିଆ ଭାଷାର ବ୍ୟାକରଣ ଅଧିକାଂଶତଃ ସଂସ୍କୃତ ଭାଷାର ବ୍ୟାକରଣ ଦ୍ୱାରା ନିରୂପିତ । ଗଙ୍ଗାଧର ଆଶା ପ୍ରକାଶ କରିଛନ୍ତି - ‘ସଂସ୍କୃତ ବ୍ୟାକରଣାନୁସାରେ ଉତ୍କଳ ଅକ୍ଷର ଯେତେ ପରିମାର୍ଜିତ ହେବ, ଉତ୍କଳ ଭାଷା ତେତେ ଉନ୍ନତ ହେବ । ଉଚ୍ଚାରଣ ବା ପ୍ରୟୋଗ ଉଭୟ କ୍ଷେତ୍ରରେ ବର୍ଗ୍ୟ ‘ବ’ର ଉଚ୍ଚାରଣ ଠିକ୍‌ ଏକପ୍ରକାର ନୁହେଁ । ଗଙ୍ଗାଧରଙ୍କ ମତରେ ‘ରାଘବ’ର ‘ବ’ ଉଚ୍ଚାରଣ ବର୍ଗ୍ୟ ‘ଦ’ ପରି ଅର୍ଥାତ୍‌ ଏହାର ଉଚ୍ଚାରଣ ସ୍ଥାନ ଓଷ୍ଠ, ମାତ୍ର ‘ସାଧ୍ୱୀ’ରେ ଥିବା ‘ବ’ର ଉଚ୍ଚାରଣ ସ୍ଥାନ ଦନ୍ତ ଓ ଓଷ୍ଠ । ଗଙ୍ଗାଧରଙ୍କ ମତରେ ଲେଖାରେ ‘ବ’ର କିଛି ଭେଦ ନାହିଁ । ତେଣୁ ସେ ପ୍ରସ୍ତାବ ରଖନ୍ତି - ‘‘ଦେବନାଗରୀରେ ଏହି ଦୁଇ ଅକ୍ଷରର ପ୍ରଭେଦ ଅଛି, ଯଥା ବର୍ଗ୍ୟ ‘d’ ଅନ୍ତଃସ୍ଥ ‘d’ । ଏହିପରି ଉତ୍କଳ ଅକ୍ଷରରେ କିଞ୍ଚିନାତ୍ର ଭେଦ ଥିଲେ ଆମ୍ଭମାନଙ୍କୁ ଉଚ୍ଚାରଣ- ଦୋଷରେ ଲିପ୍ତ ହେବାକୁ ହୁଅନ୍ତା ନାହିଁ ।’ (ପୃ-୫୦୬) କିଛି ଆଲୋଚକ ଓଡ଼ିଆ ଭାଷାରେ ରହିଥିବା ଉଭୟ ‘ବ’ ଭିନ୍ନ ରୂପେ ଉଚ୍ଚାରଣ କରିବାର ଆବଶ୍ୟକତା ନାହିଁ ବୋଲି କହିଥାନ୍ତି । ଏ ସମ୍ପର୍କରେ ଗଙ୍ଗାଧରଙ୍କ ବକ୍ତବ୍ୟ ହେଉଛି- ‘‘କେତେଗୁଡ଼ିଏ ଉର୍ଦ୍ଦୂଶବ୍ଦ ଯାହା ଉତ୍କଳ ଭାଷାରେ ଅଙ୍ଗୀଭୂତ ହୋଇଅଛି, ସେହି ସ୍ଥଳରେ ଅନ୍ତସ୍ଥ ‘ବ’ ଫଳା ଦେଇ ଉଚ୍ଚାରଣର ଅନୁରୋଧ ରକ୍ଷା କରିଥାନ୍ତି, ଯଥା- ଓ୍ୱାଜିବୁଲ, ଅର୍ଜି, ଓ୍ୱାରଣ୍ଟ ଇତ୍ୟାଦି । ସ୍ୱର ବର୍ଣ୍ଣରେ ବଞ୍ଜନା ଫଳା ଲଗାଇବା କଦାପି ଯୁକ୍ତିସଙ୍ଗତ ନୁହେଁ ।’ (ପୃ.୫୦୬) । ତେଣୁ ଦେବନାଗରୀ ଲିପିରେ ଯେପରି ‘ବ’ ପେଟରେ ଗୋଟିଏ ଗାର ଦେଇ ତାର ଭିନ୍ନ ଉଚ୍ଚାରଣ କରାଯାଇଥାଏ, ସେହିପରି ଓଡ଼ିଆ ଅକ୍ଷରରେ ସେହିପରି କିଛି ଚିହ୍ନଦେଇ ତାକୁ ସ୍ୱତନ୍ତ୍ର କରିଦେଲେ, ପାଠ କରିବା ସମୟରେ ପାଠକ ସତର୍କ ହୋଇ ଅନୁରୂପ ଉଚ୍ଚାରଣ କରିପାରନ୍ତି ବୋଲି ଗଙ୍ଗାଧର ମତଦେଇଛନ୍ତି । ଗଙ୍ଗାଧରଙ୍କ ମତର ପୁନଃ ମୂଲ୍ୟାୟନର ଆବଶ୍ୟକତା ରହିଛି, ମାତ୍ର ତାଙ୍କ ପ୍ରସ୍ତାବ ଅନୁଶୀଳନର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ।

 

ବର୍ତ୍ତମାନ ମଧ୍ୟ ଓଡ଼ିଆ ଭାଷାରେ ଆମେ ‘ଋ’ ଏବଂ ‘ରୁ’ ଏପରି ଦୁଇଟି ବର୍ଣ୍ଣର ବ୍ୟବହାର କରିଥାଉ । ଉଭୟ ବର୍ଣ୍ଣର ଉଚ୍ଚାରଣରେ କୌଣସି ପାର୍ଥକ୍ୟ ନୁହେଁ (ତ୍ରୁଟିପୂର୍ଣ୍ଣ ଉଚ୍ଚାରଣ ଯୋଗୁଁ) ବ୍ୟବହାର ବା ଅର୍ଥକ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ପ୍ରଭେଦ ରହିଛି । ଅତୀତରେ ମୁଦ୍ରାଣ ଯନ୍ତ୍ରରେ ବ୍ୟବହୃତ ହେଉଥିବା ଶିକ୍ଷା ଅକ୍ଷର ଯୋଗୁ ‘ଋ’ ଏବଂ ‘ରୁ’ ଲେଖନୀରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ଛାପା ପୁସ୍ତକରେ ଉଭୟ ଅକ୍ଷରରେ ରହିଥିବା ପାର୍ଥକ୍ୟ ସମ୍ପର୍କରେ ପାଠକ ଅବଗତ ହୋଇପାରୁ ନଥିଲା । ଗଙ୍ଗାଧର ଏହି ଉଭୟ ଅକ୍ଷର ମଧ୍ୟରେ ରହିଥିବା ପ୍ରାର୍ଥକ୍ୟ ପ୍ରତି ସମ୍ପୂର୍ଣ୍ଣ ଅବଗତ ଥିଲେ । ସେଥିପାଇଁ ‘ଋ’ ଓ ‘ରୁ’ ଭେଦ ପ୍ରବନ୍ଧରେ କୁହନ୍ତି -‘‘ବର୍ଣ୍ଣର ପ୍ରଭେଦରେ ଲକ୍ଷ୍ୟ ନରଖି ଅଯଥା ପ୍ରକାରରେ ଲେଖିଲେ ଅର୍ଥରେ ଓ ବ୍ୟାକରଣ ସୂତ୍ରରେ ବାଧାହୁଏ । ଏ ହେତୁରୁ ‘ଋ’ ଓ ‘ରୁ’ ଯଥାଯଥ ରୂପେ ଲେଖାଯିବାର ବିଶେଷ ଆବଶ୍ୟକ । ‘‘(ଗ୍ରନ୍ଥାବଳୀ-ପୃ.୫୦୭) ଉଭ ଅକ୍ଷରର ପ୍ରୟୋଗ ଭେଦରେ ଅର୍ଥରେ କିପରି ପାର୍ଥକ୍ୟ ଦେଖାଯାଇଥାଏ, ତା’ର କେତୋଟି ଉଦାହରଣ ଦେଇଛନ୍ତି । ଯଥା-

 

‘ଋ’ ଅର୍ଥ- ଅଦିତି, ହାସ୍ୟ, ପରିହାସ, ନିନଦାବାକ୍ୟ, ପ୍ରାପ୍ତି

‘ରୁ’ ଅର୍ଥ- ଶବ୍ଦ, ଠାର, ନିକଟରୁ

ଋଷି - ଅର୍ଥ- ମୁନି । ‘ରୁଷି’ - ଅର୍ଥ ରୋଷ କରି ବା ମାନକରି

ଋତ - ଅର୍ଥ - ସତ୍ୟ, ଜଳ, ପରଂବ୍ରହ୍ମ ଇତ୍ୟାଦି ।

ରୁତ – ଅର୍ଥ - ପଶୁପକ୍ଷୀର ଶବ୍ଦ, ରବ ।

 

ଏତଦ୍‌ବ୍ୟତୀତ ଉଭୟ ଅକ୍ଷରର ବ୍ୟବହାର କ୍ଷେତ୍ରରେ ରହିଥିବା ବ୍ୟାକରଣ ନିୟମ ସମ୍ପର୍କରେ ଉଲ୍ଲେଖ କରି କୁହନ୍ତି –

 

ଏତଦ୍‌ବ୍ୟତୀତ ‘ଋ’ ଗୁଣ ହେଲେ ‘ଅର୍‌’ ହୁଏ, ଯଥା (ର ଯୁକ୍ତ ଯ ) ଆର୍ଯ୍ୟ

 

‘ଋ’ ବୃଦ୍ଧି ହେଲେ ‘ଆର୍‌’ ହୁଏ, ଯଥା- ଋଷି ଯୁକ୍ତ ଯ ଆର୍ଗ

 

ଅନ୍ୟସ୍ୱରୂପରେ ଥିଲେ ‘ଋ’ ସ୍ଥାନରେ ‘ର’ ହୁଏ । ଯଥା ପିତୃ ଯୁକ୍ତ ଅଦେଶ ପିତ୍ରାଦେଶ । ଅ କାର ବା ଆ କାର ପରେ ‘ଋ’ ଥିଲେ ‘ଋ’ ସ୍ଥାନରେ ‘ଅର୍‌’ ହୁଏ, ଯଥା ଅଧମ ଯୁକ୍ତ ଋଣ ଅଧମର୍ଣ୍ଣ-। ମହା ଯୁକ୍ତ ଋଷି ମହର୍ଷି । ‘ରୁ’ଠାରେ ଏସବୁ ସୂତ୍ରରେ କାର୍ଯ୍ୟ ହୁଏ ନାହିଁ । ତହିଁରେ ‘ଉ’କାର ସୂତ୍ରାନୁସାରେ କାର୍ଯ୍ୟ ହୁଏ ।

 

‘ଉ’କାର ବା ‘ଉ’କାରର ପରେ ‘ଉ’ ବା ‘ଊ’ ଥିଲେ ଦୁହେଁ ମିଶି ‘ଊ’ ହୁଅନ୍ତି । ଯଥା ଗୁରୁ ଯୁକ୍ତ ଉପଦେଶ ଗୁରୁପଦେଶ । ‘ଉ’ ଗୁଣ ହେଲେ ‘ଓ’ ହୁଏ, ଯଥା- ରୁଜ ରୋଗ । ‘ଉ’ ବୃଦ୍ଧି ହେଲେ ‘ଔ’ ହୁଏ, ଯଥା- ରୁଦ୍ର ରୌଦ୍ର ଅନ୍ୟ ସ୍ୱରପରେ ଥିଲେ ‘ଋ’ ସ୍ଥାନରେ ‘କ’ ହୁଏ, ଯଥା- (ଗୁରୁ ଯୁକ୍ତ ବର) ଶୁର୍ବୀ ।’’ ଗଙ୍ଗାଧର ଉଭୟ ବ୍ୟାକରଣ ସୂତ୍ର ଓ ପ୍ରୟୋଗବିଧି ଅନୁଯାୟୀ ‘ଋ’ ଏବଂ ‘ରୁ’ ମଧ୍ୟରେ ରହିଥିବା ଅର୍ଥଗତ ପ୍ରାର୍ଥକ୍ୟ ପ୍ରଦର୍ଶନ କରି ଉଭୟ ଅକ୍ଷର ମଧ୍ୟରେ ରହିଥିବା ସୂକ୍ଷ୍ମ ପ୍ରାର୍ଥକ୍ୟର ସୁନ୍ଦର ବିଶ୍ଳଷଣ କରନ୍ତି ଏହି କ୍ଷୁଦ୍ର ପ୍ରବନ୍ଧଟିରେ ।

 

‘ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ’ ଗଙ୍ଗାଧରଙ୍କର ଏକ ମୌଳିକ ପ୍ରବନ୍ଧ । ଏହି ପ୍ରବନ୍ଧରେ ସେ ଉପରୋକ୍ତ ତିନି ଶ୍ରେଣୀୟ ବ୍ୟକ୍ତିମାନଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ଓ ତ୍ରୁଟି ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଲେଖକଙ୍କ ମତ ବିଶ୍ଳେଷଣରେ ଆମେ ଏହି ତିନି ଶ୍ରେଣୀର ବ୍ୟକ୍ତିଙ୍କୁ ଉତ୍ତମ, ମଧ୍ୟମ, ଅଧମ ପର୍ଯ୍ୟାୟ ମଧ୍ୟରେ ଗ୍ରହଣ କରିପାରିବା । ଶିକ୍ଷିତ ବ୍ୟକ୍ତି ସମାଜର ଆଦର୍ଶ ଓ ସମାଜର ସାମଗ୍ରିକ ଉନ୍ନତି ସକାଶେ ସେମାନଙ୍କ ଜୀବନ ଉତ୍ସର୍ଗୀକୃତ । ସତ୍‌ସଙ୍ଗ, ସତ୍‌କର୍ମ ଓ ସଦାଳାପ ସେମାନଙ୍କ ଜୀବନର ବୈଶିଷ୍ଟ୍ୟ । ପବିତ୍ରକାର୍ଯ୍ୟ ଏବଂ ପବିତ୍ର ଜୀବନଯାତ୍ରା ମଧ୍ୟରେ ସେମାନେ ଜୀବନ ନିର୍ବାହ କରିଥାନ୍ତି । ଧର୍ମ, ଜ୍ଞାନ, ଭକ୍ତି, ଦୟା, କ୍ଷମା ଆଦି ସମସ୍ତ ସୁଗୁଣର ଅଧିକାରୀ ହେବା ସହିତ ଶିକ୍ଷାକୁ ଜୀବନବ୍ୟାପୀ ଏକ ସାଧନା ବା ମହାବ୍ରତ ରୂପେ ଗ୍ରହଣ କରିଥାନ୍ତି । ସେମାନଙ୍କ ଦୃଷ୍ଟିରେ ସମସ୍ତ ଜଗତ ଓ ପ୍ରକୃତି ଗୋଟିଏ ବିରାଟ ଶିକ୍ଷାଳୟ । ଏହି ଶିକ୍ଷାଳୟରୁ ଯିଏ ଯେତେ ଅଧିକ ଶିକ୍ଷା କରିପାରେ, ତା’ର ଜୀବନ ଓ ଦୃଷ୍ଟିଭଙ୍ଗୀ ସେହିପରି ବିରାଟ ଓ ମହାନ୍‌ ହୋଇଥାଏ । ଶିକ୍ଷିତ ସାହିତ୍ୟପ୍ରାଣ । ଅବଶ୍ୟ ଶିକ୍ଷିତ ଓ ଜ୍ଞାନୀ ମଧ୍ୟରେ ପାର୍ଥକ୍ୟ ରହିଛି-। ଗଙ୍ଗାଧରଙ୍କ ମତରେ ଶିକ୍ଷିତ ମଧ୍ୟରୁ ପ୍ରକୃତ ଜ୍ଞାନୀ ଅତିଅଳ୍ପ । ଜ୍ଞାନୀ ଜ୍ଞାନକୁ କୋହିନୂର ଅପେକ୍ଷା ଅଧିକ ମୂଲ୍ୟବାନ ବୋଧ କରନ୍ତି । ସେ ଜ୍ଞାନାଲୋକରେ ଜଗତ୍‌ ଆଲୋକମୟ ଦେଖନ୍ତି । ଜ୍ଞାନୀଙ୍କ ହୃଦୟ ପର୍ବତ ତୁଲ୍ୟ ଉଚ୍ଚ, ସାଗର ତୁଲ୍ୟ ପ୍ରଶସ୍ତ ଓ ଗଭୀର । ଜ୍ଞାନୀ ସ୍ୱ-ଗୁଣ ପ୍ରକାଶରେ ସଙ୍କୁଚିତ, ମାତ୍ର ଅନ୍ୟ ପ୍ରଶଂସାରେ ପ୍ରଫୁଲ୍ଲିତ ।

 

ଅଶିକ୍ଷିତ ବ୍ୟକ୍ତି ସର୍ବଦା ନିକୃଷ୍ଟକାର୍ଯ୍ୟ, ବିକୃଷ୍ଟ ସଙ୍ଗ ଓ ନିକୃଷ୍ଟ ଭାବରେ ଜୀବନ ନିର୍ବାହ କରିଥାନ୍ତି । ସେମାନେ ସଂକୀର୍ଣ୍ଣମନା ହୋଇଥିବାରୁ ନିଜ ଦୃଷ୍ଟିଶକ୍ତିର ପରିଧିକୁ ଜଗତର ଶେଷ ସୀମା ରୂପେ ଗ୍ରହଣ କରିଥାନ୍ତି । ନିଜର ସୁବିଧାନୁଯାୟୀ ସର୍ବଦା କାର୍ଯ୍ୟ ସାଧାନାରେ ତତ୍ପର । ଗ୍ରାମ୍ୟ ଗୀତାବଳୀ ହିଁ ତାଙ୍କ ଦୃଷ୍ଟିରେ ଶ୍ରେଷ୍ଠ ସାହିତ୍ୟ । ତାଙ୍କ ହୃଦୟ କାମକ୍ରୋଧାଦିରୂପ ଶ୍ୱାପଦ ସଙ୍କୁଳନରେ ପରିପୂର୍ଣ୍ଣ । ହୀରା ଓ ଜିରାକୁ ସମାନ ଭାବରେ ଗ୍ରହଣ କରିଥାନ୍ତି । ମାତ୍ର ଶିକ୍ଷାଭିମାନୀ ହୃଦୟ ଜାଣି ଅତ୍ୟନ୍ତ ଦୁଷ୍କର । ସତ୍‌ସଙ୍ଗ, ସତ୍‌କାର୍ଯ୍ୟ ଛଳରେ ଏମାନେ ଅସତ୍‌ ସଙ୍ଗ ଓ ଅସତ୍‌ କାର୍ଯ୍ୟରେ ଜୀବନ ନିର୍ବାହ କରନ୍ତି । ଏମାନଙ୍କର ପ୍ରଶଂସା ସର୍ବଦା ସ୍ୱାର୍ଥପ୍ରଣୋଦିତ । ନିଜ ପ୍ରଶଂସାରେ ଶତମୁଖ ହେବା ସହିତ, ପର ପ୍ରଶଂସାରେ କ୍ଷୁବ୍‌ଧ ଓ ଈର୍ଷାପରାୟଣ ହୋଇଥାନ୍ତି । ଘୋର ପାପାଚରଣରେ ନିଜେ ଲିପ୍ତ ରହିଥିବା ସମୟେ ଅନ୍ୟକୁ ଛଳଧର୍ମ ପଥ ନିର୍ଦ୍ଦେଶ କରିଥାନ୍ତି । ଅନ୍ୟ ଏକ ପ୍ରକାର ଶିକ୍ଷାଭିମାନୀ ବିଦ୍ୟାଳୟର ସାର୍ଟିଫିକେଟ ହିଁ ଶିକ୍ଷାର ଯଥାର୍ଥ ପ୍ରମାଣପତ୍ର ରୂପେ ଗ୍ରହଣ କରିଥାନ୍ତି । ଆଡ଼ମ୍ବରପୂର୍ଣ୍ଣ ପରିଚ୍ଛେଦ ଏମାନଙ୍କ ଦୃଷ୍ଟିରେ ଶିକ୍ଷାର ନିଦର୍ଶନ । ଜଗତ ଅପେକ୍ଷା ନିଜକୁ ଏମାନେ ଅଧିକ ମୂଲ୍ୟବାନ ମନେକରନ୍ତି । ଏମାନଙ୍କ ବନ୍ଧୁତା ସର୍ବଦା ସ୍ୱାର୍ଥ ପ୍ରଣୋଦିତ । ଗଙ୍ଗାଧରଙ୍କ ମତରେ ‘‘ଏମାନଙ୍କ ହୃଦୟ ଖର୍ଜୁର ପାଦପତୁଲ୍ୟ ପ୍ରାଶସ୍ତ୍ୟହୀନ ଉଚ୍ଚ, ଆପାଦମସ୍ତକ ବିଷମ, ଜ୍ଞାନ, ଖର୍ଜୁରଫଳ ତୁଲ୍ୟ ବାହ୍ୟଭାଗ ସୁନ୍ଦର, ଅଭ୍ୟନ୍ତର ପାଷାଣାବତ୍‌ କଠିନ-।’’ (ଗ.ଗ.ପୃ.୫୦୯)

 

ଗଙ୍ଗାଧରଙ୍କ ‘ଏହା କି ପୃଥିବୀର ଶବ୍ଦ’ ପ୍ରବନ୍ଧରେ ଉଭୟ ବୈଜ୍ଞାନିକ ଓ କାଳ୍ପନିକ ଦୃଷ୍ଟିଭଙ୍ଗୀର ପରିଚୟ ମିଳେ । ଏହି ବିଶାଳ ପୃଥିବୀ ଅନନ୍ତ ଆକାଶ ମାର୍ଗରେ ନିୟତ ଗମନ କରିବା ସମୟରେ ତହିଁରୁ କୌଣସି ଶବ୍ଦ ସୃଷ୍ଟି ହୁଏନାହିଁ କାହିଁକି ? ଏହାର ଉତ୍ତର ଦେବାକୁ ଯାଇ ସେ କୁହନ୍ତି, ସମସ୍ତ ଗଗନ ବାୟୁହୀନ ଅନନ୍ତପଥରେ ପୃଥିବୀ ଗତି କରୁଥିବାରୁ ଏଥିରୁ କୌଣସି ଶବ୍ଦ ହୁଏନାହିଁ । କିନ୍ତୁ ଏହି ମୀମାଂସା ସର୍ବଶେଷ ସିଦ୍ଧାନ୍ତ ହୋଇନପାରେ ବୋଲି ଲେଖକଙ୍କର ମତ-। ପୃଥିବୀ ପୃଷ୍ଠରେ ଯେଉଁ ବାୟୁସାଗର ବିଦ୍ୟମାନ, ତୀବ୍ର ଗତି କରିବା ସମୟରେ ସେଥିରୁ ନିଶ୍ଚିତ କିଛି ଶବ୍ଦ ସୃଷ୍ଟି ହେବା ସ୍ୱାଭାବିକ । ନିର୍ଜନ ସ୍ଥାନରେ, ରାତ୍ର ସମୟରେ ଯେଉଁ ସାଇଁ ସାଇଁ ଶବ୍ଦ ସୃଷ୍ଟିହୁଏ, ତାହା ହୁଏତ ପୃଥିବୀର ଶବ୍ଦ ହୋଇପାରେ ବୋଲି ଲେଖକଙ୍କର ବିଶ୍ୱାସ । ସେହିପରି ଗୋବିନ୍ଦ ଓ ହରି ଦୁଇଟି ଚରିତ୍ରର କଥୋପକଥନ ବା ପ୍ରଶ୍ନୋତ୍ତର ଛଳରେ ଚୁଗୁଲିଆ ବ୍ୟକ୍ତିର ସ୍ୱରୂପ ଓ ଚରିତ୍ର ସମ୍ପର୍କରେ ବିଶେଷ ବିଶ୍ଳେଷଣ ରହିଛି ।

 

ପଦ୍ମଚରଣ ନାୟକଙ୍କ ‘ଜୟଦ୍ରଥବଧ’ କାବ୍ୟ ସମ୍ପର୍କରେ ଗଙ୍ଗାଧରଙ୍କ ମନ୍ତବ୍ୟ ସଂକ୍ଷିପ୍ତ ସମାଲୋଚନା ଶିରୋନାମା ଗ୍ରହଣ କରିଛି । ପଦ୍ମଚରଣଙ୍କ ଏହା ପ୍ରଥମ ରଚନା । ମାଇକେଲ ମଧୁସୂଦନଙ୍କ ‘ମେଘନାଥବଧ’ ଏବଂ ରାଧାନାଥଙ୍କ ‘ମହାଯାତ୍ରା’ କାବ୍ୟର ଆଙ୍ଗିକ ଅନୁସରଣରେ ଏହା ରଚିତ । ଅମିତ୍ରାକ୍ଷର ଛନ୍ଦର ସଫଳ ପ୍ରୟୋଗ ଏଥିରେ ପରିଲକ୍ଷିତ । ଗଙ୍ଗାଧର କନିଷ୍ଠମାନବ ପ୍ରତି ସର୍ବଦା ଉଦାର ଓ ପ୍ରେରଣାଦାତା ଥିଲେ । ତାଙ୍କର ଗଠନାତ୍ମକ ସମାଲୋଚନା ପ୍ରୋତ୍ସାହିତ କରିଛି ଏହି ଅନୁଜ କବିମାନଙ୍କୁ ଅଧିକ କିଛି ରଚନା କରିବା ପାଇଁ । ଗଙ୍ଗାଧରଙ୍କ ବିନମ୍ରତାର ପରିଚୟ ହେଉଛି ଏହି କାବ୍ୟ ସମ୍ପର୍କରେ ଦିଆଯାଇଥିବା ତାଙ୍କର ମନ୍ତବ୍ୟ । ଯେପରି ‘‘ଶ୍ରୀଯୁକ୍ତ ବାବୁ ପଦ୍ମଚରଣ ନାୟକ ପ୍ରଣୀତ ‘ଜୟଦ୍ରଥବଧ’ କାବ୍ୟର ସମାଲୋଚନା କରିବା ପୂର୍ବେ ଏକଥା ବକ୍ତବ୍ୟ ବୋଲି ମନେ କରୁଅଛୁଁ କି ରଚକ ଜ୍ଞାନ ଅପେକ୍ଷା ସମାଲୋଚରେ ଜ୍ଞାନ ପ୍ରଶସ୍ତଥିବାର ଉଚିତ । ରଚନା ଶକ୍ତି ସମସ୍ତଙ୍କର ସମାନ ଥାଏ ନାହିଁ । ରଚନା କରିପାରିଲା ମାତ୍ରେ ଯେ ଜ୍ଞାନ ଦାନ ହୋଇପାରନ୍ତି ଏହା ବୋଲାଯାଇ ନପାରେ । ନିଜର ରଚନା କରିପାରିବା ଶକ୍ତି ନଥିଲେ ସୁଦ୍ଧା ଜ୍ଞାନ ଦାନ ଲୋକ କୌଣସି ରଚନାର ସମାଲୋଚନା କରିବା ଶୋଭନୀୟ । ଅନେକ ଲୋକ ସମାଲୋଚକର ଉଚ୍ଚ ସିଂହାସନରେ ବସିପଡ଼ି ଉକ୍ତ ପଦର ଗୌରବ ରକ୍ଷାରେ ଅସମର୍ଥ ହୋଇଥାନ୍ତି-। ପଦ୍ମଚରଣ ବାବୁ ନିରପେକ୍ଷ ସମାଲୋଚନାର ପ୍ରତ୍ୟାଶୀ ହୋଇ ବଳପୂର୍ବକ ସମାଲୋଚକର ଆସନରେ ମୋତେ ବସାଇଛନ୍ତି । ଆସନ ଅସୁନ୍ଦର ଦିଶିଲେ ପଦ୍ମଚରଣବାବୁ ଦୋଷୀ’ (ଏଷଣା-ଜୁନ୍‌, ୨୦୮, ପୃ-୯୮) । ଗଙ୍ଗାଧରଙ୍କ ଉପରୋକ୍ତ ମନ୍ତବ୍ୟ ମାଧ୍ୟମରେ ଜଣେ ସଚ୍ଚୋଟ ସମାଲୋଚକର ଆଦର୍ଶ, ଯୋଗ୍ୟତା ଓ ବୈଶିଷ୍ଟ୍ୟ ସୂଚିତ ହୋଇଛି । ପୁନରାୟ ସେ ସମାଲୋଚକଙ୍କ ସମ୍ପର୍କରେ କୁହନ୍ତି -‘‘ଗ୍ରନ୍ଥାକାରଙ୍କୁ ଅଯଥା ପ୍ରଶଂସା ବା ଅନୁଚିତ ନିନ୍ଦା ନ କରିବାରେ ବିଶେଷ ସାବଧାନ ହୋଇ ସମାଲୋଚନା କରିବାର ପ୍ରବୃତ୍ତ ହେବା ଉଚିତ୍‌ । ତେବେ ଯେ ଯେତିକି ଜାଣେ ତାହା ପ୍ରକାଶ କରିବା ଅନ୍ୟାୟ ନୁହେଁ ।’’ ରାଧାନାଥ ଅମିତ୍ରାକ୍ଷର ଛନ୍ଦରେ ମହାଯାତ୍ରା ରଚନା କରିବା ପରେ ଓଡ଼ିଶାରେ ଏହି ଛନ୍ଦର ଲୋକପ୍ରିୟତା ବୃଦ୍ଧି ପାଇଛି । ଗଙ୍ଗାଧରଙ୍କ ଦୃଷ୍ଟିରୁ ଏହା ବାଦ୍‌ ପଡ଼ିନାହିଁ । ତେଣୁ ସେ କୁହନ୍ତି- ‘ଉତ୍କଳରେ ଅମିତ୍ରାକ୍ଷର କବିତାର ସଦ୍‌ଗ୍ରାହକ ବିରଳ ଥିଲେ ହେଁ ‘ମହାଯାତ୍ରା’ ପାଠକରି ଅନେକେ ସେପରି ରଚନାର ପ୍ରଶଂସାରେ ମୁକ୍ତକଣ୍ଠ ହେଉଥିବାର ଦେଖାଯାଉଅଛି । କବି ଜୟଦ୍ରଥବଧର ରଚନାରେ ସେହିପଥ ଅନୁସରଣ କରି କୃତିତ୍ୱ ଦେଖାଇବା ଦ୍ୱାରା ପ୍ରଶଂସାର୍ହ ହୋଇଅଛନ୍ତି ।’ ଗ୍ରନ୍ଥ ଓ ଗ୍ରନ୍ଥକର୍ତ୍ତାଙ୍କ ସମ୍ପର୍କରେ ସେ ପୁଣି କୁହନ୍ତି - ‘‘କବିଙ୍କର ରଚନାଶକ୍ତି ଅତି ପ୍ରଶଂସନୀୟ । ସେ ଅର୍ଥଲାଭର ଆଶା ନରଖି ନିଜର ନୈସର୍ଗିକ ପ୍ରତିଭା ପ୍ରସ୍ଫୁଟ କରି ଧୀରେ ଗମ୍ଭୀର ଭାବରେ ସମ୍ୟକ୍‌ ଆଲୋଚନା ଓ କାବ୍ୟ ରଚନାରେ ପ୍ରବୃତ୍ତ ହେଲେ ଉତ୍କଳ ଭାଗ୍ୟରେ ତାହାଙ୍କର ଯମଃ ସୌରଭ ଅବଶ୍ୟ ଦିଗନ୍ତ ବ୍ୟାପୀ ହୋଇପାରିବ । ‘ଜୟଦ୍ରଥ ବଧ’ ତାହାଙ୍କର ପ୍ରଥମୋଦ୍ୟତ ସମ୍ଭୂତ । ତହିଁରେ ସ୍ଥାନେ ସ୍ଥାନେ ଅତି ମନୋହର ଭାବ, ଭାଷା, ଓ ଉପମାଦି ଦେଖି ହୃଦୟ ଆନନ୍ଦ ନୀରରେ ପ୍ଳାବିତ ହୋଇଥାଏ । ଗ୍ରନ୍ଥ ମଧ୍ୟରେ ଯେ ସାମାନ୍ୟ ତ୍ରୁଟି ଦେଖିଲି ତାହା କେତେକ ଛାପା ଦୋଷରୁ ଘଟିଥିବାର ଅନୁମାନ କଲି-। ଆଉ କେତେକ ସେପରି ଉଲ୍ଲେଖଯୋଗ୍ୟ ନୁହେଁ । ସ୍ଥଳରେ ନବୀନ କବିଙ୍କର ନବ ବିକଶିତ ଶକ୍ତି ଉତ୍କଳ ସାହିତ୍ୟ ସଂସାରରେ ଅତି ଆଶାପ୍ରଦ ହୋଇଅଛି । ତାହାଙ୍କର ପ୍ରତିଭା ସୌରଭ କାନନ ଗର୍ଭରେ ବିଲୁପ୍ତ ନ ହେଉ ଈଶ୍ୱରଙ୍କଠାରେ ଏହି ପ୍ରାର୍ଥନା କରୁଅଛୁ ।’’ ୧୯୦୭ ମସିହାରେ ଗଙ୍ଗାଧରଙ୍କ ଏହି ମନ୍ତବ୍ୟ ତାଙ୍କ ସୂକ୍ଷ୍ମ ଦୃଷ୍ଟିଭଙ୍ଗୀର ପରିଚାୟକ । ‘ଜୟଦ୍ରଥବଧ’ କାବ୍ୟ ସମ୍ପର୍କରେ ମଧ୍ୟ ରାଧାନାଥ ରାୟ ପୂର୍ବରୁ ଅନୁକୂଳ ମନ୍ତବ୍ୟ ପ୍ରଦାନ କରିଥିଲେ ।

 

୧୯୩୨ ମସିହାରେ ପ୍ରକାଶିତ ଦୀନବନ୍ଧୁ ଗଡ଼ନାୟକଙ୍କ ‘ନାରୀଶିକ୍ଷା’ ପୁସ୍ତକ ସମ୍ପର୍କରେ ଗଙ୍ଗାଧରଙ୍କ ମତାମତ ‘ସମ୍ବଲପୁର ହିତୈଷିଣୀ’ର ୪-୪-୧୯୧୪ ସଂଖ୍ୟାରେ ପ୍ରକାଶ ପାଇଥିଲା-। ଦୀନବନ୍ଧୁ ଏକାଧାରରେ ଥିଲେ ଜଣେ ପ୍ରାବନ୍ଧିକ, କବି ଓ ସମ୍ପାଦକ । ସିନ୍ଧୁ ମନ୍ଥନ, ଜୀବନତରଙ୍ଗ, ଶୋଭା ସୁନ୍ଦରୀ, ଧର୍ମକର୍ମ, ପରିଶ୍ରମ, ଛିନ୍ନ ମନ୍ଦାରମାଳା, କର୍ମପଥ ଆଦି କୃତିରୁ ତାଙ୍କ ପ୍ରତିଭା ପ୍ରମାଣିତ । ସମାଜର ସାମଗ୍ରିକ ବିକାଶରେ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ନାରୀଶିକ୍ଷିତା ହେଲେ ପରିବାର ଓ ସମାଜର ସୃଷ୍ଟିବିକାଶ ସମ୍ଭବ । ସମାଜରେ ନାରୀଶିକ୍ଷାର ଗୁରୁତ୍ୱକୁ ଲକ୍ଷ୍ୟକରି ଦୀନବନ୍ଧୁ ରଚନା କରିଛନ୍ତି । ‘ନାରୀଶିକ୍ଷା’ ଗ୍ରନ୍ଥଟିର ଉପଯୋଗିତା ସମ୍ପର୍କରେ ତେଣୁ ଗଙ୍ଗାଧର କୁହନ୍ତି - ‘‘ଏହି ପୁସ୍ତକ ଉତ୍କଳର ବାଳିକା ବିଦ୍ୟାଳୟମାନଙ୍କର ପାଠ୍ୟପୁସ୍ତକ ହେବାର ସମ୍ପୂର୍ଣ୍ଣ ଉପଯୋଗୀଥିବାର ମୁଁ ବିଚାର କରେ । ଏହା ପାଠକଲେ ବାଳିକାମାନଙ୍କର ହୃଦୟ ପବିତ୍ରତା ଅର୍ଜନ କରିବାକୁ ସ୍ୱତଃ ଉନ୍ମୁଖ ହୋଇ ସେମାନଙ୍କୁ ସତ୍‌କର୍ମରେ ପ୍ରବୃତ୍ତ ଓ ସତ୍‌ମାର୍ଗରେ ଅଗ୍ରସର କରାଇବ ଏହା ମୋର ପୂର୍ଣ୍ଣ ବିଶ୍ୱାସ । ସ୍ତ୍ରୀମାନେ ଅନେକ ପୁରାଣ ଶ୍ରବଣକରି ଯେଉଁ ଜ୍ଞାନ ଅର୍ଜନ କରିଥାନ୍ତି, ବାଳିକାମାନେ ଏହି ପୁସ୍ତକ ଖଣ୍ଡି ପାଠକରି ତହିଁରୁ ଉନ୍ନତ ଓ ଉଜ୍ୱଳ ଜ୍ଞାନଲାଭ କରିପାରିବେ । ମୋର ଯଦି ସେପରି ସଙ୍ଗତ ଥାନ୍ତା ଉତ୍କଳର ପ୍ରତ୍ୟେକ ବାଳିକା ବିଦ୍ୟାଳୟର ଅପର ପ୍ରାଇମେରୀ ଶ୍ରେଣୀର ଛାତ୍ରମାନଙ୍କୁ ଏହି ପୁସ୍ତକ ଖଣ୍ଡିଏ ଖଣ୍ଡିଏ ପୁରସ୍କାର ଦେଇ ଆନନ୍ଦ ଉପଭୋଗ କରିଥାନ୍ତି ।’’ ଗଙ୍ଗାଧର ପୁସ୍ତକଟିର ସାମାଜିକ ଉପଯୋଗିତା ଅନୁଭବ କରି ଏପରି ଗଠନାତ୍ମକ ପରାମର୍ଶ ଦେଇଛନ୍ତି ।

 

କବି ଗଙ୍ଗାଧର ଦେବଗଡ଼ର କବି ସୁଲୋଚନା ଦେଈଙ୍କ ‘ଅବକାଶ ମଞ୍ଜରୀ’ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ କବିଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଛନ୍ତି । ‘ଅବକାଶ ମଞ୍ଜରୀ’ କବିଙ୍କର ଅପରିଣତ ବୟସର ରଚନା ହୋଇଥିଲେ ହେଁ, ଏଥିରୁ ଗଙ୍ଗାଧର କବିଙ୍କ ଭବିଷ୍ୟତ ପ୍ରଚଣ୍ଡ ପ୍ରତିଭାକୁ ଲକ୍ଷ୍ୟ କରିଥିଲେ । ତେଣୁ ସେ ମନ୍ତବ୍ୟ ଦେଇ କହିଛନ୍ତି- ‘‘ଏହି ପୁସ୍ତକ ପାଠକଲେ ଏହା ଜଣେ ୧୫-୧୬ ବର୍ଷର ବାଳିକାଦ୍ୱାରା ରଚିତ ହୋଇଥିବାର ବିଶ୍ୱାସ ହୁଏନାହିଁ । ତେବେ ମାନ୍ଦ୍ରାଜରେ ଜଣେ କିରାନୀ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଦୁଃସାଧ୍ୟ ଗଣିତ ପ୍ରଶ୍ନର ସମାଧାନ କରିଥିବା କଥା ଭାବିଲେ ଆଉ ଅବିଶ୍ୱାସ କରିବାର ମାର୍ଗଥାଏ ନାହିଁ । ପୁସ୍ତକରେ ରଚୟିତା ଶ୍ରୀମତୀ ସୁଲୋଚନା ଦେଇ ଅଟନ୍ତି । ସେ ଆପଣାର ବିଜ୍ଞପିତା ଶ୍ରୀମାନ ଦୀନବନ୍ଧୁ ଗଡ଼ନାୟକଙ୍କର ଯତ୍ନରେ ଯେଉଁ ନିୟମରେ ଶିକ୍ଷାପ୍ରାପ୍ତ ହୋଇଅଛନ୍ତି ତହିଁରେ ତାଙ୍କର ଜ୍ଞାନର ଉନ୍ନତ ହୋଇଥିବା ସମ୍ପୂର୍ଣ୍ଣ ସମ୍ଭବ । ଈଶ୍ୱରଦତ୍ତ ପ୍ରତିଭା ଅନୁକୂଳ ଅବସ୍ଥା ଲାଭକରି ଶୀଘ୍ର ବିକିରିତ ହୋଇପଡ଼ିଥିବାର ବୋଧହୁଏ । ଈଶ୍ୱର ଶ୍ରୀମତୀ ସୁଲୋଚନା ଦେଈଙ୍କୁ ସ୍ୱାସ୍ଥ୍ୟ ଓ ଚିରାୟୁଃ ପ୍ରଦାନ କରି ଉତ୍କଳର ଜଣେ ଆଦର୍ଶ ନାରୀ କରନ୍ତୁ ।’’ ଗଙ୍ଗାଧର ବରପାଲି ପରି ଏକ ପଲ୍ଲୀ ଅଞ୍ଚଳରେ ଥାଇବି ସମଗ୍ର ବିଶ୍ୱର ଖବର କିପରି ରଖିପାରୁଥିଲେ ତାର ପ୍ରମାଣ ମାନ୍ଦ୍ରାଜର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଉଦାହରଣ ‘ଅବକାଶ ମଞ୍ଜରୀ’ ସମ୍ପର୍କୀୟ ମନ୍ତବ୍ୟରେ ପ୍ରଦାନ କରି ସୂଚିତ କରିଛନ୍ତି ।

 

‘ସମ୍ବଲପୁର ହିତୈଷିଣୀ’ର ସମ୍ପାଦକ ନୀଳମଣି ବିଦ୍ୟାରତ୍ନ ଜଣେ ଉଚ୍ଚକୋଟୀର ସାହିତ୍ୟିକ ସହିତ ମଧ୍ୟ ଥିଲେ ଜଣେ ଚିକିତ୍ସାବିତ୍‌ । ଗଙ୍ଗାଧରଙ୍କ ସହିତ ତାଙ୍କର ଭାଗବତ ସମ୍ପର୍କ ଥିଲା ଅତ୍ୟନ୍ତ ନିବିଡ଼ । ବିଭିନ୍ନ ରୋଗର ଘରୋଇ ଚିକିତ୍ସା ସମ୍ପର୍କରେ ସେ କେତେଗୁଡ଼ିଏ କ୍ଷୁଦ୍ର ପୁସ୍ତକ ରଚନା କରିଥିଲେ ଓ ଗଙ୍ଗାଧରକୁ ସେଗୁଡ଼ିକ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଗଙ୍ଗାଧର ତାଙ୍କର ଶିରୋରୋଗ ଚିକିତ୍ସା, ବସନ୍ତରୋଗ ଚିକିତ୍ସା, ସର୍ପବିଷ ଚିକିତ୍ସା, ମେହ ରୋଗ ଚିକିତ୍ସା, ବିବିଧ ବିଷ ଚିକିତ୍ସା, ମଦନ ବିନୋଦ ବା ଧାତୁ ପୁଷ୍ଟିର ଉପାୟ, ବନଜ ଖାଦ୍ୟ, ନାଶପତ୍ର, ସଫଳ ଜୀବନ, ସ୍ୱର୍ଗନରକ ବିଚାର, ଆଖ୍ୟାନମାଳା ଆଦି ଏଗାରଟି ପୁସ୍ତକ ପାଠକରି ନିରତିଶୟ ଆନନ୍ଦ ଲାଭ କରିବା ସଙ୍ଗେ ସଙ୍ଗେ ସମ୍ବଲପୁର ହିତୈଷିଣୀ’ର ୮.୮.୧୯୧୪ ସଂଖ୍ୟାରେ ଏହୁ ପୁସ୍ତକ ଗୁଡ଼ିକର ଉପଯୋଗିତା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ପୁସ୍ତକ ଗୁଡ଼ିକ ମଧ୍ୟରୁ ଶିରୋରୋଗ ଚିକିତ୍ସା, ବସନ୍ତ ରୋଗ ଚିକିତ୍ସା, ସର୍ପବିଷ ଚିକିତ୍ସା, ମେହରୋଗ ଚିକିତ୍ସା, ବିବିଧ ବିଷ ଚିକିତ୍ସା, ମଦନ ବିନୋଦ, ବନଜ ଖାଦ୍ୟ, ନାଶପତ୍ର ଆଦି ସ୍ୱାସ୍ଥ୍ୟରକ୍ଷା ସମ୍ବନ୍ଧୀୟ ପୁସ୍ତକ ହୋଇଥିବା ସମୟରେ ସଫଳ ଜୀବନ, ସ୍ୱର୍ଗନରକ ବିଚାର, ଆଖ୍ୟାନ ମାଳା ହେଉଛି ଆଦର୍ଶ ଜୀବନ ଯାପନ ସମ୍ପର୍କୀୟ ପୁସ୍ତକ । ଏହି ପୁସ୍ତକଗୁଡ଼ିକ ସମ୍ପର୍କରେ ମତଦେଇ ଗଙ୍ଗାଧର କହିଛନ୍ତି ‘‘ଏପରି ପୁସ୍ତକ ଗୃହେ ଗୃହେ ରଖାଯିବାର ନିତାନ୍ତ ଆବଶ୍ୟକ । ଲୋକେ ଆକସ୍ମିକ ଆପଦ ଦେଖି ଯେତେବେଳେ କିଂକର୍ତ୍ତବ୍ୟବିମୂଢ଼ ହୋଇଥାନ୍ତି, ତେତେବେଳେ ଏପରି ପୁସ୍ତକ ଯେ ପରମ ବନ୍ଧୁ । କହୁକି ଚିକିତ୍ସାରେ କାର୍ଯ୍ୟ କରିବ ତହିଁରେ ଲେଶମାତ୍ର ସନ୍ଦେହ ନାହିଁ ।’’

 

ବ୍ରହ୍ମପୁରର ଆମ୍ବଗଡ଼ ନିବାସୀ ବିଶିଷ୍ଟ ପଣ୍ଡିତ ଅନ୍ତର୍ଯ୍ୟାମୀ ପତି (୧୮୯୯-୧୯୮୪)ଙ୍କ ଦ୍ୱାରା ରଚିତ କଲ୍ୟାଣ କଳାନିଧି (କାବ୍ୟ) ସମ୍ପର୍କରେ ଗଙ୍ଗାଧର ନିଜସ୍ୱ ଅଭିମତଟିଏ ଲେଖି ୧୯୨୧ ମସିହାରେ ପଠାଇଥିଲେ ଓ ତାଙ୍କ ଉତ୍ସାହ ଏବଂ ପ୍ରେରଣା ଲାଭକରି କବି ଶ୍ରୀଯୁକ୍ତ ପତି କାବ୍ୟଟିକୁ ପୂର୍ଣ୍ଣାଙ୍ଗ କରିବା ସହିତ ଗଙ୍ଗାଧରଙ୍କର ଅଭିମତଟିକୁ ପୁସ୍ତକରେ ପ୍ରକାଶ ସମୟରେ ସଂଯୋଜିତ କରିଥିଲେ । ଜଣେ ଗୀତା ବିଶାରଦ ରୂପେ ପଣ୍ଡିତ ପତିଙ୍କର ସୁଖ୍ୟାତି ରହିଛି । ଗୀତା ସମ୍ପର୍କରେ ପ୍ରାୟ ୨୬୦୦ ପୃଷ୍ଠାର ଗୋଟିଏ ବିରାଟ ଭାଷ୍ୟ ରଚନା କରିଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର ଦୁଇଟି ଭାଗ ପ୍ରକାଶ ପାଇଛି । ଅନ୍ୟାନ୍ୟ ଭାଗ ଏଯାବତ୍‌ ଅପ୍ରକାଶିତ ରହିଛି । ଏହାଛଡ଼ା ମଧୁର ମନ୍ଦାକିନୀ, ନଳଦମୟନ୍ତୀ, ସିନ୍ଧୁରାଜ ସଂହାର, ଶିଶୁପାଳ ବଧ, ଶ୍ରୀକୃଷ୍ଣ ବିଳାସ କାବ୍ୟ, ପଣ୍ଡିତ ନାଟକ ଆଦି ଗ୍ରନ୍ଥ ତାଙ୍କ ସାରସ୍ୱତ ପ୍ରତିଭାର ପରିଚାୟକ । ‘କଲ୍ୟାଣ କଳାନିଧି’ ସମ୍ପର୍କରେ ଗଙ୍ଗାଧର ଲେଖିଥିଲେ - ‘‘ଆପଣଙ୍କ ପ୍ରେମକଳାନିଧି (କଲ୍ୟାଣ କଳାନିଧି) ପୁସ୍ତକରେ ପାଣ୍ଡୁଲେଖ୍ୟ ଗଙ୍ଗାଧର ଲେଖିଥିଲେ- ‘‘ଆପଣଙ୍କ ପ୍ରେମକଳାନିଧି (କଲ୍ୟାଣ କଳାନିଧି) ପୁସ୍ତକରେ ପାଣ୍ଡୁଲେଖ୍ୟ ଦେଖିଲି । ଆପଣଙ୍କ ପରି କବିତା ରସିକ ଓ ରଚନା ପ୍ରୟାସୀ ଉତ୍କଳରେ ଅତି ବିରଳ । ଏପରି ଛାତ୍ରାବସ୍ଥାରେ ଆପଣଙ୍କର ରଚନା ଦେଖି ଚମତ୍କୃତ ହେବାକୁ ହେଉଅଛି । ଆଉ କେତେଦିନ ପରେ ବୟୋବୃଦ୍ଧି କ୍ରମେ ସମ୍ୟକ୍‌ରୂପେ ସାହିତ୍ୟଚର୍ଚ୍ଚା କରି କବିତା ରଚନା କଲେ କେଡ଼େ ମନୋହର ଓ ଚମତ୍କାରକାରକ ହେବ, ତାହା ଭାବିଲେ ମୋର ହୃଦୟ ଆନନ୍ଦାର୍ଣ୍ଣବରେ ଉଦ୍‌ବେଳିତ ହୋଇଥାଏ ।’’ ଜଣେ କନିଷ୍ଠ ଲେଖକଙ୍କ ପ୍ରତି ଗଙ୍ଗାଧରଙ୍କ ହୃଦୟରେ କିପରି ସ୍ନେହ, ଶ୍ରଦ୍ଧା ଓ ଅନ୍ତରଙ୍ଗତା ଭରି ରହିଥିଲା, ଉପରୋକ୍ତ ମନ୍ତବ୍ୟ ତାର ଯଥାର୍ଥ ପ୍ରମାଣ ।

 

ସେହିପରି କବି ଚିନ୍ତାମଣି ମହାନ୍ତିଙ୍କୁ ପ୍ରେରିତ ଦୁଇଟି ପତ୍ରରେ ତାଙ୍କର ‘କଳ୍ପଲତା’ ଏବଂ ‘ତୀର୍ଥକାଳ’ ଗ୍ରନ୍ଥ ସମ୍ପର୍କରେ ସେ ଯେଉଁ ମନ୍ତବ୍ୟ ପ୍ରଦାନ କରିଥିଲେ, ସେଥିରୁ ତତ୍‌କାଳୀନ ଓଡ଼ିଶାର ସାରସ୍ୱତ ସାଧକମାନଙ୍କ ମଧ୍ୟରେ ରହିଥିବା ସହୃଦୟତା ଓ ନିବିଡ଼ ଆପଣାପଣ ବେଶ୍‌ ବାରିହୋଇପଡ଼େ । ‘କଳ୍ପଲତା’ କାବ୍ୟ ଉପହାର ସ୍ୱରୂପ ପାଇବା ପରେ ଗଙ୍ଗାଧର ଲେଖିଥିଲେ- ‘‘ଆପଣଙ୍କର ଅନୁଗ୍ରହ ପତ୍ର ସହ ‘କଳ୍ପଲତା’ କାବ୍ୟ ଉପହାର ପାଇ ଅତ୍ୟନ୍ତ ପ୍ରୀତି ଲାଭ କରିଅଛି । କଳ୍ପଳତା ମୋତେ ଦୁଇଦିନ ପର୍ଯ୍ୟନ୍ତ ପଠନ ନିମନ୍ତେ ଅସ୍ଥିର କରିପକାଇଲା । ଏପରି ସତ୍‌ କବିତା ପାଠ ଭାଗ୍ୟର ବିଷୟ ବୋଲି ମନେ କରେଁ x x x ଲୋକେ କହନ୍ତି ସବୁ ପରିସ୍ଥିତିରେ ଲେଖିବାର ସୁବିଧା ଅଛି । ତାହା ମୋର ବିଶ୍ୱାସ ନୁହେଁ । ଆପଣଙ୍କ ଲେଖାର ଉପଯୁକ୍ତ ପୂଜା ଆପଣଙ୍କୁ ମିଳୁନାହିଁ । ତଥାପି ସବୁ ପ୍ରକାର ବାଧାବିଘ୍ନ ପଦଦଳିତ କରି ଉତ୍କଳ ସାହିତ୍ୟର ଦୈନ୍ୟ ଦୂରୀକରଣରେ ମନପ୍ରାଣ ଅର୍ପଣ କରିଅଛନ୍ତି । ତହିଁ ନିମନ୍ତେ ବିଶେଷ ଧନ୍ୟବାଦାର୍ହ । ଆପଣ ନିଜେ ନିଜର ମନଜ୍ଞାନ ଓ ଶକ୍ତି ଜାଣିପାରି ଅଛନ୍ତି । ଅତଏବ ନିନ୍ଦୁକମାନଙ୍କର କଥାରେ ଭ୍ରୂକ୍ଷେପ କରିବେ ନାହିଁ, ମଧ୍ୟ କରିନାହାନ୍ତି ଓ କରୁନାହାନ୍ତି । ମହତ୍‌ ଲୋକ ପକ୍ଷରେ ଏହା ସ୍ୱଭାବସିଦ୍ଧ ।’’ ସେହିପରି ‘ତୀର୍ଥକାଳ’ ପୁସ୍ତକଟି ପାଇବା ପରେ ଗଙ୍ଗାଧର ଲେଖିଥିଲେ- ‘‘ଆପଣଙ୍କ ଅନୁଗ୍ରହ ପତ୍ର ସହ ‘ତୀର୍ଥକାଳ’ ପାଇ ନିରତିଶୟ ଆନନ୍ଦିତ ହେଲି । ଜୀବନରେ ଥରେ ଆପଣଙ୍କୁ ଦର୍ଶନ କରିବାର ଇଚ୍ଛା ଥିଲେ ହେଁ ଆଶାପୋଷଣ କରିପାରି ନାହିଁ । ତୀର୍ଥବାରିସ୍ଥିତ ଆପଣଙ୍କର ପବିତ୍ର ମଧୂର ମୂର୍ତ୍ତି ମୋତେ ଦର୍ଶନ ଦେଇ ମୋର ହୃଦୟକୁ ସୁଖପୂର୍ଣ୍ଣ କରିଦେଇଅଛି । ତୀର୍ଥକରି ମଧ୍ୟ ମୋ ଜୀବନରେ ସାର୍ଥନାମା ହୋଇଅଛି ।’’ ଏହି ବ୍ୟକ୍ତିଗତ ପତ୍ରରେ ମଧ୍ୟ କବି ଗଙ୍ଗାଧରଙ୍କ ସାହିତ୍ୟରୁଚି ଓ ଭାବାଦର୍ଶ ପ୍ରତିଫଳିତ ହୋଇଥିବାର ଲକ୍ଷ୍ୟ କରାଯାଇପାରେ ।

 

ଜୀବନୀ ସାହିତ୍ୟ:-

ଗଙ୍ଗାଧର ବରପାଲି ଅଧୀଶ୍ୱର ରାୟବାହାଦୂର ଶ୍ରୀଯୁକ୍ତ ଲାଲ ନୃପରାଜ ସିଂହଦେବଙ୍କ ଜୀବନ ଚରିତକୁ ‘‘ଶ୍ରୀ ନୃପରାଜ ସିଂହ’’ ଶିରୋନାମାରେ ସମୁଦାୟ ଚାରୋଟି ପରିଚ୍ଛେଦ ମଧ୍ୟରେ ସଂକ୍ଷେପରେ ଆଲୋଚନା କରିଛନ୍ତି । ଏହି ଜୀବନଚରିତ ନିମିତ୍ତ ତାଙ୍କୁ ଶ୍ରୀଯୁକ୍ତ ନୀଳମଣି ବିଦ୍ୟାରତ୍ନ ପ୍ରରୋଚିତ କରିଥିବା ବିଷୟ ସେ ସ୍ୱୀକାର କରିଛନ୍ତି । ନୃପରାଜଙ୍କ ଦ୍ୱାରା ମଧ୍ୟ ଗଙ୍ଗାଧର ବିଭିନ୍ନ କ୍ଷେତ୍ରରେ ଅନୁଗୃହୀତ ହୋଇଥିଲେ । ଜୀବନ ଚରିତ ରଚନା ମାଧ୍ୟମରେ କିଛି ପରିମାଣରେ ଋଣ ପରିଶୋଧ କରିଦେବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ମଧ୍ୟ ରହିଛି । ଭୂମିକା ପର୍ଯ୍ୟାୟରେ ଏଣୁ ଲେଖକ ସ୍ୱୀକାର କରିଛନ୍ତି- ‘‘ମୁଁ ରାୟବାହାଦୁର ମହୋଦୟଙ୍କର ଜଣେ ପ୍ରଜା ପୁଣି ସେ ମୋର ଶିକ୍ଷୋନ୍ନତିର ମୂଳକାରଣ । ତହିଁ ଉପରେ ତାଙ୍କର ଅପରିଶୋଧନୀୟ ସ୍ନେହରେ ମୁଁ ଚିରଋଣୀ । ପରମ ହିତୈଷୀ ବିଦ୍ୟାରତ୍ନଙ୍କର ଅନୁରୋଧ ରକ୍ଷା ଓ ରାୟବାହାଦୁରଙ୍କଠାରେ କୃତଜ୍ଞତା ପ୍ରକାଶ, ଏହି ଉଭୟ କାର୍ଯ୍ୟ ସାଧନ ନିମନ୍ତେ ଏହି କ୍ଷୁଦ୍ର ପୁସ୍ତକ ଲେଖିଲି ।

 

ଗ୍ରନ୍ଥର ପ୍ରଥମ ପରିଚ୍ଛେଦରେ ନୃପରାଜାଙ୍କ ବଂଶ ପରିଚୟ, ଶିକ୍ଷା, ଗୁଣାବଳୀ ତଥା ଇଂରେଜ ସରକାରଙ୍କ ସହିତ ସେମାନଙ୍କର ସୁସମ୍ପର୍କ ଓ ଆନୁଗତ୍ୟ ସମ୍ବନ୍ଧରେ ସଂକ୍ଷିପ୍ତ ଆଲୋଚନା ରହିଛି । ୧୮୬୯ ମସିହାରେ ରାଜେନ୍ଦ୍ର ସିଂହଙ୍କ ପରଲୋକ ଗମନ କାରଣରୁ ଶିକ୍ଷା ସମାପ୍ତ ହେବାପୂର୍ବରୁ ମାତ୍ର ୧୭ ବର୍ଷ ବୟସରେ ନୃପରାଜ ସିଂହ ରାଜପଦବୀରେ ଅଭିଷିକ୍ତ ହୋଇଥିବା ବିଷୟରେ ଲେଖକ ସୂଚନା ଦେଇଛନ୍ତି । ଏହି କାରଣରୁ ପ୍ରଥମ ପରିଚ୍ଛେଦର ଶିରୋନାମ ରହିଛି । ପୂର୍ବଭାସ’ ଦ୍ୱିତୀୟ ପରିଚ୍ଛେଦର ଶିରୋନାମା ‘ଶୃଙ୍ଖଳା ସ୍ଥାପନ’ । ରାଜ୍ୟଭାର ଗ୍ରହଣ ପରେ ବିଭିନ୍ନ କ୍ଷେତ୍ରରେ ଶୃଙ୍ଖଳା ସ୍ଥାପନ କରି ରାଜ୍ୟର ସାମଗ୍ରିକ ବିକାଶ ସାଧନାର୍ଥେ ସେ କାର୍ଯ୍ୟାରମ୍ଭ କରିଥିଲେ-। ନୃପରାଜ ସିଂହ ରାଜ୍ୟଭାର ଗ୍ରହଣ କରିବା ସମୟରେ ତାଙ୍କ ଅଗ୍ରଜକୃତ ଋଣ ଏବଂ ୧୮୭୧ ମସିହାରେ ନିଜ ବିବାହ ପାଇଁ କରାଯାଇଥିବା ଋଣର ପରିଶୋଧ କରିବା ଥିଲା ତାଙ୍କର ପ୍ରଥମ ଲକ୍ଷ୍ୟ । ସେ ଜାଣିଲେ ଆର୍ଥିକ ଶୃଙ୍ଖଳାହିଁ ପ୍ରଗତିର ପ୍ରଥମ ସୋପାନ । ରାଜ୍ୟଭାର ଗ୍ରହଣ ସମୟରେ ରାଜ୍ୟର ଋଣ ପରିମାଣ ଥିଲା ବାର୍ଷିକ ଆୟର ତିନିଗୁଣ । ତେଣୁ ସେ କମିଶନର ଆନୁକୂଲ୍ୟରେ ରାଜସ୍ୱ ଅଙ୍ଗଭୁକ୍ତ ପଦାର୍ଥର ମୂଲ୍ୟ ଦ୍ରବ୍ୟ ବଦଳରେ ନଗଦ ଟଙ୍କା ନେଲେ ଏବଂ ଗ୍ରାମ ଠିକାଦାରଙ୍କୁ ୧୦ ବର୍ଷ ନିମନ୍ତେ ଗ୍ରାମଠିକାଦେଇ ୧୦ ବର୍ଷର ଦେୟ ଅଗ୍ରିମ ଏକାଥରେ ବା ଦୁଇଥରରେ ଆଦାୟ କଲେ । ବ୍ୟୟ ସଙ୍କୋଚ କରି ଉଦ୍‌ବୃତ୍ତ ଟଙ୍କା ଋଣ ପରିଶୋଧ ପାଇଁ ବ୍ୟୟକଲେ । ଅତୀତରେ ସମପରିମାଣ ଭୂମି ପାଇଁ କାହାଠାରୁ ୧ଟଙ୍କା, କାହାଠାରୁ ୪ଟଙ୍କା ଏବଂ ସିପାହୀମାନଙ୍କଠାରୁ ଆଦୌ ରାଜସ୍ୱ ନିଆଯାଉ ନଥିଲା । ନୃପରାଜ ସମସ୍ତ ପ୍ରଜାଙ୍କ କ୍ଷେତ୍ରରେ ସମପରିମାଣ ରାଜସ୍ୱ ଆଦାୟ କରି ପ୍ରଜାମାନଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଦୂର କରିପାରିଥିଲେ । ପ୍ରଶାସନ ଓ ଆର୍ଥିକ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା ନିମିତ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଏହି ପରିଚ୍ଛେଦଟିର ନାମକରଣ କରାଯାଇଛି ‘ଶୃଙ୍ଖଳା-ସ୍ଥାପନ’ ।

 

ଗ୍ରନ୍ଥଟିର ତୃତୀୟ ପରିଚ୍ଛେଦର ଶିରୋନାମା । ‘ଗୌରବ-ପ୍ରସାର’ । ଏହି ପରିଚ୍ଛେଦରେ ନୃପରାଜ ସିଂହଙ୍କ ବିଭିନ୍ନ ରାଜନ୍ୟବର୍ଗଙ୍କ ସହିତ ସମ୍ପର୍କ ସ୍ଥାପନ ବିଷୟରେ ଅବତାରଣା କରାଯାଇଛି । ପାଟଣା, ସୋନପୁର, ବାମଣ୍ଡା, ସରଗୁଜାର, ମୟୂରଭଞ୍ଜ, ବୌଦ ଆଦି ରାଜାଙ୍କ ସହିତ ନୃପରାଜ ଉଭୟ ପାରିବାରିକ ଓ ସାମାଜିକ ସମ୍ପର୍କ ସ୍ଥାପନ କରି ନିଜର ଗୌରବ ବୃଦ୍ଧି କରିପାରିଥିଲେ । ଏହି ସମୟରେ ସେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନାଢ଼୍ୟ, କ୍ଷମତାଶାଳୀ ରାଜନ୍ୟବର୍ଗଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରି କିପରି ସାଧାରଣ ହିତକର କାର୍ଯ୍ୟରେ ମନୋନିବେଶ କରିଛନ୍ତି, ତା’ର ପୂର୍ଣ୍ଣାଙ୍ଗ ବିବରଣୀ ଏହି ପରିଚ୍ଛେଦରେ ଇଂରେଜ ସରକାରଙ୍କ ପ୍ରତି ଆନୁଗତ୍ୟ ଓ ରାଜଭକ୍ତି କାରଣରୁ ୧୮୭୫ରେ ଇଂରେଜ ସରକାର ତାଙ୍କୁ ରାଜ୍ୟପାଇଁ ତୃତୀୟ ଶ୍ରେଣୀର ଅବୈତନିକ ମାଜିଷ୍ଟ୍ରେଟ୍‌ କ୍ଷମତା, ଅଳ୍ପକାଳ ପରେ ଦ୍ୱିତୀୟ ଶ୍ରେଣୀର ମାଜିଷ୍ଟ୍ରେଟ୍‌ କ୍ଷମତା, ପୁଣି ତାଙ୍କର ପାରଗତା ପାଇଁ କେତେକ ବିଶେଷ କ୍ଷମତା ସହିତ ସମ୍ୱଲପୁର ଜିଲ୍ଲାର ସର୍ବତ୍ର କାର୍ଯ୍ୟ କରିବାର ଭାରାର୍ପଣ, ତାଙ୍କ ଗୌରବାର୍ଥେ ଦେବାନୀ ଅଦାଲତରେ ଉପସ୍ଥିତ ହେବାକୁ ବାଧ୍ୟ ନଥିବାର ଆଜ୍ଞାପ୍ରଦାନ, ଦରକାରରେ ରାଜାମାନଙ୍କ ସହିତ ସମାନ ଆସନ ପ୍ରଦାନ, ସରକାରଙ୍କ ଆମନ୍ତ୍ରଣ କ୍ରମେ ଦିଲ୍ଲୀରେ ମହାମାନ୍ୟ ଭାରତ ସମ୍ରାଟ ସପ୍ତମ ଏଡ଼୍‌ଓ୍ୱାର୍ଡଙ୍କ ଅଭିଷେକୋତ୍ସବରେ ଯୋଗଦାନ, ସରକାରୀ ପ୍ରୀତିର ନିଦର୍ଶନ ସ୍ୱରୂପ କୈଶର ହିନ୍ଦ୍‌’ ରୌପ୍ୟ ପଦକ ପ୍ରାପ୍ତି ଆଦି ବିଶେଷ ଘଟଣାଗୁଡ଼ିକ ସମ୍ପର୍କରେ ସବିଶେଷ ବିବରଣୀ ରହିଛି । ଏତଦ୍‌ବ୍ୟତୀତ ୧୮୯୭ ମସିହାର ଦୁର୍ଭିକ୍ଷ ସମୟରେ ରାୟପୁର-ବିଳାସପୁରର ଦୁର୍ଭିକ୍ଷ ପ୍ରପୀଡ଼ିତଙ୍କୁ ସହାୟତା, ୧୮୯୭ ଦୁର୍ଭିକ୍ଷବେଳେ ସରକାରଙ୍କୁ ସହାୟତା, ସ୍ୱର୍ଗୀୟା ଭାରତେଶ୍ୱରୀ ଭିକ୍ଟୋରିଆଙ୍କ ସ୍ମୃତିରକ୍ଷା ପାଣ୍ଠି ନିମିତ୍ତ ଏକ ସହସ୍ର ଟଙ୍କା ପ୍ରଦାନ, ସ୍କୁଲ ସ୍ଥାପନ, ୧୮୮୪ ରେ ବାଳିକାମାନଙ୍କ ଶିକ୍ଷାପାଇଁ ବାଳିକା ବିଦ୍ୟାଳୟ ନିର୍ମାଣ, ୧୮୯୬ରେ ବ୍ରାଞ୍ଚ୍‌ ସ୍କୁଲ ନିର୍ମାଣ, ନିଜ ପୁତ୍ର ଓ ଅନ୍ୟବାଳକମାନଙ୍କ ପାଇଁ ଗୋଟିଏ ଇଂରାଜୀ ସ୍କୁଲ ୧୮୮୪-୧୮୯୬ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମାଧ୍ୟମରେ ଚାଲୁରଖିବା, ବିଜ୍ଞାନ ଶିକ୍ଷା ନିମିତ୍ତ ବିଜ୍ଞାନ ଯନ୍ତ୍ରକ୍ରୟ, ବାଳକ-ବାଳିକାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍ସାହ ବର୍ଦ୍ଧନ ନିମିତ୍ତ ନାନାପ୍ରକାର ପୁରସ୍କାର ପ୍ରଦାନ, ଜିଲ୍ଲାର ଶିକ୍ଷକମାନଙ୍କର ବାର୍ଷିକ ସମିତିରେ ଉତ୍କୃଷ୍ଟ ବକ୍ତା ବା ଲେଖକଙ୍କୁ ପ୍ରତିବର୍ଷ ସ୍ୱର୍ଣ୍ଣରୌପ୍ୟ ପଦକାଦି ପ୍ରଦାନ, ଦରିଦ୍ର ଛାତ୍ରଙ୍କ ଉଚ୍ଚଶିକ୍ଷା ପାଇ ଅନୁଦାନ ପ୍ରଦାନ, ବରପାଲିର ସାମଗ୍ରିକ ଉନ୍ନତି ନିମିତ୍ତ ଲୋକହିତକର କାର୍ଯ୍ୟପାଇଁ ଇଂରେଜ ସରକାରଙ୍କ ଦ୍ୱାରା ‘ରାୟ ବାହାଦୁର’ ଉପାଧିଲାଭ ଇତ୍ୟାଦି ନୃପରାଜଙ୍କ କୃତିତ୍ୱର ପରିଚାୟକ । ଜଣେ ସୁସାହିତ୍ୟିକ ଭାବରେ ମଧ୍ୟ ତାଙ୍କର ସୁଖ୍ୟାତି ରହିଛି । ତାଙ୍କ ଦ୍ୱାରା ରଚିତ ‘ବଳରାମଦେବ’ ଏବଂ ‘ଆମୋଦ’ ତଥା ‘ଉତ୍କଳ ସାହିତ୍ୟରେ ପ୍ରକାଶିତ ବିଭିନ୍ନ କବିତା ଦ୍ୱାରା ତାଙ୍କ କବି ପ୍ରତିଭା ପ୍ରସାରିତ ହୋଇଅଛି । ଅବଶ୍ୟ ‘ବଳରାମଦେବ’ ଓ ‘ଆମୋଦ’ ରଚନାଦ୍ୱୟ ନୃପରାଜଙ୍କ ଦ୍ୱାରା ରଚିତ କି ନୁହେଁ ସେ ସମ୍ପର୍କରେ ଆଲୋଚନା ମଧ୍ୟରେ ମତଦ୍ୱୈଧ ରହିଛି । ‘ଆମୋଦ’ ରଚନାଟି ତତ୍‌କାଳୀନ ଶିକ୍ଷାବିଭାଗ ଇନ୍‌ସପେକ୍ଟର ଜେନେରାଲ ସାହେବଙ୍କ ଦ୍ୱାରା ପ୍ରେରିତ ଚିଠି ଅନୁସାରେ ସେତେବେଳେ ବିଦ୍ୟାଳୟମାନଙ୍କର ପୁରସ୍କାର ଓ ଲାଇବ୍ରେରୀ ପୁସ୍ତକରୂପେ ମନୋନୀତ ହୋଇଥିଲା । ସମ୍ବଲପୁର ଡେପୁଟୀ କମିଶନର ସାହେବ ମଧ୍ୟ ତାଙ୍କୁ ପାଠ୍ୟ ପୁସ୍ତକ ମଧ୍ୟରେ ରଖାଯିବାକୁ ମନୋନୀତ କରିଥିଲେ । ନୃପରାଜ ବିଭିନ୍ନ ଲେଖକଙ୍କୁ ପୁରସ୍କାର ଦେଇ ସେମାନଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ‘ଉତ୍କଳ ଭ୍ରମଣ’ରେ ତେଣୁ ତାଙ୍କୁ ଲକ୍ଷ୍ୟକରି ଫକୀରମୋହନ ଲେଖିଛନ୍ତି-

 

ଲାଲା ନୃପରାଜ ସିଂହ ରାଜା ବରପାଲି

ତୁମ୍ଭର ସୁଖ୍ୟାତି କରୁନାହିଁ ଖାଲି ଖାଲି ।

ପାଣ୍ଡିତ୍ୟ କବିତ୍ୱ ଏଣେ ତେଣେ ରାଜଭୋଗ

ଏହାକୁ ବୋଲନ୍ତି ମଣି-କାଞ୍ଚନର ଯୋଗ ।

ପ୍ରଜାଙ୍କ ଉନ୍ନତି ପାଇଁ କରୁଛ ଯତନ

ଏହା ସିନା ଅଟେ ରାଜଧର୍ମ ସନାତନ ।

 

ଏହି ସଂକ୍ଷିପ୍ତ ଜୀବନୀ ମଧ୍ୟରେ ଗଙ୍ଗାଧର ନୃପରାଜ ସିଂହଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ଆକଳନ କରିବା ସହିତ ତାଙ୍କର ମହନୀୟତା, ସମାଜସେବା, ସାହିତ୍ୟପ୍ରୀତି ଅନୁରାଗ ଓ ପରାଧୀନ ଭାରତବର୍ଷରେ ଇଂରେଜ ସରକାରଙ୍କ ପ୍ରତି ରହିଥିବା ଆନୁଗତ୍ୟ ଏବଂ ରାଜଭକ୍ତି ସମ୍ବନ୍ଧରେ ସବିଶେଷ ଆଲୋଚନା କରିଛନ୍ତି । ଅବଶ୍ୟ ଏହି ଜୀବନୀ ରଚନା ମଧ୍ୟରେ ଗଙ୍ଗାଧରଙ୍କ ନୃପରାଜ ସିଂହଙ୍କ ପ୍ରତି ରହିଥିବା କୃତଜ୍ଞତା ପଣ ପ୍ରକାଶିତ ।

 

ସ୍ମୃତିଚିତ୍ର:- ଗଙ୍ଗାଧର ‘ସ୍ୱର୍ଗୀୟ କାଶୀନାଥ ପଣ୍ଡା’ ଶିରୋନାମାରେ ସ୍ମୃତିଚିତ୍ରଟିଏ ରଚନା କରିଛନ୍ତି । କାଶୀନାଥଙ୍କ ସମ୍ପର୍କରେ ତାଙ୍କର ଅଭିଜ୍ଞତାକୁ ବେଶ୍‌ ସଂକ୍ଷିପ୍ତ ଭାବରେ ଏଥିରେ ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ପଣ୍ଡାଙ୍କ ଜୀବନର କିଛି ଘଟଣା ତାଙ୍କ ସ୍ମତିପଟରେ ରହିଯାଇଥିଲା । ଲରମ୍ଭାଠାରେ ସ୍ୱର୍ଗୀୟ କାଶୀନାଥ ପଣ୍ଡାଙ୍କ ପ୍ରତିକୃତି ଉନ୍ମୋଚନ ଉତ୍ସବରେ କିଛି ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକଙ୍କୁ ନେଇ ସଭାଟିଏ ଆହୂତ ହୋଇଥିଲା । ତାଙ୍କ ଜୀବନର କେତୋଟି ବିଶିଷ୍ଟ ଘଟଣାକୁ ଗଙ୍ଗାଧର ଏହି ସଂକ୍ଷିପ୍ତ ରଚନା ମାଧ୍ୟମରେ ପ୍ରକାଶ କରିଛନ୍ତି ।

 

ଲରମ୍ଭାର ବାସୁଦେବ ପଣ୍ଡାଙ୍କ ଏକମାତ୍ର ପୁତ୍ର କାଶୀନାଥ ପଣ୍ଡା । ଉନବିଂଶ ବର୍ଷ ବୟସରେ ବିବାହ କରିବାର ଦୁଇବର୍ଷ ପରେ ପିତା କାଶୀନାଥ ପଣ୍ଡାଙ୍କ ପରଲୋକ ଗମନ ହୁଏ । ପିତାର ଉତ୍ତରାଧିକାରୀ ଭାବରେ ସେ ପାଆନ୍ତି ପୈତୃକ ଭୂମି ୫୦ ଏକର ଓ ଏକ ସହସ୍ର ଟଙ୍କା । ମାତ୍ର ସେ ଜଣେ କର୍ମୀ, ଉଚ୍ଚାକାଂକ୍ଷୀ ଓ ଦାୟିତ୍ୱବାନ ବ୍ୟକ୍ତି ହୋଇଥିବାରୁ ତଥା ଉତ୍ତରାଧିକାର କ୍ରମେ କୃଷି ଓ କୁସୀଦ କାର୍ଯ୍ୟରେ ଅଭ୍ୟସ୍ତ ଥିବାରୁ ନିଜର ସମ୍ପତ୍ତିକୁ ବୃଦ୍ଧିକରି ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦେଇପାରିଥିଲେ ପ୍ରାୟ ୫୦ ବର୍ଗମାଇଲ୍‌ ଭୂମି ଓ ୫୦,୦୦୦ ଟଙ୍କା ପର୍ଯ୍ୟାପ୍ତ ଅର୍ଥ । ସେ ଜୀବନକାଳ ମଧ୍ୟରେ ନିଜର ବିଚକ୍ଷଣତାର ବହୁ ପରିଚୟ ଦେଇ ପାରିଥିଲେ । କୃଷିର ଉନ୍ନତି ନିମିତ୍ତ ବିପୁଳ ବ୍ୟୟ କରିବା ସହିତ ନୂଆ ଯନ୍ତ୍ର ନିର୍ମାଣକରି ଏବଂ ସମ୍ବଲପୁର କୃଷି ପ୍ରଦର୍ଶନୀରେ ତାହା ପ୍ରଦର୍ଶନ ପୂର୍ବକ କୃଷିଯନ୍ତ୍ରର ବ୍ୟବହାର ବିଧି ଓ ଉପକାରିତା ବିଷୟରେ ଲୋକମାନଙ୍କୁ ସଚେତନ କରାଇ ଅନେକ ପୁରସ୍କାର ଲାଭ କରିଥିଲେ । ଜିଲ୍ଲାର କୃଷି ସମିତିରେ ପ୍ରଧାନ ସଭ୍ୟ ରୂପେ ରାୟପୁର ତଥା କଲିକତା କୃଷି ଶିଳ୍ପପ୍ରଦର୍ଶନୀକୁ ଯାଇ କୃଷି ସମ୍ପର୍କୀୟ ଉନ୍ନତ ଜ୍ଞାନଲାଭ କରିଥିଲେ । କୃଷି ଓ କୁସୀଦ ବ୍ୟତୀତ ଶାସ୍ତ୍ରଧ୍ୟାୟନ ଦ୍ୱାରା ହିନ୍ଦୀ, ବଙ୍ଗଳାଦି ବିଭିନ୍ନ ଭାଷାରେ ପାରଦର୍ଶିତା ଲାଭ କରିଥିଲେ । ସେ ଥିଲେ ବେଶ୍‍ କର୍ମପ୍ରବଣ ଓ ଚଳଚଞ୍ଚଳ । ତାଙ୍କର ମଧୁର ବ୍ୟବହାର ସମସ୍ତଙ୍କୁ ଆକର୍ଷିତ କରିଥିଲା । ଦୁର୍ଭିକ୍ଷ ସମୟରେ ଅନ୍ନକ୍ଳିଷ୍ଟଙ୍କ ଦୁଃଖ ଦୂର କରିବା ସହିତ ଜନସାଧାରଣଙ୍କ ଉପକାର ନିମିତ୍ତ କୂପ, ପୁଷ୍କରିଣୀ ଖନନ ଓ ମନ୍ଦିରାଦି ନିର୍ମାଣ କରିଥିଲେ । ଏହା ସତ୍ତ୍ୱେ ସେଥିଲେ ନିରଭିମାନୀ, ଧର୍ମବିଶ୍ୱାସୀ । ଏହିପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନର କିଛି ଅଶଂ ଉଲ୍ଲେଖ କରି ସ୍ମୃତି ଚିତ୍ର ମାଧ୍ୟମରେ ଗଙ୍ଗାଧର ନିଜର ପୂଜ୍ୟପୂଜା ପ୍ରତି ରହିଥିବା ସମ୍ମାନକୁ ପ୍ରଦର୍ଶନ କରିଛନ୍ତି । ଏହାର କଳାଗତ ମୂଲ୍ୟଅପେକ୍ଷା ସାମାଜିକ ଉପଯୋଗିତା ଗୁରୁତ୍ୱପୂର୍ଣ୍ଣ ।

 

ଆତ୍ମଜୀବନୀ:-

ଗଙ୍ଗାଧର ଖୁବ୍ ସଂକ୍ଷେପରେ ନିଜର ଜୀବନ ରଚିତ ରଚନା କରିଛନ୍ତି । ନିଜର ପୂର୍ବପୁରୁଷଙ୍କ ସମ୍ପର୍କରେ ସାମାନ୍ୟ ସୂଚନା ପ୍ରଦାନ ପରେ ଆପଣାର ଜନ୍ମ, ଶିକ୍ଷା, ପାରିବାରିକ ଓ ବୃତ୍ତିଗତ ଜୀବନ ସମ୍ବନ୍ଧରେ ସାମାନ୍ୟ ଆଲୋକପାତ କରିଛନ୍ତି । ଗଙ୍ଗାଧର ଖୁବ୍ ସରଳ ଓ ସତ୍ୟପ୍ରିୟ ଥିବାରୁ କେବେବି ନିଜର ନାୟକପଣ ସାବ୍ୟସ୍ତ କରିବାକୁ ଚାହିଁନାହାନ୍ତି କିମ୍ବା ମିଥ୍ୟାର ଆଶ୍ରୟ ନିଜର ବାହାଦୁରୀ ଦେଖାଇବାକୁ ଚେଷ୍ଟା କରିନାହାନ୍ତି । ପ୍ରାସଙ୍ଗିକ ଭାବେ ଖୁବ୍‌ ସଂକ୍ଷେପରେ ଯେତିକି ଘଟଣା ଅବତାରଣ କରିବାର ଆବଶ୍ୟକତା ଅନୁଭବ କରିଛନ୍ତି, ସେତିକିର ମାତ୍ର ସୂଚନା ଦେଇଛନ୍ତି । ଏହା ମଧ୍ୟରେ ରହିଛି ତତ୍‌କାଳୀନ ଓଡ଼ିଶାର ଶିକ୍ଷା ଓ ନ୍ୟାୟିକ ବ୍ୟବସ୍ଥା । ବିଭିନ୍ନ ପ୍ରତିକୂଳ ପରିବେଶରେ ସଂଗ୍ରାମ କରି ମଣିଷଟିଏ କିପରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରେ, ଏହି ସଂକ୍ଷିପ୍ତ ଆତ୍ମଜୀବନୀ ତା’ର ଉଦାହରଣ । ଅବଶ୍ୟ ଓଡ଼ିଆ ଆତ୍ମଜୀବନୀ ଇତିହାସରେ ଏହି ସଂକ୍ଷିପ୍ତ ଆତ୍ମଜୀବନିଟି ସେପରି କିଛି ବିଶେଷ ଗୁରୁତ୍ୱ ରଖେ ବୋଲି ମନେ ହୁଏ ନାହିଁ । ଗଙ୍ଗାଧରଙ୍କ ପରି ପ୍ରତିଭାଶାଳୀ ବ୍ୟକ୍ତି ଇଚ୍ଛା କରିଥିଲେ ଚମତ୍କାର ଆତ୍ମଜୀବନୀଟିଏ ଲେଖିପାରିଥାନ୍ତେ, ଯା’ର କଳାଗତ ଓ କାଳଗତ ମୂଲ୍ୟ ଅନେକ ଗୌରବ ଦାବୀ କରିପାରିଥାନ୍ତି । କିନ୍ତୁ ଆତ୍ମପ୍ରଚାର ବିମୁଖ ଗଙ୍ଗାଧରଙ୍କ ସଚ୍ଚୋଟ କବି ବ୍ୟକ୍ତିତ୍ୱ ନିଜର ଢୋଲ ନିଜେ ପିଟିବାକୁ ଚାହିଁନାହାନ୍ତି । ଗଙ୍ଗାଧର ଚାହିଁଥିଲେ ଓଡ଼ିଆ ସାହିତ୍ୟ ନିଶ୍ଚିତ ରୂପେ ଏକ ଉଚ୍ଚମାନର ଆତ୍ମଜୀବନ ପାଇପାରିଥାନ୍ତି, ମାତ୍ର ଦୁର୍ଭାଗ୍ୟ ତାହା ହୋଇପାରିଲା ନାହିଁ ।

 

ଅନ୍ୟାନ୍ୟ ଗଦ୍ୟ ରଚନା:-

ଗଙ୍ଗାଧର ‘କିମ୍ବଦନ୍ତୀ’ ଶିରୋନାମାରେ ହୁମା ନିକଟବର୍ତ୍ତୀ ବିମଳେଶ୍ୱର ମନ୍ଦିର ସମ୍ପର୍କୀୟ ଜନଶ୍ରୁତିଟିକୁ (ଲୋକମୁଖରେ ବହୁ ଭାବରେ ପ୍ରଚାରିତ) ବେଶ୍‌ ରୋଚକ ଢଙ୍ଗରେ ପରିବେଷଣ କରିଛନ୍ତି । ଓଡ଼ିଶାରେ ଦେବାଦେବୀ ମନ୍ଦିରକୁ ନେଇ ଅନେକ କିମ୍ବଦନ୍ତୀ ସୃଷ୍ଟି ହୋଇଛି । ପୁନରାୟ ଅନେକ କିମ୍ବଦନ୍ତୀରେ ଏକପ୍ରକାର ଘଟଣାର ବର୍ଣ୍ଣନା ହୋଇଥିବାର ଦେଖାଯାଏ । ଆଲୋଚ୍ୟ କିମ୍ବଦନ୍ତୀରେ ଗାଇର କ୍ଷୀର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କ୍ଷରଣ ହେବା ଓ ସେଠାରେ ଶମ୍ଭୁଲିଙ୍ଗଙ୍କର ଆବିର୍ଭାବ ଘଟଣା ଓଡ଼ିଶାରେ ଅନ୍ୟ କେତୋଟି ଏକ ଧରଣର ଶିବଲିଙ୍ଗ ଆବିର୍ଭାବ ସମ୍ପର୍କରେ ଶୁଣାଯାଇଥାଏ । ଏହି କିମ୍ବଦନ୍ତୀର ଆଧାର ହେଉଛି ଲୋକବିଶ୍ୱାସ । ଗଙ୍ଗାଧର ଲୋକଙ୍କ ମୁଖରୁ ଶ୍ରବଣ କରିଥିବା ସେହିପରି ଏକ ଘଟଣାକୁ ଏହି ‘କିମ୍ବଦନ୍ତୀ’ ରେ ସ୍ଥାନ ଦେଇଛନ୍ତି । ସେହିପରି ବାମଣ୍ଡାର ମହାରାଜା ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ସ୍ୱରଚିତ ଗ୍ରନ୍ଥବଳୀର କେତେକ ଅଶଂ ‘ସଚ୍ଚିଦାନନ୍ଦ ଗ୍ରନ୍ଥାବଳୀ’ ଶିରୋନାମରେ ବଙ୍ଗଳାର ବିଶିଷ୍ଟ ବିଦ୍ୱାନ ଶ୍ରୀଯୁକ୍ତ ବିଜୟଚନ୍ଦ୍ର ମଜୁମଦାରଙ୍କ ଦ୍ୱାରା ବଙ୍ଗଳା ଭାଷାରେ ଲିଖିତ ଓ ମୁଦ୍ରିତ ହେବା ସହିତ ଏହାର ମୁଖବନ୍ଧରେ ସୁଢ଼ଳଦେବ ଏବଂ ତାଙ୍କ ସୁଯୋଗ୍ୟପୁତ୍ରଙ୍କ ଗୁଣାବଳୀ ବର୍ଣ୍ଣନା କରାଯାଇଥିବାରୁ ଗଙ୍ଗାଧର ତାଙ୍କ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ଏହାକୁ ଉତ୍କଳଭାଷାର ଗୌରବ’ ବୋଲି ଏହି ଶିରୋନାମାରେ ପ୍ରକାଶ କରିଛନ୍ତି । ଶ୍ରୀ ମଜୁମଦାରଙ୍କ ଏପରି ପଦକ୍ଷେପ ଉତ୍କଳ ଭାଷାର ଗୌରବ ବୃଦ୍ଧିକରିବା ସଙ୍ଗେ ସଙ୍ଗେ ଗଙ୍ଗାଧରଙ୍କୁ ମଧ୍ୟ ଅତ୍ୟନ୍ତ ଆନନ୍ଦ ଦେଇପାରିଛି ।

 

କବି ଗଙ୍ଗାଧର ଓଡ଼ିଶାର ଯେଉଁ କେତେଜଣ ସାରସ୍ୱତ ସାଧକଙ୍କୁ ବିଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ, ତନ୍ମଧ୍ୟରେ ବ୍ୟାସକବି ଫକୀରମୋହନ ସେନାପତି ଥିଲେ ଅନ୍ୟତମ । ତାଙ୍କର ପ୍ରୋତ୍ସାହନ ଗଙ୍ଗାଧରଙ୍କ ସାରସ୍ୱତ ଜୀବନକୁ ବହୁଭାବରେ ରୁଦ୍ଧିମନ୍ତ କରିଥିଲା । ତେଣୁ ଫକୀରମୋହନଙ୍କୁ ଗଙ୍ଗାଧର ଶ୍ରଦ୍ଧା ଓ ସମ୍ମାନ କରୁଥିଲେ । ଓଡ଼ିଆ ପଦ୍ୟସାହିତ୍ୟ, କଥାସାହିତ୍ୟ, ଭ୍ରମଣ ସାହତ୍ୟ ଜୀବନ ସାହିତ୍ୟ, ପ୍ରବନ୍ଧ ଓ ରାମ୍ୟରଚନାକୁ ଫକୀରମୋହନଙ୍କ ଅବଦାନ ଅତୁଳନୀୟ । ତେଣୁ ଫକୀରମୋହନଙ୍କ ତିରୋଧାନ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଥିଲା ଏକ ଅପୂରଣୀୟ କ୍ଷତି । ଫକୀରମୋହନଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନଙ୍କ ତିରୋଧାନ ହୋଇଗଲା । ଫକୀରମୋହନଙ୍କ ତିରୋଧାନ କବି ଗଙ୍ଗାଧରଙ୍କୁ ଗଭୀର ମର୍ମହାତ କରିଥିଲା । ତାଙ୍କ ତିରୋଧାନ ପରେ ଗଙ୍ଗାଧର ‘ପୁରାଣକବି ଶିରୋନାମା’ରେ ଲେଖାଟିଏ ପ୍ରକାଶ କରିଥିଲେ ‘ଉତ୍କଳ ସାହିତ୍ୟ’ରେ ଜୁଲାଇ ୧୯୧୮ ସଂଖ୍ୟାରେ । ଫକୀରମୋହନଙ୍କ ସମ୍ପର୍କରେ ଗଙ୍ଗାଧରଙ୍କ ବକ୍ତବ୍ୟ ଦେଖନ୍ତୁ- ‘‘ଉତ୍କଳର ଜାତୀୟ ଜୀବନ ସଂଗ୍ରାମର ସେନାପତି ମହାତ୍ମା ଫକୀର ମୋହନ ନିଜ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅବିଶ୍ରାନ୍ତ କର୍ତ୍ତବ୍ୟପାଳନରେ ପ୍ରବୃତ୍ତ ଥାଇ ଶରୀରପାତ କରି ସ୍ୱର୍ଗାରୋହଣ କରିଅଛନ୍ତି । ତାହାଙ୍କ ଶରୀରୋପରି ଉତ୍କଳର ବିବୁଧ ବୃନ୍ଦଙ୍କର ଶୋକାଶ୍ରୁ ଛଳରେ ପୁଷ୍ପବୃଷ୍ଟି ହେଉଅଛି । ତେଣୁ ସ୍ୱର୍ଗରୁ ଦେବଦେହଧାରୀ ରାଧାନାଥ ଓ ମଧୁସୂଦନ ଅର୍ଦ୍ଧପଥକୁ ଆସି ତାଙ୍କର ହସ୍ତଦ୍ୱୟ ଧରି, ସାଦର ଅଭ୍ୟର୍ଥନା କରି, ଦୀପ୍ତିମୟ ବିମାନରେ ବସାଇ ଜ୍ୟୋତି ରାଜ୍ୟକୁ ଘେନି ଯାଉଅଛନ୍ତି । ମନୁଷ୍ୟ ଜୀବନରେ ଯାହା ବାଞ୍ଛନୀୟ, ଶ୍ରଦ୍ଧେୟ, ପ୍ରାର୍ଥନୀୟ ଓ ଦୁର୍ଲ୍ଲଭ, ଫକୀରମୋହନ ତାହା ଲାଭ ଅଛନ୍ତି । ତଥାପି ସେ ଉତ୍କଳରେ ଆଜି ନାହାନ୍ତି, ଏକଥା କହିବାକୁ ମନ ବଳୁନାହିଁ, ଲେଖନୀ ଚଳୁନାହିଁ । ଆଶା କହୁଅଛି, ସେ ଅଛନ୍ତି । ନୈରାଶ୍ୟ କହୁଅଛି-ନାହାଁନ୍ତି ।’’ (ପୃ. ୫୩୬, ଗଙ୍ଗାଧର ଗ୍ରନ୍ଥାବଳୀ) ଆଶା ଓ ନୈରାଶ୍ୟର କଥୋପକଥନ ଛଳରେ ଗଙ୍ଗାଧର ଫକୀରମୋହନଙ୍କ ବୈଣିଷ୍ଟ୍ୟ, ସାହିତ୍ୟକୃତି ତଥା ସାଧନାକୁ ନାଟକୀୟ ଶୈଳୀରେ ଉପସ୍ଥାପନ କରିଅଛନ୍ତି । ଅନ୍ୟ ଭାବରେ କହିଲେ : ‘ପୁରାଣକବି ଫକୀରମୋହନ’ ରଚନା ମାଧ୍ୟମରେ କବି ଗଙ୍ଗାଧର ଫକୀରମୋହନଙ୍କୁ ତାଙ୍କ ହୃଦୟର ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ଅର୍ପଣ କରିଅଛନ୍ତି ।

 

ଗଙ୍ଗାଧରଙ୍କ ଗ୍ରନ୍ଥାବଳୀରେ ‘ଖଣ୍ଡିଏ ପତ୍ର’ ଶିରୋନାମରେ ପରିବ୍ରାଜକ ଶ୍ରୀନୟନ ସିଂହ ନାମରେ ଲେଖାଟିଏ ରହିଛି । ଏହା ଗଙ୍ଗାଧରଙ୍କ ରଚନା ବୋଲି ବିଶ୍ୱାସ କରାଯାଏ । ଏଥିରେ ଗଙ୍ଗାଧର ଚମତ୍କାର ବ୍ୟଞ୍ଜନା ମାଧ୍ୟମରେ ମଣିଷର ପ୍ରକୃତି, ତା’ର ସର୍ବଗ୍ରାସୀରୂପ ଏବଂ ସ୍ୱାର୍ଥପର ମନୋବୃତ୍ତିକୁ ପ୍ରକାଶ କରିଅଛନ୍ତି । ସାଧାରଣ ମଣିଷ ପ୍ରତି ଗଙ୍ଗାଧରଙ୍କ ହୃଦୟରେ ଭରପୂର ରହିଥିବା ସମ୍ବେଦନଶୀଳ ଭାବବେଗର ଏହା ଏକ କଳ୍ପିତରୂପ ।

 

ଉପସଂହାର :-

ଗଙ୍ଗାଧରଙ୍କ ସାରସ୍ୱତ ସାଧନାର ସମସ୍ତ ଶ୍ରେଷ୍ଠତ୍ୱ ତାଙ୍କ କାବ୍ୟ-କବିତା ଦାବୀ କରିଥାଏ । ଏହା ସତ୍ତ୍ୱେ ତାଙ୍କର ସ୍ୱଳ୍ପ ଗଦ୍ୟ ରଚନାରେ ଗଙ୍ଗାଧରଙ୍କ ମୌଳିକତା ଆଦୌ ଦୁର୍ଲ୍ଲଭ ନୁହେଁ । ଅବଶ୍ୟ ସେ ତାଙ୍କର ଭାବନା ଓ ଚିନ୍ତାଜଗତକୁ କବିତାର ସୁକୁମାର ପରରେ ବାନ୍ଧି ରଖିବାକୁ ସର୍ବଦା ଚେଷ୍ଟା କରିଛନ୍ତି । ଏହା ସତ୍ତ୍ୱେ ‘ବ’ ଭେଦ, ‘ଋ’ ଓ ‘ରୁ’ ଭେଦ, ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ ଆଦି ଆଲୋଚନା, କ୍ଷୁଦ୍ର ପ୍ରବନ୍ଧ ଏବଂ ଜୀବନୀ ସାହିତ୍ୟରୁ ତାଙ୍କ ବିଶେଷତ୍ୱ କିୟଦାଂଶରେ ବାରି ହୋଇପଡ଼େ । ତାଙ୍କର ଗଦ୍ୟଶୈଳୀ ଅତ୍ୟନ୍ତ ସରଳ ଓ ସର୍ବଜନବୋଧ୍ୟ । ପୁସ୍ତକ ସମୀକ୍ଷା, ଗ୍ରନ୍ଥର ଭୂମିକା ରଚନା, ଗଙ୍ଗାଧରଙ୍କ ଗଦ୍ୟ ପ୍ରତିଭା ପ୍ରକାଶିତ । ତାଙ୍କର ଗଦ୍ୟ ନିଜସ୍ୱ ଅନୁଭବ ଓ ସୂକ୍ଷ୍ମ ଅନୁଭବର ମଧୁର ପରିପ୍ରକାଶ । ଏହି ଗଦ୍ୟ ମାଧ୍ୟମରେ ହୁଏତ ପାଣ୍ଡିତ୍ୟ, ବହୁଶାସ୍ତ୍ରଦର୍ଶିତା କିମ୍ବା ଗଭୀର ଦର୍ଶନର ଅଭାବ ଥାଇପାରେ, ମାତ୍ର ଜଣେ ସାରସ୍ୱତ ସାଧକର ସାରସ୍ୱତ ସଂପର୍କ, ଜୀବନାନୁଭୂତି ତଥା ଜୀବନ-ଜଗତ ପ୍ରତି ରହିଥିବା ଅନ୍ତରଙ୍ଗ ପଣର ଅଭାବ ନାହିଁ ଓ ତାହାହିଁ ହେଉଛି ଗଙ୍ଗାଧରଙ୍କ ଗଦ୍ୟ ରଚନାର ପରମ ବୈଶିଷ୍ଟ୍ୟ ।

 

 

ସ୍ନାତକୋତ୍ତ ଓଡ଼ିଆ ବିଭାଗ

ସମ୍ବଲପୁର ବିଶ୍ୱବିଦ୍ୟାଳୟ

ଜ୍ୟୋତିବିହାର, ବୁର୍ଲା-୭୬୮୦୧୯

 

 

***

 

Unknown

ଆର୍ତ୍ତମାନବାତ୍ମାର କବି ଗଂଗାଧର

ଭଗବାନ ପଟେଲ

ଆଧୁନିକ ଓଡ଼ିଆ କାବ୍ୟଧାରାରେ କବି ଗଂଗାଧର ଜଣେ ଆର୍ତ୍ତମାନବାତ୍ମାର କାବ୍ୟଶିଳ୍ପୀଭାବରେ ଗୃହୀତ, ସ୍ୱୀକୃତ ତଥା ସମ୍ମାନିତ ହୋଇ ଆସୁଛନ୍ତି ପ୍ରାୟତଃ ଉନବିଂଶ ଶତାବ୍ଦୀର ଶେଷଭାଗରୁ । କବିଙ୍କର ଅନ୍ତଃଦୃଷ୍ଟି ଥିଲା ସୁଦୂରପ୍ରସାରୀ ଓ ବହୁମୁଖୀ । ଜୀବନ ତଥା ଜଗତର ସୁବିପୁଳ ଅନୁଭବକୁ ପାଥେୟ କରି ସୃଜନଶୀଳ ତଥା କାଳଜୟୀ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ଥିଲା ଅପରିସୀମ ଆଗ୍ରହ, ଉତ୍କଣ୍ଠା ତଥା ଅଭିଳାଷ । ଗଂଗାଧର ହେଉଛନ୍ତି ଗଂଗାର ଧାର ପରି ପୂତ, ପବିତ୍ର ଏବଂ ନିର୍ମଳ । ତାଙ୍କର ଦିବ୍ୟ ଦୃଷ୍ଟିରେ ସର୍ବତ୍ର ମଧୁମୟ ଜୀବନକୁ ନିରୀକ୍ଷଣ କରିବାର ଅଭିନବ ପ୍ରୟାସ, ତାଙ୍କୁ ଜଣେ ସଫଳ ମାନବବାଦୀ ସ୍ରଷ୍ଟା ଭାବରେ ସୁପରିଚିତ କରାଇପାରିଛି ଆଧୁନିକ କାବ୍ୟଧାରାରେ । ଓଡ଼ିଆ କବିତାର ଧରା ଓ ଧାରାକୁ ପରିବର୍ତ୍ତିତ କରିବାରେ ତାଙ୍କର ଭୂମି ଓ ଭୂମିକା ଏକାନ୍ତ ଭାବରେ ଚିରସ୍ମରଣୀୟ ଏବଂ ଅବର୍ଣ୍ଣନୀୟ-। ଜଣେ ରସଗ୍ରାହୀ ସାହିତ୍ୟ ସାଧକ ତଥା ପ୍ରଥିତଯଶା ସାହିତ୍ୟ ବିଷାରଦ ରୂପରେ ଜୀବନର ଋତ ବାସ୍ତବତାକୁ ଅଧିକ ମନୋଜ୍ଞ ତଥା ସୁମଞ୍ଜୁଳ ଭାବରେ ପରିବେଷଣ କରିବାରେ ତାଙ୍କର ଦକ୍ଷତା ଥିଲା ଅଭିନବ ଏବଂ ଅପରିସୀମ । ଗଂଗାଧର ଜାତୀୟ ଜୀବନକୁ ଶୃଙ୍ଖଳିତ, ପରିମାର୍ଜିତ ତଥା ଆଧ୍ୟାତ୍ମିକଭାବ ସମ୍ବଳିତ କରିବା ଦିଗରେ ଯେଉଁ ସାରସ୍ୱତ ଓ ଶାଶ୍ୱତ ନିରପେକ୍ଷ ଉଦ୍ୟମ କରିଯାଇଛନ୍ତି, ତାହା ତୁଳନା ବିଶ୍ୱ ସାହିତ୍ୟରେ କ୍ୱଚିତ ପରିଲକ୍ଷିତ ହୋଇଥାଏ । ପ୍ରାଚିନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଅପୂର୍ବ ସମନ୍ୱୟ ସାଧନ କରିବାରେ ସେ ଅପ୍ରତିଦ୍ୱନ୍ଦ୍ୱୀ କଳାକାର । ସେ ସତ୍ୟର ପୂଜାରୀ ଏବଂ ସୌନ୍ଦର୍ଯ୍ୟର ଏକନିଷ୍ଠ ଉପାସକ । ତାଙ୍କ ସାହିତ୍ୟରେ ଆର୍ତ୍ତମାନବାତ୍ମାର ଅନାହତ ରୂପଚର୍ଯ୍ୟା ପାଠକୀୟ ସ୍ୱୀକୃତି ଲାଭ କରିବାରେ ଅଧିକ ପରିମାଣରେ ସକ୍ଷମ ହୋଇପାରିଛି । ସେ ଜଣେ ଉଚ୍ଚକୋଟୀର ଜୀବନବାଦୀ କାବ୍ୟଶିଳ୍ପୀର ସମ୍ମନ ଓ ସ୍ୱୀକୃତି ଲାଭ କରିବାରେ ଆଶାତୀତ ସଫଳତା ଲାଭ କରିଥିବାର ଜଣାଯାଏ । ତାଙ୍କ ସାହିତ୍ୟର ମୁଖ୍ୟ କଥାବସ୍ତୁ ହେଉଛି ପ୍ରେମ ଓ ଏହା ଉଚ୍ଚ ଭାବାଶ୍ରିତ ମର୍ଯ୍ୟାଦାବନ୍ତ ତଥା ମହିମା ବିମଣ୍ଡିତ ହୋଇ ପାରିଛି ଅନାୟସରେ । ଭାରତୀୟ କାବ୍ୟ ପରଂପରା ଓ ପୁରୋଦୃଷ୍ଟିର ଜଣେ ଉପଯୁକ୍ତ ଦାୟାଦ ତଥା ଉତ୍ତରାଧିକାରୀ ଭାବରେ ନିଜକୁ ପ୍ରମାଣିତ କରିପାରିଛନ୍ତି । ସଂସ୍କୃତ କାବ୍ୟଧାରାକୁ ଅନୁସରଣ କରି ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ସମାସୀନ କରିବାର ଦୁନିର୍ବାର ପ୍ରୟାସ ଯେ ତାଙ୍କର ଦୃଷ୍ଟି ଓ ଦର୍ଶନର ପ୍ରମାଣ କରେ, ତାହା ସର୍ବଜନ ସ୍ୱୀକୃତ । ସେ ଜଣେ ଉଚ୍ଚକୋଟୀର ତଥା ଆଦର୍ଶବାଦୀ କବିର ଗୌରବ ଲାଭ କରି ପାରିଛନ୍ତି, ନିଜର ଶକ୍ତି ଓ ସାମର୍ଥ୍ୟ ବଳରେ । ତାଙ୍କର ବ୍ୟକ୍ତିଗତ ଜୀବନ ଯେପରି ସରସ, ସୁନ୍ଦର ଓ ମଧୁମୟ ଥିଲା, ତାହାର ଅକ୍ଷତ ପ୍ରଭାବ ତାଙ୍କ ସାହିତ୍ୟ କୃତିମାନଙ୍କରେ ସହଜରେ ଲକ୍ଷ୍ୟ କରାଯାଇପାରେ । ଅମୃତମୟ, ମଧୁମୟ ତଥା ସୁଧାମୟ ଦୃଷ୍ଟିରେ ବିଶ୍ୱର ସୌନ୍ଦର୍ଯ୍ୟ, ଗାମ୍ଭୀର୍ଯ୍ୟ, ମାଧୁର୍ଯ୍ୟ ତଥା ଐଶ୍ୱର୍ଯ୍ୟକୁ ଅଧିକ କାଳ ଓ କଳା ସଚେତନ ହୋଇ ନିରୀକ୍ଷଣ କରିବା ଏକାନ୍ତ ଭାବରେ ଅନସ୍ୱୀକାର୍ଯ୍ୟ ତଥା ଅଭିନନ୍ଦନୀୟ । ତାଙ୍କର ବହୁମୁଖୀ ପ୍ରତିଭାର ଆକଳନ କରାଯିବା ଏକାନ୍ତ ଆବଶ୍ୟକ ବୋଲି ମନେହୁଏ । ସେ ଜଣେ ସୁଧାର କବି । ମଣିଷର ସ୍ୱଭାବକୁ ଉପଯୁକ୍ତ ଭାବରେ ଚିହ୍ନିବା ଓ ତାକୁ ଲୋକଲୋଚନକୁ ଆଣିବା ହେଉଛି ତାଙ୍କର ନିଜସ୍ୱ ମୌଳିକତା ଏବଂ ବିଶେଷତ୍ୱ ଭାବରେ ବିବେଚିତ ହୋଇଥାଏ । ତାଙ୍କର କାବ୍ୟ କବିତାଗୁଡ଼ିକରେ ପ୍ରକୃତିର ନୈସର୍ଗିକ ଶୋଭା ସଂଦର୍ଶନ କରାଯାଇପାରେ ସ୍ୱତଃସ୍ଫୂର୍ତ୍ତ ଭାବରେ । ସୁତରାଂ, କବି ଗଂଗାଧର ଶୁଚିସ୍ନାତ ହଳଦୀବସନ୍ତଟିଏ ବ୍ୟତୀତ ଆଉ କଣ ହୋଇପାରନ୍ତି । ସେ ଥିଲେ ନିର୍ଭୀକ, ସ୍ୱାଧୀନଚେତା ଓ ଅକୁତୋଭୟ । ତାଙ୍କର କାର୍ଯ୍ୟ ଏବଂ କଥାରେ ଥିଲା ସାମଞ୍ଜସ୍ୟ । ତେଣୁ ତାଙ୍କୁ ଜଣେ ମହାନୁଭବ ସାହିତ୍ୟ ସ୍ରଷ୍ଟା ଭାବରେ ନିଃସନ୍ଦେହର ସହିତ ସ୍ୱୀକାର କରିବାକୁ ପଡ଼ିବ ହିଁ ପଡ଼ିବ । ଆଜୀବନ ଦାରିଦ୍ର୍ୟତାର କଷାଘାତରେ ନିପୀଡ଼ିତ ହୋଇ ମଧ୍ୟ ବିଶ୍ୱକୁ ମଧୁମୟ ଦୃଷ୍ଟିରେ ଅବଲୋକନ କରିବାର ଅଭିନବ ପ୍ରୟାସ ଅଧିକ ପ୍ରାଣସ୍ପର୍ଶୀ ଓ ହୃଦୟଗ୍ରାହୀ ହୋଇପାରିଛି ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରାଯାଇପାରେ ।

 

ଜଣେ କର୍ତ୍ତବ୍ୟନିଷ୍ଠ କାଳଜୟୀ ସାହିତ୍ୟ ସ୍ରଷ୍ଟାଭାବରେ ଗଙ୍ଗାଧର ସତ୍ୟ-ଶିବ-ସୁନ୍ଦରର ଜଣେ ପ୍ରକୃତ ଗ୍ରାହକତାକୁ ଆପଣେଇ ନେବାରେ ଆଦୌ କୁଣ୍ଠାବୋଧ ପ୍ରକାଶ କରନାହାନ୍ତି କହିଲେ ସତ୍ୟର ଆଦୌ ଅପଳାପ ହେବ ନାହିଁ । ବରଂ, ଜୀବନ ପ୍ରତି ଅଧିକ ଆନୁଗତ୍ୟ ଓ ଅନୁରକ୍ତି ପ୍ରକାଶ ପୂର୍ବକ ଏକ ମାନବୀୟ ଅଭିବ୍ୟକ୍ତିର ବଶବର୍ତ୍ତୀ ହୋଇ ଭଲ ପାଇଛନ୍ତି ମାଟି ଓ ମଣିଷକୁ । ତାଙ୍କର ଦୃଷ୍ଟି ଓ ଦିଗନ୍ତ ପରିବ୍ୟାପ୍ତ ହୋଇ ପାରିଛି ଭୂମିଠାରୁ ଭୂମା ପର୍ଯ୍ୟନ୍ତ । ଆର୍ତ୍ତ ମାନବାତ୍ମାର ଜଣେ ପ୍ରବୀଣ କରି ଭାବରେ ମାନବୀୟ ଭାବାବେଗର ଉଚ୍ଚାରଣ ଘଟାଇ ପାରିଛନ୍ତି ନିଜର ଆଚରଣରେ ମଧ୍ୟ । ‘The Literature is the form of human expression’ – ସାହିତ୍ୟ ହେଉଛି ମାନବୀୟ ଅଭିବ୍ୟକ୍ତିର ଉପଯୁକ୍ତ ମାଧ୍ୟମ । ସୁତରାଂ, ଜଣେ ଉଦାର, ଦରଦୀ ତଥା ସମାଜମନସ୍କ କବି ଭାବରେ ମଣିଷ ଜୀବନର ହସ-କାନ୍ଦ, ଆନନ୍ଦ-ବିଷାଦ, ପ୍ରେମ-ଅପ୍ରେମ, ଆଲୋକ-ଅନ୍ଧାର, ସୁଖ-ଦୁଃଖ, ସ୍ନେହ-ଅସ୍ନେହ, ଭୋଗ-ତ୍ୟାଗ, ଆତ୍ମା-ପରମାତ୍ମା ଆଦିର ସୁମଞ୍ଜୁଳ ତଥା ମାର୍ମିକ ଚିତ୍ର ଅଙ୍କନରେ ନିଜର ସିଦ୍ଧହସ୍ତତାକୁ ସୁନ୍ଦର ତଥା କଳାତ୍ମକଭାବରେ ପ୍ରତିପାଦନ କରିପାରିଛନ୍ତି ବୋଲି ଅବାଧ କଣ୍ଠରେ ଘୋଷଣା କରାଯାଇପାରେ-। ସେ ଜଣେ କ୍ଲାସିକ୍‌ କବିର ମାନ୍ୟତା ଲାଭ କରିପାରିଛନ୍ତି ଆପଣାର ପୁରୋଦୃଷ୍ଟିର ପ୍ରଦର୍ଶନ ବଳରେ । ଇଂରାଜୀ କବି Willian Wordswor ଙ୍କ ମତରେ ‘‘Poetry is the spontaneous over flow of powerful feelings.’’ ଏ ଦୃଷ୍ଟିରୁ ଗଂଗାଧରୀୟ କାବ୍ୟ ସାହିତ୍ୟକୁ ଆଲୋଚନାର ପରିସର ଭୁକ୍ତ କରାଯାଇପାରେ । ଗଂଗାଧରୀୟ କାବ୍ୟ ଚେତନାରେ ରହିଛି ଉଚ୍ଚ ଭାବାଶ୍ରିତ ପ୍ରେମର ପରିପ୍ରକାଶ ନିମନ୍ତେ ଉଦାରତା ପରିପୂର୍ଣ୍ଣ ମନୋଭାବର ଅଭ୍ରାନ୍ତ ତଥା ଚରମ ନିଦର୍ଶନ । ତାଙ୍କ କାବ୍ୟ କବିତାଗୁଡ଼ିକରେ ଭାବାବେଗର ସ୍ୱତଃସ୍ଫୂର୍ତ୍ତତାର ଚିର ପ୍ରବହମାନତା ପାଠକୀୟ ସ୍ୱୀକୃତି ଲାଭ କରିବାର ଯଥେଷ୍ଟ ପରିମାଣର ସହାୟକ ହୋଇଥାଏ । ମାନବୀୟ ଭାବ ଚେତନାର ନିର୍ମଳ ତଥା ସୁନ୍ଦର ପରିପ୍ରକାଶ ନିମନ୍ତେ ଉପଯୁକ୍ତ ଶବ୍ଦ ଚୟନ ହେଉଛି ତାଙ୍କର ଅନ୍ୟତମ ବିଶେଷତ୍ୱ ତଥା ମୌଳିକତା । ସେ ଜଣେ ଆଦର୍ଶବାଦୀ କାବ୍ୟପୁରୁଷ । ସାମାଜିକ ନ୍ୟାୟ (Social Justice) ପ୍ରକାଶ ନିମନ୍ତେ ଧର୍ମର ଭୟ ଏବଂ ପାପର ହେଉ ବୋଲି ସ୍ୱୀକାରୋକ୍ତି ପ୍ରକାଶ କରି ଯାଇଛନ୍ତି । ସମାଜରେ ସାମ୍ୟବାଦୀଚିନ୍ତା ଓ ଚେତନାର ପ୍ରବର୍ତ୍ତନ ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ମାଧ୍ୟମରେ ଆର୍ତ୍ତ ମାନବାତ୍ମାର ଉତ୍‌ଥାନ ପାଇଁ ଆପ୍ରାଣ ଉଦ୍ୟମ କରିଯାଇଛନ୍ତି ନିଜର ସୃଷ୍ଟି ସମ୍ଭାରଗୁଡ଼ିକରେ । ମାନବ ଜୀବନର ମହତ୍ତ୍ୱ, ଗୁରୁତ୍ୱ ଆଦିକୁ ମର୍ମେ ମର୍ମେ ଉପଲବ୍‌ଧି ପୂର୍ବକ ଏକ ପରିପୂର୍ଣ୍ଣମାନବ ଗଠନର ବ୍ରତ ନେଇ ସର୍ବାଙ୍ଗସୁନ୍ଦର କରାଯିବାର ଅଭିପ୍ରାୟ ପୋଷଣ କରିଯାଇଥିବାର ଅନୁମେୟ ହୋଇଥାଏ । ଏକ ସୌନ୍ଦର୍ଯ୍ୟତ୍ମକ ଦୃଷ୍ଟିକୋଣ ନେଇ ସାମାଜିକ ଅଙ୍ଗୀକାର ବଦ୍ଧତା (Social Committment) ର ପରିପ୍ରକାଶ ସାବଲୀଳ ଭାବରେ ଘଟାଇବାରେ ଅନ୍ତହୀନ ଉଦ୍ୟମର ଭୂରି ଭୂରି ପ୍ରଶଂସା ନିଶ୍ଚୟ କରାଯାଇପାରେ । ପରାଧୀନ ଭାରତ ବର୍ଷରେ ଥାଇ ମଧ୍ୟ ନିର୍ଭୀକ ଭାବରେ ନିଜର ମତ ପୋଷଣ କରିବା କିମ୍ୱା ନିଜର ଦୃଷ୍ଟିକୋଣରୁ ଉପସ୍ଥାପନ କମ୍‌ ସତ୍‌ ସାହସର ଅପେକ୍ଷା ରକ୍ଷା କରେ ନାହିଁ । ଜଣେ ସାମାନ୍ୟ ଅମିନ୍‌ କାର୍ଯ୍ୟ ସଂପାଦକ କରି ମଧ୍ୟ ଦେଶମାତୃକାର ନିମନ୍ତେ ଏତେ ପରିମାଣରେ ସଂକଳ୍ପବଦ୍ଧ ଏବଂ ସ୍ୱାଧୀନଚେତା ହେବା କମ୍‌ ଗୌରବର ବିଷୟ ହୋଇ ନ ପାରେ । ଏହି ପ୍ରକାର ମନୋଭାବର ବ୍ୟକ୍ତି ସମାଜରେ ପ୍ରାୟ କ୍ୱଚିତ୍‌ ପରିଦୃଷ୍ଟ ହୋଇଥିବାର ଦେଖାଯାଏ । ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି, ଆଦି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ସେ କେବେହେଲେ କୁଣ୍ଠିତ ବା ପଶ୍ଚାତ୍‌ପଦ ହୋଇ ନ ଥିଲେ । ସେ ପରାଧିନ ଭାରତ ବର୍ଷରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସ୍ୱାଧୀନ ଭାରତ ବର୍ଷର ସ୍ୱପ୍ନରେ ମସଗୁଲ ରହି ସ୍ୱାଧୀନତା ଆନୟନ ପାଇଁ ଯେଉଁ ନିରନ୍ତର ସାଧୁ ଉଦ୍ୟମ ଅବ୍ୟାହତ ରଖିଥିଲେ, ତାର ତୁଳନା ବିଶ୍ୱ ସାହିତ୍ୟରେ ବିରଳ ପ୍ରାୟ । ସେ ଜଣେ ସ୍ୱାଧୀନଚେତା ସରଳ, ନିଃଷ୍କପଟ, ଅମାୟିକ ହୃଦୟର ବ୍ୟକ୍ତିତ୍ୱ ଥିବାରୁ କେବେହେଲେ ସ୍ୱାର୍ଥନ୍ୱେଷୀ ହୋଇ ନ ଥିଲେ । ଭାରତୀୟ ଦଳିତ ଜନତାର ପୁନଃରୁଦ୍ଧାର ନିମନ୍ତେ ଆପଣାର ସମସ୍ତ ଶକ୍ତି ଓ ସାମର୍ଥ୍ୟକୁ ଜଳାଞ୍ଜଳି ପ୍ରଦାନ ପୂର୍ବକ ସମାଜର ସାମୁହିକ କଲ୍ୟାଣ ସାଧନ କରାଯିବା ସତେ ଯେପରି ତାଙ୍କ ଜୀବନର ମୂଳ ଧର୍ମଭାବରେ ବିବେଚିତ ହେଉଥିଲା । ଏଣୁ ଏକ କଳଙ୍କମୁକ୍ତ ସମାଜ ଗଠନର ପରିକଳ୍ପନା ତାହା ଅହରହ ବ୍ୟସ୍ତ ଓ ବିବ୍ରତ କରି ରଖୁଥିଲା ।

 

ଆଧୁନିକ ଓଡ଼ିଆ କାବ୍ୟ ଚେତନାର ବାର୍ତ୍ତାବହଭାବରେ କବି ଗଂଗାଧରଙ୍କୁ ଗ୍ରହଣ କରାଯାଇପାରେ । ଶିକ୍ଷାଗତ ଯୋଗ୍ୟତା ତାଙ୍କର ବିଶେଷ କିଛି ନ ଥିଲେ ମଧ୍ୟ ସେ ଥିଲେ ଦୂରଦୃଷ୍ଟିସମ୍ଫନ୍ନ ଜଣେ ଆଦର୍ଶ ମଣିଷ । ସାର୍ବଜନୀନ ମମତ୍ୱବୋଧ ତଥା ଆବାଳ-ବୃଦ୍ଧ-ବନିତାଙ୍କ ପ୍ରତି ଅଗାଧ ଓ ଅପରିସୀମ ସ୍ନେହୀଳ ମନୋଭାବ ତାଙ୍କର ଦୃଷ୍ଟି ଓ ଦର୍ଶନକୁ ସଂପ୍ରସାରିତ କରିପାରିଥିଲା ଅନାୟାସରେ । ଗଂଗାଧର ଥିଲେ ମାନବୀୟ ଭାବଚେତନାର ଉଦ୍‌ଭାବକ । ତାଙ୍କ ପାଇଁ ଜୀବନ ଥିଲା କର୍ମମୟ । ସେ କେବେହେଲେ ଦରିଦ୍ର ଜନତା ପ୍ରତି ନିର୍ଦ୍ଦୟ ମନୋଭାବ ପୋଷଣ କରିନ ଥିଲେ, ବରଂ ବିଶ୍ୱ-ମାନବ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଏକ ଶାଶ୍ୱତ, ଚିରନ୍ତନ ମୂଲ୍ୟବୋଧ ଉପରେ ଆସ୍ଥା ସ୍ଥାପନପୂର୍ବକ ଏକ ଶୋଷଣମୁକ୍ତ ସମାଜ ଗଠନର ପରିକଳ୍ପନାରେ ଆପଣାକୁ ମୁହ୍ୟମାନ କରି ରଖିପାରିଥିଲେ ବିଶେଷଭାବରେ । ଜଣେ ଉଦାର, ଦରଦୀ ତଥା ସଂବେଦନଶୀଳ କାବ୍ୟସ୍ରଷ୍ଟା ଭାବରେ ସାଧାରଣ ମଣିଷର ଦୁଃଖ, ଯନ୍ତ୍ରଣା, ଗ୍ଳାନି ଆଦିର ହେୟମନ୍ୟତା ମନୋଭାବର ଦୂରୀକରଣ ନିମନ୍ତେ ଯଥେଷ୍ଟ ଉପାଦାନ ଯୋଗାଇବାର ସଫଳ ପ୍ରୟାସ କରିଯାଇଛନ୍ତି ନିଜର ସାରସ୍ୱତ ସୃଷ୍ଟି ସମ୍ଭାର ମାଧ୍ୟମରେ । ସେ ନିଜର ବିଳାସବ୍ୟସନ ନିମନ୍ତେ କାବ୍ୟ କବିତା ରଚନା କରୁ ନଥିଲେ, ଅଧିକନ୍ତୁ, ସାମାଜିକ ଜୀବନର ସର୍ବାଂଗୀନ ଉନ୍ନତି ସକାଶେ ସେ ମଶୀର ଶକ୍ତି ପ୍ରଦର୍ଶନ କରିଥିବାର ସ୍ପଷ୍ଟ ଭାବରେ ପ୍ରତିଭାତ ହୋଇଥାଏ । ଚିର ସ୍ୱାଭିମାନୀ ତଥା ନିରହଂକାରୀ ଭାବରେ ବଂଚିବା ପାଇଁ ଦେଶବାସୀଙ୍କୁ ଜାଗ୍ରତ କରିବା ସକାଶେ ବାରମ୍ୱାର ସତର୍କ କରାଇ ଦେଇ ଆତ୍ମ-ସନ୍ତୋଷ (Self-satisfaction) ଲାଭ କରିପାରୁଥିଲେ-। ଅନ୍ୟର ଦୁଃଖ ସଂଦର୍ଶନରେ ତାଙ୍କର ହୃଦୟ ବିଗଳିତ ହୋଇ ଉଠୁଥିଲା । ସେ ଥିଲେ ଆର୍ତ୍ତ ମାନବାତ୍ମର ଜଣେ ଦରଦୀ ସଖା, ବନ୍ଧୁ ତଥା ଆତ୍ମୀୟ ସୋଦର । ଅପର ପକ୍ଷରେ, ଜଣେ ସାଧାରଣ ଅବହେଳିତ ମଣିଷ ପ୍ରତି ଅପରିସୀମ ଦୟା, କ୍ଷମା, ସ୍ନେହ, ପ୍ରେମ, ମମତା ଆଦି ପ୍ରଦର୍ଶନ କରି ସାମାଜିକ ଜୀବନକୁ ଉନ୍ନତ, ମାର୍ଜିତ ଏବଂ ଶୃଙ୍ଖଳିତ କରାଯିବାର ପ୍ରଚେଷ୍ଟା ଆଜୀବନ ପାଳନ କରିବା, କମ୍‌ ଗୌରବର କଥା ନୁହେଁ । ତାଙ୍କର ହୃଦୟରେ ଭକ୍ତିଭାବର ପ୍ରାବଲ୍ୟ ପ୍ରଦର୍ଶିତ ହୋଇଛି ଯଥାରୀତି ଭାବରେ । ତାଙ୍କ ପାଇଁ ଈଶ୍ୱରାନୁରାଗୀ ଦେଶପ୍ରୀତିର ଅନ୍ତରାୟ ହୋଇ ନାହିଁ । ସେ ଥିଲେ ସର୍ବଧର୍ମ ସମନ୍ୱୟର ପ୍ରତୀକ । ପ୍ରତ୍ୟେକ ମାନବାତ୍ମା ଭିତରେ ଏକ ଐଶ୍ୱରୀକ ଶକ୍ତି ବିଦ୍ୟମାନ ରହିଛି ଓ ତାର ଅପମାନ କରାଯିବା ଆଦୌ ଉଚିତ ନୁହେଁ ବୋଲି ସେ ମୁକ୍ତ କଣ୍ଠରେ ସ୍ୱୀକାର କରୁଥିଲେ । ଧର୍ମକୁ ସେ ଆୟୁଧ ଭାବର ବ୍ୟବହାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି କାବ୍ୟ କବିତା ମାଧ୍ୟମରେ । ସେ ରାଧାନାଥଙ୍କ ପରି ଜଣେ ଉଦାର, ଦରଦୀ ଏବଂ ସହାନୁଭୂତିଶୀଳ ମଣିଷ ଥିଲେ ଓ ସମାଜରେ ଶାନ୍ତି, ପ୍ରୀତି, ମୈତ୍ରୀ ଆଦିର ବାର୍ତ୍ତା ପ୍ରେରଣ ପାଇଁ ଚିର ଉଦ୍ୟମଶୀଳ ମଣିଷ ଥିଲେ । ତାଙ୍କ ପାଇଁ ସ୍ଥାନ-କାଳ–ପାତ୍ର ନିର୍ବିଶେଷରେ ମାନବିକ ମୂଲ୍ୟବୋଧର ପୁନଃ ପ୍ରତିଷ୍ଠା ଉଦ୍ୟମ ସର୍ବାଧିକ ପ୍ରିୟ ଥିଲା । ସେ ସମଗ୍ର ମାନବ ସମାଜର ଉନ୍ନତିକଳ୍ପେ ଚିର ଉଦ୍ୟମ ଅବ୍ୟାହତ ରଖିବା ସଙ୍ଗେ ସଙ୍ଗେ ସାମାଜିକ ଜୀବନକୁ ବେଶ୍‌ ଫଳପ୍ରଦ ଓ ସୁନିର୍ମଳ କରିବା ସକାଶେ ପାରସ୍ପରିକ ସହଯୋଗ ଓ ସହାନୁଭୂତି କାମନା କରିଯାଇଛନ୍ତି । ଗଂଗାଧରଙ୍କ ଅଭିନବ ଦୃଷ୍ଟିକୋଣ ସଂପର୍କରେ ଓଡ଼ିଆ ସାହିତ୍ୟର ବରିଷ୍ଠ ସମାଲୋଚକ ଡ. ନରେନ୍ଦ୍ର ନାଥ ମିଶ୍ର ତାଙ୍କର ‘‘ଆଧୁନିକ ଓଡ଼ିଆ କାବ୍ୟଧାରା’’ (ନବ ଜାଗରଣ ଯୁଗ) ଗ୍ରନ୍ଥରେ ଯଥାର୍ଥରେ ଲେଖିଛନ୍ତି, ‘‘ଗଂଗାଧର ନିଜ ବ୍ୟକ୍ତିତ୍ୱ ଓ ବିଚାରରେ ଥିଲେ ଏକ ନବଜାଗରଣ ଚେତନାର ମୂର୍ତ୍ତିମନ୍ତ ବିଗ୍ରହ । ପରଂପରାରେ ସେ ପ୍ରାଣର ପ୍ରବାହ ଅନୁଭବ କରୁଥିଲେ ହେଁ, ସେ ପୁରାତନ ପନ୍ଥୀ ନ ଥିଲେ । ସମାଜ ଓ ଜୀବନରେ ସେ ନବସଂସ୍କାର ଓ ପରିବରର୍ତ୍ତନ ଆନୟନ ସଂକଳ୍ପରେ ଅଟଳ ଥିଲେ । ତାଙ୍କ ମନର କୌତୂହଳ ଥିଲା ଅସୀମ । ଜୀବନ ଓ ଜଗତର ସକଳ ରହସ୍ୟ ସେ ଆଲୋକିତ ଦୃଷ୍ଟିଘେନି ଭେଦ କରିବାକୁ ଚାହୁଁଥିଲେ । ଏହାର ସୁନ୍ଦର ଆଲେଖ୍ୟ ତାଙ୍କର କାବ୍ୟ କବିତାରେ ଉତ୍‌କୀର୍ଣ୍ଣ ହୋଇ ରହିଅଛି ।’’ ଯଥାର୍ଥରେ ଗଂଗାଧର ନବଜାଗରଣ ଚେତନାର ଥିଲେ ବାର୍ତ୍ତାବହ। ତାଙ୍କର ହୃଦୟରେ ସର୍ବ ମାନବ ପ୍ରେମର ମହାଭାବଟିଏ ସଦାସର୍ବଦା ପ୍ରବାହିତ ହୋଇ ପାରିଥିଲା, ଯାହା ସମଗ୍ର ମାନବ ସମାଜ ପ୍ରତି ଗଭୀର ଆତ୍ମିୟତା ସୃଷ୍ଟିର କରିବାରେ ପୂର୍ଣ୍ଣମାତ୍ରାରେ ସହାୟକ ହୋଇପାରିଥିଲା । ଗଂଗାଧର ଥିଲେ ଆଶାବାଦୀ ମଣିଷ । ସେ କେବେହେଲେ ନୈରାଶ୍ୟବୋଧରେ ଜର୍ଜରିତ ହୋଇ ନ ଥିଲେ । ପରାଧୀନ ଭାରତ ବର୍ଷରେ ଥାଇ ମଧ୍ୟ ହୀନମନ୍ୟତା ତାଙ୍କୁ ଗ୍ରାସ କରି ପାରି ନ ଥିଲା, ବରଂ, ସେ ଭାରତବର୍ଷର ଏକ ଉଜ୍ୱଳମୟ ଭବିଷ୍ୟତ ପରିକଳ୍ପନାରେ ଆପଣାକୁ ମୁହ୍ୟମାନ କରି ପାରୁଥିଲେ । ସେ ସ୍ୱାଧୀନ ଭାରତ ବର୍ଷର ମାନଚିତ୍ର ନିଜର ହୃଦୟ ମଧ୍ୟରେ ଅଂକନ କରିବାରେ ଅଧିକ ସକ୍ଷମ ହୋଇ ପାରୁଥିଲେ ଅଧିକ ସୌନ୍ଦର୍ଯ୍ୟମୟ ତଥା ପ୍ରାଚୁର୍ଯ୍ୟପୂର୍ଣ୍ଣ ରୀତି ଓ ନୀତିରେ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଆର୍ତ୍ତମାନବର ଉଦ୍ଧାର ନିମନ୍ତେ ବିନିଯୋଗ କରିବାର ପୂର୍ଣ୍ଣମୟ ବ୍ରତ ଥିଲା ଗଂଗାଧରଙ୍କର ପ୍ରକୃତ ଲକ୍ଷ୍ୟ । ଏଥି ନିମନ୍ତେ ସେ ସକଳ ପ୍ରକାର ବାଧାବନ୍ଧନକୁ ଅତିକ୍ରମ କରିବାର ଦୃଢ଼ ସଂକଳ୍ପ ନେଇ ସାରିଥିଲେ । ସେ ଥିଲେ ଜଣେ ଆଧାତ୍ମିକ ଚିନ୍ତାଧାରାର ବ୍ୟକ୍ତି । ସେ କେବେହେଲେ ପରଶ୍ରୀକାତରତାକୁ ପ୍ରଶ୍ରୟ ପ୍ରଦାନ କରୁନଥିଲେ । କିନ୍ତୁ, ଅନ୍ୟର ସୁଖଦୁଃଖରେ ନିଜକୁ ସମଭାଗୀ କରାଇ ପାରିଲେ ସେ ବହୁଭାବରେ ଆହ୍ଲାଦିତ ତଥା ଆମୋଦିତ ହୋଇ ଉଠୁଥିଲେ । କବି ଗଙ୍ଗାଧର ଥିଲେ ଆର୍ତ୍ତ ମାନବାତ୍ମାର କାବ୍ୟ ପୁରୁଷ । ଜୀବନ ଓ ଜଗତ ପ୍ରତି ସଶ୍ରଦ୍ଧ ମମତ୍ୱବୋଧ ସତେ ଯେପରି ଝରି ପଡୁଥିଲା ଅକାତର ଭାବରେ । ଗଂଗାଧରଙ୍କ ପ୍ରତି ଗଭୀର ଆତ୍ମୀୟତା ଓ ଅନୁରକ୍ତି ପ୍ରକାଶ ପୂର୍ବକ ଓଡ଼ିଶାର ବରିଷ୍ଠ କବି ସଚିଦାନନ୍ଦ ରାଉତରାୟ ତାଙ୍କର କବିତା ‘‘ଗଙ୍ଗାଧର ମେହେର’’ରେ ତଲ୍ଲୀନହୋଇ ଗାଇଛନ୍ତି,

 

‘‘ଆଜି ! କି ସରଳ ତୁମ ପାତ୍ରପାତ୍ରୀଗଣ !

ଯିଏ ଭଲ ସିଏ ଭଲ, ଏକାବେଳେ ଷୋଳଅଣା ଭଲ ?

ଆଉ ଯେ ଖରାପ ସେ ପାପୀ ସଇତାନ ।

ଭଲ ମଂଦ ପୃଥିବୀଟା ଯେପରି ବା ବିଭକ୍ତ ଦି’ ଭାଗେ ।

ଇଆ ମଧ୍ୟେ ନାଇଁ ଚଳାଚଳ, ରପାଂ ଅବା କିଛି ବାଶ୍ଳେଷଣ ।

ସରଳ ରେଖାଟି ପରି ମଣିଷର ଅକଂପନ ନିରୀହ ଜୀବନ ।’’

(ଗଂଗାଧର ମେହେର- କବିତା ୧୯୬୨)

 

ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗରେ ଫକୀର ମୋହନ, ରାଧାନାଥ, ମଧୁସୂଦନ, ଗଂଗାଧର, ନନ୍ଦ କିଶୋର ପ୍ରମୁଖ ସାହିତ୍ୟସ୍ରଷ୍ଟାଗଣ ଯେଉଁ ନୂତନ ମୂଲ୍ୟବୋଧର ଭିତ୍ତିପ୍ରସ୍ତର ସ୍ଥାପନ କଲେ, ତାହା ଥିଲା ରୀତିଯୁଗୀୟ କାବ୍ୟ ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଅଭିନବ ପ୍ରୟାସ । ଏକ ସାମନ୍ତବାଦୀ ଚିନ୍ତାଧାରାର ବିଲୋପ ସାଧନ କରିବାର ଏକ ଦୁନିର୍ବାର ପ୍ରଚେଷ୍ଟା । କବି ଗଂଗାଧର ନିଜର କାବ୍ୟ କବିତାର ବିଷୟବସ୍ତୁ ପୌରାଣିକ କଥା ଉପରେ ଆଧାରିତ ହେଲେ ମଧ୍ୟ ନିଜର ଭିନ୍ନ ଦୃଷ୍ଟିଭଙ୍ଗୀର ଯଥେଷ୍ଟ ପରିଚୟ ପ୍ରଦାନ କରିବାରେ ସକ୍ଷମ ହୋଇପାରିଛନ୍ତି । ତାଙ୍କର ନୂତନ ଶୈଳୀଟିଏ ନିର୍ମାଣର ପ୍ରଚେଷ୍ଟା ତାଙ୍କୁ ଏ ଦିଗରେ ଅଧିକ ସହାୟକ ହୋଇପାରିଛି । ‘‘Style is the man’’- ଶୈଳୀ ହିଁ ମଣିଷ । ସୁତରାଂ ସେ ରାଧାନାଥ ଓ ମଧୁସୂଦନ ଆଦିଙ୍କୁ ନିଜର ପୂର୍ବସୁରୀ ଭାବରେ ଗ୍ରହଣ କଲେ ମଧ୍ୟ ସାହିତ୍ୟରେ ଆଧୁନିକତା ଆନୟନ କ୍ଷେତ୍ରରେ ନିଜସ୍ୱ ରୀତି ଓ ନୀତିର ପ୍ରଚଳନ କରି ପାରିଛନ୍ତି । ସେ ଥିଲେ ଯଥାର୍ଥରେ ଆଧୁନିକତାର ଯଥାର୍ଥ ବାର୍ତ୍ତାବହ ଓ ନବ ଜାଗରଣ ଯୁଗର ପ୍ରବର୍ତ୍ତକ । ରାଧାନାଥ ଯୁଗରେ ଗଂଗାଧର ଏକ ବିସ୍ମୟ ଭାବରେ ବିବେଚିତ ହୋଇଥିବାର ଲକ୍ଷ୍ୟ କରାଯାଇପାରେ । କବି ରାଧାନାଥଙ୍କଠାରୁ ଗଂଗାଧର କୌଣସି ଗୁଣରେ ନ୍ୟୁନ ନୁହନ୍ତି ବୋଲି ପ୍ରମାଣ କରିବାକୁ ଯାଇ ଓଡ଼ିଆ ସାହିତ୍ୟର ସୁସମାଲୋଚକ ଓ ମାୟାଧର ମାନସିଂହ ତାଙ୍କର ‘‘ମେହେରଙ୍କ ମହତ୍ତ୍ୱ’’ ପ୍ରବନ୍ଧରେ ଯଥାର୍ଥରେ ଲେଖିଛନ୍ତି ‘‘ରାଧାନାଥ ଓଡ଼ିଆ- ସାହିତ୍ୟରେ ନବଯୁଗର ପ୍ରବର୍ତ୍ତକ ହେଲେ ହେଁ ମୁଁ ମନେକରେଁ ଯେ ପ୍ରତିଭାର ନିଚ୍ଛକ ମୌଳିକତାର ବିଚାରରେ ଗଙ୍ଗାଧର ଉଚ୍ଚତର ଆସନର ଯୋଗ୍ୟ । ସେ ପ୍ରତିଭା ତାର ପ୍ରକୃଷ୍ଟ ବିକାଶ ପାଇଁ ଅବକାଶ ପାଇ ପାରିଲାନି, ତେଣୁ ତାର ସିଦ୍ଧି ଏତେ ଅଳ୍ପ । କିନ୍ତୁ ସେହି ସ୍ୱଳ୍ପକୃତି ଭିତରେ ଆମ୍ଭେମାନେ ଉଜ୍ଜ୍ୱଳ ମୌଳିକତାର ଯେଉଁ ପରିଚୟ ପାଉଁ, ସେଥିରେ ସ୍ତବ୍‌ଧ ହୋଇ ଏହା ହିଁ ବିଚାରୁଁ । ‘‘ଉପଯୁକ୍ତ ଭାବରେ ବର୍ଦ୍ଧିତ ହୋଇଥିଲେ ଏ ବୃକ୍ଷ ନ ଜାଣୁ କି ଫଳ ପ୍ରସବ କରି ପାରିଥାନ୍ତା ।’’ ଗଙ୍ଗାଧରଙ୍କଠାରେ ଅସାଧାରଣ ପ୍ରତିଭାର ଅନ୍ୱେଷଣ କରାଯାଇପାରେ । ଓଡ଼ିଆ ସାହିତ୍ୟକାଶରେ ସେ ଅନନ୍ୟ ପ୍ରତିଭାର ଅଧିକାରୀ । ପରଂପରା ଓ ପୁରୋ ଦୃଷ୍ଟିସଂପନ୍ନ ଜଣେ ମହାନ୍‌ ସାରସ୍ୱତ ସ୍ରଷ୍ଟା ଭାବରେ ସମଗ୍ର ବିଶ୍ୱ ସାହିତ୍ୟରେ ସେ ସୁପରିଚିତ ଓ ବହୁ ଚର୍ଚ୍ଚିତ । ତାଙ୍କର ଗଭୀର ଆତ୍ମ-ପ୍ରତ୍ୟୟ (Self-confidence) ହେତୁ, ଦୃଷ୍ଟି ଓ ଦିଗନ୍ତ ଥିଲା ଅତ୍ୟନ୍ତ ସୁଦୂରପ୍ରସାରୀ ତଥା ସମୁଜ୍ୱଳ । ସେ କେବେହେଲେ ଇତର କଥାକୁ ସାହିତ୍ୟରେ ଲେଖିନାହାନ୍ତି, ବରଂ, ଯେଉଁଠାରେ ସାମାଜିକ ଅନ୍ୟାୟକୁ ଅବଲୋକନ କରିଛନ୍ତି, ତାର ଦୃଢ଼ ଓ ତୀବ୍ର ବିରୋଧ କରି ଯାଇଛନ୍ତି ଜଣେ ସ୍ୱାଧୀନଚେତା ମହାମାନବ ଭାବରେ । ତାଙ୍କର ପ୍ରାଣରେ ଥିଲା ଦେଶ ଓ ଜାତି ପ୍ରତି ଅପରିସୀମ ଭକ୍ତି ଓ ପ୍ରୀତି । ସେଥିପାଇଁ, ସାମାଜିକ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପୂର୍ବକ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା ତଥା ଆର୍ତ୍ତ ମାନବାତ୍ମାର ଜୟଗାନ କରିବାକୁ ଯାଇ ନିର୍ଭୟରେ ଗାଇଛନ୍ତି-

 

‘‘ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,

ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା;

କରୁଥାଏ କ୍ଷମତାର ଅପବ୍ୟବହାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

ବହିର୍ଗତ ହୋଇଥାଏ ଘରୁ ଶୂନ୍ୟକରେ,

ଶଗଡ଼ଶଗଡ଼ ଦ୍ରବ୍ୟ ଆଣି ଘରେ ଭରେ,

ସେହି ଦ୍ରବ୍ୟମାନ ପୁଣି ଦେଖାଏ ବଜାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।’’

(ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର- ଅର୍ଘ୍ୟଥାଳୀ)

 

ଏହିପରି ଅକୁତୋପୟଭାବରେ ଆର୍ତ୍ତ ମାନବାତ୍ମାର ବ୍ୟଥା, ବେଦନା, କ୍ଳେଶ ଆଦିକୁ ନିବିର୍କାର ଚିତ୍ତରେ ପ୍ରକାଶ କରିବା କମ୍ ସତ୍‌ସାହସର ଅପେକ୍ଷା ରଖେ ନାହିଁ । ଆଜୀବନ ଦଳିତ ଜନତାର ମତକୁ ଉପକ୍ଷୋ କରି ଆମ ସମାଜର ତଥା କଥିତ ଉଚ୍ଚବର୍ଗର ମଣିଷମାନେ କିପରି ବିବେକାନୁମୋଦିତ କାର୍ଯ୍ୟ କରି ପାରନ୍ତି ନାହିଁ ତାର ଏକ ନଗ୍ନ ଉଦାହରଣ ପ୍ରଦର୍ଶନ କରିବାରେ କବି ଆଦୌ କାର୍ପଣ୍ୟଭାବ ପ୍ରକାଶ କରିନାହାନ୍ତି । ସେ ଯଥାସାଧ୍ୟ ନିଜର ଚିନ୍ତା ଓ ଚେତନାକୁ ଅଧିକ ପରିବ୍ୟାକ୍ତ ଓ ସୁବିନ୍ୟସ୍ତ କରିବା ଦିଗରେ ନିରନ୍ତର ସାଧୁ ଉଦ୍ୟମ ମାତ୍ର କରିଯାଇଛନ୍ତି ଏକ ସାମାଜିକ ଦାୟୀତ୍ୱ ଦୃଷ୍ଟିରୁ । ସାଧାରଣ ମଣିଷ ପ୍ରତି ଏପରି ଦରଦୀପୂର୍ଣ୍ଣ ଭାଷାର ବ୍ୟବହାର ଓଡ଼ିଆ ସାହିତ୍ୟରେ କ୍ୱଚିତ୍‌ ପରିଦୃଷ୍ଟ ହୋଇଥାଏ । ଦୀନକୃଷ୍ଣଙ୍କଠାରୁ ଆରମ୍ଭ କରି ସଚିଦାନନ୍ଦଙ୍କ ପର୍ଯ୍ୟନ୍ତ ପ୍ରାୟ ବହୁ କବି ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଏପରି ସଂଗ୍ରାମ କରିଆସିଛନ୍ତି । ଯୁଗେ ଯୁଗେ ଏମାନେ ହେଉଛନ୍ତି ମାନବିକତା ପ୍ରଚାର ଓ ପ୍ରସାର ଦିଗରେ ଅଗ୍ରଦୂତ । ଓଡ଼ିଶାର ଜନମାନସରେ ସ୍ୱଚ୍ଛ, ନିର୍ମଳ ଓ ସୁନ୍ଦର ଭାବମୂର୍ତ୍ତିଟିଏ ନିର୍ମାଣ କରିବାରେ ଗଂଗାଧର କେତେ ମାତ୍ରାରେ ସକ୍ଷମ, ତାହା ପ୍ରିୟ ପାଠକପାଠିକାମାନେ ନିଶ୍ଚୟ ବିଚାର କରିବେ ବୋଲି ମୋର ଗଭୀର ଆଶା ଓ ବିଶ୍ୱାସ । ଜୀବନ ତମାମ ସେ କ୍ଷତ ଓ କ୍ଷତିର ବିଚାର ନକରି, ଦେଶମାତୃକାର ଆତ୍ମବଳୀଦାନ କରିବାର ଦୃଢ଼ସଂକଳ୍ପ ନେଇ ସଂଗ୍ରାମ କରି ଆସିଛନ୍ତି । ତାଙ୍କର ଦୃଢ଼ନେତୃତ୍ୱ ବଳରେ ଆଧୁନିକ ଓଡ଼ିଆ ସାହିତ୍ୟ ଆଜି ଏକ ଅପହଂଚ ଦୂରତ୍ଵରେ ଛିଡ଼ା ହେବାର କୃତିତ୍ଵ ଲାଭ କରିପାରିଛି, କହିଲେ ବୋଧହୁଏ ସତ୍ୟର ଅପଳାପ ହେବ ନାହିଁ । ସତ୍ୟ ସନ୍ଧାନୀ କବି ଦୃଷ୍ଟି ନେଇ ଗଭୀର ଆତ୍ମ-ସମୀକ୍ଷା କରି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟିରେ ଅପରିସୀମ ଆଗ୍ରହ ପ୍ରକାଶ କରିଥବା କବିମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଗଙ୍ଗାଧର । ସର୍ବକାଳୀନ ଓ ସର୍ବଜନୀନ ଦିଗ ଓ ଦିଗନ୍ତକୁ ଉନ୍ମୋଚନ କରିବା ଦିଗରେ ଅଧିକ ନିଷ୍ଠା ଓ ତ୍ୟାଗର ସହିତ ଗଂଗାଧର ଯେଉଁ ସାରସ୍ଵତ ସାଧନା କରି ଯାଇଛନ୍ତି, ତାର ତୁଳନା ଓଡ଼ିଆ ସାହିତ୍ୟରେ ବିରଳ ପ୍ରାୟ । ଜଣେ ନିପୁଣ ଶିଳ୍ପୀ ଭାବରେ ନିଜର କଳା କୁଶଳତା ପ୍ରଦର୍ଶନରେ ଗଂଗାଧର କୁଶଳୀ ବିନ୍ଧାଣୀ ଏଥିରେ ସନ୍ଦେହର ଅବକାଶ ଥାଇ ନ ପାରେ । ଓଡ଼ିଆ ସାହିତ୍ୟର କବି ସମାଲୋଚକ ଓ ଶରତ ଚନ୍ଦ୍ର ପ୍ରଧାନ ଯଥାର୍ଥରେ ଗଂଗାଧରଙ୍କ କବିତ୍ଵ ଓ ବ୍ୟକ୍ତିତ୍ଵରେ ମୁଗ୍ଧ ହୋଇ ତାଙ୍କର “ସାଂପ୍ରତିକ କବିତାରକୁଳ ଓ ଶୀଳ’’ ଗ୍ରନ୍ଥରେ ଲେଖିଛନ୍ତି, “ଗଂଗ।ଧରଙ୍କ କାବ୍ୟ ଦୃଷ୍ଟିକୁ ମାନସିଂହ ଭରତପକ୍ଷୀ ପରି ସ୍ଵର୍ଗ ଓ ପଦ୍ମ ଉଭୟର ସଂଯୋଗକାରୀ ଶକ୍ତି ବୋଲି କହିଛନ୍ତି । ସେ ଦୃଷ୍ଟିରୁ ମେହେରଙ୍କ ‘କୃଷକ-ସଂଗୀତ’ ଓ ‘ପଞ୍ଚାୟତ’ ପରି କବିତାରେ କବିଙ୍କ ଧରାପ୍ରୀତି ଓ ସାଧାରଣ ମନୁଷ୍ୟର ଜୀବନ ଧାରାର ଆଲେଖ୍ୟ ଦେଖିବାକୁ ମିଳେ ।” କବି ଗଂଗାଧର ଜଣର କବି ହୋଇ ନ ପାରନ୍ତି, ସେ ହେଉଛନ୍ତି ଗଣକବି । ସେ ନିଜର ସାମାଜିକ ଦାୟୀତ୍ଵବୋଧକୁ ସୁଚାରୁରୂପେ ତଥା ସୁସଂଗଠିତ ଭାବରେ ନିର୍ବାହ କରିବାରେ ଆଦୌ କୁଣ୍ଢିତ ହୋଇନାହାନ୍ତି, ବରଂ, ଅଧିକ ଆଗ୍ରହ ମର୍ମସ୍ପର୍ଶୀ ଓ ହୃଦୟଗ୍ରାହୀ ଭାବରେ ପ୍ରକାଶ କରିବାରେ ସଦା ଚେଷ୍ଟିତ ହୋଇ ରହିଥିବାର ଜଣାଯାଏ । ତାଙ୍କର ମାନବ ସମାଜ ପ୍ରତି ଯେଉଁ ଗଭୀର ଆଶା ଓ ବିଶ୍ଵାସ ରହିଛି, ତାହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ଓ ଯୁଗୋପଯୋଗୀ ପରି ପ୍ରତୀୟମାନ ହୋଇଥାଏ । ଆଧୁନିକ ଚିନ୍ତା ଓ ଚେତନାରେ ବେଶ୍‌ ସମୃଦ୍ଧଶାଳୀ ହୋଇପାରିଛି ଗଂଗାଧରୀୟ କାବ୍ୟ ସଂଭାର । “ଇନ୍ଦୁମତୀ” (୧୮୯୭), “ଉତ୍କଳ ଲକ୍ଷ୍ମୀ’’ (୧୮୯୪), “କୀଚକ ବଧ’’ (୧୯୦୩), “ତପସ୍ୱିନୀ” (୧୯୧୨) ଓ “ପ୍ରଣୟ ବଲ୍ଲରୀ” (୧୯୧୫) ଆଦି ରଚନାମାନଙ୍କରେ ତାଙ୍କର ଅସାଧାରଣ ପ୍ରତିଭା ଓ ଧୀଶକ୍ତିର ଅପୂର୍ବ ପରିଚୟ ପାଠକର ଦୃଷ୍ଟି ପଥାରୂଢ଼ ହୋଇଥାଏ । ଗଂଗାଧର ଏହି ସମସ୍ତ କାବ୍ୟ କବିତାମାନଙ୍କରେ ମାନବୀୟ ପ୍ରେମ, ସାମାଜିକ ମହତ୍ତ୍ଵ ତଥା ଆର୍ତ୍ତମାନବାତ୍ମାର କରୁଣ କାହାଣୀକୁ ଜୀବନ୍ତ ଭାବରେ ପ୍ରତିପାଦନ କରିବାରେ ଯତ୍‌ପରୋନାସ୍ତି ଚେଷ୍ଟିତ ଥିବାର ସୁନ୍ଦର ଭାବରେ ଅନୂମେୟ ହୋଇଥାଏ । ଓଡ଼ିଆ ସାହିତ୍ୟର ବରିଷ୍ଠ ସମାଲୋଚକ ଡ. ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କର “ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ ଗ୍ରନ୍ଥରେ ଗଂଗାଧରଙ୍କ ସାରସ୍ଵତ ସୃଜନଶୀଳ ମନୋଭାବ ସଂପର୍କରେ ଯଥାର୍ଥରେ ମୂଲ୍ୟାୟନ କରି ଲେଖିଛନ୍ତି, “ରାଧାନାଥ ଯୁଗରେ ଗଙ୍ଗାଧରଙ୍କ କବି ପ୍ରତିଭା ସର୍ବାଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଗଙ୍ଗାଧରଙ୍କର ଥଲା ଏକ ଦିବ୍ୟକବିଦୃଷ୍ଟି । ଈଶ୍ଵରଦତ୍ତ ପ୍ରତିଭାର ଅଧିକାରରେ ତାଙ୍କର କାବ୍ୟସୃଷ୍ଟି ଅନୁପମ ଶୋଭା ଧାରଣ କରିଅଛି । ରାଧାନାଥଙ୍କ କାବ୍ୟ ସାହିତ୍ୟର ଅସାମାଜିକ ପ୍ରଣୟଚିତ୍ର, ଅପାରମ୍ପରିକ ଚରିତ୍ରଚିତ୍ରଣ ଓ ବିଜାତୀୟ କଥାବସ୍ୟୁର ନୀରବ ପ୍ରତିକ୍ରୟାରେ ଗଙ୍ଗାଧରଙ୍କ କାବ୍ୟନାୟିକାର ଆତ୍ମିକ ସୌଷ୍ଠବ ମାନବିକ ଓ ସାମାଜିକ ଆଦର୍ଶର ପ୍ରତିଷ୍ଠାରେ ହୋଇଉଠିଛି ଏକାନ୍ତ ବ୍ୟାକୁଳ । ଆଦର୍ଶବାଦୀ. ଗଙ୍ଗାଧର ଆଦର୍ଶମୟ ମାନବୀୟ ପ୍ରେମର ମହତ୍ତ୍ୱ ଘୋଷଣା କରି, ତାଙ୍କ ରଚନାର ସାମାଜିକ ମହତ୍ସ୍ଵ ପରିବର୍ଷିତ କରିଥିବା ମନେହୁଏ-।” ଯଥାର୍ଥରେ ଗଙ୍ଗାଧର ଥିଲେ ସାମାଜିକ ଜୀବନଚର୍ଯ୍ୟାରେ ମହତ୍ତ୍ଵ ଓ ଗୁରୁତ୍ଵ ପ୍ରକ୍ଷାପନରେ ଜଣେ ପ୍ରକୃତ ଭଗୀରଥି ଯେ କି ମାନବସଭ୍ୟତା ଭିତରେ ପ୍ରେମ, ଆଦର୍ଶ, ବିଶ୍ଵ ଭାତୃତ୍ଵ ତଥା ନିମ୍ନଶ୍ରେଣୀର ମଣିଷ ମାନବିକ ପ୍ରତି ସୀମାହୀନ ମମତ୍ଵବୋଧ ପ୍ରଦର୍ଶନ କରବାରେ ଅଦ୍ଵିତୀୟ ବୀର ପୁରୁଷ । ସେଥି ପାଇଁ ଜୀବନନ୍ତ ଶତବାଧା ବିଘ୍ନ ସତ୍ତ୍ଵେ ଏକ ସୁନ୍ଦର ପୃଥ୍ୱୀ ରଚନାର ସ୍ଵପ୍ନ ଦେଖିବାରେ ଗଭୀର ଆନନ୍ଦ ଓ ମାଧିର୍ଯ୍ୟ ତଥା ପ୍ରାଚୁର୍ଯ୍ୟ ଅନୁଭବ କରିପାରିଥିଲେ ତାଙ୍କ ମନରେ । ସୁତରାଂ, ତାଙ୍କର ଜୀବନ ଶୈଳୀ ଭିତରେ ରହିଛି ଆର୍ତ୍ତମାନବାତ୍ମା ପ୍ରତି ମାତ୍ରାଧିକ ସମବେଦନା ଓ ସହାନୁଭୂତି । .

 

ଆଧୁନିକ ଓଡ଼ିଶା କାବ୍ୟ ସାହିତ୍ୟରେ ଜାତୀୟତାର ମହାମନ୍ତ୍ର ଉଚ୍ଚାରଣରେ ସେ ସର୍ବାଗ୍ରେ ପ୍ରୟାସ କରିଥିବାର ଜଣାଯାଏ । ତାଙ୍କ ସାହିତ୍ୟରେ ସାଧାରଣ ମଣିଷର ଜୀବନପ୍ରତି ପ୍ରଚୁର ପରିମାଣରେ ସମର୍ଥନ ଥିବାର ଅନୁଭବ କରିହୁଏ । ଏହାରି ଉପରେ ଅଧକ ଆଲୋକ ପାତ କରାଯିବା ବିଧେୟ । ଏ ପ୍ରକାର ଆତ୍ମିକ ସମର୍ଥନ ତଥା ଦୃଢ଼ମନୋଭାବ ଏବଂ ଦୃଢ଼ତର ଭାବରେ ବିଶ୍ଵାସ ରହିଛି, ତାର ପଟାନ୍ତର ଅନ୍ୟତ୍ର ବିରଳ ପ୍ରାୟ । ସେ ହେଉଛନ୍ତି ଜଣେ ଯୁଗ ଚେତନାର କବି-। କବିତା ତାଙ୍କ ଜୀବନର ଭାଷ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । (ଜଣେ ସତ୍‌କବିର ଆଦର୍ଶ ଓ ପ୍ରତିଷ୍ଠାକୁ ପାଥେୟ କରି ଗଙ୍ଗାଧର ବଞ୍ଚିବେ ଅନନ୍ତ କୋଟି କାଳ ପର୍ଯ୍ୟନ୍ତ । ଜଣେ ସତ୍‍ କବିର ମୂଲ୍ୟବୋଧ ସମ୍ପର୍କରେ ସମାଲୋଚକ ଡଃ କୁଞ୍ଜ ବିହାରୀ ଦାଶ ନିଜର “ସାହିତ୍ୟିକ” ଗ୍ରନ୍ଥରେ ଯଥାର୍ଥରେ ଲେଖିଛନ୍ତି, “ପ୍ରକୃତ କବି ନିଜେ ଗୋଟିଏ ଅନୁଷ୍ଠାନ । ସେ ଲୋକ ମନରେ ସ୍ଥାୟୀ ପ୍ରଭାବ ବିସ୍ତାର କରେ, ସେ ସଂସ୍କାରକ, ଚିନ୍ତା ଶକ୍ତିର ସଂଗଠକ, ସଂସ୍କୃତିର ନେତା, ଜୀବନ ଗଙ୍ଗାର ଭାଗୀରଥି ସେ, ଜୀବନରଥର ସାରଥି, ଜୀବନ ନୌକାର କାଣ୍ଡାରୀ । ତେଣୁ ସାହିତ୍ୟ କଳ୍ପ ଲୋକର ଫସଲ ନୁହେଁ, ସାହିତ୍ୟ ଲାଗି ସାହିତ୍ୟ” ସେ ଲେଖେ ନାହିଁ । ମଣିଷ ଲାଗି ଲେଖେ । ସମାଜ ତା ଭାବରେ ଭାବିଛି । ତା ହୃଦୟ ରସରେ ପୁଷ୍ଟନ କେବଳ ଅନୁରଞ୍ଜିତ ନୁହେଁ, ଏହାର ଗୂଢ଼ତର ଓ ଗୁରୁତର ଉଦ୍ଦେଶ୍ୟ ରହିଛି ।” ବାସ୍ତବ ଜୀବନର ହସକାନ୍ଦ, ଲହୁଲୁହ, ଆନନ୍ଦ-ବିଷାଦ, ଦିବ୍ୟ-ଅଦିବ୍ୟ ଆଦି ଭାବାବେଗକୁ ମାର୍ଜିତ, ସୁସଜିତ ଓ ସମନ୍ଵିତ ଭାବଚେତନାର ପ୍ରକାଶ କରିବାର କଳାକୌଶଳଟି କବି ଗଙ୍ଗାଧରଙ୍କର ଏକାନ୍ତ ନିଜସ୍ଵ ପରି ମନେହୁଏ । ସେ କେବେହେଲେ ମାଟି ଓ ମଣିଷ ତଥା ଭୂମି ଓ ଭୂମାଠାରୁ ନିଜକୁ ଦୂରେଇ ପାରି ନାହାନ୍ତି । ସେ. ଯେତେବେଳେ ଯାହା ଲେଖିଛନ୍ତି, ତାହା ତାଙ୍କର ସ୍ଵଅନୁଭବରୁ ସୃଷ୍ଟି ହୋଇଛି । ସେ ହେଉଛନ୍ତି ଅମୃତମୟ ସୃଷ୍ଟିର ସାରସ୍ଵତ ସ୍ରଷ୍ଟାଟିଏ । ଜୀବନ ତାଙ୍କର ନିମ୍ନଗାମୀ ନୁହେଁ, ସେ ମାଟିରେ ଛିଡ଼ା ହୋଇ ଆକାଶକୁ ନିରୀକ୍ଷଣ କରିଛନ୍ତି ନିର୍ନିମେଶ ନୟନରେ । ଆର୍ତ୍ତମାନବାତ୍ମାର ସାର୍ଥକ କାବ୍ୟ ପୁରୁଷଭାବରେ ଜୀବନ ଓ ଜଗତର ଅନୁଭବକୁ ଅଧିକ ଆଗ୍ରହାନ୍ଵିତ ହୋଇ ଗାଇଛନ୍ତି ଆନନ୍ଦ ମନରେ । ତାଙ୍କର ତନୁମନରେ ସୃଷ୍ଟି ହୋଇଛି ଅପୂର୍ବ ଶିହରଣ ସେ ଯୁଗପଦ ଦୁଃଖ ଭିତରେ ଅନୁଭବ କରିଛନ୍ତି ଅମୃତମୟ ସଙ୍ଗୀତର ନିନାଦ । ଇଂରେଜୀ କବି P.B. Shellyଙ୍କ ମତରେ 'Our sweetest songs are those, that tells us saddest thought,” ଗଙ୍ଗାଧର ପ୍ରେମ ଓ ଆର୍ଭ ମାନବାତ୍ମାର ଜଣେ ସାର୍ଥକ କାବ୍ୟ ପୁରୁଷ ଭାବରେ ସୁବିଦିତ ଅଟନ୍ତି ।

 

 

ଗ୍ରାମ/ ପୋ - ଦଲଦଲି

ଭାୟା: କୁଣ୍ଡୁକେଲା,

ଜି: ସୁନ୍ଦରଗଡ଼ - ୭୭୦୦୧୯

 

***

 

ଉତ୍କଳର ଗର୍ବ ଓ ଗୌରବ ଗଙ୍ଗାଧର ମେହେର

ସିଦ୍ଧାର୍ଥ କାନୁନ୍‌ଗୋ

 

ଯେଉଁ କତିପୟ ସ୍ଵନାମଧନ୍ୟ ବାଣୀ-ସାଧକ ବୃନ୍ଦ ସ୍ଵକୀୟ ପ୍ରତିଭା ଦ୍ଵାରା କାବ୍ୟକାନନରୁ ରଙ୍ଗ ବେରଙ୍ଗର ପୁଷ୍ପ ଚୟନ କରି ଉତ୍କଳ ବାଣୀ-ମନ୍ଦିରରେ ପୂଜା ଅର୍ଘ୍ୟ ଦେବାରେ ବ୍ରତୀ ହୋଇଛନ୍ତି, ଯେଉଁମାନଙ୍କ ଅବଦାନ ଯୋଗୁଁ ଉତ୍କଳ ବାଣୀ-ମନ୍ଦିର, ବନ୍ଦିତା, ଗର୍ଦିତା, ତଥା ପୂଜିତା-ସେହିମାନଙ୍କ ମଧ୍ୟରେ ସ୍ଵଭାବ କବି ସ୍ୱର୍ଗତଃ ଗଙ୍ଗାଧର ମେହେର ଅନ୍ୟତମ ।

 

ଚିହ୍ନା ବ୍ରାହ୍ମଣର ପଇତା ଯେପରି ନିଷ୍ପ୍ରୟୋଜନ ସେହିପରି ରଙ୍ଗାଜୀବ ଗଙ୍ଗା ସମ୍ପର୍କରେ ଉପୋଦ୍‌ଘାତର ଏକ ପାରମ୍ପାରିକ ସୁଯୋଗ ସୃଷ୍ଟି କରିବା ଏକାନ୍ତ ଅନାବଶ୍ୟକ । ଏହି ଆଲେଖ୍ୟର କ୍ଷୁଦ୍ର ପରିସର ମଧ୍ୟରେ ଗଙ୍ଗାଧରଙ୍କ ସାମଗ୍ରିକ ସାହିତ୍ୟକୃତି ଉପରେ ଏକ ସମ୍ୟକ ଆଲୋଚନା ପାଇଁ ପ୍ରୟାସ କରାଯାଇଛି ।

 

ପଙ୍କରୁ ପଦ୍ମ ଓ ଶାମୁକା ଗର୍ଭରୁ ରତ୍ନର ସୃଷ୍ଟିପରି କବି ଗଙ୍ଗାଧର ବରପାଲିର ଏକ ଦରିଦ୍ର ତନ୍ତୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତନ୍ତୁବାୟ ପରିବାରର ସୀମିତ ପରିବେଷ୍ଟନୀ ମଧ୍ୟରେ ରହି ଏହି ଦୀନକବି ଏକ ହସ୍ତରେ ତନ୍ତ ଚର୍ଚ୍ଚା କରି ଅନ୍ୟ ହସ୍ତରେ ସତେ ଯେପରି ଗ୍ରନ୍ଥ ରଚନା କରିବାକୁ ଆଗେଇ ଆସିଥିଲେ ।

 

ଯେଉଁ ପ୍ରକୃତିକୁ ନେଇ ରାଧାନାଥ ନାନା ସୁନେଲି ସ୍ଵପ୍ନର କଳ୍ପନା କରିଥିଲେ, ଯେଉଁ ପ୍ରକୃତିରେ ମଧିସୂଦନ ପାଇଥିଲେ ସତ୍ୟ-ଶିବ-ସୁନ୍ଦର ପରମେଶ୍ୱରଙ୍କର ସନ୍ଧାନ, ଯେଉଁ ପ୍ରକୃତି ମଧ୍ୟରେ ଫକୀରମୋହନ ନାନା ସଂସ୍କାର ଦେଇଗଲେ ଏବଂ ରାଧା-ମଧୁ ଫକୀରଙ୍କ ପରେ ଯଦି କେହିଜଣେ ଆଗନ୍ତୁକ ସେହି ଏକା କ୍ଷେତ୍ରରେ ଜନତାଙ୍କ ପ୍ରତିଷ୍ଠା ଅର୍ଜନ କରିଥାନ୍ତି । ତେବେ ସେ ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର । ସେଥିପାଇଁ ଫକୀର ମୋହନଙ୍କ ଭାଷାରେ -

 

“ବରପାଲି ଦେଶେ ଅଛି ଗଙ୍ଗାଧର ମେହେର

ତାହାଙ୍କ କବିତା ପଢ଼ିଲିଣି ଢେର ଢେର

କବିତା ଗୁଡ଼ିକ ପଢ଼ି ମନ ମାନିଯାଏ,

ଆଉ ସେ ଲେଖିବ ବୋଲି ବାଟ ଚାହିଁଥାଏ ।”

 

ଇଂରାଜୀ କବି ଶେଲିଙ୍କ ଭାଷାରେ, ‘‘Every great poet must innovate upon the example of his predecessors.’’ ସୁତରାଂ, ପ୍ରତିକବି ତାଙ୍କ ପୂର୍ବବର୍ତ୍ତୀ କବିମାନଙ୍କ ଲେଖା ଉପରେ ସଂସ୍କାର ଆଣିଥାନ୍ତି । ଏ ଦୃଷ୍ଟିରୁ ବିଚାର କଲେ ରାଧାନାଥ ଯୁଗସ୍ରଷ୍ଟା ସତ ମାନ ପ୍ରତିଭାର ମୌଳିକତା ଦୃଷ୍ଟିରୁ ଗଙ୍ଗାଧର ହିଁ ଉଚ୍ଚମ ଆସନର ଯୋଗ୍ୟ । ନିଜେ ଯୁଗସ୍ତଷ୍ଟା ରାଧାନାଥ କବିଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ “ସ୍ୱାର୍ଥପର ସଂସାର ଚକ୍ଷୁରେ ଆପଣ ଯତ୍‌ସାମାନ୍ୟ ହେଲେ ହେଁ ମୋ ଚକ୍ଷୁରେ ଆପଣଙ୍କ ମୂଲ୍ୟ କୋହିନୂର ଅପେକ୍ଷା ଅଧିକା ।’

 

ବର୍ତ୍ତମାନ କବିଙ୍କର କାବ୍ୟ ଉପରେ ପର୍ଯ୍ୟାୟକ୍ରମେ ଆଲୋକପାତ କରାଯାଉ । ରାଧାନାଥ ଓ ଗଙ୍ଗାଧର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ନେଇ ପ୍ରକୃତିକୁ ଅନୁଧ୍ୟାନ କରିଛନ୍ତି । ରାଧାନାଥ “ଶୁଭ୍ର-ସ୍ଵଚ୍ଛ-ପ୍ରପାତ ସୁଭାଗ ।”, ନାସୀ-ନଳବନ-ଶୈଳ ଦ୍ଵୀପମାନେ” ତଥା ଚିଲିକା ଓ ଅନ୍ୟାନ୍ୟ ପ୍ରକୃତିର ରୂପଶ୍ରୀ ଏବଂ “ଅସ୍ମିତା ବିସ୍ମୟରେ” ନିମଗ୍ନ ହେବାବେଳେ, ଇଂରାଜୀ କବି ମଧ୍ୟରେ ଜୀବନୀ ଶକିର ସନ୍ଧାନ କଲାପରି ଗଙ୍ଗାଧର ପ୍ରକୃତି ମଧ୍ୟରେ ମାନବ ସମାଜର ସୁଖ, ଦୁଃଖ, ଆଶା ଓ ଆକାଂକ୍ଷା ଇତ୍ୟାଦିର ସନ୍ଧାନ ପାଇଛନ୍ତି । ହିନ୍ଦୀ ସାହିତ୍ୟକୋଷର ପ୍ରଣେତା କବିଙ୍କ ସମ୍ପର୍କରେ ମତବ୍ୟକ୍ତ କରିବାକୁ ଯାଇ ଯଥାର୍ଥରେ କହିଛନ୍ତି - “ଓ୍ୱେ ଓଡ଼ିଶାକେ ୱାଡସ୍‍ୱାର୍ଥ କହେ ଜା ସକ୍‌ତେ ହୈ ।”

 

ଗଙ୍ଗାଧରଙ୍କ ପ୍ରକୃତି ଗଣ ପ୍ରକୃତି । ଏହା ସର୍ବଦା ମାନବ ସମାଜର ସୁଖ-ଦୂଖରେ ସମ ଅନୁଭୂତି ସମ୍ପନ୍ନା । ଉଦାହରଣ ସ୍ଵରୂପ ସୀତା, ଶକୁନ୍ତଳା ଇତ୍ୟାଦିଙ୍କୁ କ୍ରୋଡ଼ାଲିଙ୍ଗନ କରି ଯେଉଁ ପ୍ରକୃତି ଆନନ୍ଦିତା, ସେହି ପ୍ରକୃତି ଦୁଃଖ ଓ ବିଦାୟରେ ସହାନୁଭୂତି ଜ୍ଞାପନ କରିବାକୁ ପଶ୍ଚାତ୍‌ପଦ ହୋଇନାହିଁ ।

 

ସୀତାଙ୍କ ବିରହ ଜନିତ ଦୁଃଖରେ ସମଗ୍ର ବନାନୀ କାନ୍ଦି ଉଠିଛି । କବିଙ୍କ ଭାଷାରେ –

 

‘ତା ଚାହିଁ ବିହଙ୍ଗ ମୁଖେ କାନ୍ଦିଲା ସେ ବନ,

ବହିଲା ନିଃଶ୍ୱାସ ରୁପେ ପ୍ରଖର ପବନ ।

ଶୁଭିଲା ପ୍ରଶ୍ଵାସ ରପେ ସରସର ସ୍ଵର,

କାରୁଣ୍ୟ ଲହରୀ ପ୍ରାୟ ଚଳିଲେ ପତର ।

ଏ ଦିଗେ ସେ ଦିଗେ ଚାହିଁ ଚକିତ ଲୋଚନେ,

ମୃଗମାନେ ରହିଗଲେ ବିଚଳିତ ମନେ ।

××            ××            ××

ବ୍ୟାହତ ହୃଦୟ ଶୀର୍ଣ୍ଣ ଶରୀର ବାଦ୍‌ଲ,

ଦଉଡ଼ି ଆସିଲା କୋପେ ଘେନି ଦଳବଳ ।

××            ××            ××

ସତୀ- ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି,

ସିଞ୍ଚୁ ସିଞ୍ଚୁ ଜୀବନର ସଂଜ୍ଞା ଦେଲା ଆଣି ।’’

 

ଠିକ୍‌ ସେହିପରି “ପ୍ରଣୟ ବଲ୍ଲରୀ’ରେ ଶକୁନ୍ତଳାଙ୍କ ପତିଗୃହ ଯାତ୍ରା ଅତ୍ୟନ୍ତ ମର୍ମସ୍ପର୍ଶୀ ତଥା ହୃଦୟଗ୍ରାହୀ ହୋଇଛି । ଉଦାହରଣ ସ୍ଵରୂପ -

 

‘‘କେତେକ ଶିଶିର ଛଳେ କେତେ ଅବା

କୁସୁମ ବର୍ଷଣ ଛଳେ

ଶକୁନ୍ତଳା କର ସ୍ପରଶ ମାତ୍ରକେ

ଲୋତକ ମୋଚନ କଲେ ।

ଯେତେ ସବୁ ତରୁ ଲତାକୁ ସୁଶୀଳା

ଛାଡ଼ି ଦେଉଥାଏ କ୍ରମେ,

ବିରହ ବେଦନା ଅନୁଭବ ଯେହ୍ନେ

କରୁଥାନ୍ତି ମର୍ମେ ମର୍ମେ ।”

 

କବିଙ୍କ ବର୍ଣ୍ଣନା ଏତେ ପ୍ରାଣସ୍ପର୍ଶୀ ହୋଇଛି ଯେ, ତାହା ପାଠକ ହୃଦୟକୁ ଆର୍ଦ୍ର କରି ଦେଇଛି । ପ୍ରକୃତିକୁ ଜୀବନ୍ୟାସ ଦେବାରେ ଗଙ୍ଗାଧର ଅଦ୍ଵିତୀୟ । ଦ୍ଧ ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ “ପ୍ରଣୟବଲ୍ଲରୀ” ସମ୍ବନ୍ଧରେ ଏତିକି କହିଲେ ଯଥେଷ୍ଟ ହେବ ଯେ, କାଳିଦାସଙ୍କ ଯାଦୁକ୍ରିୟାକୁ ମଧ୍ୟ ସେ ଆହୁରି ମନୋହର କରିଛନ୍ତି ସେ କବି ଆମର ବାର ବାର ନମସ୍ୟ ।”

 

କବିଙ୍କ ଦୁଃଖକାଳୀନ ବର୍ଣ୍ଣନା ଭଳି ଆଶା, ଆନନ୍ଦ ଓ ସୁଖକାଳୀନ ବର୍ଣ୍ଣନା ମଧ୍ୟ ଅତୀବ ଜୀବନ୍ତ । ପ୍ରଭାତ ସତୀ ସୀତାଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ ଆୟୋଜନ କରିଛି ।

 

ଉଦାହରଣ ସ୍ଵରୂପ –

 

“ସମୀର ସଙ୍ଗୀତ ଗାଏ, ଭ୍ରମର ବୀଣା ବଜାଏ,

ସୁରଭି ନର୍ତ୍ତନେ ଥାଏ ଉଷା ନିର୍ଦ୍ଦେଶେ,

କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବ ପାଠ,

କଳିଙ୍ଗ ଅଇଲା ପାଟ ମାଗଧ ବେଶେ,

ଲଳିତ ମଧୁରେ କହିଲା,

ଉଠ ସୀତା ରାଜରାଣୀ ରାତି ପାହିଲା ।”

 

ଠିକ୍‌ ସେହିପରି “କୀଚକ ବଧ’’ରେ ମଧ୍ୟ କବିଙ୍କ ପ୍ରକୃତି ବର୍ଣ୍ଣନା ଅତ୍ୟନ୍ତ ଜୀବନ୍ତ ତଥା କମନୀୟ ହୋଇଉଠିଛି । ଗଙ୍ଗାଧରଙ୍କ ‘କୀଚକ ବଧ’ ପାଠକରି କବିବର ରାଧାନାଥ ମତ ବ୍ୟକ୍ତ କରିଥିଲେ - “ଗଙ୍ଗାଧର ଉଚ୍ଚଶ୍ରେଣୀର କବି । କି ବହିଃ ପ୍ରକୃତି କି ଅନ୍ତଃ ପ୍ରକୃତି ଉଭୟର ଯଥା ଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । ଗ୍ରନ୍ଥାଧ୍ୟୟନ କରି ଲୋକ ପଣ୍ଡିତ ହୋଇପାରନ୍ତି, ମାତ୍ର କବି ହେବାକୁ ହେଲେ କେବଳ ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନୁହେଁ । ପ୍ରକୃତି ଗ୍ରନ୍ଥାଧ୍ୟୟନ ମଧ୍ୟ ଅପରିହାର୍ଯ୍ୟ

ରୂପେ ଆବଶ୍ୟକ । ଗଙ୍ଗାଧର ଯେତେବେଳେ ଯାହା ଦେଖନ୍ତି ପ୍ରକୃତିକୁ ସ୍ଵଚକ୍ଷୁରେ ଦେଖି ଲେଖନ୍ତି-।”

 

“କୀଚକ ବଧ”ରେ ବର୍ଣ୍ଣିତ ବସନ୍ତ ଆଗମନର ବର୍ଣ୍ଣନା କବିଙ୍କ ଦ୍ଵାରା ଅତ୍ୟନ୍ତ ଚିତ୍ତାକର୍ଷକ ହୋଇ ପାରିଛି । କବିଙ୍କ ଭାଷାରେ –

 

“ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ,

ବିଷ୍ଣୁ-ପଦ-ଶତ ଜଳରେ ଝାସିଥିଲା ଝଟତି ।

ତପ ଫଳେ ଏବେ ସୁନ୍ଦରୀ ନବ ଜନମ ଲଭି,

ଧ୍ରୁବ ସମ୍ମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ।”

 

ଅପର ପକ୍ଷରେ ପୂର୍ବବର୍ତ୍ତୀ କବିମାନଙ୍କ ସମସ୍ତ ପାରମ୍ପାରିକ ବର୍ଣ୍ଣନାକୁ ପରିତ୍ୟାଗ କରି ସ୍ଵକୀୟ ଶୈଳୀରେ କବି “ମଳୟ ଆବାହନ” କବିତାରେ ଯେପରି ଭାବେ ବସନ୍ତ ବର୍ଣ୍ଣନା କରିଛନ୍ତି, ତାହା ମଧ୍ୟ ଲକ୍ଷ୍ୟ କରିବାର କଥା । କବିଙ୍କ ଭାଷାରେ -

 

ଧୀରେ ଧୀରେ ଆସ ମଳୟ ପବନ

      ଧୀରେ ଧୀରେ ଆସ ବହି,

ପୁଲକିତ କର ଉତ୍କଳ ବାସିଙ୍କି

      ଶୁଭ ସମାଚର କହି ।

ସ୍ଵାଗତ କରୁଛୁ ଉପହାର ଘେନି

      ଆମ୍ବ ବଉଳର କଷି,

ଉଦାର ହୃଦୟେ ଗ୍ରହଣକର ତା

      ମୃଦୁ ହିଲ୍ଲୋକରେ ହସି

xx            xx            xx

ଋଷିକୂଲ୍ୟା ଜଳେ ପୟର ପଖାଳି

      ମହେନ୍ଦ୍ର ଆସନେ ବସ,

ଚିତ୍ରୋତ୍ପଳା ଜଳେ ସ୍ନାନ କରି ପାନ-

      କର ସ୍ଵର୍ଣ୍ଣରେଖା ରସ ।

ମହୋଦଧି ଜଳେ ତର୍ପଣ କରିବ

      ବିହରିବ ବନେ ବନେ,

ନୃସିଂହନାଥର ପ୍ରପାତ ଲମ୍ପନ

      ଚାହିଁ ମୁଗ୍ଧ ହେବ କ୍ଷଣେ ।”

 

ଏହିପରି କବି ଗଙ୍ଗାଧର ପ୍ରକୃତିକୁ ଜୀବନ୍ତ ଓ ଅପରୂପ ଉପାଦାନ ଦେଇ ସ୍ଥଳ ବିଶେଷରେ ବହୁ ବର୍ଣ୍ଣନା କରିଛନ୍ତି । ଏହା ହିଁ ହେଉଛି ସ୍ଵଭାବକବି ଓ କାବ୍ୟକାରିଗର ଗଙ୍ଗାଧରଙ୍କ ସ୍ଵକୀୟ ଶୈଳୀ ଓ ବୈଶିଷ୍ଟ୍ୟ ।

 

କବି ଗଙ୍ଗାଧର ଏକ ଧର୍ମପ୍ରାଣ ବ୍ୟକ୍ତି ଥିଲେ । କବିଙ୍କ ଧର୍ମାନୁଭାବ ବିଭିନ କାବ୍ୟ କବିତାରେ ମଧ୍ୟ ଫୁଟି ଉଠିଛି । ସେ ପ୍ରତ୍ୟେକ ସ୍ତରରେ ଭଗବାନଙ୍କ ଅସ୍ତିତ୍ୱକୁ ଉପଲବ୍‌ଧି କରି ପାରିଛନ୍ତି । ତେଣୁ ଭକ୍ତି ଗଦ୍‌ଗଦ୍‌ ଚିତ୍ତରେ ସମସ୍ତ ଗର୍ବ ଏବଂ ଅହଙ୍କାରକୁ ପରିତ୍ୟାଗ କରି କବି ଗାଇ ଉଠିଛନ୍ତି-

 

‘‘ମୁଁ କାର ମାତର ମୋର ନୁହେଁ ବୋଲି

      କହିବାକୁ ନାହିଁ ବାଟ,

ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି

      ଘେନ ତା ବିଶ୍ଵ ସମ୍ରାଟ ।”

 

କିମ୍ୱା

“ଅନ୍ତର୍ଯ୍ୟାମୀ ହରି ବହୁରୂପ ଧରି

      ରହିଛ ବ୍ୟାପୀ ସଂସାରେ,

ଜୀବେ ଅହରହ ନେତ୍ର ପାଶେ ରହ

      ତଥାପି କେ ଦେଖିପାରେ ?

ଯୋଗର ଅୟନେ ଜ୍ଞାନର ନୟନେ

      ଜ୍ଞାନୀ ଦେଖେ ଧ୍ୟାନ ବେଳେ,

ତୁମ ଶ୍ରୀଚରଣ କମଳେ ମୋ ମନ

      ଭ୍ରମରେ ରହୁ ନିଶ୍ଚଳେ ।”

 

ତୃତୀୟତଃ କବି ଥିଲେ ଜଣେ ସଂସ୍କାର ପ୍ରେମୀ । ସୁଜଳା, ସୁଫଳା, ଅରଣ୍ୟ କୁନ୍ତଳା, ଶସ୍ୟ ଶ୍ୟାମଳା ଉତ୍କଳ ତଥା ଭାରତ ଭୂମିର ଦୁର୍ଦ୍ଦଶାକୁ ଅବଲୋକନ କରି ତାଙ୍କ କବି ପ୍ରାଣ କାନ୍ଦି ଉଠିଛି । ତେଣୁ ସେ ଇଂରେଜ ସରକାରଙ୍କୁ ସମାଲୋଚନା କରି କହିଛନ୍ତି

 

“ତୁମ୍ଭର ଆଗରେ ତୁମ୍ଭର ପରାଏ

      ମୁସଲମାନ ଥିଲେ ଆସି,

କୋପନ ସ୍ଵଭାବ ହେଲେ ହେଁ ଆମ୍ଭର,

      ସମସ୍ତ ଥିଲେ ନାହିଁ ଗ୍ରାସି ।”

 

ପୁନଶ୍ଚ, ତତ୍କାଳୀନ ଅଶିକ୍ଷିତ ଜମିଦାର ବୃନ୍ଦ କିପରି ସରଳ ତଥା ନିରୀହ ପ୍ରଜାଙ୍କର ସର୍ବନାଶ କରିବାକୁ ପଶ୍ଚାତ୍‌ପଦ ହୋଇନାହାନ୍ତି, ତାହା ମଧ୍ୟ ଦର୍ଶାଇବାକୁ କବି ଭୁଲି ନାହାନ୍ତି । କବିଙ୍କ ଭାଷାରେ -

 

“ଅଳ୍ପ ଅଳ୍ପ ଶିକ୍ଷା ଲଭି କେତେ କ୍ରୁର ଜନ,

ମିଥ୍ୟା ଜାଲେ କରୁଛନ୍ତି ଅର୍ଥ ଅରଜନ,

ମିଥ୍ୟା ଅସ୍ତ୍ର ତୀକ୍ଷ୍ମ କରି ଅଦାଲତ ଶାଣେ,

ମାରୁଛନ୍ତି ଅଶିକ୍ଷିତ ପ୍ରଜାଙ୍କର ପ୍ରାଣେ ।

ଶାଣକାର ପରି ତହିଁ ଓକିଲ ମଣ୍ଡଳ,

ଟଙ୍କା ମୁଣି ଭରୁଛନ୍ତି ବସି ଦଳ ଦଳ ।”

 

‘‘ଆଜି ଦେଶରେ ଯେଉଁ ପଞ୍ଚାୟତ ଶାସନ ପ୍ରଚଳିତ “ଡାହା ଦୀନକବି ଗଙ୍ଗାଧରଙ୍କ ହୃଦୟରେ ବହୁଦିନରୁ ଉଙ୍କି ମାରିଥିଲା-

 

‘‘ପଞ୍ଚହସ୍ତେ ନ୍ୟସ୍ତ ହେଲେ ରଘୁ ଅଧିକାର,

ଅବଶ୍ୟ ଦେଶର ହେବ ବହୁ ଉପକାର

ବହୁ ଅର୍ଥ ପ୍ରଜାଙ୍କର ଗୃହେ ଯିବ ରହି,

ନ ପାରିବ ଜାଲିଆଙ୍କ କୋପାନଳ ଦହି ।’’

 

କେବଳ ଏତିକିରେ କବିଙ୍କର ସଂସ୍କାର ପ୍ରେମୀ ଲେଖନୀ ସନ୍ତୁଷ୍ଟ ହୋଇନାହିଁ । ବୋଲିଥାନ୍ତି ଧର୍ମ ଅବତାର’ କବିତାରେ କବି ଲେଖିଛନ୍ତି –

 

“ଜୀବନ ଯା” ଲକ୍ଷ ଲକ୍ଷ ଲୋକଙ୍କର ଭାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

xx            xx            xx

ଭ୍ରମଣ ଖରଚ ପାଇ ପାଇଥାଏ ଭତ୍ତା,

ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା ।

କରୁଥାଏ କ୍ଷମତାର ଅପବ୍ୟବହାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।”

 

କବି ନିଜ ଜନ୍ମଭୂମି ତଥା କର୍ମଭୂମି ଉତ୍କଳକୁ ଯେ କିପରି ଭଲ ପାଉଥିଲେ, ତାହା ‘ଉତ୍କଳ ଲକ୍ଷ୍ମୀ କବିତାରେ ପରିସ୍ଫୁଟ । ଓଡ଼ିଆଜାତିର ଦୁର୍ବଳତାକୁ ଲକ୍ଷ୍ୟ କରି କବି କହିଛନ୍ତି -

 

‘‘ଉଚ୍ଚପଦ ପାଇଁ ଡାକିଲେ ରାଜନ

କେତେଜଣ ଅଛ ତହିଁକି ଭାଜନ ।

ପ୍ରତିବେଶୀଙ୍କର ସହିତ ତୁଳନା,

କରିକର ନିଜ ମଧ୍ୟରେ କଳନା ।

ତହିଁରୁ ବୁଝିବ ନିଜେ କେତେ ଦୀନ,

କରିଅଛ ପୁଣି ମାତୃଭାଷା ହୀନ ।

ମାତୃଭାଷା ପୋଥି ଛୁଇଁବାକୁ କରେ,

ଅନ୍ୟ କେଉଁ ଜାତି ଲଜ୍ଜ୍ୟାବୋଧ କରେ ।’’

 

ଉତ୍କଳୀୟଙ୍କ ଆଳସ୍ୟ ପରାୟଣତା ବିଦ୍ୟାହୀନତାକୁ ଲକ୍ଷ୍ୟ କରି କବି କହିଛନ୍ତି –

 

“କର୍ମ ବାଷ୍ପରଥ ଧାଇଁ ଶଙ୍ଖସ୍ଵନେ,

ଆସି ଏବେ ଲାଗି ଗଲାଣି ଷ୍ଟେସନେ ।

ଚଢ଼ିବା ସମୟ ହେଲାଣି ନିକଟ,

ଶୋଇ ପଡ଼ିଅଛ ନ କିଣି ଟିକଟ ।”

 

ମାତୃଭୂମି ତଥା ମାତୃଭାଷାର ଉନ୍ନତି ପାଇଁ କବିଙ୍କ ଦରଦୀ ପ୍ରାଣ କାନ୍ଦି ଉଠିଛି । ତତ୍କାଳୀନ ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ନବ୍ୟ ଶିକ୍ଷିତ ଓଡ଼ିଆ ଯୁବକ ବୃନ୍ଦ ସାଧାରଣତଃ ଉତ୍କଳର ଉନ୍ନତ ପ୍ରତି ବିମୁଖ ଥିଲେ । ତେଣୁ ସେହିମାନଙ୍କୁ ଲକ୍ଷ୍ୟକରି କବି କହିଛନ୍ତି -

 

‘‘ମାତୃଭୂମି ମାତୃଭାଷାର ମମତା

      ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

      ଅଜ୍ଞାନ ରହିବେ କାହିଁ ।”

 

ପୁନଶ୍ଚ

 

“ଉଚ୍ଚ ହେବାପାଇଁ କର ଯେବେ ଆଶା

      ଉଚ୍ଚକର ଆଗ ନିଜ ମାତୃଭାଷା ।'”

 

କବି ଗଙ୍ଗାଧର ଦାରିଦ୍ର୍ୟ ତଥା ଅଭାବ- ଅନାଟନର ତୀବ୍ର କଷାଘାତ ମଧ୍ୟରେ ସ୍ଵୀୟ ସାଧନା ଏବଂ ଅଧ୍ୟବସାୟ ଦ୍ଵାରା ଉତ୍କଳ ଭାରତୀୟଙ୍କ ଅନ୍ୟତମ ଯୋଗ୍ୟ ସନ୍ତାନ ରୂପେ ବିବେଚିତ-। ଓଡ଼ିଆ ସାହିତ୍ୟକୁ ମେହେର କବିଙ୍କ ଦାନ ଅତୁଳନୀୟ । କବିଙ୍କ ସାହିତ୍ୟର ମୂଲ୍ୟାଙ୍କନ କରି ପଲ୍ଲୀକବି ନନ୍ଦକିଶୋର ବଳ ଯଥାର୍ଥରେ କହିଛନ୍ତି -

 

“ଯନ୍ମିଥାନ୍ତ ଯଦି ସଭ୍ୟ ଉନ୍ନତ ଦେଶରେ,

      ବାଜୁଥାନ୍ତା ନାମ ତବ ଦିଗ ଦିଗନ୍ତରେ,

କିନ୍ତୁ ତୁମେ ଦୀନକବି ରହିବ ଜୀବିତ,

      ଯେତେଦିନ ଥିବ ଭବେ ଓଡ଼ିଆ ସାହିତ୍ୟ ।”

 

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏହି ମହାନ କବିଙ୍କୁ ଆମର ବିନମ୍ର ସାରସ୍ଵତ ଶ୍ରଦ୍ଧାଞ୍ଜଳି ।

 

 

ଉପଶାସନ ସଚିବ,

ଅର୍ଥବିଭାଗ, ଭୁବନେଶ୍ୱର

 

***

 

ଗଙ୍ଗାଧରଙ୍କ କାବ୍ୟ ସମ୍ଭାରରେ ଉତ୍କଳୀୟ ଭାବନା

ରାମଚନ୍ଦ୍ର ଦାଶ

 

ସ୍ଵଭାବକବି ଗଙ୍ଗାଧର ମେହେରଙ୍କ କାବ୍ୟ ପ୍ରତିଭା ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ ଓ ସମୃଦ୍ଧ କରିଛି । ଓଡ଼ିଆଜାତିର ଜନ ମାନସରେ ତାଙ୍କର ଅମ୍ଳାନ ସ୍କୃତି ସଂଜୀବିତ । ଓଡ଼ିଆ ସାହିତ୍ୟର ବିକାଶ କଳ୍ପେ ବହୁ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ତାଙ୍କର କଠୋର ସାଧନା ଅବିସ୍ମରଣୀୟ ।

 

୧୮୬୨ ମସିହା ଅଗଷ୍ଟ ମାସ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ ସମ୍ବଲପୁର ଜିଲ୍ଲାର ବରପାଲିଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖ ଚୈତ୍ର ଅମାବାସ୍ୟା ରାତ୍ରିରେ ୬୧ ବର୍ଷ ୭ ମାସ ୨୩ ଦିନ ବୟସରେ ତାଙ୍କର ଜୀବନଦୀପ ନିର୍ବାପିତ ହୋଇଥିଲା । ୧୮୮୨ ମସିହାରେ ତାଙ୍କ ସାହିତ୍ୟ ସାଧନାର ଆରମ୍ଭ ହୋଇଥଲା । ତାଙ୍କ ପିତାଙ୍କ ନାମ ଥଲା ଚୈତନ୍ୟ ମହେର ଓ ମାତାଙ୍କ ନାମ ସେବତୀ ଦେବୀ ।

 

୧୮୫୦ ମସିହାରେ ସମ୍ବଲପୁର ବ୍ରିଟିଶ ଶାସନାଧୀନ ହୋଇଥଲା, ୧୮୬୧ ମସିହାରେ ମଧ୍ୟପ୍ରଦେଶ ଗଠିତ ହେବାପରେ ୧୮୬୨ ମସିହାରେ ସମ୍ବଲପୁରକୁ ଏଥି ସହ ମିଶାଇ ଦିଆଗଲା-। ୧୯୦୫ ମସିହାରେ ସମ୍ବଲପୁର ଓଡ଼ିଶା ପ୍ରଦେଶରେ ମିଶିଲା । ୧୯୦୩ ମସିହା ପୂବରୁ ହିନ୍ଦୀ ଭାଷା ସମ୍ବଲପୁରର ବିଭିନ୍ନ କ୍ଷେତ୍ରରେ ତଥା ସରକାରୀ ଭାଷାଭାବରେ ବ୍ୟବହୃତ ହେଉଥିଲା । ଏପରି ସଙ୍କଟମୟ କାଳରେ ଓଡ଼ିଆ ସାହିତ୍ୟ ସାଧନା ଯେ କିଭଳି କଷ୍ଟକର ଥିଲା ତାହା ସହଜରେ ଅନୁମେୟ ।

 

ପୁନଶ୍ଚ ସ୍ଵଭାବ କବିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଅତ୍ୟନ୍ତ ଦୁର୍ବିସହ ଥିଲା । ଦାରିଦ୍ର୍ୟର କଷାଘାତ ମଧ୍ୟରେ ତାଙ୍କର ସାହିତ୍ୟ ସୃଷ୍ଟି ପଙ୍କରୁ ପଦ୍ମର ଜନ୍ମ ସଦୃଶ । ତେଣୁ କବିଙ୍କ କଲମରୁ ନିଃସୃତ ହୋଇଛି -

 

“ଦରିଦ୍ରତା ପଙ୍କ ପୂର୍ଣ୍ଣ ମୋ ଜୀବନ ସର ।

ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର ।।

ଶରଦ ସଦୃଶ ତୋତେ କରି ଦରଶନ ।

ହୋଇ ଯାଉଅଛି ସେତ ସ୍ଵତଃ ପରସନ୍ନ ।।”

 

ଉଚ୍ଚ ଶିକ୍ଷାର କୌଣସି ସୁଯୋଗ ପାଇ ନଥିଲେ ମଧ୍ୟ ସେ ନିଜର ଅଦମ୍ୟ ଜ୍ଞାନ ଲିପ୍ସା ଓ କଠୋର ପରିଶ୍ରମ ବଳରେ ବହୁଶାସ୍ତ୍ର ଅଧ୍ୟୟନ କରି ଅବର୍ଣ୍ଣନୀୟ ପ୍ରତିଭାର ଅଧିକାରୀ ହୋଇଥଲେ । ସଂସ୍କୃତ, ହିନ୍ଦୀ ଓ ବଙ୍ଗଳା ସାହିତ୍ୟ ମଧ୍ୟ ପାଠ କରି ସେ ଜ୍ଞାନ ଆହରଣ କରିଥିଲେ-। ପିତା ଚୈତନ୍ୟ ମେହେରଙ୍କୁ ବସ୍ତ୍ର ବୟନ କ୍ଷେତ୍ରରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ତାଙ୍କର ଏହି କାର୍ଯ୍ୟ ଅବ୍ୟାହତ ରହିଥିଲା । ଇଂରାଜୀ ଭାଷାରେ ମଧ୍ୟ ତାଙ୍କର ବ୍ୟୁତ୍ପତ୍ତି ରହିଥଲା ।

 

୧୮୮୫ ମସିହାରେ ସେ ବରପାଲିରେ ଅମିନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ୧୮୯୯ରୁ ୧୯୦୧ ପର୍ଯ୍ୟନ୍ତ ଜୁଡିସିଆଲ୍‌ ମୋହରିର ଭାବରେ କାର୍ଯ୍ୟକରି ସେ ୧୯୧୨ ମସିହା ପର୍ଯ୍ୟନ୍ତ ସମ୍ବଲପୁର ଡେପୁଟୀ କମିଶନରଙ୍କ ଅଦାଲତରେ, ୧୯୧୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ବିଜେପୁର ଅନରାରୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଓ ୧୯୧୪ ମସିହାରୁ ୧୯୧୭ ମସିହା ପର୍ଯ୍ୟନ୍ତ ପଦ୍ମପୁରରେ ଅବସ୍ଥାପିତ ହୋଇଥିଲେ । ୧୯୧୭ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ଗ୍ରହଣ ସମୟରେ ତାଙ୍କର ମାସକୁ ଦରମା ଥିଲା ପଇଁତିରିଶ ଟଙ୍କା । ଚାକିରୀ କାଳ ମଧ୍ୟରେ ସେ ତାଙ୍କର ବିନମ୍ରତା ଓ କର୍ମ କ୍ଷେତ୍ରରେ ପାରଦର୍ଶିତା ଲାଗି ସାଧାରଣରେ ସୁପରିଚିତ ଥିଲେ ।

 

ଉତ୍କଳ ସମ୍ମିଳନୀର ବିଭିନ୍ନ ବୈଠକରେ ସେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ବରପାଲିରେ ସାଧୁସମିତି ଗଠନ କରିଥିଲେ ଓ ମୁଷ୍ଟିଭିକ୍ଷାର ପ୍ରଚଳନ କରିଥିଲେ ତଥା ଜାତୀୟ ମହାସଭା ପ୍ରତିଷ୍ଠା କରିଥିଲେ । ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ସାରସ୍ଵତ କୃତି ମଧ୍ୟରେ ରସରତ୍ନାକର (୧୮୮୨ରୁ ୮୫), ଅହଲ୍ୟାସ୍ତବ (୧୮୯୨), ଇନ୍ଦୁମତୀ (୧୮୯୪), ଉତ୍କଳ ଲକ୍ଷ୍ମୀ (୧୮୯୪ ରୁ ୧୯୧୪), ମହିମା (୧୮୯୭), କୀଚକ ବଧ (୧୯୦୪), କବିତା କଲ୍ଲୋଳ (୧୯୧୨), ଅଯୋଧ୍ୟାଦୃଶ୍ୟ (୧୯୧୧), ତପସ୍ଵିନୀ (୧୯୧୪), ପ୍ରଣୟବଲ୍ଲରୀ (୧୯୧୫), ଅର୍ଘ୍ୟଥାଳୀ (୧୯୧୮), ପ୍ରଭୃତି ତାଙ୍କର ଶ୍ରେଷ୍ଠ କୃତି ।

 

ତାଙ୍କ ରଚିତ କାବ୍ୟ ସମୂହ ବିବିଧ ପାଠକ ଓ ସାହିତ୍ୟିକ ମହଲରେ ଉଚ୍ଚ ପ୍ରଶଂସିତ ଓ ଆଦୃତ ତଥା ଅନ୍ୟାନ୍ୟ ଭାଷାରେ ଅନୁଦିତ ।

 

ସ୍ଵଭାବ କବି ଏକାଧାରରେ କୁଶଳୀ କବି ଓ ବୁଣାକାର, ସମାଜ ସଂସ୍କାରକ ତଥା ଜାତୀୟତା ବାଦୀ କବିଥିଲେ । ତାଙ୍କର ବିଭିନ୍ନ କାବ୍ୟରେ ଉତ୍କଳୀୟ ଚେତନା ଓ ସ୍ଵଦେଶ ପ୍ରୀତି ବିକଶିତ । ତାଙ୍କ ରଚନାର ଶ୍ରେଷ୍ଠଦିଗ ହେଉଛି ପ୍ରକୃତି ଉପାସନା । ତାଙ୍କ ରଚନାରେ ପ୍ରାକୃତିକ ଚିତ୍ର ସମ୍ଭାର ଯୋଗୁଁ ସେ ପ୍ରକୃତି କବି ଭାବରେ ମଧ୍ୟ ସୁପରିଚିତ ।

 

ଇନ୍ଦୁମତୀ କାବ୍ୟ ସମ୍ପର୍କରେ ମତବ୍ୟକ୍ତ କରି କବିବର ରାଧାନାଥ ଲେଖିଛନ୍ତି –

 

“ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହଁନ୍ତି । ମୂଳ ଚରିତ ରଘୁବଂଶରୁ ସଂଗୃହୀତ ହୋଇଥିଲେ ହେଁ ଏହାର ଭାବ ଓ ଭଙ୍ଗୀ ଦୃଷ୍ଟିରୁ ମୁଁ ଏହାକୁ ଅଭିନବ ଓ ଉତ୍କୃଷ୍ଟ କାବ୍ୟ ରୂପେ ଗ୍ରହଣ କରିବାକୁ ଏବେ ମାତ୍ର କୁଣ୍ଠିତ ହେବନାହିଁ ।” ପଲ୍ଲୀକବି ନନ୍ଦକିଶୋରଙ୍କ ଭାଷାରେ -

 

“ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ ମଣ୍ଡିତ

କାଳ ବଳେ ହେବେ ସର୍ବେ ଭବୁ ଅନ୍ତର୍ହିତ ।

କିନ୍ତୁ ତୁମେ ଦୀନ କବି ରହିବ ଜୀବିତ

ଯେତେ ଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ।”

 

ସ୍ଵଭାବକବିଙ୍କ କଲମ ନିଃସୃତ –

 

‘‘ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।””

ବା

ଉଚ୍ଚ ହେବା ପାଇଁ କର ଯେବେ ଆଶା

ଉଚ୍ଚ କର ଆଗ ନିଜ ମାତୃଭାଷା ।”

 

ଆଜି ସର୍ବଜନ ବିଦିତ । ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟ ସୃଷ୍ଟି କବିତା ‘‘ବିଶ୍ୱ ଜୀବନହେ’’ ଅଧିକାଂଶ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସଙ୍ଗୀତ ଭାବରେ ଗୃହୀତ ।

 

ଉଚ୍ଚ ଶିକ୍ଷା ଲାଭ ନ କରି ମଧ୍ୟ ସେ ଯେଉଁ ବୈଦିକ ପରାକାଷ୍ଠା ଦେଖାଇଯାଇଛନ୍ତି, ତାହା ଅନସ୍ଵୀକାର୍ଯ୍ୟ । ‘ଅର୍ଘ୍ୟଥାଳୀ’ର ଭୂମିକାରେ ସେ ଲେଖିଛନ୍ତି “ମୋର ହୃଦୟ ନିବିଡ଼ ଅରଣ୍ୟ ତୁଲ୍ୟ କିନ୍ତୁ ପ୍ରଶସ୍ତ ନୁହେଁ, କ୍ଷୁଦ୍ର ତହିଁର ଅଭ୍ୟନ୍ତରକୁ ସଭ୍ୟତାଲୋକ ପ୍ରବିଷ୍ଟ ହୋଇପାରିନାହିଁ । ତେବେ ସମଗ୍ର ଧରଣୀରେ ଯେତେବେଳେ ଆଲୋକ ବିକୀର୍ଣ୍ଣ ହୋଇଅଛି, ଅରଣ୍ୟର ଉପରିଭାଗ ଆଲୋକିତ ହେବା ସ୍ଵାଭାବିକ । ରନ୍ଧ୍ର ପଥରେ ମଧ୍ୟ ଅଭ୍ୟନ୍ତରକୁ ଆଲୋକର ପ୍ରବେଶ ଅବାରଣୀୟ-। ଗଛଟିଏ ହେଲେ ଅବଶ୍ୟ ତହିଁରେ ଫୁଲ ଫୁଟେ । ତେବେ ଅରଣ୍ୟରେ ସୁପୁଷ୍ପ ଫୁଟେ ନାହିଁ ।”

 

ସେ ଥିଲେ ଖଦ୍ୟୋତ, ନିଜ ଆଲୋକରେ ଉଦ୍ଭାସିତ । ୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖ ଦିନ ସ୍ଵଭାବ କବି ମେହେରଙ୍କ ଦେହାନ୍ତ ହୋଇଥଲା ।

 

ମେହେରଙ୍କ କାବ୍ୟ ସମ୍ଭାର :

ପ୍ରକୃତି ରାଣୀର ପରମ ଉପାସକ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ କଲମ ମୁନରେ ଓଡ଼ିଶାର ସାରସ୍ଵତ ଭଣ୍ଡାର ସମୃଦ୍ଧ ତଥା ରବିମନ୍ତ ହୋଇଛି । କବିଙ୍କ ପୁତ୍ର ଭଗବାନ ମେହେରଙ୍କ ଦ୍ଵାରା ସର୍ବ ପ୍ରଥମ ଥର ପାଇଁ “ଗଙ୍ଗାଧର ଗ୍ରନ୍ଥାବଳୀ” ପ୍ରକାଶ ପାଇଥିଲା । ଉକ୍ତ ପ୍ରଥମ ସଂସ୍କରଣ ଏବଂ ପରବର୍ତ୍ତୀ କାଳରେ ପ୍ରକାଶକମାନଙ୍କ ଦ୍ଵାରା ବିଭିନ୍ନ ସମୟରେ ପ୍ରକାଶିତ ଗ୍ରନ୍ଥାବଳୀ ସମୂହରେ ଗଙ୍ଗାଧରଙ୍କର ସମସ୍ତ ରଚନା ସ୍ଥାନିତ ହୋଇପାରିନଥିଲା । ୧୯୯୮ରେ ଡକ୍ଟର ମଣୀନ୍ଦ୍ର କୁମାର ମେହେରଙ୍କ ଦ୍ଵାରା ସଙ୍କଳିତ “ଗଙ୍ଗାଧର ଗ୍ରନ୍ଥାବଳୀ” ପ୍ରଥମ ସମ୍ପୂର୍ଣ୍ଣ ସଂସ୍କରଣ ବୋଲି ଏଥରେ ଉଲ୍ଲେଖ କରାଯାଇଛି । ଭବିଷ୍ୟତରେ ଆହୁରି କେତେକ ଅପ୍ରକାଶିତ ଲେଖା ସଂଗୃହୀତ ତା ପ୍ରକାଶିତ ହେବାର ସମ୍ଭାବନା ମଧ୍ୟ ରହିଛି । ଶେଷୋକ୍ତ ସଂସ୍କରଣରେ କେତେକ ନୂତନ ଲେଖା ଓ ପତ୍ର ସ୍ଥାନ ପାଇଛି ତଥା କେତେକ ଲେଖାର ନାମକରଣ କରାଯାଇଛି ବୋଲି ସଙ୍କଳକ ଏହାର ଭୂମିକାରେ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟ ଅନେକ ସଙ୍କଳନରୁ ଲେଖା ସମୂହ ସଂଗ୍ରହ କରି “ଗଙ୍ଗାଧର ଗ୍ରନ୍ଥାବଳୀ”କୁ ପୂର୍ଣ୍ଣାଙ୍ଗ କରିବାର ପ୍ରୟାସ କରାଯାଇଛି ।

 

ମୂଳ ପ୍ରଥମ ସଂସ୍କରଣର ଭୂମିକାର ଶେଷରେ ଭଗବାନ ମେହେର ଉଲ୍ଲେଖ କରିଛନ୍ତି, “ଆଉ ମଧ୍ୟ ଦୁଃଖର ସହିତ ପ୍ରକାଶ କରିଛନ୍ତି ଯେ ଗ୍ରନ୍ଥାବଳୀରେ ଯେଉଁସବୁ ଲେଖା ଦେବାପାଇଁ ସୁଧୀବର୍ଗଙ୍କ ଉପଦେଶ ପାଇଥିଲି, ଅର୍ଥାଭାବ ବଶତଃ ତାହା ଦେବାକୁ ଅକ୍ଷମ ହୋଇ ସେମାନଙ୍କୁ ସବିନୟ କ୍ଷମାଭିକ୍ଷା କରୁଅଛି ।’

 

“ଗଙ୍ଗାଧର ଗ୍ରନ୍ଥାବଳୀ”ରେ ପ୍ରକାଶିତ “ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସଂକ୍ଷିପ୍ତ ଜୀବନ ଚରିତରେ ପଣ୍ଡିତ ରାଘବ ମିଶ୍ର ଲେଖିଛନ୍ତି ‘‘ଶିକ୍ଷା, ଅବସାନ ସାଂସାରିକ ଅବସା ଓ ଅନ୍ୟାନ୍ୟ ଉନ୍ନତି ସାପେକ୍ଷ ପରିସ୍ଥିତିର ଆନୁକୁଲ୍ୟ ଲାଭରୁ ବଞ୍ଚିତ ହୋଇ ମଧ୍ୟ ଦେଶ ଜାତି ପ୍ରତି ମେହେର କବିଙ୍କ ମହାଦାନ ତଦୀୟ ନୈସର୍ଗିକ ପ୍ରତିଭାର ପରିଚାୟକ ।

 

“କବି ନିଜେ ନାନା ଅଭାବ ଅସୁବିଧା ଦୁଃଖ ଦାରିଦ୍ର୍ୟର ପଙ୍କରେ ସଢ଼ି ଉତ୍କଳ ଭାରତୀଙ୍କ କଣ୍ଠରେ ଚିରରମଣୀୟ ସୁରଭି ପୂର୍ଣ୍ଣ ଶତଦଳ ମାଳା ଲମ୍ବାଇ ଯାଇଅଛନ୍ତି । ସେ ସ୍ଵକୀୟ ଜୀବନରେ ନାନା ଅଶାନ୍ତି ଭୋଗ କରି ତତ୍‌ ପରିବର୍ତ୍ତନରେ ଅନନ୍ତ କାଳ ନିମନ୍ତେ ଏହି ଅନନ୍ତ ମାନବ ମଣ୍ଡଳୀକୁ ପବିତ୍ର ସୌନ୍ଦର୍ଯ୍ୟ ଆନନ୍ଦ ଓ ନିର୍ମଳ-ପ୍ରେମ ପ୍ରଦାନ କରିଗଲେ । ସୁଖର ବିଷୟ ବର୍ତ୍ତମାନ ଦେଶବାସୀ ତାଙ୍କର ମନୋହର କବିତ୍ଵ ଓ ମାନବିକ ମହତ୍ତ୍ଵରେ ଅନୁପ୍ରାଣିତ ହୋଇ ନାନା ଭାବରେ ତଦୀୟ ପ୍ରତିଭା ପୂଜା ଦିଗରେ ଅଗ୍ରସର ହେଉଛନ୍ତି । ଏହା ଦେଶ ପକ୍ଷରେ ଗୌରବାବହ ।

 

କବିଙ୍କର ପ୍ରଥମ କାବ୍ୟ “ରସ ରତ୍ନାକର” ଗ୍ରନ୍ଥାବଳୀର ପ୍ରଥମ ସଂସ୍କରଣରେ ପ୍ରକାଶ ପାଇନଥିଲା । ସ୍ଵଭାବ କବି ନିଜେ ଏହି କାବ୍ୟକୁ ଯୁଗ ରୁଚିର ଅନୁକୂଳ ମନେ କରିନଥିଲେ, ତେବେ ଏହା ଭଗବାନ ମେହେରଙ୍କ ପିତୃ ପ୍ରସଙ୍ଗ (୧୯୭୭) ରେ ସ୍ଥାନିତ ହୋଇଥଲା । ବିଭିନ୍ନ ଭାଗରେ ୭ଟି ଛାନ୍ଦରେ ଏହି କାବ୍ୟ ରଚିତ । ଏହା ୧୮୮୨ରୁ ୧୮୮୫ ମଧ୍ୟରେ ରଚିତ ବୋଲି ଉଲ୍ଲିଖିତ ।

 

“ଇନ୍ଦୁମତୀ” କାବ୍ୟ ମୟୂରଭଞ୍ଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ଅର୍ପିତ । କବିବର ରାଧାନାଥ ରାୟ ଏହାର “ମନ୍ତବ୍ୟ”ରେ ଲେଖିଛନ୍ତି, ମୂଳ ଚରିତ ରଘୁବଂଶର ସଙ୍ଗୃହିତ ହୋଇଥିଲେ ହେଁ ଏହାର ଭାବ ଏବଂ ଭାଷା ଦୃଷ୍ଟିରେ ମୁଁ ଏହାକୁ ଅଭିନବ ଏବଂ ଉତ୍କୃଷ୍ଟ କାବ୍ୟ ରୂପେ ଗ୍ରହଣ କରିବାକୁ ଲବେ ମାତ୍ର କୁଣ୍ଠିତ ହେବି ନାହିଁ । ଇନ୍ଦୁମତୀ କାବ୍ୟ ପ୍ରଣେତା ଶ୍ରୀ ଗଙ୍ଗାଧର ମେହେରଙ୍କ ପ୍ରତି ଶୀର୍ଷକରେ ଏକ କବିତାରେ ଲେଖିଛନ୍ତି ।

 

“ଆହେ ଭ୍ରାତଃ, ତୁମ୍ଭଙ୍କୁ ମୁଁ କେବେ ଦେଖିନାହିଁ

ତମ କଥା ମନେ ମୋର ପଡ଼ଇ କି ପାଇଁ ?

ଚିହ୍ନ କି ନ ଚିହ୍ନ ମୋତେ ତୁମେ ଜାଣେ ନାହିଁ

ତୁମ୍ଭଙ୍କୁ ମଣଇ କିନ୍ତୁ ମୁହିଁ ନିଜ ଭାଇ

ଲୋଡ଼େ ନାହିଁ ଦେଖବାକୁ ମୁଁ ତୁମ୍ଭ ମୂରତି

ଦେଖି କାଳେ ତୁଟିଯିବ ମାୟା ତବ ପ୍ରତି

ପଢ଼ିଅଛି ଇନ୍ଦୁମତୀ କାବ୍ୟ ଯେତେଥର

ସେହିଠାରେ ପରିଚୟ ତୁମ୍ଭର ମୋହର ।”

 

“ଇନ୍ଦୁମତୀ”ର ରଚନା କାଳ ୧୮୯୩ । ପ୍ରଥମେ ‘‘ଉତ୍କଳ ପ୍ରଭା’ରେ ଓ ପରେ ୧୮୯୪ ମସିହାରେ ପୁସ୍ତକାକାରରେ ଏହା ପ୍ରକାଶିତ ।

 

‘‘ଉତ୍କଳଲକ୍ଷ୍ମୀ” କାବ୍ୟ ଅସମ୍ପୂର୍ଣ୍ଣ ଭାବରେ ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ଏବଂ ସ୍ଵଭାବ କବି ନିଜେ ୨୦ ବର୍ଷ ପରେ ୧୯୧୪ ମସିହାରେ ଏହାକୁ ସମ୍ପୂର୍ଣ୍ଣ କରିଥିଲେ । କଲିକତା ସ୍ଥିତ ଇଡ଼େନ ହିନ୍ଦୁ ହଷ୍ଟେଲ୍‌ରେ ଅବସ୍ଥାନ କାଳରେ ସମ୍ବଲପୁରର କୃତି ସନ୍ତାନ ବ୍ରଜମୋହନ ପଣ୍ଡା ସ୍ୱଃ ପ୍ରଣୋଦିତ ହୋଇ ଏହି କ୍ଷୁଦ୍ର ପୁସ୍ତିକାର ପ୍ରକାଶନର ଭାର ଗ୍ରହଣ କରିଥିଲେ ସେହି ୧୯୧୪ ମସିହାରେ । ୧୮୯୪ ମସିହାରେ ଏହି ପୁସ୍ତିକାର ପ୍ରଥମ ସଂସ୍କରଣ ବରପାଲିର ଯୁବରାଜ ଇଂରାଜୀ ଶିକ୍ଷକ ବାବୁ ସୂର୍ଯ୍ୟ କୁମାର ମିତ୍ର ପ୍ରକାଶ କରିଥିଲେ ।

 

ସାତୋଟି ସର୍ଗରେ ବିଭକ୍ତ ‘କୀଚକବଧ’ ୧୯୦୪ ମସିହାରେ ଉତ୍କଳ ଗୌରବ ମଧିସୂଦନ ଦାସଙ୍କ ଦ୍ଵାରା ପ୍ରକାଶିତ ହୋଇଥଲା । ଏହାର ରଚନାକାଳ ୧୯୦୨-୧୯୦୩ ମସିହାରେ । ତା.୧୨.୮.୧୯୦୩ରିଖ ଦିନ କବିବର ରାଧାନାଥ ରାୟ “ମନ୍ତବ୍ୟ” ଶିରୋନାମାରେ ଏହାର ମୁଖବନ୍ଧରେ ଲେଖିଛନ୍ତି । ତାଙ୍କ ଭାଷାରେ ଗଙ୍ଗାଧର ଉଚ୍ଚ ଶ୍ରେଣୀର କବି । କି ବହିଃ ପ୍ରକୃତି, କି ଅନ୍ତଃ ପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି ପ୍ରକୃତିକୁ ସ୍ଵଚକ୍ଷୁରେ ଦେଖି ଲେଖନ୍ତି । ଗଙ୍ଗାଧରଙ୍କ ଦୁର୍ଭାଗ୍ୟ ସେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି । ସେହି ସମୟରେ କବିବର ରାଧାନାଥ ରାୟ ହୁଗୁଳିରେ ଓ ସ୍ଵଭାବକବି ଗଙ୍ଗାଧର ମେହେର ସମ୍ବଲପୁରରେ ଅବସ୍ଥାନ କରୁଥିଲେ ।

 

୧୯୧୦ ମସିହାରେ ରଚିତ “ଅଯୋଧ୍ୟା ଦୃଶ୍ୟ” କାବ୍ୟ ତିନିସର୍ଗ ବିଶିଷ୍ଟ ଏବଂ ୧୯୧୧ ମସିହାରେ ପଲ୍ଲୀକବି ନନ୍ଦକିଶୋର ବଳ ଏହାର ନାମକରଣ କରିଥିଲେ ! ପାଟଣା ରାଜ୍ୟର ଦେୱାନ ବାଳମୁକୁନ୍ଦ ବହିଦାରଙ୍କ ଦ୍ଵାରା ୧୯୧୫ ମସିହାରେ ଏହା ପୁସ୍ତକା ଆକାରରେ ପ୍ରକାଶିତ ହୋଇଥଲା । ଏହି କାବ୍ୟର ଭୂମିକାରେ ସ୍ଵଭାବକବି ଲେଖିଛନ୍ତି, ମୋର ରଚିତ ପଦ୍ୟ ଅପକୃଷ୍ଟ ହେଲେ ମଧ୍ୟ ବିଦ୍ୟା ଓ ବୁଦ୍ଧିର ତୁଳନାରେ ମୁଁ ନିନ୍ଦନୀୟ ହୋଇ ପାରିବି ନାହିଁ । ଏହା ମୋର ଗୋଟିଏ ପ୍ରଧାନ ଭରସା । ବୋଧ କରେ, ସେହି ଭରସା ସଫଳ ପ୍ରସବିନୀ ହୋଇଅଛି । ଉତ୍କଳର ଅନେକ ସମ୍ଭାନ୍ତ ଓ ସୁଶିକ୍ଷିତ ମହାତ୍ମାଙ୍କ ନିକଟରୁ ପଦ୍ୟ ରଚନା ନିମନ୍ତେ ଉତ୍ସାହ ଲାଭ କରି ଉତ୍ସାହ-ରୂପ ଦୀପଶିଖାର ଆଲୋକରେ କବିତା ରାଜ୍ୟକୁ ଅଗ୍ରସର ହୋଇଅଛି । ଏମନ୍ତ ଅବସ୍ଥାରେ ମୋ ପରି ଅନଗ୍ରଦର୍ଶୀର ଦିଗ ଭ୍ରମ ହେବା ସ୍ଵାଭାବିକ । ଏହି କାବ୍ୟ ବ୍ରଜମୋହନ ପଣ୍ଡାଙ୍କ ପ୍ରତି ଉତ୍ସର୍ଗୀକୃତ ।

 

ଏଗାର ସର୍ଗ ବିଶିଷ୍ଟ “ତପସ୍ଵିନୀ” କାବ୍ୟ ସ୍ଵଭାବ କବିଙ୍କ ଅନୁପମ ସୃଷ୍ଟି । ବିଭିନ୍ନ ଭାଷାରେ ଅନୁଦିତ ହୋଇ ଏହା ଦେଶ ବିଦେଶରେ ସୁପରିଚିତ । “ତପସ୍ଵିନୀରେ ସୀତା ଚରିତ୍ର ଚିତ୍ରଣ ସ୍ଵଭାବକବିଙ୍କ କାବ୍ୟ ଗାରିମାର ଏକ ଶ୍ରେଷ୍ଠ ପ୍ରଦର୍ଶନ । ଏହି କାବ୍ୟ ୧୯୧୨ ଓ ୧୯୧୩ ମସିହାରେ ରଚିତ । ଏହି କାବ୍ୟ ସମ୍ବଲପୁରର ରାମନାରାୟଣ ମିଶ୍ରଙ୍କ ପ୍ରତି ସମର୍ପିତ । ଗଙ୍ଗାଧର ଲେଖିଛନ୍ତି, “ପିତୃସତ୍ୟ ରକ୍ଷା ନିମନ୍ତେ ବନବାସୀ ହେବାରୁ ରାମଙ୍କର ଓ ସ୍ୱାମୀଙ୍କର ଅନୁଗାମୀ ହେଦାରୁ ସୀତାଙ୍କ ନିର୍ବାସନରେ ତାହା ସୌରଭମୟ ହେଲା । ସେ ନିର୍ବାସନକୁ ନିଜର ଭାଗ୍ୟ ଦୋଷ ବୋଲି ପତିଭକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ - ବନବାସକୁ ପତି- ହିତ-ସାଧିକୀ ତପସ୍ୟାରେ ପରିଣତ କରି ତପସ୍ଵିନୀ ରୂପେ କିପରି ଦିନ ଯାପନ କରିଥିଲେ, ତାହା ପ୍ରକଟ କରିବା ଏହି ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ ।

 

“ପ୍ରଣୟ ବଲ୍ଲରୀ” କାବ୍ୟ ସପ୍ତସର୍ଗ ବିଶିଷ୍ଟ । ଏହା ୧୯୦୩-୦୪ ମସିହାରେ ରଚିତ ଓ ପଦ୍ମପୁର ଜମିଦାର ଲାଲ୍‌ ରାଜେନ୍ଦ୍ର ସିଂହ ବରିହାଙ୍କ ସମ୍ପୂର୍ଣ୍ଣ ବ୍ୟୟରେ ପ୍ରକାଶିତ । ‘‘ସମ୍ବଲପୁର ହିତୈଷିଣୀ” ଏବଂ “ଉତ୍କଳ ସାହିତ୍ୟ’ ପତ୍ରିକାରେ ଏହାର କିୟଦଂଶ ପ୍ରକାଶିତ ହୋଇଥଲା । ‘‘ପ୍ରଣୟାଙ୍କୁର” ଶିରୋନାମାରେ ଏହାର ପ୍ରଥମ ସର୍ଗ ପ୍ରଥମେ “କବିତା କଲ୍ଲୋଳ’’ରେ ସନ୍ନିବେଶିତ ହୋଇଥିଲା । ଏହି କାବ୍ୟର ଭୂମିକାରେ ସ୍ଵଭାବ କବି ଲେଖିଛନ୍ତି ‘‘ମେନକା ଅପ୍‌ସରାର ସୌନ୍ଦର୍ଯ୍ୟ-ଦେବତା ଓ ପ୍ରଲୋଭନ ଅସୁର ମିଳି ବିଶ୍ଵାମିତ୍ରଙ୍କର ତପଃ ସିନ୍ଧୁ ମନ୍ତନ କରିବାରୁ ଶକୁନ୍ତଳା–ରୂପିଣି ଲକ୍ଷ୍ମୀଙ୍କର ଆବିର୍ଭାବ ଓ ତଦୀୟ ଚରିତାମୃତର ଉତ୍‌ଥାନ ହେଲା ।” ଶକୁନ୍ତଳା ଚରିତ୍ର ବର୍ଣ୍ଣନାରେ ସ୍ଵଭାବ କବି କାଳିଦାସଙ୍କ ଶୈଳୀର ଅନୁକରଣ କରିଥଲେ ମଧ୍ୟ ସ୍ଵକୀୟ ସ୍ଵାତନ୍ତ୍ର୍ୟ ରକ୍ଷା କରିପାରିଛନ୍ତି । ମହାକବି କାଳିଦାସଙ୍କ ରଚନାର ଇଂରାଜୀ ଅନୁଦାନ କରିଛନ୍ତି ସ୍ଵଭାବ କବିଙ୍କ ଭାଷାରେ “ଜର୍ମାନ ସାହିତ୍ୟାକାଶରେ ପୂର୍ଣ୍ଣଚନ୍ଦ୍ର ମହାତ୍ମା ଗେଟେ” । ତାଙ୍କର ଅନୁଦିତ କୃତିର କିୟଦଂଶ ଉଦ୍ଧାର କରି ସ୍ୱଭାବ କବି ଇଂରାଜୀ ସାହିତ୍ୟ ଅନୁଧ୍ୟାନର ପ୍ରମାଣ ଦେଇଛନ୍ତି । ତଥାପି ବିନୟାଦନତ ହୋଇ କବି ଗଙ୍ଗାଧର ଲେଖିଛନ୍ତି, “ବିଜ୍ଞ ପାଠକ ବୃନ୍ଦ ଏଥିରେ ମୂଳ କବିତାର ରସସ୍ୱାଦ ଲୋଡ଼ିଲେ ନିଶ୍ଚୟ ବଞ୍ଚିତ ହେବେ ।”

 

ଦଶସର୍ଗ ବିଶିଷ୍ଟ “ପଦ୍ମିନୀ’ର ୫ଟି ସର୍ଗ ସ୍ଵଭାବ କବି ଲେଖିଥିଲେ । ଏହା ତାଙ୍କର ଏକ ଅସମ୍ପୂର୍ଣ୍ଣ କାବ୍ୟ, ପରେ କବିପୁତ୍ର ଭଗବାନ ମେହେର ଆଉ ୫ଟି ସର୍ଗ ଲେଖିଥିଲେ । “ସମ୍ବଲପୁରରେ ଅବସ୍ଥାନ କାଳରେ ୧୯୧୦ ମସିହାର “ପଦ୍ମିନୀ''ର ରଚନା ଆରମ୍ଭ ହୋଇଥିଲା । ୧୯୨୦ ମସିହା ପର୍ଯ୍ୟନ୍ତ ପାଞ୍ଚଟି ସର୍ଗ ରଚିତ ହୋଇଥିଲା । ଏହାକୁ ଏକ. ଉଚ୍ଚକୋଟୀର କାବ୍ୟ କୃତି ଭାବରେ ଉପସ୍ଥାପନ କରିବା ନିମନ୍ତେ ସ୍ଵଭାବ କବି ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ଏହି କାବ୍ୟକୁ ସେ ସମ୍ପୂର୍ଣ୍ଣ କରିପାରି ନଥିଲେ । ପଣ୍ଡିତ ରାଘବ ମିଶ୍ର ଲେଖିଛନ୍ତି “କାବ୍ୟର ଲକ୍ଷଣରୁ ଜଣାପଡ଼େ ଏହା ସମ୍ପୂର୍ଣ୍ଣ ହୋଇପାରି ନଥିଲେ ରାଧାନାଥଙ୍କ “ମହାଯାତ୍ରା’’ ମହାକାବ୍ୟର ପ୍ରଶସ୍ତି ଲାଭ କରିଥାନ୍ତା” ! ଆଲ୍ଲାଉଦିନଙ୍କ ଅତ୍ୟାଚାରରେ ମତ୍ତ ହୋଇ ଚିତୋର ଦୁର୍ଗରେ ପହଞ୍ଚିବାର ପରବର୍ତ୍ତୀ ଘଟଣାବଳୀ ସ୍ଵଭାବ କବି ଲେଖି ପାରିନଥିଲେ । ଏହା ତାଙ୍କର ୧୯୧୬ ମସିହାରେ ଲିଖିତ ଏକ ପତ୍ରରୁ ସୂଚିତ ହଏ ।

 

୧୮୯୨ ମସିହା “ଅହଲ୍ୟାସ୍ତବ’’ ସଂସ୍କୃତ ଭାଷାରେ ପ୍ରଚଳିତ “ଶାର୍ଦ୍ଦୁଳ ବିକ୍ରୀଡ଼ିତ’’ ବୃତ୍ରେ ରଚିତ ଓ ବରପାଲି ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ପ୍ରଧାନଙ୍କ ବ୍ୟୟରେ ପ୍ରକାଶିତ । ଓଡ଼ିଆ ଭାଷାରେ ଏହି ବୃତ୍ତରେ ରଚନାର ଗ୍ରହଣୀୟତା ସମ୍ପର୍କରେ କବିବର ରାଧାନାଥ ସଂଶୟ ପ୍ରକାଶ କରିଥିଲେ ଓ ୧୯୧୬-୧୧ ମସିହାରେ ସ୍ଵଭାବକବି ‘‘ବଙ୍ଗଳାଶ୍ରୀ” ବୃତ୍ତରେ ପରିବର୍ତ୍ତିତ କରିଥିଲେ । “ଉତ୍କଳ ଭାଷାରେ ସଂସ୍କୃତ ପଦ୍ୟରେ ସ୍ତବ, ବିଶେଷତଃ ରାମାବତାର ବିଷ୍ଣୁଙ୍କର ସ୍ତବଗାନ ଦ୍ଵାରା ପାଠକମାନଙ୍କର ଚିତ୍ତପ୍ରସନ୍ନ ହୋଇପାରିବ, ଏହି ଆଶାରେ ଏତଦ୍‌ କ୍ଷୁଦ୍ର ପୁସ୍ତକ ଖଣ୍ଡ ପ୍ରଣୟନରେ ପ୍ରବୃତ୍ତ ହେଲି” ବୋଲି କବି ନିଜେ ଉଲ୍ଲେଖ କରିଛନ୍ତି । “ବଙ୍ଗଳାଶ୍ରୀ” ବୃତ୍ତରେ ଏହି ଅସମ୍ପୂର୍ଣ୍ଣ କାବ୍ୟ ୧୯୧୪ ମସିହାରେ ମୁଦ୍ରିତ ହୋଇଥଲା । ଏହି ପୁସ୍ତିକାଟିରେ ଭାରତୀ ରୋଦନ ଏବଂ ଉତ୍କଳ ଭାରତୀଙ୍କ ନିବେଦନ ପ୍ରଭୃତି ଅନ୍ୟ ଚାରୋଟି କବିତା ସନ୍ନିବେଶିତ-

 

୧୧ଟି କ୍ଷୁଦ୍ର କବିତାର ସମାହାର ‘‘ମହିମା’’ ଏହା ୧୮୯୬ ମସିହାରେ ରଚିତ ତଥା ୧୮୯୭ ମସିହାରେ “ଉତ୍କଳ- ସାହିତ୍ୟ”ରେ ପ୍ରକାଶିତ । ୧୮୯୭ ମସିହାରେ ପୁସ୍ତକାକାରର ସ୍ଵଭାବ କବିଙ୍କ ଦ୍ଵାରା ପ୍ରକାଶିତ ଏବଂ ବରପାଲି ଅଧୀଶ୍ଵର ଲାଲ୍‌ ନୃପରାଜ ସିଂହଦେବଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ । ଉତ୍ସର୍ଗ ପତ୍ରରେ କବି ଗଙ୍ଗାଧର, ଲେଖିଛନ୍ତି, ‘‘ଆଜିକାଲି ଉତ୍କଳର କବିମାନେ ସରସ୍ୱତୀଙ୍କର ବିବିଧ ସୁରଭି-କୁସୁମ ପୂର୍ଣ୍ଣ ମନୋହର ମହୋଦ୍ୟାନରୁ ସୁନ୍ଦର ସୁନ୍ଦର କୁସୁମମାନ ଚୟନ କରି ରାଜା-ମହାରାଜାମାନଙ୍କୁ ଭକ୍ତି ଉପହାର ଦେଉ ଅଛନ୍ତି । ମୁଁ କବି ନୁହେଁ, ଉକ୍ତ ମହୋଦ୍ୟାନରେ ମୋର ପ୍ରବେଶ କରିବା କ୍ଷମତା ନାହିଁ । ସୁତରାଂ ଉଦ୍ୟାନରେ ଭିତ୍ତିପଦ ନିପତିତ କେତେଗୁଡ଼ିଏ ଗନ୍ଧହୀନ ଅସାର ପର୍ଯ୍ୟୁସିତ କୁସୁମ ପତ୍ର ପଟୁରେ ଧରି ଛାମୁରେ ଉପସ୍ଥିତ ହୋଇଅଛି । ଏଥିରେ କୃପାଦୃଷ୍ଟି ପତିତ ହେଲେ ଚରିତାର୍ଥ ହେବି” । ଏଥିରେ ସନ୍ନିବେଶିତ “ଆମୋଦ’ ଶୀର୍ଷକ କବିତା ନୃପରାଜ ସିଂହଙ୍କ ନାମରେ ପ୍ରକାଶ ପାଇଥିଲା । କବିବର ରାଧାନାଥ ଉକ୍ତ ଲେଖାରୁ ଏହା ଜାଣିପାରିଥିଲେ ଓ ଗଙ୍ଗାଧରଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ । ନୃପରାଜ ସିଂହଙ୍କ ନାମରେ ତାଙ୍କର ଅନେକ କବିତା “ଉତ୍କଳ-ସାହିତ୍ୟ’’ରେ ପ୍ରକାଶିତ ହୋଇଥିଲା ।

 

‘‘କବିତା କଲ୍ଲୋଳ”ରେ ସନ୍ନିବେଶିତ ପାଞ୍ଚଟି କଦିତା ପ୍ରଥମେ “ସମ୍ବଲପୁର ହିତୈଷିଣୀ”ରେ ପ୍ରକାଶ ପାଇଥିଲା । ଏଗୁଡ଼ିକ ପରେ ପୁସ୍ତକାକାରରେ ସ୍ଵଭାବ କବିଙ୍କ ଦ୍ଵାରା ପ୍ରକାଶିତ ହୋଇ କବିବର ରାଧାନାଥଙ୍କ ପ୍ରତି ଉତ୍ସର୍ଗୀକୃତ ହୋଇଥଲା । ଏହାର ଭୂମିକାରେ ଗଙ୍ଗାଧର ଲେଖିଛନ୍ତି, ମୋହର ଭୟ ହେଉଅଛି ଯେ, ଏହି ପୁସ୍ତକର ନାମ ଦେଖି କେହି କେହି “କଲ୍ଲୋଳ’କୁ ମହାର୍ଣ୍ଣବ ଉତ୍ତାଳ ତରଙ୍ଗ ବୁଝି ଉପହାସ କରିବେ । କିନ୍ତୁ ପୁସ୍ତକର ଆକାର ଓ ମୂଲ୍ୟ ଦେଖ୍‌ ସେପରି ଅର୍ଥ କରିବା ସଙ୍ଗତ ହେବନାହିଁ । ଅଟବୀ ଗର୍ଭ ବାହିନୀ କ୍ଷୁଦ୍ର ତଟିନୀର ସଙ୍କୀର୍ଣ୍ଣ ସ୍ରୋତ, ମୃଦୁ ମନ୍ଦ ମରୁଦ୍ଦି କମ୍ମିତ କ୍ଷୁଦ୍ର କ୍ଷୁଦ୍ର କଲ୍ଲୋଳ ହୁଁ ଏଠାରେ ଅଭିହିତ ହେବାର ଯୋଗ୍ୟ । କାରଣ ସେ କେତେକ ଉପାଧିଧାରୀ ବିଶିଷ୍ଟ ବନ୍ଧୁଙ୍କର ପ୍ରୀତିପୂର୍ଣ୍ଣ ଦାକ୍ୟ ବାୟୁରେ ଆନ୍ଦୋଳିତ ହୋଇ ମୋହର ଦାରିଦ୍ର୍ୟ-ଗହନ-ବାହିନୀ ଜ୍ଞାନାଲୋକ ବିହୀନ କ୍ଷୁଦ୍ର ହୃଦୟ ନଦୀରେ ଏହି କେତେକ କ୍ଷୁଦ କ୍ଷୁଦ୍ର କଲ୍ଲୋଳ ଉଞ୍ଚିତ ହୋଇଅଛି ।” ପାଞ୍ଚଟି ଯାକ କବିତା ୧୯୧୦ ମସିହାରେ ରଚିତ ହୋଇଥବା ସୂଚୀତ ।

 

‘‘ଅର୍ଘ୍ୟଥାଳୀ” ସଙ୍କଳନରେ ୩୯ଟି କବିତା ସନ୍ନବେଶିତ ! ଏଥି ମଧ୍ୟରେ ‘‘ସମଲାଇ ଦେବୀଙ୍କ ପ୍ରତି”, “ତାକୁ ମଧ୍ୟ ବୋଲି ଥାନ୍ତି ଧର୍ମ ଅବତାର”, ‘‘ଅମୃତ୍ତମ”, ‘‘ମଧୁମୟ”, “ମଳୟ ଆବାହନ”, “ମାତୃଭୂମି”, “ବୁଢ଼ାରଜା’’, “ପ୍ରଧାନପାଟ’’, ବିଦ୍ୟାରତ୍ନଙ୍କ ହିତୈଷିଣୀ, ’' ‘‘ପଞ୍ଚାୟତ”, ଓ “ବିଦୂର ପ୍ରଜାଗର” ପ୍ରଭୃତି ଅନ୍ତର୍ଭୁକ୍ତ । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତି ଏହା ସମର୍ପିତ । ଏହି ପୁସ୍ତକ ୧୯୧୮ ମସିହାରେ ପ୍ରକାଶିତ । ଏହାର ଭୂମିକାରେ ସ୍ଵଭାବକବି ଲେଖିଛନ୍ତି, “ମୋର ହୃଦୟରେ ନାନା ସମୟରେ ଯେ ନାନା ଭାବ ଉଦିତ ହୋଇଥାଏ । ତହିଁରୁ କେତେକ ପଦ୍ୟାକରରେ ଲେଖି ପତ୍ର ପତ୍ରିକା ମାନଙ୍କରେ ପ୍ରକାଶ କରିଥିଲି । ତାହା ସୁଗନ୍ଧ ହେଉକି ନିର୍ଗନ୍ଧ ହେଉ ପୁଷ୍ପରୂପେ ଗଣ୍ୟ । ତତ୍‍ପ୍ରତି ବହୁଦର୍ଶୀମାନଙ୍କର ଦୃଷ୍ଟି ଆକୃଷ୍ଟ ହୋଇଥିବାର ବୋଧହୁଏ ।’ ତାଙ୍କର ସୃଜନାତ୍ମକ କବିତା ସମୂହ ଯାହା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ କ୍ଷୁଦ୍ର କବିତା ବଳୀ ‘କବିତାମାଳା” ନାମକ ଅଧ୍ୟାୟରେ ଗଙ୍ଗାଧର ଗ୍ରନ୍ଥାବଳୀରେ ପ୍ରକାଶ ପାଇଛି । ବିଭିନ୍ନ ପ୍ରାର୍ଥନା, ବିଭିନ୍ନ ଅବକାଶରେ ତଥା ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଉଦ୍ଦେଶ୍ୟରେ କବିତା ମାନ ଲିଖିତ । ବିଭିନ୍ନ ପତ୍ର ପତ୍ରିକାର ପ୍ରକାଶନ ଅବସରରେ ଅଥବା ବାର୍ଷିକ ସଂଖ୍ୟାଗୁଡ଼ିକରେ ପ୍ରକାଶନାର୍ଥେ କବିତାମାନ ଲିଖିତ । ଏପରିକି ମହାରାଣୀ ଭିକ୍ଟୋରିଆଙ୍କ ଉଦ୍ଦେଶ୍ୟରେ ତଥା ସପ୍ତମ ଏଡ଼ୱାର୍ଡ଼ଙ୍କ ପରଲୋକରେ ମଧ୍ୟ ସ୍ଵଭାବ କବି କବିତା ଲେଖିଛନ୍ତି । କବିତା ମାଳାରେ ୩୭ଟି କବିତା ସନ୍ନିବେଶିତ ହୋଇଛି ।

 

ଗ୍ରନ୍ଥାବଳୀରେ ତାଙ୍କର ଶେଷ କବିତା ‘ଭାରତୀ ଭାବନା’ ପ୍ରକାଶ ପାଇଛି । ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କଲାପରେ ବରପାଲି ଠାରେ ଅବସ୍ଥାନ କାଳରେ ୧୯୨୨ ମସିହାରେ ‘ଭାରତୀ ଭାବନା’ ରଚିତ । ସ୍ଵୀଧିନତା ଆନ୍ଦୋଳନ ଆରମ୍ଭ ହେବା ପରେ ବ୍ରିଟିଶ୍‌ ସରକାରଙ୍କର ଦୌରାତ୍ମ୍ୟ ଓ ଅତ୍ୟାଚାର ବୃଦ୍ଧି ଏବଂ ଗାନ୍ଧିଜୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଭାରତ ଭୂମିର ଭାବନା ହିଁ ଏହି କବିତାର ଉପଜୀବ୍ୟ । କବିତାଟି ୧୯୨୩ ଜାନୁୟାରୀ ସଂଖ୍ୟା “ମୁକୁର”ରେ ଏବଂ ପରେ ଏକ ସ୍ଵତନ୍ତ୍ର ପୁସ୍ତିକାକାରରେ ପ୍ରକାଶିତ ହୋଇଥିଲା । “ଭାରତୀ ଭାବନା”ର ପ୍ରଥମ ପଦରେ ସ୍ଵଭାବ କବି ଲେଖିଛନ୍ତି,

 

“ଗୋଲୋକ ମଣ୍ଡଳ-       ନାଥେ ଲକ୍ଷ୍ୟକରି

କହନ୍ତି ଭାରତୀ କିଶୋରୀ,

ଭାରତ ମଣ୍ଡଳେ             ଯାହାକଲ ନାଥ

ମନୁ ହେଉନାହିଁ ପାଶୋରି,

ଗୋପେନ୍ଦ୍ର, ଛଳେ ଜାତିକୁଳ ନାଶିଲ

ଯାହାଥିଲା ଆମ୍ଭ             ନିଜତ୍ଵ ତହିଁରେ

ନିଜ ପ୍ରଭୂତା ପ୍ରକାଶିଲ ।”

 

ବ୍ରିଟିଶ ଶାସନ ପ୍ରତି ତାଙ୍କର ମନୋଭାବ ସ୍ପଷ୍ଟ । ସରଳ ମନା, ସୃଜନଶୀଳ କାବ୍ୟିକ ପ୍ରତିଭାର ସମ୍ରାଟ ସ୍ଵଭାବ କବି ଗଙ୍ଗାଧରଙ୍କ କାବ୍ୟକବିତା କାଳ କାଳକୁ ସାହିତ୍ୟ ଜଗତକୁ ଅନୁପ୍ରାଣିତ କରିବ । ‘ଭାରତୀ ଭାବନା’ ତାଙ୍କର ଶେଷ କବିତା ହେବ ବୋଲି ନ ଜାଣି ମଧ୍ୟ କବି ଏକ ଉପସଂହାର ମୂଳକ କଥା ନିବେଦନାତ୍ମକ ଭାବନାରେ ପ୍ରକାଶ କରିଛନ୍ତି । ଶେଷ ପଦରେ କବି ଲେଖିଛନ୍ତି,

 

“ନ ଦୋଷି ଅକ୍ଷରେ             ଅର୍ଥର ଲକ୍ଷ୍ୟରେ

ଉଚିତ୍‌ ସ-କାର ଭରିବ,

ଲଘୁ ଗୁରୁ ହସ୍ରସ୍ଵ             ଦୀର୍ଘ ଯା ଅବଶ୍ୟ

ହେବ ଯୋଗ୍ୟ ତାହା କରିବ,

ପାଠକ, ସେହିଭାର ତୁମ୍ଭ ହାତରେ

ହେବ ବିଚାରକ             ବୋଲି ବିଚାରକ

ଜଣାଉଛି ନତ ମଥାରେ ।”

 

ତେବେ “ଭାବନା” କବିତା ରଚନା ପୂର୍ବରୁ ଗଙ୍ଗାଧର ଲେଖିଥିଲେ “କୃଷକ ସଙ୍ଗୀତ” । ସାହିତ୍ୟ ସମାଲୋଚକମାନେ ଏହି କାବ୍ୟ ଗ୍ରନ୍ଥର ଆଲୋଚନା ବା ପ୍ରକାଶ କଦାଚିତ୍‌ କରିନଥାନ୍ତି । ସ୍ଵୟଂ ସ୍ଵଭାବ କବି ମଧ୍ୟ ଏହି କବିତା ସମୂହର ଗ୍ରହଣୀୟତା ପ୍ରତି ସନ୍ଦିହାନ ଥିଲେ ।

 

ରାଜବୋଡ଼ା ସମ୍ବର ଜମିଦାର ଲାଲ୍‌ ରାଜେନ୍ଦ୍ର ସିଂହ ବରିହାଙ୍କ ଅନୁରୋଧ କ୍ରମେ ସେ କୃଷି ସମ୍ବନ୍ଧୀୟ ଏହି କବିତାବଳି ଚଚନା କରିଥଲେ । ସମାଜର ଅନ୍ନଦାତା କୃଷକମାନଙ୍କର ଯଶଗାନ ସାଙ୍ଗକୁ ବିଭିନ୍ନ ଶସ୍ୟର କୃଷିପ୍ରଣାଳୀ ବିଭିନ୍ନ ସ୍ଥାନରୁ ସଂଗ୍ରହ କରି କଲମ ମୁନରେ କୁସୁମର ମାଳ ସଦୃଶ ଗୁନ୍ଥି ଦେଇଛନ୍ତି ସ୍ଵଭାବ କବି । ଏହାର ଉତ୍ସର୍ଗ ପତ୍ରରେ କବି ଗଙ୍ଗାଧର ଲେଖିଛନ୍ତି, “ମତିମନ୍‌ ଯେଉଁ ମହୀ ରୂହର ପୁଷ୍ପ କେହି ଗ୍ରହଣ କରନ୍ତି ନାହିଁ, ତାହା ନିଜେ ମହୀର ଆଶ୍ରୟ ଗ୍ରହଣ କରିଥାଏ । ଯହି ଆପଣଙ୍କର ଉପଦେଶାନୁସାରେ ରଚିତ ଏହି ପୁସ୍ତକ ଅନ୍ୟର ଗ୍ରହଣୀୟ ହୋଇନଥିଲେ ହେଁ ଆପଣଙ୍କର ଉପେକ୍ଷଣୀୟ ହେବ ନାହିଁ ବୋଲି ଭରସାର ସହିତ ଆପଣଙ୍କ କରକମଳରେ ଅର୍ପଣ କଲି । ଇନ୍ଦୁମତୀ ମହୁଲ ଫୁଲକୁ ବରମାଲ୍ୟ ରୂପେ ରାଜକୁମାର ଅଜଙ୍କ ଗଳାରେ ଦେଇନଥିଲେ କି” ? “ଗଙ୍ଗାଧର ଗ୍ରନ୍ଥାବଳୀ”ରେ ମଧ୍ୟ ଏହା ସର୍ବଶେଷରେ ପ୍ରକାଶ ପାଇଛି ।

 

କୃଷି ପ୍ରଧାନ ଏ ରାଜ୍ୟରେ ସ୍ଵଭାବକବି କିଭଳି ମହତ କାର୍ଯ୍ୟ କରିଛନ୍ତି ତାହା କିଏ କାହାକୁ ବୁଝାଇବ ? କୃଷକ ସଙ୍ଗୀତ ୧୯୨୧ ମସିହାରେ ପ୍ରକାଶ ପାଇଥିଲା ଏବଂ ଏହା ଲାଲ୍‌ ରାଜେନ୍ଦ୍ର ସିଂହ ବରିହାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ । ଏଥରେ ସନ୍ନିବେଶିତ ହୋଇଛି କବିତା “ଅନ୍ନର ମହିମା” ‘‘କୃଷିର ଗୌରବ’’, ‘‘କୃଷକର ଆତ୍ମକଥା’, ‘‘ଭୂମିବିଭାଗ” ତଥା ବିଭିନ ଖାଦ୍ୟ ଶସ୍ୟର ଚାଷ ପ୍ରଣାଳୀ, ବିଭିନ୍ନ କିସମର ପନିପରିବା ତଥା କାଉଁରିଆ ଓ ଛଣ ଚାଷ ମଧ୍ୟ ବାଦ୍‌ ଯାଇନାହିଁ । ଏଥି ସହ ବିଭିନ୍ନ ଉଦ୍ଭିଦ ରୋଗର ପ୍ରତିକାର ଓ ଗୋରକ୍ଷଣ ଆଦି ପ୍ରସଙ୍ଗ ମଧ୍ୟ ଦକ୍ଷତାର ସହ କାବ୍ୟିକ ଭାବରେ ବର୍ଣ୍ଣିତ ।

 

ଏହା ବ୍ୟତୀତ ରହିଛି କବିଙ୍କର କେତେକ ଗଦ୍ୟ ରଚନା । ଗଙ୍ଗାଧରଙ୍କ କାବ୍ୟ ସମୂହ ଭାବନା ପ୍ରଧାନ ନ ହୋଇ ରସ ପ୍ରଧାନ ବୋଲି କବିବର ରାଧାନାଥ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ପ୍ରକୃତି ଦେବୀଙ୍କର ପଟ୍ଟ ପୁରୋହିତ ବ୍ୟାସ ବାଲ୍ମିକୀ ଯାହାଙ୍କର କଳ୍ପନାର ଚିର ସହଚର, ଦାରିଦ୍ର୍ୟ ଏବଂ ଅନ୍ୟ ଜଟିଳ ସମସ୍ୟାର ସମାଧାନ ତାଙ୍କର ପ୍ରଧାନ ବ୍ୟବସାୟ ହୋଇଅଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।

 

ମେହେର ଗଦ୍ୟ ବିଚିତ୍ରା: -

ପ୍ରକୃତି ରାଣୀର ମହିମାନ୍ୱିତ ଚିତ୍ରକର ଯଶସ୍ଵୀ ସ୍ଵଭାବ କବି ଗଙ୍ଗାଧର ମେହେର ଗଦ୍ୟ ରଚନା କ୍ଷେତ୍ରରେ ମଧ୍ୟ ମନୋନିବେଶ କରିଥିଲେ । ତେବେ କାବ୍ୟ କୃତି କ୍ଷେତ୍ରରେ ତାଙ୍କର ଆଗ୍ରହ ଅତ୍ୟଧିକ ଥିଲା । କାବ୍ୟ କବିତା ସାଙ୍ଗକୁ ଗଦ୍ୟ ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଥିଲା । ଏପରିକି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନିକଟକୁ ତାଙ୍କଦ୍ଵାରା ଲିଖିତ ପତ୍ରାବଳୀ ମଧ୍ୟ ଉତ୍କୃଷ୍ଟ ସାହିତ୍ୟ ଭାବରେ ସ୍ଵୀକୃତି ଲାଭ କରିଛି ଏବଂ ପାଠକମାନେ ଏସବୁକୁ ଆଗ୍ରହରେ ପଠନ କରିଥାନ୍ତି-

 

ଗଙ୍ଗାଧର ଗ୍ରନ୍ଥାବଳୀର ନୂତନ ପୂର୍ଣ୍ଣାଙ୍ଗ ସଂସ୍କରଣରେ ଅନେକ ନୂତନ କବିତା ଓ ଗଦ୍ୟ ରଚନା ସନ୍ନିବେଶିତ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ଗ୍ରନ୍ଥାବଳୀରେ ବହୁଲେଖା ପ୍ରକାଶିତ ହୋଇପାରି ନଥିଲା । ଗ୍ରନ୍ଥ ମନ୍ଦିର କର୍ତ୍ତୃକ ୧୯୯୮ ମସିହାରେ ପ୍ରକାଶିତ ଗ୍ରନ୍ଥାବଳୀରେ ସଙ୍କଳକ ଡକ୍ଟର ମଣୀନ୍ଦ୍ରକୁମାର ମେହେର ସୂଚନା ଦେଇଛନ୍ତି, ‘‘କବିଙ୍କର ଆହୁରି କେତେକ ରଚନା ମଧ୍ୟ ସଂଗୃହୀତ ହୋଇପାରେ । ଯେଉଁ ଲେଖାମାନଙ୍କ ରଚନା ଓ ପ୍ରକାଶ କାଳ ବର୍ତ୍ତମାନ ଅଜ୍ଞାତ ତାହା ମଧ୍ୟ ଦିନେ ଆଲୋକକୁ ଆସିଯାଇପାରେ । ଏ ଦିଗରେ ଗବେଷକ ଓ ଲେଖକମାନଙ୍କ ଆଗ୍ରହ ଏବଂ ନିଷ୍ଠା ନୂତନ ସଂସ୍କରଣ ପାଇଁ ଦିନେ ବାଟ ଫିଟାଇବ ।

 

ବର୍ତ୍ତମାନ ପରିସ୍ଥିତିରେ ମୋ ଦ୍ଵାରା ଯେତିକି ସମ୍ଭବ ସେତିକି ତଥ୍ୟ ସଂଗ୍ରହ ଉପରେ ନିର୍ଭର କରି ଲେଖାକାର୍ଯ୍ୟ ସମ୍ପାଦନ କରିଛି ।”

 

୧୯୫୧ ମସିହାରେ ପ୍ରଥମଥର ପାଇଁ “ଗଙ୍ଗାଧର ଗ୍ରନ୍ଥାବଳୀ” ପ୍ରକାଶିତ ହୋଇଥିଲା । ଏହି ଉଦ୍ଦେଶ୍ୟରେ ଗଠିତ ଏକ ଉପଦେଷ୍ଟା ମଣ୍ଡଳୀର ଉଦ୍ୟମ କ୍ରମେ କବିପୁତ୍ର ଭଗବାନ ମେହେର ଏହା ପ୍ରକାଶ କରିବାକୁ ସମର୍ଥ ହୋଇଥିଲେ । ବରପାଲି ହାଇସ୍କୁଲର ତଦାନୀନ୍ତନ ଶିକ୍ଷକ ତଥା ‘‘ମେହେର କବି”, ‘‘କୃଷ୍ଣଭକ୍ତି ରସାମୃତ’’ ଓ “ବାଳଭକ୍ତି” ପ୍ରଭୃତି ପୁସ୍ତକର ପ୍ରଣେତା ପଣ୍ଡିତ ରାଘବ ମିଶ୍ରଙ୍କ ସମ୍ପାଦନାରେ ଏହି ଗ୍ରନ୍ଥାବଳୀ ପ୍ରକାଶ ପାଇଥିଲା । ଏହି ପ୍ରଥମ ସଂସ୍କରଣର ଭୂମିକାରେ ପ୍ରକାଶକ ଭଗବାନ ମେହେର ଲେଖିଛନ୍ତି, “ଆଉ ମଧ୍ୟ ଦୁଃଖର ସହ ପ୍ରକାଶ କରିଛନ୍ତି ଯେ ଗ୍ରନ୍ଥାବଳୀରେ ଯେଉଁ ସବୁ ଲେଖା ଦେବା ପାଇଁ ସୁଧୀବର୍ଗଙ୍କ ଉପଦେଶ ପାଇଥିଲି, ଅର୍ଥଭାବ ବଶତଃ ତାହା ଦେବାକୁ ଅକ୍ଷମ ହୋଇ ସେମାନଙ୍କୁ ସବିନୟ କ୍ଷମାଭିକ୍ଷା କରିଛନ୍ତି ।’ ଗଙ୍ଗାଧର ଗ୍ରନ୍ଥାବଳୀର ପ୍ରଥମ ସଂସ୍କରଣରେ ପ୍ରକାଶିତ ‘‘ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସଂକ୍ଷିପ୍ତ ଜୀବନ ଚରିତ”ରେ ପଣ୍ଡିତ ରାଘବମିଶ୍ର ସ୍ଵଭାବକବିଙ୍କ ଗଦ୍ୟ ରଚନା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ତେବେ ପ୍ରକାଶିତ କାବ୍ୟ କବିତା ସମ୍ପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରିଛନ୍ତି ।

 

ସ୍ଵଭାବକବିଙ୍କ ଗଦ୍ୟ ରଚନାବଳୀ ସମୂହ, “ଦାକ୍ଷିଣାତ୍ୟ-ଭମଣର ସମାଲୋଚନା”, “ବ ଭେଦ”, ର ଓ ରୁ ଭେଦ”, “ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ’’, ଏହା କି ପୃଥବୀର ଶବ୍ଦ ?’ ‘ଚୁଗୁଲିଆ’’, ‘ଶ୍ରୀ ନୃପରାଜ ସିଂହ” ‘‘କିମ୍ବଦନ୍ତୀ’’, ‘‘ସ୍ୱର୍ଗୀୟ କାଶୀନାଥ ପଣ୍ଡା”, “ଉତ୍କଳ ଭାଷାର ଗୌରବ”, “ଆତ୍ମଜୀବନୀ (ସଂକ୍ଷିପ୍ତ)”, “ଖଣ୍ଡିଏ ପତ୍ର’ ପ୍ରଭୃତି ପ୍ରକାଶ ପାଇଛି । ଏଥି ସହ “ପତ୍ରାବଳୀ” ଶୀର୍ଷକରେ ମୋଟ ୧୫୭ଟି ପତ୍ର ପ୍ରକାଶିତ । ଏଥରେ ବିଭିନ୍ନ କବିଙ୍କ ସମ୍ପର୍କରେ ମନ୍ତବ୍ୟ, ପ୍ରମାଣ ପତ୍ର ମଧ୍ୟ ଅନ୍ତର୍ଭୁକ୍ତ । “ପୁରାଣ କବି ଫକୀର ମୋହନ” ଶୀର୍ଷକରେ ଏକକାଳ୍ପନିକ ଦୃଶ୍ୟ ଗଦ୍ୟର ମଧ୍ୟ ରଚନା କରିଛନ୍ତି ।

 

ତାଙ୍କର ଗଦ୍ୟ ରଚନା ସମୂହ “ସମ୍ବଲପୁର ହିତୈଷିଣୀ” ଏବଂ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥଲା । ଶ୍ରୀନୃପରାଜ ସିଂହ ଶୀର୍ଷକ ଜୀବନୀ ପୁସ୍ତିକା ୧୯୦୪-୧୯୦୫ ମସିହାରେ ଲିଖିତ ଓ ପ୍ରକାଶିତ ହୋଇଥଲା ।

 

ସ୍ଵଭାବ କବି ଗଙ୍ଗାଧର “ଦାକ୍ଷିଣାତ୍ୟ ଭ୍ରମଣର ପୁସ୍ତକ ସମାଲୋଚନା’ ଲେଖାରେ ଶଶୀଭୂଷଣ ରାୟ ପ୍ରଣୀତ’ ଦାକ୍ଷିଣାତ୍ୟ ଭ୍ରମଣ” ପୁସ୍ତକ ଆଲୋଚନା ପୂର୍ବକ ଏଥିରେ କେତେକ ତ୍ରୁଟି ବିଚ୍ୟୁତିର ଉଲ୍ଲେଖ କରିବା ସହ ଏକ ଗହନ ତତ୍ତ୍ଵ ପ୍ରକାଶ କରିଛନ୍ତି । ସ୍ଵଭାବ କବିଙ୍କ ଭାଷାରେ, ପୃଥିବୀରେ ସମସ୍ତେ ଦେଖିଜାଣନ୍ତି ନାହିଁ, ଚର୍ମ ଚକ୍ଷୁର ଦର୍ଶନ ଅପେକ୍ଷା ଜ୍ଞାନ ଚକ୍ଷୁର ଦର୍ଶନ ଭିନ୍ନ ଧରଣର । ଚର୍ମଚକ୍ଷୁ ଓ ଜ୍ଞାନଚକ୍ଷୁର ଏକତାରେ ଯେଉଁମାନେ ଦେଖି ପାରନ୍ତି, ସେମାନଙ୍କ ମଧ୍ୟରୁ ଅନେକ ତାହା ଅନ୍ୟକୁ ଦେଖାଇବା ନିମନ୍ତେ ଅସାଧାରଣ ନୈପୁଣ୍ୟ ପ୍ରଦର୍ଶନ କରି ଅଛନ୍ତି । ପୁସ୍ତକ ପାଠ କଲେ କବିଙ୍କ ଦଶତ ସ୍ଥାନସବୁ ଦେଖିଲା ପରି ବୋଧହୁଏ, ଆଉ ଏକ ପ୍ରକାର ଆନନ୍ଦ ଅନୁଭବ ହୁଏ । ଆଉ ଗୋଟିଏ କଥା ଅଛି ଯେ, ସମସ୍ତଙ୍କ ଲେଖାରେ ସମାନ ମାଧୁର୍ଯ୍ୟ ଥାଏ ନାହିଁ ।”

 

ପୁନଶ୍ଚ, “ଯେଉଁ ପୁସ୍ତକ ଉତ୍କଳ ଗୌରବ ନିଜର ନିର୍ବୋଧତାର ପରିଚୟ ହୋଇପାରେ” ବୋଲି ଉଲ୍ଲେଖ କରି ସ୍ଵକୀୟ ମହାନତାର ପରିଚୟ ପ୍ରଦାନ କରିଛନ୍ତି ।

 

‘ବ’ ଭେବ ରଚନାରେ ସେ ସଂସ୍କୃତ ଭାଷାରୁ ଓଡ଼ିଆ ଭାଷାର ଉତ୍ପତ୍ତି ବୋଲି ଉଲ୍ଲେଖ କରିବା ସହ ସଂସ୍କୃତ ଭାଷାରେ ବ୍ୟବହୃତ ଦେବନାଗରୀ ଲିପି ସହ ଓଡ଼ିଆ ଲିପିର ଯଥେଷ୍ଟ ସାମଞ୍ଜସ୍ୟ ରହିଥିବା ଦର୍ଶାଇଛନ୍ତି । ବ ଏବଂ ୱ ଉଚ୍ଚାରଣ ଭେଦ ପ୍ରସଙ୍ଗ ଉଲ୍ଲେଖ କରି ସେ ଓଡ଼ିଆ ଲିପି ସଂସ୍କାର ଉପରେ ୧୮୯୭ ମସିହାରେ “ସମ୍ବଲପୁର ହିତୈଷିଣୀ’ରେ ପ୍ରକାଶିତ ଏହି ଲେଖାରେ ମତବ୍ୟକ୍ତି କରିଛନ୍ତି । ପଣ୍ଡିତ ବର୍ଗ ଏ ଦିଗରେ ଆଲୋଚନା ପୂର୍ବକ ସିଦ୍ଧାନ୍ତ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି । ସେହିପରି ର ଏବଂ ରୁ ଅକ୍ଷର ମଧ୍ୟରେ ପ୍ରଭେଦ ମଧ୍ୟ ଦର୍ଶାଇଛନ୍ତି । ଏହି କ୍ଷୁଦ୍ର ଲେଖାଦ୍ଵୟରେ ତାଙ୍କର ଅସୀମବ୍ୟାକରଣ ଜ୍ଞାନର ପ୍ରଦର୍ଶନ କରିଛନ୍ତି ।

 

“ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ” ଲେଖାରେ ସ୍ଵଭାବ କବି ସମସ୍ତ ବ୍ୟକ୍ତିଙ୍କୁ ଏହି ତିନି ଶ୍ରେଣୀରେ ବିଭକ୍ତ କରିଛନ୍ତି । ଏହି ତିନି ଶ୍ରେଣୀର ବ୍ୟକ୍ତିଙ୍କ ଜ୍ଞାନ, ଗାରିମା, ବୈଶିଷ୍ଟ୍ୟ, ପାର୍ଥକ୍ୟ ଏବଂ ଚାରିତ୍ରିକ ପ୍ରବୃତ୍ତି ସଂମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଶେଷରେ ଉଲ୍ଲେଖ କରିଛନ୍ତି’’, ଶିକ୍ଷା ଗୌରବ କେବଳ ଜ୍ଞାନୀର ଅନୁଭବନୀୟ । ତାହା ଅଶିକ୍ଷିତ ଓ ଶିକ୍ଷାଭିମାନୀର ଅନୁଭବ ମର୍ମରେ ଆବିର୍ଭୂତ ହେବାର ବସ୍ତୁ ନୁହେଁ । ଜ୍ଞାନୀ ସାମାନ୍ୟ ଦରିଦ୍ରଠାରୁ ଅତୁଳ-ଐଶ୍ଵର୍ଯ୍ୟଶାଳୀ ସମ୍ରାଟ ପର୍ଯ୍ୟନ୍ତ ସମସ୍ତଙ୍କ ବିଷୟ ସମାଲୋଚନା କରିବାକୁ କ୍ଷମ । ପ୍ରକୃତି ଦେବୀ ସମାଲୋଚିତ ନହେବା ନିମନ୍ତେ ଜ୍ଞାନୀ ସପକ୍ଷରେ ଆପଣାର ବିଚିତ୍ରଲୀଳା ଓ ପରମ ସୌନ୍ଦର୍ଯ୍ୟ ପ୍ରକାଶ କରୁଥାନ୍ତି-। ଅଶିକ୍ଷିତ ବ୍ୟକ୍ତି ତାହା ଦେଖି ସୁଦ୍ଧା ଦେଖିପାରେ ନାହିଁ । ଶିକ୍ଷାଭିମାନୀ ତାହାର ଛାୟା ସୁଦ୍ଧା ଦେଖିବାକୁ ଅସମର୍ଥ’’ । ଏହି ଲେଖାଟି ୧୯୦୦ ମସିହାର ଜାନୁଆରୀ ସଂଖ୍ୟା ‘‘ଉତ୍କଳ ସାହିତ୍ୟ’’ ପତ୍ରିକାରେ ପ୍ରକାଶିତ ହୋଇଥିଲା ।

 

‘‘ଏହା କି ପୃଥିବୀର ଶବ୍ଦ’’ ? ଶୀର୍ଷକ କ୍ଷୁଦ୍ର ଲେଖାଟି ୧୯୦୦ ଜାନୁଆରୀ ସଂଖ୍ୟା ‘‘ଉତ୍କଳ ସାହିତ୍ୟ’’ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏଥିରେ ନଭୋମଣ୍ଡଳରେ ବାୟୁର ଶୂନ୍ୟତା ସମ୍ପର୍କରେ ଆଲୋଚା ପୂର୍ବକ ସ୍ୱଭାବ କବି ତାଙ୍କର ବିଜ୍ଞାନ ସମ୍ପର୍କିତ ଜ୍ଞାନର ପରିଚୟ ପ୍ରଦାନ କରିଛନ୍ତି ।

 

‘‘ସମ୍ବଲପୁର ହିତୈଷିଣୀ’’ ତା୨.୭.୧୯୦୪ରିଖ ସଂଖ୍ୟାରେ ପ୍ରକାଶିତ ‘‘ଚୁଗୁଲିଆ’’ ଶୀର୍ଷକ ଲେଖାରେ ଚୁଗୁଲିଆମାନଙ୍କର ଚରିତ୍ର ସମ୍ପର୍କରେ ବ୍ୟଙ୍ଗାତ୍ମକ ଶୈଳୀରେ ବର୍ଣ୍ଣନା କରିଛନ୍ତି ଏବଂ ବାସ୍ତବରେ ଚୁଗୁଲିଆହୀନ, ଯେ ଚୁଗୁଲି କଥା ଗ୍ରହଣ କରେ, ସେ ହୀନତର ।’’

 

‘‘ଶ୍ରୀନୃପରାଜ ସିଂହ ପୁସ୍ତକର ଭୂମିକାରେ ସ୍ୱଭାବ କବି ଉଲ୍ଲେଖ କରିଛନ୍ତି, ‘‘ବରପାଲି ଅଧିଶ୍ୱର ରାୟ ବାହାଦୂର ନୃପରାଜ ସିଂହଦେବଙ୍କର ଜୀବନଚରିତ ଲେଖିବା ନିମନ୍ତେ ଶ୍ରୀଯୁକ୍ତ ବାବୁ ନୀଳମଣି ବିଦ୍ୟାରତ୍ନ ମହାଶୟ ମୋତେ ଅନୁରୋଧ କରିଥିଲେ । ମୁଁ ରାୟ ବାହାଦୂର ମହୋଦୟଙ୍କର ଜଣେ ପ୍ରଜା ପୁଣି ସେମାନେ ଶିକ୍ଷାନ୍ନତିର ମୂଳ କାରଣ । ତାଙ୍କର ଅପରିଶୋଧନୀୟ ସ୍ନେହରେ ମୁଁ ଚିରଋଣୀ । ପରମ ହିତୈଷୀ ବିଦ୍ୟାରତ୍ନଙ୍କ ଅନୁରୋଧ ରକ୍ଷା ଓ ରାୟବାହଦୂରଙ୍କ ଠାରେ କୃତଜ୍ଞତା ପ୍ରକାଶ, ଏହି ଉଭୟ କାର୍ଯ୍ୟ ସମାଧାନ ଏହି କ୍ଷୁଦ୍ର ପୁସ୍ତକ ଲେଖିଥିଲି । ଏଥିରୁ ଶଂସିତ ପୁସ୍ତିକାର ବିଷୟ ବସ୍ତୁ ଅନୁମେୟ । ଏଥିସହ ବହୁ ଐତିହାସିକ ତଥ୍ୟ ଉକ୍ତ ପୁସ୍ତିକାରେ ସନ୍ନବେଶିତ ।

 

ସ୍ୱଭାବକବି ଲେଖିଛନ୍ତି ‘‘ଏ ପ୍ରଦେଶର କେବଳ ସମ୍ବଲପୁର ନଗରରେ ଶୀତଳ ଷଷ୍ଠୀ (ହର ପାର୍ବତୀ ବିବାହ) ଯାତ୍ରା ହେଉଥିଲା । ନୃପରାଜ ସିଂହ ନିଜର ପୁତ୍ର ଲାଲ୍‌ବୀର ମହେନ୍ଦ୍ର ସିଂହଙ୍କର ଜନମର ଆନନ୍ଦମୟ ଅବ୍ଦକୁ ଚିର ସ୍ମରଣୀୟ କରିବା ନିମନ୍ତେ ୧୮୭୭ ଖ୍ରୀଷ୍ଟାବ୍ଦରୁ ବରପାଲିରେ ଉକ୍ତ ଯାତ୍ରା ସମାରୋହର ସହିତ ସମ୍ପାଦନ କରି ଆସୁଛନ୍ତି । ନୃପରାଜ ସିଂହଙ୍କୁ ପ୍ରଦତ୍ତ ରାୟ ବାହାଦୂର ସନନ୍ଦରେ ବଡ଼ଲାଟ୍ ଲର୍ଡ଼ କର୍ଜନ ୧୯୦୦ ମସିହା ଜାନୁଆରୀ ପହିଲାରେ ସ୍ୱାକ୍ଷର କରିଥିଲେ । ଉକ୍ତ ସନନ୍ଦ ଓ ନୃପରାଜ ସିଂହଙ୍କ ପ୍ରଶଂସନୀୟ କାର୍ଯ୍ୟାବଳୀ ସମ୍ପର୍କରେ ସମ୍ବଲପୁରର ଡେପୁଟି କମିଶନର ମି. ରଜର୍ସଙ୍କ ଭାଷାରେ ଲିଖିତ ମନ୍ତବ୍ୟ ଏବଂ ତାହାର ଓଡ଼ିଆ ଅନୁବାଦକୁ ଏହି ପୁସ୍ତିକାରେ ସ୍ଥାନିତ କରି ସ୍ୱଭାବ କବି ତାଙ୍କର ଇଂରାଜୀ ଭାଷା ଜ୍ଞାନର ପରିଚୟ ପ୍ରଦାନ କରିଛନ୍ତି ।

 

‘‘କିମ୍ବଦନ୍ତୀୟ’’ ରଚନାରେ ସ୍ୱଭାବ କବି ହୁମା ସ୍ଥିତ ବିମଳେଶ୍ୱର ପୀଠ ସମ୍ପର୍କରେ ପ୍ରଚଳିତ କିମ୍ବଦନ୍ତୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଥିରେ ବକ୍ର ମନ୍ଦିରର ଇତିହାସ ଓ ରୀତିନୀତି ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ‘‘ସ୍ୱର୍ଗୀୟ କାଶୀନାଥ ପଣ୍ଡା’’ ଶୀର୍ଷକ ଲେଖାରେ ଉକ୍ତ କୃତି ସନ୍ତାନଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରାଯାଇଛି । ସାଂପ୍ରତିକ କାଳରେ ପ୍ରତିକୃତି ଏବଂ ପ୍ରତିମୂର୍ତ୍ତି ଅନାବରଣ ବହୁଳଭାବରେ ହେଉଛି । ଅନେକ କୃତି ସନ୍ତାନଙ୍କ ଜୟନ୍ତୀ ଓ ଶ୍ରଦ୍ଧାବାସରେ ବିଭିନ୍ନ ପତ୍ର ପତ୍ରିକାର ଲେଖାମାନ ପ୍ରକାଶିତ ହୋଇଥାଏ । ସମ୍ବଲପୁର ଜିଲ୍ଲାର ଲରମ୍ଭା ଗ୍ରାମରେ ସ୍ୱର୍ଗୀୟ କାଶୀନାଥ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ନିମନ୍ତେ ସେହି କାଳରେ ଏକ ସମାରୋହର ଆୟୋଜନ ଏକ ନୂତନ ପ୍ରାୟ ଘଟଣାଥିଲା । ତା.୭.୪.୧୯୧୨ ମସିହାରେ ଲିଖିତ ଉକ୍ତ ଲେଖା ‘‘ସମ୍ବଲପୁର ହିତୈଷିଣୀର’’ର ତା.୪.୫.୧୯୧୨ ରିଖ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ।

 

ବାମଣ୍ଡା ମହାରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଗ୍ରନ୍ଥାବଳୀର କିୟଦଂଶ ବଙ୍ଗଳା ଭାଷାରେ ବିଜୟ ଚନ୍ଦ୍ର ମଜୁମଦାର୍‌ଙ୍କ ଦ୍ୱାରା ଅନୁଦିତ ହୋଇ ପ୍ରକାଶ ପାଇବା ଅବସରରେ ଆନନ୍ଦ ପ୍ରକାଶ ପୂର୍ବକ ସ୍ୱଭାବ କବି ‘‘ଉତ୍କଳଭାଷାର ଗୌରବ’’ ଶୀର୍ଷକ ଲେଖା ପ୍ରସ୍ତୁତ କରିଛନ୍ତି । ଏହା ସମ୍ବଲପୁର ହିତୈଷିଣୀ ତା.୨.୧୧.୧୯୧୨ରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା ।

 

ସ୍ୱଭାବ କବିଙ୍କ ଗଦ୍ୟ ରଚନାବଳୀ ମଧ୍ୟରେ ରହିଛି ତାଙ୍କର ‘‘ଆତ୍ମଜୀବନୀ’’ ତାଙ୍କ ଜୀବନର ସ୍ୱଳ୍ପ କେତେକ ଅଧ୍ୟାୟକୁ ସେ ସଂକ୍ଷିପ୍ତ ଭାବରେ ପାଠକମାନଙ୍କ ଉଦ୍ଦେଶ୍ୟରେ ଲିପିବଦ୍ଧ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କର ପୂର୍ବଜ ସମ୍ବଲପୁର ସହରରେ ବସବାସ କରୁଥିଲେ । ୧୯୧୪ ମସିହାରେ ସେ ତାଙ୍କର ଏହି ଆତ୍ମଜୀବନୀ ରଚନା କରିଥିଲେ ।

 

ଅନେକ ଆଶା ଓ ନିରାଶାର ପ୍ରତିଫଳନ ପୂର୍ବକ ସେ ଲେଖିଥିଲେ ‘‘ପୁରାଣ କବି ଫକୀର ମୋହନ’’ ଏହି ଲେଖାରେ ସେ ଫକୀର ମୋହନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିବା ସାଙ୍ଗକୁ ତାଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ ସହ ତାଙ୍କୁ ଅତ୍ୟନ୍ତ ଉଚ୍ଚାସନ ପ୍ରଦାନ କରିଛନ୍ତି । ଜୁଲାଇ ୧୯୧୮ ମସିହା ସଂଖ୍ୟା ‘‘ଉତ୍କଳ ସାହିତ୍ୟ’’ରେ ଏହି ଲେଖା ପ୍ରକାଶିତ ହୋଇଥିଲା ।

 

‘‘ଖଣ୍ଡିଏ ପତ୍ର’’ ନାମରେ ଆଉ ଏକ ଲେଖା ସ୍ୱପ୍ନ ସମାଚାର ଶୈଳୀରେ ସେ ରଚନା କରିଛନ୍ତି । ଲେଖା ଶେଷରେ ପରିବ୍ରାଜକ ନୟନ ସିଂହ ଏହି ସ୍ୱପ୍ନ ଦେଖିଥିବା ବର୍ଣ୍ଣତି ହୋଇଛି । ଅର୍ଥାତ୍ ଏହି ଲେଖାର ସ୍ୱପ୍ନ ଦର୍ଶନ କାରୀଙ୍କ କାଳ୍ପନିକ ନାମ ନୟନ ସିଂହ ବୋଲି ଉଲ୍ଲିଖିତ ।

 

ସ୍ୱଭାବ କବିଙ୍କ ଦ୍ୱାରା ରଚିତ ୧୫୭ଟି ପତ୍ର ମଧ୍ୟ ତାଙ୍କର ସାହିତ୍ୟିକ ଜୟ ଯାତ୍ରାର ସନ୍ତକ ବହନ କରିଛି । ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ଲିଖିତ ଉକ୍ତ ‘‘ପତ୍ରାବଳୀ’’ରେ ବିଭିନ୍ନ ସାହିତ୍ୟିକ ଓ ସାମାଜିକ ସମସ୍ୟା ଓ ତଥ୍ୟାବଳୀର ଅବତାରଣା କରାଯାଇଛି । ଏହି ପତ୍ର ସମୂହରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥା ସାଂପ୍ରତିକ କାଳରେ ଅନୁଧ୍ୟାନ ଓ ପ୍ରଣିଧାନ ଯୋଗ୍ୟ ବିଷୟ ବର୍ଣ୍ଣିତ ହୋଇଛି । ପାଠକ ମହଲରେ ଏଗୁଡ଼ିକ ଅନେକ ସମୟରେ କୌତୁହଳ ସୃଷ୍ଟି କରିଥାଏ ଏବଂ ଚିନ୍ତା ରାଜ୍ୟକୁ ପୂର୍ବ କାଳକୁ ଫେରାଇ ନେଇଥାଏ । ଏହି ପତ୍ର ସମୂହରେ ବହୁ ବାସ୍ତବତା ଅଜ୍ଞାତତଥ୍ୟ ସମ୍ପର୍କରେ ସୂଚନା ରହିଛି ।

 

୧୮୯୫ ମସିହା ବେଳକୁ ମଧ୍ୟ ପୋଷ୍ଟ ଅଫିସରେ ଅବ୍ୟବସ୍ଥା ଓ ଅବହେଳା ପରିଲକ୍ଷିତ ହେଉଥିଲା, ସ୍ୱଭାବକବି ଲେଖିଛନ୍ତି, ‘‘ତୁଳସୀସ୍ତବକ’’ର ଦ୍ୱିତୀୟ ସ୍ତବକ ମୁଁ ପାଇଁ ନାହିଁ । ପୋଷ୍ଟ ଅଫିସର ଦୂରାଚାରିତା ହେତୁ ଏପରି ଘଟିଥିବାର ଅନୁମାନ ହୁଏ । ଏହି ପତ୍ର କବିବର ରାଧାନାଥଙ୍କ ନିକଟକୁ ଲିଖିତ ହୋଇଥିଲା । ଏହି ପତ୍ରରେ ସେ ‘‘ରାଧାନାଥ ଗ୍ରନ୍ଥାବଳୀ’’ ପ୍ରକାଶନ ନିମନ୍ତେ ମତବ୍ୟକ୍ତ କରିଥିଲେ । ସ୍ୱଭାବକବି ‘‘ଇନ୍ଦୁମତୀ’’ କାବ୍ୟ ପ୍ରକାଶନରେ କେତେକବନ୍ଧୁଙ୍କ ଠାରୁ ଋଣ ଆଣିଥିଲେ ବୋଲି ମଧ୍ୟ ସୂଚିତ କରିଛନ୍ତି । ପୁନଶ୍ଚ ଲେଖିଛନ୍ତି, ‘‘ଆପଣ ସମୁଦ୍ର ପାରହୋଇ ବନ ମଧ୍ୟରେ କୁମ୍ଭୀର ହାବୁଡ଼େଇଲେ କବିବରଙ୍କ ଦୁଃଖରେ ସମଭାଗୀ ହେବା ପାଇଁ ମଧ୍ୟ ସେ ଆଗ୍ରହ ପ୍ରକାଶ କରିଛନ୍ତି ।

 

ବ୍ୟାସକବି ଫକୀର ମୋହନ ‘‘ରାମାୟଣ’’ ଅନୁବାଦ କରିଥିବାରୁ ସ୍ୱଭାବ କବି ଏଥିରୁ କ୍ଷାନ୍ତ ହୋଇଥିଲେ । ସ୍ୱଭାବ କବି ଲେଖିଛନ୍ତି, ‘‘ଅର୍ଥ ବଡ଼ନୁହେଁ ଆଉ ବଡ଼ ଅଟେ, ଯେଉଁମାନଙ୍କର ଧନର ସହ ବ୍ୟବହାର ହେଉଅଛି, ସେମାନେ ପ୍ରକୃତଧନୀ ।’’ ସମ୍ବଲପୁରର ଇତିହାସ ଏବଂ ରାଜସ୍ଥାନର ଜଣେ ନାୟକଙ୍କୁ ନେଇ ଏକ କାବ୍ୟ ପ୍ରଣୟନ କରିବା ନିମନ୍ତେ ସ୍ୱଭାବ କବି ଅଭିଳାଷ ପୋଷଣ କରିଥିଲେ । ଏହିପରି ବିଭିନ୍ନ ବ୍ୟକ୍ତିଙ୍କ ନିକଟକୁ ଲିଖିତ ପତ୍ର ଗୁଡ଼ିକରେ ବହୁ ଜ୍ଞାତବ୍ୟ କଥା ରହିଛି । ସେଥିମଧ୍ୟରୁ ମୁଖ୍ୟ ବିଷୟ ସମୂହ ଏଠାରେ ଉଲ୍ଲେଖ କରାଯାଇଛି ।

 

କବିବରଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ହୋଇଥିଲେ । ତିନିଟଙ୍କା ଛଅଅଣା ଦେଇ ସମ୍ବଲପୁର ଗେଜେଟିୟର ଏବଂ ଏକଟଙ୍କା ଦଶଅଣା ଦେଇ ‘‘ରାଜସ୍ଥାନ’’ ପୁସ୍ତକ କିଣିଥିଲେ ମଧ୍ୟ ଦୀର୍ଘକାଳ ପର୍ଯ୍ୟନ୍ତ ଅଧ୍ୟୟନ କରିପାରି ନଥିଲେ । ବ୍ରଜମୋହନ ପଣ୍ଡା କବିଙ୍କ ନିକଟକୁ ପଠାଇଥିଲେ ୫ ଟଙ୍କା ସେ ଏହି କାର୍ଯ୍ୟରେ ବ୍ୟୟ କରିଥିଲେ । ବ୍ରଜ ମୋହନ ପଣ୍ଡା ଲେଖିଥିବା କବିତାଗୁଡ଼ିକ ଉପରେ ସ୍ୱକୀୟ ମନ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱଭାବ କବି ସଂଶୋଧନ କରିଥିଲେ । ସମ୍ରାଟ ସପ୍ତମ ଏର୍ଡ଼ୱାର୍ଡ଼ଙ୍କ ବିୟୋଗରେ ସ୍ୱଭାବକବି ଏକ କବିତା ଲେଖିଥିଲେ ଓ ତାହା ‘‘ସମ୍ବଲପୁର ହିତୈଷିଣୀ’’ରେ ପ୍ରକାଶିତ ହୋଇଥିଲା ।

 

ଶ୍ରୀ ଘନଶ୍ୟାମ ମିଶ୍ର ସ୍ୱଭାବକବିଙ୍କ ଗୁରୁଥିଲେ । ଯାଜପୁର ଅଧିବାସୀ ଦାଶରଥି ମହାରଣା କଲିକତାରେ ବାର୍ତ୍ତା ପ୍ରେସ୍ ପ୍ରତିଷ୍ଠା ପୂର୍ବକ ‘‘ଉତ୍କଳ ବାର୍ତ୍ତା’’ ନାମକ ଏକ ସମ୍ବାଦ ପତ୍ର ପ୍ରକାଶ କରୁଥିଲେ । ଆର୍ଥିକ ବୋଝ ସମ୍ଭାଳିବା ନିମନ୍ତେ ସେ ବାଧ୍ୟବାଧକତାରେ ବରପାଲି ଜମିଦାରଙ୍କ ନିକଟରେ ମାସକୁ ୨ ଟଙ୍କା ବେତନରେ କାର୍ଯ୍ୟ କରୁଥିଲେ ଏବଂ ନିଜ ପୁତ୍ରର ଶିକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ତାଙ୍କର ମନ ଉଦାସ ଓ ଜୀବନ ଶିଥିଳ ଥିଲା । ଲରମ୍ଭାରେ ଉପାର୍ଜିତ ଧନ ସାହିତ୍ୟିକ ଖର୍ଚ୍ଚରେ ବିନିଯୋଗ କରିବା ନିମନ୍ତେ ସେ ସ୍ଥିର କରିଥିଲେ ।

 

‘‘ବୈଦ୍ୟ କଳ୍ପଦ୍ରୁମ’’ ପ୍ରଭୃତି ଗ୍ରନ୍ଥର ଲେଖକ ତଥା ‘‘ଉତ୍କଳ ସେବକ’’ ‘‘ସାଧନା’’ ଓ ‘‘ହୀରାଖଣ୍ଡ’’ର ସମ୍ପାଦକ କବି ଭୂଷଣ ପଣ୍ଡିତ ସ୍ୱପ୍ନେଶ୍ୱର ଦାଶ ‘‘ସମ୍ବଲପୁରର ଆତ୍ମକଥା’’ ପୁସ୍ତକ ମଧ୍ୟ ରଚନା କରିଥିଲେ । ୧୯୧୧ସାଲ ସ୍ୱଭାବକବିଙ୍କ ନିମନ୍ତେ ବେଦନା ଦାୟକ ଓ ସଂଘର୍ଷମୟ ଥିଲା । ପୁନଶ୍ଚ ସେହିବର୍ଷ ଫେବୃଆରୀ ମାସ ୨୪ ତାରିଖ ପୁର୍ବାହ୍ନ ୮ଟାରେ ସମ୍ବଲପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ଓ ଗାଡ଼ିର ଶବ୍ଦ ପରି ଶବ୍ଦ ଶୁଣାଯାଇଥିଲା । ତା. ୮.୨.୧୯୧୧ ମସିହାରୁ ତାଙ୍କର ବେତନ ୨୫ ଟଙ୍କା ହେବାର ସମ୍ଭାବନା ସମ୍ପର୍କରେ ସେ ଏକ ପତ୍ରରେ ସୂଚନା ଦେଇଥିଲେ । ସ୍ୱଭାବ କବି ସଦାସର୍ବଦା ସ୍ୱୀୟ ପୁତ୍ରଙ୍କର ସ୍ୱାସ୍ଥ୍ୟଚିନ୍ତାରେ ବ୍ୟଥିତ ହେଉଥିଲେ । ପଚିଶ ଟଙ୍କା ପରିବର୍ତ୍ତେ ତାଙ୍କ ବେତନ ୩୦ଟଙ୍କା ଧାର୍ଯ୍ୟ ହୋଇଥିଲା । ‘‘ସମ୍ବଲପୁର ହିତୈଷିଣୀ’’ରେ ବ୍ରଜ ମୋହନଙ୍କର ଏକ କବିତା ଠିକ୍ ଭାବରେ ମୁଦ୍ରିତ ହୋଇ ନଥିବାରୁ ସ୍ୱଭାବ କବି ତାହା ପଢ଼ି ପାରିନଥିଲେ ।

 

ସୋନପୁର ମହାରାଜା ଉତ୍କଳ ଦର୍ପଣ ପ୍ରେସ କିଣି ‘‘ସୋନଭୂଷଣ’’ ନାମରେ ସ୍ଥାପନ କରିଥିଲେ ଓ ଏକ ସପ୍ତାହିକ ସମ୍ବାଦ ପତ୍ର ସମତେ କାବ୍ୟ କବିତାଦି ପ୍ରକାଶ କରିବା ନିମନ୍ତେ ମନସ୍ଥ କରିଥିଲେ । ସମ୍ବଲପୁର ସହରର ସାନ ସଡ଼କରେ ସ୍ୱଭାବକବି ୬୮ ଫୁଟ ଦୈର୍ଘ୍ୟ ଏବଂ ୫୦ ଫୁଟ ପ୍ରସ୍ଥବିଶିଷ୍ଟ ଏବ ଘର ୩୮୦ ଟଙ୍କାରେ କିଣିଥିଲେ । ୧୯୧୧ ମସିହା ଜୁଲାଇ ମାସରେ ସମ୍ବଲପୁରର ବିସୂଚିକା ରୋଗରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା । ସେହି ମାସ ୧୮ ତାରିଖ ଦିନ ସୋନ୍‌ପୁରର ଦେୱାନ ଦୀନବନ୍ଧୁ ପଟ୍ଟନାୟକ ପକ୍ଷାଘାତ ରୋଗରେ ପରଲୋକ ଗମନ କରିଥିଲେ-

 

ମାଘ ମାସରେ ବେଦବ୍ୟାସଠାରେ ମେଳା ଅନୁଷ୍ଠିତ ହେଉଥିବାରୁ ଏହି ଅବସରରେ ‘‘ବେଦବ୍ୟାସ’’ କାବ୍ୟର ପ୍ରକାଶନ ନିମନ୍ତେ ସ୍ୱଭାବକବି ଆଗ୍ରହ ପ୍ରକାଶ କରିଥିଲେ । ଗୃହ ସମସ୍ୟାକୁ ବର୍ଜନ କରି କର୍ତ୍ତବ୍ୟ ପଥରେ ଅଗ୍ରସର ହେବା ନିମନ୍ତେ ସେ ଆହ୍ୱାନ ଦେଇଛନ୍ତି । ବରପାଲି ଜମିଦାର ସ୍ୱକୀୟ ରଚନାବଳୀ ଏକତ୍ର ପ୍ରକାଶ କରନ୍ତୁ ବୋଲି ସ୍ୱଭାବ କବି ବାରମ୍ବାର ନିବେଦନ କରିଥିଲେ । ୧୯୧୨ ମସିହା ଜୁଲାଇ ମାସରେ ବିନିକା ଓ ସୋନପୁରରେ ବିସୂଚିକାର ପ୍ରାଦୁର୍ଭାବ ଦେଖାଯାଇଥିଲା । କୃଷି କର୍ମରେ ନିୟୋଜିତ ତାଙ୍କର ଏକମାତ୍ର ବିଶ୍ୱସ୍ତ ଭୃତ୍ୟ ମଧ୍ୟ ବିସୂଚିକାରେ ପ୍ରାଣ ହରାଇବା ଘଟଣା ସ୍ୱଭାବକବିଙ୍କୁ ବ୍ୟଥିତ କରିଥିଲା ।

 

୧୯୧୨ ମସିହା ବେଳକୁ ମଧ୍ୟ ଭି.ପି.ପି ବ୍ୟବସ୍ଥା ପ୍ରଚଳିତ ଥିଲା । ସ୍ୱଭାବ କବି ଉପଲବ୍‌ଧି କରିଥିଲେ ଯେ ‘‘ଦୀର୍ଘ କବିତା ଯାହା ପୁସ୍ତକାକାରରେ ବାହାରିବାର ଉପଯୁକ୍ତ, ତାକୁ ମାସିକ ପତ୍ରରେ ସ୍ଥାନ ଦେବାକୁ ମଧ୍ୟ ସମ୍ପାଦକ କୁଣ୍ଠିତ ହୋଇପାରନ୍ତି । ଲେଖାଟି ପୂର୍ଣ୍ଣ ନ ହେଉଣୁ ପ୍ରକାଶ କରିବାର ଉତ୍କଣ୍ଠିତ ହେବା ଆମ୍ଭ ପକ୍ଷରେ ଉଚିତ୍ ହେଉନାହିଁ’’ । ଏଥିରୁ ଆଧୁନିକ କାଳରେ ଲେଖକ ଓ କବିମାନେ ନିଶ୍ଚିତ ଭବରେ ଶିକ୍ଷାଲାଭ କରିବେ । ପତ୍ରଲେଖିବା ସମୟରେ ସ୍ୱଭାବ ଯଥେଷ୍ଟ ସଂଯତ ଓ ଶିଷ୍ଟାଚାର ଅବଲମ୍ବନ କରୁଥିଲେ । ଏକ ପତ୍ରରେ ସେ ଲେଖିଛନ୍ତି କେଉଁ କାରଣରୁ ଆପଣ ନିରବ ରହିଲେ ? ମୋର ପତ୍ରଦ୍ୱାରା କ୍ଷୁବ୍ଧ ହୋଇ ନାହାନ୍ତି ତ ? ଦରିଦ୍ର ବନ୍ଧୁର ଦରିଦ୍ର ଭାଷାରେ ଦୁଃଖିତ ହେବେ ନାହିଁ । ମୁଁ ନିଜର ଦୋଷ ସ୍ୱୀକାର କରିବାରେ କେତେବେଳେ କୁଣ୍ଠିତ ନୁହେଁ ଶିଘ୍ର କୁଶଳ ସମ୍ବାଦ ଦେବାହେବେ’’ ।

 

ସ୍ୱଭାବକବି ଆଶାବାଦୀ, ସକଳ ନୈରାଶ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ସେ ଆଲୋକର ଉପଲବ୍‌ଧିରେ ବ୍ରତୀ, ତେଣୁ ତାଙ୍କ ଭାଷାରେ ‘‘ବିଷମ ଶେଷରେ କଳ୍ପତରୁ ଅବା ବହୁମୂଲ୍ୟ ରତ୍ନଖଣି ଥିବାର ବିଶେଷ ସମ୍ଭାବନା ।’’

 

ବରପାଲିର ଜମିଦାର ସ୍ୱଭାବ କବିଙ୍କୁ ଜଣେ ଶ୍ରେଷ୍ଠ ହିତାକାଂକ୍ଷୀ ଭାବରେ କବି ନିଜେ ବହୁଳ ଭାବରେ ତାଙ୍କ ରଚନା ବଳୀରେ ଉଲ୍ଲେଖ କରିଥିଲେ ମଧ୍ୟ ତାଙ୍କର ପତ୍ରାବଳୀରୁ ଜଣାଯାଏ, ଯେ ଜମିଦାରଙ୍କ କାର୍ଯ୍ୟକଳାପ ପ୍ରତି ସେ ଭୀଷଣ ଭାବରେ ଅସନ୍ତୁଷ୍ଟ ଥିଲେ । ଏକାଧିକ ପତ୍ରରେ ସେ ଏହାର ସୂଚନା ଦେଇଛନ୍ତି । ସେ ଏକ ପତ୍ରରେ ଲେଖିଛନ୍ତି, ‘‘ଭଗବାନ ବରପାଲି ଧାନ ମଡ଼ାଇ ଯାଇଅଛି । ଜମିଦାର ଉଚିତ୍ ପ୍ରାପ୍ୟ ପାଣି ଧାନ କ୍ଷେତ୍ରକୁ ଦେବାରେ ବାଧାକରି ଥିବାରୁ ଏବର୍ଷ ଭଲରୂପେ ଧାନ ହୋଇପାରିନାହିଁ । ଜମିଦାର ମୋତେ ମିତ୍ରପରି ମଣୁଥିଲେ ସୁଦ୍ଧା କାର୍ଯ୍ୟ କ୍ଷେତ୍ରରେ ଶତ୍ରୁର କାର୍ଯ୍ୟ କରିଥାନ୍ତି । ତହିଁପାଇଁ ବରପାଲି ସ୍ଥିତ ଭୂମିକୁ ବିକ୍ରୟ କରିଦେବାର ବାସନା ହେଉଛି ।’

 

ଅଧୁନା ଓଡ଼ିଆ ପୁସ୍ତକ ବିକ୍ରୟ କ୍ଷେତ୍ରରେ ଯେଭଳି ସମସ୍ୟା ଦେଖାଦେଉଛି ପୂର୍ବେ ମଧ୍ୟ ତଦ୍ରୁପ ଅବସ୍ଥା ଥିଲା । ମେହେର କବିଙ୍କ ଦ୍ୱାରା ରଚିତ କାବ୍ୟ କବିତା ମଧ୍ୟ ସହଜରେ ବିକ୍ରୟ ହୋଇପାରୁ ନଥିଲା । ସେ ନିଜେ ସ୍ୱୀକାର କରିଛନ୍ତି, ସମ୍ବଲପୁରରେ କବିତା କଲ୍ଲୋଳ କିଛି ମାତ୍ର ବିକ୍ରୟ ହେଉନାହିଁ । ପଟେଲଙ୍କ ଠାକୁ ପୁସ୍ତକ ପଠାଇ ଅଛି । ପ୍ରାପ୍ତି ସ୍ୱୀକାର ସୁଦ୍ଧା ମିଳିନାହିଁ । ପରଶୁରାମ ପ୍ରଧାନଙ୍କ ଠାକୁ ପଠାଇଲେ ସୁଦ୍ଧା ବିକ୍ରୟର ଆଶା ନାହିଁ । ଦୀପିକାରେ ଗୋଟିଏ ବିଜ୍ଞାପନ ଦେବା, ହିତୈଷିଣୀରେ ମଧ୍ୟ’’ । ଅପର ପକ୍ଷରେ ଗଙ୍ଗାଧର ଜଣେ ସଚ୍ଚୋଟ ତଥା ନିୟମିତ ପାଠକ ଥିଲେ । ସେ ‘‘ଉତ୍କଳ ଦୀପିକା’’ର ଗ୍ରାହାକଭୁକ୍ତ ହୋଇଥିଲେ ।

 

ମଧୁସୂଦନଙ୍କ ସ୍ୱର୍ଗାରୋହଣ ପରେ ସ୍ୱଭାବକବିଙ୍କ ହୃଦ୍‌ବୋଧ ହୋଇଥିଲା ଯେ ଉତ୍କଳର ସାହିତ୍ୟ ନେତୃବିହୀନ ହେଲା । ବ୍ୟାସ କବି ଫକୀର ମୋହନ ଅତିଶୟ ବୃଦ୍ଧ ହୋଇଥିବାବେଳେ ଅନ୍ୟମାନେ ନୂତନ ଓ ଯଥେଚ୍ଛା ପଥଗାମୀ । ସାହିତ୍ୟରେ ଦଶା ଇଶ୍ୱରଙ୍କ ଭରସାରେ ବୋଲି ସେ ଉଲ୍ଲେଖ କରିଛନ୍ତି । ମି. ଦାସ ବଡ଼ଲାଟ୍ ସଭାର ସଦସ୍ୟ ହେବା ହେତୁ ପ୍ରକୃତରେ ଓଡ଼ିଶାର ଗୌରବ ବୃଦ୍ଧି ହୋଇଛି ବୋଲି ଉଲ୍ଲେଖ କରି ସେ ସ୍ୱକୀୟ ମହନତାର ପରିଚୟ ପ୍ରଦାନ କରିଛନ୍ତି ।

 

ଏକ ପତ୍ରରେ ସ୍ୱଭାବ କବି ‘‘ତପସ୍ୱିନୀ’’ର ପୁସ୍ତକାରରେ ପ୍ରକାଶନ ଆଶାକ୍ଷୀଣ ବୋଲି ଦର୍ଶାଇଥିଲେ । ଏହି ମହାନ କୃତି ‘‘ମୁକୁର’’ରେ ପ୍ରକାଶ ପାଇବା ଯଥେଷ୍ଟ ବୋଲି ସେ ଆତ୍ମ ସନ୍ତୋଷ ବ୍ୟକ୍ତ କରିଥିଲେ । ଯେଉଁ ‘‘ତପସ୍ୱିନୀ’’ କାବ୍ୟ ମେହେର ସାହିତ୍ୟର ସର୍ବଶ୍ରେଷ୍ଠ କୃତି ବୋଲି ବିବେଚିତ ସେ ସମ୍ପର୍କରେ କପିଙ୍କ ନିଜସ୍ୱ ମନ୍ତବ୍ୟ ପ୍ରଣିଧାନ ଯୋଗ୍ୟ । ସେ କେବେହେଲେ ତପସ୍ୱିନୀର ଶ୍ରେଷ୍ଠତ୍ୱ ପ୍ରତିପାଦନ ନିମନ୍ତେ ପ୍ରୟାସ କରିନଥିଲେ । ଏହା ହିଁ ତାଙ୍କର ମହନୀୟ ଗୁଣର ପରିପ୍ରକାଶ ।

 

୧୯୧୩ ମସିହା ଅଗଷ୍ଟ ମାସ ୨୯ ତାରିଖଦିନ ତାଙ୍କର ବେତନ ୫ଟଙ୍କା ବଢ଼ିଥିଲା । ଏ ବିଷୟ ବର୍ଣ୍ଣନା କରି ସେ ଲେଖିଥିଲେ ଯେ, ‘‘ସାହିତ୍ୟ ସମ୍ବନ୍ଧରେ କିଛି କହିପାରୁ ନଥିବାରୁ ବେତନ ବୃଦ୍ଧିର ଆନନ୍ଦ ଉପଲବ୍‌ଧ ହୋଇପାରୁ ନାହିଁ । ସାହିତ୍ୟ ପ୍ରତି ଏଭଳି ଆସକ୍ତି କ୍ୱଚିତ ପରିଲକ୍ଷିତ ହୋଇ ନଥାଏ । ସ୍ୱଭାବ କବି ବାସ୍ତବରେ ସାହିତ୍ୟ ଜଗତର ମହାରଥି ଓ ସେନାପତି । ସେ ଥିଲେ ସାହିତ୍ୟାନୁରାଗର ଅସରନ୍ତି ଗାଥା । ସେ ଥିଲେ ପ୍ରକୃତି ରାଣୀର ଯଥାର୍ଥ ସ୍ତାବକ ଏବଂ ଉତ୍କଳ ଜନନୀର ସମ୍ବଳହୀନ ଧନବାନ । ଜୀବନର ପ୍ରତି କୋଣ ଅନୁକୋଣରେ ସାହିତ୍ୟ ସଙ୍ଗୀତର ଲହରୀ ପ୍ରବାହମାନ । ତାଙ୍କ ପାଇଁ ସାହିତ୍ୟ ଜଗତ ହୋଇଥିଲା ରୁଦ୍ଧିମନ୍ତ ।

 

ସ୍ୱଭାବ କବି ଅତ୍ୟନ୍ତ ଦରଦୀ ପ୍ରାଣର ପ୍ରତୀକ ଓ ସନ୍ତକ ଥିଲେ । ସକଳ ନିରାଶା ମଧ୍ୟରେ ତାଙ୍କର ହୃଦୟ ଥିଲା ଆଶାର ଏକ ଝରଣା । ଅନ୍ୟ ହୃଦୟର ବ୍ୟଥାକୁ ସେ ଅନୁଭବ କରିପାରୁଥିଲେ । ବ୍ରଜମୋହନ ପଣ୍ଡାଙ୍କ ନିକଟକୁ ଏକ ପତ୍ରରେ ସେ ଲେଖିଥିଲେ, ‘‘ଆଜି ଆପଣଙ୍କ ଦୁଃଖରେ ସମଦୁଃଖୀ ହୋଇ ଅଶ୍ରୁସିକ୍ତ ଲେଖନୀରେ ଏହି ପତ୍ର ଲେଖୁଅଛି । ଆପଣଙ୍କ ହୃଦୟ ବେଦନା ମୁଁ ଅନୁଭବ କରିପାରୁଅଛି, କାରଣ ମୁଁ ତହିଁର ଭୁକ୍ତଭୋଗୀ । ସଂସାରରେ ସାନ୍ତ୍ୱନାରେ ଅତୀତ ଅନେକ ଦୁଃଖ ଅଛି । ପୁତ୍ରଶୋକ ତହିଁରେ ପ୍ରଧାନତମ ଅଟେ । ଆପଣ ଜାଣନ୍ତି,

 

‘‘ଯାହା ଲାଗି ଭବେ ଯେତେ ସୁଖ,

ତାହା ଲାଗି ପୁଣି ତେତେ ଦୁଃଖ ।’’

 

ମଙ୍ଗଳମୟ ପରମେଶ୍ୱର କେଉଁ ଅଭିପ୍ରାୟ ସାଧନ ନିମନ୍ତେ ଏପରି ଦୁଃଖଦାନ କରନ୍ତି, ତାହା ତାଙ୍କୁ ହିଁ ଗୋଚର । ତାଙ୍କର ଉଦ୍ଦେଶ୍ୟ ମାନବର ଜ୍ଞାନ ସୀମାର ବହିର୍ଭୁତ ।

 

ହୃଦୟ ପାଷାଣ ଖୋଦିତ ଦୁଃଖ ରେଖାକୁ କାଳସ୍ରୋତ ମଳିନ କରେ, ମାତ୍ର ଲୁପ୍ତ କରିପାରେ ନାହିଁ । ପୁତ୍ର ଶୋକ ଜନିତ ଦୁଃଖ ରେଖା ଲୋପ ହେବାର ବାଞ୍ଛନୀୟ ମଧ୍ୟ ନୁହେଁ ।

 

ଏଥି ସାଙ୍ଗକୁ ପରବର୍ତ୍ତୀ ପତ୍ରରେ ଲେଖିଛନ୍ତି, ‘‘ଯେଉଁ ବିଧାତା ଆପଣଙ୍କ ହୃଦୟରେ ଅନଳ ନିକ୍ଷେପ କରିଅଛନ୍ତି, ତାହା ନିର୍ବାଣ କ୍ଷମତା ତାଙ୍କରି ହାତରେ । ବନ୍ଧୁବାନ୍ଧବ ମାନେ ଦୂରରେ ଥାଇ ହାହାକାର କରିବା ଲୋକ ମାତ୍ର । ବନ୍ଧୁ ବାନ୍ଧବ ଦେଖିଲେ ସେହି ଅନଳ ଅଧିକତର ପ୍ରଜ୍ଜ୍ୱଳିତ ହୋଇଉଠେ । ବୃଷ୍ଟିଜଳ ବିନା ଦାବାନଳର ନିର୍ବାଣ କରିବା କ୍ଷମତା କାହାରି ନାହିଁ । ଇଶ୍ୱର ଆପଣଙ୍କ ହୃଦୟରେ ଶୀଘ୍ର ଶାନ୍ତି ବାରି ବର୍ଷଣ କରନ୍ତୁ ଏହି ମାତ୍ର କାମନା’’ । ଭାଷା ସାଧାରଣ, ଭାବ ଅନନ୍ୟ ସାଧାରଣ ଜୀବନର ଯନ୍ତ୍ରଣାକୁ ଚିହ୍ନିବାରେ ସାର୍ଥକତାର ପରଶ, ସେଥିଲେ ଏକ ସ୍ୱତଃ ପ୍ରସ୍ପୁଟିତ ପୁଷ୍ପ । ତାଙ୍କ ଭାଷାରେ, ‘‘ଫୁଲ ଫୁଟିଲେ ତାହାର ସୌରଭ ଆପେ ଆପେ ଚତୁର୍ଦ୍ଦିଗରେ ବିକୀର୍ଣ୍ଣ ହୁଏ । ଦରଫୁଟା ଫୁଲକୁ ହାତରେ ଫୁଟାଇଦେଲେ ତାହା ହୁଏ ନାହିଁ ।’ ତାଙ୍କର ପତ୍ରାବଳୀରୁ ଜଣାଯାଏ ଯେ ସେ କେବେହେଲେ ଉଚ୍ଚ ସମ୍ମାନ ପ୍ରତି ଆଗ୍ରହୀ ନଥିଲେ କିମ୍ବା ମାନ ସମ୍ମାନ ପଛରେ ଗୋଡ଼ାଇ ନଥିଲେ । ତାଙ୍କ ଭାଷାରେ, ‘‘ଯାହାର ମାନ ନଥାଏ ତାହାର ମାନ ହାନି ହୁଏ । ଯାହାର ମାନ ଆଦୌ ନାହିଁ, ହାନି ହେବ କ’ଣ ? ମୋତେ ଯେତେବେଳେ ଯେଉଁ ମାନ ଟିକକ ମିଳେ, ମୁଁ ତତ୍‌କ୍ଷଣାତ୍ ତାକୁ ଦୂର କରିଦିଏ । ତାହା ଯଦି ମୋ ଠାରେ ରହୁଥାନ୍ତା ତେବେ ବା ମାନହାନି ହୁଅନ୍ତା ।’’

 

ଅନେକ ସମୟରେ ସ୍ୱଭାବକବି ଭାବପ୍ରବଣ ହୋଇ ପଡ଼ୁଥିଲେ ଏବଂ ଏହା ତାଙ୍କ କାବ୍ୟ କବିତା ତଥା ପତ୍ରାବଳୀରେ ମଧ୍ୟ ପ୍ରତିଫଳିତ ହେଉଥିଲା । ଏହି କ୍ରମରେ ସେ ଲେଖିଛନ୍ତି, ଅନେକ କଥା ଲେଖି ପକାଇଲି । ତହିଁପାଇଁ ଆପଣ ମୋତେ ପାଗଳ ମନେ କରିପାରନ୍ତି । ପାଗଳ ହୋଇଥାଏ ଅଥବା ପ୍ରକୃତିସ୍ଥ ଥାଏ, ବନ୍ଧୁର ଆଗରେ ମନର କଥା ନ କହିବି ତ କହିବି ଆଉ କାହାକୁ ? ଦିନୁ ଦିନ ମୋର ଶାରୀରିକ, କି ମାନସିକ ସବୁ ହ୍ରାସ ହୋଇଆସୁଛି । ହେବାର କଥା । ସଂସାରର ଗତି ବଡ଼ ବିଚିତ୍ର ବୋଧ ହେଉଛି । ଏ ସବୁ ମୃତ୍ୟୁ ଆସନ୍ନତାର ଲକ୍ଷଣ କି ? ବହୁତ ଦିନ ବଞ୍ଚିଗଲିଣି । ମୃତ୍ୟୁ ଆଉ ଅବାଞ୍ଛନୀୟ ନୁହେଁ । ଏସବୁ ପ୍ରାଣର ଅବସାଦର ଲକ୍ଷଣ । ଏ ସବୁରେ ଯେ ଇଶ୍ୱରଙ୍କ ମଙ୍ଗଳାଭିପ୍ରାୟ ନାହିଁ, ତାହା କିଏ କହିପାରେ ? ଦୁଃଖିତ ହେବନାହିଁ, ଦୁଃଖିତ ହେବନାହିଁ, ଦୁଃଖିତ ହେବନାହିଁ ।’’

 

ସ୍ୱଭାବ କବି ତାଙ୍କ ପତ୍ରାବଳୀରେ ବିଭିନ୍ନ ସମୟରେ ଅବତାରଣ କରିଥିବା ବିବିଧ ପ୍ରସଙ୍ଗ ସାଂପ୍ରତିକ କାଳରେ ମଧ୍ୟ ପ୍ରଯୁଜ୍ୟ ତଥା କାଳୋପଯୋଗୀ । ସେ ଲେଖିଛନ୍ତି, ଓଡ଼ିଶାରେ ଈର୍ଷାର ଭାଗ ବେଶୀଥିବାରୁ ଶୁଖିଲା ଯଥୋଚିତ ପ୍ରଶଂସା କରିବାକୁ ଲୋକେ କୁଣ୍ଠିତ ଏବଂ ବଡ଼ଲୋକମାନେ ସୁଦ୍ଧା ପ୍ରାପ୍ତି ସ୍ୱୀକାର କରିବାକୁ କୁଣ୍ଠିତ । ଆପଣ ବହିଖଣ୍ଡିଏ ଛପାଇଲେ ପୁଣିଦୁଇ ପଇସାର ଡାକଟିକଟ୍ ଆପଣା ହାତରୁ ଖରଚ କରି ଭଦ୍ରଲୋକ ବନ୍ଧୁମାନଙ୍କ ନିକଟକୁ ପଠାଇଲେ, ମାତ୍ର ସେ ଏକ ପଇସାର ପୋଷ୍ଟକାର୍ଡ଼ ଖରଚ କରି ପ୍ରାପ୍ତି ସ୍ୱୀକାର କରିବେ ନାହିଁ କାହିଁକି ? ଗର୍ବ ହେତୁ ? ନା ଇର୍ଷା ହେତୁ ? ନା ଲଜ୍ଜା ହେତୁ ? ବହିର ପ୍ରାପ୍ତି ସ୍ୱୀକାର କରିବାକୁ କି ଏମାନେ ଯୋଗ୍ୟ ନୁହନ୍ତି ଏବଂ ଉତ୍ସାହ ଦେବାକୁ କି ବାଧ୍ୟ ନୁହନ୍ତି । ଯେଉଁ ଦେଶରେ ସତ୍‌କାର୍ଯ୍ୟର ଆସ୍ୱାଦନ ଓ ଧନ୍ୟବାଦ ନାହିଁ, ସେ ଦେଶ କିପରି ଉନ୍ନତ ହେବ ?

 

ଦୌନନ୍ଦିନ ତେଲ ଲୁଣର ସଂସାର, ପାରମ୍ପରିକ ରୀତି ନୀତି ଓ ପର୍ବ ପର୍ବାଣୀ ପ୍ରତି ମଧ୍ୟ ମେହେରଙ୍କ ନିକଟକୁ ଏକ ପତ୍ରରେ ସେ ଲେଖିଥିଲେ, ‘‘ଏଠାରେ ଲୋକେ ଆମ୍ଭଙ୍କୁ ଛାଡ଼ି ନୂଆଁ ଖାଇବାକୁ କ୍ଷୋଭ ପ୍ରକାଶ କରୁଅଛନ୍ତି । ତୁମ୍ଭେ ସେଠାରେ ନୂଆଁ ନ ଖାଇ ପଡ଼ାର ଲୋକେ ଦୁଃଖିତ ହେବାର ସମ୍ଭବ । ଅତଏବ୍ ତୁମ୍ଭେ ସେଠାରେ ପଡ଼ାଲୋକଙ୍କ ସହିତ ନୂଆଁ ଖାଇବ । ଆମ୍ଭେ ସୁଦ୍ଧା ଏଠାରେ ନୂଆଁ ଖାଇବୁ । ଏଥିରେ ଅନ୍ୟ କିଛି ବିଚାର କରିବ ନାହିଁ । ସ୍ୱଭାବକବି ସେହି ସମୟରେ ବିଜେପୁରରେ ଅବସ୍ଥାନ କରୁଥିଲେ ।

 

‘‘ପତ୍ରାବଳୀ’ର ସଙ୍କଳନ ଅଥବା ପ୍ରକାଶନ ନିମନ୍ତେ ସ୍ୱୟଂ ସ୍ୱଭାବକବି ଆଗ୍ରହୀ ନଥିଲେ । ଏସବୁର ପ୍ରକାଶ ଯୋଗ୍ୟ ଅଂଶ ସମୂହ ସେ ବାଧ୍ୟ ବାଧକତାରେ ଗଭୀର ସଙ୍କୋଚର ସହ ଏକତ୍ର ଲେଖିଥିଲେ । ବ୍ରଜମୋହନ ପଣ୍ଡାଙ୍କ ନିକଟକୁ ସେ ଲେଖିଥିଲେ, ପତ୍ରାବଳୀର ପ୍ରକାଶ ଯୋଗ୍ୟ ଅଂଶ ଲେଖୁଅଛି, କିନ୍ତୁ ପ୍ରକାଶ କରିବାକୁ ମୋତେ ବଡ଼ ସଙ୍କୋଚ ବୋଧହୁଏ । ଆପଣ ପ୍ରକାଶକ ହେଲେ ଭଲ ହୁଅନ୍ତା । ଛାପା ଖର୍ଚ୍ଚ ମୁଁ ଯୋଗାଇପାରେ । ମୋର ଦୁଃଖ ଦାରିଦ୍ର୍ୟମୟ ଜୀବନ ମଧ୍ୟ ଲେଖିବି । ପ୍ରକାଶ ବିଷୟ ତଥୈବଚ’ ।

 

ସ୍ୱଭାବ କବି ଥିଲେ ବାସ୍ତବରେ ଗୁଣଗ୍ରାହୀ । ଗୁଣୀ ଲୋକଙ୍କର ପ୍ରଶଂସା କରିବାରେ ସେ ଆଦୌ ଅବହେଳା କରୁ ନଥିଲେ । ଏହାର ଅନେକ ଦୃଷ୍ଟାନ୍ତ ରହିଛି । ସେ ଯେ କେବଳ ଧନୀ ଅଥବା ପ୍ରତିଷ୍ଠିତ କିମ୍ବା ତାଙ୍କର ରଚନାବଳୀ ପ୍ରକାଶନରେ ସହଯୋଗୀ ମନଙ୍କର ପ୍ରଶଂସା କରୁଥିଲେ ତାହାନୁହେଁ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ପ୍ରଶଂସାରେ ସେ ଶତମୁଖ ହୋଇପଡ଼ୁଥିଲେ । କବିଭୂଷଣ ସ୍ୱପ୍ନେଶ୍ୱର ଦାଶଙ୍କ ସମ୍ବନ୍ଧରେ ମନ୍ତବ୍ୟ ପ୍ରଦାନ ପୂର୍ବକ ସ୍ୱଭାବକବି ଲେଖିଥିଲେ, ‘‘କବି ଓ ପଣ୍ଡିତ ସ୍ୱପ୍ନେଶ୍ୱର ଦାଶ ମହାଶୟ ସମଗ୍ର ଉତ୍କଳରେ ସୁପରିଚିତ-। ନିଜର କବିତ୍ୱ, ପାଣ୍ଡିତ୍ୱ ଓ ବକ୍ତୃତାର ମୋହିନୀ ଶକ୍ତିଦ୍ୱାରା ଏ ଜିଲ୍ଲାର ବହୁ ଶିକ୍ଷିତ ବ୍ୟକ୍ତିଙ୍କର ଚିତ୍ତରଞ୍ଜନ କରି ପଦ ପଦକ ମାଳାରେ ସମ୍ମାନିତ ହୋଇଛନ୍ତି । ସମୟେ ସମୟେ ସମ୍ବାଦପତ୍ରମାନଙ୍କର ଗୌଣ ଭାବରେ ପ୍ରବନ୍ଧାଦି ଲେଖୁଥିଲେ । ସୁଯୋଗ କ୍ରମେ ସେ ‘‘ଉତ୍କଳ- ସେବକ’’ର ସମ୍ପାଦକ ପଦଲାଭ କରି ଯେଉଁ କୃତିତ୍ୱ ଦେଖାଇ ଅଛନ୍ତି, ତଦ୍ଦ୍ୱାରା ତାଙ୍କର ତଥା ‘‘ଉତ୍କଳ- ସେବକ’’ର ଏବଂ ସମ୍ବଲପୁରର ଗୌରବ ବୃଦ୍ଧି ହୋଇଥିବା ପ୍ରତୀୟମାନ ହୁଏ ।’’

 

ସରଳ ଓ ସାବଲୀଳ ଶବ୍ଦ ସଂଯୋଜନା ବାକ୍ୟ ଗଠନ ତଥା ସର୍ବଜନ ବୋଧଗମ୍ୟ ଶୈଳୀରେ ତାଙ୍କର ଗଦ୍ୟ ରଚନା ସମୂହ ବିମଣ୍ଡିତ । ସେ କ୍ଳିଷ୍ଟ ଭାଷା ବିନ୍ୟାସ ବଳରେ ପାଠକମାନଙ୍କୁ ଭାରାକ୍ରାନ୍ତ କରିବାରେ ମନୋନିବେଶ କରିନାହାନ୍ତି । କେବଳ ବର୍ଣ୍ଣନାତ୍ମକ ଶୈଳୀରେ କେତେକ ଜୀବନ୍ତ ପ୍ରସଙ୍ଗର ଅବତାରଣା କରିଛନ୍ତି ମାତ୍ର । ତାଙ୍କର କାବ୍ୟ କବିତା ତୁଳନାରେ ଗଦ୍ୟ ରଚନାବଳୀର ବିଶେଷ ଆଲୋଚନା ହୋଇନାହିଁ । କେତେକ ସ୍ଥଳରେ ସ୍ୱଭାବ କବି କ୍ଳିଷ୍ଟ ତଥା ସାଧାରଣ ଲୌକିକ ଶବ୍ଦାବଳୀ ଭାବନାର ସ୍ରୋତରେ ପ୍ରୟୋଗ କରିଛନ୍ତି ଏବଂ ପାଠକମାନଙ୍କ ପକ୍ଷରେ ତାହା ସହଜ ବୋଧଗମ୍ୟ କରିବା ନିମନ୍ତେ ଆବଶ୍ୟକ ସ୍ଥଳେ ପାଦଟୀକା ଲେଖିଛନ୍ତି । ତାଙ୍କର କାବ୍ୟ କବିତା ଭଳି ଗଦ୍ୟ ରଚନା ମଧ୍ୟ ବିସ୍ତୃତି ଆଳୋଚନା ସାପେକ୍ଷ । ଗବେଷକଗଣ ଏଥି ମଧ୍ୟରୁ ବହୁ ଜଟିଳ ତତ୍ତ୍ୱର ସନ୍ଧାନ ପାଇ ପାରିବେ ।

 

ମେହେରଙ୍କ ସାହିତ୍ୟରେ ଉତ୍କଳୀୟ ଭାବନା :-

ସମ୍ବଲପୁରର ଭାଷା ଆନ୍ଦୋଳନ ପର୍ବରେ ଓଡ଼ିଆ ସାହିତ୍ୟିକମାନଙ୍କର ବଳିଷ୍ଠ ଲେଖନୀ ଚାଳନା ଜନମତକୁ କରିବା ଦିଗରେ ସହାୟକ ହୋଇଥିଲା । ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରତ୍ୟକ୍ଷ ଭାବରେ ଏହି ଆନ୍ଦୋଳନରେ ସାମିଲ ହୋଇ ପାରିନଥିଲେ । ମଧ୍ୟ ସ୍ୱକୀୟ କବିତା ଓ କବିତା ମାଧ୍ୟମରେ ସମ୍ବଲପୁରରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀ ଭାଷା ପ୍ରଚଳନର ଆଭାସ ପାଇବା ପରଠାରୁ ଏ ଦିଗରେ ଲେଖନୀ ଚାଳନା ଆରମ୍ଭ କରିଥିଲେ । ତାଙ୍କର ଉତ୍କଳୀୟ ଭାବନା ବିଭିନ୍ନ କାବ୍ୟ ଓ କବିତାରେ ପ୍ରତିଫଳିତ । ସେଥିଲେ ବିଶ୍ୱସ୍ତରୀୟ କବି । ତାଙ୍କ କଳ୍ପନା ରାଜ୍ୟରେ ବିଶ୍ୱଥିଲା ଅମୃତମୟ । ତେଣୁ ସେଥିଲେ ଅମୃତର କବି । ଓଡ଼ିଆ ସୁଲଭ କୃତଜ୍ଞତା ଭାବ ମଧ୍ୟ ତାଙ୍କ ରଚନାରେ ଅନ୍ୟତମ ବୈଶିଷ୍ଟ୍ୟ ଥିଲା ।

 

ପଣ୍ଡିତ ରାଘବମିଶ୍ର ୧୯୫୧ ମସିହାରେ ‘ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସଂକ୍ଷିପ୍ତ ଜୀବନ ଚରିତ’’ରେ ଲେଖିଛନ୍ତି, ଶିକ୍ଷା, ଅବସ୍ଥାନ, ସାଂସାରିକ ଅବସ୍ଥା ଓ ଅନ୍ୟାନ୍ୟ ଉନ୍ନତି ସାପେକ୍ଷ ପରିସ୍ଥିତିରେ ଆନୁକୂଲ୍ୟ ଲାଭରୁ ବଞ୍ଚିତ ହୋଇ ମଧ୍ୟ ଦେଶ ଓ ଜାତି ପ୍ରତି ମେହେର କବିଙ୍କ ମହାଦାନ ତଦୀୟ ନୈସର୍ଗିକ ମହନୀୟ ପ୍ରତିଭାର ପରିଚାୟକ । କବି ନିଜେ ନାନା ଅଭାବ ଅସୁବିଧା ଦୁଃଖ, ଦାରିଦ୍ର୍ୟର ପଙ୍କରୁ ସେହି ଉତ୍କଳ ଭାରତୀଙ୍କ କଣ୍ଠରେ ଚିର ରମଣୀୟ ସୁରଭି ପୂର୍ଣ୍ଣ ଶତଦଳ ମାଳା ଲମ୍ବାଇ ଯାଇ ଅଛନ୍ତି । ସେ ସ୍ୱକୀୟ ଜୀବନରେ ନାନା ଅଶାନ୍ତି ଭୋଗ କରି ତତ୍ ପରିବର୍ତ୍ତେ ଅନନ୍ତ କାଳ ନିମନ୍ତେ ଏହି ଅନନ୍ତ ମାନବ ମଣ୍ଡଳୀକୁ ପବିତ୍ର ସୌନ୍ଦର୍ଯ୍ୟ ଆନନ୍ଦ ଓ ନିର୍ମଳ ପ୍ରେମ ପ୍ରଦାନ କରିଗଲେ । ତାଙ୍କର ଜୀବନ ଜଟିଳ ଜଞ୍ଜାଳ ଦୁର୍ବିସହ ଥିଲା । ତଥାପି ସେ ଭାଷା ଆନ୍ଦୋଳନକୁ ଖୋଲା ମନରେ ସମର୍ଥନ ଜ୍ଞାପନ ପୂର୍ବକ ସଫଳତା ଜ୍ଞାପନ କରିଛନ୍ତି । ସେ ‘‘ସମ୍ବଲପୁରର ହିତୈଷିଣୀ’’ ପତ୍ରିକାର ତା ୩୦.୧୦.୧୮୯୪ରିଖ ସଂଖ୍ୟାରେ ପ୍ରକାଶିତ ।

 

‘‘ଭାରତୀରୋଦନ’’ କବିତାରେ କବି ଲେଖିଛନ୍ତି,

 

‘ହିନ୍ଦୀ ସରସ୍ୱତୀ            ମୋ ଛାତିରେ ବସି

କରିବ ପରା ରାଜତ୍ୱ

ମୋ ଆଶା କାନନ            ଭସ୍ମରାଶି ହେବ

ତାନବ ଉଦ୍ୟାନେ ଖତ ।

ଉପମାତା ଆସ                  ଗର୍ଭଧାରିଣୀର

ମସ୍ତକେ ଚରଣ ଦେବ

ଏଦଶା ଦେଖିଲେ                  କେଉଁ ସନ୍ତାନର

ମନରେ ଦୁଃଖ ନହେବ ।’’

 

ତଦାନୀନ୍ତନ ସରକାରଙ୍କ ଏତାଦୃଶ କାର୍ଯ୍ୟରେ ସ୍ୱଭାବକବି ଅତ୍ୟନ୍ତ ବ୍ୟଥିତ ଓ ମର୍ମାହତ ହୋଇଛନ୍ତି ତଥା ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀଭାଷାର ପ୍ରଚଳନକୁ ବିରୋଧ କରିଛନ୍ତି । ସମସ୍ତ ସମ୍ଭ୍ରାନ୍ତ ବ୍ୟକ୍ତି ସମ୍ବଲପୁରରେ ଓଡ଼ିଆ ଭାଷାର ପୁନଃ ପ୍ରଚଳନ ନିମନ୍ତେ ମିଳିତ ଭାବରେ ଉଦ୍ୟମ କରିବା ନିମନ୍ତେ ସ୍ୱଭାବକବି ନିବେଦନ କରିବା ସହ ଉପଯୁକ୍ତ ସମୟରେ ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ସମସ୍ତ ଉଦ୍ୟମ ଅକାରଣ ଓ ବ୍ୟର୍ଥ ବୋଲି ଉଲ୍ଲେଖ କରିଛନ୍ତି ।

 

‘‘ବେଳ ଥାଉଁ ଥାଉଁ            ଯତ୍ନକର ବେଗେ

ଆସ ମୋ କୁମାର ଗଣ

ପାଣି ବହିଗଲେ            ବନ୍ଧ ବାନ୍ଧିବାରେ

ହେବ ସିନା ଅକାରଣ ।

ବିନୟ ଭାବରେ            ନିବେଦନ କର

ସର୍ବେ ହୋଇ ଏକ ମୁଖ

ଧର୍ମ ଅବତାର            ରାଜା ରାଜେଶ୍ୱର

ଅବଶ୍ୟ ଶୁଣିବେ ଦୁଃଖ ।

ମହତ ଛାମୁରେ            ପ୍ରାର୍ଥନା କରିବା

ପ୍ରଶଂସା ଅଟଇ ସଦା

ଫଳ ଲାଭ ପଛେ            ନ ହେଲେ ନ ହେବ

ନୀଚେ ନ ଯାଚିବ କଦା’’ ।

 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୧୮୯୫ ମସିହାରେ ସମ୍ବଲପୁରରେ ଓଡ଼ିଆ ଭାଷାର ଉଚ୍ଛେଦ ହୋଇଥିଲେ ମଧ୍ୟ ସରକାରୀ ଘୋଷଣା ପରିପ୍ରେକ୍ଷୀରେ ୧୮୯୩ ମସିହା ବେଳକୁ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇ ସାରିଥିଲା । କବିପ୍ରାଣ ଅଥୟ ହୋଇ ପଡ଼ିଛି ସନ୍ତାପିତ ସମୟରେ । ହିନ୍ଦୀ ଭାଷା ପ୍ରଚଳନ ଜନିତ ଅପମାନଜନକ ଦୁଃସ୍ଥିତିର କଳନା କରି ପାରିଛି ସ୍ୱଭାବକବିଙ୍କ କାବ୍ୟିକ ହୃଦୟ ଏବଂ କଲମ ମୁନରେ ଲିପିବଦ୍ଧ ହୋଇଛି ତାହାର ମାର୍ମିକ ଅଭିବ୍ୟକ୍ତ ଅପର ପକ୍ଷରେ ସେ ହିନ୍ଦୀ ଭାଷାକୁ ମଧ୍ୟ ସରସ୍ୱତୀ ଭାବରେ ଅଭିହିତ କରି ସମ୍ମାନିତ କରିଛନ୍ତି । ଯେଉଁ ସଚେତନ, ବିଦ୍ୱାନ ତଥା ସମର୍ଥ ବ୍ୟକ୍ତିମାନେ ଉତ୍କଳଭାରତୀଙ୍କ ସେବାରେ ନିଜକୁ ନିୟୋଜିତ କରିନାହାନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ କବିଙ୍କ ଲେଖନୀ ମାଧ୍ୟମରେ ଉତ୍କଳ ଭାରତୀ କହିଛନ୍ତି,-

 

‘‘ଆଉ କେତେଗୋଟି            ମହାତ୍ମା ଅଛନ୍ତି

ସ୍ୱାର୍ଥ ପର ସିନା ସର୍ବେ

ଆଜି ଯାଏଁ ମୋତେ            ଚିହ୍ନି ନାହାନ୍ତି ସେ

ପଦ ମଦ ଧନ ଗର୍ବେ

ଧନ ଯଉବନ                  ନିତ୍ୟ ନୁହେଁ ବାବୁ

ପଦ୍ମଦଳେ ଜଳ ଯଥା

ଯେ ଯାହା କରିବ                  ଚିରଦିନ ପାଇଁ

ରହିଯିବ ସନା କଥା’’ ।

 

ସମ୍ବଲପୁରର ପ୍ରତ୍ୟକ୍ଷ ଭାଷା ଆନ୍ଦୋଳନ ସ୍ୱଳ୍ପ ସଂଖ୍ୟକ ବୁଦ୍ଧିଜୀବିଙ୍କ ମଧ୍ୟରେ ସୀମିତ ଥିବାରୁ ସ୍ୱଭାବ କବିଙ୍କ ଆହ୍ୱାନ ବିଶେଷ ଫଳଦାୟକ ହୋଇପାରି ନଥିଲା । ତେବେ ତାଙ୍କର ମାତୃଭୂମି ଓ ମାତୃଭାଷା ପ୍ରୀତି ଅତୁଳନୀୟ ଥିଲା । ସେ ୧୯୧୪ ମସିହା ଡିସେମ୍ବର ସଂଖ୍ୟା ‘‘ଉତ୍କଳ ସାହିତ୍ୟ’’ରେ ପ୍ରକାଶିତ ମାତୃଭୂମି କବିତାରେ ଓଡ଼ିଶାର ସର୍ବଜନ ଜ୍ଞାତ ପଦେ ଲେଖିଥିଲେ,-

 

‘‘ମାତୃଭୂମି ମାତୃଭାଷାରେ ମମତା

      ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା

      ଅଜ୍ଞାନ ରହିବେ କାହିଁ’’

 

ଜନନୀ ଜନ୍ମଭୂମି ପୁଣ୍ୟ କୀର୍ତ୍ତିମୟୀଙ୍କ ଉଦ୍ଦେଶ୍ୟରେ’’ ଉତ୍କଳ ଗୌରବ ମଧୁସୂଦନ ଦାସ କବିତାରେ କବି ଲେଖିଛନ୍ତି,

 

ଜନ୍ମଦାତ୍ରୀ ମାତୃଭୂମି ପୁଣ୍ୟକୀର୍ତ୍ତିଶାଳିନୀ

ପାପତାପଧ୍ୱଂସୀ ଦେବ ସେବ୍ୟତୀର୍ଥମାଳିନୀ ।

ସର୍ବ ଧର୍ମ ସୂକ୍ଷ୍ମମର୍ମ୍ମ ପୂର୍ଣ୍ଣତାର ଗର୍ଭରେ ।

ପାପା ସୃଷ୍ଟନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ଭରେ ।

ଶାନ୍ତ ଗାତ୍ରୀ କାନ୍ତ କୁଞ୍ଜ ଶୈଳ ବର୍ଗରେ

ଚାହିଁ ମୁଗ୍ଧ ଥାଇ ଲୁବ୍ଧ ସ୍ୱର୍ଗବାସୀ ସ୍ୱର୍ଗରେ ।

 

‘‘ମଳୟ ପବନ’’ କବିତାରେ କବି ଲେଖିଛନ୍ତି ଓଡ଼ିଆ ଜନଜୀବନ ସ୍ରୋତ ଉଚ୍ଛାସମୟ ବାର୍ତ୍ତା । ଉତ୍କଳବାସୀଙ୍କର ଆନନ୍ଦ ଉଲ୍ଲାସର କାମନା ତାଙ୍କର ମହାନତାର ସୂଚକ । ସେ ଲେଖିଛନ୍ତି,-

 

‘‘ଧୀରେ ଧୀରେ ଆସ      ମଳୟ ପବନ

ଧୀରେ ଧୀରେ ଆସ ବହି

ପୁଲକିତ କର            ଉତ୍କଳ ବାସୀଙ୍କୁ

ଶୁଭ ସମାଚାର କହି’’

 

ସେ ଉତ୍କଳବାସୀଙ୍କୁ ପୁଲକିତ କରିବାର ଅଫୁରନ୍ତ ଆଶା ବ୍ୟକ୍ତ କରିଛନ୍ତି । ସ୍ୱଭାବକବି କେବେ ହେଲେ କେବଳ କଟକବାସୀଙ୍କୁ ଅଥବା ସମ୍ୱଲପୁରବାସୀଙ୍କୁ ପୁଲକିତ କରିବାପାଇଁ ନିବେଦନ କରିନାହାଁନ୍ତି । ସେହିପରି ‘‘ଅଯାଧା ଦୃଶ୍ୟ’’ କାବ୍ୟର ଶେଷପଦରେ କବି ଲେଖିଛନ୍ତି-

 

‘‘ଉତ୍କଳୀୟ ବସିଅଛୁଁ ଯୋଡ଼ି ବେନିକର

ଆମ୍ଭ ପ୍ରତି ଯଥା ଯୋଗ୍ୟ ଅନୁଗ୍ରହ କର’’ ।

 

ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନିକଟରେ କବି ଓଡ଼ିଶା ବାସୀଙ୍କ ପକ୍ଷରୁ ନିବେଦନ କରିଛନ୍ତି । ତାଙ୍କର ଭାବନା ସଦାସର୍ବଦା ଥିଲା ଉଚ୍ଚକୋଟୀର, ଉଦାର ଏବଂ ସମଦର୍ଶୀ, ସର୍ବୋପରି ସେ ସମଗ୍ର ବିଶ୍ୱକୁ ମଧୁମୟ ବୋଲି ବର୍ଣ୍ଣନା କରି ସ୍ୱକୀୟ ମହାନତାର ପରିଚୟ ପ୍ରଦାନ କରିଛନ୍ତି । ତେଣୁ ମଧୁମୟ କବିତାରେ କବି ଲେଖିଛନ୍ତି-

 

‘‘ବିଶ୍ୱ ଦେଖ ମଧୁମୟରେ ଜୀବନ

      ବିଶ୍ୱ ଦେଖ ମଧୁମୟ

ମଧୁର ଝରଣା କରିବ ହରଣ

      ତୋ ପାପ ମରଣ ଭୟରେ ଜୀବନ’’ ।

 

ଓଡ଼ିଆ ସାହିତ୍ୟାକାଶରେ ସେ ଏକ ଉଜ୍ଜ୍ୱଳ ନକ୍ଷତ୍ର ସଦୃଶ ହୋଇଥିଲେ ହେଁ ନିଜକୁ ଖଦ୍ୟୋତ ଓ ନିଜ ଆଲୋକରେ ଉଦ୍ଭାସିତ ବୋଲି ବର୍ଣ୍ଣନା କରିଥିଲେ । ସେ ଥିଲେ ଅମୃତର କବି ।

 

 

ସାରସ୍ୱତ ଭବନ

ସା-ଅକରପଡ଼ା, ପୋ-ନଳୀପୁର

ଭାୟା-ବାଲିଚନ୍ଦ୍ରପୁର,

ଜିଲ୍ଲା-କଟକ

 

***

 

Unknown

ସୂକ୍ତିର କବି ଗଙ୍ଗାଧର : ଏକ ସଂବୀକ୍ଷଣ

ରବୀନ୍ଦ୍ର କୁମାର ପ୍ରହରାଜ

 

ସ୍ୱଭାବ କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟାକାଶର ଏକ ଜାଜ୍ଜ୍ୱଲମାନ ନକ୍ଷତ୍ର, ଅମ୍ଳାନ ଜ୍ୟୋତିଃରେ ଭାସ୍ୱର କୀର୍ତ୍ତିଶ୍ୱର କାବ୍ୟ ସାଧକ । ‘ର’ ଆଦ୍ୟ ‘ରସରତ୍ନାକର’ ଭଳି ମଧ୍ୟଯୁଗୀୟ ଆଦର୍ଶଲାଳିତ କାବ୍ୟ ରଚନାରୁ ସାହିତ୍ୟ କ୍ଷେତ୍ରରେ ପ୍ରବେଶ ଲାଭ କରି ସେ ଯେଉଁ ଶକ୍ତିମତ୍ତା ପ୍ରଦର୍ଶନ କରିଥିଲେ ତାହା ଯୁଗରୁଚି ଅନୁକୂଳ ସାଧନାର ମାର୍ଗ ହେବ ନାହିଁ ବୋଲି ଅନୁଭବ କରିବା ପରେ ରାଧନାଥ ପ୍ରବର୍ତ୍ତିତ ଧାରାର ଅନୁଶୀଳନକୁ ଶ୍ରେୟଃ ମନେ କରି ସେ ତାଙ୍କର ପରବର୍ତ୍ତୀ କାବ୍ୟକୃତି ନିର୍ମାଣିଥିବା ସୁପ୍ରେକ୍ଷ । ଏତଦ୍ଦ୍ୱାରା ସେ ବର୍ଣ୍ଣସଜ୍ଜା ଭଳି ଦୁରୂହ ସାଧ୍ୟ ଶ୍ରମନିଷ୍ଠ ସାଧନାରୁ କ୍ଷାନ୍ତ ହୋଇ ଭାବଗତ ସୌକୁମାର୍ଯ୍ୟରେ ଆତ୍ମନିବିଷ୍ଟ ହୋଇପାରିଥିଲେ । ଯେଉଁ ଶବ୍ଦମାଳା ସୁବର୍ଣ୍ଣ ଶୃଙ୍ଖଳରେ ପରିଣତ ହେବାକୁ ଯାଉଥିଲେ ସେଗୁଡ଼ିକ କଳାମଞ୍ଜୁଳ ଅଳଙ୍କାର ହୋଇ କାବ୍ୟ ସୁନ୍ଦରୀଙ୍କୁ ଆଭରିତ କଲେ । ନିଃସର୍ଗ ଚେତନାର ଦିବ୍ୟଭୂମିକରୁ ସେଗୁଡ଼ିକ ଅଙ୍କୁରିତ ହୋଇ ସ୍ୱଭାବସୁନ୍ଦର ପଲ୍ଲବନରେ କବିଙ୍କ କାବ୍ୟ ସଂସାରକୁ ଲୀଳା ମାଧୁର୍ଯ୍ୟ କେବଳ ପ୍ରଦାନ କଲେ ନାହିଁ । ଅପୂର୍ବ ଧ୍ୱନନରେ ବିଧୂନିତ କରିଦେଲେ । ‘କୀଚକ ବଧ’ ‘ତପସ୍ୱିନୀ’ ଓ ‘ପ୍ରଣୟବଲ୍ଲରୀ’ର ଯେ କେଣସି ପଦପଂକ୍ତି ସେଥିପାଇଁ ସହୃଦୟପାଠକର ସ୍ମୃତିକୋଷରେ ସଞ୍ଚିତ ହୋଇ ରହିବାର ସାମଗ୍ରୀ ହୋଇଗଲେ ।

 

ଶବ୍ଦ ଓ ଅର୍ଥର ଯଥାଯୋଗ୍ୟ ସମ୍ମିଳନ କାଳେ କାଳେ କାବ୍ୟକୃତିକୁ ରସାପ୍ଳୁତ କରି ଆସିଥାଏ । ଚିରବନ୍ଦନୀୟ କବିକୁଳ ତିଳକ କାଳିଦାସଙ୍କ କଣ୍ଠରୁ ସେଥିପାଇଁ ନିଃସରିତ ‘କୁମାର ସମ୍ଭବ’ର ଆଦ୍ୟ ପଂକ୍ତି ‘‘ବାଗର୍ଥବିକ ସଂପୃକ୍ତୌ ବାଗର୍ଥ ପ୍ରତିପତ୍ତୟେ/ଜଗତଃ ପିତରୌ ବନ୍ଦେ ପାର୍ବତୀ ପରମେଶ୍ୱରୌ’’କୁ ସ୍ମରଣ କରିବାକୁ ହୁଏ । କବିଙ୍କ ମହାନ୍‌ ଦୃଷ୍ଟିରୁ ଶବ୍ଦ ଓ ଅର୍ଥ ଯୁଗନଦ୍ଧ ପାର୍ବତୀ ଓ ପରମେଶ୍ୱର ମହାଦେବ । କାବ୍ୟକଳାର ଏହାହିଁ ପ୍ରଥମପାଠ । ଯେଉଁ କବି ଏହି ପାଠକୁ ଆୟତ୍ତ କରି ବିବିଧତା ଓ ବିଚିତ୍ରତାର ଆଲିଙ୍ଗନରେ କାବ୍ୟାଙ୍ଗନକୁ ଶୋଭମାନ କରନ୍ତି ସେମାନଙ୍କୁ ଦ୍ୱିତୀୟ ସୃଷ୍ଟିକର୍ତ୍ତା ପ୍ରଜାପତି ବୋଲି ସ୍ୱୀକାର କରାଯାଏ, ‘ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ’ ।

 

ଆଲୋଚ୍ୟମାନ କବି ଗଙ୍ଗାଧରଙ୍କୁ ଏହି ପର୍ଯ୍ୟାୟରେ ଗ୍ରହଣ କରିବା ପ୍ରାମାଦିକ ହେବ ନାହିଁ । ରାମାୟଣ ଓ ମହାଭାରତର ନିତାନ୍ତ ପରିଚିତ ଆଖ୍ୟାନ ଅବଲମ୍ବନରେ ସେ ଯେଉଁ କାବ୍ୟତ୍ରୟୀ ନିର୍ମାଣ କରିଛନ୍ତି ସେଥିରେ ଘଟଣା ଓ ପରିଣାମର ବ୍ୟତିକ୍ରମ ନ ଘଟାଇ ନିଜସ୍ୱ ପରିବେଷଣ ଓ ପରିଗୁମ୍ଫନ ଚାତୁର୍ଯ୍ୟରେ ସେଗୁଡ଼ିକ କାବ୍ୟ ଶିଳ୍ପର ଅନୁପମ ପ୍ରତିମାର ରୂପାୟିତ କରିଥିବାରୁ ତାଙ୍କୁ ପ୍ରଜାପତି ସୃଜନକର୍ତ୍ତାଙ୍କର ସମ୍ମାନ ଅର୍ପଣ କରାଯିବା ଖୁବ୍‌ ସମୀଚୀନ । ଅଧିକନ୍ତୁ ଏ ସୃଜନର ଅଧିଷ୍ଠାନ ଭୂୟୋଦର୍ଶନ ସମ୍ବଳିତ ହୋଇଥିବାରୁ ସୁବର୍ଣ୍ଣରେ ସୋହାଗା ଜଡ଼ିତ ହୋଇଛି, କହିବାକୁ ହେବ । କେତେକ ନିଦର୍ଶନ ମାଧ୍ୟମରେ ତାହା ଚିହ୍ନିବା ଓ ଚିହ୍ନାଇବାର ଉଦ୍ୟମ ମାତ୍ର ସଂଶିତ ପ୍ରବନ୍ଧର ଉପଜୀବ୍ୟ । ଏଠାରେ ସୂଚାଇ ଦିଆଯାଇପାରେ ଯେ ଗଙ୍ଗାଧରଙ୍କ ଅନବଦ୍ୟ ଭୂୟୋଦର୍ଶନ ତାଙ୍କର ପ୍ରାୟ ସମସ୍ତ ଶ୍ରେଷ୍ଠ କାବ୍ୟକୃତିରେ ପ୍ରତିଫଳିତ ହୋଇଥିବା ଲକ୍ଷ୍ୟ କରାଯାଏ-। ଏଗୁଡ଼ିକୁ ସୂକ୍ତି ପର୍ଯ୍ୟାୟରେ ବିନା ଦ୍ୱିଧାରେ ଗ୍ରହଣ କରାଯାଇପାରେ । ପଞ୍ଚତନ୍ତ୍ର, ହିତୋପଦେଶ, ଚାଣକ୍ୟ ତଥା ଭର୍ତ୍ତୃହରିଙ୍କ ଶତକ ତ୍ରୟୀରେ ଉପଲବ୍‌ଧ ସୂକ୍ତି ଅନୁରୂପ ଦୃଷ୍ଟି ଓ ଦର୍ଶନର ସ୍ୱଭାବ ସୁନ୍ଦର ଆଲେଖ୍ୟ ପ୍ରଦାନ କରୁଥିବାରୁ ଗଙ୍ଗାଧରଙ୍କର ଅନେକ ସୂକ୍ତି ସଂଗ୍ରହଣୀୟ ଓ ସ୍ମରଣୀୟ ।

 

ସଦ୍‌ବଚନ, ସମୀଚୀନ ତଥା ସରସ ଉକ୍ତିକୁ ସୂକ୍ତି ବୋଲି ଚିହ୍ନାଯାଏ । ସଂସାର ହିତକର, ସର୍ବ କଲ୍ୟାଣକାମୀ, ନୀତିନିଷ୍ଠ ଦର୍ଶନର ସ୍ପର୍ଶରେ ସୂକ୍ତିଗୁଡ଼ିକ କବିକୃତିରେ ମୁକ୍ତାପରି ବିରାଜି ଥାଆନ୍ତି । ଘଟଣା, ପାତ୍ରପାତ୍ରୀଙ୍କର ଉକ୍ତି-ଆଚରଣ ବା ପ୍ରକୃତି ରାଜ୍ୟର ବୈଚିତ୍ର୍ୟର ମହତ୍ତ୍ୱ ନିରୂପଣ କରିବାକୁ ଯାଇ ସିଦ୍ଧହସ୍ତ କବିମାନଙ୍କ ଲେଖନୀରୁ ଝରି ଆସେ ସୂକ୍ତିର ନିର୍ଝର । ଆମ ଭାରତୀୟ ସାହିତ୍ୟରେ ମହାକବି କାଳିଦାସଙ୍କର ପ୍ରତ୍ୟେକଟି ରଚନାରେ ସୂକ୍ତିମାନଙ୍କର ପ୍ରୟୋଗ କେବଳ ଅର୍ଥବହ ମାତ୍ର ନ ହୋଇ ଆବେଗ ସଂଚାରୀ ହୋଇଥିବାରୁ ସେ ଭାରତୀୟ ଆଞ୍ଚଳିକ ଭାଷାର କବି ଓ ଭାଷ୍ୟକାରମାନଙ୍କର କଣ୍ଠହାର ହୋଇଛନ୍ତି । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର କବିମାନଙ୍କ ରଚନାରେ ସୂକ୍ତିର ବ୍ୟବହାର କରାଯାଇଥିଲେ ହେଁ ଆଧୁନିକ ଯୁଗରେ କବିବର ରାଧାନାଥ ରାୟ ଏ ରୀତିର ଅଗ୍ରସୂରୀ ବିବେଚିତ ହୁଅନ୍ତି । ଏହା ଏକାନ୍ତ ଜଣାଶୁଣା ଯେ ଗଙ୍ଗାଧରଙ୍କ ରଚନାଦର୍ଶ ଏ ଉଭୟ କାଳିଦାସ ଓ ରାଧାନାଥଙ୍କ ଦ୍ୱାରା ପ୍ରଭୂତ ପ୍ରଭାବିତ । କେବଳ ସେଥିପାଇଁ ଯେ ଗଙ୍ଗାଧର ସୂକ୍ତିମାଳାରେ ସ୍ୱକାବ୍ୟକୃତିମାନଙ୍କୁ ମଣ୍ଡିତ କରିଛନ୍ତି ଏପରି ବୋଲାଯାଇ ନ ପାରେ । କାରଣ କାବ୍ୟର ଉପଜୀବ୍ୟ, ପର୍ଯ୍ୟାୟୀକୃତ ଘଟଣା ଓ ଚରିତ୍ରଗତ ସଂସ୍ଥାନରେ ଗଙ୍ଗାଧରଙ୍କର ମହାର୍ଘ୍ୟ ସୂକ୍ତିମାଳା ସ୍ୱଭାବ ସୁନ୍ଦର ଭାବରେ ଯେପରି ଖଚିତ ହୋଇଥିବା ଲକ୍ଷ୍ୟ କରାଯାଏ, ସେଥିରେ ତାଙ୍କର ଭୂୟୋଦର୍ଶନର ପ୍ରତିଫଳନ ସ୍ପଷ୍ଟ ପ୍ରତିଭାତ ହୋଇଛି । ସେଥିପାଇଁ ସେ ଅନୁକାରୀ ନୁହନ୍ତି, ଅନୁସାରୀ ହୋଇପାରନ୍ତି ।

 

ହିରଣ୍ମୟ ପାତ୍ରରେ ସତ୍ୟର ମୁଖ ଆବୃତ ହୋଇଥିବା ପରି ପୂର୍ବୋତ୍ତର ବୈଦିକ ସାହିତ୍ୟରେ ଯେଉଁ ସୂକ୍ତିସବୁ ପୂର୍ଣ୍ଣ ପ୍ରକାଶମାନ୍ୟତା ଲାଭ କରି ନଥିଲେ ସେଗୁଡ଼ିକ ରାମାୟଣ ଓ ବିଶେଷତଃ ମହାଭାରତରେ ପ୍ରସ୍‌ଫୁଟିତ ହେବାରୁ ଅପରାପର ସାହିତ୍ୟକାରମାନେ ଏହାର ବ୍ୟାପକ ପ୍ରୟୋଗ ଘଟାଇଲେ । ପରମ୍ପରାକ୍ରମେ ଏହା କାବ୍ୟ ରୀତିରେ ଆଳଙ୍କାରିକତା ମାଧ୍ୟମରେ ଆତ୍ମପ୍ରକାଶ କଲା । ଏପରିକି ଚାଣକ୍ୟଶ୍ଲୋକ ନାମରେ ବିଭିନ୍ନ କବିମାନଙ୍କର ସୂକ୍ତିର ସଂକଳନ ପ୍ରସ୍ତୁତ କରାଗଲା । କେବଳ ସୂକ୍ତିକୁ ସମ୍ବଳ କରି ଭର୍ତ୍ତୃହରି ଶତଶ୍ଲୋକ ସମ୍ବଳିତ ନୀତି, ଶୃଙ୍ଗାର ଓ ବୈରାଗ୍ୟଶତକ ରଚନା କଲେ । ବୁଦ୍ଧଙ୍କ ମୁଖନିଃସୃତ ବାଣୀମାନଙ୍କରେ ଯେଉଁ ସୂକ୍ତି ସନ୍ନିହିତ ହେଲା ‘ଧମ୍ମପଦ’ (ପାଲି ଭାଷା-ରଚିତ)ରେ ଆମେ ତା’ର ସ୍ୱରୂପ ଲାଭ କଲୁ । ଅଧିକନ୍ତୁ ଏହା ମଧ୍ୟ ଲକ୍ଷଣୀୟ ଯେ କେବଳ ସଂସ୍କୃତ ଭାରତୀୟ ଭାଷା ନୁହେଁ, ବିଶ୍ୱସାହିତ୍ୟ ସଂସ୍କୃତିରେ ସୂକ୍ତିର ପ୍ରୟୋଗ ବେଶ୍‌ ବ୍ୟାପକ । କାବ୍ୟର ମହତ୍ତ୍ୱ, ଗାମ୍ଭୀର୍ଯ୍ୟ ଓ ଉପଯୋଗିତା ନିର୍ଣ୍ଣୟ କ୍ଷେତ୍ରରେ ସୁକ୍ତିର ଅବଦାନ ସର୍ବସ୍ୱୀକୃତ । ଏହାର ପ୍ରସାର, ବ୍ୟବହାର, ପ୍ରସିଦ୍ଧି ଓ ଆଦର ଲୋକ ସାହିତ୍ୟକୁ ଯେଭଳି ଆଚ୍ଛନ୍ନ କରିବା ଦେଖାଯାଏ ସେଥିରୁ ସୂକ୍ତିର ପ୍ରଭାବ ଓ ଆକର୍ଷଣ କିଛି କଳନା କରାଯାଇପାରେ । ସମାଜ ତଥା ବ୍ୟକ୍ତିର ଜୀବନ ଦର୍ଶନ ଓ ଆଚରଣକୁ ଏଗୁଡ଼ିକ ଊଣା ନିୟନ୍ତ୍ରଣ କରନ୍ତି ନାହିଁ । ସୂକ୍ତି, ସେଥିପାଇଁ, କେବଳ କାବ୍ୟରସାସ୍ୱାଦନ କରାଏ ନାହିଁ, ଜଗତ ଓ ଜୀବନ ପ୍ରତି ଆମର ଦୃଷ୍ଟିଭଙ୍ଗୀକୁ ସମଧିକ ବିଜ୍ଞୋଚିତ କରାଇଥାଏ ।

 

କାବ୍ୟ ସନ୍ନିହିତ ସୂକ୍ତିମାନଙ୍କୁ ଆମେ ସାଧାରଣତଃ ପ୍ରସଙ୍ଗସାପେକ୍ଷ ବା ସଂଯୁକ୍ତ ଓ ପ୍ରସଙ୍ଗ ନିରପେକ୍ଷ ବା ପରୋକ୍ଷ ଉକ୍ତି ରୂପରେ ଦେଖିଥାଉ । ରାମାୟଣ, ମହାଭାରତରୁ ଆରମ୍ଭ ହୋଇ ସଂସ୍କୃତ କାବ୍ୟ, ନାଟକ, କାହାଣୀ ମାଧ୍ୟମରେ ଭାରତୀୟ ପ୍ରାନ୍ତୀୟ ଉଭୟ ବିଦଗ୍‌ଧ ଓ ଲୋକସାହିତ୍ୟରେ ସୂକ୍ତିର ଅନାହତ ପ୍ରବାହ ପ୍ରସରି ଯାଇଛି । କିନ୍ତୁ କାବ୍ୟ ନାଟକରେ ସୂକ୍ତିଗୁଡ଼ିକର କିଭଳି ସ୍ୱଭାବସୁନ୍ଦର ଉପଯୋଗ ଘଟାଯାଇପାରେ ତାହାର ଅନୁପମ କବନ ଚାତୁର୍ଯ୍ୟ ଦର୍ଶାଇଛନ୍ତି ମହାକବି କାଳିଦାସ ତାଙ୍କ ରଚନାବଳୀରେ । ଏ ଦୃଷ୍ଟିରୁ ସେ ଅନ୍ୟମାନଙ୍କର ସର୍ବକାଳୀନ ଗୁରୁ ଭାବରେ ଚିରବନ୍ଦନୀୟ । ଉଭୟ ପ୍ରସଙ୍ଗ ସାପେକ୍ଷ ଓ ନିରପେକ୍ଷ ସୂକ୍ତିର ସଂଯୋଜନ କାଳିଦାସୀୟ କୃତିର ଅନିନ୍ଦ୍ୟସୁନ୍ଦର ଆଲେଖ୍ୟ । ଅବଶ୍ୟ ଉଭୟ ଶ୍ରେଣୀୟ ସୂକ୍ତି ମଧ୍ୟରେ ପ୍ରଭେଦର ରେଖା ସୁନିରୀକ୍ଷ ନୁହେଁ । ଦୃଷ୍ଟାନ୍ତ ସ୍ୱରୂପ ‘କୁମାର ସମ୍ଭବ’ ତୃତୀୟ ସର୍ଗର ପ୍ରଥମ ଶ୍ଲୋକଟିକୁ ଲକ୍ଷ୍ୟ କରାଯାଇପାରେ-

 

‘‘ତସ୍ମିନ୍‌ ମଘୋନସ୍ତ୍ରିଦଶାନ୍‌ ବିହାୟ ସହସ୍ରମକ୍ଷଣାଂ ଯୁଗପତ୍‌ ପପାତ ।

ପ୍ରୟୋଜନାପେକ୍ଷିତୟା ପ୍ରଭୂଣାଂ ପ୍ରୟଶ୍ଚଳଂ ଗୌରବମାଶ୍ରିତେଷୁ ।’’

 

ଅର୍ଥାତ୍‌ ଯାହା ପାଖରେ କାମ ଥାଏ ତାକୁ ହିଁ ପ୍ରଭୁମାନେ ଆଦର ଦୃଷ୍ଟିରେ ଦେଖନ୍ତି । କାମ ସରିଗଲେ ତା ଉପରୁ ତାଙ୍କ ଦୃଷ୍ଟି ସେ ଫେରାଇ ନିଅନ୍ତି । ପ୍ରସଙ୍ଗଟି ହେଲା ତପୋରତା ପାର୍ବତୀଙ୍କ ପ୍ରତି ଯୋଗାସନରେ ଧ୍ୟାନନିରତ ମହାଦେବଙ୍କ କାମାସକ୍ତି ଜନ୍ମାଇବା ଲକ୍ଷ୍ୟରେ ଅନ୍ୟ ଦିଗପାଳମାନଙ୍କଠାରୁ ଦୃଷ୍ଟି ହଟାଇ ନେଇ ଇନ୍ଦ୍ର କନ୍ଦର୍ପଙ୍କ ପ୍ରତି ଦୃଷ୍ଟିପାତ କରିବା । ଏଠାରେ ସୂକ୍ତିଟିରେ ପୂର୍ଣ୍ଣ ଯୌକ୍ତିକତା ଥିଲେ ହେଁ ଇନ୍ଦ୍ର ଓ ଦେବତାମାନଙ୍କ ପ୍ରତି ଏହା ଅପ୍ରଯୁଜ୍ୟ । ତେଣୁ ପ୍ରସଙ୍ଗ ନିରପେକ୍ଷ ଭାବରେ ଏହାକୁ ଗ୍ରହଣ କରାଯାଇପାରେ । ସେହିପରି ରାଧାନାଥ ଯେତେବେଳେ କହନ୍ତି ‘ବସ୍ତୁ ନୁହଁଇ ସେ ଅଟଇଟି ଧୂମ/ ଅନ୍ୟ ନାମ ତା’ର ଆକାଶ କୁସୁମ ।’ ସେଥିରେ ନିହିତ ସତ୍ୟତାକୁ ଅସ୍ୱୀକାର କରାଯାଇପାରେ ନାହିଁ, ଅଥଚ ଆପଣାର ଭାଗ୍ୟ ନିହିତ ଦୁଖଃକୁ ବୁଝାଇବାରେ ଏହାର ସେପରି ଉପଯୋଗିତା ପ୍ରତିଷ୍ଠିତ ହୁଏ ନାହିଁ । ଗଙ୍ଗାଧରଙ୍କ କୃତିରେ ମଧ୍ୟ ଲକ୍ଷିତ ହୁଏ- ‘‘କାୟ-ମନ-ବଚନରେ ଏକତା ନ ଥିଲେ/ ପରହସ୍ତ ଧରମରେ ଫଳନାହିଁ ତିଳେ-।’’ ଅଯୋଧ୍ୟା ଦୃଶ୍ୟରେ କୌଶଲ୍ୟାଙ୍କର ରାମ-ବନବାସରେ ଶୋକପ୍ରକାଶ କରିବା ଅବକାଶରେ ଏ ପ୍ରକାର ସୂକ୍ତିର ପ୍ରୟାଗ ଆବଶ୍ୟକତାରିକ୍ତ, ତେଣୁ ମୁଖ୍ୟ ପ୍ରସଙ୍ଗ ନିରପେକ୍ଷ ।

 

କିନ୍ତୁ ପ୍ରସଙ୍ଗସାପେକ୍ଷ ସୂକ୍ତିର ସର୍ବବ୍ୟାପୀ ପ୍ରୟୋଗ କବିଙ୍କର ଚିନ୍ତନ ବୈଚିତ୍ର୍ୟ ଓ ସଂଘଟନ ଚାତୁର୍ଯ୍ୟର ଯେଉଁ ନିଦର୍ଶନ ରଖିଥାଏ ତାହା ବସ୍ତୁତଃ ବିସ୍ମୟକର । ‘ରଘୁବଂଶ’ରେ କାଳିଦାସଙ୍କ ଉକ୍ତି ବିଶେଷ ସ୍ମରଣୀୟ । ‘‘ତସ୍ମୈ ନିଶାଚରୈଶ୍ୱର୍ଯ୍ୟଂ ପ୍ରତିଶୁଶ୍ରାବ ରାଘବଃ/କାଳେ ଖଳୁ ସମାରବ୍‌ଧାଃ ଫଳଂ ବଧ୍ନନ୍ତି ନୀତୟଃ’’ - ବିଭୀଷଣଙ୍କ ସହ ରାମଚନ୍ଦ୍ରଙ୍କର ପ୍ରଥମ ସାକ୍ଷାତ ଓ କଥୋପକଥନ ଉପରାନ୍ତ ତାଙ୍କୁ ରାକ୍ଷସ ଜାତିର ଅଧିପତି କରିବା ପାଇଁ ରାମଚନ୍ଦ୍ର ଶପଥ ନେବାକୁ କବି ସମର୍ଥନ ଜଣାଇ କହନ୍ତି ଯଦି ଯଥା ସମୟରେ କୌଣସି ମହତୀ କାର୍ଯ୍ୟ ସାଧନ ଲାଗି ନୀତି ଗ୍ରହଣ କରାଯାଏ, ତାହା ଅବଶ୍ୟ ଫଳବତୀ ହୁଏ । ସେହିପରି ଗଙ୍ଗାଧର କହନ୍ତି- ‘‘ନିଜ ଗୁଣ ଥାଉଁ ପର ସଦ୍‌ଗୁଣ-ପ୍ରଶଂସାରେ ଜନ ହୋଇ ନିପୁଣ/ନିଜ ପୁଣି-ତରୁ କରେ ଫଳିତ/ଧନୁର୍ଗୁଣେ ସିନା ଶର ଚାଳିତ/ ପବନ ବହି ପ୍ରସୂନ ବାସ/ ଜଗତେ ଅଧିକ ଦିଏ ଉଲ୍ଲାସ ।’’ (ତପସ୍ୱିନୀ) - ଲବକୁଶଙ୍କ ଦ୍ୱାରା ବାଲ୍ମିକୀ ରଚିତ ରାମାୟଣ ଗୀତ ହେବା ପରେ ବିମୁଗ୍ଧ ନାରଦ ବୀଣାବଜାଇ ଏହାକୁ ସର୍ବତ୍ର ପ୍ରଚାର କରାଇବା ପ୍ରସଙ୍ଗରେ ଉକ୍ତ ସୂକ୍ତିଟି ସଂଯୋଜିତ । ପ୍ରକୃତ ଗୁଣୀଜନ ଆପଣାଗୁଣ ନୁହେଁ, ପରଗୁଣ ଗାନ କଲେ ନିଜକୁ ମହିମାନ୍ୱିତ କରନ୍ତି - ଏହାହିଁ ସୂକ୍ତି ମାଧ୍ୟମରେ ସୂଚିତ ।

 

କବିତାରାଜ୍ୟରେ ସର୍ବତ୍ର ଯେଉଁ ରୀତି, ଭାବ ଓ ଚିନ୍ତନ ସର୍ବାଧିକ ଆକର୍ଷଣୀୟ ସେଇଟି ହେଉଛି ସାମାନ୍ୟ ସବୁ ବିଶେଷର ବା ବିଶେଷ ସହ ସାମାନ୍ୟର ସଂଯୋଗପ୍ରତିଷ୍ଠା । ଅନ୍ୟ ଅର୍ଥରେ କବି ବକ୍ତବ୍ୟ ବିଷୟକୁ ଏକାଧାରରେ ରମ୍ୟ, ଭାବ୍ୟ ଓ ବୋଧ୍ୟ କରାଇବା ପାଇଁ ଯେଉଁ ବିଶେଷ କୌଶଳଟିକୁ ପ୍ରୟୋଗ କରନ୍ତି, ତାହା ଅର୍ଥାନ୍ତରନ୍ୟାସ ମାଧ୍ୟମରେ ଯେପରି ସାଧିତ ହୁଏ, ଅନ୍ୟ ପ୍ରକାରରେ ସେଭଳି ହୁଏ ନାହିଁ । ମନେ ରଖିବାକୁ ହୋଇଥାଏ ଯେ ଉପମୟ ଓ ଉପମାନର ସ୍ୱଭାବ ସୁନ୍ଦର ସଂସ୍ଥାନ ଏହାର ମୂଳଭୂତ ଉପାଦାନ । ସେଥିରେ ଶବ୍ଦାଳଙ୍କାର ଯଥାଯଥ ବିନିଯୋଗ ସୁବର୍ଣ୍ଣରେ ସୋହାଗା ପରି, ଯାହା ‘ତପସ୍ୱିନୀ’ର ଚତୁର୍ଥ ସର୍ଗ (ଆଶ୍ରମେ ପ୍ରଭାତ)ରେ କବିଙ୍କର ସ୍ୱଭାବ କବିତ୍ୱର ଜୟଘୋଷ କରେ ।

 

ଗଙ୍ଗାଧରୀ କବିତା ନିର୍ଝରର ରସସ୍ରାବୀ ଅମିୟତାର ଅସଂଖ୍ୟ ନିଦର୍ଶନ ସୂକ୍ତି ପ୍ରୟୋଗ ଦ୍ୱାରା ସମଧିକ ସ୍ୱାଦ୍ୟ ହୋଇଥିବା ଅନସ୍ୱୀକାର୍ଯ୍ୟ । ଦୃଷ୍ଟାନ୍ତ ବାହୁଲ୍ୟ ପରିହାର କରି ସ୍ୱଳ୍ପ କେତେକର ଊଦ୍ଧାର କରିବାକୁ ସମୀଚୀନ ମନେ କରୁଛୁ - ‘‘ବଦନର ଭାବ ମାନବ-ହୃଦୟ/ପୁସ୍ତକର ସୂଚୀପତ୍ର/ବଚନେ ବର୍ଣ୍ଣିତ ହୋଇଥାଏ ସେହି/ପୁସ୍ତକର ପ୍ରତିଛତ୍ର ।’’ (ପ୍ର.ବ.), ‘‘ଯାହାଲାଗି ପ୍ରାଣ ଯେତିକି ପ୍ରଫୁଲ୍ଲ/ତା ଲାଗି ତତେ ବିକଳ/ତେତିକି ତପତ ହୋଇଥାଏ, ଯାହା/ଯେତିକି ହୁଏ ଶୀତଳ-।’’ (ପ୍ର.ବ.) ‘‘ଲୋକେ ଯାହା ଭଲ ମନ୍ଦ ଆଚରନ୍ତି, ପରେ/ଅବଶ୍ୟ ଫଳଇ ତାହା ନିଜର ଉପରେ ।’’ (ଦୀର୍ଘ କବିତା ‘ଚନ୍ଦ୍ରରଜନୀ’) ‘‘ବାହାରେ କର୍କଶ ଦିଶିଲେ କି ହେବ,/ଉଚ୍ଚେ ସେ ରହିବ ଯେହୁ ଶାନ୍ତି ଦେବ ।’’ (କବିତା-ବେଦବ୍ୟାସ) ବନ୍ଧୁ ନିକଟରେ ମନକଥାସବୁ/କହିବାକୁ ଲାଗେ ସୁଖ/ ବସନ୍ତ ନିକଟେ ତହିଁ ସିନା/ପିକ ହୁଏ ବାବଦୁକ/’’ (ମଳୟ ଆବାହନ) ।

 

ଅଧିକନ୍ତୁ ଗଙ୍ଗାଧରଙ୍କ ସୂକ୍ତିଚୟନରେ ପରିପ୍ରେକ୍ଷାଗତ ଚମତ୍କାରିତା ଏକାନ୍ତ ହୃଦ୍ୟ । କ୍ଷତ୍ରିୟ (ବିଶ୍ୱାମିତ୍ର) କନ୍ୟା ଶକୁନ୍ତଳା କ୍ଷତ୍ରିୟ ରାଜା ଦୁଷ୍ମନ୍ତଙ୍କର ପ୍ରଣୟିନୀହେବା ଯେ ଏକ ପ୍ରକୃତିସିଦ୍ଧ ବ୍ୟପାର ଏହା ସଖି ମୁଖରେ ବ୍ୟକ୍ତ କରାଇ ସେ କହନ୍ତି, ‘‘ଆଉ ଏକ କଥା ଲୋକଙ୍କୁ ନିପୁଣ/କରାଏ ପ୍ରକୃତିଗୁଣ/ତୀକ୍ଷ୍‌ଣ କରିବାକୁ ଯାଇ ନ ଥାଏ କେ/ବନ କଣ୍ଟକର ମୁନ ।’’ (ପ୍ର.ବ) ଶକୁନ୍ତଳା-ପ୍ରଣୟ-ପ୍ରତ୍ୟାଶୀ ଦୁଷ୍କନ୍ତ ଯେ ଶକୁନ୍ତଳାଙ୍କୁ ପ୍ରାପ୍ତ ହେବେ ଏ ନିଷ୍କର୍ଷରେ ଉପନୀତ ହେବା ପାଇଁ ସୂକ୍ତିଟିଏ ବାଢ଼ନ୍ତି କବି- ‘‘ଯା’ ମନ ଯେପରି ତା’ ପାଇଁ ସେପରି/ଫଳ ଥୋଇଥାଏ ବିଶ୍ୱ/ଉଚ୍ଚମନା ଉଚ୍ଚେ ଅମୃତ ଲଭଇ/ନୀଚମନା ପାଏ ବିଷ ।’’ ବାଲ୍ମୀକି ଆଶ୍ରମରେ ସତୀ ସୀତାଙ୍କୁ ସସ୍ନେହ ଅଭିନନ୍ଦନ ଜଣାଇ ତମସା ନଦୀ ତାଙ୍କର ଉଚ୍ଛ୍ୱସିତ ପ୍ରଶଂସା କରିବାରୁ ସୀତା ତାହାକୁ ମାତା ଭାବରେ ଗ୍ରହଣ କରି କହନ୍ତି ‘‘ମାତା ବୁଝେ ସୁତା-ବେଦନା/ ମାତା-ନେତ୍ରେ ଦଗ୍‌ଧ-ମୁଖୀ ଚନ୍ଦ୍ରବଦନା ।’’ (ତପସ୍ୱିନୀ) । କୃଷ୍ଣପକ୍ଷର ଚନ୍ଦ୍ର ନିଶୀଥରେ ପଶ୍ଚିମାକାଶରେ ଶୟନ କରିବାରୁ ତାଙ୍କ ସମୁଦୟରେ ବିକଶିତ କୁମୁଦ ବିଷାଦଗ୍ରସ୍ତା ହେବା ପ୍ରସଙ୍ଗରେ କବିଙ୍କର ସୂକ୍ତି ଳକ୍ଷଣୀୟ-’’ ସୌଭାଗ୍ୟ ସମୟେ ସ୍ପର୍ଶ କଲେ ଲୋକେ/ଚୂନା ପାଲଟଇ ସୁନା/ଅଭାଗ୍ୟ ସମୟ ଉପଗତ ହେଲେ/ସୁନା ହୋଇଯାଏ ଚୂନା ।’’ (ବଳରାମ ଦେବ)

 

ବ୍ୟକ୍ତିଗତ ଜୀବନର ଯାବତୀୟ ଅସ୍ୱାଚ୍ଛନ୍ଦ୍ୟ, ଘାତ ପ୍ରତିଘାତ ସତ୍ତ୍ୱେ ଗଙ୍ଗାଧର କବି-ମାନସ ଥିଲା ସତ୍ୟ-ଶିବ-ସୁନ୍ଦରର ଆବାହନରେ ସତତ୍‌ କ୍ରିୟାଶୀଳ । ନୈସର୍ଗିକ ପ୍ରତିଭାପ୍ରସୂତ ପ୍ରଜ୍ଞାଶୀଳତା ତାଙ୍କ ସାରସ୍ୱତ ସାଧନାର ଯେ ମୂଳାଧାର ଏହା ତର୍କାତୀତ । କାରଣ ତାଙ୍କ ସାହିତ୍ୟ ସୃଜନର ଆଦ୍ୟପାଦରୁ ଏ ଜୀବନ ଓ ଜଗତ ପ୍ରତି ଏକ ଅନାମୟ ଶୁଭାନ୍ୱେଷା ତାଙ୍କୁ ପଥଦର୍ଶାଇ ଚାଲିଥିବା ବିଷୟ ପ୍ରତି ଲକ୍ଷ୍ୟ କଲେ ତାଙ୍କ ଲେଖନୀରୁ ସୂକ୍ତିମାଳାର ନିର୍ଝର ଉଚ୍ଛଳ ତାନରେ ନିଃସରିତ ହେବାରେ ଅସ୍ୱାଭାବିକତା ପରିଲକ୍ଷିତ ହୁଏ ନାହିଁ । ସେଠାରେ ରାଜପଣ କରେ ସର୍ବଜନୀନ ନୀତିନୈତିକତାର ସ୍ୱଭାବ ସୁନ୍ଦର ପ୍ରତିବେଦନା ।

 

ମହାକବି କାଳିଦାସଙ୍କର ଜନୈକ ବିଦ୍‌ଗଧ ଅନୁରାଗୀ ଥିବାରୁ ସେ ଯେଉଁ କାବ୍ୟାଦର୍ଶ ଆହରଣ କରିଥିଲେ ତାହା ତାଙ୍କଠାରେ ସୂକ୍ତିପ୍ରବଣତା ଭରି ଦେଇଥିବାରୁ ସେ ପଦେ ପଦେ ଏହାକୁ ପ୍ରାଧନ୍ୟ ଦେଇଛନ୍ତି । ଫଳରେ ତାଙ୍କ କବିତା ପାଠକର ଭାବରାଜ୍ୟକୁ ଆନ୍ଦୋଳିତ କରିବାର ସୁଯୋଗ୍ୟତା ଲାଭ କରିଛି । କବିଙ୍କର ‘ମହିମା’ (୧୮୯୭ରେ ‘ଉତ୍କଳ ସାହିତ୍ୟ’ରେ ପ୍ରକାଶିତ) କବିତାଟି ଏ ପ୍ରସଙ୍ଗରେ ପ୍ରଣିଧାନ୍ୟ । ପରୋପକାର, ମହଦାଶ୍ରୟ, ସାହାସ ଆଦି ସୁଗୁଣର ବିଲକ୍ଷଣ ଜୟଗାନ କରିବାକୁ ଯାଇ କବି ପ୍ରକୃତି, ଇତିହାସ, ଭୂଗୋଳ ଓ ମାନବୀୟ ଆଚରଣ ସମ୍ୱନ୍ଧିତ ସୂକ୍ତିମାଳା ‘ମହିମା’ କବିତାରେ ଗ୍ରଥିତ କରିଛନ୍ତି । ସେ ସମୟର ସାହିତ୍ୟକ, ସାମାଜିକ ପରିବେଶକୁ ଲକ୍ଷ୍ୟ କରି ରଚିତ ସୂକ୍ତି ସମ୍ବଳିତ ଇଙ୍ଗିତଧର୍ମୀ ଏ କବିତାଟି ଗଙ୍ଗାଧରଙ୍କ ଉନ୍ନତ ଚିନ୍ତାଧାରାର ପ୍ରକୃଷ୍ଟ ପରିଚାୟକ ।

 

ସୂକ୍ତି ସର୍ବଥା ଭାବଧର୍ମିତାକୁ ଆଶ୍ରୟ କରିଥାଏ । ପ୍ରକୃତ ଚେତନା, ନୀତିବାଦିତା, ମାନବୀୟ ଆଚାର ବ୍ୟବହାରଗତ ପରିଶୁଦ୍ଧତା, ଅପରିବର୍ତ୍ତନୀୟ ବିଶ୍ୱ ହିତୈଷଣା ସୂକ୍ତିର ଉପାଦାନ ବିଶେଷ । ବିଶ୍ୱବିଦିତ ସାରସ୍ୱତ ଚେତନାରେ ସୂକ୍ତିର ଅଧିଷ୍ଠାନ ସାହିତ୍ୟକୁ କାଳଜୟୀ କରାଇଥାଏ-। ଆମ ଭାରତୀୟ ସାହିତ୍ୟରେ ସୂକ୍ତିର ପ୍ରାଚୁର୍ଯ୍ୟ ଏହାର ପରମ୍ପରାଗତ ବିଶିଷ୍ଟତାର ଦ୍ୟୋତକ ହୋଇଆସିଛି । ଗଙ୍ଗାଧରଙ୍କୁ ସେହି ପରମ୍ପରା ଏକ ସ୍ମରଣୀୟ ଉତ୍ତରସାଧକ ଭାବରେ ଅମ୍ଲାନ ଯଶଃର ଅଧିକାରୀ ବୋଲି କହିବାରେ ସେଥିପାଇଁ କୁଣ୍ଠାଜାତ ହୁଏ ନାହିଁ । ଭର୍ତ୍ତୃହରିଙ୍କ ସୂକ୍ତି ସ୍ମରଣ କରି କହିବାକୁ ହୁଏ- ‘‘ବାଣ୍ୟେକା ସମଳଂକରୋତି ପୁରୁଷଂ ଯା ସଂସ୍କୃତା ଧାର୍ଯ୍ୟତେ/କ୍ଷୀୟନ୍ତେ ଖଳୁ ଭୂଷଣାନି ସତତଂ ବାଗ୍‌ଭୁଷଣମ୍‌ ଭୂଷଣମ୍‌ ।’’

 

୧୯ସି. ଜୟଦୁର୍ଗାନଗର, ଭୁବନେଶ୍ୱର

 

***

 

ଉତ୍କଳ ଲକ୍ଷ୍ମୀ କାବ୍ୟରେ ଗଙ୍ଗାଧରଙ୍କ ଜାତୀୟ ମାନସ

ଗଣେଶରାମ ନାହାକ

 

ଯେଉଁ କେତେଜଣ ପ୍ରତିଭାଧର କାବ୍ୟ ଶିଲ୍ପୀଙ୍କ ଲେଖନୀ ଚାଳନାରେ ଓଡ଼ିଆ ସାହିତ୍ୟ ଜଗତ ବର୍ଣ୍ଣାଢ଼୍ୟ ଓ ବର୍ଣ୍ଣୋଜ୍ୱଳ ହୋଇ ଶ୍ରୀବୃଦ୍ଧି ସାଧନା କରିଛି ସେମାନଙ୍କ ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଅନ୍ୟତମ । ଓଡ଼ିଶାର ପଶ୍ଚିମ ଉପାନ୍ତ ଅଞ୍ଚଳରେ ଜନ୍ମଗ୍ରହଣ କରି (୧୮୬୨-୧୯୨୪) ସ୍ୱକୀୟ ପ୍ରତିଭା ବଳରେ ଓଡ଼ିଆ ବାଣୀଭଣ୍ଡାରକୁ ଯେଉଁ କାବ୍ୟ କବିତା ଦାନ କରିଯାଇଛନ୍ତି ତାର ପଟାନ୍ତର ନାହିଁ ।

 

ଗଙ୍ଗାଧରଙ୍କ ପିତାମାତାଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା । ଫଳରେ ସେ ଆନୁଷ୍ଠାନିକ ଶିକ୍ଷା ପାଇଁ ସୁବିଧା ସୁଯୋଗ ପାଇ ନଥିଲେ । ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସେ ଅଧ୍ୟୟନ କରି ପାରିଥିଲେ । ଏତିକି ଶିକ୍ଷା ସମ୍ବଳ ଘେନି ସେ ସାହିତ୍ୟ ସାଧନା କରି ଯେଉଁ ଅକ୍ଷୟ ସମ୍ପଦ ଦେଇ ଯାଇଛନ୍ତି ତାହା ଅନନ୍ୟ ଅନୁପମ ଭାସ୍ୱରରେ ଚିର ଦୀପ୍ତିମନ୍ତ ।

 

ସ୍କୁଲ ଛାଡ଼ିଲାରୁ ସେ ପରିବାର ପୋଷଣ ପାଇଁ ବସ୍ତ୍ର ବୟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । କିନ୍ତୁ ତାଙ୍କର ବିଦ୍ୟାର୍ଜନ ପିପାସା ଥଲା ଅତ୍ୟଧିକ । ବସ୍ତ୍ର ବୟନର ଅବସର ସମୟରେ ସେ ଅଧ୍ୟୟନରେ ନିମଗ୍ନ ରହୁଥିଲେ ସେ ସମୟରେ ପ୍ରକାଶ ପାଇଥିବା କେତେକ ଓଡ଼ିଆ ପୁସ୍ତକ ସହ ସଂସ୍କୃତ ବ୍ୟାକରଣ ଓ କାବ୍ୟ । ଗ୍ରନ୍ଥ ପଢ଼ୁ ପଢ଼ୁ ହୃଦୟ ତାଙ୍କର ଉଲ୍ଲସିତ ଓ ଆନ୍ଦୋଳିତ ହୋଇଉଠେ ସୃଜନକ୍ରିୟାରେ । ଲେଖିଛନ୍ତି ଛୋଟ ଛୋଟ କିଛି କବିତା । ତାପରେ ସେ ଲେଖିଲେ ରୀତିଯୁଗୀୟ ଆଦର୍ଶକୁ ଅନୁସରଣ କରି ‘‘ରସରତ୍ନକର’’ କାବ୍ୟ । କିନ୍ତୁ ତାହା ଯୁଗାନୁସାରୀ ନ ହେବାରୁ ସେହି ରୀତି ପରିହାର କରି ରଚନା କଲେ ‘‘ଅହଲ୍ୟାସ୍ତବ’’ / ପୁଣି ସେହି ଅହଲ୍ୟାସ୍ତବ ରଚନାକୁ ତତ୍‌କାଳୀନ ବରପାଲି ଯୁବରାଜାଙ୍କ ଗୃହଶିକ୍ଷକ ସୂର୍ଯ୍ୟ କୁମାର ମିତ୍ରଙ୍କ ପରାମର୍ଶ କ୍ରମେ ସଂସ୍କୃତାନୁରାଗ କାବ୍ୟରୀତିକୁ ପରିହାର କରି ଆଧୁନିକ ବଙ୍ଗଳାଶ୍ରୀ ରାଗରେ ରଚନା କଲେ । ଏହାର ପରବର୍ତ୍ତୀ ପ୍ରତିଶ୍ରୁତି ରୂପେ ୧୮୯୩ ଖ୍ରୀ:ରେ ପ୍ରକାଶ ପାଏ ତାଙ୍କର ‘ଇନ୍ଦୁମତି’ କାବ୍ୟ । କାବ୍ୟଟି ପାଠକ ସମାଜରେ ଆଦୃତ ଲାଭ କରେ । ଉଚ୍ଛ୍ୱସିତ ପ୍ରଶଂସା ଲାଭ କରେ ସମଗ୍ର ଉତ୍କଳର ବିଦଗ୍‌ଧ ସମାଜରେ । ଗଙ୍ଗାଧର ମନରେ ଆଶାର ନିର୍ଝର କଲ୍ଲୋଳିତ ହୋଇଉଠେ । ଲେଖନୀ ଅବାରିତ ଚଳଚଞ୍ଚଳ ହୁଏ । ପ୍ରେରଣା ଆସେ ।

 

ଏହି ପ୍ରେରଣାର ସ୍ୱରୁପ ୧୮୯୪ରେ ପ୍ରକାଶିତ ହୁଏ ‘‘ଉତ୍କଳ ଳକ୍ଷ୍ମୀ’’ । ଏହା ଏକ କାଳ୍ପନିକ କାବ୍ୟ । ଯାହା ଉତ୍କଳକୁ ଅବିଚ୍ଛିନ୍ନ ଓ ଅପ୍ରତିହତ ଭାବରେ ଭଲ ପାଉଥିବା ଏକ କବିର ଉଚ୍ଛ୍ୱସିତ ପରିପ୍ରକାଶ । ଏହି କାବ୍ୟରେ ସ୍ୱଭାବ କବି ଗଙ୍ଗାଧରଙ୍କ ଜାତି ପ୍ରୀତି, ଦେଶପ୍ରୀତି, ଭାଷା ପ୍ରୀତି ଏବଂ ପ୍ରକୃତି ପ୍ରୀତିର ଏକ ଅନୁପମ ଆଲେଖ୍ୟ । ପ୍ରଥମେ ଏହା ଅସମ୍ପୂର୍ଣ୍ଣ ରୂପେ ପ୍ରକାଶିତ ହୋଇଥିଲା । ପରିବର୍ଦ୍ଧିତ ଓ ପରିବର୍ତ୍ତିତ ରୂପରେ ୧୧.୯.୧୯୯୪ରେ ଯେତେବେଳେ ପ୍ରକାଶିତ ହୋଇଛି ତାହାର ଭୂମିକାରେ ଗଙ୍ଗାଧର ଲେଖିଛନ୍ତି :- ‘‘ଉତ୍କଳ ଳକ୍ଷ୍ମୀ’’ ଅସମ୍ପୂର୍ଣ୍ଣ ରୂପେ ୧୮୯୪ ଶ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା । ବିଂଶତି ବର୍ଷ ପରେ ଆଜି ସେ ପୂର୍ଣ୍ଣାଙ୍ଗିନୀ ହେଲା । ପୁରାତନ ଅଂଶରେ ସାମାନ୍ୟ ପରିବର୍ତ୍ତନ ହୋଇଅଛି । ନୂତନ ଅଂଶରେ ଉଲ୍ଲେଖ ହୋଇଥିବା କେତେକ ପର୍ବତାଦିର ନାମ ଗଡ଼ଜାତ ଗେଜେଟିଅରରୁ ଜାଣିବାକୁ ହୋଇଅଛି ଏବଂ ଟୀକାରେ ଥିବା ପର୍ବତମାନଙ୍କର ଉଚ୍ଚତା ମଧ୍ୟ ତାହା ସାହାଯ୍ୟରେ ଲିଖିତ ।’’ ଯେତେବେଳେ ୧୮୯୫ ମସିହାରେ ଏହି ଗ୍ରନ୍ଥ ପ୍ରକାଶ ପାଏ, ଏହାର ପ୍ରଥମ ପ୍ରକାଶକ ଥିଲେ ଯୁବରାଜଙ୍କ ଗୃହ ଶିକ୍ଷକ ସୂର୍ଯ୍ୟ କୁମାର ମିତ୍ର । ପରେ ଯେତେବେଳେ ୧୯୧୪ ରେ ଏହା ପ୍ରକାଶ ପାଇଲା ଏହି କାବ୍ୟର ପ୍ରଶସ୍ତି ଓ ପ୍ରସାର ଆଶାତୀତ ଭାବରେ ବୃଦ୍ଧି ପାଇଥିଲା । ଏହିଥରର ପ୍ରକାଶକ ଥିଲେ ସ୍ୱଦେଶ ପ୍ରେମିକ ଓ ସୁଲେଖକ ଶ୍ରୀମାନ୍‌ ବ୍ରଜମୋହନ ପଣ୍ଡା ।

 

‘ଉତ୍କଳ-ଲକ୍ଷ୍ମୀ’ ପ୍ରଥମେ ଯେତେବେଳେ ପ୍ରକାଶ ପାଇଥିଲା, ତାହା ଆଜି ଅନୁପଲବ୍‌ଧ । ବର୍ତ୍ତମାନର ଗ୍ରନ୍ଥବଳୀରେ ସଙ୍କଳିତ ହୋଇଥିବା କାବ୍ୟଟିର ମୋଟ ପଦ ସଂଖ୍ୟା ହେଲା ଏକ ଶହ ପଞ୍ଚାନବେ । କାବ୍ୟଟି ବଙ୍ଗଳାଶ୍ରୀ ରାଗରେ ରଚିତ । ଏହାର ପ୍ରଥମ ସଂସ୍କରଣରେ ୧୨୨ତମ ପଦ-‘‘ଏଣୁ ଆର୍ଯ୍ୟ କବି କହିଯାଇଛନ୍ତି, କଲୌ ଚିତ୍ରୋତ୍ପଳା ଗଙ୍ଗା ଶ୍ୱେତ ତରଙ୍ଗିଣୀ ଗୁପତେ ହୋଇଛି ମଞ୍ଜୁଳ ଶ୍ୟାମ-ତରଙ୍ଗା’’ । ପର୍ଯ୍ୟନ୍ତ ରହିଥିଲା । ପିତୃପ୍ରସଙ୍ଗ-ପୃ.୧୬୬) ସେହି ପୁରାତନ ରଚନାରେ ଆହୁରି ତେୟସ୍ତରି ପଦ ନୂତନ ରୂପେ ସଂଯୋଜିତ ହୋଇ ଆତ୍ମ ପ୍ରକାଶ କଳା ଉତ୍କଳ-ଲକ୍ଷ୍ମୀ ନୂତନ ରୂପଶ୍ରୀ କଳେବର ।

 

ପ୍ରଥମ ପ୍ରକାଶ ସମୟରେ ଏହି ଗ୍ରନ୍ଥଟି ‘‘ସମ୍ବଲପୁର ହିତୈଷିଣୀ ’’ ପତ୍ରିକା ଦ୍ୱାରା ସମାଲୋଚିତ ହୋଇଥିଲା । କାବ୍ୟର ଅସମ୍ପୂର୍ଣ୍ଣତାର ସୂଚନା ଦେବା ସଙ୍ଗେ ସଙ୍ଗେ ତାଙ୍କ (ଗଙ୍ଗାଧର) ପରି ବ୍ୟକ୍ତିଙ୍କର ଏପରି ଅକିଞ୍ଚିତକର କାର୍ଯ୍ୟରେ ହସ୍ତକ୍ଷେପ କରିବା ପ୍ରତିଭାର ଅପବ୍ୟବହାର ମାତ୍ର ବୋଲି ଲେଖିଥିଲେ । ଏହାପରେ ସେ କେତୋଟି କ୍ଷୁଦ୍ର କବିତା ରଚନାରେ ମନୋନିବେଶ କରିଥିଲେ । ପରେ ୧୯୦୨-୦୩ରେ ସେ ବିଜେପୁରଠାରେ ଅବସ୍ଥାନ କରୁଥିଲା ବେଳେ ‘କୀଚକବଧ’ କାବ୍ୟ ଲିଖିତ ହୋଇଥିଲା ।

 

ରଚନାର ପୃଷ୍ଠଭୂମି :

କବି ଗଙ୍ଗାଧର ଥିଲେ ଜାତୀୟବାଦୀ କବି । ମାତୃଭୂମି ଓ ମାତୃଭାଷା ପ୍ରତି କବିଙ୍କର ଥିଲା ଅକଳନ୍ତୀ ମମତା । ସେ ଉତ୍ତମ ରୂପେ ହୃଦୟଙ୍ଗମ କରିପାରିଥିଲେ ଯେ ଦେଶ, ଭାଷା ଓ ଜାତିକୁ ଉଠେଇବାକୁ ହେଲେ ଆମକୁ ପ୍ରାଣପାତ ଉଦ୍ୟମ କରିବାକୁ ହେବ । ନିଜର ଐତିହ୍ୟ ଓ ସଂସ୍କୃତି ପ୍ରତି ମମତ୍ୱବୋଧ ଯେଉଁ କବି ବା ଲେଖକ ସୃଷ୍ଟିରେ ନିର୍ଝରିତ ହେଲା ସେ ବାସ୍ତବରେ ଜନମାନସେର ଆଦୃତ ବା ସମ୍ମାନିତ ହୁଏ କାଳକାଳକୁ । ମମତ୍ୱବୋଧର ମାଧୁରିମା ଉଚ୍ଚାଟ କରେ ସୁଯୋଗ୍ୟମାନଙ୍କୁ ।

 

ନିଜ ରାଜ୍ୟ, ନିଜ ପ୍ରଦେଶର ମମତ୍ୱବୋଧରୁ ହିଁ ଉତ୍କଳ-ଲକ୍ଷ୍ମୀ’ କାବ୍ୟର ସୃଷ୍ଟି । ବହୁ ଆଲୋଚକ କିନ୍ତୁ ରାଧାନାଥ, ସୁଢ଼ଳ ଦେବ ରାମଚନ୍ଦ୍ରଭଞ୍ଜ ଆଦିଙ୍କ ପ୍ରଶସ୍ତିଗାନ କହି ସମାଲୋଚନା କରିଥାନ୍ତି । ମନେ ରଖିବାକୁ ହେବ ସେମାନଙ୍କର ଗ୍ରାହକତା ଅଭାବବୋଧ ମନେହୁଏ । ଆମେ ଯଦି ଠିକ୍‌ ଭାବେ ଅନୁଧ୍ୟାନ କରିବା ଏମାନଙ୍କ ସପକ୍ଷରେ ବା ବିପକ୍ଷରେ ଯାହା କୁହାଯାଇଛି, ତାହାର ଯଥାର୍ଥତା ହୃଦୟଙ୍ଗମ କରିହୁଏ ।

 

କବି ଗଙ୍ଗାଧର ‘ଉତ୍କଳ-ଲକ୍ଷ୍ମୀ’ କାବ୍ୟ ରଚନା କରିବା ବର୍ଷେ ପୂର୍ବରୁ ଏକ ସାହିତ୍ୟ ବିବାଦ ଦେଖା ଦେଇଥିଲା । ବିବାଦଟି ହେଲା- କିଛି ସାହିତ୍ୟ ପ୍ରେମୀ ବ୍ୟକ୍ତି ଉପନ୍ଦ୍ରଭଞ୍ଜଙ୍କ ସାହିତ୍ୟର ଉତ୍କର୍ଷତା ପ୍ରତିପାଦନ କରିବା ପାଇଁ ‘ଇନ୍ଦ୍ରଧନୁ’ ନାମକୁ ଏକ ପ୍ରତ୍ରିକା ୧୦-୮-୧୮୯୭ରେ ପ୍ରକାଶ କଲେ । ଠିକ୍‌ ଏହାର ବର୍ଷ ପରେ ୧୬.୯.୧୮୯୭ରେ ରାଧାନାଥ ସାହିତ୍ୟର ଯଶଗାନ ପାଇଁ ପ୍ରକାଶ ପାଇଲା ‘ବିଜୁଳି’ ପ୍ରତ୍ରିକା । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଉଭୟ ପତ୍ରିକା ନିଜ ନିଜ ଯଶ ଗାନ କରି ଅପରପକ୍ଷର କୁତ୍ସରଟନା ଚାଲିଲା । ଏହି ବିବାଦରେ ତତ୍‌କାଳୀନ ବହୁ ସାହିତ୍ୟକ ଭାଗ ନେଇ ଟଣାଓଟାରା ଚାଲିଲା । ଶେଷରେ କବି ରାଧାନାଥ ‘ଉପେନ୍ଦ୍ରଭଞ୍ଜ ମୋର ଗୁରୁ’’ ସ୍ୱୀକାର କରିବା ପରେ ଏହି ବିବାଦର ଅବସାନ ଘଟିଥିବାର ଜଣାଯାଏ । କିନ୍ତୁ ଏହି ବିବାଦରେ କବି ଗଙ୍ଗାଧର ତଟସ୍ଥ ରହି ଲକ୍ଷ୍ୟ କରୁଥିଲେ ଏହାର ପରିମାଣ । କବି ଥିଲେ ସ୍ଥିତପ୍ରଜ୍ଞ । ସେ ଜାଣିଥିଲେ ପ୍ରତିଭାର ବିନାଶ ନାହିଁ । କିଏ ବଡ଼ କିଏ ସାନ ଏହାର ନିର୍ଣ୍ଣାୟକ ସ୍ୱୟଂକାଳ । କୁତ୍ସାରଟନା ଅହଂର ପରିଚାୟକ ।

 

ମନେହୁଏ ଏଇ ଦୁଇ ବିବାଦମାନ ଗୋଷ୍ଠୀର ସମନ୍ୱୟ ସାଧନ ଏବଂ ପଶ୍ଚିମ ଓଡ଼ିଶାର ରମଣୀୟ ପ୍ରକୃତିର ରୂପାୟନ ପାଇଁ ‘ଉତ୍କଳ-ଲକ୍ଷ୍ମୀ’ କାବ୍ୟର ସୃଷ୍ଟି । ଆମେ ଯଦି ଏହି କାବ୍ୟକୁ ଗଭୀର ଭାବରେ ଅନୁଧ୍ୟାନ କରିବା ଗଙ୍ଗାଧରଙ୍କ ସୃଷ୍ଟିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଠିକ୍‌ ରୂପେ ହୃଦୟଙ୍ଗମ କରି ପାରିବା ଏବଂ କାବ୍ୟର ମହତ୍ୱ ଓ ଗୌରବ ଉପଲବ୍‌ଧି କରିପାରିବା । ଗଙ୍ଗାଧର କାହାରି ଅଯଥା ପ୍ରଶଂସା କରୁନଥିଲେ କି ନିନ୍ଦା କରୁନଥିଲେ ।

 

କବିବର ରାଧାନାଥ ଥିଲେ ପ୍ରକୃତିପ୍ରେମୀ । ତାଙ୍କ କାବ୍ୟଜଗତରେ ଓଡ଼ିଶାର ରୂପରମ୍ୟତାର ଛବି ସୁନ୍ଦର ଭାବର ପରିପ୍ରକାଶ ଘଟିଛି । ନଦ, ନଦୀ, ଗିରି, କନ୍ଦର ତଥା ବହୁ ପ୍ରକୃତିକ ସ୍ଥଳୀ ଓ ଐତିହାସିକ, ଘଟଣାବଳୀର ବର୍ଣ୍ଣନା ତାଙ୍କ ସାହିତ୍ୟରେ ଜୀବନ୍ତ ଓ ଅନୁପମ । କିନ୍ତୁ ପଶ୍ଚିମ ଓଡ଼ିଶାର ମନୋଜ୍ଞ ପ୍ରକୃତିର ଏବଂ ଐତିହାସିକ ଘଟଣାର ରୂପ ତାଙ୍କ ଦ୍ୱାରା ଅବହେଳିତ ଓ ଯଥାର୍ଥ ସ୍ଥାନ ପାଇ ପାରିନାହିଁ । ଏହା ନିଶ୍ଚୟ ଜାତୀୟବାଦୀ କବି ଗଙ୍ଗାଧର ମନରେ ଆଘାତ ଦେଇଥିବା । ସେଥିପାଇଁ କ୍ଷୋଭର ସହ ସେ ଲେଖିଛନ୍ତି:-

 

‘ରମ୍ୟ କଟି ଦାମ ଦେବାଲୋକ ନାମ

ନ ଶୁଣି ହେଲି ବିକଳ,

ଭାବିଲି ଦାୟାକ ଥିଲେ ହେଁ ଗାୟକ

ନଥିଲେ ଦେବା ବିଫଳ ।’’

 

ପୁଣି-

‘‘ଘାଣ୍ଟି ହେଲା ମନ ନ ଦେଖି ତହିଁରେ

ରମାଇ ବଂଶର ଜଣେ,

ବଳରାମ ଦେବ କମଳ କୁମାରୀ

ପଡ଼ିଲେ ସେ କାଳେ ମନେ ।’’

ବେଶ୍‌, ଏହି ଉଦ୍ଦେଶ୍ୟରେ ଗଙ୍ଗାଧର ସମଗ୍ରଉତ୍କଳର ଚାରୁ ଚିତ୍ର ଆଙ୍କିଛନ୍ତି

 

ଉତ୍କଳ-ଲକ୍ଷ୍ମୀ ସ୍ୱରୂପ :

ଉତ୍କଳର ମହିମା ବିଶେଷ । ଏଠିକାର ଶ୍ରୀ ଓ ସୌନ୍ଦର୍ଯ୍ୟ ଯୁଗେ ଯୁଗେ ଆକୃଷ୍ଟ କରିଛି ଦେବ ଲୋକ ଓ ଭୂଲୋକଙ୍କୁ । ପ୍ରାକୃତିକ ଶୋଭାସମ୍ଭାକରରେ ଉତ୍କଳ ଭରପୂର । ସମସ୍ତଙ୍କୁ ସବୁ କିଛି ଦେଇପାରିଲା, ଦେଖାଇ ପାରିଲା ଏବଂ ଆପଣାର କରିପାରିଲା ମହିମାରେ ଗରୀୟାନ ଓ ମହୀୟାନ । ତେଣୁ ଉତ୍କଳ ଦେଶକୁ ଭୂଲୋକରୁ ବହୁ ଦେବୀ ପ୍ରଲୋଭିତ ହୋଇ ସ୍ଥାୟୀ ଭାବରେ ରହିଯାଇଛନ୍ତି ଏବଂ ଜନତାର କଲ୍ୟାଣ ପାଇଁ ଆଶିଷ ଢାଳୁଛନ୍ତି । ସେଥିପାଇଁ କବି ତୃପ୍ତ ଆଉ ଦୃଢ଼ ସ୍ୱରରେ କହିଛନ୍ତି- ‘‘ଜୟ ଗୋ ଉତ୍କଳ ଳକ୍ଷ୍ମୀ । ଏକ ମାତ୍ର ସୁନ୍ଦରୀ ତୁ ବସୁଧାରେ’’ ଏହା ପରେ କାବ୍ୟଟି ଆରମ୍ଭ ହୋଇ ଉତ୍କଳର ଜୟଗାନରେ ମୁଖରିତ । ଏହାର ପ୍ରାକୃତିକ ଦୃଶ୍ୟ, ନରପୁଙ୍ଗପମାନଙ୍କ ଦକ୍ଷତା ଓ କବି ମନୀଷୀଙ୍କ ମହିମା ଆଦିରେ ଉତ୍କଳ-ଳକ୍ଷ୍ମୀ ବେଶ୍‌ ଉତ୍‌ଫୁଲ୍ଲିତ ଓ ଗର୍ବିତ ।

 

ଉତ୍କଳର ପୁଷ୍ପିତ ଓ ବର୍ଣ୍ଣାଢ଼୍ୟ ବିକାଶ ପାଇଁ କବିଙ୍କର ହୃଦୟ ସତତ ବ୍ୟାକୁଳତା ଓ ଆନ୍ଦୋଳିତ । ମାର୍ଗଶିର ମାସର ଏକ ଚନ୍ଦ୍ରବିଧୌତ ରଜନୀରେ କବି ଉତ୍କଳର କଥା ଚିନ୍ତା କରି ନିଜ କୁଟୀରରେ ବସିଛନ୍ତି ଭାବବେଗରେ । ଏହି ସମୟରେ ଏକ ଦିବ୍ୟରଥ ସହ ଏକ ଦେବୀ ଉଭା ହୋଇଛନ୍ତି ତାଙ୍କ ସମ୍ମୁଖରେ ଏବଂ କହିଛନ୍ତି, ‘‘ବତ୍ସ ଚିନ୍ତା କର ନାହିଁ । ଯେହେତୁ ତୁ ମୋର ପରମ ଅନୁରାଗୀ ତୋତେ ଉତ୍କଳର ଗତ ରହସ୍ୟ ସବୁ କିଛି ଉନ୍ମୋଚିତ କରିବି ଫର୍ଦ୍ଦ ପରେ ଫର୍ଦ୍ଦ ଯେଉଁଥିରେ ବହୁ ବିଭା ଓ ବିଭବ । ତାପରେ ସେହି ପ୍ରଜ୍ଞାଦେବୀ ଉତ୍କଳର ଚିରଗୌରବ ଓ କୀର୍ତ୍ତୀ ସୁକୃତି ବିଲୋକିତ କରାଇଛନ୍ତି ଗୋଟି ଗୋଟି କରି । ଏହି କ୍ରମରେ କବି କହିଛନ୍ତି-

 

‘‘ମନେ ମନେ କେତେ ମୁଁ ବୋଇଲି ଧନ୍ୟ

ଧନ୍ୟ ଗୋ ଉତ୍କଳ-ମାତା !

ସର୍ବ ଦେବଦେବୀ ହେଉଛନ୍ତି ତୋର

ବିଶୁଦ୍ଧ କୋଳରେ ଜାତ ।

ଏଣୁ ବିଜ୍ଞଜନେ ବୋଲୁଥାନ୍ତି ପରା

ସର୍ବତୀର୍ଥ ଘେନି ହରି,

ପତିତ ପାବନ ରୂପେ ରହିଛନ୍ତି

ନୀଳାଚଳେ ବିଜେ କରି ।’’

 

କବି ଗଙ୍ଗାଧର ଥିଲେ ଓଡ଼ିଆ ଜାତି ପ୍ରାଣ । ସମଗ୍ର ଉତ୍କଳକୁ ସେ ଭଲ ପାଇଛନ୍ତି ଗଭୀର ଭାବରେ । ଏହାର ରୂପ ବୈଭବ ଓ ଭାଷା ବୈଭବ କବିଙ୍କୁ କରିଛି ପ୍ରଲୁବ୍‌ଧ ଆଉ ବିମୋହିତ । ଏହି କାବ୍ୟରେ ଯେଉଁ ଅଖଣ୍ଡ ଉତ୍କଳର ବର୍ଣ୍ଣନା କବି ଦେଇଛନ୍ତି ସେ ସମୟରେ ଏହାର ଯଥାର୍ଥତା କିଛି କମ୍‌ ନୁହେଁ-

 

‘‘କିରୀଟ ଶୋଭାକୁ            ଶୋଭିତ କରୁଛି

କର୍ଣ୍ଣଭୂଷା ମଲ୍ଳୀ କଢ଼ି,

ମଲ୍ଳୀକଢ଼ି ତଟ            ଚୁମ୍ବନେ କୁନ୍ତଳ

ଶୋଭା ହିଁ ଯାଇଛି ବଢ଼ି ।

ବକ୍ଷକରେ ବଙ୍ଗ            ଭୂଷଣ ତୈଳଙ୍ଗୀ

ଭୂଷଣ ଦକ୍ଷିଣେତଚର,

ଚରଣ ଯୁଗଳେ            ଲରିୟା ଭୂଷଣ

ଶୋଭା ସମ୍ପାଦନ କରେ ।

ଧନ୍ୟ ସେ ଲାଙ୍ଗୁଳା            ନରସିଂହ ଦେବ,

ଅନଙ୍ଗଭୀମ ଭୂପାଳ,

ମଲ୍ଲୀକଢ଼ି ଦେଇ            ଯଶୋରାଜ୍ୟେ ରାଜା

ହୋଇଛନ୍ତି ଚିର କାଳ ।

ଚାରୁ ପତ୍ରାବଳୀ            ଲେଖିଛନ୍ତି ଭାଲେ

ବୌଦ୍ଧ ନୃପଗଣ ଧନ୍ୟ,

ନଥିଲେ ହେଁ ତାଙ୍କ            ମତେ ଲଭିଛନ୍ତି

ପରକାଳ ଭୋଗ୍ୟ ଧନ ।’’

 

କବିଙ୍କ ମତରେ ଉତ୍କଳର ଯେଉଁ ଶୋଭାରାଜି ରହିଅଛି ତାର ପଟାନ୍ତର ନାହିଁ । ସମସ୍ତେ ଏହାର ରୂପ ଗୁଣରେ ମୁଗ୍‌ଧ । ସେଥିପାଇଁ ବୋଧହୁଏ ସ୍ୱର୍ଗର ସମସ୍ତ ଦେବତା ଓ ସବୁ ସୌନ୍ଦର୍ଯ୍ୟ ଯେପରି ଓହ୍ଲାଇ ଆସିଛନ୍ତି ମର୍ତ୍ତ୍ୟର ଏହି ଅମରାବତୀ ରାଜ୍ୟ ଉତ୍କଳକୁ । ଅସଂଖ୍ୟ କୀର୍ତ୍ତରେ ବିଭା ମଣ୍ଡିତ ଏଇ ଉତ୍କଳ ଦେଶ ।

 

କେବଳ କବିବର ରାଧାନାଥ ରାୟ ତାଙ୍କ କାବ୍ୟ ଜଗତରେ ଉପକୂଳ ଓଡ଼ିଶାରଚିତ୍ର ପ୍ରଦାନ କରି କ୍ଷାନ୍ତ ହୋଇଥିବା ବେଳେ କବି ଗଙ୍ଗାଧର ବଡ଼ ଉଦାର ଭାବରେ ‘ଉତ୍କଳ-ଲକ୍ଷ୍ମୀ’ କାବ୍ୟ ସମଗ୍ର ଓଡ଼ିଶାର ଚିତ୍ର ମାର୍ମିକ ଭାବରେ ପ୍ରଦାନ କରି ଉତ୍କଳୀୟ ଭାବ-ବନ୍ଧନର ଉଦାହାରଣ ସୃଷ୍ଟି କରିଯାଇଛନ୍ତି । ତତ୍‌କାଳୀନ ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ପାଇଁ ଏ ଜାତୀୟ ମନୋରଭାବ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ନୁହେଁ କି ? ତାଙ୍କର ଏ ଜାତି, ଏ ଭାଷା, ଏ ପ୍ରଦେଶ ପାଇଁ ମମତା, ଚିନ୍ତା ଓ ଚେତନା ଥିଲା ବଡ଼ ଆବେଗପୂର୍ଣ୍ଣ । ତାଙ୍କର ଏକ କବିତାରେ ସେ ଲେଖିଛନ୍ତି-

 

‘‘କୁଳ୍ୟାଖୋଳା ହୋଇ ନ ପାରିବ ଭାଇ

ଦୁଇ ଚାରି ଜଣକରେ

ଲୋକ ଲକ୍ଷ ଲକ୍ଷ ନ ବାନ୍ଧିଲେ ସଖ୍ୟ

ନ ମିଳିଲେ ପରସ୍ପରେ ।

କୋଟିଏ ସୋଦର ଗୋଟିଏ ଜୀବନ

ନ କରିବା ଯେତେ ଦିନ,

ଧାର ଚାହିଁ ଚାହିଁ ଶୋଷେ ଥିବା ରହି

ଦଶା ହେଉଥିବ ହୀନ ।’’ (ଉଦ୍‌ବୋଦନ)

 

ପୁଣି ସେ କହିଲେ-

‘‘ଉତ୍କଳବାସୀଏ ଉତ୍କଳ ଭାଷିଏ

ଯହିଁ ତହିଁ ପଛେ ଥାଅ,

ନବ ପ୍ରତ୍ୟୁଷରେ ନବୀନ ଭାଷାରେ

ନବୀନ ସଙ୍ଗୀତ ଗାଅ ।’’

 

କବି ଗଙ୍ଗାଧରଙ୍କର ଜାତୀୟ ଭାବନା ଅନ୍ତଃ ନଥିଲା । ମାଟି, ପାଣି, ପବନ ସବୁ କିଛି ଥିଲା ତାଙ୍କର ଏକାନ୍ତ ପ୍ରିୟ ଏବଂ ଆପଣାର । ଋଷି କବି ଗଙ୍ଗାଧର ଥିଲେ ଓଡ଼ିଆ ଜାତିର ଜାଗ୍ରତ ପ୍ରହରୀ । ୧୮୯୪ରେ ‘ଉତ୍କଳ-ଲକ୍ଷ୍ମୀ’ ରଚନା କରି ସେ ସ୍ୱତନ୍ତ୍ର ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ । ଅଖଣ୍ଡ ଓଡ଼ିଶା ପାଇଁ ତାଙ୍କର ପ୍ରାଣର ଚିର ଉଦ୍‌ବେଳିତ ରହୁଥିଲା । ତାଙ୍କ ପାଇଁ ପୂର୍ବ, ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶା ସବୁ ସମାନ । ସମସ୍ତେ ଏକ ଭାଷାଭାଷୀ ଏବଂ କାହାରି ମନରେ କିମ୍ୱା ହୃଦୟରେ ବିଦ୍ୱେଷ ବା ବିଭେଦର ଭାବନା ନ ରହୁ । ଏହା ଥିଲା ତାଙ୍କ ଅନ୍ତର କାବ୍ୟିକବାଣୀ ଏବଂ କାହାରି ମନରେ କିମ୍ୱା ହୃଦୟରେ ବିଦ୍ୱେଷ ବା ବିଭେଦର ଭାବନା ନ ରହୁ ଏହା ଥିଲା ତାଙ୍କ ଅନ୍ତର କାବ୍ୟକବାଣୀ । ଉତ୍କଳ-ଲକ୍ଷ୍ମୀଙ୍କର ଏକ ବିରାଟ ସମ୍ଭାବନା ଓ ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନାରେ ଗଙ୍ଗାଧରଙ୍କୁ ବିହ୍ୱଳିତ କରୁଥିଲା । ସେ ଉତ୍କଳର ଭୌଗୋଳିକ ଚିତ୍ର ପ୍ରଦାନ କରି ପୂର୍ଣ୍ଣାଙ୍ଗ ଓଡ଼ିଶାର କଳା, ସାହିତ୍ୟ, ସଙ୍ଗୀତ, ସଂସ୍କୃତି ତଥା ଆଧ୍ୟତ୍ମିକ ଚେତନାର ପ୍ରତୀକ ରୂପେ ‘ଉତ୍କଳଲକ୍ଷ୍ମୀ’ ହେଉଛନ୍ତି ସମସ୍ତ ଗୁଣ ଓ ଗାରିମାରେ ଶ୍ରେଷ୍ଠ ଓ ମହିମାବନ୍ତ । ଷଡ଼ଋୁତୁ ସହ ପ୍ରିୟ ପ୍ରକୃତି ମଧ୍ୟ ତାଙ୍କ ସେବାରେ ନିୟତ ପ୍ରସ୍ତୁତି । କିଏ କେତେ ପ୍ରକାରେ ଉତ୍କଳମାତାର ଯତ୍ନରେ କାର୍ଯ୍ୟଶୀଳ ତାହା ପଟାନ୍ତର ନାହିଁ । ପ୍ରିୟମାତାଙ୍କୁ ଯାହା ଭଲ ଲାଗିବ ଏବଂ ଯାହା ତାଙ୍କ ଶ୍ରୀ ଅଙ୍ଗରେ ଶୋଭାବର୍ଦ୍ଧନ କରିବ, ସେହି ଭାବ ଭାବନାରେ ସମସ୍ତେ ତତ୍ପର ।

 

‘‘ଯାମିନୀ କାମିନୀ ପ୍ରିୟ ସଖୀ ଭାବେ

କରୁଥାଏ କେତେ ସଜ,

କୋମଳ ଶ୍ରୀ ଅଙ୍ଗେ ବୋଳି ଦେଉଥାଏ

ନିହାର କର୍ପୂର ରଜ ।

କେବେ ବୋଳି ଦିଏ ସ୍ନେହବଶେ ଚନ୍ଦ୍ର

ଚନ୍ଦ୍ରିକା ଚାରୁ ଚନ୍ଦନ,

ତିମିର ଛଳରେ ମୃଗମଦ ଘୋରି

କେବେ କରେ ପ୍ରଲେପନ ।’’

 

ଉତ୍କଳ ପ୍ରକୃତିର ମନୋରମ ଦୃଶ୍ୟ, ବିଭା ଓ ବିଭବ ଭୂଲୋକଠାରୁ ଦେବଲୋକ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ସମ୍ପଦ । ଏହାର ଦିଗନ୍ତ ବିସ୍ତାରୀ ଶୋଭାରାଶିର ମୁଗ୍ଧ, ଚକିତ ଓ ପ୍ରଲୁବ୍‌ଧ ଭାବରାଜି ନିତ୍ୟ ନିରନ୍ତର ଆକୃଷ୍ଟ କରିଛି ପତିତ ପାବନ ଜଗତର ନାଥ ଜଗନ୍ନାଥ ଓ ଦେବ ଦେବ ମହାଦେବଙ୍କୁ ! ସେମାନଙ୍କର ପ୍ରିୟ ଦ୍ୱାରକା ନଗରୀ ଓ କାଶୀଧାମ ମଧ୍ୟ ଉତ୍କଳର ଶ୍ରୀଠାରୁ କମ୍‌ ବୋଧ ହେଉଛି । ଏଣୁ ତାଙ୍କର ସେହି ପ୍ରିୟ ସ୍ଥାନ ଛାଡ଼ି ଉତ୍କଳର ପବିତ୍ର ଭୂମିରେ ସତେ କି ସ୍ଥାୟୀ ଭାବରେ ରହିଯାଇଛନ୍ତି ! ସେଥିପାଇଁ ଗଙ୍ଗାଧର କହିଛନ୍ତି :-

 

‘‘ତୋହୋ ରୂପେ ମୁଗ୍‌ଧ ହୋଇ ଜଗନ୍ନାଥ

ଛାଡ଼ି ଦ୍ୱାରାବତୀପୁର,

କାଳିନ୍ଦଜା ତଟ ବିପିନ ବିହାର

ସୁଖ କରି ମନୁ ଦୂର

ପୂର୍ବାଚଳ ଚୂଳେ ଦିନମଣି ପ୍ରାୟେ

ବିଜେ କରି ନୀଳାଚଳେ,

ପ୍ରେମେ ଆଲିଙ୍ଗନ କରୁଛନ୍ତି ତୋତେ

ପ୍ରକାଣ୍ଡ ବାହୁ ଯୁଗଳେ ।

କାଶୀଧାମ ଛାଡ଼ି ଆସି ତ୍ରିଲୋଚନ

ରହିଲେ ଏକାମ୍ରବନେ,

ତିନି ଲୋଚନକୁ ତୃପ୍ତ କରୁଛନ୍ତି

ତୋ’ ରମ୍ୟ ରୂପ ଦର୍ଶନେ ।’’

 

କାଶୀଧାମ ତ୍ୟାଗ କରି ଯେତେବେଳେ ଶିବ ଏକାମ୍ରବନରେ ବାସ କରି ଉତ୍କଳର ରୂପଶ୍ରୀ ଦର୍ଶନ କରି ତାଙ୍କର ତିନି ଲୋଚନକୁ ତୃପ୍ତ କରୁଛନ୍ତି ବିଶ୍ୱପାବନୀ ଜାହ୍ନବୀ ଆଉ ସେଠାରେ ଥୟ ଧରି ରହିପାରିଲେ ନାହିଁ । ସେ ଆସିଗଲେ ଲୋକ ଉହାଡ଼ରୁ ଭିନ୍ନ ନାମ ଧରି-

 

‘‘ସେ ବିଶ୍ୱ ପାବନ ବିଶ୍ୱନାଥଙ୍କର

ଗମନକୁ ଅନୁସରି,

ଜାହ୍ନବୀ ଆସିଲେ କଇତବ ବେଶେ

ଚିତ୍ରୋତ୍ପଳା ନାମ ଧରି ।’’

 

ଯେତେବେଳେ ଜାହ୍ନବୀ ଉତ୍କଳଦେଶକୁ ଚିତ୍ରୋତ୍ପଳା ନାମ ଧରି ଆଗମନ କରିଛନ୍ତି ଏହି ଭୂମି ପୂତ ଆଉ ପବିତ୍ର ହୋଇଉଠିଛି । ତାଙ୍କର ପାବନ ସ୍ପର୍ଶରେ ସମଗ୍ର ଉତ୍କଳବାସୀ ପୁଲକିତ ଆଉ ରୋମାଞ୍ଚିତ ହୋଇ ଉଠିଛନ୍ତି । ଏପରିକି ଦେବୀ ସମଲାଇ ତାଙ୍କର ଆଗମନରେ ଉଲ୍ଲସିତ ହୋଇ ତାଙ୍କୁ ଯେତେବେଳେ ପ୍ରେମ ପାଶରେ ଆଲିଙ୍ଗନ କରିଛନ୍ତି ତାହାଙ୍କ ‘ହଦହାର’ଟି ଛିଣ୍ଡିପଡ଼ିଛି-। ସେହି ହାରଟିକୁ ଖୋଜୁ ଖୋଜୁ ଖନିତ ବାଲିକାରାଶି ସମୂହ ସ୍ତୂପକାର ହୋଇଯାଇଛି । ସେହି ସ୍ଥାନ ଏବେ ଜନମାନସରେ

 

‘‘ଏବେ ହୀରାକୁଦ ନାମେ ଅଭିହିତ

ହୋଇଅଛି ସେହି ସ୍ଥାନ,

କେତେ ହୀରା ତହୁଁ ପାଇତୋ କୁମରେ

ହୋଇଛନ୍ତି ଧନବାନ ।’’

 

କବି ଗଙ୍ଗାଧର ଏଠାରେ ଯେଉଁ ହୀରାକୁଦ ନାମ କରଣର କିମ୍ବଦନ୍ତୀ ଉପସ୍ଥାପିତ କରିଛନ୍ତି ଏହା ତାଙ୍କ ଜାତୀୟ ପ୍ରିତୀର ଅନ୍ୟ ଏକ ନିଦର୍ଶନ । ସେ ଚାହୁଁଥିଲେ ଏ ଭୂମିର ପ୍ରତ୍ୟେକଟି ବସ୍ତୂ ଉପଯୁକ୍ତ ମର୍ଯ୍ୟାଦା ପାଉ ଏବଂ ବିଶ୍ୱ ଦରବାରରେ ଆଦୃତ ଲାଭ କରୁ ଓ ସମ୍ମାନିତ ହେଉ ।

 

ଉତ୍କଳ-ଲକ୍ଷ୍ମୀଙ୍କର ସେବା ତଥା ଶୋଭାବର୍ଦ୍ଧନ ପାଇଁ କବି ଯେଉଁ ପ୍ରାକୃତିକ ସମ୍ପଦର ଅଳଙ୍କାରମାନ ବିମଣ୍ଡିତ କରିଛନ୍ତି ତାହା ଉଚ୍ଚ କବି ଜନୋଚିତମାନସର ଦ୍ୟୋତକ । ପ୍ରଧାନପାଟ ତାଙ୍କର ଉଜ୍ଜ୍ୱଳ ରତ୍ନ ସୀମନ୍ତ ରୂପେ ସୁଶୋଭିତ । ଗୁମ୍‌ଦର୍ହ ମଥାମଣି ଯୋଗାଇ ଦେଇଛି । ପ୍ରକୃତି ତାଙ୍କ ପାଇଁ ସୁସଜ୍ଜିତ ଲତା ଦୋଳି ଧୋଇଛି । ମନୋରଞ୍ଜନ ପାଇଁ ତାଙ୍କର ସ୍ଥାନେ ସ୍ଥାନେ ଅନେକ ପୁଷ୍ପବାଟିକା ମାନ ସମ୍ପାଦି ରଖିଛି । ପ୍ରାବୃଟ କାଳରେ ପ୍ରାଚୀ ଗଗନରେ ଦୃଶ୍ୟମାନ ବାସବଧନୁ ଏବଂ ନିଦାଘ ସମୟରେ ଆମ୍ରକୁଞ୍ଜ ମଧ୍ୟରେ କୋକିଳର ମନ୍ଦ୍ରମଧୁର ସଙ୍ଗୀତର ସ୍ୱର ପୁଣି ଦଳ ଦଳ ବିହାୟସର ସୁମଧୁର ସଙ୍ଗୀତର ମୂର୍ଚ୍ଛନା ଏ ସବୁ କିଛି ତାଙ୍କ ସେବା ଓ ଶୋଭାର୍ଦ୍ଧନ ପାଇଁ ଚଳଚଞ୍ଚଳ ଆଉ ତତ୍କର । ସବୁ ଦୃଷ୍ଟିରୁ ଉତ୍କଳ ଳକ୍ଷ୍ମୀ ହେଉଛନ୍ତି ଶ୍ରେଷ୍ଠ ଓ ମହିମ୍ନ । ପୁଣି ଉତକଳ-ଲକ୍ଷ୍ମୀଙ୍କର ସ୍ୱାଗତ କରିବା ପାଇଁ ଉତ୍କଳର ନଦ-ନଦୀ-ଝରଣାର ଆବେଗାତ୍ମକ ଭାବାବେଗ କବି କଳ୍ପନାରେ ବେଶ୍‌ ଜୀବନ୍ତ ଓ ସରସ ।

 

ଉତ୍କଳ-ଲକ୍ଷ୍ମୀଙ୍କର ବନ୍ଦନା ପାଇଁ ସମସ୍ତ ଦେବାଦେବୀ ମଧ୍ୟ ଲାଳାୟିତ, କାରଣ ସେ ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ । ସମଗ୍ର ଓଡ଼ିଶାର ଭୂମି ଠାରୁ ଭୂମା ପର୍ଯ୍ୟନ୍ତ କବିଙ୍କର ସାରସ୍ୱତ ଯଶରେ ଜୀବନ୍ତ । ଉତ୍କଳ-ଲକ୍ଷ୍ମୀଙ୍କର ଏଠାରେ ସମସ୍ତେ ନିଜର । ସାନବଡ଼ର ଭେଦ ନାହିଁ । ସମସ୍ତେ ସମାନ । ତାଙ୍କରି ସେବାରେ ସମସ୍ତଙ୍କର ଅଧିକାର । ଏପରିକି:-

 

‘‘ଶିଶୁପାଳ, ବାର ପାହାଡ଼, ଛେଳିଆ

ଝରଘାଟୀ, ବଡ଼ପାଟୀ,

ଗିରିମଲ୍ଲୀମାଳ ଧରି ପ୍ରାଙ୍ଗଣରେ

ଦିଶୁଥିଲେ ପରିପାଟୀ ।

ବୁଢ଼ାରଜା ଗଙ୍ଗ- ଶିଉଳି ସ୍ତବକ

ହସ୍ତରେ ତହିଁ ଥିବାର,

ଦେଖି ଗାଢ଼ ପ୍ରେମ-ପୂରିତ ଲୋଚନେ

ନିରେଖିଲି ବାରମ୍ବାର ।

ମୋତି ଝରଣର ମୋତିମାଳା ରୂପୀ

ଆମଳକୀ ଫଳମାଳ,

ଉପହାର ଘେନି ଉଭା ହୋଇଥିଲେ

ତୁଙ୍ଗ ତୁଙ୍ଗ ବହୁଶାଳ ।’’

 

ପୁଣି-

‘‘ମେଘସାନ ଗନ୍ଧ-ମାର୍ଦନ ଗୋନାସୀ

ଅରଣ୍ୟେ ପଥ ନହୁଡ଼ି,

ଉଭା ହେଲେ ଦେବୀ ପାଶେ ଉର୍ଦ୍ଧ୍ୱେଟେକି

ଗଗନଚୁମ୍ବୀ ନହୁଡ଼ି ।’’

 

‘ଉତ୍କଳ-ଲକ୍ଷ୍ମୀ’ କାବ୍ୟରେ କବି ଓଡ଼ିଶାର ବିକାଶରେ ଯେଉଁ ରାଜନ୍ୟ ମଣ୍ଡଳୀଙ୍କର ଅବଦାନ ବିଶେଷ ସେମାନଙ୍କର ଗୌରବ ପ୍ରଖ୍ୟାପନ କରିଛନ୍ତି । ବାମଣ୍ଡା ରାଜା ସୁଢ଼ଳ ଦେବ, ଶ୍ରୀରାମଚନ୍ଦ୍ରଭଞ୍ଜ, ଖଡ଼ିଆଳ ରାଜା ବ୍ରଜରାଜ ଆଦିଙ୍କର ଗୁଣଗାରିମାରେ ସେ ବେଶ୍‌ ଆଶାବାଦୀ । ଏମାନଙ୍କ ଯୋଗୁଁ ଉତ୍କଳ-ଲକ୍ଷ୍ମୀ ଆଜି ବିଶେଷ ରୂପେ ଉପକୃତ । କିନ୍ତୁ ଯେଉଁ ରାଜାମାନଙ୍କ ଦ୍ୱାରା ଉତ୍କଳ-ଲକ୍ଷ୍ମୀ ଉପକୃତ ହୋଇପାରୁନାହାନ୍ତି ସେମାନେ ଥାଇ କି ଲାଭ ! କବିଙ୍କ ଭାଷାରେ-

 

‘‘କେତେମଣି ଅତି ମ୍ଳାନ ଦିଶୁଛନ୍ତି । ଥାଇ ସେ ନଥିଲା ପରି ।’’

 

କବିବର ରାଧାନାଥରାୟ ଗଙ୍ଗାଧରଙ୍କ ପ୍ରିୟ ଓ ପରମ କବି ହେଲେ ସୁଦ୍ଧା ତାଙ୍କର ବିଦେଶୀ ଭାବବସ୍ତୁ ଆହରଣ ପ୍ରତି ସେ କଟାକ୍ଷପାତ କରିଛନ୍ତି । ଆମ ସଂସ୍କୃତି, ଆମ ପରମ୍ପରା ଆମ ପାଣି ପବନରେ ଯେପରି ଆମର ଜୀବନ ନାଟିକା ସୁସ୍ଥ ସବଳ ଓ ଅବାଧ ଭାବରେ ବିଚରଣ କରିପାରିବ, ବିଦେଶୀ ଭାବ-ସଂସ୍କୃତି ଏଠାରେ ଉଧେଇ ପାରିବା ମୁସ୍କିଲ । ତାକୁ ଏହି ପରିବେଶ ଅଡ଼ୁଆ ଲାଗିବ । ସେହି ଦୃଷ୍ଟିରୁ କବିବରଙ୍କ ସାହିତ୍ୟରେ ‘‘ଉତ୍କଳ-ଲକ୍ଷ୍ମୀ’’ ଏକ କାବ୍ୟିକ ପ୍ରତିବାଦ ମନେହୁଏ । ଗଙ୍ଗାଧରଙ୍କ ଉତ୍କଳ-ଲକ୍ଷ୍ମୀ ପରିକଳ୍ପନା ଏକ ମହାନ ଓ ଉଦାର ପରିକଳ୍ପନା । ରାଧାନାଥଙ୍କର ଖଣ୍ଡିତ ଓ ବିକଳାଙ୍ଗ ଉତ୍କଳ-ଲକ୍ଷ୍ମୀଙ୍କୁ ମେହେରଙ୍କ ଲେଖନୀର ଯାଦୁସ୍ପର୍ଶରେ କରିଛି ସମ୍ପୂର୍ଣ୍ଣ ଓ ସୁଷମିତ । ନାରୀର ପରମ ସୌନ୍ଦର୍ଯ୍ୟ ଓ ଗୌରବର ପ୍ରତୀକ ହେଉଛି ସିନ୍ଦୁର ବିନ୍ଦୁ । ସେହି ସିନ୍ଦୁର ବିନ୍ଦୁ କବି ଆଙ୍କି ଦେଇଛନ୍ତି ରାଜ ରାଜେଶ୍ୱରୀ ଉତ୍କଳ-ଲକ୍ଷ୍ମୀଙ୍କ ଲଲାଟପଟରେ-

 

‘‘ସମଲାଇ ଦେଲେ ରାଜରାଜେଶ୍ୱରୀ

ଲଲାଟେ ସିନ୍ଦୁର ବିନ୍ଦୁ,

ବିନ୍ଦୁ ଯୋଗେ ହେଲା ଶ୍ରୀମୁଖଶୋଭିତ

ବାଳ ସୂର୍ଯ୍ୟେ ଯଥା ସିନ୍ଧୁ ।’’

 

ଉତ୍କଳ-ଲକ୍ଷ୍ମୀଙ୍କର ଶ୍ରୀ ବର୍ଣ୍ଣନାରେ କବି ଗଙ୍ଗାଧରଙ୍କ ପ୍ରତିଭା ବେଶ୍‌ ଉଜ୍ଜ୍ୱଳ ବିମଣ୍ଡିତ ମନେହୁଏ । ସବୁକିଛି ରୂପ-ବିଭବରେ ପ୍ରିୟ ଜନ୍ମଭୂମିକୁ ସଜାଇ ତାର ଗୁଣ ଗାନରେ କବି ବିହ୍ୱଳିତ-। ଯୁଗେ ଯୁଗେ ଉତ୍କଳ ଏକ ଉଦାର ଓ ପୁଣ୍ୟଭୂମି ରୂପେ ଆକୃଷ୍ଟ କରିଛି ବହୁ ବିଦ୍ୱାନ ଓ ମୁନିଜନଙ୍କୁ ସମସ୍ତେ ଏଠାକୁ ଆସିଛନ୍ତି ଏବଂ ନିଜର ମତ ଓ ବାଦ ପ୍ରଚାର କରିଯାଇଛନ୍ତି । କାହାକୁ ଏଠି ବାରଣ ନାହିଁ, କି ତାରଣ ନାହିଁ । ଉଦାର ଭାବରେ ଏ ଭୂମି ସମସ୍ତଙ୍କୁ ଆପଣେଇ ନେଇଛି । ଏଣୁ ଏହି ଭୂମିର ମହତ୍ୱ କମ୍‌ ନୁହେଁ । କବିଙ୍କ ଭାଷାରେ-

 

‘‘ଅଶୋକ ପରଶ-ନାଥ ବାନା ଧରି

ବୌଦ୍ଧ ଜୈନ ଦଳ ବଳ,

ଉଚ୍ଚସ୍ୱରେ ‘ଜୟଲକ୍ଷ୍ମୀ ନାଦେ ଦେଲେ

କମ୍ପାଇ ନଭୋମଣ୍ଡଳ ।

 

ବିବିଧ ଆକାରେ ଚିତାକାଟି ଶିରେ

ବୈଷ୍ଣବ ମଣ୍ଡଳୀ କାହିଁ,

ଖୋଳ କରତାଳ ନାଦେ ନୃତ୍ୟ କଲେ

ଜୟ ଜୟ ଲକ୍ଷ୍ମୀ ଗାଇ ।’’

 

ଜାତି ପ୍ରାଣ ପଙ୍ଗାଧର କାବ୍ୟଟିର ନାମ ଉତ୍କଳ-ଲକ୍ଷ୍ମୀ ରଖି ଯେଉଁ ଜାତିପ୍ରେମ ଓ ଦେଶପ୍ରେମର ପରିଚୟ ଦେଇଛନ୍ତି ତାହା ଅପ୍ରମେୟ । ମନେ ରଖିବାକୁ ହେବ କବି ଉଭୟ ବାଣୀ ଓ ଲକ୍ଷ୍ମୀଙ୍କୁ ସମ୍ମାନ ଦେଇ ଏହାଙ୍କର ପ୍ରାଚର୍ଯ୍ୟରେ ଓ ମାତୃଭୂମି ମାତୃଭାଷାର ବନ୍ଦନାରେ ମୁଖରିତ । ଆମ ବୈଦିକ ଯୁଗର ଋଷି କଣ୍ଠରେ ଦିନେ ଏପରି ଉଚ୍ଚରିତ ହେଉଥିଲା ‘‘ଇଲା-ସରସ୍ୱତୀ ମହୀ ତିସ୍ରୋ ଦେବୀର୍ମୟୋଭୁବଃ । ବର୍ହି ସାଦଂତ୍ୱସ୍ରିଧଃ’’ ଅର୍ଥାତ୍‌ ମାତୃଭୂମି, ମାତୃଭାଷା ଓ ମାତୃସଭ୍ୟତା ଏଇ ତିନିଦେବୀ ଆମକୁ କଲ୍ୟାଣ ଦାନ କରିଥାନ୍ତି । କବି ଏହି କାବ୍ୟରେ ଅଖଣ୍ଡ ଉତ୍କଳର ଯେଉଁ ରୂପ ପ୍ରଦାନ କରିଛନ୍ତି ତାହା ତାଙ୍କର ଜାତି-ପ୍ରେମର ଅନନ୍ୟ ନିଦର୍ଶନ । ପୁଣି କାବ୍ୟର ଉପ ସଂହାରଟିରେ କବି ଯେଉଁ ଇନ୍ଦ୍ରଧନୁ ଓ ବିଜୁଳିର ସଂଘର୍ଷ ଓ ଦଳାଦଳିର ଉର୍ଦ୍ଧ୍ୱକୁ ଉଠି ଦେଖାଇ ଦେଇଛନ୍ତି ତାଙ୍କର କବି ଜନୋଦିତ ଉଦାରତା ଓ ମୀସାଂସା ।

 

କବି ଗଙ୍ଗାଧର ଥିଲେ ସ୍ଥିତପ୍ରଜ୍ଞ । କାହାରି କଥା ବା ବାର୍ତ୍ତାରେ ସେ ପ୍ରରୋଚିତ ହେବା ଜଣାଯାଏ ନାହିଁ । ଅନେକ ସମାଲୋଚକ ଉତ୍କଳ ଳକ୍ଷ୍ମୀ କାବ୍ୟକୁ ରାଧାନାଥଙ୍କ ସ୍ତୁତି ଗାନ ବୋଲି ମନ୍ତବ୍ୟ ପ୍ରଦାନ କରିଥାଆନ୍ତି । କିନ୍ତୁ ଦେଖିବାକୁ ଗଲେ ରାଧାନାଥଙ୍କ କାବ୍ୟର ଏହା ଏକ ସୁସମାଲୋଚନା ନ କଲେ କି ସେ କହିଥାନ୍ତେ-

 

‘‘ନନ୍ଦିକା ଆସିଲା କଣ୍ଟକିତ ପଥେ

ଲଜ୍ଜା ଉପାନହ ପଦେ,

ଉପାୟନ ରୂପେ ଜୈତ୍ରମଣି ଧରି

ନବପ୍ରେମ ଗଦଗଦ ।

ଏକ କରେ ଧନୁ ଅନ୍ୟ କରେ ଧରି

ମାର୍ତ୍ତଣ୍ଡ ପ୍ରଚଣ୍ଡ ଶର,

ନିମିଷ ମାତ୍ରକେ ଦଉଡ଼ି ଆସିଲା

ଉଷାବୀର ନାରୀ ବର ।

କୌଶଲ୍ୟା ଆସିଲା ମୁଖ ଢାଙ୍କିବସେ,

କୁଟୀର କରେ ପାର୍ବତୀ,

ଥିଲେ ତାଙ୍କ ସଙ୍ଗେ ଅନ୍ନପୂର୍ଣ୍ଣା ଶୁକ୍ର-

ତାରା ସମ ଜ୍ୟୋତିଷ୍ମତୀ ।’’

 

କବିବରଙ୍କ କାବ୍ୟର ଏହି ଏକ ନମ୍ର ପ୍ରତିବାଦ ନୁହେଁ କି ?

ଓଡ଼ିଶାର କୋଣେ ଅନୁକୋଣେ ରହିଥିବା ମନୋରମ ପ୍ରକୃତିର ବର୍ଣ୍ଣନା ଏହି କାବ୍ୟରେ ଯେଭଳି ଭାବରେ ରୂପାୟିତ ହୋଇଛି ତାହା କବି ଗଙ୍ଗାଧରଙ୍କ କାବ୍ୟିକ ମାଧୁର୍ଯ୍ୟ ବେଶ୍‌ ଉପଭୋଗ୍ୟ । ମନେହୁଏ ଆହୁରି ମଧ୍ୟ ଚନ୍ଦ୍ର ଓ ରୋହିଣୀଙ୍କ କଥୋପକଥନ ଛଳରେ ତାଙ୍କର ଭୌଗୋଳିକ ଚିତ୍ର ପ୍ରଦାନ ତାଙ୍କ ବୈଜ୍ଞାନିକ ମନର ପରିଚୟ ମିଳେ । ରାଧାନାଥଙ୍କ ସାହିତ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାର ଚିତ୍ର ମିଳେ ନାହିଁ । ମାତ୍ର ଗଙ୍ଗାଧର କଳାହାଣ୍ଡି ଗଞ୍ଜାମଠାରୁ ମୟୂରଭଞ୍ଜ, ପୁରୀ, କଟକ ଆଦି ଜିଲ୍ଲାର ତଥା ଉପାନ୍ତର ଚିତ୍ରଟାଣି ପୂର୍ଣ୍ଣାଙ୍ଗ ଓଡ଼ିଶା ନିର୍ମାଣ କରିଛନ୍ତି । କବିଙ୍କର ଭାଷା ପ୍ରେମ ଅପୂର୍ବ ଓ ଅନ୍ୟନ୍ୟ ମନେହୁଏ ।

 

ତାଙ୍କର ବର୍ଣ୍ଣନାରେ ପଶ୍ଚିମ ଓଡ଼ିଶା, ପୂର୍ବ ଓଡ଼ିଶା ତଥା ଉତ୍ତର ଓଡ଼ିଶାର ସମସ୍ତ ଦେବାଦେମୀ ପୀଠ, ନଈ, ନାଳ, ବଣ ପାହାଡ଼ ମଧ୍ୟ ଉତ୍କଳ ଲକ୍ଷ୍ମୀଙ୍କର ମହତ୍ୱ ପ୍ରତିପାଦନରେ ଶତଜିହ୍ୱ ହୋଇଛନ୍ତି । କବି ଗଙ୍ଗାଧରଙ୍କ ଭାବନା, ଚିନ୍ତା ଓ ଚେତନାରେ ସଂକୀର୍ଣ୍ଣତା ନଥିଲା । ନ ହେଲେ କି

 

‘‘ଜିରା, ଦନ୍ତା, ଉାଉଁ, ରାଞ୍ଜ, କୁଲିଆରୀ

ଉତ୍ସବେ ହୋଇ ଯାତ୍ରିକ,

ନିଜ ଦଳ ମଧ୍ୟେ କରୁଥିଲେ ମୋଦେ

ମନୋହର ତୌର୍ଯ୍ୟତ୍ରିକ ।

ଭେଡ଼ନ, ମାଳତୀ, ରଣିକା, ଘୋଷାଳୀ

ସହିତ ମିଳି ଉତ୍ତାଳୀ,

ସରଳ ତରଳ ଗୀତ ଗାଇ ମୁଦେ

ମାରୁଥିଲେ କର ତାଳି ।

ଅଲକ୍ଷ୍ୟରେ ଖରେ ଆସି ସେ ପାଖରେ

ନୃତ୍ୟକଲା ‘ଖରଖରୀ’,

ହରଡ଼ ହରଷେ ହରବର ହୋଇ

ଧାଇଁ ଥିଲା ବୀଣା ଧରି ।’’

 

ବାସ୍ତବରେ ଜାତିପ୍ରାଣ, ଦେଶପ୍ରାଣ ଓ ଭାଷାପ୍ରାଣ କବି ଗଙ୍ଗାଧରଙ୍କରଏକ ମାର୍ମିକ ଅଭିବ୍ୟକ୍ତି ହେଉଛି ‘ଉତ୍କଳ ଲକ୍ଷ୍ମୀ ।’ ବର୍ଣ୍ଣାଢ଼୍ୟ ଉତ୍କଳର ଅପରୂପ ବିଭବ ମଞ୍ଜୁଳ ଭାବରେ ରୂପାୟିତ ? ଉତ୍କଳର ମହିମା ବର୍ଣ୍ଣନା କରିବାରେ କବିଙ୍କର ଯେଉଁ ଭାବାବେଗ ପ୍ରଦର୍ଶିତ ତାହା ନିଚ୍ଛକ ଓଡ଼ିଆ ପ୍ରାଣର ପରିପ୍ରକାଶ ଛଡ଼ା ଆଉ କଣ କୁହାଯାଇପାରେ ! କାବ୍ୟର ଅନ୍ତିମ ଭାଗରେ ମାତୃଭୂମିର ପରାକାଷ୍ଠା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି-

 

‘‘ବ୍ୟାସ ପରାଶର            ଗୌତମ ଭାର୍ଗବ

ସହିତ ମୁନୀନ୍ଦ୍ରଗଣ,

ଆସି ଉଚ୍ଚସ୍ୱରେ            ‘‘ଜୟଉତ୍‌କଳ

ଲକ୍ଷ୍ମୀ କଲେ ଉଚ୍ଚାରଣ ।’’

 

ପବିତ୍ର ଉତ୍କଳ ଭୂମିରେ ଜଗନ୍ନାଥ ଦାସ ବଳରାମ ଦାସ, କରଣ କୃଷ୍ଣଚରଣ, ରାଜା କୃଷ୍ଣସିଂହ, ସାରଳା ଦାସ, ଦୀନକୃଷ୍ଣ, ଅଭିମନ୍ୟୁ ପ୍ରଭୃତି ସରସ୍ୱତୀଙ୍କର ବର ପୁତ୍ରମାନେ ମାତୃଭୂମିର ମୁଖକୁ ମହୀୟାନ୍‌ କରିଛନ୍ତି । ଏମାନଙ୍କ ବ୍ୟତୀତ ଆଉ ବହୁ ସୁପୁତ୍ରମାନେ ମଧ୍ୟ ଏଇ ଭୂମିକୁ ଉଜ୍ଜ୍ୱଳ କରିଛନ୍ତି । କବିଙ୍କ ଭାଷାରେ :-

 

‘‘ବହୁରଥ ଥିଲା ଚିହ୍ନିବାକୁ ସବୁ

ହେଉଥିଲି ତର ତର,

ରୁଦ୍ଧ କରିଦେଲା ନୟନ ଯୁଗଳ

ଆନନ୍ଦ ଲୋତକ ଝର ।’’

 

ଅନ୍ୟାନ୍ୟ ବହୁ ବରପୁତ୍ର ଉତ୍କଳ-ଲକ୍ଷ୍ମୀଙ୍କ ସେବାରେ ନିୟୋଜିତ ହୋଇଛନ୍ତି ଏବଂ ହେଉଛନ୍ତି । ଏମାନଙ୍କର କୀର୍ତ୍ତିକଳାପ ଅବଲୋକନରେ କବିଙ୍କର ଚକ୍ଷୁ ଦ୍ୱୟ ଆନନ୍ଦାଶ୍ରୁରେ ସିକ୍ତ ହୋଇଉଠିଛି । ଫଳରେ ତାଙ୍କର ଦୃଷ୍ଟିପଥ ରୁଦ୍ଧ କରି ଦେଇଛି ଏବଂ ତାଙ୍କର ସର୍ବାଙ୍ଗ ଶରୀର ରୋମାଞ୍ଚିତ ଆଉ ପୁଲକିତ ହୋଇଉଠିଛି । ଏଇ ଭାବାବେଗ କେବଳ ଉତ୍କଳର ଉପାନ୍ତ ଅଞ୍ଚଳର କବି ଗଙ୍ଗାଧରଙ୍କ ପକ୍ଷେ ସମ୍ଭବ । ୧୮୯୪ରେ ସେ ‘ଉତ୍କଳ-ଲକ୍ଷ୍ମୀ ରଚନା କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ଦେଖୁଥିଲେ । ବାସ୍ତବରେ ଏଇ କାବ୍ୟଟି ଦେଉଛି ଦରିଦ୍ର କବିର ଜାତୀୟ ଭାବନାର ଏକ ଶ୍ରେଷ୍ଠ ପରିପ୍ରକାଶ ଏବଂ ଉତ୍କଳ ହେଉଛି ବାଣୀ ଓ ଲକ୍ଷ୍ମୀଙ୍କର ପ୍ରିୟ ବିଳାସଭୂମି ।

ଦାନୀପାଲି, ବୁଢ଼ାରଜା

ସମ୍ବଲପୁର-୪

 

ସହାୟକ ଗ୍ରନ୍ଥସୂଚୀ-

୧.

ସ୍ୱଭାବ କବି ଗଙ୍ଗାଧର ଗ୍ରନ୍ଥବଳୀ-ସଂ. ଡକ୍ଟର ମଣୀନ୍ଦ୍ର କୁମାର ମେହେର, ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ, କଟକ

୨.

ସମୀକ୍ଷାୟାନ-ଡକ୍ଟର ତୀର୍ଥାନନ୍ଦ ମିଶ୍ର, ନାଳନ୍ଦା, ବିନୋଦ ବିହାରୀ, କଟକ-୨

୩.

ଯୁଗଲଙ୍ଘୀ କବି ଗଙ୍ଗାଧର ଡକ୍ଟର କେଶବ ଚନ୍ଦ୍ର ମେହେର, ଗ୍ରନ୍ଥମନ୍ଦିର, କଟକ-୨

୪.

ଗଙ୍ଗାଧର ଜୀବନୀ ଓ ସାହିତ୍ୟ ଗଣେଶରାମ ନାହାକ, କଟକ ଟ୍ରେନିଂ କମ୍ପାନୀ ବାଲୁବଜାର, କଟକ

 

 

ତପସ୍ୱିନୀ ଓ ପ୍ରକୃତି : ସହୃଦୟତା ଓ ଅନୁକମ୍ପାର ଏକୀଭୂତ ବ୍ୟକ୍ତିତ୍ୱ

ସ୍ମିତା ମହାନ୍ତି

 

ଏକ ସ୍ୱତନ୍ତ୍ର ଚିନ୍ତାଧାରାକୁ ସାହିତ୍ୟରେ ଦେଖେଇବା ଆଧୁନିକ ଯୁଗୀୟ ସାହିତ୍ୟକଙ୍କ ବିଶେଷତ୍ତ୍ୱ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟ ଜଗତରେ ବିଷୟବସ୍ତୁ ସଂଯୋଜନାର ନୂତନ ପ୍ରକାର ଓ କୌଶଳ ଆଧୁନିକ ଯୁଗୀୟ ସାହିତ୍ୟକ ସଂରଚନାର ମାନ ନିର୍ଦ୍ଧାରଣରେ ଏକ ଉଲ୍ଲେଖନୀୟ ନୂତନତ୍ୱକୁ ଦର୍ଶାଏ । ଏ ଦୃଷ୍ଟିରୁ ‘ତପସ୍ୱିନୀ’ କାବ୍ୟରେ ବର୍ଣ୍ଣିତ ତପସ୍ୱିନୀ ଓ ପ୍ରକୃତି ଚରିତ୍ରର ସାଦୃଶ୍ୟରେ ସହାନୁଭୂତିଶୀଳତା, ଦୟା କରୁଣା, ହିତାକାଙ୍‌କ୍ଷା, ଅନୁକମ୍ପା ଓ ସହୃଦୟତା ଆଦି ମାନବୀୟତା (humanness)ର ସାଦୃଶ୍ୟ ଗୁଣ ଆରୋପିତ । ପୁଣି ଏ ମାନବୀୟ ସାଦୃଶ୍ୟରେ ବ୍ୟକ୍ତିତ୍ୱର ପାରସ୍ପରିକତାକୁ ଦର୍ଶାଇବା ବିଷୟବସ୍ତୁ ଉପସ୍ଥାପନର ଏକ ସୃଜନଶୀଳ ଚମତ୍କାରିତାକୁ ପ୍ରତିପାଦିତ କରେ । ତପସ୍ୱିନୀଙ୍କ ପରି ପ୍ରକୃତିରେ ବ୍ୟକ୍ତିତ୍ୱ ଆରୋପ ଏବଂ ଏ ଦୁଇଟି ବ୍ୟକ୍ତିତ୍ୱର ଅନ୍ତର୍ନିହିତ ପାରସ୍ପରିକତା କିପରି ସାହିତ୍ୟିକ ପ୍ରକାରେ ବିଷୟବସ୍ତୁର ଅଭିନବତାକୁ ଦର୍ଶାଇବା ସହ ବିଷୟବସ୍ତୁର ଆତ୍ମିକ ଭାବ-ସୌନ୍ଦର୍ଯ୍ୟକୁ ସୂକ୍ଷ୍ମତର କରିବାରେ ସମର୍ଥ ହେଇଚି ତାକୁ ଦର୍ଶାଇବା ଏ ପ୍ରବନ୍ଧର ଉଦ୍ଦେଶ୍ୟ । ଏ ପରିପ୍ରେକ୍ଷୀରେ ଆଧୁନିକ ଯୁଗର ପୃଷ୍ଠଭୂମି ଓ ଗଙ୍ଗାଧରଙ୍କ କବିପ୍ରତିଭାର ଆଲୋଚନା ଏଠାରେ ଆବଶ୍ୟକ ।

 

ଆଧୁନିକ ଯୁଗ : ଶିକ୍ଷା ଓ ଶିକ୍ଷିତ ଗୋଷ୍ଠୀ

ଆଧୁନିକତା ପରିପ୍ରେକ୍ଷୀରେ ଓଡ଼ିଶାରେ ଶିକ୍ଷା ପ୍ରସାରର ପୂର୍ଣ୍ଣ ଇତିହାସର ସବୁଠାରୁ ଉଲ୍ଲେଖନୀୟ ଆଲୋଚନା ନଟବର ସାମନ୍ତରାୟ (୧୯୬୪ : ୯୧-୧୯୬)ଙ୍କ ‘‘ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦)’’ ରେ ମିଳେ । ତଦନୁଯାୟୀ ମିଶନାରୀମାନଙ୍କର ଦ୍ୱାରା ଓଡ଼ିଶାରେ ସ୍କୁଲ ପ୍ରତିଷ୍ଠା (୧୮୨୨)ରୁ ଆରମ୍ଭକରି କାମ୍ବେଲଙ୍କ ଶିକ୍ଷାନୀତି (୧୮୭୩) ପର୍ଯ୍ୟନ୍ତ ଅର୍ଦ୍ଧଶତାବ୍ଦୀର ଇତିହାସରେ ଯେଉଁ ଅନ୍ୟାନ୍ୟ ଯୁଗୀୟ ବିଶେଷଗୁଡ଼ିକ ମିଶିଚି ସେଗୁଡ଼ିକ ହେଲା : ଆଧୁନିକ ଶିକ୍ଷାର ପ୍ରସାରରୁ ଜନ୍ମ ହୋଇଥିବା ମଧ୍ୟବିତ୍ତ ଶ୍ରେଣୀର ବିକାଶ, ୧୮୦୯ରୁ ୧୮୨୨ରେ ମିଶନାରୀମାନଙ୍କ ଦ୍ୱାରା ଓଡ଼ିଆ ଧର୍ମପୁସ୍ତକର ପ୍ରଚାର ଓ ପ୍ରସାର, ୧୮୨୨ରୁ ୧୮୪୧ ସାଲର ମୁଦ୍ରିତ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନ, ୧୮୩୫ରେ ଶିକ୍ଷା ନିୟମରେ ପାଶ୍ଚାତ୍ୟ ଶିକ୍ଷାପ୍ରସାରକୁ ମେକେଲେ ଆଇନ୍‌ରେ ପରିଣତ କରିବା, ୧୮୦୪ରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଓ ପ୍ରଥମେ ଓଡ଼ିଆ ଅକ୍ଷର ଖୋଦନ, ଗୌରୀଶଙ୍କର ରାୟଙ୍କ ସଂପାଦନାରେ ଉତ୍କଳ ଦୀପିକା ପତ୍ରିକାର ପ୍ରକାଶ (୧୮୬୬)ରେ ଅନ୍ୟାନ୍ୟ ପତ୍ରପତ୍ରିକାର ପ୍ରକାଶ (୧୮୪୧-୭୦ ଏବଂ ୧୮୭୧-୧୯୦୦), ଭାଷାବିଲୋପ ଆନ୍ଦୋଳନ (୧୮୧୮-୧୮୬୮) ହେତୁ ସ୍ୱୀକୃତି ପ୍ରାପ୍ତ ଓଡ଼ିଆ ଭାଷା ଓ ଓଡ଼ିଆ ପାଠ୍ୟପୁସ୍ତକ ପ୍ରଣୟନର ପ୍ରୋତ୍ସାହନ, ବ୍ରାହ୍ମଧର୍ମର ପ୍ରଚାର (୧୮୭୦), ବିଭିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରିକରଣରେ ଯୁବଶକ୍ତି ଓ ଜାତୀୟ ଦାବୀର ଉପସ୍ଥାପନ (୧୮୭୦-୧୯୧୨) ଇତ୍ୟାଦି । ଏ ଘଟଣାଗୁଡ଼ିକ ସାମାଜିକ, ଶିକ୍ଷାଗତ, ରାଜନୈତିକ ଆଭିମୁଖ୍ୟରେ ନୂତନ ବାର୍ତ୍ତାର ସନ୍ଧାନ ଦେଇଥିଲା । ଓଡ଼ିଶାରେ ଯୁଗୀୟ ରୁଚି ଅନୁକୂଳ ଶିକ୍ଷା ଓ ସଭ୍ୟତାର ବିକାଶ ପରିପ୍ରେକ୍ଷୀରେ ସାମନ୍ତରାୟ ଲେଖିଛନ୍ତି- ‘‘ଉଚ୍ଚବର୍ଣ୍ଣ ବା ଧନୀକ ଶ୍ରେଣୀଠାରେ ଶିକ୍ଷାକୁ କେନ୍ଦ୍ରୀଭୂତ ନକରି ଦେଶର ସର୍ବାଙ୍ଗୀନ ଉନ୍ନତି ଦୃଷ୍ଟିରୁ ତାକୁ ଜନତା ମଧ୍ୟ ପ୍ରସାର କରିବା ଶିକ୍ଷାନୀତିର ଆଦର୍ଶ.... ‘‘ଉଡ଼ସ୍‌ ଡେସ୍‌ପାଚ’’ରେ ସ୍ପଷ୍ଟତଃ ସ୍ୱୀକୃତି ହୋଇଥିଲା.... ପ୍ରଥମତଃ ଗୋଟିଏ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ବିଦ୍ୟାଳୟ ମାଧ୍ୟମରେ ପାଶ୍ଚାତ୍ୟ ଜ୍ଞାନବିଜ୍ଞାନ ଆହରଣକରି ତଥା ନିଜକୁ ସଂପୂର୍ଣ୍ଣ ନୂତନ ଅଭିରୁଚି ଓ ଜୀବନାଦର୍ଶରେ ଅନୁପ୍ରାଣିତ କରି ଅଭ୍ୟୁଦୟ ଲାଭ କରିବ । ଦ୍ୱିତୀୟତଃ, ଏଇ ଶ୍ରେଣୀ ଆଦୃତ ଜ୍ଞାନକୁ ଶିକ୍ଷକ ରୂପରେ ମାତୃଭାଷାରେ ରୂପାୟନ କରିବେ । ତୃତୀୟତଃ, ଏଇ ଶିକ୍ଷିତ ଶ୍ରେଣୀ ଓ ପାଠ୍ୟପୁସ୍ତକର ପୂର୍ଣ୍ଣ ସଦୁପଯୋଗ ଗ୍ରାଣ୍ଟସ୍‌ ସାହାଯ୍ୟପ୍ରାପ୍ତ ସ୍କୁଲମାନଙ୍କରେ କରାଯିବ ।’’ (ପୃ.୧୦୯) । ସାମନ୍ତରାୟ ଯଥାର୍ଥ ଭାବରେ ଏହାକୁ ‘ମାନସିକ ପରିବର୍ତ୍ତନ’ ଓ ଆଧୁନିକ ସାହିତ୍ୟ ଅଭ୍ୟୁଦୟର ପୃଷ୍ଠଭୂମି ଭାବେ ଗ୍ରହଣ କରିଛନ୍ତି (୧୯୬୪: ୨୯) ।

 

ଏଇ ମାନସିକ ପରିବର୍ତ୍ତନ ହେତୁ ସାହିତ୍ୟକ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଓ ଅଭିନବତା ଆସିଥିଲା ତାକୁ ଆଧୁନିକ ଯୁଗୀୟ ଚିନ୍ତାସାମର୍ଥ୍ୟର ପରିପ୍ରକାଶିତ ରୂପ ମଧ୍ୟ କୁହାଯାଇପାରେ । ଏଠାରେ ଉଲ୍ଲେଖନୀୟ ଯେ, ଓଡ଼ିଆ ଭାଷା, ସାହିତ୍ୟ, ଜାତିର ବିକାଶ ଓ ପ୍ରତିଷ୍ଠା ପାଇଁ ଅନୁକୂଳ ଓ ଆତ୍ମସଚେତନ କାର୍ଯ୍ୟଶୀଳ ବିଭବ ଭାବେ ବ୍ୟକ୍ତିର ନୂତନ ଚିନ୍ତାଧାରାର ବିଶେଷ ପ୍ରଭାବ ରହିଛି । ସାମାଜିକ ଓ ଶିକ୍ଷାଗତ ଜ୍ଞାନର ପ୍ରୟୋଗ ହେତୁ ଆମ ପ୍ରାଚୀନ ପରମ୍ପରାରେ ନିହିତ ଆଦର୍ଶ, ଶୃଙ୍ଖଳା ଓ ମନୋହାରିତାକୁ ଅଧିକ ରୁଚିପୂର୍ଣ୍ଣ କରିବା ଏଇ ସାମର୍ଥ୍ୟର ପରିପ୍ରକାଶିତ ରୂପ । ତେଣୁ କେବଳ ପାଶ୍ଚାତ୍ୟ ସଭ୍ୟତା ନୁହେଁ ଦେଶୀୟ ପାରମ୍ପରିକ ଉପାଦାନ ମଧ୍ୟ ଏଇ ନୂତନ ଚିନ୍ତା ସାମର୍ଥ୍ୟକୁ ଅଧିକ ସୂକ୍ଷ୍ମ ଓ ବଳିଷ୍ଠ କରିବାରେ ସମର୍ଥ ହୋଇଥିଲା । ଏ ଶିକ୍ଷା ସଭ୍ୟତା ସାଧାରଣ ବର୍ଣ୍ଣଶିକ୍ଷାଠାରୁ ଆରମ୍ଭକରି ଚଉତିଶା, ଚଉପଦୀ, ଭାଗବତ ଆଦି ଅଧ୍ୟୟନର ଉପଯୋଗିତା ଭିତରେ ସୀମିତ ଥିଲେ ମଧ୍ୟ ଆଧୁନିକତାର ବିଭିନ୍ନ ଉପାଦେୟ ଦିଗଗୁଡ଼ିକଠାରୁ ଦୂରରେ ପାରମ୍ପରିକ ବ୍ୟକ୍ତିତ୍ୱକୁ ନିର୍ମାଣ କରିବା ଦିଗରେ ଏହାର ଅଖଣ୍ଡ ଅବଦାନକୁ ଅସ୍ୱୀକାର କରିହେବ ନାହିଁ । ମେହେର କାବ୍ୟର ପାରମ୍ପପରିକ ବିଭବର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଓ କବି-ଭାବ-ସଂପଦର ବିତରିତ ରୂପ ବୋଧହୁଏ ଏଇ ଭିତ୍ତି ଉପରେ ପ୍ରତିଷ୍ଠିତ । କୁହାଯାଇପାରେ, ଆଧୁନିକ ଶିକ୍ଷା ବ୍ୟବସ୍ଥା ପୂର୍ବପ୍ରଚଳିତ ପାରମ୍ପରିକ ଦୃଷ୍ଟିକୋଣକୁ ସୂକ୍ଷ୍ମତର କରିଥିଲା । ସାମାଜିକ ପରିବେଶରୁ ଆଦୃତ ଶିକ୍ଷା ସହ ପରମ୍ପରାର ପ୍ରଭାବ ବ୍ୟକ୍ତିର ନୈତିକ ଓ ଜ୍ଞାନାତ୍ମକ ଦୃଷ୍ଟିକୋଣକୁ ମଧ୍ୟ ଅଧିକ ପ୍ରସାରିତ କରିବାରେ ସହାୟକ ଥିଲା । ଏ ପ୍ରକାର ବିଷୟବସ୍ତୁର ପ୍ରୋତ୍ସାହନ ଓ ପ୍ରୟୋଗ ଏକ ଆଧୁନିକ ବିଭବ ।

 

ଆଧୁନିକ ଯୁଗୀୟ ଶିକ୍ଷା ଓ ସୃଜନଶୀଳ ପ୍ରତିଭାର ମିଶ୍ରିତ ରୂପାୟନ :

ଆଧୁନିକତା ପରିପ୍ରେକ୍ଷୀରୁ ଦେଖିଲେ ଶିକ୍ଷା ଓ ସାମାଜିକ ପ୍ରଭାବରୁ ଯେଉଁ ଉପଲବ୍‌ଧିକୁ ବ୍ୟକ୍ତି ପ୍ରାପ୍ତ କରେ ସେଇ ଉପଲବ୍‌ଧିର ସୃଜନଶୀଳ ପରିପ୍ରକାଶ ସାହିତ୍ୟର ମାନକୁ ଅଧିକ ସୌନ୍ଦର୍ଯ୍ୟ ମଣ୍ଡିତ କରେ । ଏ ଉପଲବ୍‌ଧି ଆଧୁନିକ ଶିକ୍ଷାର ପ୍ରଭାବର ଅନୁରୂପ । କାରଣ ଏହା ମଧ୍ୟ ଜୀବନକୁ ନୂତନ ଭାବେ ପରିଶୀଳନ କରିବାରେ ସହାୟକ । ଅର୍ଥାତ୍‌, ଯୁଗୀୟ ରୁଚି ଅନୁଯାୟୀ ସାମାଜିକ ପରିବର୍ତ୍ତନକୁ ଅନ୍ତର୍ଦୃଷ୍ଟି ଦ୍ୱାରା ବିଷୟବସ୍ତୁରେ ଆରୋପ କରିବା ସାହିତ୍ୟିକର ନିଜସ୍ୱ ପ୍ରତିଭାର ଲକ୍ଷଣ ।

 

ଆଧୁନିକ ସାହିତ୍ୟିକ ପରିବେଶ ଓ ଗଂଗାଧର ମେହେର :

ଆଧୁନିକ ଯୁଗର ଲକ୍ଷଣ ଓ ପ୍ରଭାବ ପରିପ୍ରେକ୍ଷୀରେ ଏହା ମଧ୍ୟ ଜଣାଯାଏ ଯେ ଗଂଗାଧର ଆଧୁନିକ ଯୁଗର ଶିକ୍ଷା ଓ ପ୍ରଭାବରୁ ସଂପୂର୍ଣ୍ଣ ବଂଚିତ ଥିଲେ ମଧ୍ୟ ସମାଲୋଚକଗଣ ତାଙ୍କ ପ୍ରତିଭାର ସାଦୃଶ୍ୟକୁ ରାଧାନାଥଙ୍କ ପ୍ରତିଭାରେ ଆରୋପ କରିଚନ୍ତି । ଏତାଦୃଶ ଆଲୋଚନାବେଳେ ସାମନ୍ତରାୟଙ୍କ ଗଂଗାଧରଙ୍କ ଉପରେ ଓ ତାଙ୍କ କୃତି ଉପରେ ପ୍ରଦତ୍ତ ତିନୋଟି ମତର ଆଲୋଚନା ଏଠାରେ କରାଯିବା ଉଚିତ । ସାମନ୍ତରାୟ (୧୯୬୪ : ୫୭୯)ଙ୍କ ମତରେ -‘‘ମେହେର ସାହିତ୍ୟ ଏକ ରସସୃଷ୍ଟି ଓ ଏହା ଏକ ଅର୍ଥରେ ତାଙ୍କ ଜୀବନର ପ୍ରତିଲିପି ମାତ୍ର ।’’ ପୁଣି ମେହେର ସାହିତ୍ୟ ସୌନ୍ଦର୍ଯ୍ୟର ଅଭାବକୁ ମଧ୍ୟ ସେ ଦର୍ଶାଇ ଲେଖିଛନ୍ତି-‘‘କାବ୍ୟିକ ଅଖଣ୍ଡ ରସ ସୃଷ୍ଟିପାଇଁ ଦୀର୍ଘକାଳର ଯେଉଁ ନିବିଷ୍ଟଚିତ୍ତତା ଏକାନ୍ତ ଆବଶ୍ୟକ, କାବ୍ୟର ସମଗ୍ର ସୌନ୍ଦର୍ଯ୍ୟ ଅତି ନିପୁଣତା ସହ ଫୁଟାଇ ଉଠାଇବା ପାଇଁ ଯେଉଁ ଶିକ୍ଷା ଓ ଆଭିମୁଖ୍ୟ ଦରକାର, ଗଂଗାଧରଙ୍କ ଦରିଦ୍ର ଜୀବନରେ ସେସବୁ ଥିଲା ପ୍ରାୟ ସଂପୂର୍ଣ୍ଣ ସ୍ୱପ୍ନ ।’’ ପୁଣି ଅନ୍ୟତ୍ର ସେ ରାଧାନାଥ ଓ ଗଂଗାଧରଙ୍କ କାବ୍ୟ-ସୃଷ୍ଟି-କୌଶଳ ଏକ ବୋଲି ମତ ଦେଇଚନ୍ତି (୧୯୬୪ : ୫୭୯) । ମେହେର ସାହିତ୍ୟର ଦୁଇଟି ବିଶିଷ୍ଟ ଆଭିମୁଖ୍ୟରେ ଲଳିତ ଅନ୍ତଃ ସୌନ୍ଦର୍ଯ୍ୟ ଓ ଆଧୁନିକ ସାହିତ୍ୟ ସ୍ରୋତ ମଧ୍ୟରେ ସେଇ ସାହିତ୍ୟର ବିକାଶ ବୈଚିତ୍ର୍ୟକୁ ସାମନ୍ତରାୟ ଗ୍ରହଣ କରିଚନ୍ତି (ତତ୍ରୈବ) ।

 

ସାମନ୍ତରାୟଙ୍କ ଉପରୋକ୍ତ ଆଲୋଚନାରେ ନିହିତ ଗଂଗାଧରଙ୍କ ଦୀର୍ଘକାଳର ନିବିଷ୍ଟଚିତ୍ତତା ଓ ଶିକ୍ଷାର ପ୍ରସାର ଅଭାବ, ପୁଣି ରାଧାନାଥ ଓ ଗଂଗାଧରଙ୍କ ସୃଷ୍ଟିକୌଶଳର ସାଦୃଶ୍ୟ, ମେହେର ସାହିତ୍ୟର ଅନ୍ତଃ-ସୌନ୍ଦର୍ଯ୍ୟ ବିଭବ ଆଦି ମତ ପରସ୍ପର ବିରୋଧୀ ମନେହୁଏ-। ଶିକ୍ଷା ନ ଥାଇ ମଧ୍ୟ ରାଧାନାଥଙ୍କ କାବ୍ୟ-ସୃଷ୍ଟି କୌଶଳର ସାଦୃଶ୍ୟକୁ ଗଂଗାଧରଙ୍କଠାରେ ଦେଖିବା ଭିତରେ ଗଂଗାଧରଙ୍କ କାବିକ୍ୟ ଅଭିନେତା ହିଁ ସ୍ପଷ୍ଟ ହୁଏ । ଓଡ଼ିଆ ସାହିତ୍ୟକୁ ବିନା ଶିକ୍ଷାରେ ଆଧୁନିକ ବିଭବରେ ମଣ୍ଡିତ କରିବା ଭିତରେ ହିଁ ତାଙ୍କର କବିତ୍ୱର ବୈଶିଷ୍ଟ୍ୟ । ତେଣୁ ମେହେର ସାହିତ୍ୟର ଅନ୍ତଃ-ସୌନ୍ଦର୍ଯ୍ୟ ବିଭବ ହିଁ ଏଠାରେ ମୂଳ କଥା । ଏଇ ଅନ୍ତ-ସୌନ୍ଦର୍ଯ୍ୟ ବିଭବ ହିଁ ମେହେରଙ୍କ ନିଜସ୍ୱ ଅନୁଭୂତି, ବୋଧଗମ୍ୟତା, ପ୍ରତ୍ୟକ୍ଷଜ୍ଞାନ ଓ ସୃଜନଶୀଳତା ଉପରେ ପର୍ଯ୍ୟବେଶିତ । ମେହେରଙ୍କ ପରି ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱ ବିନା ଶିକ୍ଷାରେ ଉପଲବ୍‌ଧିର ପ୍ରୟୋଗ କରି ନୂତନ ଦିଗନ୍ତର ସନ୍ଧାନ ଦେଇଚନ୍ତି । ମେହେର ସାହିତ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ତାଙ୍କ ପ୍ରତ୍ୟକ୍ଷ ଜ୍ଞାନ ଓ ସୃଜନଶୀଳତାର ଫଳଶ୍ରୁତି । ଭାବ ଓ ଚିନ୍ତନର ସାର୍ଥକ ପ୍ରୟୋଗରେ ଅନୁଭୂତି କ୍ଷମତାପନ୍ନ ହୁଏ । ଏଇ କ୍ଷମତା ହିଁ କୃତିରେ ନୂତନ ଅଭିବ୍ୟକ୍ତିର ପ୍ରତୀକାତ୍ମକ ରୂପ । ସାହିତ୍ୟରେ ଶିକ୍ଷା ସହିତ ଜୀବନାନୁଭୂତିକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରିବା ଏକ ସମାନ୍ତରାଳ ଆଧୁନିକ ଲକ୍ଷଣ । ଆଧୁନିକ ପରିବେଶ, ଉଚ୍ଚଶିକ୍ଷା ଗଂଗାଧରଙ୍କ ସାହିତ୍ୟିକ ପ୍ରତିଭାର ଭିତ୍ତି ନୁହେଁ, ଅନ୍ତର୍ଦୃଷ୍ଟିର କଳାତ୍ମକ ପ୍ରୟୋଗରେ ତାଙ୍କର କବିତ୍ୱର ସ୍ୱତଃସ୍ଫୂର୍ତ୍ତ ବିକାଶ ତାଙ୍କ କାବ୍ୟ-ସାହିତ୍ୟ ସୌନ୍ଦର୍ଯ୍ୟର ଭିତ୍ତିକୁ ସୁଦୃଢ଼ କରିଛି ।

 

‘ସ୍ୱଭାବ କବି’ ଆଖ୍ୟାର ଯଥାର୍ଥତା :

ଗଂଗାଧର ମେହେରଙ୍କ ଜୀବନ ଏକ ଜ୍ଞାନାତ୍ମକ ଅନୁଭୂତିର ସମନ୍ୱିତ ଜୀବନ । ଏ ଦୃଷ୍ଟିକୋଣରୁ ମେହେରଙ୍କୁ ‘ସ୍ୱଭାବ କବି’ ରୂପେ ଗ୍ରହଣ କରିବା ଯଥାର୍ଥ ମନେହୁଏ । ‘ସ୍ୱଭାବ’ର ଅର୍ଥ ଆତ୍ମଭାବ । ଏଇ ଆତ୍ମଭାବ ହିଁ କବିର ଜ୍ଞାନାତ୍ମକ ଅନୁଚିନ୍ତନର ପରିପ୍ରକାଶିତ ରୂପ । ବାଲ୍ୟକାଳରୁ ଶିକ୍ଷାଲାଭରୁ ସେ ବଂଚିତ ଥିଲେ ଏବଂ ତାଙ୍କ ଉପରେ ଆଧୁନିକ ଯୁଗୀୟ ବାତାବରଣର ମଧ୍ୟ ବିଶେଷ ପ୍ରଭାବ ପଡ଼ି ନ ଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଧ୍ୟବସାୟ ଓ ପଠନ ଅଭ୍ୟାସ ଭିତରେ ସେ ନିଜର ଜ୍ଞାନାତ୍ମକ ଅନୁଚିନ୍ତନକୁ ପରିପୁଷ୍ଟ କରି ଯୁଗୀୟ ସଚେତନତାକୁ ଉପଲବ୍‌ଧି କରିପାରିଚନ୍ତି । ତାଙ୍କ କାବ୍ୟ କବିତାର କ୍ରମବିକଶିତ ରୂପରେ ଏଇ ଜ୍ଞାନାତ୍ମକ ଅନ୍ତର୍ଦୃଷ୍ଟି ବିକଶିତ ରୂପରେ ଏହା ଲକ୍ଷ୍ୟ କରିହୁଏ । ‘ରସ ରତ୍ନାକର’ (୧୮୯୨)ରେ ରୀତିଯୁଗୀୟ ପ୍ରଭାବ, ‘ଇନ୍ଦୁମତୀ’ (୧୮୯୩)କୁ ସ୍ୱତନ୍ତ୍ରଭାବେ ଉପସ୍ଥାପନ କରିବାର ପ୍ରୟାସ, ‘ଉତ୍କଳ ଲକ୍ଷ୍ମୀ’ (୧୮୯୪)ରେ ରାଧାନାଥଙ୍କ ପ୍ରାକୃତିକ ଦୃଶ୍ୟବର୍ଣ୍ଣନାର ପ୍ରଭାବ (ସାମନ୍ତରାୟ । ୧୯୬୪:୫୭୭), ‘କୀଚକ ବଧ’ (୧୯୦୩)ରେ ନୈତିକ ମୂଲ୍ୟବୋଧର ଯଥାର୍ଥ ପ୍ରୟୋଗ, ‘ପ୍ରଣୟ ବଲ୍ଲରୀ’ (୧୯୧୧)ରେ କାଳିଦାସଙ୍କ ଶକୁନ୍ତଳାର ପ୍ରଭାବ ଭିତରେ ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରକାଶଭଂଗୀ ଉପଲବ୍‌ଧିର ଗଭୀରତା ଅନୁଯାୟୀ ବିକଶିତ ହୋଇଚି । କବିତ୍ୱ ବିକାଶର ବିଭିନ୍ନ ସ୍ତରରେ ଏହାକୁ ପରଂପରାର ପ୍ରଭାବ ସହିତ ଆଧୁନିକ ଯୁଗୀୟ ଭାବ ବା ଅନ୍ତର୍ଦୃଷ୍ଟିର ପରିପ୍ରକାଶିତ ସାମର୍ଥ୍ୟ ଭାବେ ଗ୍ରହଣ କରାଯାଇପାରେ । ୧୮୯୩-୧୯୧୫ ପର୍ଯ୍ୟନ୍ତ କାବ୍ୟକବିତାର ବିକଶିତ ରୂପରେ ଏକ ସାହିତ୍ୟିକ ଅଭିନବତା ଓ ସାମାଜିକ ସ୍ୱତନ୍ତ୍ରତାକୁ ସେ ରୂପାୟିତ କରିଛନ୍ତି ଯାହାକୁ ନୈତିକତା ସହ ସୃଜନଶୀଳତା ଉପଲବ୍‌ଧିର ସମ୍ମିଶିତ ପ୍ରୟୋଗର ନିର୍ଯ୍ୟାସ ରୂପେ ଗ୍ରହଣ କରିବା ସୀମଚୀନ ହେବ-। ରୀତିଯୁଗୀୟ ନାରୀର ଯୌନାକାଙ୍‌କ୍ଷାକୁ ପ୍ରୋତ୍ସାହିତ କରିପାରୁଥିବା ଶରୀର-ସୌନ୍ଦର୍ଯ୍ୟର ଯଥାର୍ଥ ବର୍ଣ୍ଣନା ପାଟବତା ଉପରେ ‘ତପସ୍ୱିନୀ’ର ପ୍ରକୃତି ନାରୀ ଅନ୍ତଃକରଣର ଗୁଣାତ୍ମକ ସୌନ୍ଦର୍ଯ୍ୟକୁ ପ୍ରତିଷ୍ଠା କରିବା ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀର ପରିଚାୟକ । ତେଣୁ ଅନ୍ତର୍ଦୃଷ୍ଟିର ସ୍ୱତଃସ୍ଫୂର୍ତ୍ତ ଓ ସୃଜନଶୀଳ ପରିପ୍ରକାଶିତ ସାମର୍ଥ୍ୟ ତାଙ୍କ ପ୍ରତିଭାର ଆଭିମୁଖ୍ୟ ଓ ‘ଅନ୍ତର୍ନିହିତତା’ ଏଇ ଅନ୍ତଃସୌନ୍ଦର୍ଯ୍ୟର ଭିତ୍ତି-

 

‘ତପସ୍ୱିନୀ’ରେ ପ୍ରକୃତି : ପରମ୍ପରା ଓ ଆଧୁନିକତା ସମ୍ମିଶ୍ରିତ ରୂପ :

କେବଳ ପ୍ରାଚ୍ୟ ପାଶ୍ଚାତ୍ୟର ସମନ୍ୱୟରେ ନୁହେଁ, ବିଷୟବସ୍ତୁର ଆଙ୍ଗିକ ଓ ଆତ୍ମିକର ସମନ୍ୱିତ ଆତ୍ମୀୟ ଭାବ ସୌନ୍ଦର୍ଯ୍ୟର ସୃଜନଶୀଳତା ପ୍ରକାଶରେ ‘ତପସ୍ୱିନୀ’ର ଆତ୍ମିକ ବିମଣ୍ଡିତ । ପ୍ରକୃତି ଚିତ୍ରଣର ବୈଶିଷ୍ଟ୍ୟରେ ରୀତିଯୁଗୀୟ ନାରୀର ଶାରୀରିକ ସୌନ୍ଦର୍ଯ୍ୟରେ ପ୍ରକୃତିର ଜାଗତିକ ସୌନ୍ଦର୍ଯ୍ୟର ସାଦୃଶ୍ୟ ପରିକଳ୍ପନା କବି ପାଣ୍ଡିତ୍ୟକୁ ଅଧିକ ରୋଚକ କରିଥିଲା । ମେହେର ତାକୁ ପରିହାର କରି ବାହ୍ୟପ୍ରକୃତିରେ ଅନ୍ତଃକରଣର ବୈଶିଷ୍ଟ୍ୟକୁ ଆରୋପ କରିଚନ୍ତି । କେବଳ ସେତିକି ନୁହେଁ, ବିଷୟବସ୍ତୁର ଗୁଣାତ୍ମକ ମାନକୁ ଅଧିକ ବଳିଷ୍ଠ କରିବା ପାଇଁ ସେ ତପସ୍ୱିନୀଙ୍କ ବ୍ୟକ୍ତିତ୍ୱରେ ପ୍ରକୃତିର ଗୁଣାତ୍ମକ ରୂପର ସାଦୃଶ୍ୟତାକୁ ଦର୍ଶାଇଛନ୍ତି । ପ୍ରକୃତିକୁ ବ୍ୟକ୍ତିତ୍ୱମଣ୍ଡିତ କରିବା ଏବଂ ଦୁଇଟି ବ୍ୟକ୍ତିତ୍ୱର ଅନ୍ତର୍ନିହିତ ସାଦୃଶ୍ୟକୁ ପ୍ରତିଷ୍ଠାକରିବା କାବ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟର ଅଭିନବ ଯଥାର୍ଥତାକୁ ପ୍ରତିପାଦିତ କରେ । ଏ ଆତ୍ମିକ ସୌନ୍ଦର୍ଯ୍ୟ ନୈତିକ, ସଂଯମିତ, ଆଦର୍ଶଯୁକ୍ତ ଓ ମାନବୀୟ ବୈଶିଷ୍ଟ୍ୟଯୁକ୍ତ ବ୍ୟକ୍ତିତ୍ୱର ଅଭିନବ ରୂପକୁ ଉପସ୍ଥାପିତ କରେ । ଏ ଆତ୍ମିକ ସୌନ୍ଦର୍ଯ୍ୟ ପୁଣି ତପସ୍ୱିନୀ ଓ ପ୍ରକୃତି ଚରିତ୍ରର ଗୁଣାତ୍ମକ ବିଶେଷତ୍ୱ ଆନ୍ତରିକତା ଓ ସହୃଦୟତା ଉପରେ ପର୍ଯ୍ୟବେଶିତ । ବ୍ୟକ୍ତିତ୍ୱ ବିମଣ୍ଡିତ ପ୍ରକୃତି ଓ ତପସ୍ୱିନୀଙ୍କ ବ୍ୟକ୍ତିତ୍ୱର ପାରସ୍ପରିକ ସାଦୃଶ୍ୟକୁ କାବ୍ୟ ବିଷୟରେ ପ୍ରୟୋଗକରିବା ଆଧୁନିକ ପରିପ୍ରେକ୍ଷୀରେ ବେଶ୍‌ ଆଧୁନିକ ଓ ସ୍ୱତନ୍ତ୍ର ।

 

ତପସ୍ୱିନୀ ଓ ପ୍ରକୃତି : ଦୁଇଟି ବ୍ୟକ୍ତିତ୍ୱର ପାରସ୍ପରିକତା :

‘ତପସ୍ୱିନୀ’ରେ ସୀତାଙ୍କ ରୂପବର୍ଣ୍ଣନାର ବାହ୍ୟ ସୌନ୍ଦର୍ଯ୍ୟ (‘ଲଳିତ ଦିଶୁଛି ଲଲାଟେ ତାର ସିନ୍ଦୂର ବିନ୍ଦୁ । ମୁଖ କମଳକୁ ହୋଇଛି ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ ।’’ ପୃ-୭) ରେ ପାରମ୍ପରିକ ରୀତିଯୁଗୀୟ ଶୈଳୀ ଅନୁସୃତ ହୋଇଥିଲେ ମଧ୍ୟ ଯୁଗୀୟ ପରିପ୍ରେକ୍ଷୀରେ ଅନ୍ତର୍ନିହିତତାର ସୌନ୍ଦର୍ଯ୍ୟ ମୁଖ୍ୟତଃ ତପସ୍ୱିନୀଙ୍କ ଚାରିତ୍ରିକ ବିଶେଷତ୍ୱ ।

 

ତପସ୍ୱିନୀ ଶବ୍ଦଟି (‘‘ଦଇବ ସ୍ୱଭାବେ ତୁ ତପସ୍ୱିନୀ... ଘୋର ତପସ୍ୟାର ଦୁର୍ଲଭ ଫଳ’’ । ପୃ-୨୪) ଧାର୍ମିକତା, କ୍ଳେଶ ସହିଷ୍ଣୁତା, ସଂଯମ, ପବିତ୍ରତା, ନମ୍ରତା, କୋମଳତା, ଭାଗବତ ପରାୟଣତା, ତପସ୍ୟା ଆଦି ଆଚରଣରେ ଲିପ୍ତତା ଇତ୍ୟାଦିର ସମାର୍ଥବୋଧକ ଶବ୍ଦ । ପୁଣି ଏ ଶବ୍ଦଟିର ଭାବ ସଂଯମୀ, ସଂସ୍କାରୀ ଏକ ଉତ୍ତମ, ଅନୁପମ, ସତୀନାରୀର ଚାରିତ୍ରିକ ଉତ୍କୃଷ୍ଟତା ଓ ମନୋହାରିତା ଉପରେ ପର୍ଯବେଶିତ । ସୀତାଙ୍କ ଚରିତ୍ରରେ ତପସ୍ୱିନୀ ଗୁଣ ଆରୋପ ଅନ୍ତନିର୍ହିତ ସୌନ୍ଦର୍ଯ୍ୟର ଏକ ଅନୁପମ ବିଶେଷତ୍ୱକୁ ଦର୍ଶାଇବା ଅଭିପ୍ରାୟକୁ ସୂଚାଏ । ସେମିତି ପ୍ରକୃତିକୁ ଆଶ୍ରମିକ ସୌନ୍ଦର୍ଯ୍ୟରେ ଭୂଷିତ କରିବା ଓ ତପସ୍ୱିନୀଙ୍କ ପରି ତାକୁ ପବିତ୍ର, ପୂତ, କରୁଣାକ୍ତ, କୋମଳ, ଆନ୍ତରିକ ଓ ଅନୁଭବନୀୟ କରିବା ଅନ୍ତର୍ନିହିତ ସୂକ୍ଷ୍ମ ଦିଗର ପ୍ରତିପାଦକ । ଏ ଦୁଇଟି ବ୍ୟକ୍ତିତ୍ୱର ଅନ୍ତର୍ନିହିତତାର ସାଦୃଶ୍ୟ ତପସ୍ୱିନୀଙ୍କ କୋମଳ, ପବିତ୍ର, ତପସ୍ୟା ଆଚରିତ ଓ ସଂଯମିତ ଜୀବନ ସୁଗନ୍ଧିତ ପୁଷ୍ପର ରୂପ ଗୁଣର ସାଦୃଶ୍ୟ ବର୍ଣ୍ଣନା (ପୃ : ୨୩-୨୪)ରେ ମିଳେ ।

 

ପ୍ରକୃତି ଓ ତପସ୍ୱିନୀ : ଅନ୍ତର୍ନିହିତତାର ଅନୁରୂପ ରୂପାୟନ :

ପ୍ରକୃତି ଓ ତପସ୍ୱିନୀଙ୍କ ଚାରିତ୍ରିକ ଏକୀକରଣରେ ଦୁଇଟି ବ୍ୟକ୍ତିତ୍ୱର ପାରସ୍ପରିକତା ଏକ ଆଧୁନିକ ବିଭବ । ଏହା ଆଧୁନିକ ଯୁଗୀୟ ବହୁବିଧ ଧାରଣାର ବିବର୍ତ୍ତିତ ଓ ବିବର୍ଦ୍ଧିତ ରୂପ, ଅର୍ଥଗତ ଗଭୀରତା, ଅଭିନବତା, ବର୍ଣ୍ଣନା ଚାତୁର୍ଯ୍ୟର ନୂତନ ଦିଗଗୁଡ଼ିକର ମଧ୍ୟ ବାହକ ।

 

ଚାରିତ୍ରିକ ଏକୀକରଣର ପରିଶୀଳନ ଅନ୍ୟର ଓ ନିଜର ପାରସ୍ପରିକ ଗୁରୁତ୍ୱର ସଂପର୍କିତ ଭାବ ତଥା ସମାସ୍କନ୍ଦ ଓ ସାଦୃଶ୍ୟ ରୂପକୁ ମାନସିକସ୍ତରରେ ଅନୁଭବ କରିବା ପ୍ରକାର୍ଯ୍ୟରେ ସମାହିତ ହୁଏ । ଅନ୍ତରଙ୍ଗ ବ୍ୟକ୍ତି ସହ ଯୋଗାଯୋଗ ସଂପର୍କରେ ଅନୁରକ୍ତି ଓ ଆସକ୍ତିର ବନ୍ଧନ ଓ ଏହାର ଜ୍ଞାନାତ୍ମକ ସୌନ୍ଦର୍ଯ୍ୟ କେବଳ ଦୁଇଟି ବ୍ୟକ୍ତିଙ୍କ ମାନସିକ ଭାବର ସାମର୍ଥ୍ୟ ଦ୍ୱାରା ସମ୍ଭବ ଦ୍ୱାରା ସମ୍ଭବପର ହୋଇଥାଏ । ଏଇ ଅନ୍ତର୍ନିହିତ ସଂଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଉଦାହରଣ ହେଲା-

 

‘‘ଅରୁଣ କଷାୟବାସ, କୁସୁମକାନ୍ତି ବିକାଶ, ପ୍ରଶାନ୍ତରୂପ ବିଶ୍ୱାସ ଦିଅନ୍ତି ମନେ,

କେଉଁ ଯୋଗେଶ୍ୱରୀ ଆସି ମଧୁର ଭାବେ ଆଶ୍ୱାସି

ଡାକୁଛନ୍ତି ଦୁଃଖରାଶି ଉପଶମନେ

ଦେବାପାଇଁ ନବଜୀବନ ସ୍ୱଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟଭୁବନ ।’’ (ପୃ. ୧୬-୧୭)

 

ସାମନ୍ତରାୟ ଏହାକୁ ପ୍ରକୃତିର ସୀତାଙ୍କ ପ୍ରତି ସସ୍ନେହ ସହାନୁଭୂତି (୧୯୨୪ : ୫୭୯) ରୂପେ ଗ୍ରହଣ କରିଛନ୍ତି । କିନ୍ତୁ ଏଠାରେ କୁହାଯାଇପାରେ ଯେ ଏହା କେବଳ ପ୍ରକୃତିର ତପସ୍ୱିନୀଙ୍କ ପ୍ରତି ନୁହେଁ ତପସ୍ୱିନୀଙ୍କର ମଧ୍ୟ ପ୍ରକୃତି ପ୍ରତି ସମାନ ସସ୍ନେହ ସହାନୁଭୂତି ରହିଛି ଯାହାକୁ ଏଠାରେ ଅନ୍ତର୍ନିହିତାର ସାଦୃଶ୍ୟ ରୂପ ତଥା ଅନ୍ତର୍ନିହିତ ପାରସ୍ପରିକତାର ପ୍ରକାର୍ଯ୍ୟରୁ ଆଦୃତ ବିଷୟବସ୍ତୁ ଉପସ୍ଥାପନର ଅଭିନବ ରୂପ ଭାବେ ଗ୍ରହଣ କରାଯାଇଛି । ଏଠାରେ ସୀତା, ଆଶ୍ରମର ବ୍ରହ୍ମଚାରିଣୀ ଓ ପ୍ରକୃତି ଏ ତିନିଜଣଙ୍କ ସାଦୃଶ୍ୟ ରୂପକୁ ‘‘ଆଶ୍ରମିତ-ଅନୁକମ୍ପା ତପସ୍ୱିନୀ’’ ପର୍ଯ୍ୟାୟଭୁକ୍ତ କରାଯାଇପାରେ । କାରଣ ଏ ତିନିଜଣଙ୍କ ଚରିତ୍ରର ସାମ୍ୟ ଓ ପାରସ୍ପରିକତା ଗୁଣାତ୍ମକ ସାଦୃଶ୍ୟ ବଳରେ ପ୍ରତିଷ୍ଠିତ ।

 

ଆଶ୍ରମିକ ଅନ୍ତର୍ନିହିତତା : ତପସ୍ୱିନୀ ଓ ପ୍ରକୃତି :

ପ୍ରଥମ ସକାଳର ଆଗମନ ଏକ ପବିତ୍ର, ସୁନ୍ଦର, ଶୁଭକର, ମଂଗଳମୟ ସଂପୂର୍ଣ୍ଣ ଦିବସର ସମ୍ଭାବ୍ୟତାକୁ ସୂଚିତ କରେ । ମୁନି ଆଶ୍ରମର ବେଦସ୍ୱନ (‘‘ମୁନିମୁଖ ବେଦସ୍ୱନ ପୂର୍ଣ୍ଣକଲା ଶ୍ୟାମବନ ଉଠିଲା ଭେଦିଗଗନ ଉଚ୍ଚ ଓଁକାର’’ ପୃ. ୧୭) ସହିତ ସମୀରଣର ସଂଗୀତଗାନ, ଭ୍ରମରର ବୀଣାବାଦନ, ସୁରଭୀର ନର୍ତ୍ତନ, କୁମ୍ଭାଟୁଆ-ଭାଟର ସ୍ତବ, କଳିଙ୍ଗ ପକ୍ଷୀର ପାଟମଗଧ ବେଶରେ ସୀତାଙ୍କ ସମ୍ମୁଖରେ ଭାଟ ସ୍ତବ ଆଦି ବର୍ଣ୍ଣନାରେ ପବିତ୍ର ବାତାବରଣର ସାଦୃଶ୍ୟତାକୁ ଦର୍ଶାଯାଇପାରେ (ପୃ. ୧୭) । ଏ ପ୍ରକାର ବାଲ୍ୟବାତାବରଣକୁ ନବ ଜୀବନ ପ୍ରଦାନ କରିବାକୁ ସତୀ ଯୋଗୋଶ୍ୱରୀ ରୂପେ ମଙ୍ଗଳମୟ ଉଷା ସ୍ୱର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇଆସିବା ପବିତ୍ରତାରେ ସ୍ୱର୍ଗୀୟ ଭାବକୁ ମିଶାଇ ଦେବାର ପ୍ରଚେଷ୍ଟା ମଧ୍ୟ ସ୍ପଷ୍ଟ ଅନୁମାନ କରିହୁଏ । ଆଶ୍ରମର ପବିତ୍ର, ପୁଣ୍ୟ, ଶାନ୍ତ ଓ ସର୍ବୋପରି ଅମୃତମୟ ମନୋହର ବାତାବରଣରେ ମାର୍ଦବ (ମୃଦୁତା), ମାଂଜବ (ମଂଜୁଳତା) ଯୁକ୍ତ ଆଶ୍ରମ ପରିବେଶର ପୁଷ୍ପ ଯେଉଁ ମଧୁ ବହନ କରନ୍ତି ତାହା ଅମୃତ ପରି । ସେମିତି ଅମୃତ ପରି ସୀତାକ କାନ୍ତି । ଦୁହେଁ ଅମୃତମୟ ଗୁଣ ବା ଅନ୍ତର୍ନିହିତ ସୌନ୍ଦର୍ଯ୍ୟର ସାଦୃଶ୍ୟ ରୂପ । ଏହାର ଉଦାହରଣ ହେଲା-

 

‘‘ସତୀ କାନ୍ତି ଥିଲା ଅମୃତ ସମ, ପୁଷ୍ପେ ହେଲା ମଧୁ ଅମୃତୋପମ

ମାର୍ଦବ, ମାଂଜବ ସେରୂପେ ଯାଇ ହେଲେ ପୁଷ୍ପକୁଳ ଅଙ୍ଗରେ ସ୍ଥାୟୀ । (ପୃ. ୨୧) ।’’

 

ଅନ୍ତର୍ନିହିତ ପାରସ୍ପରିକତାରେ ସହୃଦୟତା :

ସହୃଦୟତା ବା ଚିତ୍ତର ପ୍ରଶସ୍ତତା ଅନ୍ତର୍ନିହିତ ପାରସ୍ପରିକତାର ପ୍ରୋତ୍ସହନ ଓ ସୌନ୍ଦର୍ଯ୍ୟର ଅପାର୍ଥିବ ରୂପ । ତପସ୍ୱିନୀ ଓ ପ୍ରକୃତି ଉଭୟଙ୍କ ସହୃଦୟତାର ସାଦୃଶ୍ୟ ରୂପ ବିଷୟବସ୍ତୁର ଆତ୍ମିକକୁ ଅଭିନବ କରିଚି । ‘ତପସ୍ୱିନୀ’ରେ ପ୍ରକୃତି ଓ ତପସ୍ୱିନୀଙ୍କ ମାନସିକତାରେ ପରସ୍ପରପ୍ରତି ଯେଉଁ ସହୃଦୟତା ସ୍ଥାପିତ ହେଇଚି ତାହା ଦୁଇଟି ଅନ୍ତର୍ନିହିତ ଜଗତର ଗୁଣାତ୍ମକ ଏକୀଭୂତ ରୂପର ସୂଚକ । ଏ ସହୃଦୟତାର ସାଦୃଶ୍ୟ-ସଂପର୍କର ସବୁଠାରୁ ଉଲ୍ଲେଖନୀୟ ଉଦାହରଣ ତପସ୍ୱିନୀ-ଉଷା ଏବଂ ତପସ୍ୱିନୀ-ତମାସନଦୀର ଉକ୍ତି ପ୍ରତ୍ୟୁକ୍ତିରେ ଦେଖିବାକୁ ମିଳେ । ଏଥିରେ ତପସ୍ୱିନୀ ଓ ଉଷାଙ୍କ ଉକ୍ତି ପ୍ରତ୍ୟୁକ୍ତି ଏକ ପୁଣ୍ୟ, ମଙ୍ଗଳମୟ, ଶୁଭ୍ର, ଶୁଭଙ୍କର ଦିବସର ସମ୍ଭାବ୍ୟତା ସହିତ ଉଭୟଙ୍କର ପବିତ୍ରପୁଣ୍ୟ ତିମିର ବିଧ୍ୱଂସୀ ଚାରିତ୍ରିକ ଗୁଣର ସାମ୍ୟ ଦଶିତ । ଉଷାଙ୍କ ପ୍ରତି ତପସ୍ୱିନୀଙ୍କ ଯେଉଁ ଅନୁରକ୍ତି ବର୍ଣ୍ଣିତ ହେଇଚି ତଦନୁଯାୟୀ ଏକ ପତିବ୍ରତା, ସତୀ, ସାଧ୍ୱୀ ନାରୀକୁ ନିଜ କରପଲ୍ଲବରେ ନିହାରରୂପ ମୁକ୍ତାକୁ ଉପହାର ରୂପରେ ସୀତାଙ୍କୁ ଅର୍ପଣ କରିବା, କଳକଣ୍ଠ ରୂପକ କଣ୍ଠରେ ସୀତାଙ୍କୁ ‘ସତୀ’ ସମ୍ବୋଧନ କରି ଦର୍ଶନ କରିବା ଅଭିଳାଷ ଆଦିରେ ଏକ ତପସ୍ୱିନୀର ଚାରିତ୍ରିକ ମହତ୍ତ୍ୱ ପ୍ରତିପାଦିତ । ତପସ୍ୱିନୀଙ୍କର ମଧ୍ୟ ଉଷାଙ୍କ ପ୍ରତି ଉକ୍ତିରେ ମଧ୍ୟର ଠିକ୍‌ ସେଇ ପ୍ରକାର ମାନସିକତାକୁ ଦର୍ଶାଯାଇଚି । ତପସ୍ୱିନୀଙ୍କ ଉଷାଙ୍କ ପାଇଁ ବନ୍ଦନାରେ ବିକଚ-ରାଜୀବ-ଦୃଶା ଉଷାଙ୍କର ପୁଣ୍ୟ-ପବିତ୍ର ରୂପ କେବଳ ନୁହେଁ, ଏକ ଆଲୋକିତ ଦିବସର ସମ୍ଭାବ୍ୟ ମନୋହର ମଙ୍ଗଳମୟ ଗୁଣ ସାମର୍ଥ୍ୟ ସୂଚିତ । କୁହାଯାଇପାରେ, ଏହା ଦୁଇଟି ନାରୀଙ୍କ ବ୍ୟକ୍ତିତ୍ୱରେ ନିହିତ ପ୍ରଶସ୍ତ ଚିତ୍ତର ପାରସ୍ପରିକ ରୂପର ଅଭିନବ ଗୁଣାତ୍ମକ ସୌନ୍ଦର୍ଯ୍ୟ ।

 

ତମସାନଦୀ ଓ ତପସ୍ୱିନୀଙ୍କ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟ ଆଉ ଏକ ସମପର୍ଯ୍ୟାୟବାଚୀ ଦୃଷ୍ଟାନ୍ତ । ଏଠାରେ ତମସା ନଦୀ ସୀତାଙ୍କୁ ମାତା ରୂପେ ସମ୍ବୋଧନ କରିବା ସହ ସ୍ୱୀୟ ଜଳରୂପୀ କରରେ ଆଲିଙ୍ଗନ କରିଚି ଓ ସୀତାଙ୍କ ପ୍ରଶଂସାରେ ଶତମୁଖ ହେଇଚି । ଏ ପ୍ରଶଂସା ତପସ୍ୱିନୀଙ୍କ ପୁଣ୍ୟମୟ ଶରୀରର ଅନ୍ତର୍ନିହିତ ପବିତ୍ରତା, ଦୟା, ମାତୃତ୍ୱ ଆଦି ଗୁଣର ଦ୍ୟୋତକ । ଉଦାହରଣ ସ୍ୱରୂପ :

 

‘‘ତୋ ପୁଣ୍ୟମୟ ଶରୀର କ୍ଷାଳନେ ପୂତ ମୋ’ ନୀର...... ’’ (ପୃ. ୧୮)

 

ପୁଣି ପତିବ୍ରତା ସୀତାଙ୍କର ପବିତ୍ରତା ଗୁଣକୁ ପୁଷ୍ପରେ ଦର୍ଶାଇବା ପାଇଁ ସଚେଷ୍ଟ ତମସାନଦୀର ଉକ୍ତି ପ୍ରକୃତି ଓ ସୀତାଙ୍କ ଗୁଣାତ୍ମକ ସାଦୃଶ୍ୟକୁ ଅଧିକ ମନୋରମ କରିଚି । ଯେମିତି-

 

‘‘ପତିବ୍ରତା ଅଙ୍ଗେଲାଗି ପବିତ୍ର ହେବାର ଲାଗି

ବ୍ରତତୀ-ବାସ-ବିରାଗୀ-ପ୍ରସୂନମାନ

ଦୂରୁଁ ଦୂରୁଁ ଝାସି ଝାସି ଧାଇଁଥିବେ ଭାସିଭାସି

ଭ୍ରମୁଥିବେ ଆସି ଆସି ତୋ ସନ୍ନିଧାନ ।

..ସ୍ନାନ ସମୟେ ମୋ’ ପୟରେ ଦୟାମୟୀ ନ ପେଲିବୁ ତାଙ୍କୁ ପୟରେ ।’’ (ପୃ. ୧୮)

 

ଉକ୍ତ ଉକ୍ତିରେ ତପସ୍ୱିନୀଙ୍କ ପୁଣ୍ୟମୟ ଶରୀର ଓ ତମସାର ପୂତ ନୀରର ସାଦୃଶ୍ୟତାର ଭିତ୍ତି ମାତୃତ୍ୱ, ପୁଣ୍ୟମୟତା, ଦୟାର୍ଦ୍ରଚିତ୍ତତା ଆଦି ଅନ୍ତର୍ନିହିତ ଗୁଣାତ୍ମକ ବିଶେଷତ୍ୱ ।

 

ତପସ୍ୱିନୀଙ୍କ ତମସାନଦୀ ପ୍ରତି ଭକ୍ତି ତମସାନଦୀର ସମପର୍ଯ୍ୟାୟୀ ମାନସିକତାର ସୂଚକ-। ଏହା ପୁଣ୍ୟ, ପବିତ୍ର, ଦୟା ଆଦି ଯୁକ୍ତ ମାତୃତ୍ୱର ମାନସିକ ରୂପ । ସୀତାଙ୍କର ତମସା ନଦୀ ପ୍ରତି ଭକ୍ତି ଅମୃତ ସ୍ୱଭାବ ଓ ମାତୃତ୍ୱଭାବ ବିଶିଷ୍ଟ, ଦୟାଶୀଳ ତମସାନଦୀର ସାଦୃଶ୍ୟ ଗୁଣ ବହନକାରୀ ଉଦାହରଣ ।

 

‘‘ସୀତାମୃତ କଳପା ଲକ୍ଷେ, ଓହୋ ତୁ ତ ମୋ’ ମା ଏ ଦେଶେ

ମୋ’ ଦୁଃଖେ ବିଦୀର୍ଣ୍ଣ ବକ୍ଷା ତମସା ବେଶେ ।’’ (ପୃ. ୧୮)

 

ଅନ୍ତର୍ନିହିତତାର ସଂପର୍କିତ-ସମନ୍ୱିତ ପ୍ରକାର୍ଯ୍ୟରେ ଅନୁକମ୍ପା :

ବ୍ରହ୍ମଚାରିଣୀ ଅନୁକମ୍ପା, ସତୀ ଅନୁକମ୍ପା ଓ ଅନୁକମ୍ପାର ପ୍ରକୃତି (ତମସା ନଦୀ), ଏ ତିନୋଟି ଏଠାରେ ବାହ୍ୟ ଓ ଅନ୍ତର୍ନିହିତ ସ୍ୱଭାବର ଏକୀଭୂତ ରୂପ, ଉଦାହରଣ ସ୍ୱରୂପ ବ୍ରହ୍ମଚାରିଣୀ ଅନୁକମ୍ପା ତପସ୍ୱିନୀ ଓ ତପସ୍ୱିନୀ ସୀତାଙ୍କର ଅନୁକମ୍ପାଙ୍କ ଗହଣରେ ତମସା ନଦୀକୁ ଅବଗାହନ ଅବକାଶରେ ତିନୋଟି ଅନୁକମ୍ପା-ସ୍ୱଭାବର ଏକୀକରଣ ମେହେରଙ୍କ ଅନ୍ତର୍ଦୃଷ୍ଟିର ସୃଜନଶୀଳ ପରିପ୍ରକାଶିତ ସାମର୍ଥ୍ୟର ରୂପ ।

 

‘‘ସୁଶୀତଳ ସୁନିର୍ମଳ ପବିତ୍ର ତମସାଜଳ : ତଥା ସ୍ୱଭାବ ସକଳ ମୁନିସୁତାଙ୍କ,

ସ୍ନେହେ ତମସା ଅଞ୍ଚଳ କରି ପ୍ରତିବିମ୍ୱ ଛଳ ହୋଇଗଲା ଅବିକଳ ସ୍ୱରୂପ ତାଙ୍କ

ଆଲିଙ୍ଗନେ ତାଙ୍କ ବିଗ୍ରହ, ବିଗ୍ରହ ମିଶାଇ ଦେଲା ଶୀଘ୍ର ସାଗ୍ରହେ ।’’ (ପୃ. ୧୯)

 

ତମସାନଦୀ ବାହ୍ୟରୂପର ଏକୀକରଣ ଅଭିପ୍ରାୟରେ ଯେତେବେଳେ ବହୁ ଅନୁକମ୍ପାଙ୍କ ବିଗ୍ରହରେ ନିଜ ବିଗ୍ରହକୁ ମିଶାଇଦିଏ ସେତେବେଳେ ସେ ଅନ୍ତଃକରଣରେ ମଧ୍ୟ ଅନୁକମ୍ପା ସ୍ୱଭାବ ବିଶିଷ୍ଟ ହୋଇଯାଏ । ଏ ପ୍ରକ୍ରିୟା ତିନୋଟି ସମଗୁଣ ଓ ସମଧର୍ମର ଏକୀକରଣ ପ୍ରକ୍ରିୟା । ଏ ଏକୀକରଣ ପ୍ରକ୍ରିୟାକୁ ମେହେର ବେଶ ଦକ୍ଷତାର ସହ ବର୍ଣ୍ଣନା କରିଛନ୍ତି :

 

‘‘ସତତ ସୀତା ସକାଶ ଚାହିଁ ରମିବା ସକାଶ

ପାଇ ଶୁଭ ଅବକାଶ ଏହି ଉପାୟେ

ହୋଇ ବହୁନେତ୍ରବତୀ ବହୁ ହୃଦ ବହୁମତି

ଲାଭକଲା, ବୁଦ୍ଧିମତୀ ଅନେକକାୟେ

ସମଧର୍ମ ସମଗୁଣ ମିଶି ମନତୋଷ ଲଭେ ବହୁଗୁଣରେ ।’’ (ପୃ. ୧୯)

 

ଉକ୍ତ ଉକ୍ତିଟିରେ ଅନୁକମ୍ପା ସୀତା, ଅନୁକମ୍ପା ବ୍ରହ୍ମଚାରିଣୀଙ୍କ ବୁଦ୍ଧି, ନେତ୍ର (ଦୃଷ୍ଟି), ମତି ଓ ହୃଦୟ (ଅନୁଭବ)ର ସାଦୃଶ୍ୟ ତମସା ନଦୀର ବୁଦ୍ଧି, ନେତ୍ର, ମତି ଓ ହୃଦୟ ଆଦିରେ ଆରୋପିତ । ପୁଣି । ଅନ୍ତର୍ନିହିତତାର ପ୍ରକାର୍ଯ୍ୟରେ ଦୁଇଟି ବ୍ୟକ୍ତିଙ୍କ ଧର୍ମ ଓ ଗୁଣ ସମାନ ହେଲେହିଁ ଅନ୍ତର୍ନିହିତତାର ଦୁଇଟି ସମଧର୍ମୀ, ସମାସ୍କନ୍ଦ ବ୍ୟକ୍ତିଙ୍କ ଅନୁଚିନ୍ତନର ବୌଦ୍ଧିକ ରୂପ । ଏହା ମଧ୍ୟ ଅନ୍ତର୍ନିହିତ ଜଗତର ବୌଦ୍ଧିକ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବେଶିତ ।

 

ଆଧୁନିକ ସମାଲୋଚନ ଅନ୍ତର୍ଗତ ଅନ୍ତର୍ନିହିତ ଜଗତର ପ୍ରୟୋଗାତ୍ମକ ପରୀକ୍ଷା ନିରୀକ୍ଷା ପରିପ୍ରେକ୍ଷୀରେ ମାନସିକତା ଓ ଜ୍ଞାନର ଯୁଗ୍ମ ପ୍ରକାର୍ଯ୍ୟରେ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ନିରୂପଣ କରିବା କୃତି ପରିଶୀଳନର ଏକ ମୁଖ୍ୟ ଦିଗ । ଏ ପ୍ରକାର ସମାଲୋଚନା ନିଦର୍ଶନ ବହୁପୂର୍ବରୁ ମେହେରଙ୍କ ‘ତପସ୍ୱିନୀ’ରେ ଏହାର ଲକ୍ଷଣ ପରିଲକ୍ଷିତ ହୁଏ । ମେହେରଙ୍କ ଅନ୍ତର୍ଦୃଷ୍ଟି ପ୍ରକୃତି ଓ ବ୍ୟକ୍ତିର ଅନ୍ତର୍ନିହିତ ଜଗତର ସଂଯୁକ୍ତିକୁ ଯେପରି ଦେଖାଇଚନ୍ତି ଏବଂ ବ୍ୟକ୍ତି ଅନ୍ତର୍ନିହିତତାର ପ୍ରକାର୍ଯ୍ୟରୁ ନିରୂପିତ ବୌଦ୍ଧିକ ଚେତନାର ନିଦର୍ଶନକୁ ଯେପରି ପ୍ରକୃତି ଓ ବ୍ୟକ୍ତିଙ୍କ ଅନ୍ତର୍ନିହିତ ସାଦୃଶ୍ୟ-ସଂପର୍କରେ ପ୍ରୟୋଗ କରିଚନ୍ତି ତାକୁ ଆଧୁନିକ ସମାଲୋଚନା କ୍ଷେତ୍ରରେ ‘‘ଆଧୁନିକ’’ ଲକ୍ଷଣର ଭିତ୍ତିକୁ ପୂର୍ବରୁ ପ୍ରତିଷ୍ଠା କରିବାର ଏକ ସଯତ୍ନ ପ୍ରୟାସ ବୋଲି କୁହାଯାଇପାରେ ।

 

ଉପସଂହାର

‘ତପସ୍ୱିନୀ’ର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ପ୍ରକୃତି ଓ ତପସ୍ୱିନୀ ସୀତାଙ୍କ ଚାରିତ୍ରିକ ବିଶେଷତ୍ୱ ବା ଅନ୍ତର୍ତିହିତ ଗୁଣାତ୍ମକ ବିଶେଷତ୍ୱର ସାଦୃଶ୍ୟସଂପର୍କ ଓ ଅନ୍ତର୍ନିହିତ ପାରସ୍ପରିକତା ଉପରେ ଆଧାରିତ । ଏହା ଆଧୁନିକ ଯୁଗୀୟ ପରିପ୍ରେକ୍ଷୀରେ ବିଷୟବସ୍ତୁ ପରିକଳ୍ପନାର ଏକ ଅଭିନବ ସାହିତ୍ୟିକ ମାଧ୍ୟମରୂପେ ବ୍ୟବହୃତ ।

 

ବିଷୟବସ୍ତୁ ପରିକଳ୍ପନାର ଅଭିନବତାରେ ପ୍ରକୃତି ଓ ତପସ୍ୱିନୀ ସମପର୍ଯ୍ୟାୟୀ ବ୍ୟକ୍ତିତ୍ୱ । ପ୍ରକୃତି ଓ ତପସ୍ୱିନୀଙ୍କ ଚାରିତ୍ରିକ ଏକୀକରଣରେ ପ୍ରକୃତିକୁ ମାନବୀୟ ଗୁଣାବଳୀରେ ଯୁକ୍ତକରିବା ଏବଂ ତପସ୍ୱିନୀଙ୍କ ବ୍ୟକ୍ତିତ୍ୱରେ ପ୍ରକୃତି-ବ୍ୟକ୍ତିତ୍ୱର ସାଦୃଶ୍ୟତାକୁ ଦର୍ଶାଇବା ଏକ ଅଭିନବ ବର୍ଣ୍ଣନା କୌଶଳ । କେବଳ ଏତିକି ନୁହେଁ ଏ ଦୁଇଟି ବ୍ୟକ୍ତିତ୍ୱର ଗୁଣାତ୍ମକ ପାରସ୍ପରିକତାର ପ୍ରକାର୍ଯ୍ୟରେ ଅନ୍ତର୍ନିହିତତାର ପ୍ରକାର୍ଯ୍ୟ ଆଧୁନିକ ବିଷୟବସ୍ତୁରେ ବର୍ଣ୍ଣନା, ଚିନ୍ତାଧାରା, ବିଷୟ ସଂଯୋଜନାର ସୃଜନଶୀଳ, ବୌଦ୍ଧିକ, ଅଭିନବତାର ବହୁ ଦିଗକୁ ଉନ୍ମୋଚନ କରିବାରେ ସହାୟକ ହେଇଚି । ଏ ପାରସ୍ପରିକତାର ଆନ୍ତସୌନ୍ଦର୍ଯ୍ୟ ସହୃଦୟତା ଓ ଅନୁକଂପାର ଭିତ୍ତି ଉପରେ ପ୍ରତିଷ୍ଠିତ । ଯଦି ମେହେର ସାହିତ୍ୟର ବିଶେଷଣ ଅନ୍ତସୌନ୍ଦର୍ଯ୍ୟ ହୁଏ ତେବେ ଏହାର ଭିତ୍ତି ଅନ୍ତର୍ନିହିତତାର ଅଭିନବ ଉପସ୍ଥାପନ କୌଶଳ ବୋଲି ଗ୍ରହଣ କରାଯାଇପାରେ ।

 

 

କ୍ୱାର୍ଟର ନଂ. ଏ-୧

ୟୁନିଭରସିଟି ଅଫ୍‌ ହାଇଦ୍ରାବାଦ

ହାଇଦ୍ରାବାଦ-୫୦୦୦୪୬

 

ସହାୟକ ଗ୍ରନ୍ଥସୂଚୀ :

୧.

ମେହେର, ଗଙ୍ଗାଧର, । ୧୯୬୧ (୩ୟ ସଂସ୍କରଣ) । କଟକ : ସତ୍ୟବାଦୀ ପ୍ରେସ୍‌ ।

୨.

ସାମନ୍ତରାୟ, ନଟବର । ୧୯୬୪ । ଓଡ଼ିଆ ସାହିତ୍ୟର ଇତିହାସ (୧୮୦୩-୧୯୨୦) । ଭୁବନେଶ୍ୱର : ଲାବଣ୍ୟ ଭବନ ।

୩.

ସାମନ୍ତରାୟ, ନଟବର । ୧୯୭୬ (୨ୟ ମୁଦ୍ରଣ) । ଗଂଗାଧର ସାହିତ୍ୟ ସମୀକ୍ଷା । କଟକ : ନିଉ ଷ୍ଟୁଡ଼େଣ୍ଟସ୍‌ ଷ୍ଟୋର ।

 

***

 

ତପସ୍ୱିନୀରେ ଆଦର୍ଶବାଦର ସ୍ୱର ଓ ସ୍ୱାକ୍ଷର

ବିରଞ୍ଚି ସାହୁ

 

ଶ୍ରାବଣର ବାରିଧାରା ଯେତେବେଳେ ସମଗ୍ର ଉତ୍କଳ ଭୂଖଣ୍ଡକୁ ଆର୍ଦ୍ର କରିବାରେ ସହାୟକ ଭୂମିକା ନେଇଥିଲା ସେହି ଶ୍ରାବଣ ପୂର୍ଣ୍ଣିମାର ଏକ ମଧୁ ଲଗ୍ନରେ ଗଙ୍ଗାଧରଙ୍କ ଆବିର୍ଭାବ, ସମଗ୍ର ଓଡ଼ିଆ ସାହିତ୍ୟ ଓ ଓଡ଼ିଆବାସୀଙ୍କ ପାଇଁ ନିଶ୍ଚିତ ଏକ ସ୍ମରଣଯୋଗ୍ୟ କଥା । ଗଙ୍ଗାଧର ତାଙ୍କ ସମୟ ଏଭଳି ଜଣେ ବ୍ୟକ୍ତି ଯିଏ ସମଗ୍ର ଜୀବନ କାଳ ଭିତରେ ନୀତିନିଷ୍ଠ, ଆଦର୍ଶବାଦୀ ଜୀବନ ବଞ୍ଚିଥିଲେ । ଗରିବ ପଣିଆ ଭିତରେ କିନ୍ତୁ ନିଜର ଆଦର୍ଶଟିକକୁ ଜଳାଞ୍ଜଳି ଦେଇନଥିଲେ । ପ୍ରତିଭା କିନ୍ତୁ ନୈସର୍ଗିକ । ‘‘ଜୀବନରକ୍ଷା ପାଇଁ ପ୍ରଥମେ ତନ୍ତ ଯା’ର ଆଶ୍ରୟ ଥିଲା କିଏ ଜାଣିଥିଲା ସେହି ଦରିଦ୍ର ଗଙ୍ଗାଧରଙ୍କ ଭିତରେ ଥିଲା ଏପରି ଯାଦୁକରୀ ପ୍ରତିଭା, ପ୍ରତିକୂଳ ପରିସ୍ଥିତି ଭିତରେ ଯାହାର ଅରୁଣୋଦୟ ସମସ୍ତଙ୍କୁ ବିସ୍ମିତ କରିବ । ଉଚ୍ଚ ଶିକ୍ଷାଲାଭରୁ ବଞ୍ଚିତ ଗଙ୍ଗାଧର ମଧ୍ୟଯୁଗୀୟ ସାହିତ୍ୟାଧ୍ୟୟନ କରି ନିଜର ସାଂସ୍କୃତିକ କ୍ଷୁଧା ନିବାରଣ କଲାବେଳେ ତାଙ୍କ ପ୍ରତିଭାର ଅରୁଣୋଦୟ ସଂଘଟିତ ହୋଇଥିଲା’’ (ତପସ୍ୱିନୀ ଓ ଗଙ୍ଗାଧର/ ଡ. ଅସିତ୍‌ କବି/ ପ୍ରକାଶକ ଗ୍ରନ୍ଥମନ୍ଦିର - ପୃ୧୧) ‘ତପସ୍ୱିନୀ ତାଙ୍କ ପ୍ରତିଭାର ଅନ୍ୟତମ ସାର୍ଥକ ନିଦର୍ଶନ । ଯେତେଗୁଡ଼ିଏ କାବ୍ୟ କବିତା ସେ ରଚନା କରିଯାଇଛନ୍ତି ତପସ୍ୱିନୀର ଭାବ, ଭାଷା, ଶୈଳୀ, ବିଷୟବସ୍ତୁ, ବର୍ଣ୍ଣନା, ଉପସ୍ଥାପନା ଏସବୁ ଅନ୍ୟ ତୁଳନାରେ ସ୍ୱତନ୍ତ୍ର । ତପସ୍ୱିନୀ ମେହେର ପ୍ରତିଭାର ଶ୍ରେଷ୍ଠ ଅର୍ଘ୍ୟ । ତପସ୍ୱିନୀର ଆରମ୍ଭରେ କବି ଲେଖିଛନ୍ତି -

 

‘‘ଦରିଦ୍ରତା ପଙ୍କ ପୂର୍ଣ୍ଣ ମୋ ଜୀବନ ସର

ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର ।’’

 

ତଥାପି ଗଙ୍ଗାଧର ନିଜ ଆଦର୍ଶରୁ ତିଳେମାତ୍ର ବିଚ୍ୟୁତ ହୋଇନାହାନ୍ତି । ଆଧୁନିକ ଯୁଗରେ କଲମ ଚାଳନା କରି ଗଙ୍ଗାଧର କିନ୍ତୁ ଅନ୍ୟମାନଙ୍କ ତୁଳନାରେ ସ୍ୱତନ୍ତ୍ର । ଯେଉଁ ସମୟରେ ଏକାଦି କ୍ରମେ ରାଧାନାଥ, ମଧୁସୂଦନ, ଫକୀରମୋହନ, ନନ୍ଦକିଶୋର ପ୍ରମୁଖ ପାଶ୍ଚାତ୍ୟ ସାହିତ୍ୟରେ ଅବଗାହନ କରିଥିଲେ ସେହି ସମୟରେ ଗଙ୍ଗାଧର କିନ୍ତୁ ନିରାପଦ ଦୂରତ୍ୱରେ ରହିଥିଲେ । ମାତ୍ର ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏମାନଙ୍କ ଠାରୁ ସେ କୌଣସି ଗୁଣରେ ନ୍ୟୁନ ନ ଥିଲେ, ଆଉ ଓଡ଼ିଆ ବାଣୀ ଭଣ୍ଡାରକୁ କରିଥିଲେ ସମୃଦ୍ଧ । ଅଭାବରେ ଥାଇ ମଧ୍ୟ ସ୍ୱଭାବ ହରାଇ ନଥିଲେ । ଜୀବନର ସକଳ ଦାରିଦ୍ର୍ୟକୁ ଆକଣ୍ଠ ପାନକରି ଅମୃତମୟ ବାଣୀକୁ ବୈଦିକ ଋଷିଙ୍କ ପରି ଉଦ୍‌ଘୋଷଣା କରି ଯାଇଛନ୍ତି । ଗଙ୍ଗାଧର ଥିଲେ ଶାନ୍ତ, ଧୀର ସ୍ୱଭାବର । ‘‘ନମ୍ରତା ଓ ବିନୟୀ ସ୍ୱଭାବ ଯୋଗୁଁ କବିବର ରାଧାନାଥଙ୍କ ଭଳି ପ୍ରତିଷ୍ଠା ସମ୍ପନ୍ନ କବିଙ୍କର ମଧ୍ୟ ବିସ୍ମିତ ପ୍ରଣତି ଲାଭ କରିଥିଲେ । ଇଂରେଜ କବି ସେଲୀଙ୍କ ସ୍କାଇଲାର୍କ ଭଳି ସେ ଥିଲେ ଉଚ୍ଚମନା । ଅତ୍ୟଳ୍ପ ବୟସରୁ ଜୀବନର ଏହି ମହିମ୍ନ ବିଭବ ଦିବାଲୋକ ପରି ସ୍ପଷ୍ଟ ହୋଇଉଠିଥିଲା ।’’ (ତପସ୍ୱିନୀ ଓ ଗଙ୍ଗାଧର/ଡ. ଅସିତ୍‌ କବି, ଗ୍ରନ୍ଥମନ୍ଦିର, ପୃଷ୍ଠା-୫) । ଦିବାଲୋକରେ ତନ୍ତ ଚାଳନା ଓ ଦୀପାଲୋକରେ ଗ୍ରନ୍ଥ ଚର୍ଚ୍ଚାଥିଲା ତାଙ୍କର ପ୍ରଧାନ କର୍ମ ।

 

ଦାରିଦ୍ର୍ୟ ପୀଡ଼ିତ ଜୀବନ, ସ୍ୱଳ୍ପ ଶିକ୍ଷାପ୍ରାପ୍ତ ଗଙ୍ଗାଧର ତଥାପି ଏଠି ଆଦର୍ଶର ବୀଜ ବୁଣିଗଲେ ଆଗାମୀ ପିଢ଼ିପାଇଁ । ପ୍ରାଚ୍ୟ ଚିନ୍ତାଧାରା ଦ୍ୱାରା ଆକୃଷ୍ଟ ଗଙ୍ଗାଧରଙ୍କ ଲେଖାରେ ସେହି ଧର୍ମ, ଆଦର୍ଶ, ସଂସ୍କୃତି, ପରମ୍ପରା, ଐତିହ୍ୟ, ଲୋକାଦର୍ଶ ଦେଖାଇଦେଲେ କାବ୍ୟାମୋଦୀପାଠକମାନଙ୍କୁ ।

 

‘ତପସ୍ୱିନୀ’ ମେହେର ପ୍ରତିଭାର ଶ୍ରେଷ୍ଠ ନମୁନା । ଆକର୍ଷଣର କେନ୍ଦ୍ର । ୧୯୧୩ ମସିହାରେ ଏହା ଏକ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ୧୯୧୫ ବେଳକୁ ଏହା ଆଲୋକ ଦେଖିଥିଲା । ‘ତପସ୍ୱିନୀ’, ବିଖ୍ୟାତ ଗ୍ରନ୍ଥ ରାମାୟଣ କଥାବସ୍ତୁ ଆଧାରରେ ରଚିତ । ରାମ ଓ ସୀତାଙ୍କ ଆଦର୍ଶମୟ ଜୀବନର ଗାଥା ଏଥିରେ ବର୍ଣ୍ଣିତ । ସୀତା ତପସ୍ୱିନୀ କାବ୍ୟର ନାୟିକା । ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତା ହେବାପରେ ତାଙ୍କର ପରବର୍ତ୍ତୀ ଜୀବନ ଜଣେ ସନ୍ନ୍ୟାସିନୀ ଭାବେ କଟିଛି ବାଲ୍ମୀକିଙ୍କ ଆଶ୍ରମରେ । ସେ ତପସ୍ୱିନୀ ନିଜ ସୁଖ, ସମୃଦ୍ଧି ପାଇଁ ନୁହେଁ, ପରନ୍ତୁ ସେ ସ୍ୱାମୀ ହିତାସାଧିନୀ । କବି ତପସ୍ୱିନୀ କାବ୍ୟର ମୁଖ ବନ୍ଧରେ ଲେଖିଛନ୍ତି - ‘‘ପିତୃସତ୍ୟରକ୍ଷା ନିମନ୍ତେ ବନବାସୀ ହେବାରୁ ରାମଙ୍କର ଓ ସ୍ୱାମୀଙ୍କର ଅନୁଗାମିନୀ ହେବାରୁ ସୀତାଙ୍କର ଯେଉଁ ମହାତ୍ମ୍ୟ ପରିସ୍ପୁଟ ହୋଇଥିଲା, ସୀତାଙ୍କର ନିର୍ବାସନରେ ତାହା ସୌରଭମୟ ହେଲା । ନିର୍ବାସନ କଷ୍ଟ ସହିବା ଦ୍ୱାରା ସୀତାଙ୍କର ପତି ଭକ୍ତି ଯେପରି ତେଜୋମୟୀ ହୋଇଗଲା, ତାଙ୍କର ହରିଣ୍ନୟୀ ପ୍ରତିକୃତି ରଖି ଅଶ୍ୱମେଧ ଯଜ୍ଞ ନିର୍ବାହ କରିବା ଦ୍ୱାରା ରାମଙ୍କର ପତ୍ନୀପ୍ରେମ ସେହିପରି ପ୍ରଦୀପ୍ତ ହୋଇ ଉଠିଲା । ଉପଯୁକ୍ତ ପତିଙ୍କର ଉପଯୁକ୍ତ ପତ୍ନୀ । ସୀତା ମିଥ୍ୟାପବାଦରେ ସ୍ୱାମୀ କର୍ତ୍ତୃକ ପରିତ୍ୟକ୍ତା ହୋଇଥିଲେ ହେଁ ସ୍ୱାମୀଙ୍କ ହୃଦୟର ପ୍ରେମ ବୁଝି ପାରିଥିଲେ । ସେ ନିର୍ବାସନକୁ ନିଜ ଭାଗ୍ୟ ଦୋଷ ବୋଲି ପତିଉକ୍ତିକୁ କିପରି ଦୃଢ଼ତର ଓ ଉଚ୍ଚତର କରିଥିଲେ ବନବାସକୁ ପତିହିତ ସାଧନୀ ତପସ୍ୟାରେ ପରିଣତ କରି ତପସ୍ୱିନୀ ରୂପେ କିପରି ଦିନଯାପନ କରିଥିଲେ, ତାହା ପ୍ରକଟ କରିବା ଏ ପୁସ୍ତକର ପ୍ରଧାନ ଉଦ୍ଦେଶ୍ୟ ।’’

 

ରାମ ଓ ସୀତାଙ୍କର ଆଦର୍ଶମୟ, ତ୍ୟାଗପୂତ ଜୀବନର କାହାଣୀ ଭାରତର ଅନେକ ପୁରାଣ ମଣ୍ଡିତ ରାମଚରିତମାନସ, ଉତ୍ତର ରାମଚରିତ, ରାମାୟଣ, ରଘୁବଂଶ ଇତ୍ୟାଦିରେ ବେଶ୍‌ ସଫଳ ଭାବେ ବର୍ଣ୍ଣିତ । ସେହି କଥାବସ୍ତୁ ଆଧାରରେ ଆଧୁନିକ ଓଡ଼ିଆ କବି ଗଙ୍ଗାଧର ‘ତପସ୍ୱିନୀ’ କାବ୍ୟକୁ ରଚନା କରି ଏକ ନୂତନ ମାର୍ଗ ଉନ୍ମୋଚନ କରିଯାଇଛନ୍ତି । ‘ତପସ୍ୱିନୀ’ କାବ୍ୟରେ କିନ୍ତୁ ଗଙ୍ଗାଧର ସୀତାଙ୍କ ମହନୀୟତାର ପରିଚୟ ପ୍ରଦାନ କରିଯାଇଛନ୍ତି । ସ୍ୱାମୀ କର୍ତ୍ତୃକ ପରିତ୍ୟକ୍ତା ହେବାପରେ ସୀତା ଏକ ଆଦର୍ଶମୟ ଜୀବନ ଅତିବାହିତ କରିଛନ୍ତି । ସକଳ ତ୍ୟାଗ କରିବା ପରେ ମଧ୍ୟ ସୀତାଙ୍କୁ ପୁଣି ଏକ କଷଟି ପଥରରେ ପରୀକ୍ଷା କରାଯାଇଛି । ସୀତାଙ୍କ ଜୀବନ ତ୍ୟାଗର ଜୀବନ । ଶେଷବେଳକୁ ପୁଣି ତପସ୍ୱିନୀଟିଏର ଜୀବନ ବଞ୍ଚିବାକୁ ପଡ଼ିଛି । ରାମଚନ୍ଦ୍ର ଚଉଦବର୍ଷ ବନବାସକୁ ବରିନେବା ପରେ ସୀତା ବାହାରିନଥିଲେ ମନକୁ ମନ । ଏଥିପାଇଁ ରାମଚନ୍ଦ୍ର ତାଙ୍କୁ ବାଧ୍ୟ୍ୟ କରିନଥିଲେ ।

 

‘‘ଚକିତେ ବୋଇଲି ନାଥ ତୁମ୍ଭେ ଗଲେ ବନ

ରାଜପୁରେ ଏ ଦାସୀର କିସ ପ୍ରୟୋଜନ ?

ହୋଇଥାନ୍ତି ରାଜରାଣୀ ହେବି ଭିକାରୁଣୀ

ଶ୍ରୀପଦ ସେବିବି ହୋଇ କାନନ ଚାରିଣୀ

ଶ୍ରୀ ଚରଣେ ମତି ମୋର ଶ୍ରୀ ଚରଣେ ଗତି

ତୁମ୍ଭ ବିନା ନ ବାଞ୍ଛଇ ସ୍ୱରଗ ସମ୍ପତ୍ତି ।’’

(ତପସ୍ୱିନୀ/୬ଷ୍ଠ ସର୍ଗ)

 

ସ୍ୱାମୀଙ୍କ ସହିତ ବନଗମନକୁ ଆନନ୍ଦରେ ଗ୍ରହଣ କରି ଯିବା ଏବଂ ପରବର୍ତ୍ତୀ ସମୟରେ ପୁଣିଥରେ ତାଙ୍କୁ କାନନ ଚାରିଣୀ ହେବାକୁ ପଡ଼ିଛି । ଅଯୋଧ୍ୟାରେ ରାମଚନ୍ଦ୍ର ଅଭିଷିପ୍ତ ହୋଇ ରାଜ୍ୟଶାସନ କରୁଥିବା ସମୟରେ ସୀତାଙ୍କୁ କେନ୍ଦ୍ରକରି ଲୋକୋପବାଦ ସୃଷ୍ଟିହେଲା । ରାମଚନ୍ଦ୍ର ଥିଲେ ଆଦର୍ଶପୁତ୍ର, ଆଦର୍ଶ ପତି ଓ ଆଦର୍ଶ ରାଜା । ପ୍ରଜାମାନଙ୍କ ପାଇଁ ପୁଣି ସୀତାଙ୍କୁ ତ୍ୟାଗ କରିଥିଲେ । ରାମ ଜାଣିଥିଲେ ସୀତା ସତୀ ଶିରୋମଣି ଏବଂ ନିଷ୍ପାପ ହୃଦୟା । ତଥାପି ରାଜାର କର୍ତ୍ତବ୍ୟନିଷ୍ଠା ପାଖରେ କେହି ନୁହନ୍ତି ।

 

‘‘ମିଥ୍ୟା କଥା ଯେବେ ପ୍ରଜାଏ କହିବେ

ମେଳ ହୋଇ ଶତ ଶତ

ମିଥ୍ୟା ଜାଣି ଜାଣି ତାଙ୍କୁ ମାନିମାନି

ବୋଲାଯାଏ ସତସତ ।’

 

ତପସ୍ୱିନୀ କାବ୍ୟରେ ରାଜା ରାମଚନ୍ଦ୍ର ଦୀପାଳିତର ସଳିତା ପରି ନିଜେ ଜଳିଛନ୍ତି । ସେ ଥିଲେ ତ୍ୟାଗ ଓ ଆଦର୍ଶର ମୂର୍ତ୍ତିମନ୍ତ ବିଗ୍ରହ ।

 

ସ୍ୱାମୀଙ୍କ ଦ୍ୱାରା ପରିତ୍ୟକ୍ତା ହେଲାପରେ ମଧ୍ୟ ସୀତାଙ୍କ ମନରେ ଟିକେ ଖେଦ ନଥିଲା । ବରଂ ସ୍ୱାମୀ କିପରି କଳଙ୍କ ଶୂନ୍ୟ ହୋଇ ରୁହନ୍ତୁ ଏଥିପାଇଁ ସୀତା କହୁଥିଲେ-

 

‘‘ମୁଁ କି ଛାର ହେଉ ତୁମ ପ୍ରକୃତି ରଞ୍ଜନ

ମୁଁ ମରେ ତୁମର ହେଉ କଳଙ୍କ ଭଞ୍ଜନ ।’’

 

ପତି, ପତ୍ନୀଙ୍କ ମଧ୍ୟରେ ଯେଉଁ ଅନାବିଳ ସମ୍ପର୍କ, ତାହା ସୀତାଙ୍କ ଚରିତ୍ରକୁ ପର୍ଯ୍ୟାଲୋଚନା କଲେ ସ୍ପଷ୍ଟ ପ୍ରମାଣିତ ହୋଇଥାଏ । ଯେଉଁ ଦୁର୍ବିପାକ ବୈଦେହୀଙ୍କ ଜୀବନରେ ଘଟିଯାଇଛି ସେଥିପାଇଁ ସେ ଆଦୌ ସ୍ୱାମୀଙ୍କୁ ଦାୟୀ କରିନାହାନ୍ତି । ନିଜେ ହିଁ ସବୁ ପରିସ୍ଥିତି ସୃଷ୍ଟି କରିଛନ୍ତି ବୋଲି ସ୍ୱୀକାର କରିବା ସହିତ ନିଜ କର୍ମ ପାଇଁ ନିଜେ ହିଁ ଦାୟୀ ଓ ସ୍ୱାମୀ ତାଙ୍କର କରୁଣାର ଭଣ୍ଡାର ବୋଲି କହିଛନ୍ତି ।

 

‘‘ମୋ କର୍ମ ପାଇଁ ଦୋଷୀ ନୁହଁନ୍ତି ବିଧି

କାନ୍ତ ତ ସ୍ୱଭାବେ ମୋ କରୁଣା ନିଧି ଗୋ ।’’

 

ଅଗ୍ନିପରୀକ୍ଷା ଦେବାବେଳେ ଅଗ୍ନିଦେବଙ୍କୁ ସାକ୍ଷୀ ରଖିଛନ୍ତି ସୀତା । ଯଦି ଏ ଜନ୍ମରେ ପ୍ରଭୁ ରାମଚନ୍ଦ୍ରଙ୍କ ସହିତ ତାଙ୍କର ସାକ୍ଷାତ ନଘଟେ ତେବେ ମରଣପରେ ତାଙ୍କ ଶବ ଯେଉଁ ପାଉଁଶରେ ପରିଣତ ହେବ, ସେ ପାଉଁଶ ଗଛରେ ଦେଇ, ଗଛରୁ ପ୍ରସ୍ତୁତ କାଠରେ ପାଦୁକା ତିଆରି କରି ପାରିଲେ ତାହା ପ୍ରଭୁଙ୍କ ଚରଣରେ ଶୋଭା ପାଇବ ଏବଂ ଜୀବନ ହେବ ଧନ୍ୟ । ଗଙ୍ଗାଧରଙ୍କ ବର୍ଣ୍ଣନାରେ ତାହା ଅତ୍ୟବ ହୃଦୟସ୍ପର୍ଶୀ ହୋଇପାରିଛି ।

 

‘‘ଜୀବନେ ନପାରିଲେ ମୋତେ ମରଣେ

ସେବିକା କରିଦେବ ପ୍ରଭୁ ଚରଣେ

ମୋତନୁ ଦଗ୍ଧ ହେଲେ ହେବତ ଖାର

ତାହାକୁ କରାଇବ ପାଦପେ ସାର

ସେତରୁ କାଷ୍ଠଦେଇ ବର୍ଦ୍ଧକୀ ହସ୍ତେ

କରାଇଦେବ ପ୍ରଭୁ ପାଦୁକା ମୋତେ ।’’

 

ବାସ୍ତବିକ କେତେ ଆଦର୍ଶ ଜୀବନ । ସଫଳ ଦାମ୍ପତ୍ୟ ପ୍ରେମର ଚରମ ପରାକାଷ୍ଠା ସୀତାଙ୍କ ଚରିତ୍ର । ତିଳ ତିଳ ଜଳି ମଧ୍ୟ ସେ ପାଉଥିଲେ ଆନନ୍ଦ । ଆଉ ସେହି ଆନନ୍ଦକୁ ବାଣ୍ଟି ଚାଲିଥିଲେ ଅନ୍ୟମାନଙ୍କ ସହିତ । ପତିପତ୍ନୀଙ୍କ ପ୍ରେମ, ଯାବତୀୟ ଦୁଃଖ ସତ୍ତ୍ୱେ ପତ୍ନୀର ଏକାନ୍ତ ଆନୁଗତ୍ୟ, ଆରଣ୍ୟକ ସଂସ୍କୃତି ଓ ତପୋବନର ମହିମା, ତପସ୍ୱୀ ଓ ତପସ୍ୱିନୀଙ୍କ ଜୀବନଚର୍ଯ୍ୟା ରାଜଧର୍ମର ମହତ୍ତ୍ୱ ଆଦି ଯାବତୀୟ ଚିତ୍ର ଏଥିରେ ସ୍ଥାନିକ । ପ୍ରଭୁ ରାମଚନ୍ଦ୍ରଙ୍କ ପାଦସେବା ପାଇଁ ନିଜର ଦୁର୍ବାର ଆଗ୍ରହ ତାଙ୍କଠି ପରିଲକ୍ଷିତ । ‘ସେ ସୁଖରୁ ବଞ୍ଚିତା ହେଲେ ସୀତା ବଞ୍ଚିପାରିବେନି । ପ୍ରଭୁପାଦ ସେବା ବିନା ବିଶ୍ୱତାକୁ ପିତା’ । ଏହିପରି ଭାବରେ ଯେଉଁ ଆଦର୍ଶର ବିକାଶ କବି ସୀତାଙ୍କର ଜୀବନର ବିଭିନ୍ନ ପର୍ଯ୍ୟାୟରେ ଦେଖାଇଛନ୍ତି ସେହି ଆଦର୍ଶ ଉତ୍କର୍ଷତା ଲାଭ କରିଛି ତାଙ୍କ ଉତ୍ତର ଜୀବନ କାଳରେ । ଏ ସମ୍ପର୍କରେ ଆହୁରି ଲେଖିଛନ୍ତି ଡ଼. ଅସିତ୍‍କବି- ‘‘କେବଳ ରାମଚନ୍ଦ୍ର ଓ ସୀତାଙ୍କ ଚରିତ୍ରକୁ କବି ଯେ ଆଦର୍ଶରେ ଅନୁରଞ୍ଜିତ କରିଛନ୍ତି ତା’ ନୁହେଁ ଅଧିକନ୍ତୁ ପ୍ରକୃତି ଭିତରେ ସେହି ଆଦର୍ଶର ନବନବ ଦିଗ୍‌ବଳୟର ସନ୍ଧାନ ପାଇଛନ୍ତି । ତମସା, ବନଲକ୍ଷ୍ମୀ ଆଦର୍ଶର ମୂର୍ତ୍ତିମନ୍ତ ପରିପ୍ରକାଶ । ତମସା ତାର ଜୀବନର ଉତ୍ଥାନ ଓ ପତନର ବନ୍ଧୁର ପଥରେ ଜୀବନଦର୍ଶକୁ ଅନାହତ ରଖିବାରେ କରିଛି ସଫଳ ପ୍ରୟାସ ।’’ (ତପସ୍ୱିନୀ ଓ ଗଙ୍ଗାଧର/ଡ଼. ଅସିତ୍‍କବି/ଗ୍ରନ୍ଥମନ୍ଦିର, ପୃ-୨୨୪) । ଗଙ୍ଗାଧର ଥିଲେ ପ୍ରାଚ୍ୟ ସଂସ୍କୃତିର ପୂଜାରୀ । ତାଙ୍କର ଅନେକ କାବ୍ୟ କବିତାରେ ତାଙ୍କ ଆଦର୍ଶର ଆମେ ପାଉ ।

 

ସାର୍ଥକ କାବ୍ୟ କବିତା କେବଳ ମଣିଷର ଚିତ୍ତ ବିନୋଦନ ପାଇଁ ଅଭିପ୍ରେତ ନୁହେଁ, କିମ୍ବା କେବଳ ମାନବଜୀବନର ବିଶ୍ଳେଷଣ ବା ସମାଲୋଚନା ନୁହେଁ, ଆଉ ମଧ୍ୟ ଭାବୋଚ୍ଛାସର ଛନ୍ଦବଦ୍ଧ ପରିପ୍ରକାଶ ନୁହେଁ, ଏହା ସତ୍ୟ ଶିବ, ସୁନ୍ଦର ତ୍ରିବେଣୀ ସଂଗମ ।

 

ତପସ୍ୱିନୀ କବି ହୃଦୟର ଅମଳିନ ଦୀପ୍ତି । ଦାମ୍ପତ୍ୟ ପ୍ରେମର ଏହା ସ୍ୱର୍ଗୀୟ ସୌରଭ । କାରୁଣ୍ୟ ଓ ଆନନ୍ଦର ଯୁଗପତ୍‍ ପ୍ରବାହ ଓ କାବ୍ୟରେ ଘଟିଛି । ଭାରତୀୟ ସଂସ୍କୃତିର ଏହା ଏକ ମହିମାମୟ ଆଦର୍ଶ । ଏହିପରି ଏକ ଆଦର୍ଶମୟ ପରମ୍ପରା ସୃଷ୍ଟିକରି ଗଙ୍ଗାଧର, ଓଡ଼ିଆ ସାହିତ୍ୟରେ ସିଦ୍ଧିର ସ୍ୱାକ୍ଷର ଅଙ୍କନ କରିଯାଇଛନ୍ତି । ତପସ୍ୱିନୀ ଓ ଗଙ୍ଗାଧର, ଗୋଟିଏ ମୁଦ୍ରାର ପାର୍ଶ୍ୱଦ୍ୱୟ ପରି, ଉଭୟରେ ଆମେ ଦେଖୁ ଆଦର୍ଶର ସ୍ୱର ଓ ସ୍ୱାକ୍ଷର ।

 

 

ଅଧ୍ୟାପକ ଓଡ଼ିଆ ବିଭାଗ

ଉତ୍କଳଭାରତୀ ବିଜ୍ଞାନ ମହାବିଦ୍ୟାଳୟ

ପଳାଶୁଣି, ଭୁବନେଶ୍ୱର

 

***

 

Unknown

ଗଙ୍ଗାଧର ମେହେରଙ୍କ ଉତ୍କଳ ଲକ୍ଷ୍ମୀ-ଏକ ଅଧ୍ୟୟନ

ଘନଶ୍ୟାମ ପାଣିଗ୍ରାହୀ

 

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ‘ଉତ୍କଳ ଲକ୍ଷ୍ମୀ’ କାବ୍ୟ ତାଙ୍କର କାବ୍ୟ କବିତା ସୃଷ୍ଟି ମଧ୍ୟରେ ଏକ ସୃଷ୍ଟି ଅଟେ । ଏହି କାବ୍ୟଟି ରଚନା କରିବା ସକାଶେ ସେ ନିଜର କାବ୍ୟ ଗୁରୁ ରାଧାନାଥ ରାୟଙ୍କ ‘‘ଚିଲିକା’’ ଓ ‘‘ମହାଯାତ୍ରା’’ କାବ୍ୟମାନଙ୍କରୁ ସମ୍ୟକ୍‌ ପ୍ରେରଣା ଲାଭ କରିଥିବା ଭଳି ମନେହୁଏ । ଉତ୍କଳ ଜନନୀକୁ ଲକ୍ଷ୍ମୀ ଭାବରେ କଳ୍ପନା କରି ‘‘ଉତ୍କଳ ଲକ୍ଷ୍ମୀ’’ ଭଳି ଏକ ମନୋରମ କାବ୍ୟ ରଚନା କରିବାରେ ତାଙ୍କର ପ୍ରଶସ୍ତ ହୃଦୟବତ୍ତା ତଥା ଜାତୀୟତା ଉପରେ ସମ୍ୟକ୍‌ ଧାରଣା ମିଳିଥାଏ ।

 

ଐତିହାସିକ ଦୃଷ୍ଟିକୋଣରୁ ବିଚାର କରିବାକୁ ଗଲେ ଏହି କାବ୍ୟଟିର ପରିକଳ୍ପନା ଓ ରଚନା କାଳ ସମୟରେ ଓଡ଼ିଶାବାସୀ ରାଜ୍ୟର ସ୍ୱତନ୍ତ୍ରତା ରକ୍ଷା, ଓଡ଼ିଆ ଭାଷାର ସୁରକ୍ଷା ସକାଶେ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଥିଲେ । ‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟ ପ୍ରଥମେ ୧୮୯୪ରେ ପ୍ରକାଶିତ ହୋଇଥିଲା । ଗେଜେଟିୟରରୁ କବି କିଛି ତଥ୍ୟ ସଂଗ୍ରହ କରି ସେହିସବୁ ତଥ୍ୟଗୁଡ଼ିକୁ କାବ୍ୟର ବିଷୟବସ୍ତୁ ଭିତରେ ଭରିଦେଇ ବନ୍ଧୁ ବ୍ରଜମୋହନ ପଣ୍ଡାଙ୍କ ଉତ୍ସାହ ଓ ପ୍ରେରଣାକୁ ସଂବଳ କରି ୧୮୯୪ ମସିହାରେ ‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟ ସ୍ୱୟଂସଂମ୍ପୂର୍ଣ୍ଣ ଭାବରେ ପ୍ରକାଶିତ ହୋଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ, ଭକ୍ତକବି ମଧୁସୂଦନ ରାଓ, ନୀଳମଣି ବିଦ୍ୟାରତ୍ନ, ବ୍ୟାସକବି ଫକୀର ମୋହନ ସେନାପତି, ଯୁଗସ୍ରଷ୍ଟା ରାଧାନାଥ ରାୟ, ଗୋପବନ୍ଧୁ ଦାଶ, ପଲ୍ଲୀକବି ନନ୍ଦକିଶୋର ବଳ ତଥା କବିବର ଗଙ୍ଗାଧର ମେହେର ଇତ୍ୟାଦି ଜାତୀୟବାଦୀ କବିଗଣ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟରେ ଗଠନ କରିବାକୁ ଏବଂ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ଓ ସୁରକ୍ଷା ସକାଶେ ଯଦି ନିରବଚ୍ଛିନ୍ନ ଭାବରେ ନିଜ ନିଜ ହିରଣ୍ମୟୀ ଲେଖନୀ ଚଳାଇ ନ ଥାନ୍ତେ ତାହେଲେ ଆମର ଓଡ଼ିଶା ଓ ଓଡ଼ିଆ ଭାଷା, ଜୀବନ ଧାରଣ କରିବାକୁ ସକ୍ଷମ ହୋଇନଥାନ୍ତା । ଏଣୁ ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟଟି ଉତ୍କଳ ଜନନୀଙ୍କ ଯୋଗ୍ୟତମ ସନ୍ତାନ ଭାବରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦରଦୀ ଜାତୀୟତା ମନ୍ତ୍ରର ମହାର୍ଘ୍ୟ ଦାନ ଅଟେ ।

 

‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟର ପ୍ରାରମ୍ଭରେ କବି ଉତ୍କଳ ଜନନୀଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ଭାବରେ ଗ୍ରହଣ କରି କାବ୍ୟରଚନା କରିବା ତାଙ୍କର ପ୍ରତାରଣାହୀନ ଜାତୀୟତାର ଚରମ ନିଦର୍ଶନ ଅଟେ ।

 

ଜୟଗୋ ଉତ୍କଳ-            ଲକ୍ଷ୍ମୀ ଏକ ମାତ୍ର

ସୁନ୍ଦରୀ ତୁ ବସୁଧାରେ

ପ୍ରାକୃତିକ ଶୋଭା            ରାଶି ରହିଛନ୍ତି

ତୋ ଅଙ୍ଗରେ ଏକଧାରେ

 

ଆଲୋଚ୍ୟ କାବ୍ୟଟିର ଅଧ୍ୟୟନ କାଳରେ, ଓଡ଼ିଶାର ଗର୍ବ ଓ ଗୌରବକୁ କବି ଯେପରି ମାର୍ମିକ ଭାବ ଓ ସାବଳୀଳ ଭାଷା ମଧ୍ୟରେ ବର୍ଣ୍ଣନା କରିଛନ୍ତି ତାହା ପ୍ରତ୍ୟେକ ଉତ୍କଳୀୟଙ୍କ ମନ ଓ ହୃଦୟକୁ ଆତ୍ମତୃପ୍ତି, ଆତ୍ମ ସନ୍ତୋଷର ବୀଣା ଝଙ୍କାରରେ ସମ୍ମୋହିତ କରିଥାଏ ।

 

କାବ୍ୟରେ ସ୍ଥାନ ପାଇଥିବା କବିବୃନ୍ଦ

କବି, ଭାବୁକ, ଲେଖକ, ପ୍ରାବନ୍ଧିକ, ସମାଲୋଚକମାନେ ସ୍ୱକୀୟ ଅଧ୍ୟୟନ ଓ ଅଧ୍ୟବସାୟ ବଳରେ ବାଣୀ ସାଧନା ପୂର୍ବକ ନିଜର ଲେଖନୀ ଚାଳନା କରିଥାନ୍ତି । ବେଦ, ଉପନିଷଦ, ଗୀତାଶାସ୍ତ୍ର, ରାମାୟଣ, ମହାଭାରତ ଇତ୍ୟାଦି ଧର୍ମଶାସ୍ତ୍ର ଅଧ୍ୟୟନ ସହିତ ବେଦବ୍ୟାସ, କାଳିଦାସ, ଭବଭୂତି ପ୍ରଭୃତି କବିମାନଙ୍କ ରଚନା ସବୁ ଅଧ୍ୟୟନ କରିଥିବାର ପ୍ରମାଣ ଗଙ୍ଗାଧର ତାଙ୍କର କାବ୍ୟ କବିତାମାନଙ୍କରେ ସୂଚନା ଦେବା ସହିତ ସ୍ୱୀକାର କରିଛନ୍ତି । ଗଙ୍ଗାଧର ଗ୍ରନ୍ଥାବଳୀରେ ସନ୍ନିବେଶିତ ହୋଇଥିବା ପତ୍ରାବଳୀ ଅଧ୍ୟୟନ କଲେ, ରାଧାନାଥ ରାୟ ଓ ଗଙ୍ଗାଧର ମେହେରଙ୍କ ମଧ୍ୟରେ ହୋଇଥିବା ପତ୍ରମାନଙ୍କର ଆଦାନ ପ୍ରଦାନରୁ ଆମେ ଜାଣିଥାଉଁ ଯେ କବି ଗଙ୍ଗାଧର ମେହେର ଯୁଗସ୍ରଷ୍ଟା ରାଧାନାଥ ରାୟଙ୍କୁ ନିଜର କାବ୍ୟଗୁରୁ ଭାବରେ ଗ୍ରହଣ କରିଛନ୍ତି ଏବଂ ଅନେକ କାବ୍ୟର ପାଣ୍ଡୁଲିପି ରାଧାନାଥଙ୍କ ପାଖକୁ ପଠାଇ ତାଙ୍କର ସୁଚିନ୍ତିତ ମତାମତ ଲୋଡ଼ିଛନ୍ତି, ସମୟ ସମୟରେ କବି ସରଳହୃଦୟରେ ନିଜର ବ୍ୟକ୍ତିଗତ ଜୀବନର ସମସ୍ୟାମାନଙ୍କର ସମାଧାନ ସକାଶେ ମଧ୍ୟ ପତ୍ର ମାଧ୍ୟମରେ ରାଧାନାଥ ରାୟଙ୍କ ମତାମତ ଲୋଡ଼ିଛନ୍ତି । ଏଣୁ ସ୍ୱଭାବ ସୁଲଭ ଭାବରେ ରାଧାନାଥ ରାୟଙ୍କୁ ନିଜର ଭକ୍ତିପୂତ କୃତଜ୍ଞତା ଜ୍ଞାପନ କରିବା ସକାଶେ ତାଙ୍କର ‘‘ଉତ୍କଳ ଲକ୍ଷ୍ମୀ’’ କବ୍ୟର ଦୁଇଟି ପଦରେ କବି ବ୍ୟକ୍ତ କରିଛନ୍ତି ।

 

କାବ୍ୟହି ଗଲେଣି            କାବ୍ୟ ରଚିବାକୁ

ରାଧନାଥ ନାମ ବହି ।

ତାହାଙ୍କ ଭାରତୀ-       ବଳେ ହେବ ଖ୍ୟାତ

ଭାରତ ଉତ୍କଳମହୀ ।

ସାଧୁଭକ୍ତ ଜଣେ            ସରସ୍ୱତୀ ଜଳେ

ତାଙ୍କ ଅଭିଷେକ କରି,

ରତଥିଲେ ସ୍ତବେ            ଦିଶିଲେ ମୋତେ ସେ

ରାଧାନାଥ ରାୟ ପରି ।

 

କବିସୂର୍ଯ୍ୟ ବଳଦେବ ରଥଙ୍କୁ କବି ତାଙ୍କର କାବ୍ୟ ଭିତରେ ସ୍ଥାନ ଦେଇଛନ୍ତି । ଜଗନ୍ନାଥ ଦାସ, ବଳରାମ ଦାସ, କୃଷ୍ଣଚରଣ ପଟ୍ଟନାୟକ, ରାଜା କୃଷ୍ଣଚନ୍ଦ୍ର ସିଂହ, ସାରଳା ଦାସ, ଦୀନକୃଷ୍ଣ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର ଆଦି ଉତ୍କଳୀୟ କବିଗଣ କାବ୍ୟରେ ସ୍ଥାନ ପାଇଛନ୍ତି । କାବ୍ୟର ଶେଷ ପଂକ୍ତିମାନଙ୍କରେ ଉତ୍କଳର ଯଶସ୍ୱୀ କବିଗଣଙ୍କ ବର୍ଣ୍ଣନା ଏକ ନାଟକୀୟ ଢଙ୍ଗରେ ହୋଇଥିବା ସହିତ କମନୀୟ ହୋଇ ପ୍ରାଣକୁ ପୁଲକିତ କରିଥାଏ । ଯଥା-

 

‘ଜଗନ୍ନାଥ ଦାସ’            ‘ବଳରାମ ଦାସ’

କରଣ କୃଷ୍ଣ ଚରଣ

ନାମ ଦେଖି ତହିଁ            ଆନନ୍ଦେ ପ୍ରଫୁଲ୍ଲ

ହେଲା ମୋନୟନମନ

ପୁଣି ପାଠକରି            ‘ରାଜକୃଷ୍ଣ ସିଂହ’

ମୁନୀନ୍ଦ୍ର ସାରଳା ଦାସ

ଦୀନକୃଷ୍ଣ ଦାସ             ଉପଇନ୍ଦ୍ର ଭଞ୍ଜ

ନାମ ହେଲା ସୁପ୍ରକାଶ

କରଣୀ ଅକ୍ଷରେ             ଥିଲା ଅଭିମନ୍ୟୁ

ସାମନ୍ତ ସିଂହାର ନାମ

କେତନେ ଅଙ୍କିତ            ହୋଇଥିଲା ତାଙ୍କ

ଯୁଗ୍ମମୂର୍ତ୍ତି ରାଧାଶ୍ୟାମ

ବହୁରଥ ଥିଲା            ଚିହ୍ନିବାକୁ ସବୁ

ହେଉଥିଲି ତରତର,

ରୁଦ୍ଧକରି ଦେଲା            ନୟନ ଯୁଗଳ

ଆନନ୍ଦ ଲୋତକ ଝର ।

 

କାବ୍ୟରେ ସ୍ଥାନ ପାଇଥିବା ନଦୀ, ଝରଣା, ପ୍ରପାତ ଓ ହ୍ରଦ

କବି ତାଙ୍କର କାବ୍ୟ ‘‘ଉତ୍କଳ ଲକ୍ଷ୍ମୀ’’ ଭିତରେ ଓଡ଼ିଶାର ଭୌଗଳିକ ଚିତ୍ର ଦେବା ସମୟରେ ଓଡ଼ିଶାରେ ଥିବା ଅନେକ ଛୋଟ ବଡ଼ ନଦୀମାନଙ୍କର ଏକ ତାଲିକା ଦେବା ପାଇଁ ଯତ୍ନଶୀଳ ହୋଇଛନ୍ତି । ସେହି ନଦୀମାନେ ହେଲେ ଚିତ୍ରୋତ୍ପଳା, ବ୍ରାହ୍ମଣୀ, ଦେବ, କୋଇଲି, ଶଙ୍ଖ, ବୈତରଣୀ, ଭାର୍ଗବୀ, ବିରୂପା, ଦୟା, ରତ୍ନଚିରା, ଇବ, ଅଙ୍ଗ, ତେଲ, ଋଷିକୁଲ୍ୟା, ଜିରା, ରାଞ୍ଜ, ଦନ୍ତା, ଝାଉଁ, କୁଲିଆରୀ, ଭେଡ଼ନ, ମାଳତୀ, ରଣିକା, ଘେଁସାଳୀ, ଉତ୍ତାଳୀ, ଖର୍ଖରୀ, ହରଡ଼, ହରଡ଼ଜୋର୍‌ର ଉପଶାଖା ବୀଣା, କୋଇଲି ଘୋଘର, ହରିଶଙ୍କର, ନରସିଂହନାଥ ଓ କପିଳାସ ଇତ୍ୟାଦି ସ୍ଥାନ ପାଇଛନ୍ତି । ହ୍ରଦ ଭାବରେ ଚିଲିକା ଓ ଅଂଶୁପା କାବ୍ୟରେ ଅସାଧାରଣ ସ୍ଥାନ ଦଖଲ କରିଛନ୍ତି ।

 

କାବ୍ୟରେ ସ୍ଥାନ ପାଇଥିବା ପର୍ବତ, ପାହାଡ଼

ମୟୂରଭଞ୍ଜରେ ଉଚ୍ଚ ପର୍ବତ ମେଘାସନ, କେଉଁଝରରେ ଥିବା ଉଚ୍ଚ ପର୍ବତ ଗନ୍ଧମାର୍ଦନ, ମାଲ୍ୟଗିରି, ଗଞ୍ଜାମରେ ଥିବା ମହେନ୍ଦ୍ର ପର୍ବତ, ନିମାଇଁଗିରି ପର୍ବତ, କଳାହାଣ୍ଡିର ସର୍ବୋଚ୍ଚ ପର୍ବତ ବଙ୍କାସାମ କଳାହାଣ୍ଡିର ପର୍ବତ କର୍ଲାପାଟ୍, ଟିକ୍ରାଗୁଡ଼ା, ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତ ତୀର୍ଥସ୍ଥଳୀ, ହରିଶଙ୍କର, ନରସିଂହନାଥ, ଶିଶୁପାଳଗଡ଼, ବାରପାହାଡ଼, ଛେଳିଆ, ଝରଘାଟୀ, ବଡ଼ପାଟୀ, ବୁଢ଼ାରଜା ଓ ମୋତିଝରଣ ପ୍ରଭୃତି ସମ୍ବଲପୁରର ପାହାଡ଼ ପର୍ବତ, ବଣାଇର ପର୍ବତ ମାଙ୍କଡ଼ନଚା, ବାଦାମ୍‌ଗଡ଼, ଗାଙ୍ଗପୁରର ମାନ ଓ ଗନ୍ଧଗିରି ପର୍ବତ ସମୂହ ‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟରେ ଉପଯୁକ୍ତ ସ୍ଥାନ ପାଇଛନ୍ତି ।

 

କାବ୍ୟ ଭିତରେ ସ୍ଥାନ ପାଇଥିବା ରାଜା ଓ ଶାସକ ବୃନ୍ଦ-

‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟ ଭିତରେ କବି ତାଙ୍କ ସମୟର ଅନେକ ପ୍ରସିଦ୍ଧ ଓ ଯଶସ୍ୱୀ ରାଜାମାନଙ୍କୁ ସ୍ଥାନିତ କରିବାକୁ ଭୁଲି ନାହାନ୍ତି । ସେମାନଙ୍କ ମଧ୍ୟରେ ମୟୂରଭଞ୍ଜର ପ୍ରସିଦ୍ଧ ଶ୍ରୀ ରାମଚନ୍ଦ୍ର ଭଞ୍ଜ, ବାମଣ୍ଡାର ରାଜା ବାସୁଦେବ ସୁଢ଼କ, ସମ୍ବଲପୁର, ପାଟଣା, ସୋନପୁର, ବରପାଲି ଓ ଖଡ଼ିଆଳରେ ରାଜୁତି କରୁଥିବା ଚୌହାନ ବଂଶଧରଙ୍କ ବିଷୟରେ ସୂଚନା ଦେବା ପୂର୍ବକ ଚୌହାନ ବଂଶର ଆଦିରାଜା ରମାଇଦେବ ତଥା ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ଏବଂ ତାଙ୍କର ପାଟରାଣୀ କମଳକୁମାରୀଙ୍କୁ ତାଙ୍କର କାବ୍ୟରେ ସ୍ଥାନିତ କରିବାକୁ ଉଚିତ ମନେ କରିଛନ୍ତି । ଭୁବନେଶ୍ୱରର ପ୍ରସିଦ୍ଧ ନିର୍ମାଣକର୍ତ୍ତା ଅନଙ୍ଗ ଭୀମଦେବଙ୍କୁ ମଧ୍ୟ କାବ୍ୟରେ ସ୍ଥାନ ଦେବାକୁ ଯତ୍ନଶୀଳ ହୋଇଛନ୍ତି । ଖଣ୍ଡଗିରି, ଉଦୟଗିରିରେ ଥିବା ବୌଦ୍ଧ ରାଜାମାନଙ୍କର କୀର୍ତ୍ତି ଏବଂ ପଥରରେ ଖୋଦିତ ହୋଇଥିବା ସେମାନଙ୍କର ପ୍ରତିମୂର୍ତ୍ତି ଏବଂ ଅନୁଶାସନଲିପି ବିଷୟରେ ସମ୍ୟକ୍‍ଧାରଣା ଦେବା ସକାଶେ କବି ଯତ୍ନ କରିଛନ୍ତି । ଯଯାତି କେଶରୀ, ପୁରୁଷୋତ୍ତମ କ୍ଷେତ୍ରର ନରେନ୍ଦ୍ର ତଥା ରାଜା ଜୟନ୍ତ, ଚୋଳ ଗଙ୍ଗଦେବ, ଗଙ୍ଗେଶ୍ୱର ଦେବ ପ୍ରଭୃତି ରାଜାମାନଙ୍କ ବିଷୟରେ କବି ସୂଚନା ଦେବାକୁ ଭୁଲି ନାହାନ୍ତି । କାବ୍ୟରେ ବର୍ଣ୍ଣିତ ତୀର୍ଥସ୍ଥଳୀ ଓ ଦେବଦେବୀ ।

 

ମେହେର କବି, ଜଗନ୍ନାଥ ଯିଏକି ଓଡ଼ିଶାର ଗର୍ବ ଓ ଗୌରବ ଭାବରେ ସର୍ବଜନାଦୃତ, ତାଙ୍କର ଧାମ ପୁରୀକୁ ସର୍ବଶ୍ରେଷ୍ଠ ତୀର୍ଥସ୍ଥଳୀ ଭାବରେ ଗ୍ରହଣ କରି ତାଙ୍କର କାବ୍ୟର ଛତ୍ରେ ଛତ୍ରେ ପ୍ରକାଶ କରିବାରେ ଆତ୍ମିକ ଆନନ୍ଦ ଲାଭ କରିଛନ୍ତି । ଯଥା:-

 

ତୋହ ରୂପେ ମୁଗ୍ଧ            ହୋଇ ଜଗନ୍ନାଥ

ଛାଡ଼ି ଦ୍ୱାରାବତୀପୁର

କଳିନ୍ଦଜା ତଟ            ବିପିନ ବିହାର

ସୁଖକରି ମନୁଦୂର

ପୂର୍ବାଚଳ ଚୂଳେ            ଦିନମଣି ପ୍ରାୟେ

ବିଜେକରି ନୀଳାଚଳେ

ପ୍ରେମେ ଆଲିଙ୍ଗନ            କରୁଛନ୍ତି ତୋତେ

ପ୍ରକାଣ୍ଡ ବାହୁ ଯୁଗଳେ

କଳିଯୁଗେ ମନୋ-            ହର ପୁଣ୍ୟଧାମ

ଅଟଇ ଉତ୍କଳ ଦେଶ

ଯହିଁ ବିଜେ କରି-            ଛନ୍ତି ଭଗବାନ

ଧରି ଦାରୁବ୍ରହ୍ମ ବେଶ

ଏଣୁ ବିଜ୍ଞ ଜନେ,            ବୋଲୁଥାନ୍ତି ପରା

ସର୍ବତୀର୍ଥ ଘେନିହରି,

ପତିତପାବନ            ରୂପେ ରହିଛନ୍ତି

ନୀଳଚଳେ ବିଜେ କରି ।

 

ଏଣୁ ଆର୍ଯ୍ୟ କବି କହିଯାଇଛନ୍ତି-

‘‘କଳୌଚୀତ୍ରୋତ୍ପଳା ଗଙ୍ଗା’’

ଶ୍ୱେତ ତରଙ୍ଗିଣୀ ଗୁପତେ ହୋଇଛି

ମଞ୍ଜୁଳ ଶ୍ୟାମ ତରଙ୍ଗା ।

 

ଦେବ ଦେବ ଜଗନ୍ନାଥ ହେଉଛନ୍ତି ଉତ୍କଳର ଚଳନ୍ତି ଦେବତା । କଳିଯୁଗର ସେ ହେଉଛନ୍ତି ସ୍ୱୟଂ ଭଗବାନ । ଏଣୁ ସେ ହେଉଛନ୍ତି ଓଡ଼ିଶାର ଗୌରବ ଏବଂ ଶ୍ରେଷ୍ଠ ଦେବ, ଯାହାଙ୍କ ଦେଉଳ ବଡ଼ ଦେଉଳ ଭାବରେ ସର୍ବଜନାଦୃତ ଏବଂ ସେ ଉତ୍କଳର ବଡ଼ ଠାକୁର ଭାବରେ ପୂଜିତ । ତାଙ୍କର ନନ୍ଦିଘୋଷ ରଥ ଯେଉଁ ଦାଣ୍ଡରେ ଗଡ଼ିଚାଲେ ତାହା ବଡ଼ଦାଣ୍ଡ ଭାବରେ ପ୍ରତ୍ୟେକ ହିନ୍ଦୁ ଧର୍ମାବଲମ୍ବୀଙ୍କ ହୃଦୟ କନ୍ଦରରେ ବିରାଜିତ । ଦେବ ଦେବ ମହାଦେବ ବା ଶିବ ଉତ୍କଳଭୂମିର ଅଶେଷ କଲ୍ୟାଣ ନିମିତ୍ତ ସର୍ବଦା ଉପସ୍ଥିତ ଥିବା କବି ଦର୍ଶାଇଛନ୍ତି ।

 

କାଶୀଧାମ ଛାଡ଼ି            ଆସି ତ୍ରିଲୋଚନ

ରହିଲେ ଏକାମ୍ର ବନେ

ତିନିଲୋଚନକୁ            ତୃପ୍ତ କରୁଛନ୍ତି

ତୋରମ୍ୟ ରୂପଦର୍ଶନେ ।

 

କାବ୍ୟର ଶେଷ ଆଡ଼କୁ ଅମାଭନାର ମହାଦେବ ଯେଉଁଠାରେ ସେ କେଦାରନାଥ ଭାବରେ ପୂଜିତ ତାଙ୍କୁ ମଧ୍ୟ କବି ତାଙ୍କର କାବ୍ୟରେ ସ୍ଥାନ ଦେଇଛନ୍ତି । ସମ୍ୱଲପୁର ପାଖରେ ଥିବା ପ୍ରସିଦ୍ଧ ଶିବ ମନ୍ଦିର ହୁମା ମନ୍ଦିର ମଧ୍ୟ କାବ୍ୟରେ ସନ୍ନିବେଶିତ ହୋଇଛି । ଏହା ବାହାରେ କବି ଭୁବନେଶ୍ୱରକୁ ଚକ୍ରକ୍ଷେତ୍ର, ଯାଜପୁରକୁ ଗଦାକ୍ଷେତ୍ର, କୋଣାର୍କକୁ ପଦ୍ମକ୍ଷେତ୍ର ଏବଂ ପୁରୀକୁ ଶଙ୍ଖକ୍ଷେତ୍ର ଭାବରେ ଗ୍ରହଣ କରି ତିର୍ଥସ୍ଥାଳୀ ଭାବରେ ଚିତ୍ରିତ କରିଛନ୍ତି । ରାଉରକେଲା ପାଖରେ ଥିବା ବେଦବ୍ୟାସ ମନ୍ଦିର, ପଦମ୍ପୁର, ପାଇକମାଲ ପାଖରେ ଥିବା ନୃସିଂହନାଥ ମନ୍ଦିର ଓ ପାଟଣାଗଡ଼ ପାଖରେ ଥିବା ହରିଶଙ୍କର ମନ୍ଦିରମାନଙ୍କୁ କବି ଆଦର୍ଶ ତୀର୍ଥସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି ।

 

କବି ଗଙ୍ଗାଧର ମେହେର ଯେଉଁ ସ୍ନେହଶୀକ୍ତାମାତୃହୃଦୟା ଦେବୀମାନଙ୍କୁ ଉତ୍କଳ ଜନନୀ- ‘ଉତ୍କଳ ଲକ୍ଷ୍ମୀ’ଙ୍କୁ ଆଶୀର୍ବାଦ କରିବା ଉଦ୍ଦେଶ୍ୟରେ କାବ୍ୟ ଭିତରେ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି, ସେମାନେ ହେଲେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲାଇ, ସୋନପୁରର ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀ, ପାଟଣାଗଡ଼ର ଅଧିଷ୍ଠାତ୍ରୀ ଦେବୀ ପଦ୍ମାସନା ଏବଂ ଚନ୍ଦ୍ରପୁରର ଅଧିଷ୍ଠାତ୍ରୀ ଦେବୀ ଚନ୍ଦ୍ରାସନୀ ପ୍ରଭୃତି ।

 

ହୀରାକୁଦରେ ହୀରା ମିଳୁଥିବାରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀଙ୍କ ଲଲାଟରେ ହୀରାରେ ସୁଶୋଭିତ । ଉତ୍କଳ ଲକ୍ଷ୍ମୀଙ୍କ କପୋଳରେ ମା ସମଲାଇ ସିନ୍ଦୂରବିନ୍ଦୁ ଦେବାର ବର୍ଣ୍ଣନା ହୃଦୟକୁ ଭକ୍ତ, ପ୍ରେମ ଆନନ୍ଦାବେଗରେ ଦ୍ରବୀଭୂତ କରିଥାଏ ।

 

ଉପସଂହାରରେ କିଛି କହିବାର ଆବଶ୍ୟକତା ନାହିଁ । କାବ୍ୟର ପରିସମାପ୍ତି କେତେ ମନୋଜ୍ଞ ଓ ରମଣୀୟ ହୋଇପାରେ ତହିଁ ଉପରେ ପ୍ରତ୍ୟେକ ପାଠକ ସମ୍ୟକ୍ ଉପଲବ୍ଧି ଓ ସ୍ୱୀୟପ୍ରଜ୍ଞା ଓ ଜାତୀୟ ଚେତନାରେ ଉଦ୍‍ବୁଦ୍ଧ ହୋଇ ହୃଦୟଙ୍ଗମ କରିବାକୁ କେତେଗୁଡ଼ିଏ ପଂକ୍ତି ‘‘ଉତ୍କଳ ଲକ୍ଷ୍ମୀ’’ କାବ୍ୟରୁ ଉଦ୍ଧାର କରିଯାଇଛି ।

 

ଚିହ୍ନିଲି ତହିଁରେ                   ଲଲାଟଭୂଷଣ

ହୀରାଖଣ୍ଡ ଲକ୍ଷ୍ୟ କରି,

ଥିଲେ ସମଲାଇ                   ମନ୍ଦାର ମଣ୍ଡିତ

ଲୋହିତ ପାଟ ପହରି ।

ସମଲାଇ ଦେଲେ             ରାଜ ରାଜେଶ୍ୱରୀ

ଲଲାଟେ ସିନ୍ଦୂର ବିନ୍ଦୁ

ବିନ୍ଦୁ ଯୋଗେ ହେଲା             ଶ୍ରୀମୁଖେ ଶୋଭିତ

ବାଳସୂର୍ଯ୍ୟେ ଯଥା ସିନ୍ଧୁ

ସ୍ୱଚ୍ଛନୀରସର                  ଭୂଷାଇନ୍ଦୀବର

ଭୂଷିତ କେଦାରନାଥ

ଜୟଲକ୍ଷ୍ମୀ ନାଦ                   ଉଚ୍ଚାରିଲେ ଟେକି

ତ୍ରିଶୂଳ ଶୋଭିତ ହାତ

ବ୍ୟାସ, ପରାଶର                   ଗୌତମଭାର୍ଗବ

ସହିତ ମୁନିନ୍ଦ୍ର ଗଣ

ଆସି ଉଚ୍ଚସ୍ୱରେ                   ‘‘ଜୟ ଉତ୍କଳ-

ଲକ୍ଷ୍ମୀ’’ କଲେ ଉଚ୍ଚାରଣ

ଅଶୋକ ପରଶ-                   ନାଥ ବାନାଧରି

ବୌଦ୍ଧଜୈନ ଦଳ ଦଳ

ଉଚ୍ଚସ୍ୱରେ ‘‘ଜୟଲକ୍ଷ୍ମୀ’’            ନାଦେ ଦେଲେ

କମ୍ପାଇ ନଭୋ ମଣ୍ଡଳ

ବିବିଧଆକାରେ                   ଚିତାକାଟିଶିରେ

ବୈଷ୍ଣବ ମଣ୍ଡଳୀ କାହିଁ,

ଖୋଳ କରତାଳେ                  ନାଦେନୃତ୍ୟ କଲେ

ଜୟ ଜୟ ଲକ୍ଷ୍ମୀ ଗାଇ ।

 

 

ଅବସରପ୍ରାପ୍ତ ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ

ଆଜୀବନ ସଦସ୍ୟ ଗଙ୍ଗାଧର ମେହେର କ୍ଳବ, ବରପାଲି

 

***

 

ଗଙ୍ଗାଧର ମେହେରଙ୍କ କାବ୍ୟପ୍ରତିଭା

ଶରତ ଚନ୍ଦ୍ର ପରିଡ଼ା

 

ଓଡ଼ିଶା ଭୂଇଁର ଜନପ୍ରିୟ କବି ଗଙ୍ଗାଧର ମେହେର । ସେ ଥିଲେ ନିରଳସ ସାରସ୍ୱତ ସାଧକ । ବହୁ ପ୍ରତିଭାର ଅଧିକାରୀ । ସେ ଥିଲେ ଅପୂର୍ବ କଳ୍ପନାବିଳାସୀ । ନିଖୁଣ ବାସ୍ତବବାଦୀ । ସ୍ୱକୀୟ ସୃଜନଶୀଳତାରେ ଦୀପ୍ତିମନ୍ତ ନକ୍ଷତ୍ରଟିଏ । ଆମ ଓଡ଼ିଆଜାତିକୁ ଚାରିପଟୁ ଘୋର ଦୁର୍ଦ୍ଦିନ ଘୋଟି ଯାଇଥିବା ବେଳେ ବରଗଡ଼ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ବରପାଲିରେ ଭୂମିଷ୍ଠ ହୋଇଥିଲେ ସେହି ବିଖ୍ୟାତ କବି ପୂର୍ଣ୍ଣଚାନ୍ଦର ସମସ୍ତ ପ୍ରଭା ନେଇ । ସେଦିନ ଥିଲା ୧୮୬୨ ମସିହା ଅଗଷ୍ଟ ନଅ ତାରିଖ ରାକ୍ଷୀପୂର୍ଣ୍ଣିମା ତିଥି । ସ୍ନେହ, ସୌହାର୍ଦ୍ଦ୍ୟ, ସଂପ୍ରୀତିର ଆତ୍ମୀୟତା ଓ ତ୍ୟାଗ ବନ୍ଧନର ପ୍ରତୀକ ହେଉଛି ରାକ୍ଷୀ । ଜନ୍ମତିଥିର ମହତ୍ୱ ତାଙ୍କ ନାମ କର୍ମରେ ସାର୍ଥକ ହୋଇଛି । ଗଙ୍ଗାଧର ଶିବଙ୍କ ପରି ସେ ପ୍ରତିକୂଳ ପରିବେଶ ଓ ଦୁର୍ବିସହ ଜୀବନର ଗରଳ ପିଇ ପିଇ ରାଜ୍ୟ ଓ ଦେଶବାସୀଙ୍କୁ ଅମୃତ ଚଖାଇ ଯାଇଛନ୍ତି । ସେ ଥିଲେ ପଶ୍ଚିମ ଓଡ଼ିଶା ସମ୍ବଲପୁର ଅଞ୍ଚଳର ସୀମାନ୍ତପ୍ରହରି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ (୧୯୩୬) ଗଠନ ପୂର୍ବରୁ ଲକ୍ଷ ଲକ୍ଷ ନରନାରୀ ବଙ୍ଗଳା, ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ଭିନ୍ନ ଭିନ୍ନ ହୋଇ ବଡ଼ ଅବସାଦମୟ ଜୀବନ ଯାବନ କରୁଥିଲେ । ବଙ୍ଗଳା ଲୋକଙ୍କ ଅଜ୍ଞତା ଓ ଷଡ଼ଯନ୍ତ୍ର ବଳରେ ଓଡ଼ିଆ ଭାଷା ଉପରେ ପ୍ରଚଣ୍ଡ ଆକ୍ରମଣ ହେଉଥିଲା । ଏହି କଥା ପଣ୍ଡିତ ଗୋଦାବରୀଶଙ୍କ ଉକ୍ତିରେ ଅତି ମାର୍ମିକ ଭାବରେ ଫୁଟି ଉଠିଛି-

 

ବଡ଼ ହୀନିମାନ ଆମ ଘରଦଶା

ଶୁଣିଲେ ଫାଟଇ ବୁକୁ

ଚଉଖଣ୍ଡ ହୋଇ ଓଡ଼ିଶା ଦେଶଲୋ

ପଡ଼ିହୁଏ ଦୁକୁଦୁକୁ ।

(ଆଲେଖିକା, ଦୁଃଖିଧନ)

 

ଖାଲି ସେତିକି ନୁହେଁ ସମ୍ୱଲପୁର ଅଞ୍ଚଳରେ ପଞ୍ଚିମ ପଟୁ ହିନ୍ଦୀଭାଷାର ପ୍ରାଦୁର୍ଭାବ ଓଡ଼ିଆ ଭାଷାକୁ ନିଶ୍ଚିହ୍ନ କରିଦେବାକୁ ବସିଥିଲା । କୌଣସି ସାମାଜିକ ପରିପାଶ୍ୱର ପ୍ରଭାବକୁ ସୁଦୂରପରାହତ କରିବା ଜଣେ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ । ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ରୁଚି କବିଙ୍କୁ ବହୁ ପରିମାଣରେ ପ୍ରଭାବିତ କରେ । ତେଣୁ ଦୁର୍ଦ୍ଦଶାଗ୍ରସ୍ତ ମାତୃଭୂମି ଓ ମାତୃଭାଷାକୁ ଉଦ୍ଧାର କରିବା ମହତ ଉଦ୍ଦେଶ୍ୟରେ ସାହିତ୍ୟରଥି ଗଙ୍ଗାଧର ମେହେର ଦୁର୍ଦ୍ଧଷ ପାଲଟି ଯାଇଥିଲେ । ଭାଗୀରଥ ପରି କୃଚ୍ଛ ତପସ୍ୟା କରି ମର୍ତ୍ତ୍ୟମଣ୍ଡଳରେ ଜ୍ଞାନ, ରସ, ଭାବ ଓ ଖାଦଶିଣି ଗଙ୍ଗାଧର ବୁହାଇ ଦେବାରେ ସେଥିରେ ସର୍ବଶ୍ରେଷ୍ଠ ବିନ୍ଧାଣି ।

 

ଉତ୍କଟ ଅଭାବ ବିକଟ ଜଞ୍ଜାଳରେ ଚିରକାଳ ଗ୍ରସ୍ତ ହେଲେ ମଧ୍ୟ କେବେହେଲେ ବାଟ ହୁଡ଼ି ନଥିଲେ । ସେ ବାଣୀସାଧନାରେ ମନ ବଳାଉଥିବା ବେଳେ ଅନୁଭବ କରୁଥିଲେ ସତେ ଯେମିତି ବାକ୍‍ଦେବୀ ସରସ୍ୱତୀ ତାଙ୍କ କଣ୍ଠରେ ବିଜେ ହୋଇ ପଦସବୁ କହିଦେଉଛନ୍ତି:

 

ଦରିଦ୍ରତା ପଙ୍କପୂର୍ଣ ମୋ ଜିବନ ସର

ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର

ଶରଦ ସଦୃଶ ତୋତେ କରି ଦରଶନ

ହୋଇ ଯାଉଅଛି ସେତ ସ୍ୱତଃ ପରସନ୍ନ ।

                  (ଆତ୍ମଜୀବନୀ)

 

ଭାରତୀୟ ସଂସ୍କୃତି ପ୍ରତି ଅସୀମ ଶ୍ରଦ୍ଧା, ଜନ୍ମଭୂମି ଉତ୍କଳର ସର୍ବାଙ୍ଗୀନ ଉନ୍ନତି ବିଧାନ ଓ ବିଶ୍ୱଦରବାରରେ ଭାରତର ଗୌରବ ପ୍ରତିଷ୍ଠା-ଏ ତିନୋଟି ଥିଲା ତାଙ୍କର କର୍ଣ୍ଣମନ୍ତ୍ର । ଦାରିଦ୍ର୍ୟର କଷାଘାତରେ ତାଙ୍କର ବିଦ୍ୟାର୍ଥୀ ଜୀବନ ନାନା ଭାବରେ କ୍ଷତବିକ୍ଷତ ହେଲେ ମଧ୍ୟ ସେ ଦିବାଲୋକରେ ତନ୍ତଚର୍ଚ୍ଚା କରି ଦୀପାଲୋକରେ ଶାସ୍ତ୍ରଚର୍ଚ୍ଚା କରିବାକୁ ଆଦୌ ହେଳା କରୁନଥିଲେ । ଔପଚାରିକ ବିଦ୍ୟାଳୟ ବିଦ୍ୟାରୁ ବଞ୍ଚିତ ହେଲେ ମଧ୍ୟ ନିଜର ଅଦ୍ଭୂତ ପୂର୍ବ ଜ୍ଞାନଲିପ୍‌ସା ଓ ନିଷ୍ଠାପର ସ୍ୱଧ୍ୟାୟ ବଳରେ ବେଦ, ଉପନିଷଦ, ପୁରାଣ, ରାମାୟଣ, ମହାଭାରତ, ପ୍ରାଚୀନ ଓଡ଼ିଆ ସାହିତ୍ୟ ସଂସ୍କୃତ କାବ୍ୟ ନାଟକ ପ୍ରଭୃତିରେ ବିପୁଳ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ହିନ୍ଦୀ,ବଙ୍ଗଳା ଓ ସଂସ୍କୃତ ଭାଷାରେ ତାଙ୍କର ବ୍ୟୁତ୍ପତ୍ତି ଅସାଧାରଣ ହୋଇ ଉଠିଲା । ଏହିସବୁ ଗ୍ରନ୍ଥ ଓ ଭାଷାର ବିଦ୍‌ବତ୍ତା ତାଙ୍କୁ ଭବିଷ୍ୟତରେ କାବ୍ୟକୋଣାର୍କ ନିର୍ମାଣ କରିବାରେ ଭିତ୍ତିଭୂମି ପ୍ରସ୍ତୁତ କରିଥିଲା । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବୃତ୍ତିଗତ ଜୀବନ ଅମୀନ କାର୍ଯ୍ୟରୁ ଆରମ୍ଭ ହୋଇ ଜୁଡ଼ିସିଆଲ ମୋହରୀରର ଭାବରେ ପରିସମାପ୍ତି ଘଟିଥିଲା । କିନ୍ତୁ ତାଙ୍କର ପ୍ରବୃତ୍ତିଗତ ଜୀବନ ତାଙ୍କୁ ଓଡ଼ିଶାରେ ପରିଚିତ ଓ ପ୍ରତିଷ୍ଠିତ କରାଇଥିଲା । ସାହିତ୍ୟ ଦିଗ୍‌ବିଜୟ ଭକ୍ତକବି ମଧୁସୂଦନ, ପ୍ରାବନ୍ଧିକ ବିଶ୍ୱନାଥ, ନାଟ୍ୟକାର ରାମଶଙ୍କର, ଭାଷାତତ୍ତ୍ୱବିତ୍‌ ଗୋପୀନାଥ ଓ ସାହିତ୍ୟ ସମାଲୋଚକ ଶ୍ୟାମ ସୁନ୍ଦରଙ୍କ ପରି ବ୍ୟାସ କବି ଫକୀରମୋହନ, ପଲ୍ଲୀକବି ନନ୍ଦକିଶୋର ଓ ଡ଼. ମାୟାଧର ମାନସିଂ ଗଙ୍ଗାଧରଙ୍କୁ ଅଧିକ ଭାବରେ ଜାଣିଥିଲେ । ତାଙ୍କ ସାରସ୍ୱତ କୃତିର ରସସ୍ୱାଦନ କରିବା ସହିତ ପ୍ରଶଂସା କରୁଥିଲେ । ଇନ୍ଦୁମତୀ କାବ୍ୟ ସମ୍ପର୍କରେ ମତବ୍ୟକ୍ତି କରି ଲେଖନ୍ତି, ‘‘ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହଁନ୍ତି ।’’ ପଲ୍ଲୀକବି ନନ୍ଦକିଶୋର ଗଙ୍ଗାଧରଙ୍କ ଭୂୟସୀ ପ୍ରଶଂସା କରି କହନ୍ତି-

 

ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ ମଣ୍ଡିତ

କାଳବଳେ ହେବେ ସର୍ବେ ଭବୁ ଅନ୍ତର୍ହିତ,

କିନ୍ତୁ ତୁମେ ଦୀନକବି ରହିବ ଜୀବିତ

ଯେତେଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ।

 

ଏହା ଏକ ଆପ୍ତବାଣୀ କହିଲେ ଭୁଲହେବ ନାହିଁ । ଗଙ୍ଗାଧରଙ୍କ ଜନାଦୃତି ଏହାର ପ୍ରମାଣ । ବ୍ୟାସକବି ଫକିର ମୋହନ ମଧ୍ୟ ଗଙ୍ଗାଧରଙ୍କ ଗୁଣଗାନ କରିଥିଲେ । କିନ୍ତୁ ଯଦି ସବୁଠାରୁ କିଏ ଅଧିକ ଗଙ୍ଗାଧରଙ୍କୁ ଉତ୍ସାହିତ, ପ୍ରେରିତ ଓ ପୃଷ୍ଠପୋଷକତା କରିଥିଲେ ସେ ହେଉଛନ୍ତି ଅବିସ୍ମରଣୀୟ ଶ୍ରୀ ବ୍ରଜମୋହନ ପଣ୍ଡା । ସେ ୧୯୧୦ ଖ୍ରୀଷ୍ଟାବ୍ଦରୁ କବିଙ୍କ ସାହିତ୍ୟ ଜୀବନ ସହିତ ଜଡ଼ିତ ହୋଇ ଏକାନ୍ତ ଅନୁଗତ ଓ ବନ୍ଧୁ ପାଲଟି ଯାଇଥିଲେ । ‘‘କେତେ ଲେଖିଲେ କେତେ ଲେଖିଲେ’’ ବୋଲି ସୁଦୂର କଲିକତାରୁ ବାରବାର ଚିଠି ଲେଖୁଥିଲେ । ତାଙ୍କରି ପ୍ରେରଣାର ଫଳଶ୍ରୁତି ସ୍ୱରୂପ ଇନ୍ଦୁମତି (୧୮୯୪), କୀଚକବଧ (୧୯୦୪), ପ୍ରଣୟବଲ୍ଲରୀ (୧୯୧୫), ଉତ୍କଳଲକ୍ଷ୍ମୀ (୧୮୯୪ରୁ ୧୯୧୪) ମେହେରଙ୍କ ଠାରୁ ଆତ୍ମପ୍ରକାଶ କଲା । ଶ୍ରୀ ପଣ୍ଡା ରାମାୟଣ ଚରିତ ଅବଲମ୍ୱନରେ କାବ୍ୟରଚନା କରିବାକୁ କହିବାରୁ ତପସ୍ୱିନୀ (୧୯୧୪) ଓ ଅହଲ୍ୟାସ୍ତବ (୧୮୯୨) ରଚିତ ହୋଇଥିଲା ।

 

୧୯୬୨ ଅକ୍ଟୋବର ନଅ ତାରିଖରେ ବରପାଲିରେ ମେହେର ଶତବାର୍ଷିକୀ ଉତ୍ସବ’ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ପଣ୍ଡା ଯୋଗଦେଇ କହିଥିଲେ- ‘‘ସୁକବିତ୍ୱ ହେଉଛି ଗଙ୍ଗାଧରଙ୍କ ବିରାଟ ବ୍ୟକ୍ତିତ୍ୱ ସୌଧର ଗୋଟିଏ ମାତ୍ର କାରୁକାର୍ଯ୍ୟ ମଣ୍ଡିତ କମନୀୟ କକ୍ଷ । ସେ ପ୍ରସାଦର ଅନ୍ୟ ଏକ ଆଲୋକ ଦୀପ୍ତ କକ୍ଷ ହେଉଛି ଗଙ୍ଗାଧରଙ୍କ ଉତ୍କଳ ସମ୍ମିଳନୀ ପ୍ରୀତି ।’’ ଗଙ୍ଗାଧର ଓଡ଼ିଶାର ବିଚ୍ଛିନ୍ନ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ନିର୍ମିତ ଉତ୍କଳସମ୍ମିଳନୀର ବିଭିନ୍ନ ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ଗଙ୍ଗାଧର ମେହେର ଜନହିତୈଷୀ ‘ସାଧୁସମିତି’ ଗଠନ କରି ଲୋକମାନଙ୍କର ସମସ୍ୟା ସମାଧନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୁଷ୍ଟିଭିକ୍ଷା ସାହାଯ୍ୟରେ ସେ ଜାତୀୟ ମହାସଭା ଗଠନ କରିଥିଲେ । ଜାତୀୟ ଜାଗରଣ ତାଙ୍କ କାବ୍ୟସାଧନାର ଭିନ୍ନ ଏକ ଆଭିମୁଖ୍ୟ ଥିଲା ।

 

ଗଙ୍ଗାଧର ମେହେରଙ୍କ କାବ୍ୟ ପ୍ରତିଭା ବିଭିନ୍ନ ଦିଗରୁ ଆଲୋଚନା କରାଯାଉଥାଏ । ସେ ହେଉଛନ୍ତି ପ୍ରେମ ପ୍ରଣୟର କବି । ତପସ୍ୱିନୀ ଓ ପ୍ରଣୟ ବଲ୍ଲରୀ ତାଙ୍କର ପ୍ରେମମୂଳକ କାବ୍ୟ । ଗଙ୍ଗାଧରଙ୍କ ବର୍ଣ୍ଣିତ ପ୍ରେମରେ କୌଣସି ପ୍ରକାର ସ୍ୱାର୍ଥ ବା ସର୍ତ୍ତ ନଥାଏ । ଭୋଗ ନୁହେଁ ଆତ୍ମୋତ୍ସର୍ଗ ଓ ତ୍ୟାଗ ଭାବନାରେ ତାଙ୍କ ପ୍ରେମ ସଦା ଛଳଛଳ । ଏଠାରେ କୌଣସି ପ୍ରକାର ଅଭିଯୋଗ ନୁହେଁ ମନମଣିଷର ଅନୁରାଗ ପ୍ରାଣପ୍ରିୟାଙ୍କ ଅନ୍ତଃସ୍ଥଳ ସମ୍ପୂର୍ଣ୍ଣ ଆବୋରି ରହିଥାଏ । ପବିତ୍ରତା ସୀତା ରାଜା ରାମଙ୍କ ଦ୍ୱାରା ନିର୍ମମଭାବରେ ନିର୍ବାସିତ ହେଲେ ମଧ୍ୟ ରାମଙ୍କ ଦୋଷ ଅବିଷ୍କାର କରି ନାହାଁନ୍ତି । ବରଂ ସଖୀଙ୍କ ଆଗରେ ସେ କରୁଣାର ଅବତାର ବୋଲି ରାମଙ୍କୁ ଗୌରବାନ୍ୱିତ କରି କହିଛନ୍ତି-

 

ସଖୀ ! ଦୁର୍ବିପାକ

ଘଟାଇ ଅଛି ଏକା ମୋ ଦୁଃଖଯାକ ।

ମୋ କର୍ମ ପାଇଁ ଦୋଷୀ ନୁହଁନ୍ତି ବିଧି

କାନ୍ତ ତ ସ୍ୱଭାବେ ମୋ କରୁଣାନିଧି । ।

 

ନିର୍ବାସନକୁ ନିଜର ଭାଗ୍ୟ ଦୋଷ ବୋଲି କହି ବନବାସକୁ ପତିହିତସାଧିନୀ ତପସ୍ୟାରେ ପରିଣତ କରି ତପସ୍ୱିନୀ କାବ୍ୟର ନାମସାର୍ଥକତା ପ୍ରତିପାଦନ କରିଛନ୍ତି । ବାସ୍ତବିକ ଗଙ୍ଗାଧରଙ୍କ ପ୍ରେମର ସ୍ପର୍ଶ ସହୃଦୟପାଠକର ହୃଦୟତନ୍ତ୍ରୀରେ ଏକ ଦିବ୍ୟସ୍ୱଦନ ଦେଖାଇ ଦେଇଥାଏ । ସ୍ୱଭାବ କବି ଗଙ୍ଗାଧରଙ୍କ ପ୍ରକୃତି ଚିତ୍ରଣ ଅନନ୍ୟ ଓ ଅନୁପମ । ତାଙ୍କର ପ୍ରତ୍ୟେକ ରଚନାରେ ପ୍ରକୃତିର ସୁରମ୍ୟ ଚିତ୍ରମାଳା ଦୃଷ୍ଟିଗୋଚର ହୋଇଥାଏ । ପ୍ରକୃତି ବହୁରୂପା । ରଙ୍ଗ ମନ୍ଦିରରେ ବିଭିନ୍ନ ନଟନଟୀଙ୍କ ଆବିର୍ଭାବ ଯେପରି ଦର୍ଶକମଣ୍ଡଳୀକୁ ଆମୋଦିତ କରେ ପ୍ରକୃତିର ସ୍ନିଗ୍ଧ ସୁନ୍ଦର ଦୃଶ୍ୟରାଜି କବିମାନକୁ ମୁଗ୍‌ଧ କରି ତା’ର ଲେଖନୀକୁ ପ୍ରଭାବିତ କରେ । ସେଥିପାଇଁ ରବୀନ୍ଦ୍ରନାଥ ଠାକୁର ଦିନେ କହିଥିଲେ, ‘‘ପ୍ରକୃତିର ସୌନ୍ଦର୍ଯ୍ୟ ଆମାର୍ କାନ୍ଥେ ଶୂନ୍ୟ ସୌନ୍ଦର୍ଯ୍ୟ ନଏ । ଏହାର ମଧ୍ୟେ ଏକଟା ଚିରନ୍ତନ ହୃଦାୟତ ଲୀଳା ଅଭିନୀତ ହବେ । ଏୟାର ମଧ୍ୟେ ବୃନ୍ଦାବନ । ‘‘ରାଧାନାଥ ସାହିତ୍ୟରେ ଯେଉଁ ନବଯୁଗର ପ୍ରବର୍ତ୍ତନ କରିଥିଲେ ଗଙ୍ଗାଧର ସେହି ପ୍ରବର୍ତ୍ତିତ ଆଦର୍ଶର ପ୍ରତିଷ୍ଠାତା ଥିଲେ । ରାଧାନାଥ ଥିଲେ ଗଙ୍ଗାଧରଙ୍କ କାବ୍ୟଗୁରୁ । ଗୁରୁପ୍ରକୃତିକୁ ରୂପବତୀ କରି ରୂପାୟିତ କଲାବେଳେ ଶିଷ୍ୟ ପ୍ରକୃତିକୁ ଜୀବନ୍ୟାସ ଦେଇଛନ୍ତି । ସେ ବହିଃ ପ୍ରକୃତିକୁ ଆରୋପିତ କରି କାବ୍ୟର ଆତ୍ମାରେ ତଲ୍ଲୀନ କରାଇ ଦେଇଛନ୍ତି । କାବ୍ୟ ଚରିତ୍ରମାନଙ୍କ ବିଭିନ୍ନ ଦଶାରେ ପ୍ରକୃତି କେତେବେଳେ ସମଭାଗୀ, କେତେବେଳେ ସହାନୁଭୂତିଶୀଳ, କେତେବେଳେ ସଂବେଦନଶୀଳ ପୁଣି କେତେବେଳେ ପ୍ରତିକ୍ରିୟାଶୀଳତ ଆଉ କେତେବେଳେ ସଂଗ୍ରାମଶୀଳ ବିଦ୍ରୋହୀ ହୋଇ ଉଠିଛି । କବିଙ୍କ କୃତିରେ ପ୍ରକୃତି ଅତିଥି ନୁହେଁ ଆତିଥେୟରେ ପରିଣତ । ତପସ୍ୱିନୀ କାବ୍ୟରେ ଲବକୁଶଙ୍କ ଜନ୍ମ ସମୟରେ ପ୍ରକୃତି ଯେପରି ଢଙ୍ଗରେ ନିଜର ଆନନ୍ଦ ପ୍ରକାଶ କରିଛି ତାହା ପାଠକଲେ ଯେ କୌଣସି ରସଗ୍ରାହୀ ବ୍ୟକ୍ତି ଅଧୀର ହୋଇ ପଡ଼ିଥାଏ :

 

କୁମାରଙ୍କ ତେଜ ବିଦ୍ୟୁତ ସହିତ

ବନେ ଦଶଦିଗ କଲା ଆଲୋକିକ ।

ହରଷେ ବାସବ କଲେ ତୋପଧ୍ୱନି

ନ ଜାଣିଲା ଲୋକେ ବୋଇଲା ଅଶନୀ ।

ଦିଗଙ୍ଗନାଙ୍କର ହୁଳହୁଳ ସଙ୍ଗେ

ଘନ ଘଡ଼ଘଡ଼ି ମିଶିଗଲା ରଙ୍ଗେ ।

ଗିରିବନ ହେଲା କୁସୁମ ବରଷୀ

ନାଚିଲେ କେଦାର ସହିତ ସରସୀ ।

 

ପ୍ରକୃତିର ନିଖୁଣଚିତ୍ରକାର ଗଙ୍ଗରଧର ମଣିଷର ମନସ୍ତତ୍ୱ ପରିବେଷଣ କରିବାରେ ପ୍ରକୃତିକୁ ପଟ୍ଟଭୂମି ରୂପେ ପ୍ରୟୋଗ କରିଛନ୍ତି । ଦାସୀ ଚପଳା ଆଶଙ୍କା କରୁଥିଲା ଯେ ସୈରନ୍ଦ୍ରୀକୁ ପହଞ୍ଚାଇବାରେ ଯଦି କିଛି ବିପଦ ଆପଦ ଆସେ ତେବେ ତାହା ତା’ ଉପରେ ନ ପଡ଼ି କୀଚକ ଉପରେ ପଡ଼ିବ । ଚପଳାର କିଛି କ୍ଷତି ହେବ ନାହିଁ । ପ୍ରକୃତିରୁ ଏକ ସୁନ୍ଦର ଉପମା ତୋଳି ଆଣି କବି ଚପଳାର ଉକ୍ତିକୁ ସମର୍ଥନ କରିଛନ୍ତି :

 

ରାହୁ ଗ୍ରାସଇ ଆସି ଚନ୍ଦ୍ରକୁ ଯେବେ

ସନ୍ଧ୍ୟାର ଦୋଷ କାହିଁ ହୋଇଛି କେବେ ?

(କୀଚକବଧ)

 

କବି କାଳେ କାଳେ ସତ୍ୟ ଶିବ ସୁନ୍ଦରର ଉପାସକ । ସେ ଜଣେ ଦ୍ରଷ୍ଟା ଓ ସ୍ରଷ୍ଟା । ସେ ପୁରୋଦୃଷ୍ଟି ସମ୍ପନ୍ନ । ସେ ସମାଜର ପୁରୋହିତା ନିଜେ ଯନ୍ତ୍ରଣାରେ ଅହର୍ନିଶ ଜର୍ଜରିତ ହେଲେ ଜୀବନର ଅନ୍ୟନାମ ଯନ୍ତ୍ରଣାକୁ ସେ ସ୍ୱୀକାର କରେନାହିଁ । ହୃଦୟର ବେଦନା ଓ ନୟନର ଅଶ୍ରୁରେ ସେ ଜୀବନର ସତ୍ୟ ସନ୍ଧାନ କରେ । ଶିବଙ୍କୁ ଖୋଜିପାଏ । ଅନନ୍ତ ସୌନ୍ଦର୍ଯ୍ୟବୋଧ ଓ ମାଧୁର୍ଯ୍ୟରେ ନିଜେ ମସ୍‌ଗୁଲ ହୁଏ । ସେହି ମାଧୁରିମାର ସନ୍ଦେଶ ପାଇ ବିଶ୍ୱାସୀଙ୍କ ଜ୍ଞାନଚକ୍ଷୁ ଫିଟିଯାଏ । ପ୍ରତ୍ୟେକ ପାଠକ ସେହି ଅନିର୍ବଚନୀୟ ଶାଶ୍ୱତ ଆନନ୍ଦର ଅନୁଭବୀ ହୋଇଯାନ୍ତୁ ବୋଲି କବି ଆଶା ରଖେ । କବି ଗଙ୍ଗାଧର ସାହିତ୍ୟର ଏହି ଜୀବନଧର୍ମୀ ଦର୍ଶନର ସୁନ୍ଦର ଚିତ୍ର ଅଙ୍କନ କରନ୍ତି :

 

ବିଶ୍ୱ ଦେଖ ମଧୁମୟରେ ଜୀବନ ବିଶ୍ୱଦେଖ ମଧୁମୟ ।

ମଧୁର ଝରଣା କରିବ ହରଣ ତୋ ପାପ ମରଣ ଭୟରେ ଜୀବନ

ଜନନୀର ସ୍ନେହ, ଜାୟାର ପ୍ରଣୟ, ବୁଧ ବନ୍ଧୁ ସଦାଳାପ

ଜନକ ଆଦର ଏକ ଏକ ଝର, ତଡ଼ି ଦେଉଛନ୍ତି ତା’ପରେ ଜୀବନ ।

(ଅର୍ଘ୍ୟଥାଳୀର ମଧୁମୟ କବିତା)

 

ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଗଙ୍ଗାଧର କେବେ ନିଜ ଆତ୍ମବିଶ୍ୱାସ, ନୀତି ଓ ଆଦର୍ଶରୁ ଓହରି ଯାଇ ନଥିଲେ । ସେ ନିଜକୁ ଅମୃତ ସାଗରର ବିନ୍ଦୁ ବୋଲି ଅନୁଭବ କରିଛନ୍ତି । ଅମୃତ ସିନ୍ଧୁରୁ ଏହା ଉତ୍ପତ୍ତି ଓ ସ୍ଥିତି । ସେ ପ୍ରଷ୍ଫୁଟିତ ଫୁଲର ମହକରେ, ସରସ କବିତାର ଛନ୍ଦରେ ଅରଣ୍ୟ ବିହଗର କାକଳିରେ ଶିଶୁର ସରଳ ତରଳ ଗାନରେ କୁସୁମ ଉଦ୍ୟାନର ଶୋଭାରେ ମନ୍ଦମଳୟର ଶୀତଳ ହିଲ୍ଲୋଳରେ ମେଘର ଘନବୃଷ୍ଟି ବର୍ଣ୍ଣବିଭାରେ ଓ ଉଷାର ଆଲୋକରେ ଅମୃତର ଆସ୍ୱାଦ ଅନୁଭବ କରିଛନ୍ତି । ଭାରତୀୟ ଆଳଙ୍କାରିକମାନେ ଶୃଙ୍ଗାରାଦି ବିଭିନ୍ନ ରସର ବିଭାଗ କରି ଭିନ୍ନ ଭିନ୍ନ ଦୃଷ୍ଟିରୁ ଆଲୋଚନା କଲାବେଳେ ପାଶ୍ଚାତ୍ୟ ସାହିତ୍ୟ ସମୀକ୍ଷକ ଗଣ ସେହି ବହୁବିଧ ରସର ସତ୍ତା ସ୍ୱୀକାର ନକରି କେବଳ ଗୋଟିଏ ମାତ୍ର ରସ ସ୍ୱୀକାର କରନ୍ତି । ବିଦଗ୍ଧ ହୁଅନ୍ତି । ତାହା ହେଉଛି ସୌନ୍ଦର୍ଯ୍ୟ ରସ ।

 

ସ୍ୱଭାବ କବି ଗଙ୍ଗାଧର କଳ୍ପନାର ଚମତ୍କାରିତା ପ୍ରଦର୍ଶିତ କରିବାରେ ଥିଲେ ସିଦ୍ଧହସ୍ତ । କଳ୍ପନାର ପୁଟଦେଇ ସେ ହୃଦୟ ଭାବ, ଆବେଗ, ଅନୁରାଗ, ଅଭିମାନକୁ ଯେପରି ଶବ୍ଦର କୁହୁକ ସ୍ପର୍ଶ ଦେଇଛନ୍ତି ତାହା ପାଠ କଲେ ଜଣେ ସ୍ୱତଃ କଳ୍ପନା ରାଇଜକୁ ପଳାଇ ଯାଏ । ଅପୂର୍ବ ଆନନ୍ଦରେ ବିହ୍ୱଳ ହୋଇଉଠେ । କବି କଳ୍ପନା ବଳରେ ବଳୀୟାନ୍ । କଳ୍ପନାର ଶକ୍ତିରେ ସେ ନିଜ ଶକ୍ତିମତ୍ତା ପ୍ରଦର୍ଶନ କରନ୍ତି । କଳ୍ପନାର ମୂଳଭିତ୍ତି ହେଉଛି ଅନୁଭୂତି । କଳ୍ପନାବିଳାସୀ କବି ସୁଖଦୁଃଖର ଅନୁଭୂତି ଫଳକରେ ନାୟକନାୟିକାଙ୍କର ସୁଖଦୁଃଖର ଚିତ୍ର ଅଙ୍କନ କରି ଦେଇ ପାରନ୍ତି-। ତାଙ୍କ କଳ୍ପନା ପକ୍ଷୀ ଅଳଙ୍କାରର ଡେଣା ଝାଡ଼ି ରସର ଗୀତ ଗାଇ କାବ୍ୟ ଆକାଶରେ ଉଡ଼ିବୁଲୁଥାଏ । ଏ ପ୍ରସଙ୍ଗରେ ତାଙ୍କ ଚିତ୍ରକଳ୍ପର ଏକ ସଫଳ ପ୍ରୟୋଗ ଦ୍ରଷ୍ଟବ୍ୟ :

 

ତିନ୍ତାଇ ଦେଉଛି ବାସକୁ ତା’ର ନୟନ ବାରି

ଦେବୀ କି ମାନବୀ ସହଜେ ହେଉ ନାହିଁ ତ ବାରି ।।

(ତପସ୍ୱିନୀ)

 

‘କୀଚକବଧ’ରୁ ସନ୍ଧ୍ୟା ବର୍ଣ୍ଣନା ଅବସରରେ ଚନ୍ଦ୍ରୋଦୟ କାଳୀନ ସମୁଦ୍ରର ଦୃଶ୍ୟ କବିଙ୍କୁ କଳ୍ପନା ଚାତୁରୀର ଓ ରସ ପରିବେଷଣର ଏପରି ଜୀବନ୍ତ ହୋଇ ଉଠିଛି ତାହା ଅବର୍ଣ୍ଣନୀୟ । ପୂର୍ଣ୍ଣିମା ସନ୍ଧ୍ୟାରେ ଚନ୍ଦ୍ରୋଦୟ ହେବାରୁ ସମୁଦ୍ର ଛାତିଫୁଲି ଉଠିଛି । ନଦୀମାନଙ୍କର ସ୍ରୋତକୁ ସମୁଦ୍ର ଦିନବେଳେ ଯେପରି ଶୀଘ୍ର ଶୀଘ୍ର ଆତ୍ମସାତ କରିଦେଉଥିଲା ଆଉ ସେପରି ଗ୍ରହଣ କରିପାରିଲା ନାହିଁ । ଫଳରେ ନଦୀ ସମୁଦ୍ରର ସଙ୍ଗମ ଲାଭ କରି ନ ପାରି ମୁହଁ ଫୁଲାଇଲା । କଳ୍ପନାରେ ଶକ୍ତିଶାଳୀ ଗଙ୍ଗାଧରଙ୍କ ଦୃଷ୍ଟିରେ ଏହା ଆଉ ଏକ କାରଣରୁ ଘଟିଛି । ପରନାରୀର ସମ୍ପର୍କ ଲାଭ କଲେ କେହି କେହି ପୁରୁଷ ନିଜର ସୁନ୍ଦର ପତ୍ନୀଙ୍କୁ ଆଉ ପାଖରେ ପୂରାଇ ଦିଅନ୍ତି ନାହିଁ । ଠିକ ସେହିପରି ଚନ୍ଦ୍ରିକା (ସ୍ତ୍ରୀଲିଙ୍ଗ ଶବ୍ଦ, ତେଣୁ ନାରୀ ରୂପେ କଳ୍ପିତ)ଙ୍କ ଦ୍ୱାରା ଆଲିଙ୍ଗିତ ହେବାରୁ ଆନନ୍ଦ ଓ ଆବେଗରେ ସମୁଦ୍ର (ପୁଲିଙ୍ଗ ଶବ୍ଦ, ତେଣୁ ପୁରୁଷ ରୂପେ କଳ୍ପିତ)ର ଛାତି ଫୁଲି ଉଠିଲା । ଫଳରେ ନଦୀ ରୂପକ ନିଜ ସ୍ତ୍ରୀମାନଙ୍କୁ ସେ ଆଉ ଆଦରରେ ଗ୍ରହଣ ନକରି ପଛକୁ ଠେଲିଦେଲା । ସ୍ୱାମୀ ସୋହାଗରୁ ବଞ୍ଚିତା ହୋଇ ପ୍ରେମଶୀଳାନାରୀ ଅଭିମାନରେ ମୁହଁ ଫୁଲାଇବା ସ୍ୱାଭାବିକ ।

 

ସାଧାରଣତଃ ଦେଖାଯାଏ ଯଦି ଜଣେ ବିଶିଷ୍ଟ ଲୋକ ଘୋର ଅପକର୍ମ କରି ବସେ ଗାଉଁଲି ଲୋକେ କହନ୍ତି: ଓହୋଃ, କ’ଣ ନ କଲା ସିଏ । ତା ଧର୍ମକୁ ଜୁହାର ତା’ର କର୍ମକୁ ଜୁହାର । ସମୁଦ୍ର ନଦୀକୁ ଲହରୀଦ୍ୱାରା ପଛକୁ ଠେଲି ଦେବା ଦିନରୁ ଲୋକେ ତାକୁ (ଲହରୀକୁ) ଜୁହାର’ ବୋଲି କହିଲେ । କ୍ରମେ ‘ଜୁହାର’ ଅପଭ୍ରଂଶ ରୂପେ ‘ଜୁଆର’ ଶବ୍ଦ ପ୍ରଚଳିତ ହେଲା । ସେହି ଆପେକ୍ଷିତ ପଙ୍‌କ୍ତିଟି ହେଉଛି :

 

ଚନ୍ଦ୍ରକାଲିଂଗନ             ସୁଖେ ପ୍ରଫୁଲ୍ଲିତ

ହୃଦୟ ସରିତ ପତି

ସରିତଙ୍କ ପ୍ରତି              ଅନାଦର କରି

ଠେଲି ଦେଲା ପଛକତି ।

ମୁହଁ ଫୁଲାଇଲେ              ନଦୀ ଏ ସାଗର

ରୀତିକି ଲୋକେ ଜୁହାର

 

ଗଙ୍ଗାଧର ମେହେର ଦେଶର ସ୍ୱାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଭାବରେ ଭାଗ ନେଇ ନ ପାରିଲେ ମଧ୍ୟ ନିଜର ଅଗ୍ନିସ୍ପୁଲିଙ୍ଗ ସଦୃଶ କବିତା ମାଧ୍ୟମରେ ଜନତାର ହୃଦୟରେ ଦେଶପ୍ରେମର ବୀଜକୁ ଅଙ୍କୁରିତ କରାଇ ପାରିଥିଲେ । ଦଶ ଓ ଦେଶର କଲ୍ୟାଣ ପାଇ ସେ କାବ୍ୟ ସାଧନାକୁ ମାଧ୍ୟମ ରୂପେ ବିଚାରି ନେଇଥିଲେ । ତେଣୁ ସେ ‘ଅର୍ଘ୍ୟଥାଳୀ’, ‘ଉଦ୍‍ବୋଧନ’ ଭଳି କେତେକ କବିତାରେ ଦେଶବାସୀଙ୍କ ଦୋଷ ଦୁର୍ବଳତା ଦେଖାଇବାକୁ ଚେଷ୍ଟା କରିଛନ୍ତି । ଓଡ଼ିଆ ଲୋକଙ୍କ ଆଳସ୍ୟ, କର୍ମକୁଣ୍ଠତା ସେ ବହୁ କବିତାରେ ସମାଲୋଚନା କରିଛନ୍ତି । ମାତୃଭୂମି ଓ ମାତୃଭାଷା ପ୍ରତି ପ୍ରୀତି ଉତ୍ପନ୍ନ ନ ହେଲେ ଜାତିର ପ୍ରଗତି କଦାପି ସମ୍ଭବ ନୁହେଁ ବୋଲି ସେ ଦୃପ୍ତକଣ୍ଠରେ କହୁଥିଲେ-

 

‘‘ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ।’’

(ଅର୍ଘ୍ୟଥାଳୀ)

 

ସୁପ୍ତ ଜାତୀୟ ଚେତନାର କିପରି ଉଦ୍ରେକ ଘଟିବ ସେଥିପାଇଁ କବିଙ୍କର ଚିନ୍ତାକୁଳ ଉକ୍ତି ଉଲ୍ଲେଖଯୋଗ୍ୟ-

 

ଉଠ ଉଠ ଭାଇ ନବୀନ ଆଲୋକେ

ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।

(ଉଦ୍‌ବୋଧନ)

 

ପୁନଶ୍ଚ-

ନାହିଁ ଯେବେ ହୃଦେ ଉଚ୍ଚ ଅଭିଳାଷ

କର ଆମୋଦରେ ପଲଙ୍କେ ନିବାସ

ପ୍ରତିବେଶୀଙ୍କର ସହିତ ତୁଳନା

କରି କର ନିଜେ ମଧ୍ୟେ ତୁଳନା

ତହିଁରୁ ବୁଝିବ ନିଜେ କେତେ ଦୀନ

କରୁ ଅଛ ପୁଣି ମାତୃଭାଷା ହୀନ ।

 

ମେହେର ତାଙ୍କର ଆତ୍ମଜୀବନୀରେ ଲେଖିଛନ୍ତି: ‘‘ମୋର ସ୍ମରଣ ହେଉଛି ବାଲ୍ୟକାଳରେ ପିତାମହଙ୍କ ସଙ୍ଗେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନସାରି ପ୍ରତ୍ୟେହ ଜଗନ୍ନାଥ ଦର୍ଶନ କରି ଆସୁଥିଲି । ପିତୃବ୍ୟଙ୍କ ସଙ୍ଗେ ସନ୍ଧ୍ୟା ସମୟରେ ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନରେ ଯୋଗ ଦେଉଥିଲି । ପିତାମହୀ ଓ ମାତାଙ୍କ ଠାରୁ ଶୁଣିଥିଲି ଯେ ମୁଁ ଶୈଶବ କାଳରେ ମଧ୍ୟ ବଡ଼ ଧୀର ସ୍ୱଭାବ ଥିଲି । ଗୋଟିଏ ଛୋଟ ମୃଦଙ୍ଗ ଅଭି ସଂକୀର୍ତ୍ତବାଲାଙ୍କ ସଙ୍ଗେ ନାଚିଯାଏ । ‘କହିବା ବାହୁଲ୍ୟ ବାଲ୍ୟ କାଳର ଏହି ଭକ୍ତିଭାବନା ଓ ଆଧ୍ୟାତ୍ମିକ ଚେତନା ତାଙ୍କ କବିମାନସର ଅନ୍ତଃରାଳରେ ରହି ତାଙ୍କୁ ଉଦବୁଦ୍ଧ କରୁଥିଲା । ବିଶ୍ୱସ୍ରଷ୍ଟା ବିଷ୍ଣୁଙ୍କ ସତ୍ତା ସେ ସବୁଠାରେ ଉପଲବ୍ଧି କରୁଥିଲେ । ସମଗ୍ର ବିଶ୍ୱ ତାଙ୍କର ସୁନ୍ଦର ରଚନା । ପ୍ରତିଟି ଧୂଳିକଣାରେ ସେ । ବିରାଟ ଆକାଶରେ ସେ । କୋଟି କୋଟି ଗ୍ରହନକ୍ଷତ୍ର ତାଙ୍କର କଣ୍ଠେ ମାଳା ସଦୃଶ । ସେ କରୁଣାମୟ । ସଚରାଚର ଏ ଜଗତରେ ଯାହା ସବୁ ଦୃଶ୍ୟମାନ ସେ ସବୁର ଅଧିକାରୀ ହେଲେ ପରଂ ବ୍ରହ୍ମ । ତାଙ୍କୁ ସମର୍ପଣ କଲେ ଅପରାଧ ହୁଏ । ବହୁ ଭାବି କବି ସ୍ଥିର କଲେ ଯେ ତାଙ୍କ ଭିତରେ ଯେଉଁ ଅହଙ୍କାର ‘ମୁଁ’ ତାହା କେବଳ କବିଙ୍କର । ତାକୁ ସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରି ଲେଖନ୍ତି :

 

କି ଦେଇ ପୂଜିବି ଯାହା ମୁଁ ଦେଖୁଛି

ସବୁ ତୁମରି ପ୍ରସାଦ,

ଯାହା ପରସାଦ ତାଙ୍କୁ ଅରପିଲେ

ହେବସିନା ଅପରାଧ ।

‘ମୁଁ କାର’ ମାତର ମୋର ନୁହେଁ ବୋଲି

କହିବାକୁ ନାହିଁ ବାଟ,

ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି

ଘେନ ତା ବିଶ୍ୱସମ୍ରାଟ

(ଅର୍ଘ୍ୟଥାଳୀର ଭକ୍ତ କବିତା)

 

ଆଧ୍ୟାତ୍ମିକ ରାଜ୍ୟରେ ପ୍ରବେଶ କରିବାକୁ ହେଲେ ଅହଙ୍କାରକୁ ବର୍ଜନ କରିବାକୁ ପଡ଼ିବ । ତା’ ହେଲେ ଯାଇ ମଣିଷ ଭଗବାନଙ୍କର ନିକଟବର୍ତ୍ତୀ ହୋଇପାରେ । ସତରେ ଗଙ୍ଗାଧରଙ୍କ ଭଗବତ୍ ପ୍ରେମ ଅତୁଳନୀୟ । ସେ ବିନ୍ଦୁରେ ସିନ୍ଧୁଦର୍ଶନ ଓ ସିନ୍ଧୁରେ ଜ୍ୟୋତିର ଆଲୋକ ଅବଗାହନ କରୁଥିବାର ଦେଖି ପାରୁଥିଲେ । ‘ଭକ୍ତି’ ଅମୃତମୟ’ ‘ମଧୁମୟ’ କବିତା ତାଙ୍କର ଆଧ୍ୟାତ୍ମିକ ତତ୍ତ୍ୱସମ୍ବଳିତ ଭାବ ମର୍ମରିତ ହୁଏ । ଭଗବାନଙ୍କ ପାଖରେ କିଛି ମାଗି ନିଜକୁ ଭିକାରୀ ସଜାଇବାକୁ ସେ ପସନ୍ଦ କରନ୍ତି ନାହିଁ । ସାର୍ବଭୌମ ବିଶ୍ୱସ୍ରଷ୍ଟାଙ୍କ ଚରଣତଳେ ନିଜକୁ ସର୍ବତୋଭାବେ ସମର୍ପିତ କରିବାରେ ତାଙ୍କର ଆନନ୍ଦ । ଅନ୍ତତଃ ପ୍ରକୃତି ଭିତରେ ବିଶ୍ୱଜୀବନ ପରଂବ୍ରହ୍ମଙ୍କୁ ଅନୁଭବ କରିବାରେ ସେ ଥିଲେ ଅଦ୍ୱିତୀୟ ତଥା ଅନନ୍ୟ ।

 

ସ୍ୱଭାବ କବି ଦେଶପ୍ରାଣ ଗଙ୍ଗାଧର ଥିଲେ ଭାରତୀୟ ସାହିତ୍ୟ ସଂସ୍କୃତିର ଉଦ୍‌ଗାତା । ସଚ୍ଚା ଭାରତୀୟ । ପୌରାଣିକ ଆଖ୍ୟାୟିକାକୁ ନୂତନ ଜୀବନ୍ୟାସ ଦେଇ ମହତ୍ତମ କରିବାରେ କବିଙ୍ଗର ପାରଦର୍ଶିତା ପରିଦୃଷ୍ଟ ହୁଏ । ତାଙ୍କ ତପସ୍ୱିନୀ, ଅହଲ୍ୟାସ୍ତବ, କୀଚକବଧ, ପ୍ରଣୟବଲ୍ଲରୀ, ପଦ୍ମିନୀ, ଇନ୍ଦୁମତୀ ଇତ୍ୟାଦିରେ ସୀତା ଅହଲ୍ୟା, ଦ୍ରୌପଦୀ, ଶକୁନ୍ତଳା, ଗଣ୍ଡକୀ, ଇନ୍ଦୁମତୀ ପ୍ରଭୃତିଙ୍କୁ ଆଦର୍ଶ ନାରୀରୂପେ ପ୍ରଖ୍ୟାପିତ କରିଛନ୍ତି । ଭାରତୀୟ ନାରୀ ଭିତରେ ସଚା ପତିଭକ୍ତ, ସଚ୍ଚାପ୍ରେମ, ସତ ସାହସ, ଦୃଢ଼ ଆତ୍ମପ୍ରତ୍ୟୟ ଆତ୍ମାଭିମାନ ଓ ସମ୍ପୂର୍ଣ୍ଣ ସମର୍ପଣ ଭାବ ବିକଶିତ କରାଇବା ଦ୍ୱାରା ମେହେର ସାହିତ୍ୟ କାଳଜୟୀ ହୋଇପାରିଛି । ଜଳରେ ତୈଳ ବିନ୍ଦୁ ଗୋଟିଏ କେନ୍ଦ୍ରରୁ ଚତୁର୍ଦ୍ଦିଗକୁ ସଂପ୍ରସାରିତ ହେଲା ପରି ତାଙ୍କର ଉତ୍କଳଲକ୍ଷ୍ମୀ, ମାତୃଭୂମି, ଭାରତୀଭାବନା, ଉଦ୍‌ବୋଧନ, ମଳୟ ଆବାହନ ନବବର୍ଷ ପ୍ରଭୃତି କବିତାରେ ଦେଶାତ୍ମବୋଧ ଓ ଜାତୀୟ ମନୋଭାବ ସୁସ୍ପଷ୍ଟ ।

 

ମେହେର ହେଉଛନ୍ତି ଦୀନ ଦରିଦ୍ର ଅସହାୟର କବି । ଶୋଷିତ କବି । ଅନ୍ୟାୟର ପ୍ରତିବାଦ କରୁଥିବା କବି । ଶାସନ କାଳେ କାଳେ ଭୁଲ କରେ । ପ୍ରଜାମାନେ ଦଳଦଳ ହୋଇ ଯଦି ଗୋଟିଏ ମିଥ୍ୟାକଥାକୁ ଦୋହାରାନ୍ତି ତେବେ ତାହା ସତ୍ୟବୋଲି ପ୍ରତୀତ ହୁଏ । ଆଉ ସେହି ସତ ପାଖରେ ସୀତାଙ୍କ ପରି ସରଳ, ଅସହାୟ ନିରୀହ ନର୍ଦ୍ଦୋଷ ପ୍ରଜାମାନେ ବଳି ପଡ଼ନ୍ତି, କୀର୍ତ୍ତିଲିପ୍‌ସୁରାଜାମାନଙ୍କ ପାଖରେ ! ଅନ୍ୟାୟ ଅସହିଷ୍ଣୁ ମେହେର ଅତି ଚତ୍ମକାର ଭାବରେ ଏହି ନର୍ମମ ଅନୁଭୂତି ବ୍ୟକ୍ତି କରି ଲେଖନ୍ତି :

 

ମିଥ୍ୟା କଥା ଯେବେ ପ୍ରଜାଏ କହିବେ

ମେଳ ହୋ ଶତ ଶତ

ମିଥ୍ୟା ଜାଣି ଜାଣି ତାଙ୍କୁ ମାନିମାନି

ବୋଲାଯାଏ ସତସତ ।

(ତପସ୍ୱିନୀ)

 

ସ୍ୱାର୍ଥର ଯୂପକାଠରେ ନୀତିକୁ ବଳିଦେବାର ଦେଖି ମେହେର କ୍ଷୋଭ ପ୍ରକାଶ କରିଥିଲେ । ସେ ଥିଲେ ମାନବବାଦୀ ଦରଦୀପ୍ରାଣ କବି । ସାଧାରଣ ମଣିଷର ହସଲୁହ ଶୋଷଣକଷଣ ପ୍ରତି ସେ ଶାଣିତଦୃଷ୍ଟି ରଖୁଥିଲେ । ସମାଜରୁ ସମସ୍ତ ଦୋଷଦୁର୍ବଳତା, ଅନୀତି ଭ୍ରଷ୍ଟାଚାର ଦୂରହେଉ ସମାଜ ଶୁଦ୍ଧ ନିର୍ମଳ ହେଉ ବୋଲି କ୍ରାନ୍ତିକାରୀ କବି ଇଚ୍ଛା କରୁଥିଲେ । ତାଙ୍କର ସେହି ଅନ୍ତର୍ବେଦନା ବ୍ୟଙ୍ଗାତ୍ମକ ଢଙ୍ଗରେ ପ୍ରକାଶିତ ହୁଏ :

 

ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା

ଖାଉଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା

କରୁଥାଏ କ୍ଷମତାର ଅପବ୍ୟବହାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମଅବତାର ।।

(ଅର୍ଘ୍ୟଥାଳୀର ତାକୁ ମଧ୍ୟ ବୋଲିଥାନ୍ତି ଧର୍ମାବତାର)

 

ମେହେର ଥିଲେ ଆଦର୍ଶର କବି । ସ୍ୱାଧୀନଚେତା ସ୍ୱତନ୍ତ୍ର । ଉଚ୍ଚମନା । ଅନ୍ୟଠାରୁ ଅମାନବିକ ବ୍ୟବହାର ଓ ଶାସକର ଅକ୍ରୋଶର ଶିକାରରେ ପେଷି ହୋଇଗଲେ ମଧ୍ୟ ସେ ମାନବୋଚିତ ଆଦର୍ଶରୁ ବିଚ୍ୟୁତ ହୋଇ ନ ଥିଲେ । ସେଥିପାଇଁ ସେ ସ୍ୱଭାବକବି । ସେ ଥିଲେ ପ୍ରାଚ୍ୟ ଚିନ୍ତାଧାରାରେ ଦୀକ୍ଷିତ ଓ ଅମୃତାୟିତ । କବିଙ୍କ ଚରିତ୍ର ବିଷୟ ସୂଚନା ଦେଇ ପଣ୍ଡିତ ରାଘବମିଶ୍ର କହନ୍ତି:- ବିନୟ, ଦୟା, କ୍ଷମା, ସହିଷ୍ଣୁତା, ସନ୍ତୋଷ, ସ୍ୱାର୍ଥତ୍ୟାଗ, ଗୁଣଗ୍ରାହୀତା, ଚିତ୍ତଶାନ୍ତି, ମଧୁରାଳାପ ଓ ଈଶ୍ୱରନିର୍ଭର ଭାବ ତାଙ୍କର ମଧୁମୟ କବି ଅଧିକତର ଗୌରାବନ୍ୱିତ କରିଥିଲା । ଉପନିଷଦୀୟ ମନ୍ତ୍ରରେ କବିର ଏହିପରି ଅଠାଇଶ ଗୁଣଥିବା କଥା କୁହାଯାଇଛି । ଏହା କହିବା ଅନାବଶ୍ୟକ ଯେ ଗଙ୍ଗାଧର ମେହେର ଏ ସମସ୍ତଗୁଣର ଅଧିକାରୀ ଥିଲେ । ଶାସ୍ତ୍ର ବର୍ଣ୍ଣିତ ସର୍ବଶ୍ରେଷ୍ଠ ଗୁଣ ହେଉଛି ପରହିତସାଧନ । ଲୋକକଲ୍ୟାଣ ସାଧନାର ଚିତ୍ର କବି ପ୍ରକୃତିରୁ ନିରୀକ୍ଷଣ କରି ପ୍ରକାଶ କରନ୍ତି ଯେ ସାଗରରୁ ଜଳ ବାଷ୍ପ ଆକାରରେ ଉପରକୁ ଉଠେ । ପରୋପକାର ସାଧନ କରି ପୁନରାୟ ସମୁଦ୍ରଗାମୀ ହୁଏ । ବନଗମନର ପ୍ରାକ୍କାଳରେ ରାମଚନ୍ଦ୍ର ସୀତାଙ୍କୁ ଏହି କଥା ବୁଝାଇଥିଲେ :

 

ସାଗର ସଲିଳ ଉଠି ଘନହୁଏ ନଭେ

ଲୋକହିତ ସାଧିପଶେ ସାଗର ଗରଭେ ।।

 

ସ୍ୱଭାବ କବିଙ୍କର ଭାବ ପରିବେଷଣ ଶୈଳୀ ଅତ୍ୟନ୍ତ ରୁଚିସମ୍ପନ୍ନ, ମାର୍ଜିତ ଓ ଓଜଗୁଣଯୁକ୍ତ କବି । ତଥା ସମାଲୋଚକ ଡଃ. ମାୟାଧର ମାନସିଂ ମେହେରଙ୍କ କବିତ୍ୱ ସମ୍ପର୍କରେ ଲେଖନ୍ତି : ‘‘ରାଧାନାଥଙ୍କ ଅର୍ଥର ପ୍ରାଞ୍ଜଳତା ସଙ୍ଗେ ଭଞ୍ଜୀୟ ଛାନ୍ଦମାଧୁର୍ଯ୍ୟର ମଧୁର ମିଳନ ଘଟିଛି ମେହେରଙ୍କ ଲେଖନୀରେ । ଶବ୍ଦ ଚାତୁର୍ଯ୍ୟ ଅଛି ଅଥଚ ଅକାରଣ ଶବ୍ଦାଡମ୍ବର ନାହିଁ । ପ୍ରାଚୀନ ଲିଖନ ରୀତି ଭିତରେ ନବଯୁଗର ଆଦର୍ଶର ମନୋଜ୍ଞ ଚିତ୍ରଣ ଏବଂ ପ୍ରାଚୀନ ଆଦର୍ଶକୁ ନବଯୁଗର ରୁଚି ଅନୁକୂଳ କରି ପରିସ୍ଫୁଟନ- ଏ ସମସ୍ତ ଗଙ୍ଗାଧରଙ୍କ ମୌଳିକତାର ଚିହ୍ନ । ସେ ନିଜେ ନିଜର ଗୁରୁ ।’’ ପଲ୍ଲୀକବି ନନ୍ଦକିଶୋର ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇ ଲେଖନ୍ତି : ‘‘ଗଙ୍ଗାଧରଙ୍କ ରଚନା ଯେପରି ପ୍ରାଞ୍ଜଳ ସେପରି ଅଳଙ୍କୃତ । ଆଧୁନିକ ଭାବର ପୁରାତନ ଭଙ୍ଗୀର ମଣିକାଞ୍ଚନ ଯୋଗ ।’’ ପରମ୍ପରା ଆଉ ପ୍ରଗତି ସଂଘର୍ଷରେ କବି ଚାହିଁଛନ୍ତି ପରମ୍ପରାର ମର୍ଯ୍ୟାଦା କିନ୍ତୁ ପ୍ରଗତିର ସେ ବିରୋଧ କରିନାହାନ୍ତି । ନହେଲେ ସେ ଲେଖି ନଥାନ୍ତେ:

 

ନାନା ଦେଶୁ ଆଣି ତରୁବଲ୍ଲୀମାନ

ରୋପଣ କର ମୋ ଉଦ୍ୟାନଗର୍ତ୍ତେ

ଉଦ୍ୟାନ କରିବ ସୁଫଳ ପ୍ରଦାନ

ଭୁଞ୍ଜିବ ସୁଖେ ମୋ ନନ୍ଦନ ସର୍ବେ ।

 

୧୯୨୪ ମସିହା ଅପ୍ରେଲ ଚାରି ତାରିଖ ଚୈତ୍ର ଅମାବାସ୍ୟା ରାତ୍ରିରେ ୬୧ ବର୍ଷ ଆଠ ମାସ ବୟସରେ ଶ୍ରବଣ-ସୁଖଦାୟୀ ଶବ୍ଦଶିଳ୍ପୀ ଓ ବିଦଗ୍‌ଧ କାବ୍ୟ ଚିତ୍ରକରଙ୍କ ଜୀବନଦୀପ ନିର୍ବାପିତ ହୋଇଥିଲା । ତାଙ୍କ ହୃଦୟର ଆବେଗ ଓ ପ୍ରାଣର ଭାଷାର ପ୍ରମୂର୍ତ୍ତ ହୋଇଛି ତାଙ୍କ କୃତିଗୁଡ଼ିକରେ । ମାନସିଂ କହନ୍ତି: ‘‘ରଙ୍ଗାଜୀବ ଗଙ୍ଗାଧର । ଯାହା ସେ ହାତକୁ ନେଇଛନ୍ତି ନିଜ ତୂଳିକାରେ ବର୍ଣ୍ଣବୈଭବରେ ତାକୁ ମହିମାନ୍ୱିତ ଓ ମାଧୁର୍ଯ୍ୟମଣ୍ଡିତ କରି ରଖିଯାଇଛନ୍ତି । ସେ ପ୍ରକୃତରେ ବାଣୀ-ପଦ-ପଦ୍ମ-ଜୀବୀ-ରାଜହଂସ ।’’ ସେ ଥିଲେ ଓଡ଼ିଆ ଜାତିର ଯଥାର୍ଥ ପ୍ରତିନିଧି । ସେହି ପ୍ରତିଭାଶାଳୀ କବିଙ୍କର ଜୀବନ ଓ ସାହିତ୍ୟ ମଧ୍ୟରେ କୌଣସି ପ୍ରକାର ତଫାତ ନଥିବାରୁ ସେ ଆଜି ଅଗଣିତ ପାଠକଙ୍କ ହୃଦୟ ସିଂହାସନରେ ଅଧିଷ୍ଠିତ ହୋଇପାରିଛନ୍ତି ।

 

 

କ୍ୱା.ନଂ. ସି/୨୨/୧, ନାଲକୋ,

ଦାମନଯୋଡ଼ି, କୋରାପୁଟ-୭୬୩୦୦୮

 

ସହାୟକ ପୁସ୍ତକସୂଚୀ :

୧.

ପ୍ରଣୟ ବଲ୍ଲରୀ ଓ ଗଙ୍ଗାଧର, ଶ୍ରୀ ଅସିତ କବି ୧୯୭୨ ।

୨.

ତପସ୍ୱିନୀ ଓ ମେହେର ସାହିତ୍ୟ, ଶ୍ରୀ ଗୌରୀକୁମାର ବ୍ରହ୍ମା, ୧୯୭୮ ।

୩.

‘ସମାଜ’ରେ ପ୍ରକାଶିତ ନାନା ପ୍ରବନ୍ଧ ।

 

***

 

ରସରତ୍ନାକର ଓ ଗଙ୍ଗାଧର

ଶେଷ ମେହେର

 

୧୯୧୪ ମସିହା ସେପ୍ଟେମ୍ବର ପରେ ପଦ୍ମପୁର ଠାରେ ଅବସ୍ଥାନ କରୁଥିବା ବେଳେ ସ୍ୱଭାବକବି ଗଙ୍ଗାଧର ନିଜ ଆତ୍ମଜୀବନୀରେ ଲେଖିଛନ୍ତି, ‘‘ସ୍କୁଲ ଛାଡ଼ିଲାରୁ ଲାବଣ୍ୟବତୀ, ସୁଭଦ୍ରା ପରିଣୟ, ରସିକ ହାରାବଳୀ ଓ ବୈଦେହୀଶ ବିଳାସର କେତେକାଂଶ ସାଧାରଣ ଭାବରେ ଦେଖିଥିଲି । ସେହିପରି ରସକଲ୍ଲୋଳ ମଧ୍ୟ ଦେଖିଲି । ପ୍ରଥମେ ଛୋଟ ଛୋଟ କେତୋଟି କବିତା ପୁର୍ବଧରଣର ଲେଖିଥିଲି । ତନ୍ମଧ୍ୟରେ ‘ରସ-ରତ୍ନାକର’ ବଡ଼ ।’’ (୧) କବିଙ୍କ ଏଇ ସ୍ୱୀକାରୋକ୍ତିରୁ ଏହା ସୁସ୍ପଷ୍ଟ ଯେ ‘ରସରତ୍ନାକର’ ରୀତିଯୁଗୀୟ କାବ୍ୟାଦର୍ଶ ଓ ଶୈଳୀ ଅନୁଯାୟୀ ରଚିତ ହୋଇଛି ।

 

କବି ନିଜେ ଓ ଗଙ୍ଗାଧର ସାହିତ୍ୟର ସମାଲୋଚକମାନେ ଏହି କାବ୍ୟକୁ ରୀତିଯୁଗୀୟ କାବ୍ୟ ଭାବରେ ଗ୍ରହଣ କରିଛନ୍ତି । ମାତ୍ର ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଉଛି, ରୀତିକାବ୍ୟ ଭାବେ ଗୃହୀତ ହୋଇଥିବା ‘ରସରତ୍ନାକର’ରେ ଆଧୁନିକତାର ଆଭାସ ରହିଛି । କାବ୍ୟର ଆଧୁନିକତା ସମ୍ପର୍କରେ ସ୍ୱଂୟ ଲେଖକ ମଧ୍ୟ ସଚେତନ ନଥିଲେ । ସେଥିପାଇଁ ସେ ନିଜ ଆତ୍ମଜୀବନୀରେ ଉପରୋକ୍ତ ସ୍ୱୀକାରୋକ୍ତି କରିଛନ୍ତି । କବିଙ୍କ ଏଇ ସ୍ୱୀକାରୋକ୍ତି କରଣରୁ ଗଙ୍ଗାଧର ସାହିତ୍ୟର ସମାଲୋଚକମାନେ ମଧ୍ୟ ଏ ସମ୍ପର୍କରେ ସଚେତନ ହୋଇନାହାନ୍ତି । କାବ୍ୟର ଆଧୁନିକତା ତାଙ୍କ ଦୃଷ୍ଟିପଥାରୂଢ଼ ହୋଇନାହିଁ ।

 

ଆଧୁନିକତା କେବଳ ବାହ୍ୟସଂସ୍ପର୍ଶରୁ ଆସେନାହିଁ, ଆସେ ବ୍ୟକ୍ତିର ଚେତନା ଭିତରୁ, ବ୍ୟକ୍ତିଗତ ଅବରୋଧରୁ । ତା’ ସମ୍ପର୍କରେ ବ୍ୟକ୍ତି ସଚେତନ ହେଉ ବା ନ ହେଉ ଆଧୁନିକତା ଆସେ-। ପ୍ରଚଳିତ ଧାରାକୁ ଭାଙ୍ଗି କିଛି ନୂତନ କରିବାର ଆକାଂକ୍ଷା ମଣିଷ ଅନ୍ତରରେ ନିହିତ ଥାଏ । ଗଙ୍ଗାଧରଙ୍କ ଅନ୍ତର୍ନିହିତ ଏଇ ବାସନା ବଳରେ ରସ-ରତ୍ନାକର ସମ୍ପୂର୍ଣ୍ଣ ନ ହେଲେ ମଧ୍ୟ କେତେକାଂଶରେ ରୀତିକାବ୍ୟାଦର୍ଶୀ ସୀମା ଅତିକ୍ରମ କରି ଆଧୁନିକ ମାନସିକତାକୁ ସ୍ପର୍ଶ କରିଛି ।

 

ରୀତିଯୁଗୀୟ କାବ୍ୟଶୈଳୀ ଅନୁଯାୟୀ କାବ୍ୟଟି ରଚିତ ହୋଇଥିବା ସତ୍ତ୍ୱେ ଏଥିରେ ଏମିତି କିଛି ମୌଳିକତା ରହିଛି, ଯାହାକୁ ଆମେ ଗଙ୍ଗାଧର ଚେତନାର ମନୋଜ୍ଞ ପ୍ରକାଶ ଭାବରେ ଗ୍ରହଣ କରିପାରିବ । ସାଧାରଣ ଭାବରେ ଦେଖିଲେ ଏହି କାବ୍ୟର ସେଇ ବିଶେଷତ୍ୱଗୁଡ଼ିକ ଆଖିରେ ପଡ଼ି ନ ପାରେ । ମାତ୍ର ଅଳ୍ପସମୟ ନିରବ ରହି ସୂକ୍ଷ୍ମ ଦୃଷ୍ଟି ନେଇ ଗଭୀର ଭାବରେ ଚିନ୍ତାକଲେ ଗଙ୍ଗାଧରଙ୍କ ଚେତନାର ମାର୍ମିକ ପରିପ୍ରକାଶକୁ ଅନୁଭବ କରିହୁଏ ।

 

ଜଣେ କବି ଲେଖକ ତା’ର ରଚିତ ସାହିତ୍ୟ ଭିତରେ ମାନବ ଜୀବନର କେଉଁ ଉପଲବ୍ଧିକୁ ପ୍ରକାଶ କରିବ, ତାହା ନିର୍ଣ୍ଣୟ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ସେଇ ବିଷୟ ନିର୍ବାଚନ ସାହିତ୍ୟିକର ବ୍ୟକ୍ତିତ୍ୱର ପରିଚାୟକ । ରସରତ୍ନାକର କାବ୍ୟରେ ଗଙ୍ଗାଧର କେଉଁ ବିଷୟକୁ ଲେଖିବେ ଏବଂ କାହାକୁ ପରିତ୍ୟାଗ କରିବେ ତାହା ଚୟନ କରିଛନ୍ତି ଚମତ୍କାର ଭାବରେ । ଖୁବ୍ ଅଳ୍ପ ବୟସରେ କାବ୍ୟଟିକୁ ଗଙ୍ଗାଧର ରଚନା କରିଥିଲେ ମଧ୍ୟ ତାଙ୍କ ଚେତନାର ପ୍ରକୃତ ପ୍ରକାଶ ରହିଛି କାବ୍ୟରେ । ରସରତ୍ନାକର କାବ୍ୟର ସମସ୍ତ ଗତାନୁଗତିକତା, ପାରମ୍ପରିକତା, ପାରମ୍ପରିକତା ସତ୍ତ୍ୱେ ଏଇ ବିଷୟ ଚୟନ ହିଁ ତା’ର ମୌଳିକତାର ପ୍ରକୃତ ପରିଚୟ ।

 

ଗଙ୍ଗାଧର ତାଙ୍କ ସମଗ୍ର ସାହିତ୍ୟରେ ସତ୍ୟ, ଶିବ ଓ ସୌନ୍ଦର୍ଯ୍ୟକୁ ଲେଖିଛନ୍ତି । ମଣିଷ ଜୀବନର ମହତ୍ତର ଉପଲବ୍ଧି ତାଙ୍କ ସାହିତ୍ୟରେ ପ୍ରକାଶିତ । ଯେଉଁ ଅନୁଭବର ପ୍ରକାଶ ଫଳରେ ଜୀବନ ଓ ସମାଜ କଳୁଷିତ ହେବାର ଆଶଙ୍କା କରିଛନ୍ତି, ସେସବୁ ବର୍ଣ୍ଣନାକୁ କାବ୍ୟରୁ ସେ ବାଦ୍ ଦେଇଛନ୍ତି । ତାଙ୍କ ସାହିତ୍ୟରେ ତେଣୁ ପବିତ୍ରତା ଓ ଶୁଦ୍ଧତାର ମହିମ୍ନ ସ୍ପର୍ଶ ରହିଛି । ସମାଲୋଚକ ଡ. ମଣିନ୍ଦ୍ରକୁମାର ମେହେର ଗଙ୍ଗାଧରଙ୍କ ନାମୋଚ୍ଚାରଣରେ ପାଠକ ପବିତ୍ରତା ଓ ଶୁଦ୍ଧତାର ଏକ କୋମଳ ସ୍ନିଗ୍ଧ ସ୍ପର୍ଶ ଅନୁଭବ କରୁଥିବା କଥା ଯାହା ଉଲ୍ଲେଖ କରିଛନ୍ତି ତାହା ଏ ପ୍ରସଙ୍ଗରେ ପ୍ରସଙ୍ଗିକ ମନେହୁଏ । (୨) ଗଙ୍ଗାଧର ନିଜ ସାହିତ୍ୟରେ ତାଙ୍କ ବିବେକର ବାଣୀକୁ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି । ଆଲୋଚ୍ୟ କାବ୍ୟଟିକୁ କବି ଖୁବ ଅଳ୍ପ ବୟସରେ ଲେଖିଥିଲେ ମଧ୍ୟ ଏଥିରେ ତାଙ୍କ ବିବେକର ବାଣୀ ପ୍ରକାଶିତ ହେବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ମୁଖତଃ ତିନୋଟି ପ୍ରସଙ୍ଗକୁ ଭିତ୍ତି କରି ରସ-ରତ୍ନାକରର ଆଧୁନିକତା ସମ୍ପର୍କରେ ବିଚାର କରାଯାଇପାରିବ । ସେ ପ୍ରସଙ୍ଗ ତିନୋଟି ହେଉଛି କାବ୍ୟରେ ସମ୍ଭୋଗ ଶୃଙ୍ଗାର, ବିପ୍ରଲମ୍ବ ଶୃଙ୍ଗାର ବା ବିରହ ଓ ଈଷ୍ଟବନ୍ଦନା ।

 

ନାୟକ ନାୟିକାଙ୍କର ଶାରୀରିକ ସମ୍ଭୋଗ ଦୃଶ୍ୟର ଟିକିନିଖି ନଗ୍ନ ବର୍ଣ୍ଣନା ପ୍ରାୟ ସମସ୍ତ ରୀତିକାବ୍ୟମାନଙ୍କର ଏକ ଅବିଚ୍ଛିନ୍ନ ଅଂଶ । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ ଦାସ, ନରସିଂହ ସେଣ, ଧନଞ୍ଜୟ ଭଞ୍ଜ ପ୍ରମୁଖ କବିଙ୍କ କାବ୍ୟରେ ନାୟକ ନାୟିକାଙ୍କର ଶାରୀରିକ ମିଳନର ବିସ୍ତୃତ ବର୍ଣ୍ଣନା ରହିଛି । ସେସବୁ କାବ୍ୟ ପଢ଼ିଲେ ପାଠକର ସ୍ୱତଃ ହୃଦବୋଧ ହୁଏ ଯେ, ଶାରୀରିକ ସମ୍ଭୋଗ ଦୃଶ୍ୟର ଟିକିନିଖି ବର୍ଣ୍ଣନା ଭିନ୍ନ ରୀତିକାବ୍ୟ ସମ୍ଭବ ହିଁ ନୁହେଁ । ମଧ୍ୟଯୁଗୀୟ ସାହିତ୍ୟରେ ନାୟକ ନାୟିକାଙ୍କର ମିଳନ ପର୍ବର ଏତେ ନିଖୁଣ ନଗ୍ନ ବର୍ଣ୍ଣନା କରାଯାଇଛି ଯେ, ଅନେକ ସମାଲୋଚକ ତାକୁ ସାହିତ୍ୟର ମାନ୍ୟତା ନଦେଇ ପର୍ଣ୍ଣୋଗ୍ରାଫି ବୋଲି କହିଛନ୍ତି । ତେବେ ରୀତିଯୁଗୀୟ କବିବୃନ୍ଦୀୟ କେଉଁ ଚିନ୍ତିାଧାରାର ପ୍ରେରଣା-ପରିଚାଳିତ ହୋଇ ସେମାନଙ୍କ କାବ୍ୟରେ ଏଭଳି ଦୃଶ୍ୟବର୍ଣ୍ଣନା କରୁଥିଲେ ତାହା ସ୍ୱତନ୍ତ୍ର ଗବେଷଣାର ବିଷୟ ।

 

ଏହି କାବ୍ୟରେ ମଧ୍ୟ ନାୟକନାୟିକାଙ୍କର ସମ୍ଭୋଗଶୃଙ୍ଗାର ଓ ଦୈହିକ ମିଳନ ବର୍ଣ୍ଣନାର ବ୍ୟାପକ ସୁଯୋଗ ରହିଛି । କବି ଚାହିଁଥିଲେ ସେଇ ମିଳନର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା ଅନାୟସରରେ କରିପାରିଥାନ୍ତେ । ମାତ୍ର ଏହାଦ୍ୱାରା ହେବ କ’ଣ ? ସମାଜର ଲାଭ କ’ଣ ? ଏହାକେବଳ ମାତ୍ର ଏକ ଉଷ୍ଣ ମାନବୀୟ ଉପଲବ୍ଧି ଆଣିଦେବ ପାଠକ ପ୍ରାଣରେ । ତେଣୁ କବି ସ୍ୱତଃପ୍ରବୃତ୍ତ ଓ ସଚେତନ ଭାବରେ କାବ୍ୟରୁ ଏହି ବର୍ଣ୍ଣନାକୁ ବାଦ୍ ଦେଇଛନ୍ତି । ଏହାଦ୍ୱାରା କବି ଗଙ୍ଗାଧର ଜଣେ ଲେଖକର ସାମାଜିକ ସମ୍ପର୍କରେ ସଚେତନ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଫକୀରମୋହନଙ୍କ ଉପନ୍ୟାସ ଓ ଗଳ୍ପରେ ଲେଖକର ଯେଉଁ ସାମଜିକ ଦାୟିତ୍ୱ ଓ ପ୍ରଦିବଦ୍ଧତା ରହିଛି, ଗଙ୍ଗାଧରଙ୍କ ରସରତ୍ନା‌କରରେ ମଧ୍ୟ ସେଇ ସାମାଜିକ ପ୍ରତିବଦ୍ଧତା ରହିଛି । ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ୱର ଦାୟରେ ଗଙ୍ଗାଧର ରସରତ୍ନା‌କରରୁ ସମ୍ଭୋଗ ଶୃଙ୍ଗାର ବର୍ଣ୍ଣନା ପ୍ରସଙ୍ଗରେ ନାୟକ ନାୟିକାଙ୍କର ଶାରୀରିକ ମିଳନ ଦୃଶ୍ୟର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନାକୁ ବାଦ ଦେଇଉନ୍ତି ।

 

କାବ୍ୟର ପଞ୍ଚମ ଛାନ୍ଦରେ ନାୟକ ନାୟିକାଙ୍କର ସମ୍ଭୋଗ ଦୃଶ୍ୟର ବର୍ଣ୍ଣନା ରହିଛି । କବି ସେଇ ବର୍ଣ୍ଣନାକୁ ଖୁବ୍‌ସଂକ୍ଷିପ୍ତ ଓ ସୂଚନାତ୍ମକ ରରିଛିନ୍ତି । କବିଙ୍କ ବିବେକ ବାଧା ଦେଇଛି ଦୈହିକ ମିଳନର ନଗ୍ନ ବର୍ଣ୍ଣନା କରିବା ପାଇଁ । ଏହି ବର୍ଣ୍ଣନା ପାଠ କରିବା ଦ୍ୱାରା ପାଠକରେ ମାନସରେ ଯୌନାକର୍ଷଣ ଓ ଚିତ୍ତବିକୃତି ସୃଷ୍ଟି ହେବ, ଯାହା ସମାଜ ପାଇଁ ଅକଲ୍ୟାଣକର ହୋଇପାରେ । ତେଣୁ ସମାଜ ପାଇଁ ଅକଲ୍ୟାଣକର ସିଦ୍ଧ ହେଉଥିବା ବା ସମାଜ ପାଇଁ ଅମଙ୍ଗଳକର ମନେ ହେଉଥିବା ଏହି ବର୍ଣ୍ଣନାକୁ କବି କାବ୍ୟରୁ ବାଦ୍‌ ଦେଇଛନ୍ତି ।

 

ଏହା ସଂସ୍କାରଧର୍ମୀ ଯୁଗର ଆହ୍ୱାନ ହୋଇପାରେ । କାରଣ ୧୮୬୦ ପରବର୍ତ୍ତୀ ସମୟରେ ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ପ୍ରଭୃତିଙ୍କ ନେତୃତ୍ୱରେ ଭାରତରେ ସମାଜ ସଂସ୍କାର ଆନ୍ଦୋଳନ ଆରମ୍ଭ ହୋଇଥିଲା । ତେବେ ସେତେବେଳେ ଏହା ପଶ୍ଚିମ ଓଡ଼ିଶାରେ କିଭଳି ଚାଲିଥିବା ତାହା ସମ୍ପୂର୍ଣ୍ଣ ଭାବରେ ଜଣା ନ ଗଲେ ମଧ୍ୟ ସ୍କୁଲ ଓ ସ୍କୁଲର ଶିକ୍ଷକମାନକଙ୍କ ମାଧ୍ୟମରେ ପଶ୍ଚିମ ଓଡ଼ିଶାରେ ଏହି ଚେତନା ପହଞ୍ଚିଥିବା ଆଦୌ ଅସମ୍ଭବ ନୁହେଁ-

 

କାବ୍ୟରେ ଚିତ୍ରଲେଖା ଅନିରୁଦ୍ଧଙ୍କୁ ତାଙ୍କ ଶୟନ ମନ୍ଦନିରରୁ ସିଦ୍ଧବିଦ୍ୟା ବଳରେ ଆଣି ଉଷାର ଶୟନ ମନ୍ଦିରରେ ପହଞ୍ଚାଇ ଦେଇଛି ଏବଂ ‘ରଙ୍ଗେ’ ଭୋଗକର ନାଗର ହେ’ କହି କବାଟ କିଳି ଦେଇଛି । ପରବର୍ତ୍ତୀ ସମୟରେ ନାୟକ ନାୟିକାଙ୍କର ହୋଇଛି ମିଳନ । ଏହି ମିଳନ ବର୍ଣ୍ଣନା ପାଇଁ କବି ଲେଖିଛନ୍ତି ମାତ୍ର ଛଅଟି ପଦ । ପଣୁ ସେ ମଧ୍ୟରୁ ମାତ୍ର ଗୋଟିଏ ପଦରେ ଦୈହିକ ମିଳନ ପ୍ରକାଶିତ ହୋଇଛି । ଏହି କ୍ଷେତ୍ରରେ ଯଦି ଅନ୍ୟ କୌଣସି ରୀତିକବି ହୋଇଥାନ୍ତେ ତା’ ହେଲେ ପ୍ରାୟ ଗୋଟିଏ ଛାନ୍ଦ ବିସ୍ତୃତ ଭାବରେ ନାୟକ ନାୟିକାଙ୍କର ମିଳନର ପୂର୍ବାଭିସାର, ଚାଟୁବାଣୀ, ନଖକ୍ଷତ, ଚୁମ୍ୱନ ଓ ମିଳନ ଆଦି ବର୍ଣ୍ଣିତ ହୋଇଥାନ୍ତା ! ମାତ୍ର ଗଙ୍ଗାଧର ନିମ୍ନପ୍ରକାରେ ସଂକ୍ଷିପ୍ତରେ ବର୍ଣ୍ଣନା କରିଛିନ୍ତି-

 

‘‘ରତିସୁତ ଆଣି ଶିରୀଷ-ଦେହୀକୁ

ବସାଇ ଜାନୁ ଉପର,

ରଚି ଚାଟୁବାଣୀ ହେମରୁଚି-ଗଣ୍ତେ

ବିହିଲା ଚୁମ୍ୱନ ସାର ।

x       x      x      x

ରସିକା ରସିକ ମଦନବାଣରେ

ହୋଇଣ ଅତି ଆତୁର,

ରହିଲେ ସେ ଦିବ୍ୟ ପଲ୍ୟଙ୍କ ଉପରେ

ନାନ ରଂଗେ ରତିସାର ।’’ (୩)

 

ସମ୍ଭୋଗ ଶୃଙ୍ଗାରର ଏଇ ସଂକ୍ଷିପ୍ତ ବର୍ଣ୍ଣନା ଯୋଗୁଁ ସମାଲୋଚକ ଗୋବିନ୍ଦଚନ୍ଦ୍ର ଉଦ୍‌ଗାତା କବିଙ୍କୁ ଶୃଙ୍ଗାର ବର୍ଣ୍ଣନା ପାଇଁ ଅଯୋଗ୍ୟ ବୋଲି ମତ ଦେଇଲେଖିଛନ୍ତି, ‘‘ଗଙ୍ଗାଧରଙ୍କ ଦୈନ୍ୟ ଜୀବନ ବିଳାସର ପରିପନ୍ଥୀ ଥିଲା । ସେହିପରି ତାଙ୍କ ନୈତିକ ଜୀବନ ମଧ୍ୟ ବିଳାସ-ଭାବନାକୁ ଗୋପନ ରଖିବାର ହିଁ ଥିଲା ଅନୁକୂଳ । x x x x ଏ ଧରଣର ପ୍ରତିଭା ରୀତିକାଳୀନ ଶୃଙ୍ଗାର ବର୍ଣ୍ଣନା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ କହିଲେ ଚଳିବ । ତେଣୁ ରସରତ୍ନାକରର ବର୍ଣ୍ଣନାର ସଂକ୍ଷେପରେ ଯୋଗୁଁ ଶୃଙ୍ଗାର-ରସ-ଚିତ୍ର ଯେପରି ବିକଳାଙ୍ଗ ହୋଇଛି ତାହା ‘ରସ-ରତ୍ନାକର’ର ଅପର ମୁଖ୍ୟ ଦୁର୍ବଳତା ।’’ ( ୪ )

 

ରୀତିକାବ୍ୟାଦର୍ଶ ଦୃଷ୍ଟିରୁ ରସରତ୍ନାକରର ସଫଳତା ବିଫଳତା ନିର୍ଣ୍ଣୟ କରିବା ବେଳେ ଶୃଙ୍ଗାର ରସ-ଚିତ୍ରର ସଂକ୍ଷେପଣ କାବ୍ୟର ଅପର ମୁଖ୍ୟ ଦୁର୍ବଳତା ହୋଇପାରେ ମାତ୍ର ଏଥିପାଇଁ କବିଙ୍କୁ ସମ୍ପୂର୍ଣ୍ଣ ଅଯୋଗ୍ୟ କହିବା ପୂର୍ବରୁ ତାକୁ ପୁଣିଥରେ ଭଲ ଭାବରେ ବିଚାର କରିବାକୁ ପଡ଼ିବ-। ବିଳାସ ଭାବନକୁ ପରିହାର କରିବା କିମ୍ଭା ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରିବାର କାରଣ ଯଦି କବିର ବୈଦିକ ଜୀବନ ଯାପନ, ତେବେ ସେଇ କବିଙ୍କୁ ଆମେ ଅଯୋଗ୍ୟ ବୋଲି କହିପାରିବା କିପରି ? ବରଂ ସେଥିରେ କବିଙ୍କ ଅନ୍ତଚେତନା ପ୍ରକାଶକୁ ଉପଲବ୍‌ଧି କରାଯାଇପାରେ ।

 

ଏହି ସଂକ୍ଷିପ୍ତ ଓ ସୂଚନାତ୍ମକ ବର୍ଣ୍ଣନାରୁ କବିଙ୍କ ଆଧୁନିକ ମାନସିକତାକୁ ଠିକ୍‌ ଭାବେ ଉପଲବ୍‌ଧି କରିହୁଏ । ଭାରତୀୟ ଆଦର୍ଶ ଓ ସଂସ୍କୃତି ଦ୍ୱାରା ଅନୁପ୍ରାଣିତ କବି ନାୟକ ନାୟିକାଙ୍କର ଦୈହିକ ମିଳନର ନଗ୍ନ ବର୍ଣ୍ଣନା କରିବା ପାଇଁ ଚାହିଁ ନାହାନ୍ତି । କାବ୍ୟର ରସ ସୃଷ୍ଟିର ଉଦ୍ଦେଶ୍ୟରେ ଶାରୀରିକ ସମ୍ଭୋଗ ଦୃଶ୍ୟର ପର୍ଣ୍ଣୋଗ୍ରାଫିକ୍‌ ଚିତ୍ର ବର୍ଣ୍ଣନା ତାଙ୍କ ରୁଚି ଅନୁକୂଳ ହୋଇ ନଥିବ ।

 

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ନଗ୍ନ ଯୌନ ମିଳନକୁ ସାମାଜିକ ସ୍ୱୀକୃତି ଦିଆଯାଇ ନାହିଁ । ଯୌନତା କ୍ଷେତ୍ରରେ ଭାରତୀୟମାନେ ପାଶ୍ଚାତ୍ୟ ଦେଶମାନଙ୍କ ଭଳି ଉଦାର ହୋଇ ପାରିନାହାନ୍ତି । ଏ ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶମାନଙ୍କ ଉଦାରତା ସହ ଉଚ୍ଛୁଙ୍ଖଳତା ମଧ୍ୟ ରହିଛି । ଊନବିଂଶ ଶତାବ୍ଦୀରେ ଭାରତୀୟ ସମାଜ ତ ସମ୍ପୂର୍ଣ୍ଣ ରକ୍ଷଣଶୀଳ ଥିଲା । ଏଠି ସ୍ୱାମୀର ଜୁଇରେ ସ୍ତ୍ରୀ ଇଚ୍ଛା ଅନିଚ୍ଛାର ଉର୍ଦ୍ଧ୍ୱରେ ସତୀ ହେଉଥିଲା । ସ୍ୱାମୀର ମୁଖ ଦେଖି ନଥିବା ବାଳିକା ବିଧବା ହୋଇ ସାରାଜୀବନ କାଟୁଥିଲା । ଏଇଭଳି ଏକ ରକ୍ଷଣଶୀଳ ସମାଜର ଉତ୍ତରଦାୟାଦ ଥିଲେ ଗଙ୍ଗାଧର । ତେବେ ଏଇ ରକ୍ଷଣଶୀଳତା ସତ୍ତ୍ୱେ ରୀତିଯୁଗୀୟ କାବ୍ୟ କେବଳ ଦରବାରୀ ସାହିତ୍ୟ ହୋଇଥିବା କାରଣରୁ ସେଠାରେ ନାରୀପୁରୁଷର ମିଳନ ଦୃଶ୍ୟର ଟିକିନିଖି ବର୍ଣ୍ଣନା କରାଯାଇଥିଲା । ସାମାଜିକ ରକ୍ଷଣଶୀଳତାର ପ୍ରଭାବରେ କବି ରସରତ୍ନାକରରୁ ଶାରୀରିକ ସମ୍ଭୋଗ ଦୃଶ୍ୟକୁ ବାଦ୍‌ ଦେଇଥାଇ ପାରନ୍ତି ।

 

ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଆଧୁନିକ ଶିକ୍ଷାବ୍ୟବସ୍ଥା ପ୍ରଚଳନ, ଛାପାଖାନା ପ୍ରତିଷ୍ଠା ଓ ପତ୍ରପତ୍ରିକାର ପ୍ରକାଶନ ଫଳରେ ସାହିତ୍ୟ ଆଉ ଦରବାର ଭିତରେ ନ ରହି ସାଧାରଣ ଜନତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିଛି । ତେଣୁ ବରପାଲିର କେହି ସାହିତ୍ୟାନୁରାଗୀ ପାଠକ ନିଜ ପାଖରେ ଲାବଣ୍ୟବତୀ, ରସିକହାରାବଳୀ, ସୁଭଦ୍ରାପରିଣୟ, ରସକଲ୍ଲୋଳ ଆଦିକାବ୍ୟ ରଖିଛନ୍ତି, ଯାହାକୁ ଗଙ୍ଗାଧର ପଢ଼ିଛନ୍ତି । କାବ୍ୟପାଠପରେ ହୁଏତ ଜନସାଧାରଣଙ୍କ ସାହିତ୍ୟରେ ଯୌନମିଳନ ଭଳି ଅଶ୍ଳୀଳ ବର୍ଣ୍ଣନାର ଅସାରତାକୁ ଉପଲବ୍‌ଧି କରିଛନ୍ତି । ଏଣୁ ଜନସାଧରଣଙ୍କ ଉଦ୍ଦେଶ୍ୟରେ ସାହିତ୍ୟ (ରସ-ରତ୍ନାକର) ରଚିତ ହେବା କାରଣରୁ କାବ୍ୟରୁ ଅଶ୍ଳୀଳ ଦୃଶ୍ୟ ବର୍ଣ୍ଣନାକୁ ବାଦ୍‌ ଦେଇଛନ୍ତି ।

 

ଏହି କାବ୍ୟରେ କବି ସମ୍ଭୋଗ ଶୃଙ୍ଗାରର ବିସ୍ତୃତ ବର୍ଣ୍ଣନାକୁ ପରିହାର କରିବା ହେଉଛି ଆଧୁନିକ ମାନସିକତା । କବି ନିଜ ଅନ୍ତରର ପ୍ରେରଣାରେ ବୁଝିଥିବେ ଶାରୀରିକ ମିଳନର ଖୋଲାଖୋଲି ବର୍ଣ୍ଣନା ଦ୍ୱାରା ପାଠକସମାଜ ବିପଥଗାମୀ ଏବଂ ଚିତ୍ତବିକୃତିର ଶିକାର ହୋଇ ପାରନ୍ତି । ତେଶୁ କବି ଏହି ମାନବୀୟ ପ୍ରବୃତ୍ତିକୁ ନିଖୁଣ ଭାବେ ବର୍ଣ୍ଣନା କରି ଏହାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଚାହିଁ ନାହାନ୍ତି ।

 

କବି ରୀତି କାବ୍ୟାଦର୍ଶର ପ୍ରେରଣାରେ ଏଥିରେ ଇଷ୍ଟବନ୍ଦନା କରିଛନ୍ତି, ମାତ୍ର କାବ୍ୟରୁ ସାଧୁସ୍ତୁତି ଓ ଖଳନିନ୍ଦା ବର୍ଜନ କରିଛନ୍ତି । ଓଡ଼ିଆ ସାହିତ୍ୟର ବହୁ ବିଶିଷ୍ଟ ସମାଲୋଚକ ଏବଂ ସୃଜନଶୀଳ ଲେଖକମାନେ କବିଙ୍କ ଜୀବନ ସମ୍ପର୍କରେ ଯାହା ଲେଖିଛନ୍ତି ତାହା ପଢ଼ିଲେ ଯେ କେହି ସହୃଦୟ ପାଠକ ନିଶ୍ଚିତ ଭାବେ ହୃଦୟଙ୍ଗମ କରିପାରିବ ଯେ, କବି ଅଯଥା ସ୍ତାବକତା କିମ୍ୱା ନିନ୍ଦାଗାନରୁ ସର୍ବଦା ଦୂରରେ ରହିଛନ୍ତି । ‘‘ମନୁଷ୍ୟ ସମାଜର ଅଥବା ବ୍ୟକ୍ତି ବିଶେଷଙ୍କ ଦୋଷ ବା ଦୁର୍ଗୁଣ ସନ୍ଧାନ ଅପେକ୍ଷା ତାଙ୍କ ଭିତରେ ଯଦି କିଛି ପବିତ୍ର ମନୋଭାବ ଥାଏ, ତାହା ସେ ଆହାରଣ କରୁଥିଲେ । ତାଙ୍କର ସଙ୍ଗୀ ଓ ସହକର୍ମୀ ବ୍ୟକ୍ତି ବିଶେଷଙ୍କ ଚିନ୍ତାଧାରା ଓ ଜଟିଳ ସ୍ୱଭାବ ଚରିତ୍ରରୁ ସେ ସର୍ବଦା ଦୂରରେ ରହୁଥିଲେ, ତଥାଚ ସେ କାହାରି ପ୍ରତି ଆପେକ୍ଷ କରିବା ପରିବର୍ତ୍ତେ ଯଦି ତାଙ୍କଠାରେ କିଛି ଗୁଣ ଦେଖୁଥିଲେ ତାହା ଗ୍ରହଣ କରୁଥିଲେ’’(୫) ପୁଣିପଣ୍ଡିତ ରାଘବ ମିଶ୍ରଙ୍କ ଭାଷାରେ, ‘‘ଅବୈଧ ମାନରକ୍ଷା ଓ ଅଯଥା ସ୍ତାବକତାକୁ ସେ ଘୃଣା କରୁଥିଲେ । x x x x ପଥରେ ଚାଲିଯାଉଥିବାବେଳେ ଅନ୍ୟକୁ ପଥଛାଡ଼ିଦେବା, ପରିଚିତ ବ୍ୟକ୍ତିଙ୍କୁ ସମ୍ମାନ ଦେବାଲାଗି ପୂର୍ବରୁ ହସ୍ତୋତ୍ତୋଳନ କରିବା, ସାଧାରଣ ଆଗନ୍ତୁଙ୍କକୁ ସୁଦ୍ଧା ଗାତ୍ରୋତ୍‌ଥାନ ପୂର୍ବକ ଉପଯୁକ୍ତ ଆସନ ଦେବା, ଭଦ୍ରଲୋକଙ୍କ ସଙ୍ଗେ ଚାଲିବା ବେଳେ ପ୍ରାୟ ପଛରେ ରହିଚାଲିବା, ସଭା ସମିତି, ଭୋଜି ଆଦିରେ ସଙ୍କୁଚିତ ହୋଇ ବସିବା ପ୍ରଭୃତି ଲକ୍ଷଣ ଲକ୍ଷ୍ୟ କଲେ ମନେହୁଏ ସେ ନିଜକୁ ଯେପରି ଜଣେ ସାମାନ୍ୟ ନଗଣ୍ୟ ବ୍ୟକ୍ତି ବୋଲି ଭାବନ୍ତି ।’’(୬) ନିଜକୁ ‘ଜଣେ ସାମାନ୍ୟ ନଗଣ୍ୟ ବ୍ୟକ୍ତି ମନେ କରୁଥିବା ଭଳି ପ୍ରତୀୟମାନ ହେଉଥିବା ଜଣେ ମଣିଷ କେବେ ମଧ୍ୟ ଅନ୍ୟର ନିନ୍ଦା କରିପାରିବ ନାହିଁ । ସେହି ବ୍ୟକ୍ତି ଅନ୍ୟକୁ ନିନ୍ଦାକରେ ଯିଏ ଅନ୍ୟମାନଙ୍କ ଠାରୁ ନିଜକୁ ଶ୍ରେଷ୍ଠ ବୋଲି ଜ୍ଞାନ କରେ । ତେଣୁ ଯିଏ ଚାଲିଯାଉଥିବା ବେଳେ ଅନ୍ୟକୁ ପଥ ଛାଡ଼ି ଦେଉଥିବ, ସାଧାରଣ ବ୍ୟକ୍ତିଙ୍କୁ ମଧ୍ୟ ନିଜେ ଆସନରୁ ଉଠି ଆସନ ପ୍ରଦାନ କରୁଥିବ, ସେଇ ବ୍ୟକ୍ତିର ଚରିତ୍ର କେତେ ପବିତ୍ର ହୋଇଥିବ ତାହା ଜଣେ ପାଠକ ମର୍ମେ ମର୍ମେ ଉପଲବ୍‌ଧି କରିପାରିବ ନିଶ୍ଚିତ ଭାବରେ ।

 

ସ୍ୱଭାବକବି ନିଜ ଜୀବନରେ ଅନ୍ୟର ଖୋଜିବା ଅପେକ୍ଷା ଗୁଣ ଦର୍ଶନ କରିବାର ପକ୍ଷପାତୀ ଥିଲେ । ତେଣୁ ସେ କାବ୍ୟରେ ଖଳନିନ୍ଦା ବର୍ଜନ କରିଛନ୍ତି । ସାଧାରଣ ଜୀବନରେ କାହାକୁ ନିନ୍ଦା କରୁ ନଥିବା ଜଣେ ସଚ୍ଚୋଟ କବି କାବ୍ୟରେ କିପରି ନିନ୍ଦାଗାନ କରିପାରିବ ! ବରଂ କୁତ୍ସିତ ଲୋକମାନଙ୍କ ଭିତରେ ସେ ମଙ୍ଗଳମୟତାର ରୂପ ଦର୍ଶନ କରିପାରିଛନ୍ତି । ନିଜ ପୁତ୍ରଙ୍କ ନିକଟକୁ ଲେଖିଥିବା ପତ୍ରର ଥରେ ସେ ଲେଖିଥିଲେ, ‘‘କୁତ୍ସିତ ଲୋକ କୁତ୍ସା କରିଥାନ୍ତି । ତାହା ସୁଖର କଥା । ତଦ୍ଵାରା ଦୋଷ ମାର୍ଜିତ ହୁଏ ।’’(୭) ଖଳ ଲୋକମାନଙ୍କ ଦୁଷ୍କର୍ମ ଭିତରେ ବି ମଙ୍ଗଳମୟତାକୁ ନିରୀକ୍ଷଣ କରିପାରିବା ଭଳି ଉଦାରତାର ଅଧିକାରୀ ଥିଲେ ଗଙ୍ଗାଧର । କବି ୧୯୧୮ ମସିହାରେ ଏହା ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ଅର୍ନ୍ତଚେତାନରେ ଏହି ଭାବନାଟି ଯେ ମୂଳରୁ ରହିଥିଲା ଏହା ନିଶ୍ଚିତ । ତେଣୁ ନିଜ ଅନ୍ତରର ବା ବିବେକର ବାଣୀର ନିର୍ଦ୍ଦେଶରେ ସେ କାବ୍ୟରେ ଖଳନିନ୍ଦା କରିବା ପାଇଁ ଚାହିଁ ନାହାନ୍ତି । ପୁଣି ଅଯଥା ସ୍ତାବକତାକୁ ଘୃଣା କରୁଥିବାରୁ ସାଧୁସ୍ତୃତିକୁ ବି ବାଦ୍‌ଦେଇଛନ୍ତି ।

 

କବି ବିବେକର ବାଣୀ ନିର୍ଦ୍ଦେଶରେ ହିଁ କାବ୍ୟରୁ ସାଧୁସ୍ତୃତି ଓ ଖଳନିନ୍ଦାକୁ ପରିହାର କରିଛନ୍ତି । ସେ ଅନୁଭବ କରିଥିବେ ଯେ, କାବ୍ୟରେ ସାଧୁସ୍ତୃତି ଓ ଖଳନିନ୍ଦାକୁ ଆବଶ୍ୟକତା ମୋଟେ ନାହିଁ । କାବ୍ୟର ଯାହା ବର୍ଣ୍ଣନୀୟ ବିଷୟ ତା ବର୍ଣ୍ଣନା ନ କରି ସାଧୁସ୍ତୃତି ଓ ଖଳନିନ୍ଦା କରିବା ଏକ ସଂକୀର୍ଣ୍ଣ ମାନସିକତାର ପରିଚୟ । ଏହାଦ୍ୱାରା ବରଂ କାବ୍ୟର କଳାଗତ ମୂଲ୍ୟ ହ୍ରାସ ହେବ । ଏହି ଉପଲବ୍‌ଧିରୁ କବି କାବ୍ୟରୁ ସାଧୁ ସ୍ତୃତି ଓ ଖଳନିନ୍ଦା ବର୍ଜନ କରିଛନ୍ତି ।

 

ମଧ୍ୟଯୁଗୀୟ କାବ୍ୟ ପରମ୍ପରାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ବିରହ ବର୍ଣ୍ଣନା । ଏହି କାବ୍ୟମାନଙ୍କରେ କାହାଣୀ ଭାଗଟି ତିନୋଟି ପର୍ଯ୍ୟାୟ ଦେଇ ଗତିକରେ, ମିଳନ, ବିରହ ଓ ପୁନର୍ମିଳନ । ରୀତିକବିମାନେ କାବ୍ୟରେ ମିଳନ ପରି ବିରହ ବର୍ଣ୍ଣନାକୁ ସମାନ ଗୁରୁତ୍ୱ ଦେଇଛନ୍ତି । ପ୍ରାୟ ସମସ୍ତ ରୀତିକାବ୍ୟରେ ସେଥିପାଇଁ ବିରହ ବର୍ଣ୍ଣନା ଅବିସ୍ମରଣୀୟ ଅଂଶ ପାଲଟି ଯାଇଛି ।

 

‘ରସରତ୍ନାକର’ କାବ୍ୟରେ ମଧ୍ୟ ଏହି ତିନୋଟି ପର୍ଯ୍ୟାୟ ରହିଛି । ବାଣାସୁର ହାତରେ ଅନିରୁଦ୍ଧ ନାଗଫାଶରେ ବନ୍ଦୀ ହେବ ଦ୍ୱାରା ନାୟିକା ମଧ୍ୟରେ ବିଚ୍ଛେଦ ସୃଷ୍ଟି ହୋଇଛି । କବିଙ୍କ ହାତରେ ରହିଛି ବିରହ ବର୍ଣ୍ଣନାର ଅପୂର୍ବ ସୁଯୋଗ । ମାତ୍ର କବି ଏଠାରେ ମଧ୍ୟ କାବ୍ୟ ପରମ୍ପରା ରକ୍ଷା କରିନାହାନ୍ତି । ମଧ୍ୟଯୁଗୀୟ କାବ୍ୟର ନାୟକନାୟିକାଙ୍କର ବିରହାନୁଭବ ସମଗ୍ର ଓଡ଼ିଆ ସାହିତ୍ୟରେ ଅତୁଳନୀୟ । ମାତ୍ର ରସରତ୍ନାକରରେ ସେଇ ବିରହ ମାତ୍ର ଛଅଟି ପଦରେ ସୀମିତ । ବୋଧହୁଏ ମଧ୍ୟଯୁଗୀୟ ଅନ୍ୟ କୌଣସି କାବ୍ୟରେ ଏତେ ସଂକ୍ଷିପ୍ତ ଭାବରେ ବିରହ ବର୍ଣ୍ଣନା କରାଯାଇ ନଥିବ । ସେଥିରୁ ତିନୋଟି ପଦରେ ନାୟିକାର ବିରହୋପଲବ୍‌ଧି ଥିବାବେଳେ ଅନ୍ୟ ତିନୋଟି ପଦରେ ସେ ପ୍ରିୟତମର ମୁକ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛି । ଆହୁରି ମଧ୍ୟ ଏଇ ବିରହରେ ନାଟକର କୌଣସି ପ୍ରକାର ପ୍ରତିକ୍ରିୟା ନାହିଁ । କବି ଏହି କାବ୍ୟରେ ବିରହ ବର୍ଣ୍ଣନା ଅପେକ୍ଷା ସମର ବର୍ଣ୍ଣନା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ମଧ୍ୟଯୁଗୀୟ କାବ୍ୟରେ ଶୃଙ୍ଗାର ବର୍ଣ୍ଣନା ଅପେକ୍ଷା ବୀରରସ ବା ସମର ବର୍ଣ୍ଣନା ଖୁବ୍‌ କମ୍‌ । ଏହାସତ୍ତ୍ୱେ ଆଲୋଚ୍ୟ କାବ୍ୟର ସପ୍ତମଛାନ୍ଦଟି ସମ୍ପୂର୍ଣ୍ଣ ଭାବରେ ସମନ ବର୍ଣ୍ଣନାରେ ପୂରି ଉଠିଛି । ଏଥିରୁ କବିଙ୍କ ଆଧୁନିକ ଚେତନାକୁ ଉପଲବଧି କରାଯାଇପାରେ ।

 

ପରମ୍ପରାର ମାନ୍ୟତା ସତ୍ତ୍ୱେ କବି ସଚେତନ ଭାବେ ହେଉ ବା ନ ହେଉ ଗତାନୁଗତିକତାକୁ ପରିହାର ଏବଂ କିଛି ନୂତନ ଧାରା ସୃଷ୍ଟି କରିବା ପାଇଁ ଚାହିଁଛନ୍ତି । ସେଥିପାଇଁ ଏଠାରେ ବିରହ ବର୍ଣ୍ଣନା ଅପେକ୍ଷା ସମରବର୍ଣ୍ଣନା ବେଶ ମର୍ମସ୍ପର୍ଶୀ ।

 

‘ରସରତ୍ନାକର’ର ରଚନା ରୀତିସାହିତ୍ୟ ଅଧ୍ୟୟନ ଓ ରୀତି କାବ୍ୟାଦର୍ଶର ପ୍ରଭାବର ଫଳ । ତା’ ସତ୍ତ୍ୱେ ଖୁବ୍‌ ଅଳ୍ପ ହେଲେ ମଧ୍ୟ ଏଥିରେ ଆଧୁନିକତାର ଆଭାସ ରହିଛି । ବୋଧହୁଏ ଏହି କାବ୍ୟର ବେଶି ଗତାନୁଗତିକତା ସମ୍ପର୍କରେ କବି ଯେତିକି ଥିଲେ ଏଇ ଅଳ୍ପ ଆଧୁନିକତା ସମ୍ପର୍କରେ ସେତିକି ସଚେତନ ନ ଥିଲେ । ସେଥିପାଇଁ ନିଜ ଜୀବନ କାଳ ମଧ୍ୟରେ ସେ ‘ରସରତ୍ନାକର’କୁ ପ୍ରକାଶିତ କରିନାହାନ୍ତି ।

 

ପୃଷ୍ପଟୀକା

୧.

ମେହେର, ଗଙ୍ଗାଧର, ଆତ୍ମଜୀବନୀ: ସ୍ୱଭାବକବି ଗଙ୍ଗାଧର ଗ୍ରନ୍ଥାବଳୀ, ପୃଷ୍ଠା-୪୦୪ ।

୨.

ମେହେର, ଡ. ମଣୀନ୍ଦ୍ର କୁମାର ଆଲୋକ ଓ ଅମୃତର କବି ଗଙ୍ଗାଧର, ପୃଷ୍ଠା -୫୬ ।

୩.

ମେହେର, ଗଙ୍ଗାଧର, ସ୍ୱଭାବକବି ଗଙ୍ଗାଧର ଗ୍ରନ୍ଥାବଳୀ, ପୃଷ୍ଠା-୫-୬ ।

୪.

ଉଦ୍‌ଗାତା, ଶ୍ରୀ ଗୋବିନ୍ଦଚନ୍ଦ୍ର, କବି ଗଙ୍ଗାଧର ମେହେର, ପୃଷ୍ଠା- ୨୪ -୨୫ ।

୫.

ମେହେର, ଭଗବାନ, ପିତୃପ୍ରସଙ୍ଗ, ପୃଷ୍ଠା-୧୨୮ ।

୬.

ମିଶ୍ର ରାଘବ ସ୍ୱଭାବକବି ଗଙ୍ଗାଧର ଗ୍ରନ୍ଥାବଳୀ, ପୃ:ଡ ।

୭.

ଗଙ୍ଗାଧର ମେହେରଙ୍କ ରଚିତ ପତ୍ର, ତତ୍ରୈବ, ପୃଷ୍ଠା-୪୭୧ ।

 

ସହାୟକ ଗ୍ରନ୍ଥସୂଚୀ

୧.

ଉଦ୍‌ଗାତା, ଶ୍ରୀ ଗୋବିନ୍ଦ ଚନ୍ଦ୍ର କବି ଗଙ୍ଗାଧର ମେହେର, ପ୍ରଥମ ପ୍ରକାଶ, ଓଡ଼ିଶାସାହିତ୍ୟ ଏକାଡେମୀ, ଭୁବନେଶ୍ୱର ୧୯୮୮ ।

୨.

ମେହେର, ଗଙ୍ଗାଧର, ସ୍ୱଭାବକବି ଗଙ୍ଗାଧର ଗ୍ରନ୍ଥାବଳୀ (ସମ୍ପାଦନା- ଅଧ୍ୟାପକ ଡ. ମଣୀନ୍ଦ୍ର କୁମାର ମେହେର), ପୁନର୍ମୁଦ୍ରଣ, ଗୁନ୍ଥମନ୍ଦିର, କଟକ-୨, ୨୦୦୧ ।

୩.

ମେହେର, ଭଗବାନ, ପିତୃପ୍ରସଙ୍ଗୀ, ପ୍ରଥମପ୍ରକାଶ, ଓଡ଼ିଶା ବୁକ୍‌ଷ୍ଟୋର, କଟକ-, ୧୯୭୭

୪.

ମେହେର, ଡ. ମଣୀନ୍ଦ୍ରକୁମାର, ଆଲୋକ ଓ ଅମୃତର କବି ଗଙ୍ଗାଧର, ପ୍ରଥମ ପ୍ରକାଶ, ଡ. ମଣୀନ୍ଦ୍ରକୁମାର ମେହେର, ବରପାଲି, ବରଗଡ଼ ୧୯୯୪ ।

 

 

ବରପାଲି (ନୃସିଂହ ମନ୍ଦିର ନିକଟ)

ଜିଲ୍ଲା-ବରଗଡ଼

ପିନ୍‌-୭୬୮୦୨୯

 

***

 

Unknown

ପଦ୍ମିନୀ : ଏକ ଅସମାପ୍ତ କାବ୍ୟ

ଶକୁନ୍ତଳା ବଳିଆରସିଂହ

(୧)

 

ଗଙ୍ଗାଧର ମେହେର ସଂସ୍କୃତ ଅନୁପ୍ରାଣିତ କବି । ତେଣୁ ଗଙ୍ଗାଧର ମେହେରଙ୍କର କାବ୍ୟ ରଚନାରେ ସଂସ୍କୃତ କାବ୍ୟସୂତ୍ରର ପ୍ରୟୋଗ ତଥା ବର୍ଣ୍ଣନା ପାଟବରେ ଅଳଙ୍କାର ଶାସ୍ତ୍ରୀୟତାର ପ୍ରଭାବ ଅନୁଧ୍ୟାନ କରିବା ସ୍ଵଭାବିକ । ‘ପଦ୍ମିନୀ’ ସଂସ୍କୃତ କାବ୍ୟ ପରମ୍ପରାର ବିଚାରରେ ଏବଂ କାବ୍ୟସୂତ୍ରର ପ୍ରୟୋଗରେ କାବ୍ୟ ଭାବରେ ବିବେଚିତ ହେବ କି ? ହେବନାହିଁ । କାହିଁକି ?

 

ଏକ- କାବ୍ୟରଚନାରେ ଗଙ୍ଗାଧର ଯେଉଁ ପାରଦର୍ଶିତା ଦେଖାଇଛନ୍ତି ତାହା ତାଙ୍କୁ ଓଡ଼ିଆ ବାଙ୍‌ମୟରେ ଚିରଦେବୀପ୍ୟମାନ କାବ୍ୟପୁରୁଷଭାବରେ ପ୍ରତିଷ୍ଠିତ କରିଛି । ତାହାର ତିନୋଟି ମୂଳବିଭାବକୁ କାବ୍ୟସୂତ୍ରର ଆଧାରରେ କାବ୍ୟ ବା ମହାକାବ୍ୟର ଗୁଣ ବୋଲି କୁହାଯିବ । ସେହି ତିନୋଟି ବିଭାବ ହେଉଛନ୍ତି -

 

ପ୍ରସାଦ ମାଧୁର୍ଯ୍ୟ ବା ଓଜଃ ଗୁଣ

ଉଚ୍ଚକୋଟୀର ଆଳଙ୍କାରିକତା

ଘଟଣାକ୍ରମର ଆରୋହ, ଅବରୋହ ଓ ତୁଙ୍ଗିମାପ୍ରାପ୍ତି

 

ଦୁଇ- ଏ ତିନିଗୁଣ ‘ପଦ୍ମିନୀ’ କାବ୍ୟରେ ଅନୁପସ୍ଥିତ । ଏଠାରେ ସ୍ପଷ୍ଟ କରିଦେବା ଉଚିତ୍‌ ହେବ ଯେ, ୧୯୧୦ରୁ ୧୯୨୦ ମଧ୍ୟରେ କବି ଏହାର ମାତ୍ର ପାଞ୍ଚଟି ସର୍ଗ ରଚନା କରିଥିଲେ । ଯାହାର ଦ୍ଵିତୀୟ ସର୍ଗଟି ‘ମୁକୁର’ରେ ୧୯୨୩ ମେ ସଂଖ୍ୟାରେ ପ୍ରକାଶିତ । ଅସମ୍ପୂର୍ଣ୍ଣ କାବ୍ୟର ବାକି ସବୁଗୁଡ଼ିକ କବିଙ୍କ ସୁପୁତ୍ର ଭଗବାନ ମେହେର ବହୁବର୍ଷପରେ ରଚନାକରି କାବ୍ୟଟିକୁ ସମ୍ପୂର୍ଣ୍ଣ କରିଥିଲେ ।

 

କହିବା ଅନାବଶ୍ୟକ ଯେ ଷଷ୍ଠ ସର୍ଗରୁ ଆରମ୍ଭ ହୋଇଥବା କବିତ୍ଵ ଆମର ଆଲୋଚ୍ୟ ବିଷୟ ନୁହେଁ । ‘ପଦ୍ମିନୀ’ କାବ୍ୟର ଗଙ୍ଗାଧର ବିରଚିତ ପାଞ୍ଚଟି ସର୍ଗ ଆଧାରରେ ଯଦି ‘ପଦ୍ମିନୀ’ର କାବ୍ୟଗୁଣ ବିବେଚିତ ହୁଏ ତେବେ କାବ୍ୟର ମର୍ଯ୍ୟାଦା ପାଇବ ନାହିଁ ‘ପଦ୍ମିନୀ’ ।

 

ତିନି - କାବ୍ୟର ପଞ୍ଚମସର୍ଗ, ଯାହା କବି ସମ୍ବଲପୁରରେ ଅବସ୍ଥାନ କରୁଥିବାବେଳେ ୧୯୧୦ରେ ଆରମ୍ଭ କରିଥିଲେ ପ୍ରଥମସର୍ଗ ରୂପେ । ପଞ୍ଚମସର୍ଗରେ ଦିଲ୍ଲୀପତି ଯବନ ସମ୍ରାଟଙ୍କର ଚିତୋର ଅଧିକାର ପାଇଁ ପଡ଼ିଥିବା ସୈନ୍ୟ ଶିବିରରେ ଜୟ-ପରାଜୟର କାବ୍ୟିକ ଅବତାରଣା ହେଉଛି ମୁଖ୍ୟ । ତହିଁରେ ପଦ୍ମିନୀ ଉପଲକ୍ଷ୍ୟମାତ୍ର, ଯଦିଓ କବି ସ୍ପଷ୍ଟ କରିଛନ୍ତି ଯେ ପଦ୍ମିନୀକୁ ନପାଇଲେ ଯୁଦ୍ଧର କୌଣସି ଅର୍ଥନାହିଁ, ଯବନରାଜାଙ୍କ ବ୍ୟକ୍ତିତ୍ୱ ଉପରେ ଏ ପ୍ରକାରର ଜିଦ୍‌ କି ପରିବର୍ତ୍ତନ ଆଣିଛି ସେ ବିଷୟରେ କବି ନିରବ । ଏହା ଆବଶ୍ୟକ ମନେହେବ ଏଇ ଅର୍ଥରେ ଯେ ଧୈର୍ଯ୍ୟ, ଗାମ୍ଭୀର୍ଯ୍ୟ ଓ ମାଧୁର୍ଯ୍ୟ ସମ୍ବଳିତ ଦିଲ୍ଲୀପତିଙ୍କ ବାର୍ଦ୍ଧକ୍ୟରେ ଅନ୍ୟପତ୍ନୀ ହରଣ ଓ ତାକୁ ଭୋଗ କରିବାର ଲାଳସା ଯେଉଁ ଚିତ୍ତ ଚାଞ୍ଚଲ୍ୟର ଉଦ୍ରେକ କରିଥାନ୍ତା ତା’ର କୌଣସି ଉଲ୍ଲେଖ ଏଠାରେ ନାହିଁ । କବି ନିଜେ ଦିଲ୍ଲୀଶ୍ଵରଙ୍କୁ ଭର୍ତ୍ସନା କରିଛନ୍ତି ଏହି ଭାଷାରେ :

 

“ହୃଦୟରେ ଯା’ର ଅତି ଜଘନ୍ୟ ବିଚାର,

ତାକୁ ତୁମ୍ଭେ ଦିଅ ପୁଣି ରାଜ୍ୟ ଅଧିକାର ।

ଜୀବନ ଯାହାର ନାନା ପାପର ପସରା

ହସ୍ତେ ତାର ଦେଇଥାଅ ଧନଧାନ୍ୟ ଧରା ।

ଜୟଲକ୍ଷ୍ମୀ ! ତୁମ୍ଭେ ଅତି ଦୁର୍ବଳ ହୃଦୟ,

ଯହିଁ ଅସ୍ତ ପରକ୍ଷଣେ ତହିଁରେ ଉଦୟ ।”

 

ସମୟ ଅପରାହ୍ଣ ଓ ଅସ୍ତାଚଳବାସୀ ସୂର୍ଯ୍ୟ । ଦିଲ୍ଲୀପତି ଏହି ସମୟରେ ଚିତୋର ବାହାରେ ଶିବିରରେ ରହି ପଦ୍ମିନୀଙ୍କୁ ପାଇବାର କାମନା କରୁଛନ୍ତି । ଏବେ ସେ ବୃଦ୍ଧ, ବହୁ ସୁନ୍ଦରୀଙ୍କୁ ନେଇ ଗଢ଼ା ହୋଇଛି ତାଙ୍କ ଦିଲ୍ଲୀପ୍ରାସାଦର ରାଣୀହଂସପୁର, ଏଠାରେ କିନ୍ତୁ ସେ ପଦ୍ମିନୀ ପାଇଁ ବ୍ୟାକୁଳ ।

 

ମୋର ଧାରଣା ଯେ, ପଦ୍ମିନୀ ଆଦୌ ଗୋଟିଏ କାବ୍ୟ ଭାବରେ ପରିକଳ୍ପିତ ହୋଇନଥିଲା । ଏହାକୁ ପାଞ୍ଚସର୍ଗ ବିଶିଷ୍ଟ ଏକ ଦୀର୍ଘ କବିତା ଭାବରେ ପଢ଼ିବା ଅଧିକ ଯୁକ୍ତିଯୁକ୍ତ ହେବ, କାରଣ କୌଣସି ଗୁଣରେ ଗଙ୍ଗାଧରଙ୍କ ସମକକ୍ଷ ନ ହୋଇପାରୁଥିବା ତାଙ୍କ କବିପୁତ୍ରଙ୍କ ଦ୍ଵାରା କବିତା ଯେଭଳିଭାବରେ ଅଗ୍ରଗତି କରିଛି ତାହା ଗଙ୍ଗାଧରଙ୍କ କଳ୍ପନାରେ ନିଶ୍ଚୟ ନଥିଲା । ତା’ର କାରଣ, ଗଙ୍ଗାଧର ଠିକ୍‌ ଜାଣିଥିଲେ ଯେ ଏ ବିଷୟବସ୍ତୁର କାବ୍ୟଗୁଣ ସରଳ ରୈଖିକ ଐତିହାସିକ ଘଟଣା ବର୍ଣ୍ଣନାରେ ନାହିଁ ।

 

ଚାରି - ରାଣୀ ପଦ୍ମିନୀଙ୍କ ଆତ୍ମଦାନର କାହାଣୀ ରାଜସ୍ଥାନର ଇତିହାସରେ ସତୀତ୍ଵର ପରାକାଷ୍ଠା ବ୍ୟକ୍ତ କରୁଥିବା ଏକ ଅଭୂତପୂର୍ବ ଗାଥା । ମାଇକେଲ ଟୋଡ଼ ତାଙ୍କ ଆନାଲ୍‌ସ ଅଫ୍‌ ରାଜସ୍ଥାନ (Annals of Rajsthan) ରେ ରାଜପୁତନାର ବୀରପୁରୁଷ ତଥା ବୀରାଙ୍ଗନାମାନଙ୍କରେ ଯେଉଁ କାହାଣୀ ସଂଗ୍ରହ କରିଛନ୍ତି ତାହା ବୋଧହୁଏ ଗଙ୍ଗାଧରଙ୍କ ଦୃଷ୍ଟିରେ ନଥିଲା ।

 

ଯୁଦ୍ଧଭୂମିରୁ ସ୍ଵାମୀ ଭୀମସିଂହ ସହିତ ଆତ୍ମରକ୍ଷା ପାଇଁ ପଳାୟନ କରିଥ୍‌ବା ଭଗବାନ ମେହେରଙ୍କ କଳ୍ପିତ ରାଣୀ ପଦ୍ମିନୀ, ନା ରାଜସ୍ଥାନର କିମ୍ବଦନ୍ତୀର ପଦ୍ମିନୀ ନା ଗଙ୍ଗାଧରଙ୍କ ପରିକଳ୍ପିତ ପଦ୍ମିନୀ । ଏହି ଦୃଷ୍ଟିରୁ କାବ୍ୟଟିକୁ ପଞ୍ଚମସର୍ଗ ପର୍ଯ୍ୟନ୍ତ ଗୋଟିଏ ଦୀର୍ଘକବିତା ଭାବି ପଢ଼ିବା ଯୁକ୍ତିଯୁକ୍ତ ହେବ ।

 

ଏ ପ୍ରସ୍ତାବ ସପକ୍ଷରେ ସବୁଠାରୁ ବଡ଼ ଯୁକ୍ତି ଏହି ଯେ ଗଙ୍ଗାଧର ମେହେର ନିଜର ସ୍ଵଭାବସୁଲଭ ସାଧୁତା, ଆଦର୍ଶ ଓ ଶୁଦ୍ଧ ଆଚାରର ଆଲୋକରେ ଜଣେ ବହୁ ନାରୀପରିବେଷ୍ଠିତ ବୃଦ୍ଧ ବାଦଶାହଙ୍କର ଲାଳସୀ ବ୍ୟକ୍ତିତ୍ୱ ଉପରେ ଘୋର କଷାଘାତ କରିଛନ୍ତି ପଞ୍ଚମସର୍ଗରେ ।

 

କହିବାକୁ ଗଲେ, ଅପୂର୍ଣ୍ଣ ଲାଳସାନେଇ ରୂପସୀ ରାଜରାଣୀର ସତୀଧର୍ମ ଭ୍ରଷ୍ଟ କରିବା ପାଇଁ ଅପେକ୍ଷା କରି ବସିଥିବା ବ୍ୟକ୍ତିର ଅସାରତା ହିଁ ପଞ୍ଚମସର୍ଗର ବିଷୟବସ୍ତୁ । ଏହା ହିଁ ଏ କବିତାର ତୁଙ୍ଗ ବିନ୍ଦୁ । କିନ୍ତୁ ଯେହେତୁ ପଦ୍ମିନୀ କାବ୍ୟଟିକୁ ଗୋଟିଏ ପୂର୍ଣ୍ଣକାବ୍ୟ ଭାବରେ ପଢ଼ାଯାଉଛି ଏବଂ ଗଙ୍ଗାଧରଙ୍କ କବିତ୍ଵ ସହିତ ଭଗବାନଙ୍କ କବିତ୍ଵ ତୁଳନୀୟ ନୁହେଁ, ଏ କାବ୍ୟର ଐତିହାସିକ ଘଟଣାକ୍ରମ ଓ ପ୍ରତିସର୍ଗର କଥାବସ୍ତୁ ଉପରେ ସାମାନ୍ୟ ଆଲୋକପାତ କରାଯାଇପାରେ ।

ପରବର୍ତ୍ତୀ ଅଧ୍ୟାୟରେ ମୁଁ ତାହା ହିଁ କରୁଛି ।

 

(୨)

 

ବିଂଶ ଶତାବ୍ଦୀର ଆରମ୍ଭ ସହିତ ଓଡ଼ିଆ ଭାଷା ସାହିତ୍ୟ ଏକପ୍ରକାର ଅ।ଧୁନିକତ।ର ଆଲୋକରଶ୍ମିରେ ଆଲୋକିତ ହୋଇଯାଇଥିଲା । ମେହେର କବି ଏହି ଆଧୁନିକତା ବାବଦରେ ସଚେତନ ମଧ୍ୟ ଥିଲେ । ହେଲେ ତାଙ୍କ ଅନ୍ତରତଳେ ସ୍ଵାଭାବିକ ଭାବରେ ଥିଲା ପ୍ରାଚୀନ କାବ୍ୟାଦର୍ଶ, ପାରମ୍ପରିକ ସାଂସ୍କୃତିକ ବିଚାରଧାରା ତାଙ୍କୁ କେତେକ ସର୍ଜନା ନିୟମ ରକ୍ଷା କରିବାକୁ ସବୁବେଳେ ପ୍ରବର୍ତ୍ତାଉଥିଲା, ଯେପରି ଆରମ୍ଭରେ ଭାରତୀ ବନ୍ଦନା, ନିଜକୁ ଅଜ୍ଞ ବୋଲି ବାରମ୍ବାର କହି ଅଲୌକିକ ସାରସ୍ଵତ ଶକ୍ତିର ଆରାଧନା, ସୁଯୋଗ ମାତ୍ରେ ପୁରାଣ - ସ୍ମତି ଆଧାରିତ ବିଷୟ ଓ ପ୍ରକୃତିର ବର୍ଣ୍ଣନା ଇତ୍ୟାଦି ।

 

ପ୍ରଥମସର୍ଗର ଆରମ୍ଭରେ ଜ୍ଞାନାଲୋକ ପ୍ରଦାୟିନୀ ଭାସ୍ଵତୀ ଭାରତୀଙ୍କର ଆରତୀ ତାଙ୍କରିଦତ୍ତ ଜ୍ଞାନଦୀପରେ କେବଳ ସମ୍ଭବ ବୋଲି ସ୍ଵୀକାର କରି କବି କହିଛନ୍ତି:

 

‘‘ଯେଉଁ ରୂପେ କରିଥାନ୍ତି ସାଗର ତର୍ପଣ,

ସାଗର ସଲିଳ କରି ସାଗରେ ଅର୍ପଣ ।”

 

ଜ୍ଞାନକୁ ଆଲୋକ ଓ ଅଜ୍ଞତାକୁ ଅନ୍ଧକାର ଯାମିନୀ ସହ ତୁଳନା କରି କବି କହନ୍ତି, ଜ୍ଞାନୀଜନମାନେ ପୁଣ୍ୟବାନ । ସେମାନଙ୍କ ହୃଦୟସରସୀ ସ୍ଵଚ୍ଛ ହୁଏ ଭାରତୀୟ ପୟର ସ୍ପର୍ଶରେ । ସେହି ସ୍ଵଚ୍ଚ ଜଳରେ ସ୍କୂରିତହୁଏ ପ୍ରତିଭା । ହେଲେ କବି କେବେ ନିଜକୁ ଏହି ପୁଣ୍ୟବାନଙ୍କ ମଧ୍ୟରେ ଗଣି ପାରିନାହାନ୍ତି । ବରଂ ନମ୍ରଚିତ୍ତରେ କହିଛନ୍ତି - ‘ଅଜ୍ଞତାରେ ପରିପୂର୍ଣ୍ଣ ମୋର ପୁଣ୍ୟହୀନ ଜୀବନରେ କିପରି ଦେବୀ ସରସ୍ୱତୀଙ୍କ ନିରାଜନା କରିପାରିବି ?’ ଏହି ପ୍ରସଙ୍ଗରେ ନିଜ ସ୍ଵଭାବସୁଲଭ ରୀତିରେ କବି ଗୋଟିଏ ରୂପକଳ୍ପ ଦେଇଛନ୍ତି ସାଧାରଣ ଜୀବନରୁ ।

 

‘‘ଲେଖନୀ ନୁହଇ ମୋର ଧାତୁ ବିଜଡ଼ିତ,

କେମନ୍ତେ ଟାଣିବ ତୋର ପ୍ରଭାବ ତଡ଼ିତ ।’’

 

କେବଳ ନିଷ୍ଠା ଓ ଆସ୍ଥା ବଳରେ ଅସାଧ୍ୟ ସାଧନ ହୋଇଥାଏ ବୋଲି କବି ବିଶ୍ୱାସ କରନ୍ତି-। ଚିତ୍ତୋରଗଡ଼ର ବର୍ଣ୍ଣନାରେ କବିଙ୍କର ଶକ୍ତିଶାଳୀ ଦେଶପ୍ରେମର ବହୁ ଦୃଷ୍ଟାନ୍ତ ଏହି ସର୍ଗରେ ରହିଛି-

 

‘‘ନଗର ଉପରେ ରାଜେ ଚିତରୋ ନଗର,

ଗୌରବ ମୁକୁଟ ରୂପେ ଆର୍ଯ୍ୟ ଗୌରବର ।

 

ତତ୍କାଳୀନ ଆର୍ଯ୍ୟଗୌରବ ଥିଲା ପ୍ରଜାମାନଙ୍କ ହୃଦୟକୁ ସମୁନ୍ନତ କରାଇ ସେମାନଙ୍କ ହୃଦୟରେ ଧର୍ମ, ନ୍ୟାୟ, ନୀତି ଆଦର୍ଶଭଳି ପ୍ରବୃତ୍ତିମାନଙ୍କୁ ଅଧିଷ୍ଠିତ କରାଇବା । ତାହା ହିଁ ଆର୍ଯ୍ୟସମ୍ରାଟମାନେ କରୁଥିଲେ, ବିଶେଷକରି ଚିତୋର ନୃପତି ଲକ୍ଷ୍ମଣ ସିଂହ ।

 

ପ୍ରଜାମଣ୍ଡଳଙ୍କ ମଧ୍ୟରେ ଧର୍ମ ଯେତେବେଳେ ଏକ ବଳିଷ୍ଠ ପ୍ରବୃତ୍ତି ହୋଇଯାଏ, ସେତେବେଳେ ଦେଶର ଉତ୍‍ଥାନ ନିଶ୍ଚିତ ହୋଇଯାଏ କାରଣ ସ୍ଵଧର୍ମ ପ୍ରତିଷ୍ଠା ପାଇଁ ଜୀବନକୁ ତୁଚ୍ଛ କରିଦେବାକୁ ପ୍ରଜାକୁଳ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ । ଧର୍ମର ଶରଣ ନେଇ ନଗ୍ରଜନ ମରଣ ବରଣ କରିବାକୁ ଆଭଗର ହୋଇଥାନ୍ତି ।

 

ଏହିଭଳି ଧର୍ମନିଷ୍ଠ ଆର୍ଯ୍ୟରାଜ୍ୟ ଚିତୋଇରରେ ପୁରଜନ ଏବେ ଘୋର ସନ୍ତାପରେ ଯବନଶତ୍ରୁମାନଙ୍କ ପ୍ରବଳ ଅନାଚାର ଓ ପ୍ରତାପ କାରଣରୁ । ଯେଉଁ ରାଜସିଂହାସନ ଏକଦା ଭରତବଂଶର ରଜାମାନଙ୍କ ଧର୍ମଧାରଣା ଦ୍ଵାରା ପବିତ୍ର ହୋଇ ରହିଥିଲା ସେହି ସିଂହାସନ ଏବେ ଯବନ ଅଧିକୃତ । ଯବନର ବିଳାସ-ବ୍ୟସନ ତାହାକୁ କରିଛି କଳଙ୍କିତ । ଦାକ୍ଷିଣାତ୍ୟରୁ ଦୁର୍ଗମାନ ଭାଙ୍ଗି, ଭୂଲୁଣ୍ଠିତ କରି, ସତୀନାରୀମାନଙ୍କ ସତୀତ୍ଵ ଲୁଣ୍ଠନ କରି ସାରାଭାରତରେ ସେମାନେ ସୃଷ୍ଟି କରିଥିଲେ ଭୟଙ୍କର ବିଶୃଙ୍ଖଳା, ଅବିଶ୍ୱାସ ଓ ଅରାଜକତା । ଭାରତର ଅନ୍ୟ ଅଞ୍ଚଳମାନଙ୍କରେ ଏହିଭଳି ବିଭ୍ରାଟ ଉପୁଜିଥିବାବେଳେ ଚିତୋରଗଡ଼ ତଥା ଚିତୋରବାସୀ ଥିଲେ ଧର୍ମଧ୍ଵଜାଧାରୀ । ଯବନଶତ୍ରୁଙ୍କୁ ସେମାନେ ସହଜରେ ଯୁଦ୍ଧ ଯଜ୍ଞରେ ବଳୀ ପକାଇ ପାରିଥିଲେ । ମହାରାଜ ଲକ୍ଷ୍ମଣସିଂହ ଧର୍ମମତେ ରାଜ୍ୟଶାସନ କରୁଥାନ୍ତି । ପିତ୍ରନୁଜ ମହାବଳୀ ଭୀମସିଂହ ଥାଆନ୍ତି ତାଙ୍କର ପୃଷ୍ଠରକ୍ଷୀ, - ରାଜନୈତିକ ଗୁରୁ, ନୀତିଉପଦେଷ୍ଟା । ରାଜା ଲକ୍ଷ୍ମଣସିଂହ କେବେ ବି ପିତ୍ରନୁଜ ଭୀମସିଂହଙ୍କ ଉପଦେଶ ବା ଆଦେଶ ଅମାନ୍ୟ କରନ୍ତି ନାହିଁ, ଫଳର ରାଜ୍ୟର ପୂର୍ବସମ୍ମାନ, ସଂଭ୍ରମ ଥାଏ ଅକ୍ଷୁର୍ଣ୍ଣ ।

 

ବୀର ଭୀମସିଂହଙ୍କ ପ୍ରାଣପ୍ରିୟା ମହିଷୀ ପଦ୍ମିନୀ କେବଳ ପତି ଚିତ୍ତବିନୋଦିନୀ ନଥିଲେ, ଥିଲେ ମଧ୍ୟ ସତୀ, ମହିୟସୀ, ଜ୍ୟୋତିର୍ମୟୀ । ରାଣୀ ପଦ୍ମିନୀଙ୍କର ଏକନିଷ୍ଠତାର ଗୋଟିଏ ବର୍ଣ୍ଣନା ଦେଖନ୍ତୁ ଯହିଁରେ ପଦ୍ମିନୀ ଓ ପଦ୍ମିନୀ ମଧ୍ୟରେ ଆକର୍ଷଣୀୟ ତୁଳନା କବି ଦର୍ଶାଇଛନ୍ତି ।

 

‘‘ସେ ପଦ୍ମିନୀ ହୃଦ ଫେଡ଼ି ସେବଇ ସବିତା,

ଚାଟୁବଶେ ହୁଏ ପୁଣି ଭ୍ରମରେ ସେବିତା ।

ଏ ପଦ୍ମିନୀ ହୃଦୟର ପ୍ରେମେ ଅଧିକାର,

ଏକା ଭୀମସିଂହ ବିନା ନଥାଏ କାହାର ।

ତାକୁ କେହି ନରଖନ୍ତି ନାଶେ ଯେବେ ହିମ

ଏହାଙ୍କୁ ରଖନ୍ତି ସର୍ବ ବିପଦରୁ ଭୀମ ।’’

 

ରାଣୀ ପଦ୍ମିନୀ ସର୍ବଗୁଣ ସମ୍ପନ୍ନା । ରାଜପୁରରେ ତାଙ୍କ ବାତ୍ସଲ୍ୟ ମମତାରେ ସମସ୍ତେ ବନ୍ଧା, ତେଣୁ ସମସ୍ତ କ୍ଷମତା ତାଙ୍କରି ହସ୍ତରେ । ସ୍ଵୟଂରାଣା ଭୀମ ତାଙ୍କ ରୂପରେ ପ୍ରମୋଦିତ । ରାଜପୁର ଶାନ୍ତି ଓ ଶ୍ରଦ୍ଧାରେ ପରିପୂର୍ଣ୍ଣ ଆଉ ତିତୋର ନଗର ରାଣୀଙ୍କ ଜୟଗାନ କରି ଉଲ୍ଲସିତ । ବୀରଗଣ ଶସ୍ତ୍ର ଶିକ୍ଷାରେ ମିବାର ନାମ ପ୍ରସାରିତ କରୁଥିବା ବେଳେ ବିଦ୍ଵାନମାନଙ୍କ ବିଶୁଦ୍ଧ ଶାସ୍ତ୍ରାଲୋଚନାରେ ପ୍ରାଙ୍ଗଣମାନ ଆଲୋକିତ । ରାମାୟଣ ପାଠ ସଂସ୍କୃତ ଶ୍ଳୋକାର୍ଥରେ ସଦା ଅନୁରଣିତ ରାଜପୁରର ଅଙ୍ଗନ- ଅନ୍ତରାଳ । ବାଳକ ବାଳିକାଗଣ ସୁମଧୁର ଭାଷ୍ୟ ଶିକ୍ଷା କରି ଅଧିକରୁ ଅଧିକ ଜିଜ୍ଞାସୁ ହୋଇଉଠନ୍ତି ଦିନୁଦିନ । ସଖୀ- ସଙ୍ଗିନୀମାନେ ପରସ୍ପରେ ଆଳାପ କରି ରଖନ୍ତି ଜଗତ ଖବର ।

 

ନିଜର ସରଳ, ଜ୍ଞାନଦୀପ୍ତ ସ୍ଵଭାବଯୋଗୁ ରାଣୀପଦ୍ମିନୀ ପୁରଜନଙ୍କ ଭକ୍ତିଲାଭ ସହିତ ମହାରାଜ ଲକ୍ଷ୍ମଣସିଂହଙ୍କ ରାଣୀଙ୍କର ସ୍ନେହ ଓ ସମ୍ମାନ ପ୍ରାପ୍ତ ହୁଅନ୍ତି । ଖୁଡ଼ିଶାଶୁ ହୋଇଥିବା କାରଣରୁ ମହିୟସୀ ପଦ୍ମିନୀ ସର୍ବଦା ଲକ୍ଷ୍ମଣ ରାଣୀଙ୍କୁ ମହତ୍‌ଶିକ୍ଷା ଦେଉଥାନ୍ତି । ଦିନେ ଲକ୍ଷ୍ମଣରାଣୀ ପଚାରିଲେ, ‘‘ଖୁଡ଼ି, ସତରେ କ’ଣ ଆପଣ ଯେଉଁଠାରୁ ଆସିଛନ୍ତି ସେଠାରେ ରାକ୍ଷସମାନେ ଅଛନ୍ତି ? ଗୃହମାନ ସ୍ଵର୍ଣ୍ଣ ନିର୍ମିତ ? ଚତୁର୍ଦ୍ଦିରେ ସାଗର ଓ ସାଗରରେ ପର୍ବତ ସେତୁ ଅଛି ? ସେଠାରେ କ’ଣ ସୁବଳଗିରି ଅଛି ଯେଉଁଠାରେ ପୁରୁଷୋତ୍ତମ ରାମଚନ୍ଦ୍ର ରହିଥିଲେ ?

 

ପଦ୍ମିନୀ ହସି ହସି ରାଣାଙ୍କ ପ୍ରଶ୍ନର ଯେଉଁ ଉତ୍ତର ଦେଲେ ସେ ଉତ୍ତରରେ କବି ହୃଦୟରେ ମହାକାରୁଣିକ ଚେତନା ଦର୍ଶନୀୟ । ପଦ୍ମିନୀଙ୍କ ଉତ୍ତର ଥିଲା - ‘‘ମୋ ପିତୃରାଜ୍ୟରେ ବିକଟ ଭୀଷଣ ରାକ୍ଷସ କେହି ନାହାନ୍ତି, ବରଂ ସୁଧର୍ମ୍ମ ଭୂଷଣରେ ଭୂଷିତ ସରଳ ନରନାରୀ ସେଠାରେ ଅଛନ୍ତି । ଜୀବହିଂସା ସେଠାରେ ଅଧର୍ମ୍ମ ଲକ୍ଷ୍ମଣ ରୂପେ ଗଣାହୁଏ ।’

 

କିନ୍ତୁ ଭାରତମଣ୍ଡଳ ଏବେ ଅସୁରମାନଙ୍କ ଅତ୍ୟାଚାରରେ କଲବଲ ହେଉଥିବା ଶୁଣି ସେ ଶଙ୍କାଗ୍ରସ୍ତ ବୋଲି ପ୍ରକାଶ କରିଥିଲେ । ଏ ଅସୁରମାନେ ଅନ୍ୟ କେଉଁ ସ୍ଥାନରୁ ଆସିଛନ୍ତି, ଏମାନେ ନିଶାଚର, ଯୁବତୀହରଣ, ଦେବାଳୟ ଓ ଧନରତ୍ନ ଲୁଣ୍ଠନ ଏମାନଙ୍କର କାମ । ଏଥିରେ ପଦ୍ମିନୀ ଆତଙ୍କିତ ହୋଇଥିଲେ ହେଁ ପିତାଙ୍କ ଉପଦେଶ ମନେପକାଇ ସଂଶୟମୁକ୍ତ ହୋଇଥିଲେ । ପିତାଙ୍କ ମହତବାଣୀ ଥିଲା- ଦେବତା ହୁଅନ୍ତୁ ବା ନର ବା ନିଶାଚର । ଏମାନେ ଧରାପୃଷ୍ଠରେ ସବୁଠାରେ ଅଛନ୍ତି । ଆକୃତିରେ ସବୁ ମଣିଷ ସମାନ ହେଲେ ନିଜର ଆଚାର ବ୍ୟବହାର ଦ୍ଵାରା ମାନବ ତା’ର ଜାତିର ପରିଚୟ ଦେଇଥାଏ । ଯେଉଁ ବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ପରଉପକାର କରେ, ନିଜ ଅର୍ଜିତ ସମ୍ପତ୍ତି ପର ଦୁଃଖ ହରଣ ପାଇଁ ବ୍ୟୟ କରେ, ନିଜର ଜ୍ଞାନ ଅପରକୁ ବିତରଣ କରି ସୁଖୀ ହୁଏ, ତାହାରି ଜୀବନରେ ଦେବତା ସ୍ଵୟଂ ଅବତରଣ କରିଥାଆନ୍ତି ।

 

‘ମାନବ’ର ବ୍ୟାଖ୍ୟା କରି ପଦ୍ମିନୀ ପୁଣି କହନ୍ତି - ‘‘ଧର୍ମପଥରେ ଯେଉଁ ଲୋକ ଚାଲୁଥାଏ ଧନ ଅର୍ଜନ କରୁଥାଏ ପରଧନ ବା ପରଦାରା ପ୍ରତି ଦୃଷ୍ଟିପାତ କରେନାହିଁ, ଗୁରୁଜନ ଓ ଜ୍ଞାନୀଜନଙ୍କର ସମାଦର କରେ ଆଉ ଅପକର୍ମ ପ୍ରତି ସର୍ବଦା ଭୀତତ୍ରସ୍ତ ହୋଇ ରହିଥାଏ, ସେହି ଲୋକଟି ପ୍ରକୃତ ନର ପଦବାଚ୍ୟ । ବଦଳରେ, ପରଦୁଃଖରେ ଯେଉଁ ଲୋକ ସୁଖୀ ହୁଏ, ବାରମ୍ଭାର ଅନ୍ୟକୁ ଦୁଃଖ ଦେବାକୁ ଯେ କୁଣ୍ଠିତ ହୁଏନାହିଁ, କଳେବଳେ ଛଳେ ପରଧନ ଅପହରଣ ଚିନ୍ତାରେ ମଗ୍ନଥାଏ, ସେହିବ୍ୟକ୍ତି ନରକଳେବର ଧାରଣ କରି ମଧ୍ୟ ଭୀଷଣ ରାକ୍ଷସ ରୂପେ ଲୋକରେ ଗଣାହୁଏ ।’’

 

ପଦ୍ମିନୀ ଯେବେ ରାଣା ଭୀମସିଂହଙ୍କୁ ବିବାହ କରି ଆସିଲେ ବାଟରେ କେତେ ନଦନଦୀ, ଅରଣ୍ୟ, ପାରାବାର ପଡ଼ିଥିଲା । ଶିବିକାରୁ ଓହ୍ଲାଇ ଚିତୋର ନଗରର ରମ୍ୟ ପ୍ରାସାଦରେ ପ୍ରବେଶ କଲାପରେ, ଗବାକ୍ଷର ଅପର ପାର୍ଶ୍ୱରେ ପର୍ବତ ଓ ନୀଳଗଗନ ତାଙ୍କର ଦୃଷ୍ଟିଗୋଚର ହେଲା ଓ ସେ ଚକିତ ହେଲେ :

 

‘‘ଖଣ୍ଡେ ଖଣ୍ଡେ ପରବତ ଏକ ଦିଗ

ଏକ ମୁଖେ ବେଗେ ଥାନ୍ତି ଧାଇଁ,

ଆଚମ୍ବିତ ହେଲି ତାଙ୍କ

ବ୍ୟଗ୍ରଗତି ଚାହିଁ ।’’

 

ତାଙ୍କ ସ୍ଵାମୀ ମହାରାଣା, ଯିଏ ନିକଟ ପ୍ରକୋଷ୍ଠରେ ଥିଲେ, ପନ୍ନୀଙ୍କ ନିକଟରେ ଉପଗତ ହୋଇ, ସହର୍ଷ ବଦନରେ ପଦ୍ମିନୀଙ୍କ ସଂଶୟ ଏହିପରି ଦୂର କଲେ । ‘‘ଏ ପର୍ବତ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ସେତୁବନ୍ଧ ପଥ । ଏହି ପଥ ଦେଇ ଶ୍ରୀରାମଚନ୍ଦ୍ର ପାରାବାର ଲଙ୍ଘି ରାବଣ ନାଶ କରି ସୀତା ଦେବୀଙ୍କୁ ପୁଷ୍ପକ ବିମାନରେ ଧରି ଅଯୋଧ୍ୟା ଫେରିଆସିଥିଲେ । ପର୍ବତ ଖଣ୍ଡଖଣ୍ଡ ହୋଇ କେତେକ ସ୍ଥାନରେ ସାଗରଜଳରେ ନିମଜ୍ଜିତ ହୋଇ ରହିଥାଏ । ଏହା ପ୍ରକୃତିର ନିୟମ । ସବୁବେଳେ ଏହା ଉପରକୁ ଦେଖାଯାଏ ନାହିଁ । ଉଚ୍ଚ ବାଲି, ମାଟି, ପାଦପ, ପ୍ରସ୍ତର ନିମିର୍ତ ପର୍ବତ ଭାଙ୍ଗିଯାଏ ସିନ୍ଧୁ ତରଙ୍ଗାଘାତରେ । କେତେ ହଜାର ବର୍ଷରେ ବିବର୍ତ୍ତିତ ହୋଇ ଏହା କ୍ରମେ କ୍ଷୀଣ ହୋଇ ସେତୁବନ୍ଧ ଶରୀର ଅଂଶ ହୋଇରହିଯାଏ, ବା କେତେ ଖଣ୍ଡଖଣ୍ଡ ପର୍ବତ ପରସ୍ପର ସହ ମିଶିଯାଇ ସେତୁବନ୍ଧ ଗଠନ କରନ୍ତି ।

 

ପିତୃଗୃହରେ ରାମାୟଣ କଥା ଶୁଣି ଅଲୌକିକ ସେତୁବନ୍ଧ ବିଷୟରେ ପଦ୍ମିନୀଙ୍କ ମନରେ ଯେଉଁ ଧାରଣା ଥିଲା ଆଜି ପତିଙ୍କ ବିଜ୍ଞାନ-ପ୍ରସୂତ ତଥ୍ୟ ଶ୍ରବଣ କରି ସେତୁବନ୍ଧର ପ୍ରାକୃତିକ ସୃଷ୍ଟି ସମ୍ବନ୍ଧେ ସେ ଜାଣିପାରିଲେ । ସ୍ଵାମୀଙ୍କ ଯଥାର୍ଥ ତର୍କସମ୍ବଳିତ ତଥ୍ୟ ତାଙ୍କର ଶ୍ରୁତି ପ୍ରୀତିକର ହେବା ସହିତ ସେ ଉଲ୍ଲସିତ ହେଲେ ଓ ସ୍ଵାମୀଙ୍କଠାରୁ ଆହୁରି ଅଧିକ ଅନୁଭବର କଥା ଶୁଣିବାକୁ ଆଗ୍ରହୀ ହେଲେ ।

 

ଦ୍ଵିତୀୟ ସର୍ଗରେ ଖଳମତି, ଦୁଶ୍ଚରିତ୍ର ଆଲ୍ଲାଉଦ୍ଦୀନର ଶଠତାର ବର୍ଣ୍ଣନା ପ୍ରାଧାନ୍ୟ ଲାଭ କରିଛି । ଇତିହାସର ଗତି କୁଟିଳ । ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର । ଭାରତବର୍ଷର ଅତୀତକୁ ଫେରି ଚାହିଁଲେ ଏହା ଏକଦମ ସ୍ପଷ୍ଟ ହୋଇ ଦେଖାଯାଏ ଯେ, ଭାରତବର୍ଷ ଶ୍ୟାମଳ ଶସ୍ୟ ପୂର୍ଣ୍ଣ ଗୋଟିଏ ଧନୀ ସୁରକ୍ଷିତ ଦେଶଥିଲା । ତିନିଦିଗ ସାଗର ଦ୍ଵାରା ଓ ଉତ୍ତରଦିଗ ନଗାଧିରାଜ ହିମାଳୟ ଦ୍ଵାରା ବେଷ୍ଠିତ ଏହି ଭୂମିଖଣ୍ଡ ଥିଲା ପ୍ରକୃତିର ଗନ୍ତାଘର, ବାସ୍ତବରେ ସ୍ଵର୍ଣ୍ଣପ୍ରସୂ । ଭୂମିତଳେ ଭରପୂର ଖଣିଜ ସମ୍ପଦ, ଉପରେ ସୁନେଲୀ ଧାନର ସମ୍ଭାର । ବହୁପ୍ରକାର ଲୋକ, ବହୁନାମରେ ନାମିତ ଅଞ୍ଚଳଳ ଅନେକ ଭାଷା, ଅନେକ ଚଳଣିରେ ଭର୍ତ୍ତି ଏ ଭାରତବର୍ଷ ବହୁରଙ୍ଗର ପୁଷ୍ପରେ ଗୁନ୍ଥା ପୁଷ୍ପମାଳାଟିଏ ପରି ।

 

ପଦ୍ମିନୀଙ୍କ ସମୟରେ ଦିଲ୍ଲୀରେ ଯବନର ଶାସନ । ପଶ୍ଚିମରୁ ଖାଇବର ଗିରିସଙ୍କଟ ଦେଇ ତୁହାକୁତୁହା ପ୍ରବେଶ କରିଥିଲେ ମୁସଲମାନ, ପଠାଣ, ଆଫଗାନ । ତୁର୍କ, ରୋମସେନାନୀ । ଭାରତ ବର୍ଷକୁ ଦେଖି ସେମାନଙ୍କ ଆଖି ଝଲସି ଯାଇଥିଲା । ଏ ବିରାଟ ଭୂଖଣ୍ଡକୁ କିପରି ଅକ୍ତିଆର କରିବେ ଜାଣି ନପାରି ଲୁଟତରାଜ ଓ ଅପହରଣରେ ମାତିଯାଇଥିଲେ ସେମାନେ । ଇତିହାସ ସାକ୍ଷୀଅଛି, ତୈମୁରଲଙ୍ଗ କିପରି ଭାରତ ଲୁଣ୍ଠନ ତୃଷ୍ଣାରେ ଆତୁର ହୋଇ ସତରଥର ସୋମନାଥମନ୍ଦିର ଆକ୍ରମଣ କରିଥିଲେ ଆରବସାଗରର ଉତ୍ତୁଙ୍ଗ ଜଳରାଶିକୁ ଭ୍ରୂକ୍ଷେପ ନ କରି ।

 

ଚିତୋରଗଡ଼ ଯେତେବେଳେ ନ୍ୟାୟ, ଧର୍ମ, ଶାନ୍ତିର ଚରମରେ ଉପନୀତ ସେତେବେଳେ ଦିଲ୍ଲୀସିଂହାସନରେ ଅଧିଷ୍ଠିତ ଅହଙ୍କାରୀ ଆଲ୍ଲାଉଦ୍ଦୀନ ଖିଲଜୀ, ବିବେକହୀନ, ଦ୍ଵେଷଯୁକ୍ତ, ଇର୍ଷାକୁଳ, ନ୍ୟାୟହୀନ, ଦୁର୍ଦ୍ଧଶ ଓ ନିଷ୍ଠୁର ପ୍ରକୃତିର ।

 

“ନୀଚ ଲୋକ ପାଏ ଯଦି ବଡ଼ ଅଧିକାର,

ନଥାଏ ତା ପାପ ପୁଣ୍ୟେ ବିବେକ ବିଚାର ।’’

 

ସେହି ଦୁଷ୍ଟ ଆଲ୍ଲାଉଦ୍ଦୀନ ବହୁ ମୁଖରୁ ପଦ୍ମିନୀଙ୍କ ରୂପଗୁଣର ପ୍ରଶଂସା ଶୁଣି ଲାଳସୀ ହୋଇ ଉଠିଲା ଆଉ ଭାବିଲା ଦିଲ୍ଲୀ ଅଧୀଶ୍ଵରର ଏହି ମନୋବାଞ୍ଛା ପୂର୍ଣ୍ଣ ହେବନାହିଁ କାହିଁକି ? ‘ଯତ୍ନକଲେ ରତ୍ନ ମିଳେ’ - ଏକଥା ତ ଧ୍ରୁବସତ୍ୟ । ଗୁର୍ଜର ରାଜ୍ୟର ରାଜଲକ୍ଷ୍ମୀ କନୌଜ ରାଜକନ୍ୟା ଯଦି ମାର ସେବା କରୁଛନ୍ତି, ଚିତୋରର ପଦ୍ମିନୀ କାହିଁକି ଦିଲ୍ଲୀସମ୍ରାଟର ଅଙ୍କଶୋଭିନୀ ନହେବ ? ଏହା ଭାବି, ହଠାତ୍‌ ଯୁଦ୍ଧ ନ କରି ଛଳ ବନ୍ଧୁତା ଦେଖାଇ ବହୁ ରମ୍ୟ ଉପହାରସହ ପତ୍ର ଲେଖି ତାର ମାଧ୍ୟମରେ ଚିତୋର ଗଡ଼କୁ ପ୍ରେରଣ କଲା ।

 

ଏଭଳି ପ୍ରବଞ୍ଚନା କରିବାକୁ ସେ ସାହସକଲା କିପରି ? ସତ କହିବାକୁ ଗଲେ, ତା'ର ମୂଳପ୍ରକୃତି ଛଳନା ଓ ମିଥ୍ୟାଚାରରେ ତିଆରି । ଆଲ୍ଲାଉଦ୍ଦୀନ ଥିଲା ଦିଲ୍ଲୀ ସମ୍ରାଟ ଜଲାଲଉଦ୍ଦୀନଙ୍କର ଚାକର । କୌଶଳରେ ତୋଷାମଦ କରି ରାଜସେନାପତି ପଦ ନେଇଗଲା ପରେ ଜଲାଲଉଦ୍ଦୀନ ନିଜର ବୟସାଧିକ୍ୟ (୮୦ବର୍ଷ) ଯୋଗୁ ନିଜେ ନଯାଇ ଦକ୍ଷିଣଭାରତ ଦେବଗିରି ରାଜ୍ୟ ଲୁଣ୍ଠନ କରିବା ପାଇଁ ବଛାବଛା ସୈନ୍ୟସାମନ୍ତ ଦେଇ ପଠାଇଦେଲେ । ଦିଲ୍ଲୀରୁ ଶକ୍ତିଶାଳୀ ପଠାଣ ସୈନ୍ୟଙ୍କ ସହ ମିଶି ଆଲ୍ଲାଉଦ୍ଦୀନ ଦେବଗିରି ଜୟ କରି ଫେରିଲାବେଳେ ପ୍ରଚୁର ପରିମାଣର ସ୍ଵର୍ଣ୍ଣ ହୀରା, ମାଣିକ୍ୟ, ରତ୍ନ ଅଳଙ୍କାର ନେଇ ଆସିଲା । ବାହୁଡ଼ା ପଥରେ ଅଶ୍ଵପୃଷ୍ଠରେ ଲଦା ହୋଇଥବା ଗୋଟିଏ ସମ୍ରାଟର ଧନରାଶି ଦେଖି ଆଲ୍ଲାଉଦ୍ଦୀନର ମତିଭ୍ରମ ହେଲା । ଲୋଭସହିତ ମିଶିଲା କପଟକୌଶଳ, ପାପବୁଦ୍ଧି, ବିଶ୍ୱାସଘାତକତା ।

 

ସେ ଭାବିଲା - ‘‘ଯେତେରତ୍ନ ମୋ ହାତରେ ଅଛି ଏସବୁ ଅଶୀବର୍ଷର ବୁଢ଼ା ରଜାକୁ ଅର୍ପଣ କରି ଲାଭ କ’ଣ ? ରାଜଭଣ୍ଡାରରେ ଦେଲେ ବି ମୁଁ କ’ଣ ପାଇବି ? ଘରେ ବସି ବୃଦ୍ଧ ରାଜା ଏସବୁ ଭୋଗିବ, ତା’ପରେ ତା’ପୁଅ, କାରଣ ଅଳ୍ପଦିନରେ ତ ଏ ବୃଦ୍ଧ ମରିବ । ତା’ ପୁଅ ଯେ ମତେ ପଦଚ୍ୟୁତ ନ କରିବ କିଏ କହିବ ? ଆଜି ଯେଉଁ ଧନ ମୋ ହାତରେ ଅଛି ଯଦି ଛାଡ଼ିଦିଏ, ଜନେ ହସିବେ, କାପୁରୁଷ କହିବେ । ତା’ଛଡ଼ା ଜଲାଲମିଆଁ ବା କେଉଁ ରାଜପୁତ୍ର ଥିଲା ? ବିଶ୍ଵାସଘାତକତା କରି ସେ ଆଜି ଦିଲ୍ଲୀଉପରେ ଶାସନ ଚଳାଇଛି । ରାଜଲକ୍ଷ୍ମୀ ଚିରକାଳ ପରାକ୍ରମୀକୁ ବରଣ କରିଥାନ୍ତି । ଯା’ ହେଉ, ଭାଗ୍ୟବଳରୁ ଦେବଗିରି ଆକ୍ରମଣରୁ ବିଜୟୀ, ଧନଶାଳୀ ହୋଇ ଫେରିଆସିଛି ।

 

ବୃଦ୍ଧ ଜଲାଲଉଦ୍ଦୀନକୁ ଧନରତ୍ନର ଲୋଭ ଦେଖାଇ କପଟରେ ଏଠାକୁ ଯଦି ଡାକି ଆଣିପାରେ, ତା’ହେଲେ ତାକୁ ମାରିପାରିବି । ବୃଦ୍ଧନୃପ ଅତ୍ୟନ୍ତ କୃପଣ, ସେ ବା ଲୋଭ ସମ୍ବରଣ କରିପାରିବ କିପରି ?

 

କହନ୍ତି ଲୋଭରୁ ପାପ, ପାପରୁ ମରଣ,

ହେଉ ବୃଦ୍ଧ ନରପତି ତା’ ଉଦାହରଣ ।’

 

ଏକ ଗୋପନୀୟ ପତ୍ର ସହ କିଛି ବିଶିଷ୍ଟ ଅଳଙ୍କାର ଦେଇ ସେ କହିଥିଲା, “ରାଶିରାଶି ରତ୍ନଦେଖି ସାମନ୍ତ, ସେନାନୀ କହୁଛନ୍ତି ବାଣ୍ଟି ନେଇଯିବାକୁ, ମୁଁ ବିପଜ୍ଜନକ ସ୍ଥିତିରେ ଅଛି । ଶୀଘ୍ର ଆସି ଏହି ଶିବିରରୁ ଧନରତ୍ନ ନେଇଯାଅ, ତୁମ ସୈନ୍ୟମାନେ ତୁମକୁ ଅପେକ୍ଷା କରିଛନ୍ତି ।”

 

ବୃଦ୍ଧ ଜଲାଲଉଦ୍ଦୀନ ଏକାକୀ ଯେତେବେଳେ ଶିବିରରେ ପ୍ରବେଶ କଲେ, କିପରି ସେ ଦେବଗିରି ଜୟ କଲା ତାହାର ବର୍ଣ୍ଣନା କରିବାର ଅଭିନୟ କରି ତୀକ୍ଷ୍ଣ ଖଡ୍ଗରେ ସମ୍ରାଟଙ୍କ ମସ୍ତକ ସ୍କନ୍ଧଚ୍ୟୁତ କରି ଆସି ଦିଲ୍ଲୀସିଂହାସନରେ ବସିଗଲା ।

 

ଅବିଚାରୀ, ଖଚମନା ଆଲ୍ଲାଉଦ୍ଦୀନ ଯେତିକି ବ୍ୟସନ ରସ ସଂଭୋଗ କରୁଥିଲା ସେତେ ତାର ତୃଷ୍ଣା, ଅସନ୍ତୋଷ ବଢ଼ୁଥିଲା । ଏହା ଥିଲା ସ୍ଵାଭାବିକ । ବ୍ୟଭିଚାରୀମନ କେବେ ଶାନ୍ତହୁଏ ନାହିଁ ।

 

ସେହି ଦୁଷ୍ଟ ଯେତେବେଳେ ଚିତୋର ଗଡ଼ର ପୁରନ୍ଦରୀ ପଦ୍ମିନୀଙ୍କ ବିଷୟରେ ଶୁଣିଲା ଯେ –

 

ଭିନ୍ନ ଭିନ୍ନ ଶୋଭା ଯେତେ ଜଗତେ ଅତୁଳ,

ସୁକୁମାର ଅଙ୍ଗେ ତାର ହୋଇଅଛି ଠୁଳ ।

 

ତାର କାମୁକ ଅନ୍ତର କଣ ସ୍ଥିର ହୋଇ ରହିପାରିଥାନ୍ତା ? ତେଣୁ ସେ ଚିଠି ଲେଖିଲା ଚିତୋର ନରପତିଙ୍କୁ ।

 

ତୃତୀୟ ସର୍ଗ - ଚିତୋର ନଗ୍ର ତ ଚିରନ୍ତନୀ ଆନନ୍ଦର ସ୍ଥଳୀ । ପ୍ରକୃତି, ମାନବ, ଜୀବଜନ୍ତୁ, ପଶୁପକ୍ଷୀ ସର୍ବେ ଏଠାରେ ସର୍ବଦା ଆନନ୍ଦ ମୁଖର । ପ୍ରାସାଦ ଶିଖରଦେଶରେ ବିଜୟବାନା ଫରଫର ଉଡ଼ଡ଼ୀୟମାନ । ଏବେ ଏବେ ଗୁର୍ଜ୍ଜର ଜୟ କରିବା ଯୋଗୁ ଚିତୋରର ପ୍ରଭାବ ଅଧକ ଲକ୍ଷଣୀୟ ହୋଇଛି । ଆଗାମୀ ଦରବାର ନିମନ୍ତେ ସଭିଏଁ ଆୟୋଜନରେ ବ୍ୟସ୍ତ । ସ୍ଵଭାବକବିଙ୍କ ସ୍ଵାଭାବିକତା ଏଠାରେ ଲକ୍ଷ୍ୟ କରାଯାଇପାରେ । ନବ ପରିଚ୍ଛଦ କେଉଁଠାରେ ସିଲାଇ ହେଉଛି ତ କେହି ରତ୍ନସିଂହାସନ ସୁମାର୍ଜିତ କରିବାରେ ବ୍ୟସ୍ତ । ରତ୍ନ ଶିଳ୍ପୀଗଣ ଲାଗିଛନ୍ତି ରତ୍ନମୟ ଛତ୍ର, ଦଣ୍ଡ, ଚାମରମୁଷ୍ଟିକ, ଶରାସନ, କରବାଳମୁଷ୍ଟିକ, ମୁଦ୍‌ଗର ପରିଘ, ଛୁରୀ, ଢାଲ ଆଦି ମାର୍ଜନ କରି ଉଜ୍ଜଳ କରିବାରେ, ଯେତେ ଯେତେ ସୁବର୍ଣ୍ଣଜଡ଼ିତ ସୃଷ୍ଟି ଅଛି ସେ ସମସ୍ତ ପରିଚ୍ଛନ୍ନ କରି ନୂତନ ସଦୃଶ କରିବା ଦାୟିତ୍ଵ ଏମାନଙ୍କର ।

 

ସଂପ୍ରୀତ ହୃଦୟରେ ଦୁର୍ଗବାସୀ ଗାନ କରୁଥାନ୍ତି ବିଜୟସଂଗୀତ, କେହି ନିରବରେ, କେହି ଧୀରେ ବା କେହି ଉଚ୍ଚ ଖୋଲାସ୍ଵରେ । ଶିଶୁ, ବାଳକ, ବାଳିକାଗଣ ତାହା ଅନୁକରଣରେ ଗାଉଛନ୍ତି ଦରୋଟି କଣ୍ଠରେ । ନଗର, ବାଟ, ଘାଟ, ହାଟ ସର୍ବସ୍ଥଳୀ ଏବେ ମୁଖର ।

 

ଏହି ଆନନ୍ଦମୁଖର ମୁହୂର୍ତ୍ତରେ ରାଣା ଭୀମସିଂହ ନିଜ କାର୍ଯ୍ୟାଳୟରେ ଯେତେବେଳେ ବ୍ୟସ୍ତ ରାଜକାର୍ଯ୍ୟରେ, ଦ୍ୱାରପାଳ ନତମସ୍ତକରେ ଜଣାଇଲା:

 

“ମହାରାଜ, ଆସିଅଛି ଦିଲ୍ଲୀପତି ଚାର,

ସଙ୍ଗେ ଘେନି ଉପହାର ଲେଖ୍ୟ ସମାଚାର ।

ଆସିଅଛି ଆଉ ଏକ କଷାୟ ବସନା

ବେଶେ ସନ୍ୟାସିନୀ କିନ୍ତୁ ରଞ୍ଜିତ ଦଶନା ।’’

 

ରାଣାଙ୍କ ଆଜ୍ଞାପାଇ ଚାର ଉପସ୍ଥିତ ହେଲା ମଣ୍ଡପ ଦୁଆରେ, ପଛରେ ତା’ର ବାହକ, ହାତରେ ମଞ୍ଜୁଷାଟିଏ, ଚିଠିଟି ପଟ୍ଟବସ୍ତ୍ରରେ ଆଚ୍ଛାଦିତ, ସୁବର୍ଣ୍ଣଥାଳିରେ ମଣିରତ୍ନ, ମଞ୍ଜୁଷାଭର୍ତ୍ତି ରାଜସୁଲଭ ବସନରେ, ବାହକ ପଛରେ କଷାୟବସନା । ପତ୍ରଟି ଥିଲା ଦୁର୍ବୋଧ୍ୟ : “ତୁମ ସହ ବନ୍ଧୁତା ସ୍ଥାପନ ପାଇଁ ଏ ପ୍ରୀତି ଉପହାର । ଶୀଘ୍ର ସପରିବାର ଆସି ମୋତେ ବାନ୍ଧବସତ୍କାରର ସୁଯୋଗ ଦିଅ ।

 

ଆଲ୍ଲାଉଦ୍ଦୀନର ଏଭଳି ହଠାତ୍‌ ହୃଦୟ ପରିବର୍ତ୍ତନର କାରଣ କ’ଣ ? ପାରିଷଦବର୍ଗଙ୍କ ସହ ବିଶଦ ଆଲୋଚନା ପରେ ସର୍ବସମ୍ମତି କ୍ରମେ ସ୍ଥିର ହେଲା ଏୟା ଯେ, ଉପହାର ଦ୍ରବ୍ୟମାନ ରାଜକୋଷରେ ରହିବ, ଉତ୍ତରଟିଏ ନେଇ ଚାର ଫେରିଯାଉ । ଉତ୍ତରରେ ଲେଖା ହେଲା- କ୍ଷତ୍ରିୟକୁଳ ବଧୂଗଣ ଅନ୍ତଃପୁର ବାହାରେ ପାଦ ରଖନ୍ତି ନାହିଁ, ଏପରିକି ଲେଉଟି ଜନକପୁର ଯିବା ବିଧି ମଧ୍ୟ ନାସ୍ତି । ଏଣୁ ଦିଲ୍ଲୀ ଆଉ ମିବାରର ସୀମା ମଧ୍ୟଦେଶରେ ଉଭୟଙ୍କ ଶିବିର ନିବେଶ ହେଉ । ଦିଲ୍ଲୀପତି ଓ ମିବାର ଭୂପତି ପରସ୍ପର ପ୍ରତି ସମାନ ସମ୍ମାନ ଦେଖାଇ ସୁସାକ୍ଷାତ କରନ୍ତୁ । ଉଭୟେ ସ୍ଵଅଙ୍ଗରେ ତଲୱାର ଧାରଣ କରିପାରିବେ, ନହେଲେ ଉପହାର ବିନିମୟ କରିପାରିବେ ।

 

ଆଉ ରହସ୍ୟମୟୀ କଷାୟବସନା ? ଆଲ୍ଲାର ଏହି ଦୂତୀ ଜୟଶଙ୍କର’ ଧ୍ଵନିଦେଇ ପଦ୍ମିନୀଙ୍କ ପାଖରେ ଆଳାପ କରବାକୁ ହାଜର ହୋଇଗଲା । ତୀର୍ଥମାନଙ୍କର ଗୁଣଗାନ କଲା, ପାଦିବ୍ରତ୍ୟର ମହିମାବର୍ଣ୍ଣନାରେ ଶତଜିହ୍ଵ ହୋଇଉଠିଲେ ପଦ୍ମିନୀ । ସନ୍ନ୍ୟାସିନୀ କ’ଣ ଏତିକିରେ ଦବିଯିବ ? ପୁନର୍ବାର ଛଳନା ଆରମ୍ଭ କରିଦେଲା, “ରାଣା ଭୀମସିଂହ ଯବନର ଦର୍ପନାଶ କରି ପଦ୍ମିନୀର ଗୌରବ ବିକାଶ କରନ୍ତୁ । ଯମୁନାରେ ଅବଗାହନ କରି ଜଳ ଟେକିଦେଲେ ପଦ୍ମିନୀ ସ୍ଵୟଂ ଭାରତ ଇନ୍ଦ୍ରାଣୀପଦରେ ଅଧିଷ୍ଠିତ ହୋଇଯିବେ, ନଚେତ ଈଶ୍ୱରଙ୍କ ପ୍ରକୋପରେ ମହାଲୋକକ୍ଷୟ ଦୋଷ ରାଣୀଙ୍କୁ ଲାଗିବ ।

 

ଦୂତୀର ଏତାଦୃଶ ଭକ୍ତିରେ ପଦ୍ମିନୀ ଆତକିତ । ହେଲେ ବାହାରକୁ କିଛି ନ ଦେଖାଇ ଶାନ୍ତ ସ୍ଵରରେ ଦୂତୀକୁ ଛଳ ଭର୍ସନା କରନ୍ତି : “ତୁମ କଥାରୁ ମନେହୁଏ ତୁମଠାରୁ ବଳି ସତୀ ଆଉ କେହିନାହିଁ । ତୁମ୍ଭେ ଜଳଟେକି ଦେଲେ ଶଶ୍ଵର ସନ୍ତୁଷ୍ଟ ହେବାକଥା, ତା’ ନହେଲେ, ତୁମ ସେବାଏଡ଼ି ମୋତେ ଇନ୍ଦ୍ରାଣୀ କରିବା ପ୍ରଭୁଙ୍କ ପକ୍ଷେ ଅନୁଚିତ ।

 

‘ଭାଗ୍ୟେଥିଲା ପାଇଗଲୁ ତୁମ୍ଭ ଦରଶନ,

ନକର ଅଧିକ ଆଉ ଲୋମ ହରଷଣ ।’’

 

ଦୂତୀ ବୁଝିଗଲା ପଦ୍ମିନୀଙ୍କ ବିଦ୍ରୂପ ବ୍ୟଞ୍ଜନା । ଅବିଳମ୍ବେ ବାହାରିଗଲା ନବର ମଧ୍ୟରୁ କେବଳ ଦୁର୍ଗବାହାରେ ସହଚର ଚାରକୁ ଭେଟିବାକୁ, ତା ଆଗରେ ମାନିଯିବାକୁ ଯେ କେତେ ସମ୍ରାଟ, କେତେ ବୀରଙ୍କୁ ଚିତା କାଟିଦେଇଥିବା ନାରୀ ଆଜି ଚୌହାଣସୁତାଠାରୁ ପରାସ୍ତ ହୋଇଗଲା ।

 

ଚତୁର୍ଥ ସର୍ଗ- ପଦ୍ମିନୀଙ୍କୁ ହାସଲ କରିବା ପାଇଁ ଆଲ୍ଲାଉଦ୍ଦୀନର ଯାବତ ନୀଚ ପ୍ରୟାସ କବି ଲେଖନୀ ଅତି ସ୍ଵାଭାବିକ ଭାବରେ ବୁଢ଼ୀମା’ କାହାଣୀପରି ବର୍ଣ୍ଣିତ କରିଛି । ହୋଇପାରେ, ଏହା ରାଜସ୍ଥାନର ବିଶିଷ୍ଟ ଐତିହାସିକ ଲୋକକଥା ଉପରେ ଆଧାରିତ, ହେଲେ ଇତିହାସର ସତ୍ୟତା ପ୍ରମାଣ କରିବା ପ୍ରୟାସରେ କବିଲେଖନୀ ଯେପରି ଚଞ୍ଚଳ ହୋଇଛି ତାହା ଉଲ୍ଲେଖ ଯୋଗ୍ୟ, ଏହାରି ଜରିଆରେ ପଦ୍ମିନୀଙ୍କ ଚାରିତ୍ରିକ ବଳିଷ୍ଠତା ଓ ଆଦର୍ଶ ସ୍ଥାପିତ କରିବାକୁ କବି ତତ୍ପରତା ଦେଖାଇଛନ୍ତି ।

 

ଦିଲ୍ଲୀର ବିଳାସମୟ ରାଜପ୍ରାସାଦରେ, ସ୍ଵର୍ଣ୍ଣ-ରତ୍ନ ଖଚିତ ମଖମଲି ଶଯ୍ୟାରେ ଅସ୍ଥିର, ଆଲ୍ଲାଉଦ୍ଦୀନର ଦାସୀ ଲୀଳାବତୀ (ସନ୍ୟାସିନୀ)ର ଆଗମନକୁ ପ୍ରତୀକ୍ଷା କରିବା ଓ ଦାସୀ ସହ ତା’ର ଆଲୋଚନା, ଆଳାପ, ବ୍ୟଗ୍ରତା ଦର୍ଶାଇ କବି ଦିଲ୍ଲୀପତିର କୋପୀ ଅନ୍ତର ତଥା ନୀଚ ପ୍ରୟାସକୁ ଧିକ୍କାର ହିଁ କରିଛନ୍ତି । ପରସ୍ତ୍ରୀକୁ ହରଣ କରି ନେବାର ଲାଳସା କିପରି ଗୋଟେ ସମ୍ରାଟଙ୍କୁ ମଧ୍ୟ ବିକଳାଙ୍ଗ କରିଦିଏ, ଲୁଣ୍ଠନକାରୀ ଦସ୍ୟୁରେ ପରିଣତ କରେ ତାହାର ବର୍ଣ୍ଣନା ଚତୁର୍ଥ ସର୍ଗ ବହନ କରିଛି । ଆଲ୍ଲାଉଦ୍ଦୀନର ବିରାଟ, ବିପୁଳବାହିନୀ ଖାଦ୍ୟ ଓ ରସଦ୍‌ ପାଇଁ ବାଟସାରା କେତେ ଗ୍ରାମ, ଜନପଦ୍‌ ଲୁଣ୍ଠନ କଲେ ତା’ର ହିସାବ ନାହିଁ କିନ୍ତୁ ଯବନ ସେନାନୀର ନିଷ୍ଠୁରତା ଏବେ ବି ଇତିହାସର ବିଷୟ ହୋଇରହିଅଛି ।

 

ପଞ୍ଚମ ସର୍ଗ- ଚିତୋରଦୁର୍ଗ ତ ଚିରକାଳୁ ସୁଦୃଢ଼ ପ୍ରାଚୀର ଘେରା । ବିବିଧ ଆୟୁଧ ସଜିତ ଯବନ ଯୋଦ୍ଧାଗଣ ସେହି ମେଘନାଦପ୍ରାଚୀର ଚତୁର୍ଦ୍ଦିଗରେ ଘୂରିବୁଲିଲେ ମାସ ମାସ । ଅସ୍ତ୍ରର ଝନତ୍‌କାର, ଅଶ୍ଵମାନଙ୍କ ହ୍ରେଷାରବ, ବନ୍ଧୁକ ଗୁଳି ଗୋଳାର ଶବ୍ଦରେ ଗଗନ, ପବନ, ବନ କମ୍ପିତ ହେଉଥଲା । ହେଲେ ଦୁର୍ଗ ଦ୍ଵାର ଅବରୁଦ୍ଧ । ଯବନ ସେନା ପ୍ରବେଶ ଅସମ୍ଭବ । ଭାଗ୍ୟଦେବୀ ଚିତୋର ନିବାସ ଛାଡ଼ିବାକୁ ପ୍ରସ୍ତୁତ ହୋଇନାହାନ୍ତି ଏଯାଏଁ । ଅଳ୍ପ ଦୂରରେ ଦିଲ୍ଲୀପତିର ଶିବିର ଧାଡ଼ି ଧାଡ଼ି ହୋଇ ଠିଆ ହୋଇଛି ସ୍ଫତୀତ ଅହଙ୍କାରରେ । ବିଜୟଲକ୍ଷ୍ମୀ ଲାଭପରେ ତାହାଙ୍କ ସ୍ଥାପନା ପାଇଁ ମଣ୍ଡପମାନ ପ୍ରସ୍ତୁତ ହୋଇରହିଛି । ମଣ୍ଡପ ଶୀର୍ଷରେ ଉଡ଼୍‌ଡ଼ୀୟମାନ ଚିରାଳ ଲାଗୁଛି ରଣଦେବୀଙ୍କ କରାଳ ଜିହ୍ଵାପରି ଭୟାନକ । ସ୍ୱର୍ଣ୍ଣ, ରତ୍ନ, ପଟ୍ଟବସ୍ତ୍ରରେ ସଜ୍ଜିତ, ମଣ୍ଡିତ ହୋଇଛି ଉଜ୍ଜ୍ୱଳ ଆସନମାନ । ମଧ୍ୟ ଆସନରେ ବିରାଜମାନ ଦିଲ୍ଲୀସମ୍ରାଟ । ଦ୍ଵାରପାଳମାନେ ତରବାରୀ ଚକଚକ କରି ଶିବିର ବାହାରେ ଜାଗତ୍ର, ଅବଗୁଣ୍ଠନବତୀ ରମଣୀଗଣ ସେବା ନିଯୁକ୍ତା, କେତେ ସୁନ୍ଦରୀ ମଧୁର ସଙ୍ଗୀତ ଗାନରେ ରତ, ସେମାନଙ୍କ ମୁକ୍ତ ଅଧରଚାଳନ ସମ୍ରାଟଙ୍କୁ ଲାଗୁଛି ବିରକ୍ତିକର ।

 

ଏ ବିରାଟ ସେନାବାହିନୀ ଧରି ଦିଲ୍ଲୀରୁ ଆସିଛି ଆଲ୍ଲାଉଦ୍ଦୀନ ସେହି ରୂପ-ଗରବ-ମର୍ଦ୍ଦିନୀ ପଦ୍ମିନୀଙ୍କୁ ଦର୍ଶନ କରିବା ଲାଳସାରେ ଯିଏ ରାଣାଭୀମ ସିଂହଙ୍କ ଅଙ୍ଗନ ସରସୀର ରାଜହଂସୀ, ରାଣାଙ୍କ ପ୍ରିୟତମା ପନ୍ନୀ । ଆଲ୍ଲାଉଦ୍ଦୀନ ଏବେ ଅତ୍ୟନ୍ତ ଅସ୍ଥିର । ଶେଷରେ ଉଦ୍‌ବେଗ ସମ୍ବରଣ କରିନପାରି ସେ ସମ୍ବାଦ ପ୍ରେରଣ କଲା- ‘ପତିବ୍ରତା ପଦ୍ମିନୀଙ୍କୁ ଛାଡ଼ିଦେଲେ ସେ ଚିତୋର ତ୍ୟାଗ କରି ଫେରିଯିବ ।’

 

ଏ ଗୁରୁ ଅପମାନ ରାଣା ସହ୍ୟ କରନ୍ତେ କିପରି ?

 

ସେ ପାଲଟା ସମ୍ପାଦ ପଠାଇଲେ - “ଦେଖାଅ ତୋ ବଳଥିଲେ ଯବନ ବର୍ବର ।’’

 

ଏ ଖବର ପ୍ରାପ୍ତ ହେଲାକ୍ଷଣି ଯବନ ସମ୍ରାଟର ହୃଦୟାରଣ୍ୟରେ ହିଂସା ଜଳିଉଠିଲା ହୁତାଶନପ୍ରାୟ । ରକ୍ତ ମାଂସର ଅଥର୍ବ ଶରୀରଟି ବସି ରହିଲା ସୁବର୍ଣ୍ଣ ଆସନରେ । ଭାବି ଲାଗିଲା, ‘ହେ ଜୟଲକ୍ଷ୍ମୀ, ତୁମର ତ-

 

ପୁଣ୍ୟେ ନାହିଁ ଅଭିରୁଚି ପାପେ ନାହିଁ ଘୃଣା,

ନାହିଁ ଦ୍ଵେଷ ଦୁଷ୍ଟ ପ୍ରତି ନିରୀହେ କରୁଣା ।

ଯାହାଠାରେ ଦେଖ ଛଳ କଉଶଳ ବଳ,

ତାହାଠାରେ ହୁଏ ତୁମ୍ଭ ମମତା ପ୍ରବଳ ।

×       ×       ×       ×

ବୋଲୁଛି ନହେଲା ଲାଭ ରମଣୀରତନ,

ଧିକ ମୋ ସମ୍ରାଟ ପଣ ଧିକ ମୋ ଜୀବନ ।

ଧିକ ବସିଥିବା ବୋଲି ଉଠିପଡ଼ି ଥରେ,

ଅଗ୍ରସର ହେଲା ଯାଇ ଚିତୋର ପଥରେ ।

ଶୁଣିଲା ପ୍ରାଚୀର ଶିରୁଁ ବର୍ଷୂଚି ପଥର,

ଲେଉଟି ଆସିଲା କ୍ରୋଧି କମ୍ପି ଥରଥର ।’

 

ଏହିଠାରେ ଅସମ୍ପୂର୍ଣ୍ଣ ରହିଛି ସ୍ଵଭାବ କବିଙ୍କ ‘ପଦ୍ମିନୀ’ ଦୀର୍ଘ କବିତା । ଷଷ୍ଠ ସର୍ଗରୁ ଦଶମ ସର୍ଗ ରଚିତ କବିପୁତ୍ର ଭଗବାନ ମେହେରଙ୍କ ଦ୍ଵାରା ।

 

ଷଷ୍ଠସର୍ଗ- ଶିବିର ଭିତରେ କେତେବେଳେ ନୈରାଶ୍ୟ ତ କେତେବେଳେ ଆଶାର ଗାଢ଼ମାୟାଜାଲ ଆଲ୍ଲାଉଦ୍ଦୀନକୁ ପ୍ରବୋଧିତ କରୁଥାଏ । ଏଇଭଳି ଭୀଷଣ ଯାତନା ଭିତରେ ତା’ର ଲୋଭାକୁଳ ମନ ପୀଡ଼ିତ ହେବାକୁ ଲାଗିଲା । ଶେଷରେ ଆଉ ସମ୍ଭାଳି ନପାରି ଅନୁରୋଧ ପତ୍ରଟିଏ ରାଜା ଲକ୍ଷ୍ମଣ ସିଂହଙ୍କୁ ଲେଖିଲା-

 

“ଏଣୁ ମୋ କାମନା ଥରେ ପଦ୍ମିନୀଙ୍କି ଦେଖି,

ସେ ମୂର୍ତ୍ତିକି ପୂଜୁଥାନ୍ତି ହୃଦପଟେ ଲେଖି ।’’

 

ମନ୍ତ୍ରୀ ପରିଷଦବର୍ଗଙ୍କ ସହ ପୁନଃ ଆଲୋଚନା ପରେ ରାଣା ସ୍ଥିରକଲେ ଯେ, ଶକ୍ତିଶାଳୀ ଶତ୍ରୁକୁ କ୍ରୋଧାନ୍ଵିତ କରାଇବାରେ ରାଜ୍ୟପ୍ରତି ବିପଦ ଅଛି । ବରଂ ତାକୁ ରାଜନବରକୁ ଡକାଇ ଦର୍ପଣରେ ପଦ୍ମିନୀଙ୍କ ପତ୍ରିବିମ୍ବ ଦେଖାଇ ଦିଆଯାଉ ଏବଂ ସେ ଦିଲ୍ଲୀ ଫେରିଯାଉ ।

 

ସପ୍ତମ ସର୍ଗ- ଚିତୋରଗଡ଼ରୁ ଚିଠି ପାଇ ଆଲ୍ଲାଉଦ୍ଦୀନ ନିଜକୁ ରତ୍ନମୟ ବେଶରେ ସଜ୍ଜିତ କରାଇ, ଅତର ମହକିତ ହୋଇ, ବହୁ ବାଦ୍ୟ, ସେନା, ନାରୀ ଗହଣରେ ଗଜ ପୃଷ୍ଠରେ ବସି ଚିତୋର ଦୁର୍ଗର ଦ୍ଵାର ଦେଶରେ ଉପସ୍ଥିତ ହେଲା । ତାକୁ ଉପଯୁକ୍ତ ସମ୍ମାନ ଦର୍ଶାଇ ରାଜା ଲକ୍ଷ୍ମଣ ଓ ରାଣାଭୀମ ସମାଜର ପୂର୍ବକ ନବର ଭିତରକୁ ନେଇ ଦିବ୍ୟାସନରେ ବସାଇଲେ ।

 

କିଛିକ୍ଷଣ ଉତ୍ତାରୁ ସମ୍ମୁଖର ଏକ ଦ୍ଵାର ଖୋଲିଗଲା, ଆଲ୍ଲାଉଦ୍ଦୀନ ଚକିତ ହୋଇ ଦେଖିଲା ଅପୂର୍ବ ରମଣୀଟିଏ ଠିଆ ହୋଇଛି । ସେ ସତରେ ଦେଖୁଛି ନା କଳ୍ପନା କରୁଛି ଭାବିଲା ବେଳକୁ ମୂର୍ତ୍ତି ଅପସୃତ ହେଲା ଓ ଦ୍ଵାର ରୁଦ୍ଧ ହୋଇଗଲା ।

 

ଆଲ୍ଲାଉଦ୍ଦୀନର ହୃଦୟ ଏବେ ଅନ୍ଧକାରାଚ୍ଛନ । ତାକୁ ବିଦାୟ ଦେବାକୁ ଦୁର୍ଗପାଦଦେଶ ଯାଏଁ ଆସିଲେ ସରଳ ହୃଦୟ ଭୀମସିଂହ । ପରସ୍ପର ଆଲିଙ୍ଗନ ପରେ ବିଦାୟ ନେବା କ୍ଷଣି ଅତର୍କିତ ଏକ ସୈନ୍ୟଦଳ ଭୀମସିଂହଙ୍କୁ ବନ୍ଦୀକରି ନେଇଗଲେ ଶିବିରକୁ । ପଦ୍ମିନୀ ଏ ବିପଦବାର୍ତ୍ତା ଶୁଣି ଆପମାନରେ ସଙ୍କୁଚିତ ହୋଇଗଲେ । ମନେ ମନେ ନିଜ ରୂପକୁ ଧିକ୍କାର କରି ଚିନ୍ତା କଲେ କିପରି ଅତିଶୀଘ୍ର ପତି ମୁକ୍ତିଲାଭ କରିପାରିବେ ।

 

ଅଷ୍ଟମ ସର୍ଗ- ଏବେ ପଦ୍ମିନୀ ନାନା ଶଙ୍କାରେ ବ୍ୟାକୁଳ, ଅସ୍ଥିର । ଦୁଇ ବୀର, ବିଶ୍ଵସ୍ତ ଯୋଦ୍ଧା ଗୋରା ଓ ବାଦଲଙ୍କୁ ସେ ଡକାଇ ପଠାଇଲେ । ଅତି ଗୋପନରେ ଲକ୍ଷ୍ମଣସିଂହଙ୍କୁ ଅବଗତ କରାଇ ଏ ଦୁଇ ଯୋଦ୍ଧାଙ୍କୁ ସେ ନିର୍ଦ୍ଦେଶ ଦେଲେ ଶତାଧିକ ଶିବିକାରେ ବଛା ବଛା ବୀରମାନେ ଅସ୍ତ୍ର ସଜିତ ହୋଇ ବସିବେ, ବଛା ବଛା ବୀରମାନେ ଶିବିକା ବୋହିନେବେ, ପଦ୍ମିନୀ ଆତ୍ମସମର୍ପଣ କରିବେ ଦାସୀ, କୁଳନାରୀ, ପରିଚାରବର୍ଗଙ୍କ ସହ । ଅନ୍ତତଃ ଏହିପରି ବାହାରକୁ ଦେଖାଯିବ । ଏଥିରେ ପଦ୍ମିନୀଙ୍କର ଗୋଟିଏ ସର୍ତ୍ତ ଥିଲା, ନଗର ଜଗି ରହିଥିବା ଯବନସେନା ତୁରନ୍ତ ଦୁର୍ଗସୀମାରୁ ହଟିଯାଇ କେଉଁ ଦୂରସ୍ଥାନରେ ଶିବିର ପକାଇ ରହିବେ ।

 

ଆଲ୍ଲାଉଦ୍ଦୀନ ଏହି ଖବର ପାଇ ଆନନ୍ଦରେ ବିହ୍ଵଳ ହୋଇ ସୈନ୍ୟ ଅପସାରଣ ଆଦେଶ ଦେଇଦେଲା ଆଉ ପଦ୍ମିନୀ ଆସିବା ମାତ୍ରେ ଭୀମସିଂହଙ୍କୁ ଛାଡ଼ିଦେବାର ପ୍ରତିଶ୍ରୁତି ଦେଲା ।

 

ନବମ ସର୍ଗ- ଚିତୋର ନଗରରେ ଆଜି ଉତ୍ସାହ ପାଳନର ଦିବସ । ଶିବିକାର ଦୀର୍ଘ ଧାଡ଼ି ଧୀରେ ଯାଇ ଅଟକିଲା ଶିବିର ନିକଟରେ । ଗୋଟିଏ ପ୍ରକାଣ୍ଡ ଶିବିର ଖାଲି ହୋଇଥିଲା ଶିବିକା ରହିବା ପାଇଁ । ଆଲ୍ଲାଉଦ୍ଦୀନ ଆଦେଶରେ କେହି ଯବନ ଭୃତ୍ୟ ପରିଜନର ପ୍ରବେଶ ତା’ ଭିତରକୁ ନିଷିଦ୍ଧ ଥିଲା ।

ଭୀମସିଂହ ଏଣେ ବିଚଳିତ; ରୂପବତୀ ନାରୀର ଏକି ଶତ୍ରୁତା ! ଦିଲ୍ଲୀପତି ଆଦେଶରେ ଭୀମ ଅଧଘଣ୍ଟା ପାଇଁ ପଦ୍ମିନୀଙ୍କୁ ଶେଷ ସାକ୍ଷାତ କରିବାକୁ ସୁଯୋଗ ପାଇଲେ । ରାଣା ଭୀମ ମନକଥା ମନରେ ରଖି ଶିବିର ମଧ୍ୟରେ ପ୍ରବେଶ କଲାକ୍ଷଣି ଗୋରା ତାଙ୍କ ହସ୍ତ ଧରିନେଇ ଏକ ଶିବିରରେ ବସାଇଦେଲା । ନିମିଷକ ମଧ୍ୟରେ ବେଗଗାମୀ ବାହକମାନେ ତାଙ୍କୁ ନେଇଗଲେ ବହୁଦୂର, ସେଠାରୁ ଅଶ୍ଵରୋହଣ କରି ଖୁବ୍‌ ଶୀଘ୍ର ପହଞ୍ଚିଗଲେ ନିଜ କକ୍ଷରେ ।

 

ଦୀର୍ଘସମୟ ଧରି ଭୀମସିଂହ ନ ଫେରିବାରୁ ଭୃତ୍ୟମାନେ କ୍ରୋଧରେ ଉନ୍ମତ୍ତ ହୋଇ ଶିବିର ମଧ୍ୟରେ ପ୍ରବେଶ କରି ଯୋଦ୍ଧାମାନଙ୍କ କବଳିତ ହେଲେ । ତା’ପର ଲଢ଼େଇରେ ଅନେକ ଯବନ ସୈନ୍ୟ ଓ ରାଜପୁତମାନଙ୍କ ପ୍ରାଣହାନି ଘଟିଲା ଓ ଯୁଦ୍ଧ କ୍ଷେତ୍ରରେ ଗୋରା ଶହିଦ ହେଲା ।

 

ଦଶମସର୍ଗ- ନିଜ କପଟତାର ଫାଶରେ ନିଜେ ଶୀକାର ହୋଇ ଆଲ୍ଲାଉଦ୍ଦୀନର କ୍ରୋଧ, କ୍ଷୋଭ ଓ ଅନୁତାପର ସୀମା ନଥିଲା । ଛାର ନାରୀଟିଏ ଦ୍ଵାରା ଏପରି ଶୋଚନୀୟ ଅବସ୍ଥାରେ ପଡ଼ିଥିବା ଯୋଗୁ ପ୍ରତିଶୋଧ ଲିପ୍‌ସା ତା’ଭିତରେ କୁହୁଳୁଥିଲା । ସୈନ୍ୟଦଳଙ୍କୁ ଆହ୍ଵାନ କରି ଚିତୋର ଗଡ଼କୁ ଧୂଳିସାତ୍‌ କରିଦେବାକୁ ନିର୍ଦ୍ଦେଶ ଦେଲା । ଚିତୋରଗଡ଼ରେ ହାହାକାର ଭରିଗଲା । ହେଲେ ରାଜା ଲକ୍ଷ୍ମଣସିଂହ ଓ ରାଣା ଭୀମସିଂହ ଏଥିରେ ଭୀତ ନହୋଇ କାଳୋଚିତ ରାଜଧର୍ମ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇଗଲେ ।

 

ଗର୍ଭବତୀ ନାରୀ, ବାଳ, ବୃଦ୍ଧା, ସ୍ତନ୍ୟପାୟୀ ଶିଶୁ ଓ ଜନନୀଙ୍କୁ କିଛି ସୈନ୍ୟଙ୍କ ହେପାଜତ୍‌ରେ କୈଲବାରଦୁର୍ଗକୁ ରାତ୍ରିର ଅନ୍ଧକାର ମଧ୍ୟରେ ଗୋପନ ସୁଡ଼ଙ୍ଗ ଦେଇ ପଠାଇ ଦିଆଗଲା । ଚିତୋର ଦୁର୍ଗକୁ ଜଗି ରହିଲେ ରାଜାଲକ୍ଷ୍ମଣ ରାଣାଭୀମ, ବୀରଯୋଦ୍ଧାବୃନ୍ଦ, ରାଣୀମୀରା ଓ ପଦ୍ମିନୀ । ପ୍ରାସାଦ ଚୂଡ଼ାରୁ ବୀର ରମଣୀ ବୃନ୍ଦ ସମର ସଙ୍ଗୀତ ଗାନ କଲେ । ରାଜମହିଷୀ ମୀରା ଓ ପଦ୍ମିନୀ ଭୁବନମୋହିନୀ ବେଶରେ ବନ୍ଦାପନାଥାଳି ଧରି କୂଳବଧୂଗଣଙ୍କ ସହ ପ୍ରସ୍ତୁତ ହୋଇସାରିଥିଲେ ରାଜା ଓ ରାଣାଙ୍କ ବନ୍ଦାପନା ନିମନ୍ତେ ।

 

ପରିବେଶରେ ଦୁନ୍ଦୁଭି ପଟ୍ଟହ, ତୁରୀ ଆଦି ବାଦ୍ୟରୋଳ । ଏବେ ରଣଭୂମି ଅଭିମୁଖେ ଅଗ୍ରସର ହେବେ ଚିତୋରନାଥ, ଚିତୋର ଈଶ୍ୱରୀ ଓ ଯୋଦ୍ଧବୃନ୍ଦ ନିଜ ନିଜ ଯୋଗ୍ୟ ଯାନ ଆରୋହଣ କରି ।

 

(୩)

 

ପ୍ରଥମ ଅଧ୍ୟାୟରେ ମୋର ବକ୍ତବ୍ୟ ଓ ଦ୍ୱିତୀୟ ଅଧ୍ୟାୟରେ ବିଷୟବସ୍ତୁ ଅଲୋଚନା କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଦୃଷ୍ଟି କୋଣକୁ ପରିପୁଷ୍ଟ କରନ୍ତି । ଏଗୁଡ଼ିକ ହେଲେ:

 

(କ)

ପଦ୍ମିନୀ ଏକ ଐତିହାସିକ କାବ୍ୟ ନୁହେଁ, କାରଣ ଐତିହାସିକ ଘଟଣା ବା ବିଷୟବସ୍ତୁ ଏହାର ମୁଖ୍ୟ ଆଧାର ନୁହେଁ, ଏଥିରେ ଐତିହାସିକତା କ୍ଷୀଣ ଏବଂ କାଳ୍ପନିକତା ଅଧିକ ।

(ଖ)

ରାଣୀ ପଦ୍ମିନୀ ସତୀ ବୀରାଙ୍ଗନା ଭାବରେ ରାଜସ୍ଥାନରେ ଲୋକପୂଜିତା । କିନ୍ତୁ ଗଙ୍ଗାଧରଙ୍କ ପାଞ୍ଚସର୍ଗ ଓ ଭଗବାନଙ୍କର ଆଉ ପାଞ୍ଚସର୍ଗ ପରିଶେଷରେ ପଦ୍ମିନୀଙ୍କର କୌଣସି ବିଶେଷ ଭାବମୂର୍ତ୍ତି ନିର୍ମାଣ କରନ୍ତି ନାହିଁ, ବରଂ କୁହାଯାଇପାରେ ଯେ, ଗଙ୍ଗାଧରଙ୍କ ପାଞ୍ଚସର୍ଗରେ ଯାହା ସମ୍ଭାବନା ଥିଲା ଭଗବାନ ତାକୁ ନଷ୍ଟ କରି ଦେଇଛନ୍ତି ଯାହା ଗଙ୍ଗାଧର ସ୍ୱଳ୍ପ ଐତିହାସିକ ଉତ୍ସରୁ ପାଇଥଲେ ତାହାକୁ ଆଗକୁ ବଢ଼ାଇବା ପାଇଁ ଭଗବାନଙ୍କ ପାଝରେ ନିଶ୍ଚିତ ଭାବରେ ଉପାଦାନ ନଥିଲା । ତେଣୁ ଯାହା ଏକ ସତୀ ବୀରାଙ୍ଗନାର ଗାଥା ହୋଇପାରିଥାନ୍ତା ତାହା ଯୁଦ୍ଧଶିବିରରୁ ଶତ୍ରୁ ମୁଖରୁ ସ୍ୱାମୀଙ୍କୁ ଖସେଇ ଆଣିବା ଭଳି ଗୋଟିଏ ଚାତୁର୍ଯ୍ୟମଣ୍ଡିତ ଯୁଦ୍ଧ କାହାଣୀ ହୋଇ ରହିଗଲା ।

(ଗ)

ଯେହେତୁ ଗଙ୍ଗାଧରଙ୍କ ରଚନା ଓ ଭଗବାନଙ୍କ ରଚନା ପରସ୍ପରର ପରିପୂରକ ହୋଇପାରି ନାହାନ୍ତି, ଉଚିତ ହେବ ଯଦି ‘ପଦ୍ମିନୀ’ ର ଅସମ୍ପୂର୍ଣ୍ଣ ଗଙ୍ଗାଧରକୃତ ପାଞ୍ଚସର୍ଗକୁ ଗୋଟିଏ ଦୀର୍ଘ କବିତା ଭଳି ପଢ଼ାଯାଏ ।

(ଘ)

ସ୍ଵଭାବକବି ଆତୁର ବୃଦ୍ଧ ସମ୍ରାଟ ଆଲ୍ଲାଉଦ୍ଦୀନ ଖିଲଜୀଙ୍କୁ ଯେଭଳି ବ୍ୟଙ୍ଗବାଣରେ ଭୂଲୁଣ୍ଠିତ କରିଛନ୍ତି ତାହା ହିଁ ଏ କବିତାର ତୁଙ୍ଗିମା ।

 

ଯଦି ଯୁକ୍ତିକରାଯାଏ ଯେ ପଞ୍ଚମ ସର୍ଗରେ ସମ୍ରାଟଙ୍କ ବାର୍ଦ୍ଧକ୍ୟ ଉପରେ ମନ୍ତବ୍ୟ କରି କବିତାଟିକୁ ଅଧିକ ସମ୍ଭାବନାରୁ ବଞ୍ଚିତ କରାଯାଇଛି ଓ ସମସ୍ତ ଶ୍ଳେଷ ତଥା ବ୍ୟଙ୍ଗ କରୁଣାରର୍ଦ୍ର ମନେ ହେଉଛି ତେବେ ତାର ଉତ୍ତର ହେବ ଯେ ସ୍ଵଭାବକବି ଏହି ବିଷୟକୁ ଗ୍ରହଣ କଲାବେଳେ ତାହା ହିଁ ଅନୁଭବ କରିଛନ୍ତି । ଅଧିକ ଉପାଦାନ ଥଲେ ଗଙ୍ଗାଧରଙ୍କ ଭଳି ଜଣେ କୁଶଳୀ କବି ପଞ୍ଚମ ସର୍ଗରେ ଅଟକିଯାଇ ନଥାନ୍ତେ ।

 

ସହିଦ ନଗର, ଭୁବନେଶ୍ୱର

***

 

ଗଙ୍ଗାଧରଙ୍କ ଗୀତିକବିତା

ସୁରେନ୍ଦ୍ର କୁମାର ମହାରଣା

 

ଆଧୁନିକ ଓଡ଼ିଆ ସାହିତ୍ୟ ଜନ୍ମଲଗ୍ନରେ ଯେଉଁ କେତେଜଣ ସାରସ୍ଵତ ସାଧକଙ୍କର ଆବିର୍ଭାବ ଘଟିବା ଫଳରେ ଓଡ଼ିଆ ସାହିତ୍ୟ ନବୀନତାର ସ୍ପର୍ଶ ପାଇଛି ଓ ସମୃଦ୍ଧି ପଥରେ ଆଗେଇ ଚାଲିଛି, ସେମାନଙ୍କ ମଧ୍ୟରେ ସ୍ଵଭାବକବି ଗଙ୍ଗାଧର (୧୮୬୨-୧୯୨୪) ଅନ୍ୟତମ । ସ୍ଵଳ୍ପଶିକ୍ଷା ଓ ଦାରିଦ୍ର୍ୟ ତାଙ୍କ ସାହିତ୍ୟ-ସାଧନାର ବାଧକ ସାଜି ନାହିଁ ନୈସର୍ଗିକ କବିପ୍ରତିଭା ତାଙ୍କ ସାଧନାକୁ ତ୍ୱରାନ୍ୱିତ କରିଛି ଓ କାବ୍ୟକବିତାମାନେ ରଚନା କରି ସେ ଓଡ଼ିଆ ବାଣୀଭଣ୍ଡାରକୁ ବହୁ ନୂତନତାରେ ଭରିଦେଇଛନ୍ତି । ରାଧାନାଥ, ଫକୀରମୋହନ, ମଧୁସୂଦନ ପ୍ରମୁଖ ଅଗ୍ରଜ କବିମାନଙ୍କ ସହିତ ତାଙ୍କ ଯୋଗଦାନ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଙ୍ଗଳମୟ ହୋଇଛି ।

 

ରୀତିସାହିତ୍ୟରେ ଗଙ୍ଗାଧରଙ୍କ ରୁଚି ଥିଲା । ସେ ବିଦ୍ୟାଳୟ ଛାଡ଼ିବାପରେ ଉପେନ୍ଦ୍ର ଭଞ୍ଜଙ୍କର କିଛି କାବ୍ୟ ଅଧ୍ୟୟନ କରିଥିଲେ ଏବଂ କବି ଜୀବନର ପ୍ରାଥମିକ ସ୍ତରରେ ରୀତିକାବ୍ୟାଦର୍ଶରେ କେତେକ କବିତା ପ୍ରଣୟନ କରିଥିଲେ । କାଳିଦାସ, ଭବଭୂତି ପ୍ରଭୃତି ସଂସ୍କୃତ କବିଙ୍କୁ ମଧ୍ୟ ସେ ଅଧ୍ୟୟନ କରିଥିଲେ । ରାଧାନାଥ-ପ୍ରବର୍ତ୍ତିତ କାବ୍ୟ ପରମ୍ପରାର ପ୍ରଭାବ ମଧ୍ୟ ତାଙ୍କ ଉପରେ କମ୍‌ନଥିଲା । ତେଣୁ ତାଙ୍କ ରଚନାବଳୀରେ ରସଧମତା ଓ କାବ୍ୟଧର୍ମିତା ଉଭୟ ସଦା ଅନୁଭୂତ ।

 

ଗଙ୍ଗାଧରଙ୍କ କବିପ୍ରତିଭାର ଉନ୍ମେଷ ଓ ଉତ୍ତରଣ ଘଟିଥିଲା ୧୮୯୨ ଖ୍ରୀଷ୍ଟାଦ୍ଦରେ ଅର୍ଥାତ୍‌ ଜୀବନକାଳରେ ଦ୍ଵିତୀୟାର୍ଦ୍ଧ (୧୮୯୨-୧୯୨)ରେ । ଏହି ସମୟ ମଧ୍ୟରେ ସେ କାବ୍ୟ-କବିତାଦି ରଚନା କରି କବିଭାବରେ ନିଜକୁ ପ୍ରତିଷ୍ଠା ଦେଇପାରିଥିଲେ । ତାଙ୍କ ସାହିତ୍ୟ ଥିଲା ଯୁଗରୁଚି ଅନୁକୂଳ । ସମାଲୋଚକ ନଟବର ସାମନ୍ତରାୟଙ୍କ ଭାଷାରେ ଆଧୁନିକ କାବ୍ୟକ୍ଷେତ୍ରରେ ଗଙ୍ଗାଧର ଏକ ସ୍ଵତନ୍ତ୍ର ଧାରାର ଜଣେ ଅପ୍ରତିଦ୍ୱନ୍ଦ୍ରୀ ପ୍ରତିନିଧି । ସଂସ୍କୃତ ସାହିତ୍ୟର ଭାବ ଓ ଆଦର୍ଶ ଅନୁସରଣ କରି ସେ ଆଧୁନିକ ରୁଚି ଅନୁକୂଳ ସାହିତ୍ୟ ସୃଷ୍ଟି କରିଥିଲେ । ଆଧୁନିକ ଓଡ଼ିଆ ସାହିତ୍ୟ, ବିଶେଷତଃ ୧୮୯୨ ସାଲ ପର ଓଡ଼ିଆ ସାହିତ୍ୟର ସ୍ଵରୂପ ଜାଣିବାକୁ ହେଲେ ଗଙ୍ଗାଧର ସାହିତ୍ୟ ଅଧ୍ୟୟନ ଯେ ସର୍ବାଦୌ ଅପରିହାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ ।” (ଗଙ୍ଗାଧର ସାହିତ୍ୟ ସମୀକ୍ଷା, ପୃ.୧୦୦-୦୧)

 

ଗଙ୍ଗାଧରଙ୍କ କାବ୍ୟ- କବିତା ମଧ୍ୟରେ କିଛି ଗୀତିକବିତା ଅନ୍ତର୍ଭୁକ୍ତ । ପ୍ରାଚୀନ ଓ ମଧ୍ୟ ଯୁଗୀୟ ଓଡ଼ିଆ ସାହିତ୍ୟରେ ବହୁବିଧ ଗୀତିକବିତାର ସନ୍ଧାନ ମିଳେ । ଗଙ୍ଗାଧରଙ୍କ ସମୟକୁ ଆଧୁନିକ ରୀତିକବିତା ମଧୁସୂଦନ, ନନ୍ଦକିଶୋର ପ୍ରମୁଖ କବିମାନଙ୍କଦ୍ଵାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଶୈଳୀର ଅନୁବର୍ତ୍ତନରେ ନୂତନ ଆଙ୍ଗିକ ପ୍ରାପ୍ତ ହୋଇସାରିଥିଲା । ଏହି ପରିପ୍ରେକ୍ଷୀରେ ଗଙ୍ଗାଧର ମଧ୍ୟ କିଛି ଗୀତିକବିତା ରଚନାରେ ହାତ ଦେଇ ସଫଳ ହେଲେ ।

 

କବିର ବ୍ୟକ୍ତିଗତ ଆବେଗ ଅନୁଭୂତି, ଆଶା-ନିରାଶା, ଆନନ୍ଦ-ନିରାନନ୍ଦର କଳାତ୍ମକ ପରିପ୍ରକାଶ ହିଁ ମନ୍ମୟ କବିତା ବା ଗୀତିକବିତା ।” ଗୀତିକବିତା ମାଧ୍ୟମରେ ପ୍ରତ୍ୟକ୍ଷ ଭାବରେ ଆତ୍ମପ୍ରକାଶର ସମସ୍ତ ସ୍ଵାଧୀନତାକୁ ନେଇଥାଏ । କେବଳ ଭାରତୀୟ ସାହିତ୍ୟ ନୁହେଁ, ସମଗ୍ର ବିଶ୍ଵସାହିତ୍ୟ ଗୀତିକବିତାଦ୍ଵାରା ବିପୁଳଭାବେ ପରିପୁଷ୍ଟ । କିଛି ପାର୍ଥକ୍ୟ ଥିବା ସତ୍ତ୍ୱେ ଅନ୍ତର୍ନିହତ ଗୁଣ ଓ ଧର୍ମ ଦୃଷ୍ଟିରୁ ଇଂରାଜୀର lyric କୁ ଭାରତୀୟ ଗୀତିକବିତାରେ ସମାର୍ଥକ ଶବ୍ଦରୂପ ଗ୍ରହଣ କରାଯାଏ । କାରଣ ‘‘Lyric is a short pensonal expression of feelings ବୋଲି ଇଂରାଜୀରେ କୁହାଯାଉଥିବାବେଳେ କବି ହୃଦୟର ଆବେଗ-ଅନୁଭୂତିର ସ୍ଵତଃସ୍ଫୁର୍ତ୍ତ, ଗୀତିମୟତା ସଂକ୍ଷିପ୍ତ ପରିପ୍ରକାଶ ହିଁ ଭାରତୀୟ ସାହିତ୍ୟରେ ଗୀତିକବିତା । ଏହା କ୍ଷୁଦ୍ର ଅବୟବବିଶିଷ୍ଟ ଏବଂ ଗାନଧର୍ମିତା, ମନ୍ମୟତା ଓ ସ୍ଵତଃସ୍ଫୁର୍ତ୍ତତା ଏହାର ମୁଖ୍ୟଧର୍ମ ।

 

ଭାରତୀୟ ସାହିତ୍ୟରେ ରୀତିକବିତାର ପରମ୍ପରା ବହୁ ପ୍ରାଚୀନ । ସାହିତ୍ୟର ବହୁବିଧ ବିଭାବ ମଧ୍ୟରେ ଏହା ପ୍ରାଚୀନତମ । ଏହାର ପ୍ରଥମ ନିଦର୍ଶନ ମିଳେ ବୈଦିକ ସାହିତ୍ୟରେ । ତା’ପରେ ପ୍ରାକୃତ, ଅପଭ୍ରଂଶ ଦେଇ ଏହାର କ୍ରମିକ ବିକାଶ ସାଧିତ ହୁଏ । କାଳକ୍ରମେ ପ୍ରାକୃତ ଓ ଅପଭ୍ରଂଶ ସାହିତ୍ୟରୁ ଓଡ଼ିଆ ଭାଷା ଓ ସାହିତ୍ୟ ଆତ୍ମପ୍ରକାଶ କରେ କେତେକ ସ୍ଵତନ୍ତ୍ରତା ସହିତ । ଅପଭ୍ରଂଶ ଗୀତିକବିତା (ଚର୍ଯ୍ୟାଗୀତି ଓ ଦୋହା) ଓଡ଼ିଆ ଲିଖିତ ସାହିତ୍ୟର ଆଦି ନିଦର୍ଶନ । ଅଷ୍ଟମ-ନବମ ଶତାବ୍ଦୀଠାରୁ ଏକାଦଶ ଶତାବ୍ଦୀ ମଧ୍ୟରେ ଏଗୁଡ଼ିକର ଉଦ୍ଭବ ଓ ବିକାଶ । ଏହା ପୂର୍ବରୁ ଅର୍ଥାତ୍-ଲିଖିତ ସାହିତ୍ୟ ସୃଷ୍ଟି ହେବା ପୂର୍ବରୁ ଢଗଢମାଳି, ଗୀତି-ପ୍ରବଚନ, କାନ୍ଦଣା, କୃଷକଗୀତି, ଦୋଳିଗୀତି ଇତ୍ୟାଦି ସମୃଦ୍ଧ ଲୋକସାହିତ୍ୟ ବା କଥିତ ସାହିତ୍ୟର ପ୍ରଚଳନ ଥଲା । ଲୋକଗୀତ ଓ ଚର୍ଯ୍ୟା ସାହିତ୍ୟ ପରେ ଗୀତିକବିତାର ବିକାଶ ଦେଖବାକୁ ମିଳେ ଷୋଡ଼ଶ ଶତାବ୍ଦୀର ପଞ୍ଚସଖା ସାହିତ୍ୟରେ । ଏହି ସମୟରୁ ଓଡ଼ିଆ ଗୀତିକବିତାର ଏକ ବିଧିବଦ୍ଧ ଭିତ୍ତିଭୂମି ସ୍ଥାପିତ ହୋଇଥିଲା । (ସାହିତ୍ୟର ଡାଳପତ୍ର, ପୃ.୧୦୧)

 

ପରବର୍ତ୍ତୀ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଗୀତିକବିତାର ଅଖଣ୍ଡ ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ସ୍ଥୂଳତଃ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଗୀତିକବିତା ମାଧ୍ୟମରେ ହିଁ, ପ୍ରାଚୀନ ଓ ମଧ୍ୟଯୁଗୀୟ କବିଗଣ ସେମାନଙ୍କ ବିଭିନ୍ନ ଭାବ ଓ ଅନୁଭବକୁ ରୂପାୟିତ କରିଯାଇଛନ୍ତି, ଯେଉଁଗୁଡ଼ିକ ଆତ୍ମପ୍ରକାଶ କରିଛି ଷୋଡ଼ଶା, ଚଉପଦୀ, ଚଉତିଶା, ଭଜନ, ଜଣାଣ ସ୍ତୁତି, ମାଳଶ୍ରୀ, ବୋଲି, କୋଇଲି, ଚିଟାଉ, ପୋଈ, କାନ୍ଦଣା ଇତ୍ୟାଦି ଆଙ୍ଗିକରେ ।

 

ଉନବିଂଶ ଶତାବ୍ଦୀରେ ଓଡ଼ିଶାରେ ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ଫଳରେ ଉପରୋକ୍ତ ବହୁବିଧ ଗୀତିକବିତା ଏକପ୍ରକାର ଅଲୋଡ଼ା ହୋଇପଡ଼ିଲା ଓ ଓଡ଼ିଆ ଗୀତିକବିତା ଇଂରାଜୀ ସାହିତ୍ୟର ପ୍ରଭାବରେ ଆଧୁନିକ କବିମାନଙ୍କ ଦ୍ଵାରା ଚିନ୍ତାମୂଳକ ଗୀତି କବିତା, ଭକ୍ତିମୂଳକ ଗୀତିକବିତା, ଦେଶପ୍ରେମମୂଳକ ଗୀତିକବିତା, ପ୍ରେମମୂଳକ ଗୀତିକବିତା, ପ୍ରକୃତିମୂଳକ ଗୀତିକବିତା, ବିଦୁପାତ୍ମକ ଗୀତିକବିତା, ଖଣ୍ଡକବିତା, ଶୋକଗୀତି, ସମ୍ୱୋଧନ-ଗୀତି, ଚତୁର୍ଦ୍ଦଶୀପାଦୀ କବିତା, ଲଘୁବୈଠକୀ କବିତା ଇତ୍ୟାଦି ରୂପରେ ଆତ୍ମପ୍ରକାଶ କଲା ।

 

ଗଙ୍ଗାଧର ଗୀତିକବିତା ରଚନାରେ ମନୋନିବେଶ କରିଥିଲେ ଯୁଗରୁଚିର ଅନୁରୋଧରେ-। ଓଡ଼ିଶା ଇଂରେଜ ଶାସନାଧୀନ ହେବାପରେ ଶିକ୍ଷାର ବିକାଶ ନିମନ୍ତେ ପାଠ୍ୟପୁସ୍ତକର ଆବଶ୍ୟକତା ପଡ଼ିଲା । ଏଣୁ କ୍ଷୁଦ୍ର କ୍ଷୁଦ୍ର ଗଦ୍ୟ ଓ ପଦ୍ୟ ରଚିତ ହେବା ନିମିତ ଅନୁକୂଳ ପରିବେଶ ସୃଷ୍ଟି ହେଲା । ବଙ୍ଗଳାରୁ ବିଭିନ୍ନ ସାହିତ୍ୟିକ ଗଦ୍ୟ ଓ ପଦ୍ୟ ଓଡ଼ିଶାରେ ଅନୁଦିତ ହୋଇ ଏହି ଆବଶ୍ୟକତା ପୂରଣ ନିମନ୍ତେ ଚେଷ୍ଟା କରାଗଲା । ସମକାଳୀନ ଓଡ଼ିଆ ସାହିତ୍ୟିକଗଣ ମଧ୍ୟ ଏ ପ୍ରକାର ଓଡ଼ିଆ ଅନୁବାଦ କାର୍ଯ୍ୟରେ ଯୋଗଦେବା ସଙ୍ଗେ ସଙ୍ଗେ ଓଡ଼ିଆରେ ମୌଳିକ କୃତିମାନ ସୃଷ୍ଟିକଲେ । କବିବର ରାଧାନାଥ ଓ ଭକ୍ତକବି ମଧୁସୂଦନଙ୍କ ଯୌଥ ଉଦ୍ୟମରେ ରଚିତ ‘କବିତାବଳୀ’ ବହୁତବର୍ଷ ଧରି ପାଠ୍ୟପୁସ୍ତକ ଭାବରେ ଆଦୃତ ହେଲା । ମଧୁସୂଦନଙ୍କ ଦ୍ଵାରା ‘ଛାନ୍ଦମାଳା’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’ ଇତ୍ୟାଦି ପାଠ୍ୟପୁସ୍ତକ ରଚିତ ହୋଇ ଚିଦାନୀନ୍ତନ ଶିକ୍ଷାଜଗତରେ ଚହଳ ସୃଷ୍ଟିକଲା । ଫକୀରମୋହନ, ଗୋବିନ୍ଦ ରଥ, ନନ୍ଦକିଶୋର ବଳ, ପ୍ରମୁଖ ସାହିତ୍ୟରଥୀଗଣ ମଧ୍ୟ ସେମାନଙ୍କର ମହତ୍‌ ଦାନବଳରେ ଓଡ଼ିଆ ପାଠ୍ୟପୁସ୍ତକ ରଚନା ଓ ପରୋକ୍ଷରେ କ୍ଷୁଦ୍ରକବିତା ବା ଗୀତିକବିତା ରଚନାରେ ହାତଦେଇ ଓଡ଼ିଆ ଗୀତିକବିତା ବିଭାଗକୁ ପୁଷ୍ଟ କଲେ ।

 

ଗୀତିକବିତା ରଚନା ନିମନ୍ତେ ସମକାଳୀନ ପତ୍ରପତ୍ରିକାଗୁଡ଼ିକର ପ୍ରୋତ୍ସାହନ ମଧ୍ୟ କମ୍‌ ନୁହେଁ । ସେଗୁଡ଼ିକ ଲେଖକମାନଙ୍କୁ ଏହି ବିଭାଗଟିକୁ ସମୃଦ୍ଧ କରିବା ନିମିତ୍ତ ପରୋକ୍ଷ ଆମନ୍ତ୍ରଣ ଜଣାଇଲା । ଏଭଳି ଏକ ଅନୁକୂଳ ପରିସ୍ଥିତିରେ ବହୁଗୀତିଜବିତା ତତ୍‌କାଳୀନ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କଲା । ରସାଳ ଗୀତିକବିତାମାନେ ରଚିତ ହେବା ଫଳରେ ଓଡ଼ିଆ ପାଠକଗୋଷ୍ଠୀ ମଧ୍ୟରେ କାବ୍ୟ ସ୍ଥାନରେ କବିତାର ବିଶେଷ ବୃଦ୍ଧି ପାଇଲା । ଏହି ପରିସ୍ଥିତିରେ କବି ଗଙ୍ଗାଧର ଗୀତିକବିତା ରଚନାରେ ବତୀ ହେଲେ । ତାଙ୍କ ରଚିତ ଗୀତିକବିତାମାନ ମୁଖ୍ୟତଃ ‘ସମ୍ବଲପୁର ହିତୈଷିଣୀ’ ଓ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଇଲା । ତାଙ୍କର ଏହି ପ୍ରକାର ଅଧିକାଂଶ କବିତା ମନ୍ମୟ ଓ ସ୍ଵତନ୍ତ୍ର ଆବେଦନଯୁକ୍ତ । ଏଥିରେ ଗଙ୍ଗାଧରଙ୍କ ବ୍ୟକ୍ତିଗତ ଅନୁଭବ, ଅନୁଭୂତି ଓ ସୁଖଦୁଃଖ ଫୁଟିଉଠିଲା ଏବଂ ଲୋକପ୍ରିୟତା ହାସଲ ପାଇଁ ଏହାକୁ ଅଧିକ ସମୟ ଲାଗିଲା ନାହିଁ ।

 

ଗଙ୍ଗାଧରଙ୍କ ଗୀତିକବିତାଗୁଡ଼ିକ ‘କବିତା କଲ୍ଲୋଳ’, ‘ଅର୍ଘ୍ୟଥାଳୀ’, ‘କବିତାମାଳା’ ଇତ୍ୟାଦିରେ ସ୍ଥାନିତ । ‘କବିତା କଲ୍ଲୋଳ’ରେ ସଂଯୋଜିତ ଅଧିକାଂଶ କବିତା ଛାତ୍ରଛାତ୍ରୀ ଉପଯୋଗି ହୋଇଥିବାରୁ ଏଗୁଡ଼ିକ ଖୁବ୍‌ ସମ୍ଭବତଃ ପାଠ୍ୟପୁସ୍ତକରେ ଅଭାବ ଦୂର କରିବା ଲକ୍ଷ୍ୟରେ ରଚିତ ହୋଇଥିଲା ।

 

ଗଙ୍ଗାଧରଙ୍କ ଗୀତିକବିତାମାଳାକୁ ଭକ୍ତିମୂଳକ ଗୀତି କବିତା (Devotional lyric), ଦେଶପ୍ରେମମୂଳକ ଗୀତିକବିତା (Patriotical lyric) ପ୍ରକୃତିମୂଳକ ଗୀତିକବିତା (Natural lyric) ବିଦ୍ରୁପାତ୍ମକ ଗୀତିକବିତା (Satirical lyric), ଶୋକଗୀତି (Elegy), ସମ୍ବୋଧନଗୀତି (ode), ବହୁ ଚତୁର୍ଦ୍ଦଶ ପାଦୀ କବିତା (Sonnet) ଇତ୍ୟାଦି ବିଭାଗୀୟ ଅନ୍ତର୍ଭୁକ୍ତ କରାଯାଇପାରେ ଏବଂ ସେଗୁଡ଼ିକ ସମ୍ବନ୍ଧରେ ସଂକ୍ଷେପରେ ଆଲୋକପାତ କରାଯାଇପାରେ ।

 

ଭକ୍ତିମୂଳକ ଗୀତିକବିତା :-

ଧର୍ମ, ଭଗବାନ ଓ ଭକ୍ତିକୁ ଆଧାର କରି ଓ ଗୀତିକବିତାର ବିଭିନ୍ନ ବିଭାବରେ ମଣ୍ଡିତ ହୋଇ ଆତ୍ମପ୍ରକାଶ କରିଥିବା କବିତାହିଁ ଭକ୍ତିମୂଳକ ଗୀତିକବିତା । ଗଙ୍ଗାଧରଙ୍କର କିଛି ଭକ୍ତିମୂଳକ ଗୀତିକବିତା ରହିଛି, ଯେଉଁଗୁଡ଼ିକ ମଧ୍ୟରେ ‘ଭକ୍ତି’, ‘ଅମୃତମୟ’, ‘ମଧୁମୟ’ ପ୍ରଭୃତି ଅତି ‘ଭକ୍ତି’ କବିତାରେ କବି ବିଶ୍ଵନିୟନ୍ତାଙ୍କ ବିଶାଳତା ଓ ମହାନତା ନିକଟରେ ନିଜ କ୍ଷୁଦ୍ରତା ଓ ଦୟନୀୟତା ବର୍ଣ୍ଣନା କରିଛନ୍ତି ଏବଂ ସେ ଯାହା ଧରା ପୃଷ୍ଠରେ ଦେଖିଛନ୍ତି ସେସବୁ ସେହି ପରମସ୍ରଷ୍ଟାଙ୍କ ସୃଷ୍ଟି ହୋଇଥିବାରୁ ସେଥିରୁ କିଛି ତାଙ୍କ ଚରଣରେ ଅର୍ପଣପୂର୍ବକ ନୈବେଦ୍ୟ ବାଢ଼ିବାକୁ ଏକ ଅପରାଧ ବୋଲି ବିବେଚନା କରିଛନ୍ତି । ତାଙ୍କ ଭାଷାରେ -

 

‘‘ବିଶ୍ୱବଜୀବନ ହେ, ତୁମ୍ଭଙ୍କୁ କରୁଣାସିନ୍ଧୁ

ବୋଲିବାକୁ ମନ ବଳୁ ନାହିଁ ଯେଣୁ

ସିନ୍ଧୁ ତୁମ୍ଭ କୃପାବିନ୍ଦୁ ।

କି ଦେଇ ପୂଜିବି ଯାହା ମୁଁ ଦେଖୁଛି

ସବୁ ତୁମ୍ଭରି ପ୍ରସାଦ,

ଯାହା ପରସାଦ ତାକୁ ଅରପିଲେ

ହେବ ସିନା ଅପରାଧ ।’’

(ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ, ପୃ.୩୧୭)

 

ଏପରି ଭାବଧାରାରେ ବିଶ୍ଵାସୀ କବି ତେଣୁ ନିଃସ୍ଵ । ତାଙ୍କର ନିଜର ବୋଲି କିଛି ନାହିଁ, କେବଳ ଅଭାବ ବ୍ୟତୀତ । ତେଣୁ ଅହଂଭାବକୁ ସେ ଅତି ସନ୍ତର୍ପଣରେ ଦୂରରୁ ବିଶ୍ଵସ୍ରଷ୍ଟାଙ୍କ ଶ୍ରୀଚରଣରେ ଅର୍ପଣ କରିଛନ୍ତି । ଏହି ମର୍ମରେ କବି ଲେଖନୀରେ ଫୁଟି ଉଠିଛି -

 

‘ମୁଁ କାର ମାତର ମୋର ନୁହେଁ ବୋଲି

କହିବାକୁ ନାହିଁ ବାଟ,

ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି

ଘେନ ତା’ ବିଶ୍ଵ-ସମ୍ରାଟ !’

(ତତ୍ରୈବ)

 

‘ଶ୍ରୀମଦ୍‍ଭଗବତ୍‌ ଗୀତା’ ବାଣୀରେ ଆସ୍ଥା ରଖିଥିବା କବିଙ୍କର ଏହା ସମ୍ପୂର୍ଣ୍ଣ ସମର୍ପଣର ଭିନ୍ନ ଏକ ପରିଭାଷା, ପରମାତ୍ମାରେ ବିଲୀନ ହୋଇଯିବାର ମହତାକାଙ୍‌କ୍ଷା ।

 

ଈଶ୍ଵରଙ୍କ ସୃଷ୍ଟ ଏହି ଜଗତରେ କବି ଯାହା ଦେଖୁଛନ୍ତି ସବୁଥିରେ ଈଶ୍ଵରସତ୍ତା ଅନୁଭୂତ । ନିଜେ ମଧ୍ୟ ଈଶ୍ଵରଙ୍କ ସତ୍ତାର ଅଂଶବିଶେଷ ହେତୁ ସେ ଦିନେ ଯେଉଁ ଅମୃତସାଗର ମଧ୍ୟରୁ ସମ୍ଭବଛନ୍ତି ସେହି ଅମୃତସାଗରରେ ଲୀନ ହୋଇଯିବାର ବିଶ୍ଵାସ ପୋଷଣ କରିଛନ୍ତି । ଏଥିପାଇଁ କବିଙ୍କ ଆକୁଳତା କେତେ ତୀବ୍ର ତାହା ନିମ୍ନ ଉଦ୍ଧୃତିରୁ ସ୍ପଷ୍ଟ ।

 

“ମୁଁ ତ ଅମୃତ ସାଗରବିନ୍ଦୁ,

ନଭେ ଉଠିଥିଲି ତେଜି ସିନ୍ଧୁ,

ଖସି ମିଶିଛି ଅମୃତଧାରେ,

ଗତି କରୁଛି ସେ ଅକୂପାରେ,

ପଥେ ଶୁଖିଗଲେ ପାପ ତାପରେ,

ହୋଇ ଶିଶିର ଖସିବି ତା’ପରେ

ଅମୃତମୟ ଅମୃତରୟ

ସହିତ ମିଶିବି ସାଗରେ ।’’

(ଅମୃତମୟ, ଗ୍ରନ୍ଥାବଳୀ, (ପୃ.୩୧୮)

 

କବି ଗଭୀରଭାବେ ଆଶାବାଦୀ । ଅମୃତସାଗର ତାଙ୍କ ଉତ୍ପତ୍ତିର ସ୍ଥଳ ଏବଂ ସେହି ଅମୃତସାଗରରେ ମିଶିଯିବାର ଆକାଙ୍‌କ୍ଷା ତାଙ୍କର ବେଶ୍‌ ଘନିଷ୍ଠ । ଏହି କବିତାରେ ସେ ପ୍ରାଚ୍ୟ- ଦର୍ଶନରେ ବିଶ୍ଵାସୀ ଏବଂ ବିଭୁସତ୍ତା ସହିତ ଏକାକାର ହୋଇଯିବାର ଦୃଢ଼ ଇଚ୍ଛା ପୋଷଣହାରୀ ।

 

କବିଙ୍କ ଦୃଷ୍ଟିରେ ଜଗତ୍‌ ମଧୁମୟ, ଜୀବନ ମଧୁମୟ, ଈଶ୍ୱରଙ୍କ ସମଗ୍ର ସୃଷ୍ଟି ମଧୁମୟ । ଅର୍ଥାତ୍‌ ସର୍ବତ୍ର ଈଶ୍ଵର ସତ୍ତା ବର୍ତ୍ତମାନ । ଏହି ଈଶ୍ଵର ସତ୍ତାହିଁ ସମଗ୍ର ବିଶ୍ଵକୁ ଅମୃତମୟ କରିଛି । ଈଶ୍ଵରଙ୍କ କରୁଣାକନ୍ଦର ମଧୁର ଝରଣାର ଉତ୍ସ । ଏହା ଜୀବନରେ ସକଳ ଦୁଃଖ-ଶୋକ-ପାପ-ତାପ ହରଣକାରୀ । କବି ଏହି ଦିବ୍ୟବୋଧରେ ବିଶ୍ଵାସୀ । ତେଣୁ ସେ ଗାଇଛନ୍ତି-

 

“ବିଶ୍ଵ ଦେଖ ମଧୁମୟରେ ଜୀବନ

ବିଶ୍ଵ ଦେଖ ମଧୁମୟ

ମଧୁର ଝରଣ କରିବ ହରଣ

ତୋ ପାପ ମରଣ ଭୟରେ ।’’

(ମଧୁମୟ, ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ, ପୃ.୩୧୮)

 

ଈଶ୍ଵରସତ୍ତା- ଅନୁଭବକାରୀର ପାପ, ତାପ, ମରଣଭୟ ତିରୋହିତ ହୋଇଯାଏ । ଏହି ମହାନ୍‌ ଅନୁଭବ କବିଙ୍କ ଭକ୍ତିମତ୍ତାର ପରିଚୟ ।

 

କେବଳ ଅର୍ଘ୍ୟଥାଳୀ'ର ଏହି ତିନୋଟି ଗୀତିକବିତାରେ ନୁହେଁ, ‘ଅର୍ଘ୍ୟଥାଳୀ’ର ଆଉ କେତୋଟି କବିତା, ‘କବିତାମାଳା’ ଓ ‘କବିତାକଲ୍ଲୋଳ’ର କିଛି ଗୀତିକବିତାରେ କବିଙ୍କର ଭକ୍ତିଭାବ ନିବେଦିତ ।

 

ଦେଶପ୍ରେମମୂଳକ ଗୀତିକବିତା :--

ଯେଉଁ ଗୀତିକବିତାରେ କବିଙ୍କ ନିଜ ଦେଶ ଓ ଜାତିପ୍ରତି ଅନୁରାଗ, ଶ୍ରଦ୍ଧା, ଭଳି ଇତ୍ୟାଦି ଫୁଟି ଉଠିଥାଏ, ତାହା ସ୍ଵଦେଶପ୍ରେମମୂଳକ ବା ଜାତୀୟତାଭାବମୂଳକ ଗୀତିକବିତା । ଏତଦ୍‌ବ୍ୟତୀତ ନିଜ ଦେଶର ଅତୀତ ଗୌରବପଖ୍ୟାପକ କବିତ। ମଧ୍ୟ ଏହି ଧରଣର । ଗଙ୍ଗ।ଧର କାୟାମନୋବାକ୍ୟରେ ଦେଶପ୍ରେମୀ । ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତର ପରିପୂରକ ଭାବରେ ସମ୍ବଲପୁର କଚେରୀରୁ ଓଡ଼ିଆ ଭାଷା ଉଚ୍ଛେଦ ଆଦେଶ, ଓଡ଼ିଶାରେ ଅଣ ଓଡ଼ିଆମାନଙ୍କର ପ୍ରାଧାନ୍ୟ ବିସ୍ତାର, ପାଠ୍ୟପୁସ୍ତକ ନିମନ୍ତେ ବଙ୍ଗଳା ପୁସ୍ତକର ଅନୁବାଦ ଇତ୍ୟାଦି କେତେକ ଘଟଣା ଗଙ୍ଗାଧରଙ୍କୁ ବ୍ୟଥିତ କରିଛି ଏବଂ ଗଞ୍ଜାମ ସମ୍ମିଳନୀ ଓ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ତାଙ୍କୁ ଜାତୀୟତାଭାବରେ ଉଦ୍‌ବୁଦ୍ଧ କରିଛି । ତାଙ୍କର କେତେକ ରଚନାରେ ଦେଶ, ଜାତି ଓ ଭାଷାର ଉନ୍ନତିକଳ୍ପେ ଆହ୍ଵାନ ଫୁଟିଉଠିଛି ।

 

ନିଜର କେତେଟା ଗୀତିକବିତାରେ ଗଙ୍ଗାଧର ଯେଉଁଠି ସୁଯୋଗ ପାଇଛନ୍ତି ସେଠାରେ ସେ ଦେଶବାସୀଙ୍କୁ ଦେଶ ଓ ଜାତିର ସମୃଦ୍ଧ ପରମ୍ପରା ଓ ବୀରତ୍ଵ ସ୍ମରଣ କରାଇ ଜାତୀୟ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିବା ପାଇଁ ଉଦ୍‌ବୋଧନ ଦେଇଛନ୍ତି ।

 

‘‘ଭାରତୀୟ ବୀର ସଦା ପୃଥିବୀର

ବକ୍ଷେ ରଖିଯାଇଛନ୍ତି କୀରତି,

ଗର୍ଭରୁ ଶିକ୍ଷିତ ହୁଅନ୍ତି ଦୀକ୍ଷିତ

ସମରମରଣେ ତାଙ୍କ ପୀରତି ।

×       ×       ×       ×

ନବ୍ୟ ସଭ୍ୟଦଳ ହାସରେ କେବଳ

ଉଡ଼ାଇ ନ ଦିଅ ଏକଥାମାନ,

ତୁମ୍ଭ ପୂର୍ବବଂଶ ବୀରତ୍ଵର ଯଶ

ଗ୍ରୀକ୍‌, ବୀରେ କରିଅଛନ୍ତି ଗାନ ।’’

(ଉଦ୍‌ବୋଧନ, କବିତାମାଳା, ଗ୍ରନ୍ଥାବଳୀ, ପୃ.୩୫୭)

 

କବି ହୃଦୟଙ୍ଗମ କରିଛନ୍ତି ଯେ ଭାରତର ସ୍ୱାଧୀନତା କେବଳ ମିଳିତ ପ୍ରଚେଷ୍ଟାରେ ହିଁ ସମ୍ଭବ । ଯେପର୍ଯ୍ୟନ୍ତ ଦେଶବାସୀ ଏଥିପାଇଁ ଏକତ୍ର ଉଦ୍ୟମ କରିନାହାନ୍ତି, ସ୍ୱାଧୀନତାର ସ୍ୱପ୍ନ ସ୍ଵପ୍ନରେହିଁ ରହିଯିବ । ଜାତୀୟ ଏକତା ଓ ଜାତୀୟ ଶକ୍ତିର ଉଦ୍ରେକ ପାଇଁ ସେ ଯେଉଁ କବିତାଟି ଉତ୍କଳ ସମ୍ମିଳନୀର ଏକାଦଶ ଅଧିବେଶନ ଉପଲକ୍ଷେ ରଚନା କରି ଦେଶବାସୀଙ୍କୁ ଉଦ୍‌ବୋଧନବାଣୀ ଶୁଣାଇଥିଲେ, ତହିଁରୁ କେତୋଟି ପଙ୍‌କ୍ତି ଏଠାରେ ଉପସ୍ଥାପନ କରାଯାଇପାରେ ।

 

“କୁଲ୍ୟା ଖୋଳାହୋଇ ନ ପାରିବ ଭାଇ

ଦୁଇ-ଚାରି ଜଣକରେ,

ଲୋକ ଲକ୍ଷ ଲକ୍ଷ ନ ବାନ୍ଧିଲେ ସଖା

ନ ମିଳିଲେ ପରସ୍ପରେ ।

କୋଟିଏ ସୋଦର ଗୋଟିଏ ଜୀବନ

ନ କରିବା ଯେତେ ଦିନ,

ନୀର ଚାହିଁ ଚାହିଁ ଶୋଷେଥିବା ରହି

ଦଶା ହୋଇଥିବ ହୀନ ।’’

(ଉଦ୍‌ବୋଧନ, ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ, ପୃ.୩୩୮)

 

ଭାଷାଭିତ୍ତିରେ ସ୍ଵତନ୍ତ୍ର ପ୍ରଦେଶ ଗଠନ ନିମନ୍ତେ କୂଳବୃଦ୍ଧ ମଧୁସୂଦନ ସେତେବେଳେ ଯେଉଁ ରଣହୁଙ୍କାର ଦେଇଥିଲେ ସେଥିରେ ସାମିଲ୍‌ ଉଦ୍ଦେଶ୍ୟରେ ସେ ଉତ୍କଳବାସୀଙ୍କ ପ୍ରାଣେ ପ୍ରାଣେ ନବଚେତନା ଜଣାଇଥିଲେ ଓ ଆହ୍ଵାନ ଦେଇ ଗାଇଥିଲେ-

 

‘‘ଚୌଦିଗେ ଶୁଭୁଛି ଉଠୁଛି ଜାଗ ଜାଗ

ଅଣ୍ଟାଭିଡ଼ି ନିଜ କର୍ମେ ଲାଗ ଲାଗ ।

କର୍ମ-ବାଷ୍ପରଥ ଧାଇଁ ଶଙ୍ଖସ୍ଵନେ

ଆସି ଏବେ ଲାଗିଗଲାଣି ଷ୍ଟେସନେ ।

ଚଢ଼ିବା ସମୟ ହେଲାଣି ନିକଟ

ଶୋଇପଡ଼ିଛ ନ କିଣି ଟିକଟ ?

ଦେଖୁଛ ସମ୍ମୁଖେ କେମନ୍ତ ଉଦ୍‌ବେଗେ

ଚଢ଼ି ଯାଉଛନ୍ତି ଯାତ୍ରୀଗଣ ବେଗେ ।

ଚାହୁଁଥିବ ଯେବେ ଦୃଶ୍ୟ ହୋଇ କାବା

ବୃକ୍ଷତଳେ ଭୋକେ ମରୁଥିବ ବାବା ।”

(ଉଦ୍‌ବୋଧନ, ଅର୍ଘ୍ୟଥାଳୀ, ଗ୍ରଛାବଳୀ, ପୃ. ୩୪୦)

 

ମାତୃଭାଷା ଜାତିର ପରିଚୟ । ଉନ୍ନତ ମାତୃଭାଷା ହିଁ ଜାତିକୁ ଉଚ୍ଚକରେ । ଯାହାର ମାତୃଭାଷା ଯେତେ ସମୃଦ୍ଧ, ବିଶ୍ଵଦରବାରରେ ତା’ର ଆଦର ସେତେ ବେଶୀ । ତେଣୁ ଉତ୍କଳୀୟଙ୍କ ପକ୍ଷରେ ଜାତିପ୍ରୀତି ଓ ଭାଷାପ୍ରୀତି ବୃଦ୍ଧି କରିବା ନିମିତ୍ତ କବି ଦୃଢ଼ ଆହ୍ଵାନ ଦେଇଛନ୍ତି -

 

‘‘ୟା ଭାଷା ଦୁର୍ବଳ କାହିଁ ତା’ର ଜ୍ଞାନ ?

କାହିଁ ତା’ର ରାଜଦୁଆରେ ସମ୍ମାନ ?

ଉଚ୍ଚ ହେବାପାଇଁ କର ଯେବେ ଆଶା

ଉଚ୍ଚକର ଆଗେ ନିଜ ମାତୃଭାଷା ।’’

(ଉଦ୍‌ବୋଧନ, ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ, ପୃ.୩୪୦)

 

କେତେଜଣ ସମକାଳୀନ ନବ୍ୟଶିକ୍ଷିତ ବ୍ୟକ୍ତି ନିଜ ମାତୃଭାଷା ଅପେକ୍ଷା ଅନ୍ୟ ଭାଷାକୁ ଶ୍ରେଷ୍ଠ କହୁଥିବାରୁ ଏବଂ ନିଜ ଭାଷାପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ କବିପ୍ରାଣ ବ୍ୟଥିତ ହୋଇଛି । ମାତୃଭାଷା ପ୍ରତି ମମତା ନ ବଢ଼ିଲେ ପରୋକ୍ଷରେ ମାତୃଭୂମି ପ୍ରତି ମମତା ସ୍ଵତଃ କମିଯାଏ । ଉନ୍ନତ ଭାଷା ହିଁ, ଗୋଟିଏ ଜାତିକୁ ଉନ୍ନତ କରେ । ଏକଥା ନ ବୁଝି ଯେ ମାତୃଭାଷାକୁ ହତାଦର କରେ ତା’ଠାରୁ ମୂର୍ଖ ଦୁନିଆରେ ବୋଧେ କେହି ନାହିଁ । ତେଣୁ କବି ଉତ୍କଳବାସୀଙ୍କୁ ସଚେତନ କରାଇ ଉପଦେଶ ଦେଇଛନ୍ତି-

 

“ମାତୃଭୂମି ମାତୃଭାଷାରେ ମମତା

      ଯା ହୃଦେ ଜନମି ନାହିଁ

ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା

      ଅଜ୍ଞାନ ରହିବେ କାହିଁ ?”

(ମାତୃଭୂମି, ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ, ପୃ.୩୩୬)

 

ଜାତିସଚେତନ କବି ଜାତିର ଓ ଭାଷାର ଉନ୍ନତି ନିମନ୍ତେ ସଚେଷ୍ଟ ଥିଲେ, ନିଜର ରଚନା ମାଧ୍ୟମରେ ଏ ଦିଗରେ ସଚେତନ ପ୍ରୟାସ କରି ସ୍ଵଜାତୀୟତାର ପରିଚୟ ଦେଇଥିଲେ ।

 

ପ୍ରକୃତିମୂଳକ ଗୀତିକବିତା :

ପ୍ରକୃତିକୁ ଉପଜୀବ୍ୟ କରି ରଚିତ ଗୀତିକବିତାକୁ ପ୍ରକୃତିମୂଳକ ଗୀତିକବିତା ବା ପ୍ରକୃତିବିଷୟକ ଗୀତିକବିତା ପଦବାଚ୍ୟ । ପ୍ରକୃତିର ଅକୃତ୍ରିମ ସୌନ୍ଦର୍ଯ୍ୟ ସବୁବେଳେ କବିକୁ ମୁଗ୍ଧ କରିଥାଏ । ସେ ପ୍ରକୃତିର ବାହ୍ୟରୂପ ଓ ଅନ୍ତଃରୂପ ଉଭୟରେ ଆତ୍ମହରା ହୋଇଥାଏ । ପାଠକ ନିଜେ ଦେଖୁଥିବା ପ୍ରକୃତି ଓ କବିଲେଖନୀରେ ରୂପାୟିତ ପ୍ରକୃତି ମଧ୍ୟରେ କିଛି ପାର୍ଥକ୍ୟ ପରିଲକ୍ଷିତ ହେଲେ, ତାହା ହୁଏ ଏକ ସାର୍ଥକ ଗୀତିକବିତା ।

 

ପ୍ରକୃତି-ଉପାସକ ଗଙ୍ଗାଧରଙ୍କ କାବ୍ୟ-କବିତାରେ ଅନ୍ତଃପ୍ରକୃତି ସହିତ ବାହ୍ୟ ପ୍ରକୃତିର ଅପୂର୍ବ ସମନ୍ୱୟ ସାଧିତ ହୋଇଥାଏ । କବିଙ୍କର ରାଧାନାଥଙ୍କ ଭାଷାରେ-‘‘ଗଙ୍ଗାଧର ଉଚ୍ଚଶ୍ରେଣୀର କବି, କି ବହିଃପ୍ରକୃତି, କି ଅନ୍ତଃପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍ଗନରେ ଗଙ୍ଗାଧର ସିଦ୍ଧହସ୍ତ । ତାହାଙ୍କର ପ୍ରଭାତବର୍ଣ୍ଣନା, ସନ୍ଧ୍ୟାବର୍ଣ୍ଣନା ଓ ଋତୁବର୍ଣ୍ଣନା ପ୍ରଭୃତି ବହିଃପ୍ରକୃତିର ଆଲେଖ୍ୟଗୁଡ଼ିକ ଯେମନ୍ତ ଉଜ୍ଜ୍ୱଳ ଏବଂ ମନୋହର, ତାହାଙ୍କର ମନୁଷ୍ୟ ଚରିତ୍ର ଚିତ୍ର ମଧ୍ୟ ତଦପେକ୍ଷା କୌଣସି ଅଂଶରେ ହୀନକଳ୍ପ ନୁହେଁ ।’ (କୀଚକ ବଧର ମନ୍ତବ୍ୟ)

 

ଗଙ୍ଗାଧରଙ୍କର ଅଧିକାଂଶ କାବ୍ୟ-କବିତାରେ ବହୁ ବିଶେଷତ୍ୱ ପୂର୍ଣ୍ଣ ପ୍ରକୃତି ବର୍ଣ୍ଣନା ରହିଛି । ପ୍ରକୃତିଠାରେ ମାନବିକ ସତ୍ତା ଲକ୍ଷ୍ୟ କରିବା ଓ ପ୍ରକୃତିର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା ହେଉଛି ଗଙ୍ଗାଧରଙ୍କ ସହଜାତ ପ୍ରବୃତ୍ତି । କିନ୍ତୁ ଗୀତିକବିତାରେ ଗଙ୍ଗାଧର ପ୍ରକୃତି ବର୍ଣ୍ଣନା ନିମନ୍ତେ ବିଶେଷ ସୁଯୋଗ ପାଇଥିବା ମନେହୁଏ ନାହିଁ । ତଥାପି ତାଙ୍କ ବର୍ଷାଚିତ୍ର, ବେଦବ୍ୟାସ ପ୍ରଭୃତି କେତେକ କବିତାରେ ପ୍ରକୃତିବର୍ଣ୍ଣନାର ସ୍ୱାତନ୍ତ୍ର୍ୟ ରହିଛି ।

 

ବର୍ଷାଋତୁର ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟଚିତ୍ର କବିଲେଖନୀରେ ଅତି ଜୀବନ୍ତ । ପ୍ରତ୍ୟେକ ପାଠକ ନିଜ ଚତୁଃପାର୍ଶ୍ଵର ପ୍ରକୃତି ମଧ୍ୟରେ ବର୍ଷାର ଯେଉଁ ଭୀମ-କାନ୍ତ ଛବି ଅନୁଭବରେ ଆଣିଛନ୍ତି, ତା’ଠାର ଗଙ୍ଗାଧରଙ୍କ ବର୍ଷାଚିତ୍ର କେତେ ନିଆରା ତାହା ନିମ୍ନୋଦ୍ଧୃତ ପଦ କେତୋଟିରୁ ସହଜରେ ଅନୁମେୟ ।

 

‘‘ମାଳ ମାଳ ପକ୍ୱତାଳ ବୃକ୍ଷରେ ସୁନ୍ଦର

ମସ୍ତକେ ପଡ଼ିବ ବୋଲି ମାନବକୁ ଡର,

ଆୟୁ ସ୍ମରଣ ନ କରି ରୂପ ଗର୍ବ ବହି

କନକ ବରଣ ଜହ୍ନି ଫୁଲ ବିକଶଇ,

କେବେ ଦୁଇ ଦିଗୁ ଉଠି ନୀରଜ ପଟଳ

ଗ୍ରାସଇ ତାରକାପୂର୍ଣ୍ଣ ଗଗନମଣ୍ଡଳ,

ରତନେ ମଣ୍ଡିତ ସୁରପ୍ରାସାଦର ବାଟ

ରୁଦ୍ଧ ହୁଏ କି ତା ଗଡ଼ଇ ଯାଉଁଳି କବାଟ ?

ପ୍ରଫୁଲ୍ଲ ଯୂଥିକା ଘେନି ହସଇ ଉଦ୍ୟାନ

କାନନ ହସଇ ଘେନି ବନଫୁଲମାନ,

ସୁଗନ୍ଧି କୁସୁମ ରଜ ଧୀର ସମୀରଣ

ବହି ସ୍ଥାନେ ସ୍ଥାନେ କରୁଥାଏ ବିଚରଣ

ଆଗୋଦିତ ବନ ନଗର, ପଲ୍ଲିକା ନଗର

ଭ୍ରମୁଥାନ୍ତି ଫୁଲେ ଫୁଲେ ପ୍ରମତ୍ତ ଭ୍ରମର ।’’.....ଇତ୍ୟାଦି

(ବର୍ଷାଚିତ୍ର, କବିତା କଲ୍ଲୋଳ, ଗ୍ରନ୍ଥାବଳୀ, ପୃ. ୧୭୨)

 

ସେହିପରି ବେଦବ୍ୟାସ ପର୍ବତର ଅବସ୍ଥିତି ଓ ତା’ର ପ୍ରକୃତିକ ରୂପକାନ୍ତି ବର୍ଣ୍ଣନାରେ କବି ଅପୂର୍ବ କବିତ୍ୱର ପରିଚୟ ଦେଇଛନ୍ତି । କବିତାଟିର ଆରମ୍ଭରୁ ଅଳ୍ପ କେତୋଟି ପଦ କେବଳ ଉଦାହରଣସ୍ୱରୂପ ନିମ୍ନରେ ପ୍ରଦତ୍ତ ।

 

‘ବେଦବ୍ୟାସ ଗିରି ମଞ୍ଜୁ କୁଞ୍ଜମୟ,

ବେଦବ୍ୟାସ ପୂତ ଜନମ ନିଳୟ ।

କାନନକୁସୁମ ପରାୟେ କାନନ-

ମଧ୍ୟରେ ଉତ୍କଳେ କରିଛି ଆସନ ।

ପୂର୍ବଭାଗେ ତା’ର ସୂତିକା କନ୍ଦର,

ବିବିଧ ପାଦପ ପ୍ରସୂନେ ସୁନ୍ଦର ।

X      X      x

କଣ୍ଠମାଳାତୀର ପୁଷ୍ପବହୁଳତା,

ସଙ୍ଗେ ବାଦେ ରତ ତହିଁ କୁଞ୍ଜଲତା ।’’....ଇତ୍ୟାଦି

(ବେଦବ୍ୟାସ, କବିତାକଲ୍ଲୋଳ, ଗ୍ରନ୍ଥାବଳୀ, ପୃ. ୧୫୫)

 

ବିଦ୍ରୂପାତ୍ମକ ଗୀତିକବିତା :

ଯେଉଁ ଗୀତିରେ ସ୍ୱାଭାବିକ ଭାବରେ ସମାଜଜୀବନର ତ୍ରୁଟିବିଚ୍ୟୁତି ପ୍ରତି ବିଦ୍ରୂପ କରାଯାଇଥାଏ, ତାହା ବିଦ୍ରୂପାତ୍ମକ ଗୀତିକବିତା ଭାବରେ କଥିତ । ଏଥିରେ କବିର ଲକ୍ଷ୍ୟ ହେଉଛି ସମାଜ-ସଂସ୍କାର । ଏଥିରେ ପ୍ରକାଶିତ ବ୍ୟଙ୍ଗଭାବରେ ତୀବ୍ରତା କବିର ନିର୍ମୀକତାର ପରିଚ୍ରୟ ।

 

ଗଙ୍ଗାଧର ସରକାରୀ କର୍ମଚାରୀ ଥିଲେହେଁ ବ୍ୟଙ୍ଗାତ୍ମକ ଶୈଳୀରେ ଶାସକ ଇଂରେଜମାନଙ୍କୁ ଉପହାସ କରିବାକୁ ପଛାଇ ନାହାନ୍ତି । ‘ଭାରତୀ ଭାବନା’ କବିତାରେ ଶ୍ଲେଷାତ୍ମକ ରୀତିରେ କୃଷ୍ଣଗୋପୀ ସମ୍ବାଛଳରେ ଇଂରେଜମାନଙ୍କୁ ବ୍ୟଙ୍ଗବିଦ୍ରୂପ କରିବାକୁ ସେ କୁଣ୍ଠାବୋଧ କରିନାହାନ୍ତି । ‘ପଞ୍ଚାୟତ’ କବିତାରେ ମଧ୍ୟ କବି ପଞ୍ଚାୟତ ସଭ୍ୟମାନଙ୍କର ଶୋଷଣ ନୀତିକୁ ସମାଲୋଚନା କରିଛନ୍ତି ଶ୍ଲେଷାତ୍ମକ କଟାକ୍ଷ ପାତରେ । ଏହା ତାଙ୍କ ବିଦ୍ରୂପାତ୍ମକ ଦୃଷ୍ଟିଭଙ୍ଗୀରେ ଯଥାର୍ଥ ପରିଚୟ ।

 

ନିର୍ଭୀକ କବି ଗଙ୍ଗାଧରଙ୍କର ଏ ଜାତୀୟ ଏକ ଗୀତିକବିତା ମଧ୍ୟ ‘ଅର୍ଘ୍ୟଥାଳୀ’ରେ ସ୍ଥାନିତ, ଯେଉଁଥିରେ ସମାଜର ତଥାକଥିତ ଧର୍ମଧ୍ୱଜୀମାନଙ୍କ ଭଣ୍ଡାମିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇ ବ୍ୟଙ୍ଗାତ୍ମକ ଶୈଳୀରେ ସେମାନଙ୍କ ଅନୈତିକ କାର୍ଯ୍ୟକଳାପକୁ ପଦାରେ ପକାଇ ଦିଆଯାଇଛି । ସେମାନଙ୍କ ପ୍ରତି କବିଙ୍କ ଆକ୍ଷେପୋକ୍ତି ଶୁଣନ୍ତୁ-

 

‘‘ମନ ଯାର ବ୍ୟସ୍ତ ସଦା ପରସ୍ୱ ହଇଣେ,

ଧନ ଯାର ବିଦଳିତ ଗଣିକା-ଚରଣେ,

ଜୀବନ ଯା ଲକ୍ଷ ଲକ୍ଷ ଲୋକଙ୍କର ଭାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।’’

(ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର, ଗ୍ରନ୍ଥାବଳୀ, ପୃ: ୩୨୭)

 

ଦୁର୍ନୀତିଗ୍ରସ୍ତ ଅସାଧୁ ସରକାରୀ କର୍ମଚାରୀଙ୍କ ପ୍ରତି ତାଙ୍କ ଶ୍ଲେଷଯୁକ୍ତ ବ୍ୟାଙ୍ଗାତ୍ମକ ପଦଟି-

 

‘‘ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,

ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା,

କରୁଥାଏ କ୍ଷମତାର ଅପବ୍ୟବହାର,

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।’’

(ତତ୍ରୈବ)

 

‘ପ୍ରେତର ଅନୁତାପ’ କବିତାଟି ମଧ୍ୟ ଏକ ବହୂପାତ୍ମକ ଗୀତି, ଯେଉଁଥିରେ ପାରମ୍ପରିକ ପୁରୋହିତ ପ୍ରଥାରେ ଭରିରହିଥିବା କୁସଂସ୍କାର ପଦାରେ ପକାଇ ଦିଆଯାଇଚି ପରୋକ୍ଷରେ ପୁରୋହିତ ଗୋଷ୍ଠୀର ନିନ୍ଦାଗାନ କରି । ଏହା ଶାଣିତ ବ୍ୟଙ୍ଗଧର୍ମିତାରେ ପୂର୍ଣ୍ଣ ।

 

ବ୍ୟଙ୍ଗାତ୍ମ ଗୀତିକବିତାଗୁଡ଼ିକରେ କବିଙ୍କ ଆଭିମୁଖ୍ୟ ସ୍ପଷ୍ଟ । ବ୍ୟଙ୍ଗ-ବିଦ୍ରୂପ ମାଧ୍ୟମରେ ଶଠି ଦେଶବାସୀଙ୍କର ମୁଖା ଖୋଲିଦେବାର ପ୍ରୟାସ ପାଇଁ ଗଙ୍ଗାଧର ଏକାନ୍ତ ପ୍ରଶଂସନୀୟ ।

 

ଶୋକଗୀତି :

ଗ୍ରୀସ୍ ଓ ରୋମ୍‌ରେ ଶୋକଗୀତି ବା. ଏଲିଜି (Elegy)ର ଏକ ନିର୍ଦ୍ଦିଷ୍ଟ ଶୈଳୀଗତ ପରିଚୟ ଥିଲା । ଇଂରାଜୀ ସାହିତ୍ୟରେ ମଧ୍ୟ ପ୍ରାୟ ସପ୍ତଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଲିଜି ଏହିପ୍ରକାର ଶୈଳୀଯୁକ୍ତ ରଚନା ଥିଲା, କିନ୍ତୁ ପରବର୍ତ୍ତୀକାଳରେ ଏହା ଶୈଳୀଗତ ବୈଶିଷ୍ଟ୍ୟ ହରାଇ ଭାବଗତ ଆଦର୍ଶ ବହନ କଲା । ଏବେ ଏଲିଜି ବା ଶୋକଗୀତିର ଅର୍ଥ ବିୟୋଗାନ୍ତ କାବ୍ୟିକ ଶ୍ରଦ୍ଧା ନିବେଦନ-। ଏହା ରଚିତ ହୋଇଥାଏ କୌଣସି ଆତ୍ମୀୟ ବ୍ୟକ୍ତି, ଦେଶର ବିଶିଷ୍ଟ ବ୍ୟକ୍ତି, ଜନାନାୟକ, ଦେଶବାସୀଙ୍କ ପାଇଁ ଆଦର୍ଶସ୍ଥାନୀୟ ବ୍ୟକ୍ତି ପ୍ରଭୃତିଙ୍କ ବିୟୋଗରେ । ଦିବଂଗତ ବ୍ୟକ୍ତିଙ୍କ ଗୁଣାବଳୀ ଏଥିରେ ବର୍ଣ୍ଣିତ ହୋଇଥାଏ । ତାଙ୍କ ବିୟୋଗରେ ଦେଶର କ୍ଷତ ସମ୍ବନ୍ଧୀୟ ସୂଚନା ଥାଏ । ମୃତବ୍ୟକ୍ତି ଓ କବିଙ୍କ ମଧ୍ୟରେ ଆତ୍ମୀୟତା ଯେତେ ଘନିଷ୍ଠ ହୋଇଥାଏ, ଏ ଜାତୀୟ କବିତା ସେତେ ଭାବଗର୍ଭକ ହୁଏ । ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଏ ଧରଣର କବିତାର ଅଭାବ ନାହିଁ । ଆଧୁନିକ ଓଡ଼ିଆ ସାହିତ୍ୟରେ ମଧ୍ୟ ଏହାର ଆଦୃତି ଅକ୍ଷୁର୍ଣ୍ଣ ରହିଛି ।

 

କବିବର ରାଧାନାଥ ଥିଲେ ଗଙ୍ଗାଧରଙ୍କ କାବ୍ୟଗୁରୁ । କାବ୍ୟକବିତା ସୃଷ୍ଟିରେ ରାଧାନାଥଙ୍କ ଉପଦେଶ ପଦେ ପଦେ ସେ ପାଳନ କରୁଥିଲେ । ରାଧାନାଥଙ୍କୁ ଉପଦେଷ୍ଟାରୂପେ ପାଇ ସେ ଧନ୍ୟ ହୋଇଥିଲେ । ରାଧାନାଥଙ୍କ ପ୍ରଶସ୍ତି ସେ ନିଜର କେତୋଟି ରଚନାରେ ଗାନ କରିଛନ୍ତି । ତାଙ୍କରି ବିୟୋଗରେ ଭାଙ୍ଗିପଡ଼ିଥିବା ଗଙ୍ଗାଧର ତାଙ୍କ ଗୁଣଗାଇ ବ୍ୟକ୍ତି କରିଛନ୍ତି ।

 

‘‘ଋଷି ଥିଲ ଥାଇ ତୁମ୍ଭେ ସଂସାର ଗହନେ,

ବ୍ରତ ଥିଲା ଉତ୍କଳର କଲ୍ୟାଣିସାଧନ,

ଗାନ ତୁମ୍ଭ ଉତ୍କଳର ମାନସମୋହନେ,

ଧ୍ୟାନ ତୁମ୍ଭ ଉତ୍କଳର ଗୁଣଗାଥା ଧନ ।’’

(ସ୍ୱର୍ଗୀୟ କବିବର ରାଧାନାଥ ରାୟ, ଗ୍ରନ୍ଥାବଳୀ, ପୃ: ୩୩୦)

 

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟର ମଙ୍ଗ ଧରିଥିବା ରାଧାନାଥ କାହାକୁ ନିଜ କାର୍ଯ୍ୟଭାର ଅର୍ପଣ କରି ସ୍ୱର୍ଗବାସୀ ହେଲେ, ତାହା କବି ଜାଣିବାକୁ ଚାହିଁଛନ୍ତି/କବିବରଙ୍କ ଉଦ୍ଦେଶ୍ୟରେ ତେଣୁ ତାଙ୍କ ପ୍ରଶ୍ନ-

 

‘‘କାହା ହସ୍ତେ ନ୍ୟସ୍ତ କରିଗଲ କାର୍ଯ୍ୟଭାର,

କାହାର ବା ତମ୍ଭ ସମ ଅଛି ମନ ଧନ,

ଯାହା ପ୍ରତି କରିଥିଲେ ଅଙ୍ଗୁଳିର ଠାର

ଈଶ୍ୱର କି ଦେବେ ତାଙ୍କୁ ତୁମ୍ଭପରି ପଣ ?’’

(ତତ୍ରୈବ, ପୃ. ୩୨୯-୩୦)

 

ବର୍ତ୍ତମାନ ସ୍ୱର୍ଗତ କବିବରଙ୍କ ବାସସ୍ଥଳୀ, ଯାହା ଈଶ୍ୱରଙ୍କ ରାଜ୍ୟ । ତେଣୁ ସେଠାରେ ଥାଇ ସେ ଉତ୍କଳୀୟ ସାରସ୍ୱତ ଆକାଶକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ତାଙ୍କ ସମ ଏକ ଉଜ୍ଜ୍ୱଳ ଆଲୋକ ଉତ୍କଳକୁ ପ୍ରେରଣ କରିବାକୁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ବୋଲି କବି ଭାବପ୍ରବଣ ହୋଇ ଅନୁରୋଧ ଜଣାଇଛନ୍ତି ।

 

‘‘ଜଣାଅ ସ୍ୱର୍ଗରେ ଥାଇ ଈଶ୍ୱର ସମୀପେ,

ଉତ୍କଳ ଉଜ୍ଜ୍ୱଳ ହେଉ ତୁମ୍ଭେ ସମ ଦୀପେ ।’’

(ତତ୍ରୈବ, ପୃ. ୩୩୦)

 

ଏହି ପଙ୍‌କ୍ତି କେତୋଟିରେ କବିବରଙ୍କ ସହିତ ଗଙ୍ଗାଧରଣ ଘନିଷ୍ଠତା, ଉତ୍କଳୀୟ କାବ୍ୟକାନନରେ କବିବରଙ୍କ ବ୍ୟାପକତା ଓ କବିବରଙ୍କ ଗୁଣଗାନରେ ତାଙ୍କ ଉତ୍ସୁକତା ସୂଚିତ । ଅଳ୍ପରେ ବହୁତ କଥା କହି ସେ ବିଗତପ୍ରାଣ କବିବରଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଛନ୍ତି ।

 

ସେହିପରି ଭକ୍ତକବି ମଧୁସୂଦନଙ୍କ ସ୍ୱର୍ଗାରୋହଣରେ ଓ କୃଷ୍ଣକୁମାରୀଙ୍କ ବିୟୋଗରେ ସେ ଶୋକଗୀତିମାନ ରଚନା କରି ସେମାନଙ୍କ ପ୍ରତି ସଭକ୍ତି ଶୋକ ନିବେଦନ କରିଛନ୍ତି । କବିଙ୍କର ‘ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ’ ଗୀତଟି ମଧ୍ୟ ଏକ ଉତ୍କୃଷ୍ଟ ‘ଫକୀରମୋହନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉତ୍କଳମାତାର ରୋଦନ’ ଗୀତିଟି ମଧ୍ୟ ଏକ ଉତ୍କୃଷ୍ଟ ଶୋକଗୀତି । ଏସବୁ ବ୍ୟଥିତ କବିପ୍ରାଣର ଆକୁଳ ଶବ୍ଦଲିପି ।

 

ସମ୍ବୋଧନ ଗୀତି :

ଗ୍ରୀକ୍ ସାହିତ୍ୟରେ ଏକ ସ୍ୱତନ୍ତ୍ର କାବ୍ୟଶୈଳୀ ରଚିତ ହୋଇ ନୃତ୍ୟ ମାଧ୍ୟମରେ ପ୍ରକାଶିତ ହେଉଥିଲା । ଏହାର ନାମ ଥିଲା ଓଡ଼୍‌ (Ode) ଇଂରାଜୀ ସାହିତ୍ୟରେ ମଧ୍ୟ ଏହା ସମାନ ଶୈଳୀଯୁକ୍ତ ହୋଇ ରଚିତ ହେଉଥିଲା । କାଳକ୍ରମେ ଏହାର ଶୈଳୀଗତ ଓ ଭାବଗତ ଅର୍ଥରେ ପରିବର୍ତ୍ତନ କରାଯାଇ ଏହାକୁ ଏକ ନୂତନ ରୂପ ଦିଆଗଲା । କୌଣସି ବ୍ୟକ୍ତି ବା ବସ୍ତୁକୁ ସମ୍ବୋଧନ କରି କବି ଯେତେବେଳେ ଅନ୍ତରର ଗଭୀରତମ ପ୍ରଦେଶରୁ ନିଜର ଅଭିବ୍ୟକ୍ତିକୁ କବିତାରେ ପ୍ରକାଶ କଲା, ତାହାକୁ କୁହାଗଲା ଏଡ଼୍ ବା ସମ୍ବୋଧନ ଗୀତି । ଓଡ଼ିଆ ସାହିତ୍ୟରେ ସମ୍ବୋଧନ ଗୀତିର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ରଚିତ ‘କୋଇଲି’ କବିତାମାନ ଏହି ଜାତୀୟ ରଚନା ।

 

ଗଙ୍ଗାଧରଙ୍କ କାବ୍ୟ ଇଲାକାରେ ସମ୍ବୋଧନ ଗୀତିର ଅଭାବ ନାହିଁ । ସେ ରଚନା କରିଥିବା ‘ମନପ୍ରତି’, ‘ଧନପ୍ରତି’ (କବିତାମାଳା), ‘ସମଲାଇ ଦେବୀଙ୍କ ପ୍ରତି’, ଉତ୍କଳ ଭାରତୀଙ୍କ ଉକ୍ତି’ ଓ ‘ମଳୟ ଆବାହନ’ (ଅର୍ଘ୍ୟଥାଳୀ) କବିତାଗୁଡ଼ିକ ସମ୍ବୋଧନ-ଗୀତିଭାବରେ ଗୃହୀତ ହୋଇପାରେ ।

 

‘ମଳୟ ଆବାହନ’ କବିତାରେ କବି ମଳୟ ପବନକୁ ସମ୍ବୋଧନ କରି ଉତ୍କଳ ଭୂମିରେ ପ୍ରବେଶ ନିମନ୍ତେ ଆବାହନ କରିଛନ୍ତି-

 

‘‘ଧୀରେ ଧୀରେ ଆସ ମଳୟ ପବନ

ଧୀରେ ଧୀରେ ଆସ ବହି,

ପୁଲକିତକର ଉତ୍କଳବାସୀଙ୍କୁ

ଶୁଭ ସମାଚାର କହି ।

ସ୍ୱାଗତ କରୁଛୁଁ ଉପହାର ଘେନ

ଆମ୍ବ ବଉଳର କଷି

ଉଦାର ହୃଦୟେ ଗ୍ରହଣ କର ତା

ମୃଦୁହିଲ୍ଲୋଳରେ ହସି ।’’

(ଅର୍ଘ୍ୟଥାଳୀ, ଗ୍ରନ୍ଥାବଳୀ, ପୃ. ୧୩୩)

 

‘ଧନପ୍ରତି’ କବିତାରେ କବି ଧନକୁ ସମ୍ବୋଧନ କରି କହନ୍ତି-

 

‘‘ଧନ, ନୀରବେ ଆସିଛୁରେ

ଗରବ ନ ଦେବୁ ମନେ

ବିରତ ନ କରି ଅବିରତେ ଥିବୁ

ବିବେକ ଅନୁଗମନେ ।’’.....ଇତ୍ୟାଦି

(କବିତାମାଳା, ଗ୍ରନ୍ଥାବଳୀ, ପୃ. ୩୬୧)

 

ମନକୁ ସମ୍ବୋଧନ କରି କବି ଲେଖନୀ ରୂପ ଦେଇଥିବା ‘ମନପ୍ରତି’ କବିତାଟିରେ କବିଙ୍କ ଉପଦେଶ ମଧ୍ୟରେ ଗଭୀର ଦାର୍ଶନିକ ଚିନ୍ତନ ପ୍ରତିଫଳିତ ।

 

ଚତୁର୍ଦ୍ଦଶପାଦୀ କବିତା :

ଚତୁର୍ଦ୍ଦଶପାଦୀ କବିତା ବା ସକେଟ୍ ଚଉଦଟି ପାଦ୍ୟ ବା ପଙ୍‌କ୍ତିବିଶିଷ୍ଟ । ଏଥିରେ ଛନ୍ଦର ବାହ୍ୟ ସଂହତି ଭାବର ଅନ୍ତଃସଂହତିର ମିଳନ ଘଟିଥାଏ । ଏହା ନିର୍ଦ୍ଦିଷ୍ଟ ଛନ୍ଦରେ ଛନ୍ଦୋରୀତିରେ ପ୍ରକାଶ ପାଏ । ଏ ଜାତୀୟ ରଚନାର ପ୍ରବର୍ତ୍ତନ ପ୍ରଥମେ ଇଟାଲୀୟ ସାହିତ୍ୟରେ ହୋଇଥିଲା ଏବଂ ପରେ ଇଂରାଜୀ ସାହିତ୍ୟରେ ଅନୁସୃତ ହେଲେ । ସେକ୍ସପିଅର ବହୁ ସନେଟ୍‌ର ସ୍ରଷ୍ଟା । ଇଂରାଜୀ ସନେଟ୍‌ଗୁଡ଼ିକ ପ୍ରାୟତଃ ସେକ୍‌ସପିଅରୀୟ ଧାରାରେ ଲିଖିତ । ତାଙ୍କ ସନେଟ୍‌ଗୁଡ଼ିକ ଚାରିପାଦ ବିଶିଷ୍ଟ ତିନୋଟି ସ୍ତବକ ଓ ଦୁଇପାଦବିଶିଷ୍ଟ ଗୋଟିଏ ସ୍ତବକରେ ସମଷ୍ଟି । ‘‘ଏହାର ପ୍ରଥମ ତିନୋଟି ସ୍ତବକରେ ବା ଘଟଣାର ଉପସ୍ଥାପନା, ବିସ୍ତାର, ବିଶ୍ଲେଷଣ ଓ ଶେଷ ଦୁଇଚରଣରେ ଉପସଂହାର ଓ କବିତାର ନିଷ୍କର୍ଷ ବର୍ଣ୍ଣିତ । ଏହାର ପରିବର୍ତ୍ତିତ, ପ୍ରାନ୍ତମିଳନ ରୀତି ଅନୁଯାୟୀ ପ୍ରଥମ-ଦ୍ୱିତୀୟ, ଦ୍ୱିତୀୟ-ଚତୁର୍ଥ, ପଞ୍ଚମ-ସପ୍ତମ, ଷଷ୍ଠ-ଅଷ୍ଟମ ନବମ-ଏକାଦଶ ଦଶମ-ଦ୍ୱାଦଶ ଓ ତ୍ରୟୋଦଶ-ଚତୁର୍ଦ୍ଦଶ ଚରଣ ମଧ୍ୟରେ ଧ୍ୱନିମିଳନ ସମ୍ପାଦିତ ହୋଇଥାଏ ।’’ (ନିବନ୍ଧ ବିଭୂଦତ୍ତ, ପୃ.୪୯) ପରବର୍ତ୍ତୀ କାଳରେ ଏହା ଫ୍ରାନ୍‌ସର କବିମାନଙ୍କ ଦ୍ୱାରା ଗୃହୀତ ହେଲା, କିଛି ଶୈଳୀଗତ ପରିବର୍ତ୍ତନ ସହିତ । ଏଥିରୁ ସ୍ପଷ୍ଟ ହୁଏ ଯେ, ସନେଟ୍ ଦେଶ ଓ କାଳ ଭେଦରେ ପରିବର୍ତ୍ତିତ ହୋଇଆସିଛି । ଚଉଦଟି ପଙ୍‌କ୍ତିର ସୀମିତ ପରିସର ମଧ୍ୟରେ ଏହା କବିର ଭାବାବେଗକୁ ପ୍ରକାଶ କରି ଏହାର ସୃଷ୍ଟିକାଳରୁ ଲୋକପ୍ରିୟତା ଅର୍ଜନ କରିଛି । ଏହା ଅନ୍ୟାନ୍ୟ କବିତା ଅପେକ୍ଷା ଅଧିକ ଚିନ୍ତାମୂଳକ ଓ ଜ୍ଞାନଗର୍ଭକ ।

 

ଇଂରାଜୀ ଶିକ୍ଷା ପ୍ରଚଳନ ଫଳରେ ଆଧୁନିକ ଭାରତୀୟ ସାହିତ୍ୟମାନଙ୍କରେ ସନେଟ୍ ସୃଷ୍ଟି ହୋଇଛି । ସମୟକ୍ରମର୍ ସନେଟ୍‌ର ରଚନାଶୈଳୀରେ କିଛି ପରିବର୍ତ୍ତନ ହୋଇଛି । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାରମ୍ଭରେ ଯେଉଁ କେତେଜଣ ସନେଟ୍‌କାର ସନେଟ୍ ରଚନାକ୍ଷେତ୍ରରେ ସଫଳତା ଲାଭ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ୱଭାବକବି ଗଙ୍ଗାଧର ଅନ୍ୟତମ । ତାଙ୍କ ସନେଟ୍‌ଗୁଡ଼ିକ ମଧ୍ୟରେ ରହିଛି ‘ସମଲାଇ ଦେବୀଙ୍କ ପ୍ରତି,’ ‘ଖଦ୍ୟୋତର ଖେଦ’, ‘ସୂର୍ଯ୍ୟପ୍ରତି ଦୀପ,’ ‘ଜ୍ୟେଷ୍ଠଜାତର ଅପକର୍ମର ପରିଣାମ’, ‘ଗୌରୀଶଙ୍କର ବା ଏଭେରେଷ୍ଟ’, ‘ପ୍ରଧାନ ପାଟ’, ‘ସ୍ୱର୍ଗୀୟ କବିବର ରାଧାନାଥ ରାୟ’ (ପାଞ୍ଚଟି ସନେଟ୍‌ର ସମାହାର), ‘ବୁଢ଼ାରାଜା’, ‘ପାପକ୍ଷୟ ଘାଟ’, ଓ ‘ବାଳପ୍ରଦୀପ’ (ଅର୍ଘ୍ୟଥାଳୀ) ଏବଂ ‘ସ୍ୱର୍ଗତ ଧନଞ୍ଜୟ ସିଂହ’ (କବିତାମାଳା) । ତନ୍ମଧ୍ୟରୁ ‘ସ୍ୱର୍ଗୀୟ କବି ରାଧାନାଥ ରାୟ’, ‘ଗୌରୀଶଙ୍କର ବା ଏଭେରେଷ୍ଟ’, ‘ପ୍ରଧାନପାଟ’, ‘ବୁଢ଼ାରାଜା’, ‘ପାପକ୍ଷୟ ଘାଟ’, ‘ବାଳପ୍ରଦୀପ’ ସନେଟ୍‌ଗୁଡ଼ିକ ସେକ୍‌ସପିୟରୀୟ ସନେଟ୍ ରୀତିର ସମଧର୍ମୀ । ଅର୍ଥାତ୍ ଏଗୁଡ଼ିକର ପ୍ରଥମ ଓ ଦ୍ୱିତୀୟ ସ୍ତବକରେ ଥିବା ଆଠପାଦରେ କବିତାର ବାହ୍ୟବର୍ଣ୍ଣନା ବିଭବ, ତୃତୀୟ ସ୍ତବକରେ କବିଙ୍କର ଭାବଧାରା ବିସ୍ତାର ଓ ଶେଷ ସ୍ତବକରେ ନୀତିବ୍ୟାଖ୍ୟା ସ୍ଥାନ ପାଇଛି । ଏସବୁ ବ୍ୟତୀତ ଅନ୍ୟ ସେନେଟ୍‌ଗୁଡ଼ିକ କେବଳ ଚତୁର୍ଦ୍ଦଶପଦୀ କବିତା ଏବଂ ପ୍ରାୟତଃ ସନେଟ୍ ନିୟମାନୁସାରୀ ନୁହେଁ । ତାଙ୍କ ରଚିତ ସନେଟ୍‌ଗୁଡ଼ିକ ଜାତୀୟତାଭାବମୂଳକ, ଶୋକମୂଳକ, ପ୍ରକୃତିବର୍ଣ୍ଣନାମୂଳକ, ଭକ୍ତିମୂଳକ ଇତ୍ୟାଦି ବିଭାଗରେ ବିଭକ୍ତ କରାଯାଇପାରେ । ‘‘ଗଙ୍ଗାଧର ସନେଟ୍ ରଚନାରୀତିକୁ ପରୀକ୍ଷାମୂଳକ ଭାବରେ ଗ୍ରହଣ କରିଥିଲେ କି ନାହିଁ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବନି, ଓ ସନେଟ୍ ରଚନାରୀତିକୁ ଅନୁସରଣ କରିବାରେ ସେ ସଫଳ କଳାକାର ।’’ (ସାହିତ୍ୟ ଦୃଷ୍ଟି, ପୃ. ୨୯)

 

ଓଡ଼ିଆ ଗୀତିକବିତା ରଚନାକ୍ଷେତ୍ରରେ ଗଙ୍ଗାଧର ଏକ ଅବିସ୍ମରଣୀୟ ପ୍ରତିଭା । ପ୍ରତ୍ୟେକ ଗୀତିଧର୍ମୀ କବିତାରେ ତାଙ୍କର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଅନନ୍ୟ ପ୍ରତିଭାବଳରେ ସେ ସୃଷ୍ଟିକରିଥିବା ଗୀତିକବିତାଗୁଡ଼ିକ ନିତ୍ୟନୂତନ । ସରଳ ଭାଷାରେ ରଚିତ ଓ ଭାବବତ ଆଟୋପରୁ ମୁକ୍ତ ତାଙ୍କର ଏହି ଜାତୀୟ ରଚନା ଶୈଳ୍ପିକ ସୌନ୍ଦର୍ଯ୍ୟମଣ୍ଡିତ । ଏଗୁଡ଼ିକରେ ତାଙ୍କ ଆନ୍ତରିକତାର ପଦଚିହ୍ନ ଏତେ ସ୍ପଷ୍ଟ ଯେ, ମନେହୁଏ ଏଗୁଡ଼ିକ କବିଙ୍କ ଜୀବନାଦର୍ଶର ଯଥାର୍ଥ ବାହକ । ଭକ୍ତିମୂଳକ ଗୀତିଗୁଡ଼ିକରେ ତାଙ୍କ ଭକ୍ତିପୂତ ହୃଦୟର ପରିଚୟ ଯେପରି ରହିଛି, ଦେଶପ୍ରୀତିମୂଳକ ଗୀତିଗୁଡ଼ିକରେ ଦେଶ-ପ୍ରତି ଥିବା ତାଙ୍କ ଅନୁରାଗ ମଧ୍ୟ ସେହିପରି ଫୁଟିଉଠିଛି । ପ୍ରକୃତିମୂଳକ ଗୀତିରେ ସେ ଯେପରି ପ୍ରକୃତିର ନିରାଜନା କରିଛନ୍ତି, ବ୍ୟଙ୍ଗରୀତି କେତୋଟିକୁ ସେହିପରି ଶ୍ଲେଷଧର୍ମୀ କରି ପାଠକକୁ ସାର-ଅସାର ଚିହ୍ନାଇ ଦେଇଛନ୍ତି । ତାଙ୍କ ଶୋକଗୀତିଗୁଡ଼ିକ ବ୍ୟକ୍ତିଗତ ଦୁଃଖର ପ୍ରତିଲିପି ଓ ସମ୍ବୋଧନ-ଗୀତିଗୁଡ଼ିକ ବ୍ୟକ୍ତି ଓ ବସ୍ତୁକୁ ସମ୍ବୋଧନ ଛଳରେ ଅନ୍ତରର ଗଭୀରତମ ପ୍ରଦେଶରୁ ଉତ୍ସାରିତ ଅଭିବ୍ୟକ୍ତିର ଗୀତିରୂପ । ତାଙ୍କ ଚତୁର୍ଦ୍ଦଶପାଦୀ କବିତା ବା ସେନଟ୍‌ଗୁଡ଼ିକ ଛନ୍ଦର ବାହ୍ୟସଂହତି ସହିତ ଅନ୍ତଃସଂହତିର ମନୋଜ୍ଞ ସମନ୍ୱିତ ରୂପ ଏବଂ କବିଙ୍କ ଅନ୍ୟାନ୍ୟ କବିତା ଅପେକ୍ଷା ଅଧିକ ଚିନ୍ତା ଓ ଚେତନାଗର୍ଭିତ । ପ୍ରତୀତ ହୁଏ, ଭାବ, ଭାଷା ଓ ଶୈଳୀ ମାଧ୍ୟମରେ କବିଙ୍କ ଜୀବନ-ଝରଣା ଯେପରି ଝରିପଡ଼ୁଛି ଗୀତିକବିତାର ଆଙ୍ଗିକରେ । ତେଣୁ ତାଙ୍କ ଗୀତିକବିତାଗୁଡ଼ିକ ଏତେ ଜୀବନ୍ତ, ଏତେ ମାର୍ମିକ ।

 

 

ଏନ୍-୫।୩୭୪,

ଆଇଆରସି ଭିଲେଜ,

ଭୁବନେଶ୍ୱର-୧୫ ।

 

ସହାୟକ ଗ୍ରନ୍ଥପୁଞ୍ଜ

୧.

ଓଡ଼ିଆ କବିତାଧାରା : ଗୀତିକବିତା- (ସଂ) କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର, ୨୦୦୭ ।

୨.

ଓଡ଼ିଆ ଗୀତିକାବ୍ୟ- ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ), ଗ୍ରନ୍ଥମନ୍ଦିର, କଟକ, ୧୯୬୭ ।

୩.

କୋଣାର୍କ, ୧୩୪ ସଂଖ୍ୟା (ଗୀତିକବିତାର ରୂପବୈଚିତ୍ର୍ୟ)- (ସଂ) ଦୀପକ ମିଶ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ- ୨୦୦୪

୪.

ଗଙ୍ଗାଧର ଗ୍ରନ୍ଥାବଳୀ- (ସଂ) ଡକ୍ଟର ହେମନ୍ତକୁମାର ଦାସ, ପୁସ୍ତକ ଭଣ୍ଡାର, ବ୍ରହ୍ମପୁର, ୧୯୮୧ ।

୫.

ଗଙ୍ଗାଧର ସାହିତ୍ୟ ସମୀକ୍ଷା- ଡକ୍ଟର ନଟବର ସାମନ୍ତରାୟ, ନିଉଷ୍ଟୁଡେଣ୍ଟ୍ ଷ୍ଟୋର, କଟକ, ୧୯୭୬ ।

୬.

ଗୀତିକବି ଗଙ୍ଗାଧର- ଡକ୍ଟର ହରେକୃଷ୍ଣେ ପାତ୍ର, ନଟରାଜ ପବ୍ଲିକେଶନ, ଭୁବନେଶ୍ୱର, ୧୯୮୭) ।

୭.

ନିବନ୍ଧ ବିଭୂଦତ୍ତ- ବିଭୂଦତ୍ତ ମିଶ୍ର, ଆର୍ଯ୍ୟପ୍ରକାଶନ, କଟକ, ୨୦୦୦ ।

୮.

ସାହିତ୍ୟ ଦୃଷ୍ଟି- ଡକ୍ଟର ଭାବଗ୍ରାହୀ ମିଶ୍ର, ଫ୍ରେଣ୍ଡସ୍ ପବ୍ଲିକର୍ସ, କଟକ, ୧୯୮୭ ।

୯.

ସାହିତ୍ୟର ଡାଳପତ୍ର- ଡକ୍ଟର ସୁରେନ୍ଦ୍ର କୁମାର ମହାରଣା, ଫ୍ରେଣ୍ଡ୍‌ସ୍ ପବ୍ଲିଶର୍ସ, କଟକ, ୩ୟ ମୁଦ୍ରଣ, ୨୦୧୨ ।

 

***

 

Unknown

କୀଚକ ବଧ କାବ୍ୟର ସ୍ଵାତନ୍ତ୍ର୍ୟ ଓ କବି ଗଙ୍ଗାଧର

ସଂଘମିତ୍ରା ମିଶ୍ର

 

‘କୀଚକ ବଧ’ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଅନ୍ୟତମ ପ୍ରସିଦ୍ଧ କୃତି । ଗଙ୍ଗାଧରଙ୍କର ସାହିତ୍ୟ ସାଧନା ସମ୍ପର୍କରେ ବହୁ ଗବେଷକ ଗବେଷଣା କରି ଅନେକ ନୂତନ ତଥ୍ୟ ପ୍ରଦାନ କରିଛନ୍ତି । ଧର୍ମ ସହିତ ଆଦର୍ଶର ସୁଷମ ସମନ୍ୱୟରେ ଗଢ଼ା ହୋଇଛି ଗଙ୍ଗାଧରଙ୍କର କାବ୍ୟ ମନ୍ଦିର । ଜ୍ଞାନ ସହିତ ସୌନ୍ଦର୍ଯ୍ୟ, ପାଣ୍ଡିତ୍ୟ ସହିତ ହୃଦୟବତ୍ତାର ସଂଯୋଗରେ ସେ ନିଜ ପାଇଁ ଓଡ଼ିଆ ସାହିତ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆନୁଷ୍ଠାନିକ ଶିକ୍ଷା ଲାଭରେ ଅସମର୍ଥ କବି ଜୀବନାନୁଭବ ସହିତ ଯୋଡ଼ିଛନ୍ତି ପ୍ରାଚୀନ କାବ୍ୟ କବିତା, ସଂସ୍କୃତରେ ଚିରାୟତ୍ତ କୃତି ଲବ୍‌ଧ ଅନୁଭବକୁ । ସେଥିପାଇଁ ଗଙ୍ଗାଧର ଓଡ଼ିଆ ସାହିତ୍ୟ ଜଗତରେ ପ୍ରକୃତରେ ପାର୍ବତୀ ଗଙ୍ଗାଙ୍କର ପବିତ୍ର ଧାର ବୁହାଇବା ପାଇଁ ସମର୍ଥ ହୋଇଛନ୍ତି । କବିଟିଏ ନିଜ ଅନ୍ତର ଦେଇ ସମଗ୍ର ମାନବ ଜାତିର ଦୁଃଖସୁଖକୁ ଆତ୍ମସ୍ଥ କରିପାରେ । ତା’ର ସହାନୁଭୂତିରେ ସିକ୍ତ ହୋଇ ସାଧାରଣ ଫୁଲଟିଏ ପାଲଟି ଯାଇପାରେ ସ୍ୱର୍ଗର ପାରିଜାତ । ସେହିଭଳି ଗଙ୍ଗାଧରଙ୍କ ସାହିତ୍ୟ କାନନରେ ଅନେକ କୁସୁମ ପ୍ରସ୍ଫୁଟିତ ହୋଇଛନ୍ତି । ୧୮୮୭ରେ ‘ରସ ରତ୍ନାକର’, ୧୮୯୨ରେ ‘ଅହଲ୍ୟାସ୍ତବ’, ୧୮୯୪ରେ ‘ଇନ୍ଦୁମତୀ’, ୧୮୯୪ ‘ଉତ୍କଳ ଲକ୍ଷ୍ମୀ’, ୧୯୦୪ରେ ‘କୀଚକବଧ’, ୧୯୧୨ରେ ‘କବିତା କଲ୍ଲୋଳ’ ୧୯୧୪ରେ ‘ଅଯୋଧ୍ୟାଦୃଶ୍ୟ’, ୧୯୧୪ରେ ‘ତପସ୍ୱିନୀ’, ୧୯୧୫ରେ ‘ପ୍ରଣୟ ବଲ୍ଲରୀ’, ୧୯୧୮ରେ ‘ଅର୍ଘ୍ୟଥାଳୀ’ ମେହେର କାବ୍ୟ କାନନର କେତେକ ସୁବାସିତ ପୁଷ୍ପ । ପଦ୍ମିନୀ, କୃଷକ ସଂଗୀତ, ଭାରତୀ ଭାବନା, କୁମାର ଜନ୍ମୋତ୍ସବ, ଭକ୍ତି ଉପହାର ପ୍ରଭୃତିର ରଚୟିତା ଭାବରେ ସେ ସ୍ୱତନ୍ତ୍ର କାବ୍ୟସିଦ୍ଧିର ପରିଚୟ ଦେଇଛନ୍ତି । କୃଷି ଓ କୃଷକ ପାଇଁ ଏତେ ଆତ୍ମୀୟତା ଦେଖାଇବାରେ ସେ ହୁଏତ ଅପ୍ରତିଦ୍ୱନ୍ଦୀ । ଗଦ୍ୟରଚନାରେ ମଧ୍ୟ ସେ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ଆତ୍ମଜୀବନୀ, ଶ୍ରୀ ନୃପରାଜ ସିଂହ, ପୁରାଣ କବି, ଫକୀର ମୋହନ, ସ୍ୱର୍ଗୀୟ କାଶୀନାଥ ପଣ୍ଡା, ଏହା କି ପୃଥିବୀର ଶବ୍ଦ ? ଶିକ୍ଷିତ ଅଶିକ୍ଷିତ ଓ ଶିକ୍ଷାଭିମାନୀ ପ୍ରଭୃତି ତାଙ୍କର ସ୍ୱତନ୍ତ୍ର ଚିନ୍ତା ଓ ଚେତନାର ପରିଚାୟକ ।

 

ଗଙ୍ଗାଧର ରାଧାନାଥ ଯୁଗର ବିଶିଷ୍ଟ କବି । ସେ ରାଧାନାଥ ଗ୍ରହର ଉପଗ୍ରହ ନୁହଁନ୍ତି ବରଂ ସ୍ୱତନ୍ତ୍ର ଦୀପ୍ତିରେ ଦୀପ୍ତିମାନ ନକ୍ଷତ୍ର, ଯାହା ନିଜର ଉଜ୍ଜ୍ୱଳତାରେ କାଳର ପ୍ରତିଲୋମ ଗତିରେ ଯାର ନିଜର କଳାତ୍ମକତାକୁ ପ୍ରତିପାଦିତ କରିପାରିଛି । ତନ୍ତ ଓ ଗ୍ରନ୍ଥକୁ ସମଭାବରେ ଗ୍ରହଣ କରି, ଦରିଦ୍ରତା ପୂର୍ଣ୍ଣ ଜୀବନ ସରୋବରକୁ ଶରତ କାଳ ସଦୃଶା ଜ୍ୟୋତିଷ୍କତୀ ବାକ୍‌ଦେବୀଙ୍କ ଦର୍ଶନରେ ପରିଷ୍କୃତ କରିପାରିଥିଲେ କବି ଗଙ୍ଗାଧର । ସେଥିପାଇଁ ତାଙ୍କ ରଚନାରେ ଦୁଃଖ ଅଛି ମାତ୍ର ସେ ଦୁଃଖକୁ ଅତିକ୍ରମ କରିବାର କ୍ଷମତା ମଧ୍ୟ ଅଛି । ସିନ୍ଧୁ ଯାହାଙ୍କର କୃପାବିନ୍ଦୁ ବିଶ୍ୱଜୀବନକୁ ସେ ବ୍ୟକ୍ତିଗତ ଜୀବନରେ ଉପଲବ୍‌ଧି କରି ପାରିଥିଲେ ବୋଲି ତ ଜୀବନର ହଳାହଳକୁ ପାନ କରି ମଧ୍ୟ ସେ ସମାଜ ପାଇଁ ମୂଲ୍ୟବୋଧର ଦିବ୍ୟ ଛାୟା ସ୍ନିଗ୍‌ଧ ପାଦପ ପାଲଟି ଯାଇଛନ୍ତି ।

 

ଗଙ୍ଗାଧରଙ୍କର କବିତ୍ୱର ବିକାଶ ପଥରେ ଅନେକ କାବ୍ୟରସ ପିପାସୁଙ୍କ ଅବଦାନ ରହିଛି । ‘ରସ ରତ୍ନାକର’ ରଚନା ପରେ ସେ ବରପାଲି ଜମିଦାର ପରିବାର ସହିତ ପରିଚିତ ହୋଇଛନ୍ତି ଓ ପରେ ରାଜପରିବାର ଗୃହଶିକ୍ଷକ ସୂର୍ଯ୍ୟକୁମାର ମିତ୍ରଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ହିଁ ଗଙ୍ଗାଧରଙ୍କର କବିଜୀବନର ଆଦ୍ୟ ଚିହ୍ନରା ଗ୍ରାହକ । ପରେ ସେ ରାଧାନାଥଙ୍କ ସହିତ ପରିଚିତ ହୋଇଛନ୍ତି ଓ ରାଧାନାଥ ତାଙ୍କୁ ଯୁଗୋପଯୋଗୀ କାବ୍ୟ ରଚନା ପାଇଁ ଅନୁପ୍ରେରିତ କରିଛନ୍ତି । ‘ତପସ୍ୱିନୀ’ ସେ ଉତ୍ସର୍ଗ କରିଛନ୍ତି ଭକ୍ତିଭାଜନ ଶ୍ରୀମାନ୍ ନାରାୟଣମିଶ୍ରଙ୍କୁ କାରଣ ସେ ଅନେକ ଦରିଦ୍ରଛାତ୍ରଙ୍କୁ ଅର୍ଥ ସାହାଯ୍ୟ କରି ସେମାନଙ୍କର ଉଚ୍ଚଶିକ୍ଷାର ପଥ ସୁଗମ କରିଛନ୍ତି । ସମ୍ବଲପୁରର ବୋଡ଼ାସମ୍ବରର ଜମିଦାର ଶ୍ରୀମାନ୍ ରାୟ ଲାଲ ରାଜେନ୍ଦ୍ର ସିଂହ ବରିହା ବାହାଦୂର ଓ ରାୟ ଭୁବନେଶ୍ୱର ବହିଦାର ମଧ୍ୟ କବିଙ୍କୁ ଉତ୍ସାହିତ କରିଛନ୍ତି । ଇନ୍ଦୁମତୀ ମୟୂରଭଞ୍ଜର ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେବଙ୍କୁ ଉତ୍ସର୍ଗ କରାଯାଇଛି । ସଂସ୍କୃତିପ୍ରେମୀ ସାହିତ୍ୟ ରସିକ ବ୍ରଜମୋହନ ପଣ୍ଡା କବିଙ୍କ ପ୍ରତିଭା ବିକାଶରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା କବି ଗଂଗାଧର ବିଭିନ୍ନ ସ୍ଥଳରେ ସ୍ମରଣ କରିଛନ୍ତି । ଅଯୋଧ୍ୟାଦୃଶ୍ୟ ଓ ଉତ୍କଳଲକ୍ଷ୍ମୀ କାବ୍ୟକୁ ସେ ବ୍ରଜମୋହନ ପଣ୍ଡାଙ୍କୁ ଉତ୍ସର୍ଗ କରିଛନ୍ତି । ନୀଳମଣି ବିଦ୍ୟାରତ୍ନ, ନୃପରାଜସିଂହ, କାଶୀନାଥ ପୂଜାପଣ୍ଡା ପ୍ରଭୃତିଙ୍କଦ୍ୱାରା କବି ବିଭିନ୍ନ ଭାବରେ ପ୍ରେରଣା ଲାଭ କରିଥିବା ଜଣାଯାଏ ।

 

୧୮୦୬ରେ ସମ୍ବଲପୁର ଅଞ୍ଚଳରେ ଓଡ଼ିଆ ଭାଷା ପରିବର୍ତ୍ତେ ହିନ୍ଦୀଭାଷାକୁ ଲଦି ଦିଆଗଲା । ସେହି ସମୟରେ ଗଂଗାଧର ଭାଷା ଆନ୍ଦୋଳନ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ଭାରତୀ ରୋଦନ, ଉତ୍କଳ ଭାରତୀଙ୍କ ନିବେଦନ, ଉତ୍କଳ ଭାରତୀଙ୍କ ଭକ୍ତି ପ୍ରଭୃତି ପୁରପଲ୍ଲୀରେ ଭଙ୍ଗା ଆନ୍ଦୋଳନକୁ ତୀବ୍ରତର କରିଥିଲା । ଉତ୍କଳଲକ୍ଷ୍ମୀ, ଅର୍ଘ୍ୟଥାଳୀ ଓ କବିତାମାଳରେ ଅନେକ କବିତାରେ ଗଂଗାଧରଙ୍କର ସ୍ୱଦେଶପ୍ରୀତି ଭାବନା ପରିଦୃଷ୍ଟ ହୋଇଥାଏ ।

 

‘ଉତ୍କଳଲକ୍ଷ୍ମୀ’ରେ ସେ ଉତ୍କଳ ମାତାର ବନ୍ଦନାରୁ ହିଁ କାବ୍ୟ ଆରମ୍ଭ କରିଛନ୍ତି । ତାଙ୍କର ପୌରାଣିକ କାବ୍ୟଗୁଡ଼ିକର କାହାଣୀ ପାଠକମାନଙ୍କର ପୂର୍ବପରିଚିତ । କିନ୍ତୁ କବିଙ୍କର ବର୍ଣ୍ଣନାବୈଚିତ୍ର୍ୟ, ସୂକ୍ଷ୍ମ ପର୍ଯ୍ୟବେକ୍ଷଣ ଶକ୍ତି ଓ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ହିଁ ତାଙ୍କୁ କାବ୍ୟସିଦ୍ଧି ପ୍ରଦାନ କରିଛି । ପୁରାଣର ଅଧିଦୈବିକ ନ୍ୟାୟଠାରୁ ଦୂରରେ ସେ ଯୁକ୍ତିସଂଗତି ଦେଇ ନିଜର ଚରିତ୍ରମାନଙ୍କୁ ସଂପୂର୍ଣ୍ଣ ମାନବୀୟ ଢଙ୍ଗରେ ପରିବେଷଣ କରିଛନ୍ତି । ତେଣୁ ଗଙ୍ଗାଧର ଆମର ପ୍ରିୟକବି ।

 

‘କୀଚକ ବଧ’ର କାହାଣୀ ହେଉଛି ମହାଭାରତର ବିରାଟ ପର୍ବର କାହାଣୀ । ପଶାଖେଳରେ ହାରି ପାଣ୍ଡବମାନେ ବାରବର୍ଷ ବନବାସ ପରେ ଏକବର୍ଷ ଅଜ୍ଞାତବାସରେ କଟାଇବାର ଅପମାନଜନକ ପଣ ସହ୍ୟ କରିଛନ୍ତି । ଯଦି ଅଜ୍ଞାତବାସ କାଳରେ ସେମାନେ ଚିହ୍ନା ପଡ଼ିଯିବେ ତେବେ ପୁନର୍ବାର ସେମାନଙ୍କୁ ବନବାସ ଭୋଗ କରିବାକୁ ହେବ । ତେଣୁ ସେମାନେ ଖୁବ୍ ସନ୍ତର୍ପଣରେ ସେ ବର୍ଷଟି ବିରାଟ ରାଜ୍ୟରେ ଛଦ୍ମବେଶରେ କଟାଇଛନ୍ତି । ଯୁଧିଷ୍ଠିରଙ୍କର ନାମ ହୋଇଛି କଙ୍କ । ସେ ବିରାଟଙ୍କ ସଭାସଦ । ଭୀମ ହୋଇଛନ୍ତି ପାଚକ ବଲ୍ଲଭ । ଅର୍ଜ୍ଜୁନ ପାଲଟିଛନ୍ତି ରାଜକୁମାରୀ ଉତ୍ତରାଙ୍କ ନୃତ୍ୟ ଶିକ୍ଷକ ନପୁଂସକ ବୃହନଳା । ନକୁଳ ଅଶ୍ୱରକ୍ଷକ ଗ୍ରନ୍ଥକାର ଓ ସହଦେବ ଗୋରକ୍ଷକ ତନ୍ତୀପାଳ ଭାବେ ନିଜକୁ ଗୋପନ କରି ରଖିଛନ୍ତି । ତେଜସ୍ୱିନୀ ଦ୍ରୌପଦୀ ସାଜିଛନ୍ତି ବିରାଟରାଣୀ ସୁଦେଷ୍ଣାଙ୍କର ସେବିକା ସୈରିନ୍ଧ୍ରୀ । ନିଜ ନିଜ କ୍ଷତ୍ରିୟତେଜଯୁକ୍ତ ଅସ୍ତଶସ୍ତ୍ର ସେମାନେ ଶମୀବୃକ୍ଷର କୋରଡ଼ରେ ଲୁଚାଇ ରଖିଛନ୍ତି । ବିରାଟରାଜାଙ୍କ ଶ୍ୟାଳକ କୀଚକ ପାପଆଖିରେ ସୈରିନ୍ଧ୍ରୀଙ୍କୁ ଦେଖିଛି ଓ ସୈରିନ୍ଧ୍ରୀଙ୍କ ଅସହାୟତାରେ ବିବ୍ରତ ହୋଇ ଭୀମ ତାକୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହି ଘଟଣା ସଂସ୍କୃତ ମହାଭାରତରେ ଜନ୍ମେଜୟ ବୈଶମ୍ପାୟନଙ୍କ ସମ୍ବାଦ ମାଧ୍ୟମରେ ପ୍ରକାଶିତ-

 

ତାଂ ଦୃଷ୍ଟା ଦେବଗର୍ଭାତ୍ତାଂ ଚରନ୍ତୀଂ ଦେବତାମିବ

କୀଚକଃ କାମୟାମାସ କାମବାଣ ପ୍ରପୀଡ଼ିତଃ (୫)

ସ ତୁ କାମାପ୍ନିସଂତପ୍ତଃ ସୁଦେଷ୍ଣାମଭିଗମ୍ୟ ବୈ

ପ୍ରହସନ୍ନିବ ସେନାନୀରିଦଂ ବଚନମବ୍ରବୀତ୍ (୬) ।

(ଶ୍ରୀମହାଭାରତେ, ବିରାଟପର୍ବଣି, ଗୀତାପ୍ରେସ, ଗୋରଖପୁର, ୧୪ଶ ଅଧ୍ୟାୟ ୫ ଓ ୬ ପଦ)

 

ଅର୍ଥାତ୍ ରାଣୀ ସୁଦେଷ୍ଣାଙ୍କ ଅନୁମତି ନେଇ କୀଚକ ଦ୍ରୌପଦୀଙ୍କ ପାଖକୁ ଯାଇ ତାଙ୍କୁ ସାନ୍ତ୍ୱନା ଦେଇ ଫୁସୁଲାଇଛନ୍ତି । ଦ୍ରୌପଦୀଙ୍କୁ ସେ ସର୍ବାଙ୍ଗସୁନ୍ଦରୀ, ବିଶାନନେତୀ, ଅନିନ୍ଦିତା, ସୁଶ୍ରୋଣି ଲକ୍ଷ୍ମୀ, ପଦ୍ମାଳୟ, ଲଜ୍ଜା, ଶ୍ରୀ, କୀର୍ତ୍ତି, କାନ୍ତି, ତନୁମଧ୍ୟମା, ଚନ୍ଦ୍ରମୁଖୀ, ବିଳାସିନୀ ଓ ରୂପବତୀ ରତି ବୋଲି ସମ୍ବୋଧନ କରି ନିଜର ମନୋକାମନା ବ୍ୟକ୍ତ କରିଛି । ଦ୍ରୌପଦୀ ତାକୁ ବୁଝାଇଛନ୍ତି ଯେ ସେ ତୁଚ୍ଛ ସେବିକା ସୈରିନ୍ଧ୍ରୀ, କୀଚକ ରାଜପୁରୁଷ । ତେଣୁ ସେ ପତ୍ନୀ ଅନୁରକ୍ତ ହେବା ବାଞ୍ଛନୀୟ । କୀଚକ ପୁନର୍ବାର କହିଛି ଯେ ତାର ସମକକ୍ଷ ଏ ଭୂତଳରେ କେହି ନାହାନ୍ତି । ଦ୍ରୌପଦୀ ବାଧ୍ୟହୋଇ କହିଛନ୍ତି ଯେ ଭୟଙ୍କର ପଞ୍ଚଗନ୍ଧର୍ବ ମୋର ରକ୍ଷାକର୍ତ୍ତା । ଏଭଳି ଲାଳସା ତୁମ ସହିତ କୁଳବିନାଶର ମଧ୍ୟ କାରଣ ହେବ । ସୁଦେଷ୍ଣା ମଧ୍ୟ ଏଭଳି ଅନୁଚିତ ଲାଳସାରୁ କୁଳନଷ୍ଟ ହେବ ବୋଲି ବୁଝାଇଛନ୍ତି ତଥାପି ଭ୍ରାତୃସ୍ନେହବଶତଃ ସୁବର୍ଣ୍ଣ ପାତ୍ରରେ ଢାଙ୍କୁଣୀ ଦେଇ ଦ୍ରୌପଦୀଙ୍କୁ ନଇ କୀଚକକୁ ଦେଇ ଆସିବା ପାଇଁ ପଠାଇଛନ୍ତି । ଦ୍ରୌପଦୀଙ୍କୁ କୀଚକ ଧରିବାକୁ ଗୋଡ଼ାଇଛି । ତାଙ୍କ କେଶ ଆକର୍ଷଣ କରିଛି । ଦ୍ରୌପଦୀ ଏହି ଅବସ୍ଥାରେ ସଭାସ୍ଥଳରେ ପହଞ୍ଚିଛନ୍ତି । ସୂର୍ଯ୍ୟ ଯେଉଁ ରାକ୍ଷସଙ୍କୁ ଦ୍ରୌପଦୀଙ୍କ ରକ୍ଷା ପାଇଁ ନିୟୋଜିତ କରିଥିଲେ ସେ କୀଚକକୁ ଧରି ଫିଙ୍ଗି ଦେଇଛି ।

 

ସଂସ୍କୃତ ମହାଭାରତର ବିରାଟ ପର୍ବର ୧୬ଶ ଅଧ୍ୟାୟରେ ବିରାଟଙ୍କ ରାଜସଭାରେ ଭୀମ ଓ ଯୁଧିଷ୍ଠିର ବସିଥିବାର ବର୍ଣ୍ଣନା ରହିଛି । ଭୀମ ଦ୍ରୌପଦୀଙ୍କ ଅପମାନରେ ଉତ୍ତେଜିତ ହୋଇଥିଲେ ହେଁ କାଳେ ସେମାନଙ୍କର ଅଜ୍ଞାତବାସର ସତ୍ୟ ପ୍ରକଟିତ ହୋଇଯିବ ସେଥିପାଇଁ ଧୈର୍ଯ୍ୟ ଧରିବାକୁ ଯୁଧିଷ୍ଠିର ଭୀମଙ୍କୁ ଇସାରା କରିଛନ୍ତି । ଦ୍ରୌପଦୀଙ୍କର ବ୍ୟାକୁଳତା ବିରାଟଙ୍କ ମନରେ ଭାବାନ୍ତର ସୃଷ୍ଟି କରିପାରି ନାହିଁ ବରଂ ସେ କୀଚକକୁ ପ୍ରଶଂସା କରିଛନ୍ତି । ଭୀମ କିନ୍ତୁ ଗୋପନରେ ଦ୍ରୌପଦୀଙ୍କୁ ସୂଚନା ଦେଇଛଇ ଯେ ପରଦିନ ସନ୍ଧ୍ୟାରେ ନୃତ୍ୟଶାଳାରେ କୀଚକ ସହିତ ଦେଖା ହେବ ବୋଲି ତାକୁ କହନ୍ତୁ । ପଞ୍ଚ ଗନ୍ଧର୍ବ ନୃତ୍ୟମାଳାର ରାସ୍ତା ଜାଣିପାରିବେ ନାହିଁ କହି ଦ୍ରୌପଦୀ କୀଚକର ବିଶ୍ୱାସଭାଜନ ହୋଇଛନ୍ତି ଓ ଭୀମ ନୃତ୍ୟଶାଳାରେ କୀଚକ ସହିତ ତାର ଭାଇମାନଙ୍କୁ ବଧ କରିଛନ୍ତି ।

 

ସାରଳା ମହାଭାରତର ବିରାଟ ପର୍ବରେ ବୈଶାଖ ଶୁକ୍ଲ ତୃତୀୟା ଚନ୍ଦନଯାତ୍ରା ସୋମବାରରେ ରାଜା ବିରାଟେଶ୍ୱର ରାଣୀଙ୍କ ସହିତ ଚନ୍ଦନଯାତ୍ରା ଦେଖିବାକୁ ଯାଇଛନ୍ତି । ରାଣୀଙ୍କ ସହିତ ପରିଚାରୀମାନେ ଯାଇଛନ୍ତି । ନାବରେ ଥାଇ କୀଚକ ଦ୍ରୌପଦୀଙ୍କୁ ଦେଖିଛି ଓ ପଚାରି ବୁଝିଛି ଯେ ତାଙ୍କର କୁଳମୂଳ ନାହିଁ । ସେ ଦେଶାନ୍ତରୀ, ପିତାମାତା ବା ଭର୍ତ୍ତାଙ୍କ ସମ୍ପର୍କରେ କୌଣସି ଖବର ନାହିଁ ଓ ସେ ସୁଦେଷ୍ଣାଙ୍କ ସୈରିନ୍ଧ୍ରୀ । ସୁଦେଷ୍ଣା ସାରଳା ମହାଭାରତରେ ‘ଶ୍ରୀକୃଷ୍ଣ’ ନାମରେ ବିଦିତା । କରୁଣାନାମ୍ନୀ ମୁଦୁସୁଲୀକୁ ବିଭିନ୍ନ ଅଳଙ୍କାର ଦେଇ କୀଚକ ସୈରିନ୍ଧ୍ରୀ ପାଖକୁ ପଠାଇଛି । କରୁଣା ସୁଦେଷ୍ଣାଙ୍କୁ କହିଛନ୍ତି ଯେ ତାଙ୍କ ଭାଇ କୀଚକ ଅସୁସ୍ଥ । ତାଙ୍କୁ ସୁସ୍ଥ କରିବା ପାଇଁ ଦ୍ରୌପଦୀ ହିଁ ସମର୍ଥା । ତେଣୁ ସୁଦେଷ୍ଣା ଦ୍ରୌପଦୀଙ୍କୁ କୀଚକଙ୍କ ପାଖକୁ ପଠାଇଛନ୍ତି । ଆଦିତ୍ୟ ଦେବତା ଦ୍ରୌପଦୀଙ୍କ ସୁରକ୍ଷା ପାଇଁ ଛାୟା ଓ ମାୟାଙ୍କୁ ପଠାଇଛନ୍ତି ତାଙ୍କ ସହିତ । କୀଚକ ସୈରିନ୍ଧ୍ରୀଙ୍କୁ ଦେଖି ତାଙ୍କ ପଛରେ ଧାଇଁବାକୁ ଛାୟା ମାୟା ତାକୁ ଠେଲି ଦେଇଛନ୍ତି । କୀଚକ ସୈରିନ୍ଧ୍ରୀଙ୍କ ଅଞ୍ଚଳ ଧରିପକାଇଛି ଓ ରାଜସଭାକୁ ଭିଡ଼ି ନେଇଛି । ପ୍ରଥମେ ସଭାରେ ଯୁଧିଷ୍ଠିର କହିଛନ୍ତି ଏହା ସୈରିନ୍ଧ୍ରୀଙ୍କର ସୌଭାଗ୍ୟ । ଦୁଃଖିତା ସୈରିନ୍ଧ୍ରୀ ଅର୍ଜୁନ (ସାରଳା ମହାଭାରତରେ ବୃହନ୍ନାରୀ) ପାଖକୁ ଯାଇଛନ୍ତି । ସମସ୍ତେ କହିଛନ୍ତି ଯଦି ଜ୍ୟେଷ୍ଠଭ୍ରାତାଙ୍କ ଆଜ୍ଞା ତେବେ ଯାଇ କୀଚକର ଭାର୍ଯ୍ୟାହୁଅ ସହଦେବ ଭବିଷ୍ୟତବାଣୀ କରିଛନ୍ତି ଯେ ସୈରିନ୍ଧ୍ରୀଙ୍କ ପାଇଁ କୀଚକ ଶତଭ୍ରାତାଙ୍କ ସହିତ ନାଶଯିବେ । ସବାଶେଷରେ ରାତ୍ରୀକାଳରେ ଦ୍ରୌପଦୀ ଭୀମଙ୍କ ପାଖକୁ ଯାଇଛନ୍ତି । ତାଙ୍କ ନିଦ୍ରା ଭାଙ୍ଗିବା ପାଇଁ ପ୍ରୟାସ କରି ବିଫଳ ହୋଇ ସେ କ୍ରନ୍ଦନ କରିଛନ୍ତି । ଲୁହ ଭୀମଙ୍କ ଦେହରେ ପଡ଼ିବାରୁ ତାଙ୍କ ନିଦ ଭାଙ୍ଗିଛି । ସେ ବି ପ୍ରଥମେ ବଡ଼ଭାଇଙ୍କ କଥା ଠିକ୍ ବୋଲି କହିଛନ୍ତି । ଦ୍ରୌପଦୀ ବିରକ୍ତ ହୋଇ କହନ୍ତି-

 

ହସ୍ତିନା ସଭାରେ ବସି ଚାହିଁବ କାହା ମୁଖ

ମାନହୀନେ ବ୍ରତିବାରୁଂ ମରଣ ବଡ଼ ସୁଖ,

(୧୯୭ ପଦ, ପୃ ୧୭୯୫) (ସାରଳା ମହାଭାରତ, ବିରାଟ ଓ ଉଦ୍‌ଯୋଗପର୍ବ, ସାରଳା ସାହିତ୍ୟ ସଂସଦ, ୧ମ ପ୍ରକାଶ, ୨୦୦୭)

 

ସତେ କି ଦୌପଦୀଙ୍କର ଏତାଦୃଶ ଝିଂଗାସ ଭୀମଙ୍କ ନିଶ୍ଚେଷ୍ଟତା ଦୂର କରିବାରେ ସହାୟକ ହୋଇଛି । ସେ ଯେ ପଞ୍ଚପାଣ୍ଡବଙ୍କର ବିବେକର ରକ୍ଷାକର୍ତ୍ତ୍ରୀ ଏହା ସାରଳାଦାସ ପ୍ରତିପାଦିତ କରିଛନ୍ତି ।

 

ଦ୍ରୌପଦୀ ଭୀମକୁ ଉତ୍ତେଜିତ କରି ତାର ବୀରପଣକୁ ଆହ୍ୱାନ ଦେଇଛନ୍ତି ଓ ଗୁଣରେ କୀଚକଙ୍କୁ ମାରିବା ପାଇଁ ବଡ଼ଭାଇ ନିର୍ଦ୍ଦଶ ଦେଇଛନ୍ତି ବୋଲି ସୂଚନା ମଧ୍ୟ ଦେଇଛନ୍ତି । ଭୀମ ଉତ୍ସବନଗରକୁ ଯାଇ ଗୋପନରେ କୀଚକବଧ କରିବା ପାଇଁ ତାଙ୍କୁ କଥା ଦେଇଛନ୍ତି । ପରଦିନ ପ୍ରଭାତରେ ନିଜେ ସୈରିନ୍ଧ୍ରୀ ଯାଇ କୀଚକକୁ କହନ୍ତି ଯେ

 

ଯାତ୍ରା ସରିଲା ଯେ ଉଚ୍ଛବ ନଗର ହୋଇ ତୁଚ୍ଛା

ନିଗମ ସ୍ଥାନେ ତୋହର ମୋହର ପୂରିବ ମନବାଞ୍ଛା ।

୪୮ ପଦ ପୃ- ୧୭୯୬

 

କୀଚକ ବ୍ୟାକୁଳ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଛି । ଭୀମ ରାତ୍ରିର ପ୍ରଥମ ପ୍ରହର ପାଞ୍ଚଘଡ଼ି ମଧ୍ୟରେ ନିଜର ରୋଷେଇ ଦାୟିତ୍ୱ ସାରି ନଦୀତୀରରେ ଉପନୀତ ହୋଇଛି । ପିତା ପବନଙ୍କୁ ସ୍ମରଣ କରି ଅର୍ଜୁନଠାରୁ ନାରୀସୁଲଭ ପୋଷାକ ଓ ଆହରଣ ଆଣି ଦେବାକୁ ଅନୁରୋଧ କରିଛି । ରାତିରେ କୀଚକ ସୈରିନ୍ଧ୍ରୀଙ୍କ ଅନୁରୋଧ ଅନୁସାରେ ଗଲାବେଳେ ବାଟରେ ନାନାଦି ଅମଙ୍ଗଳ ଚିହ୍ନ ଦେଖିଛି । ଶେଷରେ ନାରୀବେଶୀ ଭୀମଙ୍କ ହସ୍ତରେ ସେ ପ୍ରାଣ ଦେଇଛି ।

 

ଗଙ୍ଗାଧରଙ୍କ ‘କୀଚକ ବଧ’ ଏହି ଆଖ୍ୟାନଭାଗ ଉପରେ ପର୍ଯ୍ୟବେସିତ । ମହାଭାରତରେ ଏହି କାହାଣୀ କୌତୁହଳପ୍ରଦ ଓ ଶିକ୍ଷାପ୍ରଦ । ‘କୀଚକବଧ’ ସମ୍ପର୍କରେ ମନ୍ତବ୍ୟ ଦେଇ କବିବର ରାଧାନାଥ ରାୟ କୁହନ୍ତି ‘‘X X X ଗ୍ରନ୍ଥାଧ୍ୟୟନ କରି ଲୋକେ ପଣ୍ଡିତ ହୋଇପାରନ୍ତି ମାତ୍ର କବି ହେବାକୁ ହେଲେ କେବଳ ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନହେଁ । ପ୍ରକୃତି ଗ୍ରନ୍ଥାଧ୍ୟୟନ ମଧ୍ୟ ଅପରିହାର୍ଯ୍ୟ ରୂପେ ଆବଶ୍ୟକ । X X X ‘କୀଚକ ବଧ’ରେ କୀଚକର ବୀର୍ଯ୍ୟୋନ୍ନାଦସୁଲଭ ଦାମ୍ଭିକତା ଓ ଲମ୍ଫଟତା, କୀଚକ ଦୂତୀର ଶମ୍ଭଳୀସୁଲ ନାରକୀୟ ଚାତୁରୀ, ଦ୍ରୌପଦୀଙ୍କର ସେବାଧର୍ମର କର୍ତ୍ତବ୍ୟଜ୍ଞାନ ସହିତ ସାଧ୍ୱୀସୁଲଭ ଜାଗରୁକତା, ବିରାର ଅରାଜୋଚିତ ସ୍ୱାର୍ଥେକଦର୍ଶିତା, ସୁଦେଷ୍ଣାଙ୍କର ରମଣୀସୁଲଭ କୋମଳତା ଏବଂ ଧର୍ମଭୀରୁତା ସହିତ ଅଯଥା ଭ୍ରାତୃବତ୍ସଳତା କିପରି ନୈପୁଣ୍ୟ ସହକାରେ ଚିତ୍ରିତ ହୋଇଅଛି, ସହୃଦୟ ପାଠକ ପାଠମାତ୍ରେ ତାହା ବୁଝିପାରିବେ ।’’

 

ପୌରାଣିକ କଥାବସ୍ତୁକୁ କାବ୍ୟରୂପେ ଦେବା ପାଇଁ ଯାଇ ଗଙ୍ଗାଧର ପଥମେ ବିରାଟ ନଗରର ଐଶ୍ୱର୍ଯ୍ୟର ବର୍ଣ୍ଣନା କରିଛନ୍ତି । ସାତଗୋଟି ସର୍ଗରେ ବିନ୍ୟସ୍ତ ଏହି କାବ୍ୟରେ ବିଶ୍ୱପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ସହିତ ମାନବ ପ୍ରକୃତିର ବୈଚିତ୍ର୍ୟ ଏକୀଭୂତ ହୋଇପାରିଛି । ପ୍ରଥମ ସର୍ଗରେ ବିନ୍ୟସ୍ତ ଏହି କାବ୍ୟରେ ବିଶ୍ୱପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ସହିତ ମାନବ ପ୍ରକୃତିର ବୈଚିତ୍ର୍ୟ ଏକୀଭୂତ ହୋଇପାରିଛି । ପ୍ରଥମ ସର୍ଗରେ ନଗରବର୍ଣ୍ଣନା ଯେ କୌଣସି ରୀତିକାଳୀନ ବର୍ଣ୍ଣନାର ସମକକ୍ଷ । ଦ୍ୱିତୀୟସର୍ଗର ବସନ୍ତ ବର୍ଣ୍ଣନା ସତେ ଯେପରି କୀଚକର ଦ୍ରୌପଦୀଙ୍କ ଦର୍ଶନ ପାଇଁ ନିର୍ମିତ ଏକ ପୃଷ୍ଠଭୂମି । ତୃତୀୟସର୍ଗରେ ସନ୍ଧ୍ୟାବର୍ଣ୍ଣନା ସହିତ କୀଚକର ମନ୍ଦ ଉଦ୍ଦେଶ୍ୟ ବର୍ଣ୍ଣିତ । ଏହି ସର୍ଗରେ ଚପଳାଦାୟୀ ଦାସୀଦ୍ୱାରା କୀଚକର ମନସ୍କାମନା ପୂର୍ବ ହେବାର ଆଶା ସୃଷ୍ଟି ହୋଇଛି-। ଚପଳାର ମନ୍ଦ ଉଦ୍ଦେଶ୍ୟ ସମ୍ପର୍କରେ ଏହି ସର୍ଗରେ ହିଁ ଦ୍ରୌପଦୀ ଆଭାସ ପାଇଛନ୍ତି । ଚତୁର୍ଥସର୍ଗରେ ଚପଳା ମହାରାଣୀ ସୁଦେଷ୍ଣାଙ୍କ ନିକଟରେ କୀଚକଙ୍କ ଉଦ୍ଦେଶ୍ୟ ଜଣାଇଛି ମାତ୍ର ପ୍ରକୃତ ମନୋଭାବ ଗୋପନ ରଖିଛି । ସୈରିନ୍ଧ୍ରୀ ଚଷକ ହସ୍ତରେ କୀଚକ ନିକଟକୁ ଯାଇଛନ୍ତି ଓ କୀଚକ ତାଙ୍କ ପଛରେ ଧାଇଁ ଆଘାତପ୍ରାପ୍ତ ହୋଇଛି । ପଞ୍ଚମସର୍ଗରେ ଦେବୀ ଦ୍ରୌପଦୀ ବିରାଟ ରାଜାଙ୍କ ନିକଟରେ କୀଚକର ଦୁଷ୍କର୍ମ ବିଷୟରେ ଜଣାଇଛନ୍ତି ଓ ଜ୍ୟେଷ୍ଠ ପାଣ୍ଡବଙ୍କର ଆଜ୍ଞାନେଇ ଭୀମକୁ ସମସ୍ତ ଜଣାଇଛନ୍ତି ।

 

ଷଷ୍ଠ ସର୍ଗରେ ସୈରିନ୍ଧ୍ରୀ ଦୂତୀ ହସ୍ତରେ ବାର୍ତ୍ତା ଦେଇଛନ୍ତି ଯେ ସେ ପୁରପ୍ରାନ୍ତର ନୃତ୍ୟ ଶାଳାରେ ରାତ୍ରିକାଳରେ କୀଚକ ସହିତ ଗୋପନରେ ମିଳିତ ହେବେ । ନାରୀବେଶ ଧରି ଭୀମ ସେଠାରେ ପୂର୍ବରୁ ଲୁଚି ରହିଥିଲେ ଓ କାମାସକ୍ତ କୀଚକକୁ ମହାଯୁଦ୍ଧରେ ବିନାଶ କରିଛନ୍ତି । ସପ୍ତମସର୍ଗରେ କୀଚକର ଭ୍ରାତାମାନେ କିଭଳି ନିହତ ହୋଇଛନ୍ତି ତାର ବର୍ଣ୍ଣନା ପ୍ରଦତ୍ତ ହୋଇଛି ।

 

ଏହି କ୍ରମ ମଧ୍ୟରେ ଗଙ୍ଗାଧରଙ୍କର ବୈଶିଷ୍ଟ୍ୟ କିଭଳି ଫୁଟି ଉଠିଛି ତାହା ହିଁ ଆମର ଆଲୋଚ୍ୟ । ମହାଭାରତ ଅନୁରୂପ ଯୁଧିଷ୍ଠିରଙ୍କ, ଭୀମ ସୂପକାର, ଅର୍ଜୁନ ବର୍ଷବର ହୋଇ ବିରାଟ ନଗରରେ ଅଛନ୍ତି । ଭୀମଙ୍କର ନାମ ବଲ୍ଲଭ ନୁହେଁ ବା ନକୁଳ ସହଦେବଙ୍କ ନାମ ଗ୍ରନ୍ଥକାର ଓ ତନ୍ତୀପାଳ ନୁହେଁ । କେବଳ ନକୁଳ ଓ ସହଦେବ ଯଥାକ୍ରମେ ରାଜଧେନୁ ଓ ରାଜହୟପାଳନକାରୀ ଭାବେ ଥିବା କଥା ଗଙ୍ଗାଧର ଉଲ୍ଲେଖ କରିଛନ୍ତି ।

 

ବସନ୍ତବର୍ଣ୍ଣନା ‘କୀଚକବଧ’ର ଅନ୍ୟତମ ସମୃଦ୍ଧ ବର୍ଣ୍ଣନା । ଋତୁସମ୍ରାଟ ବସନ୍ତର ଆଗମନ ବାର୍ତ୍ତା କୋକିଳ ପଠନ କରିଛି । ଗ୍ରହରାଜ ସୂର୍ଯ୍ୟ ଋତୁସମ୍ରାଟଙ୍କ ଆଗମନ ଖବର ପାଇ ଦକ୍ଷିଣାୟନ ତ୍ୟାଗ କରିଛନ୍ତି । ଫଳରେ ଦିନ ବଢ଼ିଛି । ବସନ୍ତରେ ଧୀରସମୀର, ନବମଲ୍ଲିକା, ଚନ୍ଦିକା ସହିତ କାମଦେବମିଶି ଏକତ୍ର ନୃତ୍ୟ କରିଛନ୍ତି । ଏହି ସମୟରେ ଚୈତ୍ରମଙ୍ଗଳବାର ପୂଜାପାଇଁ ବିରାଟପୁର ନାରୀମାନେ ବନଦୁର୍ଗାଙ୍କ ମନ୍ଦିରକୁ ଯାଇଛନ୍ତି । କୀଚକ ଏହି ପୁରନାରୀମାନଙ୍କୁ ଦେଖୁ ଦେଖୁ ତାର ଆଖି ଦ୍ରୌପଦୀଙ୍କ ଉପରେ ପଡ଼ିଛି । କବି ଦ୍ରୌପଦୀଙ୍କ ରୂପର ବର୍ଣ୍ଣନା କରିଛନ୍ତି ଏହିଭଳି :-

 

‘‘ଜମ୍ବୁନଦହାର ମଧ୍ୟରେ ହୀରା ପଦକ କରି

ଦିଶୁଥିଲେ ନାରୀ ଗହଣେ ସଇରନ୍ଧ୍ରୀ ସୁନ୍ଦରୀ ।’’

(ଗ୍ରନ୍ଥାବଳୀ ପୃ- ୧୨୬)

 

ତାର ମନେ ହୋଇଛି ହୁଏତ ଅପସରାଭୁବନ ବା ସମୁଦ୍ର ମଧ୍ୟସ୍ଥ ରତ୍ନକୋଷରେ ତାର ଦୃଷ୍ଟି ପଡ଼ିଛି ମାତ୍ର କବିଙ୍କ ଚିନ୍ତାରେ :-

 

ନୁହେଁ ରତ୍ନକୋଷ, ନୁହଁନ୍ତି ସ୍ୱପ୍ନ ଅପ୍‌ସରାବ୍ରାତ

କୀଚକ ମରଣ ସୂଚକ ଘୋର ଉଲ୍‌କା ପାତ-

(ଗ୍ରନ୍ଥାବଳୀ ପୃ- ୧୨୬)

 

ଦାସୀଙ୍କୁ ପଚାରି କୀଚକ ବୁଝିଛି ଯେ ସୈରିନ୍ଧ୍ରୀର ପିତା ପତି ବା ବାସସ୍ଥାନ ସଂପର୍କରେ କୌଣସି ବିଶେଷ ସୂଚନା ନାହିଁ । ତେଣୁ ସେ ସହଜରେ ସୈରିନ୍ଧ୍ରୀଙ୍କୁ ଉପଭୋଗ କରିପାରିବ ବୋଲି ଲାଳସୀ ହୋଇଛି । ତାର ଚିନ୍ତାରେ

 

ଗୃହ ଲକ୍ଷ୍ମୀ କରି ରଖିବି ବାମାକୁ ହେବ ଯଦି ତାର ମତ

ନୋହିଲେ ଜୀବନ ଯାପିବି ହୋଇ ତା ଗୁପତ ପ୍ରଣୟେରତ

(ଗ୍ରନ୍ଥାବଳୀ ପୃ ୧୩୦)

 

ଏଭଳି ବିଚାରକୁ ଚପଳାନାମ୍ନୀ ଦାସୀ ଆହୁରି ଅନୁପ୍ରେରିତ କରିଛି । ଦୌପଦ୍ରୀଙ୍କୁ ସେ ଯେଉଁଭଳି ପ୍ରଭାବିତ କରିଛି ଯେ କୌଣସି ସାଧାରଣ ନାରୀପକ୍ଷରେ ସେ ପ୍ରଲୋଭନକୁ ଜୟ କରିବା ହୁଏତ କଷ୍ଟକର ହୋଇଥାଆନ୍ତା । ମାତ୍ର ଦ୍ରୌପଦୀ ତା କଥାରେ ସମୁଚିତ ଉତ୍ତର ଦେଇଛନ୍ତି-। କୀଚକର ବଳବୀର୍ଯ୍ୟ ଓ ତାର ଐଶ୍ୱର୍ଯ୍ୟ କଥା କହିଥିବା ଚପଳାକୁ ଦ୍ରୌପଦୀ ସୂଚନା ଦେଇଛନ୍ତି ଯେ ସେ ବନକୁସୁମ । ବନ ଦେବତାଙ୍କ ପ୍ରୀତି ହିଁ ତାଙ୍କର କାମ୍ୟ- ଯଦି ତାଙ୍କୁ କେହି ଖରାପ ନଜରରେ ଦେଖେ ତେବେ ପଞ୍ଚଗନ୍ଧର୍ବ ସ୍ୱାମୀ ହିଁ ତାକୁ ଯମପୁରକୁ ପଠାଇବା ପାଇଁ ସକ୍ଷମ ।

 

ଚପଳା ସୈରିନ୍ଧୀଙ୍କର ନାସ୍ତିବାଣୀ ଶୁଣି ଫେରିଯାଇଛି ସତ କିନ୍ତୁ ତାର ଚେଷ୍ଟାରୁ ବିରତ ହୋଇ ନାହିଁ । ସେ ପୁନର୍ବାର ରାଣୀ ସୁଦେଷ୍ଣାଙ୍କ ନିକଟକୁ ଆସି କହିଛି ଯେ ସ୍ୱପ୍ନରେ ସୈରିନ୍ଧ୍ରୀଙ୍କୁ ଦେଖିବା ପରେ କୀଚକ ପୀଡ଼ିତ । ସେ ଥରେ ସୈରିନ୍ଧ୍ରୀଙ୍କୁ ଦେଖିବାକୁ ଚାହାନ୍ତି । ସେ କଥା ଦେଇଛନ୍ତି ଯେ କେବଳ ଥରେ ଦେଖିବେ ମାତ୍ର ତାଙ୍କ ଶରୀର ସ୍ପର୍ଶ କରିବେ ନାହିଁ । ଏଠାରେ ସୁଦେଷ୍ଣା ପତିବ୍ରତାର ମହିମା ସଂପର୍କରେ ଚପଳାଙ୍କୁ ବୁଝାଇଥିଲେ ମଧ୍ୟ ଭ୍ରାତୃପୀତିରେ ବଶୀଭୂତ ହୋଇ ସୈରିନ୍ଧ୍ରୀଙ୍କୁ କୀଚକପାଖକୁ ଯିବା ପାଇଁ ରାଜି କରାଇଛନ୍ତି । ରାଣୀଙ୍କ ଅନୁରୋଧ :

 

ସତୀରତନ ଥରେ ରଖ ମୋ ସତ, ଚରଣ ଚାଳନରେ ନୁହଁ ନିସତ

ଭୀତି ନ ରଖି ଚିତ୍ତେ ଧରମପ୍ରାଣେ, ଚଷକ ଧରି ଚଳ ମୋହରି ରାଣେ ।

(ଗ୍ରନ୍ଥାବଳୀ ପୃ ୧୩୮)

 

ପଥମଧ୍ୟରେ ଦେବୀ ଧର୍ମବେତାଙ୍କୁ ପ୍ରାର୍ଥନା କରିଛନ୍ତି ତାଙ୍କୁ ରକ୍ଷା କରିବା ପାଇଁ । ଚଷକ ଧରି ଯାଉଥିବା ସୈରିନ୍ଧ୍ରୀଙ୍କ ମନର ଭାବନା ଯେ ରାଣୀ ହୁଏତ ଶ୍ରଦ୍ଧା ଯୋଗୁଁ ନିଜ ଭାଇଙ୍କ ଅନୁଚିତ ବାସନା ବିଷୟ ବୁଝି ପାରୁ ନାହାନ୍ତି । ସଂସ୍କୃତ ମହାଭାରତରେ ଧର୍ମଦେବତା କୌଣସି ରାକ୍ଷସକୁ ଦ୍ରୌପଦୀଙ୍କ ନିକଟରେ ଅଦୃଶ୍ୟ ଭାବେ ଜଣାଇଥିଲେ । ସେହି ରାକ୍ଷସ କୀଚକଙ୍କୁ ଠେଲି ଦେଇଛି ଓ କୀଚକ ପଡ଼ିଯାଇଛି । ସାରଳା ମହାଭାରତରେ ଧର୍ମଦେବତା ସୂର୍ଯ୍ୟଦେବୀ ସୈରିନ୍ଧ୍ରୀଙ୍କ ନିକଟରେ ଗୋପନରେ ଛାୟା ଓ ମାୟାଙ୍କୁ ଜଗାଇଥିଲେ । ଯେଉଁଥିପାଇଁ କୀଚକ ସୈରିନ୍ଧ୍ରୀଙ୍କ ପଛରେ ଧାଇଁବାବେଳେ ତାଙ୍କୁ ଛୁଇଁବା ପାଇଁ ସମର୍ଥ ହେଉ ନ ଥିଲା । ‘କୀଚକ ବଧ‘ରେ କିନ୍ତୁ ଗଙ୍ଗାଧର ସୈରିନ୍ଧ୍ରୀଙ୍କ ରକ୍ଷା କରିବା ପାଇଁ ପ୍ରକୃତିକୁ କୀଚକର ସାମର୍ଥ୍ୟ ବିପକ୍ଷରେ ଠିଆ କରିଛନ୍ତି । ମୃଗୀ ପଛରେ ବ୍ୟାଘ୍ର ଭଳି କୀଚକ ଦ୍ରୌପଦୀଙ୍କ ପଶ୍ଚାଧାବନ କରିଛି । କେବେ ଗଛ ତଳରେ ଦେବୀ ନଇଁ ନଇଁ ଧାଆନ୍ତି ତ କେବେ ମୁକ୍ତ ସ୍ଥଳରେ ସିଧା ହୋଇ ଧାଇଁଥାଆନ୍ତି । କ୍ରମେ ସୈରିନ୍ଧ୍ରୀଙ୍କ ଶାଢ଼ୀରେ କୀଚକର ହାତ ବାଜିବା ଭଳି ମଧ୍ୟ ମନେ ହେଉଥାଏ । କିନ୍ତୁ ଏହି ସମୟରେ ସୈରିନ୍ଧ୍ରୀଙ୍କୁ ରକ୍ଷା କରିବା ପାଇଁ ଗଙ୍ଗାଧର ଏହିଭଳି ନାଟକୀୟ ଆକସ୍ମିକ ପରିବେଶ ସୃଷ୍ଟି କରିଛନ୍ତି-

 

ପ୍ରକାଣ୍ଡ ତରୁଶାଖା ଏକ ତା ଶିରେ, ବାଜନ୍ତେ ଘୁଞ୍ଚି ବସିଗଲା ଭୂମିରେ

ଶିର ଆଉଁଷି ଶାଖା ଚାହିଁଲା ବସି, ଉଠି ଭାଙ୍ଗିଲା ତାକୁ ରୋଷେ ଆକର୍ଷି ।

(ଗ୍ରନ୍ଥାବଳୀ - ୧୩୯)

 

ସୈରିନ୍ଧ୍ରୀ ଚିନ୍ତାରେ ଅନ୍ୟମନସ୍କ କୀଚକ ମୁଣ୍ଡରେ ଗଛରେ ଶାଖା ବାଜିଯିବା ବେଶ୍ ସ୍ୱାଭାବିକ ।

 

ସେ ଗଛ ଶାଖାକୁ ଭାଙ୍ଗିବା ଭିତରେ ଦ୍ରୌପଦୀ ନିଜ ଭବନରେ ପ୍ରବେଶ କରିଯିବା ମଧ୍ୟ ଅନୁରୂପ ମାନବୀୟ ହୋଇଛି ।

 

‘ଇନ୍ଦୁମତୀ’ର ଗଙ୍ଗାଧର ରାଜଧର୍ମ ସମ୍ପର୍କରେ ପ୍ରଥମେ ବିଚାର କରିଥିଲେ । ସେ ଅଜଙ୍କ ଶାସନରେ ପ୍ରଜାମାନେ ରାଜାଙ୍କ ଦ୍ୱାରା ସୁପରିଚାଳିତ ହେଉଥିବା କଥା କହି ସେ ରାଜାଙ୍କର ନାମ ଏହିଭଳି ଗାନ କରିଥିଲେ-

 

‘‘ଭୋଗାସକ୍ତ ନୋହି ସଦା ଜାଗରିତ ପ୍ରଜାଙ୍କ ହିତ ସାଧନେ

ସଦା ସୁଖଦେଖି ଆପେ ମହାସୁଖୀ ହେଉଥିଲେ ସ୍ୱଚ୍ଛମନେ ।’’

(ଗ୍ରନ୍ଥାବଳୀ-ଇନ୍ଦୁମତୀ-ପୃ ୧୬୮)

 

‘ତପସ୍ୱିନୀ’ରେ ରାଜଧର୍ମର କଥରା ଗଂଗାଧର ଖୁବ୍ ମର୍ମସ୍ପର୍ଶୀ ଭାବରେ ଚିତ୍ରଣ କରିଛନ୍ତି-। ରାଜଧର୍ମ ହେଉଛି ପ୍ରଜାଙ୍କ ହିତ ପାଇଁ ନିଜକୁ ବିସର୍ଜନ ଦେବା । ସମଦୃଷ୍ଟି ସମଭାବରେ ଲକ୍ଷ୍ୟ ସ୍ଥିର ରଖି ପ୍ରଜାଙ୍କ ପାଇଁ ବାଉଁଶରାଣୀର ଜୀବନକୁ ଆଦରି ନେବା । କୀଚକବଧରେ କିନ୍ତୁ ରାଜା ବିରାଟଙ୍କଠାରୁ କୀଚକଙ୍କର ଗୁରୁତ୍ୱ ଅଧିକ । ଚପଳା ଭାଷାରେ-

 

‘‘କୀଚକନବର ହୋଇଅଛି ଆଜି ଦ୍ୱିତୀୟବାସବ ବାସ

ବିରାଟ ନରେଶ କରିଛନ୍ତି ତାଙ୍କ ଭୁଜ ବିକ୍ରମକୁ ଆସ ।’’

(ଗ୍ରନ୍ଥାବଳୀ- ପୃ- ୧୩୪)

 

ମାତ୍ର ସୈରିନ୍ଧ୍ରୀ ରାଜଆଶ୍ରିତା । ସେ କୀଚକର ପାପାଚକ୍ଷୁ ପାଇଁ ବିରାଟଙ୍କୁ ଦୋଷ ଦେଉ ନାହାନ୍ତି । ସେ କହନ୍ତି-

 

ନ କରିବି ନିନ୍ଦା ବିରାଟ ନୃପଙ୍କୁ ଖାଏ ତାଙ୍କ ଅନ୍ନଜଳ

ସେ ଯେବେ ଅନୀତି ଆଚରିବେ ଧର୍ମ ନ ଦେବ କି ପ୍ରତିଫଳ ।’’

(ଗ୍ରନ୍ଥାବଳୀ ପୃ- ୧୩୫)

 

ସେଥିପାଇଁ କୀଚକକତ୍ତୃକ ଅପମାନିତ ସୈରିନ୍ଧ୍ରୀ ରାଜସଭାରେ ପହଞ୍ଚି ନ୍ୟାୟ ମାଗିଛନ୍ତି । ଦୁର୍ବଳର ବଳ ରାଜା ରାଜଧର୍ମ ରକ୍ଷା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ମାତ୍ର ବିରାଟ କୀଚକଙ୍କ ଇଚ୍ଛାକୁ ସମର୍ଥନ ଦେଇଛନ୍ତି । ତେଣୁ ଧର୍ମରାଜ ଯୁଧିଷ୍ଠିର କୌଶଳରେ ସୈରନ୍ଧ୍ରୀଙ୍କୁ ସୂଚନା ଦେଇଛନ୍ତି ଯେ ‘‘ଦ୍ୱିତୀୟ ସ୍ୱାମୀଙ୍କୁ ଭଜ ଏ ଆମ୍ଭ ବିଚାର’’ ଏ କଥା ଶୁଣି ଦୁର୍ବଳମନା ରାଜା ବିରାଟ ଆନନ୍ଦରେ କହନ୍ତି-

 

‘‘ବିରାଟ ବୋଇଲେ କଙ୍କ ଭାଷଣଉଚିତ

ହୋଇଯାଉ କାଞ୍ଚନରେ ମଣି ବିଖଚିତ ।’’

(ଗ୍ରନ୍ଥାବଳୀ- ପୃ. ୧୪୧)

 

ଦ୍ୱିତୀୟ ସ୍ୱାମୀ ଭାବରେ ବିରାଟ କୀଚକକୁ ବୁଝିବା ସମୟରେ ଦ୍ରୌପଦୀ ଯୁଧିଷ୍ଠିରଙ୍କ ଇଂଗିତ ବୁଝିପାରି ଭୀମସେନଙ୍କ ନିକଟକୁ ଯାଇଛନ୍ତି । କିନ୍ତୁ ପୂର୍ବରୁ ସେ ଦ୍ୱିତୀୟ ବିଶ୍ୱାସ ଦେଇଛନ୍ତି ଯେ ଆସନ୍ତାକାଲି ସେ ଆସି କୀଚକ ପାଖକୁ ତାଙ୍କର ଉତ୍ତର ଦେଇଯିବା ପାକଶାଳାରେ ଶାୟିତ ଭୀମକୁ ସେ ହଲାଇ ଉଠାଇଛନ୍ତି । ଭୀମ ପ୍ରଶ୍ନର ଉତ୍ତରରେ ଦେବୀ ସୈରିନ୍ଧ୍ରୀ କୀଚକ ସମ୍ପର୍କରେ ତାଙ୍କୁ ବିବରଣୀ ଦଇଛନ୍ତି । ଭୀମ ପ୍ରଥମେ କୀଚକକୁ ତତ୍‌କ୍ଷଣାତ୍ ବିନାଶ କରିବା ପାଇଁ କ୍ରୋଧରେ ଥରହର ହୋଇ ଉଠିଛନ୍ତି ମାତ୍ର ପରକ୍ଷଣରେ ‘‘ପାପ ପ୍ରଣୟ ବ୍ୟାଜ’’ରେ ତକୁ ବିନାଶ କରିବାକୁ ଚାହିଁଛନ୍ତି । ସେ ଦ୍ରୌପଦୀଙ୍କୁ କହନ୍ତି

 

‘‘ଦୂତୀକୁ ବୋଲିବୁ କାଲି ହେବ ଅଭିସାର, ସଂକେତ ସ୍ଥଳକୁ ଯିବ ରଜନୀରେ ଜାର

ପୁର ଉପକଣ୍ଠେ ଅଛି ଯେ ରଂଗନିଳୟ, ତାହାକୁ ସଂକେତ ସ୍ଥାନ କରିବ ନିଶ୍ଚୟ

ଯଥାକାଳେ ସଂକେତକୁ ତୋହ ବେଶ ଧରି, ଯାଇ ମୁଁ ଆସିବି ଯାହା କର୍ତ୍ତବ୍ୟ ତା କରି ।’

(ଗ୍ରନ୍ଥାବଳୀ- ପୃ. ୧୪୨)

 

ସାରଳା ମହାଭାରତରେ ଭୀମ ନିଜ ପିତା ପବନଙ୍କୁ ଅନୁରୋଧ କରି ତାଙ୍କଦ୍ୱାରା ନପୁଂସକ ଅର୍ଜୁନଙ୍କର ନାରୀବେଶ ଓ ଆଭରଣ ଅଣାଇଛନ୍ତି । ତାହାକୁ ପିନ୍ଧି ସେ ନୃତ୍ୟମନ୍ଦିରରେ କୀଚକକୁ ଅପେକ୍ଷା କରିବସିଛନ୍ତି । ‘କୀଚକ ବଧ’ରେ ଭୀମ ସୈରିନ୍ଧ୍ରୀଙ୍କ ବେଶପୋଷାକରେ ନିଜକୁ ସଜ୍ଜିତ କରିବାର ବର୍ଣ୍ଣନା ରହିଛି । ତାଙ୍କୁ ସୈରିନ୍ଧ୍ରୀ ଭାବି ପ୍ରେମ ନିବଦେନ କରିଥିବା କୀଚକକୁ ସେ ‘ଈଷ୍ଟସ୍ମରଣ’ କରି କହି ବ୍ରଜମୁଷ୍ଟି ପ୍ରହାରରେ ଯମପୁରକୁ ପ୍ରେରଣ କରିଛନ୍ତି ।

 

ଷଷ୍ଠସର୍ଗରେ ସୈରିନ୍ଧ୍ରୀ ଗୋପନରେ କୀଚକ ସହିତ ପୁରପ୍ରାନ୍ତ ନୃତ୍ୟଘରେ ମିଳିତ ହେବେ ବୋଲି ଦୂତୀକୁ କଥା ଦେଇଛନ୍ତି । ସାରଳା ମହାଭାରତରେ ଦିନ କଣ ପାଇଁ ଶୀଘ୍ର ସରୁ ନାହିଁ ସେଥିପାଇଁ କୀଚକ ବ୍ୟସ୍ତ ହୋଇ ସୂର୍ଯ୍ୟ ଦେବତାଙ୍କୁ କ୍ରୋଧରେ ବହୁକଥା କହିଛନ୍ତି । ମାତ୍ର କୀଚକବଧରେ ସନ୍ଧ୍ୟାକାଳରେ କୀଚକ ନୃତ୍ୟ ନିକେତନକୁ ସଜାଇ ଅପେକ୍ଷା କରିବସିଛି । ପୂର୍ବରୁ ସେଠାରେ ଥିବା ଦ୍ରୌପଦୀ ବେଶୀ ଭୀମଙ୍କୁ ‘ପ୍ରାଣବାନ୍ଧବୀ‘ ସମ୍ବୋଧନ କରି ଭିଡ଼ି ଧରିଥିବା କୀଚକକୁ ଭୀମ ମଲ୍ଲଯୁଦ୍ଧରେ ବିନାଶ କରିଛନ୍ତି । ପରଦିନ ପ୍ରଭାତରେ ବିରାଟ ନୃତ୍ୟ ଗୃହରେ କୀଚକର ଶବ ଦେଖି ବିରାଟ ବିଚଳିତ ହୋଇଛନ୍ତି । ସେଠାରେ କବି ଗଂଗାଧର ଏଭଳି ବିଭତ୍ସ ରସର ସୃଷ୍ଟି କରିଛନ୍ତି ସତେ ଯେପରି ତାଙ୍କର ପାରମ୍ପରିକ ମୂଲ୍ୟବୋଧ ପିଣ୍ଡିତ କବିମନ କୀଚକର ମୃତ୍ୟୁରେ ମଧ୍ୟ ସନ୍ତୁଷ୍ଟ ହୋଇପାରି ନ ଥିଲା । (କୀଚକର ଜିଭ ଦାନ୍ତ ତଳେ ଚାପି ହୋଇ ବାହାରି ପଡ଼ିଛି ରକ୍ତଧାର ଉପରେ ମାଛି ବେଢ଼ିଛନ୍ତି ଭଳିବର୍ଣ୍ଣନା) କୀଚକର ମୃତ୍ୟୁ ଖବର ପାଇ ସେ ଅନେଶ୍ୱତ ଭ୍ରାତା ସୈରିନ୍ଧ୍ରି ବିନାଶ ପାଇଁ ଧାଇଁ ଆସିଛନ୍ତି । ଏହି ସମୟରେ ଭୀମ ଶରୀରରେ ହାଣ୍ଡିକଳା ବୋଳି ହୋଇ ଭୟଙ୍କର ବେଶରେ ପ୍ରବେଶ କରି ସେମାନଙ୍କୁ ବିନାଶ କରିଛି । ସମସ୍ତେ କୀଚକ ସହିତ ଶ୍ମଶାନ ଅଗ୍ନିରେ ଏକତ୍ରଦଗ୍‌ଧ ହୋଇଛନ୍ତି । କିନ୍ତୁ ଗନ୍ଧର୍ବମାନଙ୍କ ଭୟ କରି କେହି ସୈରିନ୍ଧ୍ରୀଙ୍କୁ କିଛି କହି ନାହାନ୍ତି । ଏଠାରେ ‘କୀଚକ ବଧ’ ଶେଷ ହୋଇଛି ।

 

ଖଣ୍ଡକାବ୍ୟ ଭାବରେ କୀଚକବଧର ସଫଳତା ଅବିସମ୍ବାଦିତ । ଏହି କାବ୍ୟରେ କୀଚକ ଖଳଚରିତ୍ର ବା ପ୍ରତିନାୟକ ଚରିତ୍ର ହେଲେ ହେଁ ତାହାର ଗୁରୁତ୍ୱ ହିଁ ଅଧିକ । ଏହି କାବ୍ୟରେ ତାହାର ‘ବଧ’ ହିଁ ‘ଖଳ’ ଉପରେ ‘ନ୍ୟାୟ’ର ବିଚୟ ଉଦ୍‌ଘୋଷିତ କରୁଛି । ବିରାଟରାଜା ରାଜଧର୍ମର ରକ୍ଷା କରିବା ପାଇଁ ସମର୍ଥ ନ ହେଉଥିବାରୁ କୀଟକ ଉପରେ ନିର୍ଭରଶୀଳ । ତେଣୁ ରାଜ୍ୟରେ ନାରୀର ସୁରକ୍ଷା ସମ୍ଭବ ହେଉନାହିଁ । ଯଦି ସେ ନାରୀ ସୈରିନ୍ଧ୍ରୀ ନ ହୋଇ ଅନ୍ୟ କେହି ଦାସୀ ହୋଇଥାଆନ୍ତେ ତେବେ କୀଚକର ଗତି ପ୍ରତିହତ ହେବା ସମ୍ଭବ ହୋଇ ନ ଥାନ୍ତା । ପୁଣି ଦୂତୀ ଓ ଚପଳାଭଳି ଦାସୀ କୀଚକକୁ ସାହାଯ୍ୟ କରିବାକୁ ଚାହିଁ ମଧ୍ୟ ସାଆନ୍ତଣୀ (ରାଣୀ)ଙ୍କୁ ତାହା ଲୁଚାଇବାକୁ ଚାହାନ୍ତି କାରଣ ସେମାନଙ୍କୁ ଦାନାପାଣି ରାଣୀ ହିଁ ଦେଇଥାଆନ୍ତି । ରାଣୀ ସୁଦେଷ୍ଣା ଭାଇଙ୍କ ପାଇଁ ବିବ୍ରତ । ସନ୍ତାନ କଥା ଗର୍ଭଧାରିଣୀ ଜାଣିପାରନ୍ତି । ସେହିଭଳି ଜ୍ୟେଷ୍ଠା ଭଗିନୀ ଜନନୀ ସଦୃଶ କନିଷ୍ଠ ଭ୍ରାତାଙ୍କ ମନ୍ଦକଥା ଜାଣିପାରିଛନ୍ତି ବୋଲି କବି କହନ୍ତି, ତଥାପି ରାଣୀ ଦ୍ରୌପଦୀଙ୍କ କହନ୍ତି ‘‘ମୁଁ ଯଥା ତଥା ତମ୍ଭେ ତାର ଭଗିନୀ’’ (ଗ୍ରନ୍ଥାବଳୀ- ପୃ- ୧୩୮) ଧାର୍ମିକକୁ ଧର୍ମ ସର୍ବଦା ରକ୍ଷା କରେ ଓ ପ୍ରଭୁ ସ୍ୱୟଂ ଧର୍ମରକ୍ଷକ । ତାହା ହିଁ ସୈରିନ୍ଧ୍ରୀଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ଏହି ଖଣ୍ଡକାବ୍ୟରେ ନାୟକ ଭାବରେ ଆମେ ଭୀମଙ୍କୁ ହିଁ ଗ୍ରହଣ କରିପାରିବ । ଯିଏ କି ଦ୍ରୌପଦୀଙ୍କ ଦୁଃଖକୁ ହୃଦୟଙ୍ଗମ କରି ପାରିଛନ୍ତି ଓ କୀଚକର ବିନାଶ କରିଛନ୍ତି । କପଟତାକୁ ସେ କପଟରେ ହିଁ ଦୃଢ଼ ପ୍ରତ୍ୟୁତ୍ତର ଦଇପାରିଛନ୍ତି ।

 

ଏଠାରେ ଗଙ୍ଗାଧରଙ୍କ ବର୍ଣ୍ଣନାବୈଚିତ୍ର୍ୟର କେତୋଟି ଉଦାହରଣ ଦେବା ଦରକାର । ଯହିଁରୁ ପାଠକ ତାଙ୍କର ସ୍ୱାତନ୍ତ୍ର୍ୟର ପରିଚୟ ପାଇଥାଏ । ପୁରାଣ ସଂପର୍କରେ ତାଙ୍କର ଗଭୀର ଜ୍ଞାନ ଥିଲା । ଯେଉଁଥିପାଇଁ ଚପଳା କଣ୍ଠରେ ସେ ପୁରାଣର ଅନେକ ଉଦାହରଣ ଦେଇ ସୈରିନ୍ଧ୍ରୀଙ୍କୁ ମନାଇଛନ୍ତି । ବିଷ୍ଣୁ ନିଜର ପ୍ରିୟା ଲକ୍ଷ୍ମୀଙ୍କୁ ଧନର ଅଧିକାର ଦେଇଛନ୍ତି । ପ୍ରମଦାର ଚିତ୍ତ ଧନୀକପ୍ରତି ଆକର୍ଷିତ ହୋଇଥାଏ । ତେଣୁ ବିଜୁଳି ଜଳପୂର୍ଣ୍ଣ ମେଘଆଡ଼କୁ ଆକର୍ଷିତ ହୁଏ । ସୁନ୍ଦରୀନାରୀ ପରାକ୍ରମଶାଳୀ ନରକୁ କାମନା କରେ । ସେଥିପାଇଁ ‘ପଣ କରି ସୀତା ଶ୍ରୀରାମେ ଅର୍ଜୁନେ ବାଛିଲେ ଦ୍ରୌପଦୀବାଳୀ’ । ସୁଦେଷ୍ଣା ପତିବ୍ରତା ଧର୍ମ ଜାଣନ୍ତି । ସେ କୁଳୀନା ରମଣୀ ମାତ୍ର ଚପଳା ଏକ ତୀରରେ ଏକାଧିକ ଶିକାର କରିଛି । ଏକ ପକ୍ଷରେ ସେ କୀଚକର ଶୁଭଦୃଷ୍ଟିରେ ରହିବାକୁ ଚାହେଁ । ସୁଦେଷ୍ଣାଙ୍କ ସରଳତାରୁ ସୁଯୋଗ ଦେବାକୁ ଚାହେଁ ଓ ସୈରିନ୍ଧ୍ରୀଙ୍କୁ ନିଜ କଥାରେ ସମ୍ମତ କରାଇବାକୁ ଚାହେଁ ।

 

ଅପମାନିତା ସୈରିନ୍ଧ୍ରୀ ଭୀମଙ୍କୁ ନିଦ୍ରାରୁ ଉଠାଇବା ପରେ ନିଜର ଦୁଃଖ ବର୍ଣ୍ଣନା କରିଛନ୍ତି-। ଗଙ୍ଗାଧରଙ୍କ ଭାଷାରେ-

 

‘‘କାହିଁକି ଚିହ୍ନିବ ନାଥ ! ଦାସୀ ଅଭାଗିନୀ, ସର୍ବତ୍ର ସତେ ସେ ତ ବିପଦ-ଭୋଗିନୀ

କମଳିନୀ କପାଳରେ ଆଣିଛି ଲେଖାଇ, ସନ୍ତତ ଦ୍ୱିରଜ, ପାଦେ ମନ୍ଥି ହେବା ପାଇଁ ।’’

(ଗ୍ରନ୍ଥାବଳୀ-ପୃ ୧୪୨)

 

ଦ୍ରୌପଦୀ ପଞ୍ଚପାଣ୍ଡବଙ୍କ ଘରଣୀ ହୋଇ ମଧ୍ୟ ଚିରକାଳ ଦୁଃଖିନୀ । ବିପଦ ତାଙ୍କର ଚିର ସହଚର । ଯେଉଁପରି ପଦ୍ମର-କପାଳ ଲିଖନ ହେଉଛି ସେ ବାରମ୍ବାର ହାତୀ ଖୋଜ ତଳେ ମନ୍ଥି ହେଉଥିବ ସେହିପରି ଦ୍ରୌପଦୀଙ୍କ କପାଳ ଲିଖନ ଯେ ସେ ବାରମ୍ବାର ବିପତ୍ତିର ସମ୍ମୁଖୀନ ହେଉଥିବେ । ସେହିପରି ପୁରନାରୀମେଳରେ ଯାଉଥିବା ଦ୍ରୌପଦୀଙ୍କୁ ଦେଖି କୀଚକର ଭାବନାରେ ଯଦି ବୃହସ୍ପତି ଓ ମଂଗଳଙ୍କ ଏକତ୍ର କିରଣରେ ଏହି ନାରୀ ନିର୍ମିତ । ଶନି ନୀଳବର୍ଣ୍ଣ, ବୃହସ୍ପତି ପୀତବର୍ଣ୍ଣ ଓ ମଂଗଳ ଓ ମଂଗଳଙ୍କ ଏକତ୍ର କିରଣରେ ଏହି ନାରୀ ନିର୍ମିତ । ଶନି ନୀଳବର୍ଣ୍ଣ, ବୃହସ୍ପତି ପୀତବର୍ଣ୍ଣ ଓ ମଂଗଳ ଲୋହିତ ବର୍ଣ୍ଣ ଭାବେ ଜ୍ୟୋତିଷ ଶାସ୍ତ୍ରରେ କଥିତ ଅଛି । ଏହି ବିଚାର ମଧ୍ୟରେ ଆମେ ଗଂଗାଧରଙ୍କର ଜ୍ୟୋତିଷ ଶାସ୍ତ୍ର ସଂପର୍କରେ ଜ୍ଞାନର ଆଭାସ ପାଇପାରିବା ।

 

‘କୀଚକ ବଧ’ର ପ୍ରକୃତିବର୍ଣ୍ଣନା ମଧ୍ୟ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ପ୍ରକୃତି ମଧ୍ୟରେ ମାନବିକତାର ଆରୋପ ଓ ପ୍ରକୃତିକୁ ରାତୀକାଳୀନ ବ୍ୟଭିଚାରୀ ଭାବରୁ ମୁକ୍ତ କରି ସ୍ୱାତନ୍ତ୍ର୍ୟ ପ୍ରଦାନ କରିବାରେ ସେ ଥିଲେ ଦକ୍ଷଶିଳ୍ପୀ । ପ୍ରାଚୀନ ଓ ମଧ୍ୟକାଳୀନ କାବ୍ୟ ଭଳି ‘‘ବଧ’’ ସଂଯୋଗରେ ଏହା ଖଳନାୟକର ମୃତ୍ୟୁରେ ଶେଷ ହୋଇଥିଲେ ମଧ୍ୟ ଏହା କବିଙ୍କର ଆଧୁନିକ ମାନସିକତାର ପରିଚାୟକ ।

 

 

ପ୍ରଫେସର, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ୱର

 

***

 

ତୁଳନାର ଭାବସାମ୍ୟରେ କବୀର ଓ ଗଙ୍ଗାଧର

ସୁଶୀଳ କୁମାର ବାଗ୍

 

ସାହିତ୍ୟ ଓ ଜୀବନକୁ ଏକ ଓ ଅଭିନ୍ନ ବୋଲି ମନେ କରୁଥିବା ସ୍ରଷ୍ଟା ପୃଥିବୀରେ ଏକାନ୍ତ ବିରଳ । ଖୁବ୍ କ୍ୱଚିତ୍ ସାହିତ୍ୟ ଶିଳ୍ପୀ ଅଛନ୍ତି ଯେଉଁମାନେ ଯେପରି ଜୀବନ ନିର୍ବାହ କରନ୍ତି ଠିକ୍‍ ସେହିପରି ସେମାନେ ସାହିତ୍ୟରେ ପ୍ରତିଫଳିତ ହୁଅନ୍ତି ପ୍ରଭାବଶାଳୀ ଭାବରେ । ସ୍ୱଭାବକବି ଗଙ୍ଗାଧର ମେହେର ସେହି ଦୃଷ୍ଟିରୁ ଜଣେ ଉଚ୍ଚକୋଟୀର ସାହିତ୍ୟ ସ୍ରଷ୍ଟା । ଭାରତ ବର୍ଷ ଓ ସମଗ୍ର ପୃଥିବୀରେ ଯେ କୌଣସି ସାହିତ୍ୟ ସ୍ରଷ୍ଟାଙ୍କ ସହିତ ସେ ତୁଳନୀୟ ହୋଇପାରିବେ । ଗଙ୍ଗାଧରଙ୍କ କାବ୍ୟଶିଳ୍ପ ଓ କାବ୍ୟଚେତନା ବହୁ ସାହିତ୍ୟ ସ୍ରଷ୍ଟଙ୍କ ସହିତ ତୁଳନୀୟ ହୋଇପାରିବ । ଗଙ୍ଗାଧରଙ୍କ କାବ୍ୟଶିଳ୍ପ ଓ କାବ୍ୟଚେତନାରେ ବହୁ ସାହିତ୍ୟ ସ୍ରଷ୍ଟାଙ୍କ ସାମଞ୍ଜସ୍ୟ ରହିଛି । ତେବେ ତାଙ୍କର ଜୀବନୀଦର୍ଶ ଓ ସାହିତ୍ୟାଦର୍ଶନର ସମାନତା ଭାରତର ମହାନ୍ ସନ୍ଥକବି କବୀରଙ୍କଠାରେ ବହୁ ପରିମାଣରେ ଲକ୍ଷ୍ୟ କରାଯାଇଛି । ଉଭୟ କବିଙ୍କ ଜୀବନୋପଲବ୍ଧି ଓ ସାହିତ୍ୟୋପଲବ୍‌ଧି ମଧ୍ୟରେ ଯେଉଁ ଅଭିନ୍ନତା ପରିଲକ୍ଷିତ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ।

 

ହିନ୍ଦୀ ସାହିତ୍ୟ ଓ ଭାରତୀୟ ସନ୍ଥ ପରମ୍ପରାରେ କବୀର ଅତ୍ୟନ୍ତ ପ୍ରସିଦ୍ଧ । ସ୍ୱଭାବ କବି ଗଙ୍ଗାଧର ମେହେର ଓଡ଼ିଶାର ପୁଲପଲ୍ଲୀରେ ପରିଚିତ ଏବଂ ଓଡ଼ିଶା ବାହାରେ ମଧ୍ୟ ଆଦୃଶ । ଗଙ୍ଗାଧର ମେହେର ଓ କବୀର ଉଭୟଙ୍କ ଜୀବନାଦର୍ଶ ଓ ସାହିତ୍ୟାଦର୍ଶ ମଧ୍ୟରେ କୌଣସି ପାର୍ଥକ୍ୟ ନଥିଲା । ସେମାନଙ୍କ ପାଇଁ ସାହିତ୍ୟ ପ୍ରତିଷ୍ଠା ଅର୍ଜନର ଏକ ମାଧ୍ୟମ ମାତ୍ର ନୁହେଁ । ଏକ ଫେସନ୍ ନୁହେଁ । ମଣିଷକୁ ଉତ୍ତରିତ କରିନେବାର ଏକ ମହତ୍ ପ୍ରୟାସ ତାହା । ତେଣୁ ଆଦର୍ଶ ଜୀବନର ଅଭିବ୍ୟକ୍ତି ହିଁ ଉଭୟ କବିଙ୍କ ସାହିତ୍ୟର ମୂଳକଥା । ଉଭୟଙ୍କ କାବ୍ୟକବିତାରେ ମାନବପ୍ରେମର ପବିତ୍ରତା, ଈଶ୍ୱର ଭକ୍ତିର ମହନୀୟତା, ଆଶା ଓ ବିଶ୍ୱାସର ଅନନ୍ୟ ଉପଲବ୍‌ଧି, କ୍ଷମାର ଅପୂର୍ବ ଆଲୋକ, ପରୋପକାର ଭାବରେ ଉଜ୍ୱଳ କିରଣ ଯେପରି ପ୍ରକାଶିତ ହୋଇଛି ସେହିପରି ଗୁରୁଶିଷ୍ୟ ସମ୍ପର୍କର ପବିତ୍ରତା, ଧୈର୍ଯ୍ୟର ଅକଳନ୍ତି ଶକ୍ତି, ବିନମ୍ର ଭାବର ମାଧୁର୍ଯ୍ୟ ସହିତ ସନ୍ଥଜନଙ୍କ ଜୀବନର ଦ୍ୟୁତି ଅତ୍ୟନ୍ତ ସାର୍ଥକଭାବରେ ରୂପ ଲାଭ କରିଛି । ଉଭୟ କବିଙ୍କ ସାହିତ୍ୟରେ ଉଚ୍ଚତର ଜୀବନର ସନ୍ଦେଶ ଶକ୍ତିଶାଳୀ ଭାବରେ ଲିପିବଦ୍ଧ ।

 

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ‘ତପସ୍ୱିନୀ’, ‘ପ୍ରଣୟବଲ୍ଲରୀ’, ‘ଅର୍ଘ୍ୟଥାଳୀ, ‘ଇନ୍ଦୁମତୀ’, ‘ରସ ରତ୍ନାକର’, ‘ଅଯୋଧ୍ୟା ଦୃଶ୍ୟ’, ‘ଅହଲ୍ୟାସ୍ତବ’, ‘ମହିମା’, ‘କବିତା କଲ୍ଲୋଳ’, ‘ପ୍ରଭୃତି କାବ୍ୟକବିତା ପାଠକ ପ୍ରାଣକୁ ସ୍ପର୍ଶ କରେ ଗଭୀର ଭାବେ । ପୁଣି କବିଙ୍କ ବ୍ୟକ୍ତିତ୍ୱ ତତ୍‌କାଳୀନ ବହୁ କବି, ଲେଖକ, ସତ୍‌ମଣିଷଙ୍କ ସୁଦୃଷ୍ଟ ଆକର୍ଷଣ କରିପାରିଥିଲା ।

 

ସେହିପରି ଭାରତୀୟ ସନ୍ଥ ପରମ୍ପରାରେ ଯେଉଁ କେତେଜଣ ମହାତ୍ମା ସତ୍ୟର ନିରାଜନା କରିବା ପାଇଁ ଆପଣାକୁ ସମର୍ପିତ କରିଥିଲେ ସେମାନଙ୍କ ମଧ୍ୟରୁ ସନ୍ଥ କବୀର ଦାସ ଅନ୍ୟତମ । ସତ୍ୟ, ଶିବ ଓ ସୁନ୍ଦରର ଆରାଧନା ପାଇଁ କବୀରଙ୍କ ଜୀବନ ଥିଲା ଉତ୍ସର୍ଗୀକୃତ । ତାଙ୍କ ରଚିତ ‘ଦୋହୀ’ ‘ଭଜନମାଳା’, ‘ରୁମିନୀ’, ‘ସାଖୀ’ଗୁଡ଼ିକ ସାମାଜିକ ଜୀବନରେ ଗଭୀର ପ୍ରଭାବ ପକାଇ ପାରିଥିଲା । ଜଣେ ସାଧୁ ଓ ସତ୍‍ଚରିତ ପୁରୁଷ ଭାବେ ସେ ସାଧାରଣ ଜନତାଙ୍କ ସ୍ୱତନ୍ତ୍ର ଶ୍ରଦ୍ଧା ଓ ଭକ୍ତି ଲାଭ କରୁଥିଲେ ।

 

ବାଲ୍ୟକାଳରୁ କବୀର ନିର୍ଗୁଣବାଦୀ ନାଥପନ୍ଥୀ ଯୋଗୀମାନଙ୍କ ଆଦର୍ଶରେ ପ୍ରଭାବିତ ହୋଇଥିଲେ । ଏହି ମହାନ୍ ସାଧୁଙ୍କ ଜନ୍ମ ଓ ଜୀବନ ବୃତ୍ତାନ୍ତକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଏ-। ତେବେ ବିଭିନ୍ନ ଆଲୋଚକଙ୍କ ମତ ଓ ତଥ୍ୟକୁ ବିଶ୍ଲେଷଣ କଲେ ଆମେ ଏହି ଏିଷ୍କର୍ଷରେ ଉପନୀତ ହେବା ଯେ, କବୀରଙ୍କ ଜନ୍ମ ୧୪୫୫ ସାଲରୁ ୧୪୫୬ ସାଲ ମଧ୍ୟରେ ହୋଇଥିଲା । ଏପର୍ଯ୍ୟନ୍ତ କବୀରଙ୍କ ଜନ୍ମ ଓ ମୃତ୍ୟୁ ସମ୍ପର୍କରେ ସମାଲୋଚକମାନେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ମତରେ ପହଞ୍ଚି ପାରିନାହାନ୍ତି । ସେ ହିନ୍ଦୁ ନା ମୁସଲମାନ ଧର୍ମ ଗ୍ରହଣ କରିଥିଲେ ସେ ସମ୍ପର୍କରେ ମଧ୍ୟ ମତପାର୍ଥକ୍ୟ ରହିଛି । ତାଙ୍କର ଜନ୍ମ ମୃତ୍ୟୁ କେବେ, ବା ସେ କେଉଁ ଧର୍ମ ବା ସମ୍ପ୍ରଦାୟର- ସେ ସମ୍ପର୍କରେ ବିବାଦ ସୃଷ୍ଟି କରିବା ଅପେକ୍ଷା କବୀରଙ୍କ ସାରସ୍ୱତ କୃତି ସମ୍ପର୍କରେ ଆଲୋଚନା କରିବା ଅଧିକ ସମୀଚୀନ ହେବ । କବୀରଙ୍କ ପାଳିତ ନୀରୁ ଓ ନୀମା ଥିଲେ ଅତି ଗରିବ । ଦାରିଦ୍ର୍ୟ ହେତୁ ସେମାନେ କବୀରଙ୍କୁ ପାଠ ପଢ଼ାଇବାକୁ ସକ୍ଷମ ହୋଇ ନଥିଲେ । ନିଜର ମନନ ଓ ଗଭୀର ଅଧ୍ୟବସାୟ ବଳରେ ସେ ଜ୍ଞାନ ଲାଭ କରିଥିଲେ । ଗଭୀର ନିଷ୍ଠା ଓ ସାଧନା ବଳରେ ସେ ଅପୂର୍ବ କବିତ୍ୱ ଲାଭ କରିଥିଲେ । ସେ ହିନ୍ଦୁ ସନ୍ନ୍ୟାସୀ ଓ ମୁସଲମାନ ଫକୀରମାନଙ୍କ ସହିତ ବିଭିନ୍ନ ତାତ୍ତ୍ୱିକ ଆଲୋଚନା କରୁଥିଲେ । ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ସେ ସମାନ ଦୃଷ୍ଟିରେ ଦେଖୁଥିଲେ । ସାଂସାରିକ ମୋହମାୟା ତାଙ୍କୁ ବାନ୍ଧି ରଖିପାରି ନଥିଲା । କବୀରଙ୍କ ଜନ୍ମ ଯେଉଁଠି, ଯେବେ ହୋଇଥାଉ ନା କାହିଁକି ସେ ତନ୍ତୀ ପରିବାର ଭିତରେ ପାଳିତ ଓ ବିକଶିତ ହୋଇଥିଲେ । ବାପାଙ୍କୁ ଲୁଗାବୁଣାରେ ସହଯୋଗ କରୁଥିଲେ । ପରିବାର ପ୍ରତିପୋଷଣ ପାଇଁ ଲୁଗା ବୁଣି ବଜାରକୁ ବିକ୍ରୀ କରିବାକୁ ଯାଉଥିଲେ । ବସ୍ତ୍ରବୟନ କରି ଜୀବିକାନିର୍ବାହ କରିବା ବେଳେ ତାଙ୍କ ଅନ୍ତରାତ୍ମା ଆସ୍ପୃହା ପ୍ରକାଶିତ ହୋଇଉଠୁଥିଲା ।

 

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଏକ ତନ୍ତୀ (ଭୁଲିଆ) ପରିବାରରେ ହୋଇଥିଲା ୧୮୬୨ ମସିହା ଅଗଷ୍ଟ ୯ ତାରିଖରେ । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ମଧ୍ୟ ନୈସର୍ଗିକ ପ୍ରତିଭା ବଳରେ ସେ କାବ୍ୟକବିତା ରଚନାରେ ଅଲୌକିକ ଶକ୍ତି ଲାଭ କରିଥିଲେ । ନିଜସ୍ୱ ଅଧ୍ୟବସାୟ ବଳରେ ତାଙ୍କର ଜ୍ଞାନର ସୀମା ପ୍ରସାରିତ ହୋଇଥିଲା ।

 

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ଜାତିକୁ ଏକ ବୋଲି ଜ୍ଞାନ କରୁଥିଲେ । କବୀର ଓ ଗଙ୍ଗାଧର । ମଣିଷର ନିଷ୍କପଟ ସମର୍ପଣକୁ ପ୍ରାଧାନ୍ୟ ଦେଇଥିବାରୁ ସବୁ ଧର୍ମମାର୍ଗ କବୀରଙ୍କ ପାଇଁ ଏକାନ୍ତ ବରଣୀୟ ହୋଇଥିଲା । କବୀରଙ୍କ କବି ହେବାର ବାସନା ନଥିଲା । ସେଥିପାଇଁ ସେ ନିଜ ଭାବନାକୁ ଲିପିବଦ୍ଧ କରି ରଖିବାରେ ମଧ୍ୟ ଆଦୌ ପ୍ରୟାସୀ ନଥିଲେ । ବିଶିଷ୍ଟ ସମାଲୋଚକ ପାରସନାଥ ତିୱାରୀ କବୀରଙ୍କ ବ୍ୟକ୍ତିତ୍ୱର ଏହି ଦିଗ ଉପରେ ଆଲୋକପାତ କରି କହିଛନ୍ତି ଯେ, ‘‘କବୀର ସାହେବ ନିଜେ ପୋଥି ପତ୍ରରେ ପତ୍ରରେ ବିଶ୍ୱାସ କରୁ ନଥିବାରୁ ସେ ତାଙ୍କର ରଚନାବଳୀ ଲେଖାଲେଖି କରି ରଖୁନଥିଲେ ବା ତାଙ୍କ ବାଣୀମାନେ ତାଙ୍କ ଜାଣନ୍ତରେ ଲେଖି କରି ରଖିବାକୁ କେହି ସାହସ କରୁ ନଥିଲେ ।’’ କବୀର ଥିଲେ ତଥାକଥିତ ସାହିତ୍ୟ ପ୍ରତି ଅନାଗ୍ରହୀ । ସେହିପରି ଜଣେ ଭିନ୍ନ ଅନୁଭବର ସ୍ରଷ୍ଟା । କବୀରଙ୍କ କବିତା ତାଙ୍କ ବ୍ୟକ୍ତିତ୍ୱର ଶକ୍ତିରେ ଅଗ୍ନିଯୁକ୍ତ ହୋଇପାରିଛି । ପାରମ୍ପରିକ ଢଙ୍ଗରେ କାବ୍ୟଶାସ୍ତ୍ର ସେ ଅଧ୍ୟୟନ କରି ନଥିଲେ କି ଅଳଙ୍କାର ଶାସ୍ତ୍ର ଉପରେ ଗୁରୁତ୍ୱ ଦେଉନଥିଲେ । କିନ୍ତୁ କାବ୍ୟ ପାଇଁ ଆବଶ୍ୟକ ଅର୍ନ୍ତଶକ୍ତି ଓ ପ୍ରତିଭା ତାଙ୍କର ହୃଦୟ ଅଭ୍ୟନ୍ତରରେ ବିଦ୍ୟମାନ ଥିଲା ।

 

କବୀରଙ୍କ ସାହିତ୍ୟ ହୃଦୟର ଅକୃତ୍ରିମ ଅଭିବ୍ୟକ୍ତି । ତେଣୁ ସାହିତ୍ୟ କହିଲେ କବୀର ଅଳଙ୍କାର ସଂଯୋଜନାକୁ, ପାଣ୍ଡିତ୍ୟ ପ୍ରଦର୍ଶନକୁ କିମ୍ବା ତୁଚ୍ଛ ଶସ୍ତା ମନୋରଞ୍ଜନକୁ ବୁଝି ନ ଥିଲେ । ତାଙ୍କ ପାଇଁ ସାହିତ୍ୟ ଥିଲା ହୃଦୟକୁ ଉନ୍ମୋଚନ କରିଦେଉଥିବା ଏକ ପ୍ରେରଣା, ଏକ ଅଗ୍ନିସ୍ଫୁଲିଙ୍ଗ । ସେଥିପାଇଁ ସାହିତ୍ୟିକ ହେବା ନିମିତ୍ତ ପ୍ରୟାସ କରି ନଥିବାରୁ ହିଁ ସେ ହୋଇଛନ୍ତି ନୂତନ ଯୁଗର ଅଭିନବ ସାହିତ୍ୟ ସ୍ରଷ୍ଟା, ଯିଏ କି ବୁଝିଥିଲେ ସାହିତ୍ୟ ମଣିଷର ଅନ୍ତରକୁ ଓ ସମାଜକୁ ବଦଳାଇ ଦେଉଥିବାର ଇନ୍ଧନ ବୋଲି । ଯାହା ମଣିଷ ଭିତରେ ନିଆଁ ଜାଳି ଦେଇପାରେ ନାହିଁ, ଯାହା ମଣିଷକୁ ସବୁ ଅମନୁଷ୍ୟତାରୁ ଉତ୍ତୀର୍ଣ୍ଣ କରିଦିଏ ନାହିଁ, ଯାହା ମାନବ ମନରେ ଜଗତ ଓ ଜୀବନ ଭିନ୍ନ ହେଉ ବୋଲି ଉଦ୍‌ବୋଧନ ସୃଷ୍ଟି କରିପାରେ ନାହିଁ ତାହାକୁ ସାହିତ୍ୟ ବୋଲି ନିଜ ଅନ୍ତର ମଧ୍ୟରେ କବୀର ଅବଧାରଣା କରିପାରି ନଥିଲେ ନିଶ୍ଚୟ ।

 

କବୀରଙ୍କ ଏହି ତେଜୋଦୀପ୍ତ ସାହିତ୍ୟବୋଧକୁ ଦୃଷ୍ଟି ସମକ୍ଷରେ ରଖି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଧାରଣାକୁ ସମୀକ୍ଷା କଲେ ବାହ୍ୟତଃ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଥିବାର ଉପଲବ୍‌ଧି କରିହୁଏ । ଗଙ୍ଗାଧର ସଂସ୍କୃତ କାବ୍ୟାଦର୍ଶ ସମ୍ପର୍କରେ ସବିଶେଷ ଜ୍ଞାନ ଆହରଣ କରିଥିଲେ । ଶୃଙ୍ଗାରିଚେତ କବିଃ-ଆଦର୍ଶରେ ସେ କାବ୍ୟ ରଚନାରେ ଶୁଭାରମ୍ଭ କରିଥିଲେ । ତାଙ୍କ ପ୍ରଥମ କାବ୍ୟ ‘ରସରତ୍ନାକର’ ଶୃଙ୍ଗାର ରସାଶ୍ରିତ । ପରବର୍ତ୍ତୀ ସମୟରେ ମଧ୍ୟ ଯେଉଁ କାବ୍ୟ ସବୁ ସେ ପ୍ରଣୟନ କରିଛନ୍ତି ସେ ସବୁରେ ଶାସ୍ତ୍ରାନୁମୋଦିତ ଭାବଭଙ୍ଗୀ ପ୍ରକାଶିତ ହୋଇଛି । ତତ୍‌ସମ ଶବ୍ଦ ସମ୍ଭାର, ବିଭିନ୍ନ ଅଳଙ୍କାରର ପ୍ରୟୋଗ, ପୌରାଣିକ ଚରିତ୍ରାବଳୀର ଚିତ୍ରଣ ତାଙ୍କ କାବ୍ୟକୁ କରିଛି ବହୁ ଭାବରେ ଋଦ୍ଧିମନ୍ତ । ସଂସ୍କୃତ ମହାକାବ୍ୟ, କାବ୍ୟ, ପୁରାଣ, ଓଡ଼ିଆ ରୀତିଯୁଗର ସାହିତ୍ୟ ସମ୍ଭାର ପ୍ରତି ବିଶେଷ ଭାବରେ ଉନ୍ମୁଖ ଥିଲେ । ସବୁଠାରୁ ଉଲ୍ଲେଖନୀୟ ବିଷୟ ଏହି ଯେ, କବି ହେବା ପାଇଁ ତାଙ୍କ ମନରେ ଶକ୍ତିଶାଳୀ ବାସନା ଜାଗ୍ରତ ହୋଇଥିଲା ।

 

ଏଇ ସବୁ ସତ୍ତ୍ୱେ କବୀର ଓ ଗଙ୍ଗାଧରଙ୍କ ଚେତନାର ଯେଉଁ ସୂକ୍ଷ୍ମ ସାମଞ୍ଜସ୍ୟ ବିଦ୍ୟମାନ ତାହା ପ୍ରକୃତରେ ଅନୁଭବର ବିଷୟ । ଗଙ୍ଗାଧର ଶାସ୍ତ୍ର ପଢ଼ିଥାଇ ପାରନ୍ତି, ଅଳଙ୍କାର ବହୁଳ ପ୍ରୟୋଗ କରିଥାଇ ପାରନ୍ତି, ବିଭିନ୍ନ ଛନ୍ଦରେ ଓ ରାଗରାଗିଣୀରେ କବିତା ରଚନା କରିଥାଇ ପାରନ୍ତି କିନ୍ତୁ ସେ ନିଜ ସ୍ୱଭାବରେ ଥିଲେ ଅକୃତ୍ରିମ ହୃଦୟର ଅଧିକାରୀ । ସେଥିପାଇଁ ଅଳଙ୍କାର ଓ ରାଗରାଗିଣୀଯୁକ୍ତ ତାଙ୍କର କାବ୍ୟକବିତା ଓଡ଼ିଶାର ପୁରପଲ୍ଲୀରେ ଅତ୍ୟନ୍ତ ପ୍ରିୟ ହୋଇପାରିଛି । ସାହିତ୍ୟ ସାଧନା ପାଇଁ ଅତ୍ୟନ୍ତ ସଚେତନ ଭାବେ ଲେଖନୀ ଚାଳନା କରୁଥିଲେ ମଧ୍ୟ ମାନବାତ୍ମାର ଉତ୍ତରଣ ଥିଲା ସେଇ କାବ୍ୟ ସାଧନାର ଆଭିମୁଖ୍ୟ । ଯେଉଁ ଭାବ ବା ଅନୁଭବ ମଣିଷ ଅନ୍ତରର ସତ୍ୟକୁ ଉନ୍ମୋଚିତ କରିଦେଇପାରେ, ତାହାକୁ ହିଁ ସେ ଉଚ୍ଚକୋଟୀର ସାହିତ୍ୟ ବୋଲି ବିଚାର କରିଥିବା ଜଣାଯାଏ । ଅତ୍ୟନ୍ତ ସଚେତନ ଭାବରେ ଗଙ୍ଗାଧର ନିରବଚ୍ଛିନ୍ନ ଭାବେ ସାହିତ୍ୟ ସାଧନାରେ ଅଭିନିବିଷ୍ଟ ରହିଥିଲେ ମଧ୍ୟ ତାଙ୍କ ସାହିତ୍ୟ ଲେଖାର ଉଦ୍ଦେଶ୍ୟ ଥିଲା ସଙ୍କୀର୍ଣ୍ଣ ମାନବ ମନକୁ ପ୍ରସାରିତ କରିଦେବା, କୃତ୍ରିମ ଆବରଣରୁ ମଣିଷକୁ ସମ୍ପୂର୍ଣ୍ଣ ମୁକ୍ତ କରିଦେବା, ହିଂସା ଅହଙ୍କାରର ପ୍ରମତ୍ତତାଠାରୁ ମଣିଷକୁ ମୁକୁଳାଇ ତାକୁ ଅନ୍ତମୁର୍ଖୀ କରିଦେବା । ଏହି ଦୃଷ୍ଟିରୁ କବୀର ଓ ଗଙ୍ଗାଧରଙ୍କ ମଧ୍ୟରେ ସାମାନ୍ୟ ଅତ୍ୟନ୍ତ ଗଭୀର ଓ ସୂକ୍ଷ୍ମଭାବର ବିଷୟ ବୋଲି ହୃଦ୍‌ବୋଧ କରିହୁଏ ।

 

ଗଙ୍ଗାଧରଙ୍କ ସାହିତ୍ୟବୋଧ ଥିଲା ଅତି ମାର୍ମିକ । କବୀର ଓ ଗଙ୍ଗାଧର ଉଭୟେ ଥିଲେ ପ୍ରଥମେ ଜଣେ ଜଣେ ଅନୁଭବଦୀପ୍ତ ସତ୍‌ମଣିଷ । ନିଜ ହୃଦୟର ଅନାବିଳ ଅନୁରାଗ ଦେଇ ସେମାନେ ଜୀବନକୁ ପର୍ଯ୍ୟବେକ୍ଷଣ କରିଛନ୍ତି । କବୀର ଶାସ୍ତ୍ର ନପଢ଼ି ଯେଉଁ ପ୍ରେରଣା ଲାଭ କରିଛନ୍ତି ଗଙ୍ଗାଧର ଶାସ୍ତ୍ରଧ୍ୟୟନ କରି ମଧ୍ୟ ସେ ପ୍ରେରଣାରେ ପୁଷ୍ଟ ହୋଇଛନ୍ତି ।

 

କବୀର ଓ ଗଙ୍ଗାଧର ଉଭୟେ ହିଁ ସାହିତ୍ୟ କହିଲେ ଆଳଙ୍କାରିକତାକୁ କିମ୍ୱା ମନୋରଞ୍ଜନକୁ ବୁଝି ନାହାନ୍ତି । ସାହିତ୍ୟ ମଣିଷକୁ ପରିବର୍ତ୍ତିତ, ଉତ୍ତରିତ କରିଦେବାର ଏକ ମାଧ୍ୟମ ବୋଲି ସେମାନେ ଗଭୀର ଭାବରେ ବିଶ୍ୱାସ କରିଛନ୍ତି । ଉଭୟେ ମିଥ୍ୟା ଯଶ ଲାଳସାଠାରୁ ଉର୍ଦ୍ଧ୍ୱରେ ।

 

କବୀର ପୋଥି ପତ୍ର ଲେଖା ପଢ଼ାକୁ ଗୁରୁତ୍ୱ ନଦେଇ ଜୀବନର ଯେଉଁ ସତ୍ୟ ଉପରେ ଗୁରୁତ୍ୱାରୋପ ଦେଇଛନ୍ତି, ଗଙ୍ଗାଧର ନିରବଚ୍ଛିନ୍ନ ଭାବରେ ସାଧନା ନିମଗ୍ନ ରହି ସେହି ସାରସତ୍ୟକୁ ହିଁ ସାହିତ୍ୟରେ ଅଭିବ୍ୟକ୍ତି ଦେଇଛନ୍ତି । କବୀର ଓ ଗଙ୍ଗାଧରଙ୍କ ସାହିତ୍ୟ ସମ୍ପର୍କିତ ଧାରଣା ଓ ବିଶ୍ୱାସ ମାନବୀୟ ଉତ୍କର୍ଷ ସାଧନ ପାଇଁ ଉଦ୍ଦିଷ୍ଟ ଥିବାରୁ ତାହା ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଶକ୍ତିଶାଳୀ ପ୍ରେରଣାର ବିଷୟ ହୋଇ ରହିଛି ।

 

ଯିଏ ଦୁଃଖକୁ ବରଣ କରିପାରେ ନିରଭିମାନ ଭାବରେ ସିଏ ହିଁ ପ୍ରେମର ଯୋଗ୍ୟ । ସୁଖାଭିଳାଷୀ ମଣିଷ ପ୍ରେମର ବେଦନାକୁ ହୃଦୟରେ ଧାରଣା କରି ରଖିବା କି କଷ୍ଟକର ତାହା ମହାନ୍ ଶିଳ୍ପୀମାନେ ଯଥାର୍ଥ ଭାବେ ଅନୁଭବ କରିଛନ୍ତି । ସୁଖଭୋଗ, ବିଳାସ ବ୍ୟସନ ପ୍ରାପ୍ତିର ତୃପ୍ତିରେ ପ୍ରେମ ସାର୍ଥକ ହୁଏ ନାହିଁ । ତ୍ୟାଗ, ଉତ୍ସର୍ଗୀକୃତ ଚେତନା ଓ ସୂକ୍ଷ୍ମତର ଉପଲବ୍ଧିରେ ଏହାର ସାର୍ଥକତା ସନ୍ନହିତ । ପୃଥିବୀର ମହାନ୍ ସାହିତ୍ୟ ସ୍ରଷ୍ଟାମାନେ ଯେପରି ହୃଦୟସ୍ପର୍ଶୀ ଭାବରେ ପ୍ରେମର ଆବେଗ ଅନୁଭୂତିକୁ ତୀବ୍ର ଭାବାବେଗ ସଂଯୋଗରେ ରୂପାୟିତ କରିଛନ୍ତି ତାହା ବାସ୍ତବରେ ଅବର୍ଣ୍ଣନୀୟ । ସନ୍ଥ କବୀର ଓ ଗଙ୍ଗାଧର ଉଭୟେ ସେହିପରି ଜଣେ ଜଣେ ଅତି ମାର୍ମିକ ସାହିତ୍ୟ ସ୍ରଷ୍ଟା । ଏହି ସ୍ରଷ୍ଟାଦ୍ୱୟ ନିଜସ୍ୱ କବିତାରେ ମନୁଷ୍ୟ ଜୀବନର ମହତ ଉପଲବ୍‌ଧି ଯେପରି ଚିତ୍ରଣ କରିଛନ୍ତି ତାହା ଏକାନ୍ତ ଅନ୍ତର୍ଭେଦୀ ହୋଇପାରିଛି । କବୀର କହିଛନ୍ତି:-

 

ୟହ ତୋ ବାର ହୈ ପ୍ରେମ କା ଖାଲା କା ବାର ନାହିଂ ।

ସସୀ ଉତ୍ତାର ଭୂଇଁ ଧରୈ ତବ ଠୌଠେ ଘର ନାହିଁ ।

 

ପ୍ରେମ ଏପରି ଏକ ଫସଲ ନୁହେଁ, ଯାହାକୁ କ୍ଷେତରେ ଉତ୍ପାଦନ କରାଯାଇ ପାରିବ ନାହିଁ କିମ୍ୱା ଏପରି ଏକ ବସ୍ତୁ ନୁହେଁ ଯାହା ବଜାରରେ ବିକ୍ରି କରାଯାଇପାରେ କି କେହି ତାକୁ କ୍ରୟ କରିପାରିବ ।

 

ଆତ୍ମ ବଳିଦାନ ଦେବା ପାଇଁ ଯେଉଁମାନେ ପ୍ରସ୍ତୁତ ନୁହନ୍ତି ସେମାନେ ପ୍ରେମୋପଲବ୍‌ଧିରୁ କେତେ ଯୋଜନ ଦୂରରେ ତାହା କବୀର ଯଥାର୍ଥ ଭାବରେ ନିଜ ଭାଷାରେ ଚିତ୍ରଣ କରିଛନ୍ତି ।

 

ଜା ଘଟ ପ୍ରେମ ନ ସଂଚରୈ ସେ ଘଟ ଜାନ ସମାନ ।

ଜୈସେ ଖାଲ ଲୋହାର କୀ ସାଁସ ଲେତ ବିନୁ ପ୍ରାନ ।

 

ଯେଉଁ ହୃଦୟରେ ପ୍ରେମର ମହନୀୟ ଭାବ ଉକୁଟି ନ ଉଠେ ସେଭଳି ମଣିଷର ହୃଦୟ ଓ ଶରୀରକୁ ଶୁଷ୍କ ଶ୍ମଶାନ ସହିତ ତୁଳନା କରିଛନ୍ତି ସେ । ପ୍ରାଣ ନଥାଇ ଶ୍ୱାସ ପ୍ରଶ୍ୱାସ କେବଳ ପ୍ରବାହିତ ହେଉଥିବା ଜଡ଼, ନିଷ୍ପ୍ରାଣ ଜୀବନଟିଏ ତାହା । ଯେପରି କମାରଶାଳା ଭାତି ପରି ବୋଲି କବୀର କହିଛନ୍ତି ।

 

ପୁଣି କବୀର କହୁଛନ୍ତି:-

ପୋଥି ପଢ଼ ପଢ଼ ଜଗ ମୋଆ ପଣ୍ଡିତ ଭୟା ନ କୋୟା

ଢାଇ ଆଖର ପ୍ରେମ ପଢ଼େ ସୋ ପଣ୍ଡିତ ହୋୟା

 

ସ୍ୱଭାବ କବି ଗଙ୍ଗାଧର ମେହେର, କବୀର ବର୍ଣ୍ଣନା କରିଥିବା ଏହି ଚିରନ୍ତନ ସତ୍ୟକୁ ପୂର୍ଣ୍ଣପ୍ରାଣରେ ଅନୁଭବ କରିଥିଲେ । କବୀର ପ୍ରେମର ଯେଉଁ ଦର୍ଶନ ନିଜସ୍ୱ ବଚନରେ ଫୁଟାଇ ଦେଇଥିଲେ ସେହି ଗଭୀରତର ଅନୁଭୂତି ଉପରେ ହିଁ ମେହେର କାବ୍ୟର ମୁଖ୍ୟ ଚରିତ୍ର ସବୁ ପ୍ରତିଷ୍ଠିତ ହୋଇଛନ୍ତି । ଗଙ୍ଗାଧରଙ୍କ ‘ତପସ୍ୱିନୀ’ ‘ପ୍ରଣୟ ବଲ୍ଲରୀ’ ପରି ଶ୍ରେଷ୍ଠ କାବ୍ୟରେ ଚିତ୍ରିତ ମଧ୍ୟରେ ଏହି ମହନୀୟ ପ୍ରେମାନୁଭବର ସ୍ପୁରଣ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ରାମଚନ୍ଦ୍ର, ସୀତା, ଦୁଷ୍ମନ୍ତ, ଶକୁନ୍ତଳା ପ୍ରଭୃତି ପାରସ୍ପରିକ ଅନୁରକ୍ତିର ଯେଉଁ ଔଜ୍ଜ୍ୱଲ୍ୟ ଫୁଟି ଉଠିଛି ତାହା ବାସ୍ତବିକ ଓଡ଼ିଆ ସାହିତ୍ୟ ଓ ଭାରତୀୟ ସାହିତ୍ୟ ଜଗତରେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବୋଲି ସମାଲୋଚନାମାନଙ୍କ ଦ୍ୱାରା ସ୍ୱୀକୃତ । ତପସ୍ୱିନୀର ରାମଚନ୍ଦ୍ର ଓ ସୀତା ଘଟଣାକ୍ରମେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଲୋକାପବାଦ ହେତୁ ରାମଚନ୍ଦ୍ରଙ୍କୁ ନିଷ୍ଠୁର ପଦକ୍ଷେପ ନେବାକୁ ପଡ଼ିଛି ସୀତା ନିର୍ବାସନ ପାଇଁ । ରାମଚନ୍ଦ୍ରଙ୍କୁ ଏ ନିଷ୍ପତ୍ତି ସୀତାଙ୍କ ହୃଦୟରୁ ରାମ ପ୍ରୀତିର ସବୁ ପ୍ରଲେପ ପୋଛି ଦେଇ ଥାଆନ୍ତା, ଯଦି ସୀତା ପ୍ରକୃତରେ ପ୍ରେମିକାର ହୃଦୟ ଧାରଣା କରି ନଥାନ୍ତେ । ବାଲ୍ମୀକି ଆଶ୍ରମରେ ରହି ସେ ତଥାପି ରାମଚନ୍ଦ୍ରଙ୍କୁ ଯେପରି ହୃଦୟର ଗଭୀରତମ ପ୍ରଦେଶରେ ନିତ୍ୟ ସ୍ମରଣ କରିଛନ୍ତି ତାହା ତାଙ୍କ ଅନାବିଳ ସ୍ୱଚ୍ଛ ଅନୁରାଗର ବଳିଷ୍ଠ ସଙ୍କେତ । ‘ତପସ୍ୱିନୀ’ର ମୁଖବନ୍ଧରେ ଗଙ୍ଗାଧର ମେହେର କହିଛନ୍ତି- ‘‘ସୀତା ମିଥ୍ୟାପବାଦରେ ସ୍ୱାମୀ କର୍ତ୍ତୃକ ପରିତ୍ୟକ୍ତା ହୋଇଥିଲେ ହେଁ ସ୍ୱାମୀଙ୍କ ହୃଦୟର ପ୍ରେମ ବୁଝି ପାରିଥିଲେ । ସୀତା ଓ ରାମଚନ୍ଦ୍ର ଦୁଇଟି ଭିନ୍ନ ସତ୍ତା ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରାଣ ଥିଲା ଏକ ତଥା ଅଭିନ୍ନ । ସେଥିପାଇଁ ରାମଚନ୍ଦ୍ର ତାରା ବୃନ୍ଦଙ୍କ ମାଧ୍ୟମରେ ହୃଦୟ ସଙ୍ଗମରେ ସନ୍ଦେଶରେ ପଠାଇଛନ୍ତି ସୀତାଙ୍କ ନିକଟକୁ । ମନର ସମ୍ପର୍କ ଭଙ୍ଗ ହୋଇ ନଥିଲେ ତାହା ହିଁ ଆନନ୍ଦ ଦାୟକ ବୋଲି ଗଣନା କରିଛନ୍ତି । ଗଙ୍ଗାଧରଙ୍କ ଭାଷାରେ-

 

ସ୍ଥୂଳ କଳେବର            ନୁହଇ ଅମର

ଅମର କେବଳ ମନ,

ମନ ଯେବେ ସଙ୍ଗ            ହୋଇ ନାହିଁ ଭଙ୍ଗ

ସେହି ସୁଖସୁଖେ ଗଣ୍ୟ ।

(ତପସ୍ୱିନୀ)

 

ସନ୍ଥ କବୀର ଦୁଇଟି ପ୍ରାଣ ଏକତ୍ୱ ଏଇଭଳି ଭାବରେ ଅନୁଭବ କରିଥିଲେ । ସେ କହିଛନ୍ତି:

 

-‘‘ଅପନେ ଜିୟସେ ଜାନି ଏ ମେରେ ଜୟ କୀ ବାତ ।’’

 

ପ୍ରେମିକପ୍ରେମିକାଙ୍କ ମନୋଭାବ ପର୍ଯ୍ୟବେକ୍ଷଣ କରିବାରେ ଉଚ୍ଚକୋଟୀର ସବୁ ସାହିତ୍ୟ ଶିଳ୍ପୀ ସମାନ ଦକ୍ଷତା ହାସଲ କରିଥାନ୍ତି । ଗଙ୍ଗାଧର ଓ କବୀରଙ୍କ କୃତି ମଧ୍ୟରେ ଏ କଥାର ସତ୍ୟତା ଉପଲବ୍‌ଧି କରାଯାଇ ପାରିବ ନିଶ୍ଚୟ । ଶକୁନ୍ତଳା ‘ପ୍ରଣୟବଲ୍ଲରୀ’ କାବ୍ୟରେ ଯେପରି ଦୁଷ୍ମନ୍ତ ଭାବନାରେ ମଗ୍ନ ହୋଇ ରହିଛନ୍ତି, ‘ତପସ୍ୱିନୀରେ ସୀତା ଯେପରି ରାମ ଆରାଧନାରେ ନିଜକୁ ତଲ୍ଲୀନ କରିଦେଇଛନ୍ତି, ‘ଇନ୍ଦୁମତୀ’ କାବ୍ୟରେ ଅଜ ଇନ୍ଦୁ ଚିନ୍ତାରେ ଯେଭଳି ଆପ୍ରାଣ ଡୁବାଇ ରଖିଛନ୍ତି- ସେସବୁ ଏହି ଚରିତ୍ରମାନଙ୍କ ଆତଙ୍କିତ ସମ୍ୱନ୍ଧରେ ଘନିଷ୍ଠତାକୁ ସୁସ୍ପଷ୍ଟ କରିଦେଇଛି ।

 

ଗଙ୍ଗାଧରଙ୍କ ଚରିତ୍ରମାନେ ପ୍ରେମ ନିର୍ବାହରେ ଏକ ରସ । ଏହା ହିଁ ସେମାନଙ୍କ ଜୀବନର ସଫଳତା । ବହୁ ଦୁଃଖରେ ମଧ୍ୟରେ ଗତି କରୁଥିଲେ ସୁଦ୍ଧା ପରସ୍ପର ପ୍ରତି ସ୍ନେହାନୁରାଗ ସେମାନଙ୍କର ଊଣା ପଡ଼ିନାହିଁ । ଅଜ, ଦୁଷ୍ମନ୍ତ, ଶକୁନ୍ତଳା, ରାମ, ସୀତାଙ୍କ ସହ କୀଚକବଧ କାବ୍ୟର ଦ୍ରୌପଦୀ, ରସରତ୍ନାକର କାବ୍ୟର ଉଷା, ଅନିରୁଦ୍ଧ ଆଦି ସକଳ ଚରିତ୍ର ନିଜ ପ୍ରେମ ପ୍ରଦୀପକୁ ଅନିର୍ବାଣ କରି ରଖିଛନ୍ତି ଏହା ହିଁ ଗଙ୍ଗାଧରଙ୍କ ପ୍ରେମ ପ୍ରସଙ୍ଗରେ ପବିତ୍ରତା ପ୍ରତିପାଦନ କରେ ।

 

ଭକ୍ତି ଭାବରେ ଆନ୍ତରିକତା ହେଉଛି ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ । ଜଣେ ଯେକୌଣସି ମାର୍ଗର ଭକ୍ତ ହୋଇଥାଉ ନା କାହିଁକି ତାର ହାର୍ଦ୍ଦିକତାର ଗଭିରତା ହିଁ ହେଉଛି ତେଣୁ ମହତ୍ତ୍ୱପୂର୍ଣ୍ଣ ବିଷୟ । କବୀର ଓ ଗଙ୍ଗାଧରଙ୍କ କବିତାରେ ଏହି ଆନ୍ତରିକତା ହିଁ ପ୍ରଧାନତଃ ଶକ୍ତିଶାଳୀ ଭାବରେ ଫୁଟି ଉଠିଛି । କାହାରି ଅନୁସରଣ କରି ଭକ୍ତି ପ୍ରଦର୍ଶନ କରାଗଲେ ସେଥିରେ ଆନ୍ତରିକତା ଆଲୋକ ବିଚ୍ଛୁରିତ ହୋଇପାରେ ନାହିଁ । କବୀର ସେଥିପାଇଁ କହିଛନ୍ତି:-

 

ଦେଖା ଦେଖି ଭକତି ବା କବହୁଁ ନ ଚଢ଼ସୀ ରଙ୍ଗ ।

ବିପତି ପଡ଼େ ୟୋଂ ଛାଁଡ଼ସୀ ଜ୍ୟୋଂ କେଂ ଚୂଲୀ ଭୂଜଂଗ ।

 

ଯିଏ ସତ୍ ସ୍ରଷ୍ଟା ସିଏ କେବେ ହେଲେ ବାହ୍ୟ ଆଚାରକୁ ଗୁରୁତ୍ୱ ଦିଏନାହିଁ ବରଂ ଅନ୍ତରର ଅକପଟତା ଉପରେ ହିଁ ସବୁଠୁ ଅଧିକ ବିଶ୍ୱାସ କରେ । ଗଙ୍ଗାଧରଙ୍କ ଭଳି ସ୍ରଷ୍ଟା ସେଥିପାଇଁ କହିଛନ୍ତି-

 

‘‘ସକଳ ତୀର୍ଥରେ ସ୍ନାନ ଯେଉଁ ଫଳ,

ନିଷ୍କପଟ ବ୍ୟବହାର ସବୁଠାରୁ ଭଲ

(ବିଦୂର ପ୍ରଜାଗର)

 

ଯିଏ ସଚ୍ଚା ଭକ୍ତ ସେ ଏକାଧାରରେ ନିଷ୍କପଟ ଓ ନିଷ୍କାମ । କବୀର କହନ୍ତି...‘ଯେ ପର୍ଯ୍ୟନ୍ତ କାମନାର ସହିତ ଭକ୍ତି କରାଯାଏ ସେ ପର୍ଯ୍ୟନ୍ତ ସମସ୍ତ ସେବା ବ୍ୟର୍ଥ ହୋଇଯାଏ ।’’ ନିଜର ସକଳ ଅହଙ୍କାର ତ୍ୟାଗ କରି ନପାରିଲେ କେହି କ‘ଣ ନିଷ୍କାମ ହେବା ସମ୍ଭବ ?.... ଗଙ୍ଗାଧର ମେହେର ପ୍ରକୃତ ଭକ୍ତିର ଅନୁଭବକୁ ଯଥାର୍ଥ ଭାବରେ ହୃଦୟଙ୍ଗମ କରିଥିଲେ ।

 

ମୁଁ କାର ମାତର ମୋର ନୁହେଁ ବୋଲି

କହିବାକୁ ନାହିଁ ବାଟ,

ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି

ଘେନ ତା ବିଶ୍ୱ ସମ୍ରାଟ । (ଭକ୍ତି)

 

ସ୍ୱଭାବ କବିଙ୍କ ରଚିତ ଏହି ପଦରେ ଭକ୍ତର ହୃଦୟ କିପରି ଅହଙ୍କାର ମୁକ୍ତ ହେବା ଆବଶ୍ୟକ ତାହାର ସଫଳ ଆଭାସ ପ୍ରଦତ୍ତ । ଗଙ୍ଗାଧର ଓ କବୀରଙ୍କ ଭକ୍ତି କୌଣସି ସାମ୍ପ୍ରଦାୟିକ ସଙ୍କୀର୍ଣ୍ଣତା ମଧ୍ୟରେ ଆବଦ୍ଧ ନଥିଲା । ଗଙ୍ଗାଧରଙ୍କ ‘ଭକ୍ତି’ କବିତା ସବୁ ଧର୍ମୀୟ ଭାବନାରୁ ମୁକ୍ତ । ଗଙ୍ଗାଧର ଓ କବୀର ଉଭୟେ ମାନବ ଜୀବନକୁ ମହତ୍ତର ସୋପାନକୁ ଉତ୍ତୀର୍ଣ୍ଣ କରିନେଇଯିବାର ପ୍ରୟାସ କରିଛନ୍ତି ନିଜ ସୃଷ୍ଟିଶୀଳତା ମାଧ୍ୟମରେ । ଏହା ହିଁ ଉଭୟଙ୍କର ମହତ୍ତ୍ୱ ପ୍ରତିପାଦିତ କରିଛି ।

 

ପ୍ରତି ମୁହୂର୍ତ୍ତରେ ମଣିଷକୁ ଯାହା ନବଜନ୍ମର ସତେଜତା ପ୍ରଦାନ କରୁଥାଏ ତାହା ହେଉଛି ଆଶା ଓ ବିଶ୍ୱାସ । ନୈରାଶ୍ୟ ଓ ଅବିଶ୍ୱାସ ଭିତରେ ମଣିଷ ମନକୁ ବିପର୍ଯ୍ୟସ୍ତ କରିଦେଉଥାଏ ସବୁବେଳେ । ମଣିଷ ଟିକିଏ ଅସତର୍କ ହୋଇଗଲେ ମନର ଛିଦ୍ର ଦେଇ ହତାଶାର ଭାବ ତାକୁ ଆଚ୍ଛନ୍ନ କରିପକାଏ । ସବୁବେଳେ କାଚଖଣ୍ଡ ପରି ଭାଙ୍ଗି ଯାଉଥିବା ମନକୁ, ବିକ୍ଷୁବ୍ଧ ଚିତ୍ତକୁ ଭାରସାମ୍ୟଯୁକ୍ତ କରି ରଖିବା କି କଷ୍ଟକର ତାହା ଉଚ୍ଚମାନର ସ୍ରଷ୍ଟାମାନେ ଜାଣିପାରନ୍ତି । ମନ ତଳର ସକଳ ନୈରାଶ୍ୟକୁ ପୋଛି ଦେବାରେ ଓ ହୃଦୟ ଅଭ୍ୟନ୍ତରରେ ନୂତନ ଜୀବନଶକ୍ତି ଭରିଦେବାରେ ଏହାର ଭୂମିକା କେଡ଼େ ମହତ୍ତ୍ୱପୂର୍ଣ୍ଣ ତାହା କଲ୍ୟାଣ ସନ୍ଧାନୀ ସାହିତ୍ୟ ଶିଳ୍ପୀମାନେ ଆବିଷ୍କାର କରିପାରନ୍ତି । ସନ୍ଥ କବୀର ଓ ଗଙ୍ଗାଧରଙ୍କ ଚେତନାର ସେହି ଅନନ୍ୟ ଆବିଷ୍କାରର ଅନୁଭୂତି ସଞ୍ଜୁକ୍ତ ହୋଇ ରହିଥିଲା । ତେବେ ଏକ ନିଗୁଢ଼ ଏକ ବିଷୟ ହେଉଛି ଯେଉଁମାନେ ସତ୍‍ଶିଳ୍ପୀ ସେମାନେ କେଉଁ ଆଶାର ରୂପକାର ? ମଣିଷ ତ ବହୁ ପ୍ରକାର ଦୁଃଖ, କାମନା, ବାସନାର ଅତିଷ୍ଠ ହୁଏ । ସେଇ ସବୁ ତୁଚ୍ଛ ସାଂସାରିକ ଆଶା ତା’ର ଜୀବନକୁ ମହୀୟାନ କରିପାରେ ନାହିଁ । ତା’ର ଅଶାନ୍ତ ଚିତ୍ତକୁ ତାହା ପ୍ରଶାନ୍ତ କରିଦେଇପାରେ ନାହିଁ । କ୍ଷୁଦ୍ର କାମନା ହୃଦୟକୁ ଆହୁରି ପ୍ରଜ୍ଜ୍ୱଳିତ କରେ । କବୀର ଏ ସମ୍ପର୍କରେ ଅତ୍ୟନ୍ତ ସଚେତନ ଥିଲେ । ସେଥିପାଇଁ ଯାହା ଈଶ୍ୱରଙ୍କ ପ୍ରତି ମଣିଷ ଚେତନାକୁ ଉନ୍ମୁଖ କରେ ତାହା ହିଁ ପ୍ରକୃତ ଆଶା ଓ ଅନ୍ୟ ସବୁ କଥା ଦୁରାଶା ମାତ୍ର ବୋଲି ବର୍ଣ୍ଣନା କରିଥିଲେ । ତାଙ୍କରି ଭାଷାରେ:-

 

‘ଆଶା ଏକ ଜୋ ନାମ କୀ ଦୂଜୀ ଆସ ନିରାସ ।’

 

ଯିଏ ସବୁ ସାଂସାରିକ ଆଶା ପରିତ୍ୟାଗ କରେ ସେ ହିଁ ଈଶ୍ୱରଙ୍କ ପ୍ରତି ଅର୍ଥାତ୍ ଚିରନ୍ତନ ଚେତନା ପ୍ରତି ଆଶାୟୀ ହୋଇପାରେ । ମନରେ ସବୁ କିଛି କାମନା ମଳିନ ପଡ଼ିଗଲା ପରେ ଯେ କେହି ହୋଇପାରେ ସଂସାରର ଗୁରୁସ୍ୱରୂପ । ସେଥିପାଇଁ କବୀର ପୁନଶ୍ଚ କହିଛନ୍ତି:-

 

‘କବୀରା ଜୋଗୀ ଜଗଦ୍‌ଗୁରୁ ତଜୈ ଜଗତ କୀ ଆସ ।’

 

ସ୍ୱଭାବକବି ଗଙ୍ଗାଧର ମେହେର ନିଜସ୍ୱ କାବ୍ୟ କବିତାରେ ଯେଉଁ ଆଶାର ବାଣୀ ଉଚ୍ଚାରଣ କରିଛନ୍ତି ତାହା କବୀରଙ୍କ ଅନାସକ୍ତ ଉପଲବ୍‌ଧି ପରି ଏକାନ୍ତ ମାର୍ମିକ । କାବ୍ୟକାର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ମେହେର କବି ଯେଉଁ ମହାନ୍ ନାୟକ ଓ ନାୟିକାଙ୍କୁ ଚିତ୍ରଣ କରିଛନ୍ତି ସେମାନେ ସବୁ କ୍ଷୁଦ୍ର ଆଶାଠାରୁ ମୁକ୍ତ ହୋଇ ମହନୀୟ ଆଶା ପ୍ରତି ଉନ୍ମୁଖ । ‘ତପସ୍ୱିନୀ’ର ସୀତା ନିର୍ବାସିତ ହେବା ପରେ ହୃଦୟର ଶାଶ୍ୱତ ପ୍ରେମକୁ ରାମଚନ୍ଦ୍ରଙ୍କ ପାଇଁ ବଜାୟ ରଖିବା ବ୍ୟତୀତ ଆଉ କ’ଣ ବା ଆଶା କରିଥିଲେ ? ପଞ୍ଚମ ସର୍ଗରେ ସେଥିପାଇଁ ବାଲ୍ମୀକି ଆଶ୍ରମର ଅନୁକମ୍ପା ସୀତାଙ୍କୁ ଦେଖି କହିଛନ୍ତି:-

 

‘ଦଇବ ସ୍ୱଭାବେ ତୁ ତପସ୍ୱିନୀ

ଦର୍ଶନ ମାତ୍ରେ ମୁଁ ପାରିଛି ଚିହ୍ନି ।’’

 

ସୀତାଙ୍କ ମନରେ ସମର୍ପିତ ହୋଇ ରହିବାର ଯେଉଁ ଦିବ୍ୟ ଆଶା ଭରି ରହିଥିଲା ଅନୁକମ୍ପା ତାହାକୁ ହିଁ ସମୃଦ୍ଧ କରି ଦେଇଛନ୍ତି । ଜୀବନରେ ହେଉ ବା ମରଣରେ ହେଉ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ଅର୍ପିତ ହୋଇଯାଇ ପାରିବେ- ଏତିକି ମାତ୍ର ତ ଆଶା ସୀତାଙ୍କର । ତେଣୁ ନିଜର ଦେହାବସାନ ପରେ ଶରୀର ଭସ୍ମ ନେଇ ବୃକ୍ଷ ମୂଳରେ ତାହା ଢାଳି ନେବା ପାଇଁ ସେ ପ୍ରକଟ କରିଥିଲେ । ସେହିପରି ପ୍ରଣୟ ବଲ୍ଲରୀ’ର ଶକୁନ୍ତଳା ବି କିଛି ସୀମିତ କାମନାର ବଶବର୍ତ୍ତୀ ହୋଇ ନଥିଲେ । ସେ ଦୁଷ୍ମନ୍ତଙ୍କ ପ୍ରେମରୁ ବଞ୍ଚିତା ଓ ଉପେକ୍ଷିତା ଏପରି ନୈରାଶ୍ୟ ମଧ୍ୟ ତାଙ୍କୁ ସ୍ପର୍ଶ କରି ନଥିଲା । ଅଯୋଧ୍ୟାଦୃଶ୍ୟର ରାମ ଜନନୀ କୌଶଲ୍ୟା ରାମଙ୍କୁ ଦେଖିବାର ଆଶା ନେଇ ଯେପରି ଜୀବନ ଧାରଣ କରିଛନ୍ତି ତାହା ତାଙ୍କ ଦିବ୍ୟ ମାତୃତ୍ୱର ଶକ୍ତିଶାଳୀ ପରିଚୟ ପାଇବାର ଆଶାରେ ମଗ୍ନ ହେଲେ ଜୀବନରେ ଯେଉଁ ଦୁଃଖ ଆସେ ତାହା ସୀତାଙ୍କ ପରି ଚରିତ୍ର ମଧ୍ୟ ଅନୁଭବ କରିଥିଲେ ।

 

ଆକାଶ-କୁସୁମ ହେଲା ଆଶା-ପରିଣାମ

ହାୟରେ ଦଇବ ତୋତେ ସହସ୍ର ପ୍ରଣାମ ।।

(ତପସ୍ୱିନୀ)

 

ଆଶାର ସ୍ପନ୍ଦନ ଉଚ୍ଚତମ ସୋପାନକୁ ଉତ୍ତୋଳିତ ହୋଇଗଲେ ନିଜର ପ୍ରିୟତମ ପ୍ରତି ହେଉ କିମ୍ୱା ଈଶ୍ୱରଙ୍କ ପ୍ରତି ହେଉ ଯେଉଁ ଅଖଣ୍ଡ ବିଶ୍ୱାସ ମନରେ ସୃଷ୍ଟି ହୁଏ ତାହାରି ବଳରେ ମଣିଷର କ୍ଷୁଦ୍ର ଜୀବନ ବି ଅସୀମତାର ସଙ୍ଗୀତ ଗାନରେ ଧନ୍ୟ ହୋଇଉଠେ ।

 

ଗଙ୍ଗାଧରଙ୍କ ବିଶେଷତ୍ୱ ହେଉଛି ନିଜ ଚିତ୍ରିତ ଶ୍ରେଷ୍ଠ ଚରିତ୍ରମାନଙ୍କ ହୃଦୟ ଭିତରେ ବିଶ୍ୱାସର ବଳିଷ୍ଠ ଚେତନା ସଞ୍ଚାର କରିବା । କବୀର ଦାସ ଯେଉଁ ସତ୍ୟକୁ ତାଙ୍କ ପଦାବଳୀରେ ଉତ୍‌କୀର୍ଣ୍ଣ କରିଗଲେ ସେଇଭଳି ସତ୍ୟର ଆଧାରରେ ଗଙ୍ଗାଧରଙ୍କ ଶ୍ରେଷ୍ଠ ଚରିତ୍ରମାନେ ପ୍ରତିଷ୍ଠିତ ହୋଇ ମାନବିକତାର ଉଜ୍ଜ୍ୱଳତମ ନକ୍ଷତ୍ର ପାଲଟିଗଲା ।

 

ସାଂସାରିକ ଅତି କ୍ଷୁଦ୍ର ବାସନାମାନଙ୍କୁ ଉତ୍ତୀର୍ଣ୍ଣ ହୋଇଯିବା ପରେ ହିଁ ଅସାଧାରଣ ଆଶା ଓ ବିଶ୍ୱାସ ଜୀବନକୁ ସ୍ପର୍ଶ କରେ । କବୀର ସଂସାର ଚଳାଇବା ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତିକି ବ୍ୟତୀତ ଆଉ କିଛି ଚାହୁଁ ନଥିଲେ । ଗୋଟିଏ ପଦରେ ସେ କହିଛନ୍ତି:-

 

ସାଈ ଇତନାଂ ଦୀଜିଏ ଜାମେଂ କୁଟୁମ୍ୱ ସମାୟ

ମୈଂ ଭୀ ଭୂଖୋ ନା ରହୁଁ ସାଧୁ ନ ଭୂଖା ଜାୟ

 

ସେହିପରି ଗଙ୍ଗାଧର ମେହେରଙ୍କୁ ତାଙ୍କ ପତ୍ନୀ ଚମ୍ପାଦେବୀ ଏକଦା ଅର୍ଥ ଜମା କରି ରଖିବା ସମ୍ପର୍କରେ ପ୍ରସ୍ତାବ ଦେଇଥିବା ବେଳେ ସ୍ୱଭାବକବିଙ୍କ ଉତ୍ତରର ମର୍ମ ଥିଲା:- ‘‘ଆମେ ତ କଷ୍ଟେମଷ୍ଟେ ଚଳି ଯାଉଛୁ । ଅଧିକ ଅର୍ଥର ପ୍ରୟୋଜନ ବା କ’ଣ ? ଯଦି ଟଙ୍କା ଜମା ରଖିବାର ନିହାତି ଆବଶ୍ୟକ ବୋଲି ଭାବୁଥାଅ ବରଗଡ଼ର ଟ୍ରେଜେରୀଟା ଆମର ବୋଲି ଭାବି ନିଅ ।’’ ଗଙ୍ଗାଧରଙ୍କ ଏଭଳି କୌତୁକପୂର୍ଣ୍ଣ କଥା ମଧ୍ୟରେ କବୀର ଉଚ୍ଚାରଣ କରିଯାଇଥିବା ପଦର ସାରକଥା ସ୍ପନ୍ଦିତ ହୋଇଉଠିଛି ।

 

କବୀର ଓ ଗଙ୍ଗାଧର ଦୁହେଁ ନିଜର ବାସ୍ତବ ଜୀବନରେ ଥିଲେ ମହନୀୟ ଆଶା ଓ ବିଶ୍ୱାସର ଅଧିକାରୀ । ଜୀବନ ଯାହାର ଦିବ୍ୟ ଆଶା ଓ ଅବିଚଳିତ ବିଶ୍ଵାସର ଭାବରେ ଅଭିମନ୍ତ୍ରିତ ତାହାର କବିତା ତା’ଠାରୁ ଭିନ୍ନ ହେବ ବା କିପରି । ତେଣୁ ଉଭୟଙ୍କ କବିତାରେ ଏହି ମହାନ୍‌ ଆଶା ଓ ବିଶ୍ଵାସର ଭାବରେ ଅଭିମନ୍ତ୍ରିତ ତାହାର କରିବା ତା’ଠାରୁ ଭିନ୍ନ ହେବ ବା କିପରି । ତେଣୁ ଉଭୟଙ୍କ କବିତାରେ ଏହି ମହାନ୍‌ ଆଶା ଓ ବିଶ୍ଵାସର ମୂର୍ଚ୍ଛନା ଶ୍ରୂତ ହୁଏ ।

 

କ୍ଷମା ଗୁଣର ମହତ୍ତ୍ଵ ଅବର୍ଣ୍ଣନୀୟ । କୁହାଯାଏ ଯେଉଁମାନେ ବାସ୍ତବରେ ମହାନ୍‌ ସେମାନେ କ୍ଷମାଶୀଳ ହୋଇଥାନ୍ତି । ମାତ୍ର ଏଭଳି ନ କହି ବରଂ କୁହାଯାଇପାରେ ଯେଉଁମାନେ ବାସ୍ତବିକ କ୍ଷମାଶୀଳ ସେଇମାନେ ହିଁ ଉଚ୍ଚକୋଟୀର ବ୍ୟକ୍ତିତ୍ଵର ଅଧିକାରୀ ବୋଲି ଦିନେ ପ୍ରମାଣିତ ହୋଇଯାଏ । କବୀର ଓ ଗଙ୍ଗାଧର କାବ୍ୟକବିତାରେ ଏହି କ୍ଷମା ଗୁଣ ଭାବ ଉକୁଟି ଉଠିଛି ଅତ୍ୟନ୍ତ ଶକ୍ତିଶାଳୀ ଭାବେ । ଭୃଗୁ ବିଷ୍ଣୁଙ୍କ ଛାତିକୁ ଗୋଇଠା ମାରିଦେଲେ । କିନ୍ତୁ ତାଙ୍କର କିଛି ଊଣା ହେଲା ନାହିଁ, ବରଂ କ୍ଷମା କରିବାରୁ ସେ କିପରି ବଡ଼ ହୋଇ ରହିଲେ କବୀର ତାହା ସ୍ମରଣ କରାଇ ଦେଇଛନ୍ତି ।

 

କବୀର ଭାଷାରେ:-

ଛିମା ବଡ଼ନ କୋ ଚାହିୟେ ଛୋଟ ନ କୋ ଉତ୍ପାତ ।

ମହାବିଷ୍ଣୁ କୋ ଘଟି ଗୟୋ ଜୋ ଭୃଗୁ ମାରୀ ଲାତ ।

 

ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୀବନରେ ଏହି କ୍ଷମା ଗୁଣ ବିକଶିତ ହୋଇଥିଲା ଅପୂର୍ବ ଭାବରେ । ଏହାର ମହତ୍ତ୍ୱକୁ ଜୀବନର ପ୍ରତି ପଦକ୍ଷେପରେ ଯଥାର୍ଥ ଭାବେ ଫୁଟାଇଥିବା ମହାନ୍‌ କବି ନିଜସ୍ୱ କାବ୍ୟ କବିତାରେ ମଧ୍ୟ ତାହାର ଗୌରବ ପ୍ରତିପାଦନ କରିଛନ୍ତି । ଦୋଷ ଦର୍ଶନ ପାଇଁ ଯେ ନିକଟକୁ ଆସେ ତାକୁ କ୍ଷମା କରିଦେବା କ’ଣ କମ୍‌ ଉଦାରତାର ସଙ୍କେତ ଦିଏ ! ‘ତପସ୍ଵିନୀ’ରେ ଆକାଶର ତାରାମାନେ ସନ୍ଧ୍ୟା ପରେ ରାମଚନ୍ଦ୍ରଙ୍କ ଦୋଷ ଦେଖିବା ପାଇଁ ଉଦିତ ହୋଇଛନ୍ତି । ସୀତାଙ୍କୁ ତ୍ୟାଗ କରିଥିବା ରାମଚନ୍ଦ୍ର କେଡ଼େ ନିଷ୍ଠୁର ହୋଇଥିବେ ତାହା ଦେଖିବାର କାମନା ନେଇ । ସେମାନେ ପ୍ରଦୋଷ ପରେ ପ୍ରସ୍ତୁତ ହୋଇଯାଇଛନ୍ତି । କିନ୍ତୁ ରାମଚନ୍ଦ୍ରଙ୍କ ହୃଦୟ ଭିତରକୁ ପ୍ରବେଶ କରି ସେମାନେ ତାଙ୍କର କୋମଳାତାପୂର୍ଣ୍ଣ ଚିତ୍ତଲୋକ ଆବିଷ୍କାର କରି ପାରିଛନ୍ତି ଆଉ ଫୁଲ ହୋଇ ପ୍ରଭାତ କାଳରେ ଖସି ପଡ଼ିଛନ୍ତି ଆକାଶରୁ ମର୍ତ୍ତ୍ୟ ଭୂମିକୁ । ରାମଚନ୍ଦ୍ର ସେମାନଙ୍କ ତ୍ରୁଟିକୁ ମନରେ ନଧରି ଯୁଗଯୁଗାନ୍ତର ମସ୍ତକ ଉପରେ ସ୍ଥାନ ପାଇବା ପାଇଁ ଆଶୀର୍ବାଦ ପ୍ରଦାନ କରିଛନ୍ତି । ସେହିପରି ଅଯୋଧ୍ୟା ଦୃଶ୍ୟରେ ମାତା କୈକେୟୀଙ୍କ ଦୋଷ ନଧରି ତାଙ୍କୁ କ୍ଷମା କରିଦେବା ପାଇଁ ଭରତ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଛନ୍ତି । ଗଙ୍ଗାଧରଙ୍କ କାବ୍ୟାବଳୀରେ ସର୍ବତ୍ର ଏହି କ୍ଷମାଶୀଳତାର ଜ୍ୟୋତି ବିକିରିତ ହୋଇଛି ଶକ୍ତିଶାଳୀ ଭାବରେ । ନିଦ୍ରିତ, ନିରସ୍ତ୍ରକ, ଶରଣାଗତ ଅବଳା, ଦୂତ, ବାଳକ ଏମାନଙ୍କ ପ୍ରତି ରୁକ୍ଷଆଚରଣ କରିବା କିମ୍ବା ଦଣ୍ଡବିଧାନ କରିବା ବୀର ଯଶରେ କଳଙ୍କ ବୋଲି କବି ବର୍ଣ୍ଣନା କରିଛନ୍ତି । ପୁଣି ଯିଏ ପ୍ରକୃତରେ ମହତ୍‌ ଜନ ତା’ର କ୍ଷମାଶୀଳତା କିପରି ବିତରିତ ହୁଏ ତାହା ପ୍ରକାଶ କରି ସ୍ଵଭାବ କବି ଗଙ୍ଗାଧର ମେହେର କହିଛନ୍ତି : -

 

ମହତ ଜନର ଦୟା ସବୁଠାରୁ

ସମେ ହୁଏ ବିତରିତ,

କର୍ତ୍ତକ ମସ୍ତକୁ କରଇ ତରୁ

ସ୍ଵଚ୍ଛାୟ ଅପସାରିତ ।

(ଇନ୍ଦୁମତୀ)

 

ଯେଉଁମାନେ ପ୍ରକୃତରେ ଉନ୍ନତ ଚେତନାର ବ୍ୟକ୍ତି ସେମାନେ ଅନ୍ୟର ଦୃଷ୍ଟି ଆଚରଣ ପ୍ରତି ମଧ୍ୟ ସହିଷ୍ଣୁ ଭାବ ପ୍ରଦର୍ଶନ କରିଥାନ୍ତି । କବୀରଙ୍କ ପଦରେ ବର୍ଣ୍ଣନା କରାଯାଇଛି ସେଥିପାଇଁ:-

 

କରଗ ସସମ ଦୁର୍ଜନ ବଚନ ରହୈ ସଂତଜନ ଟାରି ।

ବିଜୁଲୀ ପରୈ ସମୁଦ୍ର ମେଂ କାହା ସକୈଗୀ ଜାରି ।

 

କ୍ଷମାଶୀଳ ବ୍ୟକ୍ତି ପାଇଁ କ୍ଷୁଦ୍ର କୀଟ ଓ ହାତୀ ସମସ୍ତେ ଈଶ୍ଵରଙ୍କ ସନ୍ତାନ । ତେଣୁ କାହାରି ପ୍ରତି ନିଷ୍ଠୁର ହୋଇପାରେ ନାହିଁ । କ୍ଷମା ମାନବ ଚେତନାର ଏକ ମହିମ୍ନ ଉଚ୍ଚତର ସ୍ତର । କବୀର ଓ ଗଙ୍ଗାଧର ଏହି କ୍ଷମା ଓ ମଙ୍ଗଳମୟ ସହିଷ୍ଣୁ ଭାବର ଦିବ୍ୟ ସଙ୍କେତ ନିଜେ ହୋଇଥିବା ସଙ୍ଗେ ସଙ୍ଗେ ତାହାର ପ୍ରଭାବଶାଳୀ ଅଭିବ୍ୟକ୍ତି ଘଟାଇଛନ୍ତି ନିଜ କାଳଜୟୀ ସାହିତ୍ୟ ସୃଷ୍ଟିରେ ।

 

ନିଜ ପାଇଁ ଜୀବନ ବଞ୍ଚିବାରେ ମଣିଷ ତୃପ୍ତି ଲାଭ କରିପାରେ ନାହିଁ । ଜୀବନର ଆଭିମୁଖ୍ୟ ସମ୍ପକରେ ସଚେତନ ମଣିଷମାନେ ପରୋପକାର ପ୍ରତି ସେଥିପାଇଁ ସର୍ବଦା ଉନ୍ମୁଖତା ପ୍ରକାଶ କରିଥାନ୍ତି । କବୀର ଓ ଗଙ୍ଗାଧରଙ୍କ ପରିସ୍ରଷ୍ଟାମାନେ ତାହାର ମହତ୍ତ୍ୱକୁ ଏପରି ଶକ୍ତିମାନ ଭାବରେ ଉପଲବ୍ଧି କରିଥିଲେ ଯେ ତା’ର ପ୍ରକାଶ ସ୍ଵତଃସ୍ଫୂର୍ତ୍ତ ଭାବେ ମଙ୍ଗଳ ଧ୍ୱନିରେ ପବିତ୍ର ହୋଇଉଠିଛି । ଗଙ୍ଗାଧର ଓ କବୀରଙ୍କ ସାହିତ୍ୟର ସମୀକ୍ଷା କରିବା ବେଳେ ଏ ପ୍ରସଙ୍ଗ ଅତ୍ୟନ୍ତ ଉଲ୍ଲେଖନୀୟ । ଗଙ୍ଗାଧରଙ୍କ ତାଙ୍କର ମହିମା କବିତାରେ କହିଛନ୍ତି :-

 

ପର ଉପକାର ପୁଣ୍ୟମୟ ବ୍ରତ

ପାଳନ୍ତି ମହତ ଜନ,

ଉର୍ବୀ, ଦିବାକର ପର ଉପକାରେ

ଦିଅନ୍ତି ଶସ୍ୟ, କିରଣ ।

 

ମାଟି ମା ହେଉ, ସୂର୍ଯ୍ୟର କିରଣ ହେଉ ସମସ୍ତ ପର ଉପକାର ପାଇଁ ନିଜକୁ ଦାନ କରିଦେଇଥାନ୍ତି । ସମଗ୍ର ପ୍ରକୃତି ଜଗତ ମଣିଷର କଲ୍ୟାଣ ପାଇଁ ଯେପରି ନିଜକୁ ନିରନ୍ତର ସମର୍ପଣ କରିଦେଇଥାନ୍ତି ତାହା ମଣିଷ ପାଇଁ ଏକ ବିରାଟ ଶିକ୍ଷା । ଉଚ୍ଚକୋଟୀର ସ୍ରଷ୍ଟା ମାତ୍ରକେ ଏହି ସୂକ୍ଷ୍ମ ଦିଗ ପ୍ରତି ସ୍ଵତଃ ସଚେତନ ହୋଇଉଠେ ।

 

ଭାରତୀୟ ସାହିତ୍ୟରେ ସନ୍ଥ କବୀର ଉପକାରୀ ମଣିଷର ସଦ୍‌ଗୁଣକୁ ବଡ଼ ସୂକ୍ଷୁ ଭାବରେ ବିଶ୍ଳେଷଣ କରିଛନ୍ତି । ସେ କହିଛନ୍ତି :-

 

ଖୋଦଖାଦ ଧରତୀ ସହୈ କାଟକୁଟ ବନରାୟ

କୁଟିଲ ବଚନ ସାଧୁ ସହୈ ଔରସ ସହା ନ ଜାୟ ।

 

ପୃଥିବୀକୁ ଖୋଳିଲେ ସେ ତାହା ସହିଯାଏ । ଜଙ୍ଗଲକୁ କଟାକଟି କଲେ ସେ ମଧ୍ୟ ତାହା ସହ୍ୟ କରେ । ସେହିପରି ସାଧୁ ବ୍ୟକ୍ତି ହିଁ କଟୁ କଥା ସହନ୍ତି, ଯିଏ ପରୋପକାର ପ୍ରତି ଉନ୍ମୁଖ ସେ ହିଁ ଅପୂର୍ବ ସହନଶକ୍ତିର ଅଧିକାରୀ

 

ଜଗତରେ ଗୁରୁ ଓ ଶିଷ୍ୟ ସମ୍ପର୍କ ଏକ ମହତ୍ତର ଅନୁଭୂତି । ଉଚ୍ଚସ୍ତରର ସାହିତ୍ୟ ସ୍ରଷ୍ଟାମାନେ ଏଥିପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଥାନ୍ତି । କବୀର ଓ ଗଙ୍ଗାଧର ଏ ବିଷୟରେ ଯେଭଳି ଧ୍ୟାନସ୍ଥ ହୋଇଛନ୍ତି ତାହା ଏକାନ୍ତ ଚିନ୍ତନଯୋଗ୍ୟ । ଅନେକଙ୍କ ମନରେ ପ୍ରଶ୍ନ ଉଠେ ଗୁରୁ ଶ୍ରେଷ୍ଠ ନା ଭଗବାନ ଶ୍ରେଷ୍ଠ ? କିଏ ପ୍ରଥମେ ପ୍ରଣମ୍ୟ ? ଏଭଳି ଏକ ଦ୍ଵନ୍ଦ୍ୱର ଉତ୍ତର କବୀରଙ୍କ ରଚିତ ପଦରୁ ଚମତ୍କାର ଭାବରେ ମିଳିଯାଏ । ସେ କହନ୍ତି ଗୁରୁ ଓ ଗୋବିନ୍ଦ ଉଭୟେ ମୋ ସମ୍ମୁଖରେ ଦଣ୍ଡାୟମାନ । ପ୍ରଥମେ ମୁ କାହାର ଚରଣ ସ୍ପର୍ଶ କରିବି ? ଗୁରୁ ହିଁ ଧନ୍ୟ । ମୁଁ ତାଙ୍କର ଚରଣରେ ନିଜକୁ ଉତ୍ସର୍ଗ କରିଦେବି । କାରଣ ସେ ମୋତେ ଗୋବିନ୍ଦଙ୍କୁ ପାଇବାର ବାଟ ଦେଖାଇଛନ୍ତି । ତାଙ୍କ ଭାଷାରେ :-

 

ଗୁରୁ ଗୋବିନ୍ଦଂ ଦୋଉ ଖେଡ଼େ କାକେ ଲାଗୌଂ ପାଁୟା ।

ବଲିହାରୀ ଗୁରୁ ଆପନେ ଗୋବିନ୍ଦଂ ଦିୟୋ ବତାୟ ।

 

ଗୁରୁଙ୍କ ମହିମା ଯଥାର୍ଥ ଭାବେ ଗଙ୍ଗାଧର ମଧ୍ୟ ଅନୁଭବ କରିଥିଲେ । ନିଜର ଛାତ୍ର ଜୀବନରେ ବିଦ୍ୟାଳୟରେ ଯେଉଁ ଗୁରୁମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ ତାହା ତାଙ୍କୁ ପ୍ରଦାନ କରିଥିଲା ଅଭିନବ ଉପଲବ୍‌ଧି । ଆତ୍ମଜୀବନରେ ସେ ଗୁରୁଙ୍କ ଗୃହକୁ ୠଷି ଆଶ୍ରମ ବୋଲି ବର୍ଣ୍ଣନା କରିଥିଲେ । ଗଙ୍ଗାଧର ‘ଗୁରୁ ଶିଷ୍ୟ’ କବିତାରେ କହୁଛନ୍ତି ଯେ ଯାହାଠାରୁ ଯେ ବେଶି ଜାଣେ ସେ ତାହାର ଗୁରୁ । କିନ୍ତୁ ଉଲ୍ଲେଖନୀୟ କଥା ହେଉଛି ଏ ଜଗତରେ ଏହିପରି ବିରାଟ ବ୍ୟକ୍ତିତ୍ଵ ସମ୍ପନ୍ନ ଗୁରୁବୃନ୍ଦ ନିଜକୁ ସର୍ବଦା ଶିଷ୍ୟ ବୋଲି ମନେ କରିଆସିଛନ୍ତି । ଗଙ୍ଗାଧର ନିଜ ଉପଲବ୍‌ଧିକୁ ଅଧିକ ଅର୍ଥପୂର୍ଣ୍ଣ ଓ ପ୍ରାଞ୍ଜଳ କରି କହନ୍ତି: -

 

ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ,

ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟେ ଜଣେ ।

(ଗୁରୁଶିଷ୍ୟ)

 

ଯିଏ ସଦା ବିନମ୍ର, ଗ୍ରହଣଶୀଳ, ଈଶ୍ଵରଙ୍କ ନିକଟରେ ସଦା ସମର୍ପିତ ସିଏ ହିଁ ତ ପ୍ରକୃତ ଶିଷ୍ୟ । ଆଉ ଯିଏ ଯଥାର୍ଥ ଶିଷ୍ୟ ସିଏ ହିଁ ତ ଯୋଗ୍ୟତମ ଗୁରୁ ପଦବାଚ୍ୟ । ଗୁରୁ ଶିଷ୍ୟ ସମ୍ପର୍କରେ କବୀରଙ୍କ ସମସ୍ତ ଉପଲବ୍‌ଧି ସାର ନିଷ୍କର୍ଷ ଯେପରି ଗଙ୍ଗାଧରଙ୍କ କବିତାରେ ଧ୍ଵନିତ ହୋଇଉଠିଛି ।

 

ଅସାଧୁ ଓ ମଣିଷମାନଙ୍କ ଛଳନାପୂର୍ଣ୍ଣ, ରୁକ୍ଷ ଆଚରଣରେ ଯେଉଁମାନେ ଆଘାତ ପାଇଥାନ୍ତି ସେଇ ଜୀବନାନୁଭୂତି ହିଁ ସଜ୍ଜନଙ୍କ ପ୍ରତି ଶ୍ରଦ୍ଧାଶୀଳ ହେବାର ଅପୂର୍ବ ମମତା ସେମାନଙ୍କ ଭିତରେ ଭରି ଦେଇଥାଏ । ଏଥିପ୍ରତି କବୀର ଓ ଗଙ୍ଗାଧର ସଦା ସଚେତନ । ସାଧୁ ମଣିଷ ଏଇ ମିଥ୍ୟା, କଳୁଷିତ ଭାବାପୂର୍ଣ୍ଣ ସଂସାରରେ ଜୀବନ ଅତିବାହିତ କରନ୍ତି । ତାଙ୍କୁ ମଧ୍ୟ ଦୁଷ୍ଟ ଲୋକଙ୍କ ସଂସର୍ଗରେ ଆସିବାକୁ ପଡ଼ିଥାଏ । କିନ୍ତୁ ମହତ୍ତ୍ଵପୂର୍ଣ୍ଣ ବିଷୟ ହେଉଛି ଯାହାର ଭିତରେ ସତ୍ୟର ଆଲୋକ ତେଜୀୟାନ୍‌, ମିଥ୍ୟାର ସଂସ୍ପର୍ଶ ସେଇ ଆଲୋକକୁ କଦାପି ନିର୍ବାପିତ କରିଦେଇପାରି ନାହିଁ । କବୀର କହନ୍ତି: -

 

ସନ୍ତ ନ ଛୋଡ଼େ ସନ୍ତଈ କୋଟିବ ମିଲୈଂ ଅସନ୍ତ

ମଲୟା ଭୂବଂ ଗହି ବେଧିକକକ ସୀତଲତା ନ ତଜଂତ ।

 

ଅର୍ଥାତ କୋଟିକୋଟି ଦୁଷ୍ଟ ଲୋକଙ୍କ ସହ ସାଙ୍ଗ ହେଲେ ମଧ୍ୟ ସାଧୁ ଲୋକେ ନିଜର ସାଧୁତା ସ୍ଵଭାବ ଛାଡ଼ନ୍ତି ନାହିଁ ଯେପରି କି ସାପ ଚନ୍ଦନ ଗଛକୁ ଦଂଶନ କରୁଥିଲେ ମଧ୍ୟ ସେ ନିଜର ଶୀତଳତା ଛାଡ଼େ ନାହିଁ । ଗଙ୍ଗାଧରଙ୍କ ଉପଲବ୍‌ଧି କବୀରଙ୍କ ସହ କିପରି ସାମଞ୍ଜସ୍ୟ ରକ୍ଷା କରିଛି ତାହା ମହିମାର ଏଭଳି ଏକ ପଂକ୍ତିରୁ ସହଜରେ ଜାଣି ହୁଏ । ମେହେର କବିଙ୍କ ଭାଷାରେ:-

 

କୁସ୍ଥାନ ବାସରେ ମହତ ଜନର

ସଦ୍‌ଗୁଣ ନ ହୁଏ ନାଶ,

ଶଶ୍ମାନ ଭୂମିରେ ଜନ୍ମିଲେ ତୁଳସୀ

ହୁଅଇ କି ହୀନ ବାସ ?

 

କବୀର ଓ ଗଙ୍ଗାଧର ଉଭୟେ ଥିଲେ ମହତ୍‌ ପ୍ରାଣର ଅଧିକାରୀ । ଉଭୟେ ତେଣୁ ମହତ୍‌ ହୃଦୟର ମଣିଷ ସନ୍ଧାନରେ ବ୍ୟାପୃତ ଥିଲେ ସାରା ଜୀବନ । ମହତ୍‌ ସନ୍ଥଜନଙ୍କ ଯେଉଁ ସବୁ ଲକ୍ଷଣ ସମ୍ପର୍କରେ ସେମାନେ ବର୍ଣ୍ଣନା କରିଛନ୍ତି ସେଇସବୁ ସୁଗୁଣ ତାଙ୍କଠାରେ ହିଁ ରହିଥିଲା ଦୀପ୍ତ ହୋଇ । ଏହିସବୁ ବର୍ଣ୍ଣନା ମାଧ୍ୟମରେ ତେଣୁ ଭଲ ମଣିଷଟିଏକୁ ଚିହ୍ନିବା ଯେପରି ସହଜସାଧ୍ୟ, ସେଇପରି କବୀର ଓ ଗଙ୍ଗାଧରଙ୍କୁ ମଧ୍ୟ ଚିହ୍ନିବା ପାଇଁ ଏହା ଏକାନ୍ତ ସହାୟକ ।

 

ଆତ୍ମବଡ଼ିମା ହୃଦୟର ସବୁ ଦ୍ଵାର ରୁଦ୍ଧ କରିଦିଏ । ଆଉ ବିନମ୍ରତା ସବୁ ବାତାୟନକୁ ଉନ୍ମୁକ୍ତ କରିଦିଏ । ଯିଏ ସରଳ, ବିନୀତ ଓ ନମ୍ର ତା’ର ଚେତନାରେ ଏପରି ଶକ୍ତିର ସ୍ଫୁରଣ ସମ୍ଭବ ହୁଏ, ଯାହାର ବଳରେ ପରମ ସତ୍ୟକୁ ସେ ଧାରଣ କରିରଖିପାରେ । ତେଣୁ କବୀର ଓ ଗଙ୍ଗାଧରଙ୍କ ପରି ସ୍ରଷ୍ଟାମାନେ ବିନୟ ଭାବର ଆରାଧନା କରିଛନ୍ତି । ମହାତ୍ମା ଗାନ୍ଧୀ କହିଥିଲେ: -

 

‘‘କୌଣସି ବ୍ୟକ୍ତିର ପ୍ରଚୁର ନମ୍ର ଭାବ ନଥିଲେ ସେ ସତ୍ୟ ପାଇପାରିବ ନାହିଁ ।’’

 

ସନ୍ଥ କବୀର ଓ ଗଙ୍ଗାଧର ଉଭୟେ ବିନମ୍ରତାର ମୂଲ୍ୟକୁ ଯଥାର୍ଥ ଭାବରେ ବୁଝିଥିଲେ । ଉଭୟେ ଥିଲେ ଶୁଦ୍ଧ ବିନୟର ଏକ ଏକ ଜୀବନ୍ତ ଅବତାର । କେହି କେହି କବୀରଙ୍କ ବିଦ୍ରୋହ ସ୍ୱଭାବ ଲକ୍ଷ୍ୟ କରି ତାଙ୍କୁ ନମ୍ରତାର ପ୍ରତିମୂର୍ତ୍ତି ଭାବରେ ଗ୍ରହଣ କରି ନ ପାରନ୍ତି । କିନ୍ତୁ ନମ୍ରତା ବାହ୍ୟ ପ୍ରଦର୍ଶନର ବିଷୟ ନୁହେଁ । ଯିଏ ଅସତ୍‌ ଉଦ୍ଦେଶ୍ୟରେ ଜୀବନ ନିର୍ବାହ କରୁଥାଏ, ଅଥଚ ବାହାରେ ଭଦ୍ର ଆଚରଣ ପ୍ରଦର୍ଶନ କରୁଥାଏ ତାହାକୁ ନମ୍ର ମଣିଷ ବୋଲି ଅଭିହିତ କରାଯାଇନପାରେ ।

 

ଭଗବାନଙ୍କ ପ୍ରତି ନିଜକୁ ଉନ୍ମୁଖ କରି ରଖିବାଠାରୁ ଆଉ ଶ୍ରେଷ୍ଠ ନମ୍ରତା କ’ଣ ବା ଅଛି ? କବୀର ସେଇ ପରମ ସତ୍ୟକୁ ହିଁ ଆଶ୍ରୟ କରି ରହିଛନ୍ତି ସାରା ଜୀବନ । ସେଥିପାଇଁ କବୀର କହୁଛନ୍ତି ମୋର ଆପଣାର ଯାହା କିଛି ଅଛି, ସବୁତ ଆପଣଙ୍କ । ପୁଣି ଯେଉଁ ପଦାର୍ଥ ଆପଣଙ୍କର ତାକୁ ସମର୍ପିବାରେ ମୋର କ’ଣ ବା ଆପତ୍ତି ରହିବା କଥା । କବୀରଙ୍କ ଭାଷାରେ :-

 

ମେରା ମୁଝ ମେଂ କୁଛ ନହୀଂ ଜୋ କୁଛ ହୈ ସୋ ତୋର ।

ତେରା ତୁଝ କୋ ସୌପଂକେ କ୍ୟା ଲାଗତ ହେ ମୋର ।

 

ସେହିପରି ସ୍ଵଭାବ କବି ଗଙ୍ଗାଧର ମେହେର ମଧ୍ୟ ଈଶ୍ଵରଙ୍କ ପ୍ରତି ଆପଣାକୁ ସମର୍ପିତ କରିଦେଇଛନ୍ତି । ଭକ୍ତି କବିତାରେ କହୁଛନ୍ତି :-

 

କି ଦେଇ ପୂଜିବ ଯାହା ମୁଁ ଦେଖୁଛି

ସବୁ ତୁମ୍ଭରି ପ୍ରସାଦ,

ଯାହା ପରସାଦ ତାଙ୍କୁ ଅରପିଲେ ।

ହେବ ସିନା ଅପରାଧ !

 

କବୀରଙ୍କ ଦୋହାରେ ଥିବା ସମର୍ପଣ ଭାବର ଦ୍ୟୁତି ଗଙ୍ଗାଧରଙ୍କ ବିଭିନ୍ନ ଚରିତ୍ର ଚିତ୍ରଣରେ ସଫଳ ଅଭିବ୍ୟକ୍ତି ଲାଭ କରିଛି । ନିଜ ଅନ୍ତଃସ୍ଥଳକୁ ନିରେଖି ଦେଖିବାରେ ଯେଉଁମାନେ ଯେତେ ବେଶୀ ଧ୍ୟାନସ୍ଥ ସେମାନେ ସେତେ ବେଶୀ ନମ୍ର ଓ ବିନୟୀ ।

 

ଏକଦା ବିଶିଷ୍ଟ ଅସ୍ତିତ୍ଵବାଦୀ ଦାର୍ଶନିକ କିର୍କେଗାର୍ଡ଼ କହିଥିଲେ:- “ବିବେକବିହୀନ ମଣିଷ ହେଉଛି ପୋଲା ବାଦାମ ପରି ।’’ ବାସ୍ତବିକ ଯେଉଁ ମଣିଷର ବିବେକ ନ ଥାଏ ତା’ର ଜୀବନ ବଞ୍ଚିବା ହେଉଛି ଅସାର ଓ ନିରର୍ଥକ । ମନୁଷ୍ୟତ୍ଵର ମହାନ୍‌ ପୂଜକ କବୀର ଓ ଗଙ୍ଗାଧରଙ୍କ କୃତିରେ ଏଇ ବିବେକର ସ୍ଵର ଏତେ ପ୍ରାଞ୍ଜଳ ଯେ ତାହାକୁ ବାଦ୍‌ ଦେଇ ଉଭୟଙ୍କ ସାହିତ୍ୟର ମୂଲ୍ୟାଙ୍କନ । କରାଯାଇପାରେ ନାହିଁ ।

 

ସଂସାରରେ ଆଚାର ବ୍ୟବହାରର କୁଶଳୀ ବ୍ୟକ୍ତି ଅନେକ ଥାଆନ୍ତି । କିନ୍ତୁ ବିଚାରକରିବାବାଲା ଲୋକ ଅତି ଦୁର୍ଲଭ । ସେଥିପାଇଁ ଗୋଟିଏ ବିଚାରବନ୍ତ ଲୋକ ମିଳିଲେ, କୋଟିଏ ଅଚାର ବ୍ୟକ୍ତିଙ୍କୁ ତ୍ୟାଗ କରିଦିଆଯାଇ ପାରେ ବୋଲି କବୀର କହିଛନ୍ତି ।

 

ଆଚାରୀ ସବ ଜଗ ମିଲା, ମିଲା ବିଚାରି ନକୋୟ ।

କୋଟି ଆଚାରୀ ବାରିୟେ ଏକ ବିଚାରି ଜୋ ହୋୟ ।

 

ଗଙ୍ଗାଧର ସାହିତ୍ୟରେ ବିଚାରବନ୍ତ ଲୋକଙ୍କ ପ୍ରତି ଏଇଭଳି ଗଭୀର ସମ୍ମାନ ପ୍ରକଟ ହୋଇଛି । ଭଲ ମନ୍ଦ ଚିହ୍ନିବାର ଶକ୍ତି ନଥିଲେ ମଣିଷକୁ - ମଣିଷ ବୋଲି କୁହାଯାଇ ପାରିବ ନାହିଁ । ଗଙ୍ଗାଧର ତାଙ୍କ କାବ୍ୟରେ ବର୍ଣ୍ଣିତ ନାୟକନାୟିକାମାନଙ୍କୁ ସେଥିପାଇଁ ବିଚାରବନ୍ତ କରି ତୋଳିଛନ୍ତି । ତପସ୍ଵିନୀ କାବ୍ୟରେ ରାମଚନ୍ଦ୍ର ହେଉଛନ୍ତି ବିଚାରଶୀଳତାର ଏକ ମୂର୍ତ୍ତିମନ୍ତ ବିଗ୍ରହ । ଏହି କାବ୍ୟରେ ପ୍ରେମିକ ରାମଚନ୍ଦ୍ର ଓ ରାଜା ରାମଚନ୍ଦ୍ରଙ୍କ ମଧ୍ୟରେ ଯେଉଁ ଦ୍ଵନ୍ଦ ହୋଇଛି ଓ ରାମଚନ୍ଦ୍ର ଯେପରି ସୀତାଙ୍କ ପ୍ରତି ତାଙ୍କ ପ୍ରେମର ପରିଚୟ ଦେବା ସଙ୍ଗେ ସଙ୍ଗେ ପ୍ରଜାବତ୍ସଳତାର ଦୃଢ଼ ପରିଚୟ ପ୍ରଦାନ କରିଛନ୍ତି ତାହା ତାଙ୍କ ବିଚାର ବୁଦ୍ଧିର ପରିପକ୍ୱତାକୁ ପ୍ରମାଣିତ କରିଦେଇଛି । ରାମଚନ୍ଦ୍ର ଅନୁଭବ କରିଛନ୍ତି :-

 

ହୃଦପଛେ ଜ୍ଵଳେ ବିଦ୍ୟୁତ୍‌ ଅନଳେ

ଜଳଦାନ ଘନବାଧ୍ୟ,

ସୁଖତେଜି ରାଜା ତୋଷିବ ପରଜା

ତେବେ ତ ପରମାରାଧ୍ୟ ।

(ତପସ୍ଵିନୀ) ।

 

ବିବେକ ଲାଭ କରିଥିବା ମଣିଷକୁ ମର୍ଯ୍ୟାଦା ଦେବା ସତକ୍‌ବିର ଲକ୍ଷ୍ୟ । କବୀର ଓ ଗଙ୍ଗାଧର ଜ୍ଞାନର ଉର୍ଦ୍ଧ୍ୱରେ ଥିବା ବିବେକବନ୍ତ ମଣିଷକୁ ସେହି ମର୍ଯ୍ୟାଦା ଅର୍ପଣ କରିଛନ୍ତି । ଯେଉଁ ଭାବ ବା ଅନୁଭବ ମଣିଷ ଅନ୍ତରର ସତ୍ୟକୁ ଉନ୍ମୋଚନ କରିଦେଇପାରେ ତାହାକୁ ହିଁ କବୀର ଓ ଗଙ୍ଗାଧର ଉଚ୍ଚକୋଟୀର ସାହିତ୍ୟ ବୋଲି ବିଚାର କରୁଥିଲେ । ତେଣୁ ଉଭୟେ ସାହିତ୍ୟ କହିଲେ ଆଳଙ୍କାରିକତାକୁ କିମ୍ବା ମନୋରଞ୍ଜନକୁ ବୁଝି ନାହାନ୍ତି । ସାହିତ୍ୟ ମଣିଷକୁ ପରିବର୍ତ୍ତିତ, ଉତ୍ତରିତ କରିଦେବାର ଏକ ମାଧ୍ୟମ ବୋଲି ସେମାନେ ଗଭୀର ଭାବରେ ବିଶ୍ଵାସ କରିଛନ୍ତି ।

 

ମଣିଷ ଜୀବନ ମହତ୍ତର ଉପଲବ୍‌ଧିରେ ଯେପରି ପରିପୂର୍ଣ୍ଣ ସେପରି ନିମ୍ନ ପ୍ରକୃତିର ପ୍ରଭାବରେ ବିପର୍ଯ୍ୟସ୍ତ । ମିଥ୍ୟା, କପଟତା, ଲୋଭ, କ୍ରୋଧ, ଅହଙ୍କାର, କାମ ଇତ୍ୟାଦି ନାନା ଦୁଷ୍ପ୍ରବୃତ୍ତି ମାନବ ଜୀବନକୁ କିପରି ସଙ୍କୁଚିତ ଓ କ୍ଲେଦାକ୍ତ କରି ପକାଏ ତାହାର ଅର୍ଥପୂର୍ଣ୍ଣ ଇଙ୍ଗିତ କବୀର ଓ ଗଙ୍ଗାଧର ଦେଇଛନ୍ତି ଓ ଏହି ସଙ୍କୀର୍ଣ୍ଣତାରୁ ମୁକ୍ତ ହେବା ପାଇଁ ଆଲୋକର ମାର୍ଗ ପ୍ରଦର୍ଶନ କରିଯାଇଛନ୍ତି । ସନ୍ଥ କବୀର ଓ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୀବନାଦର୍ଶ ଓ ସାହିତ୍ୟାଦର୍ଶର ତୁଳନାତ୍ମକ ଅନୁଶୀଳନ ଦ୍ଵାରା ଏକଥା ପ୍ରତିପାଦିତ ହୋଇପାରିଛି ଯେ, ମଣିଷର ଚରିତ୍ର କିପରି ଅଧିକ ପ୍ରାଣବନ୍ତ ଓ ସୌନ୍ଦର୍ଯ୍ୟମୟ ହେବ, ତା’ର ହୃଦୟ କିଭଳି ଅଧିକ ପ୍ରଶସ୍ତ ଓ ଗଭୀର ହେବ, ତା’ର ଉପଲବ୍ଧି କିପରି ସବୁ ଦୃଷ୍ଟିରୁ ସୁଷମାନ୍ଵିତ ଓ ଅର୍ଥପୂର୍ଣ୍ଣ ହେବ ସେଇଥିପାଇଁ ଉଭୟ କବି ନିଜ ଜୀବନ ଓ ସାହିତ୍ୟରେ ପ୍ରଭାବଶାଳୀ ସନ୍ଦେଶ ପ୍ରଦାନ କରିଛନ୍ତି । ଏହା ହିଁ କବୀର ଓ ଗଙ୍ଗାଧରଙ୍କ ଜୀବନ ଓ ସାଧନାର ଶ୍ରେଷ୍ଠ ସଫଳତା ।

 

 

ଗ୍ରା:/ପୋ:ଲେଣ୍ଡା, ଭାୟା: ବରପାଲି

ଜି: ବରଗଡ଼-ପିନ୍‌- ୭୬୮୦୨୯

 

ସହାୟକ ଗ୍ରନ୍ଥସୂଚୀ :

୧.

କବୀର ରଚନାବଳୀ (ଅନୁବାଦ: ବନମାଳୀ ମିଶ୍ର) ସାହିତ୍ୟ ଅକାଦେମି, ରବୀନ୍ଦ୍ର ଭବନ, ୩୫ ଫିରୋଜ ସାହା ରୋଡ, ନୂଆଦିଲ୍ଲୀ-୧, ୧୯୮୬ ।

୨.

କବୀର, କବୀର ଗ୍ରନ୍ଥାବଳୀ ସଟିକ । ସମ୍ପାଦନା : ଡା: ଶ୍ୟାମସୁନ୍ଦର ଦାସ । ନବୀନ ସଂସ୍କରଣ, ଅଶୋକ ପ୍ରକାଶନ, ନୟାସଡ଼କ, ଦିଲ୍ଲୀ-୬,୧୯୯୯ ।

କବୀର ବାନୀ । ସମ୍ପାଦନା ଓ ଅନୁବାଦ: ଅଲୀ ସରଦାର ଜାଫରୀ, ପ୍ରଥ ରାଜକମଳ ସଂସ୍କରଣ, ରାଜକମଳ ପ୍ରକାଶନ ପ୍ରା:ଲି:, ୧-ବି, ନେତାଜୀ ସୁବାଷ ମାର୍ଟ, ଦରିଆଗଞ୍ଜ, ନୂଆଦିଲ୍ଲୀ -୨,୧୯୯୯ ।

୪.

କୃପାଲାନୀ କୃଷ୍ଣ, ଗାନ୍ଧୀ କଥାମୃତ, ଦ୍ୱିତୀୟ ମୁଦ୍ରଣ ସାହିତ୍ୟ ଅକାଦେମି, ରବୀନ୍ଦ୍ର ଭବନ, ନୂଆଦିଲ୍ଲୀ -୧, ୧୯୮୬ ।

୫.

ବଂଶୀ ଡା: ବଳଦେବ, କବୀର କି ଚିନ୍ତା । ପ୍ରଥମ ସଂସ୍କରଣ, ବାଣୀ ପ୍ରକାଶନ, ୨୧-ଏ ଦରିଆଗଞ୍ଜ, ନୂଆଦିଲ୍ଲୀ- ୨,୨୦୨ ।

୬.

ବାଳବେଡେକର ଚନ୍ଦ୍ରକାନ୍ତ, କବୀର କା ସାହିତ୍ୟିକ ଔର ଉନକା ଯୋଗଦାନ: କବୀର ଅନୁଶୀଳନ, (ସମ୍ପାଦକ: ପ୍ରେମ ଶଙ୍କର ତ୍ରିପାଠୀ, ପ୍ରକାଶକ- ଶ୍ରୀମହାବୀର ବଜାଜ, ମଙ୍ଗୀ, ଡା ବଡ଼ାବାଜାର କୁମାର ସଭା ପୁସ୍ତକାଳୟ, ୯- ସି, ମଦନମୋହନ ବର୍ମନ ଷ୍ଟ୍ରୀଟ୍‌, କଲିକତା- ୭୦୦୦୭, ପ୍ରକାଶନ ସମୟ ୩୦ ଜୁଲାଇ - ୨୦୦୦ ।

୭.

ମିଶ୍ର ବିଦ୍ୟାନିବାସ, କବୀର ବଚନାମୃତ । ପ୍ରଭାତ ପ୍ରକାଶନ, ୪/୧୯, ଆସଫ୍‌ ଅଲ୍ଲୀ ରୋଡ୍‌, ନୂଆଦିଲ୍ଲୀ - ୨, ୧୯୯୯ ।

୮.

ବ୍ରହ୍ମା ଗୌରୀ କୁମାର, ତପସ୍ଵିନୀ ଓ ମେହେର ସାହିତ୍ୟ । ଦ୍ୱିତୀୟ ସଂସ୍କରଣ, ନାଳନ୍ଦା, ବିନୋଦ ବିହାରୀ, କଟକ-୨,୨୦୦୭ ।

୯.

ମହାପାତ୍ର ସୁଚିତ୍ରା, ମେହେର ସାହିତ୍ୟରେ ଯୁଗ ଚେତନା । ପ୍ରଥମ ସଂସ୍କରଣ, କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, କଟକ-୨, ୧୯୮୬ ।

୧୦.

ମେହେର ଗଙ୍ଗାଧର, ସ୍ଵଭାବ କବି ଗଙ୍ଗାଧର ଗ୍ରନ୍ଥାବଳୀ । ପ୍ରଥମ ପୂର୍ଣ୍ଣାଙ୍ଗ ସଂସ୍କରଣ, ସମ୍ପାଦକ, ଡକ୍ଟର ମଣୀନ୍ଦ୍ର କୁମାର ମେହେର, ଗ୍ରନ୍ଥମନ୍ଦିର କଟକ- ୨, ୧୯୯୮ ।

୧୧.

ମେହେର ଭଗବାନ, ପିତୃପ୍ରସଙ୍ଗ । ପ୍ରଥମ ପ୍ରକାଶ: ଓଡ଼ିଶା ବୁକ୍‌ ଷ୍ଟୋର୍‌, ବିନୋଦ ବିହାରୀ, ଏ କଟକ-୨, ୧୯୭୭ ।

୧୨.

ମେହେର କେଶବଚନ୍ଦ୍ର, କାଳଜୟୀ କବି ଗଙ୍ଗାଧର । ପ୍ରଥମ ପ୍ରକାଶ, କଟକ ଷ୍ଟୁଡେଣ୍ଟ୍ରସ୍‌ ଷ୍ଟୋର, କଟକ-୨, ୧୯୯୯ ।

୧୩.

ତିୱାରୀ ପାରସନାଥ, ଜୀବନ ଚରିତ: କବୀର (ଅନୁବାଦ: ସଚ୍ଚିଦାନନ୍ଦ କାନୁନ୍‌ଗୋ) ଦ୍ଵିତୀୟ ସଂସ୍କରଣ, ନ୍ୟାସନାଲ ବୁକ୍‌ଟ୍ରଷ୍ଟ୍‌ ଇଣ୍ଡିଆ, ଏ-୫, ଗ୍ରୀନ୍‌ ପାର୍କ, ନୂଆଦିଲ୍ଲୀ- ୧୬, ୧୯୯୨ ।

୧୪.

ଶୁକ୍ଳ ଆଚାର୍ଯ୍ୟ ରାମଚନ୍ଦ୍ର, ହିନ୍ଦୀ ସାହିତ୍ୟ କା ଇତିହାସ । ପ୍ରଥମ ଲୋକଭାରତୀ ସଂସ୍କରଣ, ଲୋକଭାରତୀ ପ୍ରକାଶନ, ମହାତ୍ମା ଗାନ୍ଧୀ ମାର୍ଗ, ଏହ୍ଲାବାଦ-୧, ୨୦୦୧ ।

୧୫.

ସାହୁ ଆଦିକନ୍ଦ, କିର୍କେଗାର୍ଡ଼ ଓ ସାହିତ୍ୟରେ ଅସ୍ତିତ୍ଵବାଦ । ପ୍ରଥମ ସଂସ୍କରଣ, ଅଗ୍ରଦୂତ, ବାଙ୍କାବଜାର, କଟକ - ୨, ୨୦୦୧ ।

 

***

 

Unknown

କାଳିଦାସଙ୍କ ରଘୁବଂଶମ୍‌ ଓ ଗଙ୍ଗାଧରଙ୍କ ଇନ୍ଦୁମତୀ : ଏକ ତୁଳନାତ୍ମକ ଅଧ୍ୟୟନ

ରଘୁନାଥ ମେହେର

 

ଦୀପଶିଖା କବି କାଳିଦାସ ଭାରତୀୟ ସାହିତ୍ୟରେ ମହାକବି ରୂପେ ପ୍ରସିଦ୍ଧି ଲାଭ କରି ବିପୁଳଯଶା ହୋଇଛନ୍ତି । ମହାକାବ୍ୟ ‘‘ରଘୁବଂଶମ୍‌’’ ମହର୍ଷି ବାଲ୍ମୀକି ପ୍ରଣୀତ ରାମାୟଣ କଥାବସ୍ତୁ ଆଧାରିତ ମହାକବି କାଳିଦାସଙ୍କ କାଳଜୟୀ ସୃଷ୍ଟି ତଥା ଭାରତୀୟ ଚରିତ୍ରମାନଙ୍କ ଏକ ଚାରୁ ଚିତ୍ରଶାଳା । ସୂର୍ଯ୍ୟବଂଶୀ ନରପତିଙ୍କ ଚରିତ ବର୍ଣ୍ଣନା ‘‘ରଘୁବଂଶମ୍‌’’ ମହାକାବ୍ୟର କଥାବସ୍ତୁ । ମହାରାଜ ଦିଲୀପଙ୍କଠାରୁ ଆରମ୍ଭ କରି ରଘୁ, ଅଜ, ଦଶରଥ, ରାମଚନ୍ଦ୍ର କୁଶ, ଅତିଥି, ନିଷଧ, ନଳ, ପୁଣ୍ଡରୀକ, କ୍ଷେମଧନ୍ୱା, ଦେବାନୀକ, ଅହୀନଗୁ, କୌଶଲ୍ୟ, ବ୍ରହ୍ମିଷ୍ଠ, ପୁତ୍ର, ପୁଷ୍ୟ, ଧ୍ରୁବସନ୍ଧି, ସୁଦର୍ଶନ ଓ ଅଗ୍ନିବର୍ଣ୍ଣ ରାଜାଙ୍କ ପର୍ଯ୍ୟନ୍ତ ଜୀବନ ଚରିତ୍ର ରଘୁବଂଶମ୍‌ରେ ବର୍ଣ୍ଣିତ । ଏଥିରେ ରାଜାମାନଙ୍କ ଚରିତ୍ର ଚିତ୍ରଣ କଳାଶ୍ରୀରେ ଯେଭଳି ସୁଷମା ମଣ୍ଡିତ, ଭାବ ପରିବେଷଣରେ ଅନୁରୂପ ଭାବୋଦ୍ଦୀପକ ହୋଇଛି ମାତ୍ର ୧୯ ଗୋଟି ସର୍ଗର କଳେବର ଭିତରେ । ପ୍ରଥିତଯଶା ମହାରାଜା ରଘୁ ସୂର୍ଯ୍ୟବଂଶର ପରାକ୍ରମଶାଳୀ ନରପତି । ରାଜା ରଘୁଙ୍କ ବଂଶର ମହିମା ପ୍ରଖ୍ୟାପନ କାବ୍ୟର କଥାବସ୍ତୁ ହୋଇଥିବାରୁ କବିକୁଳ ଗୁରୁ କାବ୍ୟର ନାମକରଣ କରିଛନ୍ତି ‘‘ରଘୁବଂଶମ୍‌’’ ।

 

‘ଇନ୍ଦୁମତୀ’ ସ୍ଵଭାବ କବି ଗଙ୍ଗାଧରଙ୍କ ଆଦ୍ୟ ରଚନାର ସଫଳ ପ୍ରତିଶ୍ରୁତି । ଅକ୍ଟୋବର, ୧୮୯୩ ମସିହାରେ ଗଙ୍ଗାଧରଙ୍କଠାରୁ ଇନ୍ଦୁମତୀର ପୂର୍ଣ୍ଣାଙ୍ଗ ପାଣ୍ଡୁଲିପି ପ୍ରାପ୍ତ ହୋଇ କବିବର ରାଧାନାଥ ପଠନ ପରେ ତା. ୨୨.୨.୧୮୯୪ ଓ ୬.୧୨.୧୮୯୪ରେ ଦେଇଥିବା ମନ୍ତବ୍ୟରେ ସୂଚିତ କରିଛନ୍ତି । ‘‘ଏହି କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହନ୍ତି । ମୂଳଚରିତ ରଘୁବଂଶରୁ ସଂଗୃହୀତ ହୋଇଥିଲେ ହେଁ ଏହାର ଭାବ ଏବଂ ଭାଷା ଦୃଷ୍ଟିରେ ମୁଁ ଏହାକୁ ଅଭିନବ ଏବଂ ଉତ୍କୃଷ୍ଟ କାବ୍ୟ ରୂପେ ଗ୍ରହଣ କରିବାକୁ ଲବେ ମାତ୍ର କୁଣ୍ଠିତ ହେବି ନାହିଁ । ମୋହ ମତରେ ଇନ୍ଦୁମତୀ ସ୍ଵଭାବ ସୁନ୍ଦରୀ ଉତ୍କଳ ଭାରତୀଙ୍କର ଅନୁପଯୁକ୍ତ ଭୂଷଣ ନୁହେଁ । ‘‘ଆଶାକରେ ଉତ୍କଳର ସାହିତ୍ୟ ରସିକମାନେ କାବ୍ୟ ଖଣ୍ଡିତ ସମଗ୍ର ପାଠ କରି ନିଜ ନିଜ ମତ ସ୍ଥିର କରିବେ । ଉତ୍କଳୀୟ ପାଠକଙ୍କର ତ କଥା ନାହିଁ, ଯେଉଁମାନେ ସଂସ୍କୃତ ରଘୁବଂଶରେ ଇନ୍ଦୁମତୀ ଚରିତ ପାଠ କରିଅଛନ୍ତି, ସେମାନେ ସୁଦ୍ଧା ଏହି କାବ୍ୟ ପାଠ କରି ପଠନ ଶ୍ରମକୁ ପଣ୍ଡଶ୍ରମ ମଣିବେ ନାହିଁ ।” (ଇନ୍ଦୁମତୀ, କବିବର ରାଧାନାଥ ବାହାଦୂରଙ୍କ ମନ୍ତବ୍ୟ - ଗଙ୍ଗାଧର ଗ୍ରନ୍ଥାବଳୀ)

 

ଫଳତଃ ମୟୂରଭଞ୍ଜ ମହାରାଜାଙ୍କ ଆନୁକୂଲ୍ୟରେ ‘‘ଇନ୍ଦୁମତୀ’’ ଉତ୍କଳ ପ୍ରେସରେ କ୍ରମାଗତ ଭାବରେ ନଭେମ୍ବର, ୧୮୯୩, ଜାନୁୟାରୀ, ୧୮୯୪, ଫେବୃୟାରୀ ୧୮୯୪ ଓ ଏପ୍ରିଲ ୧୮୯୪ “ସଂଖ୍ୟାରେ ପ୍ରକାଶିତ ହୋଇ କାବ୍ୟରୂପେ ୧୮୯୪ ମସିହାରେ ଆତ୍ମପ୍ରକାଶ କଲା ‘ଉତ୍କଳପ୍ରଭା’ ସାହିତ୍ୟିକ ପୁରସ୍କାର ୨୫ ଟଙ୍କା ଲାଭ ସହିତ । ଏଠାରୁ ସ୍ପଷ୍ଟ ଯେ ମହାକବି ରଘୁବଂଶମ୍‌ରେ ବର୍ଣ୍ଣିତ ଇନ୍ଦୁମତୀ ଚରିତ ଆଧାରରେ ଗଙ୍ଗାଧରଙ୍କ ‘‘ଇନ୍ଦୁମତୀ’’ ପରିକଳ୍ପନା ।

 

ଓଡ଼ିଆ କାବ୍ୟ ସାହିତ୍ୟରେ କବିବର ରାଧାନାଥଙ୍କ ଲେଖନରୁ କାଳୀଦାସୀୟ କାବ୍ୟର ପ୍ରଥମ ଉତ୍କଳାନୁବାଦ ହେଉଛି ‘ମେଘଦୂତ’ । ପରବର୍ତ୍ତୀ ସମୟରେ ମଧୁସୂଦନ ରାଓଙ୍କ “ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ’’ ରଘୁବଂଶର ତ୍ରୟୋଦଶ ସର୍ଗର କାବ୍ୟାନୁବାଦରେ ପ୍ରକାଶ ପାଇଥିଲା, କିନ୍ତୁ ଗଙ୍ଗାଧରଙ୍କ ଇନ୍ଦୁମତୀ (୧୮୯୪) ରଘୁବଂଶର ଆକ୍ଷରିକ ଅନୁବାଦ ନ ହୋଇ ଛାୟାନୁବାଦ ଶୈଳୀରେ ଗଙ୍ଗାଧରୀ । କବିତ୍ଵ-ରସ ସଞ୍ଚାର କରିଛି ।

 

ରଘୁବଂଶ ମହାକାବ୍ୟର ପଞ୍ଚମ, ଷଷ୍ଠ, ସପ୍ତମ ଓ ଅଷ୍ଟମ ସର୍ଗରେ ଅଜ ଇନ୍ଦୁମତୀ ଚରିତ ବର୍ଣ୍ଣିତ । ବରତନ୍ତୁ ମହର୍ଷିଙ୍କ ଶିଷ୍ୟ ‘କୌତ୍ସ’ଙ୍କ ଆଶୀର୍ବାଦରେ ଅଯୋଧ୍ୟାର ପ୍ରଥିତଯଶା ମହାରାଜ ‘ରଘୁ’ କାର୍ତ୍ତିକେୟଙ୍କ ଭଳି ଏକ ପୁତ୍ର ସନ୍ତାନ କୋଳରେ ଲାଭ କରି ଏହି ତେଜୋଦୀପ୍ତ, ବଳିଷ୍ଠ ଶରୀର, ବୀର ପୁତ୍ରଙ୍କର ନାମ ରଖିଥିଲେ ‘ଅଜ’ । କ୍ରଥକୈଶିକ ଦେଶ ଅଧିପତି ଭୋଜ ଭଗିନୀ ଇନ୍ଦୁମତୀଙ୍କ ସ୍ଵୟମ୍ବର କରୁଥିବା ଅବକାଶରେ ସାକେତ ନରପତି ରଘୁଙ୍କୁ ରାଜକୁମାର ଅଜଙ୍କ ସହିତ ନିମନ୍ତ୍ରଣ କରିଥିଲେ । ରାଜା ରଘୁ ରାଜକୁମାର ଅଜଙ୍କ ବିବାହଯୋଗ୍ୟ ବୟସ ହୋଇଥିବାରୁ ସସୈନ୍ୟ ତାଙ୍କୁ ବିଦର୍ଭ ସ୍ଵୟମ୍ବର ସଭାକୁ ପଠାଇଥିଲେ । ପଥ ମଧ୍ୟରେ ବିଭିନ୍ନ ସ୍ଥାନରେ ଅଜଙ୍କ ରହଣୀ ପାଇଁ ସୁବ୍ୟବସ୍ଥା କରାଯାଇଥିଲା ଏବଂ ଯୁବରାଜ ଅଜଙ୍କ ମନରେ ତାହା ବନଭୂମି ବୋଲି ଜଣା ନ ପଡ଼ି ବିହାର ଉଦ୍ୟାନର ପ୍ରତୀତୀ ସୃଷ୍ଟି କରୁଥିଲା । ନର୍ମଦା ନଦୀକୂଳରେ ଅବସ୍ଥାନ କାଳରେ କୌଣସି ବନ୍ୟଗଜ ସେନା ଛାଉଣୀକୁ ଅସ୍ତବ୍ୟସ୍ତ କରୁଥିବା ଦେଖି ଅଜ ହସ୍ତୀକୁ ଜୀବନରେ ନ ମାରି ଘଉଡ଼ାଇ ଦେବା ଉଦ୍ଦେଶ୍ୟରେ ଧନୁକୁ ଅଳ୍ପ ଆକର୍ଷଣ କରି ଏକ ଶରରେ ତାର ଗଣ୍ଡସ୍ଥଳ ବିଦ୍ଧ କରନ୍ତେ ସେ ହସ୍ତୀରୂପ ପରିହାର କରି ସୁନ୍ଦର ଗନ୍ଧର୍ବ ରୂପ ଧାରଣ କରିଥିଲେ । ସେ ଅଜଙ୍କୁ କହିଥିଲେ ‘‘ହେ ରାଜକୁମାର ମୋ ଗର୍ବ ଯୋଗୁଁ ମୁଁ ମତଙ୍ଗ ମୁନିଙ୍କଠାରୁ ଅଭିଶାପଗ୍ରସ୍ତ ହୋଇ ହସ୍ତୀରୂପ ଧାରଣ କରିଥିଲି । ମୁଁ ଗନ୍ଧର୍ବରାଜ ପ୍ରିୟଦର୍ଶନଙ୍କ ପୁତ୍ର ପ୍ରିୟମ୍ବଦ । ତୁମଦ୍ଵାରା ଲୌହଫଳକଯୁକ୍ତ ଶର ମୋର ଗଣ୍ଡସ୍ଥଳ ବିଦ୍ଧ କରିବାକୁ ମୁଁ ଶାପଯୁକ୍ତ ହୋଇଛି ।’’ କହି ସେ ରାକୁମାର ଅଜଙ୍କୁ ‘ସମ୍ମୋହନ’ ନାମକ ଗନ୍ଧର୍ବ ଅସ୍ତ୍ର ପ୍ରଦାନ କରିଥିଲେ । ଏହି ଅସ୍ତ୍ର ପ୍ରୟୋଗରେ ଶତ୍ରୁ ମରନ୍ତି ନାହିଁ, କିନ୍ତୁ ପ୍ରୟୋଗକାରୀ ବିଜୟୀ ହୋଇଥାଏ । ଯୁବରାଜ ଅଜ ବିଦର୍ଭରାଜ୍ୟ ଅଭିମୁଖେ ଗମନ କରନ୍ତେ ନଗର ଉପକଣ୍ଠରେ ବିଦର୍ଭରାଜା ଅଜଙ୍କୁ ପାଛୋଟି ନେଇ ଏକ ରମଣୀୟ ପ୍ରାସାଦରେ ରଖାଇଲେ । ପ୍ରଭାତରେ ରାଜବୈତାଳିକମାନେ ସ୍ତୁତିପାଠ କରି ଅଜଙ୍କର ନିଦ୍ରାଭଙ୍ଗ କଲେ ଏବଂ ଯଥାବିଧି ପ୍ରାତଃକୃତ୍ୟ ସମାପନ କରି ଅଜ ସ୍ଵୟମ୍ବର ସଭାକୁ ଗମନ କଲେ-। ସଭାସ୍ଥଳରେ ରାଜାମାନେ ମନୋହର ବେଶରେ ସୁସଜ୍ଜିତ ମଣ୍ଡପମାନଙ୍କରେ ସିଂହାସନ ଉପରେ ବସି ରହି ଦେବତାମାନଙ୍କ ପରି ଦେଖା ଯାଉଥିଲେ । ରତିଦେବୀଙ୍କ ନିବେଦନରେ ସନ୍ତୁଷ୍ଟ ଶିବଙ୍କ ଦ୍ଵାରା ପ୍ରତ୍ୟର୍ପିତ କାମଦେବଭଳି ରୂପଧାରଣ କରିଥିବା ଅଜଙ୍କୁ ଦେଖି ଉପସ୍ଥିତ ରାଜାମାନଙ୍କ ମନରେ ଇନ୍ଦୁମତୀ ପ୍ରାପ୍ତି ଆଶା ମଉଳିଗଲା । ମହାକାବ୍ୟ ରଘୁବଂଶରେ ପବିତ୍ର ରଘୁବଂଶର ଗୌରବ ବର୍ଣ୍ଣିତ ହୋଇଥିବାରୁ ଅଜ-ଇନ୍ଦୁମତୀ ଚରିତ ବର୍ଣ୍ଣନା ପ୍ରାଞ୍ଜଳ ଓ ମନୋଜ୍ଞ ଭାବରେ କରାଯାଇଛି । ସ୍ଵଭାବ କବି ଗଙ୍ଗାଧର କେବଳ ମାତ୍ର ଇନ୍ଦୁମତୀ ସ୍ଵୟମ୍ବର ପରବର୍ତ୍ତୀ କଥାବସ୍ତୁ ରଘୁବଂଶର ପଞ୍ଚମ ସର୍ଗର ୩୯ ଶ୍ଲୋକଠାରୁ ଆରମ୍ଭ କରି ଅଷ୍ଟମ ସର୍ଗର ସମାପ୍ତି ପର୍ଯ୍ୟନ୍ତ ପ୍ରାୟ ୨୯୦ଟି ଶ୍ଲୋକ ଆଧାରରେ ଉତ୍କଳୀୟ ଭାଷାରେ ଇନ୍ଦୁମତୀଙ୍କ କାବ୍ୟରୂପ ପ୍ରଦାନ କରିଛନ୍ତି ।

 

ଇନ୍ଦୁମତୀରେ ଗଙ୍ଗାଧରଙ୍କ ରଘୁବଂଶରୁ ‘ଆହରଣ ଓ ମୌଳିକତା’

‘ଇନ୍ଦୁମତୀ’, ‘ପୂର୍ବଭାଗ’ ଓ ‘ଉତ୍ତରଭାଗ’ ଦୁଇଟି ସର୍ଗରେ ବିଭାଜିତ । ପୂର୍ବଭାଗ ୧୮୮ଟି ପଦରେ ରଚିତ ହୋଇଥିବାବେଳେ ଉତ୍ତରଭାଗରେ ପଦସଂଖ୍ୟା ହେଉଛି ୧୩୭ । ମୋଟ ୩୨୫ ଗୋଟି ପଦର ରଚନାରେ ଇନ୍ଦୁମତୀର ପରିକଳ୍ପନା । ପ୍ରାଚ୍ୟ ସଂସ୍କୃତି ଓ ଆର୍ଯ୍ୟ ଜୀବନ ବୋଧକୁ ଭିତ୍ତିକରି ଗଙ୍ଗାଧରଙ୍କ ସାହିତ୍ୟ ସାଧନା । ବାଲ୍ୟକାଳରେ ପିତାମହଙ୍କ ସହିତ ପ୍ରାତଃସ୍ନାନ ସାରି ଜଗନ୍ନାଥ ଦର୍ଶନ ଗୀତା, ଭାଗବତ ଶୁଣିବାରେ ଆଗ୍ରହ ପୁଣି ଛାତ୍ରାବସ୍ଥାରେ ରାସ ପଞ୍ଚାଧ୍ୟାୟୀ, ନାମରତ୍ନଗୀତା ଗୋପୀଭାଷା, ମଥୁରାମଙ୍ଗଳ ଓ ବିଶେଷତଃ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ ସମୟରେ କାଳିଦାସଙ୍କ ରଘୁବଂଶ କାବ୍ୟ ପଠନ ଦ୍ଵାରା ଗଙ୍ଗାଧରଙ୍କ ମାନସିକ ଚିନ୍ତା ଓ ଚେତନାରେ ପ୍ରାଚ୍ୟ ଆଦର୍ଶବୋଧ ହିଁ ସ୍ଥାନୀତ ହୋଇଥିଲା । ରୀତିକାବ୍ୟର ଶୈଳୀରେ ଶ୍ରୀକୃଷ୍ଣଙ୍କ ପୌତ୍ର ଅନିରୁଦ୍ଧ ଓ ବାଣାସୁର କନ୍ୟା ‘ଉଷା’ର ପ୍ରଣୟ କାହାଣୀ ଆଧାରରେ ଗଙ୍ଗାଧରଙ୍କ ପ୍ରଥମ ସୃଷ୍ଟି ‘ରସ ରତ୍ନାକର’ ଛନ୍ଦୋବଦ୍ଧ ଓ ଆଳଙ୍କାରିକତା ପ୍ରୟୋଗର ଏକ ପୌରାଣିକ କାବ୍ୟ । ୧୮୯୨ ମସିହାରେ ଶାର୍ଦ୍ଧୂଳ ବିକ୍ରୀଡ଼ିତ ଛନ୍ଦରେ ରଚିତ ଅହଲ୍ୟାସ୍ତବ କବିଙ୍କ ଦ୍ଵିତୀୟ ସୃଷ୍ଟି । ଗୁରୁ ଲଘୁ ନିୟମରେ ଓଡ଼ିଆ ଉଚ୍ଚାରଣ ସଂସ୍କୃତ ବୃତ୍ତରେ ଆଦୌ ଅନୁକୂଳ ନୁହେଁ ବୋଲି କବିବର ରାଧାନାଥଙ୍କ ପରାମର୍ଶରେ ଗଙ୍ଗାଧର ଏହାକୁ ବଙ୍ଗଳାଶ୍ରୀ ରାଗରେ ରଚନା କରି ଭାରତୀୟ ପରମ୍ପରାକୁ ପୁଣିଥରେ ଉଦ୍ଦୀପ୍ତ କରିଥିଲେ । ଇନ୍ଦୁମତୀ କବି ସାଧନାର ତୃତୀୟ ଅର୍ଘ୍ୟ, ରାଧାନାଥୀ ଶୈଳୀ ଅନୁସରଣର ପ୍ରଥମ ପ୍ରୟାସ । ପରମ୍ପରା ଓ ପୁରୋଦୃଷ୍ଟି, ପ୍ରାଚୀନ ଓ ନବୀନ, ସୁନୀତି ଓ ସୁରୁଚିର ସମ୍ମେଳନର ମନ୍ମୟ ପରିପ୍ରକାଶ ଗଙ୍ଗାଧରଙ୍କ ପବିତ୍ର-ସୁନ୍ଦର କାବ୍ୟ ଇନ୍ଦୁମତୀ କାଳିଦାସଙ୍କ ମହାକାବ୍ୟ ରଘୁବଂଶର ଛାୟାରେ ରଚିତ ଏକ ଉତ୍କଳାନୁବାଦ, ଏଣୁ ଏଥିରେ ଗଙ୍ଗାଧରଙ୍କ ମୌଳିକତା ଓ ସଂରକ୍ଷିତ ହୋଇଛି ।

 

ଭୋଜଭଗିନୀ ‘ଇନ୍ଦୁମତୀ’ଙ୍କ ସ୍ଵୟମ୍ବରରୁ ହିଁ ଇନ୍ଦୁମତୀ କାବ୍ୟ କଥା ବସ୍ତୁର ଆରମ୍ଭ । ଗଙ୍ଗାଧର ବହୁସ୍ଥାନରେ କାଳିଦାସୀୟ ପ୍ରଭାବରୁ ମୁକ୍ତ ହେବା ପାଇଁ ପ୍ରଯତ୍ନ କରି ସ୍ଵକୀୟ କଳା ଗୌରବରେ କାବ୍ୟକୁ ସୁଷମାନ୍ୱିତ କରିଛନ୍ତି । ‘ରଘୁବଂଶ’ର କବି ଇନ୍ଦୁମତୀଙ୍କ ସ୍ଵୟମ୍ବର ସଭାରେ ରାଜାମାନଙ୍କ ଆଗମନ ଓ ସିଂହାସନ ଉପରେ ବସିଥିବା ଦୃଶ୍ୟ ‘‘ବିମାନରେ ବସିଥିବା ଦେବତାମାନଙ୍କ ପରି ପ୍ରତୀତୀ ସୃଷ୍ଟି କରିଥିବାବେଳେ ସୁରୁଚିର କବି ଗଙ୍ଗାଧରଙ୍କ ଦୃଷ୍ଟିରେ ସେହି ଦୃଶ୍ୟ ସନ୍ଧ୍ୟା ଦେବୀ କୋଳରେ ଉଜ୍ଜ୍ୱଳ ତାରକା ପଂକ୍ତିର ଉଦୟ । ପୁଣି ଏମାନଙ୍କ ସିଂହାସନ ଆରୋହଣ ପଦ୍ମବନରେ ପ୍ରସ୍ତୁଟିତ ପଦ୍ମପୁଷ୍ପ ସମୂହ ପରି ଦେଖାଯାଇଛି । କବି କୁଳଗୁରୁଙ୍କ ଲେଖନୀରେ ଯୁବରାଜ ଅଜଙ୍କ ରୂପ ଶୋଭା ବହୁମୂଲ୍ୟ ବେଶ ପରିଧାନକାରୀ ରାଜନ୍ୟମଣ୍ଡଳୀଙ୍କ ମଧ୍ୟରେ ‘‘କଳ୍ପ ବୃକ୍ଷମାନଙ୍କ ପାରିଜାତ ବୃକ୍ଷ ପରି’’ ଚିତ୍ରିତ ହୋଇଥିବାବେଳେ ସ୍ଵଭାବ କବିଙ୍କ ରଚନାରେ ପୂର୍ଣ୍ଣ ଚନ୍ଦ୍ରଙ୍କ ଆଗମନରେ ତାରକା କୁଳଙ୍କ ତେଜ ମ୍ଳାନ ହୋଇଥିବାର ବର୍ଣ୍ଣନା ରହିଛି ।

 

ଯଥା- ରଘୁବଂଶରେ-

ତେଷାଂ ମହାର୍ହାସନସଂସ୍ଥିତାନାମୁଦାରନେପଥ୍ୟଭୃତାଂ ସମଧ୍ୟେ ।

ରରାଜ ଧାମ୍ନା ରଘୁସୂନୁରେବ କଳ୍ପଦ୍ରୁମାଣାଣିବ ପାରିଜାତଃ ॥

(ଷଷ୍ଠସର୍ଗ-୬ ଶ୍ଲୋକ)

 

ଇନ୍ଦୁମତୀରେ -

ପୂର୍ଣ୍ଣକଳାକର            ସମୁଦିତ ହେଲେ ।

ତାରାକୁଳ ଯଥା ମ୍ଳାନ,

ଅଜ ଆଗମନେ            ନୃପମାନଙ୍କର

ହ୍ରସ୍ୱ ହେଲା ଅଭିମାନ । (୧୬-ପଦ)

 

ଏଠାରେ ସ୍ପଷ୍ଟ କରାଯାଉଛି ଯେ ‘ରଘୁବଂଶମ୍‌’ରେ ସୂର୍ଯ୍ୟବଂଶୀ ନରପତିଙ୍କ ଚରିତି ବର୍ଣ୍ଣିତ, କିନ୍ତୁ ‘ଇନ୍ଦୁମତୀ’ ଆର୍ଯ୍ୟଲଳନାର ମନୋଜ୍ଞ ଜୀବନାଦର୍ଶର ଛବିଙ୍କୁ ଅଙ୍କନ କରିଛି । ଭାରତୀୟ ନାରୀ ସ୍ଵଇଚ୍ଛାରେ ପତି ନିର୍ବାଚନ କରି ଏକ ସଫଳ ଦାମ୍ପତ୍ୟ ଜୀବନ ଭିତରେ ମାତୃତ୍ଵ ଲାଭ କରିଛି ଏବଂ ଶଙ୍ଖା ସିନ୍ଦୂର ସହିତ ପତିକୋଳରେ ଶେଷ ନିଶ୍ୱାସ ତ୍ୟାଗ କରିଛି । କବି ଗଙ୍ଗାଧରଙ୍କ ‘ଇନ୍ଦୁମତୀ’ ରଚନାପୂର୍ବର କବିବର ରାଧାନାଥ ରାୟଙ୍କ ପାର୍ବତୀ, ଉଷା, ନନ୍ଦିକେଶ୍ୱରୀ ଆଦି ରଚିତ ହୋଇସାରିଛି ଏବଂ ରାଧାନାଥଙ୍କ ନାରୀ ଚରିତ୍ର ଚିତ୍ରଣ ଉତ୍କଳୀୟ ସଂସ୍କୃତିକୁ ବିନଷ୍ଟ କରିଛି ବୋଲି-। କୁତ୍ସାରଟନା ତତ୍କାଳୀନ ସାହିତ୍ୟିକ ପାଣିପାଗକୁ କଳୁଷିତ କରିଥିବା ସମୟରେ ଗଙ୍ଗାଧରଙ୍କ ‘ଇନ୍ଦୁମତୀ’ର ପରିକଳ୍ପନା, ଏଣୁ ନାରୀ ଜୀବନର ମହନୀୟତା ପ୍ରତିପାଦନ ପାଇଁ କବି ଇନ୍ଦୁମତୀଙ୍କ ରୂପ, ଗୁଣ, ସ୍ଵୟମ୍ବରାଦି ବର୍ଣ୍ଣନାକୁ ପ୍ରାଧାନ୍ୟ ଦେଇଥିବାବେଳେ କାଳିଦାସଙ୍କ ରଘୁବଂଶରେ ମହାରାଜ ଅଜଙ୍କ ଜନ୍ମ, ବୀରତ୍ଵ, ସୌନ୍ଦର୍ଯ୍ୟ, ପ୍ରଜାନୁରଞ୍ଜନତାକୁ ପ୍ରାଧାନ୍ୟ ଦିଆଯାଇଛି ।

 

‘ରଘୁବଂଶ’ କାବ୍ୟରେ ଯୁବରାଜ ଅଜଙ୍କ ସସୈନ୍ୟ ବିଦର୍ଭ ନଗରୀକୁ ଯିବା ବର୍ଣ୍ଣନା ରହିଛି-। ପଥ ମଧ୍ୟରେ ନର୍ମଦା ନଦୀ କୂଳରେ ଅଭିଶପ୍ତ ଗନ୍ଧର୍ବ ପ୍ରିୟଦର୍ଶନଙ୍କ ପୁତ୍ର ପ୍ରିୟମ୍ୱଦ ରୂପେ ଆତ୍ମପ୍ରକାଶ କରି ଅଜଙ୍କୁ ପ୍ରସ୍ଵାପନ ବାଣ ପ୍ରଦାନର ମନୋଜ୍ଞ ବର୍ଣ୍ଣନା, ପଞ୍ଚମ ସର୍ଗର ୪୩ ଶ୍ଲୋକରୁ ଆରମ୍ଭ କରି ୬୦ ଶ୍ଳୋକ ପର୍ଯ୍ୟନ୍ତ ରହିଛି, ଯାହା ‘ଇନ୍ଦୁମତୀ’ କାବ୍ୟରେ ଆଦୌ ନାହିଁ । କିନ୍ତୁ ଇନ୍ଦୁମତୀଙ୍କୁ ବିବାହ କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ପଥରେ ପରାକ୍ରମଶାଳୀ ଅଜ ପଥରୋଧ କରିଥିବା ରାଜାମାନଙ୍କୁ ‘‘ପ୍ରସ୍ଵାପନ’’ ବାଣଦ୍ଵାରା ସଂଜ୍ଞାହୀନ କରିଥିବା ବର୍ଣ୍ଣନା ରହିଛି ।

 

ଇନ୍ଦୁମତୀ କାବ୍ୟରେ ସ୍ଵୟମ୍ବରକୁମାରୀ ଇନ୍ଦୁମତୀଙ୍କୁ ବେଶ କରିଛନ୍ତି ସଖାମାନେ ଯାହା ମୂଳଗ୍ରନ୍ଥ ରଘୁବଂଶରେ ନାହିଁ । ଅନୁରୂପ ଭାବରେ ଭୋଜଭଗିନୀ ଇନ୍ଦୁମତୀ ସୁବେଶରେ ସ୍ଵୟମ୍ବର ସଭାସ୍ଥଳୀକୁ ଯିବାପରେ ରାଜାମାନଙ୍କ ଦୃଷ୍ଟି ନିବଦ୍ଧ ହୋଇଛି ଏବଂ ମନରେ ଇନ୍ଦୁମତୀ ଦର୍ଶନ ଜନିତ ପ୍ରେମଭାବ ଉଦ୍ରେକ ହୋଇଛି ରଘୁବଂଶ କାବ୍ୟର ଷଷ୍ଠ ସର୍ଗ ୧୩ ଶ୍ଲୋକରୁ ୧୯ ଶ୍ଳୋକ ମଧ୍ୟରେ, କିନ୍ତୁ ‘ଇନ୍ଦୁମତୀ’ କାବ୍ୟରେ ଏଭଳି ଶୃଙ୍ଗାରିକତା ରାଜାମାନଙ୍କମନରେ ସୃଷ୍ଟି ହେଉ ସୁନୀତି ଓ ସୁରୁଚିର ରୂପକାର ଗଙ୍ଗାଧର ଚାହିଁ ନାହାନ୍ତି । କେବଳ ଦୁଇଟି ପଦରେ ଶାଳୀନତା ରକ୍ଷା କରି ସମଗ୍ର ୧୩ ଶ୍ଲୋକରୁ ୧୯ ଶ୍ଲୋକ ମଧ୍ୟରେ ବର୍ଣ୍ଣିତ ହୋଇଥିବା ଭାବନାକୁ ବ୍ୟକ୍ତ କରିଛନ୍ତି - ଯଥା-

 

ଚାହିଁ ଅଦଭୁତେ            ଅପୂର୍ବ ଲାବଣ୍ୟ

ରୂପସୀ ରୂପସାଗରେ,

ରୂପଲୋଭୀ ନୃପ-            କୁମାରଙ୍କ ମନ-

ମୀନ ବୁଡ଼ିଗଲେ ଖରେ ।

ମାଲ୍ୟ ଲଭିବାକୁ            ନୃପସୁତମାନେ ।

ସମସ୍ତେ ଲୋଲୁପ ଚିତ୍ତ

ବୁଭୁକ୍ଷିତ ଅଳି-            ବୁନ୍ଦ ଚାହିଁ ଯଥା

ଏକ ପଦ୍ମ ବିକଶିତ ।

(୨୦,୨୧ ପଦ)

 

ଉଭୟ କାବ୍ୟରେ ରାଜାମାନଙ୍କ ଯଶ, ଖ୍ୟାତି, ଗୁଣ, ବିଭବ ଓ ବୀରତ୍ଵ ସମ୍ପର୍କରେ ଅବଗତଥିବା ସଖୀ ‘ସୁନନ୍ଦା’ର ଭୂମିକା ରହିଛି । ରଘୁବଂଶର ଷଷ୍ଠ ସର୍ଗ ୨୧,୨୨,୨୩, ୨୪ ଶ୍ଳୋକରେ ମଗଧ ରାଜାଙ୍କ ଗୌରବ ବର୍ଣ୍ଣନା କାଳିଦାସୀୟ ଲେଖନୀରେ ବେଶ ମନୋଜ୍ଞ ହୋଇଛି-। ଏହି ‘ପରନ୍ତବ’ ନାମଧାରୀ ମଗଧ ରାଜାଙ୍କ କୁଳଶୀଳ ତଥା ଗୌରବ ସମ୍ପର୍କରେ ରଘୁବଂଶରୁ ଦୃଷ୍ଟାନ୍ତ ଗ୍ରହଣ କରାଯାଇପାରେ -

 

‘‘ଅସୌ ଶରଣ୍ୟଃ ଶରଷରାନ୍ମୁ ଖାନାମଗାଧସଭୋ ମଗଧ ପ୍ରତିଷ୍ଠଃ

ରାଜା ପ୍ରଜାରଞ୍ଜନ ଲବ୍‍ଧବର୍ଣ୍ଣଃ ପରନ୍ତପୋ ନାମ ଯଥାର୍ଥନାମା ॥୨୧॥

କାମଂ ନୃପାଃ ସନ୍ତି ସହସ୍ରଶୋଦ୍ଧନ୍ୟେ ରାଜନ୍ଵତା ମାହୁରନେନ ଭୂମିମ୍‌

ନକ୍ଷତ୍ର ତାରାଗ୍ରହ ସଂକୁଳାଦ୍ଧପି ଜ୍ୟୋତିଷ୍ଠତା ଚନ୍ଦ୍ରମସୈବ ରାତ୍ରିଃ ॥୨୨॥

କ୍ରିୟା ପ୍ରବନ୍ଧାଦୟ ମଧିରାଣାମଜସ୍ର ମାହୂତ ସହସ ନେତ୍ରଃ

ଶଚ୍ୟାଶ୍ଚିରଂ ପାଣ୍ଡୁକପୋଳଲମ୍ବାନ୍‌ ମନ୍ଦାର ଶୂନ୍ୟାନଳକାଂଶ୍ଚକାର ।।୨୩॥

ଅନେକ ବେଦିଚ୍ଛସି ଗୃହ୍ୟମାଣଂ ପାଣିଂ ବରଣ୍ୟେନ କୁରୁପ୍ରବେଶ ।

ପ୍ରାସାଦ ବାତାୟନ ସଂଶ୍ରିତାନଂ ନେତ୍ରୋତ୍ସବଂ ପୁଷ୍ପପୁରାଙ୍ଗନାମ୍‌ ।।୨୪॥’’

 

‘‘ଗୋ ଇନ୍ଦୁମତୀ ! ଏ ହେଉଛନ୍ତି ମଗଧରାଜ । ଶରଣାର୍ଥୀମାନଙ୍କୁ ଶରଣ ଦେବାରେ ଦକ୍ଷ, ପ୍ରବଳ ବଳଶାଳୀ ଓ ପ୍ରଜାନୁରଞ୍ଜନ ରୂପେ ଖ୍ୟାତିଲାଭ କରିଛନ୍ତି । ଏହାଙ୍କ ନାମ ପରନ୍ତପ । ପୃଥିବୀରେ ହଜାର ହଜାର ରାଜା ଥିଲେ ମଧ୍ୟ ପୃଥିବୀ ଏହି ରାଜାଙ୍କୁ ପାଇ ରାଜବତୀ ହୋଇଛି, ଯେପରି ଅନେକ ନକ୍ଷତ୍ରଙ୍କ ଜ୍ୟୋତିଥିଲେ ହେଁ ରାତ୍ରି ଚନ୍ଦ୍ରଙ୍କ ଜ୍ୟୋତ୍ସନାରେ ଜ୍ୟୋତିଷ୍ମତୀ ହୋଇଥାଏ । ଏହି ରାଜା ସହସ୍ରନେତ୍ର ଇନ୍ଦ୍ରଙ୍କୁ ଯଜ୍ଞାନୁଷ୍ଠାନ କରି ସଦା ଆହ୍ଵାନ କରିଥାନ୍ତି, ଫଳରେ ଶଚୀ ଦେବୀ ମନଦୁଃଖରେ ପାଣ୍ଡୁର ବଦନା ଦେଖାଯାନ୍ତି ଓ ପାରିଜାତ ଫୁଲ ଧାରଣ ମଧ୍ୟ କରନ୍ତି ନାହିଁ ମନ ଦୁଃଖରେ । ଏହି ରାଜାଙ୍କ ପାଣିଗ୍ରହଣ କଲେ ପୁଷ୍ପପୁର (ମଗଧ ବା ପାଟଳିପୁତ୍ର)ର ନାରୀମାନେ ଝରକାପଥରେ ନବ ଦମ୍ପତିଙ୍କୁ ଚାହିଁ ରହି ପରମ ଆନନ୍ଦ ଲାଭ କରିବେ ବୋଲି ସଖୀ ସୁନନ୍ଦା ରାଜବାଳା ଇନ୍ଦୁମତୀଙ୍କୁ କହିଛି । ସ୍ଵଭାବ କବି ଏ ଭାବନାଠାରୁ ପ୍ରାୟତଃ ଦୂରେଇଯାଇ ସ୍ଵକୀୟ ଚିନ୍ତାଧାରା ସଖୀ ସୁନନ୍ଦା ମୁଖରେ ବ୍ୟକ୍ତ କରିଛନ୍ତି -

 

ଚାହାଁଲୋ ସୁନ୍ଦରି !            ପୁରତେ ମଗଧ-

ପତି ଜଗଦେକଇନ୍ଦୁ

ମହୀ - ମହିଳାର            ଲଲାଟ ମଣ୍ଡିତ

ସୁରମ ସିନ୍ଦୂର ବିନ୍ଦୁ । (୨୫)

ପରଜା ବତ୍ସଳ            ଦେବ ପରାୟଣ

ରୂପ ଅତି ଅଭିରାମ ।

ପ୍ରବଳ ପ୍ରତାପୀ            ପରବଳ ତାପୀ

ସ୍ୱାର୍ଥ ପରନ୍ତପ ନାମ । (୨୬)

ଇଚ୍ଛାହେଲେ ତୋର            ଏହି ନୃପଙ୍କର

ଶ୍ରୀକର କର ଧାରଣ,

ଶାରଦୀୟ ଚନ୍ଦ୍ର            ସମୀପେ ରୋହିଣୀ

ପରାୟେ ହୁଅ ଶୋଭନ । (୨୭)

 

‘ରଘୁବଂଶ’ ଓ ‘ଇନ୍ଦୁମତୀ’ କାବ୍ୟର ଉପରୋକ୍ତ ଶ୍ଲୋକ ଓ ପଂକ୍ତିମାନଙ୍କ ପ୍ରତି ଦୃଷ୍ଟିପାତ କଲେ ଷଷ୍ଠ ସର୍ଗର ୨୧ ଶ୍ଳୋକ ସହିତ ଇନ୍ଦୁମତୀର ୨୫ ପଦର ପ୍ରଥମ ପାଦ ଓ ୨୬ ପଦର ସାମଞ୍ଜସ୍ୟ ରହିଛି, କିନ୍ତୁ ରଘୁବଂଶର ୨୨, ୨୩ ଓ ୨୪ ଶ୍ଲୋକର ଭାବଧାରା ଇନ୍ଦୁମତୀରେ ଆଦୌ ନାହିଁ, ବରଂ ମଗଧ ରାଜାଙ୍କ ଯଶ ବର୍ଣ୍ଣନା ପ୍ରସଙ୍ଗରେ ଗଙ୍ଗାଧର ‘‘ମହୀ-ମହିଳାର ଲଲାଟ ମଣ୍ଡିତ ସୁରମ୍ୟ ସିନ୍ଦୂର ବିନ୍ଦୁ’’ ଓ ଶାରଦୀୟ ଚନ୍ଦ୍ର ସମୀପେ ରୋହିଣୀ ପରାୟେ ହୁଅ ଶୋଭନ’’ ଆଦି ମୌଳିକ ଭାବ ଚିତ୍ର ଦେଇ କବି ଭାବନାକୁ ଅଧିକ ମର୍ମସ୍ପର୍ଶୀ କରିଛନ୍ତି । ଅନୁରୂପ ଭାବରେ ରଘୁବଂଶର ଷଷ୍ଠ ସର୍ଗ ୨୫ ଶ୍ଳୋକକୁ ଗଙ୍ଗାଧର ସମ୍ପୂର୍ଣ୍ଣ ପରିହାର କରିଛନ୍ତି ।

 

ଯଥା-

ଏବଂ ତୟୋକ୍ତେ ତମବେକ୍ଷ୍ୟ କିଞ୍ଚିତ୍‌ ବିସଂସି ଦୂର୍ବାଙ୍ଗ ମଧୂକମାଳା

ରଜୁ ପ୍ରଣାମ କ୍ରିୟୟୈବ ତନ୍ଵୀ ପ୍ରତ୍ୟାଦିଦେ ଶୈନ ମଭାଷମାଣା ।

(୨୫ ଶ୍ଲୋକ)

 

ଇନ୍ଦୁମତୀରେ-

ମୁହଁ ମୋଡ଼ିଦେଇ            ସେଠାରୁ ଗମନ

କଲା ସେ ଗଜଗାମିନୀ

ନିଶାକରଠାରେ            କେବେ କି ପ୍ରସନ୍ନା

ହୋଇଅଛି କମଳିନୀ ? (୨୮ ପଦ)

 

କାଳିଦାସ ଓ ଗଙ୍ଗାଧରଙ୍କ ଉପରୋକ୍ତ ଶ୍ଲୋକ ଓ ପଂକ୍ତିରେ ଭାବନାରେ ଭିନ୍ନତା ରହିଛି । ରଘୁବଂଶରେ ଭୋଜଭଗିନୀ ରାଜନନ୍ଦିନୀ ଇନ୍ଦୁମତୀ ମଗଧରାଜାଙ୍କୁ ଦର୍ଶନରେ ସାଧାରଣ ପ୍ରଣାମଟିଏ ଜଣାଇ ଚାଲିଯାଇଛନ୍ତି । ପ୍ରଣାମ କରିବାବେଳେ ମଣିବନ୍ଧରେ ପରିଧାନ କରିଥିବା ଦୂର୍ବାଙ୍କ ମଧୂକ ଫୁଲମାଳ ଧୀରେ ଧୀରେ ଦୋଳାୟିତ ହୋଇଛି । କିନ୍ତୁ ଇନ୍ଦୁମତୀ କାବ୍ୟରେ ରାଜବାଳା ଇନ୍ଦୁମତୀ ସାଧାରଣ ନାରୀ ଭଳି ମୁହଁ ମୋଡ଼ି ଦେଇ ମଗଧରାଜାଙ୍କ ନିକଟକୁ ଚାଲି ଯାଇଛନ୍ତି । ଏଣୁ ଭାବ ଦୃଷ୍ଟିରୁ ଏହା କାଳିଦାସୀୟ ଚିନ୍ତାଧାରାଠାରୁ ମ୍ଳାନ ନିଶ୍ଚୟ । ଚତୁର ଗଙ୍ଗାଧର କିନ୍ତୁ ମଗଧ ରାଜାଙ୍କୁ ନିଶାକର ଚନ୍ଦ୍ର ରୂପେ ତୁଳନା କରି ‘ଇନ୍ଦୁମତୀ’କୁ ‘ପଦ୍ମପୁଷ୍ପ’ ଭୂମିକାରେ ଅବତୀର୍ଣ୍ଣ କରାଇ ଏମାନଙ୍କ ମିଳନର ସମ୍ଭାବନା ନାହିଁ ବୋଲି ଚିତ୍ରଟିଏ ଆଙ୍କିଛନ୍ତି ।

 

ରଘୁବଂଶ ଷଷ୍ଠ ସର୍ଗ ୨୭, ୨୮ ଓ ୨୯ ଶ୍ଳୋକରେ କାଳିଦାସ ଅଙ୍ଗରାଜାଙ୍କ ରୂପ ବର୍ଣ୍ଣନା କରିଛନ୍ତି ସଖୀ ସୁନନ୍ଦା ମୁଖରେ । ଏହି ଶ୍ଳୋକଗୁଡ଼ିକର ଭାବଧାରା ଗଙ୍ଗାଧରଙ୍କ ଇନ୍ଦୁମତୀର ୩୦, ୩୧, ୩୩ ପଦରେ ଯତ୍‌ ସାମାନ୍ୟ ରହିଛି । ୨୮ ଶ୍ଳୋକରେ କବିଗୁରୁଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି ଶୃଙ୍ଗାରିକତା ଆଡ଼କୁ ପ୍ରଧାବିତ ହୋଇଛି ଅଙ୍ଗ ରାଜାଙ୍କ ବୀରତ୍ଵ ବର୍ଣ୍ଣନାରେ । କବି କଳ୍ପନାରେ ଅଙ୍ଗ ରାଜା ଶତ୍ରୁମାନଙ୍କୁ ଧ୍ୱଂସ କରିବାରୁ ସେମାନଙ୍କ ସ୍ତ୍ରୀମାନେ ମୁକ୍ତାଧାର ଛିଣ୍ଡାଇ ବିଳାପ କରନ୍ତି । ସେମାନଙ୍କ ଚକ୍ଷୁରୁ ବଡ଼ ବଡ଼ ଅଶ୍ରୁବିନ୍ଦୁ ଝରି ସ୍ତନ ଉପରେ ପଡ଼େ । ସେ ଗୁଡ଼ିକ ବିନା ସୂତ୍ରରେ ଗୁନ୍ଥା ହୋଇଥିବା ମୁକ୍ତାଧାର ପରି ଦେଖାଯାଏ । କାଳିଦାସୀୟ ଲେଖନୀର ଏହି ସ୍ତନ ବର୍ଣ୍ଣନାକୁ ଗଙ୍ଗାଧର ଦୂରେଇ ଯାଇ ଅଙ୍ଗ ରାଜାଙ୍କ ବୀରତ୍ଵର ବର୍ଣ୍ଣନା ଭିନ୍ନ ଭାବରେ କରିଛନ୍ତି- ଯଥା

 

ପରିପନ୍ଥିକୁଳ            ଭୟଦ ବୀର ଏ

ସୁହୃଦ ଶୁଭଦ ଧୀର

ନୀତି ବିଶାରଦ            ସମର କୁଶଳ

ଦୃଷ୍ଟିଭେଦୀ ଯାର ତୀର । (୩୨ ପଦ)

 

ପୁଣି ରଘୁବଂଶରେ ଅଙ୍ଗରାଜାଙ୍କ ନିକଟରେ ଲକ୍ଷ୍ମୀ ଓ ସରସ୍ୱତୀ ଉଭୟେ ଏକତ୍ର ଅବସ୍ଥାନ କରିଛନ୍ତି ବର୍ଣ୍ଣିତ ହୋଇଥିବାସ୍ଥଳେ ଇନ୍ଦୁମତୀରେ ଅଙ୍ଗରାଜ ବିଭବ ସମ୍ପନ୍ନ ଓ ବିଦ୍ୟାରେ ପଣ୍ଡିତ ବୋଲି ନିଜସ୍ଵ ଶୈଳୀରେ କୁହାଯାଇଛି । ପୁଣି ଅଙ୍ଗରାଜ ଗଜମାନଙ୍କୁ ଶିକ୍ଷିତ କରାଇଥିବା ଓ ପୃଥିବୀରେ ଇନ୍ଦ୍ର-ଐଶ୍ଵର୍ଯ୍ୟ ଭୋଗ କରୁଥିବା ବର୍ଣ୍ଣନାର ଚିତ୍ର ଇନ୍ଦୁମତୀରେ ନାହିଁ । ତେବେ ଉଭୟ ଗ୍ରନ୍ଥରେ ଅଙ୍ଗରାଜଙ୍କ ଯୌବନଶ୍ରୀ ଅପସରାମାନେ କାମନା କରନ୍ତି ବର୍ଣ୍ଣନା ରହିଛି । ରାଜନନ୍ଦିନୀଙ୍କ ମନ ଅଙ୍ଗ ରାଜାଙ୍କ ଆକର୍ଷିତ ନ ହେବାରୁ ଆଖି ଫେରାଇ ଆଣି ଅନ୍ୟ ରାଜାଙ୍କ ପାଖକୁ ଯିବା ପାଇଁ ସଖୀ ସୁନନ୍ଦାକୁ ସଙ୍କେତ ଦେଇଥିବା ଷଷ୍ଠ ସର୍ଗର ୩୦ ଶ୍ଳୋକରେ ବର୍ଣ୍ଣିତ ହୋଇଛି । ଯାହା ଅନୁବାଦକାରଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟି ଏ ପ୍ରସଙ୍ଗକୁ ଅଧିକ କଳାତ୍ମକ କରିଛି । ଯଥା-

 

ଗନ୍ଧାତ୍ୟ ହେଲେହେଁ            ଭ୍ରମରୀରେ ଯଥା

କେତକୀ ନୁହେଁ ସେବିତ,

ତରୁଣ ରୂପରେ                  ରାଜନନ୍ଦିନୀରେ

ଚିତ୍ତ ନ ହେଲା ମୋହିତ (୩୪ ପଦ)

 

ଅଙ୍ଗ ରାଜାଙ୍କ ପରେ ‘ଇନ୍ଦୁମତୀ’ ଅବନ୍ତୀ ନରେଶଙ୍କ ସମ୍ମୁଖୀନ ହୋଇଛନ୍ତି । ଗଙ୍ଗାଧର ସ୍ଵକୀୟ ଲେଖନୀରେ ଅବନ୍ତୀ ରାଜାଙ୍କ ଯଶ ପ୍ରଶସ୍ତି ୩୫ ପଦରୁ ୪୩ ପଦ ମଧ୍ୟରେ ବର୍ଣ୍ଣନା କରିଛନ୍ତି । ଘନକଲ୍ଲୋଳମାଳିନୀ ଶିପ୍ରା ସ୍ରୋତସ୍ଵିନୀ ଜଳରେ ସ୍ନାନରତା ‘ଉଜ୍ଜୟିନୀ ଲଳନାଗଣ ପ୍ରଭାତ ସମୟରେ ଓ ମଧୁର ଭକ୍ତି ସଙ୍ଗୀତ ଗାନ କରି ଦେବଦେବ ମହାକାଳେଶ୍ଵରଙ୍କ ଆରାଧନା କରିଥାନ୍ତି । ରତ୍ନ ବିଖଚିତ ବ୍ୟଜନ କରୁଥାନ୍ତି ଭଗବାନ ଶିବଙ୍କୁ ।’ ଏଭଳି ରାଜ୍ୟରେ ସିଂହ ସଦୃଶ ବଳବାନ ‘ବୃଷସ୍କନ୍ଧ’ ନାମଧାରୀ ଅବନ୍ତୀ ରାଜାଙ୍କ ବାସସ୍ଥାନ । ରାଜବାଳା ଇନ୍ଦୁମତୀ ସଖୀ ନିକଟରୁ ଏ ସବୁ ଶୁଣି ସାରିଲା ପରେ ମୃଦୁ ପଚଚାରଣ କରି ଆଗକୁ ଅଗ୍ରସର ହୋଇଛନ୍ତି । କାଳିଦାସୀୟ ରଚନାରେ ଏଭଳି ବର୍ଣ୍ଣନା ନାହିଁ । ରଘୁବଂଶର ଷଷ୍ଠ ସର୍ଗ ୩୨, ୩୩. ୩୪, ୩୫ ଓ ୩୬ ଶ୍ଳୋକରେ ଅବନ୍ତୀ ରାଜାଙ୍କ ବର୍ଣ୍ଣନା ଭିନ୍ନ ଦୃଷ୍ଟିରେ ରହିଛି, କେବଳ ୩୪ ଶ୍ଳୋକରେ ମହାକାଳ ଚନ୍ଦ୍ରଶେଖରଙ୍କ ମାହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନାର ସୂଚନା ଇନ୍ଦୁମତୀ କାବ୍ୟରେ ଭିନ୍ନ ଭାବରେ ବର୍ଣ୍ଣିତ ଅଛି । ଏହାପରେ ପରବର୍ତ୍ତୀ ରାଜା କୀର୍ତ୍ତବୀର୍ଯ୍ୟବଂଶୀ ପ୍ରତାପଙ୍କ ନିକଟକୁ ଇନ୍ଦୁମତୀ ଯାଇଛନ୍ତି ଓ ସଖୀ ସୁନନ୍ଦା ୩୮ ଶ୍ଳୋକରୁ ୪୪ ଶ୍ଳୋକ ମଧ୍ୟରେ ରାଜା ‘ପ୍ରତାପ’ଙ୍କ ଯଶ, ଗୁଣ, ଖ୍ୟାତି ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି । ସେ ଶାସ୍ତ୍ରଜ୍ଞପ୍ରିୟ ଲକ୍ଷ୍ମୀ ଏ ରାଜ୍ୟରେ ସ୍ଵଭାବ ଚଞ୍ଚଳା ନୁହନ୍ତି-। ରେବା ନଦୀ ରାଜା ପ୍ରତାପଙ୍କ ରାଜଧାନୀ ମାହେଷ୍ମତୀ ନଗରୀର ଶୋଭାବର୍ଦ୍ଧନକରି ପ୍ରବାହିତା, ଏଣୁ ରାଜା, ପ୍ରତାପଙ୍କ ଅଙ୍କ ଲକ୍ଷ୍ମୀ ହୋଇ ସୌଭାଗ୍ୟଶାଳିନୀ ହେବା ପାଇଁ ସୂଚନା ଦେଇଛି । ଇନ୍ଦୁମତୀ ରଚୟିତା ଭାବ ପରିବେଷଣରେ ବ୍ୟାହତ ହେବା ମନେ କରି ସଜ୍ଞାନ ଚିତ୍ତରେ ଏହି ସୁଦୀର୍ଘ ବର୍ଣ୍ଣନାକୁ ଗୋଟିଏ ମାତ୍ର ପଦରେ ପ୍ରକାଶ କରିଛନ୍ତି -

 

ଯଥା-

ତହୁଁ ମତ୍ତକାଶୀ            କୀର୍ତ୍ତବୀର୍ଯ୍ୟ ବଂଶୀ

ପ୍ରତାପ ନୃପତି ଆଗେ

କ୍ଷଣପ୍ରଭା ପ୍ରାୟେ            କ୍ଷଣେ ଦେଖାଦେଇ

ଗମନ କଲେ ବିରାଗେ । (୪୫ ପଦ)

 

ଏହାପରେ ଷଷ୍ଠ ସର୍ଗ ୪୫ ଶ୍ଳୋକରୁ ୫୨ ଶ୍ଳୋକ ମଧ୍ୟରେ ମଥୁରା ନରେଶ ସୁଷେଣଙ୍କ ଯଶ ଖ୍ୟାତି ବର୍ଣ୍ଣନା ଅତି ମନୋଜ୍ଞ ହୋଇଛି । ଭୂଲୋକ ଓ ସ୍ଵର୍ଗ ଲୋକର ପ୍ରଭୂତ କୀର୍ତ୍ତିଶାଳୀ, ଆଚରଣ ଶୁଦ୍ଧ, ପିତୃକୁଳ ଓ ମାତୃକୁଳର ପ୍ରଦୀପ ସ୍ୱରୂପ ଶୂର ସେନାଧିପତି ରାଜା ସୁଷେଣ ନୀପ ବଂଶରୁ ଓ ଜାତ, ଶତ୍ରୁମାନେ ଏହାଙ୍କ ତେଜ ସହ୍ୟ କରିପାରନ୍ତି ନାହିଁ । ଏହି ରାଜା ଅନ୍ତଃପୁରନାରୀଙ୍କ ସହିତ ଯମୁନାରେ ଜଳକ୍ରୀଡ଼ା କଲାବେଳେ ନାରୀମାନଙ୍କ ସ୍ତନରୁ ଚନ୍ଦନ ଧୋଇ ହୋଇ ଯମୁନା ଜଳ ଆଂଶିକ ଧବଳ ଦେଖାଯାଇ ଗଙ୍ଗା ସହିତ ମିଳିତ ହେଲାପରି ଶୋଭାପାଏ । ତାହା ବକ୍ଷ ସ୍ଥଳରେ ବାସ କରିଥିବା ସୁଷେଣ ସତେ ଯେପରି କୌସ୍ତୁଭମଣିଧାରୀ ବିଷ୍ଣୁଙ୍କୁ ଲଜ୍ଜିତ କରିଥାନ୍ତି । ସବୁଠାରୁ ବଡ଼ କଥା ହେଲା କୁବେରର ଉଦ୍ୟାନ ‘‘ଚୈତ୍ରରଥ’’ର ସମକକ୍ଷ ‘‘ବୃନ୍ଦାବନ’’ ଉଦ୍ୟାନ ଏଠାରେ ରହିଛି । ଯେଉଁ ବୃନ୍ଦାବନରେ ବିହାର କରି ଇନ୍ଦୁମତୀ ଯୌବନ ସୁଖ ଲାଭ କରିପାରିବେ । କିନ୍ତୁ ସାଗର ଅଭିମୁଖେ ପ୍ରବାହିତ ନଦୀ ପଥ ମଧ୍ୟରେ ଗତିରୋଧକାରୀ ପର୍ବତକୁ ଉପେକ୍ଷା କରି ଆଗକୁ ଚାଲି ଯାଇଥାଏ, ସେହିପରି ‘ଇନ୍ଦୁମତୀ’ ମଥୁରା ନରେଶକୁ ତ୍ୟାଗ କରି ଆଗକୁ ଚାଲି ଯାଇଛନ୍ତି (୫୨ ଶ୍ଳୋକ) । ସ୍ଵଭାବ କବି ଗଙ୍ଗାଧର ଉପରୋକ୍ତ କାଳିଦାସୀୟ ବର୍ଣ୍ଣନାରୁ ନିଜକୁ ମୁକ୍ତ କରି ମୟୂରଭଞ୍ଜ ରାଜାଙ୍କ ପ୍ରକୃତି ସଦନ ‘‘ବୃନ୍ଦାବନ’’ର ସୌନ୍ଦର୍ଯ୍ୟ ବର୍ଣ୍ଣନା କରି ମଥୁରା ନରେଶଙ୍କ ଯଶ ଖ୍ୟାତିର ପରିଚୟ ସଖୀ ସୁନନ୍ଦା ମୁଖରେ ପ୍ରକାଶ କରିଛନ୍ତି ।

 

ଯଥା

ଶୁଣିଥିବୁ ଶଶି-            ମୁଖି ! ବୃନ୍ଦାବନ

ପ୍ରକୃତି-ଶୋଭା ସଦନ,

ସ୍ଥାନେ ସ୍ଥାନେ ଚାରୁ            ଲତା ଗୁଞ୍ଜ ପୁଞ୍ଜ-

ତମ୍ବୁ ଟେକିଛି ମଦନ । (୪୭)

କୁସୁମିତ ହୋଇ            ଶୋଭା କେତେ ତହିଁ

ତରୁ ସମାଶ୍ରିତା ବଲ୍ଲୀ-

ଦିଗ ଆମୋଦିତ            କରନ୍ତି ବିକଶି

ମାଧବୀ ମାଳତୀ ମଲ୍ଲୀ । (୪୮)

ମନ୍ଦାନିଳ ହସ୍ତେ            ତୋଳାଇ ପ୍ରଭାତେ

ପ୍ରଫୁଲ୍ଲ ପ୍ରସୂନାବଳୀ

ପ୍ରକୃତି-ସୁନ୍ଦରୀ            ଦେଉଥାଏ ନିତି

ସ୍ମରଶିରେ ପୁଷ୍ପାଞ୍ଜଳି, (୪୯)

 

ଇନ୍ଦୁମତୀ କାବ୍ୟର ୫୪ ପଦ ପର୍ଯ୍ୟନ୍ତ ମଥୁରା ନରେଶଙ୍କ ମହିମା ଭିନ୍ନ ଭାବଧାରାରେ ବର୍ଣ୍ଣିତ ହୋଇଛି । ଏହାପରେ ‘ଇନ୍ଦୁମତୀ’ ମଥୁରା ନରେଶଙ୍କୁ ପ୍ରଦକ୍ଷିଣ କରି କଳିଙ୍ଗ ରାଜା ‘ହେମାଙ୍ଗଦ’ଙ୍କ ନିକଟକୁ ଯାଇଛନ୍ତି । ଏହିରାଜା ମହେନ୍ଦ୍ର ପର୍ବତ ଓ ମହୋଦଧିର ଅଧିପତି ଧନୁର୍ଦ୍ଧର ଶ୍ରେଷ୍ଠ । ଏହାଙ୍କ ରାଜ୍ୟରେ ଥିବା ସମୁଦ୍ର କୂଳରେ ତାଳବଣର ମର୍ମର ଧ୍ଵନି କିମ୍ବା ଲବଙ୍ଗ ଫୁଲର ସୁବାସ ଆଘ୍ରାଣପ୍ରତି ଆସକ୍ତ ନ ହୋଇ ପୂର୍ଣ୍ଣଚନ୍ଦ୍ରମୁଖୀ ଇନ୍ଦୁମତୀ ସଖୀ ସୁନନ୍ଦା ଦ୍ଵାରା ଦେବତୁଲ୍ୟ ରୂପବାନ ପାଣ୍ଡଦେଶର ରାଜାଙ୍କ ନିକଟକୁ ଯାଇଛନ୍ତି (ଶ୍ଳୋକ ୫୪-୫୯) । ଗଙ୍ଗାଧରଙ୍କ ରଚନାରେ କଳିଙ୍ଗ ରାଜାଙ୍କ ମହିମା ବର୍ଣ୍ଣନା ସଂକ୍ଷିପ୍ତ ହୋଇଛି, କିନ୍ତୁ ପାଣ୍ଡ୍ୟ ରାଜାଙ୍କ ଯଶ ଖ୍ୟାତି ଉପସ୍ଥାପନା ଉଭୟ କବିଙ୍କ ରଚନାରେ କିଛି ସାମଞ୍ଜସ୍ୟ ରହିଛି । (୬୦-୬୬ ଶ୍ଳୋକ) ଏହି ରାଜା ବ୍ରହ୍ମଶିରୀ ନାମକ ଦୁର୍ଲଭ ଅସ୍ତ୍ର ସହାୟତାରେ ଶତ୍ରୁ ବିନାଶ କରିଥାନ୍ତି । ମଳୟ ପର୍ବତ ନାନା ଉପହାରରେ ଏହି ରାଜାଙ୍କ ନିତ୍ୟ ସେବାରତ । ଲଙ୍କାର ରାଜା ରାବଣ ଭୟରେ ଶଙ୍କିତ ଏହି ରାଜାଙ୍କ ସମ୍ପର୍କରେ ଗଙ୍ଗାଧରଙ୍କ ଲେଖନୀରୁ ପ୍ରକାଶିତ ହୋଇଛି-

 

ପାଣ୍ଡ୍ୟ ମହାରାଜ            ରିପୁ ଭୟଦାୟୀ

ଯାର ବ୍ରହ୍ମଶିରା ଶର । (୫୮)

ଶୌର୍ଯ୍ୟ କୀର୍ତ୍ତୀ-ରବି            ପ୍ରଚଣ୍ଡ କିରଣ

ଭବେ ଯାର ପ୍ରକାଶିତ,

ଥାଉ ଆନ ଜନ            ପ୍ରତାପରେ ଯାର

ରାବଣ ସଦା ଶଙ୍କିତ । (୫୯)

ମଳୟ ଶଇଳ            ନାନା ଉପହାରେ

ସେବା କରେ ଯା ପୟରେ

ଇନ୍ଦୁମତୀ ତାଙ୍କୁ            ନିମଜ୍ଜାଇ ଦେଲା

ଲଜ୍ଜା-ଜଳଧି-ପୟରେ । (୬୦)

 

ଉପରୋକ୍ତ ରାଜାମାନଙ୍କ ଗୁଣ, ଖ୍ୟାତି ତଥା ରାଜ୍ୟର ଶୋଭା ସମ୍ପର୍କରେ କାଳିଦାସ ଅତି ଚମତ୍କାର ଭାବରେ ରଘୁବଂଶରେ ବର୍ଣ୍ଣନା କରିଛନ୍ତି । ଗଙ୍ଗାଧର ଯେଉଁ ସ୍ଥାନରେ ଯେତିକି ଗ୍ରହଣୀୟ, କେବଳ ସେତିକି ଆହରଣ କରି ସ୍ଵକୀୟ ତୁଳୀରେ ସୁଷମାନ୍ୱିତ କରିଛନ୍ତି । ସ୍ଵୟମ୍ବର ସଭାରେ ରାଜବାଳା ଇନ୍ଦୁମତୀ ଯେଉଁ ଯେଉଁ ରାଜାଙ୍କୁ ପ୍ରଦକ୍ଷିଣ କରୁଥାନ୍ତି ସେମାନେ ଇନ୍ଦୁମତୀ ପ୍ରାପ୍ତି ଆଶା ମଉଳି ଯିବାରୁ ବିବର୍ଣ୍ଣ ଦେଖା ଯାଉଥାଆନ୍ତି । କବିଗୁରୁ ଦୀପଶିଖା କବି ଅତି ଚମତ୍କାର ଉପମାଟିଏ ଦେଇଛନ୍ତି ଷଷ୍ଠ ସର୍ଗର ୬୭ ଶ୍ଳୋକରେ-

 

ସଂଚାରିଣୀ ଦୀପ ଶିଖେବ ରାତ୍ରୌ ଯଂ ଯଂ ବ୍ୟତୀୟାୟ ପତିମ୍ବରାଦ୍ଧସା

ନରେନ୍ଦ୍ର ମାର୍ଗାଶ୍ଚ ଇବ ପ୍ରପେଦେ ବିବର୍ଣ୍ଣଭାବଂ ସ ସ ଭୂମିପାଳଃ ।

 

ରାଜମାର୍ଗରେ କେହ ଦୀପ ନେଇ ଗଲାବେଳେ ଦୀପଶିଖା ଯେଉଁ ଯେଉଁ କୋଠାଘରମାନଙ୍କୁ ଅତିକ୍ରମ କରିଥାଏ, ସେହି ସେହି କୋଠାଘର ଅନ୍ଧକାରରେ ଆଚ୍ଛନ୍ନ ହେଉଥାଏ-। ଏଠାରେ ଇନ୍ଦୁମତୀ ଦୀପଶିଖା ଭଳି ଯେଉଁ ଯେଉଁ ରାଜାଙ୍କୁ ଅତିକ୍ରମ କରୁଥାନ୍ତି, ସେମାନେ ବିବର୍ଣ୍ଣ ହୋଇଯାଉ ଥାଆନ୍ତି । ସ୍ୱଭାବ କବି କିନ୍ତୁ ଏହି ଉପମାଟିକୁ ଇନ୍ଦୁମତୀରେ ଉପଯୋଗ ନ କରି ସ୍ଵକୀୟ ଚିତ୍ରଟିଏ ଆଙ୍କିଛନ୍ତି-

 

ବାଳା ଭାଗୀରଥି            ପ୍ରୟାଣ ରଚିଛି

ସାଗର ସଙ୍ଗମ ପାଇଁ

ଉପନଦୀ ପରି            ରାଜାଙ୍କର ଚିତ୍ତ

ତା ପଛେ ଗଲେ ଗୋଡ଼ାଇ । (୬୧ ପଦ)

 

ଇନ୍ଦୁମତୀ ଏଠାରେ ଗଙ୍ଗା ନଦୀ ଭଳି ପ୍ରିୟତମ ‘ଅଜ’ ସାଗର ସହିତ ମିଳିତ ହେବା ଆଶାରେ ଓ ଆଗକୁ ମାଡ଼ି ଚାଲିଛନ୍ତି ଏବଂ ଆଶାୟୀ ରାଜାମାନଙ୍କ ଚିତ୍ତ ଉପନଦୀ ସଦୃଶ ଇନ୍ଦୁମତୀ-ଗଙ୍ଗା ନଦୀର ଧାରାରେ ମିଶିବା ପାଇଁ ପଶ୍ଚାତ୍‌ଧାବନ କରୁଛନ୍ତି । ଫଳରେ ରାଜାମାନେ ଅସ୍ତିତ୍ଵ ନିଷ୍‌ପ୍ରଭ ହୋଇଛି ଇନ୍ଦୁମତୀଙ୍କ ନିକଟରେ । ଏଣୁ ପାଣ୍ଡ୍ୟ ନରପତିଙ୍କ ମନ-ଉପନଦୀ ଇନ୍ଦୁମତୀଙ୍କ ହୃଦୟ-ଭାଗୀରଥିର କେବଳ ପଶ୍ଚାତଧାବନ କରି ନିଜର ଅସ୍ତିତ୍ଵ ହରାଇବା ସାର ହୋଇଛି । ପରିଶେଷରେ ରାଜକୁମାରୀ ଇନ୍ଦୁମତୀ ଯୁବରାଜ ‘ଅଜ’ଙ୍କ ନିକଟରେ ଉପସ୍ଥିତ ହୋଇ ଅନ୍ୟ ରାଜାଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରି ନାହାନ୍ତି ଯେପରି ଭ୍ରମରପଂକ୍ତି ପୁଷ୍ପିତ ସହକାର ବୃକ୍ଷ ପାଇଲେ ଅନ୍ୟ ବୃକ୍ଷକୁ ଯିବା ପାଇ ମନ ବଳାଇ ନ ଥାନ୍ତି (୬୯ ଶ୍ଳୋକ ) ଗଙ୍ଗାଧରଙ୍କ ଇନ୍ଦୁମତୀ କିନ୍ତୁ ସୁନ୍ଦର ପ୍ରତି ଆକର୍ଷିତା । କରୁଣ ତିଳକ-ଶତମଦନ-ସୁନ୍ଦର ଅଜ ଯେ ସୂର୍ଯ୍ୟବଂଶୀ-ସମୁଦ୍ରରୁ ଚନ୍ଦ୍ରତୁଲ୍ୟ ଜାତ ହୋଇଛନ୍ତି, ଫଳତଃ ଇନ୍ଦୁମତୀଙ୍କ ଚିତ୍ତ-ଚନ୍ଦ୍ର-ଶିଳା ସହଜରେ ଦ୍ରବୀଭୂତ ହୋଇଛି । କବି ଲେଖନୀ ଚଳଚଞ୍ଚଳ ହୋଇଛି ।

 

ହୃଦ-ସରସୀରେ            ପ୍ରେମ-କୁମୁଦିନୀ-

ବନ ହେଲା ବିକାଶିତ,

ନେତ୍ର -ଜୀବାଞ୍ଜୀବ            ରଙ୍ଗେ ନୃତ୍ୟ କଲା

ହୋଇ ଅତି ଉଲ୍ଲସିତ । (୬୪ ପଦ)

 

ଇନ୍ଦୁମତୀ କାବ୍ୟର ପୂର୍ବାର୍ଦ୍ଧ ୬୧ ପଦରୁ ୬୫ ପଦ ପର୍ଯ୍ୟନ୍ତ ବର୍ଣ୍ଣିତ ଭାବଧାରା ରଘୁବଂଶରେ ନାହିଁ । ଉଭୟ କବି ସ୍ଵକୀୟ ଭାବନାରେ ଇନ୍ଦୁମତୀଙ୍କ ଅଜ ପ୍ରତି ଅନୁରକ୍ତି ଚିନ୍ତାଧାରାକୁ ଉପସ୍ଥାପନ କରିଛନ୍ତି । ପୁଣି ରଘୁବଂଶ ଷଷ୍ଠ ସର୍ଗ ୭୧ ଶ୍ଳୋକ ପର୍ଯ୍ୟନ୍ତ ବର୍ଣ୍ଣିତ ରଘୁବଂଶୀ ନରପତି କକୁତସ୍ଥ, ଦିଲୀପ ରାଜାଙ୍କ ମହିମା, ଗୌରବ ବର୍ଣ୍ଣନାରୁ କବି ଗଙ୍ଗାଧର ଦୂରେଇ ଯାଇ ସିଧା ସଳଖ ଯୁବରାଜ ଅଜଙ୍କ ପିତା ରଘୁରାଜାଙ୍କ ଯଶ ଖ୍ୟାତି ସୁନନ୍ଦା ମୁଖରେ ବର୍ଣ୍ଣନା କରିଛନ୍ତି । କାଳିଦାସ ରାଜା ରଘୁଙ୍କ ସମ୍ପର୍କରେ ମାତ୍ର (୭୬ ଓ ୭୭ ଶ୍ଳୋକ) ଏ ଶ୍ଳୋକରେ ସୂଚନା ଦେଇଥିବାବେଳେ ଇନ୍ଦୁମତୀ କାବ୍ୟରେ ସୁଦୀର୍ଘ ବର୍ଣ୍ଣନା ରହିଛି । ସମ୍ଭବତଃ କାବ୍ୟନାୟକ ଅଜଙ୍କ ଗୌରବ ପ୍ରଖ୍ୟାପନ ଉଦ୍ଦେଶ୍ୟରେ ଅଜ ପିତା ରଘଉରାଜା ଓ ରାଜଧାନୀ ଅଯୋଧ୍ୟା ଓ ସରଯୂ ନଦୀର ଶୋଭା ବର୍ଣ୍ଣନା ହିଁ ଗଙ୍ଗାଧରଙ୍କ ମୌଳିକ ପରିକଳ୍ପନା । ଉଭୟ କାବ୍ୟରେ ନାୟିକା ଇନ୍ଦୁମତୀଙ୍କ ରୂପ ଲାବଣ୍ୟ ସନ୍ଦଶନରେ ନାୟକ ଅଜଙ୍କ ଚିତ୍ତବୃତ୍ତି ଅଥୟ ହୋଇଛି । ଇନ୍ଦୁମତୀ ତାଙ୍କୁ ବରଣ କରିବେ କି ନାହିଁ ଏଭଳି ଦ୍ଵନ୍ଦ୍ୱ ମନରେ ଆସିଛି, କିନ୍ତୁ ଦକ୍ଷିଣ ବାହୁ ସ୍ଫୁରିତ ହୋଇ ଅଜ ମନରେ ସମସ୍ତ ସନ୍ଦେହ ଦୂରୀଭୂତ ହୋଇଛି ।

 

ଯଥା-

ତସ୍ୟାଂ ରଘୋଃ ସୁନୁରୂପ ସ୍ଥିତାୟାଂ ବୃରୀତ ମାଂ ନେତି ସମାକୁଳୋଦ୍ଦଭୂତ୍‌ ।

ବାମେତରଃ ସଂଶୟମସ୍ୟ ବାହୁଃ କେୟୂରବନ୍ଧୋଚ୍ଛସି ତେର୍ନୁନୋଦ ।

(୬୮ ଶ୍ଳୋକ, ଷଷ୍ଠ ସର୍ଗ)

ଇନ୍ଦୁମତୀ କାବ୍ୟରେ -

ସଂଶୟିତ ମନେ            ଭାବୁଥିଲେ ଅଜ

ଲିଭିବ କି ନା ଶୁଭାଙ୍ଗୀ

ବାମେତର ବାହୁ            ସ୍ପନ୍ଦ ହୋଇଛି ସେହି

ସଂଶୟକୁ ଦେଲା ଭାଙ୍ଗି ।

(୬୮ ପଦ, ଇନ୍ଦୁମତୀ )

 

ସ୍ଵୟମ୍ବରା ରାଜକୁମାରୀ ସଖୀ ହସ୍ତରୁ ବରଣମାଳା ଆଣି ଅଜଙ୍କ ଗଳାରେ ଲମ୍ବାଇ ଦେଇଛନ୍ତି ମୂଳ ଗ୍ରନ୍ଥରେ, କିନ୍ତୁ ଇନ୍ଦୁମତୀ କାବ୍ୟରେ ଇନ୍ଦୁମତୀ ବରଣମାଳା ପ୍ରିୟତମ ଅଜଙ୍କ ଗଳାରେ ପିନ୍ଧାଇ ଦେବା ପାଇଁ ସଖୀ ସୁନନ୍ଦା ହସ୍ତକୁ ମାଳା ବଢ଼ାଇ ଦେଇଛନ୍ତି ଏବଂ ଅନୁଜ୍ଞାତ ହୋଇ ସଖୀ କୁସୁମମାଳା ଯୁବରାଜ ଅଜଙ୍କ ଗଳାରେ ପିନ୍ଧାଇ ଦେଇଛି । ବିବିଧ ମଙ୍ଗଳ ବାଦ୍ୟ ବାଜି ଉଠିଛି, କନକ ବେଦୀରେ ଅଜ-ଇନ୍ଦୁମତୀଙ୍କ ବିବାହ ସମ୍ପନ୍ନ ହୋଇଛି ।

 

ରାଜା ଭୋଜ ବହୁ ଧନରତ୍ନ ସହ କନ୍ୟା ବିଦାୟ ବେଳାର ପଥ ମଧ୍ୟରେ ତିନିଦିନ ରହି ସ୍ୱରାଜ୍ୟ ପ୍ରତ୍ୟାବର୍ତ୍ତନ କରନ୍ତି, ସସୈନ୍ୟ ଯୁବରାଜ ଅଜ ନବ ବିବାହିତା ପ୍ରିୟତମାଙ୍କ ସହିତ ନିଜ ରାଜ୍ୟକୁ ଗମନ କରନ୍ତି । ଏକଦା ରାଜା ରଘୁଙ୍କ ଦ୍ଵାରା ଯୁଦ୍ଧରେ ପରାସ୍ତ ହୋଇ କ୍ଷୁବ୍ଧ ତଥା ଇନ୍ଦୁମତୀ ଲାଭରୁ ବଞ୍ଚିତ ରଜାମାନେ ଏହାର ପ୍ରତିଶୋଧ ନେବା ପାଇଁ ପଥ ମଧ୍ୟରେ ରଘୁପୁତ୍ର ଅଜଙ୍କୁ ଏକତ୍ର ଆକ୍ରମଣ କରିଛନ୍ତି । ଉଭୟ ପକ୍ଷରୁ ଭୟଙ୍କର ଯୁଦ୍ଧ ହୋଇଛି । ରଘୁବଂଶର ସପ୍ତମ ସର୍ଗ ୩୪ ଶ୍ଳୋକରୁ ଆରମ୍ଭ କରି ୬୫ ଶ୍ଳୋକ ପର୍ଯ୍ୟନ୍ତ ଅଜଙ୍କ ସହିତ ରାଜାମାନଙ୍କ ଯୁଦ୍ଧ ବର୍ଣ୍ଣନା ଓ ଇନ୍ଦୁମତୀର ୧୪୬ ପଦରୁ ୧୮୦ ପଦ ପର୍ଯ୍ୟନ୍ତ ରହିଛି, କିନ୍ତୁ ଉଭୟ କବିଙ୍କ ଯୁଦ୍ଧ ବର୍ଣ୍ଣନା ନିଜସ୍ଵ ଶୈଳୀରେ ହୋଇଛି କେବଳ ୩୭ ଶ୍ଳୋକ ଓ ୧୫୫, ୧୫୬ ପଦକୁ ବାଦ ଦେଇ ।

 

ରଘୁବଂଶରେ କୁହାଯାଇଚି -

ପତ୍ତିଃ ପଦାତିଂ ରଥିନଂ ରଥେଶସ୍ତୁରଙ୍ଗସାଦୀ ତୁରଗାଧିରୂଢ଼ମ୍‌ ।

ଯନ୍ତା ଗଜସ୍ୟାଭ୍ୟପତଦ୍‌ ଗଜସ୍ଥଂ ତୁଲ୍ୟ ପ୍ରତି ଦ୍ଵନ୍ଦ୍ୱି ବଭବ ଯୁଦ୍ଧମ୍‌ ॥

(୭ମ ସର୍ଗ, ୩୭ ଶ୍ଳୋକ)

 

ଇନ୍ଦୁମତୀରେ ବର୍ଣ୍ଣିତ ଅଛି-

ରଥୀ ସଙ୍ଗେ ରଥୀ            ପଦାତି ପଦାତି

ଅଧୋରଣେ ଅଧୋଗଣ । (୧୫୫)

ସାଦିବର ସଙ୍ଗେ            ସାଦିଏ ଯୁଝିଲେ

କରେ ଧରି କରବାଳ,

ସମର କ୍ଷେତ୍ରକୁ            ତିମିରେ ଆବୃତ

କରିଦେଲେ ଶରମାଳ । (୧୫୬)

 

ବୀରପୁଙ୍ଗବ ରଘୁବନନ୍ଦନ ‘ଅଜ’ ରଣ ପ୍ରାଙ୍ଗଣରେ ନିଜ ସୈନ୍ୟମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଅରାତି ସହିତ ସଂଗ୍ରାମ ପାଇଁ ସେମାନେ ଶରୀର ବଳକୁ ସଠିକ୍‌ ଭାବରେ ବିନିଯୋଗ କରନ୍ତୁ । ସଂଗ୍ରାମରେ ଜୟ-ପରାଜୟ ମଧ୍ୟରୁ ବିଜୟ ହଁ ପ୍ରକୃତ ଗୌରବ ଆଣିଦିଏ, ଭୀରୁ ଭାବରେ ପଳାୟନ କରିବା ବ୍ୟକ୍ତି ନର୍କଗାମୀ ହୋଇଥାଏ । ‘ଇନ୍ଦୁମତୀ’ର କବି କଣ୍ଠରୁ ଅଜ ମୁଖରେ ଅଗ୍ନିବର୍ଷା ଉଦ୍‌ବୋଧନ ‘ରଘୁବଂଶ’ରେ ଶୁଣାଯାଏ ନାହିଁ । ଯଥା-

 

ସଂଗ୍ରାମରେ ନାଶ            ହେଲେ ସ୍ୱର୍ଗ ବାସ

ଜିତିଲେ ଭୋର ସମ୍ପତି,

ପଶ୍ଚାତ୍‌ପଦ ହେଲେ            ଅପଯଶ ଲଭି

ସହଜେ ନରକ ଗତି । (୧୫୪ ପଦ)

 

ବୀରପୁରୁଷ ‘ଅଜ’ଙ୍କ ‘ପ୍ରସ୍ୱାପନ’ ବାଣଦ୍ଵାରା ପରିଶେଷରେ ସକଳ ରାଜା ସଂଜ୍ଞାହୀନ ଅବସ୍ଥାରେ ଧରାଶାୟୀ ହୋଇଛନ୍ତି । ଏହି ‘ପ୍ରସ୍ଵାପନ’ ବାଣ ପ୍ରୟୋଗ କଥା କେବଳ ଇନ୍ଦୁମତୀରେ ଉଲ୍ଲେଖ ଅଛି । ଯୁବରାଜ ‘ଅଜ’ ଏହି ଶର ପ୍ରିୟମ୍ବଦ ଗନ୍ଧର୍ବଙ୍କଠାରୁ କିଭଳି ପ୍ରାପ୍ତ ହେଲେ ସେ କଥା ‘ରଘୁବଂଶ’ରେ ବର୍ଣ୍ଣିତ ଅଛି, (ସପ୍ତମ ସର୍ଗ ୬୧, ୬୨ ଶ୍ଳୋକ) ଇନ୍ଦୁମତୀରେ ନାହିଁ । ଯୁଦ୍ଧ ଜୟ ପରେ ଅଜ ବିଜୟ ଶଙ୍ଖ ବାଦନ କରିଛନ୍ତି । ଉଭୟ କାବ୍ୟରେ ଶଙ୍ଖ ବଜାଇବା ଦୃଶ୍ୟ ରହିଛି । ସୈନ୍ୟମାନେ ଯୁଦ୍ଧରୁ ବିରତ ହୋଇଛନ୍ତି । ଯୁଦ୍ଧ ଜୟୀ ଅଜ ରକ୍ତ ଲିପ୍ତ ଶରମୁନରେ ରାଜାମାନଙ୍କ ପତାକାରେ ଲେଖି ଦେଇଛନ୍ତି ‘‘ତୁମ୍ଭମାନଙ୍କ ଯଶ ହରଣ କଲି, କିନ୍ତୁ ଦୟାକରି ପ୍ରାଣ ହରଣ କଲି ନାହିଁ ।’’ (ସପ୍ତମ ସର୍ଗ ୬୫ ଶ୍ଳୋକ) ଇନ୍ଦୁମତୀ ରଚୟିତା ଏହି ଭାବନାକୁ ନାତିନିଷ୍ଠମନ ନେଇ ନିଜସ୍ଵ ମୌଳିକ ଚିନ୍ତାଧାରା ସହିତ ମନୋଜ୍ଞ ଭାବରେ ସମର ବିଜୟୀ ଅଜଙ୍କ ମୁଖରେ ପ୍ରକାଶ କରିଛନ୍ତି -

 

ଆତ୍ମ- ପରବତ            ବିଚାର ନ କରି

କ୍ରୋଧବଶ ହେଲେ ଜନ,

ଏହି ରୂପେ ମହା-            ସଂକଟ ସାଗର

ଗର୍ଭେ ହୁଅନ୍ତି ପତନ । (୧୭୨)

ସୁଷୁପ୍ତ ଜଡ଼ିତ            ହୋଇ ପଡ଼ିଥିଲେ

ସର୍ବ ରାଜସେନା ଗଣେ,

ଚାହିଁଥିଲେ ଅଜ            ଅକ୍ଳେଶରେ ନାଶ

କରିଥାନ୍ତେ ସେହି କ୍ଷଣେ । (୧୭୩)

ବଳବନ୍ତଠ।ରେ            ବଳବନ୍ତ ସିନା

ପ୍ରକାଶଇ ପରାକ୍ରମ

ବଳହୀନଠାରେ            ବଳ ଦେଖାଇବା

ନୁହଇ କ୍ଷତ୍ରିୟ ଧର୍ମ । (୧୭୪)

ନିଦ୍ରିତ ନିରସ୍ତ୍ର            ଶରଣ ଆଗତ

କା ଅବଳା ଦୂତ ବାଳକ,

ଏମାନଙ୍କୁ ବଳେ            ନାଶ କଲେ ଲାଗେ

ବୀର-ଯଶରେ କଳଙ୍କ । (୧୭୫)

 

ଉପରୋକ୍ତ ଆର୍ଯ୍ୟ ଜୀବନବୋଧ କାଳିଦାସଙ୍କ ରଘୁବଂଶରେ ନାହିଁ । ଗଙ୍ଗାଧର ଏ ସମ୍ପର୍କରେ ସଚେତନ ଭାବରେ ପଥବଣା ମଣିଷ ପାଇଁ ଭାରତୀୟ ଭାବ ଚେତନାଉ ମନୋଜ୍ଞ ବର୍ଣ୍ଣନା କରିଛନ୍ତି । ତେବେ ଉଭୟ କବିଙ୍କ ଲେଖନୀରେ ବିଷାଦିତା ଇନ୍ଦୁମତୀଙ୍କ ମୁଖମଣ୍ଡଳ ଅତ୍ୟନ୍ତ ମନୋରମ ଦେଖାଯାଇଛି ନିଜସ୍ୱ ଶୈଳୀରେ । ଯଥା-

 

ତସ୍ୟାଃ ପ୍ରତିଦ୍ୱନ୍ଦ୍ୱିଭବାଦ୍‌ ବିଷାଦାତ୍‌ ସଦ୍ୟୋ ବିମୁକ୍ତଂ ମୁଖମାବଭାସେ,

ନିଃଶ୍ୱାସ ବାଷାପପଗମାତ୍‌ ପ୍ରପନ୍ନଃ ପ୍ରସାଦମାତ୍ମୀୟମିବା ଦର୍ଶଃ ।

(ରଘୁବଂଶ, ୭ମ ସର୍ଗ ୬୮ ଶ୍ଳୋକ)

 

କାନ୍ତରଣେ ରତ             ଚାହିଁ ନବ କାନ୍ତା

ନେତ୍ରୁ ବହୁଥଲା ନୀର

ନିଶା ଅବସାନେ            ଗଗନ ମଣ୍ଡଳୁଁ

ଝରଇ ଯେହ୍ନେ ଶିଶିର । (୧୮୧)

ସମର ବିଜୟୀ            ପତିଙ୍କି ଅନାଇ

ଲଭିଲେ ଅମୂଲ୍ୟ ସୁଖ,

ପଦ୍ମିନୀ- ସୁନ୍ଦରୀ            ଦର୍ଶନ କଲାକି

ମେଘ ମୁକ୍ତ ରବି-ମୁଖ ?

(୧୮୨ ଇନ୍ଦୁମତୀ ପୂର୍ବାର୍ଦ୍ଧ)

 

ରଘୁବଂଶର ସପ୍ତମ ସର୍ଗର ସମାପ୍ତିରେ ନବ ବିବାହିତ ଅଜ-ଇନ୍ଦୁମତୀ ଅଯୋଧ୍ୟା ପହଞ୍ଚିବା ଚିତ୍ର ଅଙ୍କିତ ହୋଇଛି ଅଷ୍ଟମ ସର୍ଗର ପ୍ରାରମ୍ଭରେ । ଅଜଙ୍କୁ ସିଂହାସନରେ ବସାଇ ରାଜା ରଘୁ ସପତ୍ନୀ ବାନପ୍ରସ୍ଥାଶ୍ରମ ଜୀବନଯାପନ କରିଛନ୍ତି ଓ ପରିଶେଷରେ ସ୍ଵର୍ଗଲୋକ ଗମନ କରିଛନ୍ତି-

 

‘ଇନ୍ଦୁମତୀ’ କାବ୍ୟର ଉତ୍ତର ଭାରତ ପ୍ରଥମରୁ ଉନବିଂଶ ପଦ ପର୍ଯ୍ୟନ୍ତ ଗଙ୍ଗାଧର ଅଜ ଜନନୀଙ୍କ ବାତ୍ସଲ୍ୟ ମମତାର ଧାରା ବୁହାଇଛନ୍ତି । ପୁତ୍ର ବିରହରେ ମାତୃ ହୃଦୟର ଅନାବିଳ ସ୍ନେହର ଚିତ୍ର ଅଜ ଜନନୀଙ୍କ ସ୍ଵପ୍ନ ଦର୍ଶନ ପ୍ରସଙ୍ଗରେ ଅଙ୍କିତ ହୋଇଛି । ଏହା ରଘୁବଂଶରେ ନାହିଁ । ଅନୁରୂପ ଭାବରେ ରାଜା ରଘୁଙ୍କ ବାନପ୍ରସ୍ଥ ଜୀବନ ଓ ମୃତ୍ୟୁପରେ ଅନ୍ତେଷ୍ଟିକ୍ରିୟା ବର୍ଣ୍ଣନା ଇନ୍ଦୁମତୀରେ ନାହିଁ, କିନ୍ତୁ ରଘୁବଂଶରେ ଅଛି । (ଅଷ୍ଟମ ସର୍ଗ-୧୦ ଶ୍ଳୋକ)

 

‘ଅଜ-ଇନ୍ଦୁମତୀ’ଙ୍କ ଦାମ୍ପତ୍ୟ ପ୍ରେମର ସୁଫଳ ସ୍ୱରୂପ କୋଳରେ ପାଇଛନ୍ତି ସନ୍ତାନଟିଏ । ଏହି ପୁତ୍ର ଦଶଶତ କିରଣବାନ୍‌ ସୂର୍ଯ୍ୟଙ୍କ ପରି ତେଜସ୍ଵୀ ଓ ଦଶ ଦିଗରେ ଯଶସ୍ଵୀ ବୋଲି କବି ଗୁରୁ ଏହାର ନାମକରଣ କରିଛନ୍ତି ‘ଦଶରଥ’, କିନ୍ତୁ ସ୍ଵଭାବ କବିଙ୍କ ଲେଖନୀରେ ଏହି ପୁତ୍ରର ରଥ ଦଶଦିଗକୁ ଅବାରିତ ଭାବରେ ଗମନ କରି ପାରିବ ମନେ କରି ପିତା ‘ଅଜ’ ନିଜ ପୁତ୍ରର ନାମ ‘ଦଶରଥ’ ରଖିଥବା ନାମକରଣ ପ୍ରସଙ୍ଗ ଅଧିକ ଭାବଗର୍ଭକ ହୋଇଛି ।

 

ରଘୁବଂଶରେ-

ଦଶରଶ୍ମି ଶତୋପମଦ୍ୟୁତିଂ ଯଶସା ଦିକ୍ଷୁ ଦଶସ୍ଵପି ଶ୍ରୁତମ୍‌

ଦଶପୂର୍ବ ରଥଂ ଯମ୍ୟାୟା ଦଶକଣ୍ଠାରି ଗୁରୁଂ ବିଦୁର୍ବୁଧାଃ ।

(ଅଷ୍ଠମ ସର୍ଗ - ୨୯ ଶ୍ଳୋକ)

 

ଇନ୍ଦୁମତୀରେ-

ଦଶଦିଶେ ରଥ            ଗମିବ ଏହାର

ରାଜା ଏହା ଭାବି ମନେ,

ଦଶରଥ ନାମେ            ଖ୍ୟାତ ହେଉ ସୁତ

ବୋଇଲେ ବିଶ୍ଵଭୁବନେ ।

(ଉତ୍ତର ଭାଗ -୫୦ ପଦ)

 

ଏହାପରେ ଧରଣୀ ରାଣୀର ସେବା ପାଇଁ ବସନ୍ତ ରତୁ ଧରାବତରଣ କରିଛି । ଲୋହିତ କୋମଳ ପତ୍ରରେ ନିଜକୁ ସୁସଜ୍ଜିତ କରିଛି । ଉତ୍ତରଭାଗର ୫୨ ପଦରୁ ୫୬ ପଦ ମଧ୍ୟରେ ବସନ୍ତ ରତୁରେ ଅବତାରଣା ରହିଛି, ଫଳତଃ ଅଜ-ଇନ୍ଦୁମତୀ ଉଦ୍ୟାନ ବିହାର ପାଇଁ ପରିବେଶ ଅନୁକୂଳ ହୋଇଛି । ରଘୁବଂଶ ମହାକାବ୍ୟରେ ବସନ୍ତ ବର୍ଣ୍ଣନାର ଅବସର କାଳିଦାସ ନ ଦେଇ ସିଧାସଳଖ ଉଦ୍ୟାନ ବିହାର ବର୍ଣ୍ଣନା କରିଛନ୍ତି । ରାଜାରାଣୀ ଉଦ୍ୟାନ ବିହାର ସମୟରେ ସ୍ୱର୍ଗଚ୍ୟୁତ କୁସୁମହାର ଇନ୍ଦୁମତୀଙ୍କ ବକ୍ଷ ଦେଶରେ ନିପତିତ ହେବାରୁ ଫୁଲ ହାର ଆଘାତରେ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ପ୍ରିୟତମାଙ୍କ ଏଭଳି ଦାରୁଣ ଘଟଣା ରାଜା ଅଜ ମଧ୍ୟ ସଂଜ୍ଞାହୀନ ହୋଇଛନ୍ତି, କିଛିକ୍ଷଣ ପରେ ଅଜଙ୍କ ସଂସାର ଭାଙ୍ଗିଯାଇଛି । ରାଜା ସାଧାରଣ ମଣିଷ ଭଳି ଇନ୍ଦୁମତୀଙ୍କୁ କୋଳେଇ ନେଇ ବିଳାପ କରିଛନ୍ତି । ଏ ବିଳାପ ଅତୀବ ମର୍ମଦାହୀ । ‘ରଘୁବଂଶ’ ଓ ‘ଇନ୍ଦୁମତୀ’ରେ ଅଜ ବିଳାପ କରୁଣ ରସରେ ବେଶ୍‌ ହୃଦୟ ବିଦାରକ ହୋଇଛି । ଅଷ୍ଟମ ସର୍ଗର ୪୧ ଶ୍ଳୋକରୁ ୭୦ ଶ୍ଳୋକ ପର୍ଯ୍ୟନ୍ତ ଅଜ ବିଳାପ କାଳିଦାସୀୟ ଉପମା ପ୍ରୟୋଗ ଦ୍ଵାରା କବିତ୍ଵର ମହନୀୟତା ପ୍ରତିପାଦନ କରିଥିବାବେଳେ ଇନ୍ଦୁମତୀ କାବ୍ୟର ଉତ୍ତର ଭାଗ ୬୫ ପଦରୁ ୯୧ ପଦ ପର୍ଯ୍ୟନ୍ତ ଏହି ବିଳାପ କରୁଣ ରସରେ ପାଠକ ହୃଦୟକୁ ସିକ୍ତ କରି ଭାବୋଦ୍ଦୀପକ କରିଛି । ମୂଳ ଗ୍ରନ୍ଥର ଅଷ୍ଟମ ସର୍ଗ ୩୪, ୩୫ ଓ ୩୮ ଶ୍ଳୋକର ଆଂଶିକ ପ୍ରଭାବରେ ଅନୁଦିତ ଇନ୍ଦୁମତୀ ଗ୍ରନ୍ଥରେ ନାୟିକାଙ୍କ ମୃତ୍ୟୁ ସମ୍ପର୍କରେ ସୂଚିତ କରାଯାଇଛି । ଯଥା-

 

ପୁଷ୍ପହାର ଏକ            ଗଗନୁ ପଡ଼ିଲା

ଇନ୍ଦୁମତୀ ବକ୍ଷ ସ୍ଥଳେ । (୫୮)

ସେ ଦିବ୍ୟ କୁସୁମ-            ହାର ଦରଶନ

ମାତ୍ରେ ଇନ୍ଦୁମତୀଙ୍କର,

ପ୍ରାଣ-ବିହଙ୍ଗମ            ଉଡ଼ିଗଲା, ତନୁ

ପଡ଼ିଲା ଧରା ଉପର । (୫୯)

 

ପୁଣି, ରଘୁବଂଶର ଅଷ୍ଟମ ସର୍ଗ ୪୮ ଶ୍ଳୋକରେ ବର୍ଣ୍ଣିତ ‘ଅଜ ବିଳାପ’କୁ ଗଙ୍ଗାଧର ଅନୁସରଣ କରିଛନ୍ତି –

 

କୃତ ବତ୍ୟସି ନାବ ଧୀରଣା ମପରାଦ୍ଦେଦ୍ଧପି ଯଦାଚିରଂ ମୟି

କଥମେକପଦେ ନିରାଗସଂ ଜନ୍ମାଭାଷ୍ୟମିମଂ ନ ମନ୍ୟସେ

ଆହା ବରାନନେ ସରଳ- କୋମଳ ହୃଦୟ ସୁଦୟାବତୀ,

 

ଛାଡ଼ିଗଲୁ କେଉଁ            ଅପରାଧ ଦେଖି

ହୋଇଣ ନିଷ୍ଠୁର ମତି । (୬୬)

କେତେ ଅପରାଧ            କରି ସଖି ! ଦିନେ

ଦେଖି ନାହିଁ ତୋର ମାନ,

ଦିନେ ତୋ ମୁଖରୁ            କର୍କଶ ବଚନ

ପାଇ ନାହିଁ ମୋର କାନ । (୬୭)

 

ରାଜା ଅଜଙ୍କ ବିଳାପରେ ଉଦ୍ୟାନ ପ୍ରକୃତି ପୁଷ୍ପ-ମଧୁ ଛଳରେ ଅଶ୍ରୁ ବର୍ଷଣ କିମ୍ବା ପ୍ରତିଧ୍ୱନି ଛଳରେ କ୍ରନ୍ଦନ କରିଛନ୍ତି । ଆତ୍ମୀୟ ସ୍ଵଜନମାନେ ଇନ୍ଦୁମତୀଙ୍କୁ ଅଜ କୋଳରୁ ଅତି କଷ୍ଟରେ ବାହାର କରି ସେହି ସ୍ଵର୍ଗୀୟ କୁସୁମ ହାରରେ ତାଙ୍କୁ ଶେଷ ଥର ପାଇଁ ମଣ୍ଡନ କରି ଅଗୁର ଚନ୍ଦନ ଚିତାରେ ବିସର୍ଜନ କରିଛନ୍ତି ଓ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିଛନ୍ତି (୭୧ ଶ୍ଳୋକ- ଅଷ୍ଟମ ସର୍ଗ) । ଇନ୍ଦୁମତୀର ଉତ୍ତରାର୍ଦ୍ଧରେ ଅନୁରୂପ ବର୍ଣ୍ଣନା ୯୫, ୯୬ ପଦରେ ପ୍ରକାଶିତ ହୋଇଛି ।

 

ଉଭୟ କାବ୍ୟର ଅନ୍ତିମ ପର୍ଯ୍ୟାୟରେ ତପୋନିଷ୍ଠ ଗୁରୁ ବଶିଷ୍ଟ ଧ୍ୟାନବଳରେ ଇନ୍ଦୁମତୀ ବିୟୋଗ ଘଟଣା ଅବଗତ ହୋଇ ମୋହଗ୍ରସ୍ତ ରାଜା ଅଜଙ୍କୁ ବୁଝାଇବା ପାଇଁ ଆଶ୍ରମରୁ ଜନୈକ ଶିଷ୍ୟଙ୍କୁ ପଠାଇ ଉପଦେଶବାଣୀ ଶୁଣାଇଛନ୍ତି ଓ ଇନ୍ଦୁମତୀଙ୍କ ପୂର୍ବ ଜନ୍ମ ବତ୍ତାନ୍ତ ସମ୍ପର୍କରେ ଅବଗତ କରାଇଛନ୍ତି । ଅଷ୍ଟମ ସର୍ଗର ୭୯, ୮୦, ୮୧, ୮୨ ଶ୍ଳୋକରେ ଏ ପ୍ରସଙ୍ଗ କାଳିଦାସୀୟ ଲେଖନରେ ଓ ଇନ୍ଦୁମତୀ ଉତ୍ତରାର୍ଦ୍ଧ ୧୨୦ ପଦରୁ ୧୨୯ ପଦରେ ଗଙ୍ଗାଧରୀ ରଚନାରେ ପ୍ରକାଶିତ ହୋଇଛି । ତେବେ କଳା ଦିଗରୁ ଉଭୟ କବି ନିଜସ୍ଵ ଉପମାଗୁଡ଼ିକରେ କାବ୍ୟ ଲକ୍ଷ୍ମୀଙ୍କ ଅଙ୍ଗ ଶୋଭାକୁ ଶୋଭାଯୁକ୍ତ କରିବାରେ କୃପଣ ହୋଇନାହାନ୍ତି ।

 

ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ । କାଳିଦାସ ଦେହଧାରୀମାନଙ୍କ ମରଣ ହେଉଛି ପ୍ରକୃତି ଓ ଜୀବନ ବିକୃତି ଅର୍ଥାତ ମୃତ୍ୟୁ ସତ୍ୟ, ଜୀବନ ମିଥ୍ୟା ବୋଲି ସୂଚିତ କରିଥିବାବେଳେ (୮୭ ଶ୍ଳୋକ-୮ମ ସର୍ଗ) କର୍ମ ଫଳ ସମ୍ପର୍କରେ ଗଙ୍ଗାଧର ପାଠକଙ୍କୁ ଜ୍ଞାତ କରାଇ ମୃତ୍ୟୁ ନିଶ୍ଚିତ କଥାଟିକୁ ଭିନ୍ନ ଶୈଳୀରେ କହିଛନ୍ତି । ଯଥା-

 

ଜୀବନ-ପ୍ରଦୀପ            ଜଳୁଥାଏ ଦେହେ

ଆୟୁ ସ୍ତୈଳ ଥିବାଯାଏ,

ଆୟୁସ୍ତୈଳ ସବୁ            ନିଃଶେଷିତ ହେଲେ

ନିର୍ବାଣ ସେ ହୋଇଯାଏ । (୧୧୦)

ଅଚିନ୍ତ୍ୟ ପୁରୁଷ-            ହସ୍ତେ ଅଛି ସେହି

ତୈଳ ଦେବା ଅଧିକାର,

ଅପକ୍ଷ ପାତରେ            ବଣ୍ଟନ କରନ୍ତି

କର୍ମ ଦେଖି ଯେ ଯାହାର । (୧୧୧)

ମର୍ତ୍ତ୍ୟ ମଣ୍ଡଳରେ            ଜନମିଲେ ଦିନେ

ଅବଶ୍ୟ ଅଛି ମରଣ,

ସର୍ବଗ୍ରାସୀ କାଳ            ପ୍ରତି ନିମିଷରେ

କରୁଛି ଆୟୁ ହରଣ । (୧୧୨)

 

ବଶିଷ୍ଠ ଶିଷ୍ୟଙ୍କ ଦ୍ଵାରା ରାଜା ଅଜଙ୍କୁ ନୀତିପୂର୍ଣ୍ଣ ଉପଦେଶବାଣୀ ଶୁଣାଇବା କାଳିଦାସଙ୍କ ଅପେକ୍ଷା ଗଙ୍ଗାଧରଙ୍କ ରଚନାରେ ମାତ୍ରାଧିକ୍ୟ ରହିଛି, ଏହା ହିଁ ନୀତିବାଦୀ ଗଙ୍ଗାଧରଙ୍କ ସ୍ଵାତନ୍ତ୍ର । ତେବେ ଏହି ଉପଦେଶବାଣୀ ରାଜାଙ୍କ ହୃଦୟକୁ ପ୍ରଭାବିତ କରିପାରି ନାହିଁ । ପ୍ରିୟତମାଙ୍କ ବିରହରେ ରାଜା ଅଜଙ୍କ ଅବଶିଷ୍ଟ ଜୀବନ ବଞ୍ଚିବା ଦୁର୍ବିସହ ହୋଇଛି । ପରିଶେଷରେ ପ୍ରିୟପୁତ୍ର ଦଶରଥ ହସ୍ତରେ ରାଜ ସିଂହାସନ ପ୍ରଦାନ କରି ଜାହ୍ନବୀ-ସରଯୂ ନଦୀର ସଙ୍ଗମ ସ୍ଥଳରେ ତନୁତ୍ୟାଗ କରି ଦିବ୍ୟ କଳେବରରେ ସ୍ୱର୍ଗପୁରକୁ ପ୍ରସ୍ଥାନ କରିଛନ୍ତି । ରଘୁବଂଶର ୮ମ ସର୍ଗ ୮୪, ୯୫ ଶ୍ଳୋକର ଭାବଧାରା ଇନ୍ଦୁମତୀର ୧୩୫, ୧୩୬ ଓ ୧୩୭ ପଦରେ ବର୍ଣ୍ଣିତ ହୋଇ କାବ୍ୟର ପରିସମାପ୍ତି ଘଟିଛି ।

 

ଉପସଂହାର :

କାଳିଦାସଙ୍କ ରଘୁବଂଶର ପଞ୍ଚମ ସର୍ଗ ୩୯ ଶ୍ଳୋକରୁ ଆରମ୍ଭ କରି ଅଷ୍ଟମ ସର୍ଗର ସମାପ୍ତି ପର୍ଯ୍ୟନ୍ତ ଅଜ-ଇନ୍ଦୁମତୀଙ୍କ ଜୀବନ ବୃତ୍ତାନ୍ତ ଆଧାରରେ ଗଙ୍ଗାଧରଙ୍କ ଇନ୍ଦୁମତୀରେ ପରିକଳ୍ପନା । ମହାକବି କାଳିଦାସଙ୍କ କାବ୍ୟ-ସାଗରରୁ ଗଙ୍ଗାଧର ଶାମୁକା ଗୋଟାଇ ସ୍ଵକୀୟ ତୁଳୀରେ ଶାମୁକା ବକ୍ଷକୁ ସୁଷମାନ୍ଵିତ କରିବା ନ୍ୟାୟରେ ରଘୁବଂଶର କଥାବସ୍ତୁ ଚୟନ କରି ନିଜସ୍ଵ କଳା କୁଶଳତାର ପୁଟରେ ଇନ୍ଦୁମତୀକୁ ପବିତ୍ର ଓ ସୁନ୍ଦର କାବ୍ୟରୂପ ଦେଇଛନ୍ତି । ଯେଉଁ ଯେଉଁ ସ୍ଥାନରେ ଭାବ ସଂଗତି ରକ୍ଷା ପାଇଁ ଯେତିକି ଗ୍ରହଣୀୟ, ଠିକ ସେତିକି ହିଁ ଚୟନ କରି ସ୍ଵଭାବ କବି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ପାଇଁ ପ୍ରଯନ୍ନ କରିଛନ୍ତି ।

 

‘ଇନ୍ଦୁମତୀ’ ରାମାୟଣର ଚରିତ୍ରଟିଏ । ‘ରଘୁବଂଶ’ ମାର୍ଗରେ ଗଙ୍ଗାଧରଙ୍କ ନିକଟକୁ ଆସିଛି ଆର୍ଯ୍ୟନାରୀର ଶୁଦ୍ଧ ଦାମ୍ପତ୍ୟ ପ୍ରେମର ଜୟଗୀତି ଗାନ ପାଇଁ । ଏଣୁ ଦୈହିକ ପ୍ରେମର ଗୁରୁତ୍ଵ ଅପେକ୍ଷା ଏଠାରେ ପ୍ରୀତି ଅଭେଦତ୍ଵ ଓ ଜନ୍ମ ଜନ୍ଜାନ୍ତର ବ୍ୟାପକତା ଲକ୍ଷ୍ୟରେ ଅଧିକ ଆତ୍ମ ନିବଦ୍ଧ ହୋଇଛି । ରାଧାନାଥ ଯୁଗର କବି ହିସାବରେ ସୌନ୍ଦର୍ଯ୍ୟ ପ୍ରତି ଅଧିକ ଧ୍ୟାନ ନିବିଷ୍ଟ ଗଙ୍ଗାଧରଙ୍କ ଲେଖନୀରେ ରସ ସୃଷ୍ଟି ହୋଇଛି ଯଥାଯଥ ଭାବରେ । ରଘୁବଂଶରେ କାଳିଦାସ ସ୍ଵୟମ୍ବରରୁ ରାଜାମାନଙ୍କ ହୃଦୟରେ ଶୃଙ୍ଗାର ଭାବ ସୃଷ୍ଟି କରିଛନ୍ତି ଇନ୍ଦୁମତୀଙ୍କ ଦର୍ଶନରେ, କିନ୍ତୁ ଗଙ୍ଗାଧର ସଜ୍ଞାନ ଚିତ୍ରରେ ଏହାକୁ ଏଡ଼ାଇ ଯାଇଛନ୍ତି, ତେବେ ମଧୁର ଦାମ୍ପତ୍ୟ ପ୍ରେମ ଚିତ୍ରାଙ୍କନରେ ଶୃଙ୍ଗାର ରସ ଆସିଛି ନାୟକ ନାୟିକାଙ୍କ ଜୀବନକୁ ସ୍ୱର୍ଗୀୟ ପ୍ରୀତି ଫୁଲର ସୁବାସରେ ସୁବାସିତ କରିବା ପାଇଁ । ଦ୍ଵିତୀୟତଃ ରଘୁବଂଶର ଅଜ- ଇନ୍ଦୁମତୀ ଚରିତ ବର୍ଣ୍ଣନା ପ୍ରସଙ୍ଗରେ ବାତ୍ସଲ୍ୟରସ ଆଦୌ ନାହିଁ, କିନ୍ତୁ ଇନ୍ଦୁମତୀରେ ଅଜ ଜନନୀଙ୍କ ପୁତ୍ର ବିରହଜନିତ ବାତ୍ସଲ୍ୟ ରସ ବେଶ୍‌ ହୃଦୟଗ୍ରାହୀ ଓ ବାସ୍ତବତା ରକ୍ଷା କରିଛି । କରୁଣ ରସ, ବୀର ରସର ପରିବେଷଣ ଉଭୟ କାବ୍ୟରେ ରହିଛି, କିନ୍ତୁ ଇନ୍ଦୁମତୀରେ କରୁଣ ରସରେ ଅଜ ବିଳାପ ଅଧିକ ମର୍ମଦାହୀ ହୋଇଛି ।

 

ପ୍ରକୃତି ହଁ ଗଙ୍ଗାଧରୀ ଶିଳ୍ପ କଳାର ସହଜ ଅବଲମ୍ବନ, ଏଣୁ ଯୁଗରୁଚି ଅନୁଯାୟୀ ଗଙ୍ଗାଧରଙ୍କ ପ୍ରକୃତି ବର୍ଣ୍ଣନା ଇନ୍ଦୁମତୀରେ ଜୀବନ୍ତ ଓ ବାସ୍ତବ ହୋଇଛି । କାଳିଦାସୀୟ ଲେଖନୀରେ ପ୍ରକୃତିର ବର୍ଣ୍ଣନା ରହିଛି ଭିନ୍ନ ଭାବରେ । ରଘୁବଂଶୀୟ ନରପତିମାନଙ୍କ ଯଶ ଖ୍ୟାତିର ବର୍ଣ୍ଣନା ଅବସରରେ ରାଜାମାନଙ୍କ ସୌନ୍ଦର୍ଯ୍ୟ ବର୍ଣ୍ଣନା ନଗରୀର ଶୋଭା ତଥା ଉଦ୍ୟାନର ପ୍ରାକୃତିକ ସୁଷମା ଚିତ୍ର ସିପ୍ରାନଦୀ, ବୃନ୍ଦାବନର ଶୋଭା ଆଦିର ବର୍ଣ୍ଣନା ଆଦି କାଳିଦାସଙ୍କ ରଚନାରେ ରହିଛି, ସେହି ଭିତ୍ତିଭୂମି ଉପରେ ଗଙ୍ଗାଧର ଠିଆ ହୋଇ କୈବଲ୍ୟ କଳାବାଦୀ ରାଧାନାଥୀ ପ୍ରକୃତି ମାର୍ଗରେ ପଦଚାରଣ କରି ମନୋଜ୍ଞ ଚିତ୍ର ନିଜସ୍ଵ ତୁଳାରେ ଅଙ୍କନ କରିବାରେ କୁଣ୍ଠିତ ହୋଇନାହାନ୍ତି । ଏଣୁ ଭାବ ପ୍ରକାଶନରେ ଗଙ୍ଗାଧର ସିଦ୍ଧହସ୍ତ ହୋଇଛନ୍ତି । ରୁଚି ଓ ନୀତିର ମାନଦଣ୍ଡରେ ଚତୁର ଶିଳ୍ପୀ ମୌଳିକ ଉପମା ଚୟନ କରି ଇନ୍ଦୁମତୀ କାବ୍ୟକୁ ଅଧିକ ସୁନ୍ଦର କରିଛନ୍ତି । ନିମ୍ନରେ କେତେକ ମୌଳିକ ଉପମା ପ୍ରଦତ୍ତ ହେଲା, ଯାହା କେବଳ ଗଙ୍ଗାଧରଙ୍କ ନିଜସ୍ଵ ପରିକଳ୍ପନା ।

 

୧. ତରୁଣତିଳକ ଶତମଦନ ସୁନ୍ଦର ଅଜଙ୍କ ରୂପମୂର୍ତ୍ତି ସନ୍ଦର୍ଶନରେ ରାଜାମାନଙ୍କ ମନରୁ ଇନ୍ଦୁମତୀ ଲାଭ ଆଶା ଦୂର ହେଲା ।

 

ଯଥା-

କନ୍ୟାଲାଭ ଆଶା            ଦୂର ହୋଇଗଲା

ମାନସରୁ ତାହାଙ୍କର,

ଶରଦ ଆଗମ             ଦରଶନେ ଯଥା

ଆକାଶରୁ ଜଳଧର । (୧୬ ପଦ)

 

୨. ଗୋଟିଏ ପଦ୍ମଫୁଲ ପ୍ରତି ଏକାଧିକ ଭ୍ରମର ଆକର୍ଷିତ ହେବା ସଦୃଶ ଗୋଟିଏ ନାରୀ ପ୍ରତି ଏକାଧିକ ରାଜା ଲୋଲୁପ ଚିତ୍ତ ହେବା ବର୍ଣ୍ଣନାରେ -

 

ମାଲ୍ୟ ଲଭିବାକୁ            ନୃପ ସୁତମାନେ

ସମସ୍ତେ ଲୋଲୁପ ଚିତ୍ତ

ବୁଭୁକ୍ଷିତ ଅଳି-            ବୃନ୍ଦ ଚାହିଁ ଯଥା

ଏକ ପଦ୍ମ ବିକଶିତ । (୨୧ ପଦ)

 

୩. ଅଜଙ୍ଗ ସୁନ୍ଦର ରୂପ ଅନିମେଷ ନୟନରେ ଇନ୍ଦୁମତୀ ନିରୀକ୍ଷଣ ପରେ କବି ହୃଦୟର ଭାବନା ପ୍ରକାଶିତ ହୋଇଛି –

 

ଅନିମେଷ ନେତ୍ରେ            ଚାହିଁ ଜେମାମଣି

ମନେ ମନେ ହେଲେ ସୁଖୀ,

ନବୋଦିତ ସୂର୍ଯ୍ୟ            ମଣ୍ତଳ ଚାହିଁଲେ

ପ୍ରାତେ ଯଥା ସୂର୍ଯ୍ୟମୁଖୀ । (୬୫ ପଦ)

 

ଇନ୍ଦୁମତୀ କାବ୍ୟର ପୂର୍ବାର୍ଦ୍ଧ ୧୫, ୧୭, ୨୭, ୨୮, ୩୪, ୪୪୫, ୬୧, ୮୯, ୯୧, ୧୧୦, ୧୨୫, ୧୪୪, ୧୪୫, ୧୮୯, ୧୮୧ ଓ ଉତ୍ତରାର୍ଦ୍ଧ ୬୨, ୧୨୪ ଆଦି ପଦମାନଙ୍କରେ କବିଙ୍କର ମୌଳିକ ଉପମା ପ୍ରୟୋଗ ପରିଲକ୍ଷିତ ହୁଏ । ଏଠାରେ ସ୍ଥାନାଭାବ କାରଣରୁ ସଦୃଷ୍ଟାନ୍ତ ଉଲ୍ଲେଖ ସମ୍ଭବ ହୋଇପାରୁନାହିଁ । ଏତଦ୍‍ଭିନ୍ନ ବସ୍ତୁ ଜଗତରୁ, ପ୍ରକୃତି ଜଗତରୁ ଓ ପୁରାଣରୁ ବହୁବିଧ ଉପମା ଚୟନ କରି ଏହାର ସଫଳ ବିନିଯୋଗ ଇନ୍ଦୁମତୀ ରଚୟିତାଙ୍କୁ ଆଧୁନିକ ଯୁଗର ସଫଳ କବି-ଗୌରବ ପ୍ରଦାନ କରିଛି ।

 

‘‘ଗଙ୍ଗାଧର ଉଚ୍ଚ ଶ୍ରେଣୀର କବି, କି ବହିଃ ପ୍ରକୃତି, କି ଅନ୍ତଃ ପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ’’ ଏବଂ ‘‘ଇନ୍ଦୁମତୀ’’ ସ୍ୱଭାବ ସୁନ୍ଦରୀ ଉତ୍କଳଭାରତୀଙ୍କର ଅନୁପଯୁକ୍ତ ଭୂଷଣ ନୁହେଁ, କବିବର ରାଧାନାଥଙ୍କ ମନ୍ତବ୍ୟ ପରେ ନିଶ୍ଚିତ ଭାବରେ ପାଠକ ହୃଦୟରେ କରୁଣ ରସାଶ୍ରିତ ପବିତ୍ର-ସୁନ୍ଦର କାବ୍ୟ ‘ଇନ୍ଦୁମତୀ’ ସ୍ଵତନ୍ତ୍ର ଭାବ ଚେତନା । ସୃଷ୍ଟି କରିପାରିଛି ।

 

 

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ପଞ୍ଚାୟତ ମହାବିଦ୍ୟାଳୟ

ବରଗଡ଼

 

 

ସହାୟକ ଗ୍ରନ୍ଥସୂଚୀ-

୧.

ଗଙ୍ଗାଧର ଗ୍ରନ୍ଥାବଳୀ (ସଂ) ଡ. ନରେନ୍ଦ୍ର ନାଥ ପ୍ରଧାନ

୨.

କାଳିଦାସ ଗ୍ରନ୍ଥାବଳୀ (ସଂ) ଡ. ଧନେଶ୍ୱର ମହାପାତ୍ର

୩.

ଇନ୍ଦୁମତୀ ଓ ମେହେର ସାହିତ୍ୟ, ଶ୍ରୀମତୀ ରୀନା କୁମାରୀ ମେହେର

 

***

 

ଭବଭୂତିଙ୍କ କାବ୍ୟରୁଚି ଆଲୋକରେ କବି ଗଙ୍ଗାଧର ମେହେର

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର

 

ଉତ୍କଳ ଭାରତୀଙ୍କ ସୁଯୋଗ୍ୟ ବରପୁତ୍ର ସ୍ଵଭାବକବି ଗଙ୍ଗାଧର ମେହେର ଏକାଧାରରେ ଜଣେ ଅମ୍ଳାନ ପ୍ରତିଭାବନ୍ତ କାବ୍ୟଶିଳ୍ପୀ, ପ୍ରକୃତିବାଦୀ, ସ୍ଵଦେଶପ୍ରେମୀ, ଯୁଗ ସଚେତକ ଓ ସମନ୍ୱୟାତ୍ମକ ସାରସ୍ଵତସ୍ପଷ୍ଟା ଥିଲେ । ଏହି ପ୍ରଖ୍ୟାତଯଶା ସାରସ୍ଵତସାଧକ ଗତାନୁଗତିକ ଚିନ୍ତାଧାରା ବ୍ୟତୀତ ନୂତନ ସ୍ୱାଦଯୁକ୍ତ ରସମୟ, ଭାବମୟ ଓ ପ୍ରେମମୟ ସାରସ୍ଵତବିଭବଦ୍ଵାରା ଓଡ଼ିଆ ବାଣୀଭଣ୍ଡାରକୁ ଅପରୂପ ସୌନ୍ଦର୍ଯ୍ୟରେ ବିଭୂଷିତ କରିଯାଇଛନ୍ତି । ଭୀଷା ସୌନ୍ଦର୍ଯ୍ୟ, ଭାବଗାମ୍ଭୀର୍ଯ୍ୟ ଓ ଅନ୍ତଃସୌନ୍ଦର୍ଯ୍ୟଭରା ତାଙ୍କର ପ୍ରତ୍ୟେକଟି ଅମରକୃତିରୁ ପ୍ରଜ୍ଞାର ଐଶ୍ଵର୍ଯ୍ୟମୟ ଆଭାସ ସୁସ୍ପଷ୍ଟ । ବିଷୟ ବିନ୍ୟାସ, ପ୍ରକୃତି ବର୍ଣ୍ଣନା, ଚିତ୍ରଚାତୁରୀ ଓ ଚରିତ ଚିତ୍ରଣ ହିଁ ତାଙ୍କର ବିଶେଷ କଳାକୁଶଳ । ପ୍ରାଚୀନ ଓ ମଧ୍ୟଯୁଗୀୟ ସଂସ୍ଫୃତ ସାହିତ୍ୟ ଅନୁକରଣରେ ସେ ଶୈଳୀ, ସୌନ୍ଦର୍ଯ୍ୟ, ବ୍ୟଞ୍ଜନା ଓ ଅଳଙ୍କାରର ଚାତୁର୍ଯ୍ୟପୂର୍ଣ୍ଣ ପ୍ରୟୋଗ ପୂର୍ବକ ଓଡ଼ିଆ ସାହିତ୍ୟର ଅଙ୍ଗ ଓ ଆତ୍ମାରେ ବିରାଟ ପରିବର୍ତ୍ତନର ସୂତ୍ରପାତ କରିଯାଇଛନ୍ତି । ବାଲ୍ମୀକି, ବ୍ୟାସ, କାଳିଦାସ ଓ ଭବଭୂତି ପ୍ରଭୃତି ସଂସ୍କୃତ କବିଗଣଙ୍କ ପଦାଙ୍କ ଅନୁସରଣ କରି ରସ ପରିବେଷଣରେ ସେ ପାଠକ ପ୍ରାଣରେ ତନ୍ମୟତା ସୃଷ୍ଟି କରିଛନ୍ତି । ସଂସ୍କୃତ ସାହିତ୍ୟର ସୁଦୃଢ଼ ତଥା ବଳିଷ୍ଠ ପରମ୍ପରାର ସମଉତ୍କର୍ଷ ସାଧନ ନିମିତ୍ତ ସେ ଅଲୌକିକ ସାଧନାର ପରିଚୟ ଦେଇ ଓଡ଼ିଆ ସାହିତ୍ୟରେ ଭବ୍ୟ ଓ ଉଜ୍ଵଳ ପରମ୍ପରା ସୃଷ୍ଟି କରିଯାଇଛନ୍ତି । ବିଶେଷତଃ ଭବଭୂତିଙ୍କ ରଚିତ ‘ଉତ୍ତର ରାମଚରିତ’ ନାଟକର କାବ୍ୟାଲୋକରେ ଉଦ୍‌ଭାସିତ ହୋଇ ସେ ଆପଣା କାବ୍ୟକଳାର କୋଣାର୍କ ‘‘ତପସ୍ୱିନୀ’’ ସୃଷ୍ଟି କରିଛନ୍ତି । ଅଧିକନ୍ତୁ, ଏହି କାବ୍ୟରେ ସେ ଚରିତ୍ର ଚିତ୍ରଣ, ପ୍ରକୃତି ବର୍ଣ୍ଣନା ଓ କଳ୍ପନାବିଳାସର ମୌଳିକତା ତଥା ସ୍ୱାତନ୍ତ୍ର୍ୟ ପ୍ରକାଶ ପୂର୍ବକ ଭବଭୂତିଙ୍କଠାରୁ ଆଉ ଟିକିଏ ଆଗକୁ ପାଦ ପକାଇଛନ୍ତି । ମହନୀୟତା ହେଉଛି, ଭବଭୂତିଙ୍କ ରସ ପରିବେଷଣର ପାରମ୍ପରିକ ପରିଧିରେ ସେ ଆତ୍ମିକ ସନନ୍ଦ ସ୍ଵରୂପରେ ପ୍ରତିଭାତ ହୋଇ ଆଧୁନିକ ଓଡ଼ିଆ ସାହିତ୍ୟର ମୂଲ୍ୟବୋଧରେ ପରିବର୍ତ୍ତନ ଘଟାଇବା ସହିତ ଆପଣା ପ୍ରତିଭାର ଶୀର୍ଷସ୍ଥାନରେ ଉପନୀତ ହୋଇପାରିଛନ୍ତି ।

 

ମହାକବି ଭବଭୂତି ଓ ସ୍ଵଭାବକବି ଗଙ୍ଗାଧରଙ୍କ ଜନ୍ମରେ ଏଗାରଶହ ବର୍ଷର ବ୍ୟବଧାନ ରହିଥିଲେ ହେଁ ଉଭୟ ଗୋଟିଏ ଭୂଖଣ୍ଡର ପ୍ରାକୃତିକ ପରିବେଶରେ ଜନ୍ମଗ୍ରହଣ କରିଥିଲେ । ଭବଭୂତିଙ୍କ ଜନ୍ମ ସମ୍ବଲପୁରଠାରୁ ପଶ୍ଚିମ ଦିଗରେ ମହାନଦୀତଟସ୍ଥ ପଦ୍ମପୁରନଗରୀରେ ଅଷ୍ଟମ ଶତାବ୍ଦୀରେ ହୋଇଥିଲା ତଥା ଗଙ୍ଗାଧରଙ୍କ ଜନ୍ମ ସମ୍ବଲପୁରଠାରୁ ଦକ୍ଷିଣ ଦିଗରେ ଜୀରାନଦୀତଟସ୍ଥ ବରପାଲିଗ୍ରାମରେ ଉନବିଂଶ ଶତାବ୍ଦୀରେ ହୋଇଥିଲା । ପଣ୍ଡିତ ଗଙ୍ଗାଧର ମିଶ୍ର, ଶ୍ରୀଯୁକ୍ତ ରାମକୃଷ୍ଣ ଗୋପାଳ ଭଣ୍ଡାରକର, ଗବେଷକ କେଦାରନାଥ ମହାପାତ୍ର, ଶ୍ରୀଯୁକ୍ତ ଶିବପ୍ରସାଦ ଦାଶ ଓ ପଣ୍ଡିତ ପ୍ରୟାଗଦତ୍ତ ଯୋଗୀ ପ୍ରଭୃତିଙ୍କ ମତରେ ମହାକବି ଭବଭୂତିଙ୍କ ଜନ୍ମସ୍ଥାନ ହେଉଛି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ମହାନଦୀ ତଟସ୍ଥ ପଦ୍ମପୁର ଏବଂ ସେ କାନ୍ୟକୁବ୍‌ଜାଧୀଶ୍ଵରଙ୍କ ଆଶ୍ରୟରେ ଜୀବନଯାପନ କରିଥିଲେ । ଭବଭୂତି ଓ ଗଙ୍ଗାଧର ଉଭୟ ଦାରିଦ୍ର୍ୟର କଷାଘାତରେ ଚିରଜର୍ଜ୍ଜିରିତ ହୋଇଥିଲେ ହେଁ ଆଜୀବନ ସାରସ୍ଵତ ସାଧକ ଭାବରେ ସଂସ୍କୃତ ତଥା ଓଡ଼ିଆ ସାହିତ୍ୟର ଯୁଗ ପରିବର୍ତ୍ତନ ପ୍ରକ୍ରିୟାରେ ନୂତନ ସମ୍ଭାବନାର ଦ୍ଵାର ଉନ୍ମୋଚନ କରିପାରିଥିଲେ । ଉଭୟ କବି ଆଦିକବି ବାଲ୍ମୀକି ଓ ମହାକବି କାଳିଦାସଙ୍କ ପଦାଙ୍କ ଅନୁସରଣ ପୂର୍ବକ ନାଟକ ଓ କାବ୍ୟରଚନା କରିଥିଲେ ହେଁ ସ୍ଵ ସ୍ଵ ରଚନାରେ ଚରିତ୍ରଚିତ୍ରଣର ମୌଳିକତା ଓ କାବ୍ୟିକ ଅନ୍ତଃଦୃଷ୍ଟି ପ୍ରଦର୍ଶନ କରିଯାଇଛନ୍ତି । ଭବଭୂତିଙ୍କ ସାରସ୍ଵତ ସାଧନାକ୍ଷେତ୍ର କାନ୍ୟକୁବ୍‌ଜ ଓ ଉଜ୍ଜୟିନୀ ଥିଲା ବୋଲି ପଣ୍ଡିତମଣ୍ଡଳୀ ବିବେଚନା କରିଥାନ୍ତି । କିନ୍ତୁ ତାଙ୍କ ଜନ୍ମସ୍ଥାନରେ ଦୀର୍ଘକାଳ ପର୍ଯ୍ୟନ୍ତ ତତ୍‌କୃତ ନାଟକ ସମୂହର ଆଲୋଚନା ଅବ୍ୟାହତ ରହିଥିଲା । ଏପରିକି ଗଙ୍ଗାଧରଙ୍କ ଜନ୍ମ ପର୍ଯ୍ୟନ୍ତ ସମ୍ବଲପୁର, ଦେବଗଡ଼, ବରଗଡ଼, ସୋନପୁର, ବଲାଙ୍ଗୀର, ଖଡ଼ିଆଳ, ଢେଙ୍କାନାଳ, ତାଳଚେର, କଟକ, ପୁରୀ, ଯାଜପୁର, ଖଣ୍ଡପଡ଼ା ଓ ନୟାଗଡ଼ ପ୍ରଭୃତି ସ୍ଥାନରେ କାଳିଦାସ ତଥା ଭବଭୂତିଙ୍କ ନାଟକ ସମୂହର ତୁଳନାତ୍ମକ ଆଲୋଚନା ପଣ୍ଡିତବର୍ଗଙ୍କ ଦ୍ଵାରା କରାଯାଉଥିଲା । ଏହାର ବିଶେଷ ପ୍ରଭାବ ଗଙ୍ଗାଧରଙ୍କ ଉପରେ ପଡ଼ିଥିଲା । ଭକ୍ତକବି ମଧୁସୂଦନ ରାଓ ‘ଉତ୍ତର ରାମଚରିତ’ ଓଡ଼ିଆରେ ଅନୁବାଦ କରିବା ପରେ ଗଙ୍ଗାଧର ଏହି ନାଟକକୁ ଓଡ଼ିଆ କାବ୍ୟରୂପ ପ୍ରଦାନ ନିମିତ୍ତ ଏ ମନ ବଳାଇଥିଲେ । ବିଶେଷତଃ ଭବଭୂତିଙ୍କ ଏହି ନାଟକର କାବ୍ୟରୁଚି ଗଙ୍ଗାଧରଙ୍କ ପ୍ରାଣକୁ ସ୍ୱର୍ଶ କରିଥିଲା ।

 

ମହାକବି ଭବଭୂତି ରାମଙ୍କ ରାଜ୍ୟାଭିଷେକର ପରବର୍ତ୍ତୀ ଘଟଣାକୁ କେନ୍ଦ୍ର କରି ରଚନା କଲେ ‘‘ଉତ୍ତର ରାମଚରିତ’’ ନାଟକ । ଏହି ନାଟକରେ ସେ ରାମରାଜ୍ୟର ମହନୀୟତା ପ୍ରତିପାଦନ କରିବା ନିମିତ୍ତ ରାମଙ୍କ ଉତ୍ତରଜୀବନକୁ ଚିତ୍ରଣ କରିଛନ୍ତି । ଯେଉଁଥିରେ ରାମ ଓ ସୀତା ଉଭୟଙ୍କର ଚାରିତ୍ରିକ ବୈଶିଷ୍ଟ୍ୟ ଚିତ୍ରିତ । ନାନ୍ଦୀପାଠ ପରେ ଭବଭୂତି ଉଲ୍ଲେଖ କରିଛନ୍ତି :-

 

ଭବଭୂତିର୍ନାମ ଜତୁକର୍ଣ୍ଣୀ ପୁତ୍ରଃ ଯଂ ବ୍ରହ୍ମାଣମିୟଂ ଦେବୀ ବାଗ୍‌ବଶୟେ ବାନୁବର୍ତ୍ତତେ,

ଉତ୍ତର ରାମଚରିତଂ ତତ୍‌ପ୍ରଣୀତଂ ପ୍ରୟୋକ୍ଷ୍ୟତେ ।

 

ଭବଭୂତିଙ୍କର ପଦାଙ୍କ ଅନୁସରଣ କରି ଗଙ୍ଗାଧର ସେହି ଉତ୍ତର ରାମଚରିତକୁ କାବ୍ୟରୂପ ପ୍ରଦାନ କଲେ । ତାଙ୍କ ପୂର୍ବରୁ ଓଡ଼ିଶା କବି କୋବିଦଚ୍ଛନ୍ଦ ରାମାଭିଷେକ ପର୍ଯ୍ୟନ୍ତ କଥା ବସ୍ତୁକୁ କାବ୍ୟରୂପ ପ୍ରଦାନ କରିଥିଲେ ହେଁ ଉତ୍ତର ରାମଚରିତକୁ କାବ୍ୟାକାରରେ ପ୍ରକାଶ କରି ନ ଥିଲେ । ଏପରିକି କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ବୈଦେହୀଶବିଳାସରେ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ରାଜ୍ୟାଭିଷେକକୁ କାବ୍ୟରୂପ ପ୍ରଦାନ କରିଥିଲେ ହେଁ ଆପଣାର ଇଷ୍ଟ ରାମଚନ୍ଦ୍ରଙ୍କ ଉତ୍ତର ଜୀବନକାଳୀନ ବିରହକୁ ଚିତ୍ରଣ କରିବାକୁ ସମୁଚିତ ବୋଧ କରି ନଥିଲେ । ବାଲ୍ମୀକି ଆଶ୍ରମରେ ସୀତାଙ୍କ ନିବାସ, ଲବକୁଶଙ୍କ ଜନ୍ମ ଓ ରାମାୟଣଗାନ, ସୀତାଙ୍କ ପାତାଳଗମନ ଓ ଶ୍ରୀରାମଙ୍କ ବୈକୁଣ୍ଠ ଗମନ ପ୍ରଭୃତି ଉତ୍ତର ରାମଚରିତ ପ୍ରସଙ୍ଗକୁ ଉପେନ୍ଦ୍ରଭଞ୍ଜ ବିଭଙ୍ଗରସ ବୋଲି ଅଭିହିତ କରି ବର୍ଣ୍ଣନା କରିନାହାନ୍ତି ।

 

ବିଭଙ୍ଗରସ ବୋଲିଣ ନବର୍ଣ୍ଣଲି ଏତେ

ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦଗୀତେ ଯେ ।

 

ଉପେନ୍ଦ୍ର ଭଞ୍ଜ ଏହାକୁ ବିଭଙ୍ଗ ରସ କହି ପରିହାର କରିଥିଲେ ହେଁ ଆଧୁନିକତାର ସ୍ପର୍ଶ ତଥା ଭବଭୂତିଙ୍କ କାବ୍ୟରୁଚିର ଆଲୋକରେ ଦୀପ୍ତିମନ୍ତ ଗଙ୍ଗାଧର ରାମ ସୀତାଙ୍କର ଉତ୍ତର ଜୀବନର ସାର୍ଥକ ରୂପାୟନ କରିପାରିଛନ୍ତି ‘‘ତପସ୍ୱିନୀ’’ କାବ୍ୟରେ । ଭବଭୃତିଙ୍କୁ ଅନୁସରଣ କରିଥିଲେ ହେଁ ସେ ଉତ୍ତର ରାମଚରିତ୍ରର ଅନେକ ଚରିତ୍ରକୁ କାବ୍ୟରେ ସ୍ଥାନ ଦେଇନାହାନ୍ତି । ଭବଭୂତି ନାଟକରେ ଦୁର୍ମୁଖ, ରଷ୍ୟଶୃଙ୍ଗ, ଶମ୍ଭୁକ, ଚନ୍ଦ୍ରକେତୁ ପ୍ରଭୃତି ଚରିତ୍ରକୁ କେନ୍ଦ୍ରକରି ଉପାଖ୍ୟାନ ସୃଷ୍ଟି କରିଥିଲେ ମଧ୍ୟ ଗଙ୍ଗାଧର କେବଳ ସତୀ ଶିରୋମଣି ସୀତାଙ୍କ ଚରିତ୍ର ଚିତ୍ରଣକୁ ଶ୍ରେୟ ମଣିଛନ୍ତି । ନାଟକ ଅଭିନୟ ନିମିତ୍ତ ଏହି ସବୁ ଚରିତ୍ରର ଆବଶ୍ୟକତା ଥିଲେ ହେଁ ଗଙ୍ଗାଧର ତପସ୍ଵିନୀ ସୃଷ୍ଟିରେ ଏମାନଙ୍କ ଉପରେ ନିର୍ଭରଶୀଳ ହୋଇନାହାନ୍ତି । ଏତାଦୃଶ ଚରିତ୍ର ବ୍ୟତୀତ ତପସ୍ଵିନୀ ଘଟଣାବିହୀନ ପ୍ରତୀୟମାନ ହୋଇଥିଲେ ହଁ ଗଙ୍ଗାଧରଙ୍କ କାବ୍ୟକଳ୍ପନା ପାଠକ ହୃଦୟରେ ନାଟକୀୟ ଭାବ ସଂଚାର କରିଥାଏ । ଅନ୍ୟ ଭାଷାରେ ଉଲ୍ଲେଖ କଲେ ଗଙ୍ଗାଧର ଭବଭୂତିଙ୍କ ନାଟକ ଦ୍ଵାରା ଉଦ୍‍ବୁଦ୍ଧ ହୋଇଥିଲେ ହେଁ ଦ୍ଵନ୍ଦ୍ୱବହୁଳ ଘଟଣା ସମୂହକୁ ପରିହାର କରି ରାମସୀତାଙ୍କର ବିରହ ବିଦଗ୍‌ଧ ପ୍ରଣୟର କରୁଣ ମୂର୍ଚ୍ଚନାକୁ ପାଥେୟ କରି ପାଠକ ହୃଦୟରେ ନାଟକୀୟ ଭାବାବେଗ ସୃଷ୍ଟି କରିପାରିଛନ୍ତି । ଭବଭୂତିଙ୍କ ନାଟକର ପତିପରିତ୍ୟକ୍ତା ସତୀ ସୀତାଙ୍କର ନିର୍ବାସିତା ଜୀବନର ତପସ୍ଵିନୀବ୍ରତ ଗଙ୍ଗାଧରଙ୍କ କବିତ୍ଵକୁ ପଲ୍ଲବିତ, ପୁଷ୍ପିତ ଓ ସୁରଭିତ କରିଛି । ତେଣୁ ତାଙ୍କ ଲେଖନୀରୁ ନିସୃତ ହୋଇଛି-

 

ବାଲମୀକ ଆଶ୍ରମକୁ ଧାଇଁଅଛି ମନ,

କରିବାକୁ ନିର୍ବାସିତା ସୀତାଙ୍କୁ ଦର୍ଶନ ॥

 

‘ତପସ୍ଵିନୀ’ ଗଙ୍ଗାଧରଙ୍କ ସର୍ବଶ୍ରେଷ୍ଠ କୃତୀ । ସତୀ ଶିରୋମଣି ସୀତାଙ୍କ ଉତ୍ତରଜୀବନ ଆଧାରରେ ଏହି କାବ୍ୟ ରଚିତ । ଭବଭୂତିଙ୍କ ଉତ୍ତର ରାମଚରିତରୁ ବିଷୟବସ୍ତୁ ଗ୍ରହଣ କରିଥିଲେ ହେଁ ଗଙ୍ଗାଧର ସ୍ଵକୀୟ ସାରସ୍ଵତ ପ୍ରତିଭାର କାଉଁରୀ ସ୍ପର୍ଶରେ ଏହାକୁ ଏକ ଦୁର୍ଲଭ ରସୋଦୀପ୍ତ ପ୍ରକୃତି କାବ୍ୟନାଟିକା ରୂପରେ ପରିବେଷଣ କରିଛନ୍ତି । ‘‘ଉତ୍ତର ରାମଚରିତ’’ ଏକ ନାଟକ ଓ ‘‘ତପସ୍ଵିନୀ’’ ଏକ କାବ୍ୟ । ଗଙ୍ଗାଧର ତପସ୍ଵିନୀ ରଚନା କରିବାବେଳେ ନାଟକର ବିଷୟବସ୍ତୁକୁ ଗ୍ରହଣ କରିନାହାନ୍ତି, କିନ୍ତୁ ଯେଉଁ ଚରିତ୍ରମାନଙ୍କୁ ଆହରଣ କରିଛନ୍ତି ତନ୍ମଧ୍ୟରୁ ପ୍ରାକୃତିକ ଚରିତ୍ରଗୁଡ଼ିକ । ଉପରେ ଗୁରୁତ୍ଵାରୋପ କରି ନାଟକୀୟ ପରିବେଶକୁ କାବ୍ୟ ମଧ୍ୟରେ କମନୀୟ କରିପାରିଛନ୍ତି । ସେ ଭବଭୂତିଙ୍କ ନାଟକରୁ କେବଳ ସୀତାଙ୍କ ପ୍ରସଙ୍ଗକୁ ହିଁ ଗ୍ରହଣ କରିଛନ୍ତି । ଜନକ ରାଜନନ୍ଦିନୀ ତଥା ଅଯୋଧ୍ୟା ପାଟରାଣୀ ସୀତାଙ୍କୁ ସେ ସଂଦର୍ଶନ କରିଛନ୍ତି ତପସ୍ଵିନୀ ରୂପରେ । ସୁକୁମାରୀ ସୀତା ରାଜର୍ଷି ଜନକଙ୍କ ସ୍ଵେହ ଓ ବାତ୍ସଲ୍ୟରେ ପାଳିତା ତଥା ଅଯୋଧ୍ୟା ରାଜପ୍ରସାଦରେ ସୌଭାଗ୍ୟମଣ୍ଡିତା ହୋଇଥିଲେ ହେଁ ଦୀର୍ଘକାଳ ଲଙ୍କାର ଅଶୋକବାଟିକାରେ ବନ୍ଦିନୀ ଜୀବନଯାପନ ପୂର୍ବକ କାନ୍ତବିଚ୍ଛେଦର ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ହୋଇଛନ୍ତି । ସେତିକିରେ ତାଙ୍କ ଦୁଃଖର ପରିସମାପ୍ତି ଘଟିନାହିଁ । ରାମଚନ୍ଦ୍ର ଲୋକାପବାଦ ଓ ଲୋକସନ୍ଦେହକୁ ଆଧାର କରି ତାଙ୍କୁ ନିର୍ବାସନ ଦଣ୍ଡପ୍ରଦାନ କରିଛନ୍ତି । ଭବଭୂତି ସ୍ଵରଚିତ ‘‘ଉତ୍ତର ରାମଚରିତ’’ ନାଟକରେ ସୀତାଙ୍କ ନିର୍ବାସନ ପୂର୍ବରୁ ଅଷ୍ଟ ବକ୍ରମୁନିଙ୍କ ପ୍ରସଙ୍ଗ ଅବତାରଣା କରିଛନ୍ତି । ଏହି ପ୍ରସଙ୍ଗରେ ଶ୍ରୀରାମ ଅଷ୍ଟବକ୍ରଙ୍କୁ ଗୁରୁଦେବ ବଶିଷ୍ଠଙ୍କ ଆଦେଶ ଶୁଣାଇ କହିଛନ୍ତି -

 

ସ୍ନେହଂ ଦୟାଂ ତଥା ସୌଖ୍ୟଂ ଯଦି ବା ଜାନକୀମପି,

ଆରାଧ୍ୟନୀୟ ଲୋକସୀ ମୁଞ୍ଚତୋ ନାସ୍ତି ମେ ବ୍ୟଥା ।

 

ଶ୍ରୀରାମଙ୍କ ଶ୍ରୀମୁଖରୁ ଏହି ବାଣୀ ଶ୍ରବଣ କରି ସୀତା କହିଛନ୍ତି ‘‘ଅଦୋ ଜେବ ରାହବଧୁରନ୍ଧରୋ ‘‘ଅଜ୍ଜଉତ୍ତୋ’’ ଅର୍ଥାତ ‘‘ଆର୍ଯ୍ୟପୁତ୍ର ! ଏଥିପାଇଁ ସିନା ଲୋକେ ତୁମକୁ ରଘୁକୁଳ ଧୁରନ୍ଧର ବୋଲି କହିଥାନ୍ତି ।’’ ଯଥାର୍ଥରେ ପରବର୍ତ୍ତୀ କାଳରେ ସେଇଆ ହିଁ ଘଟିଛି । ଶ୍ରୀରାମଙ୍କ କର୍ତ୍ତୃକ ସୀତା ନିର୍ବାସିତା ହୋଇଛନ୍ତି ଏବଂ ବିନା ପ୍ରତିବାଦରେ ସୀତା ନିର୍ବାସନକୁ ସ୍ଵୀକାର କରି ଆପଣାର ପୂର୍ବ ବାକ୍ୟ ବଜାୟ ରଖିଛନ୍ତି । ଗଙ୍ଗାଧର ସ୍ଵରଚିତ ‘‘ତପସ୍ୱିନୀ’’ କାବ୍ୟରେ ଏହି ପ୍ରସଙ୍ଗ ଅବତାରଣା କରି ପତିପ୍ରାଣଗତା ସୀତାଙ୍କ ମୁଖରେ କୁହାଇଛନ୍ତି :

 

ପ୍ରକୃତି ରଞ୍ଜନେ ଯେବେ ହୁଏ ପ୍ରୟୋଜନ,

କରିପାରେ ପ୍ରାଣସମା ସୀତା ବିସର୍ଜନ ।

ଅଷ୍ଟବକ୍ର ମୁନି ଆଗେ ଯାହା ଭାସିଥିଲ,

ସ୍ମରୁଥିବ ସେ ପ୍ରତିଜ୍ଞା ନ କରି ଶିଥିଳା

ପିତୃବାକ୍ୟ ପାଳନରେ ତୁମ୍ଭେ ଅବିମୁଖ,

ପତିବାକ୍ୟ ପାଳନରେ ନ ହେଲେ ମୋ ଦୁଃଖ

ତେବେ ସିନା ତୁମ୍ଭ ପତ୍ନୀ ପଦର ଭାଜନ,

ମୁଁ ହେବି, ଏ କଥା ନିଶ୍ଚେ ବୁଝିବ ମୋ ମନ ।

ପରଜା ରଞ୍ଜନ ବ୍ରତେ ଅଟ ତୁମ୍ଭେ ବ୍ରତୀ,

ମୁଁ ସହଧର୍ମିଣୀ ତୁମ୍ଭ ପଦାଙ୍କେ ମୋ ଗତି ।

ହେଉ ମୋର ନିର୍ବାସନ ପ୍ରକୃତିର ଦୋଷ,

ପ୍ରଭୁଙ୍କର ବ୍ରତ ହେଉ ସଂପୂର୍ଣ୍ଣ ନିର୍ଦ୍ଦୋଷ ।

 

ନାରୀ ଚରିତ୍ରର ଆଦର୍ଶ ପରାକାଷ୍ଠା ପ୍ରତିପାଦନ କରିବା ନିମିତ ଭବଭୂତି ସ୍ଵରଚିତ ନାଟକରେ ସୀତା ଚରିତ୍ରର ମହତ୍ତ୍ଵ ଦର୍ଶାଇଛନ୍ତି । ଗଙ୍ଗାଧର ଭବଭୂତିଙ୍କୁ ଅନୁସରଣ କରି ‘ତପସ୍ଵିନୀ’ରେ ପତିବ୍ରତା ସୀତାଙ୍କୁ ଆଦର୍ଶ ନାରୀର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ କରିଛନ୍ତି । ସେ ଥିଲେ ନାରୀଚରିତ୍ର ଏ ଚିତ୍ରଣର ସୁଦକ୍ଷ ଶିଳ୍ପୀ । ତାଙ୍କ ଲେଖନୀରେ ସୀତାଙ୍କ ଏକାନ୍ତିକ ପ୍ରେମନିଷ୍ଠା ତ୍ୟାଗ ଓ ତପସ୍ୟା ଭାସ୍ଵର ହୋଇ ଉଠିଛି । ଭବଭୂତିଙ୍କ ବର୍ଣ୍ଣିତ ସୀତାଚରିତ୍ରର ମୌଳିକ ଗୁଣରାଜିକୁ ଅପ୍ରତିହତ ରଖି ଗଙ୍ଗାଧର ‘ତପସ୍ଵିନୀ’ରେ ତାଙ୍କୁ ଅଭିନବ ରୂପସଂପଦ ଓ ସୁଗୁଣରାଜିରେ ବିଭୂଷିତ କରିଛନ୍ତି । ରାମଚନ୍ଦ୍ରଙ୍କ ଆଦେଶରେ ଲକ୍ଷ୍ମଣ ସତୀ ଶିରୋମଣି ଅନ୍ତଃସତ୍ତ୍ଵା ସୀତାଙ୍କୁ ନେଇ ଗଙ୍ଗାତଟସ୍ଥ ବନଭୂମିରେ ଛାଡ଼ି ଦେଇ ଆସିଛନ୍ତି । ସୀତା ଥିଲେ ଅଯୋଧ୍ୟାର ସାମ୍ରାଜ୍ଞୀ । ସେ ଚାହିଥିଲେ ଏହାର ପ୍ରତିବାଦ କରିପାରିଥାନ୍ତେ । କିନ୍ତୁ ଆପଣା ନିର୍ବାସନ ଅପେକ୍ଷା ସେ ରଘୁକୁଳର ଗୌରବ ଏବଂ ପ୍ରଜାନୁରଞ୍ଜନକୁ । ଶ୍ରେୟ ମଣିଛନ୍ତି ବିଶେଷତଃ ପ୍ରଜାନୁରଞ୍ଜନକୁ ସ୍ଵାମୀଙ୍କ ବ୍ରତ ବିବେଚନା କରି ନିଜେ ସହଧର୍ମିଣୀର କର୍ତ୍ତବ୍ୟ ପାଳନ କରୁଅଛନ୍ତି ବୋଲି ସେ ବିଚାରିଛନ୍ତି ଅଧିକନ୍ତୁ, ପତିଙ୍କ କୀର୍ତ୍ତିକଳାପ ସ୍ମରଣରେ ସେ ପତିବିଚ୍ଛେଦ ଜନିତ ହୁଃଖ ଅପନୋଦନ କରିବାର ପ୍ରୟାସ କରିଛନ୍ତି ଗଙ୍ଗାଧରଙ୍କ ବର୍ଣ୍ଣନାରେ : -

 

ଧନ୍ୟ ନାଥ ମୁଖ ତୁମ୍ଭ ପୀୟୂଷ ନିର୍ଝର,

ହୃଦୟାଦ୍ରି- ସୁଧା- ହିମ- ଶିଳାର ଆକାର ।

ହେଲେହେଁ ସେ ହୃଦୟରେ ସନ୍ତାପ ପତିତ,

ଅନ୍ୟ ନବାହାରେ ମୁଖେ ଅମୃତ ବ୍ୟତୀତ ।

 

ଶ୍ରୀରାମଙ୍କ ସହଧର୍ମିଣୀ ପଦ ଅଳଙ୍କୃତ କରିବାକୁ ସେ ନିଜକୁ ଅଯୋଗ୍ୟା ବିବେଚନା କରିଛନ୍ତି । ନିଜର ପୂର୍ବକୃତ ପାପ ଯୋଗୁଁ ସେ ବନଚାରୀ ହେଲେ ବୋଲି ତାଙ୍କ ମନରେ ଧାରଣା ସୃଷ୍ଟି ହୋଇଛି ସ୍ଵଦୁର୍ଦ୍ଦଷା ଅପେକ୍ଷା ସେ ପତିଙ୍କ ବ୍ୟଥା ନିମିତ୍ତ ବ୍ୟଥିତା ହୋଇଛନ୍ତି । ଦୁଃସହ ପରିସ୍ଥିତିରେ ମଧ୍ୟ ସେ ନିଜକୁ ପ୍ରଜାନୁରଞ୍ଜନ ସଦୃଶ ମହତକର୍ମରେ ନିୟୋଜିତ କରିପାରିଥିବାରୁ ଆପଣାକୁ ଧନ୍ୟ ମନେକରି ବନବାସକୁ ସ୍ଵାଗତ କରିଛନ୍ତି । ସୀତାଙ୍କର ଏହି ମର୍ମବାଣୀ ଗଙ୍ଗାଧରଙ୍କ ଲେଖନୀରେ ପରିସ୍ଫୁଟ ହୋଇଉଠିଛି ।

 

ସହସା ଶୁଣିଲ ମୋର ଅପବାଦ କଥା,

ଅବଶ୍ୟ ହୃଦୟେ ଲାଗିଥିବ ମହାବ୍ୟଥା,

ତଥାପି ନକୁହ ପଦେ ନିଦାରୁଣ ଭାଷା,

ତ୍ୟାଗକଲ ଦେଇ ମୋତେ ମଧୁମୟୀ ଆଶା ।

ମୋ ଅର୍ଜିତ ପାପ ମୋର ଦୁଃଖର କାରଣ,

ସେହି ପାପ ଏବେ ମୋର ହେଉଛି ସ୍ମରଣ ।

 

ପତିବ୍ରତା ସୀତା ନିର୍ବାସିତ ଦୁଃଖକୁ ପରମସୁଖମଣି ପତି ଦେବତାଙ୍କ ମହତ୍‌କର୍ମର ଭୂୟସୀ ପ୍ରଶଂସା କରିଛନ୍ତି । ନିର୍ବାସନ କାଳରେ ସେ ଥିଲେ ଅନ୍ତଃସତ୍ତ୍ଵା । କିନ୍ତୁ ଦାମ୍ପତ୍ୟସ୍ନେହରୁ ବଞ୍ଚିତା ହୋଇ ସେ ହେଲେ ପତିପରିତ୍ୟକ୍ତା । ଦୋଷ ନ ଥାଇ ମଧ୍ୟ ସେ ପତିଙ୍କ ଦ୍ଵାରା ଉପେକ୍ଷିତା ହେଲେ । ନିଜ ଦୁଃଖ ନିମିତ୍ତ ସେ ପତିଦେବ ରାମଚନ୍ଦ୍ରଙ୍କ ଦୋଷ ନ ଦେଇ ଆପଣା ଦୁର୍ବିପାକକୁ ଦାୟୀ କରିଛନ୍ତି । ବାଲ୍ମୀକି ଆଶ୍ରମରେ ସେ ତାପସୀ ସଖୀ ନିକଟରେ ଆପଣା ଅତୀତ ଜୀବନ କାହାଣୀ ବିକୃତ କରି ସ୍ୱାମୀଙ୍କ ସୁଗୁଣ ବର୍ଣ୍ଣନା କରିଛନ୍ତି ।

 

ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି,

କାନ୍ତ ତ ସ୍ଵଭାବେ ମୋ କରୁଣାନିଧି ଗୋ ।

କାନ୍ତ ବିଚ୍ଛେଦେ ରହିପାରେ ଜୀବନ

ଏମନ୍ତ କ୍ଷଣେ ଭାବି ନଥଲା ମନ ।

ସହିଲି ରହି ଘୋର ଦୁଃସହ ଦୁଃଖ,

ଦେଖିବି ବୋଲି ଏକା ସ୍ୱାମୀ ଶ୍ରୀମୁଖ ଗୋ ।

 

କେବଳ ସେତିକି ନୁହେଁ, ଅଗ୍ନି ପରୀକ୍ଷାରେ ଯଦି ଭସ୍ମ ହୁଅନ୍ତି ସେହି ଭସ୍ମରୁ ଜନ୍ମ ବୃକ୍ଷର କାଷ୍ଠରେ ସ୍ୱାମୀଙ୍କ ପାଦୁକା ହେବାକୁ ସେ ଅଭିଳାଷ ପୋଷଣ କରିଛନ୍ତି ।

 

ମୋ ତନୁ ଦଗ୍ଧ ହେଲେ ହେବ ତ ଖାର,

ତାହାକୁ କରାଇବ ପାଦପ ସାର ।

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ,

କରାଇଦେବ ପ୍ରଭୁ ପାହୁକା ମତେ ହେ ।

 

ଆଶ୍ରମର ସବୁଜ ସୁନ୍ଦର ଶ୍ୟାମଳିମାରେ ସେ ଅହର୍ନିଶି ଘନଶ୍ୟାମ ମୂର୍ତ୍ତି ରାମଚନ୍ଦ୍ରଙ୍କୁ ଦର୍ଶନ କରିଥାନ୍ତି ପୁନ୍ନାଗ କାନନର ଚିକ୍‌କଣ ନୀଳିମା ସୀତାଙ୍କ ମନୋରଞ୍ଜନ କରୁଥିଲେ ସେହି କାନନର ପତ୍ରାବଳୀରେ ସେ କେବଳ ନୀଳଘନଶ୍ୟାମ ରାମଚନ୍ଦ୍ରଙ୍କୁ ଦର୍ଶନ କରୁଥିଲେ ।

 

ଉଜ୍ଵଳ ଚିକ୍‌କଣ ନୀଳ ପତର,

ପୁନ୍ନାଗ କାନନ ଶ୍ୟାମଳତର ।

ଉଡ଼ି ଉଡ଼ିଶାରୁ ଥିଲା କି ଯାଇ,

ଦେଇଥିଲା ସତୀ ମନ ରଞ୍ଜାଇ

ନୀଳାଚଳ ରୂପ ଧରି

ବିଜେ ଅବା ରାମ ଲଭିବାକୁ ସୀତା

ପ୍ରୀତି ସାଗର ଲହରୀ ।

 

ବନଭୂମିର ସବୁଜିମା ଭିତରେ ପ୍ରାଣପ୍ରିୟଙ୍କର ଛବି ଦର୍ଶନ କରି ସୀତା ତୃପ୍ତ ହୋଇଛନ୍ତି ତଥା ତାଙ୍କ ବନବାସ ସାର୍ଥକ ହୋଇଛି । ପ୍ରଭୁଙ୍କ ପ୍ରଜାନୁରଞ୍ଜନ ବ୍ରତ ପାଳନର ସିଦ୍ଧି ଓ ସାଫଲ୍ୟ ନିମିତ୍ତ ଏହି ବନବାସ ହିଁ ଥିଲା ସୀତାଙ୍କ ତପସ୍ଥଳୀ । ସେ ମନେ କରିଛନ୍ତି ଯେ “ମୁଁ ଆଦୌ ନିର୍ବାସିତା ନା ଉପେକ୍ଷିତା ନୁହେଁ ।’’ ଅଧିକନ୍ତୁ, ପତିଙ୍କର ପ୍ରଜାନୁରଞ୍ଜନ ଧର୍ମ ପାଳନ ନିମିତ୍ତ ସେ ତପସ୍ଵିନୀ । ସୀତା ଥିଲେ ପ୍ରିୟଭାଷିଣୀ, ସତ୍ୟବାଦିନୀ ଓ ଶାନ୍ତି ପ୍ରଦାୟିନୀ ତାଙ୍କ ହୃଦୟକୁ ମାୟା ଓ କପଟ ସ୍ପର୍ଶ କରି ନ ଥିଲେ ହେଁ 'ସେ ତପଶ୍ଚରଣରେ ବ୍ରତୀ ହୋଇ ସ୍ଵୟଂସିଦ୍ଧା ବୋଲାଇଛନ୍ତି । ଗୌତମୀ ସୀତାଙ୍କ ପ୍ରଥମ ଦର୍ଶନରେ ତାଙ୍କୁ ତପସ୍ଵିନୀ ବୋଲି ସମ୍ବୋଧନ କରିଥିଲେ ।

 

ଦଇବ ସ୍ୱଭାବେ ତ୍ର ତପସ୍ୱିନୀ ।

ଦର୍ଶନମାତ୍ରେ ମୁଁ ପାରିଛି ଚିହ୍ନ ।

ପବିତ୍ର ପ୍ରାଣ ତୋ ଅତି କୋମଳ

ଘୋର ତପସ୍ୟାର ଦୁର୍ଲଭ ଫଳ

ପୁଣ୍ୟ ଲତିକାର ଫୁଲ

ନବ ତାପସୀଙ୍କ ଆଚରିତ ଶ୍ରମ

ନୁହଇଁ ତା ଅନୁକୂଳ ।

 

ଗୌତମୀ ନବାଗତା ଆଶ୍ରମବାସିନୀ ସୀତାଙ୍କ ତପଶ୍ଚରଣ ନିମିତ୍ତ ଦୈନିକ କର୍ମର ଏକ ସୁନ୍ଦର ନୀତି ନିର୍ଦ୍ଧାରଣ କରିଦେଇଛନ୍ତି, ଯଦ୍ଵାରା ତାଙ୍କ ତପସ୍ୟା ଫଳବତୀ ହୋଇପାରିବ ପ୍ରତିଦିନ ଆଶ୍ରମବାସିନୀ ବ୍ରହ୍ମଚାରିଣୀ କୁମାରୀ ମାଳଙ୍କ ସହିତ ମିଶି ଉଦ୍ୟାନସ୍ଥ ଫଳ ପୁଷ୍ପ ପାଦପରେ ଜଳଦାନ, ପୁଷ୍ପଫଳ ଚୟନ ଓ ଅନ୍ୟାନ୍ୟ ଆଶ୍ରମକର୍ମମାନ ଏହାର ଅନ୍ତର୍ଭୁକ୍ତ ଥିଲା । ଏହାଦ୍ଵାରା ସେ ରାଜଭବନର ଐଶ୍ଵର୍ଯ୍ୟକୁ ଭୁଲି ବିଭୁପ୍ରେମର ମାଧୁର୍ଯ୍ୟ ଉପଲବ୍‌ଧି କରିପାରିବେ ବୋଲି ଗୌତମୀ ବିଚାରି ଥିଲେ । କବି ଗଙ୍ଗାଧରଙ୍କ ଭାଷାରେ -

 

ତାପସ ତାପସୀ ସେନେହ ସୁଖ,

ତଡ଼ିଦେଲା ସତୀ ମାନସ ଦୁଃଖ,

ରାଜସୁଖ ତାଙ୍କ ସ୍ମୃତି ପଥରେ,

ଭ୍ରମରେ ସୁଦ୍ଧା ନ ପଡ଼ିଲା ଥରେ ।

ନିର୍ମଳ ହୃଦୟ ସରେ,

ମନୋହର ରୂପ ରାମ ରାଜହଂସ

କ୍ରୀଡ଼ୁଥାନ୍ତି ନିରନ୍ତରେ ।

 

ରାମଙ୍କ ଦ୍ଵାରା ନିର୍ବାସିତା ହୋଇ ଆଶ୍ରମ ଜୀବନକୁ ଆପଣେଇ ନେଇଥିବା ରାମପ୍ରାଣଗତା ସୀତା ସ୍ୱପ୍ନରେ ସୁଦ୍ଧା ରାମ ବା ରଘୁବଂଶର ଅମଙ୍ଗଳ କାମନା କରି ନାହାନ୍ତି । ପତି ବିରହର ଯନ୍ତ୍ରଣା ଜର୍ଜରିତ ଆଶ୍ରମ ଜୀବନର ପ୍ରତିଟି ପ୍ରଭାତରେ ଶ୍ରୀରାମଙ୍କ କମନୀୟ ମୂର୍ତ୍ତି ତାଙ୍କ ନେତ୍ରରେ ଝଲସି ଉଠିଛି ଏବଂ ସେ ପତିଙ୍କ ମଙ୍ଗଳ ନିମିତ୍ତ ଉଷାଙ୍କ ନିକଟରେ ବିନତି କରିଛନ୍ତି ।

 

ବୋଇଲେ ତାକୁ ପ୍ରଶଂସି ତୁମ୍ଭେ ତିମିର ବିଧ୍ଵଂସି

ରବି ଆଗମନ ଶଂସୀ ହୁଅ ସଂସାରେ,

ତୁମ୍ଭ କୋମଳ ଚରଣ କରେ ଜ୍ୟୋତି ଆହରଣ

ତହିଁ ଯାଉଛି ଶରଣ ଦୃଢ଼ ଆଶାରେ

ଶୁଭ୍ର ସଉରଭ ରସିକେ

ଶୁଭ ସଂପାଦିନୀ ହୁଅ ରଘୁବଂଶିକେ ।

 

ସତୀ ଶିରୋମଣି ସୀତା ଶ୍ରୀରାମଙ୍କ ଅଶ୍ଵମେଧ ଯଜ୍ଞର ସମ୍ବାଦ, ମୁନି ବାଲ୍ମୀକିଙ୍କ ସହିତ ଲବକୁଶ ଯୋଗଦାନ କରିବାକୁ ନିମନ୍ତ୍ରଣ ତଥା ଯଜ୍ଞର ବିପୁଳ ଆୟୋଜନ ସଂପର୍କରେ ଶ୍ରବଣ କରି ସଂଶୟାଚ୍ଛନ୍ନ ହୋଇପଡ଼ିଛନ୍ତି ଏବଂ ଯଜ୍ଞ ସଂପନ୍ନ କରିବା ନିମିତ୍ତ ରାମଚନ୍ଦ୍ର ଦ୍ଵିତୀୟ ସ୍ତ୍ରୀ ଗ୍ରହଣ କରିବେ ବୋଲି ଆଶାପୋଷଣ କରିଛନ୍ତି ପ୍ରଣୟ ସାଧନ ନିମଗ୍ନା ନିର୍ବାସିତା ସୀତାଙ୍କ ପ୍ରାଣ ବ୍ୟାକୁଳ ହୋଇଉଠିଛି ଏବଂ ଅଶ୍ରୁର ଅଞ୍ଜନରେ ସେ ପତିଦେବଙ୍କୁ ବିନୟପତ୍ର ଲେଖିଛନ୍ତି -

 

ମୁଁ କିଏ ତା ଜାଣିବାର ନୁହେଁ ଆବଶ୍ୟକ,

ସଦା ତୁମ୍ଭେ, ତାପସଙ୍କ ଅଶାନ୍ତି ନାଶକ ।

ତାପସଙ୍କୁ କିଛି ତୁମ୍ଭ ନ ଥାଏ ଅଦେୟ,

ମୁହିଁ ତପସ୍ଵିନୀ ମୋତେ ନ କରିବ ହେୟ ।

ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ,

ଭକ୍ତିଭରେ ଦେଖୁଥିବେ ଜଗତର ଜନ

ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ,

କେଉଁଠାରେ କେତେକାଳ କେଉଁ ମନ୍ତ୍ର ଜପ,

ଏହା ମାତ୍ର ପ୍ରଭୋ, ମୋତେ ଦେବଟି ଜଣାଇ,

ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ ।

କୋଟି ଅଶ୍ଵମେଧ ଯେତେ ଧନ ହୁଏ ଦାନ,

ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ ।

 

ଶ୍ରୀରାମଙ୍କ ଦ୍ୱିତୀୟ ପତ୍ନୀ ଗ୍ରହଣରେ ସୀତା ବିଚଳିତ ନ ହୋଇ କେଉଁ ମନ୍ତ୍ର ଜପି ସେହି ସୌଭାଗିନୀ ଆପଣଙ୍କୁ ପତି ରୂପେ ପାଇଲେ ତାହା ଜାଣିବାକୁ ନିବେଦନ କରିଛନ୍ତି ଅର୍ଥାତ୍‌ ସେ ସେହି ମନ୍ତ୍ର ଜପି ପୁନର୍ବାର ଶ୍ରୀରାମଙ୍କୁ ପତି ରୂପେ ପାଇବାକୁ ଆଶାପୋଷଣ କରିଛନ୍ତି ଭବଭୂତିଙ୍କ ପଦାଙ୍କ ଅନୁସରଣ କରି କବି ଗଙ୍ଗାଧର ମେହେର ସ୍ଵରଚିତ “ତପସ୍ଵିନୀ’’ କାବ୍ୟରେ ବିଶ୍ଵବରେଣ୍ୟା ସୀତାଙ୍କ ମହନୀୟତା ଯେପରି ଭାବରେ ପ୍ରତିପାଦନ କରିଛନ୍ତି, ତହିଁର ପଟ୍ଟାନ୍ତର ନାହିଁ ।

 

ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ ସତୀ ଶିରୋମଣି ସୀତାଙ୍କୁ ନେଇ ଗଙ୍ଗାତଟସ୍ଥ ବନଭୂମିରେ ଛାଡ଼ିଦେଇ ଆସିଛନ୍ତି କବି ଗଙ୍ଗାଧର ମେହେର ଏହିଠାରୁ ତପସ୍ଵିନୀର ଅୟମାରମ୍ଭ କରିଛନ୍ତି । ସୀତା ଓ ରାମ ଉଭୟଙ୍କର ବିରହକୁ ସନ୍ତାପିତ କରିବା ନିମିତ୍ତ ମହାକବି ଭବଭୂତି ସ୍ଵରଚିତ “ଉତ୍ତର ରାମଚରିତ’’ ନାଟକରେ ପ୍ରକୃତି ଉପରେ ନିର୍ଭରଶୀଳ ହୋଇଛନ୍ତି ଗଙ୍ଗାଧର ମଧ୍ୟ ବିରହବ୍ୟଥା ଅପନୋଦନ ନିମିତ୍ତ ପ୍ରକୃତିର ସମ୍ୱେଦନଶୀଳ ପରିବେଶକୁ ଆପଣେଇ ନେଇଛନ୍ତି ସତୀ ଶିରୋମଣି ସୀତାଙ୍କ ଅନ୍ତର୍ଦାହକୁ ପ୍ରଶମିତ କରିବା ନିମିତ୍ତ ଗଙ୍ଗାଧର ସୃଷ୍ଟି କରିଛନ୍ତି ସତୀ ଦର୍ଶନ ଆଶାରେ ଉଷାଙ୍କ ଆଗମନ, ତମସାଙ୍କ ସସ୍ନେହ ଆଲିଙ୍ଗନ ଓ ବନଲକ୍ଷ୍ମୀଙ୍କର ଅଭିନନ୍ଦନ । ଭବଭୂତିଙ୍କ କାବ୍ୟରୁଚିରେ ଆଲୋକିତ ଗଙ୍ଗାଧର ସ୍ଵଭାବତଃ ଥିଲେ ପ୍ରକୃତି ପ୍ରେମୀ । ତାପସ ଓ ତପସ୍ଵିନୀଙ୍କ ବିହାରସ୍ଥଳୀ ଆଶ୍ରମ ପ୍ରକୃତି ତାଙ୍କୁ ବିମୁଗ୍ଧ କରିଛି । ତାଙ୍କ ଲେଖନୀରେ ଜଡ଼ପ୍ରକୃତି ଜୀବନ୍ତ ଓ ଚଳଚଞ୍ଚଳ ହୋଇଉଠିଛି । ସୀତାଙ୍କ ହୁଃଖରେ ସମବେଦନା ଜଣାଇ ପ୍ରକୃତି ବିକ୍ଷୋଭ ପ୍ରକାଶ କରିଛି । ବିହଙ୍ଗମଗଣ ଉଚ୍ଚସ୍ଵରରେ ରାବ କରିଛନ୍ତି, ପତ୍ରରାଜି ଇତସ୍ତତ ଦୋଳାୟମାନ ହୋଇ କାରୁଣ୍ୟ ଲହରୀ ସୃଷ୍ଟି କରିଛନ୍ତି, ମୃଗଯୂଥ ବିଚଳିତ ହୋଇଛନ୍ତି, ବାୟାଚଢ଼େଇ ବସାଦୋହଲାଇ ଯୁଦ୍ଧ ଘୋଷଣା କରିଛନ୍ତି, ବନ ପୁଷ୍ପରାଜି ବୃନ୍ତଚ୍ୟୁତ ହୋଇଛନ୍ତି ଏବଂ ପରିଶେଷରେ ସୂର୍ଯ୍ୟଦେବ ସ୍ଵକୁଳବଧୂଙ୍କର ମର୍ମାନ୍ତିକ ଦୁଃଖରେ ଗଭୀର ଅନ୍ତର୍ବେଦନା ଜଣାଇ ଅସ୍ତାଚଳଗାମୀ ହୋଇଛନ୍ତି କବିଙ୍କ ଭାଷାରେ-

 

ଶତ ଶତ ସେବିକା ଯା ସେବୁଥିଲେ ପଦ,

ଜଣେ ନ ଦେଖିଲେ ତାଙ୍କ ଦାରୁଣ ଆପଦ ।

ଅହୋ ! ନିୟତିର ଏହି ଭୟଙ୍କର ରୀତି,

ଦେଖିଲେ କାହାର ହୃଦେ ନ ଆସିବ ଭୀତି ।

ତା ଚାହିଁ ବିହଙ୍ଗମୁଖେ କାନ୍ଦିଲା ସେ ବନ,

ବହିଲା ନିଶ୍ଵାସ ରୂପେ ପ୍ରଖର ପବନ ।

ଶୁଭିଲା ପ୍ରଶ୍ଵାସ ରୂପେ ସର ସର ସ୍ଵର,

କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର ।

ଏ ଦିଗେ ସେ ଦିଗେ ଚାହିଁ ଚକିତ ଲୋଚନେ,

ମୃଗମାନେ ରହିଗଲେ ବିଚଳିତ ମନେ ।

ଜନନୀ ରୋଦନ ଚାହିଁ ନ ବୁଝି ତା ମାନେ,

ବ୍ୟସ୍ତ ଯଥା ହୋଇଥାନ୍ତି ତା ସନ୍ତାନମାନେ ।

କରିବାକୁ ନିୟତିର ସହିତ ସମର,

ତୃଣରାଜି ଖଡ୍ଗରେ ଗର୍ଜିଲା ପ୍ରଖର ।

ବାୟାବସା ତୂଣୀରକୁ ଝାଡ଼ି ବାରମ୍ବାର

ପତ୍ର କଙ୍କପତ୍ର କଲା କି ଅବା ବାହାର ।

କମ୍ପିତ-ସରିତ-ବୀଚି, ଉତ୍‌ଥିତ ଶୀକର,

ପଡ଼ିଲ ! ପୁଳିନେ ତେଜି ତରଙ୍ଗ-ଶିଖର ।

ଭରିକି ସୀସକଖୁଳି ତରଙ୍ଗର ଶେପେ,

ନିୟତିଙ୍କ ଭାଗୀରଥୀ ପ୍ରହାରିଲା କୋପେ ।

କମଳ ସକଳ ହୋଇ ବିଚଳିତ ସରେ,

ପଦ୍ମ-ବ୍ୟୁହ ରଚି ଯୁଦ୍ଧ କଲେ ଅଳି ଶରେ ।

ବନଫୁଲେ ବୃନ୍ତ ତେଜି ଭୂମିତଳେ ପଡ଼ି,

ଧୂଳି ମାଖି ମଲ୍ଲଯୁଦ୍ଧେ ହେଲେ ଗଡ଼ାଗଡ଼ି ।

ଲଣ-ଲୁଣ-ତନ୍ତୁ-ରୂପ ନିୟତି-ବନ୍ଧନ,

ଛିନ୍ନ କରି କ୍ରୋଧ ଭରେ କଲା ଆସ୍ଫାଳନ ।

ବ୍ୟାହତ ହୃଦୟ ଶୀର୍ଣ୍ଣ ଶରୀର ବାଦଲ,

ଦଉଡ଼ି ଆସିଲା କୋପେ ଘେନି ଦଳବଳ ।

ଚକ୍ଷୁ ଚମକାଇ, କରି ଗଭୀର ଗର୍ଜନ,

ଦେଖାଇଲା ନିୟତିର ଉପରେ ତର୍ଜନ ।

ସତୀ-ମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି,

ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି ।

ସାଧ୍ଵୀ କୁଳବଧୂଙ୍କର ଦୁର୍ବିପାକ ଚାହିଁ,

ଲଜ୍ଜାଭରେ ଭାନୁ ଦେଲେ ବଦନ ଲୁଚାଇ ।

 

ପ୍ରକୃତି ସୀତାଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଶୋକାତୁର ଓ ବିକ୍ଷୁବ୍ଧ ହୋଇଛନ୍ତି କବିଙ୍କ ଲେଖନୀରେ । ପ୍ରକୃତିର ଏପରି ଜୀବନ୍ତ ମାନବୀୟ ରୂପ ବିଶ୍ୱସାହିତ୍ୟରେ ପ୍ରାୟତଃ ବିରଳ । କବି ମାନବବାଦର ସୂକ୍ଷ୍ମରୂପକୁ ପ୍ରକୃତି ମଧ୍ୟରେ ଅନୁଭବ କରି ଲେଖନୀ ଚାଳନା କରିଛନ୍ତି । ତପସ୍ଵିନୀର ଚତୁର୍ଥ ସର୍ଗରେ ସୀତାଙ୍କ ଦର୍ଶନ ନିମନ୍ତେ ଗୈରିକ ବସନା ଉଷା କର ପଲ୍ଲବରେ ନିହାର ରୂପକ ମୁକ୍ତା ଧରି ଉପସ୍ଥିତ ହୋଇଛନ୍ତି । ବାଲ୍ମୀକି ଆଶ୍ରମରେ ଉଷାକାଳର ଆଗମନକୁ ଜୀବନ୍ତ କରି କବି ଲେଖିଛନ୍ତି-

 

ମଙ୍ଗଳେ ଅଇଲା ଉଷା            ବିକଚ ରାଜୀବ ଦୃଶା

ଜାନକୀ ଦର୍ଶନ ତୃଷା ହୃଦୟେ ବହି,

କର ପଲ୍ଲବେ ନିହାର            ମୁକ୍ତାଧରି ଉପହାର

ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି ।

କଳକଣ୍ଠ କଣ୍ଠେ କହିଲା,

ଦରଶନ ଦିଅ ସତୀ ରାତି ପାହିଲା ।

 

କେବଳ ସେତିକି ନୁହେଁ, ଉଷାର ନିର୍ଦ୍ଦେଶରେ ସମୀର ସଂଗୀତ ଗାନ କରିଛନ୍ତି, ଭ୍ରମର ବୀଣାବାଦନ କରିଛନ୍ତି, ସୁରଭୀ ନୃତ୍ୟ କରିଛନ୍ତି, କୁମ୍ଭାଟୁଆ ଭାଟ ହୋଇ ସ୍ତବପାଠ କରିଛି ଏବଂ କଳିଙ୍ଗ ମାଗଧ ବେଶରେ ଆସି ମଧୁର ସ୍ଵରରେ ସୀତାଙ୍କୁ ଜାଗ୍ରତ ହେବାକୁ ଅନୁରୋଧ କରିଛନ୍ତି । ଜାଗ୍ରତ ହେବା ପରେ ସୀତା ଯେତେବେଳେ ତମସାନଦୀକୁ ସ୍ନାନନିମିତ୍ତ ଯାଇଛନ୍ତି ତମସା ସସ୍ନେହରେ ସୀତାଙ୍କୁ ଆଲିଙ୍ଗନ କରିଛନ୍ତି ପଞ୍ଚମ ସର୍ଗରେ ମଧ୍ୟ ରାମପ୍ରାଣଗତା ସୀତାଙ୍କ କାନ୍ତି ଆହରଣ କରି ପୁଷ୍ପବାଟିକା ଶୋଭନୀୟ ହୋଇଛି ଭବଭୂତି ସ୍ଵରଚିତ ନାଟକରେ ସୀତାଙ୍କ ଶୋକୋପନୋଦନ ନିମିତ୍ତ ତମସା, ମୁରଲା, ଗୋଦାବରୀ, ଭାଗିରଥୀ ପ୍ରଭୃତି ପ୍ରାକୃତିକ ଚରିତ୍ର ସୃଷ୍ଟି କରିଥଲେ ହେଁ ଗଙ୍ଗାଧର କଳ୍ପନା କରିଥିଲେ ଅନେକ ନୂତନ ପାତ୍ରପାତ୍ରୀ ଅନ୍ତଃପ୍ରକୃତି ଓ ବହିଃପ୍ରକୃତି ଉଭୟ ଚିତ୍ରଣରେ ସିଦ୍ଧହସ୍ତ କବି ଗଙ୍ଗାଧର ମାତୃସ୍ନେହଧାରାର ମନ୍ଦାକିନୀରେ ହୁଃଖିନୀ ସୀତାଙ୍କୁ ଅବଗାହନ କରାଇବା ନିମିତ୍ତ ଏହିସବୁ ପ୍ରାକୃତିକ ଚରିତ୍ର ସୃଷ୍ଟି କରିଥିଲେ । ସୀତାଙ୍କ ତପସ୍ୟା ନିମିତ୍ତ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଙ୍ଗାଧର ତମସା ପ୍ରଭୃତି ପ୍ରାକୃତିକ ଚରିତ୍ରରେ ହୃଦୟସ୍ପର୍ଶୀ ବ୍ୟଞ୍ଜନା ପ୍ରଦାନ କରିଛନ୍ତି ଗଙ୍ଗାଧରଙ୍କ କଳ୍ପନାରେ ତମସା ମଧ୍ୟ ତାହାର ଚିରାଚରିତ ପ୍ରବାହକୁ ଆପଣାର ତପସ୍ୟା ବୋଲି ବିବେଚନା କରି ସତୀ ସୀତାଙ୍କ ନିକଟରେ ନିଜକୁ ତପସ୍ଵିନୀ ବୋଲି ପରିଚୟ ଦେଇଛି ।

 

ବନେ ବନେ ଭ୍ରମି ଭ୍ରମି            ଗଣ୍ଡ କୁହୁକେ ନଭ୍ରମି

ବହୁବାଧା ଅତ୍ରିକମି ସ୍ଵଚ୍ଛ ଜୀବନେ,

ଅନ୍ଧାର ଦୁଃଖ ନ ଗଣି            ଆଲୋକ ସୁଖ ନ ମଣି

ଚାଲିଛି ଦୂର ସରଣୀ ନତବଦନେ ।

ଜନମ କରୁଛି ସଫଳ

ତୋୟମନେ ତୋଷି ତୀରବାସୀ ସକଳ ।

 

ପ୍ରକୃତି ଚିତ୍ରଣ ହେଉଛି ଗଙ୍ଗାଧର ସାହିତ୍ୟର ସ୍ୱାତନ୍ତ୍ର୍ୟ । ତାଙ୍କ ବର୍ଣ୍ଣିତ ପ୍ରକୃତିରେ ରହିଛି ଜୀବନର ସନ୍ଧାନ ଭବଭୂତି ତାଙ୍କ ନାଟକରେ ପ୍ରକୃତିକୁ ଚରିତ୍ର ରୂପରେ ଅଭିନୟରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିଥିଲେ; କିନ୍ତୁ ଗଙ୍ଗାଧର ସ୍ଵରଚିତ କାବ୍ୟରେ ପ୍ରକୃତିକୁ ଅଲୌକିକ ଜୀବନୀଶକ୍ତି ପ୍ରଦାନ ପୂର୍ବକ ଅଧିକ ମାନବାୟିତ କରିବାର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଛନ୍ତି-

 

ଭବଭୂତି ‘ଉତ୍ତର ରାମଚରିତ୍ର’ରେ ଶ୍ରୀରାମଙ୍କ ମହନୀୟତା ପ୍ରକଟ କରିଯାଇଛନ୍ତି । ଗଙ୍ଗାଧର ତାଙ୍କୁ ଅନୁସରଣ କରି ପ୍ରଚ୍ଛନ୍ନ ଭାବରେ ‘ତପସ୍ଵିନୀ’ରେ ରାମଚନ୍ଦ୍ରଙ୍କୁ ନାୟକ ଭାବରେ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପ୍ରଜାବତ୍ସଳ ରାମଚନ୍ଦ୍ରଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ଏବଂ ପ୍ରଜାମଙ୍ଗଳ ନିମିତ୍ତ ପତିବ୍ରତା ସୀତାଙ୍କର ତପସ୍ଵିନୀ ବ୍ରତର ସାର୍ଥକ ରୂପାୟନ କରିଛନ୍ତି ଭବଭୂତି ‘ଉତ୍ତର ରାମଚରିତ୍ର’ରେ, ଯାହା ଗଙ୍ଗାଧରଙ୍କୁ ବିଶେଷ ପ୍ରଭାବିତ କରିଛି । ପତିବ୍ରତାଧର୍ମୀ ସୀତାଙ୍କର କାରୁଣ୍ୟପ୍ଲାବିତ ତପସ୍ଵିନୀ ଜୀବନକୁ ଚିତ୍ରଣ କରିବା ଅବସରରେ ସେ ରାମଙ୍କର ମହନୀୟ ଗୁଣାବଳୀକୁ ପରିବେଷଣ କରିବାକୁ ସମୁଚିତ ମଣିଛନ୍ତି । ‘ତପସ୍ଵିନୀ’ କାବ୍ୟର ତୃତୀୟ ସର୍ଗରେ ସେ ରାମଚନ୍ଦ୍ରଙ୍କ ପ୍ରସଙ୍ଗ ଅବତାରଣା କରିଛନ୍ତି ଭବଭୂତି ତାଙ୍କ ନାଟକର ତୃତୀୟ ଅଙ୍କରେ ରାମଚନ୍ଦ୍ରଙ୍କ ଶୋକ ବିଗଳିତ ଅନ୍ତର୍ବେଦନା ପ୍ରକଟ ପୂର୍ବକ ଉଲ୍ଲେଖ କରିଛନ୍ତି -

 

ଦଳତି ହୃଦୟଂ ଶୋକୋଦ୍‌ବେଗାତ୍‌ ଦ୍ୱିଧା ନ ଭିଦ୍ୟତେ,

ବହିତି ବିକଳଃ କାୟୋ ମୋହଂ ନ ମୁଞ୍ଚତି ଚେତନାମ୍‌ ।

ଜ୍ୱଳୟତି ତନୁଂ ଅନ୍ତର୍ଦାହଃ କରୋତି ନ ଭସ୍ମସାତ୍‌

ପ୍ରହରତି ବିଧି ମର୍ମଚ୍ଛେଦୀ ନ କୃନ୍ତତି ଜୀବିତମ ।

 

ଅର୍ଥାତ୍‌ “ହୃଦୟ ଶୋକ ବିଗଳିତ ହେଲେ ହେଁ ଫାଟି ଯାଉନାହିଁ, ମୋହରେ ବାରମ୍ବାର-ପୀଡ଼ିତ ହେଲେ ହେଁ ଚେତନାଶୂନ୍ୟ ହେଉ ନାହିଁ, ଅନ୍ତର୍ଦାହ ସନ୍ତପ୍ତ କରୁଥିଲେ ତନୁ ଭସ୍ମ ହେଉ ନାହିଁ ଏବଂ ଦୈବ ମର୍ମଭେଦ କରୁଥିଲେ ହେଁ ଜୀବନ ନେଉ ନାହିଁ ।’’ ରାମଚନ୍ଦ୍ରଙ୍କ ଏହି ଶୋକସନ୍ତପ୍ତ ମାନସର ଏକ ମାର୍ମିକ ଚିତ୍ର ଗଙ୍ଗାଧର ତୃତୀୟ ସର୍ଗରେ ପ୍ରଦାନ କରିଅଛନ୍ତି ଗଙ୍ଗାଧରଙ୍କ ଉକ୍ତିର ସାରାଂଶ ହେଉଛି ‘ରାମଚନ୍ଦ୍ର ସୀତାବିରହ ଜନିତ ଅନ୍ତର୍ବେଦନାକୁ ଅନ୍ତର ମଧ୍ୟରେ ସଂଗୋପନରେ ଅନୁଭବ କରୁଥିଲେ ହେଁ ପ୍ରକାଶ କରିବାକୁ ସମର୍ଥ ହୋଇପାରୁ ନାହାନ୍ତି । ରାଜକାର୍ଯ୍ୟ ପରେ ସେ ନିର୍ଜନରେ ଏକାକୀ ବସି ରହି କୃତ କର୍ମର ଅନୁଶୀଳନ କରୁଛନ୍ତି ।’’

 

ଦେଖିଲେ ବିଜେ            ପ୍ରଶସ୍ତ ପ୍ରାଙ୍ଗଣେ

ରାମଚନ୍ଦ୍ର ରବିବଂଶୀ,

ବିଷର୍ଣ୍ଣ ବଦନେ            ସଜଳ ନୟନେ

ଏକାକୀ ଅଛନ୍ତି ବସି ।

 

ଭବଭୂତି ବିରହବ୍ୟଥାତୁର ରାମଚନ୍ଦ୍ରଙ୍କ ବ୍ୟାକୁଳବେଦନା ମର୍ମସ୍ପର୍ଶୀ ଭାଷାରେ ସ୍ଵରଚିତ ନାଟକରେ ବ୍ୟକ୍ତ କରିଛନ୍ତି ।

 

ହା ହା ଦେବି ! ସ୍ଫୁଟତି ହୃଦୟଂ, ଧ୍ୱଂସତେ ଦେହବନ୍ଧଃ,

ଶୂନ୍ୟଂ ମନ୍ୟେ ଜଗଦବିରଳ ଜ୍ଵାଳାମନ୍ତ ର୍ଜ୍ଵଳାମି ।

ସୀଦନ୍ନନ୍ଧେ ତମସି ବିଧୁରେ ମ୍ଜତୀବାନ୍ତରାତ୍ମା,

ବିଷ୍ଵଙ୍‌ ମୋହଃ ସ୍ଥପୟତି କଥାଂ ମନ୍ଦଭାଗ୍ୟଃ କରୋମି ?

 

ଅର୍ଥାତ୍‌ “ହୃଦୟ ଫାଟି ଯାଉଛି, ଶରୀର ବନ୍ଧନ ଚ୍ଛିନ୍ନ ହୋଇଯାଉଛି, ଚତୁର୍ଦ୍ଦଶ ଭୂବନ ଶୂନ୍ୟ ଦୃଶ୍ୟମାନ ହେଉଛି, ଅବିରତ ଜ୍ଵାଳାରେ ଅନ୍ତର୍ଦାହ ହେଉଛି ଏବଂ ଦଶଦିଗ ଶୋକ ଅନ୍ଧକାରାଚ୍ଛନ୍ନ ହୋଇ ଆତ୍ମା ଅବସନ୍ନ ହେଉଛି ମାତ୍ର ହତ୍ୟଭାଗ୍ୟ ବଞ୍ଚିଛି କାହିଁକି ?” ଏତିକି କହି ସେ ମୂର୍ଚ୍ଛିତ ହୋଇଛନ୍ତି । ଗଙ୍ଗାଧର ଅଭିନବ ଶୈଳୀରେ ଭବଭୂତିଙ୍କର ଏହି ନାଟକୀୟ ସଂଳାପକୁ କାବ୍ୟରେ ପରିବେଷଣ କରିଛନ୍ତି, ଯେଉଁଥିରୁ ତାଙ୍କ ଗଭୀର ଅନ୍ତର୍ଦୃଷ୍ଟି ଓ ଶାଶ୍ୱତ ମୂଲ୍ୟବୋଧର ପରିଚୟ ମିଳିଥାଏ ପ୍ରାଣପ୍ରିୟା ବିଚ୍ଛେଦ ବେଦନା ବିଦଗ୍‌ଧ ରାମଚନ୍ଦ୍ର ଏକାଧାରରେ ଜଣେ ସ୍ଵାମୀ ଓ ରାଜା । ସ୍ୱାମୀର କର୍ତ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଅଥଚ ରାଜାର ଦାୟିତ୍ଵ ସାର୍ବଜନୀନ । ପ୍ରଜାନୁରଞ୍ଜନ ନିମିତ ସେ ଦୃଢ଼ତାର ସହିତ ରାଜକାର୍ଯ୍ୟ ସଂପାଦନ କରିଛନ୍ତି । ବିରହ ଜ୍ୱାଳାରେ ସେ ନିଜେ ପ୍ରଜ୍ୱଳିତ ହେଲେ ହେଁ ପ୍ରଜାଗଣଙ୍କ ନିମିତ୍ତ ଶାନ୍ତିଧାରାର ପ୍ରବାହ ସୃଷ୍ଟି କରିଛନ୍ତି । ଆପଣାର ବ୍ୟକ୍ତିତ୍ଵ ଓ ରାଜତ୍ଵ ମଧ୍ୟରେ ସମନ୍ଵୟ ରକ୍ଷା କରି ଜଣେ ଆଦର୍ଶ ବ୍ୟକ୍ତି ଓ ଆଦର୍ଶରାଜର ମହତ୍ତ୍ୱ ପ୍ରତିଷ୍ଠା କରିଯାଇଛନ୍ତି । ଗଙ୍ଗାଧର ତପସ୍ଵିନୀର ତୃତୀୟର ସର୍ଗରେ ପ୍ରତ୍ୟକ୍ଷ ଭାବରେ ତାଙ୍କ ପ୍ରସଙ୍ଗ ଅବତାରଣା କରିଥିଲେ ହେଁ ଅନ୍ୟାନ୍ୟ ସର୍ଗରେ ତାଙ୍କ ବ୍ୟକ୍ତିତ୍ୱ ଓ ସଦ୍‌ଗୁଣାବଳୀକୁ ପରୋକ୍ଷ ଭାବରେ ପରିବେଷଣ କରିଛନ୍ତି । ମହନୀୟତା ହେଉଛି, ରାମଚନ୍ଦ୍ରଙ୍କ ଚରିତ୍ର ଚିତ୍ରଣରେ ସେ ମୌନତା ଅବଲମ୍ବନ କରି ତାଙ୍କ ବ୍ୟକ୍ତିତ୍ୱ ଓ ରାଜତ୍ଵର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି ପରିଣାମ ସ୍ଵରୂପ, ଭବଭୂତିଙ୍କର ନାଟକୀୟ ରୁଚିଠାରୁ ଗଙ୍ଗାଧରଙ୍କ କାବ୍ୟରୁଚି ତେଜୋଦୀପ୍ତ “ତଥା ନିତ୍ୟନୃତନ ହୋଇପାରିଛି ।

 

ଭବଭୂତିଙ୍କ ରଚିତ ‘‘ଉତ୍ତର ରାମଚରିତ୍ର’’ ନାଟକ ହେଲେହେଁ “କାବ୍ୟେଷୁ ନାଟକଂ ରମ୍ୟଂ’’ ନ୍ୟାୟରେ କାବ୍ୟର ଅନ୍ତର୍ଭୁକ୍ତ କାବ୍ୟର ଆତ୍ମା ହେଉଛି ରସ ରାମାୟଣ ହେଉଛି କରୁଣ ରସ ପ୍ରଧାନ କାବ୍ୟ ଭବଭୂତି ଉତ୍ତରରାମଚରିତ ରଚନାରେ କରୁଣ ରସକୁ ହିଁ ପ୍ରାଧାନ୍ୟ ଦେଇଛନ୍ତି-। ସେ ବୀର, ରୌଦ୍ର, ହାସ୍ୟ, .ଭୟାନକ, ବୀଭତ୍ସ, ବାତ୍ସଲ୍ୟ, ଶାନ୍ତ, ଅଦୁତ, ଶୃଙ୍ଗାର ଓ କରୁଣ ପ୍ରଭୃତି ରସ ମଧ୍ୟରୁ କରୁଣ ରସରେ ସୁଖ ଆସ୍ଵାଦନ କରିଛନ୍ତି । କରୁଣ ରସର ଶ୍ରେଷ୍ଠତା ପ୍ରତିପାଦନ କରିବାକୁ ଯାଇ ସେ ତୃତୀୟ ଅଙ୍କରେ ତମସା ମୁଖରେ କହିଛନ୍ତି -

 

ଏକୋ ରସଃ କରୁଣ ଏବ ନିମିତ୍ତ ଭେଦାତ୍‌

ଭିନ୍ନଃ ପୃଥକ୍‌ ପୃଥଗିବ ଶ୍ରୟତେ ବିବର୍ତ୍ତାନ୍‌ ।

ଆବର୍ତ୍ତ ବୁଦ୍‌ ବୁଦ୍‌ ତରଭ୍ଜ ମୟାନ୍‌ ବିକାରାନମ୍ଭୋ

ଯଥା ସଲିଳ ବେ ହି ତତ୍‌ ସମସ୍ତମ୍‌ ।

 

ଅର୍ଥାତ “ଏକମାତ୍ର କରୁଣରସ ମାନବଜୀବନରେ ବିଭିନ୍ନ କାରଣରୁ ଭିନ୍ନ ଭିନ୍ନ ରୂପ ଧାରଣ କରିଥାଏ । ଜଳ ଯେପରି ଭଉଁରୀ, ବୁଦ୍‌ବୁଦ୍‌ ଓ ତରଙ୍ଗ ରୂପରେ ପ୍ରତିଭାତ ହୋଇଥାଏ, ସେହିପରି କରୁଣରସ ବିଭିନ୍ନ ରସ ରୂପରେ ପ୍ରକଟିତ ହୋଇଥାଏ ।’’ ତାଙ୍କ ମତରେ କରୁଣ ରସ ହିଁ ସକଳ ରସର ଜନନୀ ସ୍ଵରଚିତ ନାଟକରେ ସେ ପ୍ରତ୍ୟେକ ରସ ପରିବେଷଣ କରିଥିଲେ ହେଁ କରୁଣ ରସକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରିଛନ୍ତି ଗଙ୍ଗାଧର ଭବଭୂତିଙ୍କୁ ଅନୁସରଣ କରି ସ୍ଵରଚିତ “ତପସ୍ଵିନୀ’’ କାବ୍ୟରେ କରୁଣ ରସକୁ ପ୍ରାଧାନ୍ୟ ଦେଇଛନ୍ତି । ଏହି କାବ୍ୟର ରସ ପରିବେଷଣଧାରା ସେ ଭବଭୂତିଙ୍କ ନାଟକରୁ ହିଁ ଆହରଣ କରିଛନ୍ତି, ଯାହା କବିତାର ଭାଷା, ଛନ୍ଦର ସୂକ୍ଷ୍ମଗୁମ୍ଫନ କୌଶଳ ତଥା କାବ୍ୟିକ ରସବୋଧର କ୍ରମୋନ୍ନତିରୁ ସୁସ୍ପଷ୍ଟ ପତି ପରିତ୍ୟକ୍ତା ସୀତାଙ୍କ କରୁଣ କାହାଣୀ ଗଙ୍ଗାଧରଙ୍କ ଅନ୍ତରରେ ଅପୂର୍ବ ଭାବାବେଗ ସୃଷ୍ଟି କରିଛି । କାରୁଣ୍ୟ ପ୍ଳାବିତ ସୀତାଙ୍କ କଥାବସ୍ତୁର ଏ ନାଟକୀୟ ଗତିକୁ କାବ୍ୟାଦର୍ଶ ଭାବରେ ଗ୍ରହଣ କରି ସେ ରଚନା କଲେ “ତପସ୍ଵିନୀ”-। ଏହି କାବ୍ୟରେ ପୌରାଣିକ ଉପାଖ୍ୟାନ, ଗଳ୍ପ, କିମ୍ବଦନ୍ତୀ ନାହିଁ, କେବଳ ସୀତାଙ୍କ ଶୋକାକୁଳିତ ଅନ୍ତର୍ବେଦନା ହିଁ କାବ୍ୟରୂପ ଧାରଣ କରିଛି ଭବଭୂତିଙ୍କ ବର୍ଣ୍ଣିତ ସକଳ ଚରିତ୍ର ଓ ଘଟଣା ପ୍ରବାହକୁ ପରିହାର କରି କେବଳ ସୀତା-ରାମଙ୍କର ହୃଦୟର ବିରହ ବିଦଗ୍ଧ ପ୍ରଣୟର କରୁଣ ମୂର୍ଚ୍ଛନାକୁ ପାଥେୟ କରି କାବ୍ୟ ରଚନାରେ ବ୍ରତୀ ହୋଇଛନ୍ତି । ଭବଭୂତି ରାମଚନ୍ଦ୍ରଙ୍କ ହୃଦୟର କରୁଣ ସଂଳାପକୁ ନାଟକରେ ଚିତ୍ରିତ କରିଥିଲେ ହେଁ ଗଙ୍ଗାଧର ସୀତାଙ୍କ ପାତିବ୍ରତ୍ୟର ମହିମୋଜ୍ଜଳ ଧାରାରେ ସନ୍ତାପିତ ରାମହୃଦୟର କାରୁଣ୍ୟବାର୍ତ୍ତାକୁ ଚିତ୍ରଣ କରିବାକୁ ଶ୍ରେୟ ମଣିଛନ୍ତି । ନିରପରାଧିନୀ ନିର୍ବାସିତା ସୀତାଙ୍କ ପାତିବ୍ରତ୍ୟ ସାଧନର କାରୁଣ୍ୟ ଭିତରେ ସେ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ଶାନ୍ତିର ଅମୃତମୟୀ ଧାରା ସୃଷ୍ଟି କରିପାରିଛନ୍ତି ।

 

ଆଳଙ୍କାରିକ ବିଶ୍ଵନାଥ କବିରାଜ କାବ୍ୟର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଛନ୍ତି “ବାକ୍ୟଂ ରସାତ୍ମକଂ କାବ୍ୟମ୍‌’’, ଅର୍ଥାତ୍‌ ରସାତ୍ମକ ବାକ୍ୟ ହିଁ କାବ୍ୟ । ଭବଭୂତି ‘‘ଉତ୍ତର ରାମଚରିତ’’ ନାଟକରେ କରୁଣରସ ସମ୍ବଳିତ ଦୃଶ୍ୟ ପ୍ରଦର୍ଶନ ପୂର୍ବକ ଦର୍ଶକ ପ୍ରାଣରେ କରୁଣ ଭାବ ସଞ୍ଚାର କରିଥିଲେ ଏହାହିଁ ତାଙ୍କ ନାଟକର କାବ୍ୟରୁଚି ସେହି କାବ୍ୟରୁଚିର ଆଲୋକରେ କବି ଗଙ୍ଗାଧର ମେହେର ଉଦ୍‌ଭାସିତ ହୋଇ ସ୍ଵରଚିତ “ତପସ୍ୱିନୀ” କାବ୍ୟରେ କରୁଣ ରସାତ୍ମକ ପଦ ରଚନା ପୂର୍ବକ ପାଠକ ପ୍ରାଣରେ କରୁଣ ଭାବ ସଞ୍ଚାର କରିଯାଇଛନ୍ତି ଭବଭୂତିଙ୍କ କାବ୍ୟ ପରମ୍ପରାର ପରିଧିରେ ଆତ୍ମିକ ସକଳ ଭାବରେ ପ୍ରତିଭାତ ଗଙ୍ଗାଧର “ତପସ୍ୱିନୀ’’ କାବ୍ୟରେ ମର୍ମନ୍ତୁଦ ଦୁଃଖ, ଅନ୍ତର୍ବେଦନା ଓ କାରୁଣ୍ୟର ପ୍ଲାବନ ଘଟାଇବା ସହିତ ଆପଣାର ସୃଜନଶୀଳ ସାରସ୍ଵତ ପ୍ରତିଭାରେ ପାଠକ ପ୍ରାଣରେ କରୁଣ ରସୋଦ୍ଭବ ଲୋକୋତ୍ତର ଆନନ୍ଦ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି । ଅନ୍ୟ ଭାଷାରେ ଉଲ୍ଲେଖ କଲେ “ଭବଭୂତିଙ୍କ କାବ୍ୟରୁଚି ଆଲୋକରେ ଦୀପ୍ତିମନ୍ତ କବି ଗଙ୍ଗାଧର ମେହେର ଶୋକାବେଗର ଆତିଶଯ୍ୟରେ କରୁଣ ରସର ଉଦ୍ରେକ ଘଟାଇ ଭାଷାବିନ୍ୟାସ, ଚରିତ୍ର ଚିତ୍ରଣ, ଚିତ୍ରଚାତୁରୀ, ଧ୍ଵନି, ବ୍ୟଞ୍ଜନା ଓ ଆଳଙ୍କାରିକ ବିଦଗ୍ଧତା ପ୍ରୟୋଗରେ ପାଠକ ପ୍ରାଣରେ ଶାନ୍ତ ସ୍ନିଗ୍‌ଧ ଶୀତଳ ନିର୍ଝରିଣୀ ପ୍ରବାହିତ କରିପାରିଛନ୍ତି।

 

 

ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍‌ସ ବିଲ୍ଡ଼ିଂ

ଦକ୍ଷିଣାକାଳୀ ମାର୍ଗ

ଢେଙ୍କାନାଳ

 

***

 

ଗଙ୍ଗାଧରଙ୍କ ସାରସ୍ଵତ ସମ୍ପର୍କ

ମଣୀନ୍ଦ୍ର କୁମାର ମେହେର

 

ଅନୁରାଗପୂର୍ଣ୍ଣ ମାନବିକ ସମ୍ପର୍କ କବିତାଠାରୁ ବି ଆହୁରି କୋମଳ, ଆହୁରି ହୃଦୟସ୍ପର୍ଶୀ । ଯେକୌଣସି ଆବେଗମୟ ସଂପର୍କ ପରି ସାହିତ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ସାରସ୍ଵତ ସଦିଚ୍ଛା କିପରି ପ୍ରାଣବନ୍ତ ହୋଇପାରେ ତାହା କବି ଗଙ୍ଗାଧରଙ୍କ ଜୀବନରେ ମର୍ମରିତ ହୋଇଉଠିଛି-। କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ବାଗ୍ମୀ ବିଶ୍ଵନାଥ କର, କବିଶେଖର ଚିନ୍ତାମଣି ମହାନ୍ତି ପ୍ରମୁଖ ଆଧୁନିକ ଯୁଗର କବି ଓ ସାହିତ୍ୟିମାନଙ୍କ ସହିତ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଯେଉଁ ନିବିଡ଼ ସଂପର୍କ ରହିଥିଲା ତାହା ଯେକୌଣସି ଦରଦୀ ପାଠକ ଆତ୍ମାକୁ ଆଲୋଡ଼ିତ କରିଦେଇପାରେ ।

 

ପ୍ରତିଟି କବି ଆନ୍ତରିକ ଭାବରେ ଆକାଂକ୍ଷା କରେ, ତା’ର କବିତାକୁ ଏଭଳି କୌଣସି ଅନୁଭବୀ ଆଖିର ସ୍ପର୍ଶ ମିଳନ୍ତା, ଯାହା ତା’ର ହୃଦୟର ସକଳ କାବ୍ୟିକ ଅନୁଭବକୁ ଉକୁଟାଇ ଆଣି ପାରନ୍ତା । ପ୍ରଥମେ ପ୍ରଥମେ କବିତା ଲେଖିବାବେଳେ ଏଇଭଳି ସ୍ୱପ୍ନରେ ଗଙ୍ଗାଧର ଅନୁସନ୍ଧାନ କରୁଥିଲେ ଜଣେ ସ୍ନେହମୟ କବିବ୍ୟକ୍ତିତ୍ଵର ସାନ୍ନିଧ୍ୟ । ସେତେବେଳେ ଓଡ଼ିଆ ସାହିତ୍ୟାକାଶରେ ଉଜ୍ଜ୍ଵଳ ନକ୍ଷତ୍ରଟିଏ ପରି ଝଟକି ଉଠୁଥିବା ରାଧାନାଥଙ୍କ କବିତାଲୋକ ଗଙ୍ଗାଧରଙ୍କ ଅନ୍ତରକୁ ଆଲୋକିତ କରିଦେଇଥିଲା । ନିଜ ରଚିତ କବିତା ଉପରେ ଥରେ ରାଧାନାଥଙ୍କ ସୁଦୃଷ୍ଟି ପଡ଼ୁ ଏତିକି କାମନାରେ ମାତ୍ର ସେ ‘ଅହଲ୍ୟାସ୍ତବ’ ଓ ‘ଇନ୍ଦୁମତୀ’ ତାଙ୍କ ପାଖକୁ ପଠାଇ ଦେଇଥିଲେ ଗଙ୍ଗାଧରଙ୍କ କାବ୍ୟକଳା ରାଧାନାଥଙ୍କୁ ଆଶ୍ଚର୍ଯ୍ୟ ଓ ଉତ୍‌ଫୁଲ୍ଲିତ କରିବା ଥିଲା ସ୍ଵାଭାବିକ । ସେ ଉତ୍‌ଫୁଲ୍ଲତା ଗଙ୍ଗାଧରଙ୍କ ଭିତରେ ଅନେକ ଆଶାର ସଂଚାର କରିଥିଲା । କିନ୍ତୁ ଗଙ୍ଗାଧର କେବେ କଳ୍ପନା କରି ନଥିଲେ ଯେ, ତାଙ୍କ କାବ୍ୟକଳା ମଧ୍ୟଦେଇ ରାଧାନାଥ ତାଙ୍କ ଜୀବନକଳାକୁ ପ୍ରତ୍ୟକ୍ଷ କରିପାରିଛନ୍ତି । ରାଧାନାଥଙ୍କ ଶବ୍ଦରେ ଯେଉଁ ଆନ୍ତରିକତା ପ୍ରେରିତ ହେଲା ଗଙ୍ଗାଧରଙ୍କ ପାଇଁ, ତାହା ତାଙ୍କ ଭିତରେ ସୃଷ୍ଟି କଲା ଏକ ଅଭିନବ ଆହ୍ଲାଦ । ୧୮୯୩ ମସିହା ନଭେମ୍ବର ଶେଷ ଭାଗରେ ସମ୍ବଲପୁରଠାରେ ଯେତେବେଳେ ରାଧାନାଥଙ୍କ ଆଶୀର୍ବାଦ ପ୍ରାର୍ଥୀ ହେଲେ ଗଙ୍ଗାଧର, ସେତେବେଳେ ଗଙ୍ଗାଧରଙ୍କୁ ଦେଖି ରାଧାନାଥଙ୍କ ହୃଦୟରେ ଜନ୍ମନେଲା ଏକ ଭିନ୍ନ ଭାବୋଚ୍ଛ୍ୱାସ । ‘ଆପଣ କି ଇନ୍ଦୁମତୀ ପ୍ରଣେତା କବି ଗଙ୍ଗାଧର’ ବୋଲି ସମ୍ବୋଧନ କରି ରାଧାନାଥ ନିଜ ଆସନରୁ ଉଠି ଆସି ‘ଇନ୍ଦୁମତୀ’ର ସ୍ରଷ୍ଟାଙ୍କୁ କୋଳାଗ୍ରତ କରି ପକାଇଥିଲେ ପତ୍ରାଳାପରେ ବ୍ୟକ୍ତ ହୋଇପାରୁ ନ ଥିଲା ଯେଉଁ ଶ୍ରଦ୍ଧା ତାହା କ୍ଷଣକରେ ଉଭୟଙ୍କ ହୃଦୟରୁ ପ୍ରକାଶିତ ହୋଇ ଉଭୟଙ୍କୁ ହିଁ କରିଦେଲା ସ୍ତବ୍ଧ ଓ ମୁଗ୍ଧ । ଦୁଇଜଣ ସାହିତ୍ୟସ୍ରଷ୍ଟାଙ୍କ ପ୍ରଥମ ମିଳନର ପର୍ବ ଏପରି ମାଧୁର୍ଯ୍ୟମୟ ହୋଇପାରେ, ତାହା ଦେଖି ଉପସ୍ଥିତ ସଜ୍ଜନମଣ୍ଡଳୀ ଚମତ୍କୃତ ହୋଇଥିଲେ ସେଦିନ ।

 

କବିତା ତ ବହୁଲୋକ ଲେଖନ୍ତି । ମାତ୍ର ସମସ୍ତଙ୍କ ପ୍ରତି କ’ଣ ହୃଦୟ ଆକୃଷ୍ଟ ହୁଏ ? କେବଳ କାବ୍ୟକୌଶଳ ଦେଖିଥିଲେ ଗଙ୍ଗାଧରଙ୍କ ପାଇଁ ରାଧାନାଥ ଏତେ ବିଭୋର ହୋଇ ନ ଥାନ୍ତେ । ଗଙ୍ଗାଧରଙ୍କ ଭିତରେ ସେ ଆବିଷ୍କାର କରିଥିଲେ ନିର୍ମଳ ଆତ୍ମାର ଅନୁପମ ଐଶ୍ଵର୍ଯ୍ୟ । ସେଇଥିପାଇଁ ଏକ ପତ୍ରରେ ସେ ସ୍ଵୀକାର କରିଥିଲେ, ‘‘ଆପଣ ସୁକବି ଏବଂ ସୁଲେଖକ-କେବଳ ଏହି କଥା ମନେ କରି ମୁଁ ଯେ ଆପଣଙ୍କୁ ଶ୍ରଦ୍ଧା କରେଁ ତାହା ନୁହେଁ । ମୁଁ ଜାଣେ ଆପଣ ଜଣେ ଅତି ପବିତ୍ର ଚରିତ୍ର ସାଧୁ ପୁରୁଷ । ଅପଣ କେବଳ ମୋହର ଶ୍ରଦ୍ଧା ଆକର୍ଷଣ କରିଅଛନ୍ତି ତାହା ନୁହେଁ, ସେହି ଶ୍ରଦ୍ଧା ସଙ୍ଗେ ସଙ୍ଗେ ଆନ୍ତରିକ ଭକ୍ତି ମଧ୍ୟ ଆକର୍ଷଣ କରିଅଛନ୍ତି । ଅର୍ଥୈକଦୃକ୍‌, ପଦୈକଦୃକ୍‌ ସ୍ୱାର୍ଥପର ସଂସାରର ଚକ୍ଷୁରେ ଆପଣ ଯତ୍‌ ସାମାନ୍ୟ ହେଲେ ହେଁ ମୋହ ଚକ୍ଷୁରେ ଆପଣଙ୍କର ମୂଲ୍ୟ କୋହିନୂର ଅପେକ୍ଷା ଅଧିକ ।’’

 

ଜୀବନର ବିଭିନ୍ନ ଅଭିଜ୍ଞତା ଅର୍ଜନ ମାଧ୍ୟମରେ ରାଧାନାଥ ଉପଲବ୍ଧି କରିଥିଲେ ଯେ, ଲୋକଙ୍କଠାରେ ପ୍ରକୃତ ମନୁଷ୍ୟତା କେତେ ଦୁର୍ଲଭ । ଜଣେ ହୁଏତ ଶିଳ୍ପୀ ବା କଳାକାର ହୋଇପାରେ, ନେତା ଅଭିନେତା, ଗାୟକ, ଚିତ୍ରକର କି ଯାଦୁକର ହୋଇପାରେ କିନ୍ତୁ ମାନବୀୟ ସହୃଦୟତା ବିନା ତା’ର ସାହିତ୍ୟ, କଳା, ନେତୃତ୍ଵ, ଅଭିନୟ କି ଯାଦୁକରୀ ବିଦ୍ୟା ସବୁ ହୋଇଯାଏ ଅସାର ତଥା ପ୍ରଭାବହୀନ । ରାଧାନାଥ ଏଭଳି ଏକ ତୁଙ୍ଗ ବ୍ୟକ୍ତିତ୍ଵର ଆବିଷ୍କାର ପାଇଁ ହୁଏତ ବ୍ୟାକୁଳ ଥିଲେ ଯିଏ ଏକାଧାରରେ ହୋଇଥିବ ଉଚ୍ଚକୋଟୀର କବି ଓ ଉଚ୍ଚକୋଟୀର ମନୁଷ୍ୟ । ଗଙ୍ଗାଧରଙ୍କଠାରେ ସେହି ମହାର୍ଘ ଭାବ ସଂପଦ ଆବିଷ୍କାର କରି ସେ ଅଭିଭୂତ ହୋଇପଡ଼ିଥିଲେ । ହୁଏତ ସେଇଥିପାଇଁ ସେ କହିଥିଲେ ‘ଆପଣଙ୍କ ନିଃସ୍ୱାର୍ଥ ସ୍ନେହ ଏବଂ ଉଦାରତା ଅତୁଳନୀୟ, ଭବାଦୃଶ ବ୍ୟକ୍ତିଙ୍କର ସ୍ନେହ ସ୍ମରଣରେ ମୁଁ ଜୀବନକୁ ନିତାନ୍ତ ବନ୍ଧ୍ୟ ବିବେଚନା କରେ ନାହିଁ ।’’ (୨) ପୁଣି ଏକ ପତ୍ରରେ ସେ ଲେଖିଥିଲେ ‘ଓଡ଼ିଶାକୁ ସ୍ନେହ କରିବାର ମୋହର ଯେବେ ଅନ୍ୟ କୌଣସି କାରଣ ନ ଥାନ୍ତା, ଏକମାତ୍ର ଆପଣଙ୍କ ହେତୁରୁ ମୁଁ ଓଡ଼ିଶାକୁ ସ୍ନେହ କରନ୍ତି ।’’ (୩) ଗଙ୍ଗାଧରଙ୍କୁ ପତ୍ର ଲେଖିବା ରାଧାନାଥଙ୍କ ପାଇଁ ଥିଲା ‘ଜୀବନର ଉପଭୋଗ ବିଶେଷ ।’ (୪) ଆଉ ତାଙ୍କ ସହ ସାକ୍ଷାତ୍‌ କରିବା ଥିଲା ‘ଜୀବନର ଉତ୍ସବ ବିଶେଷ ।’ (୫) ଗଙ୍ଗାଧରଙ୍କ ବ୍ୟକ୍ତିଗତ ସୁଖ ଦୁଃଖରେ ରାଧାନାଥ ସର୍ବଦା ପ୍ରକାଶ କରିଛନ୍ତି ଗଭୀର ସମ୍ବେଦନା । ଅପରପକ୍ଷରେ ଗଙ୍ଗାଧର ରାଧାନାଥଙ୍କୁ ହୃଦୟର ଅକପଟ ଶ୍ରଦ୍ଧା ଓ ଭକ୍ତି ଉତ୍ସର୍ଗ କରିଛନ୍ତି ସର୍ବଦା । ରାଧାନାଥଙ୍କୁ ପ୍ରଥମେ ପତ୍ର ଲେଖିବା ବେଳେ ଗଙ୍ଗାଧର ଜଣେ ଉଚ୍ଚକୋଟୀର କାବ୍ୟଶିଳ୍ପୀଙ୍କୁ ଉଦ୍ଦେଶ୍ୟ କରି ହୃଦୟର ଭାବ ବ୍ୟକ୍ତ କରିଥିଲେ । କିନ୍ତୁ ରାଧାନାଥ ଯେ କେବଳ କୁଶଳୀ ଶବ୍ଦ ନିର୍ମାତା ନୁହନ୍ତି, ସେ ଯେ ସ୍ନେହ, ସୌଜନ୍ୟ, ଶ୍ରଦ୍ଧା ଓ ସଂବେଦନାର ଏକ ଅନ୍ତଃପ୍ରବାହ- ସେ କଥା ଗଙ୍ଗାଧର ହୃଦୟଙ୍ଗମ କରି ବାରମ୍ବାର ଅଭିଭୂତ ହେଉଥିଲେ । ରାଧାନାଥଙ୍କ କାବ୍ୟପାଠ ପାଇଁ ତାଙ୍କ ‘ହୃଦୟ ଉତ୍କଣ୍ଠିତ’, ‘ଚକ୍ଷୁ ଉତ୍ପକ୍ଷ୍ମ’ ଓ ‘ଆଶା ଉନ୍ମୁଖୀ’ ହୋଇ ରହୁଥିଲା । (୬) ମହାଯାତ୍ରା ମହାକାବ୍ୟ ପାଇବାରେ ଆନନ୍ଦ ରତ୍ନଲାଭରେ ଦରିଦ୍ରର ଯେଉଁ ଆନନ୍ଦ ଓ ରାଜ୍ୟ ଲାଭରେ ରାଜ୍ୟଭ୍ରଷ୍ଟ ନୃପତିର ଯେଉଁ ଆନନ୍ଦ ତାକୁ ମଧ୍ୟ ସହଜରେ ଉପହାସ କରିଛି । (୭) ରାଧାନାଥଙ୍କ ଦୁଃଖ ହେଉ ବା ଅପମାନ ହେଉ ତାହା ଗଙ୍ଗାଧରଙ୍କ ହୃଦୟକୁ ମଧ୍ୟ ଭେଦ କରିଯାଇଛି । ଶେଷ ଜୀବନରେ ରାଧାନାଥଙ୍କ ଅପମାନିତ ଜୀବନ ଓ ଦୁଃଖ ଅନୁତାପ ଜର୍ଜରିତ ହୃଦୟର ଅବସ୍ଥା ଜାଣିପାରି ଗଙ୍ଗାଧର ତାଙ୍କୁ ଲେଖିଥିଲେ ‘ଆପଣ ଯାହାକୁ ପାପ ଭାର ମଣୁଅଛନ୍ତି, ମତେ ତହିଁରୁ କିଛି ଅଂଶ ବୋହିବାକୁ ଦେଲେ ଆପଣଙ୍କ ଭାର ଯଦି ଉଶ୍ୱାସ ହୋଇପାରେ, ତେବେ ସେହି ଭାର ନେବାକୁ ଅକୁଣ୍ଠିତ ଭାବରେ ପ୍ରସ୍ତୁତ ଅଛି ।’ (୮) କବିବର ରାଧାନାଥ ରାୟଙ୍କ ବିୟୋଗ ଗଙ୍ଗାଧରଙ୍କୁ ଗଭୀର ପୀଡ଼ା ଦେଇଥିଲା । ନିଜକୁ ଏକାନ୍ତ ଅସହାୟ ମଣିଥିଲେ ସେ ।

 

ରାଧାନାଥଙ୍କ ସହିତ ଯେଉଁ ସୂକ୍ଷ୍ମସ୍ତରର ସମ୍ବେଦନାମୟ ସଂପର୍କ ଗଙ୍ଗାଧରଙ୍କ ଗଢ଼ି ଉଠିଥିଲା ସେପରି ପ୍ରଗାଢ଼ ସଂପର୍କ ଅନ୍ୟ କାହାରି ସହିତ ତାଙ୍କର ନଥିଲା । ତେବେ ତତ୍କାଳୀନ ସବୁ କବି ଲେଖକଙ୍କ ସହିତ ତାଙ୍କର ଆନ୍ତରିକ ଓ ସଦିଚ୍ଛାପୂର୍ଣ୍ଣ ସମ୍ବନ୍ଧ ଥିଲା ଅତ୍ୟନ୍ତ ମାଧୁର୍ଯ୍ୟମଣ୍ଡିତ-। ବ୍ୟାସକବି ଫକୀରମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ, କବିଶେଖର ଚିନ୍ତାମଣି ମହାନ୍ତି ପ୍ରମୁଖଙ୍କ ସାହିତ୍ୟ ଅତି ଶ୍ରଦ୍ଧାର ସହ ସେ ପାଠ କରୁଥିଲେ । ସେଇ କବି ଓ ଲେଖକମାନେ ମଧ୍ୟ ଗଙ୍ଗାଧରଙ୍କ କାବ୍ୟ କବିତା ଅଧ୍ୟୟନ କରୁଥିଲେ ହୃଦୟ ଦେଇ-। ଏ ସମସ୍ତ କବି ଓ ଲେଖକ ଯେପରିକି ପରସ୍ପରକୁ ସାହିତ୍ୟସ୍ରଷ୍ଟା ଭାବରେ କେବଳ ଆଦର କହୁ ନଥିଲେ । ବରଂ ସହୃଦୟ ମଣିଷ ଭାବରେ ପରସ୍ପରକୁ ଭଲ ପାଇଥିଲେ ଅତି ଅନ୍ତରଙ୍ଗ ଭାବରେ । ଫକୀରମୋହନ ସେନାପତିଙ୍କ ବାସଗୃହ ଗଙ୍ଗାଧରଙ୍କ ପାଇଁ ଋଷିର ଆଶ୍ରମ ପରି ପ୍ରତିଭାତ ହୋଇଛି । ତାଙ୍କର ପ୍ରିୟତମା ପତ୍ନୀ କୃଷ୍ଣକୁମାରୀଙ୍କ ସମାଧି ମନ୍ଥିତ କରିଛି ଗଙ୍ଗାଧରଙ୍କ କବିପ୍ରାଣକୁ-। ଫକୀରମୋହନଙ୍କ ‘ଜ୍ଞାନଜ୍ୟୋତିପୂର୍ଣ୍ଣ ପ୍ରଶାନ୍ତ ମୂର୍ତ୍ତି’ ଓ ‘ସୁଧାମୟ ମଧୁରାଳାପ’ ତାଙ୍କୁ କରିଛି ବିହ୍ୱଳ । ଫକୀରମୋହନଙ୍କ ସହ ସେହି ପରିଚୟ ଓ ଘନିଷ୍ଠତା ଏକ ଭାବପୂର୍ଣ୍ଣ ଆବେଗମୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଯାଇଛି । ଜଣେ କବି ଆଉ ଜଣେ କବିକୁ କାବ୍ୟକାର ଭାବରେ ନୁହେଁ ମଧୁର ବ୍ୟକ୍ତିତ୍ଵର ଆଧାର ଭାବରେ ହିଁ ଭଲ ପାଇଥାଏ । ସେଥିପାଇଁ କବିର କବିତାରେ ବା ନା’ର ବାର୍ତ୍ତାଳାପରେ ସେ ଖୋଜେ ସେଇ ପବିତ୍ର ସରସତା ଯାହା ଆପଣା ହୃଦୟକୁ ବିଗଳିତ କରିଦେଇପାରେ । ଭକ୍ତକବି ମଧୁସୂଦନ ରାଓ ସେଥିଯୋଗୁଁ ଗଙ୍ଗାଧରଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ‘ଆପଣଙ୍କର ସ୍ନେହୋପହାର ‘ମହିମା’ ପାଇ ଆପ୍ୟାୟିତ ହେଲି । କବିତାଟିଏ ଏଥିପୂର୍ବେ ସାହିତ୍ୟରେ ପଢ଼ି ଆନନ୍ଦଲାଭ କରିଥିଲି । ‘ମହିମା’ ଆପଣଙ୍କ ହୃଦୟର ମାଧୁରୀ ଏବଂ ସଦ୍‌ଭାବର ନିଦର୍ଶନ ସ୍ଵରୂପ ବୋଲି ମୋ ନିକଟରେ ପରିଚିତ ।’ (୯) ମଧୁସୂଦନ ଯେପରି ଗଙ୍ଗାଧରଙ୍କ କବିତାରେ ହୃଦୟର ମାଧୁର୍ଯ୍ୟ ଓ ସଦ୍‌ଭାବର ସୌନ୍ଦର୍ଯ୍ୟ ପାଇଥିଲେ ଗଙ୍ଗାଧର ମଧ୍ୟ ସେପରି ମଧୁସୂଦନଙ୍କ କବିତାରେ ଅନୁସନ୍ଧାନ କରିଥିଲେ ଏକ ନିର୍ମଳ ଋଷି ପ୍ରତିମ ଆତ୍ମାର ସ୍ନିଗ୍ଧତାକୁ । ଭକ୍ତକବି ସମ୍ବଲପୁର ଆସି ଗଙ୍ଗାଧରଙ୍କ ସହ ସାକ୍ଷାତ୍‌ ନ କରି ଫେରିଗଲେ ଗଭୀର କ୍ଷୋଭଜାତ ହେଉଥିଲା ଗଙ୍ଗାଧରଙ୍କ ମନରେ । ଆଉ ସାନ୍ତ୍ୱନାର ଜଳ ସିଞ୍ଚନ କରିଥିଲେ ମଧୁସୂଦନ ଏଇପରି ଭାଷାରେ ‘ଗତ ଡିସେମ୍ବର ମାସରେ ମୁଁ ସମ୍ବଲପୁର ଯାଇଥିଲି ସତ୍ୟ, କିନ୍ତୁ ସେଠାକୁ ଯିବାର ବ୍ୟବସ୍ଥା ପୂର୍ବରୁ ନିଶ୍ଚିତ ହୋଇ ନଥିଲା । ହଠାତ୍‌ କଲିକତାକୁ ଯିବାକୁ ପଡ଼ିଲା । ସେହି ହେତୁର ପୂର୍ବରୁ ଆପଣଙ୍କୁ ସମ୍ବାଦ ଦେଇପାରି ନାହିଁ । ଭବିଷ୍ୟତରେ ଯିବାର ହେଲେ ଆପଣଙ୍କ ସାକ୍ଷାତ୍‌କାର ପାଇବା ନିମିତ୍ତ ପୂର୍ବରୁ ଯତ୍ନ କରିବି ।’ (୧୦) ପରସ୍ପରର ସଂପର୍କ ଯେତିକି ଶ୍ରଦ୍ଧାପ୍ଲୁତ ହେବ ସେତକି ହିଁ ତାହା ହେବ ଆନନ୍ଦମୟ । ମଧୁସୂଦନ ତେଣୁ ପତ୍ରରେ ପ୍ରାର୍ଥନା କରୁଥିଲେ ‘ଆମ୍ଭମାନଙ୍କ ପରସ୍ପରର ସମ୍ବନ୍ଧ ବିଧାତାଙ୍କ କୃପାରେ ଦିନକୁ ଦିନ ଘନିଷ୍ଠ ଓ ପବିତ୍ର ମାଧୁରୀଯୁକ୍ତ ହେଉ ।’ (୧୧)

 

ପଲ୍ଲୀକବି ନନ୍ଦକିଶୋର ‘ଇନ୍ଦୁମତୀ’ ପାଠ କରି ଯେଉଁ ଉଚ୍ଛ୍ୱାସମୟ କବିତା ଲେଖିଗଲେ ତାହା ପ୍ରତ୍ୟେକ ସୁଧି ପାଠକଙ୍କ କଣ୍ଠର ଭୂଷଣ । ତେବେ ନନ୍ଦକିଶୋର ଓ ଗଙ୍ଗାଧରଙ୍କ ସଂପର୍କର ସୂକ୍ଷ୍ମ କାରଣଟି ଏଥିରେ ଅତ୍ୟନ୍ତ କୋମଳ ରୂପ ପରିଗ୍ରହ କରିଛି । ହୃଦୟର ପବିତ୍ର ମହାର୍ଘ ପ୍ରଣୟ ଗଙ୍ଗାଧରଙ୍କ ପରି ଭାରତୀ ନନ୍ଦନକୁ ଉତ୍ସର୍ଗ କରି ସେ ଲାଭ କରିଛନ୍ତି ପରମତୃପ୍ତି । ଆଉ ପୁଣି ବିଗଳିତ କଣ୍ଠରେ କହି ଉଠିଛନ୍ତି :

 

‘ଶୁଣିଅଛି ଦରିଦ୍ରତା କଠୋର ନିର୍ଘାତ

ସହି କଷ୍ଟେ କବି, ତୁମ୍ଭେ କର ଦିନପାତ

ସୁଦୂରେ ତୁମ୍ଭରି ପରି ମୁହିଁ ଆଉ ଜଣେ,

ଦାରୁଣ ଦୁଃଖ-ପ୍ରହାରେ ବଞ୍ଚେ କ୍ଷୁର୍ଣ୍ଣ ମନେ ।

ଅଛି କବି ବାଣୀ ‘ଦୁଃଖୀ ପାଇ ଦୁଃଖୀ ଜନ

ଯେଉଁ ସୁଖ ପାଏ, ନ ପାଏ ତା ସୁଖୀ ଜନ ।’

ତେଣୁ ମୋର ତୁମ୍ଭ ପ୍ରତି ଏ ସହାନୁଭୂତି,

ନାଚଇ ମୋ ନେତ୍ରେ ‘ଇନ୍ଦୁମତୀ’ କବି ମୂର୍ତ୍ତି ।’ (୧୨)

 

ନନ୍ଦକିଶୋରଙ୍କ ଏ ସହାନୁଭୂତି ବିଗଳିତ ମୁଗ୍ଧ ଅଭିନନ୍ଦନ ଗଙ୍ଗାଧରଙ୍କୁ ଆଲୋଡ଼ିତ କରିଥିଲା ଗଭୀର ଭାବରେ । ନନ୍ଦକିଶୋର ସେଇ କବିତାରେ ଲେଖିଥିଲେ ‘ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୂରତି, ଦେଖି କାଳେ ତୁଟିଯିବ ମାୟା ତବ ପ୍ରତି’ ବୋଲି । ଅଥଚ ଗଙ୍ଗାଧରଙ୍କୁ ଦେଖିବା ପରେ ସହସ୍ର ଗୁଣ ଆକର୍ଷିତ ହୋଇଗଲେ ତାଙ୍କ ପ୍ରତି । ‘ଯେତେ ଛପାଇଲେ ନ ଲୁଚଇ ଅଗ୍ନି ସତ୍ୟ ।’ ତେଣୁ ଗଙ୍ଗାଧରଙ୍କ ଆତ୍ମାର ସୌନ୍ଦର୍ଯ୍ୟ ଫୁଟି ଉଠୁଥିବାର ପ୍ରତ୍ୟକ୍ଷ କଲେ ନନ୍ଦକିଶୋର କବିଙ୍କ ଆତ୍ମୀୟତାପୂର୍ଣ୍ଣ ବ୍ୟବହାରରେ । ଗଙ୍ଗାଧରଙ୍କ ମୁଖମଣ୍ଡଳର ସୌମ୍ୟତା ଓ ସେଇ ମୁଖରୁ ଉଚ୍ଚାରିତ ସୁନ୍ଦର ଶବ୍ଦସୁଧା ତାଙ୍କୁ ଅଚିରେ ଆପ୍ଲୁତ କରିପକାଇଲା । ‘ଅଯୋଧ୍ୟାଦୃଶ୍ୟ’ ପାଠ କରି ସେ ଲେଖିଥିଲେ ‘ଅମୃତମୟୀ ରାମାୟଣୀ କଥାକୁ ଆପଣ ସ୍ଵୀୟ ଅମୃତମୟୀ ଭାଷାରେ ବିଭୂଷିତ କରି ଉତ୍କଳ ସାହିତ୍ୟ ମନ୍ଦିରକୁ ଆଉ ଗୋଟିଏ ରତ୍ନମୟୀ ମୂର୍ତ୍ତିରେ ମଣ୍ଡି ଦେଇଛନ୍ତି । ଏହି ସରଳ, ପ୍ରାଞ୍ଜଳ, କରୁଣ ରସାର୍ଦ୍ର କବିତାଟି ପାଠ କଲେ ପାଷାଣ, ହୃଦୟ ମଧ୍ୟ ତରଳିବ । କି ଭାଷାର ପ୍ରସାଦ ଓ ମାଧୁର୍ଯ୍ୟ ଗୁଣରେ, କି ଭାବର ଲାଳିତ୍ୟ ଓ ସ୍ନିଗ୍ଧତାରେ, କି ବର୍ଣ୍ଣନାର ସ୍ୱାଭାବିକତା ଓ ଋଜୁ ସୌନ୍ଦର୍ଯ୍ୟରେ ଏହା ବାସ୍ତବିକ ଉତ୍କଳ ସାହିତ୍ୟ ସଂସାରର ଗୋଟିଏ ସୁନ୍ଦର ସାମଗ୍ରୀ ହୋଇଅଛି ।’ (୧୩)’

 

ଚିଠିରେ ଯେଉଁ ‘ଅମୃତମୟୀ ଭାଷା’, ଲଳିତ ଓ ସ୍ନିଗ୍ଧ ଭାବ ବିଭବ କଥା ନନ୍ଦକିଶୋର ଉଲ୍ଲେଖ କରିଛନ୍ତି ତାହା ଯେ ଗଙ୍ଗାଧରଙ୍କ ହୃଦୟ ନିଃସୃତ ଅମୃତ-ଏକଥା ସେ ଯଥାର୍ଥ ଭାବରେ ଉପଲବ୍ଧି କରିଥିଲେ । ହୃଦୟରେ କାରୁଣ୍ୟ ନ ଥିଲେ କେହି କ’ଣ କରୁଣ ରସାର୍ଦ୍ର କବିତା ଲେଖି ପାଷାଣ ପ୍ରାଣକୁ ତରଳାଇ ଦେଇପାରେ ? ଅନ୍ତରାତ୍ମାରେ ଲଳିତ ଭାବପୁଷ୍ପର ପ୍ରସ୍ଫୁଟନ ହେଉ ନଥି‌ଲେ କାବ୍ୟରେ କ’ଣ ତାର ସ୍ନିଗ୍ଧ ସୌରଭ ବିଚ୍ଛୁରିତ ହୋଇପାରେ ? ନନ୍ଦକିଶୋର ସେଇଥିଲାଗି କାବ୍ୟକୁ ଭଲ ପାଇବା ମାଧ୍ୟମରେ କବିଙ୍କୁ ହିଁ ଭଲ ପାଇଥିଲେ ସମଧିକ । କାବ୍ୟର ବର୍ଣ୍ଣନାରେ ମୁଗ୍ଧ ହେଉ ହେଉ କବିଙ୍କ ଆତ୍ମା ଭିତରକୁ ପ୍ରବେଶ କରିଯାଉଥିଲେ ଅହରହ ।

 

କବି ଗଙ୍ଗାଧରଙ୍କ ପ୍ରତି ସେ ସମୟରେ ଯେଉଁ ଦୁଇଜଣ ସଂପାଦକଙ୍କ ସ୍ନେହ ଆକର୍ଷିତ ହୋଇଥିଲା ସେମାନେ ହେଲେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓ ବାଗ୍ମୀ ବିଶ୍ୱନାଥ କର । ମେହେର ପ୍ରତିଭା-ରଶ୍ମି ମଧ୍ୟଦେଇ ଏ ଦୁହେଁ ଏପରି ଏକ ମାନବତ୍ଵର ସ୍ପର୍ଶରେ ଶିହରିତ ହେଲେ, ଯାହା ଫଳରେ ଗଙ୍ଗାଧର ସେମାନଙ୍କ ହୃଦୟରେ ହେଲେ ଅଧିଷ୍ଠିତ । ‘ସମ୍ବଲପୁର ହିତୈଷିଣୀ’ରେ ବିଦ୍ୟାରତ୍ନେ ଗଙ୍ଗାଧରଙ୍କ କବିତା ଓ ଜୀବନୀ ପ୍ରକାଶ କରି ଓଡ଼ିଆ ଭାଷୀ ପାଠକଙ୍କ ତନ୍ମୟ ଦୃଷ୍ଟି ତାଙ୍କ ପ୍ରତି ଆକର୍ଷଣ କରିଦେଲେ । ରାଧାନାଥଙ୍କ ସହ ସାକ୍ଷାତ୍‌କାରର ବ୍ୟବସ୍ଥା ସେ ହିଁ କରି ଦେଇଥିଲେ । ଫକୀର ମୋହନଙ୍କ ‘ଉତ୍କଳ ଭ୍ରମଣ’ରେ ଗଙ୍ଗାଧରଙ୍କ ସଂପର୍କରେ ମାର୍ମିକ ବର୍ଣ୍ଣନା ସଂଯୁକ୍ତ କରିବା ନିମନ୍ତେ ସେ ହିଁ ଫକୀରମୋହନଙ୍କୁ ଦେଇଥିଲେ ଆନ୍ତରିକ ପ୍ରେରଣା । ଅନେକ ପତ୍ର ଲେଖିଛନ୍ତି ସେ ଗଙ୍ଗାଧରଙ୍କୁ । ‘ତପସ୍ଵିନୀ’ ପାଠ ପରେ ତାଙ୍କ ଉଚ୍ଛସିତ ଭାଷାରେ ଫୁଟି ଉଠିଲା କିନ୍ତୁ ଅତୁଳନୀୟ ମମତା । କହିଲେ ସେ ‘ତପସ୍ଵିନୀ’ର ଚତୁର୍ଥ ସର୍ଗ ଶ୍ରବଣ କଲି । ମୋର ବଂଶଧରମାନଙ୍କ ଆୟୁଷ ଗ୍ରହଣ କର । ତୁମେ ଏକା ଉତ୍କଳର ନୁହଁ ଭାରତର ଦ୍ଵିତୀୟ କାଳିଦାସ ବୋଲି ମୋର ବର୍ତ୍ତମାନ ଅଭିମତ ।’ (୧୪)

 

ଯେଉଁ ପ୍ରାଣରୁ ନିତ୍ୟ ଝରୁଥିଲା ଶ୍ରଦ୍ଧା ଓ ପ୍ରେମର ନିର୍ଝର ସେଇ କବିଙ୍କ ଆବାସସ୍ଥଳୀ ସାହିତ୍ୟିକମାନଙ୍କ ତୀର୍ଥସ୍ଥାନରେ ପରିଣତ ହେବ ବୋଲି ସେ ଭବିଷ୍ୟତ ବାଣୀ କରିଦେଇଥିଲେ କବିଙ୍କ ତିରୋଧାନ ପରେ ।

 

ଗଙ୍ଗାଧର ମଧ୍ୟ ବିଦ୍ୟାରତ୍ନଙ୍କୁ ଭକ୍ତି ବାଢ଼ୁଥିଲେ ଅବିରତ । ‘ବିଦ୍ୟାରତ୍ନଙ୍କ ହିତୈଷିଣୀ’ ଶୀର୍ଷକ କବିତାରେ ଗାଇ ଉଠିଛନ୍ତି ସେ :

 

‘କରିଅଛ ମୋର ଯେତେ ଯେତେ ଉପକାର

ମୋ ହୃଦେ ରହିଛି ସବୁ ସ୍ୱର୍ଣ୍ଣମୟ ଗାର ।

ତୁମ୍ଭ କୀରତିର ଚାରୁ ପତାକା ସୀବନେ

ସୂତ୍ର ହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।’ (୧୫)

 

ଏ କବିତାକୁ ଦୃଷ୍ଟି ସମକ୍ଷରେ ରଖି ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣେତା ଡକ୍ଟର ମାୟାଧର ମାନସିଂହ କହିଛନ୍ତି ‘ବିଦ୍ୟାରତ୍ନ ଓ ବିଦ୍ୟାରତ୍ନଙ୍କ ହିତୈଷିଣୀକୁ ବରେଣ୍ୟ କବି ମେହେର ଯେଉଁ ଯଶୋଭୂଷିତ ଅମରତ୍ଵ ଦେଇଯାଇଅଛନ୍ତି, ତାହା ଓଡ଼ିଶାର ଅନ୍ୟ କୌଣସି ସମ୍ବାଦପତ୍ର ବା ସଂପାଦକଙ୍କ ଭାଗ୍ୟରେ ଘଟିନାହିଁ ।’ (୧୬)

 

‘ଉତ୍କଳ ସାହିତ୍ୟ’ ପତ୍ରିକାର ସୁଯୋଗ୍ୟ ସଂପାଦକ ବାଗ୍ମୀ ବିଶ୍ଵନାଥ କରଙ୍କ ସହ ଗଙ୍ଗାଧରଙ୍କ ପ୍ରଗାଢ଼ ପ୍ରୀତି ମଧ୍ୟ ଥିଲା ପ୍ରେରଣାଦୀପ୍ତ । ଲେଖା ପାଇଁ ବିଶ୍ଵନାଥ ବାରମ୍ବାର ଅନୁରୋଧ କରୁଥିଲେ ଗଙ୍ଗାଧରଙ୍କୁ । ପାରିବାରିକ ସୁଖ ଦୁଃଖରେ ପ୍ରକାଶ କରୁଥିଲେ ନିଜ ପ୍ରାଣର ସମବେଦନା । ଗଙ୍ଗାଧରଙ୍କୁ ଦେଖିଲେ, ତାଙ୍କ କଥା ମନେ ପକାଇଲେ ପ୍ରିୟଜନକୁ ଦେଖିବା ପରି ଆବେଗ ଅନୁଭବ କରୁଥିଲେ ସେ । ଚିଠିରେ ଲେଖିଥିଲେ ତେଣୁ : ‘ଦୂରରେ ଥିଲେ ମଧ୍ୟ ଏବଂ ବହୁଦିନ ପତ୍ରାଦି ବନ୍ଦ ଥିଲେ ମଧ୍ୟ ଆପଣଙ୍କୁ ଚିରଦିନ ଅତି ଆପଣାର ବୋଲି ମନେ କରିଆସିଛି ।’ (୧୭) ପୁଣି ‘ଆପଣଙ୍କ ସଙ୍ଗେ ଆଳାପ ଯଦିବା କ୍ଷଣସ୍ଥାୟୀ, ତଥାପି ମୁଁ ଆପଣଙ୍କୁ କି ଚକ୍ଷୁରେ ଦେଖିଅଛି ଏବଂ ଆପଣଙ୍କ ସମ୍ବନ୍ଧରେ ମୋର ଭାବ କି ରୂପ, ତାହା କେବଳ ଅନ୍ତର୍ଯ୍ୟାମୀ ଜାଣନ୍ତି ।’ (୧୮)

 

କହିବା ବାହୁଲ୍ୟ ଯେ, ନିଜ କବିତା ରଚନାର ଶୁଭାରମ୍ଭ ସମୟରୁ ଗଙ୍ଗାଧର ସାରସ୍ଵତ ସମ୍ପର୍କର ମାଧୁର୍ଯ୍ୟ କେତେ ହୃଦୟସ୍ପର୍ଶୀ ଓ ପ୍ରେରଣାପ୍ରଦ ତାହା ଅନୁଭବ କରିଆସିଛନ୍ତି ମର୍ମେ ମର୍ମେ । ପରିଣତ ବୟସରେ ତରୁଣ କବି ବ୍ରଜମୋହନଙ୍କ ସାନ୍ନିଧ୍ୟ ତାଙ୍କ ପାଇଁ ଆଉ ଏକ ପ୍ରୀତିପୂର୍ଣ୍ଣ ଅନୁଭବ ଆଣି ଦେଇଥିଲା । ବ୍ରଜମୋହନ ବୟସରେ ଗଙ୍ଗାଧରଙ୍କ ପୁତ୍ର ପ୍ରତିମ । ମାତୃଭୂମିର ମମତାରେ ଉଦ୍‌ଭାସିତ ବ୍ରଜମୋହନଙ୍କ ଆଶା ତଥା ଉତ୍ସାହଦୀପ୍ତ ମୁଖମଣ୍ଡଳ ଗଙ୍ଗାଧରଙ୍କ ମନରେ ଭରି ଦେଉଥିଲା ନବ ଜୀବନର ପୁଲକ । ଗଙ୍ଗାଧରଙ୍କ କାବ୍ୟ କବିତାର ପ୍ରକାଶନ ପାଇଁ ତଥା ତାଙ୍କ ନିଜ ଗାଁ ଲରମ୍ଭାରେ ନେଇ ରଖିବା ପାଇଁ ସେ ଥିଲେ ବ୍ୟାକୁଳ । ତେବେ ଗଙ୍ଗାଧରଙ୍କ ମର୍ଯ୍ୟାଦାବୋଧ ସେ ଅନୁରୋଧକୁ କୃତଜ୍ଞତାର ସହ ଏଡ଼ାଇ ଦେଇପାରିଥିଲା । ବ୍ରଜମୋହନ ଗଙ୍ଗାଧରଙ୍କୁ ପ୍ରିୟତମ କବି ଭାବରେ ପୂଜା କରୁଥିଲେ । ସେ କହିଥିଲେ ‘ଲୋକେ ତୀର୍ଥାଟନ କରନ୍ତି, ମାତ୍ର ମୁଁ ଆପଣଙ୍କୁ ତୀର୍ଥ ଜ୍ଞାନ କରେ । ସେହି ତୀର୍ଥରେ ମୋର ନିବାସ ସ୍ଥାପନ କରି କିପରି ନିଜକୁ ପବିତ୍ର ଓ ଚରିତାର୍ଥ କରନ୍ତି, ଏହି ମାତ୍ର ଅନ୍ତର୍ଗତ ବାସନା ।’ (୧୯)

 

ଯେଉଁ କବି ହୃଦୟର ତରୁଣ ମଣିଷଟି ଗଙ୍ଗାଧରଙ୍କୁ ଏହିପରି ଭକ୍ତି ନିବେଦନ କରୁଥିଲେ ସେ ୧୯୧୯ରୁ ସାଂସାରିକ ଜଂଜାଳର ବ୍ୟସ୍ତତା ପାଇଁ ହୁଏତ ଆଉ ଗଙ୍ଗାଧରଙ୍କ ସହ କୌଣସି ସଂପର୍କ ରଖିପାରି ନଥିଲେ । ତେବେ ବ୍ରଜମୋହନଙ୍କ ଆବେଗମୟ ରୂପ ଗଙ୍ଗାଧରଙ୍କ ହୃଦୟରେ ଥିଲା ଅକ୍ଷତ । ତାଙ୍କ ପ୍ରତି ସେ ଥିଲେ ସଦା କୃତଜ୍ଞ । ଆଉ ମନେ ମନେ ବ୍ରଜମୋହନଙ୍କ ସ୍ନେହସିକ୍ତ ସାନ୍ନିଧ୍ୟ ସେ ଝୁରି ହେଉଥିଲେ ହୁଏତ ନୀରବରେ ।

 

ଏସବୁ ସରସ ଓ ହୃଦୟସ୍ପର୍ଶୀ ସଂପର୍କ ବ୍ୟତୀତ କବି ଶେଖର ଚିନ୍ତାମଣି ମହାନ୍ତି, ହିନ୍ଦୀ କବି ଲୋଚନ ପ୍ରସାଦ ପାଣ୍ଡେ, କବି ଓ କଥାକାର ଦୟାନିଧି ମିଶ୍ର, ବାମଣ୍ଡା ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ପ୍ରମୁଖଙ୍କ ସହ ଗଙ୍ଗାଧରଙ୍କ ଜୀବନ ଜଡ଼ିତ ଥିଲା ଅତ୍ୟନ୍ତ ସୂକ୍ଷ୍ମ ସୂତ୍ରରେ । କବିଶେଖର ଚିନ୍ତାମଣି ତାଙ୍କ ଉଦ୍ଦେଶ୍ୟରେ କହିଥିଲେ ‘ବିଧାତା ମୋତେ ରାଜା କରିଥିଲେ ମୁଁ ରାଜ୍ୟ ଖଣ୍ଡି ଆପଣଙ୍କୁ ସମର୍ପଣ କରିଦେଇଥାନ୍ତି ।’ (୨୦) ବାମଣ୍ଡା ରାଜା ଉଚ୍ଛ୍ୱସିତ ଭାବରେ ସ୍ଵୀକାର କରିଥିଲେ ଯେ ଗଙ୍ଗାଧର ତାଙ୍କ ହୃଦୟର ରାଜା । (୨୧) ଲୋଚନ ପ୍ରସାଦ ସମଗ୍ର ଭୂଭାରତବର୍ଷ ଜୟ ଗଙ୍ଗାଧର ଶୁଭନାଦରେ ପୂରି ଉଠୁ ବୋଲି କାମନା କରୁଥିଲେ । (୨୨) ଶଶିଭୂଷଣ ରାୟ କବିଙ୍କୁ ‘ସମ୍ବଲପୁରର ଉଦୀୟମାନ ଗୌରବ ଭାସ୍କର’ ବୋଲି ଅଭିନନ୍ଦନ ଜ୍ଞାପନ କରିଥିଲେ ।

 

କଲିକତା ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ ଓଡ଼ିଆ ସାହିତ୍ୟର ନିର୍ବାଚିତ ଅଂଶ ସଂପାଦନା କଲାବେଳେ ବିଜୟ ଚନ୍ଦ୍ର ମଜୁମଦାର ଗଙ୍ଗାଧରଙ୍କୁ ଜଣାଇଥିଲେ ନିଜ କବିତାର ଉତ୍କୃଷ୍ଟ ଅଂଶ ନିର୍ବାଚନ କରିବା ପାଇଁ । ଗଙ୍ଗାଧର ଯାହା କରିଥିଲେ ସେତିକିରେ ସନ୍ତୁଷ୍ଟ ନ ହୋଇ ସେ ଅତିରିକ୍ତ ଅଂଶ ପୁଣି ନିର୍ବାଚନ କରିଥିଲେ । ସେଥିରେ ତାଙ୍କର ମର୍ମଜ୍ଞ ମନର ମାଧୁରୀ ହିଁ ଫୁଟି ଉଠିଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ‘କୀଚକବଧ’ କାବ୍ୟର ପ୍ରକାଶ ଭାର ଗ୍ରହଣ କରି ଥିଲେ ସ୍ଵଇଚ୍ଛାରେ । ରାମଶଙ୍କର ରାୟଙ୍କୁ ଗଙ୍ଗାଧରଙ୍କ ଶିଷ୍ଟତାପୂର୍ଣ୍ଣ ପତ୍ର ଆନନ୍ଦସାଗରରେ ନିମଗ୍ନ କରୁଥିଲା । ପୁଣି ସେ ସମୟର ବହୁ ରାଜା, ଜମିଦାର କବିଙ୍କ କାବ୍ୟ ପାଠ କରି ଲେଖିଥିଲେ ଅନେକ ପ୍ରଶଂସାପୂର୍ଣ୍ଣ, କୃତଜ୍ଞତାପୂର୍ଣ୍ଣ ପତ୍ର । ବହୁ କବି ଓ ଲେଖକ ପାଣ୍ଡୁଲିପି ସଂଶୋଧନ ପାଇଁ ଗଙ୍ଗାଧରଙ୍କ ପାଖକୁ ଆସୁଥିଲେ । ସେ ସମସ୍ତଙ୍କୁ ଗଙ୍ଗାଧର ଯେଉଁ ପରାମର୍ଶ ଦେଉଥିଲେ ସେଥିରେ ରଚନା ଯେ ହୃଦୟର ଦର୍ପଣ ଓ ଅନ୍ତରାତ୍ମାର ନିର୍ମଳତା ହିଁ ଯେ ଅସଲ କବିତ୍ଵ- ଏ ସତ୍ୟ ଫୁଟି ଉଠୁଥିଲା ସ୍ଵାଭାବିକ ଭାବରେ ।

 

ଯେଉଁମାନେ କବି ଓ ସାହିତ୍ୟିକ ନ ଥିଲେ ଅଥଚ କବିତାକୁ ଆଦର କରୁଥିଲେ ଅନ୍ତରର ସହ ସେମାନଙ୍କଠାରେ ମାନବିକତାର ଦୁର୍ଲଭ ଗୁଣ ଆବିଷ୍କାର କରିପାରୁଥିଲେ ଗଙ୍ଗାଧର । ସମ୍ବଲପୁରର ବିଶିଷ୍ଟ ଓକିଲ ରାମନାରାୟଣ ମିଶ୍ରଙ୍କ ଆନ୍ତରିକତା, ବରଗଡ଼ର ଓକିଲ ବାଲୁଙ୍କେଶ୍ଵର ମିଶ୍ରଙ୍କ ସହୃଦୟତା, ପଦ୍ମପୁର ଜମିଦାର ଲାଲ୍‌ରାଜେନ୍ଦ୍ର ସିଂହ ବରିହା ଓ ଦେବାନ୍‌ ଭୁବନେଶ୍ଵର ବହିଦାରଙ୍କ କୃଷି କବିତା ରଚନାର ପ୍ରେରଣା, ଅଦ୍ଵେତ ପ୍ରସାଦ ମହାନ୍ତି, ଗୋପୀନାଥ ଦାଶ, ଗୋକୁଳାନନ୍ଦ ପାତ୍ର, ପାଞ୍ଚ ପୂଜାରୀ ପ୍ରମୁଖଙ୍କ ସଦାଳାପ, ସମ୍ବଲପୁରର ବୈକୁଣ୍ଠନାଥ ପୂଜାରୀ, ନୀଳକଣ୍ଠ ପୂଜାରୀ, ଦାଶରଥି ପାଣିଗ୍ରାହୀ ପ୍ରଭୃତିଙ୍କ ଅନୁରାଗ ବରପାଲିର ମଦନମୋହନ ପ୍ରଧାନଙ୍କ ସମର୍ପିତ ଭାବ କବିଙ୍କ ଜୀବନରେ ଭରିଦେଇଥିଲା ଅପାର୍ଥିବ ଆନନ୍ଦର ଧାରା । ବୈକୁଣ୍ଠନାଥ ପୂଜାରୀ ‘ମହିମା’କୁ ମୋର ପ୍ରିୟ ପୁସ୍ତକ ବୋଲି ଅଭିହିତ କରିଥିଲେ । (୨୩) କବି ପଦ୍ମପୁରରୁ ଅବସର ନେଇ ବରପାଲି ଚାଲିଆସିବା ପରେ ଗୋକୁଳାନନ୍ଦ ମହାପାତ୍ର ଲେଖିଥିଲେ : ‘ଆପଣ ପଦ୍ମପୁରରେ ଥିବା ସମୟରେ ଆପଣଙ୍କ ସଙ୍ଗେ ଦେଖା ନ ହେଲେ ତେତେ ବାଧୁ ନଥିଲା । ବର୍ତ୍ତମାନ ବଡ଼ ବାଧେ ।’ (୨୪)

 

ପଣ୍ଡିତ ରାଘବ ମିଶ୍ର ପଦ୍ମପୁରରେ ଗଙ୍ଗାଧରଙ୍କ ସହ ପରିଚିତ ହୋଇଥିଲେ ଓ ପରେ ଏ ପରିଚୟ ବରପାଲିରେ ଘନିଷ୍ଠ ରୂପପରିଗ୍ରହ କରିଥିଲା । ସେତେବେଳେ ବରପାଲିରେ ପଣ୍ଡିତ ମିଶ୍ର ହିଁ ଏକାକୀ ବୁଝିଥିଲେ ଗଙ୍ଗାଧରଙ୍କ ସାରସ୍ଵତ ମହତ୍ତ୍ଵ । କବି ମୃତ୍ୟୁଶଯ୍ୟାରେ ପଡ଼ିଥିବାବେଳେ ସେ ଜ୍ଞାପନ କରୁଥିଲେ ଗଭୀର ସମବେଦନା ଓ କବିଙ୍କ ଦେହାବସାନ ପରେ ମେହେର ସ୍ମୃତିରକ୍ଷା ପାଇଁ ନିଜକୁ ସେ ଉତ୍ସର୍ଗ କରିଥିଲେ ସଂପୂର୍ଣ୍ଣ ଭାବରେ ।

 

ଏ ସମସ୍ତଙ୍କ ସହ ଗଙ୍ଗାଧରଙ୍କ ସାରସ୍ଵତ ସମ୍ପର୍କ ଥିଲା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ । ସାହିତ୍ୟର ଆଭିମୁଖ୍ୟ ଓ ଜୀବନର ଆଭିମୁଖ୍ୟ ସଂପର୍କରେ ସଚେତନ ଥିବା ଶିଳ୍ପୀ, ସାହିତ୍ୟିକ ଓ ଭଦ୍ରବ୍ୟକ୍ତିଙ୍କ ସହ ତାଙ୍କ ସମ୍ବନ୍ଧ ଦୃଷ୍ଟିରୁ ଉତ୍ସାହପ୍ରଦ ହେଉଥିଲା । ଏ ସଜ୍ଜନମଣ୍ଡଳୀ ପରସ୍ପରକୁ ଭଲ ପାଇଥିଲେ ମନୁଷ୍ୟତାର ଶୁଦ୍ଧ ଆବେଗ ଦ୍ଵାରା ପ୍ରଚୋଦିତ ହୋଇ । ନିଃସ୍ଵାର୍ଥପର ସାରସ୍ଵତ ସମ୍ପର୍କ କବିତାଠାରୁ ବି ଆହୁରି କୋମଳ, ଆହୁରି ଶକ୍ତିମୟ ଓ ପ୍ରେରଣାପ୍ରଦ । ସାଂସାରିକ ବନ୍ଧନଠାରୁ ମଧ୍ୟ ତାହାର ଆକର୍ଷଣ ଅଧିକ । ଗଙ୍ଗାଧରଙ୍କ ସାରସ୍ଵତ ସମ୍ବନ୍ଧର ମାଧୁର୍ଯ୍ୟ ସେ ଦୃଷ୍ଟିରୁ ଏକାନ୍ତ ଅନନ୍ୟ ଓ ଅସାଧାରଣ ।

 

ସକଳ ମାନବିକ ସଂପର୍କ ପ୍ରେରଣାପୂର୍ଣ୍ଣ ହେବା ମୂଳରେ ରହିଥାଏ ସ୍ନେହ ଓ ସଦିଚ୍ଛାର ଶକ୍ତି । ଗଙ୍ଗାଧର ନିଜ ସାରସ୍ଵତ ସମ୍ବନ୍ଧରୁ ହିଁ ଲାଭ କରିଥିଲେ ଅପାର୍ଥିବ ଆନନ୍ଦର ମହତ୍ତର ସ୍ପର୍ଶାନୁଭୂତି । ଏହା ତାଙ୍କ ଅନ୍ତରକୁ କୃତଜ୍ଞତାର ଭାବରେ କରିଥିଲା ପରିପୂର୍ଣ୍ଣ ।

 

ପ୍ରାନ୍ତଟୀକା :

୧.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୧୦ : ପିତୃପ୍ରସଙ୍ଗ । ପୃ. ୧୯୫ ।

୨.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୩ : ପିତୃପ୍ରସଙ୍ଗ । ପୃ. ୧୮୮ ।

୩.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୧୦ : ପିତୃପ୍ରସଙ୍ଗ । ପୃ. ୧୯୫ ।

୪.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୧୦ : ପିତୃପ୍ରସଙ୍ଗ । ପୃ. ୧୯୫ ।

୫.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୭ ; ପିତୃପ୍ରସଙ୍ଗ । ପୃ. ୧୯୨ ।

୬.

ମେହେର ଭଗବାନ, ପରିଶିଷ୍ଟ ‘ଖ’ : ପତ୍ର ନଂ ୧୬ : ପିତୃପ୍ରସଙ୍ଗ । ପୃ. ୨୮୩ ।

୭.

ମେହେର ଭଗବାନ, ପରିଶିଷ୍ଟ ‘କ’’ : ପତ୍ର ନଂ ୧୬ : ପିତୃପ୍ରସଙ୍ଗ । ପୃ. ୨୮୩ ।

୮.

ମେହେର ଗଙ୍ଗାଧର, ଗଙ୍ଗାଧର ଗ୍ରନ୍ଥାବଳୀ । ପୃ. ୪୧୦ ।

୯.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୪୫ : ପିତୃପ୍ରସଙ୍ଗ । ପୃ. ୨୩୦ ।

୧୦.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୪୬ : ପିତୃପ୍ରସଙ୍ଗ । ପୃ. ୨୩୧ ।

୧୧.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୪୪ : ପିତୃପ୍ରସଙ୍ଗ । ପୃ. ୨୨୯ ।

୧୨.

ବଳ ନନ୍ଦକିଶୋର, ଇନ୍ଦୁମତୀ କାବ୍ୟ ପ୍ରଣେତାନ ମେହେରଙ୍କ ପ୍ରତି : ଗଙ୍ଗାଧର ଗ୍ରନ୍ଥାବଳୀ । ପୃ. ୧୩ ।

୧୩.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୪୨:୧୮. ପିତୃପ୍ରସଙ୍ଗ । ପୃ. ୪୨ ।

୧୪.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପିତୃପ୍ରସଙ୍ଗ । ପୃ. ୨୯୩ ।

୧୫.

ମେହେର ଗଙ୍ଗାଧର, ବିଦ୍ୟାରତ୍ନଙ୍କ ହିତୈଷିଣୀ : ଅର୍ଘ୍ୟଥାଳୀ : ଗଙ୍ଗାଧର ଗ୍ରନ୍ଥାବଳୀ । ପୃ. ୩୦୯ ।

୧୬.

ମାନସିଂହ ମାୟାଧର, ପଣ୍ଡିତ ନୀଳକଣ୍ଠ ବିଦ୍ୟାରତ୍ନ, ଓଡ଼ିଆ ସାହିତ୍ୟର ଇତିହାସ । ଦ୍ୱିତୀୟ । ମୁଦ୍ରଣ, ଗ୍ରନ୍ଥମନ୍ଦିର, କଟକ-୨, ୧୯୭୬ । ପୃ. ୩୦୩ ।

୧ ୭.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୩୭ : ତା ୨୨ ମାର୍ଚ୍ଚ ୧୯୧୧ : ପିତୃପ୍ରସଙ୍ଗ । ପୃ. ୨୨୧।

୧୮.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୩୮ : ୨୮.୩.୧୯୧୧ : ପିତୃପ୍ରସଙ୍ଗ । ପୃ. ୨୨୨ ।

୧୯.

ଦାସ ଶିବପ୍ରସାଦ, ପତ୍ର ତା. ୨୬.୧୧.୧୯୧୯ : ଗଙ୍ଗାଧର ପତ୍ରାବଳୀ । ଓଡ଼ିଶା ପବ୍ଲିଶିଙ୍ଗ ହାଉସ୍‌, କଟକ, ୧୯୫୫ । ପୃ. ୨୨୯ ।

୨୦.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୫୨ : ପିତୃ ପ୍ରସଙ୍ଗ ପୃ. ୨୩୫ ।

୨୧.

ମେହେର ଭଗବାନ, ଦୁଇବର୍ଷର ଅବକାଶ : ପିତୃପ୍ରସଙ୍ଗ । ପୃ. ୫୮ ।

୨୨.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୫୭ : ପିତୃ ପ୍ରସଙ୍ଗ । ପୃ. ୨୪୨ ।

୨୩.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ ୭୧ : ପିତୃ ପ୍ରସଙ୍ଗ । ପୃ. ୨୫୭ ।

୨୪.

ମେହେର ଭଗବାନ, ପରିଶିଷ୍ଟ ‘କ’ : ପତ୍ର ନଂ. ୮୫ : ପିତୃ ପ୍ରସଙ୍ଗ । ପୃ. ୨୬୭-୬୮ ।

 

 

ଅଧ୍ୟାପକ

ସ୍ନାତକୋତ୍ତର, ଓଡ଼ିଆ ବିଭାଗ, ସମ୍ବଲପୁର

ବିଶ୍ୱବିଦ୍ୟାଳୟ, ଜ୍ୟୋତିବିହାର

 

 

***